ନବୀନ ବରଷାରେ ତୁମରି ଅନୁଭବ ମଧୁର,
ମଧୁର ପୁଣି ସ୍ୱର ସୋହାଗୀ ଏ ଚାତକ ବଧୂର ।
ମଧୁର ମନ ମତେ,
ଏ ବାତାୟନ-ପଥେ-
ଚାହିଁବା ଦୂରପଥ ବିଧୁର,
ତୁମରି ଅନୁଭବ ମଧୁର ।
ବରଷା ଝର ଝର ଘନ ତିମିର ନଭୁଁ ଝରଇ,
କେତେ ବାସନା ଜାଗି ତରୁଣ ମରମରେ ମରଇ ।
ସମୀର ଅବିରଳ,
ଖସଇ ଖଳ ଖଳ,
ନବୀନ ପ୍ରୀତିସମ ଥରଇ,
ବାସନା ମରମରେ ମରଇ ।
ପୀରତି-ବେନି-ପ୍ରାଣ ବରଷା କାଳେ ଏକ କରି ଗୋ,
କୁଟୀରେ ବସି ବସି ବେନି ନୟନେ ନୀର ଭରି ଗୋ,
ବରଷା ଅନୁଭବ,
କବିତା ନବ ନବ,
ବିରଚି ଗଲେ ସହଚରି ଗୋ,
ଭାଳେ ସାଜନ୍ତି ଯତ୍ନ କରି ଗୋ ।
ସେନେହ-ସିକ୍ତ ନେତ୍ରେ ଦେଖନ୍ତୁ ଚପଳାର ଚଳଣି,
ଅନ୍ଧାର ମେଘ କୋଳେ ଯୁଗଳ ପ୍ରାଣ ଏକ ସଜନି,
ଭୁଲି ସଂସାର ମାୟା,
ବେଦନା ଦୁଃଖ ଛାୟା,
ତରୁଣ-ପୀରତିର-ବରଣ-ସୁଖ-ଭୋଗ, ସଜନୀ ।
ବରଇ ସମୀରଣେ ଯେସନ ସ୍ୱପ୍ନାବେଶେ ରଜନୀ ।