Home / ସଙ୍ଗୀତ / ଲୋକଗୀତ / ସମ୍ବଲପୁରୀ ନାଚ ଓ ଗୀତର ପ୍ରକୃତ ସ୍ୱରୂପ

ସମ୍ବଲପୁରୀ ନାଚ ଓ ଗୀତର ପ୍ରକୃତ ସ୍ୱରୂପ

‘ସମ୍ବଲପୁରୀ ନାଚ ଓ ଗୀତର ପ୍ରକୃତ ସ୍ୱରୂପ’ ଶୀର୍ଷକ ଲେଖାଟି ବିଧୁଭୂଷଣ ଗୁରୁଙ୍କ ଦ୍ୱାରା ୧୯୪୬ ମସିହା ଶଙ୍ଖ୧(୧୦)- ଚୈତ୍ରରେ ପ୍ରକାଶିତ ହୋଇଥିଲା । ସେତେବେଳେ ସମ୍ବଲପୁରୀ ଗୀତ ଓ ନାଚର ସ୍ୱରୂପ ସମ୍ପର୍କରେ ଲେଖାଟିରୁ ଅନେକ ସୂଚନା ମିଳେ । ୨୦୧୭ ମସିହାର ପାଠକମାନଙ୍କୁ ପାଖାପାଖି ୭୦ବର୍ଷ ତଳର ଏହି ଲେଖାଟି ସେତେବେଳର ଲୋକ ସଂସ୍କୃତିକୁ ଜାଣିବାରେ ସହଯୋଗ କରିବ ବୋଲି ଆଶାକରି ସମଧ୍ୱନିରେ ଏହାକୁ ପୁନଃ ପ୍ରକାଶ କରାଯାଇଛି ।               – ସମ୍ପାଦକ

ଶେଷସଂଖ୍ୟା ସହକାରରେ ଶ୍ରୀମାନ୍ ବ୍ରଜବନ୍ଧୁ ହୋତାଙ୍କର ଲିଖିତ ‘ସମ୍ବଲପୁରୀ ନାଚ ଓ ଗୀତ’ ଶୀର୍ଷକ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା । ମୋଟାମୋଟିରେ କହିବାକୁ ଗଲେ ସେହି ପ୍ରବନ୍ଧଟି ଶ୍ରୀଯୁକ୍ତ ଜୟବିହାରୀ ମିଶ୍ରଙ୍କ ଲିଖିତ ଓ ପ୍ରକାଶିତ “ଡାଳଖାଇ ନାଚ”, ଶ୍ରୀଯୁକ୍ତ ପଣ୍ଡିତ ନାରାୟଣ ମିଶ୍ରଙ୍କ ଲିଖିତ ଓ କୋଶଳ ସାହିତ୍ୟ ସମ୍ମିଳନୀ ମଣ୍ଡପରେ ପଠିତ ‘ସମ୍ବଲପୁରୀ ନାଚ’ ଓ ମୋ ଲିଖିତ ଓ ପ୍ରକାଶିତ ‘ଢ଼ାପ ନାଚ ଓ ଗୀତ’ “ଓଡ଼ିଆ ସାହିତ୍ୟରେ ସମ୍ବଲପୁରୀ କବିତାର ସ୍ଥାନ” ପ୍ରବନ୍ଧମାନଙ୍କର ପୁନରାବୃତ୍ତି ମାତ୍ର ।

ପାଠକମାନଙ୍କ ଆଗରେ ବଢ଼ା ହେବାଭଲି କିଛି ନୂତନ ଜିନିଷ ସେହି ପ୍ରବନ୍ଧରେ ନାହିଁ । ଅନେକ ସ୍ଥଳରେ ଲେଖକ ଲେଖୁଁ ଲେଖୁଁ ଭ୍ରମର ଆବରଣରେ ପଡ଼ିଅଛନ୍ତି । ଯେଉଁ କେତେଗୁଡ଼ିଏ ନୂତନ ନାଚର ନାମ ଦିଆଯାଇଛି ସେ ଗୁଡ଼ିକର ବିସ୍ତୃତି ବିବରଣୀ ବା ଗୀତାଂଶର ଉଲ୍ଲେଖ ହୋଇନାହିଁ । ଯେଉଁ ଗୀତ ଗୁଡ଼ିକର ପଦୋଦ୍ଧାର କରାଯାଇଛି ସେଥିରେ ଜାତୀୟ ସାହିତ୍ୟର ଅଙ୍ଗ ପୃଷ୍ଟ କରିବା କିଛି ଉକ୍ରୃଷ୍ଟ ଉପାଦାନ ନାହିଁ । ଏଣୁ ପାଠକମାନଙ୍କ ଆଗରେ ‘ସମ୍ବଲପୁରୀ ନାଚ ଓ ଗୀତ’ର ପ୍ରକୃତ ରୂପ ଥୋଇବା ପାଇଁ ଏହି ପ୍ରବନ୍ଧର ଅବତାରଣା ।

ଅବଶ୍ୟ ବ୍ରଜବାବୁ ନୂତନ ଉଦ୍ୟମର ହୀଡ଼ ଦେଇଥିବାରୁ ଧନ୍ୟବାଦ ପାଇବାର ଯୋଗ୍ୟ ।

ରସରକେଳି ନାଚ :- ‘ରସରକେଳି’ ନାଚର ଅର୍ଥ ଆମୋଦ ଜନକ କ୍ରୀଡ଼ା କିମ୍ବା ପ୍ରେମ ବା ରସପୂର୍ଣ୍ଣ ଖେଳ । ସେଥିପାଇଁ ଏହିନାଚ ହେଲା ବେଳେ ଯେଉଁ ଗୀତଗୁଡ଼ିକ ବେଲାହୁଏ ପ୍ରାୟ ଅଧିକାଂଶରେ ପ୍ରେମର ନିଖୁଣ ଚିତ୍ରଥାଏ । ଯୁବତୀମାନଙ୍କ ଦ୍ୱାରା ଏହି ନାଚ ହୁଏ । କେବଳ ଡୁମାଲ ବା ବିଂଝାଲ ଜାତିର ଟୋକୀମାନଙ୍କର ପାଇଁ ଏହି ନାଚ ଉଦ୍ଦିଷ୍ଟ ନୁହେଁ । ଅନେକ ସମୟରେ ଗଉଡ଼, କନ୍ଧ, ଗଣ୍ଡ ପ୍ରଭୃତି ଜାତିର ଝିଅମାନେ ବି ଏହି ନାଚରେ ଯୋଗ ଦେଇଥାନ୍ତି । ବିବାହ ପୂର୍ବଦିନ ରାତିରେ ପ୍ରାୟ ଏହି ନାଚର ବ୍ୟବସ୍ଥା ହୋଇଥାଏ । ପ୍ରେମପୂର୍ଣ୍ଣ ରସମୟ ଗୀତିର ଅମୃତ ଆସ୍ୱାଦନ ପାଇଁ ଯୁବକ ଯୁବତୀଙ୍କ ଗହଳରେ ନୃତ୍ୟସ୍ଥାନ ଉଛୁଳି ଉଠେ । ଦିନେ ସନ୍ଧ୍ୟା ସମୟରେ ଲେଖକ ବନ୍ଧୁମେଳରେ ଥାଇ ଏକ ଜାମୁଗଛ ମୂଳର ଦୂରରୁ ‘ରସରକେଳି’ ଗୀତର ନିମ୍ନାଂଶ ଶୁଣିବାର ସୁଯୋଗ ଲାଭ କରିଥିଲା ।

‘ରସକେଲିରେ

ଇ ଦେଉଲେ କିଏରେ ସେ ଦେଉଲେ କିଏ

ରତାରଝି ବାଛିକରି ବର ମାଗି ନିଏ,

ହରା ଦିମଖା ଚାରାଦିହୁ ବାଲ କୋରାକ ଗୁଚ୍ଛା

ତାରଲାଗି କେତେନି କେତେ ହରଛେ ଗୁଚ୍ଛା

ଲୁହପୁଚ୍ଛା

ବୟସ ହେଲା କୈକୁଟରେ ରସରସିଆ ବର

ଯିବା ସହି ଧରବା ଲୋ ରସରସିଆ ବରସା

ରସ୍-ଯା-ଚରି ଯାରେ                                                ।।୧।।

ରସକେଲିରେ

ଡୁଙ୍ଗୁରିତଲେ ବହି ଯାଉଛେ ଖୁରା ଖୁଲା ଝର୍ନା

ମୁଲ୍ମୁଲ୍ କରି ହସେ ଚଷା ରୁପା ବର୍ନା

ଫୁଲ ହସାସି ପୁନେଇଁ ଜହ୍ନ କେତେନି

କେତେଦୂରୁ

ଇ ସଂସାର ମଜାଲାଗି, ତୁଝେ ଝୁରିମରୁ

ରସ-ଯା-ଚଲି ଯାରେ                                                            ।।୨।।

ରସକେଲିରେ

ଯମୁନାକୁ ଯାଇଛନ୍ତି ରାଧା ପାନି ଆନି

କେତେବେଲୁଁ ଜଗି ଅଛେ ବାଟେ ବେନୁପାନି

ରାଧାର ବିଲମ୍ବ ଦେଖି କହେ ଚନ୍ଦ୍ରସେନା

ରାଧା ଯାଇଅଛେ କେନେ ବେଲହେଲା ଘେନା

ବହନି ତୁ ଯାଇଦେଖି ଥିବା ସେ କାଲିଆ

ତୁଚ୍ଛାଟାକେ ମତେକରେ ସୁନ୍ଦରୀ ରାଧିକା

ହାରିଆ    ରସ-ଯା- ଚଲିଯାରେ                                                            ।।୩।।

ଗାୟିକା ନେତ୍ରମଣି

ଉପର୍ଯ୍ୟୁକ୍ତ ଗିତାଂଶ କଳା ଓ ପରିପାଟୀ ପୂର୍ଣ୍ଣ ପ୍ରଥମ ପଦରେ ଦେଉଳରେ ରତାଝିଅର ବାଞ୍ଛିତ ସ୍ୱାମୀଲାଭ ପାଇଁ ପ୍ରାର୍ଥନା ଓ ଅନ୍ୟର ସମବେଦନାର ଚିତ୍ର ନିହିତ । ଦ୍ୱିତୀୟ ପଦରେ ଆନନ୍ଦମୟ ସଂସାରରେ ନୈରାଶ୍ୟ ବାଦର ସ୍ଥାନ ନାହିଁ ବୋଲି କୁହାଯାଇଛି । ତୃତୀୟ ପଦ ପୌରାଣିକ ଛାୟାଘେନି ଉଠିଛି । ରସରକେଳି ନାଚର ଗୀତ ସଂଗ୍ରହର ଚେଷ୍ଟା ଚାଲିଛି । ପ୍ରତ୍ୟେକ ପଦରେ ଜାତୀୟ ସାହିତ୍ୟକୁ ଦାନ ଦେବାଭଳି ନୂତନ ଜିନିସ ବହୁତଅଛି ।

କର୍ମାନାଚ:-

‘କରମ୍ସେନି’ ଏ ଅଞ୍ଚଳର ଅସ୍ପୁଶ୍ୟ ହାଡ଼ି, ବା ଘାସିମାନଙ୍କର ଆରାଧ୍ୟା ଦେବୀ । କରମ୍ ର ଅର୍ଥ ଭାଗ୍ୟ ତେଣୁ ଅନୁମିତ ହୁଏ ‘କରମ୍୍ ସେନି’ର ଆକ୍ଷରିକ ଓ ପ୍ରକୃତ ଅର୍ଥ ଯାହା ପାଖରେ ଭାଗ୍ୟବୋଲା ହୋଇରହିଛି,ଅର୍ଥାତ୍ ଭାଗ୍ୟଦେବୀ। ତେଣୁ ତାଙ୍କପାଇଁ ଯେଉଁ ନାଚହୁଏ ତାକୁ ‘କରମାନାଚ’ କୁହାଯାଏ । ଏହି ନାଚରେ ଏକ ବା ଏକାଧିକ ମାଦଳ ବାଜେ । ନୃତ୍ୟକାରୀମାନଙ୍କୁ ବେଳେ ବେଳେ ମଦ ପିଇଥିବାର ଦେଖାଯାଏ । ଦେବୀଙ୍କୁ ମଧ୍ୟ ଏମାନେ ‘ମଦ’ ପୂଜା କରନ୍ତି । ତେଣୁ ନୃତ୍ୟ ବେଳେ ମଦ୍ୟପାନ ଏମାନଙ୍କର ଏକ ଗତାନୁଗତିକ ପ୍ରଥା । ସମ୍ବଲପୁର ଅଞ୍ଚଳରେ ‘ଦେବତାଧରା’ ତଳେ ଅର୍ଥାତ୍ ଜଣେଲୋକ ଦେବୀମାନଙ୍କପରି ବେଶଭୂଷା ପିନ୍ଧି ନାଚେ। ତେଣୁ ‘କରମ୍ ସେନି’ ଦେବୀଙ୍କୁ ନୃତ୍ୟ ମଣ୍ଡପରେ ଛିଡ଼ା କରାଇବା ପୂର୍ବରୁ ଏକ ରକମ୍ ବାଦ୍ୟ ବଜାନ୍ତି । ଏହି ବାଦ୍ୟ ଓ ସେମାନଙ୍କର ‘ଝୁମେର’ ବାଦ୍ୟ ବଡ଼ ଶ୍ରୁତିପ୍ରିୟ । ବିଶେଷତଃ ଜହ୍ନ ରାତିରେ ମାଦଳରେ ଏହି ବାଦ୍ୟ ଦୂରରୁ ବାଜୁ ଥିଲେ ସଂଗୀତପ୍ରିୟ ଯୁବକ ଠହରି ପାରିବ ନାହିଁ । ଏମାନଙ୍କ ଗୀତର ଅଧିକାଂଶ ଦେବୀଙ୍କ ପ୍ରାର୍ଥନାରେ ପୂର୍ଣ୍ଣ । ପର୍ବ ସମୟ ଭାଦ୍ରବ ।

ଘୁମୁରାନାଚ:-

‘ଘୁମୁରା’ ଏକପ୍ରକାର ବାଦ୍ୟଯନ୍ତ୍ର । ଏକାଧିକ ଯନ୍ତ୍ର ବଜାଇ ଅନେକ ଲୋକ ବୃତ୍ତାକାରରେ ଗୀତ ଗାଇ ଗାଇ ନୃତ୍ୟ କରନ୍ତି । ତେଣୁ ଯନ୍ତ୍ରର ନାମାନୁସାରେ ଏହି ନାଚର ଏପରି ନାମକରଣ ହୋଇଛି । ମଝିରେ ଜଣେ ଲୋକ ‘ନିଶାଣ’ ବଜାଏ । ନୃତ୍ୟକାରୀମାନେ କେବଳ ପୁରୁଷ । ସଂକୀର୍ତ୍ତନ ପରି ଗୀତଏମାନଙ୍କର ବେଳେବେଳେ ବୈଠକୀ ଗୀତ ଓ ବାଦ୍ୟ ହୋଇଥାଏ । ନୃତ୍ୟବେଳେ ନୃତ୍ୟକାରୀ ସାଦା ଧୋତି, କେହି କେହି ରଙ୍ଗୀନ କୁରୁତା ପିନ୍ଧିଥାନ୍ତି । ସମସ୍ତଙ୍କ ମୁଣ୍ଡରେ ପଗଡ଼ିଥାଏ ଓ ପଗଡ଼ି ଭିତରେ ଝୁପା ଝୁପା କଲଙ୍ଗୀ ଦୋହଲୁ ଥାଏ । ଏମାନଙ୍କ ଗୀତ ପ୍ରାୟ ବିଶୁଦ୍ଧ ଓଡ଼ିଆ ଭାଷାର । ପୌରାଣିକ ବିଷୟ ନେଇ ଏମାନଙ୍କର ପ୍ରଶ୍ନୋତ୍ତର ଛଳରେ ବିଶେଷ ଚର୍ଚ୍ଚାଚାଲେ ।

ଯଥା : –               କହ ରସିକବର

ରାମାୟଣ ଗ୍ରନ୍ଥ କଲା ରେ ପ୍ରଚାର ହେ

କହ ରସିକବର ।

ତାହାଛଡ଼ା ଅନ୍ୟ ସମ୍ବନ୍ଧୀୟ ଗୀତ ମଧ୍ୟ ଏମାନେ ଗାଇଥାନ୍ତି :-

ଡାଲଖାଇ ନାଚ :- ଏହି ନାଚ ସମ୍ବନ୍ଧରେ ଶ୍ରୀଯୁକ୍ତ ଜୟବିହାରୀ ମିଶ୍ର ସହକାରରେ ବିସ୍ତୁତ ଆଲେଚନା କରି ଅଛନ୍ତି । ବ୍ରଜବାବୁଙ୍କ ପ୍ରବନ୍ଧରେ ଉଲ୍ଲେଖ ଅଛି ଯେ ଏହି ନାଚ ପୂର୍ବରୁ ବାଳିକାମାନଙ୍କ ‘ଛିଲୋଲାଇ’ ଖେଳ ପ୍ରତିଯୋଗିତା ହୁଏ । ମୋର ଯେତେଦୂର ବିଶ୍ୱାସ ବା ମୁଁ ଯେଉଁଠାରେ ଏହି ନାଚ ଦେଖିଛି’ ଏପରି ଖେଳ ପ୍ରତିଯୋଗିତା ଦେଖିନାହିଁ । ଏ ଅଞ୍ଚଳର ‘ଛିଲୋଲାଇ ଖେଳ’  ଓ କଟକ ଅଞ୍ଚଳର ଛୋଟ ଛୋଟ ଝିଅମାନଙ୍କର ପୁଚିଖେଳ ସମାନ । ବ୍ରଜବାବୁ କହନ୍ତି ଡାଲଖାଇ ନାଚରେ ଶାଶୁ ଘରୁ ଆସିଥିବା ଯୁବତୀ ବାଳିକାମାନେ ମଧ୍ୟ ଯୋଗ ଦିଅନ୍ତି, ତାହା ସତ । ମାତ୍ର ଯୁବତୀ ଝିଅମାନଙ୍କର ‘ପୁଚିଖେଳ’ ଭଳି ‘ଛିଲୋଲାଇ’ ଖେଳ ଖେଳିବା ସମ୍ଭବ କି? ଡାଳଖାଇ ନାଚର ଗୋଟିଏ ଯୋଡ଼ିଏ ପଦୋଦ୍ଧାର ବୋଧହୁଏ ଏଠାରେ ସୁନ୍ଦର ହେବ ।

“ଡାଲଖାଇରେ

ଶ୍ରାବଣ ଆସିଲାରେ ଶ୍ରାବଣ ଆସିଲା

ପଲାରୁଆ ପାଇଁ ସଜ୍ ହେବାକେ ପଡ଼ିଲା-

କୁକୁରା ଡକା ହେଲା ଯେନ୍ତା ପଧାନ

ବୁଢ଼ାଡ଼ାକେ-ଆସରେ ମାଲ୍ତୀ, କମଳା ଇନ୍ଦୁ,

ଆସ ମୋହର୍ ପାଖେ

ଆସରେ ଚନ୍ଦ୍ରା, ମାଲା, ଲକ୍ଷ୍ମୀ ଆସ

ଗୁରୁବାରୀ କରି,

ଗାଁରେ ଅଛ ଯେତେ ପୁରାତନ୍ ବୁଢ଼ୀ

ଆଉର୍ ଧାଙ୍ଗିରୀ,

ବାଦଲ୍ ଅଛେ ନୈହେଲେ କି ଛୁଟଚାଉକିଆ

ମୋର ମାଇ ଡୁଲିକେ ଯିବ ହେବ ପଲାରୁଆ

ପଧାନ ବୁଢ଼ାର ଡାକ୍ଶୁନି

ବାନ୍ଧ୍ଲେ ସଭେ ଖୁସା –

ବୁଢ଼ୀ ପୁରାତନ ଯେ ଯେନ୍ତ

କହେଲେ ମର୍ରେ ଦଶା

ବକ୍ବକ୍ ବୟସରରେ ବକ୍ବକ୍ ବୟସର

କେ ଚେରଙ୍ଗା ଦେଖ୍ବ ଚାଲ ମାଇଡ଼ୁଲି

ଇତର୍

ମାଇ ଡୁଲିର ଚିଟ୍କାମାଟି ଗୁଡ଼େ ପଡ଼ିବା

ଲଟକି

ଆଣ୍ଟାଯିବା ବସି       ପଏସା ନେମା କସି,

ବୁଢ଼ୀର କଥା ଶୁନି ହସ୍ଲେ ଯେତେ

ଟୁକେଲ୍ ଥିଲେ

ଇ କଥାଥି ରସ ବାଇଛେ ସମସ୍ତେ ବଲରେ

ଉକୁନ୍ ନୁରା ନୁରିରେ ଉକୁନ୍ ନୁରାନୁରି

ହଲିଆ ପିଲା ସଂଗେ ପତା ଆଖିଠରାଠରି

କବମଫୁଲ ଗୁଚ୍ଛା ଗୁଚ୍ଛା ଖୁସା ତଲେ ଝୁଲେ

ପଲ୍ହାରୁଇ ଯିବାରଲାଗି କାଁକରିସେ ଫୁଲେ

ଡାଲଖାଇରେ ।”

ଡାଲଖାଇରେ ଖୁବ୍ ଲମ୍ବାପଦମାନ ଥାଏ । ଏହିନାଚ ଦେଖିବା ଅପେକ୍ଷା ଗୀତ ଶୁଣିବାର ଆଗ୍ରହ ଅନେକଙ୍କର ଦେଖାଯାଏ ।

ମାଏଲାଜଡ଼ ନାଚ :- ଡାଲଖାଇ ନାଚ ଶ୍ରେଣୀର । କେତେ ଗୀତର ରାଗୀଣିରେ ତଫାତ୍ ଥାଏ । ବାଦ୍ୟ ମଧ୍ୟ ଟିକିଏ ଭିନ୍ନ ଧରଣର ବାଜେ ।

ଦଣ୍ଡନାଚ :-           ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁଙ୍କ ପ୍ରକାଶିତ ପ୍ରବନ୍ଧରେ ଏହି ନାଚର ବିସ୍ତୃତ ବିବରଣୀ ଅଛି । ସମ୍ବଲପୁର ଅଂଚଳର ଦଣ୍ଡ ନାଚରେ ଏତିକି ତଫାତ୍ ଯେ ରାତିରେ ଦଣ୍ଡ ଯାତ୍ରାବେଳେ ଶ୍ରୀକୃଷ୍ଣଙ୍କ ରାସଲୀଳାର ଅଭିନୟ ମଧ୍ୟ କରାଯାଇଥାଏ । ଏ ଅଞ୍ଚଳର ଦଣ୍ଡ ନାଚର ଗୀତରେ ସମ୍ବଲପୁରୀ ଭାଷା ମିଶିଛି । ଶ୍ରୀ ରାଧିକାଙ୍କର “ଦେଖରୁ  ବହେନ୍ କେନ୍ତା ଅଏନ୍ କଦମତଲେ ଥାଇସିନ୍” କିଂବା “ଯା ଯା କଲା ଭ୍ରମର ଏ ଫୁଲେ ନୈରସରେ” ଗୀତମାନ ଏଥିର ପ୍ରମାଣ । ଦଣ୍ଡନାଚରେ ଆହୁରି ଅନେକ ଭାବପୂର୍ଣ୍ଣ ସୁନ୍ଦର ଗୀତ ଶୁଣିବାକୁ ମିଳେ ।

ଯଥା :-          ଦିଅର – ସୁନାସୁନା ବୋଲି ଯାହାକୁ ବଇଲୁ

ସୁନକି ଅପୂର୍ବ ମତେ

କାଲି ତରଭରେ ଗଢ଼ାଇ ଦେମି

ଦେହର ଭୂଷଣ ଯେତେ

ରଂଗ  ମୋହିନୀ ଗୁନା

ନାସା ଦଣ୍ଡି ଆଉ ଫୁଲଗୁଣା

ଘିନି ଦେମି ଝଲକା

ଦେଖି ହୋଇଯିବୁ ତ ଭୋଲ୍କା

ଖସାବୁ ଚାରିର ମୁଡ଼ି

କାଲି ଘିନିଦେମି ରତ୍ନ ଚୂଡ଼ି

ଆଲୋ କଷି କାକୁଡ଼ି”

ଭାଉଜ – ଯାଉଁ ଯାଉଁ ବଲି ଲାଗିଲା ଦିଅର

ନାଇଁ ଗଲେ ଦୁଃଖ ମନା ହେ

ମା ଘରେ ଝିଅ ପାଟ ମହାଦେଇ

ଶାଶୁଘରେ ଲୁହା ଘନା ହେ

ଦିନେ ଖଟ ଉପର

ବସି କରୁଥିଲେ ସେ କିପର….

ତାଙ୍କୁ କରି ବିନତି

ଯାଇ ବସିଲି ତାଙ୍କରି କତି

ରାଗ ହୋଇଲେ ମତେ

ମୋର ଛାତିରେ ମାଇଲେ ଲାତେ

ସୁନା ହେହ ମୋ ଚୂନା

ଲାତେ ହଜି ଗଲା ମୋ ଚେତନା

ମିଛେ ହେଲି ବନ୍ଦନା ।

ଉପଯୁକ୍ତ ଗୀତାଂଶ ଦିଅର ଭାଉଜ ଅଭିନୟରୁ ଉଦ୍ଧାର କରାଯାଇଛି, ଅନେକ ଦଣ୍ଡ ନାଚଣିଆ ଦଣ୍ଡ ନାଚ ବେଳେ ଏଭଳି ଗୀତ ଗାଇଥାନ୍ତି ।

ହୁମୋ ଗୀତ :- ସମ୍ବଲପୁର ଅଞ୍ଚଳର ଛୋଟ ବାଳିକାମାନଙ୍କର ‘ହୁମୋ’ ଗୀତ ଓ ଖେଳ ଦେଖିବା ଜିନିଷ । ‘ହୁମୋ’ ଗୀତରେ ଉଚ୍ଚ ଉଚ୍ଚ ଭାବପୂର୍ଣ୍ଣ ଅଂଶ ଅଛି । ଛୋଟ ଛୋଟ ବାଳିକାମାନେ ବୟସରେ ଛୋଟ ହେଲେ କଣ ହେଲା, ଅନେକ ସମୟରେ ସେମାନେ ମାତୃତ୍ୱ ସ୍ୱପ୍ନ ଦେଖନ୍ତି । ଛୋଟ ଛୋଟ ଶିଶୁମାନଙ୍କୁ ଖେଳାଇଲା ବେଳେ ସେମାନେ ଯେଉଁ ଗୀତ ଗାଆନ୍ତି ତହିଁରେ ଭବିଷ୍ୟତ ଜୀବନର ଛାୟା ପଡ଼ିଥାଏ । ‘ହୁମୋ’ ଗୀତ ଗାଇଲା ବେଳେ ସେମାନେ ସେପରି ଅନେକ ଗୀତ ଗାଆନ୍ତି । ଏହି ଗୀତମାନଙ୍କରେ ଦୁନିଆଁର କାର୍ଯ୍ୟକଳାପ ସଂଗେ ବୈବାହିକ ଜୀବନର ମଧୁର ଚିତ୍ର ଥାଏ ।

             ୧

ଆସିଲା ପୁରା ବୟସ ବୋଇଲିରେ

ଆସିଲା ପୁରା ବୟସରେ

ଆନରେ ମୋହର କାଣ୍ଡ ବାଉଁଶ

ବିନ୍ଧିମା ରତାର ହଂସ

ବୋଇଲିରେ ବନ୍ଧିମା ରତାର ହଂସରେ ।

ଗରିବ ଘରରେ ତାରା

ବୋଇଲିରେ ଗରିବ ଘରରେ ତାରାରେ

ଝିଅ ଜନ୍ମ କଲି ରୂପାର ଥାଳୀ

ଜୁଏଁ ହେଲା ଦରମରାରେ ।

ପାଣିବହେ ଝରଝର ବୋଇଲିରେ

ପାଣି ବହେ ଝରଝରରେ

ଆଗେ ଯିବ ମୋର କୁଠୁରା ଭାର

ପଛେ ଯିମି ଶାଶୁ ଘରରେ ।

ହଳିଆ ଗୀତ :-       ଏ ଅଞ୍ଚଳରେ ହଳିଆ ମାନଙ୍କର ଗୀତ ଶୁଣିଲେ ପୁଲକର ସଂଚାର ହୁଏ । ସେ ସବୁ ଗୀତ ସେମାନଙ୍କର ପ୍ରାଣର ଭାଷା-ମର୍ମରବାଣୀ । ତେଣୁ ଏହି ଗୀତ ଶୁଣିବାକୁ ମନା ଦଉଡ଼ି ଯାଏ । ବିଶେଷତଃ ଧାନ ଅମଳ ସମୟରେ ଜହ୍ନ ରାତିରେ ଖଳାରୁ ଏମାନଙ୍କର ଗୀତର ଲହରୀ ଯେତେବେଳେ କାନରେ ପହଞ୍ଚେ ସେତେବେଳେ ବାହ୍ୟଜଗତର ମାୟା-ଜାଲ ଭେଦକରି ମନ କେଉଁ ଏକ କଳ୍ପିତ ରାଜ୍ୟରେ ପହଞ୍ଚେ । ଏହି ଗୀତମାନଙ୍କରେ ପୌରାଣିକ ଚିତ୍ର ଓ ପ୍ରେମ ଚିତ୍ର ଥାଏ ।

ବର୍ଷା ଦିନରେ ରାମଚନ୍ଦ୍ର, ଯେତେବେଳେ ମୃଗମାରି ଯାନ୍ତି, ସେତେବେଳେ ବର୍ଷାହୁଏ । ସତୀ ସୀତା ବର୍ଷାର ଆଗମନ ଦେଖି ରାମଚନ୍ଦ୍ରଙ୍କ ବିପଦ ଆଶଙ୍କା କରି କରୁଣ କଣ୍ଠରେ ବର୍ଷାକୁ ଜଣାଇଲେ ।

“ପାଣି ନ ବରଷିବୁ ନ କରିବୁ ଝରି

ରାମଚନ୍ଦ୍ର ଯାଇଛନ୍ତି ମାୟାମୃଗ ମାରିରେ ।”

ବଳଦମାନେ ଥକାହେବା ଦେଖିଲେ ହଲିଆ ନିମ୍ନଗୀତ ଗାଇ ବଳଦମାନଙ୍କୁ ସାନ୍ତ୍ୱନା ଦେଇଥାନ୍ତି ।

“ଚାଲ ଚାଲ ବଳଦରେ ନକର ଭାଲେଣି

ଆଉ ଛନେ ଘେଡ଼େକେରେ ପାଇବା ମେଲାଣି

ଖାଇବ କଞ୍ଚାଘାସ ପିଇବ ନଦୀପାଣି ।”

ହଳିଆ ଗୀତରେ ପୌରାଣିକ ବିଷୟ ଆଲୋଚିତ ହୋଇଥାଏ । ସମୟ ସମୟରେ ପାରିବାରିକ ପ୍ରତିଛବି ମଧ୍ୟ ସ୍ୱରୂପ ପାଇଥାଏ । ରାଧିକାଙ୍କୁ ନାରୀ ସମାଜରେ ଶ୍ୟେଷ୍ଠସ୍ଥାନ ଦେଇ ଜଣେ ଜଣେ ଗାଇଥାନ୍ତି ।

“ଗଛମଧ୍ୟେ ନଡ଼ିଆରେ, ପତ୍ର ମଧ୍ୟେ ପାନ

ନାରୀମଧ୍ୟେ ରାଧିକାରେ ଲୋକେ

ଭଗବାନ ରେ ।”

ସମ୍ବଲପୁର ଅଞ୍ଚଳର କଥିତ ଭାଷାକୁ ଲିଖିତ ସାହିତ୍ୟ ରୂପରେ ଗ୍ରହଣ କରାଯାଇ ନ ପାରେ । ତେବେ ସମ୍ବଲପୁରୀ ଭାଷାକୁ ବିଶୁଦ୍ଧ ଓଡ଼ିଆ ଭାଷାରେ ମିଶାଇ କାବ୍ୟ କବିତା ସଂଗୀତ ଲେଖା ଗଲେ ଭାଷାର ସଂବୃଦ୍ଧି ସାଧନରେ ଯେ ଯଥେଷ୍ଟ ସୁବିଧା ଘଟିବ ଏଥିରେ ସନ୍ଦେହ ନାହିଁ । ତେଣୁ ଆଜିକାଲି ଅନେକ ଭଲ ଭଲ ରାଗ ରାଗିଣୀରେ ସମ୍ବଲପୁରୀ ଭାଷାର ସଂଗୀତ ପ୍ରଣୟନ କରିବାରେ ଲାଗିଅଛନ୍ତି । ଏ ମଧ୍ୟରେ ମୋ ଲିଖିତ “ଚାଲ ସଂଗାତ ପଥର ଘାଟେ’ ସଂଗୀତ ଗାଇ ଜଣେ ନୃତ୍ୟକାରୀ ଅଭିନେତା ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲା ।

ବ୍ରଜବନ୍ଧୁ ବାବୁ ତାଙ୍କ ପ୍ରକାଶିତ ପ୍ରବନ୍ଧର ଉପସଂହାରରେ ମୋ ପ୍ରତି ବୃଥା ଏକ କଟାକ୍ଷପାତ କରି ଅଛନ୍ତି । ବୁଝିଲି ଯେ ମୋ ପ୍ରକାଶିତ ‘ସମ୍ବଲପୁରୀ ଋଢ଼ି  ଶବ୍ଦାବଳୀ’ ପ୍ରବନ୍ଧରେ ସେ “ଦାରୀମାଇଝିର ପାଟ୍କପଟା” ପ୍ରଭୃତି କେତୋଟି ଋଢ଼ିକୁ ଅଶ୍ଳୀଳ ବୋଲି ଗ୍ରହଣ କରି ଅଛନ୍ତି । କାଳନ୍ଦିଚରଣ ବାବୁଙ୍କ ଲିଖିତ ‘ମାଟିର ମଣିଷରେ ଦିବ୍ୟସିଂହ ପାଣିଗ୍ରାହୀଙ୍କ  ପ୍ରଣୀତ ‘ତୁମୋମା’ ରେ ଦାରୀ ଶବ୍ଦ ବହୁ ସ୍ଥାନରେ ବ୍ୟବହୃତ ତାହାଛଡ଼ା ଆଜିକାଲି ଲେଖକଗଣ ସ୍ୱାଭାବିକତା ଗୁଣପାଇଁ ବାଉରୀ ମୁହଁରେ ବାଉରୀ କଥା ଲେଖନ୍ତି । ତା ନ ହୋଇଥିଲେ ‘ଚାଉଳ’ ସ୍ଥାନରେ ଚାଉର ବା ବେଢ଼େ ସ୍ଥାନରେ ବେରେ ଲେଖା ହୁଅନ୍ତି ନାହିଁ ।

ଏହିସବୁ ଶବ୍ଦକୁ କଣ ଆମ୍ଭେମାନେ ଅଶ୍ଳୀଳବୋଲି ଗ୍ରହଣ କରିବା? ମୋର ମନେଅଛି ଥରେ ଦୁଇଜଣ  ଚେ ଜାତୀୟ ସ୍ତ୍ରୀ ଝଗଡ଼ା ଲାଗିଲେ । ଅନେକ ଅସଭ୍ୟ କଥା କହିବାରୁ ସେମାନଙ୍କ ବିରୁଦ୍ଧରେ ବିଚାରାଳୟରେ ବିଚାର ହେଲା । ବିଚାରପତି ସେମାନଙ୍କ ନିର୍ଦ୍ଦୋଶରେ ଖଲାସ କରି ରାୟ ଦେଲେ, “ଏମାନଙ୍କ ଭାଷାର ପରିସର ଖୁବ୍ କମ୍, ଆମେ ‘ସୁନ୍ଦର’ ‘କମନୀୟ’ ‘ମନୋହର’ ‘ମନୋରମ ପ୍ରଭୃତି ସମାନ ଅର୍ଥବୋଧକ ବହୁଶବ୍ଦ ବ୍ୟବହାର କରି ପାରୁଛେଁ । କିନ୍ତୁ ଏମାନେ କେବଳ ‘ବନେ ବା ଅଏନ୍’ ବା ‘ନୁକୋ’ ବୋଲି କହିବେ । ଶିକ୍ଷାର ଅଭାବ ହେତୁ ଅଳ୍ପସଂଖ୍ୟକ ଶବ୍ଦ ମଧ୍ୟରେ ଏମାନେ ମନୋଭାବ ଭାବ ପ୍ରକା କରନ୍ତି । ତେଣୁ ଆମେ ଶିକ୍ଷା ସଭ୍ୟତା ପାଇଛିୁ ବୋଲି ସେମାନଙ୍କ କଥାକୁ ଅଶ୍ଳୀଳ ଓ ଅସଭ୍ୟ ବୋଲି ଧରି ନେଇଛୁଁ । ଭାବିବାକୁ ଗଲେ ଏମାନଙ୍କର ଏ  ଶବ୍ଦ ପାଇଁ ଆମେ ଦାୟୀ । ଏ ସବୁ ଦେଖିସୁଦ୍ଧା ଆମରି ଶିକ୍ଷା, ସଭ୍ୟତା ଏ ସବୁ ଦୁର କରିପାରୁ ନାହିଁ ।”

ମୁଁ ପ୍ରବନ୍ଧର ମୂଳରେ ଲେଖିଥିଲି ଯେ ସମ୍ବଲପୁର ଅଞ୍ଚଳର ଗାଉଁଲି ଲୋକେ ଏଭଳି ପ୍ରବଚନ ବ୍ୟବହାର କରନ୍ତି । ତେବେ ଏ ସବୁ ଋଢ଼ି ଶବ୍ଦାବଳୀକୁ କ’ଣ ଅଶ୍ଳୀଳ ବୋଲି ଗ୍ରହଣ କରାଯିବ? ଆଉ ଗୋଟିଏ କଥା ଏହି ଯେ ବ୍ରଜବାବୁଙ୍କ ବ୍ୟତୀତ ଏ ଅଂଚଳରେ ବହୁ ବିଶିଷ୍ଠ ସାହିତ୍ୟିକ ଅଛନ୍ତି । ଏହି ଋଢ଼ି ଶବ୍ଦାବଳୀ ପ୍ରବନ୍ଧ ପ୍ରାୟ ଦେଢ଼ବର୍ଷ ହେଲାଣି ପ୍ରକାଶିତ ହୋଇଛି । କାହିଁ କେହି ତ ଆଜିଯାଏ ଅଶ୍ଳୀଳ ବୋଲି ସ୍ୱର ଉଠାଇ ନ ଥିଲେ ।

ବ୍ରଜବାବୁଙ୍କ ଉଦ୍ୟମ ସାଧୁ । ପ୍ରବନ୍ଧର ପାଣ୍ଡୁଲିପି ମୋତେ ଦେଖାଇଲା ବେଳେ ମୁଁ ତାଙ୍କୁ ମଫସଲ ବୁଲି ବିଭିନ୍ନ ନାଚ ଦେଖି ଗୀତ ସଂଗ୍ରହ କରିବାକୁ ତାଙ୍କୁ ଅନୁରୋଧ କରିଥିଲି । ସେ ମୋର ଅନୁରୋଧରେ କ୍ଷୁନ୍ନହୋଇ ଚାଲି ଆସିଥିଲେ । ପରେ ମୋ ଦେହରେ ବାଟୁଳି ଫିଙ୍ଗିବାକୁ ବୋଧହୁଏ ସେ ଏ ରକମ ଚେଷ୍ଟା ଚଳେଇଲେ । ଯାହାହେଉ ସେ ଏ ଅଞ୍ଚଳର ନୃତ୍ୟ, ଗୀତ ସବୁ ସଂଗ୍ରହ କରନ୍ତୁ । ଏହା ସମସ୍ତଙ୍କ କାମନା ।

ବିଧୁଭୁସନ୍ ଗୁରୁ

Photo credit-internet

About Editor

ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକା, ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ । ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି। Swayamprabha Parhi, editor of Samadhwani, is a Hindustani classical music-trained singer and freelance journalist. She is the head of the Samadhwani Cultural Organization (which has been operating in Odisha since 2005) and the Samadhwani Cultural Research Center. She has been working to create a cultural atmosphere throughout Odisha and to raise the voice of the common people through culture.

Check Also

ସୁସ୍ଥ ସମାଜ ଗଠନରେ ସଙ୍ଗୀତ

“ଯନ୍ତ୍ର ତତେ କି ମନ୍ତ୍ର ଦେଉଛି    ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନେ     ଚିନ୍ତି …

Leave a Reply

Your email address will not be published. Required fields are marked *