Home / କଳା ସଙ୍ଗୀତ / ସ୍ୱାଭିମାନୀ ମଞ୍ଚପୁରୁଷ “ନିରଞ୍ଜନ ଶତପଥୀ”

ସ୍ୱାଭିମାନୀ ମଞ୍ଚପୁରୁଷ “ନିରଞ୍ଜନ ଶତପଥୀ”

Share Samadhwani

ପାଠକୀୟ ଅନୁରୋଧ ରକ୍ଷାକରି ଲେଖାଟିକୁ ଏଠାରେ ପୁନଃ ପ୍ରକାଶ କରାଯାଇଛି । ‘ନିରଞ୍ଜନ ଶତପଥୀ’ ଜଣେ ବର୍ଷିୟାନ ଅଭିନେତା, ଯାହାଙ୍କର ନାଟକ ଜୀବନ ଓଡ଼ିଆ ନାଟ୍ୟ ଜଗତର ସତୁରୀରୁ ଅଧିକ ବର୍ଷର ଇତିହାସ । ୧୯୨୭ସାଲ ଗଣେଷ ଚତୁର୍ଥୀ ଦିନ ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ମଞ୍ଚରେ ନାୟକଠାରୁ ଖଳନାୟକ ଯାଏଁ ସବୁପ୍ରକାରର ଭୂମିକାରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କୁ ଓଡ଼ିଶା ନାଟକ ଜଗତର ଭିଷ୍ମ ପିତାମହ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କର ଜୀବନାଦର୍ଶ ଏବଂ କଳାପ୍ରତି ଉତ୍ସର୍ଗୀକୃତ ମାନସିକତା ନୂଆ ପିଢ଼ିର ସମସ୍ତ କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଲେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।

ଯେଉଁ କଳାକାରମାନେ ଗଭୀର ରାତ୍ରିରେ ରଙ୍ଗମଞ୍ଚର ଐନ୍ଦ୍ରଜାଲିକ ପରିବେଶରେ ଦର୍ଶକ ମନରେ ଗନ୍ଧର୍ବଲୋକ ସୃଷ୍ଟି କରିଥାଆନ୍ତି, ସେମାନଙ୍କ ବ୍ୟକ୍ତିଗତ ଜୀବନ କେତେ କ୍ଲେଶକର, ତାହା  ବିଂଶ ଶତାବ୍ଦୀର ଓଡ଼ିଶା-ରଙ୍ଗମଞ୍ଚଗୁଡ଼ିକର ପ୍ରଚଣ୍ଡ ପ୍ରଭାବଶାଳୀ ଅଭିନେତା ସ୍ୱର୍ଗତ ନିରଞ୍ଜନ ଶତପଥୀଙ୍କ ଜୀବନ ଅନୁଧ୍ୟାନ କଲେ ଅନୁଭବ କରିହୁଏ ।

ଏହି ଖ୍ୟାତିବାନ ଅଭିନେତାଙ୍କ ଜୀବନ କାହାଣୀ ଓଡ଼ିଶାର ଅଠାଅଶୀ ବର୍ଷର ଇତିହାସ । ସେ ୧୯୨୭  ସାଲ ଗଣେଷ ଚତୁର୍ଥୀ ଦିନ ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଗ୍ରାମରେ ପ୍ରଥମେ ପାଦ ଦେଇଥିଲେ ଏବଂ ତାଙ୍କର ତିରୋଧାନ ହୋଇଥିଲା, ଭୁବନେଶ୍ୱରସ୍ଥ ବୀରସୁରେନ୍ଦ୍ର ସାଏ ନଗରସ୍ଥ ନିଜ କୁଟୀରରେ ୨୦୧୫ ଜାନୁଆରୀ ୬ ତାରିଖ ଦିନ । ନିରଞ୍ଜନ ବାବୁଙ୍କ ଜୀବନଯାତ୍ରା ସହଜ ଓ ସରଳ ନଥିଲା ଯଦିଓ ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ତାଙ୍କର ଗଭୀର ଜ୍ଞାନ ଥିଲା । ଜୀବନ ନିର୍ବାହ ପାଇଁ ସେ ଗ୍ରାମ ପୁରୋହିତ କାର୍ଯ୍ୟଠାରୁ, କୃଷି ବିଭାଗରେ କିଛିଦିନ ଚାକିରୀ ମଧ୍ୟ କରିଥିଲେ । ତାଙ୍କର ବୈଚିତ୍ର୍ୟମୟ ଜୀବନର ଅନ୍ୟ ଏକ ଦିଗ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ସେନା ବିଭାଗରେ ଯୋଗ ଦେଇ ସିଙ୍ଗାପୁରଠାରେ ବହୁ କଷ୍ଟକର ଅଭିଜ୍ଞତା ଲାଭ କରିଥିଲେ, ଯାହା ପରବର୍ତ୍ତୀ ଜୀବନରେ ତାଙ୍କୁ ଜଣେ ମାନବଧର୍ମୀ ମଣିଷଭାବେ ସମାଜରେ ପ୍ରତିଷ୍ଠିତ କରିଥିଲା ।

ନିରଞ୍ଜନ ଶତପଥୀ କେବଳ ଓଡ଼ିଆ ନାଟ୍ୟ ରଙ୍ଗମଞ୍ଚର ମୁଖ୍ୟ ନାୟକ ନଥିଲେ, ସେ ଥିଲେ ଜୀବନଯୁଦ୍ଧର ଜଣେ ଅସାଧାରଣ ନାୟକ । ଜୀବନର ସମସ୍ତ ସମସ୍ୟାକୁ ସେ ସମାନଭାବେ ଗ୍ରହଣ କରିଥିଲେ, ମାନ ଅପମାନକୁ ସମଚିତ୍ତରେ ଗ୍ରହଣ କରିଥିଲେ । ତାଙ୍କ ଜୀବନର ସବୁଠାରୁ ବୈଶିଷ୍ଟ୍ୟ ହେଲା, ଜଣେ ପ୍ରତିଭାଶାଳୀ ଅଭିନେତା ଭାବେ ସେ ଯେପରି ଲୋକପ୍ରିୟ ଥିଲେ,ସେହିପରି ତକ୍ରାଳୀନ ପ୍ରତିଷ୍ଠିତ ସାହିତ୍ୟିକ ଓ ରାଜନୈତିକ; ନେତା ମଧ୍ୟ ତାଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରୁଥିଲେ । ଉକ୍ରଳର ବରପୁତ୍ର ହରେକୃଷ୍ଣ ମହତାବ ଓ କଳିଙ୍ଗର ପ୍ରାଣପୁରୁଷ ବିଜୁ ପଟ୍ଟନାୟକ ଦ୍ୱାର ନିରଞ୍ଜନ ବାବୁଙ୍କ ପାଇଁ ସଦାସର୍ବଦା ଉନ୍ମୁକ୍ତ ଥିଲା । ବିଜୁବାବୁଙ୍କ ସହଯୋଗକ୍ରମେ କଟକ ବାଙ୍କାବଜାର ଠାରେ ସେ ପ୍ରତିଷ୍ଠା କରିଥିଲେ ନିଜର ସ୍ୱପ୍ନର ଅନୁଷ୍ଠାନ ‘ଜନତା ରଙ୍ଗମଞ୍ଚ’ ।

ନିଜ ପ୍ରତିଭାବଳରେ କଳାକାରଟିଏ ମଣିଷ ସମାଜରେ ପ୍ରତିଷ୍ଠା ଲାଭ କରେ ଅଥଚ ଶାସକ ଓ ଶୋଷକଙ୍କ ଛଳନା ନିକଟରେ ଅନେକ କ୍ଷେତ୍ରରେ ସେ ମଥାନତ କରେ । କିନ୍ତୁ ସେ ସ୍ୱାଭିମାନୀ । ସାଲିସ ନୁହେଁ, ସଂଗ୍ରାମ ତା ଜୀବନର ମୂଳମନ୍ତ୍ର । ଅନିଶ୍ଚିତା ପଛରେ ଦୌଡ଼ି ଦୌଡ଼ି ନିଜର ସାତ୍ୱନ୍ତ୍ର୍ୟତାକୁ ବଜାୟ  ରଖିବାକୁ ସେ ଚେଷ୍ଟାକରେ । ନିରଞ୍ଜନ ବାବୁଙ୍କ ଜୀବନ କାହାଣୀ ଯେପରି କରୁଣ, ସେହିପରି ରୋମାଞ୍ଚକର । ବାଲ୍ୟକାଳରେ ନିଜର ବିଚକ୍ଷଣତା ପାଇଁ ସେ ଯେତିକି ପ୍ରଶଂସିତ ହୋଇଥିଲେ, ନିଜର ଦୁଷ୍ଟାମୀପାଇଁ ତତୋଧିକ ନିନ୍ଦିତ ବି ହୋଇଥିଲେ । ପାହାଡ଼ରେ ଚଢ଼ିବା ହେଉ ବା ମଞ୍ଚରେ ଖଳନାୟକ ଉପରକୁ ପଥର ଫୋପାଡ଼ିବା, ସବୁ କ୍ଷେତ୍ରରେ ସେ ଥିଲେ ମୁଖ୍ୟ ନାୟକ ।

ଏହା ଏକ ଅନିବାର୍ଯ୍ୟ ସତ୍ୟ, ଯେଉଁ ମଣିଷ ନବଜାଗରଣର ପ୍ରବର୍ତ୍ତନ ତାହାର ଜୀବନ ଆରମ୍ଭ ହୁଏ ଅଗ୍ନିପରୀକ୍ଷାରୁ ଏବଂ ଶେଷ ହୁଏ ଲେଲିହାନ ଅଗ୍ନିଶିଖାରେ । ବାପାଙ୍କର ମୃତ୍ୟୁପରେ, ଘରେ କିଛିନଥାଏ, ସମସ୍ତ ବୋଝ ନିରଞ୍ଜନ ବାବୁଙ୍କ ଉପରେ । ପରିବାରକୁ ବଞ୍ଚାଇବା ପାଇଁ ଗାଅାଁକୁ ଗାଁ ବୁଲି ଯଜମାନୀ କାମ ଅଥଚ ରାତିରେ ପାଠପଢ଼ି ଇଂରାଜୀ ଶିକ୍ଷାରେ ଦକ୍ଷତା ହାସଲ । ସ୍ନେହମୟୀ ମାଆଙ୍କ ଗହଣା ବନ୍ଧାପକାଇ, କୃଷି ବିଭାଗର ଧାନଫର୍ମ ଚାକିରୀ । ପରେ ପରେ ଏୟାରଫୋର୍ସ ଟ୍ରେନିଂ, କ୍ୱେଟାରେ ପୋଷ୍ଟିଂ, ସିଙ୍ଗାପୁରରେ ଆ.ଇ.ଏ. ପାଶ୍ କରିବା ଭାରିଯାନ ଚଳାଇବା ସହିତ ଦେଶ ସ୍ୱାଧୀନ ହେବାର ଅବ୍ୟବହିତ ପୂର୍ବରୁ ସୈନ୍ୟ ବିଭାଗରୁ ଚାକିରୀ ଛାଡ଼ି ପୋଲିସ ଚାକିରୀ ପାଇ ତାକୁ ବି ସେ ପରିତ୍ୟାଗ କରିଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷ, ସତେ ଯେମିତି ତାହାର ଶେଷ ନାହିଁ । ପୃଥିବୀ ଗୋଟିଏ ବିରାଟ ରଙ୍ଗମଞ୍ଚ । ଏହି ରଙ୍ଗମଞ୍ଚରେ ପ୍ରତ୍ୟେକ ମଣିଷ ଜଣେ ଜଣେ କଳାକାର । କାହାକୁ କେଉଁ ରୂପରେ ଅଭିନୟ କରିବାକୁ ହୁଏ, ତାହା ପୂର୍ବ ନିର୍ଦ୍ଧାରିତ । ନିରଞ୍ଜନ ବାବୁ ବଞ୍ଚିବାର ରାସ୍ତା ଖୋଜୁ ଖୋଜୁ ଜଣେ ଅଭିନେତାର ସ୍ୱପ୍ନ ନେଇ ପାଦ ଥାପିଥିଲେ ଅନ୍ନପୂର୍ଣ୍ଣା ଥିଏଟର ‘ଏ’ଗ୍ରୁପ୍ରେ । ସେ ଜୀବନରେ ଅଭିନେତା ହେବାର ସ୍ୱପ୍ନ ଦେଖିନଥିଲେ । କିନ୍ତୁ ତାଙ୍କ ଭିତରେ ଲୁଚି ରହିଥିବା ପ୍ରଚଣ୍ଡ ପ୍ରତିଭାର ଉଦ୍ଗୀରଣ ହୋଇଥିଲା ପ୍ରଖ୍ୟାତ ମଞ୍ଚଶିଳ୍ପୀ ନଟବର ସେଣ୍ ଓ ହରିହର ପଣ୍ଡାଙ୍କ ମାଧ୍ୟମରେ । ସେହି ସମୟ ଥିଲା ନିରଞ୍ଜନ ବାବୁଙ୍କ ଜୀବନର ଅସଲ ପଟ୍ଟ ପରିବର୍ତ୍ତନ ।

ନିରଞ୍ଜନ ବାବୁଙ୍କ ବ୍ୟକ୍ତିତ୍ୱ, କଥନ ଶୈଳୀ, ଇଂରାଜୀ ଭାଷା ଉଚ୍ଚାରଣ ଓ ସୁନ୍ଦର ଚେହେରା ଥିଲା ନାଟକପାଇଁ ଥିଲା ଅତ୍ୟନ୍ତ ଅନୁକୂଳ । ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍ ଓ ‘ବି’ ଗ୍ରୁପ୍, ଜନତା ରଙ୍ଗମଞ୍ଚ, ରୂପଶ୍ରୀ ଥିଏଟରରେ  ପରିବେଷିତ ଅସଂଖ୍ୟ ନାଟକରେ ସେ ନାୟକ ଓ ଖଳନାୟକ- ଉଭୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକମାନଙ୍କୁ ବିଭୋର ଓ ଚକିତ କରି ଦେଉଥିଲେ । କେବଳ ଜଣେ ଭାରତୀୟ କିମ୍ବା ଉକ୍ରଳୀୟ ଭୂମିକାରେ ଅଭିନୟ କରି ସେ ପ୍ରଶଂସିତ ହୋଇନଥିଲେ, ୟୁରୋପୀୟ ଚରିତ୍ରମାନଙ୍କରେ ତାଙ୍କର ଦକ୍ଷ ଅଭିନୟ ଦର୍ଶକମାନଙ୍କୁ ତାଙ୍କୁ ଜଣେ ଓଡ଼ିଆ ବୋଲି ଚିହ୍ନିବାରେ ବିଭ୍ରାନ୍ତ କରୁଥିଲା । ବକ୍ସି ଜଗବନ୍ଧୁ ନାଟକରେ ତାଙ୍କର କ୍ୟାପଟେନ୍ ଥୋମାସ୍ ଭୂମିକାରେ ଅଭିନୟ ଆଜି ବି ଓଡ଼ିଶାରେ ସର୍ବତ୍ର ଆଲୋଚିତ ହୁଏ । ଜୀବନର ଏଭଳି ନାଟକୀୟତା କେବଳ କେତେଜଣ ଜନ୍ମରୁ ଦୁର୍ଭାଗାଙ୍କ ଭାଗ୍ୟରେ ଘଟେ, ମାତ୍ର ଏହି ନାଟକୀୟତା ପ୍ରଭାବ ଶେଷରେ ସେମାନଙ୍କୁ ବିଶ୍ୱବିଖ୍ୟାତ କରାଏ । ସେଇ ଦୁର୍ଭାଗାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଅଭିନେତା ସ୍ୱର୍ଗତ ନିରଞ୍ଜନ ଶତପଥୀ ।

ବଙ୍ଗଳା ନାଟ୍ୟଜଗତର ପ୍ରସିଦ୍ଧ ଅଭିନେତା ଶିଶିର ଭାଦୁଡ଼ି, ମଧୁଗୁପ୍ତା, ମିଃ ରାୟ ଦିନେ କଲିକତା ରଙ୍ଗମଞ୍ଚରେ ଓଡ଼ିଆ ନାଟକ “ଭରସା’ ଦେଖି ସାରିବା ପରେ ରଙ୍ଗମଞ୍ଚ ଉପରକୁ ଉଠି ଆସି ନିରଞ୍ଜନ ବାବୁଙ୍କୁ କୋଳାଗ୍ରତ କରି କହିଥିଲେ- ‘ଏମାନେ ନାଟକ ଆମି ଜୀବନେ ଦେଖିନି…. ସାମାଜିକ ନାଟକ ଏତୋ ଉପଭୋଗ୍ୟ ହତେପାରେ କଳ୍ପନା କରାଯାଏନା… ବେଚୋଥାକୋ ବାବା, ବେଚୋଥାକୋ, ରଙ୍ଗମଞ୍ଚ ବାଂଚାଓ… ।

ଶିଶିର ଭାଦୁଡ଼ିଙ୍କର ଉପରୋକ୍ତ ମନ୍ତବ୍ୟ ପ୍ରମାଣ କରିଦିଏ, ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ପ୍ରତିଭାଗୁଡ଼ିକର ଉପଯୁକ୍ତ ଅଭାବ ନାହିଁ, କିନ୍ତୁ ପ୍ରତିଭା ଗୁଡ଼ିକର ଉପଯୁକ୍ତ ଉନ୍ମେଷ ଲାଗି ନାଟ୍ୟାନୁଷ୍ଠାନ ଗୁଡ଼ିକର ଯୋଗ୍ୟତାର ଅଭାବ ରହିଛି । ନଚେତ ନିରଞ୍ଜନ ବାବୁଙ୍କ ପରି ଜଣେ ପ୍ରତିଷ୍ଠିତ ଅଭିନେତା କାହିଁକି ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଥିଏଟର କରିଛନ୍ତି । ନିଜେ ଓ ନିଜ ଅନୁଷ୍ଠାନକୁ ବଞ୍ଚାଇବା ପାଇଁ? କାହିଁକି ଅଭିନୟ ପାଇଁ ସେ ପାଇଥିବା ସୁନାମୋହରକୁ ବିକ୍ରୀ କରିଛନ୍ତି? କାହିଁକି ନିଜର ପୈତୃକ ଘର ମଧ୍ୟ ବନ୍ଧା ପଡ଼ିଛି ଜନତା ରଙ୍ଗମଞ୍ଚର ସୁରକ୍ଷା ପାଇଁ? ଏପରି ଅନେକ ପ୍ରଶ୍ନର ଗୋଟଏ ଉତ୍ତର, ଓଡ଼ିଶାରେ ମଞ୍ଚ କଳାକାରମାନଙ୍କ ପ୍ରତି ସରକାର ଓ ଜନସାଧାରଣଙ୍କ ବିମୁଖ ମନୋଭାବ । ଆମରାଜ୍ୟରେ ଜଣେ ସାଧାରଣ ଚଳଚ୍ଚିତ୍ର ଶିଳ୍ପୀ, ଜଣେ କ୍ରୀଡ଼ାବିତ୍,ଜଣେ ରାଜନୈତିକ କର୍ମୀଙ୍କୁ  ଯେତିକି ସମ୍ମାନ ଦିଆଯାଏ, ସେଇ ସମ୍ମାନ ଜଣେ ମଞ୍ଚ ଶିଳ୍ପୀର ଭାଗ୍ୟରେ ଜୁଟେନି । କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ନିରଞ୍ଜନ ବାବୁଙ୍କ ପରି ଜଣେ ପ୍ରତିଭାଦୀପ୍ତ ପୁରୁଷଙ୍କ ଜନ୍ମ ବିଡ଼ମ୍ବନା ନୁହଁ କି? ରାଜଧାନୀରେ ବସବାସ କରୁଥିବା ଜଣେ ଶିଳ୍ପୀର ମୃତ୍ୟୁ ପ୍ରତି ଯଦି ରାଜ୍ୟ ସରକାର ସମ୍ବେଦନଶୀଳ ନୁହଁନ୍ତି-ଗ୍ରାମାଞ୍ଚଳରେ ବସବାସ କରୁଥିବା ଶିଳ୍ପୀମାନଙ୍କ କଥା ପଚାରେ କିଏ? ନିରଞ୍ଜନ ବାବୁଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ କରୁଁ ।

Photo credit- https://bit.ly/3Kgopf2


Share Samadhwani
Support Samadhwani

About ମନମଥ ଶତପଥୀ

ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସମ୍ପାଦକ

Check Also

ଓଡ଼ିଶାରେ ନାଟକର ସ୍ଥିତି

Share Samadhwaniସାକ୍ଷାତକାର : ନବିନ କୁମାର ପରିଡ଼ା ୧) ବର୍ତ୍ତମାନ ଓଡ଼ିଶାରେ ନାଟକର ସ୍ଥିତି କ’ଣ ଅଛି? ଉ: ବର୍ତ୍ତମାନ …