Home / ନାଟକ / ମୋ କଥା ଓ ଅନ୍ୟାନ୍ୟ ରଚନା (3)

ମୋ କଥା ଓ ଅନ୍ୟାନ୍ୟ ରଚନା (3)

ଅଧିନାର ନିବେଦନ

ମୋର ଗୁରୁ ସ୍ଵର୍ଗତଃ ଗିରିଶଚନ୍ଦ୍ର ଘୋଷ ମହାଶୟଙ୍କର ଅନୁରୋଧରେ ଏଇ ଆତ୍ମକାହାଣୀ ଲେଖି ଯେତେବେଳେ ତାଙ୍କୁ ଦେଖେଇଥିଲି, ସେ ଖୁବ ଜାଗ୍ରତ ଭାବେ ଦେଖି ଯୋଉ ଜାଗାରେ ଭାବ ଭାଙ୍ଗି ସଜେଇବାକୁ ପଡିବ, ଉପଦେଶ ଦେଇଥିଲେ I କହିଲେ “ତୁମ ରସ ରସାଳ ଭାବରେ ଲିଖିତ ସାଦା ଭାଷାରେ ଯୋଉ ସୌଦର୍ଯ୍ୟ ଅଛି, କଟା କଟି କରି ପରିବର୍ତ୍ତନ କଲେ ତାହା ନଷ୍ଟ ହେଇଯିବ I ତମେ ଯେମିତି ଲେଖିଛ ସେମିତି ଛପେଇ ଦିଅ I ମୁଁ ସେଥିରେ ଗୋଟେ ଭୂମିକା ଲେଖିଦେବି I” ଗୋଟେ ଭୂମିକା ଲେଖି ଦେଇଛନ୍ତି ତାହା କିନ୍ତୁ ମୋର ମନ ପସନ୍ଦ ହେଇନି I ଲେଖା ଅବଶ୍ୟ ବହୁତ ଭଲ ହେଇଥିଲା; ମୋ ମନ ପସନ୍ଦ ନହବାର କାରଣ ,ସେଥିରେ ଗୁଡିଏ ସତ୍ୟ ଘଟଣାର ଉଲ୍ଲେଖ ନଥିଲା I ମୁଁ ସେକଥା କହିବାରୁ ସେ କହିଲେ “ସତ୍ୟ ଯଦି ଅପ୍ରିୟ ଓ କଟୁ ହୁଏ , ତାହା ସକଳଙ୍କ ସାମ୍ନାରେ ପ୍ରକାଶ ପାଇବା ଉଚିତ ନୁହେଁ” I ଉଦାରତାପୂର୍ଣ୍ଣ, ସଂସାରେ ଆମ ଭଳି ନ୍ୟାୟ ରମଣିଗଣା ମାନଙ୍କର ମାନ ଅଭିମାନ କରିବାର ସ୍ଥାନ ଅତି ବିରଳ I

ସେଥିପାଇଁ ଯେଉଁମାନେ ସ୍ୱଭାବେ ଉଦାର ଭାବେ ମୋତେ ସ୍ନେହ ଦେଇ ପ୍ରଶ୍ରୟ ଦିଅନ୍ତି, ତାଙ୍କ ଉପରେ ମୁଁ ଅତ୍ୟାଚାର କରିବାର ସୁଯୋଗ ଛାଡେନି I ଏକରେ ରମଣୀ ଅଦୂରଦର୍ଶିନୀ, ସେଥିରେ ମୋ ମନ ଅଭିମାନରେ ପୂର୍ଣ୍ଣ; ଗିରିଶ ବାବୁଙ୍କର ରୁଗ୍ଣ ଶଯ୍ୟା, ରୋଗ ଯନ୍ତ୍ରଣା କଥା ଭୁଲି, ସତ୍ୟ ଘଟଣା ସବୁ ଉଲ୍ଲେଖ କରି ଆଉ ଗୋଟେ ଭୂମିକା ଲେଖି ଦେବାପାଇଁ ଜିଦି କରି ବସିଲି I ସିଏବି କହିଥିଲେ ଲେଖିଦେବେ ବୋଲି I ମୁଁ ଭାବିଥିଲି , ମୋ ଗୁରୁ ଏବଂ ସମସାମୟିକ ସମୟର ଶ୍ରେଷ୍ଠ ଅଭିନେତା ଯଦି ସବୁ ଘଟଣା ଭୂମିକାରେ ଉଲ୍ଲେଖ ନକରନ୍ତି, ତାହେଲେ ମୋର ଆତ୍ମକାହାଣୀ ଲେଖା ଅସମ୍ପୂର୍ଣ୍ଣ ହେଇଯିବ I ଶୀଘ୍ର ଭୂମିକା ଲେଖିବାପାଇଁ ମୁଁ ତାଙ୍କୁ ବ୍ୟସ୍ତ କରିବାକୁ ଲାଗିଲି I ସ୍ନେହମୟ ଗୁରୁଦେବ ମୋତେ କହିଲେ, “ତୁମର ଭୂମିକା ନଲେଖି ମୁଁ ମରିବିନିI” ଥିଏଟରରେ ମୁଁ ଗିରିଶ ବାବୁ ମହାଶୟଙ୍କର ଦକ୍ଷିଣ ହସ୍ତ ଥିଲି I ତାଙ୍କର ପ୍ରଥମ ଓ ପ୍ରଧାନ ଛାତ୍ରୀ ବୋଲି ଗୋଟେ ସମୟରେ ନାଟ୍ୟ ଜଗତରେ ମୋର ଗୌରବ ଥିଲା I ମୋର ଅତି ତୁଚ୍ଛ ଅଭିମାନ ରଖିବାପାଇଁ ସେ ବ୍ୟସ୍ତ ହେଇ ଯାଉଥିଲେ I ହେଲେ ଏବେତ ରାମ ନାହାନ୍ତି କି, ସେ ଅଯୋଧ୍ୟା ବି ନାହିଁ ! ମୋର ମାନ ଅଭିମାନ ରଖିବାର ଦୁଇଜଣ ବ୍ୟକ୍ତି ଥିଲେ , ଜଣେ ବିଦ୍ୟା-ପ୍ରତିଭା, ଉଚ୍ଚ ସମ୍ମାନରେ ପରିପୂର୍ଣ୍ଣ, ଅନ୍ୟଜଣେ ଧନ, ମାନ, ଯଶ, ଗୌରବରେ ସର୍ବୋଚ୍ଚ ସ୍ଥାନର ଅଧିକାରୀ I ଏବେ ସେମାନେ କେହି ଏଇ ସଂସାରରେ ନାହାନ୍ତି I ମୋର ତୁଚ୍ଛ ଅଭିମାନ ରକ୍ଷା କରିବାପାଇଁ ଯାତ୍ରାର ରାଜା ଗିରିଶବାବୁ ଆଉ ଫେରିଆସିବେନି I” ଭୂମିକା ନଲେଖି ମରିବିନି” ବୋଲି କହି ସେ ମୋତେ ଯୋଉ ଆଶ୍ୱାସନା ଦେଇଥିଲେ, ତାହା ଘଟିଲା ନାହିଁ I ଭାବିଥିଲି, ତାଙ୍କ ପୁନର୍ବାର- ଲିଖିତ ଭୂମିକା ସମ୍ପୂର୍ଣ ହେଲେ , ମୋର ଆତ୍ମ କାହାଣୀର ନବସଂସ୍କରଣ କରିବି I କିନ୍ତୁ ମୋର ଗୁରୁ ଭୂମିକା ଲେଖା ଅସମ୍ପୂର୍ଣ୍ଣ ରଖି ମୋତେ ଶିକ୍ଷା ଦେଇଗଲେ ଯେ , ସଂସାରେ ସକଳ ସାଧ୍ୟ ସଂପୁର୍ଣ ହୁଏନି I

ସମ୍ପୂର୍ଣ ହବନି, ତେବେ ଯାହା ଅଛି, ତାହା ବା ଲୋପପାଇବ କାହିଁକି? ମୁଁ ଗିରୀଶବାବୁ ମହାଶୟଙ୍କର ପୂର୍ବ ଲିଖିତ ଭୂମିକାଟି ଅନ୍ୱେଷଣ କରିବାକୁ ଯାଇ ଶୁଣିଲି ଯେ, ଗିରିଶ ବାବୁ ଶେଷ ବୟସରେ ନିତ୍ୟ ସଂଗୀ ପୂଜନୀୟ ଶ୍ରୀଯୁକ୍ତ ଅବିନାଶ ଚନ୍ଦ୍ର ଗଙ୍ଗୋପାଧ୍ୟାୟ ମହାଶୟଙ୍କ ପାଖରେ ତାହା ଯତ୍ନ ସହକାରେ ରଖି ଦେଇଛନ୍ତି I ସେଇଟା ତାଙ୍କଠାରୁ ଆଣି ମୋର କ୍ଷୁଦ୍ର କାହାଣୀରେ ଯୋଡି ଦେଲି I ମୋର ଗୁରୁ ମାନନୀୟ ଗିରିଶଚନ୍ଦ୍ର ଘୋଷ ମହାଶୟଙ୍କ ଉତ୍ସାହ ଓ ବିଶେଷ ଅନୁରୋଧରେ ଲିପିବଦ୍ଧ ହେଇଥିବା ମୋ ଆତ୍ମକାହାଣୀ ପ୍ରକାଶିତ ହେଲା I କିନ୍ତୁ ସେ ଆଜି କାହାନ୍ତି? ହାଏ-ସଂସାର ! ସତେରେ ଏଠି ସବୁ ଅପୂର୍ଣ୍ଣ ! ଏ କ୍ଷୁଦ୍ର କାହାଣୀ ଯେ ସ୍ୱହସ୍ତେ ତାହାଙ୍କ ଚରଣେ ଉପହାର ଦେବି ଭାବିଥିଲି, ସେ ଟିକକ ଇଛାବି ଅପୂର୍ଣ୍ଣ ରହିଲା!

ବିନିତା

ଶ୍ରୀମତୀ ବିନୋଦିନୀ ଦାସୀ

ଉଲ୍ଲିଖିତ ଭୂମିକାଟି ‘ପରିଶିଷ୍ଟ’ ଭାବରେ ଗ୍ରନ୍ଥ ଶେଷରେ ଛପା ହେଲା. “ମୋ କଥା ” ର ପ୍ରଥମ ସଂସ୍କରଣରେ ବିନୋଦିନୀ ଗିରିଶଚନ୍ଦ୍ରଙ୍କର ଏଇ ଭୂମିକାଟିକୁ ସ୍ଥାନ ଦେଇନଥିଲେ I ପରେ (୧୯୨୦ମସିହା) ପ୍ରକାଶିତ ‘ମୋ କଥା’ ର ନବସଂସ୍କରଣରେ ଏହା ମୁଦ୍ରିତ ହେଇଥିଲା I – ସମ୍ପାଦକ

ବାଲ୍ୟ ଜୀବନ

ଅଂକୁର

୧ମ ପତ୍ର

ମହାଶୟ!

ବହୁ ଦିବସ ଗତ ହେଲା, ବହୁ ଦିନ ଆଗର କଥା, ସେତେବେଳେ ମହାଶୟଙ୍କର ପାଖକୁ ଯିବାକୁ ଏମିତି ଅଜ୍ଞାନ ଭାବେ ଜୀବନ ଲୁକାୟିତ ନଥିଲା I  ସେତେବେଳେ ମହାଶୟ , ବାରମ୍ବାର କେତେଥର ମୋତେ କହିଛନ୍ତି ,”ଈଶ୍ୱର ବିନା କାରଣରେ ଜୀବର ସୃଷ୍ଟି କରନ୍ତିନି, ସମସ୍ତେ ଈଶ୍ୱରଙ୍କ କାର୍ଯ୍ୟ କରିବାକୁ ଏ ସଂସାରରେ ଆସନ୍ତି, ସକଳେ ତାଙ୍କର କାର୍ଯ୍ୟ କରନ୍ତି: କାର୍ଯ୍ୟ ଶେଷ ହେଲେ ଦେହ ପରିତ୍ୟାଗ କରି ଚାଲିଯାନ୍ତି I” ଆପଣଙ୍କର ଏଇ କଥାଗୁଡା ମୁଁ କେତେଥର ଆଲୋଚନା କରିଛି; କିନ୍ତୁ ମୁଁ ମୋ ଜୀବନରେ ବୁଝିପାରିଲିନି ଯେ ମୋଭଳି ନ୍ୟାୟ ହୀନ ମଣିଷ ଦ୍ୱାରା ଈଶ୍ୱରଙ୍କ କେଉଁ କାର୍ଯ୍ୟ ହେଉଛି, ମୁଁ ତାଙ୍କ କେଉଁ କାର୍ଯ୍ୟ କରିଛି, ଏବଂ କଣ ବା କରୁଛି: ଆଉ ଯଦି ତାହାହିଁ ହୁଏ ତାହେଲେ ଏତେ କାର୍ଯ୍ୟକରି କ’ଣ କାର୍ଯ୍ୟର ଅବଶାନ ଘଟିନି ଏପର୍ଯ୍ୟନ୍ତ? ଏଇ ରୂପହୀନ କାର୍ଯ୍ୟ କଣ ଇଶ୍ଵରଙ୍କର?

ମୋର ଅଶାନ୍ତ ହୃଦୟ ବାରମ୍ବାର ଜିଜ୍ଞାଶା କରେ,”ଏ ସଂସାରରେ ମୋର କାର୍ଯ୍ୟ କଣ”? ସଂସାରର ପାନ୍ଥଶାଳାରୁ ବିଦାୟ ନେବାର ସମୟ ପାଖେଇ ଆସିଲା ! ତେବେ ଏତେଦିନରେ ମୁଁ କ’ଣ କଲି? କି ସାନ୍ତ୍ୱନା ନିଜକୁ ଦେଇ ଏଇ ପୃଥିବୀରୁ ବିଦାୟ ନେବି? କି ସମ୍ବଳ ନେଇ ମହାପଥର ପଥିକା ହେବି ! ମହାଶୟ ଅନେକ ବିଷୟରେ ଅନେକ ଉପଦେଶ ପ୍ରଦାନ କରିଦିଅନ୍ତି, ମୋତେ ବୁଝେଇ ଦିଅନ୍ତି, ଯେ ଈଶ୍ୱରଙ୍କର କେଉଁ କାର୍ଯ୍ୟରେ ମୁଁ ଥିଲି ବା ଅଛି ଏବଂ ରହିବି i

ଅନୁଗ୍ରହିତା

 

Photo credit-https://www.google.com/search?q=nati+binodini&sxsrf=ALeKk0380DzinyM4K9zfC_pal1zKIVU4Eg:1616325375385&tbm=isch&source=iu&ictx=1&fir=3ryVMqWzYISPuM%252CoBt8A41qnR7NbM%252C_&vet=1&usg=AI4_-kTuGRowWkhRr11eyKSvaTh8GkJ0zQ&sa=X&ved=2ahUKEwjV_NyeocHvAhUf7XMBHfD2BXMQ_h16BAglEAE#imgrc=5BM0dQGlvqZuZM

 

ମୂଳ ଲେଖା – ବିନୋଦିନୀ ଦାସୀ

ଭାଷାନ୍ତର – ସମିଧା ବେଦବାଳା

 

 

About ସମିଧା ବେଦବାଳା

ସମିଧା ବେଦବାଳା
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ନଟି ବିନୋଦିନୀଙ୍କର ଜୀବନ କଥା (୧)

‘ମୁଁ ଏ ଜଗତ ପାଇଁ କଳଙ୍କିନୀ, ପତିତା । ମୋର କେହି ଆତ୍ମୀୟ ନାହାନ୍ତି, ସମାଜ ନାହିଁ, ବନ୍ଧୁ ନାହିଁ, …

Leave a Reply

Your email address will not be published. Required fields are marked *