Home / ଲୋକମଞ୍ଚ / ବୁଦ୍ଧ ଓ ଭୀମ ଭୋଇ

ବୁଦ୍ଧ ଓ ଭୀମ ଭୋଇ

Share Samadhwani

ଭୀମ ଭୋଇ ଓ ବୁଦ୍ଧଦେବଙ୍କ ଧରାବତରଣ ଦିବସ କ୍ରମେ ହେବ ବିସ୍ମରଣମୁଖୀ । ବୈଶାଖ ପୂର୍ଣ୍ଣିମାରେ କେବଳ ସ୍ମରି ଦେଲେ କେତେ ବଡ଼ କଥା !!
ଭୀମ ଭୋଇଙ୍କ ମାନବବାଦୀ ତଥା ମାନବତାବାଦୀ ଚିନ୍ତାଧାରାର ଦୃଢୋକ୍ତି ଜାତିସଂଘର ସାଧାରଣ ପରିଷଦ ପ୍ରକୋଷ୍ଠ ପର୍ଯ୍ୟନ୍ତ ଯାଇସାରିଥିଲେ ହେଁ ସେ ନା ଥିଲେ ବୁଦ୍ଧ ପରି ରାଜପୁତ୍ର ବା ସଂଭ୍ରାନ୍ତ । ଏପରିକି ନ ଥିଲେ ଧର୍ମ ପ୍ରବର୍ତ୍ତକ । ଥିଲେ ମହିମା ଗୋସେଇଁ ପ୍ରବର୍ତ୍ତିତ ମହିମା ଧର୍ମର ନୀତିନିଷ୍ଠ ପ୍ରଚାରକ , ବିପ୍ଳବୀ ସଂସ୍କାରକ ,ଆଧ୍ୟାତ୍ମ ଚେତନାର ପ୍ରଚଂଡ ପ୍ରତିଭାଧର କବି , ଶୂନ୍ୟବାଦୀ ଦର୍ଶନମ୍ମନ୍ୟ ସଂଥ । ଓଡ଼ିଶାର ତ୍ରିସୀମାରେ ଆବଦ୍ଧ ଥିଲା କାର୍ଯ୍ୟକ୍ରମ — ଜାତିଭେଦ , ସାମାଜିକ କୁସଂସ୍କାର , ଆର୍ଥିକ ଦୁରବସ୍ଥାର ନିର୍ମୂଳନ । ନିମ୍ନ ବର୍ଗରୁ ଆସି ଉଚ୍ଚାଂଗ ଚିଂତାଧାରାର ଉଦ୍ଘୋଷକ । ସଂପ୍ରତି ଆମ ଓଡ଼ିଶାର ଦର୍ଶନ ଅଧ୍ୟାପକମାନେ ମହିମା ଦର୍ଶନକୁ ସ୍ନାତକୋତ୍ତର ଶିକ୍ଷାରେ ଅଂଗୀଭୂତ କରି ଇଂରାଜୀରେ ଅନେକାନେକ ପ୍ରବଂଧ ପ୍ରକାଶ କଲାପରେ ଏହା ସଂପ୍ରସାରିତ ଦିଗବଳୟ ଛୁଉଁଛି , ଆଦୃତି ଲଭୁଛି ।।
ପକ୍ଷାଂତରେ , ବଉଦ୍ଧ ଦର୍ଶନ ଯେମିତି ପ୍ରାଚୀନ , ସେମିତି ବ୍ୟାପକ ଓ ପ୍ରଶସ୍ତ । ଏକଦା ଭାରତର ଅନେକ ପ୍ରାଂତରେ ରାଜଧର୍ମ/ରାଷ୍ଟ୍ରଧର୍ମର ମାନ୍ୟତାପ୍ରାପ୍ତ ହୋଇ ହିଂଦୁଧର୍ମର ପ୍ରତିସ୍ପର୍ଦ୍ଧୀ ହୋଇପାରିଥିଲା ।
ପ୍ରତ୍ୟେକ ନୂଆ ଦର୍ଶନ ପ୍ରଚଳିତ/ସମକାଳୀନ/ ପୂର୍ବ ଦର୍ଶନର ତୃଟୀ , ଭ୍ରାଂତି ଓ ଅଂଧ ଦିଗକୁ ଧୂଳିସାତ୍ କରି ତା’ କବର ଉପରେ ନିଜସ୍ବ ପ୍ରାସାଦ ଛିଡ଼ା କରାଏ । ଏଣୁ ସମସ୍ତଂକର ନିଶ୍ଚୟ ଥାଏ ଦୁଇଟି ଦିଗ : ନକାରାତ୍ମକ ବା ଧ୍ବଂସାଭିମୁଖୀ (demolition of the earlier or running theories) ଓ ସକାରାତ୍ମକ ବା ସଂରଚନାମୂଳକ ( theory they propose or propagate ).
ପ୍ରାଚୀନ ବୈଦିକ ସନାତନ ଧର୍ମ ଉପନିଷଦ , ସଂହିତା ବାଟଦେଇ ଆସିଲା ବେଳେ କିଛି ଅନିଚ୍ଛାକୃତ ବର୍ଜ୍ୟ ବି ଆହରଣ କରି ସାରିଥାଏ । ବୁଦ୍ଧଂକୁ ଏହା ଗ୍ରହଣୀୟ ନ ଥିଲା । ତାଙ୍କ ନକାରାତ୍ମକ / ଧ୍ବଂସାତ୍ମକ (destructive part) ବା ପୂର୍ବପକ୍ଷ ଆରଂଭ ହେଲା ସେହି ଅଗ୍ରହଣିୟ ବର୍ଜ୍ୟ ନିଷ୍କାସନ ; —- ଜୟଦେବଙ୍କ ଭାଷାରେ :
“ନିଂଦସି ଯଜ୍ଞବିଧେରାଶ୍ରୁତିଜ୍ଞାନଂ / ସଦୟ ହୃଦୟ ଦର୍ଶିତ ପଶୁଘାତଂ”
ଅନାବଶ୍ୟକ ପୁରୋହିତ ପୋଷକ ଜଟିଳ ପୂଜାବିଧି , ଅଂଧଭାବରେ ବେଦର ବଶ୍ୟତା ସ୍ବୀକାର ଓ ହୃଦୟହୀନ ପଶୁବଳି ବିରୁଦ୍ଧରେ ସ୍ବର ଉତ୍ତୋଳନ କଲେ । ସମୟକ୍ରମେ ତାହା ଭିନ୍ନ ଧର୍ମ ବି ହେଲା ; ଯଦିଓ ଜୟଦେବ ତାଂକୁ ହିଂଦୁ ଆରାଧ୍ୟ ନବମ ଅବତାର କରି ଥୋଇଦେଲେ ଓ ରାଧାକୃଷ୍ଣନ୍ କହିଲେ ,”Buddhism is an offshoot of Hinduism. Buddha was born Hindu , lived Hindu and died Hindu ” ବସ୍ତୁତଃ , ଏମାନଂକ ଭିତରେ ପାର୍ଥକ୍ୟର ବିଂଦୁଗୁଡିକର ଆଧିକ୍ୟ ବି ଅଛି , ଗୁରୁତ୍ବ ବି ।
ବୁଦ୍ଧ ଦର୍ଶନ ନାସ୍ତିକ , ନିରୀଶ୍ବରବାଦୀ , ଅନାତ୍ମ୍ୟବାଦୀ । ଏପରିକି ସେ କୌଣସି ପ୍ରକାରର ଆଧ୍ୟାତ୍ମମୁଖୀ ଆଲୋଚନା ( metaphysical discussions)କୁ ବି ପ୍ରଶ୍ରୟ ଦିଏ ନାହିଁ । ବି ବ୍ରାହ୍ମଣ କରାୟତ୍ତ ସଂସ୍କୃତ ଭାଷାର ଆଧିପତ୍ୟ ବିରୋଧୀ । ଏହାସବୁ ହିନ୍ଦୁ ଧର୍ମର ଠିକ୍ ବିପରୀତ । ହୁଏତ ସେହି କାରଣରୁ ହିଁ ଅନେକ ରାଜକୀୟ ପୃଷ୍ଠପୋଷକତା ସତ୍ତ୍ବେ ଏହା ଭାରତରେ ତିଷ୍ଠି ପାରିଲା ନାହିଁ । ସତ୍ୟ ଯେ ,ତତ୍କାଳୀନ ହିନ୍ଦୁ ସମାଜ ଏତେ କୋପର୍ନିକେନ୍ ପରିବର୍ତ୍ତନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲା ।।
କିନ୍ତୁ ଶୀଳ-ସମାଧି-ପ୍ରଜ୍ଞା , ଚତ୍ବାରି ଆର୍ଯ୍ୟ ସତ୍ୟାନି (four noble truths) ,ଅଷ୍ଟାଂଗ ମାର୍ଗ , ଧର୍ମଚକ୍ର / ପ୍ରତିତ୍ୟସମୁତ୍ପାଦ ଚକ୍ର(the wheel of dependent origination) , ଅନିତ୍ୟ ବାଦ (the theory of impermanence) ପ୍ରଭୃତି ପାଇଁ ଏହା ସତତ ସମ୍ମାନିତ । କେବଳ ସମ୍ମାନିତ ନୁହେଁ , ଯଥେଷ୍ଟ ଆଦୃତ ।।
ଆମ୍ବେଦକର ହିନ୍ଦୁ ଧର୍ମ ତ୍ୟାଗକରି ବଉଦ୍ଧ ହେଲେ । ବାର୍ଟାଂଡ ରସେଲ୍ ପରି ସଂଶୟବାଦୀ (agnostic) କହିଲେ ,”On the gun point if I am forced to adopt a religion I would opt Buddhism ” .
ଅନେକ ଦୃଷ୍ଟିରୁ ଭାରତରେ ବୁଦ୍ଧଂକ ଧାଡିରେ ଅଛଂତି ଶଂକର , ଭୀମ ଭୋଇ , ବିବେକାନନ୍ଦ । ଓ ପାଶ୍ଚାତ୍ୟରେ ହେରାକ୍ଳିଟସ୍ ଠୁଁ ଆଧୁନିକ ଯୁଗର ଓ୍ବିଟଗେନଷ୍ଟାଇନ୍ , ଜାଁ ପଲ୍ ସାର୍ତ୍ତ ପର୍ଯ୍ୟନ୍ତ ଦୀର୍ଘ ପ୍ରସେସନ୍ !!
ଦେବୀ ପ୍ରସାଦ ଚଟ୍ଟୋପାଧ୍ୟାୟ ବଡ଼ ପ୍ରାଂଜଳ ଭାବରେ ବୁଦ୍ଧଂକୁ ଜଣେ ସାମ୍ୟବାଦୀ (communist) ବୋଲି ସାବ୍ୟସ୍ତ କରିଛନ୍ତି । ବୁଦ୍ଧଂକର ସଂଘ ହିଁ commune !!
ଅନେକ ଗବେଷକ ବୁଦ୍ଧ ଦର୍ଶନରେ ସ୍ଥିତିବାଦର ଅଂତରଂଗ ସଂପର୍କ ଦେଖି ପାରିଛନ୍ତି । ସ୍ଥିତିବାଦୀଂକ freedom ଓ ବୁଦ୍ଧଂକ ନିର୍ବାଣ ସମାନ କଥା ବୋଲି ମତ ପ୍ରକାଶ ପାଏ । Existantial psychology speaks of Ontological Anxiety which very much resembles with the “suffering” of Buddhism . ଏବଂ ନିତସେ (Neitchze ) ପରି ସ୍ଥିତିବାଦୀ ଯିଏ ବୁଦ୍ଧ ଦର୍ଶନକୁ ଗଭୀର ସମାଲୋଚନା କରିଛନ୍ତି ସେ ନିଜକୁ ଘୋଷଣା କରିଛନ୍ତି ,”Buddha of Europe ” .
ଆଧୁନିକ ଯୁଗର linguistic analysisର ଏଂତୁଡିଶାଳ ମିଳୁଛି ବୁଦ୍ଧ ଦର୍ଶନରେ । H. Hudsonଙ୍କ ମତରେ “……. striking resemblance between the enlightenment attributed to the Buddha and the state of complete clarity sought by Wittgenstein ” .
ବୁଦ୍ଧ ଅନେକ ସମୟରେ ନୀରବତା ଅବଲଂବନ କରିଛନ୍ତି । ଯେଉଁଠି ଉତ୍ତର ଦେଲା ମାତ୍ରକେ ଅସୁବିଧା , ଆସ୍ତିବାଚକ ହେଉ ବା ନାସ୍ତିବାଚକ ସେଇଠି ବୁଦ୍ଧ ନୀରବ ରହିବା ଶ୍ରେୟ ମଣଂତି । ଓ୍ବିଟଗେନଷ୍ଟାଇନ୍ ବି କହଂତି , “Where of one can not speak , there of he must be silent ” । ନୀରବତା ନେଇ ଉଭୟେ ପ୍ରାୟ ପରସ୍ପରର ନିକଟବର୍ତ୍ତୀ । ( ୧୯୮୪ରେ “ଗୋଧୂଳୀଲଗ୍ନ” ରେ “ନୀରବତା ର ପରିଭାଷା ” ଶୀର୍ଷକରେ ମୋର ଏକ ଦୀର୍ଘ ପ୍ରବଂଧ ପ୍ରକାଶିତ) ।
“ଶୂନ୍ୟତା” ବୁଦ୍ଧ , ଶଂକର ଓ ଭୀମ ଭୋଇଙ୍କ ‘ଏକ୍ ସାହାଜି ଖେଳପଡିଆ (common playground) । ଶଂକର ଦର୍ଶନରେ ବୁଦ୍ଧ ଦର୍ଶନର ପ୍ରଭାବ ଏମିତି ଯେ ତାଙ୍କୁ କୁହାଯାଏ ‘ପ୍ରଚ୍ଛନ୍ନ ବୁଦ୍ଧ (crypto Buddhist)’ ।
ଭୀମ ଭୋଇ କେବଳ ଶୂନ୍ୟବାଦ ଦୃଷ୍ଟିରୁ ନୁହେଁ , ସାମାଜିକ ସଂସ୍କାର ଦୃଷ୍ଟିରୁ ବି ବୁଦ୍ଧଂକ ଖୁବ୍ ନିକଟତର । ବୁଦ୍ଧ ପରି ଭୀମ ଭୋଇ ଥିଲେ ଅହିଂସାର ପୃଷ୍ଠପୋଷକ । “ଅହିଂସ ହୁଅ ସର୍ବଜନ/ ହିଂସାରେ ନାହିଁ ଭଗବାନ” ଥିଲା ଭୀମ ବାଣୀ ।
ତିନିଜଣ ଯାକ ଥିଲେ ପରିବ୍ରାଜକ ପ୍ରଚାରକ । ଶଂକର ସଂସ୍କୃତର ଆଶ୍ରୟ ନେଇଥିବା ବେଳେ ଅନ୍ୟ ଦୁହେଁ ଆଂଚଳିକ/ ସ୍ଥାନୀୟ ଭାଷାର । ବୁଦ୍ଧ କିଛି ବି ଲେଖି ଯାଇ ନାହାନ୍ତି , କିନ୍ତୁ ଶଂକର ଓ ଭୀମ ଭୋଇଙ୍କ ଅଛି ରାଶି ରାଶି ସାହିତ୍ୟ ।।
ବିବେକାନନ୍ଦ ଥିଲେ ବୁଦ୍ଧଂକର ଅକୁଂଠ ପ୍ରଶଂସକ । ଚିକାଗୋ ଧର୍ମ ମହାସଭାରେ ୨୬ ସେପ୍ଟେମ୍ବର , ୧୮୯୩ ଦିନ ତାଙ୍କ ବକ୍ତବ୍ୟ ବିଷୟ ଥିଲା ,” Buddhism: the Fulfillment of Hinduism” . ବୁଦ୍ଧଂକ “କରୁଣା” ବିବେକାନନ୍ଦଙ୍କ ଥିଲା ପ୍ରିୟ ପ୍ରତ୍ୟୟ ।
ଏବେ ବି ବୁଦ୍ଧଂକ ଶୀଳ- ସମାଧି- ପ୍ରଜ୍ଞା , କରୁଣା – ସଂଯମ ଆମ ପାଇଁ ଅନୁସରଣୀୟ । ଓ ଭୀମ ଭୋଇଙ୍କ ମାନବତାବାଦ !!
courtesy – From the Facebook timeline of Sadarshan Pujari
https://www.facebook.com/profile.php?id=100008633719042
photo credit- https://bit.ly/3LVSd15

Share Samadhwani
Support Samadhwani

About ଲୋକମଞ୍ଚ Lokamancha

Check Also

ଗଁଡାବଜା ମହୋତ୍ସବ (ପାଟଣାଗଡ଼)

Share Samadhwaniଭାରତୀୟ ସଂସ୍କୃତି ରେ ଓଡ଼ିଶାର ଲୋକକଳା ସର୍ବ ପୁରାତନ ଅଟେ। ଓଡ଼ିଶାରେ ବିଭିନ୍ନ ପ୍ରକାରର ଲୋକକଳା ରହିଛି, ହେଲେ …