ଭାଷା ଓ ଜାତି

ସୁଧୀର ପଟ୍ଟନାୟକ
ସୁଧୀର ପଟ୍ଟନାୟକ 235 Views
14 Min Read

ଭାରତର ଭାଷା ଓ ଜାତିଭିତ୍ତିକ ବିବିଧତା ଅନେକଙ୍କ ମନରେ ରୋମାଞ୍ଚ ସୃଷ୍ଟି କରିପାରରେ । ବିବିଧତା ଯେଉଁଠି ବି ଥାଏ, କିଛି ଖୁସି, କିଛି ତୃପ୍ତି ଦେଇଥାଏ ନିଶ୍ଚୟ । ସମସାମୟିକ  ଭାରତରେ ଥିବା ସାମାଜିକ ବିବିଧତା ଦେଖିଲେ ସେଭଳି ଏକ ଆତ୍ମସନ୍ତୋଷ ବା ଆନନ୍ଦପ୍ରାପ୍ତିର ସମ୍ଭାବନା ଦେଖିବାକୁ ମିଳିନଥାଏ । ଭାଷା ଓ ଜାତି ଆମ ଦେଶର ଇତିହାସରେ ଭଲ କଣ କରିଛନ୍ତି ଓ ଖରାପ କଣ କରିଛନ୍ତି, ତାର ନିରପେକ୍ଷ ସମୀକ୍ଷା ହେଲେ ଖୁସି ମିଳିବାରେ ସମ୍ଭାବନା କ୍ଷୀଣ ।

Support Samadhwani

ଡଃ ଲକ୍ଷ୍ମୀଧର ମିଶ୍ର ତାଙ୍କର ପୁସ୍ତକ ଏଙ୍ଗୁଇସ୍ ଅଫ୍ ଦି ଡିପ୍ରାଇଭଡ଼୍ (Anguish of the Deprived)ବା ବଞ୍ଚିତ ମାନଙ୍କ କ୍ଷୋଭ ପୁସ୍ତକରେ ଭାଷାର ଭୂମିକା ଉପରେ କିଛି ଉପସ୍ଥାପନା କରିଛନ୍ତି । ଯେଉଁ ସବୁ ଦେଶରେ ଭାଷାର ବିବିଧତା ନାହିଁ, ଏବଂ ଘୃଣ୍ୟ ଜାତି ବ୍ୟବସ୍ଥା ନାହିଁ, ସେଠି ସାମାଜିକ ଓ ବୈପ୍ଳବିକ ଆନ୍ଦୋଳନର ଉପଲବ୍ଧିକୁ ପ୍ରତିଟି ନୂଆ ପିଢ଼ି ଯେମିତି ବୁଝିପାରିବ (ଯେଉଁମାନେ ଆନ୍ଦୋଳନ / ବିପ୍ଳବ ପରେ ଜନ୍ମ ନେଇଥାନ୍ତି) ସେଥିପାଇଁ ଶିକ୍ଷା ଓ ସାକ୍ଷାରତାର ଆନ୍ଦୋଳନ ରାଜନୈତିକ ବିପ୍ଳବୀ କର୍ମୀମାନଙ୍କୁ ନିୟୋଜିତ କରିବା ସହ ସମସ୍ତ ସରକାରୀ କଳ ସମେତ ଶିକ୍ଷା ପାଠ୍ୟକ୍ରମକୁ ବ୍ୟବହାର ମାଧ୍ୟମରେ କରାଯାଇଥାଏ ।

ଭାରତରେ ଆମକୁ ଅଗଷ୍ଟ ୧୫, ୧୯୪୭ ଦିନ ସେ ସୁଯୋଗଟି ଆସିଥିଲା । କଂଗ୍ରେସ ଦଳଟି ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ସମଗ୍ର ଦେଶରେ ଶିକ୍ଷା ଆନ୍ଦୋଳନଟି ସଂଗଠିତ କରି ଉପନିବେଶବାଦରୁ ଆମେ ସବୁଦିନ ପାଇଁ କେମିତି ନିଜକୁ ମୁକ୍ତ ରଖିପାରିବା, ବାର୍ତ୍ତାଟିଏ ଦେଇପାରିଥାନ୍ତେ ।

ଆମ ସାମାଜିକ ବିକାଶର ଅସଲ ପ୍ରତିବନ୍ଧକ ଜାତିଭିତ୍ତିକ ସାମନ୍ତବାଦର ମୂଳୋତ୍ପାଟନ ପାଇଁ ଏକ ଜାତୀୟ ଆନ୍ଦୋଳନ ସଂଘଟିତ କରିପାରିଥାନ୍ତେ । କିନ୍ତୁ ତାହା ହେଲା ନାହିଁ । କାହିଁକି ହେଲା ନାହିଁ, ସେ ପ୍ରଶ୍ନ ମଧ୍ୟ ସମସ୍ତେ ଶୁଣିବା ଭଳି ବା ସବୁସ୍ତରରେ ପଚରା ଯାଉନହିଁ । ଜାତୀୟ କଂଗ୍ରେସର ଅଧିକାଂଶ ନେତା ଭାଷାଭିତ୍ତିକ ଆଞ୍ଚଳିକ ରାଜନୀତିରୁ ଆସିଥିଲେ । ପ୍ରାୟ ଅଧିକାଂଶ ଉଚ୍ଚ ଜାତିର ଥିଲେ । ଶ୍ରେଣୀ ବିଯୁକ୍ତ ଭାବନା ଯେମିତି ଏକ କଷ୍ଟସାଧ୍ୟ ବ୍ୟାପାର, କେତେ ସାମାଜିକ ସମ୍ବେଦନଶୀଳତା ନିଜ ଭିତରେ ପଶି ଆସିଥିଲେ ବି ଭାରତୀୟ ପୃଷ୍ଠଭୂମିର ଜାତି ବିଯୁକ୍ତ ଭାବନା, ସେତିକି କଷ୍ଟକର ।

Support Samadhwani

ଏଠି କେବଳ ଆର୍ଥିକ ବ୍ୟବସ୍ଥାରେ ଜାତି ଲୁଚି ରହିନାହିଁ । ଆମ ଦେଶର ଏବଂ ପ୍ରତିଟି ଗ୍ରାମରେ ( ଆଦିବାସୀ ଅଞ୍ଚଳ ବ୍ୟତୀତ) ସଂସ୍କୃତି ଓ ଜନଜୀବନରେ ଜାତିର ପ୍ରଭାବ ଏତେ ପ୍ରଖର ଯେ ସମ୍ବିଧାନ ତା ନିକଟରେ ମୂଲ୍ୟହୀନ । ତଥାପି ସମ୍ବିଧାନରେ ନିଷ୍ପେଷିତ ଜାତିମାନଙ୍କ ପାଇଁ ସୁରକ୍ଷାର ପ୍ରବନ୍ଧ ହୋଇନଥିଲେ ଦଳିତ କୁହାଯାଉଥିବା ଅବହେଳିତ ମଣିଷମାନେ ଜଗତୀକରଣ ଯୁଗର ମହାମାରୀରେ ନିଶ୍ଚିହ୍ନ ହୋଇଯାଇଥାନ୍ତେ ।

ସଂରକ୍ଷଣ କାହିଁକି ରହିବ ପ୍ରଶ୍ନ କରୁଥିବା ଲୋକେ ଇତିହାସ ପଢ଼ନ୍ତି ନାହିଁ । ବଜାରୀକରଣର ମାୟାଜାଲ ଭିତରେ ଚକମକିଆ ଚାକିରୀ ଖୋଜୁଥିବା ଲୋକେ ଇତିହାସରେ ଘଟିଥିବା ଅନ୍ୟାୟକୁ ବୁଝିବାପାଇଁ ଅବସର ବା କାହିଁ? ଭାଷାର ବିବିଧତା ମଧ୍ୟ ସେଭଳି ଆମ ଭିତରେ ସମତାର ଭାବନା ସୃଷ୍ଟି କରିବାର ଏକ ଅନ୍ତରାୟ ସୃଷ୍ଟି କରିଥାଏ। ଅନେକଙ୍କର ଯୁକ୍ତି ହୋଇପାରେ ଆମେ ଭାଷାର ବିବିଧତା ଯୋଗୁଁ ବିବିଧ ସାହିତ୍ୟ ଓ ସୃଜନଶୀଳତାର ମହକ ପାଇପାରୁଛେ । ସୃଜନଶୀଳତା, ମଣିଷର ଭାବନା, କଳ୍ପନା, ସ୍ୱପ୍ନ, ଦୃଷ୍ଟିଶକ୍ତି ଇତ୍ୟାଦି ଉପରେ ବେଶୀ ନିର୍ଭର କରିଥାଏ ।

ଭାଷା କେବଳ ଭାବନାର ପରିପ୍ରକାଶ ପାଇଁ ଏକ ମାଧ୍ୟମ ମାତ୍ର । ସମଗ୍ର ଦେଶରେ ଯଦି ଗୋଟିଏ ଭାଷା ଚାଲିଥାନ୍ତା, ତାହେଲେ ସୃଜନଶୀଳତାର ବିବିଧତା କଣ ରହିନଥାନ୍ତା କି? କିନ୍ତୁ ଆମର ଐତିହାସିକ ବାସ୍ତବତା ହେଉଛି ଆମ ଦେଶରେ ଭାଷାର ବିବିଧତା ରହି ଆସିଛି । ଏହି ବିବିଧତା ଆଞ୍ଚଳିକ ରାଜନୀତିକୁ ଜନ୍ମଦେଇ ସୁଦୃଢ଼ କରିଛି । ବୈଷମ୍ୟ ଦୂର କରିବାପାଇଁ ନୁହଁ, ବରଂ କ୍ଷମତାଭିତ୍ତିକ ରାଜନୀତିକୁ ଅଧିକ ସୁଦୃଢ଼ କରିବାପାଇଁ । ଅଧିକାଂଶ ସ୍ଥାନରେ ଉଚ୍ଚଜାତିର ଲୋକଙ୍କ ପତିଆରା ଆଦିବାସୀଙ୍କ ପାଇଁ ଭିନ୍ନ ପ୍ରଦେଶ ଭାବେ ଗଠନ କରାଯାଇଥିବା ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ମଧ୍ୟ ଉଚ୍ଚଜାତିର ନେତୃତ୍ୱାଧିନ ସରକାର । ଭାଷାର ବିବିଧତା ଏଯାବତ୍ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ସକାରାତ୍ମକ ଭୂମିକାରେ ଆସିବାର ନିଦର୍ଶନ କମ୍ ଦେଖିବାକୁ ମିଳୁଛି ।

ଭାଷା କହିଲେ ଆମେ  ଉଚ୍ଚ ଜାତି ଓ ଉଚ୍ଚବର୍ଗର ଲୋକଙ୍କର ଲିଖିତ ବା ଲିପିଭିତ୍ତିକ ଭାଷାକୁ ନେଇ ଗର୍ବ କରନ୍ତି । ଓଡ଼ିଶାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଯେଉଁ ଗୋଷ୍ଠୀ ମାତିଥିଲେ, ସେମାନେ ସମସ୍ତେ ପ୍ରାୟ ଉଚ୍ଚଜାତିର କରଣ, ବ୍ରାହ୍ମଣ ବା ଖଣ୍ଡାୟତମାନେ । ଲିପିଭିତ୍ତିକ ଭାଷା ପରିଧି ବାହାରେ ଅଛନ୍ତି ସମଗ୍ର ଦଳିତ ଓ ଆଦିବାସୀସମାଜ । ଦଳିତମାନେ କଥିତ ଓଡ଼ିଆ ଭାଷାର ବ୍ୟବହାର କରିଥାନ୍ତି ଏବଂ ଯେଉଁମାନଙ୍କ ଭିତରେ ସାକ୍ଷରତା ହାର ବଢ଼ିଛି, ସେମାନେ ଲିଖିତ ଓଡ଼ିଆ ଆନୁଷ୍ଠାନିକ କାମ ବା ଶିକ୍ଷା କାର୍ଯ୍ୟକ୍ରମର ବ୍ୟବହାର କରୁଛନ୍ତି ।

ଓଡ଼ିଶାର ଆଦିବାସୀ ସମୁଦାୟ ୬୨ରୁ ଅଧିକ ଭାଷା ବ୍ୟବହାର କରିଥାନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ସାନ୍ତାଳି ଭାଷା ଲିପିଟିଏ ପାଇଲା । ଗଜପତି ଜିଲ୍ଳାର କୁଇ ଭାଷାର ଯୁବ କବି ଦାସୁରାମ ମାଲେକା କୁଇ ଭାଷାର ଲିପିଟିଏ ତିଆରି କରିବା ପାଇଁ ଚେଷ୍ଟା କରିଥିଲେ । ସରକାରୀ ଗୁଣ୍ଡାମାନଙ୍କର ଗୁଳିରୁ ସିନା ବଞ୍ଚିଗଲେ, ଅବେଳରେ ମ୍ୟାଲେରିଆରେ ଚାଲିଗଲେ । ଯଦି ବଞ୍ଚିଥାନ୍ତେ, ହୁଏତ କୁଇ ଭାଷା ଲିପିଟିଏ ପାଇଥାନ୍ତା । ଅନ୍ୟ ୬୦ଟି ଆଦିବାସୀ ଭାଷାକୁ ଭାଷାବିଦ୍ୱାନମାନେ ଭାଷା କହିବାପାଇଁ ଡରନ୍ତି । ସେମାନେ ପଢ଼ିଥିବା ଇଂରାଜୀ ପାଠରେ କୁହାଯାଇଛି କଣ ସବୁ ଥିଲେ ଗୋଟିଏ ଜନସମୁଦାୟର କଥୋପକଥନର ମାଧ୍ୟମକୁ ଭାଷା କୁହାଯିବ ।

ସ୍ୱାଧୀନତା ଆନ୍ଦୋଳନରେ ଜାତିଭିତ୍ତିକ ଓ ଭାଷାଭିତ୍ତିକ ବୈଷମ୍ୟକୁ ଚପାଇ ଦିଆଯାଇଥିଲା ଏହାକୁ ଆଳ କରିକି ଯେ ସାମ୍ନାରେ ଥିବା ଶତ୍ରୁ ଇଂରେଜମାନେ ଆମ ସମସ୍ତଙ୍କୁ ଦାସ କରି ରଖିଛନ୍ତି । ବିଭେଦ ସୃଷ୍ଟିକଲାଭଳି କଥା କହିଲେ ଶତ୍ରୁର ଲାଭ ହେବ । ସତେଯେମିତି ଦାସମାନଙ୍କ ଭିତରେ ସମତା ଅଛି ଏବଂ ବିଦେଶୀ ଶତ୍ରୁଟା ଚାଲିଗଲା ପରେ ଦେଶ ଭିତରେ ନିଜଲୋକମାନଙ୍କୁ ଦଳିତ ଆଦିବାସୀ କହି ଦାସ କରି ରଖିଥିବା ଲୋକେ ହଠାତ୍ ମହାନ ହୋଇଯିବେ ।

ଦେଶ ସ୍ୱାଧୀନତା ପରେ ବିଭିନ୍ନ ପ୍ରଦେଶ ବା ଅଞ୍ଚଳରେ ପ୍ରଭୂତ୍ୱ ବିସ୍ତାର କରିଥିବା ଭାଷାମାନଙ୍କର ପତିଆରା ଅଧିକ ବ୍ୟାପକ ହୋଇଥିଲା ଏବଂ ଛୋଟ ଛୋଟ ଭାଷା (ଯାହାକୁ ଉପଭାଷା କୁହାଗଲା) ଗୁଡ଼ିକ ନିଜର ସ୍ଥିତି ଓ ଅସ୍ମିତା ବଜାୟ ରଖିବା ପାଇଁ ସଂଘର୍ଷ କରିବାକୁ ପଡ଼ିଲା । ଏବେ ବି ଓଡ଼ିଆ ଓ କୋଶଳୀ ଭାଷାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । କୋଶଳୀ ଭାଷା ବି ଉଚ୍ଚଜାତିର ପୃଷ୍ଠପୋଷକତା ପାଇପାରୁଛି । କିନ୍ତୁ ଦଳିତମାନଙ୍କ କଥିତ ଭାଷା ଓ ଆଦିବାସୀ ସମୁଦାୟମାନଙ୍କର ୬୨ଟିରୁ  ଅଧିକ ଭାଷାକୁ ଏବେ ସାମାନ୍ୟତମ ସମ୍ମାନ ମିଳିପାରୁନାହିଁ । ନିୟମଗିରିର ଗ୍ରାମସଭା ବେଳେ ଯେଉଁ ଡଙ୍ଗରିଆମାନେ ନିଜ ଭାଷାରେ ବକ୍ତବ୍ୟ ରଖିଥିଲେ, ସେମାନଙ୍କର କଥାଗୁଡ଼ିକ ଉଗ୍ର ରୂପ ଧାରଣ କରିଥିବା ନଦୀର ଧାର ଭଳି ବାହାରି ଆସୁଥିଲା । ଶରୀରର ଭାଷା ଦେଖି ଅନୁମାନ କରି ହେଉଥିଲା କଣ ସେମାନେ କହୁଛନ୍ତି । ଅନୁବାଦକମାନେ ସାରାଂଶ ଗୁଡ଼ିକ କହି ଦେଲେ ବି ଅନେକ କିଛି ବୁଝିବାରେ ବ ଉଷ୍ମତା ପାଇବାରେ ଅଭାବ ରହୁଛି, ବାରି ହୋଇଯାଉଥିଲା ।

ଭାଷା ସମ୍ପର୍କରେ ମୋଟାମୋଟି କହିବାକୁ ଗଲେ, ଭାଷାର ପତିଆରା ବା ଔଦ୍ଧତ୍ୟ ଅବହେଳିତ ମଣିଷର ଭାବନାକୁ ବୁଝିବାରେ କେତେ ନିଷ୍ଠୁର ଓ ସମ୍ବେଦନହୀନ କରାଇ ଦେଇପାରେ, ତାହା ଓଡ଼ିଆ ଭାଷା କହୁଥିବା ବା ଓଡ଼ିଆଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ନେଇ ଗର୍ବ କରୁଥିବା ଲୋକେ ସମଗ୍ର ରାଜ୍ୟର ଅବହେଳିତ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକୁ ବୁଲି ଅଯୋଗ୍ୟ ମଣା ଯାଉଥିବା ଲୋକମାନଙ୍କ ସହ କଥାବାର୍ତ୍ତା କଲେ ବୁଝିପାରିବେ ।

ଭାଷାର ଶାସ୍ତ୍ରୀୟ ମାନ୍ୟତାର ଏକମାତ୍ର ବଡ଼ ଆକର୍ଷଣ ହେଉଛି କିଛି ଅର୍ଥ ଆସିବ । ଅଧିକ ଗବେଷଣା ହେବ । ଭାଷା ସମୃଦ୍ଧ ହେବ ଯଦି ଭାଷା ନିଜକୁ ବ୍ୟାପକ କରାଏ ଓ ଅନ୍ୟ ଭାଷାରୁ ଜ୍ଞାନ ସଂଗ୍ରହ କରେ । କିଛି  ବିଦ୍ୱାନ ଏଥିରେ ମତ ବି ଦେଇପାରନ୍ତି । ଇଂରାଜୀ, ହିନ୍ଦୀ ଇତ୍ୟାଦି ଭାଷା ସହ ଖୋଲା ସମ୍ପର୍କ ନରହିଲେ ଆମ ଭାଷା ସମୃଦ୍ଧ ହେବ । ଆମ ବିଚାରରେ ପ୍ରକୃତି ସହ ଜୀବନ ବିତାଉଥିବା ମଣିଷମାନଙ୍କ ଭାଷା ସହ ଅର୍ଥାତ୍ ଓଡ଼ିଶାର ୬୨ଟି ଆଦିବାସୀ ଭାଷା କହୁଥିବା ଲୋକ ଏବଂ କୋଶଳୀ ଭଳି ଆଞ୍ଚଳିକ ଭାଷା ସହ ଘନିଷ୍ଠ ସମ୍ପର୍କ ରଖିପାରିଲେ ହିଁ ଓଡ଼ିଆ ଭାଷାର ପରିସର ବ୍ୟାପକ ହେବ । ଏହି ସବୁ ଭାଷାଗୁଡ଼ିକୁ ସ୍ୱୀକାର ନକରି ଏବଂ ସମ୍ମାନ ନଦେଇ ଓଡ଼ିଆ ଭାଷା ପରିପୁଷ୍ଟ ହୋଇପାରିବ ନାହିଁ ।

ଭାଷା ବଞ୍ଚିବ ଅଭ୍ୟାସରେ । ଓଡ଼ିଆ ଭାଷାକୁ ଅଭ୍ୟାସ କରିବା କଥାଟି ଦିନକୁ ଦିନ କମି କମି ଯାଉଛି । ଶାସ୍ତ୍ରୀୟ ମାନ୍ୟତା ଦାବୀ କରୁଥିବା ଓଡ଼ିଆ ଭାଷା ବିଦ୍ୱାନମାନେ ନିଜ ପରିବାର, ଆତ୍ମୀୟ ଓ ବନ୍ଧୁବର୍ଗଙ୍କୁ ନିକଟରୁ ସମୀକ୍ଷା କଲେ ଏକଥାର ସତ୍ୟାସତ୍ୟ ନିଜେ ଜାଣିପାରିବେ । ଓଡ଼ିଶାର କରଣ, ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ଶାସ୍ତ୍ରୀୟ ଭାଷା ମାନ୍ୟତା ଅଭିଯାନ ସାଧାରଣ ଓଡ଼ିଆଙ୍କ ମନରେ ଖୁସି ସୃଷ୍ଟି କରିପାରିଥାନ୍ତା ଯଦି ଓଡ଼ିଆ ଭାଷାକୁ ଶିକ୍ଷା ବ୍ୟବସ୍ଥା ଭିତରେ ଅଧିକ ସୁଦୃଢ଼ କରିବାପାଇଁ ନିଷ୍ଠାପର ପ୍ରୟାସଟିଏ ହୁଅନ୍ତା ।  ଓଡ଼ିଆ ବିଶ୍ୱବିଦ୍ୟାଳୟ ତା’ର ଉତ୍ତର ନୁହଁ ବରଂ ପ୍ରଶ୍ନକୁ ଏଡାଇ ଦେବାପାଇଁ ଏକ ପ୍ରୟାସ ।

କଥାକଥାରେ ଓଡ଼ିଶାରେ ଏବେ ବିଶ୍ୱବିଦ୍ୟାଳୟ ପାଟିରୁ ବାହାରିପଡ଼ୁଛି । ମହାବିଦ୍ୟାଳୟ ବା ଆଗରୁ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ କେମିତି ସୁଦୃଢ଼ କରାଯିବ, ସେକଥା ଆଉ କେହି ଚିନ୍ତା କରିବା ଦରକାର ପଡ଼ୁନି । ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କେଉଁ ଅବସ୍ଥାରେ ବା ଦୁରବସ୍ଥାରେ ପହଞ୍ଚିଛି, ସମସ୍ତେ ଜାଣନ୍ତି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏକ ରୋମାଣ୍ଟିକ ଭାବନା ହିସାବରେ ବହୁଳ ଭାବେ ଆଦୃତ । ଭାଷାଭିତ୍ତିକ ବିଶ୍ୱବିଦ୍ୟାଳୟ ମଧ୍ୟ ତା’ର ଏକ ନମୁନା । ଆମେ ଆଶା କରିବୁ ଯେଉଁମାନେ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଆଣିବା ପାଇଁ ଉଦ୍ୟମରତ ଥିଲେ, ସେମାନେ ସମଗ୍ର ଓଡ଼ିଶାର ପ୍ରଚଳିତ କଥିତ ଭାଷାର ବିବିଧତାକୁ ସ୍ୱୀକାର କରିବେ ସମ୍ମାନ କରିବେ ଏବଂ ସମୃଦ୍ଧ କରିବା ପାଇଁ ଉଦ୍ୟମ କରିବେ, ଯେଉଁମାନଙ୍କ ପାଇ ଓଡ଼ିଆ ଭାଷା ସମୃଦ୍ଧ ହୋଇଛି ।

ଆମେ ବି ଆଶା କରିବୁ ଓଡ଼ିଶାର ସବୁ ଆଞ୍ଚଳିକ ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଭାଷାଗୁଡ଼ିକ ସମ୍ପର୍କରେ ମଧ୍ୟ ଅଧ୍ୟୟନ ଓ ଗବେଷଣାର ସୁଯୋଗ ସୃଷ୍ଟି କରାଯିବ । ଆମେ ବି ଆଶାକରିବୁ ଓଡ଼ିଶାରେ ସମସ୍ତ ଅଞ୍ଚଳରେ ମାତୃଭାଷାକୁ ସମସ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରମୁଖତା ଦିଆଯିବ । ଓଡ଼ିଆ ଭାଷାକୁ ଉଚ୍ଚ ପ୍ରାଥମିକ ସ୍ତରରେ ଅଣାଯିବ । ଆମେ ଏହା ମଧ୍ୟ ଆଶା କରିବୁ ସମଗ୍ର ଆଦିବାସୀ ଅଞ୍ଚଳରେ କଥିତ ଭାଷାର ଲିପି ପ୍ରସ୍ତୁତ କରିବାପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ଓ ଦାସୁରାମ ମାଲେକାଙ୍କ ନାମରେ ଫେଲୋସିପ୍ ନାମିତ କରି ଲିପି ନିର୍ମାଣ ଅଭିଯାନ ଗୋଟିଏ ଆରମ୍ଭ ହେବ।

ଯଦି ଓଡ଼ିଆ ମଧ୍ୟବିତ୍ତ ଶ୍ରେଣୀ ସାଇ ଇଣ୍ଟରନ୍ୟାସନାଲ ଭଳି ସ୍କୁଲରେ ବହୁ ଅର୍ଥ ଖର୍ଚ୍ଚ କରି ନିଜ ପିଲାଙ୍କୁ ପାଠ ପଢ଼ାଇ ଓଡ଼ିଆ, ଇଂରାଜୀ, ହିନ୍ଦୀ ସହିତ ଫରାସୀ, ଲାଟିନ ଇତ୍ୟାଦି ଭାଷା ପଢ଼ାଇ ପାରୁଛନ୍ତି; ଆଉ ଗ୍ରାମାଞ୍ଚଳରେ ଆମ ପିଲାମାନଙ୍କୁ କୁଇ, କୋଶଳୀ, ଓଡ଼ିଆ, ଇଂରାଜୀ, ହିନ୍ଦୀ ପଢ଼ାଇବାରେ ଅସୁବିଧା କଣ ଅଛି । ମାତୃଭାଷାକୁ ସମ୍ପୂର୍ଣ୍ଣଭାବେ ଛାଡ଼ି ଦେଇ ଭାଷା ଶିକ୍ଷା ଦିଆଯାଉଥିବା ଶିକ୍ଷାରେ ଶିଖିବାର ସ୍ୱତଃପ୍ରବୃତ୍ତତା ମଧ୍ୟ ନଷ୍ଟ ହେଉଛି । ରାସ୍ତା ଯେତେ କଠିନ ହେଲେ ବି ଯଦି ସମାଜ ଉପଯୋଗୀ; ତାକୁ ଗ୍ରହଣ କରିବାରେ ମାନସିକତା ସୃଷ୍ଟି କରାଯାଉ । ଶସ୍ତା ଭାବପ୍ରବଣତା ସୃଷ୍ଟି କରି ଆମେ କଣ ବା ଭଲ ଫଳ ପାଇପାରିବା! ନିଜ ଦେଶ ଭିତରେ ଭାଷା-ଭାଷାର ସମନ୍ୱୟ ଓ ସଂହତି ଯେଉଁ ସୃଜନଶୀଳତାକୁ ଆବିଷ୍କାର କରିବ, ତା’ର କଳନା ନାହିଁ । ଆମର ଆଶା ଶାସ୍ତ୍ରୀୟ ଓଡ଼ିଆ ଭାଷାର ବିଦ୍ୱାନମାନେ ଏସବୁ କଥା ଉପରେ ବିଚାର କରିବେ, ଯାହାଫଳରେ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟା ଟିକିଏ ସହଜ ହେବ ।

ସେହିଭଳି ଦଳିତମାନଙ୍କ ସୃଷ୍ଟି ଓ ସ୍ଥିତି ଉପରେ ଏକ ଆଲୋଚନାରେ କହିବାପାଇଁ ସୁଯୋଗଟିଏ ମିଳିଥିଲା । ଜାତି ଓ ଜାତିଭିତ୍ତିକ ଚେତନା ବା ତାକୁ ବୁଝିବାରେ ଆମର ସାମଗ୍ରିକ ବିଫଳତା ଜାତିକୁ ସମାପ୍ତ କରିବା ଦିଗରେ ଆମକୁ ଅସହାୟ କରିଦେଇଛି ଯେଉଁଥିପାଇଁ କି ଅନେକ ପ୍ରଗତିଶୀଳ ଆନ୍ଦୋଳନ ଆଗକୁଯାଇପାରିନାହିଁ । ଜାତୀୟତାବାଦ ଆନ୍ଦୋଳନରେ ଜାତିକୁ ଅଣଦେଖା କରାଯାଇଥିଲା । ଯଦିଓ ସମଗ୍ର ଆନ୍ଦୋଳନରେ ଦଳିତମାନଙ୍କ ଅଂଶଗ୍ରହଣ ନିମନ୍ତେ ଗାନ୍ଧୀଙ୍କର ଅସ୍ପୃଶ୍ୟତା ବିରୋଧୀ ଚେତନା ସହାୟ ହୋଇଥିଲା ।

ଜାତି ପ୍ରସଙ୍ଗ ଉପରେ ସ୍ପଷ୍ଟ ଆଭିମୁଖ୍ୟ ଆଣିବାପାଇଁ ଆମ୍ବେଦକରଙ୍କ ପ୍ରଶ୍ନଗୁଡ଼ିକୁ ଗାନ୍ଧୀଙ୍କୁ ସାହାଯ୍ୟ କାରିଥିଲା । ଜାତିମୁକ୍ତ ଶ୍ରେଣୀ ଚେତନା ନିର୍ମାଣ ଉପରେ ଆସ୍ଥା ରଖିଥିବା ବାମପନ୍ଥୀମାନେ ମଧ୍ୟ ଜାତି ବା ଜାତି ଚେତନା ପ୍ରଗତିଶୀଳ ବିଚାରର ପ୍ରସାର କ୍ଷେତ୍ରରେ କଣ ସବୁ ପ୍ରତିବନ୍ଧକ ଛିଡ଼ା କରିଛି, ଅନ୍ତରର ସହ ସମୀକ୍ଷା କରୁନାହାନ୍ତି ମୋଟାମୋଟି ଭାବେ । ପ୍ରାୟ ଦେଶର ଯେକୌଣସି ଆନ୍ଦୋଳନର ନେତୃତ୍ୱ ନେଇଥିବା ଗୋଷ୍ଠୀର ନେତୃତ୍ୱମାନଙ୍କ ଭିତରେ ଉଚ୍ଚଜାତିର ଲୋକମାନେ ହିଁ ରହି ଆସିଛନ୍ତି । ସେଥିପାଇଁ ଜାତି ପ୍ରଶ୍ନ ଉପରେ ସମୀକ୍ଷା କରିବା ଓ ଜାତିର ବିଲୋପ ପାଇଁ ପ୍ରୟାସ କରିବା ସମ୍ଭବପର ହୋଇନାହିଁ । ଭାରତରେ ଜାତି ଚେତନା, ଈଶ୍ୱରଚେତନା ଭଳି ପ୍ରତିଷ୍ଠିତ । ଲୋକେ ଈଶ୍ୱରଙ୍କୁ ଛାଡ଼ିଦେବେ କିନ୍ତୁ ଜାତିକୁ ଛାଡ଼ିବେ ନାହିଁ । ଏଭଳି ଏକ ଅପସଂସ୍କୃତି ଆମ ଅସ୍ଥିମଜ୍ଜାଗତ ହୋଇସାରିଛି ।

ସୁତରାଂ, ଜାତିର ବିଲୋପ କେମିତି ଘଟିବ, ତାହା ପ୍ରକୃତରେ ଆମଆଗରେ ଏକ ବିରାଟ ପ୍ରଶ୍ନ । ଭାଷଣ, ବକ୍ତବ୍ୟ, ଲେଖା ବା ଆଲୋଚନାରେ ଜାତିବିରୋଧୀ ବିଚାର ସୀମିତ ରହିଛି । ଅଭ୍ୟାସ ବା ଆଚରଣରେ ନୁହେଁ । ଆମକୁ କ’ଣ ରଣନୀତି ନେବାକୁ ପଡ଼ିବ, ବିଶେଷ କରି ଆଜିର ବଜାରସର୍ବସ୍ୱ ଓ ସମ୍ବଳଲୁଣ୍ଠନକାରୀ ବ୍ୟବସ୍ଥା ଭିତରେ, ବିଶେଷ ଭାବେ ଧ୍ୟାନଦେବାକୁ ପଡ଼ିବ । ଏଭଳି ଏକ ସମୟରେ ଆମେ କେବଳ ଗୋଟିଏ କଥା ମନେ ପକାଇଦେବୁ ସେମାନଙ୍କୁ ଯେଉଁମାନେ ଦଳିତମାନେ ସହର ଓ ଶିଳ୍ପ ପ୍ରତିଷ୍ଠା ଭିତରେ ନୂଆ ଏକ ଅସ୍ମିତା ପାଇବା ପାଇଁ ଆଶାବାଦୀ ହୋଇପଡ଼ିଛନ୍ତି ।

ଆମ୍ବେଦକର ମଧ୍ୟ ନିଷ୍ଠୁର ଅସ୍ପୃଶ୍ୟ ଜାତି ବ୍ୟବସ୍ଥାରୁ ଉଦ୍ଧାର ହୋବାପାଇଁ ସହର-ଶିଳ୍ପ କଥା କହୁଥିଲେ । ତେବେ ଆଜିର ଦିନରେ ଯେଉଁ ଚରମ ବାସ୍ତବତା ସାମ୍ନାକୁ ଆସିଛି, ତାହା ହେଲା ଦଳିତର ଭୂମିହୀନ ଅବସ୍ଥା । ଯେଉଁ ଗାଁଗୁଡ଼ିକରେ ଦଳିତମାନଙ୍କ ବସ୍ତି ଜାଳି ଦିଆଯାଉଛି, ଅନୁଧ୍ୟାନ କରି ଆମେ ଦେଖିଥିଲୁ ସେମାନଙ୍କ ନାଁରେ ସେହି ସ୍ଥାନରେ ପଟ୍ଟା ନାହିଁ । ପୁରୁଷ-ପୁରୁଷ ଧରି ଭୋଗ ଦଖଲରେ ଥିବା ସ୍ଥାନର ଅଧିକାର ବା ମାଲିକାନାସ୍ୱତ୍ତ୍ୱ ସେମାନଙ୍କର ନାହିଁ ।

ଏପରି ଏକ ସମୟରେ ଦାଦନ ଖଟିବାପାଇଁ ଚାଲିଯିବା ଅନ୍ତତଃ ଗୋଟିଏ କଥାକୁ ନିଶ୍ଚିତ କରାଇବ ଯେ ଜମିର ମାଲିକାନା ସ୍ୱତ୍ତ୍ୱ ପାଇଁ ବା ଭାଗଚାଷୀ ହିସାବରେ ଜମି ଉପରେ ଅଧିକାର ଜାହିର କରିବାପାଇଁ ଦଳିତ ଆଉ ସକ୍ଷମ ହୋଇପାରିବ ନାହିଁ । ଆମ ବିଚାରେ ଜମିର ଆବଣ୍ଟନ ଓ ମିଳୁଥିବା ଜମିର ପୁଞ୍ଜି ମୁକ୍ତ ଦେଶୀଚାଷର ଅଭ୍ୟାସ ଫଳରେ ଦଳିତବର୍ଗ ଯେଉଁ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ପାଇବେ, ତାହା ହିଁ ଜାତିବାଦକୁ  ଶେଷକରିବ । ଯଦିଓ ଏଭଳି ଏକ ଅଧିକାର ପାଇବା ସହଜ ନୁହେଁ, ତଥାପି ସଂଘର୍ଷକୁ ତୀବ୍ର ନକରାଇ କ୍ଷେତ୍ରରୁ ପଳାୟନ କରିବା ସେମାନଙ୍କୁ ସବୁଦନିପାଇଁ ଦୁର୍ବଳ କରିଦେବ ଏବଂ ଏକ ଚିର ସମ୍ବଳହୀନ ନିର୍ଭରଶୀଳ ଅନିଶ୍ଚିତ ବ୍ୟବସ୍ଥାର ସେମାନେ ଦାସ ହୋଇଯିବେ । ଦଳିତ ପ୍ରସଙ୍ଗକୁ  ନେଇ ଆଲୋଚନା, ଅଭିଯାନ କରୁଥିବା ଲୋକେ ଦଳିତମାନଙ୍କ ହାତକୁ ସମ୍ବଳ ବିଶେଷ କରି ଜମି ଓ ଜଙ୍ଗଲର ଅଧିକାର କେମିତି ଆସିବ, ତାହା ବିଶେଷ ଭାବେ ଚିନ୍ତା କରିବା ଦରକାର ।

[box type=”info” align=”” class=”” width=””]“ଭାଷା କେବଳ ଭାବନାର ପରିପ୍ରକାଶ ପାଇଁ ଏକ ମାଧ୍ୟମ ମାତ୍ର। ସମଗ୍ର ଦେଶରେ ଯଦି ଗୋଟିଏ ଭାଷା ଚାଲିଥାନ୍ତା, ତାହେଲେ ସୃଜନଶୀଳତାର ବିବିଧତା କଣ ରହିନଥାନ୍ତା କି? ଭାଷାର ପତିଆରା ବା ଔଦ୍ଧତ୍ୟ ଅବହେଳିତ ମଣିଷର ଭାବନାକୁ ବୁଝିବାରେ କେତେ ନିଷ୍ଠୁର ଓ ସମ୍ବେଦନହୀନ କରାଇ ଦେଇପାରେ, ତାହା ଓଡ଼ିଆ ଭାଷା କହୁଥିବା ବା ଓଡ଼ିଆଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ନେଇ ଗର୍ବ କରୁଥିବା ଲୋକେ ସମଗ୍ର ରାଜ୍ୟର ଅବହେଳିତ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକୁ ବୁଲି ଅଯୋଗ୍ୟ ମଣା ଯାଉଥିବା ଲୋକମାନଙ୍କ ସହ କଥାବାର୍ତ୍ତା କଲେ ବୁଝିପାରିବେ । ଭାଷା ସମୃଦ୍ଧ ହେବ ଯଦି ଭାଷା ନିଜକୁ ବ୍ୟାପକ କରାଏ ଓ ଅନ୍ୟ ଭାଷାରୁ ଜ୍ଞାନ ସଂଗ୍ରହ କରେ । ପ୍ରକୃତି ସହ ଜୀବନ ବିତାଉଥିବା ମଣିଷମାନଙ୍କ ଭାଷା ସହ ଅର୍ଥାତ୍ ଓଡ଼ିଶାର ୬୨ଟି ଆଦିବାସୀ ଭାଷା କହୁଥିବା ଲୋକ ଏବଂ କୋଶଳୀ ଭଳି ଆଞ୍ଚଳିକ ଭାଷା ସହ ଘନିଷ୍ଠ ସମ୍ପର୍କ ରଖିପାରିଲେ ହିଁ ଓଡ଼ିଆ ଭାଷାର ପରିସର ବ୍ୟାପକ ହେବ । ଏହି ସବୁ ଭାଷାଗୁଡ଼ିକୁ ସ୍ୱୀକାର ନକରି ଏବଂ ସମ୍ମାନ ନଦେଇ ଓଡ଼ିଆ ଭାଷା ପରିପୁଷ୍ଟ ହୋଇପାରିବ ନାହିଁ ।”- ୧୯୩୬  ଏପ୍ରିଲ ୧ ତାରିଖ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟରେ ପରିଣତ ହୋଇଥିଲା ଏବଂ ଯେଉଁ ଭାଷା ଏହି ପ୍ରଦେଶ ଗଠନର ମୂଳଦୂଆ ହୋଇଥିଲା ସାଧାରଣ ମଣିଷ ଏଥରୁ କ’ଣ ପାଇଲେ? ୬୨ଟି ଆଦିବାସୀ ଭାଷା ଏବଂ କୋଶଳୀ ଭଳି ଆଞ୍ଚଳିକ ଭାଷା ରୁ ଓଡ଼ିଆ ଭାଷା କେଉଁଭଳି ସମ୍ପର୍କ ରଖିଛି ଓ ଏହି ଭାଷା ଗୁଡିକ କେମିତି ଆଗକୁ ଯିବ ଉଦ୍ୟମ ହୋଇଛି କି ? ଲେଖାଟିରେ ଏମିତି କିଛି ମାର୍ମିକ ବିଶ୍ଳେଷଣ କରିଛନ୍ତି ସମଦୃଷ୍ଟିର ସମ୍ପାଦକ ତଥା ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ।                     – ସମ୍ପାଦକ[/box]

ସୌଜନ୍ୟ ସମଦୃଷ୍ଟି

୧-୧୫ ଏପ୍ରିଲ, ୨୦୧୫

Photo credit- internet

Share this Article
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ