Home / ସଙ୍ଗୀତ / ଓଡିଶୀ ସଙ୍ଗୀତ / ସାକ୍ଷାତକାର ପଣ୍ଡିତ ଡ଼ଃ ଦାମୋଦର ହୋତା

ସାକ୍ଷାତକାର ପଣ୍ଡିତ ଡ଼ଃ ଦାମୋଦର ହୋତା

ପଣ୍ଡିତ ଡ଼ଃ ଦାମୋଦର ହୋତା, ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତର ପୁରୋଧା ମାନଙ୍କ ମଧ୍ୟରୁ ଅନ୍ୟତମ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଗ୍ରହଣ କରି ଗୁରୁଙ୍କ ନିର୍ଦ୍ଦେଶରେ ଓଡିଶାକୁ ନିଜର କର୍ମଭୂମି ଭାବରେ ବାଛି ନେଇଥିଲେ ସେ। ପୁରୀ ଜାଗା ଆଖଡାରୁ ନିଜର ପିଲାଦିନର ସାଙ୍ଗୀତିକ ଯାତ୍ରା ଆରମ୍ଭ କରିଥିବା ପଣ୍ଡିତ ଦାମୋଦର ହୋତା ଓଡିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିଆସିଛନ୍ତି । ପ୍ରତ୍ୟେକ ବର୍ଷ ‘ତ୍ରିଧାରା’ କାର୍ଯ୍ୟକ୍ରମ ଆୟୋଜନ କରି ଉଡ୍ର, ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ତିନିଟି ଶାସ୍ତ୍ରୀୟ ସଙ୍ଗୀତ ଧାରାରେ କେଉଁଭଳି ସମ୍ପର୍କ ରହିଆସିଛି ତାହା ଖୁବ ସୁନ୍ଦର ଭାବେ ଦର୍ଶକମାନଙ୍କ ସମ୍ମୁଖରେ ରାଗ ସଙ୍ଗୀତ ପରିବେଷଣ କରି ଦେଖାଇଥାନ୍ତି। ପଣ୍ଡିତ ଦାମୋଦର ହୋତାଙ୍କ ସହ ହୋଇଥିବା ଉକ୍ତ ସାକ୍ଷାତକାରଟି ଆକାଶବାଣୀ କଟକର ଏକ କାର୍ଯ୍ୟକ୍ରମରେ ପରିବେଷିତ ହୋଇସାରିଛି ଯାହାର ଉପାଦେୟତାକୁ ଅନୁଭବ କରି ଏଠାରେ ଲିଖିତ ଭାବରେ ପ୍ରକାଶ କରାଯାଇଛି । -ସମ୍ପାଦକ

ପ୍ରଶ୍ନ : ସଂଗୀତ ପ୍ରତି ଆପଣଙ୍କ ଆକର୍ଷଣର କାରଣ କ’ଣ ଥିଲା? ଆପଣ କେଉଁ ସ୍ଥାନରେ ଜନ୍ମ ହୋଇଥିଲେ ଓ ସେଠି କ’ଣ ପରମ୍ପରା ଥିଲା ଯାହାଫଳରେ ଆପଣ ସଂଗୀତକୁ ଆଗ୍ରହ ବା ବୃତ୍ତି ଭାବରେ ଗ୍ରହଣ କରିନେଲେ ?

ଉ : ଶ୍ରୀକ୍ଷେତ୍ର ପୁରୀର ଗୌଡ଼ବାଡ଼ ସାହିର ସହିଦ ଭିଙ୍ଗପାଣିଆ ରୋଡ଼ରେ ମୋର ଘର । ମୋର ପିତାଙ୍କ ନାମ ଗୋପିନାଥ ହୋତା । ସେ ଜଣେ ମଲ୍ଲ ଯୋଦ୍ଧା, ପଖୱଜ ବାଦକ ଓ ଗାୟକ । ମୋର ମାତା ଦଣ୍ଡମଣି ଦେବୀ । ମୁଁ ତାଙ୍କ ପାଖରେ ଶୁଣିଛି ସେ କାନ୍ଦୁଥିବେ ଆଉ ଗାଉଥିବେ। ଛାନ୍ଦ ଗାଉଥିବେ, ପୁରାଣ ଗାଉଥିବେ । ମୁଁ ସକାଳୁ ଉଠିଲା ବେଳକୁ ନନା ଆମର ‘ଶ୍ରୀତ କମଳା କୁଚ ମଣ୍ଡନ ଗାଉଥିବେ, ଜୟ ଜୟ ଦେବ ହରେ ଶୁଭାଯାଏ । ତା’ ପରେ ସିଏ ଗାଆନ୍ତି, “ପାହିଲା ରଜନୀ ଉଠ ଦିନମଣି” । ଏଇଟା ମୁଁ ବିଶେଷ ଭାବେ ଶୁଣେ । ରାତିରେ ଶୋଇଲା ବେଳକୁ ମଧ୍ୟ ନନା ସଂଗୀତ କରନ୍ତି ଛାତ ଉପରେ । ଆମ ପଡ଼ିଶା ଘରେ ଥାନ୍ତି ମାମୁନ ଷଡ଼ଙ୍ଗୀ, ତାଙ୍କୁ ବାବନ ବୋଲି ଡାକନ୍ତି । ନନା ଗାଇବେ ସେ ବାଜଇବେ । ତା’ଙ୍କର ପ୍ରତିଦିନର ଶେଷ କାଯ୍ୟକ୍ରମ ଥାଏ “ଜୟ ହରଚଣ୍ଡି, ଆତଙ୍କ ନାଶିନୀ” ମାଲେଶ୍ରୀ । ତେଣୁ ମୁଁ ଗୀତ ଗୋବିନ୍ଦରେ ଉଠେ, ମାଲେଶ୍ରୀ ରେ ଶୁଏ । ମୁଁ ନିମ୍ନ ପ୍ରାଥମିକ ସ୍କୁଲ ଗଲାବେଳେ ଗୁଣ ଗୁଣ ହୋଇ ବୋଲେ, ସେମାନେ ମୋତେ ପ୍ରାଇଜରେ ଗୀତ ବୋଲିବା ପାଇଁ କୁହନ୍ତି । ପୁରୀରେ ଯେତେବେଳେ ଝୁଲଣ ଯାତ୍ରା ହୁଏ ସବୁ ଜାଗା ଅଖଡ଼ାରୁ ଲୋକମାନେ ଯାଆନ୍ତି ଗାଇବାକୁ। ନନା ଆମର ଯାଆନ୍ତି ମୋତେ କାନ୍ଧରେ ବସାଇକି ନେଇଯାଆନ୍ତି । ସେଠି ସଂଗୀତ ହୁଏ । ତା’ଙ୍କ ଗୀତରେ ମୁଁ ମୁଣ୍ଡ ହଲାଏ ତାଳ ପକାଏ । ସମସ୍ତେ ନନାଙ୍କୁ କୁହନ୍ତି ହୋତେ ତୁମ ପୁଅ କ’ଣ ଗୀତରେ ଭାରି ମୁଣ୍ଡ ହଲାଉଛି  ତା’ର ସଂଗୀତ ହେବ ବୋଧେ ।

ନିମ୍ନ ପ୍ରାଥମିକ ସ୍କୁଲରେ ମୁଁ ଗୀତ ଗାଇ ପ୍ରାଇଜ୍ ପାଏ । ତା’ପରେ ମୁଁ ଗଦାଧର ହାଇସ୍କୁଲକୁ ଆସେ । ଚତୁର୍ଥ-ପଞ୍ଚମ କ୍ଲାସରେ ମୁଁ ପ୍ରାର୍ଥନା ଲିଡ଼୍ କରେ । କୃଷ୍ଣଚନ୍ଦ୍ର ପ୍ରତିହାରୀ ସେ ମୋ ଭିତରେ ସଂଗୀତର ଗୁଣକୁ ଦେଖି କରି କୁହନ୍ତି ଏ ପିଲାଟି ଗାଇବ, ପ୍ରାର୍ଥନାରେ ଲିଡ଼୍ କରିବ ଇଏ । ମୁଁ ସବୁବେଳେ ଗାଏ । ହେ ଜଗତଦାତା ବିଶ୍ୱବିଧାତା ଓ ଆହୁରି କେତେ ଗୀତ ଅଛି ସବୁ । ସେତେବେଳେ ବ୍ରିଟିଶ ରାଜତ୍ୱ ଚାଲିଥିଲା । ଗଦାଧର ହାଇସ୍କୁଲରେ ସଂଗୀତ କ୍ଲାସ୍ ହେଉଥିଲା । ନୃସିଂହନାଥ ଖୁଣ୍ଟିଆ ସାର ଆମ କ୍ଳାସ ନେଉଥାନ୍ତି । ଅତି ଦିବ୍ୟ ସୁନ୍ଦର ଲୋକ, ଅତି ସୁନ୍ଦର ବ୍ୟକ୍ତିତ୍ୱ, ହସ ହସ ମୁହଁ । ସେ ସବୁବେଳେ କୋରସ୍ କ୍ଲାସ୍ କରନ୍ତି । ସପ୍ତମ ଶ୍ରେଣୀରେ ମୁଁ ସ୍କୁଲ ଡ୍ରାମରେ ଗୀତ ଗାଇଲି, ନବମ ଶ୍ରେଣୀରେ ମୁଁ ମ୍ୟାଥମେଟିକସ୍ ଅପସନାଲ ନେବାବେଳେ ହେଡ଼ମାଷ୍ଟର ମୋର ନନାଙ୍କୁ ପ୍ରବର୍ତ୍ତାଇକି କହିଲେ ଆକୁ ସଂଗୀତ କରିବାକୁ ଦିଅ । ମ୍ୟାଥମେଟିକସ୍ ନେଇକି କଣ କରିବ, ଇଆର ସଂଗୀତ ଭଲ ହେଉଛି ।

ତା’ ପରେ ମୁଁ ସଂଗୀତ ନେଲି । ଯେତେବେଳେ ମୁଁ ଖେୟାଲ୍ ଶିଖିଲି । ପ୍ରଥମେ ଆମକୁ ଖୁଣ୍ଟିଆ ସାର୍ ଶିଖାଇଲେ ୟମନରେ“ପିୟାକି ନଜରିୟା” ସେ ଗୀତଟାକୁ ଯେତେବେଳେ ତାନ୍, ଆଳାପ କରି ଗାଇଲି ମୋତେ ଭାରି ଭଲ ଲାଗିଲା । ଆମ ଓଡ଼ିଆ ଗୀତରେ ସେ ସବୁ ନଥିଲା । ଧୀରେ ଧୀରେ ସେଥିପାଇଁ ମୁଁ ପାଗଳ ହେଲି । ଧିରେ ଧିରେ ସେଥିରେ ଇଣ୍ଟେରଷ୍ଟେଡ଼ ହେଲି ଓ ଅଖିଳ ଉତ୍କଳ ସଂଗୀତ ସମ୍ମିଳନୀ କଟକରେ ହୋଇଥିଲା, ଭାଗନେଇ ପୁରସ୍କାର ପାଇଲି । ତା’ ପରେ ପୁରୀରେ ହେଲା, ବାରିପଦାରେ ହେଲା । ୧୯୪୮ ଠାରୁ ୧୯୫୨-୫୩ ପର୍ଯ୍ୟନ୍ତ ମୁଁ ଏହି ଉତ୍କଳ ସଙ୍ଗୀତ ସମ୍ମିଳନୀରେ ଭାଗ ନେଇ ବହୁ ପୁରସ୍କାର ପାଏ । ଖୁଣ୍ଟିଆ ସାର ମୋତେ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଜଣାଣ, ଭଜନ, ସଂସ୍କୃତ ଗୀତ ଗୋବିନ୍ଦ, ଖେୟାଲ, ଧୃପଦ ଧମାର ଓ ଠୁମରୀ, ଭଜନ ଇତ୍ୟାଦି ସବୁ ଶିଖାଇଥିଲେ ।

ପ୍ରଶ୍ନ: ଆପଣ ଯେତେବେଳେ ପାଠ ପଢ଼ୁଥିଲେ ପାଠପଢ଼ା ସହିତ ସଂଗୀତ ଚାଲିଥିଲା । ପାଠକୁ ଛାଡ଼ି ଆପଣ କେତେବେଳେ ସଂଗୀତ ଭିତରେ ପଶିଗଲେ?

ଉତ୍ତର : ସଂଗୀତ ଭିତରକୁ ପଶିଗଲି ମୁଁ ଅପସନାଲ ନେବା ପରେ । ପୁରୀରେ ୩ଟି ଯଥା ବିଶ୍ୱମ୍ବର ବିଦ୍ୟାପୀଠ, ଜିଲ୍ଲାସ୍କୁଲ ଓ ଗଦାଧର ହାଇସ୍କୁଲ । ଗଦାଧର ହାଇସ୍କୁଲରେ ସଂଗୀତ ଓ ଡ୍ରାମା ହୁଏ ବହୁତ ଡ୍ରାମାରେ ପାଟ୍ ନିଏ, ପୁରୀ ଟାଉନରେ ଡ୍ରାମା ହେଲେ ମୋତେ ଡାକନ୍ତି । ଖେୟାଲ ଗାୟନ ମୋତେ ବହୁତ ଆକର୍ଷିତ କଲା । ଧୃପଦ, ଧମାର ଯେତେବେଳେ ଦୁଇଗୁଣ, ଚାରିଗୁଣ ସବୁ ହେଲା ମୋତେ ଭଲ ଲାଗିଲା । ଭଲ ଲାଗିବାରୁ ହିନ୍ଦୁସ୍ଥାନୀ ମ୍ୟୁଜିକ୍ ପାଇଁ ପାଗଳ ହୋଇଗଲି ।

ପ୍ରଶ୍ନ : ପରବର୍ତ୍ତୀ କଥା କୁହନ୍ତୁ କିପରି ଆଗକୁ ବଢ଼ିଲେ?

ମୋର ପରୀକ୍ଷା ଚାଲିଛି, ମୁଁ ମ୍ୟୁଜିକ୍ କରୁଛି । ପାଠ ପ୍ରତି ମୋର ବହୁତ ଅବହେଳା ଆସିଲା ଓ ୨ ଥର ମ୍ୟାଟ୍ରିକ୍ ଫେଲ ହେଲି। ଏଥିପାଇଁ ମୋତେ ଫ୍ରଷ୍ଟେସନ ବି ଆସିଲା । ସମସ୍ତେ ମୋତେ ଛି ଛାକର କଲେ । ସଂଗୀତରେ ପ୍ରତି କମ୍ପିଟେସନରେ ମୁଁ ପାସ କରି କରି ଆସୁଥାଏ । ୧୯୫୪ ମସିହାରେ ମୋର ଗୋଟେ ବ୍ୟକ୍ତିଗତ ଘଟଣା ଘଟିଛି । ନବମ ଶ୍ରେଣୀରେ ମୁଁ ଅପସନାଲ୍ ନେବା ପରେ ମୋର ବାପା ଚାଲିଗଲେ । ପରିସ୍ଥିତି ଭାରି ଖରାପ ହୋଇଗଲା । କୃଷ୍ଣଚନ୍ଦ୍ର ପ୍ରତିହାରୀ ଆମ ହେଡମାଷ୍ଟର ମୋତେ ପୁଅ କରିନେଲେ । ତା’ଙ୍କ ଘରେ ରଖି ମୋତେ ଖାଇବା, ପିଇବା, ବସ୍ତ୍ର ଇତ୍ୟାଦି ସବୁ ଯୋଗାଇ ମୋତେ ପଢ଼ାଇଲେ ଓ କହିଲେ ସଂଗୀତ କର । ତାଙ୍କ ଝିଅ ଇନ୍ଦରା ପ୍ରତିହାରି କୁ କହିଲେ ତୁ’ଇଆରି ସହିତ ସଂଗୀତ ରିୟାଜ କରୁଥା। ଖୁଣ୍ଟିଆ ସାରଙ୍କ ଠାରୁ ଯାହା ଶିଖିକି  ଆସୁଥିଲୁ ଆମେ ରିୟାଜ କରୁଥିଲୁ । ଦଶମ ଶ୍ରେଣୀ ଯାଏ ସିଏ ମୋର ସବୁ କଥା ବୁଝିଛନ୍ତି ଓ ଯୁଆଡ଼େ କମ୍ପିଟିସନ ଯିବି ଗାଡ଼ି ଖର୍ଚ୍ଚ ଦେଇଛନ୍ତି । ଏ ପରି ତାଙ୍କର ମୋ ପ୍ରତି ବହୁତ ଅବଦାନ ରହିଲା । ତା’ ପରେ ମୋତେ ମିଳିଳେ ଜମିନ୍ଦାର କାଶିନାଥ ମୁଦୁଲି । ସେ ଜଗନ୍ନାଥଙ୍କର ମୋଦ କରଣ । ଭାରି ସଂଗୀତ ପ୍ରିୟ ଲୋକ। ତା’ଙ୍କ ଇଚ୍ଛାଥାଏ ତବଲା ସଂଗୀତ କରିବାକୁ । କହିବେ ଦାମ ଗାଇବ ମୁଁ ବଜାଇବି । ଏମିତି ହୋଇ ଚାଲିଲା । ମୁଁ ଦୁଇଥର ଫେଲ ହୋଇଯିବାରୁ ମନଦୁଃଖ କରିକି ରହିଛି, ଥରେ ମୋର ଫ୍ରଷ୍ଟେସନ୍ ଆସିଲା, ଘରେ କଳିକଜିଆ ହେଇ ଘର ଛାଡ଼ି ପଳାଇଲି ପୁନା । ମୋର ଗୋଟେ ଲକ୍ଷ୍ୟ ଥିଲା ମୁଁ ଡି.ଭି ପଲ୍ୟୁସ୍କରଙ୍କ ପାଖେ ଶିଖିବି ।

ସେତେବେଳେ ପଇସା ନଥିଲା, ୫ଟି ଟଙ୍କା ଧରି ବିନା ଟିକେଟରେ ପଳାଇଥିଲି । ସେଠାରେ ମୋତେ ବହୁତ ଖରାପ ବ୍ୟବହାର ମିଳିଲା । କିଏ କାହିଁ ବିଶ୍ୱାସ କରିବ ଇଏ ସଂଗୀତ ଶିଖିବାକୁ ଆସିଛି । ସେ ମୋତେ ମନାକରିଦେଲେ ମୁଁ ପଳାଇ ଆସିଲି । ଆସିକି ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ଘରକୁ ଗଲି । ଘରେ ତା’ଙ୍କର ଝିଅ ଥିଲା । ମୁଁ ତାଙ୍କୁ ପରିଚୟ ଦେଲି । ସେତେବେଳେ ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ପାଖେ ସୁନନ୍ଦା ପଟ୍ଟନାୟକ ପଢ଼ୁଥାନ୍ତି । ସେ ମୋର କ୍ଲାସମେଟ୍ ବୋଲି ପରିଚୟ ଦେଲି । ତା’ଙ୍କ ଗୀତ ଶୁଣି ମୁଁ ଆପଣଙ୍କ ବାପାଙ୍କ ପାଖେ ଶିଖିବି ବୋଲି ଇଚ୍ଛା କରୁଛି । ସେ କହିଲେ ବାପା ନାହାନ୍ତି । ୨-୩ ଦିନ ପରେ ଆସନ୍ତୁ । ତା’ ପରେ ମୁଁ ଆସି ଫୁଟପାଥରେ ଶୋଇଛି, ମୋତେ ଘରର ସ୍ୱପ୍ନ ହେଲା ମୋ ବଉ ହାରିକା କାନ୍ଦୁଛନ୍ତି । ସେଥିପାଇଁ ମୁଁ ପୁନାରୁ ରିଟର୍ଣ୍ଣ କଲି । ମୁଁ ଶୋଇଛି, ମନଦୁଃଖରେ ରହିଛି । ମୋତେ ରାତିରେ ହଠାତ୍ ଗୋଟେ ସ୍ୱପ୍ନ ହେଲା । ଓଁକାରନାଥ ଠାକୁରଙ୍କୁ ମୁଁ ଦେଖିଲି ଠିକ୍ ତା’ଙ୍କ ପରି ଜଣେ ଲୋକ ମୋତେ ଦେଖା ଗଲେ ।  ଗୋଟିଏ ଜଙ୍ଗଲକୁ ଯାଇଛି, ପାହାଡ଼ ତଳେ ରହିଛି, ମୋତେ ସେ ଆଉଁସି ଦେଉଛନ୍ତି । କହିଲେ ଉଠ ବେଟା ଚାଲ ମୁଁ ଯେଉଁ ରୂପ ଦେଖିଥିଲି ଠିକ୍ କିଛି ଦିନ ପରେ ଗୋଟିଏ ସ୍କଲାରିସିପ୍ ବାହାରିଲା ଓଡ଼ିଶାରୁ ଓ ସେଥିରେ ସିଲେକଟ ହେଲି ।

ଡଃ ମହତାବଙ୍କ କୃପାରୁ ମୋତେ ନିରପେକ୍ଷ ବିଚାର ମିଳିଲା । ତ ପାଇଲା ପରେ ମୁଁ ବନାରସରେ ଯାଇ ପହଞ୍ଚିଲି। ମୁଁ ଯେତେବେଳେ ତାଙ୍କ ପାଖରେ ଯାଇ ପହଞ୍ଚିଲି ତାଙ୍କୁ ଦେଖି ହତବାକ୍ ହୋଇଗଲି । ଏହି ଦିବ୍ୟ ପୁରୁଷଙ୍କୁ ମୁଁ ସ୍ୱପ୍ନରେ ଦେଖିଥିଲି । ସେଠାରେ ମୋର  ଆଡ଼ମିସନ ହେଲା । ସେ ତା’ଙ୍କ ଛାତ୍ର ବଳବନ୍ତ ରାୟଙ୍କୁ ଡାକିଲେ ଏବଂ ‘କହିଲେ ଇସକା ଅଡ଼ିସନ୍ ଲେ ଲେନା । କୌନସି କ୍ଳାସମେ ଓ ଫିଟ ହୋତା ହେ ଉସକୋ ଏ କରଲେନା । ସେତେବେଳେ ଓଡ଼ିଶା ଏକାଡ଼େମୀରୁ ଗୋଟେ ଚିଠି ତାଙ୍କ ପାଖକୁ ଯାଇଥିଲା । ମୋର ପରୀକ୍ଷା ନେଲେ । ଡିସେମ୍ବର ମାସ ଶେଷ ହୋଇଗଲାଣି, ଜାନୁଆରୀ ମାସରେ ୫ରେ ମୋର  ଆଡମିଶନ  ହେବ । ଏପ୍ରିଲ ମାସରେ ମୋର ପରୀକ୍ଷା । ସେ କହିଲେ ଇଏ ଚତୁର୍ଥ ବର୍ଷରେ ପରୀକ୍ଷା ଦେବ । ଚତୁର୍ଥ ବର୍ଷ ପାଇଁ ଫିଟ । ମୁଁ ତା’ଙ୍କ ଗୋଡ଼ ଧରି କହିଲି ମୁଁ ପ୍ରଥମ ବର୍ଷରୁ ଶିଖିବି । ସେ କହିଲେ ‘ନେହିଁ ନେହିଁ ତୁମହାରା ଷ୍ଟାଣ୍ଡାର୍ଡ ଠିକ ହେ, ତୁମ୍ ଚତୁର୍ଥ ବର୍ଷ କା ଲାୟକ ହୋ । ମେଁନେ ବୋଲା ଗୁରୁଜୀ ଏଇସା ମତ୍ କିଜିଏ, ହମାରା ଗୁରୁଜୀ ନେ ମନା କିୟା ହେ କାହା ହେ କି, ଓ ବୋଲେ କ୍ୟା ବୋଲା ହେ? ସୁରୁସେ ଶିଖନା ଔର ଠିକସେ ଶିଖନା । ସେ କହିଲେ “ତୁହ୍ମାରା ଗୁରୁ ମହାନ ଗୁରୁ ହେଁ । ତା’ ପରେ ତୃତୀୟ ବର୍ଷରେ ମୋତେ ନେଲେ । ଚାରି ମାସରେ ପରୀକ୍ଷା ଦେଇ ଚତୁର୍ଥ ବର୍ଷକୁ ଭର୍ତ୍ତି ହେଲି ଏବଂ ସବୁବେଳେ ଟପ୍ କରିକି ରହିଲି । ତୃତୀୟ ଆଉ ଚତୁର୍ଥ ବର୍ଷ ପଣ୍ଡିତ ଓଁକାର ନାଥଙ୍କ ଶିଷ୍ୟ ପଣ୍ଡିତ ବଲବନ୍ତ ରାଓ ପଟ୍ଟବର୍ଦ୍ଧନଙ୍କ ଠାରୁ ଶିଖିଲୁ ।

ମୋର ପଞ୍ଚମ ବର୍ଷ ବେଳକୁ ପଣ୍ଡିତଜୀ ରିଟାୟଡ଼ କରୁଥିଲେ । ବହୁତ ଅନୁରୋଧ କଲୁ ଭାଇସ୍-ଚାନସିଲରଙ୍କୁ, ଏମରିଟସ ପ୍ରଫେସର ହିସାବରେ ରହିଲେ । ମୋର ପୋଷ୍ଟ ଗ୍ରାଜୁଏଟ୍ ସରିବା ପର୍ଯ୍ୟନ୍ତ ଏହି ୨ ଜଣଙ୍କଠାରୁ ସଂଗୀତ ଶିଖିଲି । ଲୟ ଭାସ୍କର ଆର୍.ଏଲ୍ ପରବତକର ତାଙ୍କ ପାଖରୁ ତବଲା, ଲୟକାରୀ ଏବଂ ଡଃ ପ୍ରେମଲତା ଶର୍ମାଙ୍କ ଠାରୁ ଥିଓରି ଉପରେ ଶିଖିଲି ।

ଷ୍ଟେଟଠୁ ସ୍କଲାରସିପ୍ ଓ ସେଠାରୁ ସ୍କଲାରସିପ୍ ପାଇ ମୋର ବି.ମସ୍ ଓ ଏମ୍.ମସ୍ ସଂପନ୍ନ କଲି । ସେତିକି ବେଳେ ଗୋଟିଏ ଇଣ୍ଟେରଷ୍ଟିଙ୍ଗ ଘଟଣା ଘଟିଲା ମୋର  ଏମ ମସର କ୍ଲାସ ଚାଲିଥାଏ ଫାଇନାଲ ଇୟରର ହଁ ଇଆ ଭିତରେ ଗୋଟେ ଏମ ମସର ପରୀକ୍ଷା ହୋଇଥାଏ ସେଥିରେ ମୁଁ ଫାଷ୍ଟ  ହୋଇଥିଲି । ମୁଁ ଅଲ୍ ଇଣ୍ଡିଆ ମ୍ୟୁଜିକ୍ କମ୍ପିଟିସନ୍ ଜଏନ୍ କରିଥିଲି । ଆହ୍ଲାହାବାଦରେ ମୁଁ ଗାଇ ଫାଷ୍ଟ ହୋଇଥିଲି ଖେୟାଲ ଗାଇ । ଧିରେ ଧିରେ ମୋର ନାଁ ହେଲା ।  ଏମ ମସର କ୍ଳାସ୍ ହେଉ ଥାଏ, ରାଗ ମହ୍ଲୁଆ କେଦାର । ଅପ୍ରଚଳିତ ରାଗ ଆମର ବଡ଼େ ଗୁରୁଜୀ ପଣ୍ଡିତ ଓଁକାର ନାଥ ଠାକୁର କ୍ଳାସ୍ ନେଉଥାନ୍ତି । ମୁଁ ସାଙ୍ଗେ ସାଙ୍ଗେ ଉଠାଇବା ଲୋକ । ମୁଁ ଅନ୍ୟ ମନସ୍କ ଥିଲି । ସେ କହିଲେ ବେଟା, ଆଜ୍ ତୁହ୍ମାରା କାହାଁହେ ଧ୍ୟାନ୍ । ଗୁରୁଜୀ ମୁଝେ ମାଫ୍ କିଜିଏଗା, ମୁଝେ ଲଗତା ହେ ଇସ୍କୋ ମେନେ କାହାଁ ଶୁନା ହେ । ଏ ଅପ୍ରଚଲିତ ରାଗ ତୁମ କାହାଁସେ ଶିଖେ ହେ, ଠିକ୍ ହେ ତୁମକୋ ତିନ୍ ଦିନ୍ ଟାଇମ୍ ଦେତେହେଁ ତୁମ ୟାଦ କରକେ ଆନା ହମେ ଶୁନାନା । ମୁଁ ମନେ ପକାଇଲି ଆମ ପିଲାଦିନେ ଡ୍ରାମାରେ ମୁଁ ଗାଇଥିଲି । “ମାନ କାହିଁକି, ଆରେ ଯାରେ ଯା ଲାଜ ନାହିଁ କି” । ପୁରା ପୁରି ନୁହେଁ ପାଖା ପାଖି ହେଉଛି ।

ମୁଁ ତାକୁ ନୋଟେସନ କଲି ତାପରେ ୩ ଦିନ ପରେ ଏହି ୩ଟିକୁ ମୁଁ ତାଙ୍କୁ ଶୁଣାଇଲି । ସେ ସମସ୍ତଙ୍କୁ ଡାକି କହିଲେ ଆସ ଆସ ଗୋଟେ ନୁଆ କଥା ଦେଖିବ । ପରେ ସବୁ ଅଧ୍ୟାପକଙ୍କୁ ଡାକିଲେ କହିଲେ ଗାଅ ତୁମେ । ଗୋଟାକ ପରେ ଗୋଟିଏ ୩ଟି ଗୀତ ଗାଇଦେଲି, ସେ କହିଲେ, “ତୁହାରା ଓଡ଼ିଶା ମେଁ ଐସା ଗାନା ହେ, ଔର କ୍ୟା କ୍ୟା ଗାନା ହେ? ଯେତେ ଟ୍ରାଡିସନାଲ ଗୀତ ଥିଲା ସବୁ ତାଙ୍କୁ ଶୁଣାଇଲି । ପ୍ରାୟ ୭-୮ ଟି ଗୀତ ସେ ଶୁଣିଲେ। ସେ ଗୋଟେ ଗ୍ରନ୍ଥ ଦେଖିଲେ, ଦେଖିଲେ ରାଗ କଲ୍ପଦ୍ରୁମଃ ଯାହା ବେଙ୍ଗଲି ଭାଷାରେ ଲେଖାହୋଇଛି। ବିଭିନ୍ନ ଷ୍ଟେଟରେ ରାଜଦରବାରରେ କଣ କଣ ଗୀତ ବୋଲାଯାଏ ସେ ସବୁ ଦେଖିଲେ । ଆମ ରାଜ ଦରବାର କିଏ! ଜଗନ୍ନାଥ, ତେଣୁ ଜଗନ୍ନାଥଙ୍କ ପାଖରେ ଯାହା ବୋଲା ହେଉଥିଲା ରାଜାଙ୍କ ପାଖେ ତାହା ହେଉଥିଲା । ଦେଖିବାରୁ ସେହି ଗୀତଟା ମଧ୍ୟ ମିଳିଲା । କହିଲେ “ଦେଖୋ ବେଟା, ତୁମ୍ହାରା ତୋ ରେଜେଲଟ ୟାହାଁ ବହତ ଅଚ୍ଛା ହୋତା ହେ, ଇସ୍କେ ବାଦ୍ ତୁମହେ ୟାହାଁ ବି ଏମ ଅସ କରନା ହେ, ଡକ୍ଟରେଟ୍ କରନା ହେ, ଉସକେ ଯୋ ଥିସିସ୍ ଯୋ କରନା ହେ କୁଛ ଇଧର ଉଧର ନେହିଁ କରନା ହେ, ତୁମକୋ ଓଡ଼ିଶୀ ମେଁ କରନା ହେ, ଇସମେ ବହୁତ ସାମଗ୍ରୀକ ଉପାଦାନ ହେ । ୟେ ସଂଗୀତ ଆଗେ ଆନା ଚାହିଏ । ସେବେଠାରୁ ମୋ ମୁଣ୍ଡରେ ପଶିଲା। ଆମ ସଂଗୀତରେ କଣ ଗୋଟେ ଅଛି ।

ପ୍ରଶ୍ନ – ଆପଣ ଓଡ଼ିଶା କାହିଁକି ପଳାଇ ଆସିଲେ?

ଉତ୍ତର : ସମରଭେକେସନ ଛୁଟିରେ ମୁଁ ପଳାଇ ଆସେ । ମୁଁ ଟିକେଟ୍ କରି ଆସିଛି ଷ୍ଟୁଡେଣ୍ଟସ କନସେସନରେ । ମୁଁ ଯିବାକୁ ୨/୩ ଦିନ ଅଛି ମୋର ମା ହଠାତ ସିରିୟସ ହୋଇଗଲେ । ଡାକ୍ତରଙ୍କ ପାଖକୁ ଗଲାବେଳକୁ ଜଣାପଡ଼ିଲା କ୍ୟାନସର। ଭେକେସନରେ ରହିଲି । ଗୋକୁଳାନନ୍ଦ ମହାନ୍ତିଙ୍କ ପାଖକୁ ରେଫର କରାହେଲା । ତାଙ୍କ ଟ୍ରିଟମେଣ୍ଟରେ ରହିଲି । ସିଆଡ଼ୁ ଚିଠି ଆସିଲା । ତୁ କାହିଁକି ଆସି ଆଡ଼ମିସନ ନେଉନାହୁଁ? ମେଁ ନେ ବୋଲା ମାତାଜୀ ବିମାର ହେ । ସେ ଆହୁରି ସେତେବେଳେ ସିରିୟସ ହୋଇଗଲେ ମୁଁ ଆଉ ଯାଇ ପାରିଲିନି । ମୋତେ ନିୟମ କରି ବିବାହ କରାଇଦେଲେ । ମାଙ୍କ କଥା ମାନି ରହିଲି । ତା’ ପରେ ଖୁଣ୍ଟିଆ ସାର୍, ପ୍ରତିହାରି ସାର ଓ କାଶିନାଥ ମୁଦୁଲି ଯେଉଁମାନେ ମୋତେ ମଣିଷ କରିଥିଲେ ସେମାନେ କହିଲେ ତୁମେ ତ ବାହାରକୁ ପଳାଇବ, ଓଡ଼ିଶା ପାଇଁ କଣ କଲ ? ଓଡିଶା ତୁମକୁ ପାଠ ପଢାଇଲା, ଜ୍ଞାନ ଆରୋହଣ କଲ କିନ୍ତୁ ଓଡ଼ିଶାର ଉନ୍ନତି ପାଇଁ କଣ କଲ ?  ଓଡ଼ିଶୀ ସଙ୍ଗୀତର କିଛି କର ।

ପ୍ରଶ୍ନ : ହିନ୍ଦୁସ୍ଥାନୀ ସଂଗୀତ ଆପଣ ପଢ଼ିଲେ ଶିଖିଲେ ଓ ଅଧ୍ୟାପକ ହେଲେ । ଓଡ଼ିଶାରେ ହିନ୍ଦୁସ୍ତାନୀ ସଂଗୀତର ଧାରା କଣ ଅଛି?

ଉତ୍ତର : ୧୯୬୦ ମସିହାରେ ମୁଁ ପାସ କରି ଓଡ଼ିଶା ଆସିଲି । ସେତେବେଳର ଅବସ୍ଥା କହିଲେ ନସରେ । ଏତେ ଭୁଲ୍ ଭାଲ୍ କରି ଗାଉଥିଲେ କହିବାକୁ ନାହିଁ । ପାଠ୍ୟକ୍ରମ ସବୁ ବାହାରିଲା ପ୍ରୟାଗ ସଙ୍ଗୀତ ସମିତିର ପରୀକ୍ଷକ ଯିଏ ଆସିଲା ତାକୁ ଧରା ଧରି କରି ପାସ୍ କରି ଯାଉଥିଲେ । ପିଲାମାନେ ପାସ୍ କରିଲେ, ଗାଡ଼ିଆନମାନେ ଜାଣିଲେ ଯେ ମୋ ପିଲା ପାସ୍ କରିଲା ଶିଖନ୍ତୁ । ଏମିତି ଗୋଟେ ବେଧାରାରେ ଚାଲିଲା । ବାହାରେ ବହୁ ବିଦ୍ୱାନ ଲୋକମାନେ ମୋତେ କହିଛନ୍ତି “ହୋତା ଜୀ ଆପ୍ ହେ ଓଡ଼ିଶା ମେଁ, ଏସା ରାଗକା ଭୁଲ ଭାଲ୍ କରକେ ଗାତେ ହେଁ, ଆପ୍ ଦେଖତେ ନେହିଁ ? ହମାରେ ଉପର ଥୋଡ଼େ ହେଁ ମେରେ ଷ୍ଟୁଡେଣ୍ଟ ଥୋଡ଼େ ଗାତେ ହେଁ । ହମତୋ ମ୍ୟୁଜିକ କଲେଜ ମେଁ ହେ ନା, ମ୍ୟୁଜିକ୍ କଲେଜ ମେଁ ଯୋ ଆତେ ହେଁ ହମ ଉସକୋ ୟେ କରତେ ହେଁ ।

ପ୍ରଶ୍ନ : ଆପଣଙ୍କ ସଂଗୀତ ମହାବିଦ୍ୟାଳୟ ବହୁତ ଦିନ ହେଲାଣି, ସେଥିରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କିଏ କିଏ ବଡ଼ ବଡ଼ କଳାକାର?

ଉତ୍ତର : ଗୋଟେ କଥା ଅଛି, ଯେତେବେଳେ ଆମର ଆଡ଼ଭାଟାଇଜ ହେଲା ପିଲାଙ୍କୁ ନେବା ସକାଶେ ଠିକ ସାଠୁଆ ଭଳିଆ ଯେମିତି କଲିକତାରୁ ଗୁମାସ୍ତା ଆସିଛନ୍ତି ପଣ୍ଡା କିଏ ପଚାରନ୍ତି ସେମିତି ଯିଏ ଗୋଟିଏ ପିଲା ଆସିବ ତା ପଛରେ ଆଗ ଲୋକ ଲାଗିଯିବେ ଅଫିସରୁ ଷ୍ଟାପ୍ ପର୍ଯ୍ୟନ୍ତ ହିନ୍ଦୁସ୍ଥାନୀ ଶିଖିଲେ ରେଡ଼ିଓ ଅଡ଼ିସନ୍ ପାସ୍ କରି ପାରିବୁନି । ରେଡ଼ିଓରେ ଗାଇ ପାରିବୁନୁ। ଓଡ଼ିଶୀ ଶିଖିଲେ ଅଡିସନ୍ ପାସ୍ କରିବୁ, ରେଡ଼ିଓରେ ଗାଇ ପାରିବୁ । ୧୯୬୭ ମସିହାରେ ମୁଁ ଜଏନ କଲି, ଆଜି ପର୍ଯ୍ୟନ୍ତ ମଧ୍ୟ ସେୟା ଚାଲିଛି । ବହୁତ ଭଲ ଭଲ ପିଲା ସମସ୍ତେ ଓଡ଼ିଶୀକୁ ଯାଆନ୍ତି, ସବୁ ଖତରା ପିଲା ଆସନ୍ତି ହିନ୍ଦୁସ୍ଥାନୀକୁ ମୋ ପାଖକୁ । କିନ୍ତୁ କଣ କରିବୁ ଦାନାପାଣି ତ ଦରକାର । ଓଡ଼ିଶୀ ନାଚରେ ଗାଇବା କଥାଟା ପରକଥା, ସେତେବେଳେ ଓଡ଼ିଶୀ ନାଚ ଏତେ ଡୋମିନାଣ୍ଟହୋଇ ନଥିଲା । ଓଡ଼ିଶୀର ଗୋଟେ ମାନ୍ୟତା ରହିଥିଲା ।

ପ୍ରଶ୍ନ : ଓଡ଼ିଶୀ ସଂଗୀତକୁ ଆପଣ କେମିତି ଦେଖୁଛନ୍ତି?

ଉତ୍ତର : ଦେଖନ୍ତୁ ଓଡ଼ିଶୀ ସଂଗୀତକୁ ମୁଁ ସବୁଠୁ କଷ୍ଟ ସଂଗୀତ ବୋଲି ଭାବୁଛି । ଯଦି ଗୋଟେ ବନ୍ଦିସ ହିସାବରେ ଦେଖାଯିବ, ଯଦି ଫେଜ ଫେଜ କରି ଦେଖାଯିବ ରାଗ ସଂଗୀତରେ ଆମର ଗୋଟେ ବନ୍ଦିସ୍, ଆଳାପ୍, ତାନା, ବୋଲତାନ୍ ଏସବୁ ହେଉଛି । କିନ୍ତୁ ମେନ୍ ହେଲା ବନ୍ଦିସ୍ ବା ଘର । ଘରଟା କଣ, ଘରଟା କେମିତି ତିଆରି କରିଛ । ସେଇ ଘରଟାକୁ ଯଦି ଦେଖାଯିବ କର୍ଣ୍ଣାଟକିରେ କ୍ରିତି, ହିନ୍ଦୁସ୍ଥାନୀରେ ବନ୍ଦିସ୍ । ବନ୍ଦିସ୍ କୁ ଯଦି ପ୍ରମାଣ କରାଯିବ ଓଡ଼ିଶୀ ବନ୍ଦିସ୍ ସବା ଉପରେ ରହିବ । ଉଦାହରଣ ଦେଇ କହିଲେ “ପିୟାକି ନଜରିଆ, ଯାଦୁ ଭରି” ଏପରି ସିଧା ସିଧାରେ ଯାଉଛି । କିନ୍ତୁ ଆମର କଣ, କାରେ ଦେଖାଉ ତେଜ ରେ କୁଞ୍ଜ ନୟନା” । ଶବ୍ଦ ବେଶୀ ଥିଲେ ମଧ୍ୟ ସାଂଗୀତିକ ତତ୍ତ୍ୱ ମଧ୍ୟ ରହିଛି, ଅର୍ନାମେଣ୍ଟ ମଧ୍ୟ ରହିଛି । “ଦେଖିବ ପରା ଆସରେ … ପ୍ରାଣ ସଜନୀ, ଶ୍ରୀ ବଂଶୀଧର ବେଶକୁ, ନଟ ନାଗର ମୋର…” ଏସବୁ ଗୀତକୁ ଯିଏ କମ୍ପୋଜ କରିଛନ୍ତି ଆମେ ସିନା ସାଧାସିଧା ଗାଇ ନେଉଛନ୍ତି । କଣ କମ୍ କମ୍ପୋଜିସନ୍ ଇଏ । କୌଣସି ଗୁଣରେ ହିନ୍ଦୁସ୍ଥାନୀ ବନ୍ଦିସ୍ ଠାରୁ କମ୍ ନୁହଁ ଇଏ । କିନ୍ତୁ ଠିକ୍ ବାଟରେ ୟାକୁ ପକାଇବା ଦରକାର ।

ପ୍ରଶ୍ନ : ହିନ୍ଦୁସ୍ଥାନୀ ଶିଖିକି ଅଧିକାଂଶ ଓଡ଼ିଶୀ ଗାଉଛନ୍ତି ଓଡ଼ିଶୀର ରୂପଟା କେମିତି ଫୁଟିବ?

ଉତ୍ତର : ମୁଁ ଜଣେ ହିନ୍ଦୁସ୍ଥାନୀ ଗାୟକ, କିନ୍ତୁ ମୋ ଅସ୍ଥି ମଜା ହେଉଛି ଓଡ଼ିଶୀ । ପିଲାଦିନୁ ଓଡ଼ିଶୀ ଗାଇଛି । ଓଡ଼ିଶୀର ଗୋଟେ ଟିପିକାଲ୍ ଶୈଳି ଅଛି । ସେଇଟା ହେଲା “ଆଜ ଏ କି ଗୁମାନରେ ଚନ୍ଦ୍ରାନନ ଦେଖି ନାହିଁ, ସପନରେ… । ଏ ଯେଉଁ ଷ୍ଟାଇଲ୍ ନିଆଯାଉଛି । ଆନ୍ଦୋଳିତ ହୋଇ ଗମକ ଗୁଡ଼ା ଯାଉଛି । “ସୁନ୍ଦର ରଜ ବାସ ମନ୍ଦାର ତଳେ ହାସ” ଏ ସବୁ ହିନ୍ଦୁସ୍ତାନୀରେ ନାହିଁ । ଧୃପଦ ତ  ଠେଙ୍ଗା ଠେଙ୍ଗାରେ ବୋଲାଯିବ ।

ପ୍ରଶ୍ନ : ଅନେକଙ୍କର ଧାରଣା ଓଡ଼ିଶୀ ସଙ୍ଗୀତ କର୍ଣ୍ଣାଟକୀ ସଙ୍ଗୀତ ଦ୍ୱାରା ପ୍ରଭାବିତ?

ଉତ୍ତର : ନାଁ ଏହା ମଝା ମଝି, ଇନ ବିଟୁଇନ ହିନ୍ଦୁସ୍ଥାନୀ ଆଣ୍ଡ କର୍ଣ୍ଣାଟକି ମ୍ୟୁଜିକ୍ । ମୋ ଗୀତକୁ ଶୁଣିକି ମୋର ଗୁରୁଜୀ ପଣ୍ଡିତ ବଲବନ୍ତ ରାୟ ଭଟ୍ଟ କହିଥିଲେ “ଯୋ ଓଡ଼ିଶୀ ଶିଖେଗା ଉସକେଲିଏ ହିନ୍ଦୁସ୍ଥାନୀ ଶିଖନା, କର୍ଣ୍ଣାଟକି ମ୍ୟୁଜିକ୍ ଶିଖନା ଆସାନ ହୋ ଜାଏଗା । ଏଥିରେ ଯେଉଁ ଗମକ ଅଛି ଗମକଟା ହିନ୍ଦୁସ୍ଥାନୀ ପାଖ, କର୍ଣ୍ଣାଟକୀ ପାଖ, ପୁରା ହିନ୍ଦୁସ୍ଥାନୀ ନୁହଁ କି କର୍ଣ୍ଣାଟକି ନୁହଁ। ଏଥିପାଇଁ ସୁକ୍ଷ୍ମାବଲୋକନ ଦରକାର ।

ପ୍ରଶ୍ନ : ସେଇଟା କେମିତି କରିବା, ଆପଣ କଣ ସୁକ୍ଷ୍ମାବଲୋକନ କରିଛନ୍ତି?

ଉତ୍ତର : ଗାଇକି ଦେଖେଇ ହେବ ।

ପ୍ରଶ୍ନ : ଓଡ଼ିଶୀର ସ୍ୱତନ୍ତ୍ର ରାଗ ଯୋଉଗୁଡ଼ାକ ହିନ୍ଦୁସ୍ଥାନୀରେ ଅଲଗା ଥିବ, ତା’ର ରୂପଟାକୁ କେମିତି ଅଲଗା ଭାବେ ଦେଖାଇ ପାରନ୍ତେ ଯାହାକୁ ଦେଖି ଲୋକମାନେ କହନ୍ତେ ଏ ହିନ୍ଦୁସ୍ଥାନୀ ନୁହେଁ । କର୍ଣ୍ଣାଟକୀ ନୁହେଁ, ଇଏ କିଛି ଅଲଗା ।

ଉତ୍ତର : ଦେଖନ୍ତୁ ଆ…. ଏଇଟା ୩ଟି ରାଗ ମିଶ୍ରଣରେ ହୋଇଛି । ଆଜ କେଳି କଉତୁକେ ଶ୍ରୀ ଛାମୁରେ ମୋର ମାଗୁଣି ଏତିକି” ଏଇ ଗୀତକୁ ମୁଁ ଦିଲ୍ଲୀରେ ଗାଇଛି । ଉଭୟ ଗାନ୍ଧାର, ଉଭୟ ଧୈବତ, ଉଭୟ ନିଶାଦ । ଏ ରାଗ ପିଲୁରେ ଅଛି । ପିଲୁରେ ଆପଣ ଏମିତି ଗାଆନ୍ତି, ପ୍ରଶ୍ନ କରିଥିଲି । ଚୁପ୍ ହୋଇଗଲେ । ଶେଷକୁ କହିଲେ ହୋତା ଜୀ ଅଗର ଆପକା ଐସା ରାଗ ହେ, ତୋ ଫିର ଓଡ଼ିଶୀ ଡ୍ୟାନ୍ସ୍ ମେଁ ଐସା ରାଗ କ୍ୟୁ ନୋହିଁ ଗାତେ ହେଁ । କ୍ୟୁ ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ରାଗ ଲେତେ ହେଁ । ଇସମେ କ୍ୟୁ ଡ୍ୟାନ୍ସ ନେହିଁ କରତେ ହେଁ । ଇସମେ କରନେ ସେ ଅଚ୍ଛା ରହେଗା । ମୁଁ କହିଲି ବୋ ଉନକି ବାତ୍ ହେ, ମେଁ କ୍ୟା କହୁଗାଂ ।

ପ୍ରଶ୍ନ : ଏବେ ଯେଉଁ ଓଡ଼ିଶୀ ନୃତ୍ୟ ହେଉଛି । ଯାହା ବହୁ ପ୍ରଚାରିତ, ତାକୁ ଲୋକ ଦେଖୁଛନ୍ତି ବେଶୀ, ଓଡ଼ିଶୀ ସଂଗୀତ ଅପେକ୍ଷା ଓଡ଼ିଶୀ ନୃତ୍ୟକୁ ଦେଖୁଛନ୍ତି ବେଶୀ, ଓଡ଼ିଶୀ ନାଚରେ ଯେଉଁ ଗାୟନ ଗୁଡ଼ା ହେଉଛି ସେ ଗୁଡ଼ା କଣ ପିଓର ହିନ୍ଦୁସ୍ଥାନୀ ଦେଇ ହେଉଛି?

ଉତ୍ତର : ହିନ୍ଦୁସ୍ଥାନୀ ନ ହେଲେ ବି ସମ୍ପୂର୍ଣ୍ଣ ଅନୁକରଣ ହେଉଛି । ଯନ୍ତ୍ର ସଂଗୀତ ଯିଏ ବଜାଉଛନ୍ତି ସେ ତ ଓଡ଼ିଶୀ ଶିଖି ନାହାନ୍ତି । ସମସ୍ତେ ହିନ୍ଦୁସ୍ଥାନୀରେ ଟ୍ରେଣ୍ଡ । ଯିବେ କୁଆଡ଼େ । ଗୀତ ମଧ୍ୟ ସେହି ଅନୁସାରେ ଯାଉଛି । ନାଚ ବାଲା ବି କହିଛନ୍ତି ଆମର ହିନ୍ଦୁସ୍ଥାନୀ ଗାନ ଚଳିବ କେଳୁ ମହାପାତ୍ର କହିଛନ୍ତି । ମୁଁ ଲେଖିଥିଲି ଗୋଟେ ଆର୍ଟିକିଲରେ । ଚାଲେଞ୍ଜ କରି କହିଥିଲି ଏ ବିଷୟରେ ଆମର ଏଭଳିଆ ଗୁରୁମାନେ ରହିଛନ୍ତି ଓଡ଼ିଆର ‘ଅ’ ଅକ୍ଷର ଜାଣି ନଥିବା ଲୋକ କର୍ଣ୍ଣାଟକି ସଂଗୀତ ଜାଣିଥିବେ, ହିନ୍ଦୁସ୍ଥାନୀ ସଂଗୀତ ଜାଣିଥିବେ ତେବେ ଦାମ୍ଭିକତାର ସହ ଓଡ଼ିଶୀ ନୃତ୍ୟରେ ଗୀତ ଗାଇ ପଳାଇବେ । ଏ କଥା କହିଛନ୍ତି, ଆମର ହିନ୍ଦୁସ୍ଥାନୀର ଗାନ୍ ଚଳିବ, ଆଟିକିଲ୍ ରହିଛି ପାଖରେ ।

ପ୍ରଶ୍ନ : ଆମେ ଓଡ଼ିଶୀକୁ ମୌଳିକ ବୋଲି ପଦାରେ ଦାବୀର ସହିତ କହିବା ପାଇଁ ବା ଦେଖାଇବା ପାଇଁ କଣ କଣ ଉଦାହରଣ ଆଉ ଦେଇପାରିବା । ରାଗ ଯୋଗୀୟା, ରାଗ ସାବେରୀ କଥା କହୁଥିଲେ ।

ଉତ୍ତର : ମୁଁ ଯାହା କହିଛି ୧୯୬୦ ମସିହା ପରଠାରୁ ମୁଁ ଯାହା ଗବେଷଣା କରିଛି ମୋର ପ୍ରଥମ ବହି ବାହାରିଲା “କିଶୋର ଚନ୍ଦ୍ରାନନ ଚମ୍ପୁ ଲହରୀ” ହିନ୍ଦୁସ୍ଥାନୀ ଅମକ ରାଗ ସମକ ରାଗ କରି ଲେଖିଛି । ଦେଖନ୍ତୁ ଗୈଡ଼ା ଗୋଟେ ରାଗ ଗୈଡ଼ା “ଢାଳେ ତ ଢାଳିଲୁ ନାହିଁ, କୃପା ସୁଦ୍ଧା ଝରିକିରେ” ଏହି ହେଉଛି ହିନ୍ଦୁସ୍ଥାନୀରେ ଚମ୍ପକ ରାଗ, କର୍ଣ୍ଣାଟକରେ ଯଦୁକୁଳ କାମୋଦୀ । ଏଇ ଆମର ବୈଶିଷ୍ଠ୍ୟ । ଆମେ ଡ଼କାଇକି ପଞ୍ଚମ ତ୍ରିଧାରା ସମ୍ମିଳନୀ କରିଥିଲୁ । ଗାଇଥିଲୁ ଆମେ । ଆମର କେତେ ଗୁଡ଼ିଏ ରାଗ ଅଛି ଯେଉଁଥିରେ ସମାନ ସ୍ୱର ଅଛି, ତିନିଟି ପଦ୍ଧତିରେ ସମାନ ସ୍ୱର କିନ୍ତୁ ନାଁ ଅଲଗା ସ୍ୱରୂପ ଏକ । ସେମିତି କେତେଗୁଡ଼ିକରେ ନାଁ ସମାନ ଅଛି, ସ୍ୱରୂପ ଅଲଗା ଅଛି । “ଦେଖିବ ପରା ଆସ” ଗାଇଲି “ସା ରେ ଗା ପା ଧା ସ” “ସା ନି ଧା ପ ମା ଗା ରେ ସା” ଏଇଟା ହେଉଛି ଆମର କଲ୍ୟାଣି । ପ୍ରଭା ଆତ୍ରେଙ୍କ ସାମନାରେ ଗାଇଥିଲି । ମୁଁ କହିଲି “ୟେ ରାଗ ଆପକା ହିନ୍ଦୁସ୍ଥାନୀ ମେଁ, ୟେ ଆରୋହ ଅବରୋହ ହେ, ଆପ ଶୁଦ୍ଧ କଲ୍ୟାଣ ମେଁ ଇସ୍ତରହ ଗାତେ ହେଁ, କ୍ୟା ମୁଁ ତାଙ୍କୁ ପ୍ରଶ୍ନ କରିଥିଲି ଆପକା ଯୋ ରାଗ ହେ ଅଲଗ ରାଗ ହେ ।

ପ୍ରଶ୍ନ : ଆମେ ଆମ ରାଗର ଯାହା ରୂପ ଅଛି, ରୂପ ଅନୁସାରେ ଗୀତକୁ ଗାଉନାହୁଁ କି?

ଉତ୍ତର : ଆମ ରାଗର ରୂପ ଅନୁସାରେ କିଏ ଗୀତ ଗାଉଛି । ଆମର କେଉଁ ରାଗ ବୋଲି କରୁଛେ ଯେ? ଆମର କେଉଁ ରାଗ, ଆମର ରାଗ ହେଉଛି ଯେଉଁ ପାରମ୍ପାରିକ ସ୍ୱର ବାହାରିଛି । ସିଏ ଆମ ରାଗ । ଯଥା : ଆଜ କେଳି କଉ ତୁ…” ଅଳଙ୍କୃତ କରି ଗାଇଲେ କର୍ଣ୍ଣାଟ ଆଧୁନିକା । ଉଭୟ ଗାନ୍ଦାର ନିଶାଦ ଓ ଧୈବତ ଲାଗୁଛି ।

ପ୍ରଶ୍ନ : ଆମର ଯେଉଁ କଳାକାରମାନେ ଅଛନ୍ତି ଓଡିଶୀରେ ଆପଣମାନେ ତ ତାଙ୍କୁ ତିଆରି କରିଛନ୍ତି, ସଂଗୀତ ମହାବିଦ୍ୟାଳୟରୁ ବାହାରିଛନ୍ତି । ସେମାନେ ତା’ଙ୍କ ଗାୟନରେ ଓଡ଼ିଶୀର ମୌଳିକ ଗାୟନର ଢାଞ୍ଚାକୁ ଫୁଟାଇ ପାରୁ ନାହାନ୍ତି କି?

ଉତ୍ତର : ନାଁ, ଫୁଟାଉନାହାନ୍ତି। ସେଇଟା ତା’ଙ୍କ ଭୁଲ୍ ନୁହେଁ, ତା’ଙ୍କ ଗୁରୁଙ୍କ ଭୁଲ୍ । ତାଙ୍କ ଗୁରୁମାନେ ତାଙ୍କୁ ସେମିତି ଟ୍ୟାଲେଣ୍ଟ ଦେଇଛନ୍ତି । ଗୁରୁମାନେ ଯଦି ଚକ୍ରାବକ କହି ହିନ୍ଦୁସ୍ଥାନୀର ଅହିର ଭୈରବ ଅନୁସାରେ ବତାଇବେ କଣ ହେବ । ୬ ବର୍ଷ ଶିଖିକି ସେଇଟା ପାସ୍ କଲା । କର୍ଣ୍ଣାଟକିର ଚକ୍ରବାକ, ଓଡ଼ିଶୀର ନୁହଁ । ବଜ୍ରାକାନ୍ତି ରାଗ କର୍ଣ୍ଣାଟିକିର ଗାଇବେ ହିନ୍ଦୁସ୍ଥାନୀର ଭୀମପଲାଶ୍ରୀ ଭଳିଆ । ଆଇସିସିଆର ର ଗୋଟେ ପୋଗ୍ରାମକୁ ଯାଇଥିଲି । ମୋତେ ବହୁତ ବାଧ୍ୟ କରିଥିଲେ ଯିବାକୁ । ମୁଁ ଭାବିଲି ସମୟ ମୁଁ ବରବାଦ କଲି । ଗୋଟେ ପିଲା, ବହୁତ ବଢ଼ିଆ କଣ୍ଠ ତାର । ଓଡ଼ିଶୀ ଗାଇଲା । ମୂଳରୁ ଶେଷ ପର୍ଯ୍ୟନ୍ତ । ଅଧାରୁ ରାଗଟା ଭୁଲ୍ ହେଲା । ମିଆଁ ମହ୍ଲାର ଗାଇଲା ସେ । ପୁରା ହିନ୍ଦୁସ୍ଥାନୀ ମିଆଁ ମହ୍ଲାରକୁ ଏଷ୍ଟାବ୍ଲିସ କଲା ତାପରେ ଓଡିଶୀ ଗୀତ ଗାଇଲା। ହିନ୍ଦୁସ୍ଥାନୀ ଢଙ୍ଗରେ ଆଳାପ କଲା । ବିଦ୍ୱାନମାନେ ଶୁଣିବେ ଯଦି କହିବେ ହିନ୍ଦୁସ୍ଥାନୀ ଗାତେ ହୋ । ବିଦ୍ୱାନମାନଙ୍କୁ ପଚାରୁଛି କିଏ ? ମିଡ଼ିଆ ମାନେ ଆଗ ଲେଖିବେ ସେମାନେ ଗୀତଗାଇ ଲୋକଙ୍କୁ ଇଏ କରି ଦେଲେଣି । ହିନ୍ଦୁସ୍ଥାନୀର ବିଦ୍ୱାନମାନେ ଯଦି ଏହାକୁ ଶୁଣିଲେ ତେବେ ତା’ଙ୍କୁ ସ୍ୱୀକାର କରିବେନି । କେବେ କହିବେନି ଗୋଟେ ସ୍ୱତନ୍ତ୍ର ମହ୍ଲାର ଆମେ ଆମ ଢାଞ୍ଚାରେ ଗାଇ ପାରନ୍ତୁ । ଓଡିଶୀ ରାଗକୁ ଶୁଣାଇଲେ ସେମାନେ ସିନା ବୁଝିବେ ।

ପ୍ରଶ୍ନ : ଓଡ଼ିଶୀ ରାଗକୁ ଶୁଣାଇବାର ଦାୟୀତ୍ୱ କାହାର?

ଉତ୍ତର : ଯେଉଁମାନେ ତା’କୁ ପରିବେଷଣ କରୁଛନ୍ତି । ବର୍ତ୍ତମାନ ସମସ୍ତଙ୍କର ଦାବୀ ଓଡ଼ିଶୀ ଗୋଟେ ସ୍ୱତନ୍ତ୍ର ମାନ୍ୟତା ପାଉ । ଓଡ଼ିଶାର କଳା ସ୍ୱତନ୍ତ୍ର, ମନ୍ଦିର ଭାସ୍କର୍ଯ୍ୟ, ଚିତ୍ରକଳା ସ୍ୱତନ୍ତ୍ର । କିଏ କହିଲା ଓଡ଼ିଶୀ, ସଂଗୀତର ସ୍ଵାତନ୍ତ୍ର୍ୟତା ନାହିଁ । କେହି ମୋତେ ପ୍ରଶ୍ନ କରିପାରି ନାହାନ୍ତି । ବଡ଼ ବଡ଼ ଓସ୍ତାଦଙ୍କ ଆଗରେ ଗାଇଛି । କହିଛି ଆପକା ହିନ୍ଦିସ୍ଥାନୀ ମେଁ ତରାନା ଚଲଣ ହେ, ହମାରା ତ୍ରିଭଂଗ । ଗାଇଥିଲି । “ସା ରେ ଗା ପା ଧା ସା, “ସା ଧା ପା ଗା ରେ ସା’ ତା ଝୁଂ ତା ତା ଝୁଂ ତାଝୁଂ ତାରିଝଂ, ତା ଝୁମ ତା ରିତା ଝେଣୁ ତା ଝେଣୁ ତା… । ହିନ୍ଦୁସ୍ଥାନୀରେ ତରାନା “ଦିର ଦିର ନା ଦିର୍ ଦିର୍ ନା ଦେରେ ନା ଦିର୍ ଦିର୍ ଦେରେ ନା, ତାଙ୍କ ଜିନିଷ ଆଉ ଇଆ ଭିତରେ କେତେ ଫରକ ରହୁଛି । ଆମକୁ ଆମ ଗୁରୁ ଯାହା ବତେଇଛନ୍ତି ଆମେ କରୁଛୁ, ଏ ଗୁଡ଼ିକ ଚିନ୍ତା କଲେ ହେବ ନା । ଯିଏ କରିକି କହୁଛି ତା’କୁ ଗ୍ରହଣ କଲେ ହେବ ନା । ଏହା ହିଁ ଦୁଃଖର କଥା ସତକୁ ମାନିବାକୁ କେହି ପ୍ରସ୍ତୁତ ନାହାନ୍ତି ।

ପ୍ରଶ୍ନ :ଶେଷରେ ଆପଣ କ’ଣ କହିବେ, ସବୁ ସଂଗୀତଜ୍ଞମାନଙ୍କୁ ଆମେ ସମସ୍ତେ ନିଜ ନିଜ ଭିତରେ ଯାହା ଭେଦଭାବ ଅଛି ତା’କୁ ଭୁଲି ସମସ୍ତେ କିପରି ଏକାଠି ହେବା, ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଯାଉଛି, ଓଡ଼ିଶୀ ନୃତ୍ୟ ତ ଶାସ୍ତ୍ରୀୟ ହୋଇଛି ସାରିଛି । ସଂଗୀତଟା କିପରି ହେବ?

ଉତ୍ତର : ସମସ୍ତେ ସେଇ ଗୋଟାଏ କଥା ବୁଝିବା ଦରକାର । ଓଡ଼ିଆ ସାହିତ୍ୟର ଯେଉଁ ବୁଦ୍ଧିଜୀବୀମାନେ ରହିଛନ୍ତି, ଚର୍ଚ୍ଚା କରି ତର୍ଜମା କରି ସବୁ ଗବେଷଣା କରିକି କରୁଛନ୍ତି । ତାଙ୍କ ପାଖେ ସବୁ ସାମଗ୍ରୀକ ଉପାଦାନ ରହିଛି, ଯେଉଁ ପୁରୁଣା ଜିନିଷ ଥିଲା ତା’କୁ ଦେଖାଇକି ଶାସ୍ତ୍ରୀୟ କରୁଛନ୍ତି । ଆମର ଏଇଟା ନୂଆ ହେବ । ଏଇଟା ଅତି କଠିନ କଥା । ଡ୍ୟାନ୍ସରେ କୋଣାର୍କର ଫୋଟୋ ଉଠାଇଲେ ଦେଖିଲେ ମୁଦ୍ରାକୁ ତିଆରି କଲେ ସବୁ କଲେ । ବିଭିନ୍ନ ଇନ୍ଦ୍ରିୟ କାମ କଲା । ଏଠି କେବଳ ଗୋଟିଏ ଇନ୍ଦ୍ରିୟ କାମ କରୁଛି ଶ୍ରବଣେନ୍ଦ୍ରିୟ ଆଉ ବ୍ରେନ କାମ କରୁଛି । ଏଠି ଆମ ହୃଦୟ ଭିତରେ ବୁଝିବା ଦରକାର, ନାଇଁ ଆମେ ଭୁଲ ଜିନିଷଟାକୁ ମାନିବା । ଭୁଲକୁ ଭୁଲ୍ କହିବା, ଠିକକୁ ଠିକ୍ କହିବା । ଏହି ଭାବନା ଯେତେବେଳେ ଆସିବ ଆମ ସମସ୍ତଙ୍କ ଭିତରେ ସେତେବେଳେ ଯାଇ ହେବ । ଉଡ଼୍ର ପଦ୍ଧତିୟ ସଂଗୀତ ଛଡ଼ା ଆଉ ବାଟ ନାହିଁ ।

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

Featured Video Play Icon

କଳା ଓ କଳାକାର : ସାକ୍ଷାତକାର ମୁକୁନ୍ଦ ଦେବ (ଯୁବ ଶାସ୍ତ୍ରୀୟ ଗାୟକ)

Leave a Reply

Your email address will not be published. Required fields are marked *