ବାହାବଙ୍ଗା

ଲକ୍ଷ୍ମୀଧର ମୁର୍ମୁ
ଲକ୍ଷ୍ମୀଧର ମୁର୍ମୁ 856 Views
1 Min Read

ପ୍ରାକୃତିକ ଶୋଭାରାଜିରେ ଭରପୂର ଏକ ଆଦିବାସୀ ବହୁଳ ଅଞ୍ଚଳ । ବିଭିନ୍ନ ଫଳଫୁଲ ଭରା ଗଛପତ୍ରକୁ ନେଇ ଆଦିବାସୀର ଜୀବନଜୀବିକା । ଶାଳଗଛ ମୂଳରେ ମାରାଂବୁରୁ ନାଁରେ ପ୍ରକୃତି ଦେଇଥିବା ଫୁଲଫଳକୁ ପ୍ରଥମେ ନୈବେଦ୍ୟ ରୂପେ ଅର୍ପଣକରେ ଓ ତାପରେ ତାକୁ ଗ୍ରହଣ କରେ । ଫଗୁଣ ମାସରେ ବିଭିନ୍ନ ଗଛରେ ଫୁଲଫଳ ଆସିଥାଏ । ମହୁଲ ଫୁଲର ବାସ୍ନାରେ ଅଳସ ଭାଙ୍ଗେ ସକାଳ । ମନରେ ସୃଷ୍ଟି କରାଏ ନୂତନ ଉଦ୍ଦିପନା । ଆରମ୍ଭ ହୁଏ ବାହାବଙ୍ଗା (ବାହା ପରବ)ପାଇଁ ପ୍ରସ୍ତୁତି ପର୍ବ । ମାଘ ମାସର ଚନ୍ଦ୍ରଦର୍ଶନ ତିଥିରୁ କେହି ଜଙ୍ଗଲକୁ ଯିବେନାହିଁ, ଫୁଲଫଳ ଗ୍ରହଣ କରିବେନାହିଁ । କହିବାକୁ ଗଲେ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର ନିଷିଦ୍ଧ ଥାଏ ।

 

ଫଗୁଣମାସ ଚନ୍ଦ୍ରଦର୍ଶନର ୫ମ ଦିନରେ ପୂଜାହେବ । ଜାହେରଗାଳ (ପୂଜାସ୍ଥଳୀ)ରେ ସାଜସଜା ହେବ । ମାଝିହାଳାମ (ଦେହୁରୀ) ଗାଁରୁ ବାହାରି ଜାହେରଗାଳକୁ ଯିବେ। ପୁଜା ପାଇବେ ମାରାଂବୁରୁ, ଜାହେର ଆୟ, ଲିଟା ଗସାଁୟ, ମଣେକ ତୁରୁୟକ (ଦେବାଦେବୀଙ୍କ ନାମ) । ହାଣ୍ଡିଆ ଫୁଜା ହେବ । ଗ୍ରାମବାସୀ ମୁଣ୍ଡିଆ ମାରି ଆଶିର୍ବାଦ ଭିକ୍ଷା କରିବେ । ପୁଳାପୁଳା ଶାଳଫୁଲ ଲୋକଙ୍କୁ ଦେବେ ଦେହୁରି । ମହିଳାମାନେ ତାକୁ ଖୋସାରେ ଖୋସି ଦିଅନ୍ତି ଓ ପୁରୁଷମାନେ କାନରେ । ମାଦଳ ଶବ୍ଦରେ ଆବାଳବୃଦ୍ଧବନିତା ତାଳରେ ତାଳ ମିଶା ହାତରେ ହାତ ଛନ୍ଦି ନାଚିବେ । ତାହାହିଁ ହେବ ମାରାଂବୁରୁ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞଳି ।

Share This Article