Home / ସାହିତ୍ୟ / କବିତା / ମରିନାହିଁ ସେ ତ ମରଣଜୟୀ(ରାଧାମୋହନ ଗଡ଼ନାୟକଙ୍କ ସ୍ମୃତିରେ )

ମରିନାହିଁ ସେ ତ ମରଣଜୟୀ(ରାଧାମୋହନ ଗଡ଼ନାୟକଙ୍କ ସ୍ମୃତିରେ )

କାଳ ମହରଗ ପଡିଥିଲା ଭାରି ଭୟଙ୍କର

ନ’ଅଙ୍କର

ସୁନାର ଆମର ଉତ୍କଳ ଆମର କାଳିମା ଛୁଇଁ

ହାଡ଼ମାଳ ଘେନି ଦିଶୁଥିଲା ସତେ ମଶାଣି ଭୂଇଁ ।

ଲକ୍ଷ୍ମୀର ଦେଶ ହୋଇଯାଇଥିଲା ଆହା କି ଜୂର ।

ହା ଅନ୍ନ ଡାକେ ପୂରି ଉଠୁଥିଲା ପଲ୍ଲୀପୂର ।

ଦୁଇ ତିନି ଦିନେ ନପାଇ ଢ଼ୋକ

ଝଡ଼ି ପୋକ ପରି ଝଡ଼ି ପଡ଼ୁଥିଲେ ବହୁତ ଲୋକ

କଳନା ନାହିଁ

ହାଇରେ ହାଇ ।

କଟକ ଜିଲ୍ଲାର ଅଜଣା ସେ କେଉଁ ପଲ୍ଲୀ କଣେ

କେବଳ ଜଣେ

ବାର ବରଷର କେବଳ ଭିକାରୀ ବାଳକଟିଏ

ମରଣର ଦାଉ ଜୟ କରିଥିଲା ମରତ ଦିହେ

ତା ଗୀତ ଆଜି,

ଆକାଶେ ବତାସେ ପ୍ରତି ନିଃଶ୍ୱାସେ ଉଠୁଚି ବାଜିି ।

ସନାତନ ତେବେ ଭା’ରି ଦୁଃଖେ

ଦୂର ଗ୍ରାମେ ଯାଇ ଭିକ ମାଗୁଥିଲା କାତର ବୁକେ ।

ସବିଏ ଆତୁର ବଞ୍ଚାଇବାକୁ ଜୀବନ ଟିକ

ଏତେବେଳେ ଭଲା କିଏ ସେ କାହାକୁ ଦେଉଚି ଭିକ?

ଦୁଇଦିନ ଯାଇ ତିନିଦିନ ହେଲା ତଥାପି କାହିଁ?

କପାଳେ ତାହାର ଖୁଦମୁଠିଏବି ଜୁଟିଲା ନାହିଁ ।

ଚରକି ପରାଏ ଘୂରି ଘୁରି ସିଏ ହୋଇଲା ଅଧା

ଘିଁ ଘିଁ ତାର ଘୂରିଲା ମଥା ।

ସାତ ଆଠ ଘର ଘୂରିବାର ପରେ ଫିଟିଲା ମୁଦ,

ସାଆଁତରା ଘରୁ ପାଇଲା ଯେବେ ସେ ଦିଓଟି ଖୁଦ,

କପାଳେ ଲଗାଇ କହିଲା- “ପ୍ରଭୁ,

କିସ ଜଣାଇବି?

ବାଳୁତର ଦୁଃଖ ଜାଣୁତ ସବୁ!”

ଠିଆ ହେଲା ଯହୁଁ ଆର ଦୁଆରେ

ପଧାନ ବୁଢ଼ାଟି କଅଁଳେଇ ତାକୁ କହିଲା- “ବା’ରେ,

ଦେଇଥିଲେ ପ୍ରଭୁ ଧନସମ୍ପଦ

ମହା ସୁଖରେ

ଦିନ ଯାଉଥିଲା ପୁଅ ଝିଅ ଶିରୀ କଉତୁକରେ

ଏଇଖିଣି ଆମେ କାଙ୍ଗାଳ ଜାଣ ତୋହରି ପରି

କିସ ମୁଁ ଦେବିରେ ଦୁଇ ଦିନ ହେଲା ଜଳିନି ଚୁଲୀ ।

ସେଇଯେ ଦିଶୁଚି ଧୋବଲା କୋଠା

ସେଇଠିକି ଗଲେ

ମିଳିପାରେ ଆରେ ମୁଠେ ଦି ମୁଠା ।

ଡାକିଲା ଯାଇସେ ଜମିଦାର ଘର ଫାଟକ ଆଗେ,

ଦାସୀଟାଏ ଭା’ରି ପଡିଲା ରାଗେ,

“ଭିକତ ମାଗିବୁ,

କିଆଁରେ ଏଡିକି ପାଟିଟେ କରୁ,

ସାଆନ୍ତେ ଉଠିଲେ

ଛାଡି ଯିବ ତୋର ପିଠିରୁ ଗଲୁ ।

ଏଇଠି ପଡିଚି,

ଏଇଠି ତୁମର ହୋଇଚି ଠିକ୍,

ଦିନ ରାତି ଖାଲି

କେଳେଇ ଖାଉଚ ଭିକ ଭିକ ।

ଆହୁରି ତାପ,

ଅରଜି ଆଣି କି ଥୋଇ ଦେଇଅଛି ତମର ବାପ ।”

ଭିକାରୀର ବୁକେ ବିଦ୍ରୋହ ନିଆଁ ଉଠିଲା ଜଳି

ପୁଣି କି ଆବେଶେ ନୟନ ନିମେଷେ ଗଲା ତ ମରି ।

ସନାତନ ତଳୁଁ ଉତ୍ତର ଦେଲା ଭାରି ନରମ-

“ଦାତା ଅରଜିଚି, ଦେଲେ ତାର ହବ ଭାରି ଧରମ” ।

“ଧଅ ଧଅ ବେଗେ ପଡିଛି ମୋହର କାମ ଭଉତ,

ପୋଲା ଖିଆ ସାଥେ କେ କହି ପାରିବ?”

କହୁ କହୁ ତ

ଚାଉଳ ମୁଠିକୁ ଚଞ୍ଚଳେ ଅତି

ଚଞ୍ଚଳେ

ଛିଞ୍ଚାଡି ଦେଲା ମୁକୁଳା ତାହାର ଅଞ୍ଚଳେ ।

ଗୁଡିଆ ଦୋକାନ ଦେଖିଲା ଯାଉଁ ସେ ଅଳପ ଦୂରେ

“ମୁଢ଼ି ମୁଠେ ମିଳୁ”

ଜଣାଇଲା  ବଡ କାତର ସୁରେ ।

ଦୋକାନୀ କହଇ- “ମୁଁ ବେସାୟୀ,

ବିକାକିଣା ଯାଗା, ଏଠି ଯେ ଖୋଜୁଚ ମାଗଣା କାହିଁ?”

“ତିନି ଦିନ ହେଲା

ମରୁଚି ହଇହେ ଗୁଡିଆ ସାଉ,

ମୁଠେ ଦିଅ, କିସ ଭାବୁଚ ଆଉ?”

“ଯାଆ ଯାଆ ଏଠୁ, ଦେଇ ଦେଇ ଆମେ ମଲୁଣି ଭଲା

ତୁଉ ମରିଗଲେ ସଂସାରେ କାର କଅଣ ଗଲା?”

ଫଅଁକରି ଗୋଟେ ନିଶ୍ୱାସ ମାରି ହତାଶ ବୁକେ

ମଝି ଦାଣ୍ଡରେ ଚାଲିଲା ବାଳକ ଭା’ରି ଦୁଃଖେ

କୁଆଡେ କାହିଁ,

ଦୃଷ୍ଟି ଫେରାଇ ଚାହିଁଲା ନାହିଁ ।

ଗାଁ ମୁଣ୍ଡରେ ଚାଳ ଘର ଟିଏ -ମୁହଁରେ ତାର

ବଉଳ ଗଛଟି ମେଲିଚି ପତର-ଗହଳ ଡାଳ

ବସି ପଡିଲା ସେ ତାହାର ମୂଳେ,

ଆକାଶ ପାତାଳ ଭାବିଲା ଭଉତ ମରମ ପୁରେ ।

ଘଡିକେ ସେ ଘରୁ ବାହାରିଲା ଜଣେ ପୌ÷ଢ଼ା ନାରୀ,

ଥକା ହୋଇ ତହିଁ ଛିଡା ହୋଇଗଲା କଅଣ ଭାଳି ।

ବୁଲାଇ ସେନେହ ସଜଳ ଆଖି

ସନାତନ ଦିହେ ଅମିୟ ପରଶ ଦେଲା କି ମାଖି?

ସ୍ନେହ କାଙ୍ଗାଳ ବାଳକର ହିଆ ବୁଝିଲା ତାହା,

ସତେ କି କୁଆଡେ ଦୂର ହୋଇଗଲା ପ୍ରାଣର ଦାହା ।

ତରୁ ଛାଇ ହୀନ ମରୁର ପଥେ

ସ୍ପଟିକ ଜଳର ଝରଣା ଗୋଟି, ଦେଖିଲା ସତେ!

ବହୁତ ଭରସା କରି ସେ କହିଲା ବିନୟ ବାଣୀ

“ପିଇବାକୁ ମତେ ଦେବକି ମାଉସୀ,

ଟୋପାଏ ପାଣି?

ଦେବ ଯଦି ଦିଅ ବେଇଗି ଦିଅ,

ତିନି ଦିନ ହେଲା ତୋରାଣି ଦେଖିନି

ଜଳୁଚି ଦିହ ।”

ତର ତର ହୋଇ ଘରେ ଯାଇ ତହୁଁ

କରୁଣାମୟୀ

ବେଲାଏ ପଖାଳ ଆଣି ସେଇ ଲାଗେ

ଥୋଇଲା ତହିଁ ।

ପିଇ ଦେ ଆରେ ଲାଗିବ ଭଲ,

ହାଲିଆ ଦିହରେ ଆସିବ ତୋହର

ଟିକିଏ ବଳ ।”

ସନାତନ ତହୁଁ ପିଇଲା ଉପର ତୋରାଣିତକ

ମାଇଲା ଧକ

ଯେଉଁ ଭାତ ତକ ରହିଲା ତହୁଁ

ନ ଖାଇ କଳେ

କରୁଣାମୟୀକି ଚାହିଁଲା ବିକଳେ

ଅତି ବିକଳେ ।

ତିନି ଦିନ ହେଲା ଆରେ ବାପ କିଛି ଖାଇନୁ ପରା

“ଖାଇ ଦଉ ନାହୁଁ?

ମନରେ କଅଣ ଭାବୁଚୁ ଭଲା?

ମନରେ କଅଣ ଭାବୁଚୁ ଆଉ?

ଲୁଚାଉଚୁ କିଆଁ ଖୋଲି କରି କହ,

ଗୋଳିଆ ଯାଉ ।”

“ନାହିଁ ଗୋ ମାଉସୀ କିଆଁ ଲୁଚାଇବି

ତୋଆଗରେ,

ଆସିଲା ବେଳେ ତ ଖାଇବାକୁ କିଛି

 ନଥିଲା ଘରେ ।

ଜର ଭୋଗୁ ଥିଲା ବୋଉ ମୋର ,

କିଛି ନଥିବ ଖାଇ,

ଆଉଟି ପାଉଟି ହେଉଥିବ ଖାଲି

ମୋ ସାନ ଭାଇ ।

କହିଲ କେମିତି ଦେବି ମୁଁ ଗିଳି?

ଘରେ ନେଇଗଲେ ଖାଇବୁଁ ଏତକ

ସଭିଏଁ ମିଳି ।

ଆକାଶ ପାତାଳ ଭାବିଲା ସେତ ହୁଁ ମରମ ଗତେ

କଅଣ ସତେ!

“ପିଲା ବକଟେ ତୁ କେତେ ବଡ ଗୁଣ

ଅଛୁରେ ଧରି,

ମୋହରି ଥିଲାଯେ ରଙ୍କୁଣି ଥାଳ,

ଗୁଣରେ ସେଥିଲା ତୋହରି ପରି ।”

କହୁଁ କହୁଁ ତାର କମ୍ପି ଉଠିଲା ମୁଖର କଥା

ଲୁହ ଜମି ଉଠି ଛଳ ଛଳ ହେଲା ନୟନ ପତା,

ଆଉ କିଆଁ ତେବେ କରୁଚୁ ମଠ?

ବୋଉ ଭାଇ ତୋର ଚାହିଁ ରହିଥିବେ

ଯା’ତୁ ଝଟ ।”

ଭାତ ପୁଟୁଳାଟି ବାନ୍ଧିଲା ଅତି ଯତନ କରି

ମନରେ ଆତୁର ଆବେଗ ଧରି ।

‘ଯାଉଚି’ କହିସେ ଚଞ୍ଚଳ ହୋଇ ହେଲା ବାହାର ।

ଘର ମୁହାଁ ବାଟ- ଭାରି ଉଚ୍ଚାଟ ମନ ତାହାର

ଉପାସିଆ ଦେହ, ମୁଣ୍ଡତ ଝାଇଁ ମାରି ନଉଚି,

ପାଦ ଟଳ ଟଳ

ଛାତି ଥର ଥର

ତଥାପି ସଜୋରେ ପଥ ବାହୁଚି ।

ଉପରୁ ମାରୁଚି ନିରାଟ ଖରା,

ଦିହେ ଦିହେ ତାହା ଗଳି ଯାଉଅଛି ଅନଳ ପରା ।

କିଛିବାଟ ଗଲା ନାମ ଜଣା ନାହିଁ ନଈର କୂଳେ

ବସିଲା କଷ୍ଟେ ପୂରୁଣା ସେ ବରଗଛର ମୂଳେ ।

ଟୂପ ଟୂପ ଟୂପ ପଡିଲା କେତୋଟି ନାଲିଆ ଫଳ,

ପେଟ ବିକଳରେ ଭରିଲା କଳ ।

ଭୋକ ତ ମଲା ନି, ଓଲଟି ବଢ଼ିଲା ହେଲାନି ସହି,

ଫିଟାଇଲା ତାର ଭାତ ପୁଟୁଳାଟି ଆବେଗ ବହି ।

ପୁଣି ସେ କି ଭାବି ପୂରୁବ ପରି

ବାନ୍ଧିଲା ସେଇ ଭାତ ପୂଟୁଳାଟି

ଯତନ କରି ।

ଆହୁରି ବହୁତ ରାସ୍ତା ରହିଚି-ଅଢ଼େଇ କୋଶ,

କେମିତି ଭଲା ସେ ମାରିବ ଭୋକରେ ମାରିବ ଶୋଷ?

ନଈଧାରେ ଯାଇ ଆକ୍ୁଳେ ପିଇଲା ଗିରାସେ ପାଣି

ଛାଇକି ନେଉଟି ଆସିଲା ବହୁତ କଷ୍ଟ ମାନି ।

ଭାତ ପୁଟୁଳାଟି ଜଡ଼ାଇ ବୁକେ

ଭୁଇଁ ଶେଜତଳେ ଶୋଇପଡ଼ିଲା ସେ ବିରାମ ସୁଖେ ।

କଅଁଳ ପବନେ ଚାହୁଁଚାହୁଁ ଆହା ନୟନେ ତାର

କହୁଁ କହୁଁ ନିଦ ଭରିଗଲା ସତେ ଅନ୍ଧକାର!

ବେଳ ଖସି ଗଲା

ଖରା ମଉଳିଲା

ଆଉତ କାହିଁ,

ସନାତନ ଆଉ ଉଠିଲା ନାହିଁ ।

ବିଂଛାଡ଼ି ଦେଇ ଚାଉଳଟିମାନ ଭାତଟିମାନ,

କାଆ କାଆ ରାବି କୁଆ ଉଠାଇଲେ ଭୋଜିରତାନ ।

ଯାଉଁ ଯାଉଁ କେହି କହିଲା ସିଆଡ଼େ ଲକ୍ଷ୍ୟ କରି,

“କିଏ ସେ ଗୋଟିଏ ଯାଇଚି ମରି ।”

ଆକାଶ ବତାସ କାନେ କାନେ ତାର ଉଠିଲା କହି,

“ମରିନାହିଁ ସେତ- ମରଣ ଜୟୀ ।”

ରାଧାମୋହନ ଗଡ଼ନାୟକ

ଜଣେ ପ୍ରଗତିବାଦୀ କବି ଭାବରେ ରାଧାମୋହନ ଗଡ଼ନାୟକ ଓଡ଼ିଆ ସାହିତ୍ୟ ଜଗତରେ ବେଶ୍ ପରିଚିତ। କବିଙ୍କ ଦ୍ୱାରା ରଚିତ କେତେକ ଶ୍ରେଷ୍ଠ ଗ୍ରନ୍ଥ ହେଲା ଉତ୍କଳିକା, ସ୍ମରଣିକା, ଦୀପଶିଖା, କୈଶୋରିକା, ଶାମୁକାର ସ୍ୱପ୍ନ, ପଶୁପକ୍ଷୀର କାବ୍ୟ, ଧୂସର ଭୂମିକା, ଅବାଚୀର ତାରା ଇତ୍ୟାଦି। ରାଧାମୋହନ ଗଡ଼ନାୟକ ଜଣେ ଗାଥାକବି। ‘ମରିନାହିଁ ସେ ତ ମରଣଜୟୀ’ କବିତାଟି କବିଙ୍କର ‘ଉକ୍ରଳିକା’ ସଙ୍କଳନରୁ ସଂଗୃହିତ ହୋଇ ଏଠାରେ ଉପସ୍ଥାପିତ କରାଯାଇଛି। ଐତିହାସିକ ବିଷୟ ବସ୍ତୁ ଉପରେ ରଚିତ ଏହି କବିତାଟିରେ କବି ନଅଙ୍କ ଦୁର୍ଭିକ୍ଷ ସମୟର ହୃଦୟସ୍ପସ୍ପର୍ଶୀ କରୁଣ କାହାଣୀକୁ ଅତି ଜୀବନ୍ତ ଭାବରେ  ଏକ କାଳ୍ପନିକ ଚରିତ୍ର ‘ସନାତନ’ ମାଧ୍ୟମରେ ଉପସ୍ଥାପନ କରିଛନ୍ତି । କବିତାଟିକୁ ପାଠକଲେ ମଣିଷ ପ୍ରତି କବିଙ୍କମନରୁ ପ୍ରବାହିତ ହେଉଥିବା କରୁଣା, ପ୍ରେମ ଏବଂ ସହାନୁଭୂତିର ଅବାରିତ ଧାରା ପରିପ୍ରକାଶ ହେଉଛି । ବୁବୁକ୍ଷୁ ଅନ୍ତରର ବେଦନାକୁ ଉପସ୍ଥାପନା କଲାବେଳେ କବି ବର୍ତ୍ତମାନର ମଣିଷ ସମାଜ ଭିତରେ ହଜି ହଜି ଯାଇଥିବା ମଣିଷ ପଣିଆକୁ ପୁଣିଥରେ ଚେତେଇ ଦେବାକୁ ଚେଷ୍ଟାକରିଛନ୍ତି । ‘ସନାତନ’ ଚରିତ୍ରଟିକୁ କବି ଏତେ ମର୍ମସ୍ପର୍ଶୀ ଢଙ୍ଗରେ ଗୀତି କବିତାଟିରେ ଉପସ୍ଥାପନ କରିଛନ୍ତି ଯେକେହି ବି ଏହି ଚରିତ୍ରକୁ ନେଇ ନଅଙ୍କ ଦୁର୍ଭିକ୍ଷର ହୃଦୟ ବିଦାରକ ଦୃଶ୍ୟକୁ ନିଜ ମନ ଭିତରେ ଆଙ୍କିପାରିବ । କବିଙ୍କର ସନାତନ ଚରିତ୍ରଟିକୁ ଟିକିଏ ନିରିଖେଇ ଦେଖିଲେ ଆଜିର ଓଡ଼ିଶାରେ କେତେ ଯେ ସନାତନ ଅନାହାରର କଷାଘାତରେ ପ୍ରତ୍ୟେକ ଦିନ ପ୍ରାଣତ୍ୟାଗ କରୁଛନ୍ତି ତା’ର ଏକ ଚିତ୍ର ମାନସପଟ୍ଟରେ ଭାସିଉଠିବ । ଅନାହାର, ଅର୍ଦ୍ଧାହାରର କଳାବାଦଲ ଯେମିତି ସେଦିନ ନଅଙ୍କ ଦୁର୍ଭିକ୍ଷରେ ମଣିଷର ପ୍ରାଣ ନେଇଥିଲା ଆଜି ମଧ୍ୟ ତା’ର କାୟା ବିସ୍ତାରକରି ରଖିଛି । ଅନେକ ମଣିଷଙ୍କ ପାଇଁ ଆଜି ବି ପେଟପୁରା ମୁଠେ ଖାଦ୍ୟ ସ୍ୱପ୍ନରେ ପରିଣତ ହୋଇଛି । କେତେବେଳେ ଆମ୍ବକୋଇଲି ତ କେତେବେଳେ ପଚାଷଢ଼ା ମାଂସ ଏଠି ମଣିଷର ଖାଦ୍ୟ ହୋଇଛି, ଯାହା ଅକାଳ ମୃତ୍ୟୁକୁ ଡାକିଆଣୁଛି । ସେଦିନ ସନାତନ ବରଗଛର ଫଳ ଖାଇ ନିଜ ଉଦରର ତାତିକୁ ମେଣ୍ଟାଇବା ପାଇଁ ଚେଷ୍ଟାକରି ଶେଷରେ ଶେଷ ନିଦ୍ରାଗ୍ରସ୍ତ ହେବାପରି ଆଜି ଅନେକ ବୁବୁକ୍ଷୁ ଅଖାଦ୍ୟ ଭୋଜନ କରି ମୃତ୍ୟୁକୁ ଆପଣେଇ ନେଉଛନ୍ତି । କବିଙ୍କର ଏହି ରଚନାଟି ପଛରେ ଯେଉଁ ଅନ୍ତର୍ନିହିତ ଉଦ୍ଦେଶ୍ୟ ରହିଛି ତାହା ଅତ୍ୟନ୍ତ ମହତ୍ୱ୍ୱପୂର୍ଣ୍ଣ । ବିଂଶଶତାବ୍ଦୀର ଚାକଚକ୍ୟମୟ ଜୀବନକୁ କବି ନିଜ ଆଖିରେ ଦେଖିଛନ୍ତି । ସେଇଠି ପୁଣି ଦେଖିଛନ୍ତି ବୁବୁକ୍ଷୁର ଆର୍ତ୍ତନାଦକୁ । ମଣିଷ ଭିତରୁ ହଜିଯାଉଥିବା ହୃଦୟକୁ, ମଣିଷ ପଣିଆକୁୁ କବି ଏହି କବିତା ମାଧ୍ୟମରେ ପ୍ରଶ୍ନ କରିଛନ୍ତି – ସମ୍ପାଦକ।

photo- internet

About ରାଧାମୋହନ ଗଡନାୟକ

Avatar
କବି

Check Also

‘ଚିର ପ୍ରଦୀପ୍ତ’ – କବି ସଚ୍ଚିଦାନନ୍ଦ ରାଉତରାୟ

ମାରିଚ ଯାହାକୁ ହାରିଚ ତାହାଠୁ ଆରେ କାପୁରୁଷ ଦଳ ମୁକୁଟ ତମର ଖସିପଡ଼ି ଚୁମେ ତାହାରି ଚରଣ ତଳ ।। …

Leave a Reply

Your email address will not be published. Required fields are marked *