ମୀନା ମଲିକ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର କୁରାଢ଼ିଫସା ଗ୍ରାମର ଜଣେ ନର୍ସିଂ ଛାତ୍ରୀ। ୨୦୨୩ ମସିହାରେ ସେ ଗାଁ ଇତିହାସ ଲିପିବଦ୍ଧ କାମରେ ଯୋଗ ଦେଇଥିଲେ । ସେହିଦିନଠାରୁ ସେ ନିଜ ଗାଁର ଇତିହାସ, ସଂସ୍କୃତି ଓ ପ୍ରାକୃତିକ ପରମ୍ପରାକୁ ଲିପିବଦ୍ଧ କରିବାରେ ନିରବଚ୍ଛିନ୍ନ ଭାବେ ଯୋଗଦାନ ଦେଇ ଆସୁଛନ୍ତି। ତଳେ ଦିଆଯାଇଥିବା ବିବରଣୀରେ ସେ ଗାଁ ଇତିହାସ ଲିପିବଦ୍ଧ କାର୍ଯ୍ୟ ସମ୍ପର୍କରେ ତାଙ୍କର ଅନୁଭୂତି ଏବଂ ୮ ଜାନୁଆରୀ ୨୦୨୬ରେ ଖରାମାଳ ଗ୍ରାମରେ ଅନୁଷ୍ଠିତ ‘ଗନ୍ଧମାର୍ଦ୍ଦନ ପରମ୍ପରା ମେଳା’ରେ ତାଙ୍କର ସହଭାଗିତାର ବର୍ଣ୍ଣନା କରିଛନ୍ତି। ଗାଁ ଇତିହାସ ଦଳ ଗନ୍ଧମାର୍ଦ୍ଦନ ପାହାଡ଼ ଆଖପାଖ ଅଞ୍ଚଳର ଯୁବପିଢ଼ିଙ୍କ ସହ ମିଶି ସେମାନଙ୍କ ନିଜ ନିଜ ଗାଁର ଇତିହାସ ଅନୁସନ୍ଧାନ ଓ ଲିପିବଦ୍ଧ କରିବାରେ କାର୍ଯ୍ୟ କରୁଛି । ମୀନାଙ୍କ ବିବରଣୀ ସେହି ପ୍ରୟାସର ଏକ ଅଂଶ ଓ ଏକ ସ୍ମୃତି ସ୍ୱରୂପ, ଏଠାରେ ପ୍ରକାଶ ପାଇଛି। ଏହି ଲେଖାଟି ପ୍ରମାଣ କରେ, ଯୁବପିଢ଼ିଙ୍କୁ ନିଜ ନିଜ ଗାଁ ସମ୍ପର୍କରେ ଗବେଷଣା କରିବା ଓ ଏହାକୁ ନିକଟରୁ ଦେଖିବାପାଇଁ ଯଦି ସୁଯୋଗ ଦିଆଯାଏ ସେମାନେ ଅନେକ ନୂଆ ତଥ୍ୟ ସଂଗ୍ରହ କରିବାର ସାମର୍ଥ୍ୟ ରଖନ୍ତି । ଆମର ଦୃଢ଼ ବିଶ୍ଵାସ ଯେ ଏହି ପାହାଡ଼, ଏହି ଜଙ୍ଗଲ, ଏହି ଜୀବନଶୈଳୀକୁ ଯୁବ ପିଢୀ ନିଶ୍ଚିତ ଭାବେ ବୁଝିବେ ଓ ଏହାକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରିବେ । – ସମ୍ପାଦକ (ସ୍ୱୟଂପ୍ରଭା ପାଢ଼ୀ)

ମୋ ନାଁ ମୀନା ମଲ୍ଲିକ । ମୁଁ ନୂଆପଡ଼ା ସ୍ଥିତ ସୁଶିଳାଦେବୀ ସ୍କୁଲ ଅଫ ନର୍ସିଙ୍ଗରେ ନର୍ସିଙ୍ଗ ଟ୍ରେନିଂ ନେଉଛି । ମୋ ସାନ ଭଉଣୀ ତରୁଣୀ ମଲ୍ଲିକ ଯେତେବେଳେ ମୁନିକେଲ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲା ସେତେବେଳେ ମୁଁ +୨ ଶିକ୍ଷା ଶେଷକରି ଗାଁରେ ଥିଲି । ସେହି ସମୟରେ ଭିଲେଜ ହିଷ୍ଟ୍ରି ଟିମ ତାଙ୍କ ହାଇସ୍କୁଲକୁ ଆସିଥିଲେ । ସେମାନେ ଛାତ୍ରଛାତ୍ରୀମାନଙ୍କୁ ଗାଁ ଇତିହାସ ଲେଖିବା ପାଇଁ ପ୍ରେରିତ କରିଥିଲେ । ସ୍କୁଲ ପିଲାମାନଙ୍କୁ ସେମାନେ ନିଜ ଗାଁ ସମ୍ପର୍କରେ ଗବେଷଣା କରିବା ପାଇଁ କେତୋଟି ପ୍ରଶ୍ନ ଦେଇଥିଲେ । ସେହି ପ୍ରଶ୍ନର ଉତ୍ତର ଲେଖିକି ଆଣିବା ପାଇଁ କୁହାଯାଇଥିଲା । ସେହି ପ୍ରଶ୍ନକୁ ଆଣି ମୋ ଭଉଣୀ ମୋତେ ଦେଖେଇଥିଲା ଏବଂ ଗାଁ ଇତିହାସ ବିଷୟରେ ଲେଖିବା କଥା କହିଥିଲା । ମୁଁ ତାକୁ ସେଦିନ ଗାଁ ଇତିହାସ ଲେଖିବା କାମରେ ସାହାଯ୍ୟ କରିଥିଲି । ପ୍ରଶ୍ନ ଗୁଡ଼ିକର ଉତ୍ତର ଦେଖି ଭିଲେଜ ହିଷ୍ଟ୍ରି ଟିମ ଅତ୍ୟନ୍ତ ଖୁସି ହୋଇଗଲେ । ସେମାନେ ତା’ପରଦିନ ଆମ ଗାଁକୁ ଆସିଲେ ଏବଂ ଆମ ଗାଁରେ ଗୋଟିଏ ମିଟିଂ ମଧ୍ୟ କରିଥିଲେ । ସେମାନେ ଆମ ଗାଁ’ର ବୟସ୍କ ଗ୍ରାମବାସୀମାନଙ୍କୁ ଗାଁ ବିଷୟରେ ଯାହା ଜାନିଛନ୍ତି କହିବାକୁ ଅନୁରୋଧ କରିଥିଲେ। ଆମ ଗାଁ ବିଷୟରେ ଆଲୋଚନା ଶୁଣି ମୋର ମଧ୍ୟ ଆଗ୍ରହ ହେଲା ଆମ ଗାଁ ଇତିହାସ ଲେଖିବା ପାଇଁ । ସେମାନେ ମୋର ଆଗ୍ରହ ଦେଖି ମୋତେ ଗାଁ ଇତିହାସ ଲେଖିବାପାଇଁ ଉତ୍ସାହିତ କଲେ । ମୁଁ ସେହିଦିନଠୁ ହିଁ ଗାଁ ଇତିହାସ ଲେଖିବା ଆରମ୍ଭ କରିଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ଆମ ଗାଁ କୁରାଢିଫସା ଗନ୍ଧମାର୍ଦ୍ଧନ ପାଦଦେଶରେ ଅବସ୍ଥିତ । ଆମ ଗାଁରେ କନ୍ଧ, ମାଲି, ତେଲି, ଗୌର ଓ ବୈରାଗୀ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି । ଗାଁର ସବୁଠୁ ଅଧିକ ଲୋକ ହେଉଛନ୍ତି କନ୍ଧ । ଯମୁନା କନ୍ଧୁଣୀ ଯିଏକି ନୃସିଂହନାଥଙ୍କୁ ଜଙ୍ଗଲରୁ କନ୍ଦା ଖୋଳିଲାବେଳେ ପାଇଥିଲେ ସେ ଆମ ଗାଁର ପୂର୍ବଜ । ଯଦିଓ ସେତେବେଳେ ଗାଁ’ର ଲୋକେ ମାଣ୍ଡିଆ ଗ୍ରାମରେ ରହୁଥିଲେ । ଆମ କୁଢାରୀଫସା ଗାଁଟି ମାଣ୍ଡିଆ ଗ୍ରାମରୁ ଭାଙ୍ଗିକି ଆସିଛି । ଏବେ ଯେଉଁଠି ମନଭଙ୍ଗ ଡ଼୍ୟାମ ହୋଇଛି ତାରି ପାଖାପାଖି ମାଣ୍ଡିଆ ଗ୍ରାମ ଥିଲା । ମାଣ୍ଡିଆ ବହୁତ ପରିମାଣରେ ଏହି ଅଞ୍ଚଳରେ ହେଉଥିଲା । ମାଣ୍ଡିଆକୁ ଯେଉଁଠି କୁଟା ଯାଉଥିଲା ସେ ବିଷୟରେ ବି ଆମ ଗାଁ ଲୋକେ କହିଥିଲେ । ଏବେ ସେସବୁ ଜଳମଗ୍ନ । ମନଭଙ୍ଗ ଡ୍ୟାମତଳେ ଆମ ଇତିହାସ ରହିଯାଇଛି । କିଛି ଲୋକ ବାଲକୋ ବିରୋଧି ଗନ୍ଧମାର୍ଦ୍ଦନ ବଞ୍ଚାଓ ଆନ୍ଦୋଳନରେ ଆମ ଗାଁ’ ଲୋକମାନଙ୍କର ସକ୍ରିୟ ଯୋଗଦାନ ବିଷୟ କହିଥିଲେ । ସେମାନଙ୍କ ଭିତରୁ ଗାଁରୁ ତେତେଲମତି ଭୁଏ, ରାଈମତି ମଲ୍ଲିକ, ଦହନା ମଲ୍ଲିକ, ପୁତନା ମଲ୍ଲିକ, ଗୌରୀ ମଲ୍ଲିକ, କୁଞ୍ଜମନି ହୁଏ, ତୁତୁଲି ଭୁଏ, ଫୁଲ ସାନ୍ତ, ଗୁରୁବାରୀ ମଲ୍ଲିକ, ଧନମତୀ ଭୁଏ, ମଲ୍ଲିକେନ ଭୁଏ, ବନମାଳି କୁଅଁର, ହେମ ଜାନୀ, ନେପୁର ମଲ୍ଲିକ, ଯୁବା ଜାନୀ, କୈବଲ୍ୟ ମଲ୍ଲିକ, ସୁବଳୟା ମଲ୍ଲିକ, ମଧୁସୁଦନ ମଲ୍ଲିକ, ଶଷୀଧର ଭୁଏ, କୃପାସିନ୍ଧୁ ଭୁଏ…. ଏମିତି ଆହୁରି ଅନେକ ନାମ ରହିଛି । ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ଏମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ । ଗାଁ’ର ଇତିହାସ ଜାଣିବାକୁ ଯାଇ ଆମ ଗାଁର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସେଦିନ ଜାଣିବାକୁ ପାଇଥିଲୁ ।
ଗନ୍ଧମାର୍ଦ୍ଦନ ପାଦତଳର ଆମ ଗାଁ’ର ସଂସ୍କୃତି ଓ ଇତିହାସ ଅତି ପୁରୁଣା । ଗାଁ’ରେ ଜମୁନା କନ୍ଧୁଣୀ, ଦୁର୍ଗେଇଗୁଡ଼ି, ମାଟିଗୁଡ଼ି, ଛୁଟି ଗୁଡ଼ି, ଭୁଇବାହିଲିନ, କରମସାନି, ଦୋମାପଲିଏନ, ଠାକୁର ଗୁଡ଼ି ଆଦି ଦେବୀ ଦେବତାଙ୍କର ପୂଜା କରାଯାଇଥାଏ । ଗାଁ ଲୋକମାନେ ଏହି ଦେବତାମାନଙ୍କ ଛଡ଼ା ନିଜ କ୍ଷେତ, ବିଲ ଓ ପାହାଡ଼ର କିଛି ଦେବାଦେବୀଙ୍କୁ ମଧ୍ୟ ପୂଜା କରନ୍ତି । ଗାଁ ଲୋକମାନେ ଏକାଠି ହୋଇ ପୂଷପୁନି, ଚୈତପୁନି, ଚୁଟି ଗୁଡ଼ି ଯାତ୍ରା, ଦଶହରା, ମାର୍ଗଶୀର ପୂନିରେ ନାଚଗୀତ କରନ୍ତି ।


ଆମ ଗାଁର ଲୋକମାନେ ପାହାଡ଼ରୁ କନ୍ଦମୂଳ, କାଠ, ମହୁ, ଔଷଧୀୟ – ଚେର, ମୂଳି, ଗଛ, ପତ୍ର, ରେଙ୍ଗାଲ ପତ୍ର, ବାଉଁଶ, ମହୁଲ, ଟୋଲ, ଅଁଳା, ଅମ୍ବରା, କରଡ଼ି, ଫଳମୂଳ ଇତ୍ୟାଦି ସଂଗ୍ରହ କରନ୍ତି ଓ ସେସବୁ ବିକି ନିଜର ପେଟ ପୋଷନ୍ତି । ଗାଁ’ରେ ମହୁଲ ଗଛ, ବେଲ ଗଛ, ଜାମୁ ଗଛ, ବାଉଁଶ ଗଛ, ଆମ୍ବ ଗଛ, ହରିଡ଼ା ଗଛ, ତେନ୍ତୁଳି ଗଛ, ତାଳ ଗଛ, ମାୟା ଗଛ, କେନ୍ଦୁ ଗଛ, ନାରଙ୍ଗୀ ଗଛ, ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ଲୋକମାନେ ପ୍ରାୟତଃ ଧାନ ଚାଷ କରିଥାନ୍ତି । ଆମ ଗାଁରେ ପାଣିର ଅଭାବ ରହିଛି । ସେଥିଯୋଗୁଁ ଅଳ୍ପ କିଛି ଲୋକ ମାଣ୍ଡିଆ, ମକା, କୁଦୋ ଚାଷ କରୁଛନ୍ତି। ମୁଁ ମୋର ଗାଁର ଲୋକମାନଙ୍କୁ କୁଦୋ ଓ ମାଣ୍ଡିଆ ର ଉପକାରୀତା ବିଷୟରେ ବୁଝାଇଛି ଏବଂ କୁଦୋ, ମାଣ୍ଡିଆ ଚାଷ କରିବା ପାଇଁ କହୁଛି । ବାହାରର ପ୍ୟାକିଂ ଖାଦ୍ୟ ଛାଡ଼ି ପ୍ରୋଟିନ ଯୁକ୍ତ କୁଦୋ ଓ ମାଣ୍ଡିଆ ଖାଇଲେ ଆମ ଗାଁର ଲୋକମାନେ ସୁସ୍ଥ ରହିବେ ଏବଂ ଆରୋଗ୍ୟ ରହିବେ । ଗାଁ’ରେ ଉଚ୍ଚ ଶିକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ । ଅନେକ ପିଲା ପାଠ ନପଢ଼ି ବାହାରକୁ କାମ କରିବାକୁ ଚାଲିଯାଉଛନ୍ତି ଓ କିଛି ପିଲା ଗାଁ ଜଙ୍ଗଲରେ ବୁଲାବୁଲି କରୁଛନ୍ତି । ସେଇଟା ଆମ ଗାଁ’ ଲୋକଙ୍କର ସବୁଠାରୁ ବଡ଼ ଦୁଃଖ । ଏହାଛଡା ପାଖରେ ଥିବା ପାଇକମାଳ ଡ଼ାକ୍ତରଖାନାରେ ଭଲ ଚିକିତ୍ସା ବ୍ୟବସ୍ଥା ନାହିଁ । ଅଧିକ ଦେହ ଖରାପ ହେଲେ ୧୦୦ କିଲୋମିଟର ଦୂରରେ ଥିବା ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ଲୋକଙ୍କୁ ଯିବାକୁ ପଡ଼ୁଛି ।


ମୁଁ ଆମ ଗାଁର ଇତିହାସ ଲେଖିବା ଯୋଗୁଁ ଅନେକ ନୂଆ ଅନୁଭୂତି ପାଇପାରିଲି । ଅନେକ ନୂଆ କଥା ଜାଣିବାକୁ ପାଇଲି । ଆମ ଗାଁକୁ କାହିଁକି କୁଢାରୀ ଫସା କୁହାଗଲା ? ଆମ ଗାଁ କେବେ ପ୍ରତିଷ୍ଠା ହୋଇଥିଲା ଏବଂ ଆମ ଗାଁର ପ୍ରଥମ ବାସିନ୍ଦା କିଏ ଥିଲେ । ଅତୀତରେ କିପରି ରୋଗର ଚିକିତ୍ସା ହେଉଥିଲା ତାହା ମଧ୍ୟ ମୁଁ ଜାଣିବାକୁ ପାଇଲି ଏବଂ ପୂର୍ବର ପର୍ବପର୍ବାଣୀ ଓ ପାରମ୍ପାରିକ ଖାଦ୍ୟ ବିଷୟରେ ଅନେକ କଥା ଜାଣିବାକୁ ପାଇଲି । ଆମ ଗାଁରେ ଘଟିଥିବା ପୂର୍ବର କେତେକ ଲଢେଇ ବିଷୟରେ ମଧ୍ୟ ମତେ ଜଣା ପଡ଼ିଲା । ଆମ ଗାଁର ଲୋକମାନେ ଅତି ସାହସର ସହ ବାଲକୋ କମ୍ପାନୀକୁ ହଟେଇ ଗନ୍ଧମାର୍ଦ୍ଦନକୁ ସୁରକ୍ଷା କରିଥିଲେ। ମୁଁ ତ ଆଗରୁ କହିଛି ମୋର କଲେଜ ପାଠ ପଢାଠାରୁ ମୁଁ ଗାଁ ଇତିହାସ ଟିମ ସହିତ ପାଇକମାଳରେ କାମ କରୁଛି ଓ ଆଗକୁ ମଧ୍ୟ ଏହି କାମ କରିବି ବୋଲି ନିଷ୍ପତ୍ତି ନେଇଛି ।
ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଭୁକ୍ତ ଜାମସେଠ ପଞ୍ଚାୟତର ଖରାମାଳ ଗାଁ । ୨୦୨୬ ମସିହା ଜାନୁୟାରୀ ୮ ତାରିଖ ଦିନ ସେଠାରେ ଗନ୍ଧମାର୍ଦ୍ଦନ ପାରମ୍ପାରିକ ମେଳା ଆୟୋଜିତ ହୋଇଥିଲା । ଆମେ ପାଇକମାଳରେ ଗାଁ ଇତିହାସ ଟିମ ସହିତ ମିଶି ଆଜିଯାଏ କାମ କରୁଥିବାରୁ ଆମ ଦୁଇ ଭଉଣୀଙ୍କୁ ସ୍ଵୟଂପ୍ରଭା ମେମ ଖରାମାଳରେ ହେଉଥିବା ପରମ୍ପରା ମେଳାରେ ଭାଗ ନେବାପାଇଁ କହିଥିଲେ । ମୁଁ ଓ ମୋ ଭଉଣୀ ସେହି ମେଳାକୁ ଯାଇ ଅନେକ ସୁନ୍ଦର ସୁନ୍ଦର ଓ ଅବିଶ୍ୱସନିୟ ଅନୁଭୂତି ପାଇଥିଲୁ । ସେହି ଅନୁଭୂତିରୁ କିଛି ମୁଁ ଆପଣମାନଙ୍କ ନିକଟରେ ବ୍ୟକ୍ତ କରିବାକୁ ଚାହୁଁଛି ।

୨୦୨୬ ମସିହା ଜାନୁଆରୀ ୮ ତାରିଖରେ ଗନ୍ଧମାର୍ଦ୍ଦନ ପରମ୍ପରା ମେଳାରେ ଭାଗ ନେବାପାଇଁ ଓ ମେଳାର ଅନୁଭୁତି ପାଇବା ପାଇଁ ଆମେ ଦୁଇ ଭଉଣୀ ଗାଁ ଇତିହାସ ଟିମ ସହିତ ଖରାମାଳ ଗାଁକୁ ଯାଇଥାଉ । ଖରାମାଳରେ ଆୟୋଜିତ ହୋଇଥିବା ମେଳାର ନାମ ହେଲା ‘ପରମ୍ପରା ମେଳା’। ଏହି ପରମ୍ପରା ମେଳାରେ ବିଭିନ୍ନ ପ୍ରକାର ପାରମ୍ପରିକ ବିହନ, ମଞ୍ଜି, ଫଳ, ମୂଳ ଏବଂ ଖାଦ୍ୟ ସାମଗ୍ରୀର ଷ୍ଟଲ ଗୁଡ଼ିକ ବସିଥିଲା । ଯେମିତି କି; ଆୟୁର୍ବେଦିକ ଷ୍ଟଲ, ଜଙ୍ଗଲ ଜାତ ଦ୍ରବ୍ୟ, କନ୍ଦମୂଳ ଓ ପାରମ୍ପରିକ ଖାଦ୍ୟ ମଣ୍ଡା ପିଠା, ଆରିସା ପିଠା, ମାଣ୍ଡିଆରେ ତିଆରୀ ହୋଇଥିବା ଟିଖିରୀ ଇତ୍ୟାଦି ।


ମୁଁ ଓ ମୋ ଭଉଣୀ ସେଠି ପହଞ୍ଚିଲା ପରେ ଏକ ଅପୂର୍ବ ଅନୁଭୁତି ପାଇଲୁ । ପରମ୍ପରା ମେଳାର ନାମ ଅନୁସାରେ ସେଠାରେ ସବୁ ଜିନିଷ ପାରମ୍ପାରିକ ଭାବରେ ସଜା ହୋଇଥିଲା । ପ୍ରବେଶ ଦ୍ୱାରକୁ ଅତି ସୁନ୍ଦର ଭାବରେ ହାତ ତିଆରୀ ବାଉଁଶର କୁଳାଇ ଏବଂ ଚଙ୍ଗରାରେ ସଜା ଯାଇଥିଲା । ସେଠାରେ ଲଗାଯାଇଥିବା ଷ୍ଟଲ୍ ଘରକୁ ମଧ୍ୟ ପାରମ୍ପରିକ ଭାବରେ ପୁରୁଣା ଝାଟି କୁଡ଼ିଆଘର ପରି ସଜା ଯାଇଥିଲା । ଯେଉଁଥିରେ ସମଧ୍ଵନି, ଅହିସା କ୍ଲବ, ଆୟୁର୍ବେଦିକ କଲେଜ, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ନିଜର ଷ୍ଟଲ୍ ଲଗାଇଥିଲେ । ଅନ୍ୟ କେତେକ ଟିମ ମଧ୍ୟ ଷ୍ଟଲ ଲଗାଇଥିଲେ । ସେଠାରେ ଥିବା ମଞ୍ଚକୁ ମଧ୍ୟ ଅତି ସୁନ୍ଦର ଭାବରେ ସଜାଯାଇଥିଲା । ମଞ୍ଚର ଦୁଇ ପାର୍ଶ୍ୱରେ ଦୁଇଟି ପୁରୁଣା ବଳଦ ଗାଡ଼ିର ଚକ ଓ ନଙ୍ଗଳକୁ ରଙ୍ଗଦେଇ ରଖାଯାଇଥିଲା । ଧାନ କେଣ୍ଡାରେ ଗୁନ୍ଥା ହୋଇଥିବା ଧାନର ବେଣୀ ଗୁଡ଼ିକ ମଞ୍ଚରେ ଲଗାଯାଇଥିଲା । ପୁଆଳରେ ଏକ ଓଳିଆ ତିଆରି କରି ସେଠାରେ ରଖାଯାଇଥିଲା । ମାଣ୍ଡିଆରେ ଚିତା ଅଙ୍କା ଯାଇଥିଲା ଓ ଏହା ମଝିରେ ଏକ ସୁନ୍ଦର ଫୁଳ ଯାହା ମଞ୍ଚକୁ ଆହୁରି ସୁନ୍ଦର କରୁଥିଲା । ଏଠାରେ ଆମ ସମସ୍ତଙ୍କ ପାଇଁ ସକାଳର ଜଳଖିଆ ଏବଂ ଅପରାହ୍ନର ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ଜଳଖିଆ ଖାଇ ସାରିବା ପରେ ଆମେ ଦୁଇ ଭଉଣୀ ଗାଁ ଭିତରକୁ ବୁଲିବାକୁ ଗଲୁ । ସେଠି ଯାହାସବୁ ଦେଖିଲୁ ତାହା ଅବିସ୍ମରଣୀୟ ଅଟେ । ଆମେ କେବେ ମଧ୍ୟ ସେ ଗାଁକୁ ଏବଂ ସେହି ମେଳାକୁ ଭୁଲି ପାରିବୁ ନାହିଁ । ସେଠାରେ ଏମିତି ଲାଗିଲା ଯେମିତି କି ସେଠାରେ ସଜା ହୋଇଥିବା ସମସ୍ତ ଜିନିଷ କଥା କହୁଛନ୍ତି ଏବଂ ଜୀବିତ ଅଛନ୍ତି । ସମସ୍ତଙ୍କ ଦ୍ୱାରର ପିଣ୍ଡାରେ ଝୋଟି ଚିତା ଅଙ୍କା ହୋଇଥିଲା । ଯେମିତିକି ମାଟି ମାକୁ ଧଳା ରଙ୍ଗର ପାଟ ଶାଢୀ ପିନ୍ଧାଇଲା ପରି ଏବଂ ଧାନର ବେଣୀ ଗୁଡ଼ିକ ଯେମିତି ମାଟି ମାଁର ଅଳଙ୍କାର ଭାବେ ରାସ୍ତାର ଦୁଇ ପାର୍ଶ୍ୱରେ ଝୁଲା ଯାଇଥିଲା । ସମସ୍ତଙ୍କ ଘର ଦ୍ୱାର ମୁହଁରେ ଧାନରେ ସଜା ହୋଇଥିବା କଲସି ବସା ହୋଇଥିଲା । ଏମିତି ଲାଗୁଥିଲା ଯେମିତିକି ମାତା ଲକ୍ଷ୍ମୀ ଏବଂ ମାଟି ମାଁକୁ ସେହି କଳସି ଆନନ୍ଦର ସହ ଘରକୁ ସ୍ୱାଗତ ଜଣାଉଛି । ଏହି ଗାଁରେ ଏକ ବିହନର ମଣ୍ଡି ରହିଛି । ଯେଉଁଠାରେ ପୁଆଳରେ ବେଣା କରି ତାକୁ ପୁରା ଗୋଟିଏ ଓଳିଆ ବନେଇ ତା’ ଭିତରେ ସମସ୍ତ ବିହନ ରଖାଯାଇଥିଲା ।
କିଛି ସମୟ ପରେ ଆମ ଗହଣରେ ବା ସେହି ପରମ୍ପରା ମେଳାକୁ ଆସି ପହଞ୍ଚିଥିଲେ ଆମ ଓଡ଼ିଆମାନଙ୍କର ଗର୍ବ, କବି ହଳଧର ନାଗ । ତାଙ୍କୁ ଅତି ଆନନ୍ଦରେ ବଜା, ଡାଲଖାଇ ଗୀତ ଏବଂ ନାଚ ସହିତ ସ୍ୱାଗତ କରାଯାଇଥିଲା । ମାନନୀୟ କବି ହଳଧର ନାଗ ଆସିବା ପରେ ପରେ ଆମର ଉତ୍ସାହ ବଢାଇବା ପାଇଁ ଆମର ସର୍ବ ପ୍ରିୟ ଜନ ନାୟୀକା ଓ ଆମ ଅଞ୍ଚଳର ବିଧାନସଭା ସଦସ୍ୟ ଶ୍ରୀମତୀ ବର୍ଷା ସିଂ ବରିହା ଆମ ଗହଣରେ ପହଞ୍ଚିଥିଲେ । ସେ ସେଠାରେ ଲଗା ଯାଇଥିବା ସମସ୍ତ ଷ୍ଟଲକୁ ବୁଲିଲେ ଓ ମେଳାରେ ଅନୁଭୁତି ନେଲେ ।
ଏହାପରେ ସ୍ୱାଗତ ସଙ୍ଗୀତ ସହିତ ସଭାର ଆରମ୍ଭ କରାଗଲା । ଶ୍ରୀମତୀ ବର୍ଷା ସିଂ ଙ୍କୁ ଅନୁରୋଧ କରାଗଲା ଯେ ସେ ମେଳା ବିଷୟରେ କିଛି କହିବେ ଏବଂ ପୁରୁଣା ବିହନର ସଂଗ୍ରକ୍ଷଣ ପାଇଁ କିଛି ପଦକ୍ଷେପ ବା ସାହାଯ୍ୟ ପ୍ରଦାନ କରିବେ । ଶ୍ରୀମତୀ ବର୍ଷା ସିଂ ପ୍ରତିସ୍ମୃତି ଦେଲେ କି ସେ ପୁରୁଣା ବିହନ ଓ ମଞ୍ଜିର ସଂଗ୍ରକ୍ଷଣ ପାଇଁ କିଛି ପଦକ୍ଷେପ ନେବେ । ଯାହାଦ୍ୱାରା ଆହୁରୀ ପୁରୁଣା ପୁରୁଣା ବିହନ ଓ ମଞ୍ଜିର ସଂଗ୍ରକ୍ଷଣରେ ସାହାଯ୍ୟ ହେବ । ସେ ପରମ୍ପରା ମେଳାକୁ ଆସି କେଉଁ ସବୁ ଅନୁଭୁତି ପାଇଲେ ସେହି ସବୁ ବର୍ଣ୍ଣନା କରିଥିଲେ । ତାଙ୍କ ପରେ ଅନ୍ୟ ଯେତେ ଅତୀଥି ଥିଲେ ସେମାନେ ମଧ୍ୟ ତାଙ୍କର ବକ୍ତବ୍ୟ ପ୍ରଦାନ କଲେ । ଏହାପରେ ପୁରୁଣା ବିହନ ଓ ମଞ୍ଜିର ସଂଗ୍ରହ ଓ ସଂଗ୍ରକ୍ଷଣ କରିଥିବା ଲୋକମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି ମେଳାକୁ ଅନେକ ଲୋକ ଓ ମହିଳାମାନେ ଆସିଥିଲେ । ବିଭିନ୍ନ ସ୍କୁଲ, ଓ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଆସିଥିଲେ । ଏହି ମେଳାରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଯୋଗ ଦେଇଥିଲେ ଏବଂ ପୁରସ୍କାର ମଧ୍ୟ ପାଇଥିଲେ । ଏମାନଙ୍କ ମଧ୍ୟରୁ ଛିନ୍ଦେକେଲା ହାଇସ୍କୁଲର ଜଣେ ଛାତ୍ର ଗନ୍ଧମାର୍ଦ୍ଧନ ସୁରକ୍ଷା ବିଷୟରେ ଅତି ସୁନ୍ଦର ବକ୍ତବ୍ୟ ଦେଇ ପୁରସ୍କାର ପାଇଥିଲେ । ଏହିପରି ଯମୁନା କନ୍ଧୁଣୀ ଓ ଅନ୍ୟ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ଆମେ ଅପରାହ୍ନରେ ଖାଇବାପାଇଁ ଗଲୁ । ସେଠାରେ ମଧ୍ୟ ପାରମ୍ପାରିକ ଭାବରେ ସିଆଲ ପତ୍ରର ଡବଲା ତିଆରୀ କରାଯାଇଥିଲା । ସେହି ଡବଲାରେ ଦେଶୀ ଚାଉଲର ଭାତ, ଡାଲିମା, ଖଟା ଓ ଖିରୀ ଦିଆଯାଇଥିଲା ।
ଖାଇ ସାରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯମୁନା କନ୍ଧୁଣୀ ସ୍କୁଲର ଛାତ୍ରୀମାନେ “ ଛୋଟ ମୋର ଗାଁଟି ”- ଗାଁ ଇତିହାସ ଗୀତରେ ଅତି ସୁନ୍ଦର ଭାବରେ ନୃତ୍ୟ ପରିଦର୍ଶନ କରିଥିଲେ । ଏହି ନୃତ୍ୟ ସରିବା ପରେ ଯମୁନା କନ୍ଧୁଣୀର ଭଉଣୀ ହିମାନୀ ପ୍ରଧାନ ତାଙ୍କ ଗାଁ ବାଇଦପାଲିର ଇତିହାସ ଲେଖା ବିଷୟରେ ସମସ୍ତଙ୍କୁ କହିଥିଲେ । ଏହାପରେ ଏକ ସୁନ୍ଦର ପାଲାର ଆୟୋଜନ କରାଯାଇଥିଲା । ଏହି ପାଲାରେ ଥିବା ଝିଅମାନେ ସମସ୍ତେ ଟେମରୀ ହାଇସ୍କୁଲର ଛାତ୍ରୀଥିଲେ । ସେମାନେ ନିଜ ଗାଁ ଟେମରୀର ଇତିହାସ ବିଷୟରେ ପାଲା ପରିବେଷଣ କରିଥିଲେ । ଆମକୁ ବହୁତ ଖୁସି ଲାଗୁଥିଲା ଆମ ଗାଁ ଇତିହାସ ଟିମ ଏତେସବୁ ସାଂସ୍କୃତିକ ପରିବେଷଣ କରୁଛି । ଆମ ଟିମକୁ ସେଦିନ ହଜାର ହଜାର ଲୋକ ଜାନିଲେ । ସେମାନେ ସମଧ୍ଵନି ଦ୍ଵାରା ଆୟୋଜିତ ଗାଁ ଇତିହାସ ଷ୍ଟଲକୁ ଆସିଥିଲେ ଓ ଆମ ସହିତ କଥାବାର୍ତ୍ତା ହୋଇଥିଲେ । ଆମେ ପ୍ରଦର୍ଶନ କରିଥିବା ଗାଁ’ର ପୁରୁଣା ଜିନିଷପତ୍ରର ମହତ୍ତ୍ଵ ବିଷୟରେ ଶୁଣିଥିଲେ ।
ମୋତେ ଖରାମାଳର ଏହି ପରମ୍ପରା ମେଳାରେ ଭାଗନେଇ ବହୁତ ଖୁସି ଲାଗିଲା । ଏହିଦିନକୁ ମୁଁ କେବେ ମଧ୍ୟ ଭୁଲି ପାରିବି ନାହିଁ । ମତେ ଖୁସି ଲାଗିଲା ଯେ, ଆଜି ଯାଏ ସେହି ଗାଁର ଲୋକମାନେ ଅତୀତର ବିହନ ପରମ୍ପରାକୁ ଛାଡ଼ି ନାହାଁନ୍ତି । ଏବେମଧ୍ୟ ସେମାନେ ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ମୁଁ ଆହୁରି ଗୋଟିଏ କଥା ଶୁଣିଛି ଯେ, ଏହି ଗାଁର ଲୋକ କେବେ ମଧ୍ୟ ସାର ଦେଇ ଚାଷ କରନ୍ତି ନାହିଁ । ସେମାନେ ଦେଶୀ ଗୋବର ଖତ ଦେଇ ଚାଷ କରୁଛନ୍ତି । ମତେ ଏହି ପୁରୁଣା କୃଷି ପଦ୍ଧତି ଶୁଣି ବହୁତ ଖୁସି ଲାଗିଲା । କାରଣ ଏହି ଆଧୁନିକ ସମାଜରେ ପୁରୁଣା ପଦ୍ଧତି ଗୁଡ଼ିକ ଭୁଲି ସାର ଦିଆ ହେଇଥିବା ଧାନର ଚାଉଳ ଖାଇ ଶରୀରକୁ ଅସୁସ୍ଥ କରୁଛନ୍ତି ଏବଂ ଚାଷ ଜମିକୁ ମଧ୍ୟ ନଷ୍ଟ କରୁଛନ୍ତି । ଏହା ସହିତ ଲୋକମାନେ ପୁରୁଣା ପ୍ରୋଟିନ ଯୁକ୍ତ ଖାଦ୍ୟକୁ ମଧ୍ୟ ଭୁଲି ଯାଉଛନ୍ତି ଯେମିତିକି; ମାଣ୍ଡିଆ, ଗୁରଜି, କୁଦୋ, ରକସି, ମକା ଇତ୍ୟାଦି । ମୁଁ ଚାହେଁ ସମସ୍ତେ ଏହି ସବୁ ପୁଷ୍ଟି ଶସ୍ୟକୁ ଚାଷ କରନ୍ତୁ ଏବଂ ଏହାକୁ ଖାଆନ୍ତୁ । ଯାହାଦ୍ୱାରା ଆମ ଲୋକମାନେ ପୁଷ୍ଟିସାର ଓ ଖାଦ୍ୟ ସାର ପାଇପାରିବେ । ସବୁବେଳେ ସୁସ୍ଥ ଓ ସବଳ ରହିବେ । ଏହାଛଡ଼ା ମୁଁ ଆମ ଓଡ଼ିଶାର ସବୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିବି ସେମାନେ ନିଜ ନିଜ ଗାଁ’ର ଇତିହାସକୁ ଲିପିବଦ୍ଧ କରନ୍ତୁ। ଦେଖିବ ଏହା ତୁମକୁ କେତେ ଆନନ୍ଦ ଦେବ ।
ଆମ ଗାଁର ନାମ କୁରାଢିଫସା । ଏହି କୁରାଢିଫସା ନାମକରଣ ପଛରେ ଭିନ୍ନ ଭିନ୍ନ ମତ ଆମ ଗାଁର ବୟସ୍କ ଲୋକମାନଙ୍କ ନିକଟରୁ ମୁଁ ଜାଣିବାକୁ ପାଇଥିଲି । ଆମ ଗାଁର କୈବଲ୍ୟ ମଲ୍ଲିକ, ବୟସ ୯୦ ବର୍ଷ (ଯିଏକି ଏବେ ମରିଗଲେଣି), ନିର୍ମଳ ପଟେଲ, ବୟସ ୫୩ ବର୍ଷ, ଗୋପାଳ ଦାସ, ବୟସ ୬୨ ବର୍ଷ ଏମାନଙ୍କ ସହିତ ଆମ ଗାଁର ନାମକରଣ ଓ ଗାଁର ଅତୀତ ବିଷୟରେ ଜାଣିବା ପାଇଁ ଭେଟିଥିଲି । ସେମାନେ ଗାଁର ନାମକରଣକୁ ନେଇ ଦୁଇଟି ମତ ରହିଛି ବୋଲି କହିଥିଲେ । ସେଥିରୁ ଗୋଟିଏ ମତ ହେଲା, ପୂର୍ବ କାଳରେ ଜଣେ ଲୋକ କୁରାଢିରେ ସାପକୁ ଫସା ମାରିଥିଲେ । ସେଥିପାଇଁ ଆମ ଗାଁକୁ କୁରାଢିଫସା କୁହାଗଲା । ଦ୍ଵିତୀୟ ମତଟି ହେଲା ଆମ ଗାଁ ବସିବା ପୂର୍ବରୁ ଏହି ସ୍ଥାନଟି ପୁରା ଜଙ୍ଗଲରେ ପୂର୍ଣ୍ଣ ଥିଲା। ସେହି ଜଙ୍ଗଲକୁ ଲୋକମାନେ କୁରାଢିରେ କାଟି ସଫା କରିଥିଲେ ଏବଂ ସେହି ସ୍ଥାନକୁ କୁରାଢିଫସା ବୋଲି କୁହାଗଲା । ଆମ ଗାଁର ବୟସ୍କ ହରିହର ମଲ୍ଲିକ (୭୫ ବର୍ଷ), ଗୋଲାବ ଦାସ (୬୬ ବର୍ଷ), ସୁରେନ୍ଦ୍ର ମଲ୍ଲିକ (୫୨ ବର୍ଷ), କୃପାସିନ୍ଧୁ ଭୁଏ, ହିରଲାଲ ଜାନୀ, ଏମାନେ ସମସ୍ତେ ଗାଁ କେବେ ପ୍ରତିଷ୍ଠା ହୋଇଥିଲା ଜାଣିନାହାନ୍ତି ବୋଲି କହିଥିଲେ । ସେମାନେ କହିଥିଲେ ଯେ, ଗୁର ମାଝି ଆମ ଗାଁର ପ୍ରଥମ ବାସିନ୍ଦା ଥିଲେ । ସେ ବିଶାଖାପାଟଣାରୁ ଆସିଥିଲେ । ପରେ ଆମ ଗାଁକୁ ଅନ୍ୟ ଜାତିର ଲୋକମାନେ ଆସି ବସତି ସ୍ଥାପନ କଲେ । ଯେମିତି ଆମ ଗାଁକୁ ପରେ କଇନିଆ ଭୁଏ ଆସିଥିଲେ ଯିଏକି ବାହାବଳରୁ ଆସିଥିଲେ । ତାପରେ ଆସିଥିଲେ କୁଅର ପରିବାର, ମଲ୍ଲିକ ପରିବାର । ଏହିପରି ଅନେକ ଜାତିର ଲୋକ ଆସି ଏଠାରେ ରହି ଗୋଟିଏ ଗାଁ ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ ଆମ ଗାଁର ହରିହର ମାଝୀ ।
ଆମ ଗାଁରେ ଏବେ ଅନେକ ବୟସ୍କ ବ୍ୟକ୍ତି ଅଛନ୍ତି, ସେଥିମଧ୍ୟରୁ ହରିହର ମାଝୀ, କୁଞ୍ଜମଣି ଭୁଏ, କୃପାସିନ୍ଧୁ ଭୁଏ, ପଦ୍ମମଣି ମଲ୍ଲିକ, ହେମା ଜାନୀ, ଫୁଲା ଜାନୀ, ଭାକିଆ ଜାନୀ, ଏନ୍ଲା ମଲ୍ଲିକ ଇତ୍ୟାଦି। ହରିହର ମାଝୀ କୁହନ୍ତି ଯେ, ଯେତେବେଳେ ଗାଁ ପ୍ରତିଷ୍ଠା ହେଲା, ସେତେବେଳେ ସବୁ ଚାଳ ଘର ଓ ଖପରା ଘର ଥିଲା। ପାଣି ପାଇଁ ଲୋକମାନେ ଝରଣାକୁ ଯାଉଥିଲେ। ରାସ୍ତା-ଘାଟ ନଥିଲା। ପରେ ଲୋକମାନେ ଜଙ୍ଗଲକୁ ସଫା କରି ରାସ୍ତା-ଘାଟ ଓ ଚାଷ ଜମି ତିଆରି କଲେ। ସେମାନେ କନ୍ଦମୂଳ, ସରଗି, କୁଦୋ, ମଡ଼ିଆ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଖାଉଥିଲେ। ସେମାନେ ମାଟିରେ ତିଆରି “ମାଳାଖି” ନାମକ ପାତ୍ରରେ ଖାଉଥିଲେ। ଏକଥା ମୋତେ କୁଞ୍ଜମଣି ଭୁଏ ଓ ହରିହର ମାଝୀ କହିଥିଲେ ।
ଗାଁର ଜଣେ ମା ମାଳତୀ ମଲ୍ଲିକ କହିଥିଲେ ଯେ, ସେ ଗାଁକୁ ବିବାହ କରି ଆସିବା ବେଳେ ଗାଁର ପରିସ୍ଥିତି ବହୁତ ଖରାପ ଥିଲା। ଗାଁ ମୁଣ୍ଡରୁ ଜଙ୍ଗଲ ଲାଗିଥିଲା। ରାସ୍ତା-ଘାଟ କଞ୍ଚା ଥିଲା ଏବଂ ବର୍ଷା ବେଳେ ଚାଲିବା କଷ୍ଟକର ହୋଇଯାଉଥିଲା। ଜଙ୍ଗଲର ପାଣି ରାସ୍ତାର ଦୁଇ ପାର୍ଶ୍ୱରେ ବହୁଥିଲା। ସେତେବେଳେ ଗାଁରେ ୩୦ କିମ୍ବା ୪୦ଟି ଘର ଥିଲା, ଯାହାକି ଚାଳ, ଖପରା ଓ ଖଡ଼ର ଘର ଥିଲା। ସେତେବେଳେ ପାଣିର ବହୁତ ଅସୁବିଧା ଥିଲା। ଗାଁରେ ମାତ୍ର ୩ଟି ନଳକୁପ ଓ ୫ଟି କୂଅ ଥିଲା। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିଲା, କେବଳ ଗୋଟିଏ ସ୍କୁଲ ଥିଲା। ବର୍ତ୍ତମାନ ଗାଁରେ ବହୁତ ପରିବର୍ତ୍ତନ ଦେଖାଦେଇଛି। ଲୋକମାନେ ଚାଷ ଜମି ପାଇଁ ଜଙ୍ଗଲକୁ ସଫା କରିଦେଇଛନ୍ତି। ଏବେ ସବୁ ପକ୍କା ରାସ୍ତା ଓ ଘର ହୋଇଯାଇଛି ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ହୋଇଛି।
ଆମ ଗାଁର ଆଙ୍ଗନୱାଡି କର୍ମୀ କେତକୀ ସାନ୍ତା କୁହନ୍ତି ଯେ, ଆମ ଗାଁର ଲୋକସଂଖ୍ୟା ହାରାହାରି ୩୪୭ ଅଟେ। ବର୍ତ୍ତମାନ ଆମ ଗାଁରେ ୮୯ଟି ଘର ରହିଛି। ପ୍ରାୟତଃ ଆମ ଗାଁରେ ୭ଟି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ସେମାନେ ହେଲେ – କନ୍ଧ, ମାଳୀ, ତେଲୀ, ବୈରାଗୀ, ହାଟୁଆ, ସୌରା ଏବଂ ମାଙ୍କିଡିଆ। ଗାଁରେ ପ୍ରାୟତଃ ବଢେଇ କାମ, ଚିତ୍ରକଳା, ଝୋଟି କାମ ଓ ରାଜମିସ୍ତ୍ରୀ କାମ ହୁଏ। ଗାଁରେ କେହି କଳାକାର କିମ୍ବା ଅନ୍ୟ କେହି ବ୍ୟକ୍ତି ସରକାରୀ କିମ୍ବା ବେସରକାରୀ ସ୍ତରରେ ପୁରସ୍କୃତ ହୋଇନାହାନ୍ତି। ହଁ, ଗାଁରେ ଅତୀତରେ ଲୋକମାନେ ବାଲକୋ ହଟାଓ, ଗନ୍ଧମାର୍ଦନ ବଚାଓ ସଂଗ୍ରାମରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ନାମ ହେଲା –
ସେମାନଙ୍କ ଭିତରୁ ଗାଁରୁ ରାଈମତି ମଲ୍ଲିକ, ଦହନା ମଲ୍ଲିକ, ପୁତନା ମଲ୍ଲିକ, ଗୌରୀ ମଲ୍ଲିକ, ଦହନା ମଲ୍ଲିକ, କୁଞ୍ଜମଣି ଭୁଏ, ତୁତୁଲି ଭୁଏ, ଫୁଲ ସାନ୍ତା, ହେମା ଜାନୀ, ନେପୁରା ମଲ୍ଲିକ, ଯୁବା ଜାନୀ, ଧନମତୀ ଭୁଏ, ମଲ୍ଲାକେନା ଭୁଏ, ଗୁରୁବାରୀ ମଲ୍ଲିକ, ବନମାଳୀ କୁଆଁର, କୈଦଲ୍ୟ ମଲ୍ଲିକ, ସୁବଲୟ ମଲ୍ଲିକ, ମଧୁସୂଦନ ମଲ୍ଲିକ, ସଶିଧର ଭୁଏ, କୃପାସିନ୍ଧୁ ଭୁଏ, କାମେଶ୍ୱର ଭୁଏ, ଧନୀରାମ ବାଘ, ଗୁଲାବ ଦାସ, ହୀରାଲାଲ ଜାନୀ, ଭଗବାନ ଜାନୀ, ସୁକୃ ଜାନୀ, ନିର୍ମଳା ପଟେଲ, ନନ୍ଦ ଦାସ, ଯୁଗେଶ୍ୱର ପଟେଲ, ସୁରେନ୍ଦ୍ର ମଲ୍ଲିକ, ଦୟାନିଧି ଭୁଏ, ଗର୍ଭଧନ ଭୁଏ, ସହଦେବ ମାଝି, ବିଦ୍ୟାଧର ମଲ୍ଲିକ, ଦୁଳାମଣି ଭୁଏ, ନରସିଂହ ମଲ୍ଲିକ, ରତ୍ନାକର ମଲ୍ଲିକ, ଦାଇମାନ ଭୁଏ ଇତ୍ୟାଦି। ଏହା ସହ ଆହୁରି ଅନେକ ଲୋକ ଅଛନ୍ତି, ଯାହା ଅଧିକ ଗବେଷଣା କଲେ ଜଣାପଡିବ।
ଆମ ଗାଁର ଜଣେ ମା ସୁଜନା ମଲ୍ଲିକ, ଯାହାଙ୍କ ବୟସ ୫୫, ସେ କୁହନ୍ତି ଯେ, ଗାଁରେ ୨ଟି ଶିକ୍ଷାନୁଷ୍ଠାନ ରହିଛି, ସେ ଭିତରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଟିଏ ଆଙ୍ଗନୱାଡି କେନ୍ଦ୍ର। ଏହି ବିଦ୍ୟାଳୟରେ ପ୍ରାୟ ୮୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଆନୁମାନିକ ଭାବେ ଆମ ଗାଁରେ ୩୫ ଜଣ ଶିଶୁ ପଢ଼ୁନାହାନ୍ତି। ସେମାନେ ଚାଷ କାମ କରୁଛନ୍ତି ଏବଂ କିଛି କାମ ନମିଳିଲେ କମ୍ପାନୀରେ ରହୁଛନ୍ତି। ଗାଁରେ ଅତୀତରେ ପାଣିର ବ୍ୟବସ୍ଥା ବହୁତ ଖରାପ ଥିଲା। ଅତୀତରେ ଲୋକମାନେ ପାଣିର ସୁବିଧା ନପାଇ ଝରଣାକୁ ପାଣି ଆଣିବାକୁ ଯାଉଥିଲେ। ବର୍ତ୍ତମାନ ଗାଁରେ ପାଣିର ବ୍ୟବସ୍ଥା କିଛି ମାତ୍ରାରେ ଭଲ ହୋଇଛି। ଲୋକମାନେ ନଳକୂପରୁ ପାଣି ଆଣୁଛନ୍ତି। ଆଉ କିଛି ମାସ ପରେ ଟାଙ୍କି ପାଣିର ସୁବିଧା ମଧ୍ୟ ମିଳିବ। ତେବେ କେହି ମଧ୍ୟ ଝରଣାକୁ ପାଣି ଆଣିବାକୁ ଯିବେ ନାହିଁ। ଘରେ ଘରେ ସମସ୍ତଙ୍କୁ ପାଣିର ସୁବିଧା ମିଳିବ। ହଁ, ବେଳେବେଳେ ଗାଁର ନଳକୂପ ଖରାପ ହୋଇଗଲେ ଲୋକମାନେ ବହୁତ କଷ୍ଟ ଭୋଗ କରନ୍ତି। ସେମାନେ ଅନ୍ୟ ସାହିକୁ ଯାଇ ପାଣି ଆଣନ୍ତି।
ପର୍ବପର୍ବାଣି ଓ ପୂଜାସ୍ଥଳ:
ଗାଁରେ ୮ଟି ଧର୍ମପୀଠ କିମ୍ବା ପୂଜାସ୍ଥଳ ରହିଛି। ଗାଁରେ ଥିବା ପୂଜାସ୍ଥଳଗୁଡ଼ିକ ହେଲା ଦୁର୍ଗେଇ ଗୁଡ଼ି, ମାଟି ଗୁଡ଼ି, ଛୁଟି ଗୁଡ଼ି, ଭୁଇଁବାହିଲିନ, କରମସାଣୀ, ଡୋମପାଲିଆନ, ଠାକୁରା ଗୁଡ଼ି, ମଣ୍ଡଳୀ, ବଜରଙ୍ଗବଳୀ ଇତ୍ୟାଦି। । ଏହାମଧ୍ୟରୁ କିଛି ସ୍ଥାନକୁ ଝିଅମାନେ ଯାଆନ୍ତି ନାହିଁ। ପର୍ଯ୍ୟଟନ ସ୍ଥଳ ଭାବେ ମନଭଙ୍ଗା ଡ୍ୟାମ ଗାଁ ପାଖରେ ରହିଛି। ଆମ ଗାଁରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଓ ଉତ୍ସବ ପାଳନ କରାଯାଏ। ସେଥିରୁ ମୁଖ୍ୟ ହେଲେ – ମସ୍କିରା ପୁନେଇ, ଚୈତ୍ର ପୁନେଇ, ନୂଆଖାଇ, ପୁଷ ପୁନେଇ ବା ପୌଷ ପୂର୍ଣ୍ଣିମା, ପୁଅଜିଉତିଆ, ଭାଇଜିଉତିଆ, ଛୁଟି ଗୁଡ଼ି ଯାତ୍ରା। ପୂର୍ବରୁ ଯେଉଁ ସମସ୍ତ ପ୍ରଥା ଓ ପରମ୍ପରା ଥିଲା, ବର୍ତ୍ତମାନ ସେଗୁଡ଼ିକ ଏବେ ଚାଲିଆସୁଛି। ଗାଁର ଲୋକମାନେ ଧର୍ମପୀଠ ବା ପୂଜାସ୍ଥଳ ବ୍ୟତୀତ ଅନ୍ୟ ସ୍ଥାନ ଓ ବସ୍ତୁକୁ ମଧ୍ୟ ପୂଜା କରନ୍ତି। ସେମାନେ ନିଜ ଘରେ ନିଜ ଇଷ୍ଟଦେବୀଙ୍କ ସିକୁଳି ଓ ଖଣ୍ଡାକୁ ପୂଜା କରନ୍ତି। ଏହା ସହିତ ନିଜ ଖେତ କିମ୍ବା ବିଲରେ ମଧ୍ୟ କିଛି ଦେବୀଙ୍କୁ ପୂଜା କରାଯାଏ। କିନ୍ତୁ ଏହି ସ୍ଥାନଗୁଡ଼ିକୁ ଝିଅମାନେ ଯାଆନ୍ତି ନାହିଁ। ଗାଁରେ ବଡ଼ ଅନୁଷ୍ଠାନ କିମ୍ବା ପର୍ବପର୍ବାଣୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଯେପରିକି, ପୁଷ ପୂର୍ଣ୍ଣିମା, ଚୈତ୍ର ପୂର୍ଣ୍ଣିମା, ଛୁଟିଗୁଡ଼ି ଯାତ୍ରା, ଦଶହରା, ମାର୍ଗଶୀର ପୂର୍ଣ୍ଣିମା ଇତ୍ୟାଦି ସମୟରେ ଗାଁରେ ଗୀତ ଓ ନାଚ ହୋଇଥାଏ। ଗାଁରେ ୩ ପ୍ରକାର ସାଂସ୍କୃତିକ ଦଳ ରହିଛନ୍ତି – କୀର୍ତ୍ତନ, କରମସାନୀ, ଓ ଘୁଡ଼କା। ଗାଁରେ ଜାନି ଯାତ୍ରା ସମୟରେ ମହିଳାମାନେ ଶାଢୀ ଓ ବିଭିନ୍ନ ପ୍ରକାର ମୂଲ୍ୟବାନ ଆଲଙ୍କାର ପରିଧାନ କରନ୍ତି। ପୁରୁଷମାନେ ଧୋତି ଓ ସାର୍ଟ ପିନ୍ଧନ୍ତି। ଛୋଟ ପିଲାମାନେ କୁର୍ତ୍ତି, ସଲୱାର, ପାଣ୍ଟ-ସାର୍ଟ ପିନ୍ଧନ୍ତି। ଏକଥା କହିଛନ୍ତି ଆମ ଗାଁର ବେଣୁଧର ମଲ୍ଲିକ (ବୟସ – ୩୯) ଓ ସୁଜନା ମଲ୍ଲିକ (ବୟସ – ୫୫) । ଆମ ଗାଁରେ ପର୍ବପର୍ବାଣୀ ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରିହୁଏ । ଯେପରିକି ନୂଆଖାଇ ପର୍ବରେ ସୁଆଁଲି ପିଠା, ଆରିସା ପିଠା, କୁନା ଚିହିରା, ଭାତ, ଡାଲି, ଝୁଖା, ତରକାରୀ, ମାଛ, ମାଂସ ଇତ୍ୟାଦି ପକାଯାଏ। ସେହିପରି ପୁଷ ପୂର୍ଣ୍ଣିମାରେ ମଣ୍ଡା ପିଠା, ଆରିସା ପିଠା, ସୁଆଁଲି ପିଠା, ପକୋଡ଼ି, ମାଛ, ମାଂସ, ଭାତ, ଡାଲି, ତରକାରୀ ଇତ୍ୟାଦି ହୁଏ। ମାର୍ଗଶୀର ମାସରେ ଯୁଗାର, ମାଣ୍ଡିଆ ଚକୁଳି, ଝୁଖା ଇତ୍ୟାଦି ସହିତ ଭାତ, ଡାଲି, ମାଂସ ଓ ତରକାରୀ ପକାଯାଏ।
ଏହି ସମସ୍ତ ଖାଦ୍ୟ ଗାଁରେ ପ୍ରସ୍ତୁତ କରାଯାଏ ଏବଂ ପର୍ବପର୍ବାଣୀରେ ନିଜ ନିଜ ଇଷ୍ଟଦେବୀଙ୍କୁ ଭୋଗ ଦେଇ ପରେ ପ୍ରସାଦ ଭାବେ ଗ୍ରହଣ କରାଯାଏ। ପୂର୍ବରୁ ଲୋକମାନେ ପର୍ବପର୍ବାଣୀରେ ଟଙ୍କା ଥିଲେ ସୁଆଁଲି ପିଠା ଓ ଆରିସା ପିଠା ପକାଉଥିଲେ, ନଥିଲେ ସାଧାରଣ ଭାବେ ପାଳନ କରୁଥିଲେ। ସେମାନେ ନୂଆଖାଇରେ ଗୁରଜି, ଆରିସା ଓ ସୁଆଁଲି ପିଠା ପକାଉଥିଲେ ଏବଂ ପୁଷ ପୂର୍ଣ୍ଣିମାରେ ମଣ୍ଡା ପିଠା ପକାଉଥିଲେ। କିନ୍ତୁ ବର୍ତ୍ତମାନ ନୂଆଖାଇରେ ଗୁରଜି କେହି ଖାଉନାହାନ୍ତି, ଅନ୍ୟ ପିଠାଗୁଡ଼ିକ ପକାଯାଇ ଖାଉଛନ୍ତି। ପୂର୍ବରୁ ଲୋକମାନେ ବିରି, ମୁଗ ଡାଲି, ଭାତ ଓ ମାଂସରେ ଚାଲିଯାଉଥିଲେ, ବର୍ତ୍ତମାନ ଲୋକମାନେ ବିଭିନ୍ନ ପ୍ରକାର ତରକାରୀ ପକାଇ ଖାଉଛନ୍ତି। ଏକଥା କହିଛନ୍ତି ଆମ ଗାଁର କୁଞ୍ଜମଣି ଭୁଏ ଯାହାଙ୍କ ବୟସ ୯୫ ।
ଆମ ଗାଁରେ ଲୋକମାନେ ସକାଳ ଜଳଖିଆରେ ପ୍ରାୟ ଚା’, ବାସି ପଖାଳ, ମୁଢ଼ି, ମିରଚା, ପିଆଜ ଖାଇଥାନ୍ତି । ମଧ୍ୟାହ୍ନ ସମୟରେ ଭାତ, ଡାଲି, ତରକାରୀ ଖାଇଥାନ୍ତି । ସନ୍ଧ୍ୟାବେଳେ ମିଳିଲେ ଖାଆନ୍ତି, ନହେଲେ ନାହିଁ । ରାତିରେ ଭାତ, ତରକାରୀ, ଡାଲି ଖାଆନ୍ତି । ଅତୀତରେ ମହୁଲ, ଚାର, କେନ୍ଦୁ, ମଡିଆ ବା ମାଣ୍ଡିଆ, ଗୁରଜି, ଖିରସା, ସୁଆଁଖିରୀ, ରକ୍ସି, ସରଗିମୁଢି, ଟିକରା, କାଙ୍ଗୁ, ଜନ୍ହା, ଗଙ୍ଗାଇ, ମୁଗ, ବିରି, ଧାନ ଇତ୍ୟାଦି ଅନେକ ପ୍ରକାର ଖାଦ୍ୟ ଆମର ଜେଠା-ଜେଠୀ ଓ ପୁରୁଣା ପିଢ଼ୀ ଖାଉଥିଲେ।
ଏସବୁ ବିଷୟରେ ମୋତେ କହିଛନ୍ତି ହେମା ଜାନୀ, ଭକିଆ ଜାନୀ, ହରିହର ମାଝି (ବୟସ – ୭୫), ଗୁଣନିଧି ଭୁଏ (ବୟସ – ୭୦) । ଭକିଆ ଜାନୀ କୁହନ୍ତି ବର୍ତ୍ତମାନ ଖାଦ୍ୟପାନରେ ବହୁତ ପରିବର୍ତ୍ତନ ଦେଖାଯାଇଛି। ଏବେ ଲୋକମାନେ ଭାତ, ଡାଲି, ତରକାରୀ, ରୁଟି, ପୁରୀ, ମିଠା, ଖିରି ପରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଖାଉଛନ୍ତି। ଆମ ଗାଁ ଲୋକେ ଗୁରଜି, ରକ୍ସି, କାଙ୍ଗୁ, କ୍ଷୀରୀ, ସୁଆଁ, ଡୁକେର ପିଠା, ସିକରା, କୁଲିଆ କନ୍ଧା, ଖୁସା ଇତ୍ୟାଦି ଅନେକ ପ୍ରକାର ଖାଦ୍ୟକୁ ବର୍ତ୍ତମାନ ଭୁଲି ଯାଇଛନ୍ତି।
ଏ କଥା କହିଛନ୍ତି ଆମ ଗାଁର ବୟସ୍କ ଲୋକ ହରିହର ମାଝି (ବୟସ – ୭୫), ପଦ୍ମମଣି ମଲ୍ଲିକ (ବୟସ – ୬୯), ଭକିଆ ଜାନୀ, ହେମା ଜାନୀ, ଗୁଣନିଧି ଭୁଏ (ବୟସ – ୭୦), ଏନ୍ଲା ମଲ୍ଲିକ । ଆଜିକାଲି ପିଲାମାନଙ୍କୁ ଚାଉଳରେ ତିଆରି ଚକୁଳି ପିଠା, ସୁଜି ହାଲୁଆ, ସୁଆଁଲି, ମଣ୍ଡା ପିଠା, ପୋଡ଼ ପିଠା, ମେଗି ଏବଂ ମାଣ୍ଡିଆରେ ତିଆରି ଖାଦ୍ୟ ବହୁତ ଭଲ ଲାଗେ। ଆମ ଗାଁର ଦୁଇଜଣ ପିଲା ଏକଥା କହିଛନ୍ତି । ତାଙ୍କ ନାମ ଗର୍ଧଭ ମଲ୍ଲିକ (ବୟସ – ୧୩) ଓ ହେମନ୍ତ ମଲ୍ଲିକ (ବୟସ – ୧୧)
ବଜ୍ରା, କୋଦୋ, ଗୁଣ୍ଡଳି, ଗଙ୍ଗାଇ, ଜନ୍ହା, କନ୍ଦମୂଳ ଭଳି ବିଭିନ୍ନ ପ୍ରକାର ପୂଷ୍ଟିକର ଶସ୍ୟ ଆଜିକାଲି ଲୋକମାନେ ଖାଉନାହାନ୍ତି। କିଛି ଲୋକ ଏବେମଧ୍ୟ କୋଦୋ ଓ ମାଣ୍ଡିଆ ପରି ପୂଷ୍ଟିକର ଖାଦ୍ୟ ଖାଉଛନ୍ତି।
ଗାଁର ଲୋକମାନଙ୍କ ମଧ୍ୟରେ ମାଲେରିଆ, ଥଣ୍ଡା ଜ୍ୱର ଓ ଟାଇଫଏଡ୍ ପରି ରୋଗ ଅଧିକ ମାତ୍ରାରେ ଦେଖାଯାଏ। ଗାଁରେ ଲୋକମାନେ ଅସୁସ୍ଥ ହେଲେ ଡାକ୍ତରଖାନାକୁ ଯାଆନ୍ତି, କିନ୍ତୁ କିଛି ଲୋକ ଝାଡ଼ଫୁଙ୍କ ଓ ଗୁଣିଗାରେଡ଼ି ମଧ୍ୟ କରନ୍ତି। ଗାଁରେ ପ୍ରାୟତଃ ଜଳବାହିତ ରୋଗ ଭିତରେ ମାଲେରିଆ, ଟାଇଫଏଡ୍ ଓ ଠଣ୍ଡା ଜ୍ୱର ଦେଖାଯାଏ। ଆମ ଗାଁରେ କିଛି ଲୋକ ରକ୍ତହୀନତା ରୋଗ ଯୋଗୁଁ ଦୁର୍ବଳ ହୋଇଯାନ୍ତି ଏବଂ ବାରମ୍ବାର ଅସୁସ୍ଥ ହୁଅନ୍ତି। ଆମ ଗାଁରେ କିଛି ଲୋକ ଭିଟାମିନ ଅଭାବରୁ ଦୁର୍ବଳ ଦେଖାଯାନ୍ତି। ଅନ୍ଧାରକଣା ରୋଗ ମଧ୍ୟ ଦେଖାଯାଏ ଏବଂ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରେ। ଆମ ଗାଁରେ କିଛି ପିଲା ପୁଷ୍ଟିହୀନତା ଯୋଗୁଁ ବିଭିନ୍ନ ପ୍ରକାର ରୋଗର ଶିକାର ହୁଅନ୍ତି। ଯେପରିକି – ଶିଶୁଙ୍କ ଓଜନ କମିଯିବା, ବାନ୍ତି ହେବା, ହାତପା ଛୋଟ ଦେଖାଯିବା ଇତ୍ୟାଦି। ଆମ ଗାଁ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ନାହିଁ। କେବଳ ଗୋଟିଏ ଉପକେନ୍ଦ୍ର ରହିଛି। ଗାଁଠାରୁ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ ୧୦ କିଲୋମିଟର ଦୂରରେ ଅଛି ଏବଂ ଉପକେନ୍ଦ୍ର ପ୍ରାୟ ୫ କିଲୋମିଟର ଦୂରରେ ଅଛି। ଗାଁର ପ୍ରାୟ ସମସ୍ତ ଲୋକ ଅସୁସ୍ଥ ହେଲେ ଡାକ୍ତରଖାନାକୁ ଯାଆନ୍ତି। ପ୍ରସୂତି ସମୟରେ ଗାଁର ପ୍ରାୟ ସମସ୍ତ ଲୋକ ଡାକ୍ତରଖାନାକୁ ଯାଆନ୍ତି। ହାଜା, ମାଟକାମାନି, ଡାୟାରିଆ, ଚାପକା ରୋଗ, ପିହିରା ଜ୍ୱର ଇତ୍ୟାଦି ରୋଗ ପୂର୍ବରୁ ଅଧିକ ମାତ୍ରାରେ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ଦେଖାଯାଉନାହିଁ। ସାକ୍ଷାତକାର – ପଦ୍ମମଣି ମଲ୍ଲିକ (ବୟସ – ୬୯) ଓ ଗୁଣନିଧି ଭୁଏ, ହରିହର ମାଝି (ବୟସ – ୭୫) ।
ଚାଷବାସ
ଗାଁରେ ପ୍ରାୟତଃ ଧାନ, ମୁଗ, ବିରି, ମଣ୍ଡିଆ, କୁଦୋ, କୁଲଥା ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଏ। ଏହା ବ୍ୟତୀତ ଲୋକମାନେ ନିଜର ବ୍ୟବସାୟ ବୃଦ୍ଧି ପାଇଁ କପାସ ଚାଷ ମଧ୍ୟ କରନ୍ତି । ଗାଁରେ ମୁଖ୍ୟତଃ ଧାନ ଚାଷ ଅଧିକ ହୁଏ। ପୂର୍ବରୁ ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଥିଲା କନ୍ଦ, ମହୁଲ, କେନ୍ଦୁ, ଚାର, ଗୁରଜି, ମାଣ୍ଡିଆ, କୋଦୋ, ସରଗିମୁଡ଼ି, କରଡ଼ି ଇତ୍ୟାଦି।
ଆମ ଗାଁରେ ପ୍ରାୟ ୩୦୦ ଏକର ଜମି ରହିଛି। ଏଥିରୁ ୨୦୦ ଏକର ଜମି ଚାଷ ପାଇଁ ଉପଯୋଗୀ ଓ ୧୦୦ ଏକର ଜମି ଅନୁପଯୋଗୀ ଅଟେ। ଗାଁର ପ୍ରାୟ ସମସ୍ତ ଲୋକ ଚାଷ କାମ ଉପରେ ନିର୍ଭର କରନ୍ତି। ଚାଷ ବ୍ୟତୀତ ଲୋକମାନେ ଜଙ୍ଗଲରୁ ଚାର, ମହୁଲ, ମହୁ, ଝୁଣା, ରେଙ୍ଗାଲ ପତ୍ର, ଚେରମୂଳ ଔଷଧ ଇତ୍ୟାଦି ସଂଗ୍ରହ କରି ବିକ୍ରୟ କରି ଜୀବିକା କରି ଚଳନ୍ତି । ଗାଁରେ
ଚାଷ କାମ ପାଇଁ ଜଳସେଚନର ବ୍ୟବସ୍ଥା ନାହିଁ। ଗାଁର ଚାଷୀମାନେ ଜଳସେଚନ ବ୍ୟବସ୍ଥାରୁ ବଞ୍ଚିତ ଅଟନ୍ତି। ଗାଁରେ ତିନି ପ୍ରକାର ପଦ୍ଧତିରେ ଚାଷ ହୁଏ – ବୁଣା ପଦ୍ଧତି, ଜଳସେଚନ ପଦ୍ଧତି ଓ ଅମଳ ପଦ୍ଧତି। ଧାନ ଚାଷରେ ପ୍ରାୟତଃ ଏହି ପଦ୍ଧତି ଗୁଡ଼ିକ ବ୍ୟବହାର ହୁଏ। ଧାନ ବୁଣି ସରିବା ପରେ ୧୦–୧୫ ଦିନ ମଧ୍ୟରେ ଜଳସେଚନ କରାଯାଏ। ପରେ ଧାନ ପାଚିଲେ ଧାନ ମେସିନ୍ରେ ମାଡ଼ି ଅମଳ କରାଯାଏ ଏବଂ ବୋରୀରେ ଭରି ସଂରକ୍ଷଣ କରାଯାଏ। ବର୍ତ୍ତମାନ ଗାଁରେ ଧାନ ସହିତ ସାଗ, ମୁଗ, ବିରି, ଝୁଡ଼ଙ୍ଗା, ମୂଳା, ପୋଟଳ, ବାଇଗଣ ଓ କିଛି ମାତ୍ରାରେ ମାଣ୍ଡିଆ ଓ ଗୁରଜି ମଧ୍ୟ ଚାଷ ହେଉଛି।
ଆମ ଗାଁ ପରିଷ୍କାର-ପରିଚ୍ଛନ୍ନ ରହେ। ଗାଁ କଲ୍ୟାଣ କମିଟି, ଆଶା ଓ ଅଙ୍ଗନବାଡ଼ି ଦିଦିମାନେ ଗାଁକୁ ପରିଷ୍କାର-ପରିଚ୍ଛନ୍ନ କରିଥାନ୍ତି, ଯାହା ଫଳରେ ଆମ ଗାଁରେ କୌଣସି ବଡ଼ ରୋଗ ସ୍ଫୁରଣ ହେବାକୁ ଦିଅନ୍ତି ନାହିଁ। ଗାଁର ଲୋକମାନେ ସବୁବେଳେ ସୁସ୍ଥ ଓ ରୋଗମୁକ୍ତ ରହନ୍ତି। ମା, ଜେଠୀମା, ମାଉସୀମାନେ ସକାଳେ ଘର-ଦ୍ୱାର ସଫା କରିଥାନ୍ତି, ଯାହା ଫଳରେ ଘର ପରିବେଶ ସଫା ରହେ ଓ ଭଲ ଲାଗେ। ଆମେ ମଧ୍ୟ ସମସ୍ତେ ନିଜ ଘର-ଦ୍ୱାର ଓ ରାସ୍ତା-ଘାଟ ସଫା କରିବାରେ ସହଯୋଗ କରୁଛୁ। ଗାଁର ଲୋକମାନେ ରାସ୍ତା-ଘାଟକୁ ଝାଡୁ ମାରି ସଫା କରନ୍ତି ଏବଂ ନାଳାର ଆବର୍ଜନାକୁ ମଧ୍ୟ ପକାଇ ଦିଅନ୍ତି। ଏହା ଫଳରେ ଗାଁ ଆହୁରି ସୁନ୍ଦର ଦେଖାଯାଏ। ଏହା ବ୍ୟତୀତ ଦଶହରା ପୂଜା, ଗଣେଶ ପୂଜା କିମ୍ବା ଗାଁରେ କୌଣସି ବଡ଼ ଅନୁଷ୍ଠାନ ବା ଯଜ୍ଞ ହେଲେ ଗାଁର ପରିବେଶ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ। ବର୍ଷା ଋତୁରେ ମଶା ଓ ମାଛିରୁ ରକ୍ଷା ପାଇବା ପାଇଁ ଗାଁର ଲୋକମାନେ ବିଭିନ୍ନ ପ୍ରତିକାର ଗ୍ରହଣ କରନ୍ତି। ନାଳା ଗୁଡ଼ିକୁ ସଫା କରନ୍ତି ଏବଂ ଖାଲ-ଖମ୍ଭାରକୁ ପୋତି ଦିଅନ୍ତି, ଯାହାଦ୍ୱାରା କୌଣସି ସ୍ଥାନରେ ମଶା ଓ ମାଛି ଅଣ୍ଡା ଦେଇପାରିବେ ନାହିଁ। ଘର-ଦ୍ୱାରରେ ଥିବା ଆବର୍ଜନା ପାଣିକୁ ବାହାରକୁ ଫିଙ୍ଗି ଦିଅନ୍ତି। ସବୁଠାରେ DDT ପକାଯାଏ, ଯାହା ଫଳରେ ମଶା-ମାଛି ନଷ୍ଟ ହୁଏ ଓ ସେମାନଙ୍କର ବଂଶ ବୃଦ୍ଧି ହେବାକୁ ଦିଅନ୍ତି ନାହିଁ। ଏହା ସହିତ ଲୋକମାନେ ମସାରୀ ବ୍ୟବହାର କରନ୍ତି ଏବଂ ମଶା ଧୂପ କାଠି ମଧ୍ୟ ବ୍ୟବହାର କରନ୍ତି। ଆଶା ଦିଦି ଗାଁକୁ ସଫା-ସୁତୁରା ରଖିବାରେ ଲୋକମାନଙ୍କୁ ବହୁତ ସହାୟତା କରନ୍ତି ଏବଂ ଗାଁ କିପରି ସୁସ୍ଥ ରହିବ ସେଥିରେ ଧ୍ୟାନ ଦିଅନ୍ତି। ଏହିପରି ଭାବରେ ବର୍ଷା ବେଳେ ମଶା-ମାଛିରୁ ରକ୍ଷା ପାଇଁ ଲୋକମାନେ ପ୍ରତିକାର ଗ୍ରହଣ କରନ୍ତି। ଗାଁରେ ପ୍ରତ୍ୟେକ ମାସର ଚତୁର୍ଥ ବୁଧବାରରେ ପ୍ରତିଷେଧକ ଟିକା ଦିଆଯାଏ। ଶିଶୁମାନଙ୍କୁ ଅର୍ଧ ମାସରେ ଥରେ ପ୍ରଥମ ଡୋଜ୍ (ପେଣ୍ଟା, ପୋଲିଓ, ଭୋଟା, IPV, PCV) ଦିଆଯାଏ। ଗାଁରେ ବର୍ତ୍ତମାନ କୌଣସି ନୂଆ ରୋଗର ପ୍ରକୋପ ଦେଖାଯାଉନାହିଁ, କିନ୍ତୁ କିଛି ମାସ ପୂର୍ବରୁ ଆଖିର ରୋଗରେ ଲୋକମାନେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗରେ ଆଖି ଦୁଇଟି ଲାଲ୍ ପଡ଼ିଯାଉଥିଲା ଏବଂ ବହୁତ କଷ୍ଟ ଦେଉଥିଲା। ଲୋକମାନେ ଡାକ୍ତରଙ୍କ ଦେଇଥିବା ଔଷଧ ବା ମଲମ ଆଖିରେ ବ୍ୟବହାର କରୁଥିଲେ, ଆଉ କେତେକ ଲୋକ ଧୂପ ମଧ୍ୟ ଦେଇଥିଲେ।
ଖାଦ୍ୟ
ଆମ ମାଆମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଅନେକ କଥା କୁହନ୍ତି । ଯେପରିକି; ନୂଆଖାଇର ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ। ପ୍ରାୟତଃ ପ୍ରତ୍ୟେକ ଘରେ ନୂଆଖାଇ ପର୍ବରେ ଆରିସା ଓ ସୁଆଁଲି ପିଠା ତିଆରି ହୋଇଥାଏ।
ଆରିସା ପିଠା:
ପ୍ରଥମେ ଜାଣିବା ଆରିସା ପିଠା ପ୍ରସ୍ତୁତି ବିଷୟରେ। ଆରିସା ପିଠା ପ୍ରସ୍ତୁତି କରିବାକୁ ପ୍ରଥମେ ଚାଉଳକୁ ପାଣିରେ ଘଣ୍ଟାଏ ବା ଦୁଇ ଘଣ୍ଟା ରଖାଯାଏ। ତା’ପରେ ତାକୁ ଗୋଟିଏ ତୁପୁଳି ବା କୁଲାରେ ରଖାଯାଏ। ସେହି ତୁପୁଳିରେ ରଖାଯାଇଥିବା ଚାଉଳକୁ ନେଇ ଢେଙ୍କିରେ କୁଟା ହୋଇଥାଏ। କୁଟା ହୋଇସାରିଲା ପରେ ତାକୁ ଚାଲଣୀରେ ଛାଣାଯାଏ ଓ ତା’ପରେ ଗୋଟିଏ ଭଲ ତୁପୁଳିରେ ରଖାଯାଏ। ତା’ପରେ ଚୁଲିରେ ନିଆ ଜଳାଇ ଗୋଟିଏ ସଫା ପାତ୍ରରେ ଅଳ୍ପ ପାଣି ଦେଇ ତା’ଭିତରେ ଚିନି ବା ଗୁଡ଼ ପକାଯାଏ। ଚିନି ପାଣି ବା ଗୁଡ଼ ପାଣି ଭଲଭାବେ ଫୁଟିଲା ପରେ ତା’ଭିତରେ ରୁଚା ହୋଇଥିବା ଚୂନାଗୁଡ଼ିକୁ ପକାଯାଏ ଏବଂ ଭଲଭାବେ ଘୋଲାଯାଏ, ଯେପରିକି ଚିନି ବା ଗୁଡ଼ ପାଣିରେ ଭଲଭାବେ ମିଶିପାରିବ। ଏହା ପରେ ତାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଆଯାଏ। ତା’ପରେ ଗୋଟିଏ ପାତ୍ରରେ ତେଲ ଚୁଲିରେ ବସାଯାଏ ଏବଂ ଯେଉଁ ଚୂନାକୁ ଚିନି ବା ଗୁଡ଼ ସହ ଘୋଲାଯାଇଥିଲା, ତାକୁ ହାତରେ ଗୋଲ ଗୋଲ କରି ଚେପଟା କରାଯାଏ ଏବଂ ତେଲରେ ଛାଣାଯାଏ। ଏହା ଥିଲା ଆରିସା ପିଠାର ପ୍ରସ୍ତୁତି ନିୟମ।
ସୁଆଁଲି ପିଠା:
ସୁଆଁଲି ପିଠା ମଧ୍ୟ ଆରିସା ପିଠା ପରି, କିନ୍ତୁ ତା’ଠାରୁ ଟିକେ ଅଲଗା ପ୍ରସ୍ତୁତି ନିୟମ ରହିଛି। ସୁଆଁଲି ପିଠା ପ୍ରସ୍ତୁତି ପାଇଁ ପ୍ରଥମେ ଚାଉଳକୁ ପାଣିରେ ଦୁଇ କିମ୍ବା ତିନି ଘଣ୍ଟା ରଖାଯାଏ। ତା’ପରେ ତାକୁ ଛାଣି ଗୋଟିଏ ଭୁଗା କିମ୍ବା ତୁପୁଳିରେ ରଖାଯାଏ। ତା’ପରେ ତାକୁ ନେଇ ଢେଙ୍କିରେ କୁଟାଯାଏ ଏବଂ କୁଟା ହୋଇସାରିଲା ପରେ ଚାଲଣୀରେ ଛାଣାଯାଏ। ଏହା ପରେ ଚୁଲି ଜଳାଇ ତା’ଉପରେ ଗୋଟିଏ ପାତ୍ରରେ ପାଣି ବସାଯାଏ ଏବଂ ସେହି ପାତ୍ରରେ ଚିନି ଓ ଅଳ୍ପ କିଛି ଲୁଣ ପକାଯାଏ, ଯେପରିକି ଚୂନାରେ ସ୍ୱାଦ ଆସିବ। ତା’ପରେ ଚୂନାକୁ ସେହି ପାଣିରେ ପକାଯାଏ ଏବଂ ଭଲଭାବେ ଘୋଲାଯାଏ, ଯେପରିକି ଚିନି ଓ ଲୁଣ ଚୂନା ସହ ଭଲଭାବେ ମିଶିପାରିବ। ତା’କୁ ଓହ୍ଲାଇ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ାଯାଏ। ତା’ପରେ ଚୁଲିରେ ତେଲ ବସାଇ ସେହି ଘୋଲାଯାଇଥିବା ଚୂନାକୁ ହାତରେ ଚେପଟା କରି ତେଲରେ ଛାଡ଼ାଯାଏ। ଏହା ଥିଲା ସୁଆଁଲି ପିଠା ପ୍ରସ୍ତୁତି ପ୍ରଣାଳୀ।
କୁନା ଚିହିରା:
କୁନା ଚିହିରା ହେଉଛି ନୂଆଖାଇର ମୁଖ୍ୟ ଖାଦ୍ୟ, କାରଣ ଏହା ନୂତନ ଧାନରୁ ତିଆରି ହୁଏ। ପ୍ରଥମେ ନୂତନ ଧାନକୁ ଆଣି ସେହି ଧାନକୁ କୁଟି ଗୋଟିଏ ଜାଗାରେ ରଖାଯାଏ ଏବଂ ତାକୁ ଭଜାଯାଏ। ଧାନ ସବୁ ଭଜାହେବା ପରେ ଟିକେ ଥଣ୍ଡା ହେବା ପାଇଁ ଛାଡ଼ାଯାଏ। ଏହା ପରେ ତାକୁ ସିଲାରେ ବା କୁଟାନୀରେ କୁଟାଯାଏ। ଏହିଭଳି ଭାବରେ ଆମର ନୂଆଖାଇ ଖାଦ୍ୟ ପ୍ରସ୍ତୁତ କରାଯାଏ। ଆଜିକାଲିର ଝିଅ ଓ ବହୁମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ କେହି କେହି ଜାଣନ୍ତି, ଆଉ କେହି ଜାଣନ୍ତି ନାହିଁ। କେତେକ ବହୁମାନେ ନୂଆଖାଇର ସୁଆଁଲି, ଆରିସା, ଚକୁଳି ଇତ୍ୟାଦି ପ୍ରସ୍ତୁତି ଜାଣନ୍ତି, କିନ୍ତୁ ଅନ୍ୟ କେତେକ ବହୁମାନେ ଏହି ସବୁ ପାରମ୍ପରିକ ଖାଦ୍ୟ ବିଷୟରେ ଭଲଭାବେ ଜାଣନ୍ତି ନାହିଁ। ସେହିପରି ସେମାନେ ପୁରୁଣା ସମୟର ଦୁକେଇ ପିଠା ପ୍ରସ୍ତୁତି ବିଷୟରେ ମଧ୍ୟ ଜାଣନ୍ତି ନାହିଁ।
ସମସ୍ୟା:
ଗାଁର ଲୋକମାନଙ୍କର ବର୍ତ୍ତମାନ ବହୁତ ପ୍ରକାର ଅସୁବିଧା ରହିଛି। ଗାଁ ଲୋକଙ୍କର ଏକ ସ୍କୁଲର ଅଭାବ ରହିଛି । ଯାହା ଫଳରେ କି ଗାଁର ବହୁତ ପିଲା ପାଠ ନପଢି ବେକାର ହୋଇ ବୁଲୁଛନ୍ତି । ଗାଁରେ ଡାକ୍ତରଖାନାର ଅସୁବିଧା ଅଛି । ଲୋକମାନଙ୍କର ସ୍ୱାସ୍ଥ୍ୟ ଖରାପ ହେଲେ ୧୦ କିଲୋମିଟର ଯାଇ ଚିକିତ୍ସା ହେଉଛନ୍ତି । କିଛି ଲୋକ ଅର୍ଥ ଅଭାବ ଯୋଗୁଁ ଡାକ୍ତରଖାନା ନଯାଇ ବଟିକା ଖାଇ ରହିଯାଆନ୍ତି । ଗାଁରେ ପାଣିର ଅସୁବିଧା ରହିଛି, ଯାହାଦ୍ୱାରା ଲୋକେ ବହୁତ କଷ୍ଟ ଭୋଗ କରୁଛନ୍ତି । ଗାଁର କିଛି ଲୋକ ଘର ନପାଇ ଅସୁବିଧା ଭୋଗ କରୁଛନ୍ତି । ବର୍ଷ ଦିନେ ଓଦା ଘରେ ଶୋଇପଡ଼ୁଛନ୍ତି । ଗାଁରେ ନଳକୁପର ଅସୁବିଧା ରହିଛି । ବେଳେବେଳେ ନଳକୁପରୁ ପାଣି ବାହାରି ନଥାଏ । ଯାହାଦ୍ୱାରା ଲୋକେ ବହୁତ କଷ୍ଟ ଭୋଗ କରନ୍ତି ।
ଆମ ଗାଁରେ ପ୍ରାୟ ୮୦ ଜଣରୁ ଅଧିକ ଲୋକ କାମ ନ ମିଳିବାରୁ ବାହାରକୁ ପ୍ରବାସ କରୁଛନ୍ତି। ସେମାନେ ଗାଁ ଛାଡ଼ି ଅନ୍ୟ ରାଜ୍ୟକୁ ଯାଇ ସେଠାରେ ବିଭିନ୍ନ କମ୍ପାନୀରେ କାମ କରୁଛନ୍ତି ଏବଂ ଘରକୁ ଚାଷ ପାଇଁ ଟଙ୍କା ପଠାଉଛନ୍ତି। ଏହା ଫଳରେ ସେମାନେ ପଠାଇଥିବା ଟଙ୍କାରେ ଘରେ ଥିବା ଲୋକମାନେ ଚାଷ ପାଇଁ ଔଷଧ ଓ ସାର କିଣିପାରୁଛନ୍ତି, ଯାହା ଫଳରେ ଚାଷ ହେଉଛି। କିନ୍ତୁ ଏହାର ଏକ ଅସୁବିଧା ହେଲା, ସେମାନେ ଦୀର୍ଘ ସମୟ ଧରି କମ୍ପାନୀରେ ରହିବାରୁ ନିଜ ଗାଁର ପାରମ୍ପରିକ ଚାଷ କାମକୁ ଧୀରେ ଧୀରେ ଭୁଲିଯାଉଛନ୍ତି।
