Home / ଇତିହାସ / ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ଏକ ଛିନ୍ନ ପୃଷ୍ଠା

ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ଏକ ଛିନ୍ନ ପୃଷ୍ଠା

୧୯୩୫ ଭାରତ ଶାସନ ଆଇନର ଏକ ସୁଫଳ ଥିଲା ୧୯୩୬ ଏପ୍ରିଲ ପହିଲାଦିନ ଦେଶର ୧୧ତମ ରାଜ୍ୟଭାବରେ ଗଠିତ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ । ଅନେକ ଘାତ-ପ୍ରତିଘାତ ଭିତରେ, ବ୍ରିଟିଶର ରୁକ୍ଷ ଶାସନ ଗଣ୍ଡି ଭିତରେ ଏହାଥିଲା ତକ୍ରାଳୀନ ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ତାହାର ପୃଷ୍ଠଭୂମି ଅନୁଶୀଳନର ଦୃଷ୍ଟିକୁ ଆସେ ଗୋଟିଏ ଘଟଣା । ଏ ଦେଶର ଶାସନ ସଂସ୍କାର ପରାମର୍ଶ ଦେବାପାଇଁ ଗଠିତ ସର୍ବୋଚ୍ଚ କ୍ଷମତାସମ୍ପନ୍ନ ‘ସାଇମନ୍ କମିଶନ’କୁ ସର୍ବଭାରତୀୟ ସ୍ତରରେ ସର୍ବାନ୍ତକରଣରେ ପ୍ରତ୍ୟାଖ୍ୟାନ କରାଯିବା ପାଇଁ ନିଷ୍ପତ୍ତି । ଦେଶର ତକ୍ରାଳୀନ ସର୍ବବୃହତ ରାଜନୈତିକ ଅନୁଷ୍ଠାନ-ଭାରତୀୟ ଜାତୀୟ କଂଗ୍ରେସ ସମେତ ଏକ ସର୍ବଦଳୀୟ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ସେହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ପରିବେଶ ଏବଂ ପରିସ୍ଥିତିର ବିଡ଼ମ୍ବନା ସେହି କମିଶନ ଦେଶର ସର୍ବତ୍ର ପ୍ରତ୍ୟାଖ୍ୟାତ ହୋଇଥିବାବେଳେ ‘ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନକାରୀ’ଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଲାଭକରିବା ଥିଲା ସେତେବେଳର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା ।

ବିଗତ ମଣ୍ଟେଗୁ-ଚେମସଫୋର୍ଡ଼ ଶାସନ ସଂସ୍କାରର ପରିଣାମ ଅନୁଧ୍ୟାନ କରାଯିବା ସମେତ ପ୍ରଚଳିତ ଭାରତୀୟ ଶାସନରେ ସଂସ୍କାର ଅଣାଇବା ଲାଗି ଇଂଲଣ୍ଡର ମହାମହିମ ସମ୍ରାଟ ୧୯୨୮ ମସିହାରେ ଗଠନ କରିଥିଲେ ବିଖ୍ୟାତ ସାଇମନ୍ କମିଶନ । ସେହି କମିଶନରେ ଅନ୍ତର୍ଭୁକ୍ତ ଥିବା ସାତଜଣ ବ୍ୟକ୍ତିଥିଲେ ଇଂରେଜ । ସେହି କାରଣରୁ ଉକ୍ତ କମିଟିଟି ‘ଗୋରା କମିଶନ୍’/ଗୋରା କମିଟି/ଅଲ୍ହ୍ୱାଇଟ୍ କମିଶନ’ ରୂପେ ଅପଖ୍ୟାତି ଅର୍ଜନ କରିଥିଲା ।

କମିଟିର ଅଧ୍ୟକ୍ଷ ରୂପେ କାର୍ଯ୍ୟ ନିର୍ବାହକ ଥିଲେ ସାର୍ ଜନ୍ ସାଇମନ୍ । ସେହି କାରଣରୁ ତାହା ସାଇମନ୍ କମିଶନ ରୂପେ ପରିଚିତି ଲାଭ କରିଥିଲା । ତାଙ୍କରି ସହିତ ଭିସ୍କାଉଣ୍ଟ ବାରହାମ୍, ବାରନ୍ ଷ୍ଟାଥ୍ସେନା, ଏଡ଼ୱାର୍ଡ଼ କେଡ଼ୋଗାନ, ଷ୍ଟିଫେନ ୱାସ୍, ଜି.ଆର୍. ଲେନ୍ଫକ୍ସ ଏବଂ ସି.ଆର୍.ଅଟଲି ଥିଲେ ସେହି କମିଶନର ସଦସ୍ୟ । ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଷ୍ଟେନ୍ଲେ ବାଲଡ଼ିୱିନ୍ ବ୍ରିଟିଶ ହାଉସ୍ ଅଫ୍ କମନ୍ସରେ ୧୯୨୭ ମସିହା ନଭେମ୍ବର ସାତତାରିଖ ଦିନ ଏହି କମିଶନ ନିଯୁକ୍ତି ସମ୍ପର୍କରେ ଉଲ୍ଲେଖ କରିଥିଲେ । ତାହା ବିଧିବଦ୍ଧ ଭାବେ ଗଠିତ ହେବା ନେଇ ହାଉସ୍ ଅଫ୍ ଲର୍ଡ଼ ସଭାରେ ସେହି ମାସ ୨୬ତାରିଖ ଦିନ ଘୋଷିତ ହୋଇଥିଲା । ହେଲେ ସ୍ୱାସ୍ଥ୍ୟଗତ କାରଣରୁ ଷ୍ଟିଫେନ୍ ୱାସ୍ ଆପଣାର ଅସହମତି ପ୍ରକାଶକରିବା ଫଳରେ ତାଙ୍କରି ସ୍ଥାନରେ ଭେରତାମ୍ ହାରସୋରେନ୍ଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନେ ସମସ୍ତେଥିଲେ ବ୍ରିଟିଶ ପାର୍ଲାମେଣ୍ଟର ଜଣେଜଣେ ପୁରୁଖା ସଭ୍ୟ । ଭାରତୀୟ ଶାସନ ସଂସ୍କାର ପାଇଁ ପରାମର୍ଶ ଦେବାଲାଗି ଗଠିତ କମିଟିରେ କୌଣସି ଭାରତୀୟ ସଭ୍ୟ ନଥିବା କାରଣରୁ ବାପୁଜୀ ତଥା ଜାତୀୟକଂଗ୍ରେସ ତରଫରୁ ତାହାକୁ ଅଗ୍ରାହ୍ୟ କରାଯାଇଥିଲା । ୧୯୨୭ଡିସେମ୍ବର ମାସରେ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଥିଲା-ଭାରତୀୟମାନେ ଦେଶର ଆତ୍ମସମ୍ମାନ ରକ୍ଷାକରିବା ପାଇଁ ଉକ୍ତ କମିଟିକୁ ପ୍ରତ୍ୟେକ ସ୍ତରରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ବର୍ଜନକରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସେହି ଅନୁକ୍ରମରେ ଉକ୍ତ କମିଶନକୁ କୌଣସି ସହଯୋଗ ନଦେବା ପାଇଁ ଏପରିକି ଭାରତରେ ପ୍ରବେଶ ବିରୋଧ କରି ସାଇମନ୍ ଫେରିଯାଅ ବୋଲି ବଜ୍ର ଆହ୍ୱାନ ଦିଆଯାଇଥିଲା ।

ଭାରତବାସୀଙ୍କର ମନୋଭାବର ପ୍ରତିଫଳନ ଯଥାର୍ଥଭାବରେ ଲକ୍ଷ୍ୟ କରିପାରିଥିଲେ ଉକ୍ତ କମିଶନ । ୧୯୨୮ ସିହା ଫେବୃୟାରୀ ତିନିତାରିଖ ଦିନ ପ୍ରଥମେ ମୁମ୍ବାଇଠାରେ ପହଞ୍ôଚବା ପରେପରେ ଭାରତର ବଡ଼ଲାଟଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ କମିଶନର ବୈଠକଗୁଡ଼ିକ ଗୋଟିଏ ଗୋଟିଏ ମିଳିତ ବୈଠକ ହେବା ବିଧେୟ । ଦେଶର ବିଭିନ୍ନ ପ୍ରାଦେଶିକ ବ୍ୟବସ୍ଥାପକ ସଭାର କେତେଜଣ ନିର୍ବାଚିତ ପ୍ରତିନିଧି କମିଶନକୁ ସର୍ବାନ୍ତକରଣରେ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଆପଣାର ସ୍ୱାଧୀନ ମତ ମଧ୍ୟ ବ୍ୟକ୍ତ କରିପାରିବେ ।

ଭାରତୀୟମାନଙ୍କ ଅସହଯୋଗ ପରିପ୍ରେକ୍ଷୀରେ ସରକାରୀ ଚାପପ୍ରୟୋଗ କରାଯାଇ କିଛିଟା ସହଯୋଗର ପଥ ଉନ୍ମୁକ୍ତ ହେବାଥିଲା ସମ୍ଭବତଃ ତାହାର ମୁଖ୍ୟ ଉଦ୍ଦେଶ୍ୟ । ସରକାର ତ କମିଶନକୁ ସବୁମନ୍ତେ ସହାୟତା ଦେବା ଅବଶ୍ୟମ୍ଭାବୀ । ସେହି କ୍ରମରେ ୧୯୨୮ମସିହା ଅଗଷ୍ଟ ମାସରେ ବିହାର-ଓଡ଼ିଶା ବିଧାନସଭା ତରଫରୁ ସାତଜଣିଆ କମିଟିଟିଏ ନିର୍ବାଚିତ ହୋଇଥିଲା । ସୌଭାଗ୍ୟକ୍ରମେ ସେଥିରେ ଅନ୍ତର୍ଭୁକ୍ତ ହୋଇଥିଲେ ଦୁଇଜଣ ଓଡ଼ିଆ ସଦସ୍ୟ- ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତି ଏବଂ କନିକାର ରାଜା ସାହେବ । କିନ୍ତୁ ଦୁର୍ଭାଗ୍ୟ-ଓଡ଼ିଶାର ତକ୍ରାଳୀନ କଂଗ୍ରେସ ନେତୃମଣ୍ଡଳୀ ସାଇମନ୍ କମିଶନକୁ ସେଭଳି ସହଯୋଗ ପାଇଁ ବିଶେଷକରି ସେହି ଦୁଇଜଣଙ୍କୁ କଠୋର ଭାବରେ ସମାଲୋଚନା କରିଥିଲେ ।

ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ଭାରତର ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକ ନିକଟରୁ ଲିଖିତ ଆବେଦନ ମାନ ଆହ୍ୱାନ କରିଥିଲେ କମିଶନ । ସେମାନଙ୍କ ବିଚାର ପରିସରଭୁକ୍ତ ଯେକୌଣସି ବିଷୟବସ୍ତୁ ଉପରେ ମତାମତ ଦେବାପାଇଁ ଆହ୍ୱାନ ଦିଆଯାଇଥିଲା । ଆବଶ୍ୟକ ମନେହେଲେ ସେଗୁଡ଼ିକ ସମ୍ପର୍କରେ ଅଧିକ ବିଚାର ବିମର୍ଷ ତଥା ଅଧିକ ଅନୁସନ୍ଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ସେଭଳି ଅନୁସନ୍ଧାନ କାଳରେ ସାକ୍ଷ୍ୟ ଗ୍ରହଣ ପାଇଁ କମିଶନ ଭାରତସାରା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ସେହି ଅନୁକ୍ରମରେ ହିଁ ଅଧିକ ତଥ୍ୟଗତ ଅନୁସନ୍ଧାନ ପାଇଁ ଅଟଲ ସବ୍କମିଟି ଗଠିତ ହୋଇଥିଲା।

ଦେଶର ଛତ୍ରେ ଛତ୍ରେ ‘ସାଇମନ୍ ଗୋ-ବ୍ୟାକ୍’ ପ୍ରଚାରପତ୍ର । ଯେଉଁସ୍ଥାନରେ ଯେତେବେଳେ କମିଶନ ପହଞ୍ଚୁଥିଲା ସେଇଠି ପ୍ରବଳ ବିକ୍ଷୋଭ, କଳାପତାକା ପ୍ରଦର୍ଶନ ଗୋ-ବ୍ୟାକ୍ ସାଇମନ୍- ଉଚ୍ଚସ୍ୱର ଲହରୀ । ବିକ୍ଷୋଭକାରୀଙ୍କୁ ପୋଲିସର ନିର୍ମମ ଅତ୍ୟାଚାର କମିଶନଙ୍କୁ କଡ଼ାସୁରକ୍ଷା ଦେବାରେ ସାମାନ୍ୟତମ ଅବହେଳା ନରହିବା ସ୍ୱାଭାବିକ ।

ଭାରତୀୟ ଜାତୀୟ କଂଗ୍ରେସର ଏକ ଶାଖା ରୂପେ ଉକ୍ରଳ କଂଗ୍ରେସ ଏବଂ ତାହାର ଶୃଙ୍ଖଳିତ ସଦସ୍ୟରୂପେ ଉକ୍ରଳୀୟ ନେତୃବୃନ୍ଦ ମଧ୍ୟ ଉକ୍ତ କମିଶନଙ୍କୁ ବିରୋଧ କରିଥିଲେ । ଆଞ୍ଚଳିକଭାବେ ଏହି ଅଞ୍ଚଳର ଓଡ଼ିଆ ନେତୃବୃନ୍ଦଙ୍କ ମଧ୍ୟରେ ବାସ୍ତବରେ ସିଂହଭାଗ ଥିଲେ ସେମାନେ । କିନ୍ତୁ ତଥାପି କେତେକ ଉକ୍ରଳୀୟ ଜାତୀୟବାଦୀ ବ୍ୟକ୍ତି ଏବଂ ଅନୁଷ୍ଠାନ କଂଗ୍ରେସ ସହିତ ସହଯୋଗ କରିନଥିଲେ ବରଂ ଠିକ୍ ଓଲଟା ପଦକ୍ଷେପମାନ ନେଇଥିଲେ ।

ସେହି କ୍ଷୁଦ୍ର ନେତୃଗୋଷ୍ଠୀର ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା ଯେ ଦେଶ ଶାସନ ସଂସ୍କାରପାଇଁ ପରାମର୍ଶ ଦେବାଲାଗି ଆସିଥିବା ଉକ୍ତ ସର୍ବୋଚ୍ଚ କ୍ଷମତାସମ୍ପନ୍ନ କମିଟି ହିଁ ଉକ୍ରଳୀୟଙ୍କ ଦୁଃଖ ଲାଘବ କରିବାରେ ସମର୍ଥ ହୋଇପାରିବ । ସେହିକାଳରୁ ସେମାନଙ୍କ ସହ ସହଯୋଗ କରାଯିବା ଆବଶ୍ୟକ ଏବଂ ଦୁଃସ୍ଥିତିରେ ଥିବା ଉକ୍ରଳୀୟମାନଙ୍କ ବାସ୍ତବ ସମସ୍ୟା ପ୍ରତି ସେମାନଙ୍କ ଦୃଷ୍ଟି ଯଥାର୍ଥଭାବେ ଆକର୍ଷଣ କରାଯିବା ଆବଶ୍ୟକ । ଏହିଗୋଷ୍ଠୀରେ ଅନ୍ତର୍ଭୁକ୍ତ ଥିଲେ କନିକା ରାଜା, ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ପାରଳା ମହାରାଜାଙ୍କ ସମେତ ସେମାନଙ୍କ ଅନୁଗାମୀଗଣ । ଏମାନଙ୍କ ସହିତ ସହମତ ପୋଷଣ କରୁଥିଲେ ସର୍ବଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ଲାଲମୋହନ ପଟ୍ଟନାୟକ, ମଧୁସୂଦନ ପାଣିଗ୍ରାହୀ ପ୍ରମୁଖ । ଉକ୍ରଳ ସମ୍ମିଳନୀର ସଭ୍ୟଗଣ ଥିଲେ ଏଇ ମତବାଦର ସପକ୍ଷବାଦୀ । ଚକ୍ରଧରପୁରଠାରେ ଗୋପବନ୍ଧୁଙ୍କ ନେତୃତ୍ୱରେ ଉକ୍ରଳ ସମ୍ମିଳନୀର ମିଶ୍ରଣ ଜାତୀୟକଂଗ୍ରେସ ସହ ହେବା ପ୍ରସ୍ତାବ ଗୃହୀତ ହେବା ପରେ ସୁଦ୍ଧା ସେଥିସହ ସହମତ ନହୋଇ ସମ୍ମିଳନୀର ସ୍ୱତନ୍ତ୍ର ସତ୍ତା ବଜାୟ ରଖିଥିଲେ ସେମାନେ । ସେମାନଙ୍କ ଲକ୍ଷ୍ୟବିନ୍ଦୁ ଥିଲା ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ଏବଂ ଐତିହ୍ୟର ଉତ୍ତରୋତ୍ତର ଉନ୍ନତିକଳ୍ପେ ଏକ ଶାସନାଧିନ ସବୁ ଓଡ଼ିଆ ଅଞ୍ଚଳ- ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ । ସେହି ଦାବିନେଇ ଓଡ଼ିଆ ଦେଶ ମିଶ୍ରଣ ଆନ୍ଦୋଳନ ଅବ୍ୟାହତ ରହିଥିଲା ।

ଓଡ଼ିଆମାନଙ୍କର ସେହି ଦାବି କ’ଣ ଭାରତୀୟ ଜାତୀୟ ଆନ୍ଦୋଳନର ଗତିରୋଧ କରିବା କିମ୍ବା ତାହାକୁ ଦୁର୍ବଳ କରିଦେବାର ଆଶଙ୍କା ଥିଲା କି?

ସମ୍ଭବତଃ ଶତକଡ଼ା ଅନେଶତ ଅଂଶଥିଲା ନାସ୍ତିବାଚକ । ତଥାପି ଜାତୀୟ କଂଗ୍ରେସର ଶୃଙ୍ଖଳିତ ସଦସ୍ୟଭାବରେ ଓଡ଼ିଶାର କଂଗ୍ରେସ ନେତୃବୃନ୍ଦ ସେମାନଙ୍କ ଅନୁଷ୍ଠାନର ନୀତି ନିର୍ଦ୍ଧାରଣକୁ ହିଁ ସମ୍ମାନ ଦେଉଥିଲେ । ତେବେ ଏଠାରେ ସ୍ପଷ୍ଟ ସ୍ମରଣ ରଖାଯାଇ ପାରେ ଯେ ଗୋପବନ୍ଧୁଙ୍କଠାରୁ ଆରମ୍ଭକରି ସମୟକ୍ରମେ ଯେଉଁ ନେତୃବର୍ଗ ଜାତୀୟ ରାଜନୀତିରେ ଅଂଶୀଦାର ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ କାହିଁକି, ପ୍ରାୟ ସମସ୍ତେ ଥିଲେ ପ୍ରାଥମିକ ଅବସ୍ଥାରେ ଦେଶମିଶ୍ରଣ ଆନ୍ଦୋଳନର ଜଣେ ଜଣେ କର୍ଣ୍ଣଧାର । କିନ୍ତୁ ସମୟର ଅନୁରଣନରେ ସେମାନଙ୍କ ମନରେ ଦୃଢ଼ ଆସ୍ଥା ରୋପିତ ହୋଇଥିଲା ଯେ ଦେଶ ସ୍ୱାଧୀନ ହୋଇଯିବା ପରେପରେ ଦେଶର ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ଅନେକ ଆଭ୍ୟନ୍ତରୀଣ ସମସ୍ୟା ଆପେ ଆପେ ଦୂର ହୋଇଯିବ । ଦେଶରେ ସେହି ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଉଥିବା ବାପୁଜୀ, ନେହେରୁ, ପଟେଲ, ଆଜାଦଙ୍କ ଭଳି ତୁଙ୍ଗ ନେତୃତ୍ୱର ବିଶ୍ୱାସ ବି ତ ଥିଲା ସେଇୟା ।

କିନ୍ତୁ ସେହି ମୁଦ୍ରାର ଅନ୍ୟପାଶ୍ୱର୍ରେ ଥିବା ମଧୁବାବୁ, ପାରଳା ମହାରାଜା ପ୍ରମୁଖ ନେତୃବୃନ୍ଦଙ୍କ ସମେତ ଉକ୍ରଳ ସମ୍ମିଳନୀର କର୍ତ୍ତାଗଣ ମନେ କରିଥିଲେ ଯେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନ ଆନ୍ଦୋଳନ କୌଣସି ପରିପ୍ରେକ୍ଷୀରେ, ଦେଶରେ ବେଶ୍ ଦୃଢ଼ ଦାନା ବାନ୍ଧିଥିବା ବୃହତ୍ତର ଜାତୀୟ ଆନ୍ଦୋଳନ ପଥରେ କଣ୍ଟକ ସଦୃଶ୍ୟ ନୁହେଁ- ବରଂ ଏହା ତାହାର ସହାୟକ । ଏଭଳି ଆଞ୍ଚଳିକ ଜାତୀୟତାବାଦରୁ ହିଁ ସୃଷ୍ଟ ମହାଭାରତୀୟ ଜାତୀୟ ଚେତନା । ସେହିଭଳି ମତବାଦୀ ମହାପୁରୁଷମାନଙ୍କ ଚିନ୍ତାଧାରା କେତେ ଯଥାର୍ଥ ଥିଲା, ତାହା ବର୍ତ୍ତମାନ ସ୍ପଷ୍ଟ ଅନୁଭବ କରାଯାଇ ପାରେ । ସେତେବେଳେ ସେହିଭଳି ମତଯୋଗୁଁ ଅନେକ ମତାନ୍ତର ସୃଷ୍ଟି ହୋଇଥିଲା । ଏହି ଗୋଷ୍ଠୀକୁ ଅନେକ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ହୋଇଥିଲା । ତଥାପି ସେମାନେ ଯେଉଁଭଳି ସାହସିକ ପଦକ୍ଷେପମାନ ଗ୍ରହଣ କରିଥିଲେ, ତା’ର ପରିଣାମସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠିତ ହୋଇପାରିଥିଲା ।

ଏଠି ସ୍ମରଣ ରଖାଯାଇପାରେ ଯେ ତଥାପି ସେତେବେଳେ ଯେଉଁସବୁ ଓଡ଼ିଆଭାଷୀ ଅଞ୍ଚଳ ବିଭିନ୍ନ କାରଣରୁ ଓଡ଼ିଶା ବାହାରେ ରହିଯାଇଥିଲା, ଆମ ନିର୍ବାଚିତ ପ୍ରତିନିଧିମୂଳକ ସରକାର ଗଠିତ ହେବାର ଦୀର୍ଘକାଳ ପରେ ସୁଦ୍ଧା ଆଉ ଓଡ଼ିଶା ସହିତ ମିଶିପାରିଲା ନାହିଁ- ଅନେକ ଓଡ଼ିଆଭାଷୀ ଭାଇଭଉଣୀ ରହିବାକୁ ବାଧ୍ୟ ହୋଇଥିଲେ ଅନ୍ୟ ଭାଷାଭାଷୀ ପ୍ରଦେଶ ସହିତ; ସେମାନେ ରହିଗଲେ ମୂଳଓଡ଼ିଆ ଅଞ୍ଚଳଠାରୁ ଦୂରରେ, ବହୁ ଦୂରରେ । ଆଜି ସେମାନେ ଆପଣାଇବାକୁ ବାଧ୍ୟ ହେଲେ ଅନ୍ୟ ରାଜ୍ୟ, ଅନ୍ୟ ଭାଷା, ଅନ୍ୟ ସାଂସ୍କୃତିକ ପରମ୍ପରା-ମୂଳ ଭୂଖଣ୍ଡରୁ ବିଚ୍ଛିନ୍ନହୋଇ ରହିବା କାରଣରୁ, ଆପଣାକୁ ଅନ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସଦ୍ଭାବ ରକ୍ଷାକରି ସେମାନଙ୍କ ସହିତ ଜୀବନ ଯାପନ କରିବା ପାଇଁ ବାଧ୍ୟ ହୋଇଥିବା କାରଣରୁ ।

ଏଇ ସମ୍ଭାବନାର ବାସ୍ତବତାକୁ ସେତେବେଳେ ସମ୍ଭବତଃ ହୃଦୟଙ୍ଗମ କରିଥିଲେ କଂଗ୍ରେସ ବାହାରେ ରହିଯାଇଥିବା ଏବଂ ସ୍ୱତନ୍ତ୍ରଓଡ଼ିଶା ଗଠନପାଇଁ ଆନ୍ଦୋଳନ କରୁଥିବା ନେତୃବୃନ୍ଦ । ଏହାହିଁ ପ୍ରମାଣ କରାଇ ଦେଇଥିଲା ସେମାନଙ୍କ ପୁରୋଦୃଷ୍ଟି ଏବଂ ସେମାନେ ସ୍ଥିର କରିଥିଲେ ସାଇମନ୍ କମିଶନ ସହିତ ସହଯୋଗ କରିବେ ସବୁପ୍ରକାର ପ୍ରତିକୂଳ ପରିବେଶ ଓ ପରିସ୍ଥିତି ସତ୍ତେ୍ୱ ।

ସେମାନେ ସ୍ପଷ୍ଟରୂପେ ଜାଣିଥିଲେ ଯେ ସେଭଳି ପଦକ୍ଷେପ ପାଇଁ ସାରା ଦେଶରେ କଠୋରଭାବରେ ନିନ୍ଦିତ ହେବା କାରଣ ଉକ୍ତ କମିଶନକୁ ଜାତୀୟ କଂଗ୍ରେସ ଫେରିଯାଅ ଧ୍ୱନି ସହ ଅସହଯୋଗ କରି, ଏପରିକି ତାହାର ସଭ୍ୟମାନଙ୍କ ପଥରୋଧ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିବାବେଳେ କମିଶନର ଆହ୍ୱାନ ସ୍ୱୀକାର କରି ସାକ୍ଷ୍ୟପ୍ରଦାନ କରିବା କାର୍ଯ୍ୟ ସହଜରେ ସେମାନଙ୍କ ପାଇଁ ଗ୍ରହଣଯୋଗ୍ୟ ହେବ ନାହିଁ । ତଥାପି ସେମାନେ ବିରୋଧୀ ମତବାଦୀଙ୍କର ସମସ୍ତ ତୁଚ୍ଛ ତାତ୍ସଲ୍ୟର ବିଷକୁ ନୀଳକଣ୍ଠ ହୋଇ ପାନ କରିବା ସଙ୍ଗେସଙ୍ଗେ ଦୃଢ଼ପରିକର ଥିଲେ ସମଭାବାପନ୍ନ ବ୍ୟକ୍ତି ତଥା ଅନୁଷ୍ଠାନଗୁଡ଼ିକୁ ସେଥିନିମନ୍ତେ ଅଧିକ ଉତ୍ସାହିତ କରାଇବେ ।

ଅଣ୍ଟାରେ ଗାମୁଛା ଭିଡ଼ିଥିଲେ ଗଜପତି କୃଷ୍ଣଚନ୍ଦ୍ରଙ୍କ ସମେତ ଉକ୍ରଳ ସମ୍ମିଳନୀର ନେତୃବୃନ୍ଦ । ସେମାନଙ୍କ ଉଦ୍ୟମକ୍ରମେ ଓଡ଼ିଆମାନଙ୍କ ତରଫରୁ ସାଇମନ୍ କମିଶନଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସ୍ମାରକପତ୍ରମାନ ପ୍ରଦତ୍ତ ହୋଇଥିଲା ।

ବ୍ରହ୍ମପୁରର ଓଡ଼ିଆମାନଙ୍କ ତରଫରୁ କମିଶନକୁ ଏକ ସ୍ମାରକପତ୍ର ମାଧ୍ୟମରେ ଓଡ଼ିଆମାନଙ୍କ ପାଇଁ ଓଡ଼ିଶା ପ୍ରଦେଶ ଦାବି କରାଯାଇଥିଲା । ସେଭଳି ସେଇ ସହରରେ ଥିବା ମାନ୍ଦ୍ରାଜ ପ୍ରାଦେଶିକ ଓଡ଼ିଆ ସଂଘ ତରଫରୁ ଏକ ସ୍ମାରକପତ୍ର ୧୯୨୮ମଇ ୩୦ତାରିଖ ଦିନ ଭୁବନେଶ୍ୱର ରଥଙ୍କ ନେତୃତ୍ୱରେ ଦାଖଲ ହୋଇଥିଲା କମିଶନ ନିକଟରେ । ସେହିଭଳି ପ୍ରାକୃତିକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଅସଂଖ୍ୟ ସ୍ମାରକପତ୍ର ତଥା ଟେଲିଗ୍ରାମ ଜରିଆରେ ସେଇ ଏକା ଦାବି ସ୍ତୁପୀକୃତ ଆକାରରେ ଜମା ହୋଇଥିଲା ସାଇମନ୍ଙ୍କ ନିକଟରେ ।

ଗଜପତି କୃଷ୍ଣଚନ୍ଦ୍ର ୧୯୨୮ମସିହା ଜୁନ୍ ମାସରେ ବ୍ୟକ୍ତିଗତଭାବେ ମାନ୍ଦ୍ରାଜ ଯାଇ ସାଇମନ୍ କମିଶନ ନିକଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଦୃଢ଼ ଯୁକ୍ତି ସେଇଠି ଉପସ୍ଥାପନ କରିଥିଲେ ପ୍ରାକୃତିକ ଓଡ଼ିଶାର ସବୁ ଓଡ଼ିଆଙ୍କୁ ଏକ ଶାସନାଧିନ ରଖାଯାଇ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠିତ ହେଉ । କମିଶନଙ୍କ ନିକଟରେ ଉପସ୍ଥାପିତ ବିଭିନ୍ନ ସ୍ମାରକପତ୍ରରେ ଦାବି କରାଯାଇଥିଲା ସ୍ୱତନ୍ତ୍ର ପ୍ରଦେଶ ଗଠନ ବିଚାର ବେଳେ ତାହାର ଆର୍ଥିକ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଆରୋପ କରାନଯାଇ ଭାଷାଭିତ୍ତିକ ବିଚାର ଅଗ୍ରଗଣ୍ୟ ହେଉ । ଚାରୋଟି ପ୍ରାଦେଶିକ ସରକାର ସହ ଯୁକ୍ତହୋଇ ଓଡ଼ିଆମାନେ ରହିବା ବ୍ୟତୀତ ଅନ୍ୟ କେତୋଟି ଦେଶୀୟ ରାଜ୍ୟରେ ସେମାନେ ରହୁଥିବାଯୋଗୁଁ ସେଗୁଡ଼ିକର ସମ୍ମିଶ୍ରଣ ଏକାନ୍ତ ଆବଶ୍ୟକ ।

ଏହି ଘଟଣାକ୍ରମରେ ଯେଉଁ ବିଶେଷ ଉଲ୍ଲେଖଯୋଗ୍ୟ ଘଟଣାଥିଲା, ତାହାଥିଲା ଉକ୍ରଳ ସମ୍ମିଳନୀର ସଦସ୍ୟଗଣଙ୍କ ଦ୍ୱାରା ଓଡ଼ିଆବାସୀଙ୍କ ତରଫରୁ ସାଇମନ୍ କମିଶନଙ୍କୁ ବିହାର-ଓଡ଼ିଶା ପ୍ରଦେଶର ରାଜଧାନୀ ପାଟଣା ରେଳଷ୍ଟେସନ୍ରେ ସ୍ୱାଗତ ସମ୍ବର୍ନ୍ଧନା । ଅଭ୍ୟର୍ଥନା ଜଣାଇବା ପାଇଁ ଯେଉଁ ଓଡ଼ିଆମାନେ ସେଠାରେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ଥିଲେ କନିକା ରାଜା, ବ୍ରଜସୁନ୍ଦର ଦାସ, ବ୍ରଜାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଭିକାରୀଚରଣ ପଟ୍ଟନାୟକ ପ୍ରମୁଖ । ସେମାନଙ୍କ ହାତରେ ବିଜ୍ଞାପନ- ଓଡ଼ିଶା ସାଇମନ୍ଙ୍କୁ ସ୍ୱାଗତ କରେ-ଙକ୍ସସଗ୍ଦଗ୍ଦବ ଡରକ୍ଷମକ୍ଟଜ୍ଞରଗ୍ଦ ଝସଜ୍ଞକ୍ଟଦ୍ଭ. ସାରା ରେଳଷ୍ଟେସନ୍ରେ ବିଚ୍ଛୁରିତ ହୋଇ ପଡ଼ିଥିଲା ସେଇ ପ୍ରଚାରପତ୍ର ।

ସମ୍ଭବତଃ ସାରାଭାରତରେ ତାହାହିଁ ଥିଲା ଏକମାତ୍ର ସ୍ଥାନ ଯେଉଁଠି ସେଇ ଗୋରା କମିଶନ ସ୍ୱାଗତମ୍ର ମଧୁର ସ୍ୱର ଶୁଣିବାକୁ ପାଇଥିଲେ । ସବୁସ୍ଥାନରେ ଜନଗଣଙ୍କଠାରୁ ଅସହଯୋଗ ଲକ୍ଷ୍ୟ କରିଥିବାବେଳେ ସହଯୋଗ ପାଇଥିଲେ ଓଡ଼ିଆଭାଷୀଙ୍କ ତରଫରୁ; ଓଡ଼ିଆବାସୀଙ୍କ ତରଫରୁ । ସେଭଳି ଅଚାନକଭାବରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଜନ୍ ସାଇମନଙ୍କ ସମେତ କମିଶନର ସଭ୍ୟଗଣ ଅତ୍ୟନ୍ତ ଉତ୍ଫୁଲ୍ଲିତ ହୋଇ ଉଠିଥିବେ ନିଶ୍ଚୟ । ଦେଶର ସର୍ବତ୍ର କଳାପତାକା ଦର୍ଶନ ସହ ‘ସାଇମନ୍ ଗୋ-ବ୍ୟାକ୍’ ଧ୍ୱନିର କାନଫଟା ଶବ୍ଦ ପରିବର୍ତ୍ତେ ସ୍ୱାଗତଂ ଭଳି ମଧୁର ଶବ୍ଦ ସେମାନଙ୍କ ହୃଦୟ କନ୍ଦରରେ ଏକ ଆନନ୍ଦଲହରୀ ସୃଷ୍ଟି କରିଥିବ ନିଶ୍ଚୟ । ସେମାନେ ରେଳରୁ ଓହ୍ଲାଇ ପ୍ଲାଟଫର୍ମ ଦେଇ ବାହାରକୁ ଯାଉଥିବା ଅବସରରେ କମିଶନର ଅନ୍ୟତମ ସଦସ୍ୟ ମେଜର ଅଟ୍ଲି କୌତୁହଳବଶତଃ ଗୋଟିଏ ଦୁଇଟି ସ୍ୱାଗତ ପ୍ରଚାରପତ୍ର ଗୋଟାଇ ସାଙ୍ଗରେ ନେଇଥିଲେ ।

ସମ୍ଭବତଃ ସେଇଠୁ ହିଁ ଆରମ୍ଭ ହୋଇଥିଲା ସେମାନଙ୍କର ଓଡ଼ିଆଦରଦୀ ମନୋଭାବ ଏବଂ ସମ୍ଭବତଃ ତାହାହିଁ ହୋଇପାରେ ଏକମାତ୍ର କାରଣ ସେହି ସର୍ବୋଚ୍ଚମାନ୍ୟତାପ୍ରାପ୍ତ କମିଶନ ଓଡ଼ିଆମାନଙ୍କର ସ୍ୱତନ୍ତ୍ର ଓଡ଼ିଶା ଦାବିପ୍ରତି କିଛିଟା ସମ୍ବେଦନଶୀଳ ହୋଇ ଉଠିଥିଲେ । ପୁଣି ସମ୍ଭବତଃ ସେହି କାରଣରୁ ହିଁ ସେମାନେ ଗୁରୁତ୍ୱର ସହ ଅନୁଧ୍ୟାନ କରିଥିଲେ ଓଡ଼ିଆ-ମାନଙ୍କର ସମସ୍ୟା ଏବଂ ଯତ୍ନରସହିତ ତର୍ଜମା କରିଥିଲେ – ସେଇ ସମ୍ପର୍କରେ କମିଶନଙ୍କ ନିକଟରେ ଉପସ୍ଥାପିତ ହୋଇଥିବା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ।

କମିଶନ ସମକ୍ଷରେ ସାକ୍ଷ୍ୟ ଦେବାପାଇଁ ଓଡ଼ିଶାରୁ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଯାଇଥିଲେ ସର୍ବଶ୍ରୀ ନାରାୟଣ ଚନ୍ଦ୍ର ବୀରବର ଧିରନରେନ୍ଦ୍ର, ଗୋପାଳଚନ୍ଦ୍ର ପ୍ରହରାଜ, ଭିକାରୀଚରଣ ପଟ୍ଟନାୟକ, ବାରିଷ୍ଟର ବିଶ୍ୱନାଥ ମିଶ୍ର ଏବଂ ଭଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର । ସେମାନେ ଲାଟ୍ଭବନରେ କମିଶନଙ୍କ ସହ ସାକ୍ଷାତ କରିଥିଲେ । ସେଇ ସାତଜଣିଆ ପ୍ରତିନିଧିଙ୍କ ତରଫରୁ ବ୍ରଜସୁନ୍ଦର ଦାସଙ୍କ ପ୍ରଥମ ସମ୍ଭାଷଣ ଥିଲା Sirs, we the members of the Utkal Union Committee, on behalf of Oriya people accord you a most heartly welcome to the ancient city of Pataliputra, the capital of the province of Bihar and Orissa. ପ୍ରତ୍ୟୁତ୍ତରରେ କମିଶନ ଅଧ୍ୟକ୍ଷ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଆପଣାର କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ ।

ଓଡ଼ିଆ ପ୍ରତିନିଧିମଣ୍ଡଳୀ କମିଶନ ନିକଟରେ ସାକ୍ଷ୍ୟପ୍ରଦାନ ଅବସରରେ ଚାରୋଟି ପ୍ରାଦେଶିକ ସରକାରଙ୍କ ଅଧିନରେ ଭାଗ ଭାଗ ହୋଇ ସୀମାନ୍ତ ଅଞ୍ଚଳରୂପେ ରହିଥିବା ଓଡ଼ିଆମାନଙ୍କ ଦୁର୍ଦ୍ଦଶା ଉପସ୍ଥାପିତ କରିଥିଲେ । ସେଠାରେ ସେମାନେ ମତ ପ୍ରକାଶ କରିଥିଲେ ଯେ ଗୋଟିଏ ପ୍ରକାଣ୍ଡ ବୃକ୍ଷ ତଳେ କ୍ଷୁଦ୍ର କ୍ଷୁଦ୍ର ଚାରା ବଞ୍ôଚରହିବା କଷ୍ଟକର । ଯଦିବା ବଞ୍ôଚ ରହେ,ତାହା ସବୁ ପଙ୍ଗୁ/ ଅଥର୍ବ ଭଳି ତିଷ୍ଠି ରହିପାରେ । ସେହିଭଳି ହିଁ ବର୍ତ୍ତମାନ ଓଡ଼ିଆମାନଙ୍କର ଅବସ୍ଥା! ସେହି କାରଣରୁ ସବୁ ଓଡ଼ିଆ ଅଞ୍ଚଳଗୁଡ଼ିକର ଏକୀକରଣ କରାଯାଇ ଏକ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠିତ ହେଉ । ପ୍ରାକୃତିକ ଓଡ଼ିଶାର ସବୁଓଡ଼ିଆଙ୍କ ଆକାଂକ୍ଷା ବି ସେଇୟା ।

ସେଇ ଆଲୋଚନା ବେଳେ ସାଇମନ୍ କମିଶନର ଜଣେସଭ୍ୟ ଏକ ବିକଳ୍ପ ପ୍ରସ୍ତାବ ଉପସ୍ଥାପିତ କରିଥିଲେ । ସେଥିରେ ସେ ମତବ୍ୟକ୍ତ କରିଥିଲେ ଯେ ଜଣେ ଗଭର୍ଣ୍ଣରଙ୍କ ଦ୍ୱାରା ଶାସିତ ପ୍ରଦେଶଟିଏ ଗଠନ ସମ୍ଭବ ନହେଲେ ତତ୍ ପରିବର୍ତ୍ତେ ଉପ-ପ୍ରଦେଶଟିଏ ଗଠିତହେଲେ କେମିତି ହୁଅନ୍ତା? କିନ୍ତୁ ସେଠାରେ ଉପସ୍ଥିତ ସମସ୍ତ ଓଡ଼ିଆସଦସ୍ୟ ସେଭଳି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ । ତାହାହିଁ ଥିଲା ପାରଳା ମହାରାଜାଙ୍କ ପରାମର୍ଶ । ସଦସ୍ୟମାନେ ସେମାନଙ୍କ ଏକମାତ୍ର ଦାବୀ ଜଣାଇଥିଲେ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନପାଇଁ । ସେହି ବିଷୟ ପ୍ରସଙ୍ଗରେ କମିଶନ ବିହାର-ଓଡ଼ିଶା ପ୍ରାଦେଶିକ କମିଟିର ସଭ୍ୟମାନଙ୍କ ସହିତ ମଧ୍ୟ ୧୯୨୮ମସିହା ଡିସେମ୍ବର ୧୪ତାରିଖ ଦିନ ଆଲୋଚନା କରିଥିଲେ ।

ଓଡ଼ିଆ ପ୍ରତିନିଧିଗଣଙ୍କ ଯୁକ୍ତିଯୁକ୍ତ ସାକ୍ଷ୍ୟ ପ୍ରଦାନର ପରିଣାମସ୍ୱରୂପ ଗୋରାକମିଶନର ହୃଦ୍ବୋଧ ହୋଇଥିଲା ଯେ, ପ୍ରକୃତରେ ଓଡ଼ିଆମାନେ ବିଭିନ୍ନ ପ୍ରାଦେଶିକ ଶାସନରେ ସଂଖ୍ୟାଲଘୁ ହିସାବରେ କାଳାତିପାତ କରି ଅବହେଳିତ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଯଥାର୍ଥ ହୃଦ୍ବୋଧ ହୋଇଥିଲା ଯେ ଭାରତର ବିଭିନ୍ନପ୍ରଦେଶ ମଧ୍ୟରୁ ବିହାର-ଓଡ଼ିଶା ପ୍ରଦେଶର ଗଠନ କେବଳ ଭ୍ରମାତ୍ମକ ନୁହେଁ , ଅପ୍ରାକୃତିକ ମଧ୍ୟ । ଭାଷା, ଜାତି, ସଂସ୍କୃତି ଏବଂ ସର୍ବୋପରି ପ୍ରାକୃତିକ ଗଠନ ଇତ୍ୟାଦି ସବୁ ଦୃଷ୍ଟିରୁ ଦେଖିଲେ ଏହି ପ୍ରଦେଶରେ ତିନୋଟି ଭୌଗୋଳିକ ଅଞ୍ଚଳ ପରସ୍ପରଠାରୁ ବହୁ ଭାବରେ ସ୍ୱତନ୍ତ୍ର ମନେହୁଏ । ପ୍ରଦେଶର ରାଜଧାନୀ ପାଟଣାଠାରେ କମିଶନକୁ ସାକ୍ଷାତ କରିବାପାଇଁ ଓଡ଼ିଶାର ପ୍ରତିନିଧିଗଣଙ୍କୁ ବଙ୍ଗପ୍ରଦେଶର କଲିକତା ଦେଇ ଆସିବାକୁ ହେବାକଥା ଶୁଣି ମିଶନ ଅଭିଭୂତ ହୋଇଯାଇଥିଲେ ।

ଗୋଟିଏ ପ୍ରାଦେଶିକ ଶାସନରେ ରହି ସେହି ଶାସନ କେନ୍ଦ୍ରକୁ ସରକାରୀ କାର୍ଯ୍ୟରେ ଆସିବାକୁ ହେଲେ ଜନସାଧାରଣଙ୍କୁ ଯେ ଅନ୍ୟଏକ ପ୍ରଦେଶର ଭୌଗୋଳିକ ସୀମା ମଧ୍ୟ ଦେଇ ଯିବାଆସିବା କରିବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିଲା-ତାହା କମିଶନର ସଭ୍ୟମାନଙ୍କୁ ସାଧାରଣ ଓଡ଼ିଆଙ୍କ ଅବସ୍ଥା ଆକଳନ ପାଇଁ ଯଥେଷ୍ଟ ସହାୟକ ହୋଇଥିଲା । ସ୍ୱାଗତଂ ସାଇମନ୍ ଧ୍ୱନି ଏବଂ ପୁରାତନ ନଗରୀ ପାଟଳିପୁତ୍ରକୁ ସ୍ୱାଗତ ସମ୍ଭାଷଣରେ ପୁଲ୍ଲକିତ ଗୋରା କମିଶନର ସଭ୍ୟମାନଙ୍କ ହୃଦୟ ଓଡ଼ିଆଙ୍କ ଦୁଃସ୍ଥିତି ସମ୍ପର୍କିତ ତଥ୍ୟପାଇ ଦୟା ଦ୍ରବୀଭୂତ ହୋଇଯାଇଥିଲା ଏବଂ ତେଣୁ କମିଶନଙ୍କ ଆନ୍ତରିକ ଅଭିବ୍ୟକ୍ତି ସୁପାରିଶରେ ପ୍ରକାଶ ପାଇଥିଲା – An urgent case for consideration and treatment is that of Oriya speaking people. କମିଶନଙ୍କ ସେଇ ଆନ୍ତରିକ ଅନୁଭବ ଯୋଗୁଁ ଏବଂ ଓଡ଼ିଆ ଭାଷାଭାଷୀ ଲୋକଙ୍କପାଇଁ ମାତ୍ରାଧିକ ସମ୍ବେଦନଶୀଳ ହୋଇଉଠିବାଯୋଗୁଁ ସେମାନଙ୍କ ସମ୍ପର୍କରେ ଅଧିକ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଉପଲବ୍ôଧ କରି ଅଧିକ ପରାମର୍ଶ ପାଇଁ ତତ୍କାଳ ସେମାନେ ଉପକମିଟିଟିଏ ଗଠନ କରିଥିଲେ । ତାଙ୍କର ଅଧ୍ୟକ୍ଷତା କରିଥିଲେ ରାଜକୀୟ କମିଶନର ଅନ୍ୟତମ ଜାତୀୟସ୍ତରୀୟ ସଭ୍ୟ ମେଜର ଅଟ୍ଲି । ପ୍ରାଦେଶିକ ସରକାରଙ୍କ ତରଫରୁ କନିକାରାଜା ଏବଂ ଲକ୍ଷ୍ମୀଧର ମହାନ୍ତିଙ୍କ ସମେତ କେନ୍ଦ୍ର ସରକାରଙ୍କ ପ୍ରତିନିଧିରୂପେ ଶ୍ରୀଯୁକ୍ତ ସୁରାୱର୍ଦ୍ଧି- ଏହି ତିନିଜଣ ସଭ୍ୟ ଅଟଲି ସବ୍କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ ସ୍ୱାଧୀନ ଭାବରେ । ସ୍ୱତନ୍ତ୍ର ଓଡ଼ିଶା ଦାବିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କମିଶନଙ୍କୁ ମତାମତ ଦେବା ଥିଲା ଏହି ସବ୍ କମିଟିର ଲକ୍ଷ୍ୟ । ସେଥିପାଇଁ ବିଭିନ୍ନ ଓଡ଼ିଆଭାଷୀ ଅଞ୍ଚଳ ଗସ୍ତକରି ସାକ୍ଷ୍ୟ ଗ୍ରହଣ କରିଥିଲେ ଏବଂ ଓଡ଼ିଶା ଆନ୍ଦୋଳନର ସପକ୍ଷ ତଥା ବିପକ୍ଷ ମତବାଦୀଙ୍କଠାରୁ ସାକ୍ଷ୍ୟ ନେଇଥିଲେ ।

ପରିଶେଷରେ ସେମାନେ ଓଡ଼ିଆଭାଷୀ ଲୋକଙ୍କ ଅସନ୍ତୋଷର ପ୍ରକୃତ କାରଣ ଯଥାର୍ଥଭାବେ ଉପଲବ୍ôଧ କରି ସେମାନଙ୍କ ପାଇଁ ଏକ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ସୁପାରିଶ କରିଥିଲେ । କେବଳ ସେତିକି ନୁହେଁ ନୂତନ ଓଡ଼ିଶାସହିତ କେଉଁ କେଉଁ ଓଡ଼ିଆଭାଷୀ ଅଞ୍ଚଳ ସବୁ ଅନ୍ତର୍ଭୁକ୍ତ ହେବ, ତାହା ମଧ୍ୟ ଉଲ୍ଲେଖ କରିଥିଲେ । ସେହି ପରାମର୍ଶକୁ ସାଇମନ୍ କମିଶନ ଗ୍ରହଣ କରି ନୂତନ ପ୍ରଦେଶ ପାଇଁ ସୀମା କମିଶନ ଗଠନ କରାଯିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଲାତ ସରକାରଙ୍କୁ ସୁପାରିଶ କରିଥିଲେ । ପରେ ପରେ ସେହି ଚକ ଆଗରୁ ଆଗକୁ ହିଁ ଗଡ଼ି ଚାଲିଥିଲା ।

ଓଡ଼ିଶାବାସୀଙ୍କ ତରଫରୁ ସାଇମନ୍ କମିଶନଙ୍କୁ ସ୍ୱାଗତ କରାଯିବାର ପରିଣାମ ବ୍ୟତୀତ ଏହା ଆଉ କ’ଣ ହୋଇପାରେ ।

Photo credit-http://www.odishaarchives.nic.in/node/275

    ସୌଜନ୍ୟ ୧-୧୫ ଏପ୍ରିଲ, ୨୦୧୩ ସମଦୃଷ୍ଟି

About ସତ୍ୟନାରାୟଣ ମହାପାତ୍ର

Avatar

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଆଶା ସମ୍ବାଦପତ୍ରରେ ଅଭିମତ

  ।। ୪ ।। ଦେଶମିଶ୍ରଣ ୧୯୨୪ ମସିହାରୁ ପୁନର୍ବାର ମୌଳିକ ପ୍ରଶ୍ନ ରୂପେ ମୁଣ୍ଡ ଟେକିଲା ଏବଂ କଂଗ୍ରେସର …

Leave a Reply

Your email address will not be published. Required fields are marked *