ଯୁଦ୍ଧ ଫେରନ୍ତା

ଜ୍ୟୋତି ନନ୍ଦ 153 Views
1 Min Read
ଆଜିର ଖବର
ପୁଅର ଛିନଭିନ ଦେହକୁ
ଧ୍ୱଂସସ୍ତୂପ ଭିତରୁ ସଂଗ୍ରହ କରାଯାଇଛି
ତାହାକୁ ଖୁବ୍ ଶିଘ୍ର ଏଠିକୁ ଅଣାଯିବ।
ଖାଦ୍ୟ ପାଇଁ ଧାଡିରେ ଥିବା ବେଳେ
ଗୋଳାମାଡ ହେଲା
ସେତିକିରେ ସବୁ ଶେଷ
ତାହାପରେ ପୁଅ ଆଉ କେବେ ଖାଇବାର
ନାଆଁ ଧରିବ ନାହିଁ ।
କେହି କେହି କହୁଛନ୍ତି
ସେ ସେଠିକୁ ଯାଇଥିଲା କାହିଁକି
ବିପଦର ଝୁଙ୍କ୍ ଅବିମୃଶ୍ୟକାରିତା
ଏଥିରେ କ’ଣ କରିବାର ଅଛି ଆମର
ଆମେ ତ ଦେଖ କୁଆଡେ ଯାଉନାହୁଁ
ଏଇଠି ସଞ୍ଜରେ ଯାହା ଟିକିଏ ଲାଠିଖେଳ ଶିଖୁଛୁ
ସେଇଥିପାଇଁ ଆମେ ସୁରକ୍ଷିତ,
ଚାରିଆଡେ ଭାରି ଚର୍ଚ୍ଚା ହୁଏ
ଯେଉଁଠି ଯୁଦ୍ଧ ବା ଯୁଦ୍ଧର ସଂଭାବନା ଅଛି
ସେଠିକୁ ତମେ ଯାଅନା ଜମା ।
ପାଞ୍ଚଜନ୍ୟ ସହ ଗୁଳିଗୁଳା ର ଶବ୍ଦ
କେଉଁଠୁ ଶୁଭିଲେ
ଯେତେ ଯୁଦ୍ଧରତ ଯେଉଁଠି ଥାଆନ୍ତି
ଅତି ସନ୍ତର୍ପଣରେ
ନିଜ ଦେହରୁ ଓହ୍ଲାଇ ଦିଅନ୍ତି ସାଞ୍ଜୁ ଆଉ ଶିରସ୍ତ୍ରାଣ
ଆଉ ତାହାକୁ ନିଜ ନିଜର ଅଲଗୁଣୀରେ ଟାଙ୍ଗି
ବାହାରି ଆସନ୍ତି ଗମ୍ଭୀରୀରୁ ଛକକୁ ଖଟିକୁ
ଆଉ ହରଦମ୍
ଶାନ୍ତି ର କଥା ଉଦ୍ଧୃତି ଦେବା ଭଳି କହୁଥାନ୍ତି
ଏଣେ ମାଟି ଭାଣ୍ଡରେ ଚା’ ଥଣ୍ଡା
ହୋସ୍ ନଥାଏ ।
ଯୁଦ୍ଧକୁ ଯିବାକୁ ହେଲେ
ଠିକ୍ ଶାନ୍ତି ପ୍ରତିଷ୍ଠା ଭଳି
ବାହୁରେ ବଳ ଆଉ ଛାତିରେ ସାହସ ଦରକାର
ନହେଲେ ସେଇ ମାଆଟି ଭଳି
ନିଜର ଲୁହକୁ ପୋଛି
ସବୁଦିନ
ଖାଇବା ଥାଳିକୁ ସଜାଇ ରଖିବାକୁ ହେବ ତମକୁ
ଶରୀରରେ ନଥାଉ ପଛକେ
ଏଇତ ଫେରୁଛି ପୁଅ ଯୁଦ୍ଧ କ୍ଷେତ୍ରରୁ।
Share This Article
Exit mobile version