Home / ଅନ୍ୟାନ୍ୟ / ନିଜକୁ ସାଧାରଣ ବ୍ୟକ୍ତିଟିଏ ବୋଲି ମନେକଲେ

ନିଜକୁ ସାଧାରଣ ବ୍ୟକ୍ତିଟିଏ ବୋଲି ମନେକଲେ

 

“ସେଦିନ ଅଧ୍ୟାପକ ବନ୍ଧୁଜଣକ ତାଙ୍କ ନାଁ ପୂର୍ବରୁ ‘ଡକ୍ଟର’ ତଥା ‘ଅଧ୍ୟାପକ’ ସଂଜ୍ଞା ଉଲ୍ଲେଖ ନଥିବାରୁ ବିଚରା ଏକ କ୍ଷୁଦ୍ର ସମ୍ବଲପୁରୀ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କୁ ଖୁବ୍ ତିରସ୍କାର କଲେ । ସେ ବୁଝିବାକୁ ନାରାଜ ଯେ ଆଜିକାଲି ଆଉ ଏହି ତଥାକଥିତ ‘ଡିଗ୍ରୀ’ ତଥା ପଦବୀଯୋଗୁଁ ଆମ ଉପରେ ଲୋକେ ଆଉ ପ୍ରଭାବିତ ହେଉନାହାନ୍ତି – ବରଂ ଆମେ ଆମ ବିଚାର ତଥା କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରଭାବିତ କରିପାରୁ । ” ପ୍ରଫେସର କିଶୋର ମେହେର ଲେଖାଟି ମାଧ୍ୟମରେ ମଣିଷର ଅବଚେତନ ମନରେ ଥିବା ଆଧିପତ୍ୟ, ଶକ୍ତି ଓ ଶକ୍ତିଶାଳୀ ହେବା ପାଇଁ ଥିବା ବ୍ୟାକୁଳତା ର ସମାଲୋଚନା କରିଛନ୍ତି । ଆମେ ଏକ ଗଣତାନ୍ତ୍ରୀକ ଦେଶରେ ବାସ କରୁଥିଲେବି ରାଜତନ୍ତ୍ର ପ୍ରତି ଜମିଦାର ମାନଙ୍କ ପ୍ରତି ଯେଉଁ ସମ୍ମାନ ମନଭିତରେ ବସା ବାନ୍ଧିଚି ବ୍ରାହ୍ମଣବାଦ କୁ ଏହା ପ୍ରତିଷ୍ଠା କରୁଛି। ପ୍ରକୃତ ଗଣତନ୍ତ୍ରରେ ସାଧାରଣ ଲୋକଟି ଅଧିକ ସମ୍ମାନର ଅଧିକାରୀ. ସେଥିପାଇଁ ଲେଖକ କହିଛନ୍ତି ନିଜକୁ ସାଧାରଣ ବ୍ୟକ୍ତିଟିଏ ବୋଲି ମନେକଲେ ସବୁ ସମସ୍ୟା ଦୂର ହୋଇଯାଆନ୍ତା-ସମ୍ପାଦକ

‘ନିଜକୁ ସାଧାରଣ ବ୍ୟକ୍ତିଟିଏ ବୋଲି ମନେକଲେ ଅନେକ ସମସ୍ୟାରୁ ମୁକ୍ତି ମିଳେ ।’ ଏହି ମନ୍ତବ୍ୟଟି ଥିଲା ଓଡ଼ିଶାର ଜଣେ ବିଶିଷ୍ଟ ଲେଖକ ତଥା ଐତିହାସିକଙ୍କର । ଏହି ଲେଖକଙ୍କୁ ଲେଖିଥିବା ଏକ ପତ୍ରରେ ସେ ଲେଖିଥିଲେ – ‘ସମାଜକୁ ଚିହ୍ନିବାକୁ ଓ ସମାଜ ସହ ଏକାକାର ହେବାକୁ ହେଲେ ହେଲେ ନିଜକୁ ଅତି ସାଧାରଣ ବ୍ୟକ୍ତିଟିଏ ଭାବରେ ଦେଖିବାକୁ ହେବ ।’

କେତେ ସୁନ୍ଦର କଥାଟିଏ । ଯେତେବେଳେ କୌଣସି ଏକ ବିଶେଷ ପରିସ୍ଥିତି ଉପୁଜେ, ସେତେବେଳେ ସେହି ମହାନ ବ୍ୟକ୍ତିଙ୍କ କଥାଟି ମୋର ମନେପଡ଼େ । ବେଳେବେଳେ କଥା ପଦଟିଏ ମଣିଷର ଅଶେଷ କଲ୍ୟାଣ କରେ । ଯେଉଁ ବ୍ୟକ୍ତି ପାଖରେ ବ୍ୟକ୍ତି ସ୍ୱାଧୀନତା ଓ ଗଣତନ୍ତ୍ରର ଚେର ଯେତେ ଅଧିକ ଗଭୀରକୁ ଯାଇଛି, ସେ ସେତେ ପରିମାଣରେ ନିଜକୁ ଅତି ସାଧାରଣ ମନେକରିବ । ଏହା ସ୍ୱାଭାବିକ ମଧ୍ୟ । କାରଣ ସାଧାରଣ ବା‘Common Man’ମଧ୍ୟରେ ଦେଶର ସମୁଦାୟ ଜନସଂଖ୍ୟାରୁ ପ୍ରାୟ ଉଣା ଅଧିକେ ୯୦ ପ୍ରତିଶତ ଲୋକଙ୍କୁ ସେ ଦେଖେ । ପଦପଦବୀର ଗାରିମା, ବଂଶ ପରିଚୟ, ଆଭିଜାତ୍ୟ, ଅର୍ଥ, ଯଶ, ଖ୍ୟାତି, କ୍ଷମତା ମଣିଷକୁ ସାଧାରଣ ସ୍ତରରୁ ‘ଅସାଧାରଣ’ ସ୍ତରକୁ ନେଇଯାଏ ଓ ଏହା ସଙ୍ଗେ ସଙ୍ଗେ ମନରେ ଭ୍ରମ ସୃଷ୍ଟି କରାଏ । ଏକ ଛଦ୍ମ ଜୀବନ ବଂଚିବାକୁ ବାଧ୍ୟ କରେ ।

ଆମ ଦୈନନ୍ଦିନ ଜୀବନରେ ବହୁସଂଖ୍ୟକ ଆତ୍ମାଙ୍କୁ ଛଦ୍ମ ଜୀବନର ଶରଶଯ୍ୟାରେ ପୀଡ଼ିତ ହେବାର ଆମେ ଦେଖୁ ଓ ଦୁଃଖପାଉ ସତରେ । ଭାରି ଦୟନୀୟ ସେମାନଙ୍କର ଜୀବନ । ପ୍ରତିମୁହୂର୍ତ୍ତରେ ସାଲିସ ଜୀବନର ମୂଲ୍ୟବୋଧକୁ ମନେଇ! ‘ଶ୍ରେଣୀ ଚେତନା’ ସେମାନଙ୍କୁ ଏକ ବିଚିତ୍ର ଜୀବନରେ ପରିଣତ କରିଦିଏ । ସେମାନେ ଆଉ ମଣିଷର ସ୍ୱର୍ଗୀୟ ଚେତନା ସହ ଆଦୌ ଯୋଡ଼ି ହୋଇପାରନ୍ତିନାହିଁ । ସମ୍ପୂର୍ଣ୍ଣ ବନ୍ଦୀ ଜୀବନ ସେମାନଙ୍କର । ଏକ ଅଭିନବ କାରା ଜୀବନ ।

ନିଜକୁ ସାଧାରଣ ମଣିଷଟିଏ ବୋଲି ମନେକଲେ – ସଭାସମିତିରେ ଆଗ ଧାଡ଼ିରେ ବସିବାକୁ, ଭି.ଆଇ.ପି. ପାସ୍ ପାଇବାକୁ, କ୍ୟାମେରା ଲେନ୍ସ୍ର ଦୃଷ୍ଟି ଆକର୍ଷଣ କରିବାକୁ ପଡ଼େନାହିଁ । ତା’ପାଇଁ ଯୋଉ ସଂଘର୍ଷ ଦରକାର, ତାହା ଅନାବଶ୍ୟକ ହୁଏ । ଆଉ ଗୋଟିଏ କଥା – ସଭାମଞ୍ଚର ଆଗରେ ବସିଥିଲେ ବେଳବେଳେ ଅସୁବିଧା ମଧ୍ୟ ହୁଏ । ଧରନ୍ତୁ ଆପଣଙ୍କଠାରୁ ଆଉ ଜଣେ କ୍ଷମତାଶାଳୀ ଅସାଧାରଣ ବ୍ୟକ୍ତି ହଠାତ ପହଞ୍ôଚଲେ ଓ ଆଗଧାଡ଼ିରେ ସିଟ୍ ନାହିଁ । ଏବେ ଆୟୋଜକମାନେ ଆପଣଙ୍କୁ ଉଠାଇବାକୁ ବାଧ୍ୟ ହେବେ, ଆପଣ ପଛକୁ ତଡ଼ା ଖାଇବେ । ଏଣୁ ବରଂ ସବାପଛରେ ବସନ୍ତୁ ଶେଷଯାଏଁ ସେଠାରେ ଜମି ରହନ୍ତୁ – ତଡ଼ା ଖାଇବାର କୌଣସି ଭୟ ସେଠାରେ ନଥାଏ । କିନ୍ତୁ ତାହା ସେତେବେଳେ ସମ୍ଭବ, ଯେତେବେଳେ ଆପଣ ନିଜକୁ ସବା ତଳେଥିବା ସାଧାରଣ ବ୍ୟକ୍ତିଟିଏ ବୋଲି ମନେ କରିବେ । କିନ୍ତୁ ପରିତାପର ବିଷୟ ଆମେ ଅଧିକାଂଶ ଲୋକେ ଆଗଧାଡ଼ିରେ ବସିବାକୁ ଆଗ୍ରହୀ । କାରଣ ଆମେ ନିଜକୁ ସାଧାରଣ ବୋଲି ମନେ କରିବାକୁ ଘୃଣାକରୁ । ଏହା ଏକ ପ୍ରକାରର ସାମନ୍ତବାଦୀ ବିଚାର ।

ସେଦିନ ଅଧ୍ୟାପକ ବନ୍ଧୁଜଣକ ତାଙ୍କ ନାଁ ପୂର୍ବରୁ ‘ଡକ୍ଟର’ ତଥା ‘ଅଧ୍ୟାପକ’ ସଂଜ୍ଞା ଉଲ୍ଲେଖ ନଥିବାରୁ ବିଚରା ଏକ କ୍ଷୁଦ୍ର ସମ୍ବଲପୁରୀ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କୁ ଖୁବ୍ ତିରସ୍କାର କଲେ । ସେ ବୁଝିବାକୁ ନାରାଜ ଯେ ଆଜିକାଲି ଆଉ ଏହି ତଥାକଥିତ ‘ଡିଗ୍ରୀ’ ତଥା ପଦବୀଯୋଗୁଁ ଆମ ଉପରେ ଲୋକେ ଆଉ ପ୍ରଭାବିତ ହେଉନାହାନ୍ତି – ବରଂ ଆମେ ଆମ ବିଚାର ତଥା କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରଭାବିତ କରିପାରୁ । ଦେଖନ୍ତୁ କେତେ ଦୟନୀୟ ତାଙ୍କର ଜୀବନ । ଅଥଚ ଥୋକେ ‘ଅଧ୍ୟାପକ’ ଓ ‘ଡକ୍ଟର’ ଉପାଧିକାରୀ କେବେ ମଧ୍ୟ ସେମାନଙ୍କ ନାମ ଆଗରେ କିଛି ଲେଖନ୍ତି ନାହିଁ – କାରଣ ସେମାନେ ନିଜକୁ ଅତି ସାଧାରଣ ମନେକରନ୍ତି । ‘ଡିଗ୍ରୀ’ ଓ ‘ସଂଜ୍ଞା’ଠାରୁ ଊଦ୍ଧ୍ୱର୍ରେ ଯେତେବେଳେ ନିଜ ନାମକୁ ନେଇ ଚିନ୍ତନ ଓ କାର୍ଯ୍ୟକ୍ରମ ପର୍ଯ୍ୟବସିତ ହୋଇଯାଏ, ସେତେବେଳେ ଡିଗ୍ରି ଓ ସଂଜ୍ଞାର କୌଣସି ଆବଶ୍ୟକତା ନଥାଏ । ପୃଥିବୀର ସମସ୍ତ ଆଧୁନିକ ତଥା ଗଣତାନ୍ତ୍ରିକ ସମାଜରେ ଏହାହିଁ ଦୃଷ୍ଟିଗୋଚର ହୁଏ ।

ରାଜନେତା ଓ ଅମଲାତନ୍ତ୍ରର ସଦସ୍ୟମାନେ ଏ ପ୍ରକାରର ଯାତନାର ଅନ୍ୟ ଶିକାର । ରାଜନେତା ନିଜ ଜୀବନର ‘ସ୍ୱ’ ଭାବନା, ଚିନ୍ତନ ତଥା ଦୃଷ୍ଟିକୋଣକୁ ପାଥେୟ କରି ଜୀବନ ବଂଚିପାରେନା । ତାଙ୍କ ମତରେ ଲୋକଙ୍କ ମତ ହିଁ ନିଜ ମତ । ଅର୍ଥାତ ଲୋକେ (ଭୋଟ ବ୍ୟାଙ୍କ) ଯଦି ଆମ୍ବକୁ ନିମ୍ବ ବୋଲି କହନ୍ତି – ‘ଅବାଟ’କୁ ‘ବାଟ’ ବୋଲି କୁହନ୍ତି – ସେମାନେ ସେଇ ରାସ୍ତାରେ ଯିବାକୁ ବାଧ୍ୟ । ସେମାନଙ୍କ ଜୀବନ କେବଳ ‘ସାଲିସ୍’ କରିବାରେ କଟିଯାଏ । ପୁଣି ସେମାନେ ନିଜକୁ ‘ଭୋଟଜୀବୀ’ ବୋଲି ଆସ୍ପାଦନ ମଧ୍ୟ କରନ୍ତି। କିନ୍ତୁ ସେମାନେ ଏହାଦ୍ୱାରା ନିଜର ସ୍ୱାଭାବିକ ଜୀବନରୁ ଦୂରେଇ ଯାଇ ଏକ ଶଠତାପୂର୍ଣ୍ଣ ଜୀବନ ବଞ୍ôଚବାକୁ ବାଧ୍ୟ ହେଉଛନ୍ତି – ଏହା ସେମାନେ ବୁଝିବା ଆବଶ୍ୟକ । ମଣିଷର ପ୍ରକୃତି କ’ଣ ଏକ ଶଠତାପୂର୍ଣ୍ଣ ଜୀବନ ବଞ୍ôଚବା? ଏହା ଏକ ପ୍ରକାରର ଭିନ୍ନ ଏକ କାରାଜୀବନ । ଓଶୋଙ୍କ ଠାରୁ ଆରମ୍ଭ କରି କୃଷ୍ଣମୂର୍ତ୍ତି ଓ ରମଣ ମହର୍ଷିଙ୍କ ପର୍ଯ୍ୟନ୍ତ ଏମାନଙ୍କ ଭଳି ବ୍ୟକ୍ତିମାନଙ୍କୁ ଦୟା ତଥା କରୁଣା ଆଚରଣ କରିବାକୁ ପରାମର୍ଶ ଦେଇଛନ୍ତି । ଏ ବିଷୟରେ ବିଶେଷ କୌଣସି ଉଦାହରଣ ପାଠକଙ୍କ ସମୟର ଅପଚୟ ହେବ ମାତ୍ର । ପଦବୀ ମୋହ କେତେ ସଂକ୍ରମିତ ଯେ, ସେମାନେ ନିଜ ନାମ ପରେ ‘ପୂର୍ବତନ’ ଅମୁକ ବୋଲି ଉଲ୍ଲେଖ କରିବାକୁ ଭୁଲନ୍ତି ନାହିଁ । ଏହା ଅମଲାତନ୍ତ୍ରକୁ ବେଶ୍ ଗ୍ରାସ କରିଛି । କ୍ଷମତାକୁ ଯାବୋଡ଼ି ଧରିବାର ମୋହ ଦେଖ ଏମାନଙ୍କର । କୁହାଯାଏ ଅତୀତର ବୈଭବକୁ ନେଇ ଆମେ ବଂଚିବା ଶିଖିଛୁ । ଏଣୁ ପୌରାଣିକ ଚରିତ୍ର ତଥା କୋଉ ଯୁଗର ସାମ୍ରାାଜ୍ୟ ନିର୍ମାତାଗଣ ଆମର ଆଜିର ପ୍ରେରଣାର ସ୍ରୋତ । ସେ ଏକ ବିଚିତ୍ର ମାନସିକତା ।

କିନ୍ତୁ କେବଳ ଅତୀତକୁ ପାଥେୟ କରି ବଞ୍ôଚବା ଶିଖିଗଲେ ବର୍ତ୍ତମାନ ଓ ଭବିଷ୍ୟତ ଅନ୍ଧକାରମୟ ହୁଏ, ତା’ର ଜ୍ୱଳନ୍ତ ପ୍ରମାଣ ଯେ, ଆମ୍ଭେ ମାନେ, ତାହା ଅଧିକ ବୁଝାଇ କହିବା ଅନାବଶ୍ୟକ । ତା’ ବୋଲି ଇତିହାସ ଗୌଣ-ସେକଥା କୁହାଯାଉ ନାହିଁ । ବ୍ୟକ୍ତିର ଅତୀତ ଜୀବନ ଓ ଗୋଟିଏ ଜାତିର ଇତିହାସ ମଧ୍ୟରେ ପାର୍ଥକ୍ୟ ଅନେକ । ଗୋଟିଏ ଜାତି ତା’ର ବର୍ତ୍ତମାନ ଓ ଭବିଷ୍ୟତକୁ ସଜାଡ଼ିବାକୁ ଅତୀତରୁ ହିଁ ପ୍ରେରଣା ସଂଗ୍ରହ କରେ । ସେଥି ସକାଶେ ଇ.ଏଚ୍. କାର୍ର କହିନଥିଲେ କି ‘ଇତିହାସ ଅତୀତ ଓ ବର୍ତ୍ତମାନ ମଧ୍ୟରେ ଅସରନ୍ତି କଥୋପକଥନ ବୋଲି ।’ ଯେତେବେଳେ ‘ଅତୀତ’ ଅନ୍ୟକୁ କବଳିତ କରିବାରେ, ଅନ୍ୟ ଉପରେ ଅଧିକାର ସାବ୍ୟସ୍ତ କରିବାରେ ଅବା ଅନ୍ୟଅର୍ଥରେ ଅନ୍ୟକୁ ଶାସନ କରିବାରେ ଅଭିପ୍ରେତ ହୁଏ, ତାହା ଅନେକ ଅଗଣତାନ୍ତ୍ରିକ ପରମ୍ପରାକୁ ଜନ୍ମଦିଏ । ଫଳରେ ନିଜ ଆଖିକୁ ସାଧାରଣ ମଣିଷମାନେ ନ୍ୟୁନ ମନେହୁଅନ୍ତି । ଅତୀତର ରାଜା ରାଜୁଡ଼ା ଶାସନ ଚାଲିଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନ ପରିଚାଳିତ, ସମାଜକୁ ଗଣତାନ୍ତ୍ରିକତା ଆଡ଼କୁ ବଢ଼େଇ ନିଆଯାଉଛି, ଅଥଚ ଆଜିବି ଥୋକେ ନିଜକୁ ମହାରାଜା, ଯୁବରାଜ, ଗୌନ୍ତିଆ ବୋଲି ପରିଚିତ କରାଉଛନ୍ତି । ବାରମ୍ବାର ପଛକୁ ଫେରିବାର ଏ ପ୍ରକାର ମାନସିକତା କାହିଁକି? କାହିଁକି ସେମାନେ ନିଜକୁ ସାଧାରଣ ମଣିଷଟିଏ ବୋଲି ଭାବୁ ନାହାନ୍ତି?

ଆମ ସମାଜରେ ନିଜକୁ ‘ସାଧାରଣ ବ୍ୟକ୍ତି’ ବୋଲି ପରିଚୟ ଦେବାର ମାନସିକତା ଆଦୌ ନାହିଁ କହିଲେ ଚଳେ । ପ୍ୟାଣ୍ଟ୍ସାର୍ଟ ପିନ୍ଧା ବାବୁଙ୍କୁ ହାଟ ବଜାରରେ ଚାଷୀ, ଶ୍ରମିକ ତଥା ‘ସୁଖବାସୀ’ଙ୍କ ସଙ୍ଗେ କଥାବାର୍ତ୍ତା ହେବାର ଦେଖିଛନ୍ତି ନିଶ୍ଚୟ । ସେମାନଙ୍କ ବ୍ୟବହାରରେ କେତେ ଅଗଣତାନ୍ତ୍ରିକତା ଥାଏ ଲକ୍ଷ୍ୟ କରନ୍ତୁ । ଜଣେ ‘ଆଜ୍ଞା’, ‘ଆପଣ’ ସମ୍ବୋଧନ କଲାବେଳକୁ ଆଉ ଜଣେ କେବଳ ‘ତୁମେ’ କିମ୍ବା ‘ତୁ’ରେ ସୀମିତ ରହନ୍ତି । ଅଥଚ ଦେଶ ନିଜକୁ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କହୁଛି । ଅମଲାତନ୍ତ୍ରରେ ରୋଗ ଅତି ମାରାତ୍ମକ ରୂପେ ସଂକ୍ରମିତ । ସର୍ଭାଣ୍ଟ୍ ଶବ୍ଦଟିକୁ ସେମାନେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ।  ଅତ୍ୟନ୍ତ ପରିତାପର ବିଷୟ ଯେ, ଆମେମାନେ ପ୍ରତ୍ୟେକେ ନିଜକୁ ‘ରାଷ୍ଟ୍ର’ ତଥା ‘ସରକାର’ ବୋଲି ବିଚାର କରୁ । ଥୋକେ ଅଛନ୍ତି କୌଣସି ସାମ୍ବିଧାନିକ ପଦପଦବୀରେ ନଥାଇ ମଧ୍ୟ ସେମାନେ ରାଷ୍ଟ୍ର ଭଳି ବ୍ୟବହାର କରନ୍ତି ଯେମିତି କି ସମଗ୍ର ରାଷ୍ଟ୍ର ଓ ସରକାର ସେମାନଙ୍କ କବଳରେ । ତାକୁ ଯେମିତି ଇଛା ମୋଡ଼ି ପାରିବେ ।

ଏଇଥିରୁ ହିଁ ସେମାନଙ୍କ ମଧ୍ୟରେ ଥିବା ସାଧାରଣ ବ୍ୟକ୍ତିଟିର ମୃତ୍ୟୁ ଘଟେ ଓ ଗୋଟିଏ ‘ଅସାଧାରଣ’ ଅର୍ଥାତ ‘ସାଧାରଣ’ର ଉପରେ ଥିବା ବ୍ୟକ୍ତିଟିଏର ଆବିର୍ଭାବ ହୁଏ । ଏମାନଙ୍କର ବଳ ହେଉଛି ତାଙ୍କ ଚାରିପାଖରେ ଥିବା ନେଟୱାର୍କ । ଏହି ନେଟୱାର୍କ ବଳରେ ସେମାନେ ସମ୍ବିଧାନକୁ କ୍ରୀଡ଼ନକ ସଜାଇ ଦିଅନ୍ତି । ଆଜି ଯଦି ୬୦ବର୍ଷ ମଧ୍ୟରେ ଦେଶରେ ଗଣତନ୍ତ୍ରର ଚେର ମାଟି ଭିତରକୁ ଉତ୍ତମ ରୂପେ ପ୍ରବେଶ କରିପାରି ନାହିଁ, ତା’ର କାରଣ ହେଉଛି – ଉପରୋକ୍ତ ନେଟୱାର୍କ । ତଥାକଥିତ ‘ଅନ୍ କମନ୍’ ଲୋକଙ୍କ ଲଗାତାର ଅତ୍ୟାଚାର ।  ଏଠାରେ ଉଲ୍ଲେଖ କରିବାକୁ ଉଚିତ ମଣିବି ଯେ, ଏହି ସାଧାରଣଙ୍କ ଉପରେ ଥିବା ମଣିଷ ଥୋକେ ହେଉଛନ୍ତି ସମାଜର ତଥାକଥିତ ‘ସଫଳ’ ବ୍ୟକ୍ତି ତଥା ବହୁ ଲୋକଙ୍କ ‘ରୋଲ୍ମଡ଼େଲ’ ।

ଗଣତାନ୍ତ୍ରିକ ଦେଶରେ ଅଗଣତାନ୍ତ୍ରିକ ନେତା ଓ ତା’ଠୁ ଆହୁରି ଅଗଣତାନ୍ତ୍ରିକ ଅମଲାତନ୍ତ୍ରଙ୍କ ଯୋଗୁଁ ସମାଜଟି ଭୟଙ୍କର କ୍ୟାନସର ରୋଗଗ୍ରସ୍ତ । ଏହି ଦୁରାରୋଗ ଉପରୁ ତଳକୁ ଅବିରତ ଭାବରେ ଚରୁଛି ଓ ବହୁସଂଖ୍ୟକଙ୍କୁ ଆକ୍ରାନ୍ତ କରୁଛି । ଏଭଳିକି ଏହା ଶିକ୍ଷାନୁଷ୍ଠାନ (ଯାହାକି କୌଣସି ଉଚ୍ଚନୀଚ, ଶ୍ରେଣୀ ମଧ୍ୟରେ ପାର୍ଥକ୍ୟର ସ୍ଥାନ ନୁହେଁ) ମାନଙ୍କୁ ମଧ୍ୟ କବଳିତ କରିଛି । ଫଳରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସାମନ୍ତୀ ସମ୍ପର୍କ ଏବଂ ବରିଷ୍ଠ ଓ ଘନିଷ୍ଠ ଅଧ୍ୟାପକଙ୍କ ମଧ୍ୟରେ ମଧ୍ୟ ସାମନ୍ତୀ ବ୍ୟବହାର ଦେଖିବାକୁ ମିଳେ । ଏହି ବ୍ୟବସ୍ଥାରେ ପ୍ରକୃତ ଜ୍ଞାନର ବିକାଶ ଆଶା କରିବା ବୃଥା ନିଶ୍ଚୟ ।

କିନ୍ତୁ ମନେ ରଖିବା ଆବଶ୍ୟକ – ଘର ଓ ସମାଜ ଏକା ନୁହେଁ । ଘରେ ଗଣତାନ୍ତ୍ରିକ ବିଚାର ପ୍ରବେଶ କରିବାକୁ ଆମକୁ ହୁଏତ ଆଉ ବହୁ କାଳ ଅପେକ୍ଷା କରିବାକୁ ହେବ । କିନ୍ତୁ ସମାଜ ଯଦି ଏଯାଏଁ ଗଣତାନ୍ତ୍ରିକ ହୋଇପାରି ନାହିଁ, ସେଥି ସକାଶେ ଆମେ ଲଜ୍ଜିତ ହେବା ଉଚିତ ।

ଫୋଟୋ – ଲଷ୍ମୀଧର ମୁର୍ମୁ

(ସମଦୃଷ୍ଟି – ୧-୧୫ ଡିସେମ୍ବର ୨୦୦୭)

About ପ୍ରଫେସର କିଶୋର ମେହେର

ପ୍ରଫେସର କିଶୋର ମେହେର
ଇତିହାସ ବିଭାଗର ପ୍ରଫେସର, ଗବେଷକ, ଲେଖକ, ସ୍ତମ୍ଭକାର

Check Also

ଓଡିଆ ଘରେ ‘ଶୀତ ଋତୁ’

ରୂପେ ନିରୁପମା ଛଟି ଭଉଣୀ ଗୋଟିଏ ଗରଭୁଁ ଜାତ । ମୃଦୁ ପଦପାତେ ଆସନ୍ତି ମରତେ ଧରି ଜଣେ ଆନ …

2 comments

  1. Avatar
    ଅଜିତ କୁମାର ପାଣିଗ୍ରାହୀ

    କିଶୋର ମେହେରଙ୍କ ଲେଖାକୁ ବହୁବାର ପଢ଼ିବାର ସୁଯୋଗ ପାଇଛି । ଅଶେଷ ଧନ୍ୟବାଦ ଲେଖକଙ୍କୁ। ବାଟ ହୁଡ଼ି ବସିବାର ପ୍ରଥମ ପାହାଚ ରେ ଲେଖାଟି ପଢିଲେ ନିଶ୍ଚିତ ଭାବେରେ ,ମନରେ ,ହୃଦୟରେ ପରିବର୍ତନ ର ଇଚ୍ଛା ଜାଗ୍ରତ ହେବ । ଛଦ୍ମ ଆଢୁଆଳରେ ରେ ଆମେ କେମିତି ନିଜତ୍ବ,ନିଜ ଅସ୍ତିତ୍ବ କୁ ଭୁଲି ଯାଉଛେ,ମାରିପକାଉଛେ ,ତାହା ଲେଖକ ସଚେତ କରିଦେଇଛନ୍ତି ।

    • Editor

      ମତାମତ ଦେଇଥିବାରୁ ଓ ଉତ୍ସାହିତ କରିଥିବାରୁ ଅଜିତଙ୍କୁ ବହୁତ ବହୁତ ଧନ୍ୟବାଦ।

Leave a Reply

Your email address will not be published. Required fields are marked *