ତିଲେଇମାଲର ସଂସ୍କୃତି ଓ ଇତିହାସ

ଆଜିର ଜୀବନ ଏତେ ବ୍ୟସ୍ତ ବହୁଳ ହୋଇଗଲାଣି ଆମ ପରି ଛାତ୍ରଛାତ୍ରୀ ସବୁ ଗାଁ'ର ପରିଭାଷା ଓ ଛବି କିପରି ଥାଏ ତାହା ମଧ୍ୟ ଜାଣିପାରୁ ନାହୁଁ

ଶ୍ରୀଶାନ୍ତ ମିଶ୍ର
73 Views
8 Min Read

ସମଧ୍ୱନି ୨୦୨୫ ମସିହା ଏପ୍ରିଲ ୧ ତାରିଖ ଓଡ଼ିଆ ଭାଷା ଦିବସରେ “ଆମ ଗାଁ ଆମ ଜୀବନ” ପ୍ରତିଯୋଗିତା ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ଥିଲା ନୂଆ ପିଢ଼ିକୁ ନିଜର ମାଟି, ନିଜ ଗାଁ, ନିଜ ଭାଷା ଏବଂ ନିଜ ସଂସ୍କୃତି ସହିତ ଯୋଡ଼ିବା। ଆଜି ଆମେ ଗର୍ବର ସହିତ ପ୍ରକାଶ କରୁଛୁ ଭୁବନେଶ୍ୱରର Stewart Schoolର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀଶାନ୍ତ ମିଶ୍ରଙ୍କ ଲେଖା, ଯିଏ ନିଜ ଗାଁ ତିଲେଇମାଲ ବିଷୟରେ ଏକ ହୃଦୟସ୍ପର୍ଶୀ ଓ ସୁନ୍ଦର ଜୀବନୀ  ଲେଖିଛନ୍ତି। ଶ୍ରୀଶାନ୍ତ ଏକ ଇଂଗ୍ଲିଶ ମିଡିୟମ ସ୍କୁଲର ଛାତ୍ର, କିନ୍ତୁ ସେ ନିଜ ମାତୃଭାଷା ଓଡ଼ିଆରେ ଲେଖିବାକୁ ସାହସ ଦେଖାଇଛନ୍ତି। ଏହା କେବଳ ଭାଷା ପ୍ରତି ତାଙ୍କର ପ୍ରେମ ନୁହେଁ, ବରଂ ନିଜ ଗାଁ, ନିଜ ସଂସ୍କୃତି ପ୍ରତି ଗଭୀର ସମ୍ମାନର ପରିପ୍ରକାଶ। ଆଜିର ଯୁଗରେ ଯେତେବେଳେ ଅନେକ ସହରାଞ୍ଚଳର ପିଲାମାନେ ଗାଁ ସହିତ ନିଜର ସମ୍ପର୍କ ହରାଉଛନ୍ତି, ଶ୍ରୀଶାନ୍ତ ସେହି ସମ୍ପର୍କକୁ ଖୋଜିବାକୁ, ବୁଝିବାକୁ ଓ ସଂରକ୍ଷଣ କରିବାକୁ  ଚେଷ୍ଟା କରିଛନ୍ତି। ତାଙ୍କ ଲେଖାରେ ଯାହା ବିଶେଷ ପ୍ରଶଂସନୀୟ ତାହା ହେଉଛି ତାଙ୍କର ଗାଁର ଅତୀତକୁ ସଂଗ୍ରହ କରିବାର ଆଗ୍ରହ। ସେ ଗାଁର ବୟସ୍କ ଲୋକଙ୍କ ସହ କଥା ହୋଇଛନ୍ତି, ବୁଢ଼ୀ ଆଈଙ୍କ ସ୍ମୃତି ଶୁଣିଛନ୍ତି, ଅଜାବୁଢ଼ାଙ୍କ ଠାରୁ ଗାଁର ପୁରୁଣା କଥା ଜାଣିଛନ୍ତି। ଏହା ପ୍ରକୃତ ମୌଖିକ ଇତିହାସ ସଂଗ୍ରହର ଉଦାହରଣ। ଶ୍ରୀଶାନ୍ତ ସମସ୍ତଙ୍କ ପାଇଁ ଏକ ଉଦାହରଣ। ଇଂଗ୍ଲିଶ ମିଡିୟମ ସ୍କୁଲର ପିଲାମାନଙ୍କ ପାଇଁ ସେ ପ୍ରମାଣ କରିଛନ୍ତି ଯେ ଆଧୁନିକ ଶିକ୍ଷା ଓ ନିଜ ମୂଳ ସହିତ ସଂଯୋଗ – ଦୁଇଟି ଏକାଠି ସମ୍ଭବ। ମାତୃଭାଷାରେ ଲେଖିବା, ଗାଁର ଇତିହାସ ସଂଗ୍ରହ କରିବା, ବୟସ୍କମାନଙ୍କ ସହ କଥା ହେବା – ଏସବୁ କେବଳ ଗ୍ରାମାଞ୍ଚଳର ପିଲାମାନଙ୍କ କାମ ନୁହେଁ। ସହରର ପ୍ରତ୍ୟେକ ପିଲା ନିଜ ଗାଁ, ନିଜ ପରିବାର, ନିଜ ଇତିହାସକୁ ଖୋଜିବା ଉଚିତ । ଆମେ ଶ୍ରୀଶାନ୍ତଙ୍କୁ ଏହି ସୁନ୍ଦର ଲେଖା ପାଇଁ ଧନ୍ୟବାଦ ଦେଉଛୁ ଓ ତାଙ୍କୁ ଉତ୍ସାହିତ କରୁଛୁ ଯେ ସେ ଏଭଳି ଲେଖିବା ଜାରି ରଖନ୍ତୁ। ତାଙ୍କ ମାତାପିତା ଆଭାସ ମିଶ୍ର ଓ ଗାୟତ୍ରୀ ଷଡଙ୍ଗୀ ମିଶ୍ରଙ୍କୁ ମଧ୍ୟ ଧନ୍ୟବାଦ ଯେ ସେମାନେ ସନ୍ତାନକୁ ନିଜ ଗାଁ ସହିତ ଯୋଡ଼ି ରଖିଛନ୍ତି। ଏହି ଲେଖା କେବଳ ତିଲେଇମାଲର ଇତିହାସ ନୁହେଁ, ବରଂ ଏହା ପ୍ରମାଣ ଯେ ନୂଆ ପିଢ଼ି ନିଜ ଅତୀତକୁ ସମ୍ମାନ ଦେବାକୁ ପ୍ରସ୍ତୁତ, ଯଦି ଆମେ ସେମାନଙ୍କୁ ସୁଯୋଗ ଦେଉ।

Support Samadhwani

ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ – ନିଜ ଗାଁର ଇତିହାସ ଲେଖନ୍ତୁ, ବୟସ୍କମାନଙ୍କ ସ୍ମୃତି ସଂଗ୍ରହ କରନ୍ତୁ, ନିଜ ମାତୃଭାଷାକୁ ଗର୍ବର ସହିତ ବ୍ୟବହାର କରନ୍ତୁ। ଶ୍ରୀଶାନ୍ତ ରାସ୍ତା ଦେଖାଇଛନ୍ତି – ଏବେ ଆପଣମାନଙ୍କ ପାଳି। – ସ୍ଵୟଂପ୍ରଭା ପାଢୀ (ସମ୍ପାଦକ, ସମଧ୍ୱନି)

ତିଲେଇମାଲ

ଆମ ଗାଁର ନାମ ତିଲେଇମାଲ ଅଟେ । ଏହା ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଆମ ଗାଁର ବ୍ଲକ୍ ରେଙ୍ଗାଲୀ ଓ ଗାଁର ତହସିଲ ମଧ୍ୟ ରେଙ୍ଗାଲୀ ଅଟେ । ଆମ ଗାଁ ସମ୍ବଲପୁର ଜିଲ୍ଲାର ପୁରାତନ ଗାଁମାନଙ୍କ ମଧ୍ୟରୁ ଗୋଟିଏ । ଏବେ ମଧ୍ୟ ଆମ ଗାଁରେ ବହୁତ ଲୋକ ବସବାସ କରୁଛନ୍ତି । ଏହା ସମ୍ବଲପୁର ସହରରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ । ପୂର୍ବରୁ ଆମ ଗାଁ ଏତେ ପ୍ରସିଦ୍ଧ ନଥିଲା । କିନ୍ତୁ ଆଜିର ସମୟରେ ଏଠାରେ ବହୁତ ବଡ଼ ବଡ଼ ଶିଳ୍ପକ୍ଷେତ୍ର ସ୍ଥାପିତ ହେବାରୁ ଏହା ଅନେକ ଲୋକଙ୍କ ନଜରକୁ ଆସିଛି ।

Support Samadhwani

ଆମ ଗାଁରେ ୫୦୦ ରୁ ଅଧିକ ଜନସଂଖ୍ୟା ବସବାସ କରୁଛନ୍ତି । ଗାଁର ଗୋଟିଏ ପଟରେ ଘନ ଜଙ୍ଗଲ ଅବସ୍ଥିତ ଅଛି ଓ ଅନ୍ୟ ପଟରେ ଶିଳ୍ପକ୍ଷେତ୍ର ରହିଛି । ଆମ ଗ୍ରାମର ଅନେକ ଲୋକ କୃଷି ଉପରେ ନିର୍ଭର କରନ୍ତି । କୃଷିଜାତ ଫସଲମାନଙ୍କ ମଧ୍ୟରୁ ଧାନ ବେଶୀ ମାତ୍ରାରେ ଚାଷ କରାଯାଏ । ମୁଁ ଆମ ଗାଁର ବୟସ୍କ ଲୋକମାନଙ୍କ ସହ କଥା ହୋଇ ଗାଁ ବିଷୟରେ ବହୁତ କିଛି ଜାଣିପାରିଲି । ସେମାନଙ୍କ କହିବା ଅନୁସାରେ ପୂର୍ବରୁ ଗାଁରେ ବହୁତ ଲୋକ ବସବାସ କରୁଥିଲେ, କିନ୍ତୁ ଏବେ ଅନେକେ ରୋଜଗାର ପାଇଁ ଗାଁ ବାହାରକୁ ଯାଇ ସେଠାରେ ବସତି ସ୍ଥାପନ କରିଛନ୍ତି । ଆମ ଗାଁର ଗୋଟିଏ ପଟରେ ହୀରାକୁଦ ଜଳଭଣ୍ଡାରର ପାଣି ପ୍ରବାହିତ ହୁଏ । ଏହି କାରଣରୁ ଗାଁରେ ଚାଷ ପାଇଁ ପାଣିର କୌଣସି ଅଭାବ ଦେଖାଯାଏ ନାହିଁ ।

ଆମ ଗାଁ ପାଖପାଖିର ଜଙ୍ଗଲରେ ବହୁତ ପ୍ରକାର ଜଙ୍ଗଲଜାତ ଗଛ ଓ ଔଷଧିୟ ଉଦ୍ଭିଦ ମିଳେ, ଯାହା ଔଷଧ ତିଆରିରେ କାମ ଆସେ । ମୁଁ ଆମ ଗାଁର ଜଣେ ବୁଢ଼ୀ ଆଈଙ୍କ ସହ କଥା ହୋଇ ଗାଁ ବିଷୟରେ ବହୁତ ମଜା ମଜା କଥା ମଧ୍ୟ ଜାଣିବାକୁ ପାଇଲି । ସେ କହିଲେ ପୂର୍ବରୁ ଗାଁର ଛୋଟ ଛୋଟ ପିଲାମାନେ ସମସ୍ତେ ଏକାଠି ହୋଇ ଖେଳକୁଦ କରୁଥିଲେ । ଗାଁ ପାଖରେ ଜଳଭଣ୍ଡାରର ପାଣି ପ୍ରବାହିତ ହୁଏ, ଯାହାକୁ ଆମେ କେନାଲ ବୋଲି କୁହୁ । ସେଠାରେ ଗାଁର ସ୍ତ୍ରୀ ପୁରୁଷମାନେ ଗାଧୋଇବାକୁ ଯାଆନ୍ତି । ବୁଢ଼ୀ ଆଈ କହିଲେ ପୂର୍ବରୁ ସେମାନେ ସମସ୍ତେ ଏକାଠି ହୋଇ କେନାଲକୁ ଗାଧୋଇବାକୁ ଯାଉଥିଲେ ଏବଂ ସାଙ୍ଗରେ ନିଜ ଝିଅପୁଅମାନଙ୍କୁ ମଧ୍ୟ ନେଇଯାଉଥିଲେ । ସେଠାରେ ପିଲାମାନେ ପହଁରିବା ଅଭ୍ୟାସ କରୁଥିଲେ ।

ଆମ ଗାଁ ର ଅଜାବୁଢା ସହିତ ମୁଁ କଥା ହେଲି ଆଉ ଗାଁ ର ସବୁ ଗାଳି ଝଗଡା ଏସବୁ କିପରି ସମାଧାନ ହେଉଥିଲା ତାହା ପଚାରି ବୁଝିଲି । ଆଗରୁ ଗାଁ ରେ କୌଣସି ଗାଳି, ଝଗଡା ହେଲେ ଗାଁ ର ବୟସ୍କ ପୁରୁଷ ବ୍ୟକ୍ତି ମାନେ ଏକାଠି ହୋଇ ତା’ର ସମାଧାନ କରୁଥିଲେ । ନିଜ ନିଜ ଭିତରେ ସହମତୀ ସହ ବୁଝାସୁଜା ହୋଇ ତାହା ସମାଧାନ ହୋଇ ଯାଉଥିଲା । ଗାଁରେ ଆଗରୁ ଲୋକମାନେ ସବୁ ମିଳିମିଶି ଖୁସିରେ ରହୁଥିଲେ । ଆଗରୁ ଗାଁ ରେ ଜମିଦାରୀ ପ୍ରଥା ମଧ୍ୟ ଚଳି ଆସୁଥିଲା । କିନ୍ତୁ ସେ ଜମିପଟା ପ୍ରଥା ଇଂରେଜ ସରକାରଙ୍କ ସମୟ ଭଳି ନଥିଲା । ଗାଁ ର ଅଜା ବୁଢା କହିଲେ ଓ ତା ବିଷୟରେ କିଛି ଲୋକେ ତଥ୍ୟ ଦେଲେ ଯାହା ମୋ ବାପା, ଜେଜେବାପା ମଧ୍ୟ ଭଲଭାବରେ ଜାଣି ନଥିଲେ । ମୁଁ ସେ ବିଷୟରେ ଜାଣିବା ପାଇଁ ମୋ ମନରେ ବହୁତ ଉତ୍କଣ୍ଠା ଜାତ ହେଲା । ଅଜା ବୁଢା କହିଲେ ଆରେ ପୁଅ ତୁମକୁ ଜଣା ନାହିଁ କି ତୋର ବାପାଙ୍କର ଜେଜେବାପାର ବାପା ଆମ ଗାଁ ର ଜମିଦାର ଥିଲେ । ମୁଁ ଏକଥା ଶୁଣି ବହୁତ ଖୁସି ହେଲି ଓ ଏହା ସହିତ ସେ ବିଷୟରେ ଜାଣିବା ପାଇଁ ଆହୁରି ମୋ ମନ ଭିତରେ ଉତ୍କଣ୍ଠା ଜାତ ହେଲା । ବୁଢା ଅଜା କହିଲେ ମୋର ବାପାଙ୍କର ଜେଜେବାପା ଜମିଦାର ଥିଲେ । କିନ୍ତୁ ସେ ବହୁତ ଦୟାଳୁ ଓ ଉଦାର ବ୍ୟକ୍ତି ଥିଲେ ସେ ଲୋକଙ୍କ ଦୁଃଖ ଦେଖି ପାରୁ ନଥିଲେ । ସେ ସମସ୍ତଙ୍କୁ ବହୁତ ସାହାଯ୍ୟ କରୁଥିଲେ ।

ଆମ ଗାଁ ର ପୂଜା ପଦ୍ଧତି ବିଷୟରେ ମଧ୍ୟ ବହୁତ କିଛି ରୋଚକ ତଥ୍ୟ ଜାଣିବାକୁ ପାଇଲି। ଆମ ଗାଁ ର ଆମର ଗ୍ରାମ ଦେବୀଙ୍କୁ ପୂଜା କରାଯାଏ । ଆମ ଗାଁ ରେ ନୂଆଖାଇ ପର୍ବଟି ସବୁଠାରୁ ପ୍ରସିଦ୍ଧ ପର୍ବ ଅଟେ । ନୂଆଖାଇ ପର୍ବଟି ବହୁତ ଧୂମ୍ ଧାମ୍ ରେ ପାଳନ କରାଯାଏ । ସେହି ଦିନ ଗାଁ ର ବାହାରେ ଯେଉଁମାନେ ରୁହନ୍ତି ସେମାନେ ମଧ୍ୟ ଏହି ପର୍ବ ପାଳନ କରିବା ପାଇଁ ଗାଁକୁ ଆସିଥାନ୍ତି । ନୂଆଖାଇ ପର୍ବଟି ଗଣେଷ ପୂଜାର ପରଦିନ ପାଳନ କରାଯାଏ । ଏହି ପର୍ବରେ ସବୁ ସଦସ୍ୟ ଏକାଠି ଜମା ହୁଅନ୍ତି ଓ ଘରର ଭଗବାନଙ୍କୁ ନୂଆଁ ଚାଉଳ ଭୋଗ ଦିଆଯାଏ । ତା’ପରେ ସମସ୍ତେ ଏକାଠି ବସି ଭୋଗ ଗ୍ରହଣ କରନ୍ତି । ଏହି ଦିନ କାକରା, ଅମ୍ବିଳ, ପୁରୀ, ତରକାରୀ ଇତ୍ୟାଦି ବହୁତ ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ପୌଷ ପୂର୍ଣ୍ଣିମା ଦିନ ମିଳିମିଶି ପାଳନ ପର୍ବ ପାଳନ କରାଯାଏ, ସେହି ପର୍ବକୁ ଆମ ଗାଁରେ ପୁଷପୂନୀ ବୋଲି କୁହାଯାଏ । ଏହି ପର୍ବରେ ମଧ୍ୟ ବହୁତ ଜାଗ୍ ଜମକ୍ ରେ ପାଳନ କରାଯାଏ ।

ଆମ ଗାଁରେ ଦୁର୍ଗାପୂଜା, ପୂର୍ଣ୍ଣିମା ଦିନ ବନୀ ଯାତ୍ରା (ବଏଲ ଯାତ୍ରା) ପାଳନ କରାଯାଏ । ଏହା ଆମ ଗ୍ରାମର ଗୋଟିଏ ପ୍ରସିଦ୍ଧ ଯାତ୍ରା ଅଟେ । ଏହି ଯାତ୍ରାରେ ଗାଁକୁ ବହୁତ ସୁନ୍ଦର ଭାବେ ସଜାଯାଏ ଓ ଗ୍ରାମଦେବୀଙ୍କ ମନ୍ଦିରରେ ବିଶେଷ ପୂଜା କରାଯାଏ ।

 ଆମ ଗାଁ ଆମ ଜୀବନ ଅଟେ । କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନରେ ଏହା କେବଳ କାଗଜରେ ଲେଖା ହୋଇ ରହିଯାଇଛି । ଗାଁ ର ଲୋକମାନେ ସବୁ ରୋଜଗାର ପାଇଁ ଗାଁ ଛାଡି ସହରରେ ବସତି ସ୍ଥାପନ କରୁଛନ୍ତି । ଆଜିର ଜୀବନ ଏତେ ବ୍ୟସ୍ତ ବହୁଳ ହୋଇଗଲାଣି ଆମ ପରି ଛାତ୍ର, ଛାତ୍ରୀ ସବୁ ଗାଁ ର ପରିଭାଷା ଓ ଛବି କିପରି ଥାଏ ତାହା ମଧ୍ୟ ଜାଣିପାରୁ ନାହିଁ । କିନ୍ତୁ ମୁଁ ଗାଁ କୁ ଯାଇ ବୟସ୍କ ବ୍ୟକ୍ତିଙ୍କ ଠାରୁ ବହୁତ କିଛି ଜାଣିଲି ଯାହା ଦ୍ୱାରା ମୁଁ ଗାଁ ବିଷୟରେ ଅନେକ ନୂଆ ନୂଆ କଥା ଜାଣିବାପାଇଁ ପାଇଲି । ସେଥିପାଇଁ ଆଜି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆଉ ମୁଁ ବହୁତ ଖୁସି ମଧ୍ୟ ହୋଇଛି ଆମ ଗାଁ ବିଷୟରେ ଜାଣି ।

Share This Article
Student Historian (Stewart School, Bhubaneswar)