Home / ଦୃଶ୍ୟ ଓ ଶ୍ରାବ୍ୟ / ଭିଡିଓ / ‘ସମଧ୍ୱନି’ ପାଇଁ ପଦେ

‘ସମଧ୍ୱନି’ ପାଇଁ ପଦେ

ଭଗବତ ପ୍ରସାଦଙ୍କର ପ୍ରାୟ ପ୍ରତ୍ୟେକଟି ଲେଖା ଭିତରେ କେତୋଟି ଦିଗ ସ୍ପଷ୍ଟ ଭାବରେ ବାରମ୍ବାର ପ୍ରକାଶିତ ହୁଏ । ଶାନ୍ତି, ମୈତ୍ରୀ, ସଂହତି, ଯୁଦ୍ଧମୁକ୍ତ ବିଶ୍ୱ, ଜାତି ବିହିନ ସମାଜ, ଯନ୍ତ୍ରଣାମୁକ୍ତ ସମାଜ, ବିଜ୍ଞାନସମ୍ମତ ଚିନ୍ତା ଚେତନା, ଶୋଷଣ କଷଣରୁ ମୁକ୍ତି, ନାରୀ ସମାନତା ଇତ୍ୟାଦି ଇତ୍ୟାଦି । ଭାରତୀୟ ସଂସ୍କୃତିରେ ଥିବା ଶାନ୍ତିର ବାର୍ତ୍ତା ତାଙ୍କ ଲେଖାରେ ବାରମ୍ବାର ସ୍ଥାନ ପାଇଛି । ସେ ଏହି ଧାରାବାହିକ ବାର୍ତ୍ତାଳାପ ବେଳେ ବାରମ୍ବାର କହିଛନ୍ତି ଯେ ପୃଥିବୀକୁ ରକ୍ଷା କରିବାପାଇଁ ଶାନ୍ତି, ସଂହତି ହିଁ ଏକମାତ୍ର ରାସ୍ତା ଯାହା ଆମ ଦେଶର ମହାପୁରୁଷମାନେ ଯଥା ବୁଦ୍ଧ ଓ ଜୈନ ନିଜ ବାଣୀରେ ସମଗ୍ର ବିଶ୍ୱକୁ ଦେଇଛନ୍ତି । ଓଡ଼ିଶାରେ ଜାତି ବିଭେଦ ଦୂର କରିବା ଏବଂ ଅନ୍ୟାୟ ଅତ୍ୟାଚାରର ବିଲୋପ ପାଇଁ ଜଗନ୍ନାଥ ଦର୍ଶନର କେତୋଟି କଥାର ପ୍ରୟୋଗ କରାଯାଇପାରେ ବୋଲି ପ୍ରଫେସର ରଥ ବିଚାର କରନ୍ତି । ତାଙ୍କସହିତ ହୋଇଥିବା ଭିଡ଼ିଓ ସାକ୍ଷାତକାର୍ତ୍ତି ମଧ୍ୟ ଏଠାରେ ପ୍ରକାଶ କରାଯାଇଛି ଯାହାକୁ ସଂଗ୍ରହ କରିଥିଲେ ତରୁଣ କୁମାର ମିଶ୍ର ଓ ଏଠାରେ ଉପସ୍ଥାପନ କରିଛନ୍ତି ଲକ୍ଷ୍ମୀଧର ମୁର୍ମୁ – ସମ୍ପାଦକ

ଆପଣମାନେ ସମଧ୍ୱନି କାହିଁକି ଆରମ୍ଭ କଲେ? ଯେଉଁସବୁ ମୂଳ ବିଷୟ ସମଧ୍ୱନିର ସଙ୍ଗୀତ ଓ ଲେଖା ମାଧ୍ୟମରେ ଆପଣମାନେ ଲୋକଙ୍କ ନିକଟରେ ପହଞ୍ଚାଇବାପାଇଁ ଚେଷ୍ଟା କରୁଛନ୍ତି ସେମିତି ଚେଷ୍ଟା ଅନବରତ ଜାରୀ ରଖିବାକୁ ହେବ । କେତୋଟି କଥା କହିବି; ପ୍ରତ୍ୟେକ ଯୁଗରେ ମାନବସମାଜ ବିଭିନ୍ନ ସମସ୍ୟା ଦେଇ ଗତି କରିଆସିଛି । ସବୁଯୁଗର ସମସ୍ୟାଗୁଡ଼ିକ ସମାନ ଅଛି ବୋଲି କୁହାଯାଇପାରିବ ନାହିଁ । ବର୍ତ୍ତମାନ ଯୁଗର ମୂଳ ସମସ୍ୟା ଯେମିତିକି ଯୁଦ୍ଧ, ଜେହାଦୀ, ପରିବେଶର ସମସ୍ୟା, ମଣିଷ ପଣିଆର ଅଭାବ, ବଜାରୀକରଣ, ଶ୍ରମ ସଂସ୍କୃତିର ବିଲୋପ, ଜାତିଧର୍ମର ବିଭିଧତା ଏସବୁ ସମ୍ପର୍କରେ ଲେଖିବା ପାଇଁ ହେବ, କଲମ ଚାଳନା କରିବା ପାଇଁ ପଡ଼ିବ ।
ଅତୀତରେ ଆମେ ଜାତିପାଇଁ, ଦେଶପାଇଁ ଜୀବନ ଦେବାକଥା କହୁଥିଲେ । ଦିଲ୍ ଦିଆହେ ଜାନ୍ ଭି ଦେଙ୍ଗେ ଯଦି ଏବେ ଅଭ୍ୟାସ କରିବା ତେବେ ଦେଶରେ ଜେହାଦୀ ସୃଷ୍ଟିହେବେ । ସ୍ୱଦେଶ ପ୍ରେମ ରହିବା ଭଲ କିନ୍ତୁ ସୁପର ନେସନାଲ ଚିନ୍ତକମାନଙ୍କ ମନକୁ ଏକଥା ଛୁଇଁବା ଦରକାର ଯେ ନିଜ ଦେଶକୁ ଭଲପାଇବା ନାଁରେ ଆମେ ଅନ୍ୟ ଦେଶକୁ ଘୃଣା କରିବା ନାହିଁ ।
ସ୍ୱଦେଶ ପ୍ରେମ ସହିତ ମାନବ ପ୍ରେମ ରହିବା ଆବଶ୍ୟକ । ଯାହା ରବୀନ୍ଦ୍ରନାଥ ଠାକୁରଙ୍କ ଲେଖା ଭିତରେ ଫୁଟିପାରିଥିଲା ।
ମଣିଷଙ୍କୁ ଭଲପାଇବା ସହିତ ଜୀବଜନ୍ତୁଙ୍କୁ ଭଲପାଇବା ପରିବେଶରେ ସନ୍ତୁଳନ ରକ୍ଷା କରିବା ପାଇଁ ତୃଣଭୋଜୀ ନହେଲେ ଭବିଷ୍ୟତରେ ଖାଦ୍ୟାଭାବ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।
ପୃଥିବୀ ଜୈବବିବିଧତାରେ ଭରପୁର । ପ୍ରକୃତି ଯେଉଁ ଜୈବବିବିଧତା ସୃଷ୍ଟି କରିଥିଲା ମଣିଷ ତାକୁ ଶେଷ କରିଦେଉଛି । ଗୋଟିଏ ପ୍ରଜାତି ଅନ୍ୟ ସବୁ ପ୍ରଜାତିକୁ ଶେଷ କରିଦେଉଛି । ଯାହାଫଳରେ ଆମେ ଅନେକ ପ୍ରାକୃତିକ ସମସ୍ୟାର ସମ୍ମୁଖିନ ହେଉଛୁ ।
ବ୍ୟବସାୟୀମାନେ ଚାହାନ୍ତି ପୃଥିବୀରେ ଯୁଦ୍ଧ ଲାଗିରହୁ । ହୁଏତ କୌଣସି ଏକ ସମୟରେ ଯୁଦ୍ଧର ଆବଶ୍ୟକତା ଥିଲା କିନ୍ତୁ ବର୍ତ୍ତମାନ ତାହା ପୃଥିବୀକୁ ଧ୍ୱଂସ କରିଦେବ । ଏ ବିଷୟରେ ସାଧାରଣ ଲୋକଟି କିଛି ବୁଝିନାହିଁ ।
ଯେଉଁମାନଙ୍କୁ ଭାରତୀୟ ସମାଜର କ୍ରିମ୍ ବା (ସର) ମୁଖ୍ୟ ଭାଗ କୁହାଯାଏ, ସେମାନଙ୍କୁ ବ୍ୟବସ୍ଥା ଖାଇଯାଇଛି । ଓଡ଼ିଶାରେ ଆଜି ତୁଙ୍ଗସ୍ଥାନରେ ଯେଉଁ ପ୍ରଶାସକମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ତାଙ୍କ ଯୌବନରେ ଥିଲେ ଦୀପ୍ତିମନ୍ତ ଓ ସମାଜ ପ୍ରତି ବିଶ୍ୱସ୍ତ ବ୍ୟକ୍ତି । ଆଜି ସେମାନେ ଇବ୍ସେନ୍ଙ୍କ ଭାଷାରେ ‘ଜନତାର ଶତ୍ରୁ’ ।
ଆମର ଶ୍ରେଷ୍ଠ ବୈଜ୍ଞାନିକମାନେ ହତ୍ୟାକାରୀ କିମ୍ବା ଶୋଷଣକାରୀ କଳମାନଙ୍କର ମୋଟର ର କାମ ତୁଲାଉଛନ୍ତି । ଆଉ ଆମର ଶ୍ରେଷ୍ଠ ଛାତ୍ରମାନେ ନିଜକୁ ରୋବଟ୍ ସଜାଇବାକୁ ଭଲ ପାଉଛନ୍ତି । ଏମାନଙ୍କର ଆତ୍ମିକ ମୃତ୍ୟୁ ଘଟିଛି । ଏମାନେ ପ୍ରଜାପତିରୁ ସଁବାଳୁଆ ହୋଇଯାଇଛନ୍ତି । ଆମ ସମାଜର ବିଦ୍ରୋହୀମାନଙ୍କୁ ରାଷ୍ଟ୍ରହିଂସାର ଦାନବ ଚୋବାଇ ଖାଉଛି । ସେମାନଙ୍କ ସ୍ୱାଧୀନ ବ୍ୟକ୍ତିତ୍ୱ ଓ ଚିନ୍ତନକୁ ହିଂସାର ପୋକ କାଟି କାଟି ଶେଷ କରିଦେଉଛି ।
ହିଂସା ଏବଂ ସୃଜନଧର୍ମୀତା ଦୁଇଟି ପରସ୍ପର-ବିରୋଧୀ ପ୍ରବୃତ୍ତି । ଅତୀତ ୟୁରୋପ୍ର ଶ୍ରେଷ୍ଠ ବୈଜ୍ଞାନିକ ‘ଆର୍କମେଡ଼ିସ୍’ଙ୍କୁ ଜଣେ ରୋମାନ୍ ସୈନିକ ହତ୍ୟାକରି ବିଜ୍ଞାନ ସୃଜନଧର୍ମୀତାର ଯବନିକା ପତନ ଘଟାଇଥିଲା । ସେହିଭଳି ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଅହରହ ସୃଜନଧର୍ମୀ ପ୍ରୟୋଗରତ ପୃଥିବୀର ବିଂଶଶତାବ୍ଦୀର ସର୍ବଶ୍ରେଷ୍ଠ ସାଧକ ଗାନ୍ଧୀଙ୍କୁ ହତ୍ୟାକରି ନାଥୁରାମ ଗଡ଼୍ସେ ପୃଥିବୀର ଗଣତନ୍ତ୍ରକୁ ଆଗାମୀ ଗାନ୍ଧୀୟ ଅବଦାନରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଥିଲେ ।
କେବେ ପ୍ରଶ୍ନ ପଚାରିଛନ୍ତି କି ବିବର୍ତ୍ତନ କ୍ଷେତ୍ରରେ ହିଂସାଧର୍ମୀ ବାଘ, ସିଂହ ପ୍ରଭୃତି ପ୍ରବଳ ଶକ୍ତିମାନ ପ୍ରଜାତି ଥିବାସତ୍ତେ୍ୱ କେବଳ ଅପେକ୍ଷାକୃତ ଅହିଂସ ବାନରଜାତୀୟ ଜୀବକୁ ସୃଜନଶୀଳ ପଥରେ ଆଗେଇ ଯାଇ ପ୍ରାୟ ଦଶ ମିଲିୟନ୍ ବର୍ଷତଳେ ସୃଜନଧର୍ମୀ ମଣିଷ ପ୍ରଜାତିର ପୂର୍ବପୁରୁଷଙ୍କୁ ଭୂମିଷ୍ଠ କରାଇଥିଲେ କେଉଁଗୁଣ ଯୋଗୁଁ?
ଆପଣମାନେ ଭାରତୀୟ ଇତିହାସକୁ ଦେଖନ୍ତୁ ଚାର୍ବାକ୍, ବୁଦ୍ଧ, ଗାନ୍ଧୀ ଥିଲେ ନିଜ ନିଜ ଯୁଗର ସାମାଜିକ-ସାଂସ୍କୃତିକ ବାତାବରଣ ଦ୍ୱାରା ପ୍ରଭାବିତ । ଚାର୍ବାକ୍ ଙ୍କ ସମୟ ଥିଲା ଆର୍ଯ୍ୟମାନଙ୍କର ଭାରତ ବିଜୟର ସମୟ । ଆର୍ଯ୍ୟ ଯୋଦ୍ଧାମାନଙ୍କର ହିଂସାତିଶଯ୍ୟ, ପୁରୋହିତମାନଙ୍କର ସୀମାହୀନ ଲୋଭ ଓ ପଶୁହିଂସା ପ୍ରଧାନ ଯଜ୍ଞ ମାଧ୍ୟମରେ ଖାଦ୍ୟ, ଗୋଧନ ଓ ନାରୀ ସଂଗ୍ରହ ତାଙ୍କୁ କ୍ଷୁବ୍ଧ କରିଥିଲା । ଉପନିଷଦର ‘ଆତ୍ମାବାଦ’ ମାଧ୍ୟମରେ କର୍ମ ଓ ପୁନର୍ଜନ୍ମକୁ ଯୁକ୍ତିସଙ୍ଗତ କରି ବର୍ଣ୍ଣଧର୍ମକୁ ପ୍ରତିଷ୍ଠିତ କରିବା ଥିଲା ଆର୍ଯ୍ୟ ଦାର୍ଶନିକଙ୍କର ମୁଖ୍ୟ ଲକ୍ଷ୍ୟ । ତା’ଛଡ଼ା ଆର୍ଯ୍ୟସମାଜ ଥିଲା ଅତିମାତ୍ରାରେ ପିତୃକୈନ୍ଦ୍ରିକ ।
ଚାର୍ବାକ୍ ଥିଲେ ବର୍ଣ୍ଣଧର୍ମର ଓ ପିତୃକୈନ୍ଦ୍ରିକ ଚିନ୍ତାଧାରାର ପ୍ରଚଣ୍ଡ ବିରୋଧୀ । ଚାର୍ବାକ୍ ରାଜଶକ୍ତିର ହିଂସାକୁ ନିନ୍ଦା କରି ଜୀବନ ହରାଇଥିଲେ ।
ଲୋକାୟତ ଦର୍ଶନ ମୁଖ୍ୟତଃ ଜନଜାତି ଗୋଷ୍ଠୀ ସଂସ୍କୃତି ଆଧାରିତ, ପୃଥିବୀର ଅନ୍ୟ କୌଣସି ଜନଗୋଷ୍ଠୀ ଏଭଳି ତାତ୍ତ୍ୱିକ ଗବେଷକଙ୍କୁ ସୃଷ୍ଟି କରିଥିବା ମୋ ଆଖିରେ ପଡ଼ିନି । ଭାରତରେ ଲୋକାୟତ ଦର୍ଶନର ସମସ୍ତ ଗ୍ରନ୍ଥକୁ ନଷ୍ଟ କରି ଦିଆଯାଉଛି, ବର୍ତ୍ତମାନ ଏ ଦର୍ଶନ ଜାଣିବାର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଏଇ ଦର୍ଶନ ବିରୋଧୀ ଦାର୍ଶନିକମାନଙ୍କର ଉକ୍ତିବିଶେଷ । ଚୀନ୍ ଓ ତିବ୍ବତୀ ଭାଷାରେ ଅନୁବାଦିତ ଲୋକାୟତ ଗ୍ରନ୍ଥ । ଏ ଦୁଇଟି ଭାଷାରେ ଲିଖିତ ଗ୍ରନ୍ଥଗୁଡ଼ିକର ମୂଳସ୍ରୋତ ବହି ଭାରତରେ ମିଳୁନି ।
‘ଲୋକାୟତ’ର ଲୌକିକ ମରଜାତୀୟ ସୁଖବାଦକୁ ବୁଝିବାକୁ ହେଲେ ଯୋଗର ମନସ୍ତାତ୍ତ୍ୱିକ ସୁଖବାଦର ଆଲୋଚନା ଆବଶ୍ୟକ । ଯୋଗର ପ୍ରଶାନ୍ତଜନିତ ‘ସୁଖବାଦ’ ଫ୍ରୟେଡ଼ୀୟ ମନସ୍ତତ୍ତ୍ୱ ଓ ମସ୍ତିଷ୍କବିଜ୍ଞାନକୁ ପଛରେ ପକାଇଦେଇଛି, ପୃଥିବୀର ବିଶିଷ୍ଟ ମସ୍ତିଷ୍କବିଜ୍ଞାନୀମାନେ ଦଲାଇଲାମାଙ୍କ ପ୍ରେରିତ ଜଣେ ଯୋଗୀଙ୍କ (ଲାମାଙ୍କ) ମସ୍ତିଷ୍କକୁ ପରୀକ୍ଷାଗାରରେ ପରୀକ୍ଷାକରି ତାଙ୍କର ଚେତନ, ଅଚେତନ ତଥା ଅବଚେତନ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କଥା କହିଛନ୍ତି ।
ଲୋକାୟତ ଦର୍ଶନ ଯାହା ଭାରତରେ ଥିଲା ଯେଉଁଥିରେ ସ୍ତ୍ରୀ-ପୁରୁଷର ସମାନତା, ବିଭିନ୍ନ ପ୍ରଜାତି ଉପରେ ଅତ୍ୟାଚାର ବିରୁଦ୍ଧରେ ସେମାନେ ସ୍ୱର ଉଠାଇଥିଲେ, ସେସବୁ କଳାସାହିତ୍ୟ ମାଧ୍ୟମରେ ସମାଜରେ ପ୍ରଚାର-ପ୍ରସାର ହେବା ଆବଶ୍ୟକ ।
କି ଚମତ୍କାର ସ୍ୱପ୍ନଦେଖିଥିଲେ ବିଶ୍ୱଚିନ୍ତକମାନେ! ମାର୍କ୍ସ ଭାବିଥିଲେ ଶ୍ରେଣୀବିହୀନ ସମାଜରେ ରାଷ୍ଟ୍ରଶକ୍ତି ତା’ର ଶେଷ ନିଶ୍ୱାସ ତ୍ୟାଗକରିବ । ରବି ଠାକୁର ଲେଖିଥିଲେ କବିତା, ‘ଚିତ୍ତ ଯେଉଁଠି ଭୟମୁକ୍ତ,ଉନ୍ନତ ଯହିଁ ଶିର’ । ଗାନ୍ଧୀଙ୍କର ସ୍ୱପ୍ନଥିଲା ହିଂସା ଓ ଶୋଷଣମୁକ୍ତ ଭାରତ ।
ବିଜ୍ଞାନର ଆଖିଝଲସା ଆଲୋକ ସତେ ଯେମିତି ଆଗକୁ ନୁହଁ, ବରଂ ପଛକୁ ନେଇ ଚାଲିଛି ପୃଥିବୀକୁ । ଏବେ ସବୁଠି ହିଂସାର ଗତି ଅବାଧ ଓ ଅଧିକରୁ ଅଧିକ ପୈଶାଚିକ ।
ଆଇନଷ୍ଟାଇନ୍ କହିଛନ୍ତି ବର୍ତ୍ତମାନର ସଭ୍ୟତା ହେଉଛି ପରଭକ୍ଷୀ ସଭ୍ୟତା । ପରଭକ୍ଷୀ ସଭ୍ୟତାରେ ଭୁଲ୍ ମୂଲ୍ୟବୋଧ ଓ ଓଲଟା ମୂଲ୍ୟବୋଧଗୁଡ଼ିକୁ ପ୍ରଶଂସା କରାଯାଉଛି । ଯେମିତି ଚିତ୍ରତାରକା, ଖେଳାଳୀମାନଙ୍କୁ ସମାଜରେ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଉଛି । ଯେଉଁମାନେ ସମାଜକୁ ବଦଳାଇବା ପାଇଁ ତ୍ୟାଗ କରୁଛନ୍ତି ସେମାନଙ୍କର କୌଣସି ସ୍ଥାନ ନାହିଁ, ପ୍ରଶଂସା ନାହିଁ । ଧର୍ମ ସାହାଯ୍ୟରେ, ଗଣମାଧ୍ୟମର ସାହାଯ୍ୟରେ, ସାହିତ୍ୟ ଜରିଆରେ ଏହି ଭୁଲ୍ ମୂଲ୍ୟବୋଧ ସମାଜକୁ ଆସୁଛି । ସେସବୁ ବନ୍ଦ କରାଯିବା ଦରକାର ।
ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଯେଉଁଟା ବୁଦ୍ଧଙ୍କର ଥିଲା ତା’ର ବିକାଶ କରାଯିବା ଆବଶ୍ୟକ । ପରମ ସତ୍ୟ ବୋଲି କେବେ କାହାରି କଥାକୁ ଗ୍ରହଣ କରାଯିବା କଥା ନୁହେଁ ।
ଧର୍ମ ଏଠି କେବଳ ପୂଜକମାନଙ୍କ ନିକଟରେ ଏବଂ ଭକ୍ତମାନଙ୍କ ନିକଟରେ ରହିଯାଇଛି । କର୍ମ ହିଁ ଭଗବାନ – ଏକଥାଟି ଆଉ ଗୁରୁତ୍ୱ ପାଉନି । ପ୍ରକୃତରେ ଭଗବାନ ଥାଆନ୍ତି କର୍ମରତ ମଣିଷ ନିକଟରେ ଏକଥାଟି ପ୍ରଚାର ହେବା ଦରକାର ।
ଜଗନ୍ନାଥ ସଂସ୍କୃତି ବୋଲି ଯାହାକୁ ଆମେ କହୁଛନ୍ତି ସେଠି ସମସ୍ତେ ଏକ । ଜାତିଭେଦର ଉର୍ଦ୍ଧରେ ଜଗନ୍ନାଥ ସଂସ୍କୃତି, କିନ୍ତୁ ଏହି ମୂଲ୍ୟବୋଧ ସାଧାରଣ ସମାଜରେ କାହିଁକି ବ୍ୟାପୁନାହିଁ । ଜଗନ୍ନାଥ ତ, ସବୁଠି ଅଛନ୍ତି । ଜଗନ୍ନାଥ ଯଦି ଜାତିଭେଦକୁ ବିରୋଧ କରୁଛନ୍ତି ତେବେ ଆମ ସମାଜରେ ଏସବୁ ଜାତି ପ୍ରଥା ରହିଛି କାହିଁକି?
ଭୀମଭୋଇ ସ୍ୱପ୍ନ ଦେଖିଥିଲେ ଯେ ଜଗନ୍ନାଥ ଗୋଟିଏ ସୁବିଧାଭୋଗୀ ଗୋଷ୍ଠୀର ସମ୍ପତ୍ତି ହୋଇଯାଇଛନ୍ତି । ତାଙ୍କୁ ନେଇ ବ୍ୟବସାୟ ଚାଲିଛି । ମନ୍ଦିର ଭିତରେ ଜଗନ୍ନାଥ ସଂସ୍କୃତିଟା କଏଦ୍ ନହୋଇ ସମାଜର ଜାତିପ୍ରଥା ବିରୁଦ୍ଧରେ ପ୍ରଚାର ହେବା ଦରକାର ।
ଗାନ୍ଧିଜୀ ଯେମିତି ରାମଙ୍କୁ ସତ୍ୟ ଓ ଅହିଂସାର ପ୍ରତୀକ ଭାବରେ ବିଚାର କରିଥିଲେ ଓଡ଼ିଶାରେ ଜାତିବିଭେଦ ଦୂର କରିବା ଏବଂ ଅନ୍ୟାୟ ଅତ୍ୟାଚାରର ବିଲୋପ ପାଇଁ ଜଗନ୍ନାଥଙ୍କୁ ପ୍ରତୀକ ଭାବରେ ନିଆଯିବା ଦରକାର ।
ଜଗନ୍ନାଥ ସଂସ୍କୃତିର ଅନ୍ତର୍ନିହିତ ତତ୍ତ୍ୱ-ସମାନତା ଏବଂ ଜାତିଭେଦ ଦୂର ହେବାକୁ ନେଇ ନୂଆକରି ନାଟକ, ଗୀତ, ଗଳ୍ପ ତିଆରି ହେବା ଜରୁରୀ ।
ନୂଆ ସମାଜ ଗଢ଼ିବାକୁ ହେଲେ ନୂଆ ନାଟକ, ନୂଆ ଗୀତ, ନୂଆ ମିଥ୍, ନୂଆ ସଂସ୍କୃତି ଆରମ୍ଭ କରିବାକୁ ହେବ ।

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ସାଧନାକୁ ମୁଖ୍ୟ ସ୍ଥାନ ଦେବାକୁ ହେବ (ସାକ୍ଷାତକାର ପଣ୍ଡିତ ଉମେଶ ଚନ୍ଦ୍ର କର)

ଜ୍ୟୋତିପ୍ରକାଶ : ଆପଣଙ୍କ ଜନ୍ମ ପୁରୀରେ, ଯାହାକୁ ଓଡିଶାର ସଂସ୍କୃତିର ପ୍ରାଣ କେନ୍ଦ୍ର କୁହାଯାଏ। ସେ ଜାଗାରେ ଆପଣଙ୍କର ପିଲାଦିନ …

Leave a Reply

Your email address will not be published. Required fields are marked *