ଓଡ଼ିଶାରେ ସଙ୍ଗୀତ ଓ ସାଙ୍ଗୀତିକ ଧାରାର ସୁରକ୍ଷା ପାଇଁ ସମଧ୍ୱନିର ଆହ୍ୱାନ

ଆସନ୍ତୁ ଏହି ଧାରାଟିକୁ କେମିତି ଆମେ ଆଗକୁ ନେବା ଓ ଓଡ଼ିଶାରେ ସଙ୍ଗୀତର ପରମ୍ପରାକୁ ବଞ୍ଚାଇ ରଖିବାରେ ପରସ୍ପରକୁ ସହଯୋଗର ହାତ ବଢ଼େଇବା , ସେ ବିଷୟରେ ଚିନ୍ତା କରିବା

Swayamprava Parhi (Chief Editor)
7 Min Read

ସମ୍ପାଦକୀୟ

ଡିସେମ୍ବର ୨୧, ୨୦୨୨ ତାରିଖ ଖବର କାଗଜରେ ଏକ ଖବର ନଜରକୁ ଆସିଲା ଯାହାକୁ ଆପଣମାନେ ବି ପଢ଼ିଥିବେ । ରାଜ୍ୟର ଶାସ୍ତ୍ରୀୟ ସଙ୍ଗୀତର ବରିଷ୍ଠ ଗୁରୁମାନେ  ବିଶେଷ କରି ଗୁରୁ ଡ଼କ୍ଟର ଦେବେନ୍ଦ୍ର ଶତପଥୀ, ଗୁରୁ ଡ଼କ୍ଟର ଚିତ୍ତରଞ୍ଜନ ପାଣି, ଗୁରୁ ରଜନୀ କାନ୍ତ ପାଢ଼ୀ, ଗୁରୁ କରୁଣାକର ନାୟକ, ଗୁରୁ ଡ଼କ୍ଟର ରଘୁନାଥ ସାହୁ, ଗୁରୁ ବିଜୟାନନ୍ଦ ନାୟକ, ଗୁରୁ ହରିହର ରଥ ଓ ଅନ୍ୟାନ୍ୟ ଅନେକ ଯନ୍ତ୍ର ସଙ୍ଗୀତ ଓ କଣ୍ଠ ସଙ୍ଗୀତର ବରିଷ୍ଠ ଗୁରୁ ଓ କଳାକାର ମାନେ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପକ୍ଷରୁ ୨୦୨୧ ଓ ୨୦୨୨ ପାଇଁ ଦିଆଯାଇଥିବା ବିଦୁଷୀ ସୁନନ୍ଦା ପଟ୍ଟନୟକ ଶାସ୍ତ୍ରୀୟ ସଙ୍ଗୀତ ପୁରସ୍କାରଟିକୁ ପୁନର୍ବିଚାର କରିବାପାଇଁ ରାଜ୍ୟ ସରକାର ଓ ସଙ୍ଗୀତ ନାଟକ ଏକାଡେ଼ମୀକୁ ଦାବି କରିଥିଲେ ।

ଏଭଳି ଏକ ପ୍ରତିବାଦ କାହିଁକି ହେଲା ମନ ଭିତରେ କିଛି ପ୍ରଶ୍ନ ଆସିଥାଇପାରେ, ବିଶେଷ କରି ଯଦି ଯାହାଙ୍କ ନାମରେ ପୁରସ୍କାର ଦିଆଯାଉଛି ଏଵଂ ଯିଏ ପୁରସ୍କାର ପାଉଛନ୍ତି ସେମାନଙ୍କ ସମ୍ପର୍କରେ ସ୍ପଷ୍ଟ ବୁଝାମଣା ନଥିବ । ଯାହାଙ୍କ ନାମରେ ପୁରସ୍କାର ଦିଆଯାଇଛି ଆମେ ଆମ ଲେଖାଟିରେ ସେହି ମହାନ ଗୁରୁଙ୍କ  ସମ୍ପର୍କରେ ଉପସ୍ଥାପନା କରିବୁ। ସେ ହେଉଛନ୍ତି ବିଦୁଷୀ ସୁନନ୍ଦା ପଟ୍ଟନାୟକ ଯିଏକି ଆମ ଗହଣରେ ଆଉ ନାହାଁନ୍ତି । ଆଉ ଜଣକ ସମ୍ପର୍କରେ ମଧ୍ୟ ଜଣେଇବାପାଇଁ ଚାହିଁବୁ ସିଏ ହେଲେ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ପଣ୍ଡିତ ଦାମୋଦର ହୋତା, ଯାହାଙ୍କର ଅନେକ ଶିଷ୍ୟ ସେଦିନ ସାମ୍ବାଦିକ ସମ୍ମିଳନୀରେ ସ୍ୱର  ଉତ୍ତ୍ୱଳନ କରିଥିଲେ । ସେହି ଦୁଇଜଣ ଶାସ୍ତ୍ରୀୟ ସଂଗୀତଜ୍ଞ କିଏ ଓ ସେମାନଙ୍କର ଓଡ଼ିଶାର ସଙ୍ଗୀତ କ୍ଷେତ୍ରରେ ଅବଦାନ କ’ଣ ଥିଲା ଆମେ ଯାହା ଜାଣିଛୁ ଓ ବୁଝିଛୁ ଜଣାଇବା ପାଇଁ ଚାହିଁବୁ । ପ୍ରଥମେ ଆସନ୍ତୁ ବିଦୁଷୀ ସୁନନ୍ଦା ପଟ୍ଟନାୟକ ମହୋଦୟାଙ୍କୁ ମନେପକାଇବା।

ସୁନନ୍ଦା ପଟ୍ଟନାୟକଙ୍କର ଜନ୍ମ ୭,ନଭେମ୍ବର,୧୯୩୪ ଓ ସେ ମୃତ୍ୟୁ ବରଣ କରିଥିଲେ ୧୯,ଜାନୁଆରୀ,୨୦୨୦ ଦିନ। ତାଙ୍କର ଜନ୍ମସ୍ଥାନ ହେଉଛି କଟକ । କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସେ ଝିଅ।  ସୁନନ୍ଦା ପଟ୍ଟନାୟକ ନିଜ ବାପାଙ୍କର ଅତି ପ୍ରିୟ “ଜୀବନ ପାତ୍ର ମୋ ଭରିଛ କେତେ ମତେ” ଗୀତକୁ ଜୀବନ ପ୍ରଦାନ କରିଥିଲେ । ଯଦିଓ ଏହି ସୁଗମ ସଙ୍ଗୀତଟି ବ୍ୟତୀତ ଅନେକ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାନ କରି ସେ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । କିନ୍ତୁ ଆମେ ଓଡିଆମାନେ ତାଙ୍କର ସେହି ବିଶାଳ ସଙ୍ଗୀତର ଭଣ୍ଡାରକୁ ସବୁବେଳେ ଅଣ ଦେଖା କରିବା କଥା ସେ ନିଜ ସାକ୍ଷାତକାର ମାନଙ୍କରେ ଅନେକଥର ପ୍ରକାଶ କରିଛନ୍ତି । ସୁନନ୍ଦା ପଟ୍ଟନାୟକ ସଙ୍ଗୀତ ପାଇଁ ଜନ୍ମ ନେଇଥିଲେ । ସଙ୍ଗୀତ ପାଇଁ ଜୀବନର ସବୁକିଛି ତ୍ୟାଗ କରିଦେଇଥିଲେ। ତାଙ୍କର ପ୍ରଥମ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା ପଣ୍ଡିତ କୁଣ୍ଡଳ ଆଦି ନାରାୟଣଙ୍କ ପାଖରୁ । ପଣ୍ଡିତ କୁଣ୍ଡଳ ଆଦି ନାରାୟଣଙ୍କ ସମ୍ପର୍କରେ ପରେ ବିସ୍ତାର ଭାବେ ଆଲୋଚନା କରିବା ଯାହାଙ୍କୁ ଓଡ଼ିଶାର ସଙ୍ଗୀତ ଜଗତ ପ୍ରାୟ ଜାଣନ୍ତିନାହିଁ। ସଙ୍ଗୀତରେ ଉଚ୍ଚ ଶିକ୍ଷା ଲାଗି ବୃତ୍ତି ପାଇ ସୁନନ୍ଦା ପଟ୍ଟନାୟକ ପୁନେ ଯାଇ ୧୯୫୨ ମସିହାରେ ଗ୍ଵାଲିଆର ଘରାନାର ଗୁରୁ ପଣ୍ଡିତ ବିନାୟକ ପଟ୍ଟବର୍ଦ୍ଧନଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଭାରତବର୍ଷର ସଙ୍ଗୀତ ଜଗତର ଜଣେ ଅଦ୍ୱିତୀୟ ଗାୟିକା ଥିଲେ ସେ । ତାଙ୍କ ତାରାନା ଆଜିବି ଆନ୍ଦୋଳନ ସୃଷ୍ଟିକରେ ମନରେ । ସମଗ୍ର ବିଶ୍ୱ ତାଙ୍କୁ ଶୁଣୁଥିଲା ବେଳେ ଆମେ ଓଡିଆମାନେ କେବେ ତାଙ୍କ ସଙ୍ଗୀତକୁ ବୁଝିବାକୁ ପ୍ରୟାସ କରି ନାହାଁନ୍ତି । ତାଙ୍କର ସଦାବେଳେ ଗୋଟେ ଅଭିମାନ ଥିଲା ଓଡିଶା ଉପରେ ଓ ଓଡିଆଙ୍କ ଉପରେ ଯେ ଆମେ ଗୀତ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ, ଯାହା ନିଜର ସାକ୍ଷାତକାରରେ ଅନେକ ଥର ସେ ପ୍ରକାଶ କରିଛନ୍ତି। ସେଥିପାଇଁ ହୁଏତ ସେ କଲିକତାରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

Samadhwani Support us

ସେହିଭଳି ଆଉଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ ପଣ୍ଡିତ ଡ଼ଃ ଦାମୋଦର ହୋତା । ପଣ୍ଡିତ ଡ଼ଃ ଦାମୋଦର ହୋତା ଓଡ଼ିଶାରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ପୁରୋଧା ମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ଜନ୍ମ ଶ୍ରୀକ୍ଷେତ୍ର ପୁରୀର ଗୌଡ଼ବାଡ଼ ସାହିର ସହିଦ ଭିଙ୍ଗପାଣିଆ ରୋଡ଼ରେ ।  ପିତା ଗୋପିନାଥ ହୋତା ଥିଲେ ଜଣେ ମଲ୍ଲ ଯୋଦ୍ଧା, ପଖୱଜ ବାଦକ ଓ ଗାୟକ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଶେଷ କରି ନିଜ ଗୁରୁ ପଣ୍ଡିତ ଓଁକାର ନାଥ ଠାକୁରଙ୍କ ନିର୍ଦ୍ଦେଶରେ ଓଡିଶାକୁ ନିଜର କର୍ମଭୂମି ଭାବରେ ବାଛି ନେଇଥିଲେ । ପୁରୀ ଜାଗା ଆଖଡ଼ାରୁ ନିଜର ପିଲାଦିନର ସାଙ୍ଗୀତିକ ଯାତ୍ରା ଆରମ୍ଭ କରିଥିବା ପଣ୍ଡିତ ଦାମୋଦର ହୋତା ଓଡ଼ିଶାରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀ ସୃଷ୍ଟି କରିବା ପରେ ଓଡିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିଥିଲେ । ପ୍ରତ୍ୟେକ ବର୍ଷ ‘ତ୍ରିଧାରା’ କାର୍ଯ୍ୟକ୍ରମ ଆୟୋଜନ କରି ଉଡ୍ର, ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ତିନିଟି ଶାସ୍ତ୍ରୀୟ ସଙ୍ଗୀତ ଧାରାରେ କେଉଁଭଳି ସମ୍ପର୍କ ରହିଆସିଛି ତାହା ଖୁବ ସୁନ୍ଦର ଭାବେ ସଙ୍ଗୀତାନୁରାଗୀ ମାନଙ୍କ ସମ୍ମୁଖରେ ନିଜେ ଓଡ଼ିଶୀ ରାଗ ସଙ୍ଗୀତ ପରିବେଷଣ ମାଧ୍ୟମରେ ନିଜର ମୃତ୍ୟୁ ଯାଏ ଏହାକୁ ସାବ୍ୟସ୍ତ କରିଚାଲିଥିଲେ । ପଣ୍ଡିତ ଦାମୋଦର ହୋତାଙ୍କର ଓଡ଼ିଶାର ସଙ୍ଗୀତ ଜଗତ ପ୍ରତି ବିଶେଷକରି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଥିଲା ଅତୁଳନୀୟ ଅବଦାନ ।

୧୯୮୭ ମସିହାରେ ମୁଁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା ଆରମ୍ଭ କରିଥିଲି। ପଣ୍ଡିତ ଡ଼ଃ ଦାମୋଦର ହୋତା ସେତେବେଳେ ଆମର ପରୀକ୍ଷା ନେବାପାଇଁ ଭଦ୍ରକ ସ୍ଥିତ ସ୍ୱରତୀର୍ଥ ଅନୁଷ୍ଠାନକୁ ଆସୁଥିଲେ । ତାଙ୍କର ଗମ୍ଭୀର ବ୍ୟକ୍ତିତ୍ୱରେ ଆମେ ଡ଼ରିଯାଉଥିଲୁ, କାରଣ ଆମେ ତାଙ୍କୁ ରାଗି ବୋଲି ଭାବୁଥିଲୁ । କିନ୍ତୁ ପରବର୍ତ୍ତୀ ସମୟରେ ଗୁରୁ ଶ୍ରୀ କରୁଣାକର ନାୟକଙ୍କ ସହିତ ତାଙ୍କ ଘରକୁ ଯାଇ ତାଙ୍କ ସହିତ ଆଲୋଚନା କରିବା ପରେ ତାଙ୍କର ଭୀଷଣ ପ୍ରତିଭାକୁ ବୁଝିବାର ଓ ଜାଣିବାର ସୁଯୋଗ ମିଳିଥିଲା । ଓଡ଼ିଶୀ ସଙ୍ଗୀତ କେମିତି ଶାସ୍ତ୍ରୀୟ ମାନ୍ୟତା ପାଇବ ସେ କ୍ଷେତ୍ରରେ ତାଙ୍କର ବୁଝାମଣା ଅଦ୍ୱିତୀୟ ଥିଲା । ପ୍ରଚଣ୍ଡ ଜ୍ଞାନୀଗୁଣୀ ଗୁରୁ ଥିଲେ ପଣ୍ଡିତ ଦାମୋଦର ହୋତା । ସେତେବେଳେ ମୋର ଗୁରୁ ଶ୍ରୀ ଧନେଶ୍ୱର ଦାସ, ବିଦୁଷୀ ସୁନନ୍ଦା ପଟ୍ଟନୟକ ଓ ପଣ୍ଡିତ ଦାମୋଦର ହୋତାଙ୍କର ସଙ୍ଗୀତ ପ୍ରତି ତ୍ୟାଗ ବିଷୟ ଆମକୁ ସବୁବେଳେ କହୁଥିଲେ। ସେ କହୁଥିଲେ ଜଣେ ଶାସ୍ତ୍ରୀୟ ସଙ୍ଗୀତର ଗାୟକ ବା ଗାୟିକା ହେବାପାଇଁ ସେତିକି ତ୍ୟାଗ ଓ ସାଧନା ଜରୁରୀ ।

ଏହିଭଳି କଳାକାର ଓଡ଼ିଶାର କଳା ଜଗତର ଗୋଟିଏ ଗୋଟିଏ ତାରକା । ଏକଥାକୁ କେହି ଅସ୍ୱୀକାର କରିପାରିବେନି ଯେତେ ଭିନ୍ନମତ ଥିଲେ ବି । କିନ୍ତୁ ବିଡମ୍ବନାର କଥା ଯେ, ଏମାନେ ଯେଉଁ ସଙ୍ଗୀତର ଧରାଟିକୁ ଜାରି ରଖିଥିଲେ ତାକୁ ଆଗକୁ ନେବାପାଇଁ ଯେଉଁପ୍ରକାର ପ୍ରୋତ୍ସାହନ ଦରକାର, ଯେଉଁପ୍ରକାର ଗବେଷଣାନୁଷ୍ଠାନ ଦରକାର , ଯେଉଁପ୍ରକାର ସହଯୋଗ ଦରକାର ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେଉଁପ୍ରକାର ବୁଝାମଣା ଦରକାର ସେଇଟା ଆମର କଳା ଜଗତରେ, ସାଂସ୍କୃତିକ ଜଗତରେ ଓ ସଙ୍ଗୀତ ଜଗତରେ ଆମେ ପାଉନୁ । ଯାହା ବି କିଛି ଆମର ଆଶା ରହୁଛି କେବଳ ସରକାରଙ୍କ ଉପରେ ହିଁ ରହୁଛି। ସରକାର ଏହିସବୁ କାମ କିନ୍ତୁ କରୁନାହାଁନ୍ତି । ସରକାରଙ୍କର ଏମାନଙ୍କ ପ୍ରତି କେତେ ବୁଝାମଣା ଓ ଆନ୍ତରିକତା ଅଛି ସେକଥା ସହିତ ସମ୍ପର୍କ ରହିଛି । ଔପଚାରିକତା ଦୃଷ୍ଟିରୁ ଯେଉଁସବୁ କାମ କରାଯାଉଛି ତାହାର ଭବିଷ୍ୟତ ଯେକେହି ଅନୁମାନ କରିପାରିବ । କିନ୍ତୁ ଏହି ଗୁରୁମାନେ ଯେଉଁ ସଙ୍ଗୀତର ଧାରାଟିକୁ ତ୍ୟାଗ, ସାଧନା ଏବଂ ଅକ୍ଲାନ୍ତ ପରିଶ୍ରମ ମାଧ୍ୟମରେ, ସବୁପ୍ରକାର ପ୍ରତିକୂଳ ପରିସ୍ଥିତି ଭିତରେ କୌଣସି ସହଯୋଗ ନପାଇ ଜାରି ରଖିଥିଲେ, ଏହି ମାଟିରେ ରହି ହେଉ ବା ଏହି ମାଟି ପାଇଁ ବାହାରକୁ ଯାଇ ହେଉ, ସେମାନଙ୍କର ସେ ଧାରାକୁ ଆମେ କେମିତି ବଞ୍ଚାଇ ରଖିବା ସେଇଟା ସରକାର ଯେତିକି ଭାବନ୍ତୁ ନା କାହିଁକି ଆମକୁ ସେଥିପାଇଁ ଅଧିକ ଚିନ୍ତା କରିବାକୁ ପଡିବ । ସମଧ୍ୱନିର ଆହ୍ୱାନ ଆସନ୍ତୁ ଏହି ଧାରାଟିକୁ କେମିତି ଆମେ ଆଗକୁ ନେବା ଓ ଓଡ଼ିଶାରେ ସଙ୍ଗୀତର ପରମ୍ପରାକୁ ବଞ୍ଚାଇ ରଖିବାରେ ପରସ୍ପରକୁ ସହଯୋଗର ହାତ ବଢ଼େଇବା , ସେ ବିଷୟରେ ଚିନ୍ତା କରିବା ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.