ଇତିହାସ ଆମକୁ ଦୁଇଟି କଥା କହେ – ପ୍ରଭାବଶାଳୀ ବ୍ୟକ୍ତିମାନେ ପ୍ରଭାବଶାଳୀ ଅଞ୍ଚଳରୁ ଆସିଥାନ୍ତି । ଇତିହାସର ଏହି ଉଚ୍ଚାରଣରେ କଥାଟା ଭୁଲ ହୋଇଯାଏ । ଦ୍ୱିତୀୟ କଥାଟି ହେଉଛି କେତେକ ପ୍ରଭାବଶାଳୀ ବ୍ୟକ୍ତି ନିଜର ମହତ୍ୱବଳରେ ସାଧାରଣ ସ୍ଥାନକୁ ବି ପ୍ରଭାବଶାଳୀ କରିପାରନ୍ତି । ଉକ୍ତ ମନ୍ତବ୍ୟଟି ଯଥେଷ୍ଟ ପ୍ରଭାବଶାଳୀ ଜଣେ ଓଡ଼ିଆ ପ୍ରାଣକୁ ଚିହ୍ନିବା ପାଇଁ ।
ଚାଳଘର, ବର୍ଷାଦିନେ ଚାଳରୁ ଗଳୁଥିବା କସରା ପାଣି ଖାଲୁଆ ଅଗଣାରେ ସୃଷ୍ଟିକରେ ଜାହ୍ନବୀର ଭ୍ରମ । କାଦୁଆ ଦୁଆରରେ ବହୁବାର କଚଡ଼ା ଖାଇ ହାଡ଼ ମଜବୁତ ହୋଇଥିବା ପିଲାଟି ସ୍ୱପ୍ନର ଭିଟାମାଟିକୁ ସରଗପୁରୀ ମନେକରେ । ମନେପଡ଼ିଯାଏ ସଚ୍ଚିରାଉତରାୟଙ୍କ କବିତା ‘ଛୋଟ ମୋର ଗାଁ’ଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି’ । ସେଇ ଭିଟାମାଟିରେ ପିଲାଟିର ରହିଛି ଶୈଶବର ମଧୁବୋଳା ସ୍ମୃତି । ସେଇ ଭିଟାମାଟି ତା ପାଇଁ ଶିଶୁଶଯ୍ୟା, ଯୌବନର ଉପବନ, ବାର୍ଦ୍ଧକ୍ୟର ବାରଣାସୀ । ଜଣେ ଭବିଷ୍ୟଦ୍ରଷ୍ଟା ଭାବରେ ଯିଏ କହିଥିଲେ ମାଟି ଓ ଚାଳ ଘର ଆଉ ଦେଖିବାକୁ ପାଇବି ନାହିଁ । ତାହାହିଁ ସତ୍ୟ ହେଲା, ଭିଟାମାଟି ହୃତ୍ପିଣ୍ଡ ଉପରେ “ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ” ନାମ ବହନ କରି ଏବେ ଦଣ୍ଡାୟମାନ ଦ୍ୱିତଳ ପ୍ରାସାଦ । ବକ୍ଷରେ ଧାରଣ କରିଛି ‘ ସୌଦାମିନୀ ପାଠାଗାର ’ ଓ ପାଠାଗାର ସଭାକକ୍ଷ । ପ୍ରବେଶ ପଥରେ ରହିଛି ସେଦିନ ଭବିଷ୍ୟବାଣୀ କରିଥିବା କାଳଜୟୀ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ୱ ବିହାରୀ’ର ଅନନ୍ୟ ସ୍ରଷ୍ଟା ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କ ଆବକ୍ଷ ପ୍ରତିମୂର୍ତ୍ତି ।
ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ପ୍ରତି ଉତ୍କର୍ଣ୍ଣ ନୁହେଁ; ହାତ ଠାରି ଡାକୁଛନ୍ତି ସାହିତ୍ୟ ଓ ସଂସ୍କୃତି ଅନୁରାଗୀ ସମୁଦାୟଙ୍କୁ- ଆସ, ସାମିଲ ହୁଅ ସାହିତ୍ୟ ସ୍ରୋତରେ; ଓଡ଼ିଆତ୍ୱ ବଜାୟ ରଖ; ଭାଷା ବଞ୍ଚାଅ; ଶୁଦ୍ଧ ଓଡ଼ିଆ କୁହ। ଏବେ ସେ ବଞ୍ଚିଥିଲେ କ୍ଷୋଭ ପ୍ରକାଶ କରିଥାନ୍ତେ ଓଡ଼ିଆ ଭାଷାଭାଷୀଙ୍କ ଓଡ଼ିଆ ଉଚ୍ଚାରଣ ଶ୍ରବଣ କରି । ଏ ସଂପର୍କରେ ଫକୀରମୋହନଙ୍କ ଧାଡ଼ିଏ କବିତା ମନେପଡ଼ିଯାଏ-
“ପଢ ଇଂରାଜୀ କିଛି ଯାଏ ଆସେ ନାହିଁ
କିନ୍ତୁ ବାବୁ କାମକର ଜାତିକୁଳ ଚାହିଁ।
ଘୃଣା କର ନିଜ ମାତୃଭାଷା କହିବାକୁ
ହାଏ, ହାଏ! ଲାଜ କଥା କହିବି କାହାକୁ।”
ତାଙ୍କର ମାନସ ସନ୍ତାନ ‘ସଂସାର’ ପତ୍ରିକାର “ଶୁଦ୍ଧ ପଠନ, ଶୁଦ୍ଧ ଲିଖନ” ପୃଷ୍ଠା ଏ ସଂପର୍କରେ ଯଥେଷ୍ଟ ସୂଚନା ପ୍ରଦାନ କରେ।
ପ୍ରାଥମିକ ଶିକ୍ଷାବେଳକୁ ରାମକୃଷ୍ଣ ନନ୍ଦଙ୍କୁ ମାତ୍ର ସାତ ବର୍ଷ ହୋଇଥିଲା। ଓଡ଼ିଆ ଘରର ପୁଅମାନେ ଝିଅଙ୍କ ଭଳି ହାତରେ ବଳା, ବାହୁରେ ଅନନ୍ତବ୍ରତ, କାନରେ ନୋଳୀ, ଅଣ୍ଟାରେ ଅଣ୍ଟାସୂତା ପିନ୍ଧୁଥିଲେ। ପରିଚ୍ଛଦ ଥିଲା ଖଦି ଚାଦର ବା ଗାମୁଛା। ଜେଜୀମା’ଙ୍କ ସହ ପାଠ ପଢ଼ିବାକୁ ଯାଉଥିଲେ ଚାହାଳି ଅବଧାନଙ୍କ ପାଖକୁ। ଗାଁ ଗଣ୍ଡାରେ ସେତେବେଳେ ଛପା ବହି ନଥିଲା; ତାଳପତ୍ର ପୋଥିର ପ୍ରଭାବ ଥିଲା। ତାଙ୍କ ଗାଁରେ ପଡ଼ିଥାଏ ବନ୍ଦୋବସ୍ତ କ୍ୟାମ୍ପ। କ୍ୟାମ୍ପର କେହି ଜଣେ କର୍ମଚାରୀ ତାଙ୍କ ଘରକୁ ଆସି ନନ୍ଦକିଶୋର ବଳଙ୍କର ‘ନାନାବାୟା ଗୀତ’ ବହି ଖଣ୍ଡେ ଦେଇଥିଲେ। ପିତାଙ୍କ କାଗଜପତ୍ର ଭିତରୁ ପାଇଲେ ଖଣ୍ଡେ ପୁରୁଣା ବହି, ‘କବିତାବଳୀ’। ସେ ବହିରେ କବିବର ରାଧାନାଥ ରାୟଙ୍କର ଏକ ଉଦବୋଧନୀ କବିତା ତାଙ୍କ ଦୃଷ୍ଟିକୁ ଆସିଲା। ସେଥିରୁ ଧାଡ଼ିଏ- “ଉଠ ଉଠ ଆହେ ସମଯୋଦ୍ଧାଗଣ, କରେ କରବାଳ ପଶ ସମରେ”- ତାଙ୍କର ପଦ୍ୟମୟ ପ୍ରାଣକୁ ଯୋଗାଇଥିଲା ବୌଦ୍ଧିକ ଖାଦ୍ୟ । ଏହି ଦୁଇଖଣ୍ଡ ବହି ଥିଲା ତାଙ୍କର ଶୈଶବ କାଳର ପୁଞ୍ଜି, ଯାହାର ପ୍ରଭାବ ଉତ୍ତର ଜୀବନରେ ତାଙ୍କୁ କରିଥିଲା ସାହିତ୍ୟମନସ୍କ ଓ କବିତାମନସ୍କ।
କଟକର ରେଭେନ୍ସା କଲିଜିଏଟ୍ ସ୍କୁଲରେ ସେ ମାଟ୍ରିକ ପଢ଼ୁଥାନ୍ତି। ସେ ସମୟରେ ଗାନ୍ଧୀଜୀଙ୍କ ଆହ୍ୱାନରେ ଅସହଯୋଗ ଆନ୍ଦୋଳନ ଜୋରଦାର ଭାବେ ଚାଲିଥିଲା। ଗାନ୍ଧୀଜୀଙ୍କ ବାର୍ତ୍ତାକୁ ଗୋପବନ୍ଧୁ ଦାସ ଓଡ଼ିଶାରେ ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ସଭାମାନ ଅନୁଷ୍ଠିତ କରାଉଥାନ୍ତି । କଟକର ତିନିକୋଣିଆ ବଗିଚାରେ ଗୋପବନ୍ଧୁଙ୍କ ପ୍ରଭାବଶାଳୀ ଭାଷଣ ଶୁଣି ରାମକୃଷ୍ଣ ନନ୍ଦ ବେଶ ପ୍ରଭାବିତ ହୋଇଥିଲେ। ତାଙ୍କ କାନରେ ପକେଇ ଦିଆଯାଇଥିଲା –
“ଅନ୍ୟାୟ ଅନୀତି ପାପ ଅତ୍ୟାଚାର
ମାନେ ଅବଶେଷେ ସତ୍ୟ ପାଶେ ହାର।
ଆଧ୍ୟାତ୍ମିକ ବଳେ ଲାଗିଛି ଲଢାଇ
ଭାଙ୍ଗିବାକୁ ପଶୁବଳରେ ବଡ଼ାଇ।
ପଡ଼ିଲେ ସମିଧ ଆହୁତି ଅନଳେ
ନ ଲିଭି ସେ ପୁଣି ଦାଉ ଦାଉ ଜଳେ।
ପଦାଘାତେ କେହି କଲେ ନାଗଚୂଳେ,
ନାଗ କି ପଳାଏ ପରାଣ ଆକୁଳେ!”
ଏଭଳି ଉଦବୋଧନ ତାଙ୍କ ଭିତରେ ଖୁନ୍ଦି ଦେଇଥିଲା ଆତ୍ମବଳ । ପାଠ ପଢ଼ା ଅପେକ୍ଷା ଦେଶପ୍ରେମର ମାଦକତା ତାଙ୍କୁ ବେଶି ଘାରିଥିଲା। ଗୋପବନ୍ଧୁଙ୍କ ଅଗ୍ନିବର୍ଷୀ ଭାଷଣ ଶୁଣିବା ପରଦିନ ଶ୍ରେଣୀ ବର୍ଜନ କରି ରାମକୃଷ୍ଣ ଓହ୍ଲାଇ ପଡ଼ିଲେ ରାଜରାସ୍ତାକୁ। ସହପାଠୀଗଣ ଯୋଗଦେଲେ। ପ୍ୟାରୀମୋହନ ଏକାଡେମୀ, ଭକ୍ତମଧୁ ବିଦ୍ୟାପୀଠ, ସୟେଦ ସେମିନାରୀ ଆଦି ବିଦ୍ୟାଳୟମାନଙ୍କୁ ଯାଇ ଡାକରା ଦେଲେ। ସବୁ ଛାତ୍ର ମଧ୍ୟ ଯୋଗଦାନ କଲେ। ପିଲାମାନଙ୍କର ଆନ୍ଦୋଳନ କରିବାର ଖବର ପାଇ ଗୋପବନ୍ଧୁ ସେମାନଙ୍କ ନିକଟରେ ପହଞ୍ଚି “କାହିଁକି ଆନ୍ଦୋଳନ କରୁଛ?” ବୋଲି ପଚାରିବାରୁ ରାମକୃଷ୍ଣ କହିଲେ-“ଆମେ ଇଂରେଜ ସରକାରଙ୍କ ବିଦ୍ୟାଳୟରେ ପଢ଼ିବୁ ନାହିଁ; ଜାତୀୟ ବିଦ୍ୟାଳୟରେ ପଢ଼ିବୁ।
ସେଇଦିନ ସନ୍ଧ୍ୟାରେ ପଢ଼ାଘରେ ପଢ଼ୁଥିବା ସମୟରେ ତାଙ୍କ କାନରେ ପଡ଼ିଲା-“ଭାରତଜନନୀ ତେରୀ ଜୟ, ତେରୀ ଜୟ ହୋ।” ଝରକା ଫାଙ୍କରେ ଦେଖିଲାବେଳେ ଦେଖିଲେ ଶବବାହକମାନେ ଏହି ନାରା ଦେଇ ଯାଉଛନ୍ତି। ବୁଝିବାକୁ ମିଳିଲା, ସେ ଶବ ଥିଲା ଜଣେ ସ୍ୱେଚ୍ଛାସେବୀଙ୍କର। ଦେଶ ପାଇଁ ଲଢ଼ୁଥିବା ସ୍ୱେଚ୍ଛାସେବୀମାନଙ୍କର ଅନ୍ତିମଯାତ୍ରାରେ “ରାମନାମ ସତ୍ୟ ହୈ” ପରିବର୍ତ୍ତେ “ଭାରତଜନନୀର ଜୟଗାନ” କରାଯାଉଥିଲା, କାରଣ ସେ ବ୍ୟକ୍ତି ଥିଲେ ଦେଶମାତୃକା ପାଇଁ ଉତ୍ସର୍ଗୀକୃତ ପ୍ରାଣ। ତ୍ରୈମାସିକ ପରୀକ୍ଷା ପରେ ରାମକୃଷ୍ଣ ସ୍ୱରାଜ ଆଶ୍ରମକୁ ଯାଇ କଂଗ୍ରେସ ସେବାଦଳରେ ଯୋଗଦାନ କରି ଆଶ୍ରମବାସୀ ପାଲଟିଗଲେ। ସୂତା କଟାଠାରୁ ଆରମ୍ଭ କରି ଆଶ୍ରମର ବୋଲହାକ ସହ ପ୍ରଚାର କାର୍ଯ୍ୟରେ ମାତିଗଲେ। ପରେ ଜଗତସିଂହପୁରର ଅଳକା ଆଶ୍ରମର ଅନ୍ତେବାସୀ ସାଜି ଭାଗୀରଥୀ ମହାପାତ୍ର, ପ୍ରାଣକୃଷ୍ଣ ପଢ଼ିଆରୀ, ନବକୃଷ୍ଣ ଚୌଧୁରୀ ପ୍ରଭୃତିଙ୍କ ସାନିଧ୍ୟରେ ଆସିଲେ। ଜଗତସିଂହପୁରର ପୁନଙ୍ଗ ଗ୍ରାମର ଜାତୀୟ କବି ବୀରକିଶୋର ଦାସଙ୍କ ‘ମୋହନବଂଶୀ’ କବିତା ତାଙ୍କ ଉପରେ ଗଭୀର ରେଖାପାତ କରିଥିଲା।
ଏକଦା ସ୍ୱରାଜ ଆଶ୍ରମର ଔଷଧାଳୟର ବାରଣ୍ଡାରେ ବସିଥିଲେ। ସେଇ ସମୟରେ ପଞ୍ଚସଖା ଯୁଗର ମୂର୍ଦ୍ଧନ୍ୟ ପ୍ରତିଭା ପଣ୍ଡିତ ନୀଳକଣ୍ଠ ଦାସ ଘୋଡ଼ାଗାଡ଼ିରୁ ଓହ୍ଲାଇ ଆଶ୍ରମର କାର୍ଯ୍ୟକର୍ତ୍ତାଙ୍କୁ ପଚାରିଲେ, “କ’ଣ, କେମିତି ଚାଲିଛି?” ଡାକ୍ତର ଅଟଳବିହାରୀ ଆଚାର୍ଯ୍ୟଙ୍କ ସହ ଆଶ୍ରମ ସମ୍ପର୍କୀୟ କଥା ହୋଇ ଫେରିଯିବା ସମୟରେ ଆଚାର୍ଯ୍ୟ କହିଲେ, “ଏ ପିଲାଟାକୁ ସାଙ୍ଗରେ ନେଇଗଲେ ଭଲ ହୁଅନ୍ତା? ଭଲ ପଢ଼ାଶୁଣା କରୁଥିଲା। ପାଠପଢ଼ା ଛାଡ଼ି କଂଗ୍ରେସରେ ମିଶିଛି। ୟାକୁ ତୁମ ଜାତୀୟ ବିଦ୍ୟାଳୟରେ ଭର୍ତ୍ତି କରିଦିଅ; ନେଇଯାଅ।”
ରାମକୃଷ୍ଣଙ୍କ ବାହୁ ଧରି ନୀଳକଣ୍ଠ କହିଲେ, “ଆସ, ଘୋଡ଼ାଗାଡ଼ିରେ ବସ; ଆସ, ମୋ ସାଥିରେ।” ସେଇ ଦିନଠାରୁ ସେ ହୋଇଗଲେ ସତ୍ୟବାଦୀ ଜାତୀୟ ବନବିଦ୍ୟାଳୟର ଛାତ୍ର ।
ବନବିଦ୍ୟାଳୟର ଛାତ୍ର ଭାବେ ସେ ପ୍ରଭାବିତ ହୋଇଥିଲେ ତାଙ୍କୁ ଶିକ୍ଷାଦାନ କରୁଥିବା ଜ୍ଞାନଗର୍ଭ ଶିକ୍ଷକମଣ୍ଡଳୀଙ୍କ ଦ୍ୱାରା। ସେ ଶିକ୍ଷକମାନଙ୍କର ପ୍ରବୃତ୍ତି ଥିଲା ମଣିଷ ଗଢ଼ିବା। ତଦନୁଯାୟୀ ସେମାନେ ପିଲାମାନଙ୍କ ଭିତରେ ଅନ୍ତଃକ୍ଷେପଣ କରୁଥିଲେ ଜ୍ଞାନ-ବୀଜ। ଶିକ୍ଷକଙ୍କ ଭାବାବେଗ ଛାତ୍ରମାନଙ୍କୁ ପାଠ ପଢ଼ିବା ପାଇଁ ଆକର୍ଷିତ କରୁଥିଲା। ଶିକ୍ଷକଙ୍କ ଶକ୍ତି ସଂଚରିତ ହେଉଥିଲା ଛାତ୍ର ପ୍ରାଣରେ। ଏହା ଥିଲା “ଶକ୍ତି ସଂଚରଣ (Transmission of Power)”ର ଅନନ୍ୟ ପ୍ରକ୍ରିୟା। ସତ୍ୟବାଦୀର ଛାତ୍ର ଉତ୍ତର ଜୀବନରେ ଜଣେ ନିଷ୍ଠାବାନ୍ ପ୍ରଧାନଶିକ୍ଷକ ହୋଇ ସମାଜର ପ୍ରତି କ୍ଷେତ୍ରରେ ପରିବ୍ୟାପ୍ତ କରିଚାଲିଲେ ନିଜର ଶୈକ୍ଷିକ ଦୃଷ୍ଟିକୋଣ। ପ୍ରଥମେ ବାଙ୍କୀ, ପରେ ବାରିପଦା ଏବଂ ତତଃପରେ ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ଯୋଗଦାନ କଲେ। ତାଙ୍କର ଶିକ୍ଷାଦାନ ପଦ୍ଧତି, ପ୍ରଶାସନିକ ଦୃଷ୍ଟିକୋଣ, କାର୍ଯ୍ୟଦକ୍ଷତା, ଛାତ୍ରବତ୍ସଳତା, ସହକର୍ମୀମାନଙ୍କ ପ୍ରତି ଉଦାର ମନୋଭାବ, ପରିଚାଳନା କମିଟି ପ୍ରତି ସମୟାନୁବର୍ତ୍ତିତା ଓ ନୀତିନିଷ୍ଠତା ଆଦି ତାଙ୍କୁ ଜଣେ ଦକ୍ଷ ପ୍ରଧାନଶିକ୍ଷକ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କଲା। ସେ ପାଲଟିଗଲେ ସର୍ବଜନମାନ୍ୟ ଶିକ୍ଷକ, କେବଳ ବିଦ୍ୟାଳୟର ନୁହେଁ, ସମାଜର।
ଭିଙ୍ଗାରପୁର ବକ୍ରେଶ୍ୱର ଉଚ୍ଚବିଦ୍ୟାଳୟ ସ୍ଥାପିତ ହୋଇଥିଲା ଭିଙ୍ଗାରପୁରର ଜମିଦାର ଗଙ୍ଗାଧର ଚୌଧୁରୀ ଓ ତାଙ୍କ ବଂଶଜମାନଙ୍କ ଦ୍ୱାରା। ବାରିପଦାରୁ ଆସି ରାମକୃଷ୍ଣ ନନ୍ଦ ବକ୍ରେଶ୍ୱର ହାଇସ୍କୁଲରେ ଯୋଗଦାନ କଲେ। ତତ୍କାଳୀନ ଡି.ପି.ଆଇ. ଶ୍ୟାମଚନ୍ଦ୍ର ତ୍ରିପାଠୀ ରାମକୃଷ୍ଣ ନନ୍ଦଙ୍କୁ ରେଭେନ୍ସା କଲିଜିଏଟ୍ ସ୍କୁଲକୁ ନେବା ପାଇଁ ଇଚ୍ଛୁକ ଥିଲେ। କିନ୍ତୁ ଗଙ୍ଗାଧର ଚୌଧୁରୀ ତାଙ୍କୁ ନିଜ ସ୍କୁଲ ଭିଙ୍ଗାରପୁରକୁ ଆଣିଲେ। ଏ ପ୍ରସଙ୍ଗରେ ଶ୍ୟାମଚନ୍ଦ୍ର ତ୍ରିପାଠୀ ଗଙ୍ଗାଧର ବାବୁଙ୍କୁ କହିଥିଲେ – “You have snatched a gem from the Department.” ବିଦ୍ୟାଳୟରେ ଛାତ୍ରାବାସ ଥିଲା ଏବଂ ଦୂର ପିଲାମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯାଉଥିଲା। ଥରେ ଚୌଧୁରୀ ବଂଶର ଜଣେ ଅଭିଯୋଗ କଲେ, “ବାହାର ପିଲାମାନଙ୍କୁ ହଷ୍ଟେଲରେ ରଖୁଛନ୍ତି, ଅଥଚ ଆମେ ଖର୍ଚ୍ଚ କରି ସ୍କୁଲ ଗଢ଼ିଲୁ, ଆମ ପିଲାଙ୍କୁ ସ୍ଥାନ ଦେଉନାହାନ୍ତି।” ରାମକୃଷ୍ଣ ନନ୍ଦ ଉତ୍ତରରେ କହିଲେ, “ଆପଣ ସ୍କୁଲ ଗଢ଼ିଛନ୍ତି, ସତ୍ୟ କିନ୍ତୁ ଏହା କ’ଣ କେବଳ ଆପଣଙ୍କ ପିଲାଙ୍କ ପାଇଁ? ଆପଣଙ୍କ ପିଲା ତ ଘରୁ ଖାଇପିଇ ଆସିପାରିବେ; କିନ୍ତୁ ବାହାର ପିଲାମାନେ ରହିବେ କେଉଁଠି?” ରାମକୃଷ୍ଣ ନନ୍ଦଙ୍କ କଥାକୁ ଗଙ୍ଗାଧର ଚୌଧୁରୀଙ୍କର ନୀରବ ସମର୍ଥନ ମିଳିଲା ଏବଂ ଛାତ୍ରାବାସରେ ବାହାର ପିଲାମାନଙ୍କୁ ହିଁ ସ୍ଥାନ ଦିଆଗଲା। ନିର୍ଭୀକ, ସ୍ପଷ୍ଟବାଦୀ, ଦୂରଦୃଷ୍ଟିସମ୍ପନ୍ନ ରାମକୃଷ୍ଣ ନନ୍ଦଙ୍କ ବ୍ୟକ୍ତିତ୍ୱର ଜୟଗାନ ସବୁଠାରେ କରାଗଲା । ସେ ଯେଭଳି ସମୟାନୁବର୍ତ୍ତୀ ଥିଲେ, ସେଭଳି ଥିଲେ ଛାତ୍ରବତ୍ସଳ। ସହକର୍ମୀମାନଙ୍କ ପାଇଁ ତାଙ୍କର ଦରଦୀ ହୃଦୟ ଥିଲା ସଦା ଉନ୍ମୁକ୍ତ । ପରିଚାଳନା ସମିତିର ମନମାନି ତାଙ୍କ ପାଖରେ ହାର ମାନିଥିଲା। ଚୌଧୁରୀ ବଂଶର ଅଭିଯୋଗକାରୀଙ୍କୁ ସେ କହିଲେ, “ବାହାର ପିଲାମାନଙ୍କ ଦରମାରେ ସ୍କୁଲ ଚାଲିଛି। ସେମାନଙ୍କ ସଂଖ୍ୟା ୯୦ ହେବାବେଳେ ଆପଣଙ୍କ ପିଲାମାନଙ୍କ ସଂଖ୍ୟା ଦଶ ଶତାଂଶ ମଧ୍ୟ ନୁହେଁ।” ରାମକୃଷ୍ଣ ନନ୍ଦ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ ଏବଂ ଅଭିଯୋଗକାରୀଙ୍କ ଅଭିଯୋଗ କୌଣସି କାମ କରିପାରିଲା ନାହିଁ।
ଅନେକ ପୁସ୍ତକର ରଚନା ଓ ଅନୁବାଦ, ‘ଝୁମୁକା’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ‘ସଂସାର’ ପତ୍ରିକାର ପ୍ରକାଶନ, ପାଠ୍ୟପୁସ୍ତକରେ ତାଙ୍କ ଲେଖାମାନଙ୍କ ସ୍ଥାନ, ଏହି ସବୁ ତାଙ୍କ ସାରସ୍ୱତ ସାଧନାର ମହାର୍ଘ ଦସ୍ତାବିଜ। ତାଙ୍କର କାଳଜୟୀ ପ୍ରାର୍ଥନା; “ଆହେ ଦୟାମୟ ବିଶ୍ୱବିହାରୀ” କେବଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୁହେଁ, ସନ୍ଧ୍ୟାବେଳେ ଭକ୍ତପ୍ରାଣ ଗଣ ମଧ୍ୟ ବିଶ୍ୱକର୍ତ୍ତାଙ୍କ ମହିମ୍ନ ସ୍ତବ ଭାବରେ ଗାନ କରି ଜୀବନକୁ କୃତାର୍ଥ ମଣିଥାନ୍ତି। ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ସମୟରେ ଏକଦା ସେ ଭଦ୍ରକରେ ରାତ୍ରିରହଣୀ କରିଥିଲେ। ସନ୍ଧ୍ୟା ପ୍ରାର୍ଥନା ସଭାରେ ଜଣେ ଓଡ଼ିଆ ରାମକୃଷ୍ଣ ନନ୍ଦଙ୍କ ଏହି ପ୍ରାର୍ଥନାଟି ଗାନ କରିଥିଲେ ଏବଂ ଗାନ୍ଧୀଜୀ ବିଶେଷ ପ୍ରଭାବିତ ହୋଇ ପ୍ରାର୍ଥନାଟିକୁ ତାଙ୍କ ଆଶ୍ରମ ଭଜନାବଳୀରେ ସ୍ଥାନ ଦେଇଥିଲେ, ଯାହା ସାବରମତୀ ଆଶ୍ରମରେ ନିତ୍ୟ ପାଠ କରାଯାଏ। ସେ କେବଳ ସାଧାରଣ ପ୍ରାର୍ଥନା ନୁହେଁ; ତାହା ହେଉଛି ଈଶ୍ୱରଙ୍କ ଅଭିଷେକ ବାଙ୍ମୟିତାରେ ।
ମୁଖ୍ୟତଃ ତିନୋଟି କାରଣରୁ ବ୍ୟକ୍ତି ସମାଜର ଅଗ୍ରପୂଜ୍ୟ ହୋଇଥାଏ; ବ୍ୟକ୍ତିତ୍ୱ, ଜ୍ଞାନ ଓ ସାମାଜିକ ଅଙ୍ଗୀକାରବଦ୍ଧତା। ଏହି ତିନୋଟି ଯାକ ଗୁଣ ରାମକୃଷ୍ଣ ନନ୍ଦଙ୍କ ପାଖରେ ମହଜୁଦ ଥିଲା। ଦୃଢ଼, ସତ୍ୟବାଦୀ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଓ ନିରପେକ୍ଷ ବ୍ୟକ୍ତି ଭାବେ ତାଙ୍କ ବ୍ୟକ୍ତିତ୍ୱର ଔଜଲ୍ୟ ବେଶ୍ ଝଟକୁଥିଲା। ରେଭେନ୍ସା କଲେଜିଏଟ୍ ଓ ପରବର୍ତ୍ତୀ ସମୟରେ ସତ୍ୟବାଦୀ ଜାତୀୟ ବନବିଦ୍ୟାଳୟରେ ଛାତ୍ର ଥାଇ ଯେଉଁ ମୂର୍ଦ୍ଧନ୍ୟ ପ୍ରତିଭାସମ୍ପନ୍ନ ଓ ଜ୍ଞାନଦୀପ୍ତ ଶିକ୍ଷକମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ, ସେମାନେ ତାଙ୍କୁ କରିଦେଲେ ଜ୍ଞାନଦୀପ୍ତ। ତାଙ୍କ ଶାଣିତ ଜ୍ଞାନ ବ୍ୟୟିତ ହେଲା “ମଣିଷ ତିଆରି କାରଖାନା”ରେ। ସାମାଜିକ ଅଙ୍ଗୀକାରବଦ୍ଧତା ତାଙ୍କର ଛତ୍ରେଛତ୍ରେ ଫୁଟିଉଠିଥିଲା; ଭଲ ମଣିଷ ଗଢ଼ିବା, ଭଲ ପରିବାର ଗଢ଼ିବା, ଭଲ ଛାତ୍ର ତିଆରି କରିବା, ଭଲ ସାହିତ୍ୟ ରଚନା କରିବା, ଦେଶପାଇଁ ପାଠପଢ଼ା ବେଳୁ ଲଢ଼ିବା, ଏସବୁ ସମାଜର ଉଚ୍ଚକୋଟୀର ଚିନ୍ତାଧାରାସମ୍ପନ୍ନ ବ୍ୟକ୍ତିତ୍ୱଙ୍କ କର୍ମକାଣ୍ଡ। “କର୍ମବାଦ (Karmic Theory)”ରେ ଅଖଣ୍ଡ ବିଶ୍ୱାସ ରଖିଥିବା ରାମକୃଷ୍ଣ ନନ୍ଦ ମାଟିମନସ୍କ, ଶିକ୍ଷାମନସ୍କ ଓ ସାହିତ୍ୟମନସ୍କ ହୋଇ ପାଲଟିଗଲେ ପୁଣ୍ୟାତ୍ମା। ସେ ବିଶ୍ୱାସ କରୁଥିଲେ, ନିଜ କର୍ମ ହିଁ ନିଜକୁ ଗଢ଼େ; କୁକର୍ମର ଫଳକୁ ବ୍ରହ୍ମା, ହରି-ହର ମଧ୍ୟ ଏଡ଼େଇ ପାରିବେନି। ସାମାନ୍ୟତମ ତ୍ରୁଟି ପାଇଁ ମଧ୍ୟ ଦଣ୍ଡ ରହିଛି। ମନେ ପଡ଼ିଯାଏ-
“ଆପଣା କଲା କର୍ମନର,
ଏଡ଼ି ନପାରେ ତା ବ୍ରହ୍ମା ହରିହର।
ଧର୍ମ ନିକିତିରେ ହୁଅଇ ତଉଲ
ପରମାଣୁ ତହିଁ ଯାଏ ନାହିଁ ଭୁଲ।”
ଧର୍ମଭୟ ରଖି କର୍ମ କରିଚାଲିଲେ ଅଗ ଗୋଡ଼ରେ କଣ୍ଟା ବାଜେନାହିଁ, ଅଭାବ ବାଧେନାହିଁ, ପ୍ରତିବନ୍ଧକ ବାଟ କାଟି ଚାଲିଯାଏ। ତାହାହିଁ ହୋଇଛି ରାମକୃଷ୍ଣ ନନ୍ଦଙ୍କ ଜୀବନରେ ।
ଶିଶୁ ସାହିତ୍ୟ ଜଗତରେ ସେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ରାଜ୍ୟ ସରକାରଙ୍କ ଆୟୋଜିତ ପୁସ୍ତକ ମେଳାରେ ସାହିତ୍ୟ ଜଗତର ଦିଗ୍ଗଜ ସାରଥୀମାନଙ୍କ ମଧ୍ୟରେ ରାମକୃଷ୍ଣ ନନ୍ଦଙ୍କ ତୈଳଚିତ୍ର ସ୍ଥାନିତ ହୋଇ ଶିଶୁ ସାହିତ୍ୟର ମର୍ଯ୍ୟାଦାକୁ ଜାଜୁଲ୍ୟ କରିପାରିଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ତାଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ସାରସ୍ୱତ ଜଗତ ପାଇଁ ଏକ ଦିବ୍ୟ ସନ୍ଦେଶ।
ରାମକୃଷ୍ଣ ନନ୍ଦ ଭଗବାନ ରାମ ଓ କୃଷ୍ଣଙ୍କ ଭଳି ସାହିତ୍ୟାକାଶରେ ଜ୍ୟୋତିଷ୍କ ହୋଇ ରହିଥିବେ, ଯେପର୍ଯ୍ୟନ୍ତ ଖଣ୍ଡମଣ୍ଡଳରେ ତାଙ୍କର କାଳଜୟୀ ପ୍ରାର୍ଥନା- “ଆହେ ଦୟାମୟ ବିଶ୍ୱବିହାରୀ…” ର ସ୍ୱର ଘୂରିବୁଲୁଥିବ ।
