“ଭୂ ପାଲିନି- ଭୂପାଲି”

Swayamprava Parhi (Chief Editor)
1.2K Views
6 Min Read

‘ଭୂପାଲି’ ରାଗକୁ ବର୍ଣ୍ଣନା କରିବାକୁ ଯାଇ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଅନ୍ୟତମ ଗୁରୁ ‘ଶ୍ରୀ ଧନେଶ୍ୱର ଦାସ’ କହିଥିଲେ ‘ଭୂ’ ଅର୍ଥାତ୍ ‘ଭୂମି’। ‘ଭୂ ପାଲିନି’ ଅର୍ଥାତ୍ ‘ଭୂମିକୁ ଯିଏ ପାଳନ କରନ୍ତି’। ଏହି ରାଗର ଲକ୍ଷ୍ୟ ହେଲା ଭୂମିର ସୃଷ୍ଟି ସମ୍ପର୍କରେ ଜାଣିବା ଏବଂ ଏହାର ରହସ୍ୟକୁ ଅନୁଭବ କରିବା ଓ କରାଇବା। ଭାରତୀୟ ସଙ୍ଗୀତ ଶାସ୍ତ୍ରର ଏହି ମହତ୍ତ୍ୱପୂର୍ଣ୍ଣ ଶିକ୍ଷାକୁ ମଣିଷର ମୂଲ୍ୟବୋଧ ଏବଂ ଚେତନାର ଏକ ଉଚ୍ଚତମ ସୋପାନ ବୋଲି ଗ୍ରହଣ କରାଯାଇପାରେ।

Support Samadhwani

ବୈଜ୍ଞାନିକ ମତ ଅନୁସାରେ ମଣିଷ ସୃଷ୍ଟିହେବାର ବହୁ ପୂର୍ବରୁ ପ୍ରକୃତି ଏବଂ ଅନ୍ୟାନ୍ୟ ଜୀବସତ୍ତାର ଉତ୍ପତ୍ତି ହୋଇଛି । ପ୍ରକୃତିର ଏହି ବିବର୍ତ୍ତନପ୍ରକ୍ରିୟା ଭିତରେ ହିଁ ମଣିଷର ସୃଷ୍ଟି । ମଣିଷ କିନ୍ତୁ ଅନ୍ୟାନ୍ୟ ଜୀବସତ୍ତାଠାରୁ ଉନ୍ନତ ଏବଂ ପ୍ରକୃତିର ଏକ ଅନନ୍ୟ ଅବଦାନ । କାରଣ ମଣିଷର ବୁଦ୍ଧି, ବିବେକ, ମନ ଏବଂ ହୃଦୟ ରହିଛି । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଲା ସୃଷ୍ଟିର ଗୁଢ଼ ରହସ୍ୟକୁ ଉନ୍ମୋଚନ କରିବାବେଳେ ଧ୍ୱନିର ଭୂମିକାକୁ ସେ ଅନୁଭବ କରିଛି । ଏହି ଧ୍ୱନିକୁ ସାଧନା କରିବାପାଇଁ ସଙ୍ଗୀତକୁ ପ୍ରକୃତିକୋଳରୁ ସାଉଁଟି ଆଣିଛି। ପ୍ରକୃତିର ଭିନ୍ନ ଭିନ୍ନ ସ୍ୱରକୁ ସେ ବାରମ୍ବାର ଅନୁଧ୍ୟାନ କରିଛି, ମନନ କରିଛି । ଗ୍ରୀଷ୍ମଋତୁରେ ଉତପ୍ତ ମାଟି ମା’ ଏବଂ ବୃକ୍ଷରାଜୀର କରୁଣ ଆର୍ତ୍ତନାଦ, ମାୟା ମରିଚିକାର କରୁଣ ହାହାକାର, ବର୍ଷାଋତୁରେ ଆକାଶରେ ବାଦଲ, ଘଡ଼ ଘଡ଼ି, ବର୍ଷା, ଝରଣାର କୁଳୁ କୁଳୁ ଶବ୍ଦ, ପକ୍ଷୀର ମଧୁର କାକଳୀ, ପବନର ସାଇଁ ସାଇଁ ସ୍ୱର, ନଦନଦୀର ଗୁରୁଗମ୍ଭୀର ଗର୍ଜନ, ଝିଙ୍କାରିର ଝିଂ ଝିଂ ସ୍ୱର, ଶରତଋତୁର ନିର୍ମଳ ଚନ୍ଦ୍ର ଶୋଭିତ ଆକାଶ ଓ ସେଫାଳି ଫୁଲରେ ଭରା ଧରଣୀର ଶୋଭା, ହେମନ୍ତଋତୁରେ ହେମାବୃତ୍ତ ପ୍ରକୃତିର ହେମନ୍ତ ଶ୍ୟାମଳିମା, ଶୀତଋତୁରେ ଶିଶିର ସିକ୍ତ ଜୋତ୍ସ୍ନାର ଅନୁପମ ଅନୁଭବ, ବସନ୍ତଋତୁରେ ହଳଦିଆ ରଙ୍ଗର ଫୁଲ ଓ ସବୁଜିମାରେ ଭରା ଧରିତ୍ରୀର ଅବର୍ଣ୍ଣନୀୟ ଶୋଭା ସାଙ୍ଗକୁ, ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା, ସାତରଙ୍ଗରେ ଭରା ଇନ୍ଦ୍ରଧନୁର ଅନୁପମ ଶୋଭା, ବାଉଁଶ ଜଙ୍ଗଲରୁ ବହିଆସୁଥିବା ମଧୁମନ୍ଦର ସ୍ୱର…ଓ ବିଭିନ୍ନ ପଶୁ-ପକ୍ଷୀଙ୍କର ସ୍ୱର ଆଦିମ ମଣିଷର ମନରେ ସଙ୍ଗୀତର ପ୍ରଥମ ପରିଭାଷା ସୃଷ୍ଟି କରିଥିଲା । ସେବେଠାରୁ ପ୍ରକୃତିକୁ ବୁଝିବା, ଜାଣିବା ଏବଂ ପ୍ରକୃତି ସହିତ, ମାଟି ସହିତ ଏକ ଭାବଗତ ସମ୍ପର୍କ ମଣିଷ ଗଢ଼ିଆସିଛି । ପ୍ରକୃତିର ଭିନ୍ନ ଭିନ୍ନ ସ୍ୱର ସମୂହକୁ ଅନ୍ତର ଭିତରେ ବାରମ୍ବାର ଗୁଞ୍ଜରଣ କରି ସେ ସୃଷ୍ଟି କରିଛି ଅନେକ ମନ୍ତ୍ରମୟୀ ସଙ୍ଗୀତ । ଏହିସବୁ ସଙ୍ଗୀତ ଭିତରେ ପ୍ରକୃତି, ମାଟି, ମଣିଷ ଏବଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଯୋଡ଼ି ହୋଇଛନ୍ତି ଏକ ଅଦୃଶ୍ୟ ସ୍ୱର, ଲୟ, ଭାବର ଆକର୍ଷଣ ମଧ୍ୟରେ । ଏଠି କେହି କାହାବିନା ବଞ୍ଚିରହିବା ଅସମ୍ଭବ ।

କୋଟି କୋଟି ବର୍ଷ ତଳୁ ସୃଷ୍ଟି ହୋଇଥିବା ଏହି ଧରଣୀ ବା ଭୂମି ସମସ୍ତ ଜୀବଜଗତର ଉତ୍ପତ୍ତିସ୍ଥଳ ଏବଂ ସମଗ୍ର ଜୀବସତ୍ତାର ଏକମାତ୍ର ସାଧ୍ୟ ଓ ସାଧନ । ବିଶ୍ୱର ଏହି ଅସାଧ୍ୟ ସୃଷ୍ଟିତତ୍ତ୍ୱକୁ ଜାଣିବାପାଇଁ ଲଗାତାର ପ୍ରୟାସ କରିଥିଲେ କେତେକେତେ ମହାନ ସ୍ୱର ସାଧକ । ‘ଭୂପାଲି’ ରାଗ ଏହି ପ୍ରୟାସର ଏକ ଉଦାହରଣ । ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାରେ ଯେଉଁ ‘ଭୂପାଲି’ ରାଗକୁ ସର୍ବପ୍ରଥମ ପ୍ରଧାନ୍ୟତା ଦିଆଯାଇଥାଏ (କେହି କେହି ବିଦ୍ୱାନ ବିଲାବଲ୍ ଠାଟ୍‌କୁ ପ୍ରାଥମିକତା ଦେଇଥାଆନ୍ତି) ।

‘ଭୂମି’କୁ ଛାଡ଼ି ବା ‘ମାଟି’କୁ ଛାଡ଼ି ସଙ୍ଗୀତର ପରିକଳ୍ପନା କରାଯାଇପାରେନା । ସେଥିପାଇଁ ହୁଏତ ‘ଭୂପାଲି’ ରାଗ ମାଧ୍ୟମରେ ସୃଷ୍ଟିତତ୍ତ୍ୱ ଜାଣିବାର ଅନିବାର୍ଯ୍ୟ ଆବଶ୍ୟକତାକୁ ଶାସ୍ତ୍ରୀୟକାରମାନେ ସେତେବେଳେ ଅନୁଭବ କରିଥିଲେ ଏବଂ ହୁଏତ ସେଥିପାଇଁ ଏହି ରାଗକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ସ୍ଥାନ ଦେଇଥିଲେ । ଗମ୍ଭୀର ପ୍ରକୃତି ବହନ କରୁଥିବା ଏହି ରାଗରେ ସଙ୍ଗୀତକାରମାନେ ଖୋଜଛନ୍ତି ଭୂମିର ଉତ୍ପତ୍ତିର ରହସ୍ୟ ।

Support Samadhwani

‘ଭୂପାଲି’ ରାଗ ଏକ ଗମ୍ଭୀର ପ୍ରକୃତିର ରାଗ ଯେଉଁଥିରେ କେବଳ ୫ଟି ଶୁଦ୍ଧ ସ୍ୱର ବ୍ୟବହାର ହୋଇଥାଏ: ଆରୋହ – ସା ରେ ଗା ପା ଧା ସା । ଅବରୋହ- ସା ଧା ପା ଗା ରେ ସା । ଗାୟନ ସମୟ ରାତ୍ରର ପ୍ରଥମ ପ୍ରହର । ଏହି ରାଗ ପରି ସମସ୍ୱରିକ ଆଉ ଏକ ରାଗ ‘ଦେଶକାର’ ଯାହା ଚଞ୍ଚଳ ପ୍ରକୃତିର ଅଟେ । ସେଥିପାଇଁ ଦେଶକାର ଅପେକ୍ଷା ରାଗ ଭୂପାଲିକୁ ସଙ୍ଗୀତ ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ସ୍ଥାନ ଦିଆଯାଇଥାଏ । କଲ୍ୟାଣ ଠାଟ୍‌ରୁ ଉତ୍ପତ୍ତି ହୋଇଥିବା ଏହି ରାଗ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କର ମନରେ ଭ୍ରମଥାଏ ଯେ ସବୁଠାରୁ ସହଜ ରାଗଟି ହେଲା ‘ଭୂପାଲି’ । କିନ୍ତୁ ଏହା ସମ୍ପୁର୍ଣ୍ଣ ଠିକ୍ ନୁହେଁ । ଏହି ରାଗର ଭାବ ଗମ୍ଭୀର ହୋଇଥିବାରୁ ମଣିଷ ଭିତରର ଚଞ୍ଚଳତାକୁ ଦୂରକରିବା କ୍ଷେତ୍ରରେ ଏବଂ ଏକାଗ୍ର ସାଧନାରେ ମନୋନିବେଶ କରିବାରେ ଏହି ରାଗ ସହଯୋଗ କରିଥାଏ । ମହାନ ଗାୟକମାନେ ‘ଭୂପାଲି’ ରାଗ ଗାୟନ କରିବା ସମୟରେ ନିଜକୁ ବାରମ୍ବାର ପ୍ରସ୍ତୁତ କରିଥାନ୍ତି ।

ଭୂମି ଓ ପ୍ରକୃତିର ରହସ୍ୟକୁ ପରିପ୍ରକାଶ କରୁଥିବା ଏହିଭଳି ଅନେକ ରାଗ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଋଦ୍ଧିମନ୍ତ କରିଛନ୍ତି ଯେଉଁଥିରେ ପ୍ରକୃତିର ସ୍ୱରକୁ ଏବଂ ଭାବକୁ ପରିପ୍ରକାଶ କରିବା ଏକ ମୂଳ ଲକ୍ଷ୍ୟ ଭାବରେ ଗ୍ରହଣ କରାଯାଇଛି । ସେମିତି ଅନେକ ଗୁଡ଼ିଏ ରାଗ ମଧ୍ୟରୁ କିଛି ରାଗ ହେଲା ଦେଶ, ମହ୍ଲାର, କଲ୍ୟାଣ, ବସନ୍ତ, ବାହାର, ହିନ୍ଦୋଳ… ଇତ୍ୟାଦି । ମାଟିପ୍ରତି, ବସୁଧା ପ୍ରତି ଏବଂ ପ୍ରକୃତି ପ୍ରତି ‘ପ୍ରେମ ଓ ଶ୍ରଦ୍ଧା’ର ଜାଗରଣ ବିନା ଏଭଳି ରାଗକୁ ସଠିକ୍ ପରିବେଷଣ କରିବା ଅସମ୍ଭବ।

ଇଏତ ଗଲା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର କଥା କିନ୍ତୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଯେଉଁ ପୃଷ୍ଠଭୂମିରୁ ଜନ୍ମନେଇଛି ଭାରତୀୟ ଲୋକପରମ୍ପରା ଏବଂ ଆଦିମ ସଭ୍ୟତାର ସଙ୍ଗୀତ ଏବଂ ସଂସ୍କୃତିରେ ପ୍ରକୃତି ପ୍ରେମ ଏବଂ ମାଟି ମା’ର ପୂଜା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ବହନ କରିଆସିଛି । ଏହିସବୁ ପରମ୍ପରାରେ ପୂଜାପାଠାରୁ ଆରମ୍ଭକରି ନୃତ୍ୟ, ସଙ୍ଗୀତରେ ପ୍ରକୃତିକୁ ହିଁ ବିଶେଷଭାବରେ ବର୍ଣ୍ଣନା କରାଯାଇଛି । ଆମ ଓଡ଼ିଶାରେ ବସବାସ କରୁଥିବା ୬୨ପ୍ରକାର ସର୍ବପୂରାତନ ଜନଜାତିମାନଙ୍କର ହଜାର ହଜାର ବର୍ଷ ଧରି ମାଟି ପୂଜା, ପ୍ରକୃତି ପୂଜା ଏକ ଦୈନନ୍ଦିନ ଜୀବନଶୈଳୀ ଭାବରେ ସ୍ଥାନିତ ହୋଇଛି । ସଙ୍ଗୀତ ଏମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସଙ୍ଗୀତ ମାଧ୍ୟମରେ ଏମାନେ ପ୍ରକାଶ କରିଥାନ୍ତି ପ୍ରକୃତି ଏବଂ ମାଟି ସହିତ ସେମାନଙ୍କର ସମ୍ପର୍କ ଏବଂ ବଞ୍ଚିବାର ଆବଶ୍ୟକତା ।

ଶାସ୍ତ୍ରୀୟ ସଙ୍ଗୀତ ଭଳି ନିର୍ଦ୍ଦିଷ୍ଟ ଶିକ୍ଷା ପ୍ରଣାଳୀରେ ଲିପିବଦ୍ଧ ହୋଇନଥିଲେ ମଧ୍ୟ ଏହି ସଙ୍ଗୀତ ମଧ୍ୟରେ ଅନେକ ସ୍ୱରର ବ୍ୟବହାର ଦେଖିବାକୁ ମିଳେ ଯେଉଁଗୁଡ଼ିକ ଗବେଷଣା ସାପେକ୍ଷ । ବିଶେଷକରି ଏହି ସବୁ ସଙ୍ଗୀତ ହିଁ ଶାସ୍ତ୍ରୀୟ ସଙ୍ଗୀତର ମୂଳ ଆଧାର ବୋଲି କେହି କେହି ମତପୋଷଣ କରନ୍ତି । ଆଧୁନିକ ବାଦ୍ୟଯନ୍ତ୍ରର ଉତ୍ପତ୍ତି ମଧ୍ୟ ଏହି ସବୁ ପୂରାତନ ଜନଜାତିମାନଙ୍କର ଭିନ୍ନ ଭିନ୍ନ ପୂରାତନ ବାଦ୍ୟର(ଉଦାହରଣ-ଭୂମି ଦୁନ୍ଦୁଭି) ବିକାଶ ଫଳରେ ସମ୍ଭବ ହୋଇଛି ବୋଲି ଗବେଷଣାରୁ ଜଣାଯାଏ । ଏହିଭଳି ଏକ ଜନଜାତି ହେଉଛନ୍ତି ଜୁଆଙ୍ଗ ଜନଜାତି ଯେଉଁମାନେ ବିଶ୍ୱର ସର୍ବପୁରାତନ ମାନବଗୋଷ୍ଠୀ ଭାବରେ ନିଜର ପରିଚୟ ଦିଅନ୍ତି । ଯେମିତି ସେମାନଙ୍କ ମତରେ;-

“ବିଲିଆ ସର୍ବଣା ଗାସା ଇନିଂ, ଦୋଳି ଗୀତ ସସଏଜ ଜେନାତ

ବିଲିଆ ସର୍ବଣା ଗୀତ ମେସେଚେ ବୁଲୁସୁ ଗାଇତ ଇନିଂତେ ମିମିତେତେ”

ଯାହାର ଅର୍ଥ ହେଲା: ଏଇ ପୃଥିବୀରେ ଆମେ ପ୍ରଥମ ମଣିଷ, ଆଉ କେହି ନଥିଲେ

ଏ ଜଙ୍ଗଲରେ ଆମେ ପ୍ରଥମେ କଥା କହିଲୁ, ପ୍ରଥମେ ଗୀତ ଗାଇଲୁ । (‘ଓଡ଼ିଶାର ଆଦିବାସୀ ସଙ୍ଗୀତ ପୁସ୍ତକରୁ ଉଦ୍ଧୃତ’)

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ପାରମ୍ପାରିକ ଜନଜାତିମାନଙ୍କର ଗୀତ, ବାଦ୍ୟ ଉଭୟ ଯେମିତି ସୃଷ୍ଟିକୁ ଜାଣିବା, ବୁଝିବା ଏବଂ ଅନୁଭବ କରିବାର ପ୍ରୟାସରେ ଆଗେଇଚାଲନ୍ତି ଏବଂ ଏହାର ଧାରାବାହିକତା ଭଙ୍ଗ ନହୁଏ ତାହା ହିଁ କାମନା । ଯନ୍ତ୍ରର ବିକାଶ ଫଳରେ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ବିଶେଷ ସମ୍ଭାବନାଟି ଆଜି ଦେଖାଦେଇଛି । ମାଟି ବା ବସୁଧା ଆଜି ଆସନ୍ନ ବିପଦର ଆଶଙ୍କାରେ । ଏଭଳି ବିପତ୍ତିର ସୂଚନା ବୈଜ୍ଞାନିକମାନେ କେବେଠାରୁ ଦେଇସାରିଲେଣି । ଏହା ସମଗ୍ର ସଙ୍ଗୀତ ଜଗତପ୍ରତି ଏକ ଆହ୍ୱାନ ।

Photo credit- https://bit.ly/35UHRvQ

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.