‘ସମଧ୍ଵନି’ ପାଇଁ ଶୁଭେଚ୍ଛା

4 Min Read

କୋଡିଏ ବର୍ଷ ତଳେ ‘ସମଧ୍ଵନି’ ଭୁବନେଶ୍ୱରର Unit-9 ରେ ଥିବା ସି.ପି.ଏମ୍‌. ଅଫିସରେ ଆରମ୍ଭ ହୋଇଥିଲା । ସ୍ୱୟଂପ୍ରଭା ପାଢୀ ଜଣେ ସାମାଜିକ କର୍ମୀ ଏବଂ ତାଲିମ ପ୍ରାପ୍ତ ଗାୟିକା ।  ମୋର ଯାହା ମନେପଡେ, ତାଙ୍କ ସାଙ୍ଗରେ ଆଉ କେତେ ଜଣ ଥିଲେ, ଯେଉଁମାନଙ୍କର ଗୀତରେ ଖୁବ ଆଗ୍ରହ ଥିଲା, ଯଦିଓ ସେମାନଙ୍କର କୌଣସି ବିଶେଷ ତାଲିମ ନଥିଲା । ମୋର ନିଜର ବି ସେହି ସ୍ଥିତି – ଗୀତରେ ଆଗ୍ରହ, ମାତ୍ର ତାଲିମ ନାହିଁ । ତାଲିମ ନ ଥିବା କାରଣରୁ କାହାକୁ ଗୀତ ଗାଇବାରୁ ବଞ୍ଚିତ କରାଯାଇ ନ ପାରେ । ପ୍ରାୟ ପ୍ରତିଟି ଭାରତୀୟ ଭାଷାରେ ଲୋକଗୀତ ପରିବେଷଣ କରୁଥିବା ପ୍ରସିଦ୍ଧ ଗାୟକ – ଗାୟିକାଗଣ ତାଲିମର ଦୂରରେ । ତେଲୁଗୁରେ ଲୋକଗୀତ ଗାଇ ଅମର ହୋଇଥିବା ‘ଗଦ୍ଦର’ (ବିପ୍ଲବୀ)  ନାମରେ ଖୁବ ଲୋକପ୍ରିୟ ଗୁମ୍ମୁଡି ଭିଟ୍ଟଲ ରାଓ(1949-2023) ମଧ୍ୟ ଆଦୌ ତାଲିମପ୍ରାପ୍ତ ନ ଥିଲେ । ଆମେ JNU ରେ ପଢୁଥିବା ବେଳେ ବିଭିନ୍ନ ଭାରତୀୟ ଭାଷାରେ ଲୋକଗୀତ ଏବଂ ସାଧାରଣ ଜନତାର ସଂଘର୍ଷର ଗୀତ ଗାଇବା ପାଇଁ ଏକ ଅନୌପଚାରିକ ସାଂସ୍କୃତିକ ସଙ୍ଗଠନ ଗଢିଥିଲୁ; ନାଁ ଥିଲା ‘ପ୍ରତିଧ୍ୱନୀ’ । ତହିଁରେ ଜଣକୁ (ପ୍ରଫେସର ଶୁଭେନ୍ଦୁ ଘୋଷ)କୁ ବାଦ ଦେଲେ ଆଉ କାହାରି ସଂଗୀତରେ କୌଣସି ତାଲିମ ନଥିଲା । ଏହା ଆମକୁ ଗୀତ ଗାଇବାବେଳେ କେବେ ହୀନମନ୍ୟ କରୁନଥିଲା । ଭୁବନେଶ୍ୱରରେ ସେତେବେଳେ, ‘ପ୍ରତିଧ୍ୱନୀ’କୁ ସମ୍ମୁଖରେ ରଖି  ସେହି ନାଁ ରୁ ‘ସମଧ୍ଵନି’ ନାମର ଆରମ୍ଭ ହୋଇଥିଲା । ପରେ ପରେ ସେହି ନାଁ ରେ ‘ସମଧ୍ଵନି’ ପତ୍ରିକା ମଧ୍ୟ ଆରମ୍ଭ ହେଲା – ସ୍ୱୟଂପ୍ରଭା ପାଢୀଙ୍କ ଉଦ୍ୟମରେ । ପତ୍ରିକାରେ ବିଭିନ୍ନ ଲୋକକଳା ଏବଂ କଳାକାରଙ୍କ ଉଦ୍ୟମକୁ ନେଇ ସଂସ୍କୃତି ବିଷୟକ ପ୍ରବଂଧମାନ ପ୍ରକାଶିତ ହୁଏ । ମୁଁ ବି କେତୋଟି ସଂଖ୍ୟାରେ ଲେଖିଛି । ସମୟକ୍ରମେ ମୋର ସଂପୃକ୍ତି ଉଭୟ ‘ସମଧ୍ଵନି’ରେ ନାହିଁ; ତା’ ପଛରେ ମୋର ସ୍ଥାନାନ୍ତରଣ ଆଦି ହେଲା ପ୍ରମୁଖ କାରଣ । ମୋର ବିଚାରରେ ପତ୍ରିକାର ନିୟମିତ ହେବା ଏବଂ ‘ସମଧ୍ଵନି’ ସାଂସ୍କୃତିକ ଅନୁଷ୍ଠାନର ସଚଳ ଏବଂ ସକ୍ରିୟ ହେବା ଏକ ବଡ ସାମାଜିକ ଆବଶ୍ୟକତା । ଓଡିଶାର ସାଂସ୍କୃତିକ ଇତିହାସରେ ଏହାର ପ୍ରାସଂଗୀକତା କେବେ ଊଣା ହେବାର ନାହିଁ । ଓଡିଆ କବି ମନମୋହନ ମିଶ୍ର (1917-2000)  ଏକା ଏକା ନିଜ ରଚିତ ଗୀତ ପରିବେଷଣ କରି ଏହି ଆନ୍ଦୋଳନକୁ ଗୋଟାଏ ସମୟରେ ବଞ୍ଚାଇ ରଖିଥିଲେ । ମାତ୍ର ଏଭଳି କାମ କେବଳ ଜଣେ ବ୍ୟକ୍ତିର ହୋଇନ ପାରେ । ତା’ ପାଇଁ ଏକ ‘ସମୂହ’ର ଲୋଡା ଏବଂ ତା’ ସହିତ ‘ସମୂହ’ର ନିରନ୍ତର ବ୍ୟାପ୍ତି ଓ ପ୍ରସାର ମଧ୍ୟ ହେବା କଥା । ଏବେ ଓଡିଆ ସଂସ୍କୃତି ନାଁରେ ଯେଉଁ ଅଂଧାନୁକରଣ ଚାଲିଛି, ତା’ର ବିକଳ୍ପ ରୂପରେ ‘ସମଧ୍ଵନି’ ଏକ ଦୃଢ ନେତୃତ୍ୱ ନେଇପାରିବ। ଏହା ଆମ ଓଡିଆ ଅସ୍ମିତାର ରକ୍ଷା ଲାଗି ମଧ୍ୟ ଏକାଂତ ପ୍ରୟୋଜନ । ଏଥିପାଇଁ ସବୁଠାରୁ ବଡ ଆବଶ୍ୟକତା ହେଲା ବ୍ୟକ୍ତିଗତ ମହତାକାଂକ୍ଷା-ରହିତ ପ୍ରୟାସ । ଗତ ଶତାବ୍ଦୀରେ, 1930—40 ଦଶକରେ ‘ଇପଟା’ ( ‘IPTA’:Indian Peoples’ Theatre Association) ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ସ୍ଥାପିତ ହୋଇଥିଲା; ସ୍ୱାଧିନତା ଆନ୍ଦୋଳନ ଏବଂ ପ୍ରଗତିଶୀଳ ଗତିବିଧିରେ ତାର ଅନେକ ଦାନ ।    ‘ସମଧ୍ଵନି’ ପାଇଁ ‘ଇପଟା’ ଆଦର୍ଶ ହୋଇ ପାରିବେ । ଓଡିଆରେ ଲୋକଗୀତର ଅଭାବ ନାହିଁ । କେବଳ ଓଡିଆ କାହିଁକି, ବିଭିନ୍ନ ଭାରତୀୟ ଭାଷାର ଲୋକଗୀତ ଏଥିରେ ସ୍ଥାନ ପାଇବା କଥା । ଇତିହାସର ବିଭିନ୍ନ କାଳାଂଶରେ  ଭାରତ ଅନେକ ରାଜନୈତିକ ଭାଗବଣ୍ଟାର ସମ୍ମୁଖୀନ ହୋଇଛି । ତା’ ସତ୍ୱେ, ଭାରତ ଉପମହାଦେଶର  ସାଂସ୍କୃତିକ ଏକତା ଅବିଛିନ୍ନ । ଏହା ଆମ ପାଇଁ ଏକ ବଡ ସାଂସ୍କୃତିକ ଏବଂ ଐତିହାସିକ ସମ୍ପଦା । ଏହାକୁ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ପ୍ରଦର୍ଷିତ କରାଯାଇ ପାରିବ; ଦୃଢରୁ ଦୃଢତର କରାଯାଇ ପାରିବ । ଏଭଳି ଏକ ପ୍ରୟାସ ଆଗରେ ଅନେକ ବାଧକ । କେବଳ ଏକନିଷ୍ଠ ଉଦ୍ୟମ ବଳରେ ହିଁ ତାକୁ ସାକାର କରିହେବ । ମୋର ଗଭୀର ଅବସୋସ ଯେ ନିଜର ଅଶେଷ  ଆଗ୍ରହ ସତ୍ୱେ.  ଏ ଦିଗରେ ମୁଁ  ବିଭିନ୍ନ କାରଣରୁ କିଛି କରିପାରୁ ନାହିଁ । ଗୀତ ବାହାରେ ନାଟକ ପ୍ରଦର୍ଶନ ମଧ୍ୟ ‘ସମଧ୍ଵନି’ ର ଯୋଜନାରେ ରହିବା କଥା । ଏକ ସମୂହର ସକ୍ରିୟତା ହିଁ ଏହି ସବୁ ଉଦ୍ୟମକୁ ଫଳବତୀ କରିପାରିବ । ଅନେକ ବାଧା-ବିଘ୍ନ ମଧ୍ୟରେ  ‘ସମଧ୍ଵନି’ ଯାହା ବି ଉଦ୍ୟମ ଏହି କୋଡିଏ ବର୍ଷ ମଧ୍ୟରେ କରିଛି କିମ୍ୱା କରିବା ପାଇଁ ଯୋଜନା କରିଛି, ତାହା ଖୁବ ଆନନ୍ଦର କଥା । ମୋର ସମସ୍ତ ଶୁଭେଚ୍ଛା ‘ସମଧ୍ଵନି’କୁ  ଏହି ଶୁଭ ଅବସରରେ ।

୨୨ ଫେବୃଆରୀ ୨୦୨୫

ପ୍ରୀତୀଶ ଆଚାର୍ଯ୍ୟ

ପ୍ରଫେସର, କ୍ଷେତ୍ରୀୟ ଶିକ୍ଷା ସଂସ୍ଥାନ, ଆଜମୀର, ରାଜସ୍ଥାନ

Share This Article
ଇତିହାସ ବିଭାଗର ପ୍ରଫେସର(ରିଜୋନାଲ କଲେଜ), ସ୍ତମ୍ବକାର
Exit mobile version