Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ଆମର ତିହାର ନାଚ ଗୀତର ଅପୂର୍ବ ସମ୍ଭାର – “ନୂଆଖାଇ”

ଆମର ତିହାର ନାଚ ଗୀତର ଅପୂର୍ବ ସମ୍ଭାର – “ନୂଆଖାଇ”

ଆମ ସଂସ୍କୃତି ଅନ୍ୟ ସଂସ୍କୃତିଠାରୁ ଏହି ଗୁଣରେ ଭିନ୍ନ ଯେ ଏହାର ଜନ୍ମ ଓ ପୁଷ୍ଟି ଉଭୟ ପ୍ରକୃତି କୋଳରେ । ଆମର ସକାଳ ହୁଏ କୁରେଇ ଫୁଲର ବାସ୍ନାରେ- ବଉଳ ଫୁଲର ମହକରେ- ହଳିଆ ଗୀତର ପ୍ରଭାତୀ ବନ୍ଦନାରେ, ଆମର ସଞ୍ଜ ହୁଏ ଭାଗବତ ଟୁଙ୍ଗୀରେ- ଦେବାଳୟର ଘଣ୍ଟ ଆଳତୀରେ- ଢ଼ୋଲ୍ ମହୁରୀ, ଢ଼ାସା, ନିଶାନ୍, ଝୁମ୍କା ଆମର ପଞ୍ଚବାଦ୍ୟ- ଡ଼଼ାଲଖାଇ, ରସର କେଲି, ମାଏଲାଜଡ଼, ହମୋ ବଉଲି ହେଲା ଆମର ନାଚଗୀତ- ନୂଆଁଖାଇ, ପୁଷ୍ପୁନି ଆମର ତିହାର୍-ସହଜ, ସରଳ, ନିରାଡ଼ମ୍ବର ଆମର ଜୀବନ।

କର୍ମକ୍ଳାନ୍ତ ମଣିଷ ନିଜ ଜୀବନକୁ ଉପଭୋଗ୍ୟ କରିବା ପାଇଁ ଅନେକ ଗୁଡ଼ିଏ ପର୍ବ ପର୍ବାଣୀର ପ୍ରଚଳନ କରିଛି । ସାଧାରଣ ଦୈନନ୍ଦିନ ଜୀବନରୁ କିଛି ସମୟ ଅପସରି ଯାଇ ଏବଂ ନୂତନ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ନିଜକୁ ହଜାଇ ବେଦାପାଇଁ ପର୍ବ ପର୍ବାଣୀର ସୃଷ୍ଟି । ଆମ ଏହି ପଶ୍ଚିମ ଓଡ଼ିଶା ବେଶଭୂଷା, ଚାଲିଚଳଣୀ, ବ୍ୟବହାର ପ୍ରାୟ ଏକ ପ୍ରକାରର । ଏହାପୁଣି ଏକ କୃଷି ପ୍ରଧାନ ଅଞ୍ଚଳ । ଏଣୁ ଭାଦ୍ରବ ମାସରେ ଶସ୍ୟ ଫଳ ଧରିବା ସମୟରେ ଆମେ ଏଠାରେ କୃଷିଭିତ୍ତିକ ପର୍ବ ନୂଆଁଖାଇ (ନବାନ୍ନ) ପାଳନ କରୁ । ନୂଆଗଛର ପ୍ରଥମ ଫଳ କିମ୍ବା ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟକୁ ଆରାଧ୍ୟ ଦେବତାଙ୍କ ନିକଟରେ ସମର୍ପଣ କରିବା ପରେ ପରିବାର ମଧ୍ୟରେ ସେବନ କରିବା ହେଉଛି ପ୍ରାଚୀନ ଭାରତୀୟ ପରମ୍ପରା । ଏହି ପରମ୍ପରାକୁ ହିଁ ଆମେ ନୂଆଁଖାଇ ମାଧ୍ୟମରେ ସମ୍ମାନ ଦେଇ ଆସୁଛୁ । ଏହି ପର୍ବ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳ ତଥା ପଡ଼ୋଶୀ ରାଜ୍ୟ ମଧ୍ୟ ପ୍ରଦେଶର କେତେକ ସ୍ଥାନରେ ମଧ୍ୟ ପାଳିତ ହୋଇଆସୁଛି।

କିଛି ବର୍ଷ ପୂର୍ବେ ନୂଆଁଖାଇ ପର୍ବ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଦିନରେ ପାଳନ କରାଯାଉଥିଲା । ମାତ୍ର ସୁଖର କଥା ଏବେ ଭାଦ୍ରଶୁକ୍ଳ ପଞ୍ଚମୀକୁ ନୂଆଁଖାଇ ତିଥି ଧାର୍ଯ୍ୟ କରାଯାଇ ପାଳନ କରାଯାଉଛି । ଗୋଟିଏ ପରିବାରର ଯିଏ ଯେଉଁଠି ଥାଉପଛେ, ଏହି ଦିନକ ପାଇଁ ସମସ୍ତେ ସ୍ୱଗୃହକୁ ସପରିବାର ଆସିଥାନ୍ତି ନୂଆଁ ଖାଇବା ପାଇଁ । ଏହି ପର୍ବରେ ଆମେ ସାଧାରଣତଃ ଭୂମିପୁଜା, ଇନ୍ଦ୍ରପୁଜା ପୂର୍ବକ ନୂତନ  ଶସ୍ୟକ୍ଷେତ୍ରରୁ ଆଣିଥାଉ । ଗ୍ରାମର ଇଷ୍ଟ ଦେବାଦେବୀଙ୍କ ରାଶି, ନକ୍ଷତ୍ର ସହିତ ଶୁଭାଶୁଭ ଗଣନା କରି ଏକ ନିର୍ଦ୍ଦିଷ୍ଟ ମୂହୂର୍ତ୍ତ ଧାର୍ଯ୍ୟ କରାଯାଇଥାଏ । ଗାଁରେ ଅରାଧ୍ୟ ଦେବୀଙ୍କ ପାଖରେ ନୂଆଁ ଲାଗିଲା ପରେ ପ୍ରତ୍ୟେକ ଘରେ ଦେବାଦେବୀଙ୍କୁ ନୂତନ ଶସ୍ୟ ଭୋଗ ଲଗାଯାଏ। ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ଅନ୍ୟ ସମସ୍ତଙ୍କୁ ନୂଆଁଶସ୍ୟ ଦେଲା ପରେ ସମସ୍ତେ ଏକ ସଙ୍ଗରେ ନବାନ୍ନ ଭକ୍ଷଣ କରିଥାନ୍ତି । ନବାନ୍ନ ଭକ୍ଷଣ ପରେ ସମସ୍ତେ ଗ୍ରାମର ଆରାଧ୍ୟ ଦେବତାଙ୍କୁ ଦର୍ଶନ କରି ନିଜ ନିଜର ଗୁରୁଜନ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି । ତା’ପରେ ପୁଣି ଗାଁ ମାନଙ୍କରେ ଭଜନ, କୀର୍ତ୍ତନ, ନୃତ୍ୟ, ଗୀତ, ଖେଳ, କୌତୁକ ଇତ୍ୟାଦିର ଆୟୋଜନ ସମଗ୍ର ପରିବେଶକୁ ମୁଖରିତ କରିଥାଏ ।

ଏ’ତ ଗଲା ନୂଆଖାଇ ପର୍ବ ପାଳନ ସମ୍ପର୍କରେ ସମ୍ୟକ୍ ଧାରଣା । ମାତ୍ର ଏହି ପର୍ବ ପାଳନର ତାତ୍ପର୍ଯ୍ୟ ଓ ଗୁଢ଼ତତ୍ତ୍ୱକୁ ଲକ୍ଷ୍ୟ କରିବା କଥା । ପ୍ରଥମତଃ ମଣିଷର ଜୀବନ ଧାରଣ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଧ୍ୟରୁ ଖାଦ୍ୟ ହେଉଛି ପ୍ରାଥମିକ । ଖାଦ୍ୟ ମୂଳତଃ ପ୍ରକୃତିର ଦାନ, ଏବଂ ଅନ୍ନର ସୃଷ୍ଟିପାଇଁ ପ୍ରତ୍ୟେକ ପ୍ରାଣୀ ସୃଷ୍ଟିକର୍ତ୍ତାଙ୍କ ନିକଟରେ ଋଣୀ । ଆମ ଦେଶରେ ପୁଣି ପ୍ରଥମ ଉତ୍ପାଦନ, ସୃଷ୍ଟିକର୍ତ୍ତଙ୍କୁ ଅର୍ପଣ କରିସାରିବା ପରେ ନିଜେ ଏହାକୁ ଭକ୍ଷଣ କରିବାର ପରମ୍ପରା ଭାରତବର୍ଷରେ ଅନେକ ସ୍ଥାନରେ ରହିଛି । ଏହି ପର୍ବ ବିଭିନ୍ନ ପ୍ରଦେଶରେ ବିଭିନ୍ନ ନାମରେ ପାଳନ କରାଯାଉଛି । ମାତ୍ର ଉଦ୍ଦେଶ୍ୟ ଏକ । ପୁନଶ୍ଚ ଶସ୍ୟର ଉତ୍ପାଦନ ପାଇଁ ସହାୟକ ହେଉଥିବା ବିଭିନ୍ନ ଶକ୍ତି ତଥା ମାଟି ଓ ଇନ୍ଦ୍ରଦେବତା ଆଦିଙ୍କୁ ପୁଜା କରାଯିବା ପରୋକ୍ଷରେ ଆମର ଉପକାରୀ, ପ୍ରାକୃତିକ ଶକ୍ତିମାନଙ୍କ ଠାରେ କୃତଜ୍ଞତା ଜ୍ଞାପନ । ଏହି ମହନୀୟତା ପୃଥିବୀର ଅନ୍ୟ କୌଣସି ସଂସ୍କୃତିରେ ଦେଖାଯାଏ ନାହିଁ।

ଦ୍ୱିତୀୟତଃ ନୂଆଖାଇ ପର୍ବ ଭାଦ୍ରବ ମାସରେ ପାଳନ କରାଯାଏ କାହିଁକି? ଏହାର ଶାସ୍ତ୍ର ସଙ୍ଗତ ତାତ୍ପର୍ଯ୍ୟ ହେଲା ଯେ, ବେଦରେ କୃଷିର ପାଞ୍ଚଟି ଯଜ୍ଞ ଉପରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି । ଏହିି ଯଜ୍ଞ ଗୁଡ଼ିକ ହେଲା-

କ- ସୀତା ଯଜ୍ଞ ବା ଭୂମିକର୍ଷଣ, ଖ- ପ୍ରବପଣ ଯଜ୍ଞ ବା ବୀଜବପନ, ଗ- ପ୍ରଲମ୍ବନ ଯଜ୍ଞ ବା ପ୍ରାରମ୍ଭିକ ଶସ୍ୟଛେଦନ, ଘ- ଖଳନାଜ୍ଞ ବା ଶସ୍ୟ ଅମଳ, ଙ-ପର୍ଯ୍ୟାୟଣ ଯଜ୍ଞ ବା ଶସ୍ୟ ସଂଚୟ।

ଉପରୋକ୍ତ ଯଜ୍ଞ ଗୁଡ଼ିକର ନାମ ମଧ୍ୟରୁ ପ୍ରଲମ୍ବନ ଯଜ୍ଞ ବା ପ୍ରାରମ୍ଭିକ ଶସ୍ୟଚ୍ଛେଦନର ସମୟ ହେଉଛି ଭାଦ୍ରବ ମାସ । ଏହି ସମୟରେ ଶସ୍ୟ ଧରିବା ଆରମ୍ଭ କରେ ଓ ସେ ଗୁଡ଼ିକୁ କୀଟ ପତଙ୍ଗ ଖାଇଯିବା ପୂର୍ବରୁ ସୃଷ୍ଟିକର୍ତ୍ତଙ୍କୁ ଅର୍ପଣ କରାଯିବା ବିଧି ସଙ୍ଗତ । ଶାସ୍ତ୍ର ସମ୍ମତ ଆଉ ଗୋଟିଏ ମତ ହେଉଛି ଭାଦ୍ରବ ମାସଟି ସିଂହମାସ । ସିଂହ ଶକ୍ତିର ପ୍ରତୀକ, ସକଳ ଶକ୍ତିର ଆଧାର ସୂର୍ଯ୍ୟ ଏହି ଭାଦ୍ରବ ମାସରେ ସିଂହରାଶିରେ ଅବସ୍ଥାନ କରନ୍ତି । ଏଣୁ ଭାଦ୍ରବ ମାସରେ ନବାନ୍ନ ପାଳନର ବୌଦ୍ଧିକ ଓ କୃଷିଶାସ୍ତ୍ର ସମ୍ମତ ବଳିଷ୍ଠ ଯୁକ୍ତି ରହିଛି । ପୁଣି ବୈଦିକ କାଳରୁ ମାଟିକୁ ମା’ରୂପରେ ପୂଜା କରାଯାଉଛି । ତେଣୁ ମାଟିରୁ ଉତ୍ପାଦିତ ଶସ୍ୟର ପ୍ରଥମ ଅଧିକାରିଣୀ ହେଉଛନ୍ତି ମା । ଭାଦ୍ରବମାସ ହେଉଛି ହରିଦ୍ଦ ଶୟନକାଳ। ଏହି ମାସରେ ଦେବତାଙ୍କଠାରୁ ଦେବୀଙ୍କ ପ୍ରଭାବ ଅଧିକ । ଆମ ପଶ୍ଚିମ ଓଡ଼ିଶାରେ ଶାକ୍ତ ଧର୍ମର ପ୍ରାବହ୍ୟ ଥିବାରୁ ଆମେ ଇଷ୍ଟଦେବ ସହ ଇଷ୍ଟଦେବୀଙ୍କୁ ମଧ୍ୟ ପ୍ରଥମେ ନବାନ୍ନ ଅର୍ପଣ କରିଥାଉ।  ନବାନ୍ନ ଭକ୍ଷଣ ପରେ ପରେ ସମସ୍ତେ ସେମାନଙ୍କ ବୟୋଜ୍ୟେଷ୍ଠ ଗୁରୁଜନମାନଙ୍କୁ ପ୍ରଣାମ କରି ସେମାନଙ୍କ ଆର୍ଶୀବାଦ ଭିକ୍ଷା କରନ୍ତି। ଏହି ଆଶୀର୍ବାଦ ଭିକ୍ଷା ଓ ଆଶୀର୍ବାଦ ପ୍ରଦାନ ହିଁ ଆମ ସଂସ୍କୃତିର ଶୃଙ୍ଖଳା, ଭକ୍ତି, ଓ ଶାଳୀନତାର ପରିଚାୟକ । ଏଥିରେ ଉପନିଷଦର ବାଣୀ ଅନ୍ତର୍ନିହିତ ହୋଇ ରହିଛି । ଏହି ଅବସରରେ ଶତ୍ରୁ, ମିତ୍ର ମଧ୍ୟରେ ଅମେଳତା ଦୂର ହୋଇ ସ୍ନେହ, ମୈତ୍ରୀର ଆଦାନ ପ୍ରଦାନ ହେବାଟା “ବସୁଧୈବକୁଟୁମ୍ବକମ୍”ର ବାର୍ତ୍ତା ବହନ କରେ।

ଅଧିକାଂଶ ପର୍ବପର୍ବାଣୀ ସାଧାରଣତଃ ଆନନ୍ଦ ଉପଭୋଗ ପାଇଁ ସୃଷ୍ଟି ହୋଇଥିଲେ ହେଁ ନୂଆଁଖାଇର ଧାର୍ମିକ, ସାଂସ୍କୃତିକ ଓ ଅର୍ଥନୈତିକ ଚେତନା ଭିନ୍ନ ପ୍ରକାରର । ଏସବୁ ମୂଳରେ ରହିଛି ଆଧ୍ୟାତ୍ମିକ ଭିତ୍ତିଭୂମି । ନୂଆବସ୍ତ୍ର, ନୂଆ ଅନ୍ନ, ନୂଆ ଚିନ୍ତାଧାରା ସବୁଠି ଅନ୍ତର୍ନିହିତ ହୋଇ ରହିଛି ନ୍ୱତନତ୍ତ୍ୱର ସନ୍ଧାନ । ପୂରୁଣାଦିନ ଦୋଷତ୍ରୁଟିକୁ ଭୂଲିଯାଇ, ନୂତନଭାବେ ଜୀବନକୁ ଗଢ଼ିତୋଳିବା ପାଇଁ ଏହା ଏକ ବର୍ତ୍ତମାନର ଏହି ଅବକ୍ଷୟମୁଖୀ ସମାଜରେ ଆମେ ସମସ୍ତେ ଏହି ଭାବଟିକୁ ଉପଲବ୍ଧ କରି ଆମ ଭିତରେ ଅନ୍ତର୍ଚେତନାକୁ ଜାଗ୍ରତ କରିପାରିଲେ ଏହି ନୂଆଖାଇ ପର୍ବ ପାଳନର ସାର୍ଥକତା ପ୍ରତିପାଦିକ ହୋଇପାରିବ । କେବଳ ନୂତନ ବସ୍ତ୍ର ପରିଧାନ ଓ ନବାନ୍ନ ଭକ୍ଷଣ ଦ୍ୱାରା ଏହି ପର୍ବ ପାଳନର କିଛି ମାନେ ହୁଏନା । ଆମ ଭିତରେ ଏହି ପର୍ବ ପାଳନ ଅବସରରେ ନୂତନ ଭାବ ଉଦ୍ରେକ ହେଉ, ନୁତନ ଚିନ୍ତାଧାରା ଜନ୍ମନେଉ, ନୂତନକର୍ମ ଆରମ୍ଭ କରିବା ପାଇଁ ଆମର ସତ୍ବୁଦ୍ଧି, ଶକ୍ତି ଓ ପ୍ରେରଣା ମିଳୁ । ଆମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ନୂଆଖାଇ ପରି ପର୍ବର ସାମୂହିକ ପାଳନ ହେବା ସହିତ ସମସ୍ତେ ଏହି ପର୍ବ ପାଳନରେ ବ୍ୟାପକତା ପ୍ରତି ଦୃଷ୍ଟିଦେବା ବିଧେୟ । ଏହି ପର୍ବ ପାଳନର ପବିତ୍ର ଉଦ୍ଦେଶ୍ୟ ହେଲା ସାର୍ବଜନୀନ ଭାତୃତ୍ୱର ବାଣୀ ପ୍ରଚାର କରିବା ବିବିଧତା ମଧ୍ୟରେ ଏକତାର ସନ୍ଧାନ କରିବା ।

-ଡ. ତପସ୍ୱିନୀ ଗୁରୁ

‘ନୂଆଖାଈ’ମାଟି ମା’ର ପର୍ବ । ଯେଉଁମାଟି ବଞ୍ଚିରହିବାପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ ତା’ର ପୂଜା ନକରି ମଣିଷ ନବାନ୍ନ ଗ୍ରହଣ କରିପାରେନା । ବହୁଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ଏହିପର୍ବ ପାଳିତ ହୋଇଥାଏ । ‘ନୂଆଖାଈ’ରେ ସମସ୍ତେ ନୂଆ ଲୁଗା ପରିଧାନ କରନ୍ତି । ଖର୍ଚ୍ଚ ବହୁଳ ଏହି ପର୍ବଟି ଗରିବ ମଣିଷ ପାଇଁ ଖୁବ ଆର୍ôଥକ ବୋଝ ମଧ୍ୟ ସୃଷ୍ଟି କରିଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ । ସମସ୍ତେ ବର୍ଷକର କଷ୍ଟ ଭୂଲି ପର୍ବରେ ସାମିଲ ହୁଅନ୍ତି । ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ ବାନ୍ଧି ହେବାପାଇଁ ଅବସରଟିଏ ଦେଇଥାଏ ନୂଆଖାଇ ।  – ସମ୍ପାଦକ

PHOTO- INTERNET

About ଡ଼ଃ ତପସ୍ୱିନୀ ଗୁରୁ

ଡ଼ଃ ତପସ୍ୱିନୀ ଗୁରୁ
କଳାକାର ତଥା ରାଜ୍ୟ ସରକାରୀ ଅଧିକାରୀ

Check Also

ଜଗନ୍ନାଥ ସଂସ୍କୃତିର ଭିନ୍ନ ଭିନ୍ନ ଦିଗନ୍ତ

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର …

Leave a Reply

Your email address will not be published. Required fields are marked *