Home / ଇତିହାସ / ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଗୋପବନ୍ଧୁ ଦାଶ

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଗୋପବନ୍ଧୁ ଦାଶ

।। ୩ ।।
ଊନବିଂଶ ଶତାବ୍ଦୀର ଓଡ଼ିଆଭାଷା ସୁରକ୍ଷା ଆନ୍ଦୋଳନରୁ ବିଂଶଶତକରେ ଓଡ଼ିଆଭାଷୀ ଅଞ୍ଚଳ ଗୁଡ଼ିକର ଏକ ଶାସନାଧୀନ କରିବା କଥା ଚିନ୍ତା କରାଯାଇଥିଲା । ଏହାର ପରବର୍ତ୍ତୀ କାର୍ଯ୍ୟ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ । ବଙ୍ଗଳା, ମଧ୍ୟପ୍ରଦେଶ, ବିହାର, ମାନ୍ଦ୍ରାଜ ପ୍ରଭୃତି ସହିତ ଓଡ଼ିଆଭାଷୀ ଅଞ୍ଚଳ ମିଶ୍ରିତ ରହିବାରୁ ଶାସନଗତ ଅସୁବିଧା ହେଉଥିଲା । ପୁଣି ଏହାଦ୍ୱାରା ଓଡ଼ିଆଭାଷୀ ଲୋକମାନଙ୍କର ଅଗ୍ରଗତି ଅସମ୍ଭବ ଥିଲା । ସମସ୍ତ ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନ କରିବା ପାଇଁ ଉତ୍କଳ ଦୀପିକା, ସମ୍ବାଦ ବାହିକା, ସମ୍ବଲପୁର ହିତୈଷିଣୀ, ପ୍ରଜାବନ୍ଧୁ, ଆଶା ପରି ସମ୍ବାଦପତ୍ରମାନଙ୍କରେ ବହୁପ୍ରକାର ଆଲୋଚନା ପ୍ରକାଶ ପାଇଥିଲା।

ପ୍ରାଥମିକ ପର୍ଯ୍ୟାୟରେ ଉତ୍କଳସଭା ମାଧ୍ୟମରେ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ଏକ ଶାସନାଧୀନ ରହିବା ପ୍ରସଙ୍ଗ ପ୍ରସାରିତ ହୋଇଥିଲା ଏବଂ ପରେ ୧୯୦୩ ଠାରୁ ଉତ୍କଳ ସମ୍ମିଳନୀ ଏହି କାର୍ଯ୍ୟ ଗୁରୁତ୍ୱର ସହିତ ବିଚାର କରିଥିଲେ । ଏ ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସ ବିଶେଷ ସ୍ମରଣୀୟ ।

ମଧୁସୂଦନ ବଙ୍ଗଳା ସହିତ ସମସ୍ତ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ମିଶାଇବା ପାଇଁ ୧୯୦୪ରେ ମିଶ୍ନାରୀ ହୋୱେଲଙ୍କୁ ଉତ୍କଳସଭା ତରଫରୁ ପ୍ରସ୍ତାବ ଦେଇଥିଲେ । ସେତେବେଳେ ଗୋକୁଳାନନ୍ଦ ଚୌଧୁରୀ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ କେନ୍ଦ୍ରପ୍ରଦେଶ ସହିତ ସଂଯୁକ୍ତ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।

କିନ୍ତୁ ବହୁ ବିତର୍କ ପରେ ସେ ସମ୍ପୂର୍ଣ୍ଣ ଭାବରେ ମଧୁସୂଦନଙ୍କ ମତକୁ ଗ୍ରହଣ କରିନେଲେ । ଉତ୍କଳସଭାର କର୍ମ ପରିସର ପ୍ରସାରିତ ହୋଇପାରିଲା ନାହିଁ । ତଥାପି ଏହି ସଭା ମାଧ୍ୟମରେ ମଧୁସୂଦନ ସମ୍ବଲପୁରରେ ଓଡ଼ିଆଭାଷା ସୁରକ୍ଷା ଆନ୍ଦୋଳନ କରାଇ ୧୯୦୨ ଜାନୁଆରୀ ୧ତାରିଖରେ ସମ୍ବଲପୁରର କୋର୍ଟକଚେରୀ ମାନଙ୍କରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ କରାଇବାରେ ସଫଳ ହୋଇଥିଲେ ।

କିନ୍ତୁ ଏହି ସଭାଠାରୁ ଅଧିକ ଶକ୍ତିଶାଳୀ ଜନମତ ବହନ କରୁଥିବା କଥା ଏକ ଅନୁଷ୍ଠାନର ଆବଶ୍ୟକତା ସେ ସେତେବେଳେ ଅନୁଭବ କରିଥିଲେ।

ଏହାର ନୂତନ ରୂପ ଥିଲା ଉତ୍କଳସମ୍ମିଳନୀ । ୧୯୦୩ ଡିସେମ୍ବରମାସରେ ଆରମ୍ଭ ହୋଇଥିବା ଉତ୍କଳ ସମ୍ମିଳନୀ ଗଠନରେ ମଧୁସୂଦନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗୋଟିଏ ଦୃଷ୍ଟିକୋଣରୁ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ସହଯୋଗରେ, ମଥୁରୀ ସାହୁ (ନିମଖଣ୍ଡି ସାହୁକାର)ଙ୍କ ବ୍ୟୟରେ ବ୍ରହ୍ମପୁର ପରେ ଓଡ଼ିଆ ଜାତୀୟ ସମିତି ୧୯୦୩ରେ ହୋଇଥିଲା ।

ଏହାର ପ୍ରଥମ ଅଧିବେଶନ ୧୯୦୨ରେ ରମ୍ଭା ଠାରେ ହୋଇଥିଲା । ଏହି ଜାତୀୟ ସମିତିରେ ମଧୁସୂଦନ ଯୋଗଦାନ କରି ଏହିପରି ଏକ ବିଶାଳ ଓଡ଼ିଆ ମଞ୍ଚ ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ । ଏଥିରେ କନିକା ରାଜା ସହଯୋଗ କରିଥିଲେ । ଏହାକୁ ଉତ୍କଳ ସମ୍ମିଳନୀ ବୋଲି କୁହାଯାଇଥିଲା ।

୧୯୦୩ ଡିସେମ୍ବର ୩୦ ଏବଂ ୩୧ରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ମୟୂରଭଞ୍ଜ ମହାରାଜା ରାମଚନ୍ଦ୍ର ଭଞ୍ଜଙ୍କ ସଭାପତିତ୍ୱରେ ହୋଇ ଓଡ଼ିଆମାନଙ୍କର ଐକ୍ୟ ଓ ସାଂସ୍କୃତିକ ବୈଶିଷ୍ଟ୍ୟ ପରିପ୍ରକାଶ ହୋଇଥିଲା । ଓଡ଼ିଆ -ଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଉତ୍କଳ ସମ୍ମିଳନୀ ବିଭିନ୍ନ ଅଧିବେଶନ ମାନଙ୍କରେ ନାନାପ୍ରକାର ପ୍ରସ୍ତାବ ଆଗତ କରିଥିଲେ ଏବଂ ସଭାପତିମାନଙ୍କର ଦୀର୍ଘ ଭାଷଣରେ ସେସବୁ ସମ୍ପର୍କରେ ବିସ୍ତାରିତ ଚର୍ଚ୍ଚା କରାଯାଇ ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା।

ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣର ପ୍ରଥମ ସଫଳ ପଦକ୍ଷେପ ସମ୍ବଲପୁର କେନ୍ଦ୍ରାଞ୍ଚଳରୁ ଆସି ଓଡ଼ିଶା ସହିତ ୧୯୦୫ରେ ମିଶ୍ରଣ । ଏହାକୁ ଓଡ଼ିଆମାନେ ଏକ ଅବିସ୍ମରଣୀୟ ଘଟଣା ରୂପେ ଗ୍ରହଣ କରିଛନ୍ତି । ଭାଷାସୂତ୍ରରେ ଓଡ଼ିଶା ପ୍ରଦେଶ ଗଠନର ଏହା ଥିଲା ପ୍ରଥମ ଭିତ୍ତିଭୂମି ।

ଉତ୍କଳ ସମ୍ମିଳନୀ ମାଧ୍ୟମରେ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ୧୯୦୩ରୁ ୧୯୧୮ମଧ୍ୟରେ ବହୁ ନିବେଦନ-ଆବେଦନ କରାଯାଇଥିଲା । ଏଥିପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କର୍ମୀ ଓ ସଙ୍ଗଠକମାନେ ନାନା ପ୍ରକାର ଆଲୋଚନା ‘ଉତ୍କଳ ଦୀପିକା’ ଓ ‘ଆଶା’ସମ୍ବାଦପତ୍ରରେ ପ୍ରକାଶ କରି ଓଡ଼ିଆ ଅସ୍ମିତାକୁ ଭାରତୀୟ ଦୃଷ୍ଟିକୁ ଆଣିଥିଲେ । ଉତ୍କଳର ବିଭିନ୍ନ ଅଂଶକୁ ଅନ୍ୟପ୍ରଦେଶରେ ଯୋଡ଼ି ଓଡ଼ିଆଙ୍କ ଆତ୍ମଚେତନା ଓ ଜାତୀୟତା ଲୋପ କରିବା ପାଇଁ ସେତେବେଳେ ପ୍ରବଳ ଉଦ୍ୟମ ହୋଇଥିଲା ।

୧୯୧୨ ରେ ବିହାରକୁ ବଙ୍ଗ ପ୍ରେସିଡେନ୍ସୀରୁ ଅଲଗା କଲାବେଳେ ଓଡ଼ିଶାର ଦାବୀ ଗୃହୀତ ହେବବୋଲି ଆଶା କରାଯାଇଥିଲା । ମାତ୍ର ବିହାର ଓଡ଼ିଶାକୁ ଏକ ପରିଣତ କରାଗଲା ଏବଂ ଓଡ଼ିଆଙ୍କର ସ୍ୱତନ୍ତ୍ର ଅସ୍ତିତ୍ୱ ଉପରେ ଧକ୍କା ଦିଆଗଲା । ବଙ୍ଗ ପ୍ରେସିଡେନ୍ସୀ ହୋଇଥିଲା ବେଳେ ମେଦିନପୁର ଜିଲ୍ଲାକୁ କଟକ କମିଶନରଙ୍କ ଅଧୀନରେ ରଖାଯାଇଥିଲା । ପାଞ୍ଚଲକ୍ଷ ଓଡ଼ିଆ ମେଦିନପୁରରେ ଥିଲେ ।

କିନ୍ତୁ ଯେତେବେଳେ କଟକ କମିଶନରଙ୍କଠାରୁ ମେଦିନପୁରକୁ ଅଲଗା କରି ବର୍ଦ୍ଧମାନ କମିଶନରଙ୍କ ଅଧୀନରେ ରଖାଗଲା, ସେହିଦିନୁ ମେଦିନପୁରରୁ ଓଡ଼ିଆ ସତ୍ତା ଲୋପ ଆରମ୍ଭ ହୋଇଗଲା ।
୧୯୧୨ରୁ ୧୯୧୮ ଭିତରେ ଉତ୍କଳ ସମ୍ମିଳନୀ ଏକ ଅସ୍ଥିର ପଦରେ ଗତି କରିଥିବାର ଦେଖିବାକୁ ମିଳେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ଏହାର ପ୍ରଧାନ ଲକ୍ଷ୍ୟ ଥିଲେ ହେଁ ଏ ମିଶ୍ରଣ କେଉଁ ଉପାୟରେ ହୋଇପାରିବ । ସେ ବିଷୟରେ ଆଶାନୁରୂପ ସିଦ୍ଧାନ୍ତରେ ସମ୍ମିଳନୀ ପହଞ୍ଚିପାରିଲା ନାହିଁ ।

ଏହାରି ଭିତରେ ଆସିଲା ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪) । ଭାରତୀୟ ନେତୃବୃନ୍ଦ ବ୍ରିଟିଶ ଠାରୁ ଚାହିଁଲେ ସ୍ୱାୟତ୍ତ ଶାସନ । ଓଡ଼ିଶା ଅପେକ୍ଷା କଲା ଦେଶମିଶ୍ରଣ । ଉଭୟ କିନ୍ତୁ ମଣ୍ଟେଗୁ ବିଲ୍ ଦେଖି ନିରାଶ ହେଲେ । ମଣ୍ଟେଗୁ ଚେମସ୍ଫୋର୍ଡଙ୍କ ଶାସନ ସଂସ୍କାର ପ୍ରସ୍ତାବ (୨୨-୪-୧୯୧୮)ବିଚାର କରିବା ପାଇଁ ମଧୁସୂଦନଙ୍କ ସଭାପତିତ୍ୱରେ ସମ୍ମିଳନୀର ଏକ ବିଶେଷ ଅଧିବେଶନ ହୋଇଥିଲା ।

ମଣ୍ଟେଗୁ ରିପୋର୍ଟରେ ଥିଲା – In Orissa and Berar, at all events it seems to us that the possibility of instituting sub-provinces need not be excluded from consideration at very early date.
ସମ୍ମିଳନୀର ଏ ଅଧିବେଶନ ଯେ ସମ୍ପୂର୍ଣ୍ଣ ରୂପେ ରାଜନୈତିକ,ଏଥିରେ ଆଉ ମତଦ୍ୱୈଧ ହୋଇନପାରେ । ଏହି ସମ୍ମିଳନୀରେ ପ୍ରଥମଥର ଭାରତୀୟ ରାଜନୈତିକ ସମସ୍ୟା ପ୍ରବେଶ କରି ଓଡ଼ିଆ ଦେଶମିଶ୍ରଣ ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଥିଲା । ଓଡ଼ିଶାର ନିଜର ବହୁ ଅଭାବ ଅଭିଯୋଗ ଅସୁବିଧା ଥିଲା ।

ଏକଥାକୁ ଉପଲବ୍ଧି କରି ମଧ୍ୟ ଗୋପବନ୍ଧୁ ଦାଶ ସତ୍ୟବାଦୀ ପତ୍ରିକା ୧୯୧୮ଜୁନ୍ – ଜୁଲାଇ ସଂଖ୍ୟାରେ ଲେଖିଥିଲେ – ‘ଓଡ଼ିଶା ବିଶାଳ ଭାରତର ଅଂଶ ଏବଂ ଭାରତର ସୁଖଦୁଃଖରେ ଅଳ୍ପାଧିକ ପରିମାଣରେ ଭାଗୀ, ଏକଥା ସର୍ବଥା ମନେରଖିବା ଉଚିତ । ପୁଣି ଭାରତୀୟ ପ୍ରସଙ୍ଗରେ ଯୋଗ ନଦେଲେ କେବେ କେହି ଖୋଜି ଖୋଜି ପରିଚୟ ନେବେନାହିଁ । ଉକ୍ରଳ ସମ୍ମିଳନୀର ଜୀବନରେ ଏହି ଯେ ନୂତନ ପନ୍ଥା ଫିଟିଲା, ଏଣିକି ତାହା ଅକୁଣ୍ଠିତ ଚିତ୍ତରେ ଅବଶ୍ୟ ଦେଶ, କାଳ, ପାତ୍ର ବିବେଚନାର ସହିତ ସାବଧାନ ଭାବରେ ଅନୁସୃତ ହେବ ବୋଲି ଆଶା କରାଯାଏ ।’

ସମ୍ମିଳନୀର କାର୍ଯ୍ୟକଳାପ ଉପରେ ଗୋପବନ୍ଧୁଙ୍କର ଏହି ମନ୍ତବ୍ୟ ଅତିଶୟ । ସମ୍ମିଳନୀ ନିଜକୁ ଅଲଗା ରଖି ଦେଶମିଶ୍ରଣ ଲକ୍ଷ୍ୟରେ ଯେ ଆଉ ଅଗ୍ରସର ହୋଇପାରିବ ନାହିଁ ତାହା ଗୋପବନ୍ଧୁ ଭଲଭାବେ ଅନୁଭବ କରିଥିଲେ । ଓଡ଼ିଶାର ପ୍ରଶ୍ନ ମହାଭାରତୀୟ ପ୍ରଶ୍ନ କରି ନପାରିଲେ ଦେଶମିଶ୍ରଣ ଏକାନ୍ତ ଅସମ୍ଭବ ।

ତେଣୁ ଓଡ଼ିଶାର ଏକମାତ୍ର ଶ୍ରେଷ୍ଠ ଓ ବୃହତ୍ ଅନୁଷ୍ଠାନ ଉତ୍କଳ ସମ୍ମିଳନୀକୁ ଭାରତ ଜାତୀୟ ସମିତି (ଭାରତ ରାଷ୍ଟ୍ରୀୟ ସମିତି)ସହିତ ସାମିଲ କରିଦେଲେ ଲକ୍ଷ୍ୟ ସହଜରେ ସିଦ୍ଧ ହୋଇପାରିବ , ଏକଥା ଗୋପବନ୍ଧୁ ଏବଂ ତାଙ୍କର ଅନୁଗାମୀମାନଙ୍କର ବଦ୍ଧମୂଳ ହୋଇଉଠିଲା । କିନ୍ତୁ ଗୋପବନ୍ଧୁଙ୍କର ପ୍ରଶସ୍ତତର ଭାରତୀୟ ଜାତୀୟତା ଓ ଉଦାର ସାର୍ବଜନୀନ ମାନବିକତା ସେ ସମୟରେ କେବଳ ବାକ୍ୟରେ ଆବଦ୍ଧ ହୋଇରହିଲା ।

ସମ୍ମିଳନୀର କୌଣସି ପ୍ରସ୍ତାବରେ ଏହି ଉଦାର ଭାବରାଶି ସ୍ଥାନ ପାଇଲାନାହିଁ । ଗୋପବନ୍ଧୁ ଏଥିରେ ହତାଶ ହୋଇନଥିଲେ । ସମ୍ମିଳନୀର ପୁରୀ ଅଧିବେଶନରେ (୧୯୧୯ ଡିସେମ୍ବରରେ) ସଭାପତି ଚନ୍ଦ୍ରଶେଖର ବେହେରା ଗୋପବନ୍ଧୁଙ୍କ ଚିନ୍ତାଧାରା ଦେଶବାସୀଙ୍କ ସମ୍ମୁଖରେ ପୁନର୍ବାର ଉପସ୍ଥାପନ କରିଥିଲେ ।

ଏଥିରେ ମଧ୍ୟ ସମ୍ମିଳନୀର କୌଣସି ପ୍ରସ୍ତାବରେ ତାହା ସ୍ଥାନ ପାଇଲା ନାହିଁ । ୧୯୨୦ରେ ଗୋପବନ୍ଧୁ ଦାଶ ଓ ଜଗବନ୍ଧୁ ସିଂହ ସମ୍ମିଳନୀର ସ୍ଥାୟୀ ସଭାପତି ଓ ସମ୍ପାଦକ ହୋଇଥିଲେ । ଏଇବର୍ଷ ଅଗଷ୍ଟ ୩୦ତାରିଖରେ ଗୋପବନ୍ଧୁ କଂଗ୍ରେସର ଏକ ଜିଲ୍ଲା ସମିତି ପୁରୀରେ ପ୍ରତିଷ୍ଠା କରିଥିଲେ ।

ସେପ୍ଟେମ୍ବର ୪ତାରିଖରେ ଭାରତ ଜାତୀୟ ମହାସମିତିର କଲିକତା ଅଧିବେଶନରେ ମହାତ୍ମାଗାନ୍ଧୀଙ୍କ ଅସହଯୋଗ ପନ୍ଥା ଉପସ୍ଥାପିତ ହେଲା । ଗୋପବନ୍ଧୁ ନାଗପୁର ଅଧିବେଶନରୁ ଫେରି ଉତ୍କଳ ସମ୍ମିଳନୀର ଚକ୍ରଧରପୁର ଅଧିବେଶନ ସମ୍ମିଳନୀରେ କଂଗ୍ରେସ ଉଦ୍ଦେଶ୍ୟ ମିଶାଇଦେଲେ । ଏହାର କାରଣ ୧୯୨୧ରେ ନାଗପୁର କଂଗ୍ରେସରେ ଭାଷା ସୂତ୍ରରେ ପ୍ରଦେଶ ଗଠନ ନୀତି ଗୃହୀତ ହେଲା । ଆନ୍ଧ୍ରମାନେ କଂଗ୍ରେସର ସଭ୍ୟ ହୋଇଥିଲେ ମଧ୍ୟ ତାଙ୍କର ଆନ୍ଧ୍ର ମହାଜାତୀୟ ସଭାରେ ପୂର୍ଣ୍ଣପ୍ରାଣରେ ସହଯୋଗ କରି ଜାତୀୟ ଦାବି ବରାବର କରିଆସିଥିଲେ । ମହାଭାରତୀୟ ଭାବଧାରା ସହିତ ତାଙ୍କର ଆନ୍ଧ୍ର ମହାଜାତୀୟ ପ୍ରାଦେଶିକ ଭାବ ବରାବର ପ୍ରକାଶ ପାଇଥିଲା ।

ଓଡ଼ିଶାର ଦୁର୍ଭାଗ୍ୟ ଯେ କଂଗ୍ରେସର ଉଦ୍ଦେଶ୍ୟ ସମ୍ମିଳନୀ ଗ୍ରହଣ କରିଥିଲେ ମଧ୍ୟ ସମ୍ମିଳନୀରେ କଂଗ୍ରେସ ନେତାମାନେ କେତେବର୍ଷ ସହଯୋଗ କଲେନାହିଁ।

ସୌଜନ୍ୟ – ସମଦୃଷ୍ଟି

Photo credit- https://bit.ly/2UwsJA2

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

ମୋ ସ୍ମୃତିରେ ‘ଆମ୍ବ’ (ସ୍ମୃତି ଓ ଅନୁଭୂତି)

ଏମିତି ସମୟ ଥିଲା ଆମ୍ବ ଗୋରୁ ଚରୁଥିଲେ । ଏଭଳି କଥା ଆଜି କିଏବା ବିଶ୍ୱାସ କରିବ? କେମିତି ବିଶ୍ୱାସ …

Leave a Reply

Your email address will not be published. Required fields are marked *