ଲୋକଗୀତ ମଣିଷ ଜୀବନର ମାନସିକ ଅବସାଦ ଦୂର କରିବାରେ ସହାୟକ ହେଲାବେଳେ, ଲୋକନୃତ୍ୟ ତା’ ଜୀବନରେ କର୍ମତତ୍ପରତା ବୃଦ୍ଧି କରିଥାଏ। ଏହି ଲୋକଗୀତ ଓ ଲୋକନୃତ୍ୟ ହେଉଛି ପଶ୍ଚିମ ଓଡ଼ିଶାର ଆଦିବାସୀ ଓ ନିମ୍ନବିତ୍ତ ଜନସାଧାରଣଙ୍କର ଜୀବନକୁ ଆନନ୍ଦମୁଖର କରିବାର ଏକମାତ୍ର ଓ ସର୍ବପ୍ରଧାନ ମାଧ୍ୟମ । ଏଥିରେ ସ୍ତ୍ରୀ ପୁରୁଷ ମିଶାମିଶି ହୋଇ ନାଚନ୍ତି। ଆଜି ସ୍ତ୍ରୀ ବା ନାରୀ ସ୍ଵାଧୀନତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସଂସ୍ଥା ଆନ୍ଦୋଳନ ଚଳାଇଛି। ଜାତିସଂଘ ନାରୀ ବର୍ଷର ଘୋଷଣା କରି ସେମାନଙ୍କୁ ପୁରୁଷ ସଙ୍ଗେ ସମାନ ସାମାଜିକ ଓ ନାଗରିକ ଅଧିକାର ପାଇଁ ସଚେଷ୍ଟ; କିନ୍ତୁ ଭାରତ ଇତିହାସରେ ଏଇଟା ଏକ ନୂଆ ବିଭବ ନୁହେଁ । ବୈଦିକ ଯୁଗ ମାତୃପ୍ରଧାନ (Matriarchal Society) ସମାଜ ସିନ୍ଧୁ-ଉପତ୍ୟକା ତଥା ଆର୍ଯ୍ୟ ସମାଜରେ ଥିଲା। ନାରୀମାନେ ଉଚ୍ଚ ଆସନ ପାଉଥିଲେ। ମଝିରେ କେତେ ସମୟ ପାଇଁ ନାରୀକୁ ଅବଳା, ଦୁର୍ବଳା କହି ତାକୁ ପଦଦାସୀ ରୂପେ ବିବେଚନା କରାଗଲା । କିନ୍ତୁ ବିଭିନ୍ନ ଲୋକଗୀତ ଓ ଲୋକନୃତ୍ୟ କେଉଁ ଆଦିମ କାଳରୁ ପାରମ୍ପରିକ ଭାବରେ ସବୁ କ୍ଷେତ୍ରରେ ନାରୀକୁ ସମାନ ଅଧିକାର ପ୍ରଦାନ କରିଆସିଛି। ପଶ୍ଚିମ ଓଡ଼ିଶାର ‘ଡାଲଖାଇ’ ଏହାର ଏକ ପ୍ରକୃଷ୍ଟ ନମୁନା। ଏହା ଜଣର ନୃତ୍ୟ ନହୋଇ ଗଣର ନୃତ୍ୟ । ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ସଂସ୍କୃତି।
ପଶ୍ଚିମ ଓଡ଼ିଶାର, ବିଶେଷତଃ ସମ୍ବଲପୁର ଜିଲ୍ଲାର ଏକ ପ୍ରଧାନ ଲୋକନୃତ୍ୟ ହେଉଛି ‘ଡାଲଖାଇ’ । ଏହା ଅନୁଷ୍ଠିତ ହେବା ସମୟରେ ବୋଲାଯାଉଥିବା ଗୀତ ‘ଡାଲଖାଇ’ ।
ଦଶହରା ମାସରେ ଦୁର୍ଗାପୂଜା, ଭାଇ ଜିଉନ୍ତିଆ, ଫଗୁଣ ପୂର୍ଣିମା ପ୍ରଭୃତି ବିଭିନ୍ନ ପାର୍ବଣ ଅବସରରେ ଏହି ନୃତ୍ୟଗୀତ ଅନୁଷ୍ଠିତ ହୁଏ। ବିଂଝାଲ, ସଉରା, କୁଡ଼ା, ମିର୍ଧା ପ୍ରଭୃତି ଆଦିବାସୀ ଅବିବାହିତା ତରୁଣୀମାନେ ଏଥିରେ ଅଂଶ ଗ୍ରହଣ କରିଥାନ୍ତି । ଆଦିବାସୀ ଭିନ୍ନ ଅନ୍ୟାନ୍ୟ ଝିଅମାନେ ମଧ୍ୟ ଏଥିରେ ଗୀତ ଗାଇ ନାଚନ୍ତି। ଡ. କୁଞ୍ଜବିହାରୀ ଦାଶଙ୍କ ମତରେ ଏଥିରେ କେବଳ ବିବାହିତ ଯୁବତୀମାନେ ହିଁ ଅଂଶଗ୍ରହଣ କରିଥାନ୍ତି।
ଆଶ୍ଵିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ ବା ଦୁର୍ଗା-ଅଷ୍ଟମୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଆଦିବାସୀ ସମ୍ପ୍ରଦାୟର ତରୁଣୀ ଝିଅମାନେ ‘ଡାଲଖାଇ’ ପୂଜା କରି ଡାଲଖାଇ ନୃତ୍ୟ କରନ୍ତି । ଏହି ପୂଜାରେ ବୁରୋପତ୍ର, ଅଁଳା ଡାଳ, ବେଲ ଡାଳ, ମନ୍ଦାରଫୁଲ ଓ ଡାଳ, ନାଲିକଇଁ, କାକୁଡ଼ି, ନଡ଼ିଆ ବ୍ୟବହାର କରାଯାଏ। କଷି କଖାରୁରେ ବୋଦା ତିଆରି କରାଯାଇ ବଳି ଦିଆଯାଏ।
ଡାଲଖାଇ ବ୍ରତ ଧାରିଣୀମାନେ ଡାଲଖାଇ ଦେବୀ ଅର୍ଥାତ୍ ବଣ ଭିତରର ଗଛ ଡାଳରେ ବାସ କରୁଥିବା ମଙ୍ଗଳା । ଦୁର୍ଗା ଦେବୀଙ୍କୁ ସନ୍ତୁଷ୍ଟ କରି ଗୃହ, ପରିବାର ତଥା ଗ୍ରାମର ମଙ୍ଗଳ ଉଦ୍ଦେଶ୍ୟରେ ଡାଲଖାଇ ନାଚ କରିଥାନ୍ତି ।
ଏହି ଡାଲଖାଇ ନୃତ୍ୟ ଗୀତର ଐତିହ୍ୟ ରହିଛି। ଏକଥା ପ୍ରକାଶ କରିବାକୁ ଯାଇ ଡାଲଖାଇ ଶିଳ୍ପୀ ଉଦେମଣି ପଟେଲ ଲେଖିଛନ୍ତି ଯେ –
୧୮୫୭-୫୮ରେ ଇଂରେଜ ଶକ୍ତି ବିରୁଦ୍ଧରେ ବୀର ସୁରେନ୍ଦ୍ର ସାଏଙ୍କ ଦ୍ଵାରା ପରିଚାଳିତ ସ୍ଵାଧୀନତା ବିପ୍ଲବରେ ଯେଉଁ କେତେ ଜଣ ଜମିଦାର ନିଜ ଜୀବନକୁ ଉତ୍ସର୍ଗ କରି ଅସୀମ ବୀରତ୍ଵର ପରାକାଷ୍ଠା ଦେଖାଇ ଯାଇଅଛନ୍ତି, ସେମାନଙ୍କ ମଧ୍ୟରେ (ବରଗଡ଼ ନିକଟସ୍ଥ) ଘେଁସ ଜମିଦାର ବଂଶର ତିନି ଭାଇ ସ୍ଵର୍ଗତ ହାତୀ ସିଂ, କୁଞ୍ଜଲ ସିଂହ ଓ ବୈରୀ ସିଂ ଅନ୍ୟତମ।
ବାରପାହାଡ଼ ତଥା ଜିଲ୍ଲାର ବିଭିନ୍ନ ପର୍ବତମାନଙ୍କରେ ନିଶାଘାଟି, ଝରଘାଟି, ସଂଘୋଡ଼ା ଘାଟି ପ୍ରଭୃତି ଘାଟିମାନ ସ୍ଥାପନ କରି ସିଂ ବଂଶର ଏହି ବିପ୍ଳବୀଗଣ ତୁମୁଳ ସଂଗ୍ରାମ ଚଳାଇଥିଲେ। ସେଥି ମଧ୍ୟରୁ ସିଂଘୋଡ଼ା ଘାଟିର ପରିଚାଳନା ଦାୟିତ୍ଵରେ ଥିଲେ ହଟେ ସିଂ ।
କଥିତ ଅଛି, ଦିନେ ହଟେ ସିଂଙ୍କ ସୈନିକମାନେ ବାରଜଣ ଇଂରେଜ ସିପାହିଙ୍କୁ ସଂଘୋଡ଼ା ଘାଟିକୁ ଧରି ଆଣିଥିଲେ। ହଟେ ସିଂଙ୍କ ଆଦେଶରେ ସେମାନେ ସେଇ ସିପାହିମାନଙ୍କୁ ହତ୍ୟା କରି ସେମାନଙ୍କର ଗୋଡ଼ ଉପର ଓ ମୁଣ୍ଡ ତଳକୁ କରି ଗଛ ଡାଳରେ ଝୁଲାଇଦେଲେ। ଏହା ଜାଣିଲା ପରେ ଇଂରେଜ ସରକାର ଘେଁସ ଗ୍ରାମକୁ ନିଆଁ ଲଗାଇ ଧ୍ଵଂସ କରିଦେବା ପାଇଁ କଠୋର ଆଦେଶ ଦେଲେ । ଇଂରେଜ ସିପାହିଙ୍କ ପ୍ରକୋପରେ ଘେଁସ ଗ୍ରାମ ବିଧ୍ୱସ୍ତ ହୋଇ ଏକ ବିରାଟ ପାଉଁଶ ସ୍ତୂପରେ ପରିଣତ ହେଲା।
ଏହି ଅପ୍ରତ୍ୟାଶିତ ବିପଦର ସମ୍ମୁଖୀନ ହୋଇ ଘେଁସବାସୀ ନିଜର ବସ୍ତ୍ର, ଅନ୍ନ ସବୁକିଛି ତ୍ୟାଗ କରି ପିଲାଛୁଆଙ୍କୁ ଧରି ନିକଟସ୍ଥ ଘୋର ଅରଣ୍ୟ ଭିତରକୁ ଚାଲିଆସିଲେ । ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରାଣ ଭୟରେ ଅରଣ୍ୟ ଭିତରେ ଯାଇ ଆଶ୍ରୟ ନେଲେ । ବାରପାହାଡ଼ରୁ ଘେଁସ ଅରଣ୍ୟ ଯାଏ ସମସ୍ତ ଅଞ୍ଚଳ ହଜାର ହଜାର ଆବାଳବୃଦ୍ଧବନିତାଙ୍କ ଦ୍ଵାରା ମୁଖରିତ ହୋଇଉଠିଲା ।
ତେଣେ ସିଂଘୋଡ଼ା ଘାଟିର ବିଜୟ ବାର୍ତ୍ତା ଶୁଣାଇବା ପାଇଁ ଉଲ୍ଲସିତ ମନରେ ହଟେ ସିଂ ନିଜର ଗ୍ରାମ ଅଭିମୁଖେ ଆସୁଥାନ୍ତି । ପଥ ମଧ୍ୟରେ ଅରଣ୍ୟ ମଧ୍ୟରୁ ଅସ୍ପଷ୍ଟ କୋଳାହଳ ତାଙ୍କର କର୍ଣ୍ଣ ଗୋଚର ହେଲା । ଦୂରରେ ଅଗ୍ନିର ପ୍ରବଳ ଧୂଆଁ ଉପରକୁ ଉଠୁଥିବାର ଦେଖିପାରିଲେ। ବିସ୍ତୃତ ଓ ଚିନ୍ତିତ ମନରେ ସେ ଅରଣ୍ୟ ଦିଗରେ ଅଗ୍ରସର ହେଲେ। ଅଦୂରରୁ ନିଜର ଗ୍ରାମବାସୀଙ୍କୁ ଚିହ୍ନି ପାରିବା ପରେ ଘଟଣାଟିକୁ ଉପଲବ୍ଧି କରିବାକୁ ତାଙ୍କୁ ଆଉ ବାକି ରହିଲା ନାହିଁ।
ହିଂସ୍ରଜନ୍ତୁପୂର୍ଣ ଅରଣ୍ୟରେ ସ୍ତ୍ରୀ, ଶିଶୁ, ବୃଦ୍ଧଙ୍କୁ ଅଭୟ ଦେବାକୁ ଯୁବକଗଣ ରାତ୍ରିସାରା ତାଳ, ଖୋଳ, ଖଞ୍ଜଣି ବଜାଇ କୀର୍ତ୍ତନ ଦ୍ଵାରା ଅରଣ୍ୟକୁ ମୁଖରିତ କରୁଥାନ୍ତି।
ବିଶ୍ଵାସ ହୁଏ ସେତେବେଳେ ସମ୍ବଲପୁର ଅଞ୍ଚଳ ତଥା ଓଡ଼ିଶାରେ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ନାମ କୀର୍ତ୍ତନ ବହୁତ ପ୍ରସାର ଲାଭ କରିଥିଲା। ତାଳ ଖୋଳ ଦ୍ଵାରା ଅରଣ୍ୟକୁ ମୁଖରିତ କରିଥିବାରୁ ଘେଁସର ସେଇ ଅରଣ୍ୟର ନାମ ଆଜି ଯାଏ ‘ତାଳଖୋଳ’ ନାମରେ ପରିଚିତ। ଦିନୁ ଦିନୁ ଖାଦ୍ୟାଭାବ, ଘୋର ଅନଟନର ଛାୟା ଘୋଟି ଆସିଲା। ତତ୍ ସଙ୍ଗେସଙ୍ଗେ ଶ୍ଵାପଦ, ଜନ୍ତୁଙ୍କର ଭୟ ସେମାନଙ୍କ ଦୁଶ୍ଚିନ୍ତାର କାରଣ ହେଲା। ତେଣୁ କୌଣସି ଉପାୟ ନଦେଖି ଡାଳ, ପତ୍ର, ଫଳ, ମୂଳ ଦ୍ଵାରା ନିଜର ପ୍ରାଣକୁ ବଞ୍ଚାଇ ଶିଶୁପୁତ୍ର, ବୃଦ୍ଧ, ବୃଦ୍ଧାମାନଙ୍କୁ ହିଂସ୍ରଜନ୍ତୁଙ୍କ ଭୟରୁ ବଞ୍ଚିତ କରିବା ପାଇଁ ସ୍ତ୍ରୀ ପୁରୁଷ ଦଳ ଦଳ ହୋଇ ରାତ୍ରିସାରା ନୃତ୍ୟ କଲେ। ‘ଡାଲଖାଇ’ ନାମରେ ଆଜି ଅଞ୍ଚଳରେ ସର୍ବତ୍ର ବିଦିତ। *
କିନ୍ତୁ ଶ୍ରୀ ପଟେଲ ‘ ଡାଲଖାଇ’ର ଐତିହାସିକତା ବିଷୟରେ ଯେଉଁ ତଥ୍ୟ ବାଢ଼ିଛନ୍ତି, ସେ ତଥ୍ୟକୁ ଏ ପ୍ରସଙ୍ଗରେ ଆଦୌ ଗ୍ରହଣ କରାଯାଇ ନପାରେ। ୧୮୫୭ ସାଲର କଥା ହେଉଛି ମାତ୍ର ୧୬୫ ବର୍ଷ ତଳର କଥା। କିନ୍ତୁ ଡାଲଖାଇ ପୂଜା ବିଷୟରେ ଯେଉଁ ତଥ୍ୟ ମିଳେ, ତା’ର ଚେର ଯାଇ ସୁଦୂର ସିନ୍ଧୁ ସଭ୍ୟତା ଯୁଗରେ। ଏଥିରେ ଥିବା ‘ଡାଳ’ ଶବ୍ଦଟି ମଧ୍ୟ ଇତିହାସର ଏକ ମୂଳସୂତ୍ର ସଦୃଶ। ‘କରମା’ରେ ମଧ୍ୟ କରମ୍ ବା ଶାଳ ଡାଳର ପୂଜା ହୁଏ। ଏହି ବୃକ୍ଷ ଉପାସନା ସିନ୍ଧୁ ସଭ୍ୟତାର ସମକାଳୀନ। ଏହା ସହିତ ମଧ୍ୟ ଡାଲଖାଇର କିଛି ପ୍ରଛନ୍ନ ସମ୍ପର୍କ ରହିଥାଇପାରେ, ଯାହା ବିଶେଷ ଗବେଷଣା ସାପେକ୍ଷ ।
ଏତଦ୍ଭିନ୍ନ ଉପାୟରେ ଗ୍ରାମ ଛାଡ଼ି ଅରଣ୍ୟରେ ଶରଣ ନେଇଥିବା ସ୍ତ୍ରୀ ପୁରୁଷ, ପିଲା, ଯେଉଁମାନଙ୍କ ଘରପୋଡ଼ି ଦିଆଯାଇଛି, ନୃତ୍ୟ ଗୀତ କରିବା ଭଳି ସେମାନଙ୍କର ମନୋଦଶା ଥାଇ ନପାରେ। ତା’ଛଡ଼ା ଶ୍ରୀ ପଟେଲ ‘କୀର୍ତ୍ତନ’ କଥା ତଥା ତାଳ, ଖୋଳ, ଖଞ୍ଜଣି କଥା କହିଛନ୍ତି । କୀର୍ତନ ଭକ୍ତିପ୍ରଧାନ । ଲୋକେ ଅସହାୟତାରେ ଇଂରେଜ ଅତ୍ୟାଚାର ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିଥାଇପାରନ୍ତି। ତା’ଛଡ଼ା ତାଳ, ଖୋଳ, ଖଞ୍ଜଣିର ପ୍ରଚଳନ ଡାଲଖାଇରେ ହୋଇ ନଥାଏ। ଢୋଲ, ନିଶାନ, ଟମ୍କି, ମହୁରି, ମାଦଳ, ଝିମୁକୀ ଆଦି ବାଦ୍ୟଯନ୍ତ୍ର ଦ୍ଵାରା ଏହି ନୃତ୍ୟ ହୋଇଥାଏ। ଏଥିରୁ ମଧ୍ୟ ଏହି ମତର ଅସାରତା ପ୍ରତିପାଦିତ ହୋଇଥାଏ। ଏସବୁକୁ ଆଖି ଆଗରେ ରଖିଲେ ଜଣାଯାଏ ଯେ ଏହି ଡାଲଖାଇ ୧୮୫୭ ମସିହାର ବହୁ ପୂର୍ବରୁ ପ୍ରାଚୀନ ସିନ୍ଧୁ ସଭ୍ୟତା କାଳରୁ ହିଁ ପ୍ରଚଳିତ ହୋଇଆସିଛି । ତେବେ ତା’ର ମୂଳ ରୂପଟା ହୁଏତ ସେତେବେଳେ ଆଜିକାର ପରି ହୋଇ ନଥିବ । ଇତିହାସ, ସମୟ, ସମାଜର ଭଙ୍ଗାଗଢ଼ା ଭିତରେ ସେଥିରୁ କେତେକ ଅଂଶ ବାଦ୍ ପଡ଼ିବାବେଳେ କେତେ ନୂଆ ରୂପ ଯୋଡ଼ି ହୋଇଥିବ। ଏସବୁ ମଧ୍ୟ ଦେଇ ଡାଲଖାଇ ଆଜିର ଅବସ୍ଥାରେ ପହଞ୍ଚିଛି ।
ପୁନଶ୍ଚ ଏଥିରେ ଯେଉଁ ଡାଲଖାଇ ଦେବୀ, ଅର୍ଥାତ୍ ଅରଣ୍ୟ ଦୁର୍ଗା ବା ବନ ମଙ୍ଗଳାର ପୂଜା କରାଯାଏ, ସେକଥା ମଧ୍ୟ ପ୍ରମାଣ ଦିଏ ଯେ ଏହା ଆର୍ଯ୍ୟମାନଙ୍କର ନହୋଇ ଦ୍ରାବିଡ଼ମାନଙ୍କର । ପ୍ରଥମେ ଆର୍ଯ୍ୟମାନଙ୍କ ଭିତରେ ପୌତ୍ତଳିକତା ବା ମୂର୍ତିପୂଜା ନଥିଲା, ପରେ ସେମାନେ ଭାରତରେ ଦ୍ରାବିଡ଼ମାନଙ୍କ ସଂସ୍ପର୍ଶରେ ଆସିଲା ପରେ ସେମାନଙ୍କ ମଧ୍ୟରେ ମୂର୍ତ୍ତିପୂଜାର ପ୍ରଚଳନ ହୋଇଥିଲା। ଡାଲଖାଇ ଦେବୀକୁ ପ୍ରତୀକାତ୍ମକ ଭାବରେ ଡାଳରେ କଳ୍ପନା କରାଯାଇଥିବ ବା ମମତାମୟୀ ଦେବୀ ସାଧାରଣ ଡାଲର ଭୋଗ ଗ୍ରହଣ କରି ପ୍ରସନ୍ନ ହେଉଥିବେ। ଏଣୁ ଏହି ଡାଳଖାଇଟା ଦ୍ରାବିଡ଼ମାନଙ୍କର ଅର୍ଥାତ୍ ଭାରତର ସୁପ୍ରାଚୀନ ସଂସ୍କୃତିର ପ୍ରତିରୂପ ଓ ବିଶେଷତଃ ଶୂଦ୍ର, ଆଦିବାସୀ ପ୍ରମୁଖ ସମାଜର ତଥାକଥିତ ଦୁର୍ବଳ ଶ୍ରେଣୀର ଭାବ ଓ ସାଂସ୍କୃତିକ ସମ୍ପଦ ରୂପେ ଆଜି ଯାଏ ବିଦ୍ୟମାନ ।
ଏହି ଡାଲଖାଇ ଉପରୋକ୍ତ ପର୍ବପର୍ବାଣି ବ୍ୟତିରେକେ ଅନ୍ୟାନ୍ୟ ସମୟରେ ବିଶେଷତଃ ବିବାହ ଉତ୍ସବାଦିରେ ମଧ୍ୟ ଗାଇବାର ଦେଖାଯାଏ। ଝିଅମାନେ ଗୀତ ବୋଲୁଥିଲା ବେଳେ ପ୍ରାୟତଃ ନାଚନ୍ତି ନାହିଁ। ଢୋଲବାଲା (ଜୁଲିଆ) ଯାହା ଗୀତର ଛନ୍ଦେଛନ୍ଦେ ଧୀର ସ୍ଵରରେ ଢୋଲ ବଜାଇ ଦୋହଲି ଦୋହଲି ବୁଲିଥାଏ। ଗୀତ ସରିଲା ମାତ୍ରକେ ଢୋଲ ଜୋର୍ରେ ବାଜିଲା ସାଙ୍ଗକୁ ନିଶାନ, ଟମକ ବା ତାସା, ମହୁରି ଆଦି ଜୋରରେ ବାଜି ଉଠେ। ଝିଅମାନେ ହଲିହଲି-ଦୋହଲି ଦୋହଲି ନାଚିବାକୁ ଆରମ୍ଭ କରିଦିଅନ୍ତି । ବେଳେବେଳେ ଯୁବକ-ଯୁବତୀମାନେ ମିଶି କରି ମଧ୍ୟ ନାଚିଥାନ୍ତି । ଏହି ବାଦ୍ୟବାଦକମାନଙ୍କ ବିଶେଷତଃ ଅଛୁଆଁ ଗଣ୍ଡା, ପାଣ ଜାତିର ହୋଇଥାନ୍ତି। ଅନେକ ସମୟରେ ଯୁବକ-ଯୁବତୀମାନେ ଗୀତରେ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟ କରିଥାନ୍ତି ।
ବିଭିନ୍ନ ସ୍ଥାନରେ କେବଳ ଝିଅମାନେ ଏଥିରେ ଅଂଶ ଗ୍ରହଣ କରନ୍ତି । ସେମାନେ ଅର୍ଧବୃତ୍ତାକାରରେ ଛିଡ଼ାହୋଇ ଗୀତର ଭାବକୁ ଅଣ୍ଟା, ହାତ, ମୁହଁର ବିଭିନ୍ନ ଅଭିନୟ ମୁଦ୍ରାରେ ପ୍ରକାଶ କରିଥାନ୍ତି। ଗୀତ ସରିଲା ପରେ ଆଗକୁ ନଇଁପଡ଼ି ଦୁଇ ହାତରେ ଶାଢ଼ିକାନି ମେଲାଇ ନାଚନ୍ତି। ଆଗପଛ ହୋଇ ନାଚନ୍ତି। ଘୂରିଘୂରି ନାଚିଥାନ୍ତି।
ଭାଗୀରଥି ନେପାକଙ୍କ ମତରେ ‘ଡାଲଖାଇରେ’ ଏହି ପଦକୁ ବାରମ୍ବାର ଘୋଷା କରି ଗାଉଥିବାରୁ ଏ ଗୀତର ନାଁ ‘ଡାଲଖାଇ’ ହୋଇଛି।
ଡାଲଖାଇ ନୃତ୍ୟ ପାଇଁ ସାଧାରଣତଃ କୌଣସି ବିଶେଷ ପୋଷାକ ଆବଶ୍ୟକ ହୋଇ ନଥାଏ। ପ୍ରତ୍ୟେକ ଝିଅଙ୍କ କାନ୍ଧରେ ଖଣ୍ଡେ ଛୋଟିଆ ରଙ୍ଗିନ ଫୁଲପକା ଗାମୁଛା ଥାଏ। ମଝିରେ ମଝିରେ ଏମାନେ ଗାମୁଛାର ଦୁଇ ଅକ୍ଷାଂଶକୁ ଧରି ନାଚନ୍ତି। ମୁଣ୍ଡରେ ତଲିଆ ଖୋଷାଥାଏ। ସେଥିରେ ଜାତିଜାତିକା ଫୁଲ ଓ ପତ୍ର ଖୋଷିଥାନ୍ତି। ଝିଅମାନେ ଏଥିରେ ନିଜକୁ ନାନା ପ୍ରକାର ଲୋଭନୀୟ ବେଶରେ ମଣ୍ଡାଇଥାନ୍ତି | ସମ୍ବଲପୁରୀ କସ୍ତା ଶାଢ଼ି, ସୋନପୁରୀ, ବଉଳଶାଢ଼ି ନୃତ୍ୟଗୀତର ଆସରକୁ ଆହୁରି ଆକର୍ଷଣୀୟ କରି ତୋଳିଥାଏ। ଢୋଲବାଲାମାନେ ମାଇକଛା ଭିଡ଼ି ରଙ୍ଗିନ ଫତେଇ ପିନ୍ଧିବାର ଦେଖାଯାଏ। ସେମାନେ ପ୍ରାୟତଃ ମହୁଲି ନିଶାରେ ଟଳମଳ ହୋଇ ଗୀତର ଅଧା ପାଳିଆ ଧରିଥାନ୍ତି । ଝିଅମାନେ ପାରମ୍ପରିକ ଗହଣା କତରିଆ, ବନ୍ଦରିଆ, ତାଡ଼, ବାହୁସୂତା ପ୍ରଭୃତି ମଧ୍ୟ ପିନ୍ଧିଥାନ୍ତି । ଡାଲଖାଇ ଗୀତରେ ପ୍ରାୟ ଆଦିରସର ପରିମାଣଟା ବେଶି। ଆଦିରସ ଛଡ଼ା ସମସାମୟିକ ପରିବେଶର ଚିତ୍ର ମଧ୍ୟ ସେଥିରେ ଦେଖିବାକୁ ମିଳିଥାଏ।
‘ଡାଲଖାଇ’ ପୂଜା ବିଷୟରେ ଆଉ ଜଣେ ଗବେଷକ ପଲ୍ଲୀକବି ଶ୍ରୀ ଅଭିମନ୍ୟୁ ପ୍ରଧାନ କହନ୍ତି ଯେ – ଶରତ କାଳରେ ପ୍ରାକୃତିକ ଶୋଭାରେ ଆତ୍ମବିଭୋର ହୋଇ ଆଦିବାସୀ ଜନସମୁଦାୟ ପ୍ରେମର ଅଧିଷ୍ଠାତ୍ରୀ ଦେବୀ ଶୁଭକେଶୀ ବା ଶୁଭ୍ରବେଶୀଙ୍କ ପୂଜା ଅର୍ଚ୍ଚନାର ଆୟୋଜନ କରନ୍ତି । ଏହି ଦେବୀଙ୍କର ସେବା ଉପଚାର ବିଧି-ବିଧାନରେ ସର୍ବତ୍ର ବଣ୍ୟଫଳ, ଫୁଲ, ଡାଳ ବିପୁଳ ଭାବରେ ବ୍ୟବହୃତ ହେଉଥିବାରୁ ବୋଧହୁଏ ଏହି ସଂପୂଜିତା ଦେବୀଙ୍କର ଶ୍ରଦ୍ଧା ନାମ ‘ଡାଲଖାଇ’ ରଖାଯାଇଛି। ଏହା ଆଦିବାସୀଙ୍କ ଆଦି ପର୍ବ।* ଏହି ଡାଲଖାଇ ପର୍ବର ପରିସର ମଧ୍ୟରେ ଅନ୍ୟାନ୍ୟ ତେତ୍ରିଶ କୋଟି ଦେବଦେବୀଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରାଯାଇଥାଏ। କାରଣ ଗ୍ରାମ୍ୟକୋଠିଶାଳ, ପୂଜାଘର କାନ୍ଥ କୁଟୀରରେ ଅଙ୍କିତ ୧୬ ବଖରା ମଧ୍ୟରେ ୩୩ କୋଟି ଦେବଦେବୀଙ୍କ କଳ୍ପିତ ଚିତ୍ର ଅଙ୍କାଯାଇଥାଏ। ଯଥା : ଶିବ, ପାର୍ବତୀ, ହନୁମାନ, ମାଉଲୀ, ଭୀମ, ନାରଦ, ଶିରୀ, ସୁବକ, ନୀଳରାଣୀ, ରହେଲା ରାଣୀ, ବରୁଣ, କୁବେର, ଲକ୍ଷ୍ମୀ, ସରସ୍ଵତୀ, ଖମ୍ବେଶ୍ୱରୀ, ବାଉତୀପନ୍ଥା ବର, ଦୁର୍ଗା, ବୁଢ଼ାରଜା, ଗ୍ରାମପତି ପ୍ରଭୃତି । ଏମାନଙ୍କ କେନ୍ଦ୍ରରେ ଶୁଭ୍ରକେଶୀଙ୍କର ମୁଖ୍ୟ ସ୍ଥାନ ରହିଥାଏ।
ଭେରୀ-ତୁରୀ-ଢୋଲ-ମାଦଲ ଆଦି ବାଦ୍ୟଯନ୍ତ୍ରର ସମାବେଶରେ ନବମୀ ତିଥିରେ ପ୍ରାତଃ କାଳରୁ କୁମାରୀ କିଶୋରୀ କନ୍ୟାମାନେ ଗ୍ରାମୀୟ ନଈକୂଳ, ଝରଣାକୁ, ତରୁମୂଳ କିମ୍ବା ଦେବାଳୟରେ ନାନା ପ୍ରକାର ଗୀତନୃତ୍ୟର ଆୟୋଜନ କରନ୍ତି । ଡାଲଖାଇ ପୂଜା ମଣ୍ଡପରେ ଗାଉନୀମାନେ ଧୂନ୍କେଲ ବାଦ୍ୟ ସଂଯୋଗରେ ଦେବୀ ବନ୍ଦନା କରିଥାନ୍ତି –
-ବନ୍ଦୁଅଛେଁ ମୁଇଁ ଡାଲଖାଇରେ ବନ୍ଦୁଅଛେଁ ମୁଇଁ ମହାମାଈ ବନ୍ଦୁଅଛେଁ ମୁଇଁ କମ୍ବଳାଇ
ତୋ ପାଦେ ଶରଣ ଲୋ ମାତା ଫେଡ଼ିଦେ କଷଣ ।
ବାଜ ବାଜ ଝୁମୁକା ବାଡ଼ିରେ ବାଜ ବାଜ ମୋ ରତ ହାଁଡି ବାଜୁଥିବୁରେ ଶିବଧନୁ
ରୁମୁ ଝୁମୁ ତ ରୁମୁଝୁମୁ
ଚାଜୁରୀ ଖେଳବରେ ଦେବୀ
ଉଲ୍ଲାସେ ନାଚିବ।
ଆସିଗଲା ମୋର ଶୁକ୍ରକେଶୀ
ଆସିଗଲା ମୋର ବନବାସୀ
ଆସିଗଲା ମୋର ଶୁଭ୍ରକେଶୀ ବିଶ୍ଵ-ବିମୋହିନୀ ଲୋ
ପାର୍ବତୀ ନନ୍ଦିନୀ।
ଏହି ‘ଦେବୀ ବନ୍ଦନା ମାଳିକା’ ଅନୁସାରେ ଡାଲଖାଇ ଦେବୀ ହେଉଛନ୍ତି ପାର୍ବତୀ ନନ୍ଦିନୀ। ଗ୍ରାମପତି, ସପ୍ତସତୀ, ଆଦିଶକ୍ତି, ନୀଳାରାନୀ, ଦହନାରାନୀ, ତୁଲସା ରାନୀ ଆଦିର ବନ୍ଦନା ମାଧ୍ୟମରେ ଯେଉଁ କାହାଣୀର ଅବତାରଣା କରାଯାଇଛି ତା’ ହେଉଛି
ଯେ – ପ୍ରାଚୀନ ଯୁଗରେ କୋଶଳ ଦେଶରେ ଚଳିତ ନାମରେ ଜଣେ ପ୍ରତାପଶାଳୀ ରାଜା ଥିଲେ। ତାଙ୍କ ରାଣୀଙ୍କ ନାମ ନୀଳାବତୀ। ରାଜ ପରିବାରରେ ଦେବହରି ଓ ରାମହରି ବୋଲି ଦୁଇପୁଅ ଓ ତାଙ୍କର ତୁଳସା ଓ ଦହନା ନାମ୍ନୀ ଦୁଇ ପୁତ୍ରବଧୂ ଥିଲେ । ଦେବଦେବୀଙ୍କ ଆଶୀର୍ବାଦରେ ନୀଳାବତୀ ରାଣୀଙ୍କର ଏକ କନ୍ୟା ଜାତ ହେଲା। ତା’ ନାଁ ରହେଲା । ରାଜକୁମାରୀ ରହେଲାକୁ ଯେତେବେଳେ ସାତବର୍ଷ ବୟସ, ସେ ଡାଲଖାଇ ପୂଜାର ସମ୍ଭାର ଯୋଗାଇ ଦେବାକୁ ରାଜାରାଣୀଙ୍କୁ ଅନୁରୋଧ କଲା । ରାଜାରାଣୀ ଝିଅର କଥାରେ କାନ ଦେଲେ ନାହିଁ । ତା’ ପରେ ରାଜକୁମାରୀ ରହେଲା ଶାରଦୀୟ ଓଷା ପାଳିବାକୁ ଭାଇ ଭାଉଜମାନଙ୍କୁ ଅନୁରୋଧ କରି ମଧ୍ୟ ବିଫଳକାମ ହେଲା। ସେମାନେ ତା’ କଥାକୁ ହସରେ ଉଡ଼ାଇଦେଲେ। ତାକୁ ନାନା ପ୍ରକାର ଭର୍ତ୍ସନା କଲେ। ଏକଥା ସହି ନପାରି ରାଜକୁମାରୀ ବିଷ ପିଇ ନିତାଇ ଧୋବଣୀର ତୁଠ ପଥରରେ ଆଷ୍ଟୋତ୍ସର୍ଗ କରିଦେଲା । ବହୁତ ଖୋଜାଖୋଜି, ଗୁଣିଗାରେଡ଼ି ପରେ ରାଜା ରହେଲାର ଧୋବାତୁଠରେ ଝାସ ଦେଇ ପ୍ରାଣ ହାରିଥିବାର ଖବର ପାଇଲେ। ଅନେକ କନ୍ଦାକଟା କଲେ। ତା’ ପର ଦିନ ସକାଳେ ଜଳକନ୍ୟା ସାତବହନୀ (ସାତ ଭଉଣୀ ବା ସପ୍ତମାତୃକା)ଙ୍କ ଗହଣରେ ରହେଲା ଜଳକେଳି ଓ ନୌବିହାର କରୁଥିବାର ଦେଖାଗଲା। ରାଜାରାଣୀ ସପ୍ତମାତୃକାଙ୍କୁ ପ୍ରାର୍ଥନା କରି ରାଜକୁମାରୀଙ୍କୁ ଫେରାଇ ଦେବାର ପ୍ରାର୍ଥନା କରନ୍ତେ ସେମାନେ ଡାଲଖାଇ ଓଷା ପର୍ବ ସଂଯୋଜନା କରିଦେବା ପାଇଁ ଶପଥ ନେଇ ରହେଲାକୁ ଫେରାଇ ଦେଲେ। *
ଏହିପରି ଭାବରେ ଡାଲଖାଇର ପ୍ରଚଳନ ବିଷୟରେ ଅନେକ କିମ୍ବଦନ୍ତୀ ଶୁଣିବାକୁ ମିଳେ। ଏଥିରେ ଶୈବ ଓ ଶାକ୍ତ ଦର୍ଶନର ମଧ୍ୟ ଅନେକ ଅନୁପ୍ରବେଶ ଦେଖିବାକୁ ମିଳେ । ଏ ବିଷୟରେ ଗବେଷଣା କଲେ ଅନେକ କଥା ଜଣାପଡ଼ିବ।
ଡାଲଖାଇ କୋଠିଶାଳରେ ବିଭିନ୍ନ ଦେବଦେବୀ ସାଧାରଣ ଉପାସୀ, ଦେହେରୀ, ଝାଙ୍କର ଦେହରେ କାଳିସି ରୂପେ ଅବତରଣ କରି ବିଭିନ୍ନ କଥା ଓ ଭବିଷ୍ୟବାଣୀ କରିଥାନ୍ତି । ଏହି ପୂଜାର୍ଚନା କଲେ ଅପୁତ୍ରିକମାନେ ସନ୍ତାନ ଲାଭ କରନ୍ତି। ଗ୍ରାମରୋଗ, ବାଘ, ଅକାଳ ମଡ଼କ, ମହାମାରୀ, ଦୈବୀ ଦୁର୍ବିପାକ, ଦେବକୂଟ, ରାଜକୂଟ, ମାନବୀୟ ପ୍ରକୋପରୁ ରକ୍ଷାପାଏ ବୋଲି ଲୋକ ବିଶ୍ଵାସ ରହିଛି ।
କୁମାରୀ ଝିଅର ସରଳ ତରଳ ମନରେ ଉଲ୍ଲାସ ଓ ମାନସିକ ଉନ୍ମେଷ ଘଟିବା ଉଦ୍ଦେଶ୍ୟରେ ଏହି ପୂଜାର ଆୟୋଜନ ହୋଇଥାଏ। କ୍ଷଣସ୍ଥାୟୀ ସ୍ଵାଧୀନତା ଉପଭୋଗ, ନାରୀଜାତିର ଆବେଗ ଓ ଉନ୍ମାଦନାର ପ୍ରଶମନ ପାଇଁ ମଧ୍ୟ ଏହା ଏକ ସୁଯୋଗ ସୁବିଧା ଯୋଗାଇ ଦେଇଥାଏ। ଜୀବନରେ ସୁଖଶାନ୍ତିକୁ ହାତଧରି ଡାକିଆଣେ।
ବର୍ତମାନ କେତୋଟି ଡାଲଖାଇର ନମୁନା କଥା ଦେଖାଯାଉ
୧୮ ଡାଲଖାଇ ବୋ…
ଆସ ଆସ ଟୁକେଲମାନେ ଯିମା ପତର ତୁଲି ଲୁଗାଟୁପା ଧରି ବାହାରିଲା ଗୁରୁବାରୀ
ଡାକ ଦିଅଲୋ ଜାନକୀ ଯିବା ଝାରକେ ଜାନକୀ ଗଲା ଦଉଡ଼ି
କାଏଁ ହେଲୁ ଲୋ ଶୁକୁନ୍ତଳା ପଡ଼ିଛୁ ମୁହଁମାଡ଼ି। କାହିଁଗଲ ସେ ନୁରା
ଯିମା ପରେ ଜଲଦି ଆସ ଚାପି ଆଉଛେ ଖରା ତହୁଁ ବଏଲା ଭାମା, ଧାଙ୍ଗରା ଧାଙ୍ଗରୀ ଯିମା ବୁଢ଼ୀ ଶୁଢ଼ୀ ଗଲେ ଯେଭେ ଧରା ପଡ଼ିଯିମା
ସାଙ୍ଗ ସାଙ୍ଗ ହୋଇଗଲେ
କିଏ ଭୁଲଲା ଡୁମରି ଉପରେ କିଏ ତୁଲଲା ତଲେ କିଏ କରିଛେ ଲୁଗା ଭରନା କିଏ କରିଛେ ଭିଜା କିଏ ବଏଲା ଆଈଗୋ, କିଏ ବଏଲା ବାଇ ବସିଥିରେ ନୂନ ମିଚ୍ଚା ଦେଇଥିବୁ ଭୁରେଇ କାହିଁ ଗଲା ସେ ର୍କେଟି
ଆର୍ ତାର୍ ଘଏତା ମାର୍ ମାରିଛେ ମୁହଁ ଯାଇଛେ ଫାଟି ମୁହଁ ଯାଇଛେ ଫାଟି ତ ଡାଲଖାଇ ବୋ…
୨୮ ଡାଲଖାଇ ବୋ…
ଯାତରା ପଦାଥି
ବାଜୁଛେ ବଜା
ଭଲି ଭଲି ସାଜି
ହେଲା ନ ସଜା ବାହକ ମୁର୍ମୁଙ୍ଗ ଘଣ୍ଟ ମୁହୁରି
ଦେଖନାହାରୀମାନେ
ହେଲେ ନ ଚୁରି
– ବାଜୁଛେ ତୁରି, ଉଡୁଛେ ଧୂଲି ଡଙ୍ଗରୁ ଆସବା କଲାସୀ
ପଡ଼େ ହୁହୁଲୀ
୨
ପଡ଼େ ହୁଲହୁଲୀ କାଏ ଡାଲଖାଇରେ…
୩ ଡାଲଖାଇ ବୋ… କୃଷ୍ଣ ଯାଇଥିଲେ ଯମୁନାକୂଲ ରାଧା ଯାଇଥିଲେ ଆନିବେ ଜଲ ଧରିନେଲେ ହାତ କଲା କହ୍ନାଇ ଛାଡ଼ ବୋଇଲେ ସେ ଛାଡ଼ଇ ନାହିଁ ଯୁବା ବୟସ ନନ୍ଦର ପିଲା
ଦେହ ତା’ର କଲା କଲା ଡାଲଖାଇ ବୋ
୪ ଡାଲଖାଇ ବୋ… କବାଟ ତଲେ ସିନା ସୁବର୍ଣ ଥାଏ ସେଦିନର କଥା କାନ୍ତ ମନୁ ନଯାଏ ପ୍ରଭୁକେ ପାଇଥିଲି ଜଲରେ ଥାଇ ଛାଡ଼ ବଏଲେ ପରଭୁ ଛାଡ଼ଇ ନାହିଁ …ହେ ମହାପୁରୁ
ଥିଲା ଥିଲା ମୋର ହାତୁ ପଲାଲା
ଡାଲଖାଇରେ…
ଡାଲ ତ ଡାଲ ତ ଅଇଁଲା ଡାଲ
ଅଏନ ଦିଶୁଛେ ତୋର ବାବୁରି ବାଲ ବାବୁରି ବାଲରେ ଚିଲି କଇଁଚା
ଧୁତି ଖଣ୍ଡେ ପିନ୍ଧିଥିବୁ ରେଡି ଝମକା, ମୁହଁ ମଲିକା କାଏଁ ଡାଲଖାଇରେ…
ଡାଲଖାଇରେ ଡାଲଖାଇରେ
ଇଆଡ଼େ ପର୍ବତ ସିଆଡ଼େ ପର୍ବତ
ମଝିର ପର୍ବତେ ନୀଲାବତୀର ଘର କପଡ଼ା ଖଣ୍ଡେ ଶୁଆଇଥିଲି
ଆଁଖି ଜର୍ଜର
କପଡ଼ା ବଲି ନାଏଁ ବଲ୍ବୁ ଢୁଲିଆ
ମୋର ମହନୀ ପତର କାଏଁ
ଡାଲଖାଇରେ…
-ଡାଲଖାଇ ବୋ ଡାଲଖାଇ ବୋ… ସମଲପୁରର ଦରପନ ଦେଖା ଦର୍ପନ ଦେଖାର ପାଦେ ଅଲତା ପାଦେ ଅଲତାର ଖିରୂପିନି କଁଟା ଚାଲିଗଲେ ନନୀ ବହଲେ ଅଁଟା ଚଟୁ ଫିଙ୍ଗିଦେଲୁ ହାଣ୍ଡିଶାଳକୁ ମୋତେ ଫିଙ୍ଗି ଦେଲୁ ଯମପୁରୀକୁ ଯମପୁରର ପାନି ହେମ କାକର ବଉଲ
ମୋତେ ଲେଖିଦିଅ କଲା ଅକ୍ଷର କଲା ଅକ୍ଷର କି ଡାଲଖାଇରେ…
-ଡାଲଖାଇରେ…
ଆହା ଚତୁର୍ଭୁଜ କଲା ନଡ଼ିଆ କଥା କେ ନାଇଁ କହେଲେହେଲେ ଅଡ଼ୁଆ ହେଲା ଅଡ଼ୁଆ କି ଡାଲଖାଇରେ…
ଡାଲଖାଇରେ…
ଡାଲେ ଡାଲେ ଗଲା ମୂଷା ତେଲେନି ଟୁକେଲର ଏଡ଼େ ଭରସା ତେଲ ଝୁଝୁର ଖୁଁଷା
କାଏଁ ଡାଲଖାଇରେ…
-ଡାଲଖାଇରେ…
ଆଗେ ବଳଭଦ୍ର ପଛେ ଭବାନୀ
ପଛେ ପଛେ ଲମିଥିବେ ଦୂତୀ ମୋର୍ ଦୂତୀ ମୋର ସାରଙ୍ଗପାଣି କି ଡାଲଖାଇରେ
-ଡାଲଖାଇ ବୋ୨
ଚାଲ ଦେଖିଯିମା ସମଲପୁର
ସାଖି ପଡ଼ାରେ ମୋର ଶଶୁରଘର ମୋର ଶାଶୁକେ ଦେଇଥିଲି ଦୁଇ ଦର୍ଜନ କେଲା ମୋର ଶାଶୁ ନେଇ ଦେଇଥିଲି ସେର୍ଣା ରସ୍ଗୁଲା ଚୌକି ଉପରେ ବସିକରି ଦୁଃଖର ସୁଖର୍ ଲାଗ କେନୁ ଆଏଲା ଗୁଟେ ସଙ୍ଗାତ ମାଏନ୍ କଲା ନାଇଁ ନାଇଁ ବଲୁଥିଲି ବେଲେ ଗୋ ପାନ ଗୁଟେ ଦେଲା ରସ ଯା’ ଚଲିଯାରେ…
ଡାଲଖାଇ ବୋ୨
ଆମତ୍ ବାରିକୃତି ସେ କମିସେମି
ଭଲ୍ କଲା ନାଟ୍ବୁ ନାଚୁଣୀ ନନୀ
ହିଟି ଯିବା ତୋର୍ ବେନି କି ଡାଲଖାଇ ବୋ…
-ଡାଲଖାଇ ବୋ ୨
ଅନ୍ଧାର ଘରକୁ ମୁଁ ଯେ ଧାନ ଘାଣ୍ଟି ଗର୍ଲି ଦିଅର ଶୁଇଛନ୍ ବୋଲି ଜାଣି ନିପାରିଲି ଧରିଦେଲେ ଡେନା କିଗୋ ହିଟିଗଲା ଗୁନା ସେ ଗୁନାକେ ଧରି କରି ବାବୁଗା
ଗାଲେ ଦେଲେ ଚୁମା ରସ ଯା ଧୀରେଧୀରେ ରେ।
୧. ଗଣନୃତ୍ୟ – ‘ ଡାଲଖାଇ’ : ଭାଗିରଥୀ ନେପାକ ବଉଳବେଣୀ, ଶାରଦୀୟ -୧୯୭୮, ସଂ-ଅଦ୍ଵୈତ ପ୍ରସାଦ ମହାନ୍ତି * ସାହିତ୍ୟ ପୃଷ୍ଠାରୁ ଡାଲଖାଇ : ସମ୍ବଲପୁର ଇତିହାସର ଏକ ଛିନ୍ନ ପୃଷ୍ଠା । ଶ୍ରୀ ଉଦେମଣି ପଟେଲ : ଆର୍ତନାଦ ୧ମ ବର୍ଷ ୫ମ ସଂଖ୍ୟା ସଂ : ବଳରାମ ପଟେଲ ।
* ଆଦିବାସୀଙ୍କ ଆଦିପର୍ବ ଡାଲଖାଇ : ପ୍ରବନ୍ଧ : ପଲ୍ଲୀକବି ଅଭିମନ୍ୟୁ ପ୍ରଧାନ ଦୈନିକ କୋଶଳ ତା – ୭-୧୦-୧୯୮୧ ସମ୍ବଲପୁର
ଜଗଦଲପୁର ଥାନାନ୍ତର୍ଗତ ଧୂମଭଟା ନିବାସୀ ଶ୍ରୀ ମଣି ପଟେଲଙ୍କଠାରୁ ସଂଗୃହୀତ।

