ଜୀବନ୍ତ ଅଭିଲେଖାଗାର

Swayamprava Parhi (Chief Editor)
48 Views
7 Min Read

ଆଜି ବି ନିଆଳି ଅଞ୍ଚଳ ଦେଇ ପ୍ରାଚୀ ନଦୀ ଚୁପଚାପ ହୋଇ ବହିଚାଲିଛି। ଯଦିଓ ତା ଦେହର ପାଣି କେବେଠାରୁ ଶୁଖି ଶୁଖି ଗଲାଣି । ନଦୀର ଗୋଟେପଟେ ନିଆଳି ଓ ଆରପଟେ ନରିଶୋ ଗ୍ରାମ ପୂର୍ବପରି ଇତିହାସର ମୁକ ସାକ୍ଷୀ ହୋଇ ଦଣ୍ଡାୟମାନ ।  ଆଜି ବି ସେହି ଅଞ୍ଚଳରେ ଘର ଅଛି, ଗଛ ଅଛି, ଚାଷ ଜମି ଅଛି, ବଜାର ଅଛି, ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ର ବି ଅଛି । କିନ୍ତୁ ଯେଉଁ ମଣିଷ ଜଣକ ସେହି ମାଟି ଓ ସମାଜ ଭିତରୁ ଶତଶତ ବର୍ଷର ପାରମ୍ପାରିକ ଜ୍ଞାନକୁ ସଂଗ୍ରହକରି ଉପକୂଳ ଓଡ଼ିଶାର ସଂସ୍କୃତିକୁ ଜୀବନ୍ତ ଅଭିଲେଖାଗାରରେ ପରିଣତ କରିଥିଲେ, ସେ ଆଉ ନାହାନ୍ତି । ଜୈବ ଚାଷୀ, ଅବସରପ୍ରାପ୍ତ ଶିକ୍ଷକ ଓ ଓଡ଼ିଶାର ଏକ ଜୀବନ୍ତ ଜ୍ଞାନର ଭଣ୍ଡାର ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ, ଆମ ଗହଣରୁ ବିଦାୟ ନେଇଛନ୍ତି। ତାଙ୍କ ଚାଲିଯିବା ଅଗଣିତ ଚାଷୀ, ଛାତ୍ର, ଗବେଷକ ଓ ସଂସ୍କୃତି ପ୍ରେମୀଙ୍କ ମନରେ ଯେଉଁ ଶୂନ୍ୟତା ସୃଷ୍ଟି କରିଛି, ତାହା ଭରଣ ହେବା ସମ୍ଭବ ନୁହେଁ ।

ଅବିଭକ୍ତ ପୁରୀ ଜିଲ୍ଲାର ନିଆଳି ନିକଟରେ ବହିଯାଇଥିବା ପ୍ରାଚୀ ନଦୀ କୂଳରେ ନରିଶୋ ଗ୍ରାମ । ଏହି ଗ୍ରାମ ତାଙ୍କର ଜନ୍ମ ଭୂମି, କର୍ମ ଭୂମି, ଚିନ୍ତା ଓ ଚେତନା ବିତରଣର ଭୂମି। ୧୯୯୨ ମସିହାରେ ନିଆଳି ହାଇସ୍କୁଲରୁ ଶିକ୍ଷକ ଜୀବନ ଶେଷ ହେଲା ବେଳକୁ ଆଉ ଏକ ଜୀବନ ସ୍ଵୟଂ ଜନ୍ମ ନେଲା । ତାଙ୍କର ଅସଂଖ୍ୟ ଛାତ୍ରଛାତ୍ରୀମାନଙ୍କ ମତରେ ସାରଙ୍କର ଜୀବନ ଯାତ୍ରାର ଏହା ଥିଲା ଆଉ ଏକ ପର୍ବ। ଯେଉଁଠାରୁ ମଣିଷ ଅବସର ନିଏ ସେଠାରୁ ସେ ନିଜର ଯାତ୍ରା ଆରମ୍ଭ କରିଥିଲେ । ୧୯୯୩-୯୪ ବେଳକୁ ନୂଆ ବିହନ ସିଆର – ୧୦୯ (ସାବିତ୍ରୀ) ବାହାରିଥାଏ । ପ୍ରଥମେ ଅଭିଜ୍ଞତା ନେଲେ ହାଇବ୍ରୀଡ଼ ଚାଷର । ସାର ଓ ଖର୍ଚ୍ଚବାର୍ଚ ବହୁତ । ବ୍ୟସ୍ତ ହୋଇ ଫେରିଲେ ତାଙ୍କ ବାପାଙ୍କ ସହିତ ପିଲାଦିନେ କରୁଥିବା ପାରମ୍ପାରିକ ଚାଷକୁ । ଗାଈ ଗୋବର, ମୂତ, ଖତ ପ୍ରୟୋଗ କରି ଚାଷ । ତାଙ୍କ ବଡ଼ ପୁଅ ରାଜେନ୍ଦ୍ର ଷଡ଼ଙ୍ଗୀ ସେତେବେଳେ ପ୍ରେରଣା ଦେଲେ ଦେଶୀ ବିହନରେ ପାରମ୍ପରିକ ଚାଷ କରିବା ପାଇଁ । ସେହିଠାରୁ ଦେଶୀ ବିହନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଲା। ଗାଁ ଗାଁ ବୁଲି, ଚାଷୀମାନଙ୍କ ବିଲ, ଖଳା ଓ ବାଡ଼ି ଘୁରି ବୁଲିଲେ, ସେ ଓ ତାଙ୍କ ଯୁବ ସହଯୋଗୀ ଯୁବରାଜ । ଧୀରେ ଧୀରେ ତାଙ୍କ ପାଖରେ ଗଢ଼ି ଉଠିଲା ଦେଶୀ ବିହନର ଭଣ୍ଡାର । ୭୦୦ ରୁ ଅଧିକ ଦେଶୀ ଧାନ ବିହନ ସଂଗ୍ରହ କରି ତାକୁ ନିଜ ବିଲରେ ଚାଷ କଲେ ଓ ବଞ୍ଚେଇ ରଖିଲେ । ତାଙ୍କ ପାଖରେ ଥିଲା ପ୍ରତ୍ୟେକ ଧାନ ପଛର ଗୋଟିଏ କାହାଣୀ, ଗୋଟିଏ ଇତିହାସ, ଗୋଟିଏ ଜୀବନ । ଯେଉଁ କାହାଣୀ ଗୁଡ଼ିକ ଓ ଯେଉଁ ଧାନ ବିହନ ଗୁଡ଼ିକ ତାଙ୍କ ଜୀବନ୍ତ ଅଭିଲେଖାଗାରର ଅଂଶ ହୋଇ ଆଜି ରହିଛନ୍ତି । ତାଙ୍କ କାହାଣୀର ନିଆରା ଗୁଣ ହେଲା ସେଥିରେ ସେ ଇତିହାସକୁ ବର୍ତ୍ତମାନ ସହିତ ତୁଳନା କରି ଏକ ଗୁଣାତ୍ମକ ରୂପଦେଇ ଉପସ୍ଥାପନ କରନ୍ତି । ଯାହାକୁ ବୁଝିବା ଅତି ସରଳ ହୋଇଥାଏ ଓ ପ୍ରଭାବ ମଧ୍ୟ ପକାଏ ।

ଥରେ ଧାନ ବିହନ ସମ୍ପର୍କରେ ଆଲୋଚନା ସମୟରେ ପଚାରିଥିଲୁ ଯେ, ଆପଣ ୭୦୦ ଧାନ ବିହନ ଭିତରୁ କେଉଁଟିକୁ ସବୁଠାରୁ ଅଧିକ ଭଲ କହିବେ? ସେ ହସିଦେଇ ଉତ୍ତର ଦେଲେ ବାପା ମା’ ନିଜ ପିଲାଙ୍କ ଭିତରୁ କାହାକୁ ଅଧିକ ଭଲ ପାଉଛନ୍ତି କହି ପାରିବେ କି ? ମୋ ପାଇଁ ୭୦୦ ଧାନ ବିହନ ମୋ ନିଜ ପିଲାଙ୍କ ପରି। ସମସ୍ତେ ମୋ ପାଇଁ ସମାନ। ସବୁ ଧାନର ନିଜ ନିଜର ବିଶେଷ ଗୁଣ ଅଛି। ତାଙ୍କ କଥାରୁ ସେଦିନ ବାରି ହେଉଥିଲା ସେ କେମିତି ପ୍ରତ୍ୟେକ ଧାନ ବିହନକୁ ଗଭୀର ଭାବରେ ଶ୍ରଦ୍ଧା କରୁଛନ୍ତି । ଏ ଉତ୍ତର ସାଧାରଣ ନଥିଲା । ଆମେ ସେଦିନ ବୁଝିଲୁ ଯେ, ନଟବର ଷଡ଼ଙ୍ଗୀ ଜଣେ ସାଧାରଣ ଚାଷୀ କିମ୍ବା ବିହନ ସଂରକ୍ଷକ ନୁହନ୍ତି, ସେ ଜଣେ ଗଭୀର ମାଟି ମନସ୍କ ଚିନ୍ତାଶୀଳ ହୃଦୟର ମଣିଷ । ସେଥିପାଇଁ ସେ ନିଜ ବଡ଼ ପୁଅ ରାଜେନ୍ଦ୍ରଙ୍କ ଅକାଳ ବିୟୋଗ ପରେ ୭୨ ବର୍ଷ ବୟସରେ ଅଣ୍ଟା ଭିଡ଼ି ପ୍ରତିଷ୍ଠା କଲେ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର । ବଡ଼ ପୁଅ ନାଁରେ, ଏହି ଗବେଷଣା କେନ୍ଦ୍ର ନାମିତ ହେଲା ଓ ପୁଅର ସ୍ଵପ୍ନଙ୍କୁ  ଆଗକୁ ନେବାପାଇଁ ବାପା ଉଦ୍ୟମ ଆରମ୍ଭ କଲେ । ଏହା ଥିଲା ସେତେବେଳେ ଆମ ଆଗରେ ଏକ ଅଦ୍ଭୁତ ଉଦାହରଣ । ପୁତ୍ର ଶୋକରେ ସେ ଭାଙ୍ଗି ନପଡ଼ି ଚାଷୀ ଓ ଚାଷକୁ ବଞ୍ଚେଇବା ପାଇଁ ପଣ ନେଲେ । ବଞ୍ଚିଥିବା ଯାଏଁ ସେ ସେହି ସ୍ଵପ୍ନକୁ ଆଗେଇ ନେବାରେ ବ୍ରତୀ ଥିଲେ । ନଟବର ଷଡ଼ଙ୍ଗୀ ଚାଷୀର ନିଜ ବିହନ ଉପରେ ସାର୍ବଭୌମ ଅଧିକାର, ବହୁ ରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା ଜମିର ଶୋଷଣ, ଜଳ ଓ ମାଟିର ସଂରକ୍ଷଣ, ଏ ସବୁ ବିଷୟରେ ବାରମ୍ବାର ନିର୍ଭୀକ ଭାବେ ମତ ରଖୁଥିଲେ । ଏହାସହିତ ହଜାର ହଜାର ଚାଷୀଙ୍କ ଭିତରେ ଚେତନା ଜାଗରଣ ପାଇଁ ଶେଷ ନିଶ୍ଵାସ ଥିବାଯାଏ ଆପ୍ରାଣ ଉଦ୍ୟମ କରିଥିଲେ । ତାଙ୍କର ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ଡାକରା ଥିଲା – ଯିଏ ଚାଷ କରିବ ତା’ ଓଳିଆରେ ବିହନ ରହିବ । କମ୍ପାନୀ ଚାଷ ସର୍ବନାଶ।

ସମଧ୍ୱନି ପ୍ରିଣ୍ଟ୍ ପତ୍ରିକାରେ ୨୦୧୮ ମସିହାରୁ ସେ ଲେଖିବା ଆରମ୍ଭ କରିଥିଲେ । ୨୦୨୬ ମସିହା ଭିତରେ ତାଙ୍କର ୨୫ ଟି ଲେଖା ପ୍ରକାଶ ପାଇସାରିଛି। ଲୋକ ନୃତ୍ୟ ଠାରୁ ଦଳିତ ଘରର ରୋଷେଇର ଇତିହାସ ଯାଏ, ଯୋଗୀ ସଙ୍ଗୀତ ଠାରୁ ହିନ୍ଦୁ ମୁସ୍‌ଲିମ ଭାଇଚାରା ଯାଏ, ଅକ୍ଷୟ ତୃତୀୟା ଓ କୃଷି ସଂସ୍କୃତି ଠାରୁ ପଚାଶ ବର୍ଷ ତଳର ଗାଁର ବିବାହ ଉତ୍ସବ ଯାଏ – ତାଙ୍କ ଲେଖା ଉପକୂଳ ଓଡ଼ିଶାର କୃଷି ସଂସ୍କୃତି ଓ ଖାଦ୍ୟର ଏକ ଜୀବନ୍ତ ଅଭିଲେଖାଗାର । ମୃତ୍ୟୁ ହେବାର ସାତଦିନ ପୂର୍ବରୁ ସେ ମକର ସଙ୍କ୍ରାନ୍ତି ବିଷୟରେ ଆମ ସହିତ ପଡ଼କାଷ୍ଟ କରିଥିଲେ । ବିଷୁବ ସଙ୍କ୍ରାନ୍ତି ଉପରେ ଆଲୋଚନା କରିବାପାଇଁ ଆମକୁ ଡାକୁଥିଲେ । ଏହି ଆଲୋଚନା ଅପୂରଣୀୟ ରହିଗଲା । ସବୁଠୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା ତାଙ୍କ ଲେଖାର ସ୍ଵତନ୍ତ୍ର ଶୈଳୀ। ସଂସ୍କୃତ ସ୍ତୋତ୍ରର ଢ଼ଙ୍ଗରେ ସ୍ଥାନୀୟ ଭାଷାରେ ବ୍ୟଙ୍ଗ ମିଶାଇ ଉପସ୍ଥାପନ କରିବା । ଅତଃ ଗେଣ୍ଡା ମାହାତ୍ମ୍ୟ ବର୍ଣ୍ଣନଂ, ଅତଃ ଡାଲମା ମାହାତ୍ମ୍ୟ ବର୍ଣ୍ଣନଂ ଭଳି କାହାଣୀ ଶୀର୍ଷକ ଗୁଡ଼ିକ ବ୍ୟଙ୍ଗ ମିଶ୍ରିତ ସ୍ଥାନୀୟ ଖାଦ୍ୟ ସଂସ୍କୃତି, ଓ ପାରମ୍ପରିକ ଜ୍ଞାନର ଶ୍ରେଷ୍ଠ ଉଦାହରଣ । ସମଧ୍ୱନିର ଆଲୋଚନା ପଡ଼କାଷ୍ଟ ଗୁଡ଼ିକ ଏ ଦୃଷ୍ଟିରୁ ଏକ ଅମୂଲ୍ୟ ଅଭିଲେଖାଗାର । ଆମ ସହିତ ତାଙ୍କର ଧାରାବାହିକ ଆଲୋଚନା ଓଡ଼ିଶାର ଏକ ସଂପୂର୍ଣ୍ଣ ଋତୁ ଚକ୍ରକୁ ପ୍ରକାଶ କରେ – ମକର ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଗହ୍ମା ପୂର୍ଣ୍ଣିମା, ଚିତଉ ଅମାବାସ୍ୟା, ଗର୍ଭଣା ସଂକ୍ରାନ୍ତି, ଦୁର୍ଗାପୂଜା, ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା, ଦୋଳ ଯାତ୍ରା, ଓଡ଼ିଶାର ଖାଦ୍ୟ ଓ କୃଷି ସଂସ୍କୃତିରେ ନାରୀ ମାନଙ୍କ ଅବଦାନ ଉପରେ ତାଙ୍କ ଆଲୋଚନା ବିଶେଷ ଭାବରେ ଉଲ୍ଲେଖ ଯୋଗ୍ୟ। ଏହି ଆଲୋଚନା ଗୁଡ଼ିକ ଏବେ ଡ଼ିଜ଼ିଟାଲ ଅଭିଲେଖ ଭାବେ ଆମ ପାଖରେ ସୁରକ୍ଷିତ ଅଛି । ଆପଣ ଚାହିଁଲେ ଏ ଗୁଡ଼ିକ ସମଧ୍ଵନି ୱେବ ପୃଷ୍ଠାରେ  (www.samadhwani.com)  ଶୁଣିପାରିବେ ।  ସମଧ୍ଵନୀର ୨୦ ବର୍ଷ ପୂର୍ତ୍ତି ଅବସରରେ ସେ ସମଧ୍ୱନି ସମ୍ପର୍କରେ ଯେଉଁ ବାର୍ତ୍ତା ପଠେଇଥିଲେ ତାହା ଆଜି ଆହୁରି ଅଧିକ ମୁଲ୍ୟବାନ ମନେହୁଏ । ଓଡ଼ିଶାର କଳା, ନୃତ୍ୟ, ନାଟକ, ଖାଦ୍ୟ ସଂସ୍କୃତି, ହିନ୍ଦୁ ମୁସ୍‌ଲିମଙ୍କ ଭିତରେ ରହିଥିବା ସଂପ୍ରୀତି, ନାରୀମାନଙ୍କର ସଂସ୍କୃତିକୁ ଅବଦାନ, କୃଷି ଓ ଦଳିତ ମୁକ୍ତି ଆଦି ବିଷୟ ଯେ, ସମଧ୍ଵନିରେ ଗୋଟିଏ ସ୍ଥାନରେ ଆଲୋଚନା ହୋଇପାରୁଛି, ଏହା ତାଙ୍କପାଇଁ ଗଭୀର ଆଗ୍ରହର ବିଷୟ ଥିଲା । ସେ କହିଥିଲେ, ମୁଁ ପତ୍ରିକାର ଦୀର୍ଘ ଜୀବନ କାମନା ନ କରି ରହିପାରୁ ନାହିଁ । ତାଙ୍କ ବିୟୋଗ ସମଧ୍ୱନି ପାଇଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ତାକୁ ପୂରଣ କରିବା ହୁଏତ ସମ୍ଭବ ନୁହେଁ । ତଥାପି ତାଙ୍କର ଅନେକ ଲେଖା ଓ ଆଲୋଚନାର ଅଡ଼ିଓ-ଭିଡ଼ିଓ ଆମ ପାଖରେ ମହଜୁଦ  ଅଛି ଯାହା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ । ଏହି ସଂଖ୍ୟାରେ ତାଙ୍କର ଏକ ପ୍ରିୟ ଲେଖା “ଅତଃ ଡାଲମା ମାହାତ୍ମ୍ୟ ବର୍ଣ୍ଣନଂ”କୁ ଆପଣ ପଢ଼ନ୍ତୁ ଓ ତାଙ୍କର ବ୍ୟଙ୍ଗ ମିଶ୍ରିତ ଲୋକ ସଂସ୍କୃତିକୁ ପ୍ରକାଶ କରିବାର ଅନନ୍ୟ ଶୈଳୀକୁ ଅନୁଭବ କରନ୍ତୁ।

Samadhwani Support us
Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.