‘ହରିଡ଼ାପଦର’ ଗାଁ’ର ଇତିହାସ, ସଂସ୍କୃତି ଓ ଜନଜୀବନ

ଆମ ଗାଁ ଆମ ଜୀବନ/ "Our Village, Our Life": A Cultural Documentation Initiative

ପୂଜା ବିଶ୍ୱାଳ
12 Views
89 Min Read

Puja Biswal, a student of Odia Honours at Asika Science College (Berhampur University), presents a heartfelt ethnographic account of her native village, Haridapadar, in Ganjam district, Odisha. Through direct interviews with over fifty elderly residents, she documents the village’s oral history — its naming legend, its guardian deity Dengurai, traditional farming practices, festivals, marriage and birth customs, folk games, and the pressing issue of labour migration. Moving beyond textbook fieldwork, this project preserves a vanishing rural memory for future generations, capturing both the simplicity and resilience of village life amid changing times.

ସମ୍ପାଦକୀୟ ନୋଟ: 

“ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ଗାଁର ଯୁବପିଢ଼ିଙ୍କୁ ନେଇ ଏକ ଉଦ୍ୟମ । ଏହି ପ୍ରୟାସରେ 2026 ମସିହାରେ ଗଞ୍ଜାମ ଜିଲ୍ଲା ଆସ୍କା ସାଇନ୍ସ କଲେଜର 43 ଜଣ ଛାତ୍ରଛାତ୍ରୀ ନିଜ ଗାଁର ଇତିହାସ ଓ ସଂସ୍କୃତିକୁ ଲିପିବଦ୍ଧ କରିଛନ୍ତି । ସେମାନଙ୍କ ଲେଖାରେ ଗାଁ ପ୍ରତି ଥିବା ଗଭୀର ଶ୍ରଦ୍ଧା ଓ ଆନ୍ତରିକତାର ଏକ ଜୀବନ୍ତ ପ୍ରତିଚ୍ଛବି ପ୍ରକାଶ ପାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗର ଛାତ୍ରୀ ପୂଜା ବିଶ୍ୱାଳ ନିଜ ଗ୍ରାମ ‘ହରିଡ଼ାପଦର’ର ଅଲିଖିତ ଇତିହାସକୁ ଏକ ସ୍ଥାୟୀ ଲିପିରେ ସାଇତି ରଖିବାର ଏକ ମହତ୍ତ୍ଵପୂର୍ଣ୍ଣ ଉଦ୍ୟମ କରିଛନ୍ତି । ଏହି ଲେଖାର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ବିଷୟ ହେଉଛି, ଲୋକଙ୍କ ନିକଟକୁ ଯାଇ ସଂଗ୍ରହ କରାଯାଇଥିବା ମୌଖିକ ଇତିହାସ ସଂଗ୍ରହ । ଲେଖିକା ପୁସ୍ତକୀୟ ତଥ୍ୟ ସଂଗ୍ରହ ନକରି, ଗାଁର 20ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତ୍‌କାର ମାଧ୍ୟମରେ ଗ୍ରାମର ଇତିହାସ ଠାରୁ ଦାଦନ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଖେଳକୁଦ ପରି ବିଭିନ୍ନ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ମୌଖିକ ଇତିହାସ ସଂଗ୍ରହ (Oral History) ଏହି କାର୍ଯ୍ୟକ୍ରମର ମୂଳଦୁଆ ବୋଲି ପ୍ରମାଣିତ କରିଛି ।

‘ହରିଡ଼ାପଦର’ ଗାଁ’ର ଏହି ଇତିହାସ, ଆଗାମୀ ପିଢ଼ି ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଦଲିଲ ହୋଇ ରହିବ । ଆଞ୍ଚଳିକ ସଂସ୍କୃତି ସଂରକ୍ଷଣ କ୍ଷେତ୍ରରେ ତାଙ୍କ ଲେଖାକୁ ଏକ ମୂଲ୍ୟବାନ ଅବଦାନ ଭାବରେ ଗ୍ରହଣ କରାଯାଇପାରେ । ପୂଜା ବିଶ୍ୱାଳଙ୍କ ଏହି ପ୍ରୟାସ ପାଇଁ ଆମେ ତାଙ୍କୁ ପ୍ରଶଂସା କରୁଛୁ ଓ ତାଙ୍କର ଲେଖନୀ ଭବିଷ୍ୟତରେ ଆହୁରି ଶାଣିତ ହେବ ବୋଲି ଆଶା ପ୍ରକାଶ କରୁଛୁ ।

Samadhwani Support us

ପରିଚୟ

ମୁଁ ପୂଜା ବିଶ୍ୱାଳ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଆସିକା, ଗଞ୍ଜାମର ଓଡ଼ିଆ ସମ୍ମାନ ବିଭାଗରେ ଯୁକ୍ତ ତିନି (+3) ଦ୍ୱିତୀୟ ବର୍ଷ, ଚତୁର୍ଥ ସେମିଷ୍ଟାର (କଳା)ର ଜଣେ ଛାତ୍ରୀ ।  ମୁଁ ଗଞ୍ଜାମ ଜିଲ୍ଲାର ‘ହରିଡ଼ାପଦର’ ଗ୍ରାମର ଅଧିବାସୀ । ଛାତ୍ର ଜୀବନ ଆରମ୍ଭରୁ ମୋର ମାତୃଭାଷା, ଆଞ୍ଚଳିକ ପରମ୍ପରା ଓ ଗ୍ରାମୀଣ ସଂସ୍କୃତି ପ୍ରତି ମୋର ଏକ ଗଭୀର ଆଗ୍ରହ ରହିଛି, ଯାହା ମୋତେ ଏହି ବିଷୟରେ କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲା । ମହାବିଦ୍ୟାଳୟ ପାଠ୍ୟକ୍ରମ ଅନୁସାରେ ମୁଁ “ଆମ ଗାଁ ଆମ ଜୀବନ” ଶୀର୍ଷକ ସାଂସ୍କୃତିକ ଲିପିବଦ୍ଧ କାର୍ଯ୍ୟକ୍ରମ (2026) ଅନ୍ତର୍ଗତ ଏହି ଇଣ୍ଟର୍ନସିପ୍ କାର୍ଯ୍ୟ ସମ୍ପାଦନ କରିଛି, ଯାହାର ପ୍ରସ୍ତୁତି କାର୍ଯ୍ୟରେ ମୋର ପରାମର୍ଶଦାତା ଓ ସମଧ୍ୱନି ପତ୍ରିକାର ସମ୍ପାଦିକା ଶ୍ରୀମତୀ ସ୍ୱୟଂପ୍ରଭା ପାଢ଼ୀ ଏବଂ ଓଡ଼ିଆ ସମ୍ମାନ ବିଭାଗୀୟ ମୁଖ୍ୟ ଡକ୍ଟର ଅଜିତ୍ କୁମାର ମୁନୀଙ୍କର ମାର୍ଗଦର୍ଶନ ମୋତେ ମୂଲ୍ୟବାନ୍ ସହାୟତା ପ୍ରଦାନ କରିଛି ।

ଆମ ଗାଁ ଆମ ଜୀବନ” ଏକ ସାଂସ୍କୃତିକ ପାଠ୍ୟକ୍ରମ ଅଧାରିତ କାର୍ଯ୍ୟକ୍ରମ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ର-ଛାତ୍ରୀମାନଙ୍କୁ ସେମାନଙ୍କର ନିଜ ଗ୍ରାମର ଇତିହାସ, ପରମ୍ପରା, ଲୋକ ସଂସ୍କୃତି ଓ ସାମାଜିକ ଜୀବନଧାରା ସହିତ ପରିଚିତ କରାଇବା । ଏହି ପ୍ରକଳ୍ପ ଅନ୍ତର୍ଗତ “ଆମ ଗାଁର ଇତିହାସ ଓ ସଂସ୍କୃତି” ଶୀର୍ଷକରେ ମୁଁ ମୋର ଗ୍ରାମ ‘ହରିଡ଼ାପଦର’ର ଐତିହାସିକ ପୃଷ୍ଠଭୂମି, ସାମାଜିକ ପରିବେଶ, ପର୍ବ-ପର୍ବାଣୀ, ଲୋକ ବିଶ୍ୱାସ, ଆଞ୍ଚଳିକ କଳା-କୌଶଳ ଏବଂ ଗ୍ରାମବାସୀଙ୍କର ଦୈନନ୍ଦିନ ଜୀବନଧାରାକୁ ତଥ୍ୟ ସଂଗ୍ରହ, ପ୍ରାଥମିକ ପର୍ଯ୍ୟବେକ୍ଷଣ ଏବଂ ପ୍ରାଚୀନ ବ୍ୟକ୍ତିମାନଙ୍କ ସହ ଆଲୋଚନା ମାଧ୍ୟମରେ ବିଶ୍ଳେଷଣ କରିଛି । ଏହି ଅନୁଶୀଳନ ମୋତେ ମାତ୍ର ମୋର ଗ୍ରାମ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିନାହିଁ, ବରଂ ଆଞ୍ଚଳିକ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପ୍ରତି ଏକ ନୂତନ ଦୃଷ୍ଟିକୋଣ ମଧ୍ୟ ପ୍ରଦାନ କରିଛି ।

ଏହି ପ୍ରୟାସ ମାଧ୍ୟମରେ ମୁଁ ‘ହରିଡ଼ାପଦର’ ଗ୍ରାମର ଐତିହ୍ୟକୁ ଏକ ବ୍ୟବସ୍ଥିତ ରୂପରେ ପ୍ରଦର୍ଶନ କରିବାର ପ୍ରୟାସ କରିଛି, ଯାହା ଆଗାମୀ ପିଢ଼ି ପାଇଁ ମଧ୍ୟ ଏକ ମହତ୍ତ୍ଵପୂର୍ଣ୍ଣ ତଥ୍ୟ-ଉତ୍ସ ହୋଇ ପାରିବ ।

ଉପକ୍ରମ:

ଆମ ଦେଶ ଭାରତ ହେଉଛି ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ହୋଇଥିବା ‘ଗାଁ’ମାନଙ୍କର ଦେଶ । ଅତ୍ୟନ୍ତ ସୁନ୍ଦର, ସ୍ୱଚ୍ଛ, ଶାନ୍ତ ଏବଂ ସବୁଜିମା ପ୍ରାକୃତିକ ସୌନ୍ଦର୍ଯ୍ୟର ମିଳନ ହେଉଛି ଭାରତରେ ରହିଥିବା ପ୍ରତ୍ୟେକଟି ‘ଗାଁ’ । ଏହାର ସୁନ୍ଦର ପରିବେଶ ହିଁ ଦେଶର ଗୌରବ ଗାରିମାକୁ ପରିପୃଷ୍ଟ କରିଥାଏ ।

ଦେଶର ଅନ୍ୟାନ୍ୟ ଗାଁ’ମାନଙ୍କ ମଧ୍ୟରୁ ଆମ ଗାଁ ଅନ୍ୟ ଏକ ଗର୍ବର ପରିଚୟ ବହନ କରିଥାଏ ମୋ ପାଇଁ । ସମସ୍ତଙ୍କ ଗ୍ରାମ ନିଜ ନିଜର ପରିଚୟ ପାଇଁ ମହାନ ଅଟେ । କାରଣ ସେ ହେଉଛି ଆମର ଜନ୍ମଭୂମି, ମୋର ମାଆ, ମୋର ଗର୍ବିତା ଏବଂ ମହାନତା ସିଏ । ତା’ର ମାଟି ଦେଇଥାଏ ମାଆ ପରି ସ୍ନେହ, ଆଦର ଏବଂ ଶାନ୍ତି । ମୋର ସେହି ଗର୍ବିତା ଏବଂ ମୋ ମହାନତାର ପରିଚୟ ବହନ କରୁଥିବା ସେହି ‘ଗାଁ’ର ନାମ ହେଲା ‘ହରିଡ଼ାପଦର’ । ଏହା ଓଡ଼ିଶାର ଦକ୍ଷିଣ ଦିଗରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଆସିକା ପଞ୍ଚାୟତ ସମିତି ଅନ୍ତର୍ଗତ ‘ହରିଡ଼ାପଦର’ ଗ୍ରାମ ପଞ୍ଚାୟତର ରହିଥିବା ୮ ଖଣ୍ଡ ଗ୍ରାମମାନଙ୍କ ମଧ୍ୟରୁ ମୋ ଗାଁ ଏକ ସ୍ନେହମୟୀ ଗ୍ରାମ ଅଟେ । ଏହି ଗାଁଟି ଆସିକା ସହରରୁ ଆଠ କିଲୋମିଟର ଦୂରରେ ଅବସ୍ଥିତ । ଏହି ମୋର ମାଟି ମାଆର ପରିବେଶ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଅଟେ ଯାହାକି ଅତୁଳନୀୟ ଅଟେ । ମୋର ଅନୁଭୂତିରେ,

“ଜନନୀ ପରି ସେ କରଇ ଆଦର,
ଏହି ମୋର ମାଟି ମାଆ,

ଏହି ଆମରି ଗାଁ ।”

ଏହି ଗାଁର ଚତୁଃପାର୍ଶ୍ୱ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ହୋଇଅଛି । ଏହାର ପରିବେଶ ମଧ୍ୟରେ ରହିଅଛି ଗ୍ରାମର ପୂର୍ବ ଦିଗରେ ଅବସ୍ଥିତ ‘ବାଘୁଆ’ ନଦୀ । ଏହି ନଦୀର ପ୍ରବାହିତ ଜଳର ସ୍ରୋତ ଅତି ପ୍ରଖର ଅଟେ । ବ୍ୟାଘ୍ର ପରି ଏହି ନଦୀର ସ୍ରୋତ ପ୍ରଖର ଏବଂ ଗର୍ଜିତ ଶବ୍ଦ ଦ୍ୱାରା ପରିପୃଷ୍ଟ । ଏଥିସହିତ ଗ୍ରାମରେ କେତେକ ପୋଖରୀ, ସର, କେନାଲ, ଚାଷଭୂମି, ବୃକ୍ଷଲତା ଦ୍ୱାରା ପରିପୂରିତ ହୋଇଛି । ଗ୍ରାମରେ ୪ ଗୋଟି ମନ୍ଦିରର ମଧ୍ୟ ସମାବେଶ ଘଟିଛି । ଯଥା – ଗ୍ରାମର ପୂର୍ବ ଦିଗରେ ‘ଶ୍ରୀଚୈତନ୍ୟ’ ମନ୍ଦିର, ମଧ୍ୟଭାଗରେ ଗ୍ରାମର ‘ଶ୍ରୀ ରାଧା-କୃଷ୍ଣ’ ମନ୍ଦିର, ଗ୍ରାମର ଶେଷ ଭାଗରେ ଅବସ୍ଥିତ ‘ଗ୍ରାମଦେବୀ’ ମା’ ଠାକୁରାଣୀଙ୍କ ବାସ, ଗ୍ରାମର ଉତ୍ତର ଦିଗରେ ‘ମୁକ୍ତେଶ୍ୱର ଶିବ ମନ୍ଦିର’ ପରି ଅଲୌକିକ ଶକ୍ତିପୀଠ ମନ୍ଦିର ଶୈଳୀ ଦ୍ୱାରା ଗ୍ରାମ ପରିପୂର୍ଣ୍ଣ ।

ବାସ୍ତବରେ ସମସ୍ତ ମନୁଷ୍ୟଙ୍କର କର୍ମଭୂମି କୌଣସି ସ୍ଥାନ ଏବଂ ପରିବେଶ ହେଉନା କାହିଁକି । କିନ୍ତୁ ନିଜର ବାସ୍ତବିକ ପରିଚୟର ପରିକାଷ୍ଠା ହେଉଛି ନିଜ ନିଜର ଜନ୍ମଭୂମି । ଗୋଟିଏ ମାଆର ସ୍ନେହ ଏବଂ ପବିତ୍ରତା ଯେପରି ଅମୂଲ୍ୟ ଅଟେ । ସେହିପରି ଆମ ଜନ୍ମଭୂଇଁ ମାଟି ମାଆ ମଧ୍ୟ ସମସ୍ତ ମନୁଷ୍ୟଙ୍କ ପାଇଁ ଅମୂଲ୍ୟ ଏବଂ ଅତୁଳନୀୟ ଅଟେ । ସେ ମଧ୍ୟରୁ ମୋ ଗାଁ ଅନ୍ୟତମ ଅଟେ । ସପ୍ତମ ଶ୍ରେଣୀରେ ପଢ଼ିଥିବା ସାହିତ୍ୟ ଜଗତର କବି ସଚ୍ଚିଦାନନ୍ଦ ରାଉତ ରାୟଙ୍କ ସେହି ‘ଛୋଟ ମୋର ଗାଆଁଟି’ କବିତାଟିର ମହତ୍ତ୍ୱ । ସେଥିରେ ବର୍ଣ୍ଣିତ ଗାଆଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କର୍ମମୟ ସରଳ ଗାଉଁଲୀ ଜୀବନର ନିଖୁଣ ବାସ୍ତବତାର ଚିତ୍ର ମୋ ଗାଁରେ ମୁଁ ପାଇପାରିଛି ।

ହରିଡ଼ାପଦର ଗାଁର ନାମକରଣ ପଛର କାହାଣୀ

ମୋ ଗ୍ରାମ ‘ହରିଡ଼ାପଦର’ର ନାମକରଣ କିପରି ହୋଇଥିଲା ? ତାହାକୁ ନେଇ ମୁଁ ଗ୍ରାମର କେତେକ ବୟସ୍କ ଓ ବୟସ୍କା ଜ୍ଞାନ ସମ୍ପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ୍‌କାର କରିଥିଲି । ସେହି ସାକ୍ଷାତ୍‌କାର ଗୁଡିକ ନିମ୍ନରେ ଆଲୋଚନା କରାଯାଇଛି।

୧ – ସୂର୍ଯ୍ୟକାନ୍ତ ଗୌଡ଼ (ସେ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବୟସ ୭୩ ବର୍ଷ ଅଟେ । ସେ ଜଣେ କୃଷକ ଅଟନ୍ତି । ଏଥିସହିତ ସେ ଜଣେ ଗୋ-ରକ୍ଷକ ଭାବରେ ମଧ୍ୟ ପରିଚିତ ।) ତାଙ୍କ ସହ ମୋର ପ୍ରଥମ ସାକ୍ଷାତ୍‌କାର ଘଟିଥିଲା । ତାଙ୍କୁ ଆମର ଏହି ‘ହରିଡ଼ାପଦର’ ଗ୍ରାମର ନାମକରଣ ସମ୍ପର୍କରେ ପ୍ରଶ୍ନ କରିଥିଲି । ସେ ତାଙ୍କ ଉତ୍ତରରେ କହିଥିଲେ, ପୂର୍ବେ କାଳେ ଏହି ଗ୍ରାମ ନଥିଲା । ଏହା ଏକ ହରଡ଼ ଗଛର ପଦର ଥିଲା । ଲୋକମାନେ ଧିରେ ଧିରେ ବସତି ସ୍ଥାପନ କରିବା ଫଳରେ ଏହି ଗଛର ବିଲୀନ ହୋଇଯାଇଥିଲା । ହରଡ଼ ଗଛ ସ୍ଥାନରେ ଲୋକମାନେ ନିଜର ବାସଗୃହ ନିର୍ମାତା କରିଥିବାରୁ ସେମାନେ ଗ୍ରାମର ନାମ ‘ହରିଡ଼ାପଦର’ ରଖିଥିଲେ । ସେ ନିଜର ଏହି ମତକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଦର୍ଶାଇଥିଲେ । ବରଂ ସେ କହିଥିଲେ, ଏହି କଥାଟି ସେ ତାଙ୍କ ଜେଜେଙ୍କଠାରୁ ଶୁଣିଥିଲେ ।

୨- ଲାଉ ନାୟକ (ସେ ଥିଲେ ଗ୍ରାମର ଜଣେ ବାସିନ୍ଦା । ୧୯୬୦ ମସିହାରେ ଜନ୍ମଲାଭ କରିଥିଲେ । ତାଙ୍କର ବୟସ ୬୫ ବର୍ଷ ଅଟେ । ସେ ଥିଲେ ଜଣେ ଗାଈ, ମଇଁଷି, ଛେଳି ଭଳି ଜୀବମାନଙ୍କର ପାଳକ ।) ସେ ଗ୍ରାମର ନାମକରଣ ସମ୍ପର୍କରେ କହିଥିଲେ, ଯେ ପୂର୍ବେ ଏହି ଗ୍ରାମ ନଦୀର ଆରପାରିଠାରେ ଲୋକମାନେ ବାସ କରୁଥିଲେ ଏବଂ ସେହିଠାରେ ଗ୍ରାମଦେବୀ ମଧ୍ୟ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଲୋକମାନେ ଏହି ସ୍ଥାନକୁ ଆଗମନ କରିଥିଲେ ଏବଂ ଗ୍ରାମର ନାମକରଣ ‘ହରଡ଼ପଦର’ କରିଥିଲେ । ଏହି ‘ହରଡ଼ପଦର’ ଗ୍ରାମର ନାମ ଧିରେ ଧିରେ ପରିବର୍ତ୍ତନ ହୋଇ ‘ହରିଡ଼ାପଦର’ ନାମରେ ପରିଣତ ହୋଇଥିଲା । ବାଲ୍ୟବେଳେ କାହାଣୀ ଭାବରେ ସେ ଶ୍ରବଣ କରିଥିବାର ଦର୍ଶାଇଥିଲେ ।

୩- ଉର୍ବଶୀ ବିଶ୍ୱାଳ (୧୯୬୦ ମସିହାରେ ଜନ୍ମ । ୬୫ ବର୍ଷ ବୟସ ଅଟେ । ସେ ଏହି ଗ୍ରାମର ଜଣେ ବୃଦ୍ଧା ଅଟନ୍ତି ।) ସେ ମୋର ଏହି ପ୍ରଶ୍ନ ସମ୍ପର୍କରେ ନିଜର ଉତ୍ତର ପ୍ରଦାନ କରିଥିଲେ, ଯେ ଏହି ଗ୍ରାମ ନଦୀର ଆରପାରିଠାରେ କେତେକ ଲୋକ ବାସ କରିଥିଲେ ଏବଂ ଗ୍ରାମଦେବୀ ମଧ୍ୟ ରହିଥିଲେ । କିନ୍ତୁ କୌଣସି ଅସୁବିଧା କାରଣ ବଶତଃ ଲୋକମାନେ ଏହି ଗ୍ରାମକୁ ଆଗମନ କରିଥିଲେ । ସେମାନଙ୍କ ଆଗମନ ସମୟରେ ଏହା ଏକ ଗ୍ରାମ ନଥିଲା । ଏହା ଜଣେ ବ୍ୟକ୍ତି ହରିହର ପାଣିଗ୍ରାହୀଙ୍କର ସ୍ଥାନ ଥିଲା ବା ପଦର ଥିଲା । ତାଙ୍କ ସ୍ଥାନରେ ଲୋକମାନେ ବସତି ସ୍ଥାପନା କରିଥିବାରୁ ଏହି ଗ୍ରାମର ନାମକରଣ କରିଥିଲେ ‘ହରିହର ପଦର’ । ଏହା ପରବର୍ତ୍ତୀ ସମୟରେ ‘ହରିଡ଼ାପଦର’ ନାମରେ ପରିଣତ ହୋଇଥିଲା ।

୪- ସାପୁଆ ସେଠୀ (୧୯୪୫ ମସିହାରେ ଜନ୍ମ । ବୟସ ୮୦ । ସେ ଜଣେ କୃଷକ ଅଟନ୍ତି । ବର୍ତ୍ତମାନ ତାଙ୍କ ବୟସ ଅଧିକ ହେତୁ କୌଣସି କାର୍ଯ୍ୟ କରିପାରୁନାହାନ୍ତି ।) ଗ୍ରାମର ନାମକରଣ ସମ୍ପର୍କରେ ସେ କହିଥିଲେ, ଏହି ଗ୍ରାମର ନାମ ହରିହର ପାଣିଗ୍ରାହୀଙ୍କ ନାମାନୁସାରେ ହୋଇଥିଲା । ତାଙ୍କ ପଦରରେ ଲୋକମାନେ ପ୍ରଥମେ ଆସି ବସତି ସ୍ଥାପନ କରିଥିବାରୁ ଗ୍ରାମର ନାମ ‘ହରିହରପଦର’ ରଖିଥିଲେ । ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ ହୋଇ ‘ହରିଡ଼ାପଦର’ ନାମରେ ପରିଣତ ହୋଇଥିଲା ।

୫- ବନମାଳୀ ବିଶ୍ୱାଳ, ତାଙ୍କର ଜନ୍ମ ୧୯୪୯ ମସିହାରେ । ତାଙ୍କ ବୟସ ୭୬ ବର୍ଷ । ସେ ଗ୍ରାମର ଜଣେ ବିଶିଷ୍ଟ ଜ୍ଞାନ ସମ୍ପୂର୍ଣ୍ଣ ବୃଦ୍ଧ ଅଟନ୍ତି । ତାଙ୍କୁ ମୁଁ ଏହି ସମାନ ପ୍ରଶ୍ନ କରିଥିଲି । ସେ ତାର ଉତ୍ତରରେ କହିଥିଲେ, ଲୋକମାନେ ପ୍ରଥମେ ହରିହର ପାଣିଗ୍ରାହୀଙ୍କ ପଦରରେ ଆସି ବସତି ସ୍ଥାପନ କରି ଧିରେ ଧିରେ ଏକ ଗ୍ରାମରେ ପରିଣତ କରିଥିଲେ । ଏହି ଗ୍ରାମର ନାମ ‘ହରିହରପଦର’ ରଖିଥିଲେ । ଏହା ପରିବର୍ତ୍ତନ ହୋଇ ‘ହରିଡ଼ାପଦର’ ନାମରେ ପରିଣତ ହୋଇଥିଲା ।

ଉପରୋକ୍ତ ସମସ୍ତ ସାକ୍ଷାତ୍‌କାର ମାନଙ୍କରୁ ଅନେକ ମତ ମିଳିଛି । ସାଧାରଣ ଭାବରେ କହିବାକୁ ଗଲେ ହରିହର ପାଣିଗ୍ରାହୀଙ୍କ ନାମାନୁସାରେ ଗ୍ରାମର ନାମ ‘ହରିଡ଼ାପଦର’ ହୋଇଥାଇପାରେ ବୋଲି ଲୋକେ ଗ୍ରହଣ କରନ୍ତି ।

 ଗାଁ ପରିବେଶ

ଆମ ଗାଁ ‘ହରିଡ଼ାପଦର’ର ପରିବେଶ ପୂର୍ବେ ଅତ୍ୟନ୍ତ ମନୋରମା ଥିଲା । ଏହାର ପୂର୍ବେ ପରିବେଶ ସମ୍ପର୍କରେ ଜାଣିବାପାୟନ ଗାଁର ବୟସ୍କ ଲୋକଙ୍କ ସହ ସାକ୍ଷାତ୍‌କାର କରିଥିଲି । ସେହି ସାକ୍ଷାତ୍‌କାର ଗୁଡିକ ନିମ୍ନରେ ବର୍ଣ୍ଣିତ ।

ପ୍ରଥମ ସାକ୍ଷାତ୍‌କାର:

ସୁରେନ୍ଦ୍ର ବିଶ୍ୱାଳ (ସେ ଗ୍ରାମର ଜଣେ ସମ୍ମାନୀୟ ଓ ଆଦର୍ଶ ବ୍ୟକ୍ତି ଭାବରେ ପରିଚିତ । ତାଙ୍କ କହିବା ଅନୁସାରେ, ପୂର୍ବେ ଏହି ଗ୍ରାମର ଅଧାଅଧି ସ୍ଥାନ ବୃକ୍ଷଲତା ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା । ଗ୍ରାମର ଗୋଟିଏ ପାର୍ଶ୍ୱବର୍ତ୍ତୀ ସ୍ଥାନକୁ ‘ବଗିଚା’ ନାମରେ ସମ୍ବୋଧନ କରୁଥିଲେ । ଏହି ନାମ ବର୍ତ୍ତମାନ ମଧ୍ୟ ଏକ ସାହିର ନାମ ଭାବରେ ଜଣାଶୁଣା । ସେ ଏହା ମଧ୍ୟ କହିଥିଲେ ଯେ, ଏହି ‘ବଗିଚା’ ନାମକ ସ୍ଥାନରେ ବହୁ ବୃକ୍ଷଲତା ମାନଙ୍କର ସମାହାର ଥିଲା । ଯେପରିକି ସୀତାଫଳ, କଇଁୟା, କାଲ, ପିଜୁଳି, ପଣସ, ଆମ୍ବ ଆଦି ଥିଲା ।

ଚନ୍ଦ୍ରମା ଖଟେଇ (ସେ ୧୯୪୦ ମସିହାରେ ଜନ୍ମ ଲାଭ କରିଥିଲେ, ତାଙ୍କୁ ୮୫ ବର୍ଷ ବୟସ ଅଟେ । ସେ ଆମ ଗ୍ରାମର ଜଣେ ବୃଦ୍ଧ ମହିଳା ଅଟନ୍ତି । ଅତୀତ ସମ୍ପର୍କରେ ତାଙ୍କର ମତ ବିଶ୍ୱାସ ପୂର୍ଣ୍ଣ ଭାବରେ ଗ୍ରହଣୀୟ ।) ତାଙ୍କୁ ମୁଁ ମୋର ଏହି ପ୍ରଶ୍ନ ବିଷୟରେ ପଚାରିଥିଲି । ସେ କହିଥିଲେ ପ୍ରଥମେ ସେ ଯେଉଁଦିନ ଏହି ଗ୍ରାମକୁ ବିବାହ କରି ଆସିଥିଲେ ସେତେବେଳେ ଗ୍ରାମକୁ ଭାଲୁ ପ୍ରବେଶ କରିଯାଉଥିଲେ । ଏଥିସହିତ ନେଉଳ, ବିଲୁଆ, ସରୀସୃପ, ହରିଣ, ପାତି ମାଙ୍କଡ଼, ଘୁଷୁରୀ, ପରି ଜୀବଜନ୍ତୁମାନଙ୍କର ବାସ ରହିଥିଲା । କିନ୍ତୁ ସେମାନଙ୍କ ସ୍ଥାନରେ ଲୋକମାନେ ଆସି ବସବାସ କରିଥିବାରୁ ସେମାନଙ୍କର ସଂଖ୍ୟା ଧିରେ ଧିରେ ଲୋପ ପାଇବାକୁ ଲାଗିଲା । ଗ୍ରାମରେ ଗୃହପାଳିତ ପଶୁ ଭାବରେ ରହିଥିଲେ ଗାଈ, ଛେଳି, ମଈଁଷି, କୁକୁଡ଼ା, ମେଣ୍ଢା ଇତ୍ୟାଦି ।

ତୃତୀୟ ସାକ୍ଷାତ୍‌କାର:

ହାଡୁବନ୍ଧୁ ଗୌଡ଼ (ସେ ୧୯୬୦ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କ ବୟସ ୬୫ ବର୍ଷ ଅଟେ । ସେ ଗ୍ରାମର ଜଣେ ଗୋ-ରକ୍ଷକ ଅଟନ୍ତି ।) ସେ ମୋର ଏହି ପ୍ରଶ୍ନର ଉତ୍ତରରେ ନିଜର ମତ ପ୍ରଦାନ କରିଥିଲେ, ଯେ ସେହି ସମୟରେ ଗୋଟିଏ ସ୍ଥାନରେ କଇଁଆ ଗଛ ଭରପୂର ଭାବରେ ରହିଥିଲା । ତେଣୁ ପରବର୍ତ୍ତୀ ସମୟରେ ସେହି ସ୍ଥାନ ଗୋଟିଏ ସାହିରେ ପରିଣତ ହୋଇ ‘କଇଁଆପୁରୀ’ ନାମରେ ପରିଗଣିତ ହୋଇଥିଲା । ସାମ୍ପ୍ରତିକ ସମୟରେ ଏହି ନାମରେ ଏକ ସାହି ମଧ୍ୟ ଗ୍ରାମରେ ଜଣାଶୁଣା । ସେ ଏହି ମତ ଦେଇଛନ୍ତି ଗ୍ରାମର ପୂର୍ବ ପାର୍ଶ୍ୱରେ ଏକ ‘ବାଘୁଆ’ ନାମକ ନଦୀ ରହିଥିଲା । ତାହା ସାମ୍ପ୍ରତିକ ସମୟରେ ମଧ୍ୟ ରହିଅଛି । ତାହାର ଚିତ୍ର ନିମ୍ନରେ ବର୍ଣ୍ଣିତ – (ବାଘୁଆ ନଦୀ)

ଅଜିତ୍ ପାଣିଗ୍ରାହୀ (ସେ ଗ୍ରାମର ଜଣେ ବ୍ୟବସାୟୀ ଅଟନ୍ତି । ବ୍ୟବସାୟଠାରୁ ଆରମ୍ଭ କରି ଗ୍ରାମର ଅତୀତ ସମ୍ପର୍କୀୟ ଜ୍ଞାନର ଅଧିକାରୀ ଅଟନ୍ତି ।) ସେ ମୋର ଏହି ପ୍ରଶ୍ନର ଉତ୍ତରରେ ମୋତେ ଜଣାଇଥିଲେ ପୂର୍ବେ ଗ୍ରାମରେ ପକ୍ଷୀମାନଙ୍କ ମଧ୍ୟରେ ଥିଲେ କାଠହଣା ପକ୍ଷୀ, ଶଙ୍ଖଚିଲ, ମାଟିଆ ଚିଲ, ଶାଗୁଣା, ପାରା, ଘରଚଟାଇ, ବଗ, ଛଞ୍ଚାଣ, କୁମୁଚିଆ, କାଉ, କୋଇଲି ଭଳି ଆଦି ପକ୍ଷୀମାନେ ଦେଖିବାକୁ ମିଳୁଥିଲେ । ତାହା ସାମ୍ପ୍ରତିକ ସମୟରେ ଧିରେ ଧିରେ ଲୋପ ପାଇବାକୁ ଲାଗିଲାଣି । ବର୍ତ୍ତମାନ ସମୟରେ ରହିଥିବା ଗ୍ରାମର ପକ୍ଷୀମାନଙ୍କ ଚିତ୍ର ନିମ୍ନରେ ବର୍ଣ୍ଣିତ ହୋଇଅଛି । ସେହି ସମୟ ରହିଥିବା ‘ଉଇହୁଙ୍କା’ ଏବଂ ‘ସାପବିଳା’ ବର୍ତ୍ତମାନ ମଧ୍ୟ ଗ୍ରାମର କେତେକ ସ୍ଥାନରେ ଦେଖିବାକୁ ମିଳିଥାଏ । ତାହାର ଚିତ୍ର ନିମ୍ନରେ ବର୍ଣ୍ଣିତ ହୋଇଅଛି ।

ଗୋପୀ ପଣ୍ଡା (ସେ ଗ୍ରାମର ଜଣେ ଲୁହା ବ୍ୟବସାୟୀ ଭାବରେ ଖ୍ୟାତ ଏବଂ ଜଣେ ବିଦ୍ୱାନ ବ୍ୟକ୍ତି ଭାବରେ ମଧ୍ୟ ଜଣାଶୁଣା ।) ସେ ତାଙ୍କ ଜେଜେଙ୍କଠାରୁ ଶୁଣିଥିଲେ ଯେ, ଏହି ଗ୍ରାମଟି ପୂର୍ବେ ବହୁ ବୃକ୍ଷଲତାମାନଙ୍କର ସମାହାରରେ ରହିଥିଲା । ଫଳରେ ଏହା ଅଧାଅଧି ସ୍ଥାନରେ ଜଙ୍ଗଲ ହୋଇ ରହିଥିଲା । ପୂର୍ବେ କୁଆଡ଼େ ଏହି ଜଙ୍ଗଲରେ କୌଣସି ଲୋକ ନିଜର ଶତ୍ରୁକୁ ହତ୍ୟା କରି ତାହାର ଶବକୁ ପାର୍ଶ୍ୱରେ ଥିବା ନଦୀରେ ଭସାଇ ଦେଉଥିଲେ । ଏଥିସହିତ ହିଂସ୍ର ଜନ୍ତୁମାନଙ୍କର ଭୟ ମଧ୍ୟ ଲାଗି ରହିଥିଲା ଲୋକମାନଙ୍କ ମଧ୍ୟରେ ।

ବାସ୍ତବରେ ଏହି ସମସ୍ତ ମତାମତକୁ ଦୃଷ୍ଟିକୋଣରେ ରଖି କହିବା ଯଦି ଗ୍ରାମର ପରିବେଶ ଥିଲା ଅତ୍ୟନ୍ତ ମନୋହର କଇଁଆପୁର, ଆମ୍ବତୋଟା, ବଗିଚା ଭଳି ବହୁ ବୃକ୍ଷଲତା ପୂର୍ଣ୍ଣ ସ୍ଥାନ ଥିଲା । ଏଥିସହିତ ଗ୍ରାମରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ, ପଶୁପକ୍ଷୀମାନଙ୍କର ବାସସ୍ଥଳୀ ରହିଥିଲା । କିନ୍ତୁ ଏହି ପ୍ରାକୃତିକ ପରିବେଶ ମଧ୍ୟରେ ଲୋକଙ୍କ ହିଂସ୍ରଜନ୍ତୁମାନଙ୍କର ଆକ୍ରମଣର ଭୟ ରଖୁଥିଲେ । ଏଥିସହିତ ଏହି ଜଙ୍ଗଲ (ଛୋଟ ସ୍ଥାନ ବୃକ୍ଷଲତା ଦ୍ୱାରା ପରିପୂର୍ଣ୍ଣ)ରେ ଲୋକମାନଙ୍କୁ ହତ୍ୟା ମଧ୍ୟ କରାଦିଆଯାଉଥିଲା । ଯାହା ଫଳରେ ହତ୍ୟାକାରୀ ସମ୍ପର୍କରେ ଜଣାପଡ଼ି ନଥାଏ । ପୂର୍ବ ସମୟର ପରିବେଶ ମଧ୍ୟରେ ନକାରାତ୍ମକ ଏବଂ ସକାରାତ୍ମକ ଉଭୟ ପ୍ରଭାବ ଦେଖାଦେଇଥିଲା । କିଛି ବର୍ଷ ତଳର ପରିବେଶର ଚିତ୍ନ ନିମ୍ନରେ ବର୍ଣ୍ଣିତ – (ଗାଁ ପରିବେଶ)

କେବେ ଓ କିଏ ପ୍ରଥମେ ଗାଁ ବସାଇଥିଲେ ?

ଆମ ଗାଁ ‘ହରିଡ଼ାପଦର’କୁ କେବେ ଏବଂ କିଏ ସୃଷ୍ଟି କରିଥିଲେ ଜାଣିବାପାଇଁ ଗ୍ରାମର କେତେ ଜଣ ଜ୍ଞାନୀଗୁଣୀ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ମୁଁ ସାକ୍ଷାତ୍‌କାର କରିଥିଲି । ସେହି ସାକ୍ଷାତ୍‌କାରଗଣ ନିମ୍ନରେ ବର୍ଣ୍ଣିତ ।

ନରେଶ୍ ମହାରଣା । ସେ ଆମ ଗ୍ରାମର ଜଣେ ବଢ଼େଇ ଅଟନ୍ତି । ତାଙ୍କ ବୟସ ୫୮ ବର୍ଷ ଅଟେ । ସେ ପିଲାଟି ଦିନରୁ ଏହି ଗ୍ରାମରେ ନିଜର ଜୀବନ ଅତିବାହିତ କରିଛନ୍ତି । ଗ୍ରାମର ଅତୀତ ସମ୍ପର୍କରେ ସେ ମୋ ସହିତ ଆଲୋଚନା କରିଛନ୍ତି । ପୂର୍ବେ ସମୟରେ ଏହି ଗ୍ରାମର ସୃଷ୍ଟି ସମୟରେ ବ୍ରାହ୍ମଣ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବାର ଜଣାଯାଏ । ସେ ତାଙ୍କ ଜେଜେଙ୍କଠାରୁ ଶୁଣିଥିଲେ ଯେ, ଏହି ଗ୍ରାମଟି ଜଣେ ଲୋକଙ୍କ ଦ୍ୱାରା ସୃଷ୍ଟି ହୋଇନଥିଲା । ବରଂ କିଛି ଗୋଷ୍ଠୀର ଲୋକମାନେ ଆସି ଦଳ ହୋଇ ଏଠାରେ ପ୍ରଥମେ ବସବାସ କରିଥିଲେ । ଏଥିରୁ ଅନୁମାନ କରାଯାଇଥାଏ ଯେଉଁ ଦଳେ ଲୋକ ଆସି ପ୍ରଥମେ ବସବାସ କରିଥିଲେ ସେମାନେ ବ୍ରାହ୍ମଣ ହୋଇପାରନ୍ତି । ସେ ତାଙ୍କର ଏହି ମତ ସମ୍ପୂର୍ଣ୍ଣ ସତ୍ୟ ଉପରେ ଆଧାରିତ ବୋଲି ସେ ଦର୍ଶାଇ ନାହାଁନ୍ତି । ତାଙ୍କ ଜେଜେଙ୍କଠାରୁ ସେ ଯେଉଁ କଥା ଶୁଣିଥିଲେ ତାହା ସମ୍ପର୍କରେ କହିଛନ୍ତି ।

ଦ୍ୱିତୀୟ ସାକ୍ଷାତ୍‌କାର:

ବିକ୍ରମ ରଣା (ଗ୍ରାମର ଜଣେ ଶିକ୍ଷକ ବା ଟିଉସନ ଶିକ୍ଷକ ସହିତ ଜଣେ ଜ୍ଞାନୀ ମଧ୍ୟ ଅଟନ୍ତି । ବୟସ ୫୪ ବର୍ଷ ଅଟେ ।) ଏହି ସମ୍ପର୍କରେ ସେ କହିଥିଲେ ଏହାର ସ୍ପଷ୍ଟ ବିବରଣୀ ତାଙ୍କ ପାଖରେ ଉପଯୁକ୍ତ ନୁହଁ । ସେ କେବଳ ତାଙ୍କ ପୂର୍ବ ବଂଶଜ ଲୋକଙ୍କଠାରୁ ବା ବାଲ୍ୟ ସମୟରେ ଶୁଣିବାକୁ ପାଇଥିଲେ ଯେ ଗ୍ରାମର ସୃଷ୍ଟିର କାଳ ବା ସମୟ ୮୦୦-୧୦୦୦ ବର୍ଷର ପୂର୍ବର ବୋଲି କୁହାଯାଇଥାଏ । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ, ଗ୍ରାମରେ ପ୍ରଥମ ବ୍ରାହ୍ମଣ ସମ୍ପ୍ରଦାୟର ଲୋକମାନଙ୍କର ବାସ ବୋଲି ଜଣାଯାଇଥାଏ । ତେଣୁ ପଟ୍ଟନାୟକ, ପାଣିଗ୍ରାହୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରୁ କେହି ଏହି ଗ୍ରାମ ବସାଇଥାଇପାରନ୍ତି । ଏହି ଗ୍ରାମର ସମସ୍ତ ସ୍ଥାନ ମଧ୍ୟ ପାଣିଗ୍ରାହୀଙ୍କଠାରୁ ଲୋକମାନେ ପାଇଥିଲେ ।

ଉପରୋକ୍ତ ୨ ଗୋଟି ସାକ୍ଷାତ୍‌କାର ଦାତାଙ୍କ ମତରେ ଗୋଟିଏ ବିବରଣୀ ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୁଏ କି ଏହି ଗ୍ରାମ ପ୍ରଥମେ କିଏ ଓ କେବେ ବସାଇଥିଲେ ତାହାର ବିବରଣୀ ସମ୍ପର୍କରେ ଲୋକମାନଙ୍କ ପାଖରେ ସଠିକ ତଥ୍ୟ ନାହିଁ । କିନ୍ତୁ ଅନ୍ୟ ଏକ କଥା ସ୍ପଷ୍ଟ ହୁଏ ଯେ, ବ୍ରାହ୍ମଣ ସମ୍ପ୍ରଦାୟର କୌଣସି ଲୋକମାନଙ୍କ ଦ୍ୱାରା ହିଁ ଏହି ‘ହରିଡ଼ାପଦର’ ଗ୍ରାମ ବସିଥିଲା । ଦୀର୍ଘ ୮୦୦-୧୦୦୦ ବର୍ଷ ପୂର୍ବେ କିଛି ବ୍ରାହ୍ମଣ ସମ୍ପ୍ରଦାୟକ ଗୋଷ୍ଠୀର ଲୋକମାନେ ହିଁ ପ୍ରଥମେ ଏହି ଗ୍ରାମରେ ବସବାସ କରିଥିଲେ । ସେମାନେ ହିଁ ପ୍ରଥମେ ଗ୍ରାମର ସୃଷ୍ଟି କରିଥିଲେ । ଏଥିସହିତ ଗ୍ରାମର ବିକାଶ, ଜନସଂଖ୍ୟାର ବୃଦ୍ଧି ନିମନ୍ତେ ସେମାନେ ଦୃଷ୍ଟି ଦେଇଥିଲେ ।

ପୂର୍ବେ କେଉଁ ପର୍ବ ଓ ଉତ୍ସବ ପାଳନ ହେଉଥିଲା ?

ଭାରତ ହେଉଛି ନାନା ସଂସ୍କୃତି, ଉତ୍ସବ ଏବଂ ପର୍ବପର୍ବାଣୀର ଦେଶ । ଓଡ଼ିଶାର ସଂସ୍କୃତି ଏହାର ସ୍ପଷ୍ଟ ପ୍ରତୀକ ଅଟେ । ବିଶେଷକରି ସହରଠାରୁ ଗ୍ରାମମାନଙ୍କର ପର୍ବ, ଉତ୍ସବ, ପରମ୍ପରା ବହୁ ସ୍ୱତନ୍ତ୍ର ଅଟେ । କଥାରେ ଅଛି, “ବାର ମାସରେ ତେର ପର୍ବ” । ସେହି ‘ବାର ମାସରେ ତେର ପର୍ବ’ର ଚିତ୍ର ଦେଖିବାକୁ ମିଳିଥାଏ ମୋର ଗ୍ରାମ ‘ହରିଡ଼ାପଦର’ରେ । ବାସ୍ତବରେ ପର୍ବପର୍ବାଣୀ ମନୁଷ୍ୟର ଜୀବନକୁ ଆନନ୍ଦ, ଉଲ୍ଲାସ, ପ୍ରେମ, ଶାନ୍ତ, ଭାଇଚାରାର ପଥ ଦେଖାଇଥାଏ । ପୂର୍ବେ ଆମ ଗ୍ରାମରେ ଲୋକମାନେ କେଉଁ ପର୍ବ ପାଳନ କରୁଥିଲେ ? ଏହାକୁ ନେଇ ମୁଁ ଗ୍ରାମର କେତେକ ଲୋକମାନଙ୍କ ସହ ସାକ୍ଷାତ୍‌କାର କରିଅଛି ।

ପ୍ରଥମ ସାକ୍ଷାତ୍‌କାର:

ସୁରେନ୍ଦ୍ର ପାଣିଗ୍ରାହୀ (୧୯୫୦ ମସିହାରେ ଜନ୍ମ, ବୟସ ୭୦ ଅଟେ । ଗ୍ରାମର ଜଣେ ବ୍ରାହ୍ମଣ ଅଟନ୍ତି ।) ତାଙ୍କୁ ମୁଁ ପ୍ରଶ୍ନ କରିଥିଲି ପୂର୍ବେ ଗ୍ରାମରେ କେଉଁ ପର୍ବ ପାଳନ କରୁଥିଲେ । ସେ ଜଣାଇଥିଲେ ଯେ, ଗ୍ରାମରେ ଲୋକମାନେ ‘ରଥଯାତ୍ରା’ ପାଳନ କରୁଥିଲେ । ଗ୍ରାମରେ ଗୋଟିଏ ଛୋଟ ରଥଟିଏ ନିର୍ମାଣ କରି ଟଣା ଯାଇଥାଏ । ତାହା ସାମ୍ପ୍ରତିକ ସମୟରେ ମଧ୍ୟ ପାଳନ କରାଯାଇଥାଏ । ତାହାର ଚିତ୍ର ନିମ୍ନରେ (ରଥଯାତ୍ରା) ‘ଶ୍ରୀପଞ୍ଚମୀ’ ମଧ୍ୟ ପାଳନ କରାଯାଉଥିଲା । ପଞ୍ଚମୀ ଦିନ ସମସ୍ତ ଛାତ୍ରଛାତ୍ରୀ ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଥିଲେ ଏବଂ ଶିକ୍ଷକ, ଶିକ୍ଷୟତ୍ରୀଗଣଙ୍କ ସହିତ ଗ୍ରାମକୁ ପରିଭ୍ରମଣ କରୁଥିଲେ । ଏଥିସହିତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ନୂତନ ବସ୍ତ୍ର ଦିଆଯାଉଥିଲା ଏବଂ ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରୁଥିଲେ । ଏହି ପଞ୍ଚମୀ ପର୍ବକୁ ସେ ନିଜେ ପାଳନ କରିଥିବାର ଦର୍ଶାଇଥିଲେ । ପୂର୍ବେ ଲୋକମାନେ ‘କାର୍ତ୍ତିକ ପୂର୍ଣ୍ଣିମା’ ପାଳନ କରୁଥିଲେ । ଏଥିସହିତ ସେମାନେ ‘ମକର ସଂକ୍ରାନ୍ତି’କୁ ପାଳନ କରି ଦୁହେଁ ଦୁହିଁଙ୍କୁ ମକର ନାମରେ ସମ୍ବୋଦନ କରୁଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ସଚ୍ଚୋଟତା ସହିତ ସମ୍ପର୍କର ବୃଦ୍ଧି ହେଉଥିଲା ।

ଦ୍ୱିତୀୟ ସାକ୍ଷାତ୍‌କାର:

ଲକ୍ଷ୍ମୀ ବିଶ୍ୱାଳ (ସେ ଜଣେ ଗ୍ରାମର ବୃଦ୍ଧା ଅଟନ୍ତି । ତାଙ୍କର ବୟସ ୮୦ ଅଟେ ।) ସେ ଏହି ପ୍ରଶ୍ନ ସମ୍ପର୍କରେ ଜଣାଇଥିଲେ ଯେ, ସେ ଯେତେବଳେ ବିବାହ କରି ଏହି ଗ୍ରାମକୁ ଆସିଥିଲେ ସେତେବେଳେ ଲୋକମାନେ ସାବିତ୍ରୀ ଅମବାସ୍ୟା, ଶାମ୍ବ ଦଶମୀ, ମାଣବସା ଗୁରୁବାର, ରଜ ସଂକ୍ରାନ୍ତି ଆଦି ବିଭିନ୍ନ ପ୍ରକାରର ପର୍ବ ତାଙ୍କ ସମୟରେ ପାଳନ କରୁଥିଲେ । ଏଥିସହିତ କୁଆଁରୀ ଝିଅମାନେ ‘ଚନ୍ଦ୍ରଙ୍କୁ’ ପୂଜା କରି ‘କୁମାର ପୂର୍ଣ୍ଣିମା’ ପର୍ବ ପାଳନ କରୁଥିଲେ । ଏହା ସାମ୍ପ୍ରତିକ ସମୟରେ ମଧ୍ୟ ପାଳନ କରାଯାଇଥାଏ ।

ତୃତୀୟ ସାକ୍ଷାତ୍‌କାର:

ତ୍ରିଲୋଚନ ବେହେରା (ଗ୍ରାମର ଜଣେ ଦରଜି ଅଟନ୍ତି । ବୟସ ୬୬ ବର୍ଷ ଅଟେ । ବହୁ ଜ୍ଞାନର ଅଧିକାରୀ ଅଟନ୍ତି ।) ପୂର୍ବେ ଗ୍ରାମରେ କେଉଁ ପର୍ବ ପାଳନ ହେଉଥିଲା ସେ ସମ୍ପର୍କରେ ସେ କହିଥିଲେ, ପୂର୍ବେ ଲୋକମାନେ ‘ଗହ୍ମା ପୂର୍ଣ୍ଣିମା’ ପାଳନ କରି ଗ୍ରାମରେ ଗହ୍ମାଡ଼ିଆ ଖେଳୁଥିଲେ । ଫଳରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଅତୁଟ ବନ୍ଧନରେ ବାନ୍ଧି ହୋଇ ରହୁଥିଲା । ଏଥିସହିତ ଲୋକମାନେ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ‘ଜନ୍ମାଷ୍ଟମୀ’ ଭାବରେ ପାଳନ କରୁଥିଲେ । ଏହିପରି ଭାବରେ ଲୋକମାନେ ଅନେକ ଉତ୍ସବକୁ ପାଳନ କରୁଥିଲେ ।

ଚତୁର୍ଥ ସାକ୍ଷାତ୍‌କାର:

ଅଖିଳ ମୋହନ ପାଢ଼ୀ (ଗ୍ରାମର ଜଣେ ପୁରୋହିତ ଅଟନ୍ତି । ବୟସ ୭୪ ବର୍ଷ ଅଟେ ।) ତାଙ୍କ ମତରେ ପୂର୍ବେ ଲୋକମାନେ ‘କନ୍ୟା ସଂକ୍ରାନ୍ତି’ ଦିନ ‘ବିଶ୍ୱକର୍ମା ପୂଜା’ ଅନୁଷ୍ଠିତ କରୁଥିଲେ । ବିଶେଷ କରି ବଢ଼େଇ ଜାତିର ଲୋକମାନେ ଏହି ପର୍ବକୁ ଆନନ୍ଦ, ଉତ୍ସବର ସହିତ ଶ୍ରେଷ୍ଠ ପର୍ବ ଭାବରେ ପାଳନ କରୁଥିଲେ । ଏହା କାର୍ତ୍ତିକ ମାସର ଅମାବାସ୍ୟା ଦିନ ଅନୁଷ୍ଠିତ କରୁଥିଲେ । ଏଥିରେ ପୂର୍ବ ପୁରୁଷ ଅର୍ଥାତ୍ ବଡ଼ବଡ଼ିଆମାନଙ୍କୁ ଆଲୋକ ମାଧ୍ୟମରେ ବିଦାୟ ଦେଉଥିଲେ । ଅନ୍ୟ ଏକ ପର୍ବ ମଧ୍ୟ ପାଳନ କରୁଥିଲେ “ଚିତଉ ଅମାବାସ୍ୟା” ଯେଉଁଦିନ ଚିତଉ ପିଠା କରି ବିଲକୁ ନେଇ ପୂଜାର୍ଚ୍ଚନା କରି ପୋତା ଯାଉଥିଲା । ଏହିପରି ଅନ୍ୟାନ୍ୟ ପର୍ବ ସମୂହ ପାଳନ କରି ଲୋକମାନେ ନିଜର ମନୋରଞ୍ଜନ କରୁଥିଲେ ।

ସାଧାରଣତଃ ପୂର୍ବେ ଲୋକମାନେ ମିଳିତ ହୋଇ ସମ୍ପର୍କକୁ ସୁଦୃଢ଼ କରି ଭାଇଚାରାର ଭାବ ସହ ନାନା ପର୍ବପର୍ବାଣୀ, ଉତ୍ସବ ପାଳନ କରୁଥିଲେ । ପର୍ବପର୍ବାଣୀ, ଉତ୍ସବ ପାଳନ କରୁଥିଲେ । ପର୍ବପର୍ବାଣୀ ଦିନ ନୂତନ ବସ୍ତ୍ର ପରିଧାନ କରି ଲୋକମାନେ ସେହିଦିନ ସୁସ୍ୱାଦୁ ଭୋଜନ ଗ୍ରହଣ କରୁଥିଲେ । ଏଥିସହିତ ଗ୍ରାମରେ ଅନ୍ୟ ଏକ ‘ଦଣ୍ଡଯାତ୍ରା’ ମଧ୍ୟ ଅନୁଷ୍ଠିତ ହେଉଥିଲା । ଯେଉଁଥିରେ ‘କାଳୀ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା । ସାମ୍ପ୍ରତିକ ସମୟରେ ମଧ୍ୟ ଏହା ପାଳନ କରାଯାଉଅଛି । ଏହାର ଏକ ଚିତ୍ର ନିମ୍ନରେ ସ୍ପଷ୍ଟ ହୋଇଅଛି ।

ପୂର୍ବେ ଲୋକଙ୍କ ମଧ୍ୟରେ ସାମାଜିକ ସମ୍ପର୍କ କିପରି ଥିଲା ?

ସଦା ସର୍ବଦା ମନୁଷ୍ୟ ସମାଜକୁ ଏବଂ ସମାଜ ମନୁଷ୍ୟକୁ ନେଇ ଗଠିତ । ଦୁହେଁ ଦୁହେଁଙ୍କ ବିନା ଅପରିପୂର୍ଣ୍ଣ । ପୂର୍ବ ସମୟରେ ଲୋକଙ୍କ ମଧ୍ୟରେ ସମ୍ପର୍କ କିପରି ରହିଥିଲା ସେ ସମ୍ପର୍କରେ ଜାଣିବା ନିମନ୍ତେ ମୁଁ କେତେକ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌କାର କରିଥିଲି ।

ପ୍ରଥମ ସାକ୍ଷାତ୍‌କାର:

ଝୁନୁ ବିଶ୍ୱାଳ (ଗ୍ରାମର ଜଣେ ମହିଳା ଅଟନ୍ତି । ବୟସ ୭୮ ବର୍ଷ ଅଟେ ।) ସେ ଏହି ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ, ଯେ ସେ ମାତ୍ର ୧୫ ବର୍ଷ ବୟସର ବିବାହ କରିଥିଲେ । ଅର୍ଥାତ୍ ପୂର୍ବେ ଗ୍ରାମର ସାମାଜିକ ଜୀବନ ମଧ୍ୟରେ ‘ବାଲ୍ୟବିବାହ’ ପ୍ରଥା ପ୍ରଚଳିତ ଥିଲା । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ, ନାରୀମାନେ କେବଳ ଘରେ ରହୁଥିଲେ । ମଥାରୁ ଓଢ଼ଣା କାଢ଼ିବା ସେହି ସମୟରେ ପ୍ରଚଳିତ ନଥିଲା । ସେ ବିଦ୍ୟାଳୟରେ ଶିକ୍ଷା କଣ ମଧ୍ୟ ଜାଣିନଥିଲେ, କି ସେହି ସମୟରେ କୌଣସି ମହିଳାଙ୍କୁ ଶିକ୍ଷିତ ହେବାର ସୁଯୋଗ ଦିଆଯାଉନଥିଲା । ଘରର ଚାରି କାନ୍ଥ ମଧ୍ୟରେ ନାରୀମାନେ ବନ୍ଧା ହୋଇ ରହିଥିଲେ । ଏହା ନାରୀ ପାଇଁ ସୁରକ୍ଷିତ ବୋଲି ଲୋକମାନେ ମନେକରୁଥିଲେ ।

ଦ୍ୱିତୀୟ ସାକ୍ଷାତ୍‌କାର:

ମହନ୍ତର ବିଶ୍ୱାଳ (ବୟସ ୮୦ ବର୍ଷ ଅଟେ । ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି ।) ପୂର୍ବେ ସମାଜ ସମ୍ପର୍କରେ ସେ ଜଣାଇଥିଲେ ଯେ, ଗ୍ରାମ ଘରଗୁଡ଼ିକ ଚାଳ ଛପର ହିଁ ରହିଥିଲା । ଏହା ବ୍ୟତୀତ ଗ୍ରାମରେ ବିଦ୍ୟୁତ୍‌ର ସୁଯୋଗ ସୁବିଧା ନଥିଲା । ଲୋକମାନେ ଲଣ୍ଠନ, ଡିବି ମାଧ୍ୟମରେ ଅନ୍ଧାରକୁ ଆଲୋକିତ କରି ନିଜର ଜୀବନ ଅତିବାହିତ କରୁଥିଲେ । ଯେହେତୁ ଗୃହଗୁଡ଼ିକ ଚାଳ ଛପରରେ ନିର୍ମିତ ଥିଲା ସେଥିରେ ନିଆଁ ଲାଗିଯିବାର ଭୟ ମଧ୍ୟ ଲୋକମାନଙ୍କ ମଧ୍ୟରେ ରହିଥିଲା । ସେ ଯାହା ବି ହେଉନା କାହିଁକି ସେହି ସମୟର ସାମାଜିକ ଜୀବନରେ ଲୋକମାନଙ୍କର ଜୀବନ ଥିଲା କଷ୍ଟମୟ । ସେହି ଜୀବନରେ ମଧ୍ୟ ସେମାନଙ୍କ ମଧ୍ୟରେ ଅଶାନ୍ତି, କଳହ ନଥିଲା । ସମସ୍ତ ପରିବାରର ସଦସ୍ୟ ଅତି କମ୍ ଘରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଜୀବନକୁ ଅତିବାହିତ କରିଦେଉଥିଲେ । ଯାହା କି ସାମ୍ପ୍ରତିକ ସମୟରେ ଅସମ୍ଭବରେ ପରିଣତ ହୋଇଅଛି ।

ତୃତୀୟ ସାକ୍ଷାତ୍‌କାର:

ମହେଶ ଡାକୁଆ (ବୟସ – ୭୧ ବର୍ଷ ଅଟେ । ଗ୍ରାମର ଜଣେ ଭଣ୍ଡାରୀ ଅଟନ୍ତି । ସାମାଜିକ ଜୀବନ ସମ୍ପର୍କରେ ତାଙ୍କ ପାଖରେ ବହୁ ବିବରଣୀ ଉପଲବ୍ଧ ।) ତାଙ୍କ ମତରେ ପୂର୍ବେ ଲୋକମାନେ ଥିଲେ ପରିଶ୍ରମୀ ଅର୍ଥାତ୍ ଶାରୀରିକ ପରିଶ୍ରମ କରୁଥିଲେ । ସେମାନଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା ‘ଖଟିବା ଏବଂ ଖାଇବା’ । ଯାହାକି ବର୍ତ୍ତମାନ ସମୟର ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଲୋକମାନେ ଗାଈ, ମଇଁଷି, ଛେଳି, ମେଣ୍ଢା ପାଳନ କରି ଜୀବନ ନିର୍ବାହ କରୁଥିଲେ । ଏଥିସହିତ କେତେକ ଲୋକ ‘ମାଣ୍ଡିଆ’କୁ ନିଜର ପ୍ରଧାନ ଖାଦ୍ୟ ଭାବରେ ଗ୍ରହଣ କରିଥିଲେ ଏବଂ ଅନ୍ୟ କେତେକ ଲୋକମାନଙ୍କର ଆର୍ଥିକ ସ୍ଥିତି ଥିଲା କଷ୍ଟଦାୟକ । ପୂର୍ବେ ଯେତେବେଳେ ଗ୍ରାମରେ ବର୍ଷା ହେଉନଥିଲା ସେହି ସମୟରେ ଲୋକମାନେ ‘ବେଙ୍ଗେଇ ନାଚ’ ନାମରେ ଏକ ପ୍ରଥା ପାଳନ କରି ଗ୍ରାମରେ ଭ୍ରମଣ କରୁଥିଲେ । ଫଳରେ ଲୋକମାନଙ୍କର ମନୋରଞ୍ଜନ ହେଉଥିଲା ଏବଂ ଗ୍ରାମରେ ବର୍ଷା ମଧ୍ୟ ହେଉଥିବାର ବିଶ୍ୱାସ କରାଯାଉଥିଲା ।

ଚତୁର୍ଥ ସାକ୍ଷାତ୍‌କାର:

ଗଣେଶ ପ୍ରଧାନ (ଗ୍ରାମର ଜଣେ ବୃଦ୍ଧି ସମ୍ପୂର୍ଣ୍ଣ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ବୟସ ୬୭ ବର୍ଷ ଅଟେ ।) ତାଙ୍କ କହିବା ଅନୁସାରେ ପୂର୍ବେ ସମାଜରେ ଲୋକମାନେ ‘ଭାଇଚାରା’ ବନ୍ଧନରେ ବାନ୍ଧିତ ଥିଲେ । ଦୁଃଖ ସୁଖରେ ସମସ୍ତ ମନୁଷ୍ୟ ମିଳିତ ଭାବରେ କାର୍ଯ୍ୟ ସମ୍ପାଦନା କରୁଥିଲେ । ଗୋଟିଏ ସାହି ଗୋଟିଏ ଘର ପରି ବଞ୍ଚି ରହୁଥିଲେ । ସେ ଅନ୍ୟ ଏକ କଥା ମଧ୍ୟ କହିଥିଲେ ଯେ ଗ୍ରାମରେ ତନ୍ତ୍ର ସାଧନାର ଭୟ ମଧ୍ୟ ରହିଥିଲା । ପଡ଼ୋଶୀ ଗ୍ରାମମାନଙ୍କରେ ତନ୍ତ୍ର ସାଧନା ବଳରେ ଲୋକମାନଙ୍କର ଜୀବନ ଚାଲିଯିବାର ବିଶ୍ୱାସ ମଧ୍ୟ ରହିଥିଲା । ଏଥିସହିତ ଗ୍ରାମମାନଙ୍କରେ ଜାତିକୁ ନେଇ ଭେଦଭାବ ମଧ୍ୟ ଦେଖାଯାଉଥିଲା ଅର୍ଥାତ୍ ‘ଜାତିପ୍ରଥା’ ଭଳି କଳଙ୍କିତ ପ୍ରଥାକୁ ଲୋକମାନେ ଅନୁସରଣ କରୁଥିଲେ । ଯାହାକି ସାମ୍ପ୍ରତିକ ସମୟରେ ମଧ୍ୟ ପ୍ରଚଳିତ ହେଉଅଛି । ସେତେବେଳେ ମନୋରଞ୍ଜନ କହିଲେ, ଉତ୍ସବ, ପର୍ବପର୍ବାଣୀ ଏବଂ ଗ୍ରାମରେ ପରିବେଷଣ ହେଉଥିବା ନାଟକ, ଦାସକାଠିଆ, ପାଲା, କାହାଣୀକୁ ବୁଝାଯାଉଥିଲା । ଗ୍ରାମରେ ସାମାଜିକ ଜୀବନରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ଥିବାରୁ ସେ ମଧ୍ୟ ମତ ଦେଇଥିଲେ ।

ଉପରୋକ୍ତ ସମସ୍ତ ବିବରଣୀରୁ ଏହା ସ୍ପଷ୍ଟ ହୁଏ, ପୂର୍ବେ ଆମ ଗ୍ରାମର ସାମାଜିକ ଜୀବନ ଥିଲା ଶାନ୍ତ, ରୁଚି ସମ୍ପୂର୍ଣ୍ଣ ସମାଜ ଜୀବନର ପ୍ରତୀକ । କିନ୍ତୁ ଜାତିପ୍ରଥା, ତନ୍ତ୍ରବିଦ୍ୟା, ନାରୀମାନଙ୍କର ପରାଧୀନତା, ନ୍ୟୂନଜୀବନ ପରି କୁସଂସ୍କାର ମଧ୍ୟ ଗ୍ରାମରେ ପ୍ରଚଳିତ ଥିଲା । ସମାଜରେ ଲୋକମାନେ ‘ଭାଇଚାରା’ ବନ୍ଧନରେ ମଧ୍ୟ ବାନ୍ଧିହୋଇ ରହୁଥିଲେ । ଏହା ହିଁ ଥିଲା ଆମ ଗ୍ରାମ୍ୟ ସମାଜର ପ୍ରତୀକ ।

     

ପୂର୍ବେ କ’ଣ ଚାଷ କରୁଥିଲେ କ’ଣ ରାନ୍ଧିକି ଖାଉଥିଲେ ?

ଦେଶ ଜାତିର ସାର୍ବଜନୀନ ଆବଶ୍ୟକତା ହେଉଛି କୃଷି । କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରି ଦେଶ ଓ ଜାତିର ଅଶେଷ ଉପକାର କରେ କୃଷକ । ପୂର୍ବ ସମୟରେ ଗ୍ରାମରେ କିପରି ଭାବରେ ଚାଷ କାର୍ଯ୍ୟ ହେଉଥିଲା ଏବଂ ଲୋକମାନେ କେଉଁ ଖାଦ୍ୟ ରାନ୍ଧି ଖାଉଥିଲେ ତାହାର ବିବରଣୀ ସଂଗ୍ରହ ନିମନ୍ତେ ମୁଁ କେତେକ ବୟସ୍କ ଜନସାଧାରଣଙ୍କ ସହ ସାକ୍ଷାତ୍‌କାର କରିଥିଲି ।

ପ୍ରଥମ ସାକ୍ଷାତ୍‌କାର:

ବୁଦ୍ଧିଆ ଗୌଡ଼ (ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଅଟନ୍ତି । ବୟସ ୭୬ ବର୍ଷ ଅଟେ । ସେ ଜଣେ ଗୋ ସେବକ ଅଟନ୍ତି ।) ତାଙ୍କ କହିବା କଥା ଯେ, ପୂର୍ବେ ଲୋକମାନେ ବିଲରେ ମୁଖ୍ୟତଃ ଧାନ ଚାଷ କରୁଥିଲେ । ଧାନରୁ ଉତ୍ପାଦନ ହେଉଥିବା ଚାଉଳ ଥିଲା ସେହି ସମୟରେ ଗ୍ରାମ ଲୋକମାନଙ୍କର ପ୍ରଧାନ ଖାଦ୍ୟ । ଲୋକମାନେ ପ୍ରାୟତଃ ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ ଏବଂ ନିଜର ପେଟ ପୋଷୁଥିଲେ ।

ଦ୍ୱିତୀୟ ସାକ୍ଷାତ୍‌କାର:

ନିରଞ୍ଜନ ପାଣିଗ୍ରାହୀ (ଗ୍ରାମର ଜଣେ ଜ୍ଞାନୀ ଗୁଣୀ ସମ୍ପୂର୍ଣ୍ଣ ବ୍ୟକ୍ତି ଅଟନ୍ତି । ବୟସ ୬୪ ବର୍ଷ ଅଟେ ।) ତାଙ୍କ ମତରେ, ପୂର୍ବେ ଗ୍ରାମରେ ଲୋକମାନଙ୍କର ପ୍ରଧାନ ଖାଦ୍ୟ ଥିଲା ‘ମାଣ୍ଡିଆ’ । ଲୋକମାନେ ‘ମାଣ୍ଡିଆ’ ଚାଷ କରି ଜାଉକୁ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ । ପ୍ରାୟତଃ ଅଧିକାଂଶ ଲୋକ ସେତେବେଳେ ଭୋକ ଉପବାସରେ ଜୀବନ ଅତିବାହିତ କରୁଥିଲେ । ସେହି ସମୟରେ ଉତ୍ପାଦନ ହେଉଥିବା ‘ମାଣ୍ଡିଆ’ ସାମ୍ପ୍ରତିକ ସମୟରେ ମଧ୍ୟ ଉତ୍ପାଦିତ ହେଉଛି ।

ମାଣ୍ଡିଆ ଚିତ୍ର

ତୃତୀୟ ସାକ୍ଷାତ୍‌କାର:

ଅନାମ ବିଶ୍ୱାଳ (ଗ୍ରାମର ଜଣେ ବୃଦ୍ଧା ଅଟନ୍ତି । ସେ ୧୯୫୨ ମସିହାରେ ଜନ୍ମ ଲାଭ କରିଥିଲେ । ବୟସ ୬୩ ବର୍ଷ ଅଟେ ।) ସେ ଜଣାଇଥିଲେ ଯେ, ପୂର୍ବେ ଗ୍ରାମରେ ଧାନ ଚାଷ, ମାଣ୍ଡିଆ ଚାଷ, ବିରି, କୋଳଥ ଡାଲି, ହରଡ଼ ଡାଲି ଆଦି ବହୁ ଖାଦ୍ୟ ସେହି ସମୟରେ ଉତ୍ପାଦନ କରୁଥିଲେ । ଏଥିସହିତ ଗ୍ରାମରେ ଆଖୁ ଉତ୍ପାଦନ କରି ଲୋକମାନେ ଜୀବିକା ନିର୍ବାହ କରୁଥିଲେ । ସେହି ‘ଆଖୁ ଚାଷ’ ମଧ୍ୟ ସାମ୍ପ୍ରତିକ ସମୟରେ ହେଉଅଛି ।

ଚତୁର୍ଥ ସାକ୍ଷାତ୍‌କାର:

ଇନ୍ଦ୍ର ବାରିକ (ଗ୍ରାମର ଜଣେ ଭଣ୍ଡାରୀ ବା ଜଣେ ବୟସ୍କ ଅଟନ୍ତି । ବୟସ ୬୮ ବର୍ଷ ଅଟେ ।) ସେ ପୂର୍ବେ ଗ୍ରାମରେ ଲୋକମାନେ କ’ଣ ଖାଉଥିଲେ । ସେହି ସମ୍ପର୍କରେ ସେ ଜଣାଇଥିଲେ ଯେ, ପ୍ରାୟତଃ ଲୋକମାନେ ‘ଶୁଖୁଆ’କୁ ନିଜର ପ୍ରଧାନ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ । ଜାଉ ସହ ଅର୍ଥାତ୍ ମାଣ୍ଡିଆ ଜାଉ ସହ ଲୋକମାନେ ‘ଶୁଖୁଆ’କୁ ଅତି ଆନନ୍ଦରେ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ । ବାସ୍ତବରେ ପୂର୍ବ ସମୟରେ ଲୋକମାନଙ୍କର ଖାଦ୍ୟ ଥିଲା ସରଳ ।

ପଞ୍ଚମ ସାକ୍ଷାତ୍‌କାର:

ଉର୍ବଶୀ ବିଶ୍ୱାଳ (ଗ୍ରାମର ଜଣେ ଜ୍ଞାନ ସମ୍ପୂର୍ଣ୍ଣ ମହିଳା ଅଟନ୍ତି । ବୟସ ୬୬ ବର୍ଷ ଅଟେ ।) ତାଙ୍କ ମତରେ ପୂର୍ବେ ଗ୍ରାମରେ ବିଲମାନଙ୍କରେ ବିଲଚଣା, ଅଇଁଚଣା, କୋଳଥ, କାନ୍ଦୁଲ, ଭୂଇଁଚଣା ଆଦି ବିଭିନ୍ନ ଖାଦ୍ୟ ଉତ୍ପାଦିତ ହେଉଥିଲା । ଏଥିସହିତ ପଦର ନାମକ ସ୍ଥାନରେ ବାଇଗଣ, ଟମାଟୋ, ତୋରଡ଼ା, ଆଦି ବିଭିନ୍ନ ପନିପରିବା ମଧ୍ୟ ଉତ୍ପାଦିତ ହେଉଥିଲା । ସେ ଜଣାଇଥିଲେ ଯେ, ପ୍ରାୟତଃ ଗ୍ରାମରେ ଅଧିକାଂଶ ଜନସାଧାରଣ ଅଭାବ ଅନଟନ ମଧ୍ୟରେ ନିଜର ଜୀବନ ଅତିବାହିତ କରୁଥିଲେ । ଗ୍ରାମରେ ଉତ୍ପାଦିତ ହେଉଥିବା ‘ଧାନଚାଷ’ର ଚିତ୍ର ନିମ୍ନରେ ପ୍ରଦର୍ଶିତ ହୋଇଅଛି ।

 

ଉପରୋକ୍ତ ସାକ୍ଷାତ୍‌କାର ଗୁଡିକରୁ ଏହା ସ୍ପଷ୍ଟ ହୁଏ କି ସେହି ସମୟରେ ଗ୍ରାମରେ ଲୋକମାନଙ୍କର ପ୍ରଧାନ ଖାଦ୍ୟ ଥିଲା ଧାନ, ମାଣ୍ଡିଆ, ଆଖୁ, ଶୁଖୁଆ ଆଦି । ଲୋକମାନେ ନିଜର ଖାଦ୍ୟକୁ ସେହି ସମୟରେ ବହୁ କଷ୍ଟର ସହ ଉତ୍ପାଦନ କରୁଥିଲେ । ଏଥିସହିତ ଗ୍ରାମର ଅନ୍ୟ କେତେକ ଲୋକ ମଧ୍ୟ ଭୋକ ଉପବାସ, ଅଭାବ ଅନଟନରେ ନିଜର ଜୀବନ କଟାଉଥିଲେ । ଚାଷ କରିବା ଏବଂ ରାନ୍ଧି ଖାଇବା ସେହି ସମୟର ଲୋକମାନଙ୍କର ଥିଲା ପ୍ରଧାନ ଜୀବିକା ।

ଗାଁରେ ଦୁର୍ବିପାକ:

ଲୋକକଥାରେ ରହିଛି, “ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ” । ସେହିପରି ଯେତେବେଳେ ଗ୍ରାମରେ ଅଚାନକ ଭାବରେ ବନ୍ୟାର ଜଳ ମାଡ଼ି ଆସିଥାଏ, ସେହି ସମୟରେ ଲୋକମାନଙ୍କ ମନରେ ଛନକା ବା ଭୟ ପଶିଯାଇଥାଏ । ସେହି ସମୟରେ ମଧ୍ୟ କିପରି ଭାବରେ ଲୋକମାନଙ୍କ ମଧ୍ୟରେ ବନ୍ୟା, ମରୁଡ଼ି ସମୟର ପରିବେଶ ଏବଂ ଭୟାଭୟତା ରହିଥିଲା ତାର ବିବରଣୀ ସମ୍ପର୍କରେ ମୁଁ କିଛି ଲୋକମାନଙ୍କ ସହିତ ସାକ୍ଷାତ୍‌କାର କରିଥିଲି । ତାହା ନିମ୍ନରେ ପ୍ରଦର୍ଶିତ ହୋଇଛି ।

ପ୍ରଥମ ସାକ୍ଷାତ୍‌କାର:

ବାଞ୍ଚିନିଧି ପ୍ରଧାନ (୧୯୫୦ ମସିହାରେ ଜନ୍ମ ଲାଭ କରିଥିଲେ । ବୟସ ୭୦ ବର୍ଷ ଅଟେ । ଗ୍ରାମର ଜଣେ ଉଚ୍ଚ ଜ୍ଞାନୀ ସମ୍ପୂର୍ଣ୍ଣ ବ୍ୟକ୍ତି ଅଟନ୍ତି ।) ତାଙ୍କ କହିବା ଅନୁସାରେ, ପୂର୍ବେ କୌଣସି ପକ୍କା ଘର ନଥିଲା । ପ୍ରାୟତଃ ଘରଗୁଡ଼ିକ ଚାଳରେ ନିର୍ମିତ ହେଉଥିଲା । ଯେତେବେଳେ ଗ୍ରାମରେ ବନ୍ୟା ଆସୁଥିଲା ସେହି ସମୟରେ ଲୋକମାନେ ଗ୍ରାମର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଥିବା ପାହାଡ଼କୁ ଚାଲିଯାଉଥିଲେ । ଏଥିସହିତ ଯେଉଁ ଗ୍ରାମର ଆଖପାଖରେ ପାହାଡ଼ ନଥିଲା ସେହି ଗ୍ରାମରେ କୌଣସି ଲୋକଙ୍କର ଗୋଟିଏ ପକ୍କାଘର ଥିଲେ ସେଠାକୁ ଚାଲିଯାଉଥିଲେ ଏବଂ ଘରେ ଯେଉଁ ଭାଡ଼ିଗୁଡ଼ିକ ନିର୍ମିତ ହେଉଥିଲା କିଛି ଲୋକ ସେହି ଭାଡ଼ି ଉପରକୁ ବନ୍ୟାର ଭୟରେ ଯାଇ ରହୁଥିଲେ । ଅନ୍ୟ କେତେକ ଲୋକ ଗ୍ରାମରେ ଯେଉଁ ବୃନ୍ଦାବତୀ ମଣ୍ଡପ ଥାଏ, ସେହି ସ୍ଥାନରେ ଅତି ଭୟଭୀତ ଭାବରେ ଆଶ୍ରୟ ନେଉଥିଲେ । ଏଥିସହିତ ଗ୍ରାମର ଅନ୍ୟ କେତେକ ଲୋକ ଗଛ ଉପରକୁ ବନ୍ୟା ଭୟରେ ଚାଲିଯାଉଥିଲେ । ଅନ୍ୟ କେତେକ ଲୋକ ଶୋଇ ରହିଥିବା ସମୟରେ ଅଚାନକ ବନ୍ୟା ଜଳ ମାଡ଼ି ଆସିବା ଫଳରେ ଲୋକମାନେ ସେହି ଜଳରେ ଭାସି ଯାଉଥିଲେ । ଏହା ଥିଲା ବହୁ ଦୁଃଖଦାୟକ ବିଷୟ । ବନ୍ୟା ଜଳରେ ଖାଦ୍ୟ ପଦାର୍ଥ ମଧ୍ୟ ଜଳରେ ଭାସିଯାଉଥିଲା ଫଳରେ ଲୋକମାନେ ଉପବାସରେ କିଛି ଦିନ ଅତିବାହିତ କରୁଥିଲେ । ‘ଚାକୁଣ୍ଡା’ ନାମକ ଏକ ଶାଗକୁ ସେମାନେ ସିଝାଇ ଖାଉଥିବାର ମଧ୍ୟ ଦର୍ଶାଇଥିଲେ । ଏକଦା ବନ୍ୟା ସମୟରେ ଜଳର ତାଣ୍ଡବ ଚିତ୍ର ନିମ୍ନରେ ବର୍ଣ୍ଣିତ ହୋଇଅଛି ।

ବନ୍ୟା ଚିତ୍ର

 

ଦ୍ୱିତୀୟ ସାକ୍ଷାତ୍‌କାର:

ରମାକାନ୍ତ ଜେନା (ଗ୍ରାମର ଜଣେ କୃଷକ ଅଟନ୍ତି । ବୟସ ୫୮ ବର୍ଷ ଅଟେ ।) ତାଙ୍କ ମତ ଅନୁଯାୟୀ, ପୂର୍ବେ ଗ୍ରାମରେ ମରୁଡ଼ି, ବନ୍ୟା ଭଳି ଦୁର୍ବିପାକ ସମୟରେ ବହୁ ଧନଜୀବନର କ୍ଷୟକ୍ଷତି ଘଟୁଥିଲା । ଗ୍ରାମରେ ମରୁଡ଼ି, ବନ୍ୟା ଭଳି ଦୁର୍ବିପାକ ସମୟରେ ବହୁ ଧନ ଜୀବନର କ୍ଷୟକ୍ଷତି ଘଟୁଥିଲା । ଗ୍ରାମରେ ମରୁଡ଼ି ସମୟରେ ଲୋକମାନଙ୍କୁ ପିଇବା ନିମନ୍ତେ ଟୋପାଏ ଜଳ ମଧ୍ୟ ମିଳୁନଥିଲା । ବୁନ୍ଦାଏ ଜଳ ନିମନ୍ତେ ଗ୍ରାମର ଲୋକମାନେ ବହୁ ଛଟପଟର ଶିକାର ହେଉଥିଲେ । ଏହା ବ୍ୟତୀତ ଯେତେବେଳେ କୌଣସି ଖାଦ୍ୟ ଏବଂ ପାନୀୟ ମିଳୁନଥିଲା ସେତେବେଳେ ଲୋକମାନେ କୁଖାଦ୍ୟ ମଧ୍ୟ ଗ୍ରହଣ କରିବାକୁ ପଛାଉ ନଥିଲେ । ଏହି ସମୟରେ ଅନ୍ୟ ଏକ ଚିତ୍ର ମଧ୍ୟ ଗ୍ରାମରେ ଦେଖାଦେଇଥିଲା ଯେଉଁ ସମୟରେ ମରୁଡ଼ିର ଭୟାଭୟତା ଗ୍ରାମରେ ଖେଳି ଯାଇଥାଏ । ସେହି ସମୟରେ ଗ୍ରାମର କେତେକ ଲୋକ ଅନ୍ୟ ରାଜ୍ୟ ବା ଅନ୍ୟ ଦେଶକୁ ଦାଦନ ଖଟିବା ନିମନ୍ତେ ବାହାରି ପଡୁଥିଲେ ।

ଗ୍ରାମରେ ମରୁଡ଼ି, ବନ୍ୟା ପରି ଦୁର୍ବିପାକ ସମୟରେ କେବଳ ଯେ ମନୁଷ୍ୟ ଅଶେଷ କଷ୍ଟ ଯନ୍ତ୍ରଣାର ଶିକାର ହେଉଥିଲେ ତାହା ନୁହେଁ ବରଂ ବହୁ ଜୀବଜନ୍ତୁ ମଧ୍ୟ ଅସହ୍ୟ କ୍ଲେଶ ଅନୁଭବ କରୁଥିଲେ । ଯେତେବେଳେ ମରୁଡ଼ି ସମୟରେ ଗ୍ରାମର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇନଥାଏ ସେହି ସମୟରେ ପୋଡ଼ି ହୋଇ ରହିଥିବା ଧାନ ଗଛର ନାଡ଼ ବା ପାଳକୁ ଖାଇବା ନିମନ୍ତେ ଦିଆଯାଉଥିଲା । ସମ୍ପୂର୍ଣ୍ଣ ଭାବରେ କହିବାକୁ ଗଲେ ଏହି ସମୟରେ ସମସ୍ତ ଜୀବଜଗତ ଅଶେଷ  କ୍ଲେଶର ଶିକାର ହୋଇଥାନ୍ତି । ଯେତବେଳେ ବନ୍ୟା ହେଉଥିଲା ସେହି ସମୟରେ ବହୁ ଜୀବଜନ୍ତୁମାନଙ୍କର ଜୀବନହାନି ସହିତ ମନୁଷ୍ୟଙ୍କର ମଧ୍ୟ ଜୀବନହାନି ଘଟୁଥିଲା । ମରୁଡ଼ି ସମୟରେ ଗ୍ରାମରେ ଭୟାଭୟତାର ଚିତ୍ର ନିମ୍ନରେ ସ୍ପଷ୍ଟ:

ଗ୍ରାମରେ ଅନ୍ୟ ଏକ କିମ୍ବଦନ୍ତୀ ମଧ୍ୟ ଲୋକମାନଙ୍କଠାରୁ ଶୁଣିବାକୁ ମିଳିଥାଏ ଯେ, ଗ୍ରାମରେ ଗ୍ରାମଦେବୀଙ୍କ ଅସନ୍ତୋଷ ଫଳରେ ଗ୍ରାମରେ ଏହି ସବୁ ଘଟଣା ଘଟିଥାଏ । ତେଣୁ ଲୋକମାନେ ଏହି ସମୟର ପରବର୍ତ୍ତୀ ମୂହୁର୍ତ୍ତରେ ଗ୍ରାମଦେବୀଙ୍କଠାରେ ପୂଜାର୍ଚ୍ଚନା କରି, ତାଙ୍କର ସେବା କରି ତାଙ୍କୁ ସନ୍ତୁଷ୍ଟ କରିଥାନ୍ତି ବୋଲି କୁହାଯାଇଥାଏ ।

ଉପରୋକ୍ତ ସମସ୍ତ ସାକ୍ଷାତ୍‌କାର ଦାତାଙ୍କ ବିବରଣୀରୁ ଏହା ସ୍ପଷ୍ଟ ହୋଇଥାଏ ଯେ, ସେହି ସମୟରେ ଗ୍ରାମର ବନ୍ୟା, ମରୁଡ଼ି ଏବଂ ପ୍ରାକୃତିକ ଦୁର୍ବିପାକବେଳେ ଗ୍ରାମର ଜନସାଧାରଣମାନଙ୍କର ପରିସ୍ଥିତି ଥିଲା ବହୁ ହୃଦୟ ବିଦାରକ । ଧନଜୀବନର ସୁରକ୍ଷା ନିମନ୍ତେ ସେମାନଙ୍କର ପ୍ରଚେଷ୍ଟାର ମୂଲ୍ୟ ବହୁ କରୁଣାଦାୟକ ଅଟେ । ଅସହ୍ୟ କଷ୍ଟ, ଦୁଃଖ ଯନ୍ତ୍ରଣାର ଶିକାର ହୋଇ ମଧ୍ୟ ସେମାନେ କୌଣସି ମୂହୁର୍ତ୍ତରେ ଭାଙ୍ଗିନାହାଁନ୍ତି ଏହା ହିଁ ଆମ ପାଇଁ ସର୍ବୋତ୍କୃଷ୍ଟ ବାର୍ତ୍ତା ଅଟେ ।

ପୂର୍ବେ ଗାଁରେ ବିବାହ, ଉତ୍ସବ, ଜନ୍ମ, ଓ ମୃତ୍ୟୁ ଆଦି ପାଳନ

ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ । ସେହି ସଂସ୍କୃତି ମାଧ୍ୟମରେ ହିଁ ଲୋକମାନେ ପରସ୍ପର ଏକ ଅଦ୍ଭୁତ ସମ୍ପର୍କରେ ବାନ୍ଧି ହୋଇପାରିଥାନ୍ତି । ବିବାହ ହେଉଛି ଭାରତୀୟ ସାଂସ୍କୃତିକ ପରମ୍ପରାର ପବିତ୍ର ବନ୍ଧନ । ଏହା ୨ ଗୋଟି ଜୀବନ ଏବଂ ପରିବାର ମଧ୍ୟରେ ଅତୁଟ ବନ୍ଧନର ଧାରା ସ୍ଥାପନ କରିଥାଏ । ସେହିପରି ଭାରତୀୟ ପରମ୍ପରା ମଧ୍ୟରେ ଜନ୍ମ, ମୃତ୍ୟୁ ଏବଂ ନାନା ଉତ୍ସବର ସ୍ନେହ ଓ ଶ୍ରଦ୍ଧାର ବନ୍ଧନ ରହିଥାଏ । ଯାହାକି ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିପାରିଥାଏ । ପୂର୍ବେ କିପରି ଭାବରେ ଏହି ବିବାହ, ଜନ୍ମ, ମୃତ୍ୟୁ ଓ ନାନା ଉତ୍ସବ ଲୋକମାନେ ପାଳନ କରୁଥିଲେ ସେହି ସମ୍ପର୍କରେ ବିବରଣୀ ଲାଭ କରିବା ନିମନ୍ତେ ମୁଁ ଗ୍ରାମର କେତେକ ଲୋକମାନଙ୍କ ସହ ସାକ୍ଷାତ୍‌କାର କରିଥିଲି । ସେହି ସାକ୍ଷାତ୍‌କାର ଗୁଡିକ ଏବଂ ସେମାନଙ୍କର ମତ ନିମ୍ନରେ ବର୍ଣ୍ଣିତ ହୋଇଅଛି ।

ପ୍ରଥମ ସାକ୍ଷାତ୍‌କାର:

ଗୋପୀ ପଣ୍ଡା (ମୋର ପ୍ରଥମ ସାକ୍ଷାତ୍‌କାର ଗୋପୀ ପଣ୍ଡା ଗ୍ରାମର ଜଣେ ଉଚ୍ଚ ଜ୍ଞାନୀ ସଂପନ୍ନ ବହୁ ପାଣ୍ଡିତ୍ୟର ଅଧିକାରୀ ଅଟନ୍ତି । ବୟସ ୬୩ ବର୍ଷ ଅଟେ ।) ପୂର୍ବେ ଲୋକମାନେ ନାନା ଉତ୍ସବ ପାଳନ କରୁଥିଲେ । ସେମାନେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରି ମଙ୍ଗଳ କାମନା କରିବା ନିମନ୍ତେ ଗୁହାରୀ କରୁଥିଲେ । ଏଥିସହିତ ପର୍ବପର୍ବାଣୀମାନଙ୍କରେ ସମସ୍ତ ଜନସାଧାରଣ ନୂତନ ବସ୍ତ୍ର ପରିଧାନ କରୁଥିଲେ । କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ଏହି ସୁଯୋଗ ସୁବିଧାରୁ ବଞ୍ଚିତ ରହୁଥିଲେ । ସେହି ସମୟରେ ବିବାହ କରି ସାଂସ୍କୃତିକ ପରମ୍ପରାରେ ଲୋକମାନେ ନାନା ନୀତି ନିୟମ ମାଧ୍ୟମରେ ପାଳନ କରୁଥିଲେ । ସେହି ସମୟରେ ପୁତ୍ର ସନ୍ତାନ ଗୃହରେ ଜନ୍ମ ଲାଭ କଲେ ଲୋକମାନଙ୍କ ମଧ୍ୟରେ ଆନନ୍ଦର ସୁଅ ଖେଳିଯାଉଥିଲା । କିନ୍ତୁ ଗୃହରେ ଯେତେବେଳେ କୌଣସି କନ୍ୟା ସନ୍ତାନ ଜାତ ହେଉଥିଲା ସେତେବେଳେ ତାହା ଚିନ୍ତାର ବିଷୟ ଭାବରେ ଗ୍ରହଣ କରାଯାଉଥିଲା । ସେହି ସମୟରେ ଶିଶୁମାନଙ୍କର ଜନ୍ମକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଅନୁପାତ ବା ସଂଖ୍ୟା ନଥିଲା । ସେଥି ନିମନ୍ତେ ଲୋକମାନଙ୍କୁ ନାନା ଅଭାବ ଅନଟନ ପରି ଦାରିଦ୍ର୍ୟ ତାର ଶିକାର ହେବାକୁ ପଡୁଥିଲା ।

ଦ୍ୱିତୀୟ ସାକ୍ଷାତ୍‌କାର:

ଲକ୍ଷ୍ମୀ ବିଶ୍ୱାଳ (ଗ୍ରାମର ଜଣେ ବୃଦ୍ଧା ପରିଶ୍ରମୀ ମହିଳା ଅଟନ୍ତି । ବୟସ ୭୮ ବର୍ଷ ଅଟେ ।) ସେ ଏହି ପ୍ରଶ୍ନ ସମ୍ପର୍କରେ କହିଥିଲେ ଯେ, ପୂର୍ବେ ‘ବାଲ୍ୟବିବାହ’ ପରି କୁପ୍ରଥା ସମାଜରେ ପ୍ରଚଳିତ ଥିଲା । ଯେତବେଳେ କନ୍ୟାମାନେ ବିବାହ କରି ନିଜର ଶାଶୁ ଘରକୁ ଗମନ କରୁଥିଲେ । ସେହି ସମୟରେ ଶଗଡ଼ ଗାଡ଼ି ମାଧ୍ୟମରେ ନିଜେ ଏବଂ ନିଜର ସାମଗ୍ରୀମାନଙ୍କ ସହ ଆସୁଥିଲେ । ଶଗଡ଼ ଗାଡ଼ି ବିବାହ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଥିଲା । ଶଗଡ଼ ଗାଡ଼ିର ଏକ ଚିତ୍ର ନିମ୍ନରେ ପ୍ରଦର୍ଶିତ ହୋଇଅଛି ।

 

ତୃତୀୟ ସାକ୍ଷାତ୍‌କାର:

ଝୁନୁ ଖଟେଇ (ହରିଡ଼ାପଦର ଗ୍ରାମର ଜଣେ ବୃଦ୍ଧ ମହିଳା ଅଟନ୍ତି । ପରମ୍ପରା ସମ୍ପର୍କରେ ତାଙ୍କର ବହୁ ଜ୍ଞାନ ପରିପୂର୍ଣ୍ଣ ହୋଇଅଛି ।) ସେହି ସମୟରେ ଯେତେବେଳେ ଶିଶୁ ଜନ୍ମ ଲାଭ କରୁଥିଲେ ଶିଶୁର ଜନ୍ମଦିନର ପାଞ୍ଚ ଦିନ ‘ପଞ୍ଚୁଆତି’ ନାମରେ ଏକ ଉତ୍ସବ ପାଳନ କରୁଥିଲେ । ଏହି ଦିନ ପଞ୍ଚୁଆତି ବୁଢୀ ଅସୁରୁଣୀର ଶିଶୁ ପ୍ରତି ଆସକ୍ତ ରହିଥାଏ ବୋଲି ସେ ଜଣାଇଥିଲେ । ତେଣୁ ସେହି ଦିନ ମାଆମାନେ ନିଜର ଶିଶୁକୁ ନିଜଠାରୁ କିଞ୍ଚିତ ମୂହୁର୍ତ୍ତ ପାଇଁ ମଧ୍ୟ ଦୂରାଇ ଦେଉନଥିଲେ । ବିବାହ ସମୟରେ ଶଗଡ଼ ପୂର୍ବରୁ ‘ଶବାରୀ’ ପ୍ରଚଳିତ ଥିଲାବୋଲି ସେ କହିଥିଲେ । ଯେଉଁଥିରେ ସାଧବ ବୋହୁକୁ ନିଜର ଶାଶୁ ଘରକୁ ‘ଶବାରୀ’ ମାଧ୍ୟମରେ ଲୋକମାନେ ଆଣୁଥିଲେ ଶବାରୀର ଚିତ୍ର ନିମ୍ନରେ ପ୍ରଦର୍ଶିତ ।

ଚତୁର୍ଥ ସାକ୍ଷାତ୍‌କାର:

ଉର୍ବଶୀ ବିଶ୍ୱାଳ (ଗ୍ରାମର ଜଣେ ବୃଦ୍ଧ ମହିଳା ଭାବରେ ଜଣାଶୁଣା । ବୟସ ୬୯ ବର୍ଷ ଅଟେ ।) ତାଙ୍କ କହିବା ଅନୁସାରେ ପୂର୍ବେ ଯେତେବେଳେ ଶିଶୁ ଜନ୍ମ ହେଉଥିଲା ସେହି ସମୟରେ ‘ପଞ୍ଚୁଆତି’, ‘ଅଷ୍ଟୁଆରି’ ପରି ପ୍ରଥାକୁ ପାଳନ କରୁଥିଲେ । ‘ଅଷ୍ଟୁଆରି’ ସମ୍ପର୍କରେ ସେ ଜଣାଇଥିଲେ ଯେ, ଶିଶୁ ଜନ୍ମର ଆଠଦିନ ଅଷ୍ଟୁଆରୀ ବୁଢ଼ୀ ଆସିଥାନ୍ତି । ସେ କୁଆଡ଼େ ଦେଖିବାକୁ ଅସୁର ପରି । ମୁହଁ ଦେଖିବାକୁ ଖୁବ୍ ଭୟଙ୍କର ।  ସେ ଶିଶୁ ପାଖକୁ ଆସି କୁଆଡ଼େ ମାଡି ବସୁଥିଲା ଫଳରେ ଶିଶୁ ମୃତ୍ୟୁ ହୋଇଯାଉଥିଲା । ଏହାର ପ୍ରତିକାର ନିମନ୍ତେ ସେତେବେଳେ ମାଆମାନେ ଶିଶୁର ଚତୁଃପାର୍ଶ୍ୱରେ ସୋରିଷ ବୁଣୁଥିଲେ ଏବଂ ମାଆମାନେ କିଞ୍ଚିତ ସମୟ ପାଇଁ ମଧ୍ୟ ନିଜଠାରୁ ନିଜର ସନ୍ତାନକୁ ଅଲଗା କରୁନଥିଲେ ।

ବିବାହକୁ ନେଇ ସେ ନିଜର ମତ ପ୍ରଦାନ କରିଥିଲେ ଯେ, ବିବାହ ସମୟରେ ନାନା ରୀତି ନୀତି ପାଳନ କରାଯାଉଥିଲା । ସେ ମଧ୍ୟରେ ରହିଥିଲା ବିବାହବେଳେ ‘ହସ୍ତଗଣ୍ଠି’, ‘ଶଳାବିଧା’, ‘କଉଡ଼ି ଖେଳ’, ‘ଗନ୍ଧଶତା’, ‘ଚାରିକର୍ମ’ ଆଦି ନାନା ଉତ୍ସବ ବିବାହ ସମୟରେ ପାଳନ କରାଯାଉଥିଲା । ସେହିପରି ଭାବରେ କୌଣସି ଲୋକମାନଙ୍କର ଯେତେବେଳେ ମୃତ୍ୟୁ ହେଉଥିଲା ସେତେବେଳେ ବନ୍ଧୁବର୍ଗ ସମସ୍ତେ ମିଳିତ ହୋଇ ଶବ ସଂସ୍କାର କରୁଥିଲେ ଏବଂ ଶୁଦ୍ଧ କାର୍ଯ୍ୟ ସମ୍ପାଦନା କରୁଥିଲେ । ମୃତ୍ୟୁ ଲୋକଙ୍କର ୨ ଦିନକୁ ‘ପିତା କାର୍ଯ୍ୟ’ ଭାବରେ ପାଳନ କରି ସେହି ବଂଶର ଲୋକମାନେ ପିତା ଖାଦ୍ୟ ଗ୍ରହଣ କରୁଥିଲେ । ଏଥି ସହିତ ‘ପଣା କାର୍ଯ୍ୟ’ ମଧ୍ୟ ସମ୍ପାଦନା କରୁଥିଲେ । ସେଥିରେ ପଣା ଭାବରେ ଭୂଜା ଓ ପାଳୁଅ ଦିଆଯାଉଥିଲା । ‘ଦଶା କାର୍ଯ୍ୟ’ ମଧ୍ୟ ମୃତ୍ୟୁ ଲୋକଙ୍କର ପାଳନ ହେଉଥିଲା । ସେହିଦିନ ବଂଶର ଲୋକମାନେ ନିଶ, ବାଳ ଖିଅର ହୋଇ ନଖ ଦାନ କରୁଥିଲେ । ଏହିପରି ଭାବରେ ବିଭିନ୍ନ କାର୍ଯ୍ୟକୁ ସମ୍ପାଦନା କରି ଶୁଦ୍ଧ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରୁଥିଲେ । ସେହି ସମୟରେ ବିବାହ ସମୟରେ ପ୍ରଚଳିତ ଥିବା ‘ଗନ୍ଧଶତା’ ବର୍ତ୍ତମାନ ମଧ୍ୟ ପ୍ରଚଳିତ ।

(ବିବାହ କାର୍ଯ୍ୟକ୍ରମ ସମୟରେ ବିରି ମୁଗ ଚୁରାଚୁରି ସମୟରେ ଗାନ କରାଯାଉଥିବା ଗୀତ):

“ଚାରିଖୁଣ୍ଟି ଦଉଡ଼ି ଲୋ
ମୁଗୁନିର ଶିଳ ।
ରାମଚନ୍ଦ୍ର ବିଭା ହେବେ
ବିରି ମୁଗ ଚୁରା
ବିରି ମୁଗ ଚୁରୁଚୁରୁ

ସାତରହିଅ ଠିଆ
ସାତରହିଅ ହସ୍ତରେ ଲୋ
ସାତଗଣ୍ଠି ଗୁଆ ।”
“ଭଣ୍ଡାରୁଣୀ ହାତରେ ଲୋ

ସୁନାର ଫରୁଆ
ସାତଭାଉଜ ନନ୍ଦରାଣୀ …….”

ଉପରୋକ୍ତ ସାକ୍ଷାତ୍‌କାର ଗୁଡିକର ବିବରଣୀରୁ ଏହା ସ୍ପଷ୍ଟ ହୋଇଥାଏ କି, ପୂର୍ବେ ବିବାହ, ଉତ୍ସବ, ଜନ୍ମ ଓ ମୃତ୍ୟୁକୁ ନାନା ରୀତି ନୀତି ଦ୍ୱାରା ପାଳନ କରାଯାଉଥିଲା । ବାଲ୍ୟବିବାହ ପରି କୁସଂସ୍କାର ମଧ୍ୟ ଗ୍ରାମରେ ପ୍ରଚଳିତ ଥିଲା । ‘ହାଡିବାଦ୍ୟ’, ଏବଂ ‘ଶଙ୍ଖ’, ‘ମହୁରୀ’ ଦ୍ୱାରା ବିବାହ ପରି ଶୁଭ କାର୍ଯ୍ୟର ଶୁଭାରମ୍ଭ ହେଉଥିଲା । ସରଳ ଏବଂ ନିଡ଼ାମ୍ବରରେ ପୂର୍ଣ୍ଣ ଗ୍ରାମ୍ୟ ଜୀବନଯାପନ ଶୈଳୀରେ ଲୋକମାନେ ନାନା ସଂସ୍କୃତି ଏବଂ ପରମ୍ପରା ଦ୍ୱାରା ବାନ୍ଧି ହୋଇ ରହିଆସୁଛନ୍ତି ।

ଆମ ଗାଁ’ର ଗ୍ରାମଦେବୀ: 

ସ୍ନେହଧାତ୍ରୀ ଏହି ‘ମାଟି’ ମାଆ ଉପରେ ଅନେକ ପରିବାର ବାସ କରୁଛନ୍ତି । ସମସ୍ତ ପରିବାର ମଧ୍ୟରେ ଜଣେ ନା ଜଣେ ମଧ୍ୟ ମୁଖ୍ୟ ଭାବରେ ପରିବାରର ଦାୟିତ୍ୱ ନିର୍ବାହ କରିଥାନ୍ତି । ଯାହାଙ୍କୁ ଆମ୍ଭେ ଗୁରୁଜନ, ପିତା ଓ ମାତା ଭାବରେ ଗ୍ରହଣ କରିଥାଆନ୍ତି । ସେହିପରି ଭାବରେ ଗ୍ରାମରେ ମଧ୍ୟ ଜଣେ ମୁଖ୍ୟ ଭାବରେ ରହିଥାନ୍ତି । ତାଙ୍କୁ ଆମ୍ଭେ ‘ଗ୍ରାମଦେବୀ’ ବା ଅତି ସ୍ନେହର ସହିତ ‘ମାଆ’ ସମ୍ବୋଧନ କରିଥାଆନ୍ତି । ଆମ ଗ୍ରାମ ‘ହରିଡ଼ାପଦର’ରେ ମଧ୍ୟ ‘ଗ୍ରାମଦେବୀ’ ବା ‘ମାଆ’ ବହୁ ବର୍ଷ ଧରି ପୂଜା ପାଇ ଆସୁଛନ୍ତି । ଗ୍ରାମ ଦେବୀ ମାଆର ନାମ ହେଉଛି ‘ଡେଁଗୁରାଇ’ ଯାହାକୁ ଗ୍ରାମର ଲୋକମାନେ ଅତି ସ୍ନେହ ଏବଂ ଶ୍ରଦ୍ଧାର ସହିତ ‘ଡେଁଗୁରୀ’ ମାଆ ବୋଲି ଡାକିଥାନ୍ତି । ସେହି ଗ୍ରାମଦେବୀଙ୍କ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ ନିମନ୍ତେ କେତେକ ଗ୍ରାମବାସିନ୍ଦାଙ୍କ ସହ ମୋର ସାକ୍ଷାତକାର ଘଟିଥିଲା ।

ସେହି ସାକ୍ଷାତ୍‌କାର ଗ୍ରାମର ଜଣେ ମନ୍ଦିର ପୂଜାରୀ ବିକ୍ରମରଣାଙ୍କ ନିକଟରୁ  ସଂଗ୍ରହ କରିଥିଲି । ଏହାଛଡ଼ା ଜଣେ ଗ୍ରାମର ବୟସ୍କ ଧାର୍ମିକ ବ୍ୟକ୍ତି ସାପୁଆ ସେଠୀ, ଗ୍ରାମର ବିସୁ ଗୌଡ଼ ଯିଏକି ଗ୍ରାମର କୋଠିଶାଳର ଦାୟିତ୍ୱ ନେଇଥାନ୍ତି ଏବଂ ଗ୍ରାମଦେବୀ ‘ଡେଁଗୁରାଇ’ଙ୍କର ପରମ ସେବକ ଅଟନ୍ତି । ଗ୍ରାମର ଏହି ବ୍ୟକ୍ତିମାନଙ୍କ ସହ ମୋର ସାକ୍ଷାତ୍‌କାର ହୋଇ ଗ୍ରାମଦେବୀ ସମ୍ପର୍କରେ ଅନେକ ତଥ୍ୟ ଏବଂ କାହାଣୀ ଶୁଣିବାକୁ ପାଇଥିଲି । ତାହା ନିମ୍ନରେ ବର୍ଣ୍ଣିତ ।

ଗ୍ରାମ ଦେବୀଙ୍କ ସୃଷ୍ଟି ସମ୍ପର୍କରେ ସେ ତାଙ୍କର ମତ ଜଣାଇଥିଲେ ଯେ, ବହୁ ବର୍ଷ ପୂର୍ବେ ଯେତେବେଳେ ଗ୍ରାମର ସୃଷ୍ଟି ହୋଇଥିଲା, ଲୋକମାନେ ବାସ କରି ସେମାନଙ୍କର ଜନସଂଖ୍ୟା ବୃଦ୍ଧି ଘଟିଥିଲା, ସେତେବେଳେ ‘ମାଆ’ ବା ‘ଗ୍ରାମଦେବୀ’ ଗ୍ରାମରେ ଜଣେ ଗୌଡ଼ଙ୍କର ସ୍ୱପ୍ନରେ ଆସି ତାଙ୍କୁ କହିଥିଲେ, ଗ୍ରାମର ପରିଶେଷରେ ‘ଗ୍ରାମ ଦେବୀ’ ମନ୍ଦିର ସ୍ଥାପନା କରିବା ନିମନ୍ତେ ଏବଂ ସେଥିରେ ‘ମାଆ’ଙ୍କୁ ପୂଜାର୍ଚ୍ଚନା କରି ମାଆଙ୍କର ସେବା କରି ସଦା ସର୍ବଦା ତାଙ୍କୁ ଶାନ୍ତ ରଖିବା ନିମନ୍ତେ । ସେହିଦିନଠାରୁ କୁଆଡ଼େ ଗ୍ରାମ ଦେବୀଙ୍କ ମନ୍ଦିର ସ୍ଥାପନା ହୋଇଥିଲା । ଏହି କାହାଣୀ ସେ ତାଙ୍କ ଜେଜେଙ୍କଠାରୁ ଶୁଣିଥିବାର ଜଣାଇଥିଲେ । ସେହିପରି ଅନ୍ୟ ଜଣେ ସାକ୍ଷାତ୍‌କାର ଦେଇ କହିଥିଲେ, ପୂର୍ବେ ଗ୍ରାମ ଦେବୀ ମନ୍ଦିର ନଥିଲା । ବରଂ ଗ୍ରାମର ପରିଶେଷରେ ଏକ ପଥର ରହିଥିଲା ଯେଉଁ ପଥରଟି କି ଚୈତ୍ର ମାସ ମଙ୍ଗଳବାର ମାନଙ୍କରେ ଆପେ ଆପେ ଅର୍ଥାତ୍ ଶୂନ୍ୟର ସହିତ ସେଠାରେ ଲାଲ୍ ମନ୍ଦାର ଫୁଲ ଆସି ରହିଥାଏ ଏବଂ ସେହି ପଥରରେ ଲାଲ ସିନ୍ଦୂର ମଧ୍ୟ ରହିଥାଏ । ଏହା ଥିଲା ଗ୍ରାମ ଦେବୀଙ୍କୁ ନେଇ ବା ତାଙ୍କର ସୃଷ୍ଟିକୁ ନେଇ ସେମାନଙ୍କର ମତ ।

ସେହିପରି ‘ଗ୍ରାମଦେବୀ’ଙ୍କର ପୂଜାର୍ଚ୍ଚନା ସମ୍ପର୍କରେ ଜଣାଇଥିଲେ ଯେ, ବର୍ଷକ ମଧ୍ୟରେ ଆସୁଥିବା ସମସ୍ତ ‘ସଂକ୍ରାନ୍ତି’ ଏବଂ ଚୈତ୍ର ମାସରେ ପଡୁଥିବା ସମସ୍ତ ‘ମଙ୍ଗଳବାର’ ଦିନ ମାଆଙ୍କ ନିକଟକୁ ପଣା ପାଣି ଏବଂ ବିରିରେ ନିର୍ମିତ ହୋଇଥିବା ପିଠା ଅର୍ପଣ କରାଯାଇ ମାଆଙ୍କୁ ସନ୍ତୁଷ୍ଟ କରାଯାଇଥାଏ । ତାଙ୍କୁ ମୋର ପ୍ରଶ୍ନ ଥିଲା ବର୍ଷକ ବାର ମାସ ମଧ୍ୟରେ କେବଳ ଏହି ମାସରେ ହିଁ କାହିଁକି ପଣା ପାଣି ଏବଂ ପିଠା ଅର୍ପଣ କରାଯାଏ । ସେ ଏହାର ଉତ୍ତରରେ ଜଣାଇଥିଲେ କାରଣ, ଏହି ଚୈତ୍ର ମାସରେ ହିଁ ବିରି, ମୁଗ, ସଂଗ୍ରହ କରାଯାଇ ଗୃହକୁ ଅଣାଯାଇଥାଏ । ଏହି ବିରିରେ ପିଠା, ମୁଗରେ ମଣ୍ଡା ପିଠା ଏବଂ ଗଜା ମୁଗ ତିଆରି କରି ଆଦ୍ୟରେ ମାଆଙ୍କ ନିକଟରେ ଅର୍ପଣ କରାଯାଇଥାଏ । ଏହା ଦ୍ୱାରା ମାଆ ସନ୍ତୁଷ୍ଟ ହୋଇ ଗ୍ରାମର ସୁରକ୍ଷା କରିଥାଆନ୍ତି ଏବଂ ଅନେକ ବିପଦ, ମହାମାରୀଠାରୁ ଗ୍ରାମ ଲୋକମାନଙ୍କୁ ସୁରକ୍ଷା ଦେଇଥାନ୍ତି । ଗ୍ରାମର ସର୍ବଦା ଉନ୍ନତି ଓ କଲ୍ୟାଣ ନିମନ୍ତେ ଗୁରୁଜନ ଭାବରେ ବା ଗ୍ରାମର ମୁଖ୍ୟ ଭାବରେ ମାଆ ‘ଡେଁଗୁରାଇ’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହା ଥିଲା ଆମ ଗ୍ରାମର ଗ୍ରାମଦେବୀ ‘ଡେଁଗୁରାଇ’ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତି, ବିଶ୍ୱାସର କାହାଣୀ ।

ଆମ ଗ୍ରାମ ‘ହରିଡ଼ାପଦର’ରେ ମୁଖ୍ୟତଃ ୪ ଗୋଟି ମନ୍ଦିରର ସମାବେଶ ଘଟିଅଛି । ଯଥା;

(୧) ମୁକ୍ତେଶ୍ୱର ଶିବ ମନ୍ଦିର

(୨) ରାଧା କୃଷ୍ଣ ମନ୍ଦିର

(୩) ଶ୍ରୀଚୈତନ୍ୟ ମନ୍ଦିର

(୪) ଗ୍ରାମ ଦେବୀ ଡେଁଗୁରାଇ

କୃଷି, ଖାଦ୍ୟ

କୃଷି ହେଉଛି ମାନବ ସଭ୍ୟତାର ମୂଳଭିତ୍ତି । ପ୍ରାଚୀନ କାଳରୁ ମଣିଷ କୃଷି କାର୍ଯ୍ୟ କରି ଫସଲ ଉତ୍ପାଦନ କରି ନିଜର ଜୀବନ ନିର୍ବାହ କରିଆସୁଛି । ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ମୂଳ ଉତ୍ସ ହେଉଛି କୃଷି । ଭାରତ ଏକ କୃଷି ପ୍ରଧାନ ଦେଶ ଏବଂ ଦେଶର ଅଧିକାଂଶ ଲୋକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭର କରିଥାନ୍ତି । କୃଷକମାନେ ନିଜର କଠିନ ପରିଶ୍ରମ ଦ୍ୱାରା ଫସଲ ଉତ୍ପାଦନ କରି ଦେଶର ଖାଦ୍ୟ ଚାହିଦା ପୂରଣ କରନ୍ତି । ପ୍ରତ୍ୟେକ ଗ୍ରାମରେ ରହିଥିବା କୃଷକମାନେ ମଧ୍ୟ ଜୀବନ ଅତିବାହିତ କରୁଥିବା ସେହି ଅନ୍ନଦାତା କୃଷକମାନଙ୍କ ସହିତ ମୁଁ ସାକ୍ଷାତ୍‌କାର କରିଥିଲି । କାରଣ ଗ୍ରାମରେ ପୂର୍ବରୁ କ’ଣ ଫସଲ ଉତ୍ପାଦନ ହେଉଥିଲା ଏବଂ ବର୍ତ୍ତମାନ କ’ଣ ସବୁ ଫସଲ ଉତ୍ପାଦନ ହେଉଅଛି ? ଏହି ପ୍ରଶ୍ନ ସମ୍ପର୍କରେ କୌଣସି ତଥ୍ୟ ସଂଗ୍ରହ ନିମନ୍ତେ ମୁଁ ସାକ୍ଷାତ୍‌କାର କରିଥିବା ଗ୍ରାମର କେତେକ ବ୍ୟକ୍ତି ଅର୍ଥାତ୍ ମୋର ସାକ୍ଷାତ୍‌କାର ଦାତାଙ୍କର ତଥ୍ୟ ନିମ୍ନରେ ବର୍ଣ୍ଣିତ ।

ପ୍ରଥମ ସାକ୍ଷାତ୍‌କାର:

ସଞ୍ଜୟ ନାହାକ (ଗ୍ରାମର ଜଣେ ଶିକ୍ଷିତ ଏବଂ ଚାଷ କାର୍ଯ୍ୟରେ ସମୟ ଅତିବାହିତ କରୁଥିବା ବ୍ୟକ୍ତି ଅଟନ୍ତି । ବୟସ – ୫୬) ତାଙ୍କ ମତାନୁସାରେ, “ପୂର୍ବର ଏବଂ ବର୍ତ୍ତମାନର ଫସଲ ମଧ୍ୟରେ ବହୁ ମାତ୍ରାରେ ତୁଳନାତ୍ମକ ଦେଖିବାକୁ ମିଳିଅଛି । ପୂର୍ବରୁ ଫସଲ ବର୍ତ୍ତମାନର ଫସଲ ତୁଳନାରେ ବହୁତ ଭଲ ଥିବାର ସେ କହିଥିଲେ । ପୂର୍ବେ ବହୁତ କମ୍ ପରିମାଣରେ ଫସଲ ଉତ୍ପାଦିତ ହେଉଥିଲେ ମଧ୍ୟ ତାହା ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର ଥିଲା, ବହୁ ପୃଷ୍ଟିକର ମଧ୍ୟ ଥିଲା, ସେହି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଲୋକମାନଙ୍କୁ କୌଣସି ମଧ୍ୟ ରୋଗର ଶିକାର ହେବାକୁ ପଡୁନଥିଲା । ପୂର୍ବର ଖାଦ୍ୟ ଥିଲା ଆରୋଗ୍ୟର ପ୍ରତୀକ । ଏଥିରୁ ଜଣାପଡ଼ିଥାଏ ଯେ, ପୂର୍ବେ ଯେଉଁ କିଞ୍ଚିତ ମାତ୍ରାରେ ଫସଲ ଉତ୍ପାଦନ ହେଲେ ମଧ୍ୟ ତାହା ବହୁ ଉଚ୍ଚକୋଟୀର ଫସଲ ଥିଲା । ସାଧାରଣ ଭାବରେ କହିବାକୁ ଗଲେ ପୂର୍ବରୁ ହେଉଥିବା ଫସଲର ଉତ୍ପାଦନ କମ୍ ହେଉଥିଲେ ମଧ୍ୟ ତାହା ଲୋକମାନଙ୍କ ନିମନ୍ତେ ଭଲ ଥିଲା ବର୍ତ୍ତମାନର ତୁଳନାରେ ।”

ଦ୍ୱିତୀୟ ସାକ୍ଷାତ୍‌କାର:

ନବଘନ ଗୌଡ଼ (ଗ୍ରାମର ଜଣେ ଗୋପାଳକ ଅଟନ୍ତି ଏବଂ ଜଣେ କୃଷକ ମଧ୍ୟ ଅଟନ୍ତି । ବୟସ – ୬୧) ମୁଁ ତାଙ୍କୁ ମୋର ଏହି ପ୍ରଶ୍ନ ସମ୍ପର୍କରେ ପଚାରିଥିଲି ସେ ଏହାର ଉତ୍ତରରେ ଜଣାଇଥିଲେ ଯେ, ପୂର୍ବର ଖାଦ୍ୟ ଏବଂ ବର୍ତ୍ତମାନ ଉତ୍ପାଦନ ଖାଦ୍ୟ ଫସଲ ମଧ୍ୟରେ ଆକାଶ-ପାତାଳ ପରି ଫରକ୍ ଅର୍ଥାତ୍ ପାର୍ଥକ୍ୟ ଦେଖିବାକୁ ମିଳିଥାଏ । ତାଙ୍କ ମତରେ, ପୂର୍ବର ଫସଲ ଭଲ ଥିଲା । ସେ ମଧ୍ୟ ଜଣାଇଥିଲେ ଯେ, “ବର୍ତ୍ତମାନ ଅପେକ୍ଷା ପୂର୍ବେ ଉତ୍ପାଦିତ ହେଉଥିବା ଫସଲର ପରିମାଣ କମ୍ ଥିଲେ ମଧ୍ୟ ଭଲ ଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ ପ୍ରକାରର ଫସଲ ଉତ୍ପାଦିତ ହେଉଥିଲେ ମଧ୍ୟ ତାହା ମନୁଷ୍ୟ ଶରୀରକୁ ନାନା ପ୍ରକାରର କ୍ଷତିକାରକ ପହଞ୍ଚାଇଥାଏ । ଏଥି ସହିତ ପୂର୍ବର ଫସଲ ଥିଲା ବିଭିନ୍ନ ପ୍ରକାରର ଖତ ଏବଂ ଗୋବରର ଫସଲ ଯାହା ଫଳରେ ମାଟିର ଉର୍ବରତା ବଢୁଥିଲା, ସ୍ୱାସ୍ଥ୍ୟବାନ ଶରୀର ନିମନ୍ତେ ସହଯୋଗ ହେଉଥିଲା । କିନ୍ତୁ ବର୍ତ୍ତମାନର ଫସଲ ପୂର୍ବଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ବିଭିନ୍ନ ପ୍ରକାରର ସାର, ପିଡ଼ିଆ ଏବଂ କୀଟନାଶକ ଔଷଧର ବ୍ୟବହାରରେ ଉତ୍ପାଦିତ ହେଉଥାଏ ବର୍ତ୍ତମାନର ଫସଲ ବୋଲି ସେ ଜଣାଇଥିଲେ ।” ଅର୍ଥାତ୍ ବର୍ତ୍ତମାନ ଏବଂ ପୂର୍ବେ ଫସଲ ମଧ୍ୟରେ ପାର୍ଥକ୍ୟ ଯଦି କହିବା ତାହାହେଲେ ପୂର୍ବ ଖତ ଏବଂ ଗୋବରରେ ଯେଉଁ ଫସଲର ଉତ୍ପାଦନ ହେଉଥିଲା ତାହା ଶରୀର ନିମନ୍ତେ ଭଲ ଥିଲା । କିନ୍ତୁ ବର୍ତ୍ତମାନ ୩୦-୪୦ ବର୍ଷ ପରଠାରୁ ଅତ୍ୟଧିକ ଭାବରେ ଯେଉଁସବୁ ରାସାୟନିକ ସାର ପଦାର୍ଥମାନଙ୍କର ବ୍ୟବହାର ହେଉଅଛି ତାହା ଅତ୍ୟଧିକ ପରିମାଣରେ ଫସଲମାନଙ୍କର ପରିମାଣ ବୃଦ୍ଧି କଲେ ମଧ୍ୟ ମନୁଷ୍ୟ ଶରୀରର ନିମନ୍ତେ ଅହିତକର ଅଟେ । ଏହା ସହିତ ଏହା ମନୁଷ୍ୟ ଶରୀରର ସ୍ୱାସ୍ଥ୍ୟ ନିମନ୍ତେ ନାନା ପ୍ରକାରର ସମସ୍ୟାର ସୃଷ୍ଟି କରିଥାଏ ।

ପୂର୍ବେ ଯେଉଁ ସବୁ ଫସଲ ଉତ୍ପାଦନ ହେଉଥିଲା ତାହାର ପରିମାଣ କମ୍ ଥିଲା । କିନ୍ତୁ ତାହା ଭଲ ଥିଲା । ଖାଦ୍ୟ ଗ୍ରହଣ ନକରି ବା ଖାଦ୍ୟ ନପାଇ ଲୋକମାନେ ନାନା ରୋଗର ସମସ୍ୟା ହେଉଥିଲେ । କିନ୍ତୁ ବର୍ତ୍ତମାନ ତାହାର ବିପରୀତ ଦିଗ ଦେଖିବାକୁ ମିଳୁଅଛି ଲୋକମାନେ ଖାଦ୍ୟ ଗ୍ରହଣ କରି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୂର୍ବେ ବ୍ୟବହାର ହେଉଥିବା ଫସଲ ଉତ୍ପାଦନରେ ଗୋବର, ଖତର ଏବଂ ବର୍ତ୍ତମାନ ବ୍ୟବହାର ହେଉଥିବା ଫସଲ ଉତ୍ପାଦନରେ ରାସାୟନିକ ସାର ପଦାର୍ଥ, କୀଟନାଶକ ଔଷଧର ଚିତ୍ର ନିମ୍ନରେ ପ୍ରଦତ୍ତ

ତୃତୀୟ ସାକ୍ଷାତ୍‌କାର:

ଲାଉ ନାହାକ (ସେ ଜଣେ ଚାଷୀ ଅଟନ୍ତି/ଚାଷ କାର୍ଯ୍ୟ କରି ପରିବାର ପୋଷଣ କରିଥାନ୍ତି । ବୟସ-୫୫) ମୁଁ ତାଙ୍କୁ ସାକ୍ଷାତ୍‌କାର କରି ମୋର ଏହି ପ୍ରଶ୍ନ ସମ୍ପର୍କରେ ପଚାରିଥିଲି ସେ ଜଣାଇଥିଲେ ଯେ, “ପୂର୍ବରୁ ଫସଲ ଏବଂ ବର୍ତ୍ତମାନର ଫସଲ ମଧ୍ୟରେ ବହୁ ମାତ୍ରାରେ ତୁଳନା ଦେଖିବାକୁ ମିଳିଥାଏ । ପୂର୍ବ ଫସଲ ଚାଷ କରୁଥିବା ସମୟରେ ଲୋକମାନେ ଚାଷ କାର୍ଯ୍ୟ ନିଜେ ନିୟୋଜିତ ହେଉଥିଲେ । ଏଥିସହିତ ପୂର୍ବେ ଚାଷ କାର୍ଯ୍ୟକୁ ଅନେକ ପାରମ୍ପରିକ ଉପକରଣ ଓ ପଦ୍ଧତି ବ୍ୟବହାର କରାଯାଉଥିଲା । ଯେପରି ହଳ (ଲଙ୍ଗଳ) ଜମି ଚାଷ କରିବା ପାଇଁ, ବଳଦ, ମଇଁଷି (ହଳ ଟାଣିବା ପାଇଁ), ମଇ (ଚାଷ ପରେ ଜମି ସମତଳ କରିବା ପାଇଁ), କୋଦାଳ (ମାଟି ଖୋଳିବା ପାଇଁ), ଖୁର୍ପି (ଘାସ ଏବଂ ଅନାବଶ୍ୟକ ଗଛ କାଢ଼ିବା ପାଇଁ), ଦାଆ/କାସି (ଧାନ, ଗହମ ଓ ଅନ୍ୟ ଫସଲ କାଟିବା ପାଇଁ), ଢିଙ୍କି (ଧାନରୁ ଚାଉଳ ବାହାର କରିବା ପାଇଁ) ଇତ୍ୟାଦି ବହୁ ପ୍ରକାରର ପଦାର୍ଥ ଫସଲ ଉତ୍ପାଦନରେ ବ୍ୟବହାର ହେଉଅଛି । ଅନ୍ୟ ପକ୍ଷରେ ଯେ, ବର୍ତ୍ତମାନ ସମୟରେ ଟ୍ରାକ୍ଟର, ପାୱାର ଚିଲର, ପମ୍ପସେଟ୍ ଓ ହାର୍ଭେଷ୍ଟର ଭଳି ନାନା ଆଧୁନିକ ଯନ୍ତ୍ର ବ୍ୟବହାର ହେଉଅଛି ଫସଲ ଉତ୍ପାଦନରେ । ଏହା ହିଁ ପୂର୍ବ ଏବଂ ବର୍ତ୍ତମାନ ଫସଲ ଉତ୍ପାଦନରେ ମୁଖ୍ୟ ପାର୍ଥକ୍ୟ ।”

ଏହା ବ୍ୟତୀତ ପୂର୍ବେ ଚାଷ ପ୍ରାୟ ମାନବ ଏବଂ ପଶୁଶକ୍ତି ଉପରେ ନିର୍ଭର କରୁଥିଲା, ତେଣୁ ଏହା ଅଧିକ ସମୟ ଓ ପରିଶ୍ରମ ସାପେକ୍ଷ ଥିଲା । ଚାଷ, ରୋପଣ, ନିରାଇ, କଟାଇ ଇତ୍ୟାଦି ସମସ୍ତ କାର୍ଯ୍ୟରେ ମାନବ ଶ୍ରମର ବ୍ୟବହାର ହେଉଥିଲା । ମାନବଶ୍ରମ ବା ଶାରୀରିକ ପରିଶ୍ରମ ବହୁମାତ୍ରାରେ ବ୍ୟବହାର ହେଉଥିଲା । ପୂର୍ବେ ଫସଲ ଉତ୍ପାଦନରେ ଅଧିକ ଶାରୀରିକ କ୍ଳାନ୍ତି ହେଉଥିଲା । କାମ ଶେଷ କରିବାକୁ ଅଧିକ ସମୟ ଲାଗୁଥିଲା ପୂର୍ବ ସମୟରେ । କିନ୍ତୁ ବର୍ତ୍ତମାନ ଫସଲ ଉତ୍ପାଦନରେ ମାନସିକ ପରିଶ୍ରମର ବ୍ୟବହାର ହୋଇଥାଏ । କାମ ପାଇଁ ବୁଦ୍ଧି, ଜ୍ଞାନ ଏବଂ ଚିନ୍ତା ଶକ୍ତିର ବ୍ୟବହାର ହୋଇଥାଏ । କମ୍ପ୍ୟୁଟର, ଯନ୍ତ୍ର ଓ ପ୍ରଯୁକ୍ତି ସାହାଯ୍ୟରେ କାମ କରାଯାଉଛି । କାମ ଦ୍ରୁତ ଏବଂ ସହଜରେ ସମ୍ପୂର୍ଣ୍ଣ ହୁଏ । ଏହା ଦ୍ୱାରା ଫସଲ ଉତ୍ପାଦନରେ ଭଲ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶରୀର ପ୍ରତି ସମସ୍ୟା ସୃଷ୍ଟି କରିଥାଏ । ଏଥି ସହିତ ପୂର୍ବେ ଚାଷ କାର୍ଯ୍ୟରେ ଯେଉଁ ଲୋକମାନଙ୍କର ବ୍ୟବହାର ହେଉଥିଲା ତାହା ବର୍ତ୍ତମାନ ସମୟରେ ମେସିନ୍‌ର ବ୍ୟବହାର ଫଳରେ ସେହି ଲୋକମାନଙ୍କର ଜୀବିକା ଉପରେ ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ଦାରିଦ୍ର୍ୟ ଏବଂ ବେକାରୀ ପରି ସମସ୍ୟା ସୃଷ୍ଟି ହୋଇଥାଏ । ପୂର୍ବେ ଫସଲ ଉତ୍ପାଦନରେ ବ୍ୟବହାର ହେଉଥିବା ବିଭିନ୍ନ ଉପକରଣର ଚିତ୍ର ନିମ୍ନରେ ବର୍ଣ୍ଣିତ –

ଚତୁର୍ଥ ସାକ୍ଷାତ୍‌କାର:

ଇନ୍ଦ୍ର ପରିଡ଼ା (ଗ୍ରାମର ଜଣେ ଜ୍ଞାନୀ ବ୍ୟକ୍ତି ଅଟନ୍ତି ।) ମୁଁ ତାଙ୍କ ମୋର ପ୍ରଶ୍ନ ସମ୍ପର୍କରେ ସାକ୍ଷାତ୍‌କାର କରି ପଚାରିଥିଲି । ସେ ଜଣାଇଥିଲେ ଯେ, “ପୂର୍ବରୁ ଏବଂ ଏବେର ଫସଲ ମଧ୍ୟରେ ତୁଳନା ସମ୍ପର୍କରେ ସେ କହିଥିଲେ ଯେ, ପ୍ରଥମତଃ ପୂର୍ବର ଏବଂ ବର୍ତ୍ତମାନର ଉତ୍ପାଦିତ ହେଉଥିବା ଖାଦ୍ୟରେ ଅତ୍ୟଧିକ ପରିବର୍ତ୍ତନ ଦେଖାଦେଇଅଛି । ଖାଦ୍ୟ ଉତ୍ପାଦନରେ ହେଉ ଅବା ଖାଦ୍ୟ ଗ୍ରହଣ ସମସ୍ତ କ୍ଷେତ୍ରରେ ବହୁମାତ୍ରାରେ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଅଛି । ପୂର୍ବେ ଉତ୍ପାଦନ ହେଉଥିବା ଖାଦ୍ୟଶସ୍ୟଗୁ଼ଡ଼ିକ ହେଲା – ମାଣ୍ଡିଆ, କୁଦୋ, ସୁଆଁ, କୋଳଥ, ବିଲଚଣା, ଅଇଁଚଣା, ଅନ୍ୟାନ୍ୟ ଜଙ୍ଗଲୀ କନ୍ଦ, ଶାଗ ଜାତୀୟ ଫସଲ, ଚାକୁଣ୍ଡା ନାମକ ଶାଗ, ହରଡ଼ ଇତ୍ୟାଦି । କିନ୍ତୁ ବର୍ତ୍ତମାନ ଉତ୍ପାଦିତ ହେଉଥିବା ଖାଦ୍ୟ ଏବଂ ପୂର୍ବରୁ ହେଉଥିବା ଖାଦ୍ୟ ମଧ୍ୟରେ ବିଶେଷ ଭାବରେ ବହୁ ପରିମାଣରେ ପାର୍ଥକ୍ୟ ଦେଖିବାକୁ ମିଳୁଛି ।”

ପଞ୍ଚମ ସାକ୍ଷାତ୍‌କାର:

ଲକ୍ଷ୍ମୀ ଡାକୁଆ (ସେ ଗ୍ରାମର ଜଣେ ବୃଦ୍ଧା ବ୍ୟକ୍ତି ଅଟନ୍ତି ତାଙ୍କର ୭୮ ଅଟେ । ସେ ବର୍ତ୍ତମାନ ପୂର୍ବପରି ଚାଷ କାର୍ଯ୍ୟ ସଠିକ୍ ଭାବରେ ନକରିପାରିଲେ ମଧ୍ୟ ତାଙ୍କୁ ଚାଷ କାର୍ଯ୍ୟ ସମ୍ବନ୍ଧରେ ଅତ୍ୟଧିକ ଜ୍ଞାନ ରହିଅଛି । କାରଣ ସେ ପୂର୍ବରୁ ଏକାକୀ ଭାବରେ ଅନେକ ଚାଷ କାର୍ଯ୍ୟ କରି ଅର୍ଥ ଉର୍ପାଜନ କରୁଥିଲେ ।) ତାଙ୍କୁ ମୁଁ ମୋର ଏହି ପ୍ରଶ୍ନ ସମ୍ପର୍କରେ ଜଣାଇଥିଲି । ସେ ବହୁ ଆନନ୍ଦର ସହିତ ଏହି ସମ୍ବନ୍ଧରେ ମୋତେ ଜଣାଇଥିଲେ ଯେ, “ପୂର୍ବେ ଫସଲ ବହୁତ କମ୍ ପରିମାଣରେ ହେଉଥିଲା । କିନ୍ତୁ ବର୍ତ୍ତମାନ ଫସଲ ଅତ୍ୟଧିକ ପରିମାଣରେ ହେଉଅଛି । ପୂର୍ବେ କାହିଁକି କମ୍ ପରିମାଣରେ ଫସଲ ଉତ୍ପାଦନ ହେଉଥିଲା ତାହାର କାରଣ ସେ ଦର୍ଶାଇଥିଲେ ଯେ, ପୂର୍ବେ ପ୍ରଥମତଃ ଲୋକମାନେ ଅଶିକ୍ଷିତ ଥିଲେ । ଏହା ବ୍ୟତୀତ ପୂର୍ବେ ମୁଖ୍ୟତଃ ପାଣିର ଅସୁବିଧା ବିଶେଷ ଭାବରେ ରହିଥିଲା । ସେଥି ନିମନ୍ତେ ପୂର୍ବେ ଫସଲ କମ୍ ପରିମାଣରେ ଉତ୍ପାଦନ ହେଉଥିଲା । ଲୋକମାନେ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରୁଥିଲେ । ବର୍ଷା ଦ୍ୱାରା ହିଁ ପୂର୍ବେ ଲୋକମାନେ ସଠିକ୍ ଭାବରେ ଚାଷ କାର୍ଯ୍ୟ କରିପାରୁଥିଲେ । ବର୍ଷା ହେବା ପାଇଁ ଲୋକମାନେ ‘ଇନ୍ଦ୍ର’ ଦେବତାଙ୍କୁ ପୂଜାର୍ଚ୍ଚନା ମଧ୍ୟ କରୁଥିଲେ । ଏଥିସହିତ ବର୍ଷା ହେଲେ ଲୋକମାନଙ୍କର ଚାଷ କାର୍ଯ୍ୟ ସଠିକ୍ ଭାବରେ ହେବା ନିମନ୍ତେ “ବେଙ୍ଗେଇଁନାଚ” ମଧ୍ୟ ଗ୍ରାମରେ ଅନୁଷ୍ଠିତ କରୁଥିଲେ । ଏହାବ୍ୟତୀତ ଲୋକମାନେ ପୂର୍ବେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ହିଁ ଚାଷ କାର୍ଯ୍ୟ କରିବା ନିମନ୍ତେ ସେଠାରେ ବସବାସ କରୁଥିଲେ । କିନ୍ତୁ ବର୍ତ୍ତମାନ ଚାଷ କାର୍ଯ୍ୟରେ ପାଣିର କୌଣସି ମଧ୍ୟ ଅସୁବିଧା ଦେଖିବାକୁ ମିଳିନଥାଏ । ତେଣୁ ଲୋକମାନେ ଚାଷ କାର୍ଯ୍ୟ ନିମନ୍ତେ ବର୍ଷା ଉପରେ ପୂର୍ବପରି ନିର୍ଭରଶୀଳ ନୁହଁନ୍ତି । ସ୍ୱଳ୍ପ ଭାବରେ ବର୍ଷା ଉପରେ ଲୋକମାନେ ବର୍ତ୍ତମାନ ଫସଲ ଉତ୍ପାଦନରେ ନିର୍ଭରଶୀଳ ପୂର୍ବପରି ନୁହଁନ୍ତି । କିନ୍ତୁ ବର୍ତ୍ତମାନ ଚାଷ କାର୍ଯ୍ୟରେ ଫସଲ ଉତ୍ପାଦନରେ ଲୋକମାନେ କେନାଲ, ନଦୀ ଜଳ, ପୋଖରୀ ଜଳ, ହ୍ରଦ, ବୋରିଙ୍ଗ୍ ଜଳ, ପମ୍ପ ଜଳ ଇତ୍ୟାଦି ବହୁ ମାଧ୍ୟମରୁ ଲୋକମାନେ ଜଳର ସଂଗ୍ରହ କରି ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ।” ସେ ଏହି ତୁଳନାତ୍ମକ ସମ୍ପର୍କରେ ପୂର୍ବେ ଏବଂ ବର୍ତ୍ତମାନକୁ ନେଇ ଜଣାଇଥିଲେ ।

ସେ ଉପରୋକ୍ତ ତୁଳନାତ୍ମକ ସହିତ ଅନ୍ୟ ଏକ ତୁଳନା ମଧ୍ୟ ଦର୍ଶାଇଥିଲେ ପୂର୍ବ ଏବଂ ବର୍ତ୍ତମାନର ଫସଲକୁ ନେଇ । ସେ ଜଣାଇଥିଲେ ଯେ, “ପୂର୍ବେ ଲୋକମାନଙ୍କ ମଧ୍ୟରେ ‘ଅର୍ଥ’/ ‘ପଇସା’ର ବ୍ୟବହାର ବର୍ତ୍ତମାନ ପରି ନଥିଲା । ଉତ୍ପାଦିତ ହେଉଥିବା ଫସଲ ବା ଖାଦ୍ୟ ଶସ୍ୟ ପରସ୍ପର ମଧ୍ୟରେ ଆମଦାନୀ, ରପ୍ତାନୀ କରୁଥିଲେ । ଅର୍ଥାତ୍ ପୂର୍ବେ ଯେଉଁ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟ ବଦଳରେ ଖାଦ୍ୟ ଶସ୍ୟ ଦେଇ ଲୋକମାନେ ପରସ୍ପର ମଧ୍ୟରେ ସମ୍ପର୍କ ବଜାୟ ରଖୁଥିଲେ । ଉଦାହରଣ:- ଯଦି ଜଣେ ଲୋକ ଧାନ ଫସଲ ଉତ୍ପାଦନ କରୁଥିଲା ଏବଂ ଅନ୍ୟ ଜଣେ ଲୋକ ଡାଲି ଜାତୀୟ ଫସଲ ଉତ୍ପାଦନ କରୁଥିଲା । ତାହାହେଲେ ଜଣେ ଲୋକ ଅନ୍ୟ ଜଣେ ଲୋକକୁ ଚାଉଳ ଦେଉଥୁଲା ଏବଂ ଏହି ବ୍ୟକ୍ତି ଅନ୍ୟ ସେହି ବ୍ୟକ୍ତିକୁ ଡାଲି ଦେଇ ପରସ୍ପର ମଧ୍ୟରେ ଖାଦ୍ୟ ଫସଲର ଆଦାନ ପ୍ରଦାନ କରି ସମ୍ପର୍କକୁ ସୁଦୃଢ଼ କରୁଥିଲେ । କିନ୍ତୁ ବର୍ତ୍ତମାନ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁଅଛି । ‘ଅର୍ଥ’ ବା ‘ପଇସା’ ର ବର୍ତ୍ତମାନ ଅତ୍ୟଧିକ ବ୍ୟବହାର ଫଳରେ ପୂର୍ବ ପରି ଫସଲ ବା ଖାଦ୍ୟ ଶସ୍ୟ ବଦଳରେ ଖାଦ୍ୟ ଶସ୍ୟର ଆମଦାନୀ, ରପ୍ତାନୀ ହେଉନାହିଁ । ବରଂ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଖାଦ୍ୟଶସ୍ୟକୁ ଅର୍ଥ ମାଧ୍ୟମରେ କ୍ରୟ କରି ବିକ୍ରୟ କରାଯାଉଅଛି । ଏଥିସହିତ ଖାଦ୍ୟଶସ୍ୟ ବଦଳରେ ଅର୍ଥ ନେଇ ଆମଦାନୀ, ରପ୍ତାନୀ କରାଯାଉଅଛି । ଏହା ହିଁ ହେଉଛି ପୂର୍ବ ଏବଂ ବର୍ତ୍ତମାନ ଫସଲ ମଧ୍ୟରେ ତୁଳନାତ୍ମକ ମୁଖ୍ୟ ବିଶ୍ଲେଷଣ ଅଟେ ।”

ଉପରୋକ୍ତ ଏହି ପାଞ୍ଚ ଜଣଙ୍କ ସହ ସାକ୍ଷାତକାର କରି ଏହା ସ୍ପଷ୍ଟ ହେଉଛି ଯେ, ପୂର୍ବେ ଫସଲ ସ୍ୱଳ୍ପ ପରିମାଣରେ ଉତ୍ପାଦନ ହେଲେ ମଧ୍ୟ ମନୁଷ୍ୟ ଏବଂ ତାର ଶରୀର ନିମନ୍ତେ ଭଲ ଥିଲା । ପୂର୍ବର ଫସଲ ଗୋବର ଖତର ଫସଲ ଥିଲା, ଫସଲ କମ୍ ଉତ୍ପାଦନ ହେଉଥିଲା ଏହାର କାରଣ ଯେ ଲୋକମାନେ ଅଶିକ୍ଷିତ ତାହା ନୁହେଁ ବରଂ ଜଳ ପରି ନାନା ସମସ୍ୟା ଥିଲା, ଏହାବ୍ୟତୀତ ଫସଲ ବଦଳରେ ଫସଲର ଯେଉଁ ଫସଲର ଆମଦାନୀ ରପ୍ତାନୀ ହେଉଥିଲା ତାହା ସମ୍ପର୍କକୁ ପରସ୍ପର ମଧ୍ୟରେ ସୁଦୃଢ଼ କରୁଥିଲା । କିନ୍ତୁ ବର୍ତ୍ତମାନ କମ୍ ପରିଶ୍ରମରେ ଅଧିକ ଚାଷ କରିବା ଆଶାରେ ଲୋକମାନେ “ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ପରି” କାର୍ଯ୍ୟ ହେଉଅଛି । ଲୋକମାନେ ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ଆଶାରେ ଯେଉଁ ଶରୀରକୁ ହାନୀକାରକ ନାନା ପଦାର୍ଥର ବ୍ୟବହାର ହେଉଅଛି, ଏହା ସହିତ ଯନ୍ତ୍ରପାତିମାନଙ୍କର ବ୍ୟବହାର ଦ୍ୱାରା ଯେଉଁ ଶ୍ରମିକମାନେ ଫସଲ ଉତ୍ପାଦନରେ କାର୍ଯ୍ୟ କରୁଥିଲେ ସେମାନଙ୍କର କାର୍ଯ୍ୟ ହାନି ହେବା ଫଳରେ ଦାରିଦ୍ର୍ୟ ଓ ବେକାରୀ ପରି ମୁଖ୍ୟ ସମସ୍ୟା ସୃଷ୍ଟି ହୋଇଅଛି । ଏହା ହିଁ ହେଉଛି ପୂର୍ବେ ଏବଂ ବର୍ତ୍ତମାନର ଫସଲରେ ତୁଳନାତ୍ମକ ବିଶ୍ଲେଷଣ ।

ପ୍ରାଚୀନ କାଳରେ ମନୁଷ୍ୟ ପ୍ରକୃତି ଉପରେ ନିର୍ଭରଶୀଳ ହୋଇ ବିଭିନ୍ନ ପ୍ରକାରର ଶସ୍ୟ, ଫଳମୂଳ ଓ ଶାଗ ଆହାର ରୂପେ ଗ୍ରହଣ କରୁଥିଲେ । ସମୟର ପରିବର୍ତ୍ତନ ସହିତ ଖାଦ୍ୟାଭ୍ୟାସରେ ମଧ୍ୟ ପରିବର୍ତ୍ତନ ଘଟିଛି । ଆଜି ମନୁଷ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରତି ଆକର୍ଷିତ ହୋଇଥିଲେ ମଧ୍ୟ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବରେ ହ୍ରାସ ପାଇନାହିଁ । କିନ୍ତୁ ଆଉ କିଛି ଦିନ ପରେ ଏହା ସମ୍ପୂର୍ଣ୍ଣ  ଭାବରେ ଲୋପ ପାଇଯିବାର ସମ୍ଭାବନା ରହିଅଛି । ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଆହାର ଅତ୍ୟନ୍ତ ଆବଶ୍ୟକ । ଶାଗ ଜାତୀୟ ପଦାର୍ଥ, ଫଳ, କ୍ଷୀର, ଡାଲି ଓ ଶସ୍ୟ ଜାତ ଖାଦ୍ୟ ଆମ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ । ଅପରପକ୍ଷରେ ଅତ୍ୟଧିକ ଜଙ୍କ ଫୁଡ୍ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସେବକ ବିଭିନ୍ନ ରୋଗର କାରଣ ହୋଇଥାଏ । ଆମ ପୂର୍ବଜମାନେ ଯେଉଁ ମାଣ୍ଡିଆ, କୁଦ, ସୁଆଁ ପରି ଖାଦ୍ୟ ଗ୍ରହଣ କରୁଥିଲେ ତାହା ପ୍ରାକୃତିକ ଏବଂ ପୌଷ୍ଟିକ ଖାଦ୍ୟ ଥିଲା । ସେହି ସମୟରେ ଫାଷ୍ଟଫୁଡ୍ କିମ୍ବା ଜଙ୍କଫୁଡ୍‌ର ପ୍ରଚଳନ ନଥିଲା । ତେଣୁ ଆମେ ଆମର ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ପୂର୍ବେ ଲୋକମାନେ ଖାଉଥିବା ପୌଷ୍ଟିକ ଓ ସନ୍ତୁଳିତ ଖାଦ୍ୟଗ୍ରହଣ କରିବା ଆମର କର୍ତ୍ତବ୍ୟ ।

ମୁଁ ମୋର ଏହି ସମ୍ପର୍କରେ ସଠିକ୍ ତଥ୍ୟ ଜାଣିବା ନିମନ୍ତେ ଗ୍ରାମର କେତେକ ବୃଦ୍ଧ ବ୍ୟକ୍ତି ଏବଂ କେତେକ ଜ୍ଞାନୀ ଲୋକମାନଙ୍କ ସହ ସାକ୍ଷାତ୍‌କାର କରିଥିଲି । ସେହି ସାକ୍ଷାତ୍‌କାର ଗୁଡିକ ନିମ୍ନରେ ପ୍ରଦତ୍ତ ହୋଇଅଛି ।

ପ୍ରଥମ ସାକ୍ଷାତ୍‌କାର:

ମହନ୍ତର ଦାସ (ଗ୍ରାମର ଜଣେ ଜଣାଶୁଣା ବ୍ୟକ୍ତି ଅଟନ୍ତି । ବୟସ ୭୨ ଅଟେ ।) ସେ ଜଣାଇଥିଲେ, “ପ୍ରଥମତଃ ମାଣ୍ଡିଆ, କୁଦ, ସୁଆଁ ପରି ଖାଦ୍ୟଶସ୍ୟକୁ ପୂର୍ବେ ଲୋକମାନେ ଖାଇବା ନିମନ୍ତେ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟର ଲୋକମାନେ ଏହିସବୁ ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁନାହାଁନ୍ତି । ପସନ୍ଦ ନକରିବାର କାରଣ ମୁଁ ତାଙ୍କୁ ପଚାରିବାରୁ ସେ ଜଣାଇଥିଲେ ଯେ, ବର୍ତ୍ତମାନ ବହୁ ପରିମାଣରେ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟଶସ୍ୟ ଉପଲବ୍ଧ । ଏହାବ୍ୟତୀତ ବିଭିନ୍ନ ପ୍ରକାରର ଫାଷ୍ଟଫୁଡ୍, ଜଙ୍କଫୁଡ୍‌ର ବ୍ୟବହାର ଫଳରେ ଆଜିକା ସମୟରେ ପିଲାମାନେ ହୁଅନ୍ତୁ ବା ଲୋକମାନେ ହୁଅନ୍ତୁ ଏହି ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି । କାରଣ ଏହା ଜିଭକୁ ସ୍ୱାଦ ପହଞ୍ଚାଉଥିବା ଖାଦ୍ୟ ଅଟେ । ଲୋକମାନେ ଏହା ମଧ୍ୟ ଜାଣିଛନ୍ତି ଯେ, ଏହା ଶରୀର ନିମନ୍ତେ ହାନି କାରକ ଅଟେ । ଏହା ଜାଣି ମଧ୍ୟ ସେମାନେ ନିଜର ଜିଭ ସ୍ୱାଦ ନିମନ୍ତେ ଏହାକୁ ଗ୍ରହଣ କରୁଛନ୍ତି । ଏଥିସହିତ ପୂର୍ବେ ଲୋକମାନେ ଗ୍ରହଣ କରୁଥିବା ଖାଦ୍ୟ ବର୍ତ୍ତମାନ ଲୋକମାନଙ୍କ ଜିଭକୁ ସଠିକ୍ ଭାବରେ ସ୍ୱାଦ ପହଞ୍ଚାଇ ପାରୁନାହିଁ । ସେଥିନିମନ୍ତେ ବର୍ତ୍ତମାନ ଲୋକମାନେ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରିବାକୁ ପସନ୍ଦ କରୁନାହାଁନ୍ତି । ଏହା ଶରୀର ନିମନ୍ତେ ହିତକର ପହଞ୍ଚାଇଥାଏ ଏହା ଜାଣି ମଧ୍ୟ ଲୋକମାନେ ନିଜର ଜିଭ ସ୍ୱାଦ ନିମନ୍ତେ ଏହାକୁ ପାଦରେ ଏଡ଼ାଇ ଦେଉଛନ୍ତି ।” ଲୋକମାନଙ୍କର ନାପସନ୍ଦ ହିଁ ହେଉଛି ପୂର୍ବ ଖାଦ୍ୟ କମିଯିବାର ମୁଖ୍ୟ କାରଣ । ସେ ଏହା ମଧ୍ୟ ଜଣାଇଥିଲେ ଯେ, ଦୀର୍ଘ ୪୦-୫୦ ବର୍ଷ କିମ୍ବା ତାହାଠାରୁ ଅଧିକ ବର୍ଷ ହେବ ଖାଦ୍ୟରେ ପରିବର୍ତ୍ତନ ହୋଇଛି । ଅର୍ଥାତ୍ ଖାଦ୍ୟ ବଦଳିଗଲାଣି ।

ଦ୍ୱିତୀୟ ସାକ୍ଷାତ୍‌କାର:

ଝୁନୁ ସେଠୀ (ଗ୍ରାମର ଜଣେ ବୃଦ୍ଧ ମହିଳା ଅଟନ୍ତି । ବୟସ ହେବ ୭୦ ପାଖାପାଖି) ମୁଁ ତାଙ୍କୁ ତାଙ୍କର ଶିକ୍ଷା ସମ୍ପର୍କରେ ପଚାରିଥିଲି । ସେ ଜଣାଇଥିଲେ ଯେ, ସେ ସ୍କୁଲ କ’ଣ ଜାଣିନାହାଁନ୍ତି । ତା’ର ମାନେ ସେ ପୂର୍ବେ ସ୍କୁଲ ପିଣ୍ଡାକୁ ମଧ୍ୟ ପାଦ ଦେଇନଥିଲେ ଆଉ ଶିକ୍ଷା ସମ୍ପର୍କରେ ସେ କ’ଣ ବା କହିବେ ବୋଲି ସେ କହିଥିଲେ । ଏହା ମଧ୍ୟ ଜଣାଇଥିଲେ ଯେ, ପୂର୍ବେ ଖାଇବା ନିମନ୍ତେ ଖାଦ୍ୟ ମିଳୁନଥିଲା, ଆର୍ଥିକ ଅଭାବ ଅନଟନ ମଧ୍ୟରେ ସେମାନେ ନିଜର ଜୀବନ ଅତିବାହିତ କରୁଥିଲେ । ଏଥିରେ କିଏ ବା ତାଙ୍କୁ ପାଠ ପଢ଼ାଇଥାନ୍ତା । କେବଳ ଏହା ନୁହେଁ ପୂର୍ବେ ସମାଜରେ ନାରୀମାନଙ୍କର ସ୍ଥାନ ଉଚ୍ଚରେ ନଥିଲା । ତାଙ୍କୁ ବହୁ ନୀଚ୍ଚ ଭାବରେ ଦେଖିଥିଲେ । ସମାଜ ଏହିପରି ପରିବେଶ ମଧ୍ୟରେ ସତୀପ୍ରଥା, ବାଲ୍ୟବିବାହ ପରି ସର୍ବୋତ୍କୃଷ୍ଟ ପ୍ରଥା ପ୍ରଚଳିତ ଥିଲା । ଏଥିରେ ନାରୀମାନଙ୍କର ଶିକ୍ଷାକୁ କେହି ମଧ୍ୟ ଗୁରୁତ୍ୱ ଦେଉନଥିଲେ । ତାଙ୍କୁ ସ୍କୁଲ ପିଣ୍ଡା ମଧ୍ୟ ମାଡ଼ିବାକୁ ଦେଉନଥିଲେ ।

ତୃତୀୟ ସାକ୍ଷାତ୍‌କାର:

ସଞ୍ଜୟ ନାହାକ (ଗ୍ରାମରେ ଜଣେ ସ୍କୁଲରେ ରହୁଥିବା ପିଅନ ଅଟନ୍ତି । ଶିକ୍ଷା ସମ୍ପର୍କରେ ସେ ବିଶେଷ କିଛି ତଥ୍ୟର ଜ୍ଞାନୀ ଅଟନ୍ତି । ବୟସ ୫୯ ବର୍ଷ ଅଟେ ।) ସେ ମୋର ଏହି ପ୍ରଶ୍ନ ସମ୍ପର୍କରେ ଜଣାଇଥିଲେ ଯେ, ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ । ପୂର୍ବେ ଏବଂ ବର୍ତ୍ତମାନର ଶିକ୍ଷାରେ ତୁଳନାତ୍ମକ ପାର୍ଥକ୍ୟ ଦର୍ଶାଇଥିଲେ ଯେ, ପୂର୍ବେ ପିଲାମାନଙ୍କ ମଧ୍ୟରେ ଶିକ୍ଷା ଲାଭ କରିବାକୁ ଇଚ୍ଛା ଥିଲେ ମଧ୍ୟ ଶିକ୍ଷାର କୌଣସି ମାଧ୍ୟମ ନଥିଲା ଅର୍ଥାତ୍ ଶିକ୍ଷକମାନଙ୍କର ଅଭାବ ଥିଲା, ସ୍କୁଲ ନଥିଲା, ଆର୍ଥିକ ଭାବରେ ସୁବିଧା ନଥିଲା । କିନ୍ତୁ ବର୍ତ୍ତମାନ ତାହାର ବିପରୀତ ଦିଗ ଦେଖିବାକୁ ମିଳୁଅଛି । ଶିକ୍ଷା ଗ୍ରହଣ କରିବା ନିମନ୍ତେ ବର୍ତ୍ତମାନ ପିଲାମାନଙ୍କ ପାଖରେ ନାନା ସୁବିଧା ପହଞ୍ଚି ଗଲାଣି । ଏହା ସତ୍ତ୍ୱେ ମଧ୍ୟ ସେମାନଙ୍କର ଶିକ୍ଷା ଗ୍ରହଣ କରିବାକୁ ନେଇ କୌଣସି ମଧ୍ୟ ଇଚ୍ଛା ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ଶିକ୍ଷାର ବିକାଶ ଘଟିଲାଣି । ପାଠ ପଢ଼ିବା ପାଇଁ ମେଧା ବୃତ୍ତି ସହ ନାନା ପ୍ରକାରର ବୃତ୍ତି ନିମନ୍ତେ ଆର୍ଥିକ ସହାୟତା ସରକାର ଲୋକମାନଙ୍କ ପାଖରେ ପହଞ୍ଚାଇଲେଣି । ପୂର୍ବେ ଗ୍ରାମର କିଛି ପିଲା ପାଠ ପଢି ପାରୁନଥିଲେ କାରଣ ଆର୍ଥିକ ଅଭାବ ରହିଥିଲା । ଶିକ୍ଷକମାନଙ୍କର କୌଣସି ସ୍ଥିତି ନଥିଲା ବା ବର୍ତ୍ତମାନ ପରି ଅଧିକ ଶିକ୍ଷିତ ବ୍ୟକ୍ତି ନଥିଲେ। ସ୍କୁଲର ବା ଶିକ୍ଷାଦାନର କୌଣସି ମଧ୍ୟ ସୁବିଧା ନଥିଲା । ପିଲାମାନେ ପିଲାଟି ଦିନରୁ ହିଁ ପରିବାରକୁ କାମରେ ସହାୟତା କରୁଥିଲେ ଏବଂ ଖାଦ୍ୟ ପାଇଁ ନାନା ପ୍ରକାରର ସଂଘର୍ଷ କରୁଥିଲେ ।

ଚତୁର୍ଥ ସାକ୍ଷାତ୍‌କାର:

ଇନ୍ଦୁ ଭଣ୍ଡାରୀ (ଗ୍ରାମର ଜଣେ ମହିଳା ଅଟନ୍ତି । ଭଣ୍ଡାରୀ/ଚୁଟି କାଟିବା ସମ୍ପ୍ରଦାୟର ଅଟନ୍ତି ।) ସେ ମୋର ଏହି ପ୍ରଶ୍ନ ସମ୍ପର୍କରେ ଜଣାଇଥିଲେ ଯେ, ସେ ପୂର୍ବେ ପାଠ ପଢ଼ା କ’ଣ ଜାଣିନଥିଲେ । ଆଜିକା ପରି ପୂର୍ବେ ଶିକ୍ଷାର ସୁବିଧା ସୁଯୋଗ ନଥିଲା । ବିଲରେ ଲୋକମାନେ ଏବଂ ଛୋଟ ପିଲାମାନେ ଖଟିକି ସାହାଯ୍ୟ କରୁଥିଲେ । ପାଠ ପଢ଼ିବା ପାଇଁ ଘରେ ବାଧ୍ୟ ନଥିଲା ଏବଂ ଅର୍ଥର ମଧ୍ୟ ଅଭାବ ଥିଲା । ଯେତେବେଳେ ପିଲାମାନେ ପାଠ ପଢ଼ି ପାରୁନଥିଲେ ସେତେବେଳେ ସେମାନେ ବିଭିନ୍ନ କାମରେ ଘର ଲୋକଙ୍କୁ ସାହାଯ୍ୟ କରୁଥିଲେ । ଏଥି ସହିତ ପିଲାଟି ଦିନରୁ ଦାଦନ ଖଟିବା ନିମନ୍ତେ ବିଭିନ୍ନ ସ୍ଥାନକୁ ଯାଉଥିଲେ । ବର୍ତ୍ତମାନ ପରି ଲୋକମାନେ ନିଜର ପିଲାମାନଙ୍କୁ ପାଠ ପଢ଼ାଇବା ପରି ପୂର୍ବେ ପଢ଼ାଉନଥିଲେ । ଶିକ୍ଷା ସମ୍ପର୍କରେ ସେ ଏହିପରି ଭାବରେ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ ।

ଉପରୋକ୍ତ ସାକ୍ଷାତ୍‌କାର ଗୁଡିକରୁ ଏହା ସ୍ପଷ୍ଟ ଯେ, ପୂର୍ବେ ବର୍ତ୍ତମାନ ପରି ଶିକ୍ଷା ଗ୍ରହଣ କରିବା ନିମନ୍ତେ କୌଣସି ମାଧ୍ୟମ ନଥିଲା, ଆର୍ଥିକ ଅଭାବ ଅନଟନ ରହିଥିଲା । ଏହା ସତ୍ତ୍ୱେ ମଧ୍ୟ ପିଲାମାନଙ୍କ ମନରେ ପଢ଼ିବା ନିମନ୍ତେ ଇଚ୍ଛା ଥିଲା । ଯେଉଁ କିଛି ପିଲା ପଢ଼ିଥିଲେ ସେମାନଙ୍କର ଶିକ୍ଷା ବହୁ ଉଚ୍ଚ ଶ୍ରେଣୀର ଶିକ୍ଷା ସହ ସମାନ ଥିଲା । ୨ୟ ଶ୍ରେଣୀର ଶିକ୍ଷା ସହ ମହାବିଦ୍ୟାଳୟର ଶିକ୍ଷା ସହିତ ସମାନ ବୋଲି ଜଣାଯାଉଅଛି । ଗୁରୁଭକ୍ତି ମଧ୍ୟ ଥିଲା ଶିଷ୍ୟମାନଙ୍କ ମନରେ । କିନ୍ତୁ ଆଜି ଶିକ୍ଷାର ବିକାଶ ହେଲେ ମଧ୍ୟ ଏହାର ବିପରୀତ ଦିଗ ଦେଖିବାକୁ ମିଳୁଅଛି । ଏଥିସହିତ ଶିକ୍ଷକମାନେ ପୁସ୍ତକ ଶିକ୍ଷା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଗତ ଜୀବନ ସମ୍ବନ୍ଧୀୟ, ନିଜ ସଂସ୍କୃତି ଏବଂ ସଂସ୍କାରର ଶିକ୍ଷା ଦେବାରେ ଦେଖାନଯିବା କଥା ମଧ୍ୟ ଜାଣିବାକୁ ମିଳିଥିଲା ।

“ଶିକ୍ଷା ଆମ
ଜୀବନର ଆଲୋକ
ଦୂର କରେ
ଅଜ୍ଞାନର ଶୋକ
ଜ୍ଞାନର ଦୀପ
ଜଳାଏ ମନେ,
ସଫଳତାର ପଥ
ଦେଖାଏ ଜୀବନେ ।”

ଦାଦନ ସମସ୍ୟା

ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିଲେ ମଧ୍ୟ ଆଜି ମଧ୍ୟ ଅନେକ ଲୋକ ଜୀବିକାରେ ସନ୍ଧାନରେ ନିଜ ଜନ୍ମମାଟି ଛାଡ଼ି ଦୂର ଦୂରାନ୍ତକୁ ପ୍ରବାଶ କରିବାକୁ ବାଧ୍ୟ ହେଉଛନ୍ତି । ଏହି ପ୍ରବାସକୁ ସାଧାରଣତଃ ଦାଦନ କୁହାଯାଏ । ଏହା କେବଳ ଏକ ଆର୍ଥିକ ସମସ୍ୟା ନୁହେଁ ; ବରଂ ଏହା ସାମାଜିକ, ଶିକ୍ଷାଗତ ଓ ପ୍ରଶାସନିକ ଦୁର୍ବଳତାର ଏକ ଜ୍ୱଳନ୍ତ ଚିତ୍ର । ଦାଦନ ସମସ୍ୟା ଏକ ଜାତୀୟ ଚିନ୍ତାର ବିଷୟ । ଏହାର ମୂଳର କାରଣଗୁଡ଼ିକୁ ଦୂର କରିପାରିଲେ ମାତ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ । ପ୍ରତ୍ୟେକ ମଣିଷ ନିଜ ମାଟିରେ ସମ୍ମାନର ସହିତ ଜୀବିକା ନିର୍ବାହ କରିପାରିବା ହିଁ ଏକ ସମୃଦ୍ଧ ସମାଜର ପରିଚୟ ।

ଏହି ଗ୍ରାମର ମୁଖ୍ୟ ସମସ୍ୟା ଦାଦନ ସମସ୍ୟାକୁ ନେଇ ଗ୍ରାମରେ କେତେକ ବ୍ୟକ୍ତିଙ୍କ ସହ ସାକ୍ଷାତ୍ କରିଥିଲି । ସେମାନେ ହେଲେ ନିରଞ୍ଜନ ବିଶ୍ୱାଳ (ବୟସ ୪୯), ମହନ୍ତର ଦାସ (ବୟସ ୭୨), ଉର୍ବଶୀ ବିଶ୍ୱାଳ, ଇନ୍ଦୁ ଭଣ୍ଡାରୀ, ଲକ୍ଷ୍ମୀ ପ୍ରଧାନ ଆଦି କେତେ ଜଣଙ୍କ ସହ ସାକ୍ଷାତ୍‌କାର କରି ଏହି ପ୍ରଶ୍ନ ସମ୍ପର୍କରେ ବିଶେଷ ତଥ୍ୟ ସଂଗ୍ରହ କରିଥିଲି । ସେହି ତଥ୍ୟାବଳୀ ନିମ୍ନରେ ବର୍ଣ୍ଣିତ ହୋଇଅଛି ।

ଗାଁରୁ କେତେ ଲୋକ ଦାଦନ ଯାଉଛନ୍ତି ସେହି ସମ୍ପର୍କରେ ସେମାନେ ମୋତେ ଜଣାଇଥିଲେ ଯେ, ଗ୍ରାମରୁ ପ୍ରାୟ ୩୦୦-୪୦୦ ଲୋକ ଏହି ଦାଦନ ଖଟିବା ନିମନ୍ତେ ବାହାରକୁ ଯାଉଛନ୍ତି । ଗ୍ରାମର ଘର ପିଛା ଗଣନା କଲେ ଗୋଟିଏ ଘରୁ ୧ ଜଣ ନହେଲେ, ୨ ଜଣ ପ୍ରାୟ ଦାଦନ ଖଟି ବାହାରକୁ ଯାଉଥିବା କଥା ସେମାନେ ଜଣାଇଥିଲେ । ପ୍ରାୟତଃ କହିବାକୁ ଗଲେ ଗ୍ରାମର ଅଧିକାଂଶ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେତେ ଘରମାନଙ୍କରେ ପରିବାର ସହ ଦାଦନ ଯିବା ନିମନ୍ତେ ସମ୍ପୂର୍ଣ୍ଣ ଘର ବନ୍ଦ କରି ଚାଲିଯାଉଛନ୍ତି । କେଉଁ ରାଜ୍ୟ ଓ ଅଞ୍ଚଳକୁ ଯିବା ସମ୍ପର୍କରେ ସେମାନେ କହିଥିଲେ ଯେ, ଗୁଜୁରାଟ, ସୁରଟ, ମୁମ୍ବାଇ, ଚେନ୍ନାଇ, ତାମିଲନାଡୁ ବାଙ୍ଗାଲୋର, ମହାରାଷ୍ଟ୍ର ଇତ୍ୟାଦି ବିଭିନ୍ନ ସ୍ଥାନକୁ । ଏହି ପ୍ରଶ୍ନ ସମ୍ପର୍କରେ ଅନ୍ୟ ଏକ ବ୍ୟକ୍ତି ଜଣାଇଥିଲେ ଯେ, ପୂର୍ବେ ଲୋକମାନେ ଦାଦନ ଖଟୁଥିଲେ ସତ । କିନ୍ତୁ କେଉଁ ରାଜ୍ୟ ବା ଅଞ୍ଚଳକୁ ଯାଉନଥିଲେ । ବରଂ ନିଜ ରାଜ୍ୟରେ ହିଁ ପ୍ରାୟତଃ ଖଟୁଥିଲେ । ଯେପରିକି କଟକ ପରି ସ୍ଥାନମାନଙ୍କରେ । କିନ୍ତୁ ବର୍ତ୍ତମାନ ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଅନ୍ୟ ଜଣେ ବ୍ୟକ୍ତି ଦର୍ଶାଇଥିଲେ । ପୂର୍ବେ ଲୋକମାନେ କଲିକତା, ରେଙ୍ଗୁନ୍ ପରି ସ୍ଥାନମାନଙ୍କୁ ଯାଉଥିଲେ ଦାଦନ ଖଟିବା ନିମନ୍ତେ ।

ଅନ୍ୟ ଜଣେ ବ୍ୟକ୍ତି ପୂର୍ବ ଏବଂ ବର୍ତ୍ତମାନ ଫସଲ ମଧ୍ୟରେ ତୁଳନାତ୍ମକ ପାର୍ଥକ୍ୟ ସମ୍ପର୍କରେ ଜଣାଇ କହିଥିଲେ, ପୂର୍ବେ ଲୋକମାନେ ଦାଦନ ଖଟିବାକୁ ଯାଉଥିଲେ ସତ କିନ୍ତୁ ପୂର୍ବେ ଲୋକମାନେ ନିଜର ପରିବାର ପୋଷଣ ନିମନ୍ତେ, ପରିବାର ସୁଖରେ ରହିବା କଥା ନିଜ ଦୁଃଖକୁ ଜଳାଞ୍ଜଳୀ ସମସ୍ତ ଦୁଃଖ କଷ୍ଟକୁ ସହି ଦାଦନ ଖଟୁଥିଲେ । କିନ୍ତୁ ବର୍ତ୍ତମାନ ଲୋକମାନେ ପଇସା ଥାଇ ମଧ୍ୟ କିପରି ଅଧିକ ପଇସା ରୋଜଗାର କରିବା ଚିନ୍ତାରେ ଦାଦନ ଖଟୁଛନ୍ତି । ଶାନ୍ତିରେ ବସବାସ କରିବା ଅପେକ୍ଷା ନିଜର ସ୍ତ୍ରୀକୁ କିପରି ଭଲରେ ରଖିବେ ସେହି ବିଷୟରେ ହିଁ ଚିନ୍ତା କରୁଛନ୍ତି । ଏଥିସହିତ ନିଜ ପରିବାରଙ୍କର ଆର୍ଶୀବାଦ ସେମାନଙ୍କ ଉପରେ ନ ରହିବା ଫଳରେ ପଇସା ଥିଲେ ଶାନ୍ତି ପୂର୍ଣ୍ଣ ଭାବରେ ବଞ୍ଚି ପାରୁ ନାହାଁନ୍ତି । ବାପା ମାଆଙ୍କୁ ପରିଶେଷରେ ଅଧିକ ଧନୀ ହେଲେ ମଧ୍ୟ ବୃଦ୍ଧାଶ୍ରମରେ ନେଇ ଛାଡୁଛନ୍ତି । ପୂର୍ବେ କିନ୍ତୁ ବର୍ତ୍ତମାନ ପରି ବୃଦ୍ଧାଶ୍ରମ ନଥିଲା । ସେ ପୂର୍ବ ଓ ବର୍ତ୍ତମାନ ଦାଦନ ଖଟିବାକୁ ନେଇ ଏହି ତୁଳନାତ୍ମକ ବିଶ୍ଲେଷଣ କରିଥିଲେ ।

କେଉଁ କାମ କରିବାକୁ ଯାଉଛନ୍ତି ? ସେହି ସମ୍ପର୍କରେ ସେମାନେ ଜଣାଇଥିଲେ ଯେ, ଲୋକମାନେ ଯେଉଁ ରାଜ୍ୟ ବା ଅଞ୍ଚଳକୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର କାମ କରୁଛନ୍ତି । ଯେପରିକି ଲୁଗା ବୁଣିବା, ସୂତା କାଟିବା, ମାଟି କାମ କରିବା, ବଡ଼ ବଡ଼ ଘର ବନାଇବାରେ ମିସ୍ତ୍ରୀ ଭାବରେ କାର୍ଯ୍ୟ କରିବା, ବିଭିନ୍ନ କମ୍ପାନୀମାନଙ୍କରେ କାମ କରିବା, ଖବରାମାନଙ୍କର ମଞ୍ଜି କାଢ଼ିବା ଏବଂ ମରିଚମାନଙ୍କର ମୁଣ୍ଡି କାଢ଼ିବା ଇତ୍ୟାଦି ବିଭିନ୍ନ କାମ କରିବାକୁ ଲୋକମାନେ ଧନୀ ରାଜ୍ୟ ଓ ଅଞ୍ଚଳକୁ ଯାଉଛନ୍ତି ।

ଦାଦନ ଯିବାର ମୂଳ କାରଣ ସମ୍ପର୍କରେ ସେମାନେ ଜଣାଇଥିଲେ ଯେ, ଆମ ରାଜ୍ୟ ଓ ଅଞ୍ଚଳରେ କଳକାରଖାନା/କମ୍ପାନୀମାନଙ୍କର କୌଣସି ସୁବିଧା ସରକାର ଯୋଗାଇ ଦେଇନାହାଁନ୍ତି । ଘରୋଇ କଳ କାରଖାନା ମଧ୍ୟ ସ୍ଥାପିତ ହୋଇନାହିଁ । ଏହା ହେଉଛି ମୁଖ୍ୟ କାରଣ । ଦ୍ୱିତୀୟ କାରଣ ହେଉଛି ନିଜର ପରିବାର ପୋଷଣ କରିବା ନିମନ୍ତେ ସଠିକ୍ ଭାବରେ ଲୋକମାନେ ନିଜ ରାଜ୍ୟରୁ ଅର୍ଥ ପାଇପାରୁନଥିଲେ । ତେଣୁ ଅଧିକ ଅର୍ଥ ଉପାର୍ଜନ କରିବା ନିମନ୍ତେ ବାହାର ରାଜ୍ୟ/ଅଞ୍ଚଳକୁ ଯାଉଥିଲେ ଭଲ ଭାବରେ ନିଜର ଜୀବନଯାପନ କରିବା ନିମନ୍ତେ । ତୃତୀୟ କାରଣ ହେଉଛି ଆମ ଅଞ୍ଚଳରେ ଯେଉଁ ଅତ୍ୟଧିକ ପରିଶ୍ରମକୁ ନ‌େଇ ଲୋକମାନେ କାର୍ଯ୍ୟ କରୁଛନ୍ତି ତାହା ଅଧିକ କଷ୍ଟ ଦାୟକ ଅନ୍ୟ ରାଜ୍ୟ ଅଞ୍ଚଳ ତୁଳନାରେ ତେଣୁ ଲୋକମାନେ ବାହାର ରାଜ୍ୟକୁ ଦାଦନ ଯିବା ନିମନ୍ତେ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ ଏହି କାମରେ ଦିଆଯାଉଥିବା ଦର ଅନ୍ୟ ରାଜ୍ୟ ତୁଳନାରେ ସ୍ୱଳ୍ପ ହୋଇଥାଏ । ଦାରିଦ୍ର୍ୟ ମଧ୍ୟ ଦାଦନ ସମସ୍ୟାର ମୁଖ୍ୟ କାରଣ ଅଟେ । ଦୈନନ୍ଦିନ ଜୀବନର ମୌଳିକ ଆବଶ୍ୟକତା ପୂରଣ କରିବାକୁ ପରିବାର ଜୀବିକା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହୁଅନ୍ତି । ବେକାରୀ ସମସ୍ୟା ଦାଦନର ଏକ ପ୍ରମୁଖ କାରଣ । ଅନେକ ଶିକ୍ଷିତ ଓ ଅଶିକ୍ଷିତ ଯୁବକ-ଯୁବତୀ ନିଜ ଅଞ୍ଚଳରେ କାମ ନପାଇ ବାହାର ରାଜ୍ୟକୁ ଯାଆନ୍ତି । ସେଠାରେ ଅଧିକ ମଜୁରୀର ପ୍ରଲୋଭନ ଦେଖାଇ ଦଲାଲମାନେ ସେମାନଙ୍କୁ ନେଇଯାନ୍ତି । ଦାଦନ ଯୋଗୁଁ ପରିବାର ଭାଙ୍ଗିଯାଏ, ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୁଏ, ଶ୍ରମିକମାନେ ଶୋଷଣ ଓ ଅତ୍ୟାଚାରର ଶିକାର ହୁଅନ୍ତି । ଅନେକ ସମୟରେ ସେମାନେ ଉପଯୁକ୍ତ ମଜୁରୀ, ସ୍ୱାସ୍ଥ୍ୟ ସେବା ଓ ସୁରକ୍ଷା ମଧ୍ୟ ପାଇପାରନ୍ତି ନାହିଁ ।

ଉପରୋକ୍ତ ସମସ୍ତ ବିବରଣୀରୁ ପରିଶେଷରେ କୁହାଯାଇପାରେ ଯେ, ଦାଦନ ସମସ୍ୟାର ସମାଧାନ ପାଇଁ ଗ୍ରାମାଞ୍ଚଳରେ ଅଧିକ କର୍ମ ସଂସ୍ଥାନ ସୃଷ୍ଟି, କ୍ଷୁଦ୍ର ଓ କୁଟୀର ଶିଳ୍ପର ବିକାଶ, କୃଷିର ଉନ୍ନତି, ଦକ୍ଷତା ବିକାଶ ତାଲିମ, ଶିକ୍ଷାର ପ୍ରସାର ଏବଂ ଦଲାଲମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ । ସରକାରଙ୍କ ସହ ଜନ ସଚେତନା ଓ ସହଯୋଗ ମଧ୍ୟ ସମାନ ଭାବେ ଜରୁରୀ । ଏଥିସହିତ ଓଡ଼ିଶା ସରକାର କେତେ କଳକାରଖାନା ଚଳାଇପାରୁନଥିବାରୁ ତାହା ବନ୍ଦ ମଧ୍ୟ ହୋଇଯାଉଅଛି । ଉଦାହରଣ- ଆମ ଅଞ୍ଚଳରେ ଥିବା ସୂତା କଳ  ବନ୍ଦ ହୋଇଯିବା ଯୋଗୁଁ ବହୁ ଦାଦନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଗ୍ରାମର ସଂସ୍କୃତି

ପ୍ରତିବର୍ଷ ଗ୍ରାମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୁଏ ଏହି କାର୍ଯ୍ୟକ୍ରମ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଗ୍ରାମର ଐତିହ୍ୟ, ଏକତା ଓ ସାମୂହିକ ଚେତନାର ପ୍ରତୀକ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସମାଜରେ ଭାଇଚାରା ସହଯୋଗ ଓ ସମ୍ପ୍ରତିର ଭାବନାକୁ ସୁଦୃଢ଼ କରେ । ଗ୍ରାମବାସୀମାନେ ଜାତି, ଧର୍ମ ଓ ବର୍ଣ୍ଣଭେଦକୁ ଭୁଲି ଏକ ପରିବାର ପରି ମିଳିମିଶି ଉତ୍ସବ ପାଳନ କରନ୍ତି । ଏହା ଆମ ସଂସ୍କୃତିର ମହାନତାକୁ ଚିରଞ୍ଜବୀ କରିବା ସହ ସମାଜରେ ଏକତା ଓ ଜାତୀୟ ଚେତନାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପ୍ରତିବର୍ଷ ଗ୍ରାମରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ମୁଁ କେତେକ ଗ୍ରାମର ବ୍ୟକ୍ତିମାନଙ୍କ ସହ ସାକ୍ଷାତ୍‌କାର କରିଥିଲି । ସେହି ସାକ୍ଷାତ୍‌କାର ଦାତାମାନେ ହେଉଛନ୍ତି – ବିକ୍ରମ ରଣା, ବାଞ୍ଛାନିଧି ପ୍ରଧାନ, ଅଜିତ୍ ପାଣିଗ୍ରାହୀ, ନବଘନ ଗୌଡ଼ । ସେମାନେ ଏହି ପ୍ରଶ୍ନକୁ ନେଇ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ । ତାହା ନିମ୍ନରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଅଛି ।

ପ୍ରତିବର୍ଷ ଗ୍ରାମରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା କଥା ସେମାନେ କହିଥିଲେ ଯେ, ଗ୍ରାମରେ ମୁଖ୍ୟତଃ ଯେଉଁ ସଂସ୍କୃତି ନେଇ ଉତ୍ସବ ସଙ୍ଗଠିତ ହୋଇ ପାଳିତ ହେଉଅଛି ସେ ମଧ୍ୟ ପ୍ରଥମ ରହିଅଛି ‘କୋଠିଶାଳ ଯାତ୍ରା’ ।

କୋଠିଶାଳ ଯାତ୍ରା”:

ଏହି ଯାତ୍ରା ଆଶ୍ୱିନ ମାସରେ ଅନୁଷ୍ଠିତ ହେଉଅଛି । ଦୀର୍ଘ ୩୦ ଦିନରୁ ଏହି ଯାତ୍ରା ଆରମ୍ଭ ହେଉଅଛି । ଏହାର ନୀତି କାର୍ଯ୍ୟକ୍ରମ ଗୁଡ଼ିକ ଓ ଏହା ପରେ ଶେଷରେ କାର୍ଯ୍ୟ ସମାପ୍ତ ହେଲେ ଶେଷ (ଆଶ୍ୱିନ ମାସର) ୫ ଦିନ ଖୁବ୍ ଆନନ୍ଦ ଉତ୍ସବରେ ଗ୍ରାମ ଚହଳି ଉଡୁଥାଏ । ଏହି ଯାତ୍ରା ଆମ ଗ୍ରାମର “ଗ୍ରାମଦେବୀ” ଏବଂ “ବୁଢ଼ୀ ଠାକୁରାଣୀ”ଙ୍କର ଯାତ୍ରା ଅଟେ । ତାଙ୍କ ପାଇଁ ହିଁ ଏହି ଯାତ୍ରା ଅନୁଷ୍ଠିତ ହେଉଅଛି । ବର୍ଷକ ମଧ୍ୟରେ ରହିଥିବା ୧୨ ମାସ ମଧ୍ୟରେ ଆଶ୍ୱିନ ମାସ ହେଉଅଛି ମାଆଙ୍କର ମାସ । କୁମାର ପୂର୍ଣ୍ଣମୀ ଦିନ ମାଆଙ୍କ ଯାତ୍ରାର ଶେଷ ଦିନ ହୋଇଥାଏ । ସେହିଦିନର ଠିକ୍ ୫ ଦିନ ପୂର୍ବରୁ ଅର୍ଥାତ୍ ଦଶହରା ଦିନ ମାଆଙ୍କର ଗଜା ପଡ଼ିଥାଏ । ମାସରେ କେତେକ ଦିନ ମାଆଙ୍କୁ ଏବଂ ତାଙ୍କର କୁମ୍ଭକୁ ଧରି ଗାଁ ପରିଭ୍ରମଣ କରାଯାଇଥାଏ । ଶେଷଦିନ ଯେଉଁ ପରିଭ୍ରମତା ହୋଇଥାଏ । ସେହିଦିନ ମାଆଙ୍କ ସହ କୁମ୍ଭ, ଦଶ ଅବତାର, ଢୋଲ, ଶଙ୍ଖ, ମହୁରୀ, ଗିନି, ଏବଂ ଆଧୁନିକତାର ଉପାଦାନ DJ ସହ ଗ୍ରାମର  ସମସ୍ତ ବ୍ୟକ୍ତି ଗ୍ରାମକୁ  ସମ୍ପୂର୍ଣ୍ଣ ଭାବରେ ପରିଭ୍ରମଣ କରି ଗ୍ରାମର ପୋଖରୀରେ ମାଆଙ୍କୁ ନେଇ ଭସାଣି ଦେଇଥାନ୍ତି । ସେହିଦିନ କୁମାରୀମାନେ ନିଜର ଗ୍ରାମରେ କରୁଥିବା କୁମାର ପୂର୍ଣ୍ଣିମା ଅର୍ଥାତ୍ ଜହ୍ନି ଓଷାର ମାଆ ବୃନ୍ଦାବତୀକୁ ସାରା ଆଶ୍ୱିନ ମାସ ପୂଜା କରି ସେହିଦିନ ହିଁ ନେଇ ଗ୍ରାମ ପୋଖରୀରେ ଭସାଣି ଦେଇଥାନ୍ତି । ଏହା ଥିଲା ଗ୍ରାମରେ ଅନୁଷ୍ଠିତ ହେଉଥିବା ମୁଖ୍ୟ ଯାତ୍ରା ।

ମାତା ଲକ୍ଷ୍ମୀଙ୍କୁ ଗ୍ରାମରେ ସ୍ଥାପନା ଏବଂ ପୂଜାର୍ଚ୍ଚନା”: ପ୍ରତିବର୍ଷ ମାର୍ଗଶୀର ମାସରେ ଯେପରି ଘରେ ଘରେ ଲକ୍ଷ୍ମୀ ଏବଂ ମାତା ବସାଇ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ଗ୍ରାମରେ ମଧ୍ୟ ସମସ୍ତ ଜନସାଧାରଣ ବିଶେଷ କରି ଗ୍ରାମର ମହିଳାମାନେ ଗଦାଭେଦା କରି ମାଆଙ୍କୁ ସେହି ମାର୍ଗଶୀର ମାସର ଗୋଟିଏ ଗୁରୁବାର ଦିନ ତାଙ୍କର ମୂର୍ତ୍ତି ସ୍ଥାପନ କରି ମାତା ବସାଇଥାନ୍ତି । ଗୃହରେ ଯେହିପରି ପୂଜାର୍ଚ୍ଚନା ହୋଇଥାଏ ଠିକ୍ ସେହିପରି ଗ୍ରାମର ସମସ୍ତ ମହିଳା ସେହିଠାରେ ଗୃହପରି ପୂଜାର୍ଚ୍ଚନା କରିଥାନ୍ତି । ଏହା ବ୍ୟତୀତ ପ୍ରସାଦର ତିଆରି ଏବଂ ପ୍ରସାଦ ବଣ୍ଟନ ମଧ୍ୟ କରିଯାଇଥାଏ । ୩ ଦିନ ଧରି ପାଳିତ ହୋଇଥାଏ । ପ୍ରସାଦରେ କେବେ ପଲଉ ଭାତ, କେବେ ଖିଚିଡ଼ି, ଆଉ କେବେ ଖିରୀ, ପୁଣି କେବେ ଭାତ ଏବଂ ଡାଲମା ହୋଇଥିବା କଥା ସେମାନେ ମୋତେ ଜଣାଇଥିଲେ । ଏହାସହିତ ମୁଁ ମଧ୍ୟ ଏହି ପର୍ବମାନଙ୍କରେ ସାମିଲ ହୋଇଅଛି ।

ଜନ୍ମାଷ୍ଟମୀ’: ଗ୍ରାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବର ଉପଲକ୍ଷେ ଲୋକମାନେ ‘ଜନ୍ମାଷ୍ଟମୀ’ ପାଳନ କରିଥାନ୍ତି । ଯେହେତୁ ଗ୍ରାମରେ ଆମର ‘ଶ୍ରୀରାଧା କ୍ରିଷ୍ଣା’ ମନ୍ଦିର ରହିଅଛି, ତେଣୁ ଏହା ପାଳନ ହୋଇଆସୁଅଛି । ପ୍ରଥମତଃ ଲୋକମାନେ ପ୍ରଥମେ ମନ୍ଦିର ଯାଇଥାନ୍ତି ଶ୍ରୀକୃଷ୍ଣଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଏହା ସହିତ ପ୍ରସାଦ ନିର୍ମାଣ/ତିଆରି ହୋଇଥାଏ ଶ୍ରୀକୃଷ୍ଣଙ୍କ ନିମନ୍ତେ । ଏହା ପରେ ଗ୍ରାମରେ କେତେକ ଛୋଟ ଛୋଟ  ପିଲା ଶ୍ରୀକ୍ରିଷ୍ଣାଙ୍କ ପରି ବେଶରେ ସଜ୍ଜିତ ହୋଇଥାନ୍ତି । ଗ୍ରାମର ସମସ୍ତ ସାହିରେ ଦଉଡ଼ିରେ ଦହି ହାଣ୍ଡି ବାନ୍ଧି ଡିଜେ ସହ ଶ୍ରୀକୃଷ୍ଣଙ୍କ ବେଶ ପରିଧାନ କରି କେତେକ ପିଲା ଏବଂ ଭଗବାନ ସମଗ୍ର ଗ୍ରାମ ପରିଭ୍ରମଣ କରିଥାନ୍ତି ଏବଂ ଦହି ହାଣ୍ଡି ଭାଙ୍ଗିଥାନ୍ତି । ହସ ଖୁସିରେ ସେହିଦିନଟିକୁ ସମସ୍ତେ ଗ୍ରାମର ବ୍ୟକ୍ତି ପାଳନ କରିଥାନ୍ତି । ଏହା ଥିଲା ଗ୍ରାମରେ ପାଳିତ ହେଉଥିବା ‘ଜନ୍ମାଷ୍ଟମୀ’ ପର୍ବ ।

ଏହା ବ୍ୟତୀତ ଗ୍ରାମରେ କୌଣସି ମନ୍ଦିର ଯଦି ସ୍ଥାପନା ହୁଏ । ତାହା ହେଲେ ଗୋଟିଏ ବଡ଼ ଧରଣର ଯାତ୍ରା ଅନୁଷ୍ଠିତ ହୋଇଥାଏ । ହୋମ ଯଜ୍ଞ, ନାମ ଯଜ୍ଞ, ଗୋଯଜ୍ଞ, ଅନ୍ନଯଜ୍ଞ ଆଦି ପାଳିତ ହୋଇଥାଏ । କେବଳ ମନ୍ଦିର ସ୍ଥାପନା ନୁହେଁ । ବରଂ ଗ୍ରାମରେ ମନ୍ଦିରରେ କୌଣସି ମନ୍ଦିରର ମୂର୍ତ୍ତି, ବୃଷଭ, ଗୃହ, ଆଦି ଯାହା ମଧ୍ୟ ନିର୍ମାଣର ଶେଷ ହେଲେ ଏହିପରି ପାଳିତ ହୋଇଥାଏ । ଏହା ଥିଲା ଗ୍ରାମରେ ପାଳିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ । ଗ୍ରାମର ନିଜସ୍ୱ ଗୀତ ସମ୍ପର୍କରେ କହିଥିଲେ ଯେ, ପୂର୍ବ ଗ୍ରାମରେ ନିଜସ୍ୱ ଗୀତ ସମ୍ପର୍କରେ କୌଣସି ଗୀତ ଜଣାନାହିଁ । କିନ୍ତୁ ଲୋକମାନେ ଗୋଟିଏ ପାର୍ଥନା ଗାଉଥିଲେ “ଆହେ ଦୟାମୟ ବିଶ୍ୱବିହାରୀ”, ରଜ ପର୍ବରେ ଗାନ କରୁଥିଲେ “କଳା କଳେବର କହ୍ନେଇ…ସଙ୍ଗେ ରୋହିଣୀ ସୂତ, କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ”, “ମୋ କଳାକାଇଁଚର” ଏବଂ “ହଳିଆ ଗୀତ” ଆଦି ବିଭିନ୍ନ ସଙ୍ଗୀତ । ଗ୍ରାମର ନିଜସ୍ୱ ଗୀତ ସମ୍ପର୍କରେ ସେମାନେ ଏହିପରି ଜଣାଇଥିଲେ ।

ଗ୍ରାମରେ ନିଜସ୍ୱ ନୃତ୍ୟ ସମ୍ପର୍କରେ ସେମାନେ ଜଣାଇଥିଲେ ଯେ, ପୂର୍ବେ ଗ୍ରାମରେ ଲୋକମାନେ ଦାସକାଠିଆ, ଠିଆ ପାଲା, ନବରଙ୍ଗ, ଗୁଡିକି, ଗାହାଣୀ, ରାମନାଟକ, ରାଜାନାଟକ ଇତ୍ୟାଦି ନୃତ୍ୟ ପାଳିତ ହେଉଥିଲା । ବର୍ତ୍ତମାନ ଯାହାକି ଲୋପ ପାଇବାକୁ ଲାଗିଲାଣି । ବର୍ତ୍ତମାନ କେବଳ ଗ୍ରାମରେ ସତସଙ୍ଗ ହିଁ ଦେଖିବାକୁ ମିଳୁଅଛି ।

ପରିଶେଷରେ କୁହାଯାଇପାରେ ଯେ, ଗାଁରେ ପ୍ରତିବର୍ଷ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ପରମ୍ପରାର ଅମୂଲ୍ୟ ଧରୋହର । ଏହାକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବ । ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ଏହି କାର୍ଯ୍ୟକ୍ରମ ଆମ ସଂସ୍କୃତିକୁ ଚିରଞ୍ଜବୀ କରିବା ସହି ସମାଜର ଏକଦା, ସୌହାର୍ଦ୍ଦ୍ୟ ଓ ଜାତୀୟ ଚେତନାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

 ଗାଁର ଖେଳ:

ଗ୍ରାମ ହେଉଛି ପ୍ରକୃତିର କୋଳରେ ଗଢ଼ି ଉଠିଥିବା ଏକ ଶାନ୍ତ, ସରଳ ଓ ଆନନ୍ଦମୟ ପରିବେଶ । ଏହି ପରିବେଶରେ ବଢୁଥିବା ପିଲାମାନଙ୍କ ଜୀବନରେ ନିଷ୍କପଟ, ଉତ୍ସାହଭରା ଓ ସୃଜନଶୀଳତାରେ ପରିପୂର୍ଣ୍ଣ । ପାଠପଢ଼ା ସହିତ ଖେଳକୁଦ ମଧ୍ୟ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖେଳ ମାଧ୍ୟମରେ ପିଲାମାନେ କେବଳ ଶାରୀରିକ ଭାବେ ସୁସ୍ଥ ହୁଅନ୍ତି ନୁହେଁ, ବରଂ ମାନସିକ ବିକାଶ, ଶୃଙ୍ଖଳା, ସହଯୋଗ ଓ ନେତୃତ୍ୱଗୁଣ ମଧ୍ୟ ଅର୍ଜନ କରନ୍ତି । ପୂର୍ବ କାଳରେ ଗାଁର ପାରମ୍ପରିକ ଖେଳର ଅଧିକ ପ୍ରଚଳନ ଥିଲା । ଏହି ଖେଳଗୁଡ଼ିକ ପାଇଁ ବହୁ ଅର୍ଥ ବ୍ୟୟ କରିବାକୁ ପଡୁନଥିଲା । ସାଧାରଣ ଉପକରଣରେ ପିଲାମାନେ ଆନନ୍ଦର ସହ ଖେଳୁଥିଲେ । ଏହାଦ୍ୱାରା ସେମାନଙ୍କ ଶରୀର ସୁସ୍ଥ, ମନ ପ୍ରଫୁଲ୍ଲ ଓ ପରସ୍ପର ମଧ୍ୟରେ ସହଯୋଗର ଭାବନା ବିକଶିତ ହେଉଥିଲା । ବର୍ତ୍ତମାନ ସମୟରେ ମୋବାଇଲ୍ ଫୋନ ଓ ଭିଡ଼ିଓ ଖେଳର ପ୍ରଭାବ ଯୋଗୁଁ ପାରମ୍ପରିକ ଗ୍ରାମୀଣ ଖେଳର ଆକର୍ଷଣ କିଛି ମାତ୍ରାରେ କମିଯାଇଛି । ତଥାପି ଅନେକ ଗାଁରେ ପିଲାମାନେ ଆଜି ମଧ୍ୟ ସନ୍ଧ୍ୟାବେଳେ ପଡ଼ିଆରେ ଏକାଠି ହୋଇ ଖେଳକୁଦରେ ମଗ୍ନ ହୁଅନ୍ତି । ଏହି ଦୃଶ୍ୟ ଗ୍ରାମ ଜୀବନକୁ ଅଧିକ ସୁନ୍ଦର ଓ ପ୍ରାଣବନ୍ତ କରିଥାଏ ।

ଏହି ସମ୍ପର୍କରେ ଜାଣିବାପାଇଁ ଗ୍ରାମର କେତେ ଜଣ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌କାର କରିଥିଲି । ସେମାନେ ହେଲେ ବାଞ୍ଛାନିଧି ପ୍ରଧାନ, ନବଘନ ଗୌଡ଼, ବିକ୍ରମରଣା  । ସେମାନେ ଏହି ପ୍ରଶ୍ନକୁ ନେଇ ଜଣାଇଥିଲେ ବିଭିନ୍ନ ଖେଳ ସମ୍ପର୍କରେ ତାହା ନିମ୍ନରେ ପ୍ରଦତ୍ତ ହୋଇଅଛି ।

ଖୋଖୋ ଖେଳ”: ଗ୍ରାମର ବର୍ତ୍ତମାନ ଏହି “ଖୋଖୋ ଖେଳ” ପିଲାମାନେ ଖେଳୁଛନ୍ତି । ଉଭୟ ଝିଅ ଏବଂ ପୁଅ ଏହି ଖେଳରେ ଯୋଗ ଦେଇଥାନ୍ତି । ଗ୍ରାମ ଅପେକ୍ଷା ସ୍କୁଲରେ ଅଧିକ ଭାବରେ ଖେଳ ସମୟରେ ପିଲାମାନେ ଖେଳିଥାନ୍ତି । ଏହି ଖେଳରେ ମୋଟ ୧୨ ଜଣ ଖେଳାଳୀ ରହିଥାନ୍ତି । ଏହି ୧୨ ଜଣ ୨ ଭାଗ ଅର୍ଥାତ୍ ୨ ଗୋଟି ଟିମ୍ ହୋଇଥାନ୍ତି । ଏହାପରେ ୧୨ ଜଣ ୯ ଜଣ ଜାଗ୍ରତ (Elctive) ରହିଥାନ୍ତି । ଅନ୍ୟ ୩ ଜଣ ବାହାରେ ରହିଥାନ୍ତି ବା ଖେଳିଥାନ୍ତି ତାଙ୍କୁ ୭ ମିନିଟ୍ ସମୟ ମିଳିଥାଏ ଖେଳିବା ପାଇଁ ।

ପିଲିବାଡ଼ି”: ଗ୍ରାମର କେତେକ ପିଲା ଏହି ଖେଳ ଖେଳି ବହୁ ଆନନ୍ଦିତ ହୋଇଥାନ୍ତି । ଏଥିରେ କୌଣସି ନିର୍ଦ୍ଧିଷ୍ଟ ସଂଖ୍ୟାର ଖେଳାଳୀ ରହିନଥାନ୍ତି । ଏଥିରେ ହାତ ଖଣ୍ଡ ହେବ ବାଡ଼ିଟିଏ ରଖିଥାନ୍ତି ୨ଗୋଟି ମଝିରେ କାଠରେ ନିର୍ମିତ ପିଲି ନାମକ ଜିନିଷ ରଖିଥାନ୍ତି । ଏହା ପରେ ସେହି ବାଡ଼ିରେ ପିଲିକୁ ବାଡ଼ାଇ ଥାନ୍ତି ତାହା ବହୁ ଦୂରରେ ଯାଇ ପଡ଼ିଥାଏ । ପଡ଼ିଲା ପରେ ଯିଏ ଅଧିକ ବାଡ଼ାଇଥାଏ ଦୂର ଦୂର ପର୍ଯ୍ୟନ୍ତ । ଏହିପରି ଭାବରେ ପିଲାମାନେ ଏହାକୁ ଆନନ୍ଦ ମନରେ ଖେଳିଥାନ୍ତି । ଏହା ୨୫ ବର୍ଷ ତଳର ପୁରୁମା ଖେଳ ଅଟେ ।

କାଚବାଟି ଖେଳ”: ଏହି ଖେଳରେ କୌଣସି ନିର୍ଦ୍ଧିଷ୍ଟ ଖେଳାଳୀ ସଂଖ୍ୟା ରହିନଥାନ୍ତି । ଗ୍ରାମରେ କେତେ ଜଣ ପିଲାମାନେ ମିଳିତ ହୋଇ ଏହା ଖେଳିପାରନ୍ତି । ଖେଳରେ ହାତ ମାଧ୍ୟମରେ ଗୋଟିଏ ଗାତ କରିଥାନ୍ତି ଯିଏ ସେହି ଗାତରେ ନିଜର କାଚ ବାଟି ଟିକୁ ପକାଇଥାଏ ପ୍ରଥମେ ଏବଂ ଭଲ ଭାବରେ ଲାଖ ବିନ୍ଧି ପାରିଥାଏ ସେ ଏହି ଖେଳର ବିଜୟୀ ହୋଇଥାଏ । ଅନ୍ୟ ଜଣେ ଯିଏ ହାରିଥାଏ ସେ ଅନ୍ୟ ଜଣକୁ  ବାଟି ଦେଇଥାଏ (କାଚରେ ନିର୍ମିତ ହୋଇଥିବା) ଏବଂ ପରାଜୟ ସ୍ୱୀକାର କରିଥାଏ । ପ୍ରାୟତଃ ପୁଅମାନେ ଏହା ଖେଳିଥାନ୍ତି ।

କବାଡ଼ି ଖେଳ”: ଏହା ଗ୍ରାମଠାରୁ ଆରମ୍ଭ କରି ଜାତୀୟ, ଆର୍ନ୍ତଜାତୀୟ ସ୍ତରରେ ଖେଳାଯାଇଥାଏ । ଏହି ଖେଳରେ ମୋଟ ୧୪ ଜଣ ଖେଳାଳୀ ରହିଥାନ୍ତି । ୨ ଗୋଟି ଟିମ୍ ହୋଇଥାନ୍ତି ଗୋଟିଏ ଟିମ୍ ୭ ଜଣ ଖେଳାଳୀ ରହିଥାନ୍ତି । ଖେଳର ସ୍ଥାନରେ ମଧ୍ୟବିତ୍ତ ଅଞ୍ଚଳରେ ଗୋଟିଏ ଗାର ଟଣାଯାଇଥାଏ । ଏଥିସହିତ ୭ ଜଣଙ୍କ ପଛପଟେ ମଧ୍ୟ ଗାର ରହିଥାଏ, ଅନ୍ୟ ଟିମ୍‌ର ଜଣେ ଖେଳାଳୀ ସେହି ଗାରକୁ ଛୁଇଁ ଆସିଥାନ୍ତି ବା ଛୁଇଁବା ପାଇଁ ବାଧ୍ୟ ହୋଇଥାନ୍ତି ଏହି ସମୟରେ ସେହି ଟିମ୍‌ର ୭ ଜଣ ଯଦି ତାକୁ ଧରି ରଖିଦେଲେ ତାହାହେଲେ ସେ ଖେଳାଳୀ ହାରି ଯାଇଥାଏ ।

ସାର (ତାସ) ଖେଳ”: ଏହି ଖେଳ ଗ୍ରାମରେ ବିଶେଷ ଭାବରେ ଦେଖିବାକୁ ମିଳିଥାଏ । ଗ୍ରାମରେ ପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଏଥିରେ ମୋଟ ୫୨ଟି ପଟ ରହିଥାଏ । ଏଥିରେ ୧ ଠାରୁ ୧୦ ପର୍ଯ୍ୟନ୍ତ ନମ୍ବର ରହିଥାଏ ସମସ୍ତ ମଧ୍ୟରୁ ୪ଟି ଜଣ ଜଣଙ୍କର ପଟ ରହିଥାଏ ମୋଟ ୪୦ଟି ହେଉଅଛି,  J, K, Q ର ୪ ଗୋଟି ପଟ ମୋଟ ୧୨ଟି ରହିଥାଏ । ଉଭୟ ମିଶି ୫୨ ହୋଇଥାଏ । ଏହି ପଟ ନେଇ ବିଭିନ୍ନ ପ୍ରକାରର ଖେଳ ରହିଛି । ଯେପରି – ବାଡ଼ିଆ, ରାନୁ, ସେତୁ, ସିକ୍‌ନେସ୍, ଚୋରି ପଟ ଇତ୍ୟାଦି । ଏହା ଥିଲା “ସାର (ତାସ)” ଖେଳ ।

କ୍ରିକେଟ ଖେଳ”: ଏହି ଖେଳକୁ ଗ୍ରାମର ପିଲାମାନେ ବହୁ ଆନନ୍ଦ ମନରେ ଖେଳୁଥାନ୍ତି । ଏହି ଖେଳରେ ମୋଟ ୨୨ଟି ଖେଳାଳୀ ରହିଥାନ୍ତି ୨ ଗୋଟି ଦଳ ମଧ୍ୟରେ ଖେଳାଯାଏ । ପ୍ରତ୍ୟେକ ଦଳରେ ୧୧ଟି ଖେଳାଳୀ ଥାନ୍ତି । ଏହି ଖେଳରେ ବ୍ୟାଟ, ବଲ ଓ ୱିକେଟ୍‌ର ବ୍ୟବହାର ହୁଏ । ଟସ ଜିତିଥିବା ଲୋକମାନେ/ଦଳ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ନିଷ୍ପତ୍ତି ନିଏ । ବ୍ୟାଟିଂ କରୁଥିବା ଦଳ ଅଧିକରୁ ଅଧିକ ରନ୍ ସଂଗ୍ରହ କରେ ଏବଂ ଅନ୍ୟ ଦଳ ବୋଲିଂ ଓ ଫିଲ୍ଭିଂ କରି ବ୍ୟାଟ ସ୍ମାନଙ୍କୁ ଆଉଟ କରିବାକୁ ଚେଷ୍ଟା କରେ । ଅଧିକ ରନ୍ କରିଥିବା ଦଳ ବିଜୟୀ ହୁଏ । ଏହି ଖେଳ ଶରୀରକୁ ସୁସ୍ଥ ଏବଂ ଦଳୀୟ ମନୋଭାବ, ନେତୃତ୍ୱ ଗୁଣର ବିକାଶ କରିଥାଏ । ଏହା କେବଳ ଖେଳ ନୁହେଁ, ବରଂ ପରିଶ୍ରମ ଏବଂ ଏକତାର ପ୍ରତୀକ ଅଟେ ।

ପରିଶେଷରେ କୁହାଯାଇପାରେ ଯେ, ଗାଁରେ ପିଲାମାନେ ଖେଳୁଥିବା ଖେଳ କେବଳ ସମୟ କାଟିବାର ମାଧ୍ୟମ ନୁହେଁ, ବରଂ ସୁସ୍ଥ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତ ଭିତ୍ତି ସ୍ତମ୍ଭ । ଆମେ ପାରମ୍ପରିକ ଗ୍ରାମୀଣ ଖେଳର ସଂରକ୍ଷଣ କରିବା ସହ ପିଲାମାନଙ୍କୁ ନିୟମିତ ଖେଳକୁଦରେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିବା ଆମର ମୁଖ୍ୟ କର୍ତ୍ତବ୍ୟ ଅଟେ ।

ଗାଁରେ ରାସ୍ତା ଘାଟ ବ୍ୟବସ୍ଥା

ଗ୍ରାମ ଉନ୍ନତିର ଅନେକ ଉପାଦାନ ମଧ୍ୟରୁ ରାସ୍ତା ଘାଟ ବ୍ୟବସ୍ଥା ହେଉଛି ସର୍ବପ୍ରଧାନ । ରାସ୍ତାଘାଟ କେବଳ ଯାତାୟତର ମାଧ୍ୟମ ନୁହେଁ, ଏହା ହେଉଛି ଉନ୍ନତି, ସମୃଦ୍ଧି ଓ ସଭ୍ୟତାର ପ୍ରତୀକ । ପୂର୍ବକାଳରେ ଗ୍ରାମାଞ୍ଚଳର ରାସ୍ତାଘାଟ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିଲା । ଅଧିକାଂଶ ରାସ୍ତା ମାଟିରେ ନିର୍ମିତ ହୋଇଥିବାରୁ ବର୍ଷା ଋତୁରେ ସେଗୁଡ଼ିକ କାଦୁଆ ଓ ପିଚ୍ଛିଳ ହୋଇପଡୁଥିଲା । ଯାତ୍ରୀମାନେ ଅନେକ କଷ୍ଟ ସହି ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଥିଲେ । ଗୋରୁ ଗାଡ଼ି ଓ ସାଇକେଲ ଥିଲା ଯାତାୟତର ପ୍ରମୁଖ ମାଧ୍ୟମ । ବର୍ଷା ହେଲେ ଗ୍ରାମଗୁଡ଼ିକ ପ୍ରାୟତଃ ବାହ୍ୟଜଗତଠାରୁ ବିଚ୍ଛିନ୍ନ ହୋଇଯାଉଥିଲା । ରୋଗୀମାନେ ଚିକିତ୍ସାଳୟରେ ପହଞ୍ଚିବାରେ ବିଳମ୍ବ କରୁଥିଲେ, ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବାରେ ଅସୁବିଧା ଭୋଗ କରୁଥିଲେ ଏବଂ କୃଷକମାନେ ନିଜର ଉତ୍ପାଦିତ ଫସଲ ବଜାରକୁ ନେଇପାରୁନଥିଲେ । କାଳକ୍ରମେ ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ସହିତ ଗ୍ରାମାଞ୍ଚଳର ରାସ୍ତାଘାଟ ବ୍ୟବସ୍ଥାରେ ମଧ୍ୟ ବୈପ୍ଲବିକ ପରିବର୍ତ୍ତନ ଆସିଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ ଫଳରେ ଆଜି ଅଧିକାଂଶ ଗ୍ରାମ ପକ୍କା ସଡ଼କ ଦ୍ୱାରା ସଂଯୁକ୍ତ ହୋଇପାରିଛି । ଗ୍ରାମରୁ ସହର, ବଜାର, ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ପର୍ଯ୍ୟନ୍ତ ସୁଗମ ଯାତାୟାତ ବ୍ୟବସ୍ଥା ଗଢ଼ି ଉଠିଛି । ଆଜିର ଗ୍ରାମ ଆଉ ଅବହେଳିତ ଓ ବିଚ୍ଛିନ୍ନ ନୁହେଁ ; ବରଂ ଏହା ଉନ୍ନତିର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛି ।

ତଥାପି ଆଜି ମଧ୍ୟ କେତେକ ଦୁର୍ଗମ୍ୟ ଓ ପାହାଡ଼ିଆ ଅଞ୍ଚଳରେ ରାସ୍ତାଘାଟ ବ୍ୟବସ୍ଥା ଆଶାନୁରୂପକ ନୁହେଁ । ବର୍ଷା ଋତୁରେ ରାସ୍ତା ଭାଙ୍ଗିଯିବା, ପାଣି ଜମି ରହିବା ଏବଂ ଖାଲଖମା ସୃଷ୍ଟି ହେବା ଯୋଗୁଁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ  ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହିତ ଜନସାଧାରଣଙ୍କର ସହଯୋଗ ଏବଂ ସଚେତନତା ଆବଶ୍ୟକ ।

ପରିଶେଷରେ କୁହାଯାଇପାରେ ଯେ, ରାସ୍ତା ଘାଟ ହେଉଛି ପ୍ରଗତିର ପଥ ଓ ସମୃଦ୍ଧିର ସୋପାନ । ଯେଉଁ ଗ୍ରାମର ରାସ୍ତାଘାଟ ବ୍ୟବସ୍ଥା ଯେତେ ଉନ୍ନତ, ସେହି ଗ୍ରାମ ସେତେ ଉନ୍ନତ, ସମୃଦ୍ଧ ଓ ସଭ୍ୟ । ତେଣୁ ପ୍ରତ୍ୟେକ ଗ୍ରାମରେ ସୁଦୃଢ଼, ପ୍ରଶସ୍ତ ଓ ଗୁଣାତ୍ମକ ରାସ୍ତା ନିର୍ମାଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଗ୍ରାମର ଉନ୍ନତିରେ ଦେଶର ଉନ୍ନତି ନିହିତ ଅଛି ଏବଂ ସେହି ଉନ୍ନତିରେ ପ୍ରଥମ ପଦକ୍ଷେପ ହେଉଛି ରାସ୍ତାଘାଟ ବ୍ୟବସ୍ଥାର ଉନ୍ନତ ।

ସ୍ୱାସ୍ଥ୍ୟ ସମସ୍ୟା:

ଗାଁର ସରଳ ଓ ନିରାଡମ୍ବର ଜୀବନ ମଣିଷକୁ ପ୍ରକୃତିର ନିକଟତର କରିଥାଏ । କିନ୍ତୁ ଆଧୁନିକ ସୁବିଧା ତୁଳନାରେ ସହର ଅପେକ୍ଷା ଗାଁରେ କମ୍ ଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଏ । ଗାଁ ଲୋକମାନେ ଦେହ ଖରାପ ହେଲେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି ଓ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଚେଷ୍ଟା କରନ୍ତି । ଗାଁର କାହାର ଦେହ ଖରାପ ହେଲେ ପ୍ରଥମେ ଘରୋଇ ଉପଚାର କରାଯାଏ । ସାଧାରଣ ଜ୍ୱର, କାଶ, ଥଣ୍ଡା, କିମ୍ବା ପେଟ ଯନ୍ତ୍ରଣା ହେଲେ ଲୋକମାନେ ତୁଳସୀ, ଅଦା, ମହୁ, ହଳଦୀ ଭଳି ପ୍ରାକୃତିକ ଔଷଧ ବ୍ୟବହାର କରନ୍ତି । ଏହାଦ୍ୱାରା ରୋଗ ଭଲ ନହେଲେ ସେମାନେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର, ଡାକ୍ତରଖାନା କିମ୍ବା ଚିକିତ୍ସକଙ୍କ ପରାମର୍ଶ ନିଅନ୍ତି । କେତେକ ଗାଁରେ ଆଜି ମଧ୍ୟ ଲୋକମାନେ କବିରାଜ କିମ୍ବା ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ନିର୍ଭର କରିଥାନ୍ତି । ଗ୍ରାମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ରହିଛି । ଶୁଦ୍ଧ ପାନୀୟ ଜଳର ଅଭାବ ହେତୁ ଡାଇରିଆ, ଜଣ୍ଡିସ ଓ ପେଟ ରୋଗ ଦେଖାଯାଏ । ଅନେକ ସ୍ଥାନରେ ସ୍ୱଚ୍ଛ ପରିବେଶ ଓ ପରିମଳ ବ୍ୟବସ୍ଥା ଅଭାବ ଥିବାରୁ ମଶା ଓ ମାଛି ବଢ଼ିଥାଏ, ଯାହା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର କାରଣ ହୁଏ । ଅନେକ ଗାଁରେ ଡାକ୍ତର, ଔଷଧ ଓ ହସ୍ପିଟାଲ ସୁବିଧା ପର୍ଯ୍ୟାପ୍ତ ନଥାଏ । ଫଳରେ ରୋଗୀଙ୍କୁ ଦୂର ସହରକୁ ଚିକିତ୍ସା ପାଇଁ ଯିବାକୁ ପଡ଼େ । ଅପୌଷ୍ଟିକ ଖାଦ୍ୟ ଗ୍ରହଣ ମଧ୍ୟ ଗାଁର ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଅଟେ । ଦାରିଦ୍ର୍ୟ ଓ ସଚେତନତାର ଅଭାବ ହେତୁ ଅନେକ ଲୋକ ପୌଷ୍ଟିକ ଖାଦ୍ୟ ପାଇପାରନ୍ତି ନାହିଁ । ଏହାର ପ୍ରଭାବରେ ଶିଶୁ ଓ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ଓ କୁପୋଷଣ ଦେଖାଯାଏ । ସେହିପରି ସ୍ୱାସ୍ଥ୍ୟ ସଚେତନତାର ଅଭାବ ହେତୁ ଅନେକ ଲୋକ ସଠିକ ସମୟରେ ଚିକିତ୍ସା କରାଇ ନଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଗାଁରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସଚେତନତାର ପ୍ରଚାର ଆବଶ୍ୟକ । ସରକାର ଓ ସମାଜର ମିଳିତ ପ୍ରୟାସ ଦ୍ୱାରା ହିଁ ଗାଁର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ । ଡାକ୍ତରଖାନା ଗାଁ ନିକଟରୁ ୧ କିଲୋମିଟର ଦୂରରେ କିନ୍ତୁ ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ । କିନ୍ତୁ ୨୦ କିଲୋମିଟର ଦୂରରେ ମୁଖ୍ୟ ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଯାହା ଫଳରେ ନାନା ସମସ୍ୟା ମଧ୍ୟ ସୃଷ୍ଟି ହେଉଅଛି ।

ପରିଶେଷରେ କୁହାଯାଇପାରେ ଯେ, ସୁସ୍ଥ ଗାଁ ହିଁ ସମୃଦ୍ଧ ଦେଶର ଭିତ୍ତି । ତେଣୁ ଗାଁର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ବିକାଶ ଆଜିର ସମୟର ଏକ ମୁଖ୍ୟ ଆବଶ୍ୟକତା ଅଟେ ।

 ଗାଁର ଜୀବନୀକୁ ଲିପିବଦ୍ଧ କରିବା କାହିଁକି ଜରୁରୀ ?

ଗାଁ ଜୀବନୀକୁ ଲେଖିବା ଜରୁରୀ କାରଣ ଏହା ମାଧ୍ୟମରେ ଗାଁର ଇତିହାସ, ପରମ୍ପରା, ସଂସ୍କୃତି, ଲୋକଙ୍କ ଜୀବନ ଏବଂ ବିକାଶର କଥା ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିଥାଏ । ଗାଁର ସମସ୍ୟା, ସଫଳତା, କୃଷି କାର୍ଯ୍ୟ ପର୍ବପର୍ବାଣୀ, ଓ ସାମାଜିକ ଜୀବନ ବିଷୟରେ ଜାଣିବାରେ ଏହା ସହାୟକ ହୋଇଥାଏ । ଗାଁ ଇତିହାସ ଲେଖିବା ଦ୍ୱାରା ଗାଁର ଇତିହାସ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିପାରେ । ଗାଁ କେବେ ସ୍ଥାପିତ ହେଲା, କିଏ ଏହାକୁ ପ୍ରତିଷ୍ଠା କଲେ, ଗାଁର ପୁରାତନ ମନ୍ଦିର, ପୋଖରୀ, ନଦୀ, ପର୍ବପର୍ବାଣୀ ଓ ପାରମ୍ପରିକ ରୀତିନୀତି ସମ୍ପର୍କରେ ଜାଣିବାରେ ଏହା ସହାୟକ ହୁଏ । ଯଦି ଏହି ତଥ୍ୟ ଲେଖା ନଯାଏ, ତେବେ ସମୟ ସହିତ ସେଗୁଡ଼ିକ ଲୋକମାନଙ୍କ ସ୍ମୃତିରୁ ଲୁପ୍ତ ହୋଇଯିବ ।

ଗାଁର ସାମାଜିକ ଓ ଆର୍ଥିକ ଅବସ୍ଥା ବିଷୟରେ ଜାଣିବା ପାଇଁ ମଧ୍ୟ ଗାଁ ଜୀବନୀ ଆବଶ୍ୟକ । ଗାଁର ଲୋକମାନଙ୍କର ମୁଖ୍ୟବୃତ୍ତି, କୃଷି କାର୍ଯ୍ୟ ଓ ଶିକ୍ଷାର ସ୍ଥିତି, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ବିଷୟରେ ତଥ୍ୟ ମିଳିଥାଏ । ଏହି ତଥ୍ୟ ଗାଁର ଉନ୍ନତି ଯୋଜନା ପ୍ରସ୍ତୁତରେ ସହାୟକ ହୁଏ । ଗାଁ ଜୀବନୀ ଗାଁର ସମସ୍ୟା ଓ ସମାଧାନ ସମ୍ପର୍କରେ ମଧ୍ୟ ଧାରଣା ଦେଇଥାଏ । ପିଇବା ପାଣିର ଅଭାବ, ସ୍ୱାସ୍ଥ୍ୟ ସେବାର ଅସୁବିଧା । ବେକାରୀ ସମସ୍ୟା, ଦାଦନ ପ୍ରଥା ଓ ଯାତାୟାତ ସମସ୍ୟା ଭଳି ଅନ୍ୟାନ୍ୟ ଅସୁବିଧାର କାରଣ ଓ ସମାଧାନ ବିଷୟରେ ଜାଣିବାରେ ଏହା ଉପକାରୀ ହୁଏ । ଏହା ଆଧାରରେ ସରକାର ଓ ସମାଜ ସେବୀ ସଂସ୍ଥାମାନେ ଉନ୍ନତି ମୂଳକ କାର୍ଯ୍ୟ କରିପାରନ୍ତି । ଗାଁ ଜୀବନୀ ଲୋକମାନଙ୍କ ମନରେ ନିଜ ଗାଁ ପ୍ରତି ଭଲ ପାଇବା, ଆତ୍ମୀୟତା ଓ ଗର୍ବବୋଧ ସୃଷ୍ଟି କରେ । ନିଜ ଗାଁର ଗୌରବ ମୟ ଇତିହାସ ଓ ସଫଳତା ବିଷୟରେ ଜାଣି ଲୋକମାନେ ଗାଁର ଉନ୍ନତି ପାଇଁ ଆଗ୍ରହୀ ହୁଅନ୍ତି ଏବଂ ଏକତା ଓ ସହଯୋଗର ମନୋଭାବ ବୃଦ୍ଧି ପାଏ ।

ପରିଶେଷରେ କୁହାଯାଇପାରେ ଯେ, ଗାଁ ଜୀବନୀ କେବଳ ଏକ ଲେଖା ନୁହେଁ, ବରଂ ଏହା ଗାଁର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଏକ ମୂଲ୍ୟବାନ ସମ୍ପଦ । ଏହା ଗାଁର ଇତିହାସ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ସହିତ ଗାଁର ସର୍ବାଙ୍ଗୀନ ବିକାଶରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ପ୍ରତ୍ୟେକ ଗାଁର ଜୀବନୀ ଲେଖିବା ଓ ସଂରକ୍ଷଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ।

ଗାଁର ଇତିହାସ ଲେଖିବା ଦ୍ୱାରା ଆମେ ଆମର ପୂର୍ବପୁରୁଷମାନଙ୍କ ଜୀବନ, ସଂସ୍କୃତି ଓ ସେମାନଙ୍କ ଅବଦାନ ବିଷୟରେ ଜାଣିପାରିଲୁ। ଏହାଛଡ଼ା ଗାଁରେ ସମୟ କ୍ରମେ ଘଟିଥିବା ପରିବର୍ତ୍ତନ ଓ ଉନ୍ନତି ବିଷୟରେ ମଧ୍ୟ ଆମେ ଜାଣିପାରିଲୁ । ପୂର୍ବରୁ ଯେଉଁଠାରେ ରାସ୍ତାଘାଟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧାର ଅଭାବ ଥିଲା, ବର୍ତ୍ତମାନ ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି । ଏହି ପରିବର୍ତ୍ତନଗୁଡ଼ିକ ଗାଁର ଅଗ୍ରଗତିର ପରିଚୟ ବହନ କରେ । ପରିଶେଷରେ କୁହାଯାଇପାରେ ଯେ, ଗାଁର ଇତିହାସ ଲେଖିବା ଦ୍ୱାରା ଆମେ ଆମର ଅତୀତକୁ ଜାଣିବା ସହିତ ନିଜ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ରେରଣା ପାଇଲୁ । ଏହା ଆମ ମନରେ ନିଜ ଗାଁ ପ୍ରତି ଭଲ ପାଇବା, ଗର୍ବ ଓ ଦାୟିତ୍ୱ ବୋଧ ସୃଷ୍ଟି କରେ ।

ଗାଁ ହେଉଛି ଆମର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମୂଳ ଭିତ୍ତି । ପ୍ରତ୍ୟେକ ଗାଁର ନିଜସ୍ୱ ଇତିହାସ ରୀତିନୀତି, ପର୍ବପର୍ବାଣୀ ଏବଂ ଜୀବନଶୈଳୀ ରହିଥାଏ । ଏହି ଅମୂଲ୍ୟ ସମ୍ପଦକୁ ପର ପିଢ଼ି ପାଇଁ ସାଇତି ରଖିବା ଅତ୍ୟନ୍ତ ଆବଶ୍ୟକ । ଗାଁର ଇତିହାସ ଓ ସଂସ୍କୃତିକୁ ସଂରକ୍ଷଣ କରିବା ଦ୍ୱାରା ଆଗାମୀ ପିଢ଼ି ନିଜର ମୂଳ ପରିଚୟ ଓ ଐତିହ୍ୟ ବିଷୟରେ ଜାଣିପାରିବେ । ସେମାନେ ନିଜ ପୂର୍ବପୁରୁଷମାନଙ୍କ ଜୀବନଶୈଳୀ, ଆଚାର ବ୍ୟବହାର ଓ ସଂଘର୍ଷମୟ ଜୀବନ ସମ୍ପର୍କରେ ଅବଗତ ହୋଇପାରିବେ । ଏହା ଦ୍ୱାରା ସେମାନଙ୍କ ମନରେ ନିଜ ଗାଁ ଓ ସଂସ୍କୃତି ପ୍ରତି ଭଲ ପାଇବା ଏବଂ ଗର୍ବବୋଧ ସୃଷ୍ଟି ହେବ । ଆଧୁନିକତାର ପ୍ରଭାବରେ ଅନେକ ପୁରାତନ ପରମ୍ପରା, ଲୋକ କଳା ଓ ଲୋକ ସଂସ୍କୃତି ଧୀରେ ଧୀରେ ଲୁପ୍ତ ହେବାକୁ ବସିଛି । ଯଦି ଏଗୁଡ଼ିକୁ ସାଇତି ରଖା ନଯାଏ, ତେବେ ଆଗାମୀ ପିଢ଼ି ସେଗୁଡ଼ିକ ବିଷୟରେ କିଛି ଜାଣିପାରିବେ ନାହିଁ । ତେଣୁ ଗାଁର ଲୋକ ଗୀତ, ଲୋକ କଳା, ପର୍ବପର୍ବାଣୀ ଓ ପାରମ୍ପରିକ ରୀତିନୀତିକୁ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ । ଗାଁର ଇତିହାସ ଓ ସଂସ୍କୃତିକୁ ସାଇତି ରଖିବା ଦ୍ୱାରା ସମାଜରେ ଏକତା, ଭାଇଚାରା ଓ ସହଯୋଗର ଭାବନା ବୃଦ୍ଧି ପାଏ । ଏହା ଆମ ସମାଜକୁ ଶକ୍ତିଶାଳୀ ଓ ସମୃଦ୍ଧ କରିଥାଏ ।

ଗାଁର ସଂସ୍କୃତି ଓ ପରମ୍ପରାକୁ ହେଉଛି ଏକ ଜାତିର ଅମୂଲ୍ୟ ସମ୍ପଦ । ଏହା ଆମ ପୂର୍ବ ପୁରୁଷମାନଙ୍କର ଜୀବନଶେଳୀ, ଆଚାର-ବିଚାର, ପର୍ବପର୍ବାଣୀ, ଲୋକ କଳା, ଓ ରୀତିନୀତିର ପରିଚୟ ବହନ କରେ । ବର୍ତ୍ତମାନର ଆଧୁନିକ ଯୁଗରେ ଏହି ପରମ୍ପରା ଧୀରେ ଧୀରେ ହ୍ରାସ ପାଉଥିବାରୁ ଏହାକୁ ସୁରକ୍ଷିତ ରଖିବାର ଦାୟିତ୍ୱ ଯୁବ ପିଢ଼ିଙ୍କ ଉପରେ ନ୍ୟସ୍ତ ହୋଇଛି । ଯୁବପିଢ଼ି ପ୍ରଥମେ ନିଜ ଗାଁର ଇତିହାସ, ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା ଆବଶ୍ୟକ । ଗାଁର ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଯୋଗ ଦେଇ ସେମାନେ ପରମ୍ପରାକୁ ଜୀବନ୍ତ ରଖିପାରିବ । ସେମାନେ ଗାଁର ବୃଦ୍ଧ ବ୍ୟକ୍ତିମାନଙ୍କଠାରୁ ପୁରାତନ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ କରି ତାହାକୁ ପରବର୍ତ୍ତୀ ପିଢ଼ି ମଧ୍ୟରେ ପ୍ରସାର କରିପାରିବ । ଆଜିର ସମୟରେ ଯୁବପିଢ଼ିଙ୍କର ଅବଦାନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ଗଠନ କରି ସଚେତନତା ସୃଷ୍ଟି କରିପାରିବେ । ଯୁବପିଢ଼ି ହେଉଛନ୍ତି ଆମ ସଂସ୍କୃତି ଓ ପରମ୍ପରାର ପ୍ରକୃତ ରକ୍ଷକ । ସେମାନଙ୍କର ସଚେତନତା, ଆଗ୍ରହ ଓ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଗାଁର ଗୌରବମୟ ସଂସ୍କୃତି ଓ ପରମ୍ପରା ଚିରକାଳ ପାଇଁ ସୁରକ୍ଷିତ ରହିପାରିବ ।

ଆଜିର ଯୁବ ପିଢ଼ି ଗାଁର ଇତିହାସ, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀକୁ ଲିପିବଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛନ୍ତି । ସେମାନେ ଗାଁର ପୁରାତନ କଥା, ଲୋକ କାହାଣୀ, ପର୍ବପର୍ବାଣୀ, ରୀତିନୀତି ଓ ଲୋକ କଳା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ତାହାକୁ ଲେଖା ଆକାର ସଂରକ୍ଷଣ କରୁଛନ୍ତି । ଯୁବକ ଓ ଯୁବତୀମାନେ ଗାଁର ବୟସ୍କ ବ୍ୟକ୍ତିମାନଙ୍କଠାରୁ ପୁରୁଣା ତଥ୍ୟ ସଂଗ୍ରହ କରି ସେଗୁଡ଼ିକୁ ପୁସ୍ତକ ପ୍ରବନ୍ଧ ଓ ନିବନ୍ଧ ମାଧ୍ୟମରେ ଲେଖି ରଖିଛନ୍ତି । ସେମାନେ ଆଧୁନିକ ପ୍ରଯୁକ୍ତିର ସହାୟତାରେ ଗାଁର ଐତିହାସିକ ସ୍ଥାନ, ପୁରାତନ ମନ୍ଦିର, ପୋଖରୀ, ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଛବି ଓ ଭିଡ଼ିଓ ସଂଗ୍ରହ କରି ସଂରକ୍ଷିତ କରୁଛନ୍ତି । ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ୍‌ର ବ୍ୟବହାର କରି ଯୁବପିଢ଼ି ନିଜ ଗାଁର ବିଶେଷତା ଓ ଗୌରବମୟ ପରମ୍ପରାକୁ ଦେଶ ଓ ବିଦେଶରେ ଲୋକଙ୍କ ପାଖକୁ ପହଞ୍ଚାଇ ପାରୁଛନ୍ତି । ଏହାଦ୍ୱାରା ଗ୍ରାମର ପରିଚୟ ଓ ସାଂସ୍କୃତିକ ଐତିହ୍ୟ ଅଧିକ ପ୍ରଚାରିତ ହେଉଅଛି ।

 ଗାଁର ସମସ୍ୟ ସମାଧାନ ପାଇଁ ସୃଜନାତ୍ମକ ପ୍ରସ୍ତାବ:  

ଆମ ଗାଁରେ ପିଇବା ପାଣିର ଅଭାବ, ସ୍ୱାସ୍ଥ୍ୟ ସେବାରେ ଅସୁବିଧା, ବେକାରୀ ସମସ୍ୟା, ପରିବେଶ ପ୍ରଦୂଷଣ ଏବଂ ଶିକ୍ଷା (ହାଇସ୍କୁଲ)ର ଅଭାବ ପରି ଅନେକ ସମସ୍ୟା ରହିଅଛି । ଏହି ସମସ୍ୟା ଗୁଡ଼ିକ ଗ୍ରାମର ବିକାଶରେ ବାଧା ସୃଷ୍ଟି କରୁଛି । ତେଣୁ ଏହାର ସମାଧାନ ପାଇଁ ଏକ ସୁଚିନ୍ତିତ ଏବଂ ସୃଜନାତ୍ମକ ପଦକ୍ଷେପ ଆବଶ୍ୟକ । ମୋର ପ୍ରସ୍ତାବ ହେଉଛି “ଆମ ଗାଁ – ଆମ ଦାୟିତ୍ୱ” ନାମକ ଏକ ଅଭିଯାନ ଆରମ୍ଭ କରାଯାଉ । ଗାଁର ଯୁବକ ଓ ମହିଳା ଶିକ୍ଷକ, ବୃଦ୍ଧ ବ୍ୟକ୍ତିମାନେ ଏକାଠି ହୋଇ ଏହି ଅଭିଯାନ ଗ୍ରାମ ଉନ୍ନତି ପାଇଁ କାର୍ଯ୍ୟ କରିବେ । ପ୍ରତି ମାସରେ ଏକ ସପ୍ତାହ ଗ୍ରାମ ସଫେଇ କାର୍ଯ୍ୟକ୍ରମ ପାଳନ କରାଯାଉ ଏବଂ ପ୍ରତ୍ୟେକ ପରିବାରକୁ ଗୋଟିଏ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯିବ । ପିଇବା ପାଣିର ସମସ୍ୟା ଦୂର କରିବା ପାଇଁ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉ । ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ନିୟମିତ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଉ । ବେକାର ଯୁବକମାନଙ୍କୁ ବିଭିନ୍ନ କୌଶଳ ଓ ସ୍ୱରୋଜଗାର ପ୍ରଶିକ୍ଷଣ ଦିଆଯାଉ । ଗାଁର ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ଏବଂ ହାଇସ୍କୁଲର ସୁବିଧା କରାଯାଉ । ଏହି ଗ୍ରାମମାନଙ୍କର ଉନ୍ନତି ପାଇଁ ‘ଗ୍ରାମସଭା’ ମାଧ୍ୟମରେ ସମସ୍ୟଗୁ଼ଡ଼ିକର ସମାଧାନ ସହିତ ଆଲୋଚନା କରାଯାଉ । ସମସ୍ତଙ୍କର ସହଯୋଗ, ସଚେତନା ଏବଂ ଏକତା ଦ୍ୱାରା ଆମ ଗାଁକୁ ଏକ ସ୍ୱଚ୍ଛ, ସୁନ୍ଦର, ସ୍ୱାବଲମ୍ବୀ ଏବଂ ଆଦର୍ଶ ଗ୍ରାମରେ ପରିଣତ କରାଯାଇପାରିବ । ତେଣୁ ଗାଁର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ଗ୍ରାମବାସୀଙ୍କର ଏକ ସାମୂହିକ ଦାୟିତ୍ୱ ଅଟେ । ଯଦି ଆମେ ସମସ୍ତେ ମିଳିତ ଭାବରେ ପ୍ରୟାସ କରିବା, ତେବେ ଆମ ଗାଁ ନିଶ୍ଚିତ ଭାବରେ ଉନ୍ନତିର ପଥରେ ଆଗେଇ ଯିବ ।

 ଉପସଂହାର:

ଉପସଂହାରରେ କୁହାଯାଇପାରେ ଯେ, ଗାଁ ହେଉଛି ଆମ ଜୀବନର ମୂଳ ଉତ୍ସ, ଆମ ସଂସ୍କୃତିର ଆଧାର ଭୂମି ଏବଂ ଆମ ପରମ୍ପରାର ପବିତ୍ର ପୀଠସ୍ଥଳୀ । ଗାଁର ମାଟିର ଲୁଚି ରହିଛି ଆମ ପୂର୍ବ ପୁରୁଷଙ୍କର ସ୍ମୃତି, ତ୍ୟାଗ ଓ ପରିଶ୍ରମର କାହାଣୀ । ଗାଁର ସବୁଜ ଶସ୍ୟକ୍ଷେତ୍ର, ନିର୍ମଳ ଆକାଶ, ପୋଖରୀର ଶାନ୍ତ ଜଳ ରାଶି ଏବଂ ପକ୍ଷୀମାନଙ୍କର ମଧୁର କୁଞ୍ଜନ ଆମ ମନରେ ଶାନ୍ତି, ଆନନ୍ଦ ଓ ଆତ୍ମୀୟତାର ଭାବନା ଜାଗ୍ରତ କରିଥାଏ । ଗ୍ରାମ ଜୀବନର ସରଳତା, ନିଷ୍କପଟତା ଏବଂ ସହଯୋଗର ମନୋଭାବ ସମାଜକୁ ଏକ ସୁଦୃଢ଼ ବନ୍ଧନରେ ଆବଦ୍ଧ କରିଥାଏ ।

ଆଜି ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ସହିତ ଗ୍ରାମାଞ୍ଚଳରେ ମଧ୍ୟ ନୂତନ ପରିବର୍ତ୍ତନର ପବନ ବହୁଛି । ଶିକ୍ଷା, ଯୋଗାଯୋଗ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଅନେକାଂଶ ଉନ୍ନତି ଘଟିଛି । ତଥାପି ଦାରିଦ୍ର୍ୟ, ବେକାରୀ, ପାନୀୟ ଜଳର ଅଭାବ, ଦାଦନ ସମସ୍ୟା, ସ୍ୱାସ୍ଥ୍ୟ ସେବାର ଅପର୍ଯ୍ୟାପ୍ତତା ଓ ପରିବେଶ ପ୍ରଦୂଷଣ ଭଳି ସମସ୍ୟାଗୁଡ଼ିକ ଆଜି ମଧ୍ୟ ଗାଁର ଉନ୍ନତି ପଥରେ ବାଧକ ସାଜିଛି । ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସରକାରଙ୍କ ସହିତ ସାଧାରଣ ଲୋକଙ୍କର ସକ୍ରିୟ ଅଂଶଗ୍ରହଣ ଓ ସଚେତନତା ଅତ୍ୟନ୍ତ ଆବଶ୍ୟକ । ବିଶେଷ କରି ଯୁବପିଢ଼ିଙ୍କ ଉପରେ ଗ୍ରାମରେ ଉନ୍ନତି ଓ ଐତିହ୍ୟର ସୁରକ୍ଷାର ବଡ଼ ଦାୟିତ୍ୱ ରହିଛି । ସେମାନେ ନିଜ ଜ୍ଞାନ, ପରିଶ୍ରମ ଓ ନୂତନ ଚିନ୍ତାଧାରା ମାଧ୍ୟମରେ ଗାଁର ଉନ୍ନତିରେ ନୂତନ ଦିଗନ୍ତ ସୃଷ୍ଟି କରିପାରିବେ । ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ଉନ୍ନତ କୃଷି ପଦ୍ଧତି, ପରିବେଶ ସୁରକ୍ଷା ଏବଂ ଶିକ୍ଷାର ପ୍ରସାର ମାଧ୍ୟମରେ ସେମାନେ ଏକ ସମୃଦ୍ଧ ଓ ସ୍ୱାବଲମ୍ବୀ ଗ୍ରାମ ଗଠନ କରିପାରିବେ ।

ଶେଷରେ ‘ଗାଁ’ପାଇଁ ଗୋଟିଏ ଛୋଟ କବିତାଟିଏ

“ଗାଁ ଆମର ଜନ୍ମଭୂମି,
ଗାଁ ଆମର ପ୍ରାଣ ।
ତାହାର କୋଳେ ବଢ଼ି ଉଠିଛି,
ପାଇଛି ନୂଆ ଜ୍ଞାନ ।”

“ଶେଷରେ ଏତିକି କଥା କହିବି,
ଗାଁ ଆମର ଅମୂଲ୍ୟ ଧନ ।
ଗାଁର ଉନ୍ନତି, ଗାଁର ପ୍ରଗତି
ହେଉ ଆମ ସମସ୍ତଙ୍କ ସ୍ୱପ୍ନ ।”

ପ୍ରକୃତରେ, “ଆମ ଗାଁ ଆମ ଜୀବନ” କେବଳ ଏକ ସାଂସ୍କୃତିକ ବିଷୟ ନୁହେଁ, ଏହା ଆମର ଭାବନା, ଆମର ଗର୍ବ ଓ ଆମର ଅସ୍ତିତ୍ୱର ପ୍ରତୀକ । ଗାଁର ଉନ୍ନତି ହିଁ ଦେଶର ଉନ୍ନତିର ମୂଳଭିତ୍ତି ଏବଂ ଗ୍ରାମର ସମୃଦ୍ଧି ହିଁ ଜାତିର ସମୃଦ୍ଧିର ପଥକୁ ପ୍ରଶସ୍ତ କରିଥାଏ । ତେଣୁ ଆସନ୍ତୁ, ଆମେ ସମସ୍ତେ ମିଳି ଆମ ଗାଁର ସଂସ୍କୃତି, ପରମ୍ପରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖି ଏକ ସ୍ୱଚ୍ଛ, ସବୁଜ, ସମୃଦ୍ଧ, ସ୍ୱାବଲମ୍ବୀ ଓ ଆଦର୍ଶ ଗ୍ରାମ ଗଠନରେ ନିଜର ଅବଦାନ ରଖିବା । କାରଣ, ଆମ ଗାଁର ପ୍ରଗତି ହିଁ ଆମ ଜୀବନର ପ୍ରଗତି ଓ ଆମ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଦୃଢ଼ ଭିତ୍ତି । ପରିଶେଷରେ ମୁଁ ଗୋଟିଏ କଥା କହିବି ସମସ୍ତଙ୍କୁ ମୋର ସହୃଦୟରୁ ଧନ୍ୟବାଦ ଏବଂ ପ୍ରଣାମ । ମୁଁ ମୋର ଗାଁ ବିଷୟରେ ଲିପିବଦ୍ଧ କରି ନିଜକୁ ଧନ୍ୟ ମନେ କରୁଅଛି ଏବଂ ବହୁତ ଆନନ୍ଦ ମଧ୍ୟ ଅନୁଭବ କରିଛି ଏବଂ କରୁଛି ।

ପରିଶେଷରେ ମୁଁ ମୋର ଗ୍ରାମବାସିନ୍ଦାର କେତେକ ଲୋକମାନଙ୍କୁ ମୋର ଏହି “ଆମ ଗାଁ ଆମ ଜୀବନ” ସାଂସ୍କୃତିକ ବିଷୟ ସମ୍ପର୍କରେ ଜଣାଇଥିଲି ଏବଂ ଲିପିବଦ୍ଧ ହୋଇଥିବା ସମସ୍ତ ବିଷୟବସ୍ତୁକୁ ସେମାନଙ୍କୁ ପଢ଼ାଇ ଶୁଣାଇଥିଲି । ତାହାକୁ ନେଇ ଗ୍ରାମବାସୀମାନେ ବହୁତ ଆନନ୍ଦିତ ମନେ କରିଥିଲେ ଏବଂ ଆର୍ଶୀବାଦ ମଧ୍ୟ ଦେଇଥିଲେ ଜୀବନ ପଥରେ ସଫଳ ହୋଇ ଖୁସିରେ ରହିବା ପାଇଁ ।

(ସେମାନଙ୍କୁ ଶୁଣାଉଥିବା ସମୟର ଏକ ଚିତ୍ର ନିମ୍ନରେ ପ୍ରଦତ୍ତ):

 

 

 

Share This Article
Student Historian