ହ୍ୱାଟ୍‌ସଆପ୍‌

9 Min Read

ମୋ ବୋଉର ସେ ଥିଲେ ଦାଦା । ମୋ ଅଜାଙ୍କ ସାନ ଭାଇ । ମୁଁ ତାଙ୍କୁ ମଧ୍ୟ ଅଜା ବୋଲି ସମ୍ବୋଧନ କରୁଥିଲି । ସେ ମୋତେ ଭାରି ଭଲ ପାଉଥିଲେ । ଥଟ୍ଟା ତାମସା ବି କରୁଥିଲେ ଯେପରି ଅଜାମାନେ ନାତିମାନଙ୍କ ସହ ସାଧାରଣତଃ କରିଥାନ୍ତି । ସେ ଅବିବାହିତ ଥିଲେ । ଖାନଦାନି ଘର, ଭଲ ଚାକିରି ତଥାପି କାହିଁକି ଅବିବାହିତ ରହିଲେ ? ମୋ ବୋଉ କହୁଥିଲା ଯେ ତା ଦାଦା କୋଉ ଝିଅକୁ ଭଲ ପାଉଥିଲା । ସେ ଝିଅଟି ଆଉ କେଉଁଠି ବାହା ହୋଇଗଲା ସେଇଥିପାଇଁ ସେ ଆଉ ବାହା ହେଲା ନାହିଁ ।

କାହିଁକି ଏପରି ହେଲା , ଏହା ଜାଣିବା ପାଇଁ ମୋର ଉତ୍ସୁକତା ସବୁବେଳେ ଥିଲା । ତାଙ୍କ ପରିବାରର କେହି କହି ପାରନ୍ତି ନାହିଁ କାହିଁକି ଏପରି ହେଲା । ମୁଁ ଯେତେବେଳେ ସାନଅଜାକୁ ସିଧାସଳଖ ପଚାରିବାର ସାହସ କଲି, ସେତେବେଳକୁ ମୋର ବୁଝିବାର ବୟସ ହୋଇ ଯାଇଥିଲା । କିନ୍ତୁ ଅଜା ସବୁ ବେଳେ ଉତ୍‌ତର ଦେବାକୁ ଏଡାଇ ଯାଉଥିଲେ , କଥାକୁ ଆଉ କେଉଁ ଆଡେ ବୁଲାଇ ଦେଉଥିଲେ । କଥା ବୁଲାଇବା ପାଇଁ ତାଙ୍କ ପାଖରେ ବହୁ ସୂଚନା ଥିଲା । ବହୁତ ପଢୁଥିଲେ ସେ । ଘରର ଉପର ମହଲାରେ ତାର ଏକ ସ୍ୱତନ୍ତ୍ର କୋଠରୀ ଥିଲା । କାନ୍ଥକୁ ଲାଗି ବହିରେ ଭର୍ତି ଆଲମିରା ଧାଡି ହୋଇ ଥୁଆ ହୋଇ ଥାଏ । ମୋ ବୋଉଠୁ ଶୁଣି ଥିଲି ସାନଅଜାର ବହୁ ପ୍ରକାର ସଉକ । କିନ୍ତୁ ତାଙ୍କର ସାଂଗ ସାଥୀ ଥିଲେ ବହୁତ କମ । ଚାକିରିରେ ବଡ ଅଫିସର । ଅଫିସକୁ ଯିବା ,ଆସିବା -ତାପରେ ବହି ପଢିବା । ସମସ୍ତେ ଜାଣିଥିଲେ ଯେ ସାନଅଜା ସନ୍ଧ୍ୟା ସମୟରେ ହୁଇସ୍କି ପେଗ , ଦୁଇ ପେଗ ପିଅନ୍ତି ଓ ବଡ ବଡ ସଂଗୀତଜ୍ଞଙ୍କ ସଂଗୀତର କ୍ୟାସେଟ ଶୁଣନ୍ତି । ଏହି ସମୟଟି ସେ ହାଲୁକା ମନରେ ଥାଆନ୍ତି ବୋଲି ପରିବାରର ସମସ୍ତେ ଜାଣିଥିଲେ । ଘରର ନାତି ନାତୁଣୀମାନେ ଏହି ସମୟରେ ବୁଢାଠାରୁ କିଛି ଆଦାୟ କରିଥାନ୍ତି । ମୁଁ ଭାବିଲି ମୋ ପ୍ରଶ୍ନର ଉତ୍‌ତର ପାଇଁ ଏହିପରି ବେଳା ସବୁଠାରୁ ଉତ୍‌ତମ ହେବ । କିନ୍ତୁ ଏପରି ହେଉ ନ ଥିଲା । ମୋର ପ୍ରଶ୍ନ ନିରୁତତର ହିଁ ରହି ଯାଉଥିଲା । ମୋର ବିଶ୍ୱାସ ଥିଲା ଯେ ନିରୁତ୍‌ତରତା ନିଶ୍ଚୟ ଭାଂଗିବ । ତେଣୁ ସାନଅଜାର ଏହି ବେଳାରେ ମୁଁ ସବୁବେଳେ ପହଂଚୁଥିଲି ଓ ବିଭିନ୍ନ ବିଷୟରେ ଜାଣିବା ଭିତରେ ମୋର ପ୍ରଶ୍ନଟିକୁ ଉଚ୍ଚାରଣ କରି ଦେଉଥିଲି । ସବୁଠାରୁ ମଜା କଥା ହେଉଛି, ଯଦିଓ ଉତତର ଦେବାକୁ ଏଢାଇ ଯାଉଥିଲେ, ବିରକ୍ତ କେବେ ହେଉ ନ ଥିଲେ ।

ଏହି ଭଳି ଉତ୍ସୁକତାର ପ୍ରତିକ୍ରିୟାରେ ଦିନେ ସେ ମୋତେ ସ୍ତବ୍ଧ କରି ପଚାରିଲେ, “ମନୋଜ, ତୁ କେଭେ ପ୍ରେମ କରିଛୁ?” ମୁଁ ସାମାନ୍ୟ ଅପ୍ରସ୍ତୁତ ହୋଇଗଲି । ଯଦିଓ ଅଜା ହିସାବରେ ଆମର ଥଟ୍ଟା ତାମସା ସହିତ ଅଭ୍ୟସ୍ତ ଥିଲି, କିନ୍ତୁ ଏପରି ଏକ ବ୍ୟକ୍ତିଗତ ପ୍ରଶ୍ନ ଜଣେ ଗୁରୁଜନ ପଚାରିବେ, ମୁଁ ଭାବି ପାରୁ ନ ଥିଲି । ସେ ବୋଧେ ମୋ ଭିତରେ ଅସହଜତାକୁ ଦେଖି ପାରୁଥିଲେ । କହିଲେ, “ମୁଁ ସତରେ ଜାଣିବାକୁ ଚାହୁଁଛି ତୋର ଏ ବାବଦ କିଛି ଅଭିଜ୍ଞତା ଅଛି କି ନାହିଁ ।”

ରୀତା କଥା ମନେ ପଡିଲା । ବନ୍ଧୁ ଦୀପକର ଭଉଣୀ ରୀତା ସହିତ ମୋର ଭାବ ବେଶ ବଢି ଯାଇଥିଲା । ହ୍ୱାଟ୍‌ସଆପ୍ ମେସେଜ ନ ଆସିଲେ ମନଟା ସ୍ଥିର ହେଉ ନ ଥିଲା । ଭିନ୍ନ କଲେଜରେ, ତାହା ପୁଣି ଏକ ମହିଳା କଲେଜରେ ପଢୁଥିବା ହେତୁ ତା ସହିତ ଦେଖା ସବୁ ବେଳେ ସମ୍ଭବ ନ ଥିଲା । ତେଣୁ ପରସ୍ପର ପ୍ରତି ଆକର୍ଷଣର ଦୈନିକ ଅଭିବ୍ୟକ୍ତି ହେଉଥିଲା ହ୍ୱାଟ୍‌ସଆପ୍ ଜରିଆରେ । ଏହା ତା ଘରର ଲୋକେ ଜାଣିଥିଲେ କି ନାହିଁ, ମୁଁ କେବେ ପଚାରି ନାହିଁ । କିନ୍ତୁ ଆମ ଘରର କେହି ଜାଣି ନ ଥିଲେ ।

ତେଣୁ ସାନଅଜାଙ୍କୁ କ’ଣ ଉତତର ଦିଅନ୍ତି?

ମୁଁ ସାନଅଜାଙ୍କ ପ୍ରଶ୍ନର ଉତତର ନ ଦେଇ କହିଲି, “ବୁଝିଲି , ତୁମେ ତା ହେଲେ ପ୍ରେମ କରୁଥିଲ ।”

ସେ ଛଦ୍ମ କ୍ରୋଧରେ କହିଲେ, “ଆବେ, ମୁଁ ତୋତେ ତୋ ପ୍ରେମ ଅଭିଜ୍ଞତା କଥା ପଚାରୁଛି, ତୁ ମୋତେ ମୋ ପ୍ରେମ କଥା ପଚାରୁଛୁ?”                                 “ହଉ ତେବେ ଶୁଣ ମୋ ପ୍ରେମ କାହାଣୀ ।”

ସୈାଦାମିନୀଙ୍କୁ ଭଲ ପାଉଥିଲେ ସାନଅଜା । ତାଙ୍କର ଭେଟ ହୋଇଥିଲା ଏକ ସମ୍ପର୍କୀୟଙ୍କ ବାହାଘରରେ, ବେଶୀ ସମୟ ପାଇଁ ନୁହେଁ । ଅଳ୍ପ ସମୟ ପାଇଁ । ସୈାଦାମିନୀ ତାଙ୍କୁ ଦେଖି ହସି ଦେଇଥିଲେ । ଆଉ ସାଂଗେ ସାଂଗେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । କାହିଁକି ତାଙ୍କୁ ଦେଖି ହସିଥିଲେ, ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । କିନ୍ତୁ ସାନଅଜାଙ୍କୁ ଏହି ହସ ପାଗଳ କରିଥିଲା । କିଏ ଏହି ଝିଅ, କାହାର ଝିଅ, କାହାର ଭଉଣୀ, କେଉଁଠି ରହେ ଏ ସବୁ ଜାଣିବା ପାଇଁ ସେ ବ୍ୟାକୁଳ ହୋଇ ଉଠିଥିଲେ । ଯେଉଁ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ, ସେଠାକୁ ପୁଣି ଗଲେ । ବିଭିନ୍ନ ବିଷୟରେ ସେମାନଙ୍କ ସହ କଥାବର୍ତା ହେଲେ, ବିଭାଘର ଆୟୋଜନକୁ ବେଶ ତାରିଫ କଲେ, କେଉଁମାନେ ସବୁ ନିମନ୍ତ୍ରିତ ହୋଇଥିଲେ ତାହା ଜାଣିଲେ । ତାରି ଭିତରେ ସେ ଜାଣିପାରିଲେ ସୈାଦାମିନୀର ବାପା ଭୁବନେଶ୍ୱର ସେକ୍ରେଟାରିଆଟରେ କାର୍ଯ୍ୟ କରନ୍ତି ଓ ସେ ରହନ୍ତି ସହରର ଆର ମୁଣ୍ଡରେ । ସାନଅଜା ରହୁଥିବା ବିପରୀତ ଦିଗରେ । ସିଧାସଳଖ ସୈାଦାମିନୀଙ୍କ ବିଷୟରେ ପଚାରିବାକୁ ଅତି ଚତୁରତାର ସହ ଏଡାଇ ଯାଇଥିଲେ, କିନ୍ତୁ ତାଙ୍କ ବିଷୟରେ ସବୁ ଖବର ପାଇ ଯାଇଥିଲେ । ସେ ସମୟ ଟା ସେହିଭଳି ଥିଲା । କୈାଣସି ବଢିଲା ଝିଅ ବିଷୟରେ ଆଗ୍ରହ ଦେଖାଇବାକୁ ସନ୍ଦେହ କରାଯାଉଥିଲା । ଏବେ ସାନଅଜାଙ୍କ ସାମନାରେ ସମସ୍ୟା କିପରି ସୈାଦାମିନୀଙ୍କ ସହ ସମ୍ପର୍କ ହେବ । ସାନଅଜା ସାଇକେଲ ମାରି ସୈାଦାମିନୀ ରହୁଥିବା ସାହିରେ ଥରେ ଦୁଇ                  ଥର ବୁଲି ଆସିଥିଲେ । ସୈାଦାମିନୀ ଯେଉଁ କଲେଜରେ ପଢୁଥିଲେ, ସେ ମଧ୍ୟ ଆଖ ପାଖ ଥରେ ଦୁଇଥର ଯାଇ ବୁଲି ଆସିଥିଲେ ସାନଅଜା । ଯଦିଓ ଏହି ପ୍ରକ୍ରିୟାରେ ସୈାଦାମିନୀଙ୍କ ସହ ଚାରି ଚକ୍ଷୁର ମିଳନ ହେଉଥିଲା , ଭାବର ଆଦାନ ପ୍ରଦାନର ସୁଯୋଗ ଆସୁ ନ ଥିଲା । ତେଣୁ ଉପାୟ ସନ୍ଧାନରେ ବ୍ୟାକୁଳ ହେଉଥିଲେ ସାନଅଜା । ସେ ଜାଣିଲେ ଯେ ବନ୍ଧୁ ସୁବ୍ରତର ଘର ସୈାଦାମିନୀର ଘର ପାଖରେ ଓ ସେମାନଙ୍କର ପାରିବାରିକ ବନ୍ଧୁତା ଅଛି । ସୁବ୍ରତ ସହିତ ସାନଅଜାଙ୍କର ଅନ୍ତରଂଗତା ଥିଲା ।

ନିଜ ମନ କଥା କହିବାରେ ସଙ୍କୋଚ କାହିଁକି କରନ୍ତେ? କହିଦେଲେ । ସୁବ୍ରତ ହାତରେ ଖଣ୍ଡିଏ ଚିଠି ସେ ସୈାଦାମିନୀଙ୍କୁ ପଠାଇଲେ । ସାନ ଅଜାଙ୍କୁ ଚକିତ କରି ଚିଠିର ଉତତର ଫେରାଇଥିଲେ ସୈାଦାମିନୀ । ତାପରେ ତ ଚିଠି ଦିଆନିଆରେ ବିରାମ ପଡି ନ ଥିଲା । ସୁବ୍ରତ ଅତି ନିଷ୍ଠାର ସହିତ ପତ୍ର ବାହକର କାର୍ଯ୍ୟ ତୁଲାଉ ଥିଲେ ।

ସାନଅଜା ରାଜ୍ୟ ବାହାରକୁ ପଢିବାକୁ ଚାଲିଗଲା ପରେ ମଧ୍ୟ ଏହି ପତ୍ର ଦିଆନିଆ ଚାଲୁଥିଲା । ସାନଅଜା ସୁବ୍ରତ ମାର୍ଫତରେ ସୈାଦାମିନୀଙ୍କୁ ଚିଠି ପଠାଉଥିଲେ । କିନ୍ତୁ ଧୀରେ ଧୀରେ ସୈାଦାମିନୀଙ୍କଠାରୁ ପତ୍ର ଆସିବାର ଅନ୍ତରାଳ ବଢିଲା । ଏ ପଟେ ସାନଅଜା ବ୍ୟସ୍ତ ହେଉଥିଲେ ଓ ସୁବ୍ରତଙ୍କୁ ପଚାରୁଥିଲେ କାରଣ । ସୁବ୍ରତ ଯେଉଁ ଉତ୍‌ତର ଦେଉଥିଲେ ତାହା ତାଙ୍କୁ ଆଶ୍ୱସ୍ତ କରୁ ନ ଥିଲା ।

ଦିନେ ସୁବ୍ରତ ଲେଖିଲେ, “ଦିବାକର, ମୋର ମନେ ହେଉଛି ସୈାଦାମିନୀ ମନରେ କିଛି ପରିବର୍ତନ ହେଉଛିି ବୋଧେ ।”

“ତାହାହେଲେ କଣ ସୈାଦାମିନୀ ତାଙ୍କୁ ଭଲ ପାଉ ନାହିଁ?” ସୁବ୍ରତର ଚିଠି ପାଇ ସାନ ଅଜା ନିଜକୁ ପଚାରୁଥିଲେ । ସୁବ୍ରତ ଏହାର ଉତ୍‌ତର ଆଉ ଫେରାଇ ନ ଥିଲେ । ସାନ ଅଜାଙ୍କର ଏହାପରେ ସୁବ୍ରତଙ୍କୁ ଚିଠି ସବୁ ନିରୁତ୍‌ତରିତ ରହି ଯାଇଥିଲା ।

କିନ୍ତୁ ବନ୍ଧୁ ଅମରେନ୍ଦ୍ରଙ୍କଠାରୁ ପତ୍ରଟିଏ ଆସିଥିଲା । ସେ ଜଣାଇଥିଲା ଯେ ସୁବ୍ରତ ବାହା ହେବାକୁ ଯାଉଛି ତାଙ୍କ ସାହିର ଝିଅକୁ । ଝିଅର ନାଁ ସୈାଦାମିନୀ ।

ସାନ ଅଜା ସେତେବେଳେ ବୁଝି ପାରୁଥିଲେ ଯେ ସୈାଦାମିନୀର ମନ ପରିବର୍ତନରେ ସୁବ୍ରତର ଭୂମିକାକୁ ।

ଏତିକି ମୁଁ ବୁଝିଲି ସାନ ଅଜାଙ୍କ କଥାରୁ ।

ମୁଁ କହିଲି, “ଅଜା, ତୁମେ ଏପରି ଭୁଲ କେଭେ କରି ନ ଥାନ୍ତ ଯଦି ତୁମେ ହିନ୍ଦିର ପ୍ରସିଦ୍ଧ ବ୍ୟଂଗ ଲେଖକ ହରିଶଙ୍କର ପରସାଇଙ୍କ ଲେଖାଞ୍ଚଟି ପଢିଥାନ୍ତ ।”

ପରସାଇ ଲେଖିଥିଲେ, “କୈାଣସି ମିତ୍ର ହାତରେ ପତ୍ର ପଠାଇବାର ପ୍ରଥା ମଧ୍ୟ ଅଛି । କିନ୍ତୁ ଏଥିରେ ବଡ ବିଶ୍ୱାସଘାତକତା ରହିଛି । ପ୍ରାୟ ଏପରି ହୋଇଛି ଯେ ପ୍ରେମିକା ଚିଠି ଆଣିବା ଲୋକ ସହିତ ହିଁ ପ୍ରେମ କରିବସେ । ଉର୍ଦ୍ଦୁର କବିମାନେ ବନ୍ଧୁଙ୍କ ହାତରେ ପତ୍ର ପଠାଇବାର ଭୁଲ କରିଥିଲେ, ଯାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡିଥିଲା ।”

ସାନ ଅଜା କହିଲେ, “ଆବେ, ମୂଳ ହିନ୍ଦିରେ ଶୁଣାଉ ନୋହୁଁ ।”

ମୁଁ ଭୁଲି ଯାଇଥିଲି ଯେ ସାନ ଅଜା ବହୁତ ବର୍ଷ ହିନ୍ଦିଭାଷୀ ଅଂଚଳରେ ଚାକିରି କରିଥିଲେ ।

ମୁଁ ତାଙ୍କୁ ହିନ୍ଦିରେ ଶୁଣାଇଲି-“କିସି ମିତ୍ର କେ ଦ୍ୱାରା ପତ୍ର ଭେଜନେ କା ଭି ପ୍ରଥା ହୈ । ପର ଇସମେଁ ବଡା ଧୋଖା ହୈ । ଅକ୍ସର ଐସା ହୁଆ ହୈ କି ପ୍ରେମୀ ୟା ପ୍ରେମିକା ଚିଠି ଲାନେ ବାଲେ ସେ ହି ପ୍ରେମ କରନେ ଲଗେ ହୈଁ । ଉର୍ଦ୍ଦୁ କେ କବିଓଁ ନେ ମିତ୍ର କେ ଦ୍ୱାରା ପତ୍ର ଭେଜନେ କି ଗଲତୀ କି ଥୀ, ଜିସକା ପରିଣାମ ଉନେହେଁ ଭୁଗତନା ପଡା ଥା ।”

ଏହା ଶୁଣି ସାନ ଅଜା ଗମ୍ଭୀର ହୋଇଗଲେ । କହିଲେ, “ଏ ଧାଡି ଯଦି ମୋ ନଜରରେ ଆଗରୁ ପଡିଥାନ୍ତା ତାହାହେଲେ ବୋଧେ ଏହି ଉପାୟ ଅବଲମ୍ବନ କରି ନ ଥାନ୍ତି , କିନ୍ତୁ ସେତେବେଳେ ଉପାୟ ଆଉ କଣ ବା ଥିଲା ?”

ମୋ ପିଠି ଥାପୁଡେଇ ଦେଲେ ସାନ ଅଜା । କହିଲେ, “ମୋର ଯାହା ହେବାର ଥିଲା ତ ହେଲା । ମୋ ସମୟ ବି ଉଛୁର ହୋଇଗଲାଣି । ଏବେ ତୋ କଥା କହ ।”

ମୁଁ କହିଲି , “ଆମ ଭିତରେ ବାହକ ମଣିଷ ନୁହେଁ । ସ୍ମାର୍ଟଫୋନରେ, ହ୍ୱାଟ୍ସଆପ ।”

“ତୁମେ ସବୁ ଭାଗ୍ୟବାନ ପିଲା । ଆଜି ଭଳି ଯଦି ହ୍ୱାଟ୍ସଆପ ଥାନ୍ତା ତାହାହେଲେ ମୋ ପାଇଁ କୈାଣସି ସୁବ୍ରତର ଆବଶ୍ୟକତା ପଡି ନ ଥାନ୍ତା ।”ସାନଅଜା ଦୀର୍ଘଶ୍ୱାସ ମାରି କହିଲେ ।

ମୁଁ ସାନଅଜାଙ୍କୁ ପଚାରିଥିଲି, “ଅଜା, ଏବେ ସୁବ୍ରତଙ୍କ ସହିତ ତୁମର ଦେଖା ହୁଏ?”

“ହଁ, କେଉଁ କେଉଁ ସାହିତ୍ୟ ସଭାରେ । ସେ ମଂଚରେ ଥାଏ, ଆଉ ମୁଁ ଶ୍ରୋତାଙ୍କ ଭିତରେ ।”

ଇତ୍ୟବସରରେ ସାନଅଜା ସଂସାରରୁ ବିଦାୟ ନେଲେଣି । ରୀତା ମୋର ପତ୍ନୀ ହୋଇ ଆମ ଘରକୁ ଆସିଲାଣି ।

୨୭/୧୨/୨୦୨୨

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version