ଶୁଣ!! ମୁର୍ଦ୍ଦାର, ଶାଗୁଣା, ଚିଲ

Swayamprava Parhi (Chief Editor)
6 Min Read

ଯେମିତି ମନେ ହେଉଛି ସ୍ୱାଧୀନତା ଆନ୍ଦୋଳନ ସମୟରେ ବିପ୍ଲବୀ କବି ମନମୋହନ ମିଶ୍ର ଚାଷୀମାନଙ୍କ ସ୍ୱରରେ ଯେଉଁ ଜାଗରଣ ସଙ୍ଗୀତ ଗାଉଥିଲେ ଆଜି ସ୍ୱାଧୀନତାର ୭୩ବର୍ଷ ପରେ ବି ସେହି ଜାଗରଣ ସଙ୍ଗୀତ ଚାଷୀମାନଙ୍କୁ ପୁଣିଥରେ ଡାକରା ଦେଉଛି… ମନମୋହନ ମିଶ୍ରଙ୍କ ଜନ୍ମ ଶତବାର୍ଷିକ ବର୍ଷରେ ସମଗ୍ର ଭାରତ ବର୍ଷରେ ଚାଷୀ ଆନ୍ଦୋଳନର ଏହି ଦୁର୍ବାର ସ୍ୱର ଆହୁରି ବଳିଷ୍ଠ ହେବାପାଇଁ ତାଙ୍କ କବିତାରୁ ପଦେ ଉପସ୍ଥାପନ କରୁଛି।

Support Samadhwani

ଶୁଣ! ମୁର୍ଦ୍ଦାର ଶାଗୁଣା ଚିଲ      ଚାଷୀ ଲେଖୁଛି ଶାନ୍ତି ଦଲିଲ

ଜନମ ମାଟିରୁ ମାଣେ କି ପଦିକେ            ଭାତ ହାଣ୍ଡି ଖଣ୍ଡେ ବିଲ

ଚଷିଥିଲୁ ବୋଲି ବଣଜନ୍ତୁ ପରି   ଯା’ରେ ଗୋଡ଼ାଇ ମାଇଲ ।

Support Samadhwani

ଶୁଣ! ମୁର୍ଦ୍ଦାର ଶାଗୁଣା ଚିଲ…

ଆମେ ପଞ୍ଜାବର ଗହଳ ପଲ୍ଲୀର                        ଦାଢ଼ିବାଲା ଶିଖ ଚାଷୀ,

ଆସାମ ପାହାଡ଼ ହାଂଜମ ଅଞ୍ଚଳ             ମନିପୁରୀ ଆଦିବାସୀ,

ଶୁଣ! ମୁର୍ଦ୍ଦାର ଶାଗୁଣା ଚିଲ…

ନିଜ ମାଟିର ସୁରକ୍ଷାପାଇଁ, ନିଜ ଦେଶବାସୀଙ୍କର ଭାତଗଣ୍ଡାକୁ ସୁରକ୍ଷିତ କରିବା ପାଇଁ ନିଜେ ଅନ୍ନଦାତା ଚାଷୀ ଆଜି ରାଜଧାନୀରେ ଦସ୍ତକ ଦେଇଛନ୍ତି । ଚାଷୀମାନେ ଜାଣିଛନ୍ତି ଆଜି ଯଦି ସେମାନେ ତାଙ୍କପ୍ରତି ହୋଇଥିବା ଅନ୍ୟାୟ ଓ ଷଡ଼ଯନ୍ତ୍ର ବିରୁଦ୍ଧରେ ଛିଡ଼ା ନହେବେ ଶାସକର ନିଷ୍ଠୁର ଶୋଷଣ ଓ ଅତ୍ୟାଚାରରେ ସମଗ୍ର ଭାରତର ଚାଷୀକୂଳ ସବୁଦିନ ପାଇଁ ଧ୍ୱଂସ ପାଇଯିବ । ଏତେ ଝଡ଼ଝଞ୍ଜା ସହି ଯେଉଁ ବିଲବାଡ଼ି, ଚାଷବାସକୁ ସେ ହଜାର ହଜାର ବର୍ଷ ଧରି ସାଇତି ଆସିଥିଲା ସେସବୁ ସଂସ୍କୃତି ଲୋପ ପାଇଯିବ ।

ସେଦିନ କହୁ କହୁ ମନମୋହନ ମିଶ୍ର ନିଜ ଭାଷଣରେ କେତେବଡ଼ କଥା କହି ନଥିଲେ! ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଉଦ୍ଧାର କରି କହିଥିଲେ ଯେ, “ଆଖି ଖୋଲିଲା ବେଳେ ଦେଶକୁ ଯେମିତି ଦେଖିକି ଯାଇଥିବା, ଆଖି ବୁଜିବା ବେଳେ ଯଦି ଦେଶକୁ ସେମିତି ନ ଦେଖିଥିବା ତା ହେଲେ ମନରେ ଦୁଃଖ ରହିଯିବ । ଆଜି ସେଇକଥା ଆମେ ମନରେ ପ୍ରତ୍ୟେକ ଲୋକ ଭାବିବା ଉଚିତ ଯେ, ଜନ୍ମ ହେବାବେଳେ ଆମେ ସଂସାରକୁ ଯେମିତି ଦେଖିଥିଲୁ ଯେତେବେଳେ ଆଖି ବନ୍ଦ କରିକି ଯିବା ସେତେବେଳେ ଯଦି ସଂସାରଟା ଆଉ ଟିକିଏ ସୁନ୍ଦର ନ ହୋଇଛି, ଆଉ ଟିକେ ଉନ୍ନତ ନ ହୋଇଛି, ଜନ ସାଧାରଣଙ୍କ ମୁହଁରେ ହସ ନ ଫୁଟିଛି, ଦୁଃଖ ଦାରିଦ୍ର୍ୟ ଯଦି ବନ୍ଦ ନ ହୋଇଛି, ଯଦି ଏ ପର୍ଯ୍ୟନ୍ତ ସୁଧା ହାହାକାରର ସ୍ପନ୍ଦନ ସବୁଆଡ଼େ ରହିଛି ତାହାଲେ ଜୀବନଟା ବ୍ୟର୍ଥ ହୋଇଯିବ ବୋଲି ମନେ ହେବ ।” ତାଙ୍କର ସେହି କଥା ଗୁଡ଼ିକ ମନକୁ ବାରମ୍ବାର ଆନ୍ଦୋଳିତ କରୁଛି, ସତରେ କଣ ଆମ ଆଖିଆଗରେ ସବୁ କିଛି ଧ୍ଵଂସ ହେବା ଆମେ ଦେଖିପାରିବା ?

ଦେଶର ରାଜଧାନୀ ଉପକଣ୍ଠ ଦିଲ୍ଲୀ ହରିଆଣା ସିଙ୍ଘୁ ବୋଡ଼ର, ଶୀତର ପ୍ରବଳ ପ୍ରକୋପ, ପାଖାପାଖି ୪ ଡିଗ୍ରୀକୁ ତାପମାନ ଖସିଆସିଲାଣି। କିଛି ଖାତିର ନକରି ଚାଷୀମାନେ ରାଜରାସ୍ତା ଉପରେ ଅପେକ୍ଷା କରିଛନ୍ତି ନ୍ୟାୟ ପାଇଁ । ଚାଷୀମାନଙ୍କର ସତ୍ୟାଗ୍ରହ, ଅନ୍ନସନ, ଧାରଣା ଏକ ନୂଆ ଇତିହାସର ନିର୍ମାଣ କରିଚାଲିଛି । ଦେଶକୁ ଏକ ସାଂସ୍କୃତିକ ଜାଗରଣର ବାର୍ତ୍ତା ଦେଉଛି ।

ପ୍ରତିବାଦ ଓ ପ୍ରତିରୋଧ ଭାରତୀୟ ସଂସ୍କୃତିରେ ରହିଆସିଛି। ଇତିହାସ ସାଖି ଭାରତର ପ୍ରଥମ ମୁକ୍ତି ସଂଗ୍ରାମର କର୍ଣ୍ଣଧାର ଥିଲେ ଏହି ଚାଷୀମାନେ । ସିପାହୀ ବିଦ୍ରୋହରେ ଭାଗ ନେଇଥିବା ଲକ୍ଷ ଲକ୍ଷ ସିପାହୀ ହେଉଛନ୍ତି ଆମର ଚାଷୀମାନେ। ସେମାନେ ଆମକୁ ଅନ୍ନ ଦେଇ ଜୀବନ ଦିଅନ୍ତି ପୁଣି, ଆବଶ୍ୟକ ପଡିଲେ ଆମପାଇଁ ଯୁଦ୍ଧବି କରନ୍ତି । ଆଜି ଚାଷୀମାନେ ଭାରତବର୍ଷର ଜନଗଣଙ୍କର ସୁରକ୍ଷାପାଇଁ ଯୁଦ୍ଧକୁ ଓହ୍ଲାଇଛନ୍ତି । ଏହି ଯୁଦ୍ଧ ବିଦେଶୀ ନୁହଁ ଦେଶୀ ଶାସକ ବିରୁଦ୍ଧରେ ଯୁଦ୍ଧ। ଯେଉଁ ଯୁଦ୍ଧରେ ରକ୍ତ ଦେବାପାଇଁ ନୁହେଁ ଶାନ୍ତି,ମୈତ୍ରୀ ଓ ଏକତାକୁ ବଳିଷ୍ଠ କରି ଅତ୍ୟାଚାରୀ ଶାସକକୁ ସମ୍ମିଳିତ ଜବାବ ଦେବା ଜରୁରୀ ହୋଇପଡିଛି । ଚାଷୀମାନେ ହୁଏତ ଜାଣିଛନ୍ତି ଯେ, ଶାସକ ତାଙ୍କ କଥାଟିକୁ ଏତେ ସହଜରେ ମାନିବ ନାହିଁ, ସେଥିପାଇଁ ଭବିଷ୍ୟତର ଆବଶ୍ୟକତାକୁ ଆଖିଆଗରେ ରଖି ନିଜର ଖାଦ୍ୟ ନିଜ ସହିତ ଆଣିଛନ୍ତି। ଏକ ଦୀର୍ଘମିଆଦି ଆନ୍ଦୋଳନର ପରିକଳ୍ପନା ଓ ଦୂରଦୃଷ୍ଟି ଚାଷୀମାନଙ୍କ ପାଖରେ ଦେଖିବାକୁ ମିଳିଛି । ଯେତେବେଳେ ସେମାନେ ସମସ୍ୟା ସମ୍ପର୍କରେ ଆଲୋଚନା କରିବାପାଇଁ ବିଜ୍ଞାନ ଭବନ ଯାଇଛନ୍ତି ନିଜ ସହିତ ଲଙ୍ଗରରେ ତିଆରି ଖାଦ୍ୟ ସାଙ୍ଗରେ ନେଇଯିବା ଓ ଖାଦ୍ୟକୁ ଚଟାଣ ଉପରେ ବସି ଖାଇବା ଏକ ଭିନ୍ନ ଦୃଶ୍ୟପଟ୍ଟ ତିଆରି କରିଛି, ଏକ ଭିନ୍ନ ସଂସ୍କୃତିର ପରିଚୟ ଦେଇଛି ।

ଚାଷୀମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରକାଶିଂ ବାଦଲ, ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ ନିଜର ପଦ୍ମ ବିଭୂଷଣ ପୁରସ୍କାର ଫେରାଇଦେବା ଓ ପଞ୍ଜାବର ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳୀ, ଦୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ଓ ଅଲମ୍ପିକ ଖେଳାଳୀ ସମସ୍ତେ ଘୋଷଣା କରିଛନ୍ତି ଯେ, ଚାଷୀମାନଙ୍କ କଥା ନଶୁଣିଲେ ସେମାନେ ପୁରସ୍କାର ଫେରାଇବେ । ଏଥିରୁ ଅନୁମାନ କରିହେଉଛି ଯେ, କଳାକାର, ଖେଳାଳୀ ତଥା ପଞ୍ଜାବ ଲୋକମାନେ ନିଜ ଚାଷୀଭାଇମାନଙ୍କୁ କେତେ ଭଲପାଆନ୍ତି । ପଞ୍ଜାବର ପୁରା ଫିଲ୍ମ ଇଣ୍ଡଷ୍ଟ୍ରି, ଗାୟକ, କଳାକାର ସୁଫି ଗାୟକ, ଜସବୀର ସିଂ ଜସୀ, ଦଲଜୀତ୍ ନୁସାଞ୍ଝ, ବବୁ ମାନ, କମର ଗିରୱାଲଙ୍କ ପରି ଅନେକ ପ୍ରତିଷ୍ଠିତ କଳାକାର, ସମସ୍ତଙ୍କ ସମର୍ଥନ ଚାଷୀମାନଙ୍କୁ ଅକୁଣ୍ଠ ଭାବରେ ମିଳିଛି । ଏହି ସମର୍ଥନରୁ ଏତିକିତ ନିଶ୍ଚୟ ବୁଝିହୁଏ ଯେ, ଏହିସବୁ କଳାକାରମାନଙ୍କୁ ପଞ୍ଜାବ ଲୋକେ ଗାଁ ଗାଁରେ ଆଜିବି ଶୁଣନ୍ତି । ଏହି କଳକାରମାନଙ୍କ ରୋଜଗାରର କିଛି ଅଂଶ ଚାଷୀମାନଙ୍କ ପକେଟରୁ ନିଶ୍ଚୟ ଯାଏ । ଆଜି ଯେତେବେଳେ ସେହି ଚାଷୀମାନେ ରାଜରାସ୍ତାରେ ଆନ୍ଦେଳନ ପାଇଁ ଛିଡ଼ା ହୋଇଛନ୍ତି ସେତେବେଳେ କଳାକାର ମାନେ ମଧ୍ୟ ନିଜର ସମର୍ଥନ ଜଣାଇ ନୈତିକ ମୂଲ୍ୟବୋଧ ପ୍ରଦର୍ଶନ ସ୍ୱରୂପ ସମର୍ଥନ ଘୋଷଣା କରିଛନ୍ତି । ଏହି ଆନ୍ଦୋଳନରେ ହଜାର ହଜାର ମହିଳା ଯୋଗ ଦେଇଛନ୍ତି । ଯଶବୀର କୌର, ଏମିତି ଜଣେ ଲଢ଼ୁଆ ମହିଳା ଯିଏକି ଭାରତୀୟ କିଶାନ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି । ନାରୀମାନେ କୃଷିକାର୍ଯ୍ୟରେ ଅଧିକ ଭାଗୀଦାର, କୃଷି ସଂସ୍କୃତିକୁ ନାରୀମାନେ ହିଁ ବଞ୍ଚାଇ ରଖନ୍ତି କିନ୍ତୁ ଆବଶ୍ୟକ ହେଲେ ଚାଷୀମାନଙ୍କୁ ନେତୃତ୍ୱ ଦେବାକ୍ଷେତ୍ରରେ ମଧ୍ୟ ସେମାନେ ଆଗରେ ଅଣ୍ଟାଭିଡି ଶାସକକୁ ସାମ୍ନା କରନ୍ତି । ସମଗ୍ର ଭାରତବର୍ଷର ସବୁ ଆନ୍ଦୋଳନରେ ଏକଥାଟି ପ୍ରମାଣିତ ହୋଇଛି ।

                ଏହିଭଳି ସମୟରେ ମନେପଡ଼ୁଛି ଭାରତର ଜାତୀୟ ଆନ୍ଦୋଳନର କଥା । ଏମିତି ସେଦିନ ଚମ୍ପାରଣରେ ଘଟିଥିବ ଯେତେବେଳେ ଚମ୍ପାରଣର ଚାଷୀମାନେ ଇଂରେଜ ଶାସକ ବିରୁଦ୍ଧରେ ଗାନ୍ଧିଜୀଙ୍କ ନେତୃତ୍ୱରେ ସତ୍ୟାଗ୍ରହ ଆନ୍ଦୋଳନ ଘୋଷଣାକରି ଭାରତର ସ୍ୱାଧିନତା ସଂଗ୍ରାମକୁ ଏକ ନୂଆ ପଥ ପ୍ରଦର୍ଶନ କରିଥିଲେ । ୧୯୧୭ ମସିହାରେ ଚମ୍ପାରଣରେ ଚାଷୀମାନଙ୍କର ଆନ୍ଦୋଳନ, ୨୦୨୦ ମସିହାରେ ପଞ୍ଜାବ, ହରିଆଣା ସମେତ ସମଗ୍ର ଭାରତବର୍ଷର ଚାଷୀମାନଙ୍କର ଆନ୍ଦୋଳନ, ଏହା ଭିତରେ ପାଖାପାଖି ୧୦୦ବର୍ଷ ବିତିଯାଇଛି, ବିଶ୍ୱ ପରିସ୍ଥିତି କେତେ ଯେ ବଦଳିଛି , ବିଜ୍ଞାନର କେତେ ଯେ ଉନ୍ନତି ହୋଇଛି କଳନା କରିହେଉନି । କିନ୍ତୁ ସମାଜ ଯେଉଁମାନଙ୍କର ଝାଳ ରକ୍ତରେ ଗଢ଼ିଉଠେ, ଆମ ପେଟରେ ଯାହାପାଇଁ ଦାନା ମୁଠେ ପଡ଼େ, ସେମାନେ ଆଜିବି ଦୁର୍ଦ୍ଦିନକୁ ସାମ୍ନା କରିଚାଲିଛନ୍ତି । ଆଜିର ଏହି ସଂଗ୍ରାମ କେବଳ ଚାଷୀର  ପେଟପାଟଣାର ସଂଗ୍ରାମ କହିହେବନି, କାରଣ ଏହି ସଂଗ୍ରାମ ସହିତ ଯୋଡ଼ି ହୋଇଛି ସମଗ୍ର ଜନଗଣଙ୍କର ପେଟପାଟଣା, ଖାଦ୍ୟ ସୁରକ୍ଷା। ଆଜି ଯଦି ସବୁ ମଣିଷ ଏହି ସଂଗ୍ରାମକୁ ନିଜ ସଂଗ୍ରାମ ବୋଲି ନଭାବିବେ ତାହେଲେ କ’ଣ ଯେ ଭାରତର ଜନଗଣଙ୍କ ସହିତ ଘଟିବ କେତେ ଲୋକ ଭୋକରେ ଦିନ କାଟିବେ, କେତେ ମିଥ୍ୟା ଅନାହାର, ଦୁର୍ଭିକ୍ଷର ବାତାବରଣ ସୃଷ୍ଟିହେବ ତାର ସୀମାନାହିଁ । ଏହି ଭୟଙ୍କର ଦୁର୍ଦ୍ଦିନକୁ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚାଷୀକୂଳ ଦେଖିପାରୁଛନ୍ତି ବୋଲି ଦୃଢ଼ତାର ସହ ପ୍ରତିବାଦ ଓ ପ୍ରତିରୋଧର ରାସ୍ତାକୁ ଆପଣେଇଛନ୍ତି । ଏହି ସଂଗ୍ରାମ ହୁଏତ ସେମାନଙ୍କ ଆତ୍ମନିର୍ଭରଶୀଳତାର ସୁରକ୍ଷାପାଇଁ ଶେଷ ସଂଗ୍ରାମ ବୋଲି ସେମାନେ ଆଜି ବିଚାର କରୁଛନ୍ତି । ବିପ୍ଲବୀ କବି ମନମୋହନ ମିଶ୍ରଙ୍କର ଏକ ଗୀତ ଯାହା ସେ ଚାଷୀମାନଙ୍କ ସ୍ୱରରେ କହିଥିଲେ, ଆଜି ପ୍ରାସଙ୍ଗିକ ମନେହେଉଛି ;

ଆମ ହାତେ ଦେଲ ଭିକାରୀ ଥାଳ ହୋ ତୁମେ ପାଲଟିଛ ରଜା

ତୁମଲାଗି ନୁହଁ ସୁନା ଖଟୁଳି ହୋ ତୁମଲାଗି ବେଢ଼ି ସଜା … ତୁମଲାଗି ବେଢ଼ି ସଜା

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.