ଉଦୟଗିରି ଓ ଖଣ୍ଡଗିରି

ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଦୁଇଟିରେ ଖୋଦିତ ଗୁମ୍ଫା ଓ ଚିତ୍ରାବଳୀ ଅଧିକାଂଶ ଖାରବେଳ କାଳୀନ ସ୍ଥପତି ଓ କଳା ରୂପେ ବିକଶିତ ହୁଏ ।

15 Min Read

ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ମହାମେଘ ବାହନ ଚେଦି ରାଜବଂଶର ପ୍ରତିଷ୍ଠା କରି କଳିଙ୍ଗ ନରପତି ହୋଇଥିଲେ । ଖ୍ରୀ.ପୂ. ୧୬୧ରେ ଅଶୋକଙ୍କ କଳିଙ୍ଗ ବିଜୟ ପରେ ୭୦ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶତାବ୍ଦୀକାଳ କଳିଙ୍ଗ ମଗଧ କତ୍ତୃତ୍ୱାଧୀନ ଥିଲା । କିନ୍ତୁ ମହାମେଘବାହାନ ପ୍ରାୟ ଖ୍ରୀ.ପୂ. ୭୩ରେ କଳିଙ୍ଗକୁ ସ୍ୱାଧୀନ ରାଜ୍ୟ ରୂପେ ଘୋଷଣା କରି ଏକ ରାଜନୈତିକ ସ୍ୱାଧୀନତା ଆଣିଥିଲେ । କଳିଙ୍ଗର ଏହି ପ୍ରଥମ ଚେଦିରାଜା ମହାମେଘ ବାହାନ ଥିଲେ ପ୍ରଥମ ସମ୍ରାଟ ଖାରବେଳଙ୍କ ପିତାମହ । ମହାମେଘ ବାହାନଙ୍କ ପରେ ତାଙ୍କ ପୁତ୍ର (ଖାରବେଳଙ୍କ ପିତା) କଳିଙ୍ଗର ରାଜା ହେଲେ । ପିତାଙ୍କର ଅକାଳ ବିୟୋଗବେଳେ ଖାରବେଳ ଥିଲେ ୧୫ ବର୍ଷର ବାଳକ । ଖାରବେଳ ରାଜତ୍ୱର ବିବରଣୀ ଜାଣିବା ପାଇଁ ହେଲେ ଖଣ୍ଡଗିରି ଓ ଉଦୟଗିରିଠାରେ ତାଙ୍କ ସମୟର ଅଭିଲେଖା ଗୁଡ଼ିକ ଉପରେ ନିର୍ଭର କରିବାକୁ ହୁଏ ।

Support Samadhwani

ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଦୁଇଟିରେ ଖୋଦିତ ଗୁମ୍ଫା ଓ ଚିତ୍ରାବଳୀ ଅଧିକାଂଶ ଖାରବେଳ କାଳୀନ ସ୍ଥପତି ଓ କଳା ରୂପେ ବିକଶିତ ହୁଏ । ଭାରତରେ ମୌର୍ଯ୍ୟ ଶାସନ କାଳରୁ ପ୍ରସ୍ତର କର୍ତ୍ତନ ଓ ଖୋଦନର ଯେଉଁ ଶୈଳୀ ବିକାଶ ଲାଭ କରିଥିଲା ତହିଁରେ କଳିଙ୍ଗର କୃତି ନିରୂପଣ କରାଯାଇଥାଏ । ପାହାଡ଼ ଗାତ୍ରରେ ଗୁହା ଗୃହ ବା ଗୁହା ମନ୍ଦିର ଖନନ କରିବା ପରମ୍ପରା ମୌର୍ଯ୍ୟ ଅମଳରୁ ଅଗ୍ରଗତି ଲାଭ କରିଥିବା ଜଣାଯାଏ ।
ଅଶୋକଙ୍କ ସମୟରେ ଖୋଦିତ ଗୁମ୍ଫାମାନ ବିହାରର ପାଟନା ଜିଲ୍ଲାରେ ଆଜିଯାଏ ଅକ୍ଷୁର୍ଣ୍ଣ ରହିଅଛି । ସେସବୁ ଗୁମ୍ଫା ବୌଦ୍ଧ ସନ୍ୟାସୀଙ୍କ ନିମନ୍ତେ ଖୋଳା ହୋଇଥିଲା ଏବଂ ତଦ୍ଦ୍ୱାରା ଭାରତୀୟ ପ୍ରସ୍ତର ଖୋଦନ ଶୈଳୀର ଏକ ନୂତନ ଧାରା ଫିଟିଥିଲା । କୃତ୍ରିମ ଗୁମ୍ଫାମାନ ଖନନ କରିବା ସଂଗେ ସଂଗେ ଜୀବଜନ୍ତୁଙ୍କ ଆଶ୍ରୟ ସ୍ଥଳୀ ପ୍ରାକୃତିକ ଗୁମ୍ଫା ଗୁଡ଼ିକର ସଂସ୍କାର ସାଧନ କରି ସେଗୁଡ଼ିକରେ ଋଷି ଆଶ୍ରମର ପରିପାଟୀ ବିନ୍ୟାସ କରିବା ଭାରତୀୟ କଳାରେ ଏକ ନୂତନ ଦିଗ ପ୍ରକାଶ ପାଇଲା । ବରାବର ଓ ନାଗାର୍ଜନୀ ପାହାଡ଼ର ଗୁମ୍ଫା ଖ୍ରୀ.ପୂ. ତୃତୀୟ ଶତାବ୍ଦୀର । ସେହି ପ୍ରାରମ୍ଭିକ ଉଦ୍ୟମ କାଳକ୍ରମେ ବିକାଶ ଲାଭ କରି ତାହାର ଚୂଡ଼ାନ୍ତ ଉନ୍ନତି ଦେଖାଦେଲା ଖ୍ରୀଷ୍ଟୀୟ ୨ୟ-୩ୟ ଶତାବ୍ଦୀରେ ଭଦା, ବେତସା, କୋଣ୍ଡାନେ, କାର୍ଲେ, କାନ୍‌ହେରି, ଅଜନ୍ତା ଆଦି, ସୁନ୍ଦର କାରୁକାର୍ଯ୍ୟ ଯୁକ୍ତ ବୌଦ୍ଧ ଗିରିଗୁମ୍ଫା ଗୁଡ଼ିକରେ ।

ସେହିସବୁ ବିଶାଳ ଗୁମ୍ପା-ବିହାର ସହିତ ବରାବର ଓ ନାଗାର୍ଜୁନୀରେ ଖୋଦିତ ଆଜାବକ ଗୁମ୍ଫା ଆଶ୍ରମର ଯେଉଁ କଳା ସଂପର୍କ ପରିଦୁଷ୍ଟ ହୁଏ, ଏହାର ସଂଯୋଜକ ହେଉଛି ଖଣ୍ଡଗିରି ଓ ଉଦୟଗିରି ଜୈନ ଗୁମ୍ଫା, ଗୃହ ଓ ଗୁମ୍ଫା ମନ୍ଦିରମାନ, ଗୁମ୍ଫା ଖନନ ଶୈଳୀର ପ୍ରାଥମିକ ଉଦ୍ୟମ ଓ ଚରମ ଅଭିବ୍ୟକ୍ତି ମଧ୍ୟରେ ଥିବା ମାଧ୍ୟମିକ ଉପାଦାନ ଖଣ୍ଡଗିରି ଓ ଉଦୟଗିରିରେ ପରିଲକ୍ଷିତ ହୁଏ । ପୂର୍ବୋକ୍ତ ବୌଦ୍ଧ ଗୁମ୍ଫାଗୁଡ଼ିକରେ ଯେଉଁ ପ୍ରଶସ୍ତ ଦଲାଣ, ଅଳିନ୍ଦ, ଗର୍ଭଗୃହ, ପାଶ୍ୱର୍ଗୃହ, ମଣ୍ଡପ ଓ ନାନାବିଧ ଅଳଂକରଣ ଦେଖାଯାଏ, ଖଣ୍ଡଗିରି ଓ ଉଦୟଗିରି ଜୈନ ଗୁମ୍ଫା ଗୁଡ଼ିକର ସେପରି ବିବିଧ ରଙ୍ଗ ପରିପାଟୀ ନାହିଁ । ମାତ୍ର ସେଗୁଡ଼ିକର ସ୍ତମ୍ଭ, ତୋରଣ ଓ ବାରଣ୍ଡା ଓ ଜଳ ନିଷ୍କାସନ ପ୍ରଣାଳୀରେ ବରାବର ଓ ନାଗାର୍ଜ୍ଜୁନୀ ଶୈଳର ଅଗ୍ରଗତି ସୂଚୀତ ହୁଏ । ଡ଼. ନବୀନ କୁମାର ସାହୁଙ୍କ ମତରେ ଏହିସବୁ କାରଣରୁ ଭାରତୀୟ ଗୁମ୍ଫା ନିର୍ମାଣ କଳାର ବିକାଶ ଧାରାରେ ଖଣ୍ଡଗିରି ଓ ଉଦୟଗିରି ଦିଗ ନିର୍ଦ୍ଦେଶକ ରୂପେ ବିଶିଷ୍ଟ ସ୍ଥାନ ଅଧିକାର କରିଅଛି ।
ଉଦୟଗିିରିର ଅଧିକାଂଶ ଗୁମ୍ଫା ଚେଦି ରାଜତ୍ୱକାଳରେ ଖ୍ରୀଷ୍ଟପୂର୍ବ ପ୍ରଥମ ଓ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଖୋଦିତ ଏବଂ ଖଣ୍ଡଗିରିର ଅଧିକାଂଶ ମଧ୍ୟ ଯୁଗରେ ଭୌମ ଓ ସୋମବଂଶୀ ରାଜତ୍ୱ କାଳରେ ଖୋଦିତ ହୋଇଥିବାର ଜଣାପଡ଼େ । ଖଣ୍ଡଗିରି ଓ ଉଦୟଗିରିରେ ଗୁମ୍ଫା ସଂଖ୍ୟା ଉପରେ ମତପାର୍ଥକ୍ୟ ଦେଖାଯାଏ, କିନ୍ତୁ ପ୍ରକୃତରେ ଉଦୟଗିରିଠାରେ ୧୮ଟି ଓ ଖଣ୍ଡଗିରିଠାରେ ୧୫ଟି ଏହିପରି ୩୩ଟି ଗୁମ୍ଫା ଏବେ ଦେଖିବାକୁ ମିଳେ । ଖଣ୍ଡଗିରିକୁ କୁମାର ପର୍ବତ ଓ ଉଦୟଗିରିକୁ କୁମାରୀ ପର୍ବତ କୁହାଯାଏ । କଥିତ ଅଛି ଯେ ଖଣ୍ଡଗିରି ଖଣ୍ଡିଏ ପଥରରେ ତିଆରି ହୋଇଥିଲାବେଳେ ଉଦୟଗିରିରେ ଲୋକମାନେ ଉଦିତ ସୂର୍ଯ୍ୟକୁ ଦେଖୁଥିଲେ । ଏହି ଗୁମ୍ଫା ଗୁଡ଼ିକର ନାମ ନିମ୍ନରେ ପ୍ରଦତ୍ତ ହେଲା ।
ଉୟଗିରି ଗୁମ୍ଫା:-
୧. ହାତୀଗୁମ୍ଫା,୨. ମଞ୍ଚପୁରୀ ଗୁମ୍ଫା, ୩. ସର୍ପ ଗୁମ୍ଫା, ୪. ବ୍ୟାଘ୍ରଗୁମ୍ଫା, ୫. ନମ୍ବେଶ୍ୱର ଗୁମ୍ଫା, ୬. ହରିଦାସ ଗୁମ୍ଫା, ୭. ରାଣୀ ଗୁମ୍ଫା, ୮. ବାଜାଘର ଗୁମ୍ଫା, ୯. ଛୋଟ ହାତୀ ଗୁମ୍ଫା, ୧୦. ଅଳାକାପୁରୀ ଗୁମ୍ଫା, ୧୧. ଜୟବିଜୟ ଗୁମ୍ଫା, ୧୨. ପଣସ ଗୁମ୍ଫା, ୧୩. ଠାକୁରାଣୀ ଗୁମ୍ଫା, ୧୪. ପାତାଳପୁରୀ ଗୁମ୍ଫା, ୧୫. ଧାନଘର ଗୁମ୍ଫା, ୧୬. ଗଣେଷ ଗୁମ୍ଫା, ୧୭. ଜଗନ୍ନାଥ ଗୁମ୍ଫା ଓ ୧୮. ରୋଷେଇ ଗୁମ୍ଫା ।
ଖଣ୍ଡଗିିରି ଗୁମ୍ଫା:-
୧. ଅନନ୍ତ ଗୁମ୍ଫା, ୨. ତତୋଆ ଗୁମ୍ଫା (କ), ୩. ତତୋଆ ଗୁମ୍ଫା (ଖ), ୪. ଖଣ୍ଡଗିରି ଗୁମ୍ଫା, ୫. ଧ୍ୟାନ ଗୁମ୍ପା, ୬. ତେନ୍ତୁଳି ଗୁମ୍ଫା, ୭. ନବସୁଳୀ ଗୁମ୍ଫା, ୮. ବାରଭୂଜା ଗୁମ୍ଫା, ୯. ତ୍ରିଶୂଳ ଗୁମ୍ଫା, ୧୦. ଅମ୍ବିକା ଗୁମ୍ଫା, ୧୧. ଲଲାଟେନ୍ଦୁକେଶରୀ ଗୁମ୍ଫା, ୧୨. ଏକାଦଶୀ ଗୁମ୍ଫା, ୧୩, ୧୪, ୧୫ ନାମ ଅଜ୍ଞାତ ।
ଉଦୟଗିରିର ପ୍ରଥମ ଛଅଟି ଗୁମ୍ଫାରେ ଏବଂ ଖଣ୍ଡଗିରିର ପ୍ରଥମ ତିନୋଟିର ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ଅଭିଲେଖମାନ ମିଳେ । ସୁତରାଂ ସେହି ଗୁମ୍ଫାଗୁଡ଼ିକ ସେହି କାଳର ।
ନିମ୍ନରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଗୁମ୍ଫା ଗୁଡ଼ିକର କଳା ଭାସ୍କର୍ଯ୍ୟ ଉପରେ ସମ୍ୟକ୍ ଆଲୋଚନା କରାଗଲା ।
ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଚେଦୀ ବଂଶର ରାଜାମାନେ ଶାସନ କରୁଥିଲେ । ସେହି ବଂଶର ପ୍ରଖ୍ୟାତ ରାଜା ଥିଲେ ପ୍ରରାକ୍ରମଶାଳୀ ଖାରବେଳ । ସେ ୨୪ବର୍ଷ ବୟସରେ ସିଂହାସନ ଆରୋହଣ କରି ରାଜତ୍ୱର ଦ୍ୱିତୀୟ ବର୍ଷଠାରୁ ସେ ଯୁଦ୍ଧ ଅଭିଯାନ ଆରମ୍ଭ କରିଥିଲେ । ଭାରତର ଅଧିକାଂଶ ରାଜ୍ୟ ଜୟ କରି ଭାରତର ଦିଗ୍‌ବିଜୟୀ ରାଜାମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସେଇଥିପାଇଁ ତାଙ୍କ ନାମ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଅଛି ।
ଖାରବେଳ ତାଙ୍କ ସମୟରେ ଅନେକ ଗୁମ୍ଫା ନିର୍ମାଣ କରିଥିଲେ । ପ୍ରବାଦ ଅଛି ଯେ, ଜୈନ ଧର୍ମାବଲମ୍ବୀ ସନ୍ୟାସୀମାନଙ୍କର ଧ୍ୟାନ ଓ ପ୍ରାର୍ଥନା ସକାଶେ ଖାରବେଳ ଏହି ଗୁମ୍ଫାମାନ ନିର୍ମାଣ କରାଇଥିଲେ । ସେମାନଙ୍କ ମଧ୍ୟରୁ ଉଦୟଗିରି ଓ ଖଣ୍ଡଗିରିରେ ପୃଥିବୀର ପ୍ରଥମ ଗୁମ୍ଫାମାନ ନିର୍ମିତ ହୋଇଥିବାର ପ୍ରମାଣ ମିଳେ ।
ଉଦୟଗିରିର ଗୁମ୍ଫା :-
ଉଦୟଗିରିରେ ଖଣ୍ଡଗିରିଠାରୁ ବହୁତ ସୁନ୍ଦର କାରୁକାର୍ଯ୍ୟ ହୋଇଛି । ଉଦୟଗିରିର ପଶ୍ଚିମରେ ଖଣ୍ଡଗିରି ଅବସ୍ଥିତ । ଉଦୟଗିରି ପାହାଡ଼ରୁ ଏକ ପକ୍‌କା ରାସ୍ଥା ରହିଛି । ଉଦୟଗିରି ଉଚ୍ଚତା ୨୭ ଫୁଟ । ଏମାନଙ୍କ ମଧ୍ୟରୁ ହାତୀଗୁମ୍ଫା ସବୁଠାରୁ ବଡ଼ ଗୁମ୍ଫା । ଖାରବେଳଙ୍କ ଅନୁଶାସନ ପ୍ରଣାଳୀ ହାତୀଗୁମ୍ଫାରେ ଖୋଦିତ ହୋଇଛି । ଉଦୟଗିରିର ଗଣେଶ ଗୁମ୍ଫା, ହାତୀ ଗୁମ୍ଫା, ରାଣୀ ଗୁମ୍ଫା, ସର୍ପ ଗୁମ୍ଫା ସବୁ ବଡ଼ ବଡ଼ ଗୁମ୍ଫା । ଏଠାରେ ଦୁଇପ୍ରକାର ବୃତ୍ତାକାର ଭାସ୍କର୍ଯ୍ୟ ଓ ଆଡ଼ ଭାସ୍କର୍ଯ୍ୟ ଦେଖିବାକୁ ମିଳେ । ପ୍ରଥମ କରି ବୃତ୍ତାକାର ଖୋଦିତ ହୋଇଥିଲା । ପୃଥିବୀର ପ୍ରଥମ ବୃତ୍ତାକାର ଭାସ୍କର୍ଯ୍ୟ ।
ରାଣୀ ଗୁମ୍ଫା:-
ରାଣୀ ଗୁମ୍ଫାରେ ଥିବା କଳାକୃତି ବହୁତ କୌତୁହଳପୂର୍ଣ୍ଣ । ଐତିହାସିକମାନେ କହନ୍ତି ରାଣୀ ଗୁମ୍ଫା ଦୁଇ ମହଲା ବିଶିଷ୍ଟ । ଯେଉଥିରେ କି ଉପର ପ୍ରଥମ ସୋପାନରେ ତିଆରି ହୋଇଥିଲାବେଳେ ତଳ ମହଲାଟି ଦ୍ୱିତୀୟ ସୋପାନରେ ତିଆରି ହୋଇଛି ଏବଂ ଏହି ଗୁମ୍ଫାଟି ସମ୍ରାଟ ଖାରବେଳଙ୍କ ସମସାମୟିକ ଅଟେ । ରାଜା ତାଙ୍କ ରାଣୀଙ୍କ ଉଦ୍ଦେଶ୍ୟରେ ଖନନ କରିଥିବାର ଜଣାଯାଏ । ଯଦି ଆମେ ଉକ୍ତ ଗୁମ୍ଫାକୁ ଭଲଭାବେ ଅନୁଧ୍ୟାନ କରିବା ତାହେଲେ ଆମେ ଜାଣିବାକୁ ପାଇବା ଯେ ସେଥିରେ ନିମ୍ନଲିଖିତ କଳାକୃତି (ପ୍ୟାନେଲ) ଗୁଡ଼ିକ ଦେଖିବାକୁ ମିଳେ ।
(କ) ଉଡ଼ନ୍ତା ହରିଣ :
ଏହି କଳାକୃତିରୁ ଜଣାଯାଇଛି ଯେ ରାଜା ଉଦୟନ ଜଙ୍ଗଲକୁ ଶିକାର କରିବା ଅଭିମୁଖେ ଯାତ୍ରା କରି ଉଡ଼ନ୍ତା ହରିଣକୁ ଶିକାର କରି ଯାଇଛନ୍ତି । କିନ୍ତୁ ହରିଣଟି ମୃତ୍ୟୁ ଭୟରେ ପଳାୟନ ପନ୍ଥୀ ହୋଇ ଆଶ୍ରୟ ନେଇ ବସିଛି ଏକ ବୃକ୍ଷଦେବୀଙ୍କ ପାଖରେ । କିନ୍ତୁ ଉଦୟନ ତାକୁ ଅନୁସରଣ କରି ପହଞ୍ଚିଛନ୍ତି ବୃକ୍ଷ ଦେବୀ ନିକଟରେ । ଉଡ଼ନ୍ତା ଭକ୍ତି ସନ୍ତୁଷ୍ଟ ହୋଇ ବୃକ୍ଷଦେବୀ ରାଜା ଉଦୟନଙ୍କୁ ହରିଣୀ ଉପରକୁ ଶର ନିକ୍ଷେପ କରିବାକୁ ବାରଣ କରିଛନ୍ତି । ସର୍ବ ଶେଷରେ ରାଜା ଉଦୟନ ବୃକ୍ଷଦେବୀଙ୍କ କଥାକୁ ମାନି ଫେରିଯାଇଛନ୍ତି । ଏହି ଦୃଶ୍ୟରେ ଦେଖାଯାଇଛି ଯେ, ରାଜା ଉଦୟନ ଘୋଡ଼ା ଉପରେ ବସି ଶିକାରକୁ ଯାଇଛନ୍ତି । ହାତରେ ତାଙ୍କର ଧନୁଶର ରହିଛି । ତାଙ୍କ ପଛରେ ଜଣେ ଲୋକ ଚାମର ଧରି ଯାଉଛି । ଆଉ ଜଣେ ଲୋକ ଘୋଡ଼ାରେ ଲଗାମ ଧରି ଯାଉଛି । ରାଜାଙ୍କ ସହିତ ଦୂରରେ ତାଙ୍କ ସୈନ୍ୟ ସାମନ୍ତ ଥିବାର ମଧ୍ୟ ଅନୁଧ୍ୟାନ କରାଯାଏ । ରାଜା ଉଡ଼ନ୍ତା ହରିଣକୁ ମାରିବାକୁ ଗଲାବେଳେ ବୃକ୍ଷଦେବୀଙ୍କ ନିର୍ଦ୍ଦେଶରେ ଫେରି ଆସିଛନ୍ତି । (ଏହି ପ୍ୟାନେଲରେ ମୁଖ୍ୟ ବିଷୟ ରାଜା, ଘୋଡ଼ା ଓ ବୃକ୍ଷଦେବୀଙ୍କୁ ମୁଖ୍ୟ ସ୍ଥାନ ଦିଆଯାଇଛି । ସେତେବେଳେ କଳାକାରମାନେ ବହୁତ କଳାକୃତି ନିପୂଣ ଥିଲେ ମଧ୍ୟ କମନୀୟ କାମ ଜାଣି ନଥିଲେ ।
(ଖ) ନର୍ତ୍ତକୀ:
ଏହି ପ୍ୟାନେଲରୁ ଜଣାଯାଏ ଯେ, ଗୋଟିଏ ମଣ୍ଡପ ଉପରେ କେତେକ ଲୋକ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳେ ଏବଂ ଅନ୍ୟ ଏକ ପକ୍ଷରେ ଚାରୋଟି ସ୍ତ୍ରୀ ଲୋକ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଧରି ଚଳାଉଥିବାର ଚିତ୍ର ମଧ୍ୟ ଦେଖାଯାଏ । ଏଥିରୁ ଜଣାଯାଏ ଯେ ସେତେବେଳେ ମଧ୍ୟ ବାଦ୍ୟ ଯନ୍ତ୍ରରେ ପ୍ରୟୋଗ ଥିବା ସ୍ଥଳେ ନାରୀ ଓ ନରମାନେ ଆମୋଦ ପ୍ରମୋଦ ଭାଗ ନେଉଥିଲେ ।
(ଗ) ପାଗଳ ହାତୀ:
ଏହି ପ୍ୟାନେଲରେ ଆମେ ଦେଖିବାକୁ ପାଉ ଯେ, ଗୋଟିଏ ହାତୀ କୌଣସି କାରଣରୁ ପାଗଳ ହୋଇ ଗ୍ରାମ ଭିତରେ ପଶି ଆସୁଛି । ଯାହା ଫଳରେ ଗ୍ରାମର ସ୍ତ୍ରୀଲୋକମାନେ ଅସ୍ତ୍ରଶସ୍ତ୍ର ଧରି ହାତୀକୁ ମାରିବାକୁ ଉଦ୍ୟମ କରୁଛନ୍ତି । ଅନ୍ୟ ପାଖରେ ଦେଖିବାକୁ ପାଉ ଯେ ଗୋଟିଏ ବାଳକ ଏଥି ଭିତରକୁ ପଶି ଆସୁଚି ଏବଂ ତା’ର ମା’ ତାକୁ ନେଇଯିବା ଦୃଶ୍ୟ ଦେଖାଯାଏ । ଉକ୍ତ ପ୍ୟାନେଲଟିରୁ ଆମେ ଜାଣିବାକୁ ପାଉ ଯେ ସେତେବେଳେ ସ୍ତ୍ରୀଲୋକମାନେ ସାହସୀ ଥିଲେ ଓ ପିଲାମାନଙ୍କୁ ବହୁତ ସ୍ନେହ କରୁଥିଲେ । ସ୍ତ୍ରୀଲୋକମାନେ ଅଳଙ୍କାର ବ୍ୟବହାର କରୁଥିବାର ମଧ୍ୟ ଜଣାଯାଏ ।
(ଘ) ଜଙ୍ଗଲ ଦୃଶ୍ୟ:
ଉକ୍ତ ପ୍ୟାନେଲରୁ ଆମେ ଦେଖିବାକୁ ପାଉ ଯେ, କେତେଗୁଡ଼ିଏ ମାଙ୍କଡ଼ ଛବି । ସେଥିରେ ସାପ, ହାତୀ ଗୋଟିଏ ପୋଖରୀରେ ରାଜକୁମାରୀମାନେ ଗାଧଉଥିବାର ଦୃଶ୍ୟ ଅଛି । ଏହି ପ୍ୟାନେଲରୁ ଜଣାପଡ଼େ ଯେ, ସେମାନେ ପ୍ରକୃତି ପ୍ରିୟ ଥିଲେ । ଏହା ବ୍ୟତୀତ ଦ୍ୱାରପାଳର ଚିତ୍ର ଦେଖିବାକୁ ମିଳେ । ଚିତ୍ରରେ ଅଣ୍ଟାରେ ଛୁରୀ ଓ ବେଲେଟ୍ ଅଛି । ପାଦରେ ମଧ୍ୟ ଏସିଆରେ ବ୍ୟବହୃତ ହେଉଥିବା ଯୋତା ଦେଖାଯାଏ ।
ଏଥିରେ ଖୋପ ପ୍ରଣାଳୀ ଦେଖିବାକୁ ମିଳେ ଏବଂ ସେହି ଖୋପରେ ସୁନ୍ଦର ଗନ୍ଧର୍ବ ଓ ଗାନ୍ଧର୍ବୀ ମୂର୍ତ୍ତି ଦେଖିବାକୁ ମିଳେ ଓ ଏଥିରେ ବହୁତ ଗୁଡ଼ିଏ ରିଲିଫ୍ କାମ ମଧ୍ୟ ଦେଖିବାକୁ ମିଳେ ।
ଗଣେଶ ଗୁମ୍ଫା:
ଏହାର ସମ୍ମୁଖ ଭାଗରେ ଦୁଇଟି ହାତୀ ଦେଖିବାକୁ ମିଳେ । ଯେଉଁ ହାତୀ କି ଐତିହାସିକମାନଙ୍କ ମତରେ ଗୋଟିଏ ପଥରରେ ତିଆରି ହୋଇଥବାର ଜଣାଯାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେଗୁଡ଼ିକ ଲୁହା ପ୍ଲେଟ୍ ଲାଗିଥିବାର ଦେଖାଯାଏ । ଏଥିରେ ନିମ୍ନଲିଖିତ ଦୃଶ୍ୟ ଦେଖିବାକୁ ମିଳେ ।
ହାତୀଗୁମ୍ଫା:
ଏଥିରେ ୧୩ଟି ଲାଇନ୍ ବିଶିଷ୍ଟ ବ୍ରାହ୍ମୀ ଲିପି ସହ ୮ ଜୈନ ଧର୍ମର ସଂକେତ ଦେଖାଯାଏ । ଉକ୍ତ ୧୩ଟି ଲାଇନ୍ ବିଶିଷ୍ଟ ବ୍ରାହ୍ମୀଲିପିରୁ ଜଣାଯାଏ ଯେ ରାଜା ଖାରବେଳ ଜଣେ ବିଜ୍ଞ, ଧର୍ମୀ, ଗୁଣଗ୍ରାହୀ, କଳାପ୍ରେମୀ ରାଜା ଥିଲେ । ସେ ମଧ୍ୟ ଜୈନ ଧର୍ମର ପ୍ରବର୍ତ୍ତକ ଥିଲେ ବୋଲି ଜଣାଯାଏ । ଏଥିରେ ଥିବା ୮ଟି ସଂକେତ ମଧ୍ୟରୁ ୪ଟି ଅଦୃଶ୍ୟ ହୋଇଛି ଓ ୪ଟି ଦେଖାଯାଉଛି । ହାତୀ ଗୁମ୍ଫାର ବିଶେଷତ୍ୱ ଏହି କି ଯେ, ଦୂରରୁ ଦେଖିଲେ ଜଣାଯାଏ ଯେ ହାତୀଟି ପାହାଡ଼ ଭାଙ୍ଗି ବାହାରି ଆସୁଥିବାର ଦେଖାଯାଏ । ସେହି ହାତୀ ଗୁମ୍ଫା ଭିତରେ ଅନେକ ଛୋଟ ଛୋଟ ଗୁମ୍ଫା ଦେଖିବାକୁ ମିଳେ । କିନ୍ତୁ ବର୍ତ୍ତମାନ ଦୁଃଖର ବଷୟ ଯେ, ହାତୀଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଜଣାଯାଏ ଯେ ହାତୀ ଗୁମ୍ଫାଟି ସାମୟିକ ସମ୍ମିଳନୀ ନିମନ୍ତେ ଏକ ମଣ୍ଡପ ରୂପେ ବ୍ୟବହୃତ ହେଉଥିଲା । ତାହାର ଉର୍ଦ୍ଧ୍ୱ ଦେଶରେ ସମ୍ରାଟ ଖାରବେଳଙ୍କ ଅଭିଲେଖ ଉତ୍କୀର୍ଣ୍ଣ କରାଯାଇଥିବାରୁ ଏକ ସାର୍ବଜନୀନ ମିଳନ ପୀଠ ରୂପେ ବୈଶିଷ୍ଟ୍ୟ ଅର୍ଜ୍ଜନ କରିଛି ।
ଜୟ ବିଜୟ ଗୁମ୍ଫା:
ଏଥିରେ ଜୟ ବିଜୟଙ୍କ ମୂର୍ତ୍ତି ଦେଖିବାକୁ ପାଉ । ଏହା ବ୍ୟତୀତ ଦ୍ୱାରପାଳ ଦେଖିବାକୁ ପାଉ । ଖୋପରେ ଗନ୍ଧର୍ବ ଓ ଗାନ୍ଧର୍ବୀ ମୂର୍ତ୍ତି ଅଛି ବୋଲି ଧାରଣା କରାଯାଏ । ଖୋପ ପ୍ରଣାଳୀ ଦେଖାଯାଏ । ଏଥିରେ କଳ୍ପଦ୍ରୁମ ପ୍ୟାନେଲ ଦେଖିବାକୁ ମିଳେ । କଥିତ ଅଛି ଉକ୍ତ ବୃକ୍ଷ ମୂଳେ ଯଦି କେହି ସନ୍ୟାସୀ ଧ୍ୟାନମଗ୍ନ ରହେ ତେବେ ସେ ନିଶ୍ଚିତ ନିର୍ବାଣ ପାଇପାରିବ । ତେଣୁ ସେମାନେ ବୃକ୍ଷ ଦେବୀଙ୍କୁ ପୂଜା କରୁଥିଲେ ।
ଅଳକାପୁରୀ ଗୁମ୍ଫା:
ଏଠାରେକେତେକ ମୂର୍ତ୍ତି ଅଛି ସେଗୁଡ଼ିକ ପଶୁ ମୁଣ୍ଡ ଯୁକ୍ତ । ମଣିଷ ମୁଣ୍ଡ ଯୁକ୍ତ ପଶୁ ଆଦି ପରି ଦେଖାଯାଏ । ଦେଖିବାକୁ ଗଲେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ଅତ୍ୟନ୍ତ ସୁନ୍ଦର ଅଟେ । ଏହାକୁ ସୁନ୍ଦର କରିବା ପାଇଁ ଏଠାରେ ଭାସ୍କର୍ଯ୍ୟ ଗୁଡ଼ିକୁ ଅନୁଧ୍ୟାନ କଲେ ସେ କାଳର ସାମାଜିକ ପରିବେଶ ଓ ମୂର୍ତ୍ତି ବିଷୟରେ ଅନେକ ବିବରଣୀ ମିଳିଥାଏ । କେତେକ ଭାସ୍କର୍ଯ୍ୟରେ ରାଜା ବସ୍ତ୍ର ପରିଧାନ କରିଥିଲେ ମଧ୍ୟ ତାଙ୍କ ଶରୀର ବିନ୍ୟାସ ପରିଷ୍କାର ରହିଛି ଏବଂ ସେତେବେଳେ ସୂକ୍ଷ୍ମ ବସ୍ତ୍ରର ପ୍ରଚଳନ ଥିଲା । ମୋଟାମୋଟି ଦେଖିଲେ ଏହା ଆମର ପୁରାତନ ଓ ନୂତନ ମାଇଲ ଖୁଣ୍ଟ ପରି ଛିଡ଼ା ହୋଇଛି । ଏହି ଚିତ୍ର ଭାସ୍କର୍ଯ୍ୟ କରିବା ସମୟରେ ଶିଳ୍ପୀମାନେ ଇଣ୍ଡେନେସିଆ ପଦ୍ଧତିକୁ ଅନୁସରଣ କରିଛନ୍ତି ।
ମଞ୍ଚପୁରୀ ଗୁମ୍ଫା:
ମଞ୍ଚପୁରୀ ଗୁମ୍ଫାରେ ଖାରବେଳଙ୍କ ବାଲ୍ୟକାଳର ଶିକ୍ଷା ଗ୍ରହଣର କେତେକ ଦୃଶ୍ୟ ରହିଛି । ମଞ୍ଚପୁରୀ ଗୁମ୍ଫାର ଉପର ମହଲା ଖାରବେଳଙ୍କ ପ୍ରଥମ ମହିଷୀଙ୍କ ଦ୍ୱାରା କଳିଙ୍ଗର ଶ୍ରମଣ ଉଦ୍ଦେଶ୍ୟରେ ଖୋଦନ କରାଯାଇଥିଲା । ତଳ ମହଲାର ଏକ ଅଂଶ ମହାରାଜାକୁ ଦେପସିରି ଓ ଅନ୍ୟ ଅଂଶଟି କୁମାର ଚଡ଼ୁଖ ଖୋଲାଯାଇଥିବା ଅଭିଲେଖଗୁଡ଼ିକରୁ ଜଣାପଡ଼େ । କେତେକଙ୍କ ମତରେ ମଞ୍ଚପୁରୀର ଉପର ମହଲାର ନାମ ସ୍ୱର୍ଗପୁରୀ ଗୁମ୍ଫା ଏବଂ ତଳ ମହଲା ଗୁମ୍ଫାର ନାମ ମଞ୍ଚପୁରୀ ଏବଂ ବୁଖେଙ୍କ ଗୁମ୍ଫାର ନାମ ଯମପୁରୀ । ମାତ୍ର ସାଧାରଣତଃ ଏହିସବୁ ଗୁମ୍ଫା, ତଳ ଓ ଉପର ମହଲାକୁ ମିଶାଇ ମଞ୍ଚପୁରୀ ନାମରେ ପରିଚିତ । ତଳ ମହଲାର ଛାତ ଉପର ମହଲାର ବାରଣ୍ଡା ରୂପେ କାର୍ଯ୍ୟ କରୁଥିଲେ । ବାରଣ୍ଡାରେ କାଷ୍ଠ ସ୍ତମ୍ଭ ଗୁଡ଼ିକ ଉପରେ ଚନ୍ଦ୍ରାତପ ଶୋଭା ପାଉଥିଲା । ତଳ ମହଲାର କୁଦେପସିରିଙ୍କ ଗୁମ୍ଫାରେ କାଳିଙ୍ଗଜିନଙ୍କ ପୁନଃ ପ୍ରତିଷ୍ଠାର ସୁନ୍ଦର ଚିତ୍ର ଖୋଦିତ ହୋଇଅଛି ।
ବ୍ୟାଘ୍ର ଗୁମ୍ଫା:
ଏହି ଗୁମ୍ଫା ମୁହଁଟି ବ୍ୟାଘ୍ର ଭଳି ଯଦିଓ ଏଥିରେ ଆମେ କେତୋଟି ଲିପି ଦେଖିବାକୁ ପାଉ । ତଥାପି ଏହାର ଅର୍ଥ ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ ।
ଧାନଗାର ଗୁମ୍ଫା:
ଐତିହାସିକଙ୍କ ମତରେ ଖାରବେଳ ଉକ୍ତ ଗୁମ୍ଫାଟିକୁ ଖନନ କରିଥିଲେ । ଏହିଠାରେ ସେ ଜୈନ ଧର୍ମାବଲମ୍ବୀମାନଙ୍କୁ ଧନ ସମ୍ପତ୍ତି ପ୍ରଦାନ କରୁଥିଲେ । ଧାନାଗାରରେ ମନୁଷ୍ୟର ଏକ ପଦକ୍ଷେପ ଦେଖିବାକୁ ମିଳେ । ଏହାକୁ ଧାନାଗାର ପିଣ୍ଡ କହନ୍ତି । କଥିତ ଅଛି ଏହି ପିଣ୍ଡର ରାଜା ଖାରବେଳ ଜୈନ ଧର୍ମାବଲମ୍ବୀମାନଙ୍କୁ ଧନରତ୍ନ ଦେଉଥିଲେ । ଏହା ବ୍ୟତୀତ ଅନ୍ୟ ଗୁମ୍ଫାମାନଙ୍କରେ ମଧ୍ୟ ବିଭିନ୍ନ ଭାସ୍କର୍ଯ୍ୟ ଇତ୍ୟାଦି ଦେଖିବାକୁ ମିଳେ ।

ଖଣ୍ଡଗିରି

Support Samadhwani

ଏହାର ଉଚ୍ଚତା ୧୧୦ ଫୁଟ୍ । ଖଣ୍ଡଗିରିର ଗୁମ୍ଫା କାରୁକାର୍ଯ୍ୟ ଉଦୟଗିରି ତୁଳନାରେ ଅଧିକ ଆକର୍ଷଣୀୟ ନୁହେଁ । ଖଣ୍ଡଗିରିରେ ଆମେ ୧୯ଟି ଗୁମ୍ଫା ଦେଖୁଛୁ । ଖଣ୍ଡଗିରିରେ ଆମେ ୨୪ଟି ତୀର୍ଥଙ୍କରଙ୍କୁ ଦେଖିବାକୁ ପାଉ । ସେମାନଙ୍କ ଭିତରେ ଶେଷ ତୀର୍ଥଙ୍କର ହେଉଛନ୍ତି ମହାବୀର । ଖଣ୍ଡଗିରିରେ ଯେଉଁ ଗୁମ୍ଫା ଖୋଳାଯାଇଛି ତାହା ସେତେ ସୁନ୍ଦର ନୁହେଁ । ଏହି ଗୁମ୍ଫାର କାନ୍ଥରେ ମଧ୍ୟ କେତେକ ଭାସ୍କର୍ଯ୍ୟ ଦେଖିବାକୁ ମିଳେ । ଏହି ଗୁମ୍ଫାରେ କେତେଗୁଡ଼ିଏ ଛୋଟ ଛୋଟ କୋଠରୀ ରହିଛି । ଏଠାରେ ଲଲାଟେନ୍ଦୁ ଗୁମ୍ଫା, ଅନନ୍ତ ଗୁମ୍ଫା ପ୍ରଭୃତି ୧୯ଟି ଗୁମ୍ଫା ଦେଖାଯାଏ ।
ତ୍ରିଶୁଳ ଗୁମ୍ଫା:
ତତ୍‌କାଳୀନ କେଶରୀ ବଂଶର ରାଜା ଲଲାଟେନ୍ଦୁ କେଶରୀଙ୍କ ନାମରେ ଏହା ନାମିତ ହୋଇଛି । ଏଥିରେ ପାଶ୍ୱର୍ନାଥ, ରିପ ନାଥ ଦେଖାଯାନ୍ତି ।
ଅନନ୍ତ ଗୁମ୍ଫା:
ଏହା ମଧ୍ୟ ତତ୍‌କାଳୀନ ରାଜା ଅନନ୍ତ କେଶରୀଙ୍କ ନାମରେ ନାମିତ ହୋଇଛି । ଏହି ଗୁମ୍ଫାରେ ମାୟାଦେବୀଙ୍କର ଭାସ୍କର୍ଯ୍ୟ ଅଛି । ପାଶ୍ୱର୍ରେ ଅଙ୍କନ ଅଛି । ଏଠାରେ ଜୈନ ଧର୍ମର ପାଞ୍ଚଟି ସନ୍ତକ ମଧ୍ୟରୁ ୨ଟି ସନ୍ତକର ଭାସ୍କର୍ଯ୍ୟ ରହିଛି । ଆହୁରି ୨୪ଟି ତୀର୍ଥଙ୍କର ମୂର୍ତ୍ତି ରହିଛି ।
ନବସୁନୀ ଗୁମ୍ଫା:
ଏଠାରେ ୯ଜଣ ଜୈନ ତୀର୍ଥଙ୍କର ମୂର୍ତ୍ତି ରହିଛି ଓ ପ୍ରତ୍ୟେକ ତୀର୍ଥଙ୍କର ପାଖରେ ୯ଟି ନାରୀ ନଗ୍ନ ମୂର୍ତ୍ତି ଦେଖାଯାଏ । ଜୈନଧର୍ମ ବିରୋଧୀମାନେ ଏଭଳି କରିଛନ୍ତି ବୋଲି ଅନୁମାନ କରାଯାଏ ।
ପୋଷାହାତୀ:
ଏହି ପ୍ୟାନେଲରେ ପ୍ରଥମ ପର୍ଯ୍ୟାୟରେ ହାତୀ ଉପରେ ରାଜା ଆସୁଛନ୍ତି । ଗୁମ୍ଫାରେ ଉଦୟମାନ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ହାତୀ ଆଣ୍ଠୁ ମାଡ଼ି ବସିଛି । ତା’ ପିଠି ଉପରେ ରାଜା ବସିଛନ୍ତି । ସମ୍ମୁଖରେ ନର୍ତ୍ତକ ନର୍ତ୍ତକୀମାନଙ୍କୁ ଦେଖିବାକୁ ମିଳେ । ତା’ ଛଡ଼ା ୩ୟରେ କିଛି ଲୋକ ହାତୀକୁ ନିଜ ଅଧିନକୁ ଆଣିବାକୁ ଚେଷ୍ଟା କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ ।
ବାରଭୂଜ ଗୁମ୍ଫା:
ଏଠାରେ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ଦେଖାଯାଏ ।
ଖଣ୍ଡଗିରି ଗୁମ୍ଫା:
ଖଣ୍ଡଗିରି ଗୁମ୍ଫା (ମହାବୀର ଗୁମ୍ଫା) ଏଠାରେ ଜୈନ ମୂର୍ତ୍ତିମାନ ଦେଖାଯାଏ । ଯଥା-୨୪ ଜଣ ତୀର୍ଥଙ୍କର ନାମ:
ତୀର୍ଥଙ୍କର ବାହନ ରଂଗ
୧. ଋଷଭ ବୃଷଭ ସୁବର୍ଣ୍ଣ
୨. ଅଜିତ ନାଥ ହାତୀ ସୁବର୍ଣ୍ଣ
୩. ସମ୍ଭବ ନାଥ ଘୋଡ଼ା ସୁବର୍ଣ୍ଣ
୪. ଅଭିନନ୍ଦ ନାଥ ମାଙ୍କଡ଼ ସୁବର୍ଣ୍ଣ
୫. ସୁମତୀ ନାଥ ଲାଲ ରାଜହଂସ ସୁବର୍ଣ୍ଣ
୬. ପଦ୍ମପ୍ରଭା ପଦ୍ମ ଲାଲ
୭. ସୁପଶ୍ୱର୍ନାଥ ସ୍ୱସ୍ତିକ ସୁବର୍ଣ୍ଣ
୮. ଚନ୍ଦ୍ରପ୍ରଭା ଚନ୍ଦ୍ର ଧଳା
୯. ପୁଷ୍ପଦନ୍ତ କୁମ୍ଭୀର ଧଳା
୧୦. ଶୀତଳ ନାଥ କଳ୍ପ ବିଳାସ ସୁବର୍ଣ୍ଣ
୧୧. ଶ୍ରେୟଂଶ ନାଥ ଗଣ୍ଡା ସୁବର୍ଣ୍ଣ
୧୨. ବାସୁପୁଜ୍ୟ ମାଈ ମଇଁଷି ଅଳ୍ପ ଲାଲ୍‌
୧୩. ବିମଳ ନାଥ ଘୁଷୁରି ସୁବର୍ଣ୍ଣ
୧୪. ଅନନ୍ତ ନାଥ ଝିଙ୍କ ସୁବର୍ଣ୍ଣ
୧୫. ଧର୍ମନାଥ ବଜ୍ର ସୁବର୍ଣ୍ଣ
୧୬. ଶାନ୍ତିନାଥ ହରିଣ ସୁବର୍ଣ୍ଣ
୧୭. କୁନ୍ତୁନାଥ ଛେଳି ସୁବର୍ଣ୍ଣ
୧୮. ଅର ନାଥ ମାଛ ସୁବର୍ଣ୍ଣ
୧୯. ମଲ୍ଲୀ ନାଥ କଳସ ନୀଳ
୨୦. ମୁନୀ ସୁବ୍ରତ କଇଁଛ କଳା
୨୧. ନମୀ ନାଥ ନୀଳ ପଦ୍ମ ହଳଦିଆ
୨୨. ନେମି ନାଥ ଶଙ୍ଖ କଳା
୨୩. ପାଶ୍ୱର୍ନାଥ ସାପ ନୀଳ
୨୪. ମହାବୀର ସିଂହ ହଳଦିଆ .

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ