ମୃଦଙ୍ଗ ସୃଷ୍ଟି ସମ୍ବନ୍ଧରେ ପୌରାଣିକ ଓ ଐତିହାସିକ ମତ

ସ୍ନେହାଶିଷ ପଟ୍ଟନାୟକ 298 Views
15 Min Read

“ବୈଦିକ ସାହିତ୍ୟରେ ଦୁନ୍ଦୁଭି, ଭୂମି ଦୁନ୍ଦୁଭି, ବନସ୍ପତି, ଗୋଧା, ପିଙ୍ଗା ଆଦି ଅନେକ ଚର୍ମବାଦ୍ୟର ଉଲ୍ଲେଖ ଅଛି । କିନ୍ତୁ ମୃଦଙ୍ଗର ନାମ ଉଲ୍ଲେଖ ମିଳୁନାହିଁ । ବୈଦିକ କାଳରେ ମୃଦଙ୍ଗ ନଥିଲା ବୋଲି ଏହା ନିଶ୍ଚିତ ରୂପରେ କୁହଯାଇପାରିବ । ରାମାୟଣ, ମହାଭାରତରେ ଅନେକ ବାଦ୍ୟ ସହିତ ମୃଦଙ୍ଗ ବାଦ୍ୟର ଉଲ୍ଲେଖ ଅନେକ ସ୍ଥାନରେ ରହିଛି ।” ଏକଥା ନିଜ ମୃଦଙ୍ଗ ସମ୍ପର୍କିତ  ଲେଖାରେ ପ୍ରକାଶ କରିଛନ୍ତି ଲେଖକ ସ୍ନେହାଶିଷ ପଟ୍ଟନାୟକ । ମୃଦଙ୍ଗ ସୃଷ୍ଟି ସମ୍ବନ୍ଧରେ ପୌରାଣିକ ଓ ଐତିହାସିକ ମତ ଶୀର୍ଷକରେ ସେ ମୃଦଙ୍ଗ ସମ୍ପର୍କରେ ଏକ ସବିଶେଷ ତଥ୍ୟ ଆଧାରିତ ଲେଖା ପ୍ରକାଶ କରିଛନ୍ତି ଯାହା ସଂଗୀତ କ୍ଷେତ୍ରରେ ଗବେଷଣାରତ ଛାତ୍ର ଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ମନେହୁଏ ।  – ସମ୍ପାଦକ

ସ୍ନେହାଶିଷ ପଟ୍ଟନାୟକ (ଅତିଥି ଅଧ୍ୟାପକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)

234ମୃଦଙ୍ଗ ବାଦ୍ୟର ଉତ୍ପତ୍ତି ଏବଂ ଇତିହାସ ସମ୍ବନ୍ଧରେ ବିଶେଷ ଭାବରେ ଆଲୋଚନା କରାଯାଉଅଛି । ମୁଖ୍ୟତଃ ବାଦ୍ୟକୁ ଚାରି ଭାଗରେ ବିଭକ୍ତ କରାଯାଇଅଛି । ଯଥା:- ତତ୍‌, ଶୁଶିର, ଘନ ଏବଂ ଅବନଦ୍ଧ ବାଦ୍ୟ କୁହାଯାଏ । ତତ୍ – ତାର ଦ୍ୱାରା ବାଦନ କରାଯାଉଥିବା ବାଦ୍ୟକୁ ତତ୍ ବାଦ୍ୟ କୁହାଯାଏ । ସେହିପରି ପବନ ଦ୍ୱାରା ବା ଫୁଙ୍କା ଯାଉଥିବା ବାଦ୍ୟକୁ ଶୁଶିର ବାଦ୍ୟ କୁହାଯାଏ । ଧାତୁ ଦ୍ୱାରା ବାଦନ କରାଯାଉଥିବା ବାଦ୍ୟକୁ ଘନବାଦ୍ୟ କୁହାଯାଏ । ସେହିଭଳି ଚମଡ଼ା ଦ୍ୱାରା ବାଦନ କରାଯାଉଥିବା ବାଦ୍ୟକୁ ଅବନଦ୍ଧ ବାଦ୍ୟ ବା ତାଳବାଦ୍ୟ କୁହାଯାଏ । ଅବନଦ୍ଧ ବାଦ୍ୟର ଅର୍ଥ ଚମଡ଼ାକୁ ଯେକୌଣସି କାଠ କିମ୍ବା ମାଟି ପଦାର୍ଥରେ ଢ଼ାଙ୍କି ବାଦନ କରିବାକୁ ଅବନଦ୍ଧ ବାଦ୍ୟ କୁହାଯାଏ । ଯାହା ଚର୍ମଦ୍ୱାରା ଆଚ୍ଛାଦିତ ହୋଇଥାଏ । ମୃଦଙ୍ଗ ବାଦ୍ୟ ସମ୍ବନ୍ଧରେ ବିଭିନ୍ନ ମତ ଦୃଷ୍ଟିଗୋଚର ହୋଇଛି । ମୃଦଙ୍ଗ ବାଦ୍ୟକୁ ଆଦିତାଳରେ ସର୍ବଶ୍ରେଷ୍ଠ ବାଦ୍ୟ ବୋଲି କୁହାଯାଇଥିଲା । ଅବନଦ୍ଧ ବାଦ୍ୟର ଶୃଙ୍ଖଳାରେ ମୃଦଙ୍ଗର ସ୍ଥାନ ଆଦିକାଳରେ ସର୍ବଶ୍ରେଷ୍ଠ ବୋଲି ପ୍ରଚଳିତ ଅଟେ । ଏହାର ଉତ୍ପତ୍ତି ବିଷୟରେ ଅନେକ ବିଦ୍ୱାନ ନିଜ ନିଜର ମତବ୍ୟକ୍ତ କରିଛନ୍ତି । କିଛି ମତ ବେଦ ପୂରାଣ ଆଧାର ଉପରେ ଅଟେ ତ କିଛି କାଳ୍ପନିକ ତଥା ଗବେଷଣାତ୍ମକ ଅଟେ । ନାଦ ଦୁଇପ୍ରକାର ଯଥା:- ଆହତ ନାଦ, ଅନାହତ ନାଦ । ଆଘାତ ଦ୍ୱାରା ନାଦର ଉତ୍ପତ୍ତି କରାଯାଇଥାଏ । ଆହତ ନାଦର ଦୃଷ୍ଟିକୋଣରେ ରଖି ମୃଦଙ୍ଗର ଉତ୍ପତ୍ତି କରାଯାଇଅଛି । ମୃଦଙ୍ଗର ନିର୍ମାଣ ମୁଦା ଧାତୁ (ମାଟି)ରେ କରାଯାଇଅଛି ଏବଂ ମୁହଁକୁ ଚମଡ଼ାରେ ଆଚ୍ଛାଦିତ କରି ବ୍ୟବହାରରେ ଲଗାଯାଇଅଛି । ମୃଦଙ୍ଗ ପ୍ରକାରରେ ତ୍ରିମୁଖ, ପଞ୍ଚମୁଖ, ଊର୍ଦ୍ଧ୍ୱମୁଖ ଏବଂ ଦ୍ୱୟମୁଖ ଅଟେ । ମୃଦଙ୍ଗ କାଷ୍ଠ ଏବଂ ମାଟି ଦ୍ୱାରା ନିର୍ମାଣ ହୋଇଥିଲା ଯାହା ଆଜି ପ୍ରଚଳିତ ହେଉଅଛି ।

ଏକାଙ୍ଗୀ ଧୀର, ଗମ୍ଭୀର, ଓଜନଦାର ଓ ମାଧୁର୍ଯ୍ୟର ପରିପୂର୍ଣ୍ଣ ବାଦ୍ୟ ବର୍ତ୍ତମାନର ନାମ ପଖାୱଜ । କେଉଁ ସମୟରୁ ପ୍ରକୃତ ଅସ୍ତିତ୍ୱରେ ଆସିଲା ତାହାର ମୂଳ ରୂପକୁ ନିତାନ୍ତ ଜାଣିବା ଆବଶ୍ୟକ ଅଟେ । କାରଣ ଆଜି ମଧ୍ୟ ପଖାୱଜ୍‌କୁ ମୃଦଙ୍ଗ ନାମରେ ସମ୍ବନ୍ଧିତ କରାଯାଉଅଛି । ଭାରତୀୟ ସଙ୍ଗୀତରେ ଆଧାରଭୂତ୍ୱ ଗ୍ରନ୍ଥମାନଙ୍କରେ ଭରତଙ୍କ ଲିଖିତ ନାଟ୍ୟଶାସ୍ତ୍ର ସର୍ବୋପରି ଅଟେ ।

ଐତିହାସିକ ଦୃଷ୍ଟିରେ ଦେଖିଲେ ଆଚାର୍ଯ୍ୟ ଭରତକୃତ ନାଟ୍ୟଶାସ୍ତ୍ରରେ ସର୍ବପ୍ରଥମେ ମୃଦଙ୍ଗର ଆକାର, ପ୍ରକାର ତଥା ଶୈଳୀର ବିଶେଷ ବର୍ଣ୍ଣନା ମିଳିଥାଏ । ଯାହାକୁ ଆମର କଳାସଂସ୍କୃତି ରୂପି ମୂଳ ଗ୍ରନ୍ଥ ଧରାଯାଇଥାଏ ।

ଭରତମୁନି ନାଟ୍ୟଶାସ୍ତ୍ରରେ ପୁଷ୍କର ବାଦ୍ୟ ରୂପରେ ମୃଦଙ୍ଗ, ପ୍ରଣବ ତଥା ଦୁର୍ଦ୍ଦୁର ଆଦିର ଚର୍ଚ୍ଚା କରିଛନ୍ତି । ମୃଦଙ୍ଗକୁ ତ୍ରିପୁଷ୍କର କହି ତାହାର ତିନୋଟି ଅଙ୍ଗର ବିସ୍ତୃତ ବିବେଚନା କରିଛନ୍ତି । ଆଚାର୍ଯ୍ୟ ଭରତ ନାଟ୍ୟଶାସ୍ତ୍ରର ୨୮ ଅଧ୍ୟାୟରେ ପ୍ରାରମ୍ଭରେ ବାଦ୍ୟର ଚାରି ଭେଦ ତାହାର ଲକ୍ଷଣ ବର୍ଣ୍ଣନା କରିଛନ୍ତି । ଯଥା-

“ତତଂଚୈବାବନଧଂ ତଂ ଘନଂ ଶୁଶିର ମେବ ତ

ଚତୁର୍ବିଧଂ ତୁ ବିଜୟେ ମାତୋଧଂ ଲକ୍ଷଣାନ୍ୱିତଂ ।”

ଏହି ବାଦ୍ୟର ଉତ୍ପତ୍ତି ବିଷୟରେ ଆଚାର୍ଯ୍ୟ ଭରତ ଶ୍ୱାତି ରୂଷିଙ୍କ ସହିତ ସମ୍ପର୍କ ଯୋଡ଼ିଛନ୍ତି । ତାଙ୍କ ଅନୁସାରେ ଶ୍ୱାତି ଋଷି କୌଣସି ଅନ ଅଧ୍ୟୟନ ଦିନରେ ସରୋବରକୁ ଜଳ ଆଣିବାପାଇଁ ଯାଇଥିଲେ । ଅଚାନକ ବର୍ଷା ହେବା କାରଣରୁ ସରୋବରରେ ଫୁଟିଥିବା ପଦ୍ମପତ୍ରମାନଙ୍କରେ ବର୍ଷାବିନ୍ଦୁ ବିନ୍ଦୁ ହୋଇପଡ଼ିବାରୁ ଯେଉଁ ଶବ୍ଦ ଉତ୍ପନ୍ନ ହୋଇଥିଲା, ସେଥିରୁ ପ୍ରେରଣା ପାଇ ସେ ଦେବତାଙ୍କ ଦୁନ୍ଦୁଭିର ଆଧାର ଉପରେ ବିଶ୍ୱକର୍ମାଙ୍କ ସହାୟତାରେ ପୁଷ୍କର, (ଆଲିଙ୍ଗ୍ୟ, ଉର୍ଦ୍ଧକ ଓ ଅଙ୍କିକ) ତଥା ପ୍ରଣବ ଦୁର୍ଦ୍ଦୁର ବାଦ୍ୟର ନିର୍ମାଣ ମାଟିରେ ତିଆରି କରି ଚର୍ମ ଆଚ୍ଛାଦନ ଦ୍ୱାରା ବାଦ୍ୟନିର୍ମାଣ କରିଥିଲେ । ଆଚାର୍ଯ୍ୟ ଭରତ ଉପରୋକ୍ତ ବାଦ୍ୟ ଚର୍ମ ଆଚ୍ଛାଦିତ ହେବା କାରଣରୁ ଅବନଦ୍ଧ ଶବ୍ଦର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ । ଆଚାର୍ଯ୍ୟ ଭରତଙ୍କ ବାଦ୍ୟ ଅନ୍ତର୍ଗତ ମାତ୍ର ତିନୋଟି ବାଦ୍ୟକୁ ହିଁ ଅଙ୍ଗବାଦ୍ୟ ରୂପେ ସେ ହିଁ ପ୍ରଦାନ କରିଥିଲେ । ଶେଷବାଦ୍ୟକୁ ପ୍ରତ୍ୟଙ୍ଗ ବାଦ୍ୟ ଶ୍ରେଣୀରେ ରଖିଥିଲେ । ଅଙ୍ଗବାଦ୍ୟରେ ତ୍ରିପୁଷ୍କର (ମୃଦଙ୍ଗ) ପ୍ରଣବ ଦୁର୍ଦ୍ଦୁର ଅଟେ । ତ୍ରିପୁଷ୍କର ମୃଦଙ୍ଗ ଏକତ୍ରି ଅଙ୍ଗବାଦ୍ୟ ଥିଲା । ଆଚାର୍ଯ୍ୟ ଭରତ ଏହାକୁ ତିନି ଭାଗରେ ନାମିତ କରିଥିଲେ । ଯଥା:- ଅଙ୍କିକ, ଊର୍ଦ୍ଧକ ଓ ଆଲିଙ୍ଗ୍ୟ । ଏହି ତିନି ଅଙ୍ଗ ଯଥା:- ଅଙ୍କିକ-ହରିତିକି, ଊର୍ଦ୍ଧକ-ଯବାକୃତି, ତଥ।। ଆଲିଙ୍ଗ୍ୟ-ଗୋପୁଚ୍ଛାକୃତି ଥିଲା ।

“ହରିତକା କୃତିସ୍ତଂନୋ ୟବମଧ୍ୟେ ସ୍ତଧୋସ୍ୱର୍ଗଃ

ଆଲିଙ୍ଗ୍ୟଶ୍ରୈବ୍ୟ ଗୋପୁଚ୍ଛ ଆକୃତ୍ତ୍ୟା ସମ୍ପ୍ରକୀର୍ତ୍ତିତଃ ।”

ଭରତକାଳିନ ତ୍ରିପୁଷ୍କରର ଊର୍ଦ୍ଧ୍ୱକ ଓ ଆଲିଙ୍ଗ୍ୟକ ଭାଗର ପ୍ରଚଳନ ଅଙ୍କିକ ଭାଗ ହିଁ ଯାହା ମୂରଜ ମୃଦଙ୍ଗ ତଥା ମର୍ଦ୍ଦଳ ନାମରେ କୁହାଯାଉଥିଲା । ତାହା ପ୍ରଚାରରେ ମଧ୍ୟ ରହିଥିଲା । ଏହି ଅଙ୍କିକ ନାମକ ଭାଗରେ କେହି ବିଦ୍ୱାନ ବର୍ତ୍ତମାନ ମୃଦଙ୍ଗ ବା ପଖାବଜର ଉତ୍ପତ୍ତି ହୋଇଛି ବୋଲି ମାନନ୍ତି । ତ୍ରିପୁଷ୍କରର ଅତ୍ୟନ୍ତ ସ୍ପଷ୍ଟ ଶିଳ୍ପଚିତ୍ର ଦ୍ୱିତୀୟ ଶତାବ୍ଦୀର ଅମରାବତୀର ଭିତ୍ତିଚିତ୍ରରେ, ପଞ୍ଚମ ଶତାବ୍ଦୀରେ ପବାୟର ଶିଳ୍ପରେ, ଷଷ୍ଠ ତଥା ସପ୍ତମରେ ଓଡ଼ିଶାର ଭୁନେଶ୍ୱରର ମୁକ୍ତେଶ୍ୱର ମନ୍ଦିରରେ, ଷଷ୍ଠ ଶତାବ୍ଦୀରେ ବାଦାମୀର ଶିଳ୍ପ ଚିତ୍ରରେ ତଥା ଅଜନ୍ତାର ୨୬ ନଂ ଗୁମ୍ଫାରେ ତ୍ରିପୁଷ୍କରର ଅତ୍ୟନ୍ତ ସୁସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥାଏ ।

ପୌରାଣିକ ମତ :-

କିମ୍ବଦନ୍ତୀରେ ପ୍ରଚଳିତ ହୋଇଛି ଯେ, ମୃଦଙ୍ଗର ଜନ୍ମ କେବେ ଓ କେଉଁ ପ୍ରକାର ହୋଇଥିଲା ।

ସୃଷ୍ଟିର ଆଦିକାଳରେ ଦେବାସୁର ସଂଗ୍ରାମ ହୋଇଥିଲା ଓ ଉଭୟଙ୍କର ଯୁଦ୍ଧରେ ଅସୁରଙ୍କ ପରାଜୟ ହୋଇଥିଲା । ଏହି ବିଜୟପର୍ବ ଉଲ୍ଲାସର ଆୟୋଜନ ଦେବତାମାନେ କରିଥିଲେ । ଏଥିରେ ସଙ୍ଗୀତ, ନୃତ୍ୟ ସହିତ ସଙ୍ଗତ ନିମନ୍ତେ ବ୍ରହ୍ମା ବୁତ୍ରାସୁରର ରକ୍ତରେ ମାଟିକୁ ସ୍ନାନ କରାଇ ତାହାର ଚର୍ମରେ ଆଚ୍ଛାଦନ କରି ମୃଦଙ୍ଗ ନିର୍ମାଣ କରିଥିଲେ ।

ତ୍ରିପୁରାସୁର ନାମକ ରାକ୍ଷସକୁ ଯେତେବେଳେ ଭଗବାନ ଶଙ୍କର ବଦ୍ଧ କଲେ ଆନନ୍ଦରେ ଅଧୀର ହୋଇ ନୃତ୍ୟ କରିବାକୁ ଲାଗିଥିଲେ । ଏହି ନୃତ୍ୟ ଲୟରେ ନଥିଲା । ତେଣୁ ପୃଥିବୀର ସ୍ଥିତି ବହୁତ ଅସ୍ତବ୍ୟସ୍ତ ଆଡକୁ ଗତି କରିଥିଲା । ଜଗତ ସ୍ରଷ୍ଟା ଯେତେବେଳେ ଦେଖିଲେ ଯେ ପୃଥିବୀ ରସାତଳକୁ ଯାଉ/ଛି ସେଥିରେ ଭୟଭୀତ ହୋଇ ପ୍ରଳୟ ନିବାରଣ ନିମିନ୍ତେ ଯଥାଶୀଘ୍ର ତ୍ରିପୁରାଶୁରର ଶରୀରର ଅବଶେଷରେ ମୃଦଙ୍ଗର ନିର୍ମାଣ କରି ବିଜୟୀ ଶଙ୍କରଙ୍କ ସହିତ ତାଳ ଦେବାପାଇଁ ପୁତ୍ର ଗଣେଶଙ୍କୁ ପ୍ରେରଣା ଦେଇଥିଲେ । ପୁତ୍ର ଗଣେଶଙ୍କ ମୃଦଙ୍ଗ ବାଦନରେ ପ୍ରଭାବିତ ହୋଇ ଶଙ୍କର ତାଳରେ ନୃତ୍ୟ କରିବା ଆରମ୍ଭ କଲେ । ଏଭଳି ମୃଦଙ୍ଗର ଉତ୍ପତ୍ତି ଓ ତାଳର ପ୍ରାଦୁର୍ଭାବ ହେବା କାରଣରୁ ପୃଥିବୀ ରସାତଳକୁ ଯିବାରୁ ବର୍ତ୍ତି ଯାଇଥିଲା । ସୁଧା କଳସ ମଧ୍ୟ ଭଗବାନ ଶଙ୍କରଙ୍କୁ ମୁରଜ ବା ମୃଦଙ୍ଗର ଆବିଷ୍କାରକ ବୋଲି ପ୍ରକାଶ କରିଛନ୍ତି ।

ଅନ୍ୟ କେତେ ବିଦ୍ୱାନଙ୍କ ମତରେ ମୃଦଙ୍ଗର ଉତ୍ପତ୍ତି ଶଙ୍କରଙ୍କ ଡମ୍ବରୁରୁ ହିଁ ହୋଇଥିଲା । ସୃଷ୍ଟିର ପ୍ରଳୟ କାଳରେ ଭଗବାନ ଶଙ୍କର ଯେଉଁ ତାଣ୍ଡବ ନୃତ୍ୟରେ ଯେଉଁ ଡମ୍ବରୁ ବଜାଇଥିଲେ ବ୍ରହ୍ମା ସେହି ସମୟରେ ଡମ୍ବରୁର ଆଧାର ଉପରେ ମାଟିରେ ମୃଦଙ୍ଗ ନିର୍ମାଣ କରିଥିଲେ । ତାକୁ ଶ୍ରୀ ଗଣେଶ ବାଦନ କରିଥିଲେ ।

ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମୁରାସୁରର ବଧ କରିଥିଲେ ତା’ପରେ ତାହାର ଶରୀରର ଚର୍ମରେ ମୃଦଙ୍ଗର ରଚନା କରିଥିଲେ । ମୁରାସୁରର ନାମ ନାମିତ ହୋଇଛି ମୁରଜ ।

ମୃଦଙ୍ଗ ଲକ୍ଷ୍ୟଣମ୍ ଗ୍ରନ୍ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ସମ୍ବନ୍ଧିତ ଦ୍ୱାପର ଯୁଗରେ ସେ ନରକାସୁରର ବଧ କରି ତା’ର ମୁଣ୍ଡ ଏବଂ ଗୋଡ଼କୁ କାଟି ତା’ର ଶରୀରକୁ ଦୁଇପଟରୁ ଚମଡ଼ାରେ ଢ଼ାଙ୍କି ବିଜୟ ଉଲ୍ଲାସରେ ବାଦନ କରିଥିଲେ ।

ମହାକାଳଙ୍କ ତାଣ୍ଡବ ନୃତ୍ୟ ସମୟରେ ଭଗବାନ ଶଙ୍କରଙ୍କର ପ୍ରମୁଖ ଗଣ ମହାନନ୍ଦୀ ମୃଦଙ୍ଗ ବାଦନ କରି ଲୟର ଅନୁଗମନ କରିଥିଲେ ।

ଐତିହାସିକ ତଥ୍ୟ କେତେ ସତ୍ୟତା ଅଛି ତାହା ଉପରୋକ୍ତ କଥାମାନଙ୍କରୁ କୁହାଯାଇପାରିବ ନାହିଁ । କିନ୍ତୁ ଏଥିରେ ମୃଦଙ୍ଗ ବିଷୟରେ ଅନେକ ମହତ୍ତ୍ୱପୂର୍ଣ୍ଣ ସଂକେତ ପ୍ରାପ୍ତ ହୋଇଛି । ପ୍ରଥମତଃ ମୃଦଙ୍ଗ ତିଆରି କରିବା ପାଇଁ ଜୀବଙ୍କ ଆବଶ୍ୟକ ପଡ଼ିଥାଏ । ଦ୍ୱିତୀୟରେ ବିଜୟ ଉଲ୍ଲାସ ଉତ୍ସବ ସମୟରେ ଗୀତ ବାଦନ ଇତ୍ୟାଦିରେ ସଂଗତ ପାଇଁ କରାଯାଇଥାଏ । ଯୁଦ୍ଧ୍ୟାଦି ଅବସରରେ ଏହାର ପ୍ରୟୋଗ କେବେ ହେଲେ ହୋଇନଥାଏ । ତୃତୀୟ ସଂକେତ ଏହାର ରଚନା ସମ୍ଭବତଃ ମାଟିରେ ହୋଇଥାଏ । ଏହା ମାଟିରେ ପ୍ରସ୍ତୁତ ହୋଇଥିବାରୁ ତାହାର ନାମ ମୃଦଙ୍ଗ ଅଟେ । ଏହା ସଂଗୀତ ଦାମୋଦରରେ ବର୍ଣ୍ଣନା ମିଳେ ।

“ମୃର୍ତ୍ତିକା ନିର୍ମିତଶ୍ଚୈବ ମୃଦଙ୍ଗ ପରିକୀର୍ତ୍ତିତଃ”

ମୃଦଙ୍ଗର ବିକାଶକ୍ରମକୁ ଜାଣିବା ପାଇଁ ଭାରତୀୟ ଇତିହାସ ଉପରେ ଦୃଷ୍ଟିପାତ କରିବାକୁ ହେବ । ଆମର ସବୁଠାରୁ ପ୍ରାଚୀନ ସାହିତ୍ୟର ଆଧାର ବେଦ ଅଟେ । ଏହି ବୈଦିକ ସାହିତ୍ୟରେ ଭାରତୀୟ ସଭ୍ୟତା ଏବଂ ସଂସ୍କୃତି ସବୁଠାରୁ ବଡ଼ ସ୍ରୋତ ଅଟେ । ଐତିହାସିକ ଦୃଷ୍ଟିରେ ମୃଦଙ୍ଗ ମୁରଜ ଆଦିର ଉଲ୍ଲେଖ ବୈଦିକ ସାହିତ୍ୟରେ ମିଳେ ନାହିଁ । ବୈଦିକ ସାହିତ୍ୟରେ ଦୁନ୍ଦୁଭି, ଭୂମି ଦୁନ୍ଦୁଭି, ବନସ୍ପତି, ଗୋଧା, ପିଙ୍ଗା ଆଦି ଅନେକ ଚର୍ମବାଦ୍ୟର ଉଲ୍ଲେଖ ଅଛି । କିନ୍ତୁ ମୃଦଙ୍ଗର ନାମ ଉଲ୍ଲେଖ ମିଳୁନାହିଁ । ବୈଦିକ କାଳରେ ମୃଦଙ୍ଗ ନଥିଲା ବୋଲି ଏହା ନିଶ୍ଚିତ ରୂପରେ କୁହଯାଇପାରିବ । ‘ହସୋପନିଶେଦ’ରେ ନାଦର ଭେଦ ପ୍ରସଙ୍ଗରେ ମୃଦଙ୍ଗ ବାଦ୍ୟ ନାମର ଉଲ୍ଲେଖ ପ୍ରାପ୍ତ ହୋଇଥାଏ- ‘ମୃଦଙ୍ଗ ନାଦଃ’ । ପୁରାଣ ପୂର୍ବରୁ ମୃଦଙ୍ଗ ବାଦ୍ୟ ଉତ୍ପନ୍ନ ହୋଇଥିଲା ବୋଲି ଆମେ କହିପାରିବା । ପୌରାଣିକ କାଳରେ ବୀଣା, ଦୁନ୍ଦୁଭି, ଦୁର୍ଦ୍ଦୁର ମୃଦଙ୍ଗ, ପ୍ରଣବ, ପୁଷ୍କର ଆଦି ବାଦ୍ୟର ପ୍ରଚାର ଥିଲା । ଏହା ମାର୍କଣ୍ଡେୟ ପୁରାଣରୁ ମିଳିଥାଏ ।

ରାମାୟଣ, ମହାଭାରତରେ ଅନେକ ବାଦ୍ୟ ସହିତ ମୃଦଙ୍ଗ ବାଦ୍ୟର ଉଲ୍ଲେଖ ଅନେକ ସ୍ଥାନରେ ରହିଛି । ସେ ସମୟରେ ଅର୍ଜୁନ ଭଳି ନୃତ୍ୟ ଓ ମୃଦଙ୍ଗରେ ସିଦ୍ଧହସ୍ତ କଳାକାର ଥିଲେ । ମହାଭାରତ ସମୟରେ ସଂକେତ ମିଳିଥିଲା ଯେ ମୃଦଙ୍ଗର ପ୍ରୟୋଗ ଗାୟନ ବାଦନ ଓ ନୃତ୍ୟ ତିନୋଟି ସହିତ ଥିଲା । ତେଣୁ ଏହିକାଳ ପର୍ଯ୍ୟନ୍ତ ମୃଦଙ୍ଗର ସଂସ୍କାର ହୋଇସାରିଥିଲା । ମୁରୁଜ ଏବଂ ମୃଦଙ୍ଗର ଭିନ୍ନ ଭିନ୍ନ ନାମ ରାମାୟଣରେ ରଚିତ ହୋଇଛି ।

ଐତିହାସିକ ମତ :-

ଡଃ ଲାଲମଣି ମିଶ୍ରଙ୍କ ମତାନୁସାରେ ତ୍ରିପୁଷ୍କରର ତିନୋଟି ଭାଗକୁ ଦୁଇଖଣ୍ଡ କରାଯାଇଥିଲା । ଯାହାକୁ ଊର୍ଦ୍ଧ୍ୱକ ଓ ଆଲିଙ୍ଗ୍ୟ ଓ ନିମ୍ନ ଭାଗକୁ ଅଙ୍କିକ କୁହାଯାଉଥିଲା । ସପ୍ତମ ଶତାବ୍ଦୀ      ପରେ ଧୀରେ ଧୀରେ ପରିବର୍ତ୍ତନ ତ୍ରିପୁଷ୍କରର ଆକୃତିର ପରିବର୍ତ୍ତନ ହୋଇଥିଲା । ଏଥିରେ ଉର୍ଦ୍ଧ୍ୱକ ଓ ଆଲିଙ୍ଗ୍ୟ ଭାଗକୁ ହଟାଇ ଦିଆଯାଇଥିଲା ଓ ଅଙ୍କିକ ଭାଗ ଯାହାକୁ କୋଳରେ ରଖି ବାଦନ କରାଯାଉଥିଲା । ଏହି ଭାଗଟି ବଞ୍ôଚ ଯାଇଥିଲା । ଆଗକୁ ଯାଇ ଏହା କାଳକ୍ରମେ ମୃଦଙ୍ଗ ବା ମୁରଜ ନାମରେ ନାମିତ ହୋଇଥିଲା । ସେଥିପାଇଁ ଆଜି ଆମେ ଯେଉଁ ବାଦ୍ୟକୁ ଉତ୍ତର ଭାରତରେ ମୃଦଙ୍ଗ ବା ପଖାୱଜ ତଥା ଦକ୍ଷିଣ ଭାରତରେ ମୃଦଙ୍ଗମ୍ ନାମରେ ସମ୍ବୋଧିତ କରୁଛୁ ।

ଏହା ଭରତକାଳୀନ ମୃଦଙ୍ଗର ଗୋଟିଏ ଭାଗ ଅଟେ । ବିଭିନ୍ନ ମତ ଅନୁସାରେ –

ବୈଦିକ ସାହିତ୍ୟରେ ଦୁନ୍ଦୁଭୀ, ଭୂମୀ-ଦୁନ୍ଦୁଭୀ ଅବନଦ୍ଧ ବାଦ୍ୟର ତ ଉଲ୍ଲେଖ ମିଳେ କିନ୍ତୁ ମୃଦଙ୍ଗ ଶବ୍ଦର କେଉଁଠାରେ ପ୍ରୟୋଗ ହେବାର ଉଲ୍ଲେଖ ନାହିଁ । ଏଥିରୁ ପ୍ରମାଣ ମିଳେ କି ବୈଦିକ ଯୁଗରେ ମୃଦଙ୍ଗର ଆବିଷ୍କାର ହୋଇନାହିଁ ।

ପୌରାଣିକ କାଳରେ ବୀଣା, ଦୁନ୍ଦୁଭି, ମୃଦଙ୍ଗ, ପ୍ରଣବ, ପୁଷ୍କର, ଦୁର୍ଦ୍ଦୁର ଭଳି ବାଦ୍ୟର ପ୍ରଚାର ଥିଲା ବୋଲି ମାର୍କେଣ୍ଡୟ ପୁରାଣରେ ଉଲ୍ଲେଖ ଅଛି ।

ରାମାୟଣ କାଳରେ ସଙ୍ଗୀତର ପର୍ଯ୍ୟାପ୍ତ ବିକାଶ ହୋଇସାରିଥିଲା । କାରଣ ରାବଣ ଜଣେ ସ୍ୱୟଂ ଉଚ୍ଚକୋଟୀର ସଙ୍ଗୀତଜ୍ଞ ଥିଲେ । ସେଥିପାଇଁ ତାଙ୍କ ରାଜ୍ୟରେ ସଙ୍ଗୀତ ଓ ସଙ୍ଗୀତଜ୍ଞମାନଙ୍କୁ ବହୁତ ଆଦର କରାଯାଉଥିଲା । ଜୀବନ ନିର୍ବାହର ଚିନ୍ତା ନ ହେବା କାରଣରୁ ମନୁଷ୍ୟ ନିଜ ସମୟ ସଙ୍ଗୀତ ସାଧନାରେ ମନ ଦେଉଥିଲେ ।

ମହେଞ୍ଜୋଦାରର ଖୋଦାଇରୁ ସିନ୍ଧୁ ଘାଟି ହଜାର ବର୍ଷର ପୁରୁଣା ସଂସ୍କୃତି ବିଷୟରେ ସନ୍ଧାନ ମିଳିଥାଏ । ଏଥିରେ କିଛି ମୂର୍ତ୍ତି ଏପରି ଦେଖିବାକୁ ମିଳିଥିଲା ଯାହାଙ୍କ ହାତରେ ବାଦ୍ୟ ଧରିଥିବାର ଚିତ୍ର ଦେଖାଯାଇଥିଲା । ଗୋଟିଏ ମୂର୍ତ୍ତିର ଗଳାରେ ଢ଼ୋଲ ଭଳି ବାଦ୍ୟ ଓହଳି ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଓ ଆଧୁନିକ ମୃଦଙ୍ଗର ପୂର୍ବଜ ଭଳି ବାଦ୍ୟପ୍ରାପ୍ତ ହୋଇଥିଲା ।

ଶୁଭଙ୍କର ସଂଗୀତ ଦାମୋଦରରେ ମର୍ଦ୍ଦଳ ଓ ମୁରଜର ମୁଖ୍ୟ ଆକାରରେ ଅନ୍ତର ଥିବାର ଦର୍ଶାଇଛନ୍ତି । ମୃଦଙ୍ଗ ମର୍ଦ୍ଦଳ ଓ ମୁରଜକୁ ସଙ୍ଗୀତ ରତ୍ନାକରରେ ଗୋଟିଏ ବାକ୍ୟରେ ଗଣନା କରାଯାଇଛି । ମୁରଜ ଓ ମର୍ଦ୍ଦଳ ମୃଦଙ୍ଗର ପର୍ଯ୍ୟାୟ ବୋଲି ମାନନ୍ତି । ନାଟ୍ୟଶାସ୍ତ୍ରର ଟିକାକାର ଅଭିନବ ଗୁପ୍ତାଚାର୍ଯ୍ୟ ମଧ୍ୟ ମୁରଜକୁ ମୃଦଙ୍ଗର ପର୍ଯ୍ୟାୟ ମାନନ୍ତି । ନାଟ୍ୟଶାସ୍ତ୍ରର ଟିକାକାର ଅଭିନବ ଗୁପ୍ତାଚାର୍ଯ୍ୟ ମଧ୍ୟ ମୁରୁଜକୁ ମୃଦଙ୍ଗର ପର୍ଯ୍ୟାୟ ମାନନ୍ତି । ନାଟ୍ୟଶାସ୍ତ୍ରର ୩୪ ଅଧ୍ୟାୟରେ ଆଚାର୍ଯ୍ୟ ଭରତ କହିଛନ୍ତି- ମୁଖ ପ୍ରଦାନ କରୁଥିବା ମାଙ୍ଗଳିକ ହେବା କାରଣରୁ ଏହାକୁ ମୃଦଙ୍ଗ କୁହନ୍ତି । ନରମ ମାଟିରେ ପ୍ରସ୍ତୁତ ହୋଇଥିବାରୁ ତାହାକୁ ମୁରଜ କୁହାଯାଏ । ଦ୍ୱିତୀୟ ଶତାବ୍ଦୀର ଅମରାବତୀ ଭିତ୍ତିଚିତ୍ରରେ, ଷଷ୍ଠ ଶତାବ୍ଦୀର ବାଦାମୀ ଚିତ୍ରରେ, ତ୍ରିପୁଷ୍କରର ଅତ୍ୟନ୍ତ ଉନ୍ନତ ଶିଳ୍ପଚିତ୍ର ଦେଖିବାକୁ ମିଳିଥାଏ । ସର୍ବପ୍ରଥମ ଶାସ୍ତ୍ରୀୟ ପରିଚୟ ମୃଦଙ୍ଗକୁ ଆଚାର୍ଯ୍ୟ ଭରତଙ୍କ ନାଟ୍ୟଶାସ୍ତ୍ରରେ ପ୍ରାପ୍ତ ହୋଇଥିଲା । ମୃଦଙ୍ଗକୁ ସେ ପୁଷ୍କତ୍ରୟ କହୁଥିଲେ । ପ୍ରୟୋଗର ଆଧାର ଉପରେ ଅଙ୍କିତ ଊର୍ଦ୍ଧ୍ୱଳ ଓ ଆଲିଙ୍ଗ୍ୟକ ଥିଲା ଏବଂ ଯାହାର ନାମ ଆକୃତି ଅନୁସାରେ ହରିତିକ, ଯବାକୃତି, ଗୋପୁଚ୍ଛାକୃତି ଥିଲା ।

ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ମୃଦଙ୍ଗ ମଧ୍ୟ ମାଟିରେ ହିଁ ନିର୍ମିତ ଥିଲା ଏବଂ ପରେ ଏହାକୁ କାଠରେ ନିର୍ମିତ କରାଗଲା । ସାରଙ୍ଗ ଦେବଙ୍କ ସମୟରେ ମୃଦଙ୍ଗର ସ୍ୱରୂପରେ ପର୍ଯ୍ୟାପ୍ତ ପରିବର୍ତ୍ତନ କରାଯାଇଥିଲା । ସର୍ବପ୍ରଥମେ ସଂଗୀତ ରତ୍ନାକରରେ କାଠର ମୃଦଙ୍ଗ ମିଳିଥିଲା । ସେଥିରେ ପ୍ରକାଶିତ ହୋଇଥିଲା ଯେ ମୃଦଙ୍ଗ ରକ୍ତଚନ୍ଦନ, ଖଇର କାଠରେ ନିର୍ମାଣ ହୋଇଥିଲା । ମୁସଲମାନଙ୍କ ପ୍ରଭାବରେ ମୃଦଙ୍ଗକୁ ଉତ୍ତର ଭାରତରେ ପଖାବଜ ନାମରେ ନାମିତ କରାଯାଇଥିଲା । ଆକବରଙ୍କ ଶାସନ କାଳରେ ସର୍ବପ୍ରଥମେ ତାଙ୍କର ଦରବାରୀ ଅବୁଲଫଜଲ ଆଇନ-ଇ-ଆକବରୀରେ ଚର୍ମବାଦ୍ୟର ଲମ୍ବାସୂଚୀରେ ପଖାବଜର ନାମ ଉଲ୍ଲେଖ କରାଯାଇଥିଲା । ସେହି ସମୟରେ ମୃଦଙ୍ଗର ନାମ ପଖାବଜ ହୋଇଯାଇଥିଲା ।

ମୃଦଙ୍ଗ ପ୍ରଚଳନ କର୍ଣ୍ଣାଟକୀ ସଙ୍ଗୀତରେ ପ୍ରଚଳନ ରହି ଆସିଅଛି । ମୃଦଙ୍ଗକୁ ମୃଦଙ୍ଗମ ବୋଲି କର୍ଣ୍ଣାଟକୀ ସଙ୍ଗୀତରେ କୁହାଯାଏ । ମୃଦଙ୍ଗମ୍ ଏବଂ ମୃଦଙ୍ଗ (ଖୋଳ)ର ବାଣୀ ଏବଂ ବାଦନ ଶୈଳୀର ପ୍ରଭେଦ ରହିଛି । ମୃଦଙ୍ଗ ଏବଂ ମର୍ଦ୍ଦଳର ଅଙ୍ଗର ଗଠନ ପ୍ରଣାଳୀ ଭିନ୍ନ ଅଟେ । ବାଦନ କ୍ରିୟାରେ ପାର୍ଥକ୍ୟ ମଧ୍ୟ ରହିଛି ।

ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ବ୍ୟତୀତ ଅନ୍ୟ ଓଡ଼ିଆ ଗୀତ ଯଥା-ଛାନ୍ଦ, ଜଣାଣ, ଭଜନରେ ବ୍ୟବହୃତ ବାଦ୍ୟମାନଙ୍କ ମଧ୍ୟରୁ, ଖୋଳ, ଢ଼ୋଲକ, ମଞ୍ଜିରା, ଖଞ୍ଜଣି ଇତ୍ୟାଦି ଅନ୍ୟତମ । ନିମ୍ନରେ ମୃଦଙ୍ଗ ବା ଖୋଳ ବାଦ୍ୟର ବ୍ୟବହାର ଏବଂ ତାହାର ନିର୍ମାଣ ପଦ୍ଧତି, ବିକାଶ ଓ ବାଦନ ଶୈଳୀ ସମ୍ବନ୍ଧରେ ଆଲୋଚନା କରାଗଲା ।

ଉକ୍ତ ଖୋଳ ବା ମୃଦଙ୍ଗ ବାଦ୍ୟଟି ପ୍ରାଚୀନ ବାଦ୍ୟ ଅଟେ । ଭିନ୍ନ ଭିନ୍ନ ଲେଖକଙ୍କର ଭିନ୍ନ ଭିନ୍ନ ମତ ରହିଛି ମୃଦଙ୍ଗ ଉତ୍ପତ୍ତି ସମ୍ବନ୍ଧରେ । ପ୍ରାଚୀନ କାଳରେ ମୃଦଙ୍ଗ ବିଭିନ୍ନ ନାମରେ ନାମିତ ଥିଲା । ପୁଷ୍କର, ମୁରୁଜ, ମର୍ଦ୍ଦଳ ଇତ୍ୟାତି ଓଡ଼ିଶାରେ ପଞ୍ଚଦଶ ଶତାବ୍ଦୀରୁ (ଖ୍ରୀ ୧୫୧୦) ଚୈତନ୍ୟ ଦେବ ଓଡ଼ିଶା ଆଗମନ କରିଥିଲେ । ସେହି ସମୟରେ ଖୋଳ ବାଦ୍ୟର ପ୍ରଚଳନ ଦେଖା ଦେଇଥିଲା । ଚୈତନ୍ୟ ଦେବଙ୍କ ସହିତ ଭକ୍ତଗଣ କୀର୍ତ୍ତନ ଏବଂ ଭଜନରେ ମୁଗ୍‌ଧ ହୋଇଯାଉଥିଲେ । ଏହି କୀର୍ତ୍ତନ ସହିତ ଯେଉଁ ତାଳବାଦ୍ୟଟି ବାଦନ କରାଯାଉଥିଲା ତାହା ଓଡ଼ିଶାରେ ଖୋଳ ନାମରେ ନାମିତ । ଖୋଳଟିକୁ ପ୍ରାୟତଃ କାନ୍ଧରେ ପକାଇ ବାଦନ କରାଯାଏ । ଆବଶ୍ୟକତା ଅନୁଯାୟୀ କୋଳରେ ବା ମୋଡ଼ିଆରେ ରଖି ବାଦନ କରାଯାଏ ।

ନିର୍ମାଣ ପଦ୍ଧତି :- ୨୦ ରୁ ୨୨ ଇଞ୍ଚ ଲମ୍ବର ଏହା ଏକ ମାଟି ନିର୍ମିତ ଖୋଳ । ଏହାର ବାମ ପାର୍ଶ୍ଵର ବ୍ୟାସ ୧୦ ରୁ ୧୨ ଇଞ୍ଚ ହୋଇଥାଏ । ଦକ୍ଷିଣ ପାର୍ଶ୍ଵର ବ୍ୟାସ ୨ ଇଞ୍ଚରୁ ୩ ଇଞ୍ଚ ହୋଇଥାଏ । ମଧ୍ୟ ଭାଗ ୧୨ ରୁ ୧୬ ଇଞ୍ଚ ହୋଇଥାଏ । କିନ୍ତୁ ଦକ୍ଷିଣାଞ୍ଚଳରେ ମୃଦଙ୍ଗର ଲମ୍ବ ୨୨ ଇଞ୍ଚରୁ ୨୪ ଇଞ୍ଚ ହୋଇଥାଏ । ଦକ୍ଷିର ପାର୍ଶ୍ଵର ବ୍ୟାସ ୫ ଇଞ୍ଚରୁ ୬ ଇଞ୍ଚ ହୋଇଥାଏ । ବାମ ପାର୍ଶ୍ଵର ବ୍ୟାସ ୯ ଇଞ୍ଚରୁ ୧୦ ଇଞ୍ଚ ମଧ୍ୟରେ ହୋଇଥାଏ । ଏହାର ମଧ୍ୟଭାଗ ୧୨ ରୁ ୧୩ ଇଞ୍ଚ ମଧ୍ୟରେ ହୋଇଥାଏ । ବାମ ଏବଂ ଦକ୍ଷିଣ ପାର୍ଶ୍ଵରେ ଖଳି ବା କିରଣ ପ୍ରଲେପ କରାଯାଇଥାଏ । ଦୁଇ ପାର୍ଶ୍ଵର ଛପରକୁ ବଧି ବା ଗଛ ଦ୍ୱାରା ବନ୍ଧା ହୋଇଥାଏ । ଗଛ ବା ବଧି ସାଧାରଣତଃ ଗୋରୁ ଚମଡ଼ାରେ ନିର୍ମାଣ କରାଯାଇଥାଏ । ଖୋଳ ବା ମୃଦଙ୍ଗକୁ କାନ୍ଧରେ ଝୁଲାଇ ରଖିବା ପାଇଁ ଏକ ମିଟର ଲମ୍ବର ଏକ ଫିତା ଥାଏ ।

ଏହାର ବାଦନ ଶୈଳୀ ଢ଼ୋଲ, ମର୍ଦ୍ଦଳ, ତବଲା ବାଦନ ଠାରୁ ଭିନ୍ନ ଅଟେ । ସାଧାରଣତଃ ଧିଗ୍‌, ଧିଗ୍‌ତାଡ଼ା, ଖିଟା, ଖିନ୍ଦଳ, ତରଗଡ଼, ଖିଟିତାକ ଓ ଖତରଖିଟା ଇତ୍ୟାଦି ପାଟ ବା ବର୍ଣ୍ଣ । ଏହି ବାଦ୍ୟରୁ ନିସୃତ ହୋଇଥାଏ । କେତେକ ଅଞ୍ଚଳରେ ମୃଦଙ୍ଗରେ ବିଭିନ୍ନ ଶ୍ଳୋକର ଆବୃତ୍ତି ମଧ୍ୟ କରାଯାଇଥାଏ ।

ପୂର୍ବକାଳରେ ମୃଦଙ୍ଗ କୀର୍ତ୍ତନରେ ମୁଖ୍ୟତଃ ବ୍ୟବହୃତ ହେଉଥିଲା । କିନ୍ତୁ ତବଲାର ପ୍ରଚଳନ ପରେ ଏହାର ବ୍ୟବହାର ସୀମିତ ହେଲା । ବର୍ତ୍ତମାନ କୀର୍ତ୍ତନ ଭଜନ ଓ ବିଭିନ୍ନ ଗୀତରେ ଏହା ବାଦନ କରାଯାଉଅଛି ।

ସହାୟକ ଗ୍ରନ୍ଥସୂଚୀ :-

୧)           ‘ଭାରତୀୟ ସଙ୍ଗୀତ କା ଇତିହାସ’, ଲେଖକ-ଭଗବତ ଶରଣ ଶର୍ମା, ପ୍ରକାଶକ-ସଙ୍ଗୀତ କାର୍ଯ୍ୟାଳୟ, ହାଥରସ, ପ୍ରକାଶ କାଳ-୨୦୦୧ ।

୨)           ‘ସଙ୍ଗୀତ ମୃଦଙ୍ଗ ଅଙ୍କ’, ସମ୍ପାଦକ-ଲକ୍ଷ୍ମୀନାରାୟଣ ଗର୍ଗ, ପ୍ରକାଶକ-ସଙ୍ଗୀତ କାର୍ଯ୍ୟାଳୟ, ହାଥରସ, ପ୍ରକାଶ କାଳ-ଜାନୁୟାରୀ ୧୯୭୫ ।

୩)           ମୃଦଙ୍ଗ- ତବଲା ପ୍ରଭାକର, ଲେଖକ-ଭଗବାନ ଦାସ, ପ୍ରକାଶକ-ସଙ୍ଗୀତ କାର୍ଯ୍ୟାଳୟ, ହାଥରସ, ପ୍ରକାଶ କାଳ-ଜୁଲାଇ ୧୯୬୮ ।

୪)           ତବଲା ମୃଦଙ୍ଗ ବାଦନ ପଦ୍ଧତି, ପ୍ରକାଶକ-ପଣ୍ଡିତ ଚୁଡ଼ାମଣି ବିନାୟକ ନାରାୟଣ ପଟ୍ଟବର୍ଦ୍ଧନ, ପ୍ରକାଶ କାଳ-୧୯୫୫ ।

୫)           ପଖୱାଜ ଏବଂ ତବଲା କି ଶିକ୍ଷଣୀୟ ପଦ୍ଧତି, ଲେଖକ-ଡକ୍ଟର ବିପୁଲ ପାଣ୍ଡେ, ପ୍ରକାଶକ-କାନିଷ୍କ ପବ୍ଲିଶର୍ସ, ପ୍ରକାଶ କାଳ-୨୦୧୪ ।

୬)           ତାଳପ୍ରଜ୍ଞ, ଲେଖକ-ବିନୋଦ ବିହାରୀ ରାଉତ, ପ୍ରକାଶିକା-ଶ୍ରୀମତୀ ତୃପ୍ତିମୟୀ ରାଉତ, ପ୍ରକାଶ କାଳ-ଜୁନ୍ ୨୦୧୩ ।

୭)           ବାଦ୍ୟ ବିନୋଦ ଲେଖକ-ଡକ୍ଟର ପି.ଅରୁନ୍ଧତୀ, ପ୍ରକାଶିକା-ପି.ଅରୁନ୍ଧତୀ, ପ୍ରକାଶ କାଳ-୨୦୦୭ ।

୮)           ମର୍ଦ୍ଦଳ ବିଜ୍ଞାନ, ଲେଖକ-ଜଗନ୍ନାଥ କୁଅଁର, ପ୍ରକାଶିକା-ମହାପାତ୍ର ମିନୀତ ଭଞ୍ଜ, ପ୍ରକାଶ କାଳ-୨୦୦୧ ।

Share This Article
Exit mobile version