ନ୍ୟାସନାଲ ଥିଏଟରରେ : ଯୌବନାରମ୍ଭେ

ମୁଁ କ୍ଷୁଦ୍ର ଦିନ ଦରିଦ୍ରର କନ୍ୟା , ମୋର ବଳ ବୁଦ୍ଧି ଅତି କ୍ଷୁଦ୍ର। ଏପଟେ ମୋର ଉଚ୍ଚବାସନା ମୋର ଆତ୍ମବଳିଦାନ ଦେବାରେ ବାଧା ଦିଏ , ଅନ୍ୟ ଦିଗରେ ଅସଂଖ୍ୟ ପ୍ରଲୋଭନର ଜୀବନ୍ତ ଚାକ-ଚମକ ମୋତେ ଆହ୍ୱାନ କରନ୍ତି।

Dr. Samidha Vedabala
Dr. Samidha Vedabala 456 Views
8 Min Read

ମୁଁ ବେଙ୍ଗଲ ଥିଏଟର ତ୍ୟାଗ କରି ସ୍ଵର୍ଗୀୟ କେଦାରନାଥ ଚୌଧୁରୀ ମହାଶୟଙ୍କର ନ୍ୟାସନାଲ ଥିଏଟରରେ କାର୍ଯ୍ୟରତ ହେଲି। କିଛି ମାସ “ମେଘନାଦ ବଦ୍ଧ ” ,”ମୃଣାଳିନୀ” ଇତ୍ୟାଦି ପୁରାତନ ନାଟକ ଏବଂ “ଆଗମନୀ ” “ଦୋଳ ଲୀଳା” ପ୍ରଭୃତିରେ କ୍ଷୁଦ୍ର କ୍ଷୁଦ୍ର ଗୀତିନାଟ୍ୟରେ ଓ ଅନେକ ପ୍ରହସନ ଓ ପେଣ୍ଟମଇମରେ ପ୍ରଧାନ ପ୍ରଧାନ ଭୂମିକା ଗ୍ରହଣ କରିଛି  । ସବୁ ଗୁଡା ହିଁ ପ୍ରାୟ ଗିରିଶ ବାବୁଙ୍କ ରଚିତ । ୟା ପରେ ଗିରିଶବାବୁ ଓ ମୋର ଥିଏଟର ସହିତ ସମ୍ପର୍କ ଶିଥିଳ ହୋଇଯାଏ । ଏଇ ସମୟରେ ନ୍ୟାସନାଲ ଥିଓଟରର ଦୁର୍ଦ୍ଦଶା ଚାଲିଥାଏ ! ଅଳ୍ପଦିନ ଭିତରେ ଥିଏଟର ନିଲାମ ହେଇଯାଏ I ପ୍ରତାପଚନ୍ଦ ଜହୁରି  ନାମକ ଜଣେ ମାରୁଆଡ଼ି ହେଲେ ଥିଏଟରର ଅଧିକାରୀ । ପ୍ରତାପଚନ୍ଦ ବାବୁଙ୍କ ଅଧୀନରେ ଥିଏଟର ର ନାଁ ନ୍ୟାସନାଲ ଥିଏଟର ହିଁ ରହିଲା । ଗିରିଶବାବୁ ପୁନର୍ବାର ମ୍ୟାନେଜର ହେଲେ ।

Support Samadhwani

ଏଇ ଥିଏଟରର ପ୍ରଥମ ଅଭିନୟ, ସ୍ଵର୍ଗୀୟ କବିବର ସୁରେନ୍ଦ୍ରନାଥ ମଜୁମଦାର ରଚିତ “ହାମିର”! ନାୟିକାର ବହୁ,ମିକାରେ ମୁଁ ଥିଲି , କିନ୍ତୁ ସେତେବେଳେ ନ୍ୟାସନାଲ ଥିଏଟରର ବେଳା ଖରାପ ଚାଲିଥାଏ ; ଯେତେ ଧୁମଧାମ ସହକାରେ ସାଜ-ସରଞ୍ଜାମ କରି ଅଭିନୟ କଲେ ବି ଅଧିକ ଦର୍ଶକ ଆକର୍ଷିତ ହେଉ ନଥିଲେ । ଭଲ ଭଲ ନାଟକ ଯାହା ଥିଲା , ସବୁ ପୁରୁଣା ହେଇ ଯାଇଥିଲା, ନୂଆ ଭଲ ନାଟକ ମିଳୁ ନଥିଲା । “ମାୟାତରୁ” ନାଁରେ ଏକ କ୍ଷୁଦ୍ର ଗୀତିନାଟ୍ୟ ଗିରିଶବାବୁ ରଚନା କରିଥିଲେ । “ପଲାଷିର ଯୁଦ୍ଧ” ସହିତ ଏକତ୍ରିତ କରି ଏଇ ଗୀତିନାଟ୍ୟ ପ୍ରଥମ ଅଭିନୀତ ହୁଏ । ଦୁଇ ତିନ ରାତ୍ରି ଅଭିନୟ ପରେ ଏଇ କ୍ଷୁଦ୍ର ନାଟିକାଟି ପାଇଁ ଦର୍ଶକ ଆକର୍ଷିତ ହେବାକୁ ଲାଗିଲେ , ଧୀରେ ଧୀରେ ଥିଏଟର ଭରିବାକୁ ଲାଗିଲା ।  ଏଇ ଗୀତିନାଟ୍ୟର ମୋର “ଫୁଲ ହସ”  ଭୂମିକା ଦେଖି ଜଣେ ସମ୍ପାଦକ ସ୍ଵର୍ଗୀୟ ଶମ୍ଭୁଚନ୍ଦ୍ର ମୁଖପାଧ୍ୟାୟ ମହାଶୟ ଲେଖିଥିଲେ “ବିନୋଦିନୀ was simply charming” – କ୍ରମେ ଗିରିଶବାବୁଙ୍କର “ମୋହିନୀ ପ୍ରତିମା” “ଆନନ୍ଦ ରହୋ” ଦର୍ଶକ ଆକର୍ଷଣ କରିବାକୁ ଲାଗିଲା । ତାପରେ “ରାବଣ ବଦ୍ଧ” ପର ଠାରୁ ଥିଏଟର ରେ ଲୋକ ଅଭାବ ରହିଲେନି। ଥିଏଟର ପ୍ରତିଥର ପୁରି ଯାଉଥିଲା ।

ଯେଉଁ ସକଳ ଧନଵାନ ଓ ପଣ୍ଡିତ ବ୍ୟକ୍ତି ମାନେ ଘୃଣା କରି ଥିଏଟର ଆସୁ ନଥିଲେ ସେମାନେ  ଦୁଇ ଏକ ଦିନ ଆଗରୁ ଟିକେଟ କିଣି ଆସୁଥିଲେ । ଦିନକୁ ଦିନ ଥିଏଟରର ଅଦ୍ଭୁତ ଉନ୍ନତି ଦେଖି ଦିନେ ତତ୍ଵଧିକାରୀ ପ୍ରତାପଚନ୍ଦ୍ର କହିଲେ “ବିନୋଦ ଯାଦୁ କରନ୍ତି “! କ୍ରମେ “ସୀତାର ବନବାସ” ପ୍ରଭୃତି ନାଟକ ଚାଲିଲା । ଥିଏଟରର ଯଶ ଚାରିଦିଗରେ ବଢିବାକୁ ଲାଗିଲା । ତା ସାଙ୍ଗରେ ଅଧିନାର ଖ୍ୟାତି ବି ଉତ୍ତରୋତ୍ତର ବୃଦ୍ଧି ହେବାକୁ ଲାଗିଲା ।

ଗିରିଶ ବାବୁଙ୍କ ସାଙ୍ଗରେ ଥିଏଟର ଆରମ୍ଭ କରିବାଠାରୁ ବିଡ଼ନ ଷ୍ଟ୍ରୀଟ “ଷ୍ଟାର ଥିଏଟର” ଶେଷ ହେବା ପର୍ଯ୍ୟନ୍ତ ମୁଁ ତାଙ୍କ ସାଙ୍ଗରେ ବରାବର କାମ କରି ଆସିଛି । କାର୍ଯ୍ୟ କ୍ଷେତ୍ରରେ ସିଏ ମୋର ଶିକ୍ଷକ ଏବଂ ମୁଁ ତାଙ୍କ ପ୍ରଥମ ଓ ପ୍ରଧାନ ଶିଷ୍ୟା ଥିଲି । ତାଙ୍କ ନାଟକର ପ୍ରଧାନ ପ୍ରଧାନ ସ୍ତ୍ରୀ ଚରିତ୍ରରେ ମୁଁ ହିଁ ଅଭିନୟ କରୁଥିଲି । ସେ ଅତି ଯତ୍ନ ସହକାରେ ମୋତେ ଶିକ୍ଷା ଦେଇ ତାଙ୍କର କାର୍ଯ୍ୟପୋଯୋଗୀ କରି ନେଇଥିଲେ ।

Support Samadhwani

ଯେତେବେଳେ କେଦାର ବାବୁ ଥିଏଟର କରୁଥିଲେ , ସେଇ ସମୟରେ ସୁପ୍ରସିଦ୍ଧ ଅଭିନେତା ସ୍ଵର୍ଗୀୟ ଅମୃତଲାଲ ମିତ୍ର ମହାଶୟ ଆସି ଅଭିନୟ କାର୍ଯ୍ୟରେ ଆମକୁ ଯୋଗ ଦେଲେ। ଗିରିଶ ବାବୁଙ୍କ ମୁହଁରୁ ଶୁଣିଥିଲି, ଯେ ଅମୃତଲାଲ ମିତ୍ର ଆଗର ଯାତ୍ରା ଦଳରେ ଆକ୍ଟ କରୁଥିଲେ । ତାଙ୍କର ସୁନ୍ଦର କଣ୍ଠ ସ୍ୱର ଶୁଣି ସେ ପ୍ରଥମେ ତାଙ୍କୁ ଥିଏଟରରେ ଆଣିଲେ । ଆଗରୁ ଉଲ୍ଲେଖ କରିଛି , ଇତିପୂର୍ବେ “ମେଘନାଦ ବଦ୍ଧ “, “ବିଷ ବୃକ୍ଷ”, “ସାଧବାର ଏକାଦଶୀ”, “ମୃଣାଳିନୀ”, ” ପଲାସିର ଯୁଦ୍ଧ” ଓ ନାନା ରକମ ବଡ ମାନର ବହି ଆମ ଥିଏଟର ରେ ଅଭିନୀତ ହେଇଥିଲା। “ମେଘନାଦ ବଦ୍ଧ” ରେ ଅମୃତ ଲାଲ ରାବଣ ରୋଲ କରିଥିଲେ ଏବଂ ମୁଁ ଏଠି ବି ସାତଟି ପାର୍ଟରେ ଅଭିନୟ କରିଥିଲି । ଗିରିଶ ବାବୁ ମେଘନାଦ ଓ ରାମ , “ମୃଣାଳିନୀ” ରେ ଗିରିଶବାବୁ ପଶୁପତି, ମୁଁ ମନୋରମା , “ଦୁର୍ଗେଶ ନନ୍ଦିନୀ” ରେ ଗିରିଶ ବାବୁ ଜଗତ ସିଂ , ମୁଁ ଆଇଶା, , “ବିଷ ବୃକ୍ଷ”ରେ ଗିରିଶବାବୁ ନଗେନ୍ଦ୍ରନାଥ , ମୁଁ କୁନ୍ଦନନ୍ଦିନୀ , ” ପଲାସିର ଯୁଦ୍ଧ” ରେ ଗିରିଶ ବାବୁ କ୍ଳାଇବ , ମୁଁ ବ୍ରିଟେନିଆ , ଅମୃତ ମିତ୍ର ଜଗତ ସେଠ ଓ କାଦମ୍ବିନୀ ରାଣୀ ଭବାନୀ।

କେତେ ବହିର ଆଉ ନାଁ କହିବି । ସବୁ ବହିରେ ମୁଁ , ଗିରିଶବାବୁ, ଅମୃତ ମିତ୍ର, ଅମୃତ ବାସୁ ମହାଶୟ ଯେତେ ସବୁ ବଡ ପାର୍ଟ କରୁଥିଲୁ । ଗିରିଶ ବାବୁ ଏସବୁ ପାର୍ଟ ପାଇଁ ମୋତେ ଭଲଭାବେ ଶିକ୍ଷା ଦେଉଥିଲେ । ତାଙ୍କର ଶିକ୍ଷା ଦେବ ପ୍ରଣାଳୀ ଭାରି ସୁନ୍ଦର। ସେ ପ୍ରଥମେ ପାର୍ଟ ଗୁଡ଼ାକର ଭାବ ବୁଝେଇ ଦିଅନ୍ତି । ତାପରେ ପାର୍ଟ ମୁଖସ୍ଥ କରିବାକୁ କୁହନ୍ତି । ଅବସର ସମୟରେ ଆମ ପାଖରେ ବସି ଅମୃତମିତ୍ର , ଅମୃତ ବାବୁ ଆଉ ଅନ୍ୟାନ୍ୟ ଆମ ସମସ୍ତଙ୍କୁ ନାନା ବିଦେଶୀ ଅଭିନେତା ଅଭିନେତ୍ରୀ , ବଡ ବଡ ବିଲାତି କବି ଯେମିତି ସେକ୍ସପିଅର , ମିଲଟନ , ବାୟରନ, ପୋପ ପ୍ରଭୃତିଙ୍କର ଲେଖା ଗଳ୍ପ ଛଳରେ ଶୁଣନ୍ତି । ଫୁଣି କେତେବେଳେ ସେମାନଙ୍କର ବହି ଆଣି ଆମକୁ ପଢ଼େଇ ପଢ଼େଇ ବୁଝାନ୍ତି । ଏମିତି ବହୁତ କଥା ଅମୁକ ଶିଖନ୍ତି । ତାଙ୍କର ଏପରି ଯତ୍ନ କରି ଆମକୁ ଦେଇଥିବା ଶିକ୍ଷା ପାଇଁ ଆମେ ଅଭିନୟ ବିଦ୍ୟା ଭଲ ଭାବରେ ଶିଖି ପାରିଲୁ। ୟା ଆଗରୁ ଯାହା ଶିଖିଥିଲି ସବୁ ନିଜ ବୁଦ୍ଧିରେ , କିଛି ସେମିତି ଅଭିଜ୍ଞତା ନଥିଲା । କୌଣସି ବିଷୟରେ ତର୍କ ବା ଯୁକ୍ତି ଦେଇ କିଛି କହିବା ବା ବୁଝେଇ ପାରୁନଥିଲି । ଯଦି ଜାଣିଥାନ୍ତି ତାହେଲେ ନିଜର ଭୂମିକା ନିର୍ବାଚନ ନିଜେ ବୁଝି କରିଥାନ୍ତି । ବିଦେଶୀ ବଡ଼ବଡ଼ ଆକ୍ଟର ଆକ୍ଟ୍ରେସ ଆସିଲେ ସେମାନଙ୍କର ଅଭିନୟ ଦେଖିବାକୁ ଯିବାକୁ ବ୍ୟସ୍ତ କରି ଦିଏ ।

ଆଉ ଥିଏଟର ଅଧ୍ୟକ୍ଷମାନେ ବି ମୋତେ ଯତ୍ନ ସହକାରେ ନେଇ ଇଂଗ୍ରେଜୀ ଥିଏଟର ଦେଖେଇ ଆଣନ୍ତି । ଫେରିଲେ ଗିରିଶବାବୁ ପଚାରନ୍ତି ”କଣ ଦେଖିଲା ଟିକେ ଦେଖିବା” ? ମୋର ଯାହା ବୋଧ ହୁଏ , ତାଙ୍କ ପାଖରେ କୁହେ। ଯଦି କିଛି ଭୁଲ ହେଇଯାଏ ସେ ତାହା ସଂଶୋଧନ କରି ଦିଅନ୍ତି । ସ୍ଵର୍ଗତଃ କେଦାରବାବୁ ପ୍ରାୟ ବର୍ଷେ ଥିଏଟର କରନ୍ତି ; ତାପରେ କୃଷ୍ଣଧନ ଓ ହାରାଧନ ବନ୍ଦୋପାଧ୍ୟାୟ ନାମରେ ଦୁଇ ଭାଇ କିଛି ମାସ ଥିଏଟର କତୃତ୍ଵ ସମ୍ଭାଳନ୍ତି। ତାପରେ କାଶୀପୁରର ପ୍ରାଣନାଥ ଚୌଧୁରୀଙ୍କ ଘରେ ଶ୍ରୀଯୁକ୍ତ ସିବେନ୍ଦ୍ରନାଥ ଚୌଧୁରୀ ନାମରେ ଜଣେ ବ୍ୟକ୍ତି ଛ ମାସ କି ଆଠ ମାସ ଏଇ ଥିଏଟର   ପ୍ରୋପ୍ରାଇଟର   ହେଲେ । ଗିରିଶବାବୁ ଏଇ ସକାଳ ଥିଏଟରର ମ୍ୟାନେଜର ଓ ମୋସନ ମାସଟର ଥିଲେ। କିନ୍ତୁ ସକଳ  ପ୍ରୋପ୍ରାଇଟର ସ୍ଵଚାଳିତ ଥିଲେ, ଗିରିଶ ବାବୁ ଅଫିସ କାମ ପାଇଁ ଥିଏଟର ରେ ଅଧିକ ସମୟ ଦେଇପାରନ୍ତିନି।  ସେଥିପାଇଁ ଏତେ ବିତ୍ସୃଙ୍ଖଳା ହୁଏ ଯେ ବ୍ୟବସାୟ ବୁଦ୍ଧିହୀନ ଆମୋଦପ୍ରିୟ  ପ୍ରୋପ୍ରାଇଟର  ଶେଷରେ ଥାଳି ଝଡା ଶୂନ୍ୟ ହସ୍ତେ ବାଧ୍ୟ ହେଇ ଥିଏଟର ରୁ ବିଦାୟ ନିଅନ୍ତି । କିନ୍ତୁ ସେତେବେଳେ ସ୍ପଷ୍ଟ ମନେ ଅଛି , ପ୍ରତେକ ରାତ୍ରିରେ ହିଁ ବହୁତ ଲୋକ ହୁଅନ୍ତି ଓ ଏମିତି ସୁନ୍ଦର ଅଭିନୟ ହେଉଥିଲା ଯେ ଲୋକେ ଅଭିନୟ ଦର୍ଶନରେ ମୋହିତ ହୋଇ ଗୋଟିଏ ବାକ୍ୟରେ କୁହନ୍ତି ଯେ ଆମେ ଅଭିନୟ ଦେଖୁଛୁ ନା ପ୍ରତ୍ୟକ୍ଷ ଦେଖୁଛୁ , ତାହା ବୁଝିବା କଷ୍ଟ । ଏତେ ବିକ୍ରୟ ସତ୍ୱେ ବି କାହିଁକି କେଜାଣି ସବୁ ଧନୀ ସନ୍ତାନ ମାନେ ସର୍ବଶାନ୍ତ ହେଇଗଲେ , ମୁଁ କହି ପାରିବିନି ।  ଲୋକେ କୁହନ୍ତି ଯେ ଏଇ ଜାଗା ଟା ଅଶୁଭ। ଏଇ ସ୍ଥାନ ଭୂମି ଖଣ୍ଡ କାହା ପାଇଁ ଅନୁକୂଳ ନୁହେଁ ।

ଗିରିଶ ବାବୁ ମହାଶୟଙ୍କର ଶିକ୍ଷା ଓ ନାନା ରକମ ସତ ଉପଦେଶ ଶୁଣି ମୁଁ ଯେତେବେଳେ ଷ୍ଟେଜରେ ଅଭିନୟ ପାଇଁ ଠିଆ ହୁଏ , ସେତେବେଳେ ମୋର ମନେ ହୁଏନା ଯେ ମୁଁ ଅନ୍ୟ କିଏ। ମୁଁ ଯେଉଁ ଚରିତ୍ରରେ ଅଛି ମୁଁ ସେଇ ଚରିତ୍ର।  ଅଭିନୟ ସାରିଲେ ମୁଁ ମୋ ରୂପ କୁ ଫେରେ । ମୋର ଏମିତି କାର୍ଯ୍ୟରେ ଉତ୍ସାହ ଓ ଯତ୍ନ ଦେଖି ରଙ୍ଗମଂଚ କତୃପକ୍ଷମାନେ ମୋତେ ଭାରି ଭଲ ପାନ୍ତି ଓ ଭାରି ସ୍ନେହ କରନ୍ତି। ମୁଁ ବି ସେମାନଙ୍କୁ ଯତ୍ନ ଓ ଆଦର ସହକାରେ ସେମାନଙ୍କ ଉପରେ ପ୍ରବଳ ସ୍ନେହରେ ଅତ୍ୟାଚାର କରେ । ଯେମିତି ବାପା ମାଁ ପାଖରେ ଆଦରର ପୁଅ ଝିଅ ମାନେ ବିନା କାରଣରେ ଆଦର ଆବଦାର କରି ସେମାନଙ୍କୁ ଉତ୍କଣ୍ଠିତ କରନ୍ତି, ଭାଇ ଭଉଣୀ ଆଗରେ ଯେମିତି ଛୋଟ ଭାଇ ଭଉଣୀ ମାନେ ମିଛଟାରେ ଝଗଡା ଆବଦାର କରନ୍ତି ,ମୋର ବି ସେଇଭଳି ସ୍ୱଭାବ ହେଇଯାଇଥିଲା ।

ଏଇ ସମୟରେ ନାନା ରକମ ଉଚ୍ଚ ଚରିତ୍ର ଅଭିନୟ ଦ୍ୱାରା ମୋ ମନ କେମିତି ଉଚ୍ଚମନା ହେବାକୁ ଲାଗିଲା , ପୁଣି ନାନା ରକମ ପ୍ରଲୋଭନ ଆକଂକ୍ଷାରେ ଆକୃଷ୍ଟ ହେଇ ବେଳେ ବେଳେ ଆତ୍ମହରା ହେବାର ଉପକ୍ରମ ହେବାକୁ ଲାଗିଲା।

ମୁଁ କ୍ଷୁଦ୍ର ଦିନ ଦରିଦ୍ରର କନ୍ୟା , ମୋର ବଳ ବୁଦ୍ଧି ଅତି କ୍ଷୁଦ୍ର। ଏପଟେ ମୋର ଉଚ୍ଚବାସନା ମୋର ଆତ୍ମବଳିଦାନ ଦେବାରେ ବାଧା ଦିଏ , ଅନ୍ୟ ଦିଗରେ ଅସଂଖ୍ୟ ପ୍ରଲୋଭନର ଜୀବନ୍ତ ଚାକ-ଚମକ ମୋତେ ଆହ୍ୱାନ କରନ୍ତି। ଏମିତି ଅସଂଖ୍ୟ ଘାତ-ପ୍ରତିଘାତ ମଧ୍ୟରେ ମୋର କ୍ଷୁଦ୍ର ହୃଦୟ ହାରିଯାଏ। ତଥାପି ବାରମ୍ବାର ଆତ୍ମ ଦହନ କରେ  । ମନକଥା ଶୁଣି ଯଦିଓ କେବେ ଅଭିନୟରେ ଅମନୋଯୋଗୀ ହେଇନି। ପାର୍ଟ ଅଭ୍ୟାସ , ପାର୍ଟ ଅନୁଯାୟୀ ମନଭିତରେ ଚିତ୍ର ଅଙ୍କିବା , ତନ୍ମୟ ଭାବେ ସେଇ ମନଅଙ୍କିତ ଛବି ଗୁଡିକୁ ନିଜ ଭିତରେ ମିଳେଇ ମିଶେଇ ଦେଖିବା , ଏମିତିକି ସେ ଭାବେ ଚାଲିବା, ଶୋଇବା, ସତେ ଯେମିତି ଏସବୁ ମୋ ସ୍ୱଭାବରେ ଜଡିତ ହେଇଯାଇଥିଲା ।    … କ୍ରମଶଃ

 

Share This Article
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ) Samidha Vedabala (Ph.D., Rabindra Bharati University, Kolkata), a performer and researcher of Indian Classical Music, Sitar. She has been working as an assistant professor of music in the Department of Music at Sikkim University since 2011. Along with performance in music, she is actively involved in academic research in Indian music. She has published two books and many academic journals. Her professional and academic association with Sitar inspires her to continue writing on the instrument and its various aspects. Her book titled "Sitar Music: The Dynamics of Structure and Its Playing Techniques" is one of them. Her work has been the source of information for one of the documentaries on Sitar in the UK. She has also attended many national and international seminars on sitar music. As a writer, Dr. Samidha has been associated with Samadhwani for over a decade.