Home / ଦୃଶ୍ୟ ଓ ଶ୍ରାବ୍ୟ / ଭିଡିଓ / ଧନୁହଂସର ଜୀବନ ସଙ୍ଗୀତ -ଏକ ଅନୁଭବର ବୟାନ

ଧନୁହଂସର ଜୀବନ ସଙ୍ଗୀତ -ଏକ ଅନୁଭବର ବୟାନ

‘ଧନୁ ହଂସ, ଲୋୟରଇନ୍ଦ୍ର ପ୍ରକଳ୍ପ ଅଞ୍ଚଳର ଜଣେ ପରିଚିତ କଳାକାର । ଜଣେ ଦଳିତ ଯୁବକ । ବେଶ୍ ମେଳାପି । ଓଡ଼ିଶାର ପ୍ରାଚୀନ ମାରାଗୁଡ଼ା ସଭ୍ୟତାର ସମସ୍ତ ଲୋକସଂସ୍କୃତି, ସାହିତ୍ୟ, ଗୀତ ଓ ଲୋକଗୀତ ସମୂହକୁ ଗୋଟିଏ ପରେ ଗୋଟିଏ ପରଷି ଚାଲିଥାନ୍ତି ସେଦିନ ସେ । ତାଙ୍କ ସମ୍ପର୍କରେ ଜାଣିବାର ଇଚ୍ଛା ହେଲା। ପାଖକୁ ଯାଇ ତାଙ୍କୁ କିଛି ପଚାରିବାରୁ ତାଙ୍କର ପ୍ରଥମଧାଡ଼ି ଥିଲା ‘ମୁଁ ଜଣେ ଭୂମିହୀନ କଳାକାର । ସରକାର ମୋର ସବୁ ସାର୍ଟିଫିକେଟ ନେଇଯାଉନ୍ । ମତେ ଗୁଟେ ରହେବାର ଜାଗା ଦେଇଦଉନ୍ ।’- ଲୋୟରଇନ୍ଦ୍ର  ସମ୍ପର୍କରେ କିଛି ଜାଣିବାର ଆଗ୍ରହ ନେଇ ନିଜ ସାଥୀମାନଙ୍କ ସହିତ ସେଠାକୁ ଯାଇଥିବା ସାମ୍ବାଦିକ ଜଣକ ସେଦିନ ‘ଧନୁହଂସ’ର କଥାବର୍ତ୍ତାରେ ପାଇଥିଲେ ଦୁଃଖର ଏକ ଅଦ୍ଭୁତ ଅନୁଭବ । ଏତେବର୍ଷ ହେଲା ଦୂରଦର୍ଶନରେ ସାମ୍ବାଦିକତା କରିବା ଭିତରେ ଏ ଅନୁଭୂତି କିନ୍ତୁ ଥିଲା ଅତି ନିଆରା ତାଙ୍କ ପାଇଁ । ନିଜର ଅନୁଭବର କଥାକୁ ଏଠାରେ ପ୍ରକାଶ କରିଛନ୍ତି ବିଶିଷ୍ଟ ସାମ୍ବାଦିକ ଉମେଶ ଚନ୍ଦ୍ର ବିଶ୍ୱାଳ।                 – ସମ୍ପାଦକ

କଳାକୁ ଜୀବିକାଭାବରେ ଆଦରି ନେଇ ବଞ୍ଚୁଥିବାର ଅନେକ କଳାକାର ଆମ ସମାଜରେ ଅଛନ୍ତି ଯେଉଁମାନଙ୍କର ସାମାଜିକ ପ୍ରତିଷ୍ଠା ଅଛି ଅୟସଆରାମରେ ବଂଚିବା ପାଇଁ ଅର୍ଥର ଅଭାବନାହିଁ । ଜୀବନକୁ ମନଭରି ଉପଭୋଗ କରିବା ପାଇଁ ସବୁପ୍ରକାର ସାମର୍ଥ୍ୟ ଏହି ଶ୍ରେଣୀର କଳାକାରମାନଙ୍କର ରହିଛି। ଉପଭୋକ୍ତାବାଦର ଦୁନିଅାଁରେ ଏହି କଳାକାରମାନେ ନିଜ କଳାର ଚାତୁରୀ ଦେଖାଇ ଦର୍ଶକଙ୍କୁ କେତେବେଳେ କନ୍ଦାଇଥାନ୍ତି ତ କେତେବେଳେ ହସାଇଥାନ୍ତି ।

ଥଣ୍ଡାପାନୀୟ ବୋତଲଟିଏ ଧରି ସମୁଦ୍ରକୁ ଡେଉଁଥିବା କଳାକାରଟି ଉପଭୋକ୍ତାର ରୋଲ୍ ମଡେଲ୍ ପାଲଟିଯାଏ । ଅନ୍ୟକୁ ସ୍ୱପ୍ନ ଦେଖାଇବାରେ ମାହିର ଏହି କଳାକାରମାନଙ୍କୁ ମାଟି ତଳର ବାସ୍ତବ ଚିତ୍ର ଜଣାନଥାଏ କି ଜାଣିବାର ସ୍ପୃହା ବି ଏମାନଙ୍କର ନଥାଏ । କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି କଳାକାରମାନେ ଦେଶପ୍ରେମର ଏକ ମିଛ ମରିଚିକା ସୃଷ୍ଟି କରିବାରେ ବେଶ୍ ଓସ୍ତାଦ।

ଆମେ କାହାକଥା କହୁଛୁ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ । ଆମେ ସିନେମାଜଗତର ସେହି ନାମୀଦାମୀ କଳାକାରମାନଙ୍କ କଥା କହୁଛୁ ଯେଉଁମାନଙ୍କର ଟିକିଏ ସାନିଧ୍ୟ ପାଇବା ପାଇଁ ଆମ ଭିତରୁ ଅନେକେ ବ୍ୟାକୁଳ। ସେପଟେ କଳା ମାଧ୍ୟମରେ ଲୋକଙ୍କୁ ସେମାନଙ୍କ ହକ୍ ଓ ଅଧିକାର ସମ୍ପର୍କରେ ସଚେତନ କରୁଥିବା ଦେଶର କୋଣ ଅନୁକୋଣର ଅନେକ ସାଂସ୍କୃତିକ କଳାକାର ମାସ ମାସ ବର୍ଷ ବର୍ଷ ଧରି ଜେଲ କୋଠରୀରେ ସଢ଼ୁଥିଲେ ମଧ୍ୟ ସେମାନଙ୍କ ମୁକ୍ତି ପାଇଁ ଆମ ପାଟି ଫିଟେ ନାହିଁ ।

ବିଚିତ୍ର ବିରୋଧାଭାସ ମଧ୍ୟରେ ରହିଛି କଳାଜଗତ। କଳା ଓ କଳାକାର ମଧ୍ୟ ସେଥିରୁ ମୁକ୍ତ ନୁହଁନ୍ତି । ତେବେ ଆମ ସମାଜରେ ଏମିତି ବି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ସମଗ୍ର ଜୀବନ କଳା ପ୍ରତି ସମର୍ପିତ । ନିଜର ଠିକଣାକୁ ଖୋଜୁଥିବା ଏମିତି ଜଣେ କଳାକାର ହେଉଛନ୍ତି ‘ଧନୁ ହଂସ’।

ସେଦିନ ଥିଲା ଫେବୃୟାରୀ ୧୩ତାରିଖ । ଶୀତୁଆ ସନ୍ଧ୍ୟା । ଓଡ଼ିଶାର ଶେଷ ମୁଣ୍ଡ ନୂଅାଁପଡ଼ା ଜିଲ୍ଲାର ଖଡ଼ିଆଳ ଠାରେ ଚାଲୁଥାଏ ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଆନ୍ଦୋଳନ । ନିଜ ଜମି ଓ ଜାଗାରୁ ବିସ୍ଥାପିତ ହେଉଥିବା ଏବଂ ହୋଇଥିବା ୩୧ଖଣ୍ଡ ଗାଁର ଲୋକ ଜମି ଅଧିଗ୍ରହଣ ଅଧିକାରୀଙ୍କ ଅଫିସ ଆଗରେ ବସିଥାନ୍ତି ଧାରଣାରେ ।

୩୩ଦଫା ଦାବିରେ ଏହି ଧାରଣା ଆରମ୍ଭ ହୁଏ ଡିସେମ୍ବର ୧୯ତାରିଖରେ । ଧାରଣାରେ ବସିଥିବା କିଛି ଅପରିଚିତ ଚେହେରାମାନଙ୍କ ଭିତରୁ ଆମ ସହିତ ଦେଖା ହୁଅନ୍ତି ଧନୁ ହଂସ । ଧନୁ ହଂସ ସେହି ଅଞ୍ଚଳର ଜଣେ ପରିଚିତ କଳାକାର । ଜଣେ ଦଳିତ ଯୁବକ । ବେଶ୍ ମେଳାପି । ଧାରଣା ସାମ୍ନାରେ ଲାଗିଥିବା ଧୂନୀ ପାଖରେ ଗଞ୍ଜି ପିନ୍ଧା ଏହି ଯୁବକ ପାଟିରୁ ବାହାରି ଚାଲିଥାଏ ଅନବରତ ଗୀତ ।

ଓଡ଼ିଶାର ପ୍ରାଚୀନ ମାରାଗୁଡ଼ା ସଭ୍ୟତାର ସମସ୍ତ ଲୋକସଂସ୍କୃତି, ସାହିତ୍ୟ, ଗୀତ ଓ ଲୋକଗୀତ ସମୂହକୁ ଗୋଟିଏ ପରେ ଗୋଟିଏ ପରଷି ଚାଲିଥାନ୍ତି । ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବା ତିଖାଲି ଲୋୟର ଇନ୍ଦ୍ର ପ୍ରକଳ୍ପର ସମସ୍ତ ଚିତ୍ର ଓ ଚରିତ୍ର ତାଙ୍କ ଗୀତରୁ ଫୁଟିକ୍ ବାରି ହେଉଥାଏ । ଆଗ୍ରହ ବଢ଼ିଲା । ତାଙ୍କ ସମ୍ପର୍କରେ ଜାଣିବାର ଇଚ୍ଛା ହେଲା ।

ପାଖକୁ ଯାଇ ତାଙ୍କୁ କିଛି ପଚାରିବାରୁ ତାଙ୍କର ପ୍ରଥମ ଧାଡ଼ି ଥିଲା “ମୁଁ ଜଣେ ଭୂମିହୀନ କଳାକାର । ସରକାର ମୋର ସବୁ ସାର୍ଟିଫିକେଟ ନେଇଯାଉନ୍ । ମତେ ଗୁଟେ ରହେବାର ଜାଗା ଦେଇଦଉନ୍ ।” କୌତୁହଳ ସୃଷ୍ଟି ହେଲା । ଧନୁ ହଂସ ସରକାରଙ୍କୁ କେଉଁ ସାର୍ଟିଫିକେଟ ନେଇଯିବାକୁ କହୁଛି? ସେତେବେଳକୁ ରାତି ଦଶଟା ପାଖାପାଖି । ଶୀତ ବଢ଼ୁଥାଏ । ଧାରଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କେତେବେଳୁ ଶୋଇଗଲେଣି । ଧୂନି ଜଳୁଥାଏ ଦଁ ଦଁ ।

ଡିସେମ୍ବର ୧୯ତାରିଖ ଆନ୍ଦୋଳନ ଆରମ୍ଭ ହେବା ଦିନଠୁ ଏଠାରେ ଧୂନି ଲାଗିଛି । ୩୧ଖଣ୍ଡ ଗାଁ’ଲୋକଙ୍କ ଆନ୍ଦୋଳନ । ପ୍ରତିଦିନ ଗୋଟିଏ ଗାଁ’ର ଲୋକ ଧାରଣା ଦେବେ । ଧାରଣା ପାଖରେ ଆନ୍ଦୋଳନକାରୀଙ୍କ ଭାନସ୍ । ସେଇଠି ସମସ୍ତଙ୍କ ପାଇଁ ରୋଷେଇ ହେଉଛି। ସକାଳୁ ଆରଦିନ ସକାଳ ଯାଏଁ ଧାରଣା ସ୍ଥଳରେ ରହିବେ। ପରଦିନ ସକାଳକୁ ପୁଣି ଅନ୍ୟ ଏକ ଗାଁର ଲୋକ ଧାରଣା ଦେବାପାଇଁ ଆସିବେ । ୩୩ଦଫା ଦାବି ପୂରଣ ନହେବା ଯାଏଁ ଏମିତି ଆନ୍ଦୋଳନ ଚାଲିଥିବ।

ଧୂନିରେ ଜାଳକାଠ ଖଣ୍ଡେ ଦେଉ ଦେଉ ଅନେକ କଥା କହି ଚାଲିଥାନ୍ତି ଧନୁ ହଂସ । ମେଳାପୀ ଚରିତ୍ର ଏବଂ ଦିଲ୍ଖୁସ୍ ମିଜାଜ୍ ପାଇଁ ସେ ନୂଅାଁପଡ଼ା ଜିଲ୍ଲାର ଗାଁ’ ଗାଁ’ରେ ପରିଚିତ । କେବଳ ନୂଅାଁପଡ଼ା ନୁହେଁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରେ ତାଙ୍କର ବେଶ୍ ନାଁ। ବିଶେଷକରି ଦଳିତ ପଡ଼ା ମାନଙ୍କରେ ବିଭିନ୍ନ ସାଂସ୍କୃତିକ ଦଳ ଗଠନ କରି  ସେ ଗୁରୁ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ମୁଁ ମାଆର ପନ୍ହା (କ୍ଷୀର) ଖାଏଲା ଦିନୁ ଗୁରୁ’ ଏହା କହନ୍ତି ଧନୁ ହଂସ। ବୟସ କଥା ପଚାରିଲେ ହସି ଦିଅନ୍ତି।ପ୍ରାୟ କୋଡ଼ିଏ ବର୍ଷ ତଳେ ୧୮ବର୍ଷ ବୟସରୁ ବାପା ମାଆ ତାଙ୍କର ବାହା କରିଦେଲେ । ଛୋଟ ବେଳୁ କଳାପ୍ରତି ତାଙ୍କର ରହିଛି ଗଭୀର ଅନୁରକ୍ତି । ବାପା ଈଶ୍ୱର ହଂସ ମଧ୍ୟ ଜଣେ କଳାକାର।

ରଘୁପାଲି ଅଞ୍ଚଳରେ ନାମୀ ନିଶାନ୍ ବାଦକ ଭାବରେ ତାଙ୍କର ନାଁ ଥିଲା । ଗାଁ ନାଟକ ଦଳରେ ଅଭିନୟ କରୁଥିଲେ । ଦୁଇବର୍ଷ ତଳେ ଧନୁ ହଂସ ନିଜ ବାପାଙ୍କୁ ହରାଇ ସାରିଛନ୍ତି । ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି ।

ନିଜ ଗାଁ ରଘୁପାଲି ୟୁ.ପି. ସ୍କୁଲରେ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାପରେ ମାମୁଁଘରେ କୋଟାମାଳରେ ରହି କର୍ଲାପଥର ମାଇନର ସ୍କୁଲକୁ ପଢ଼ିବାକୁ ଯାଉଥିଲେ । ପିଲାଟିଦିନରୁ ଗାଁ ନାଟକ ଦଳରେ ବିଲଙ୍କା ରାମାୟଣ, ଚଣ୍ଡୀହରଣ ଆଦି ନାଟକ ଦେଖିଛନ୍ତି ।

ଢୋଲ ନିଶାନ, ମୁହୁରୀ ଓ ଝୁମକାରୁ ଆରମ୍ଭ ହୁଏ ସକାଳ । କୀର୍ତ୍ତନ ଘୁମୁରା, ଘୁବୁକୁଡ଼ୁରେ ବିତିଯାଏ ଦିନ । ମାଆ ପଦ୍ମିନୀ ମୋର ଧନରେ ଧନରେ ବୋଲି ଗେଲ କରୁ କରୁ ତାଙ୍କ ନାଁ ହୋଇଯାଇଥିଲା ଧନୁ । ତାଙ୍କ ଭିତରେ ଭରି ରହିଛି ପ୍ରଚଣ୍ଡ ପ୍ରତିଭା । କଳା ପ୍ରତି ସମର୍ପିତ ଧନୁ ହଂସ ଦଣ୍ଡ, ସଂକୀର୍ତ୍ତନ, ପାଲା, ଘୁମୁରା, ଭାଗବତ, ଯଜ୍ଞମଣ୍ଡପ ଆଦି ଅନେକ କଳାର ଜଣେ ନିଷ୍ଠାପର ପୂଜାରୀ। ସେହିପରି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଯେମିତି ଧନୁ ହଂସ ବିନା ନିରସ । ସବୁଠି ଆଗ ଖୋଜା ହୁଏ ତାଙ୍କୁ । ଜଣେ କଳାକାର ଭାବରେ ବିଭିନ୍ନ ମହଲରେ ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି ।

କଳାକୁ ଜୀବନର ବ୍ରତ ଭାବେ ଆଦରି ନେଇଥିବା ଧନୁ ହଂସଙ୍କ ନିଜସ୍ୱ ଜୀବନରେ ମଧ୍ୟ ଅନେକ ଝଡ଼ଝଞ୍ଜା ଅତିକ୍ରମ କରିସାରିଛନ୍ତି। କୋଡ଼ିଏବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିଲା। ଦୁଇଟି ଝିଅ, ଗୋଟିଏ ପୁଅ । ବଡ଼ ଝିଅ ଘଁସିଏନ୍ ହଂସ ଅଷ୍ଟମ ଶ୍ରେଣୀରେ ପଢ଼ୁଛି। ଛୋଟବେଳୁ କୋମନାର ଅଗ୍ରେନ୍ ପଞ୍ଚାୟତରେ ସୁଇପର କାମ କରୁଥିବା ପବନ ଘାଁସିଙ୍କୁ ବଡ଼ଝିଅଙ୍କୁ ବିକ୍ରି କରିଦେଇଛନ୍ତି।ସେହିପରି ଦୁଇବର୍ଷର ପୁଅ ଘଁସିଆ ହଂସକୁ ମଧ୍ୟ ଅନ୍ୟଜଣକଠାରେ ବିକ୍ରି କରିଛନ୍ତି ।

ସାନ ଝିଅ ପୁଷ୍ପାଞ୍ଜଳି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛି। ବିବାହପରେ ତାଙ୍କର ଗୋଟିଏ ପରେ ଗୋଟିଏ ସନ୍ତାନଙ୍କର ମୃତ୍ୟୁ ଘଟିଥିଲା । ଶେଷରେ ବନ୍ଧୁ ପରିଜନଙ୍କ ପରାମର୍ଶ ଅନୁସାରେ ନିଜ ବଡ଼ଝିଅର ନାଁ ଘଁସିଏନ୍ ଏବଂ ପୁଅର ନାଁ ଘଁସିଆ ରଖି ସେମାନଙ୍କୁ ଜଣେ ଦଳିତ ବ୍ୟକ୍ତିଙ୍କ ଠାରେ ବିକ୍ରି କରିଦେଲେ।

ଏହି ଅଞ୍ଚଳରେ ପୁଅ/ଝିଅ ବିକ୍ରି କରିବାର ଏକ ପରମ୍ପରା ରହିଛି । ଯଦି କାହାର ପିଲାଛୁଆଙ୍କ ଅକାଳରେ ମୃତ୍ୟୁ ହେଲା ସେମାନଙ୍କ ପରବର୍ତ୍ତୀ ସନ୍ତାନକୁ ଅନ୍ୟ ଜାତିର ଲୋକଙ୍କ ଠାରେ ବିକ୍ରି କରିଦିଅନ୍ତି । ଏବାବଦରେ ପିଲାକୁ କିଣିଥିବା ଲୋକଙ୍କ ଠାରୁ କିଛି ଟଙ୍କା, ପଇସା କିମ୍ବା ଚାଉଳ ଆକାରରେ ଆଣିଥାନ୍ତି । ପିଲାଟି ବାହାହେବା ବୟସ ହେବାପରେ ପିଲାର ନିଜ ବାପା-ମାଆ ବିକ୍ରି କରିଥିବା ବ୍ୟକ୍ତିକୁ ସାଧ୍ୟ ଅନୁସାରେ ଟଙ୍କା, ଧାନ, ଚାଉଳ, ଲୁଗା ଆଦି ଦେଇ ନିଜ ପୁଅ/ଝିଅଙ୍କୁ ମୁକୁଳାଇଥାନ୍ତି ।

ଅତି ଭାବପ୍ରବଣ ହୋଇ ଧନୁ ହଂସ କହିଚାଲିଥାନ୍ତି ନିଜ ଜୀବନରେ ଘଟିଯାଇଥିବା ଅନେକ ଘଟଣାସବୁ। ତାଙ୍କ ସହିତ ଆଲୋଚନା କଲାବେଳେ ସେ ଗୋଟିଏ କଥା ବାରମ୍ବାର ଦୋହରାଉଥାନ୍ତି, ‘ମୁଁ ଜଣେ ଭୂମିହୀନ ଦୁଃସ୍ଥ କଳାକାର। ମୋର ସବୁ ସାର୍ଟିଫିକେଟ ସରକାର ନେଇଯାଉ ଆଉ ଜମିଖଣ୍ଡେ ଦେଇଦେଉ।’ ଏହାର କାରଣ କ’ଣ ଆମେ ଜାଣିବାକୁ ଚାହିଁଲୁ ।

ଧନୁ ହଂସ ପ୍ରଥମେ କହିବାକୁ ଅରାଜି ହେଉଥିଲେ । ମାତ୍ର ଯେତେବେଳେ ଏହାର କାରଣ କହିଚାଲିଲେ ଜଣେ କଳାକାର ଭାବରେ ତାଙ୍କ ଭିତରେ ରହିଥିବା ଭୟଙ୍କର କ୍ଷୋଭ ଏବଂ ଯନ୍ତ୍ରଣା ବାରିହୋଇ ପଡ଼ୁଥିଲା।

ଦୁଇହଜାର ମସିହାରେ ଓଡ଼ିଶା ସରକାର ନୂଅାଁପଡ଼ା ଜିଲ୍ଲାର ତିଖାଲିଠାରେ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ କରିବା ପାଇଁ ଶୁଭ ଦେଲେ । ୪୭୯୯ହେକ୍ଟର ଜମିରେ ଜଳଭଣ୍ଡାର ତିଆରି କରିବାର ଯୋଜନା ହେଲା। ସେହି ଜଳଭଣ୍ଡାର ଭିତରେ ୩୧ଖଣ୍ଡ ଗାଁ’ ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାବେ ବୁଡ଼ିଯିବ ବୋଲି ପ୍ରଚାର ହେଲା । ଗାଁ’ ଗାଁ’ରେ ଏହାକୁ ନେଇ ଚର୍ଚ୍ଚା।

ସରକାରଙ୍କ ଏହି ଯୋଜନା ଲୋକଙ୍କ ଆଖିରୁ ନିଦ ହଜାଇ ଦେଲା। ଏହାପରେ ସର୍ଭେ କାମ ଆରମ୍ଭ ହେଲା । ଆର୍.ଆଇ., ଅମିନ ଗାଁ’ କୁ ଗାଁ’ ଯାଇ ଲୋକଙ୍କ ଘର, ଗୁହାଳ, ଜମି, ବାଡ଼ି, ବଗିଚା ସବୁ ସର୍ଭେ କଲେ ।

ସର୍ଭେ ପରେ ସରକାର କ୍ଷତିପୂରଣ ଦେବା ଆରମ୍ଭ କଲେ । କ୍ଷତିପୂରଣ ପାଇବାପରେ ଗାଁ’ମାନଙ୍କୁ ମିଳୁଥିବା ସମସ୍ତପ୍ରକାର ସରକାରୀ ସହାୟତା ହଠାତ୍ ବନ୍ଦ ହୋଇଗଲା । ସ୍କୁଲଗୁଡ଼ିକ ବନ୍ଦ ହୋଇଗଲା। ଗାଁ’ର ଅନେକ ଭୂମିହୀନ, ସୁଖବାସୀ, ଗରିବଲୋକ ସରକାରୀ କ୍ଷତିପୂରଣ ପାଇବାରୁ ବଂଚିତ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଆସୁଥିବା ସରକାରୀ ସାହାଯ୍ୟ ଚିନି, କିରାସିନି, ଚାଉଳ, ଗହମ ଯୋଗାଣ ସବୁ ଠପ୍ ହୋଇଗଲା। ଗାଁ’ର ଭୂମିହୀନ ଗରିବ ଲୋକେ ପାଖ ଜଙ୍ଗଲରୁ ମହୁଲ, ଟୋଲ ଆଦି ସଂଗ୍ରହ କରି ଚଳୁଥିଲେ।

ଲୋକ ଲଗାଇ ହଜାର ହଜାର ମହୁଲ, ଆମ୍ବଗଛ ଓ ଅନ୍ୟାନ୍ୟ ଗଛ କାଟିଦିଆଗଲା। ଗାଁ’ମାନଙ୍କୁ ବିଜୁଳି ସଂଯୋଗ କାଟି ଦିଆଗଲା। ନଳକୂଅମାନଙ୍କରୁ ହ୍ୟାଣ୍ଡଲ ଖୋଲି ନିଆଗଲା । ସମସ୍ତପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଂଚିତ ଲୋକେ ଗାଁ ଛାଡ଼ିବାକୁ ଆରମ୍ଭ କଲେ। କ୍ଷତିପୂରଣ ନାଁ’ରେ ଯାହାକିଛି ସରକାରୀ ସାହାଯ୍ୟ ମିଳିଥିଲା ତାକୁ ମଧ୍ୟ ବିଭିନ୍ନ ଲୋକ ବିଭିନ୍ନ କୌଶଳରେ ଲୁଟି ନେବାକୁ ଲାଗିଲେ। ଲୋୟର ଇନ୍ଦ୍ର ବିସ୍ଥାପିତଙ୍କୁ ମିଳିଥିବା ସାହାଯ୍ୟ ଓ ପ୍ରତାରଣା ସମ୍ପର୍କରେ ରାମକୃଷ୍ଣ ନିଆଳ ଲେଖିଥିବା ଗୀତଟିଏ ଗାଇବାକୁ ଲାଗିଲେ ଧନୁ ହଂସ ।

ଦରଗାଁ ତିଖାଲି ବନ୍ଧ ବୁଡ଼ି ଅଞ୍ଚଲ

ଜମି ଭୂମୀ ସବୁ ଗଲା ଜୀବନ୍ ଆକୁଲ ।

ଚଉଦ ପୁରୁଷ ମାଟି ପଲାମୁଁ ହୋ ଛାଡ଼ିକରି

ଛୁଆପିଲା ଧଙ୍ଗ୍ରା ଧାଙ୍ଗ୍ରୀ ଅଜା ବୁଢ଼ାବୁଢ଼ୀ ।

ସଙ୍ଗେ ଯିବେ ଗ୍ରାମଦେବୀ ଇଷ୍ଟଦେବୀ ଆମର

ଜମି ଭୂମୀ ସବୁ ଗଲା ଜୀବନ୍ ଆକୁଲ ।

୨୦୦୬ପଲିସି ରେଟ୍ ବଢ଼ିଗଲା

୪ଲକ୍ଷ ୩୬ହଜାର ଥଇଥାନ ହେଲା

ଢ଼େଁକି ରଫା ପାହାରୁନ ଧରି ଶାବଲ

ଚାଲ ହୋ ଚାଲ

ଜମି ଭୂମି ସବୁ ଗଲା ଜୀବନ୍ ଆକୁଲ ।

ଆଦିବାସୀ ଚାରିଲକ୍ଷ ଛୟାଶୀ ହଜାର

ଯିଏ ଯେନ୍ ଧନ୍ଦା କର୍ବା ଦେବେ ସରକାର

କୁକୁରା, ପାରା ଗୋପାଲନ ଦେବେ ସରକାର

ଜମି ଭୂମୀ ସବୁ ଗଲା ଜୀବନ୍ ଆକୁଲ ।

ପଢ଼ା ଲେଖା ଟୁକେଲ

ଏ.ଏନ୍.ଏମ୍. ଚାକିରୀ ପାଇବେ

ଉଷୋବାଟି ଛୁଆଲି କରି ସୁଖେଁ ଦିନ୍ କାଟିବେ ।

ଏହି ଗୀତ ଲେଖିଦେଲା ରାମକୃଷ୍ଣ ନିଆଲ

ଜମି ଭୂମୀ ସବୁ ଗଲା ଜୀବନ୍ ଆକୁଲ ।

ଦରଗାଁ ତିଖାଲିଠାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ କରିବା ସମୟରେ ସରକାର ବୁଡ଼ିଅଞ୍ଚଳର ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ଗାଁ’, ଘର ଓ ଜମି ହରାଉଥିବା ପରିବାରଙ୍କୁ ସରକାର ସମସ୍ତପ୍ରକାର ସହାୟତା ଯୋଗାଇ ଦେବେ । ଆଦିବାସୀ, ହରିଜନ ଓ ଭୂମିହୀନ ଲୋକଙ୍କୁ କାମଧନ୍ଦା ଦିଆଯିବ । କୁକୁଡ଼ା, ଗୋପାଳନ ତାଲିମ ଦିଆଯିବ। ଶିକ୍ଷିତ ଯୁବତୀମାନେ ଏ.ଏନ୍.ଏମ୍. ଚାକରୀ ପାଇବେ । ସାରାଅଞ୍ଚଳ ଘିଅ ମହୁରେ ଭାସିବ- ଏଭଳି ପ୍ରତିଶ୍ରୁତି ଦେଇଥିଲେ ସରକାର ।

ମାତ୍ର ସବୁ ପ୍ରତିଶ୍ରୁତି ପାଣିର ଗାର ହୋଇଗଲା । ପ୍ରତାରଣାର ଶିକାର ହେଲେ ବୁଡ଼ି ଗାଁ ଦରଗାଁ, କାଳିମାଟି, ଝାଲକୁସୁମ, ଲମ୍ବିପାଣି, ଦରଗାଁ ଖୁର୍ଦ୍ଦ, କୋଟାମାଲ, ବନାବିରା, ରଘୁପାଲି, ବୋଡ଼ାଛତର, ହରିପୁର, କୋଟନଘାଟ, ବେଲଗାଁ, ମାଟିଆପଦର, ରଜନା, ସନ୍ଧିବାହାଲି, ବିରୁନପଦର, ପେଣ୍ଡାବନ, ଭାଲୁବାହାଲ, ବଡ଼ମହେଶ୍ୱର, ଧରମସାଗର, ବାହାବଲ, ଡୁମେରବାହାଲ, ପତେଲ ବାହାଲି, କୋମନା, କେରେଇକେଲା, ଅଗ୍ରେନ, ସୋଲାବନ୍ଧା, ଟେଙ୍ଗନାବସା, ଉଲ୍ବା ଆଦି ଗାଁର ହଜାର ହଜାର ପରିବାର ।

ସବୁଠାରୁ ବେଶୀ ଦୁର୍ଦ୍ଦଶାର ଶିକାର ହେଲେ ଗାଁ’ଭୂଇଁ ଛାଡ଼ିଥିବା ଲୋକେ । ସରକାରଙ୍କଠାରୁ କ୍ଷତିପୂରଣ ରାଶି ଗ୍ରହଣ କରି ବୁଡ଼ିଅଞ୍ଚଳର ଲୋକେ ପୁଣି ନୂତନ ବାସଭୂମିର ସନ୍ଧାନରେ ଲାଗିପଡ଼ିଲେ । ମାତ୍ର ଯେଉଁଆଡ଼େ ଗଲେ ବୁଡ଼ିଅଞ୍ଚଳିଆ ଭାବରେ ତାଙ୍କ ପିଠିରେ ମୋହର ଲାଗିଗଲା ।

ରଘୁପାଲି ଗାଁ’ରୁ ଅନ୍ୟମାନଙ୍କ ପରି ଧନୁ ହଂସ ମଧ୍ୟ ଭିଟାମାଟି ଛାଡ଼ି ନିଜର ପିଲାଛୁଆ, ଜିନିଷପତ୍ର ଧରି ୧୨କିଲୋମିଟର ଦୂର ବିଶିବାହାଲ ଗାଁ’କୁ ଗଲେ । ସେଠାରେ ସେ ଏକ ଝାଟିମାଟିର କୁଡ଼ିଆଘର ତିଆରି କରିଥିଲେ। ମାତ୍ର ସେଠାରେ ତାଙ୍କୁ ଜଣେ କଳାକାର ଭାବରେ ସମ୍ମାନ ବଦଳରେ ମିଳିଲା ଲାଞ୍ଛନା ଓ ଅପମାନ। ସମସ୍ତେ ଛି’ଛାକର କଲେ । ତାଙ୍କୁ ଘୃଣା କଲେ ।

‘ତମେ କିଏ ଉଡ଼ି ଆଏଲା ପତର୍, ତମାକୁ ଜାଗା ଆସନ୍ କିଛି ନାଇଁ ଦେଉଁ’ ଗାଁ ଲୋକେ କହିଲେ । ବିଶିବାହାଲ ଗାଁ’ରେ କୀର୍ତ୍ତନ, ଘୁମୁରା ଆଦି ଅନେକ ସାଂସ୍କୃତିକ ଦଳ ଅଛି ମାତ୍ର ସେଠାରେ ଜଣେ ଗୁରୁ ହୋଇ ଗୁରୁର ସମ୍ମାନ ପାଇଲିନାହିଁ । ମୋର ଭାଗ୍ୟରେ ସେମିତି ଏକ ଗାଁ’ ଥିଲା ।

ପୁରୁଣା କଥାକୁ ମନେପକାଇ ଧନୁ ହଂସର ଆଖି ଲୁହରେ ଜକେଇ ହୋଇ ଆସୁଥିଲା । ଜଣେ ସ୍ୱାଭିମାନୀ କଳାକାର ଭାବେ ଦୁଃଖ ଓ ଯନ୍ତ୍ରଣାରେ ଜର୍ଜରିତ ହୋଇ ଧନୁ ହଂସ ସପରିବାର ପୁଣି ଲେଉଟିଆସିଲେ ନିଜର ପୁରୁଣା ଭିଟାମାଟି ରଘୁପାଲି ଗାଁ’କୁ । ହେଲେ ସେଇ ରଘୁପାଲି ଆଉ ସେତେବେଳର ରଘୁପାଲି ଗାଁ’ହୋଇ ରହିନାହିଁ ।

ନିଜ ବନ୍ଧୁବାନ୍ଧବ, ପାଖପଡ଼ିଶା ଗାଁ’ ଛାଡ଼ି ଯିଏ ଯୁଆଡ଼େ ଗଲେଣି । ଯେଉଁଆଡ଼େ ଦେଖିଲେ ଭଙ୍ଗା ମାଟିକାନ୍ଥ ନିଜ ଅସ୍ତିତ୍ୱକୁ ଖୋଜୁଛି। ଗାଁ’ମୁଣ୍ଡ ମହୁଲବଣରେ ମହୁଲ ଗଛଟିଏ ନାହିଁ କି ଭୋର ସକାଳୁ କୁକୁଡ଼ା ଡାକ ବେଳୁ ଭୁଗା ଟୁପା ଧରି ମହୁଲ ଗୋଟାଇବାକୁ ଯାଉଥିବା ବେଟିଖାଇର ମା’, ବରଜର କାକା, ମିଥିଲା କାକି, ଅର୍ଜୁନ, ଶାନ୍ତି, ତିଳୋତମା, ନିଆଲି, ଶମ୍ଭୁ, ବୈଶାଖୁ କେହି ନାହାଁନ୍ତି ।

ଦିନ ତମାମ ପିଲାଛୁଆଙ୍କ ଖେଳକୁଦ, ମଉଜ ମଜଲିସ ଫାଟି ପଡ଼ୁଥିବା ବଜନିଅାଁ ପରା ପୁରାପୁରି ଏବେ ଖାଁ ଖାଁ । କେବଳ ରଘୁପାଲି ଗାଁ’ ନୁହେଁ ଲମ୍ବିପାଣି, ଝାଲ୍କୁସୁମ୍, କାଳିମାଟି, ହରିପୁର ସବୁଠି ସମାନ ଚିତ୍ର । ଏହି ବୁଡ଼ି ଅଞ୍ଚଳରେ ଥିବା ଶହ ଶହ କଳାକାର ଏବେ କିଏ କୁଆଡ଼େ ଅଛନ୍ତି ତାହାର ସଠିକ୍ ହିସାବ କାହା ପାଖରେ ନାହିଁ । ବିସ୍ଥାପନର ମହାବାତ୍ୟା ସମସ୍ତଙ୍କୁ ଛିନ୍ ଭିନ୍ କରିଦେଇଛି ।

କହୁ କହୁ ଧନୁ ହଂସ ନିଜ ଛାତିରେ ଝୁଲାଇଥିବା ଦୁଇଟି ମେଡ଼ାଲକୁ କାଢ଼ିଦେଲେ । ୨୦୦୫ମସିହାରେ ତେଲେଙ୍ଗାପେଣ୍ଠ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ତାଙ୍କୁ ଏହି ମେଡ଼ାଲ ମିଳିଥିଲା । ସେହିପରି ଜଣେ କଳାକାରଭାବେ ଜାପାନରୁ ମିଳିଥିବା ମେଡ଼ାଲଟିକୁ ମଧ୍ୟ ସବୁବେଳେ ନିଜ ଛାତିରେ ଝୁଲାଇ ରଖିଥାନ୍ତି ସେ । କେବଳ ସେତିକି ନୁହେଁ, ଜଣେ ସାଂସ୍କୃତିକ ସଙ୍ଗଠକ, ସଂଯୋଜକ, ଗାୟକ, ସଙ୍ଗୀତଜ୍ଞ, ଗୁରୁ ଭାବେ ରାଜ୍ୟର ପ୍ରାୟ ୭୦/୮୦ଟି ସ୍ଥାନରୁ ତାଙ୍କୁ ପ୍ରମାଣପତ୍ର, ସ୍ୱୀକୃତି ପତ୍ର, ପ୍ରଶଂସାପତ୍ର ଆଦି ମିଳିଛି ।

ପିଲାଟି ଦିନରୁ ଆଜିଯାଏଁ ସଙ୍ଗୀତ ସାଧନା କରି ପାଇଥିବା ଧନୁ ହଂସ ପାଇଁ ଆଜି ଏହି ସାର୍ଟିଫିକେଟ ଗୁଡ଼ିକର କିଛି ମୂଲ୍ୟ ନାହିଁ । ସରକାର ତାଙ୍କଠାରୁ ସବୁ ସାର୍ଟିଫିକେଟ ନେଇଯାଆନ୍ତୁ ଏବଂ ତାଙ୍କ ରହିବାପାଇଁ କେବଳ ଜମି ପଟ୍ଟାଟିଏ ଦିଅନ୍ତୁ ଏହାହିଁ ଧନୁ ହଂସଙ୍କ ଏକମାତ୍ର ଆବେଦନ ।

ନିଜ ଭିତରେ ଭରି ରହିଥିବା ସମସ୍ତ ଦୁଃଖ, ଯନ୍ତ୍ରଣା ଏବଂ କ୍ଷୋଭକୁ ପୁଣି ଆମଆଗରେ ଗୀତରେ ପରଷି ଚାଲିଲେ ଧନୁ ।

ସର୍ ସର୍ ସର୍ ଝରି ପଡ଼ୁଛେ

ଦୁଇ ଆଖିର ଧାରା ହୋ ସରକାର

ନାଇଁ ପାରୁନ ଛେଁକି,

ଡେମ୍ ବାନ୍ଧିକରି ନଦୀର ପାଏନକେ

ପାର୍ବୁ ସିନେ ଛେଁକି

ହୋ ସରକାର ନାଇଁ ପାରୁନ ଇଧାର୍କେ ରୁକି ।

ପୁରଖା ଦିନର ମାଏଟ୍ କେ ଛାଡ଼ି

ଚାଲିଯିବୁ ହୋ କେନ୍କେ

ଦରଗାଁ ବନ୍ଧା ଜୀବନ୍ କନ୍ଦା

ନୂଅାଁ ଠାନ୍ ନୂଅାଁ ଗାଁ କେ

କରମ୍ ଫଟା ହୁରୁଦ ଫଟା

ଭାଙ୍ଗି ଗଲାନ ଗହକି ହୋ ସରକାର

ନାଇଁ ପାରୁନ ଇଧାର୍କେ ଛେଁକି ।

ଦରଗାଁ ଖୁଲି ଡେମ୍ ବାନ୍ଧୁଛେ

ସୁନ୍ଦର୍ ଇନ୍ଦର୍ ନଦୀ

କେନ୍ତା କର୍ମା ବାବୁର ବୁଆ

ନାଇଁ ଦିଶୁଛେ ବୁଦ୍ଧି

ବିହାବନ୍ଧନ ହସ୍ତ ଲଗନ୍

ସବୁ ରହିଗଲା ବାକି ହୋ ସରକାର…

ନାଇଁ ପାରୁନ ଇଧାର୍କେ ଛେଁକି ।

ରାମକୃଷ୍ଣ ଗଉଡ଼ ପିଲା ଲେଖି ଦେଇଛେ ଗୀତ

ନାଇଁ ଭୁଲ୍ବ ହେତଉ ଥିବ ଜୁହାର୍ ସଖି ମିତ

ବୁଡ଼ି ଅଞ୍ଚଲ୍ ଡହଲ୍ ବିକଲ୍

 ଚାନ୍ଦ୍ ସୁରୁଜ୍ ସାକ୍ଷୀ ହୋ ସରକାର…

ନାଇଁ ପାରୁନ ଇଧାର୍କେ ଛେଁକି ।

ରାତି ବଢ଼ୁଥାଏ । ଶୀତ ବି… । ଚାରିଆଡ଼େ ନିସ୍ତବ୍ଧ । ଧୂନୀ ଚାରିକଡ଼େ ଧନୁ ହଂସ ଏବଂ ଆମେ ତିନିଜଣ କେବଳ… । ସାରା ଖଡ଼ିଆଳ ସହର ନିଘୋଡ଼ ନିଦରେ । ଏକ ଐତିହାସିକ ପ୍ରତାରଣାର ଶିକାର ପାଲଟିଥିବା ଲୋୟର ଇନ୍ଦ୍ର ବୁଡ଼ି ଅଞ୍ଚଳର ଶତାଧିକ କଳାକାରଙ୍କ ପ୍ରତୀକ ଧନୁ ହଂସକୁ ସମବେଦନା ଛଡ଼ା ଆମପାଖରେ ଆଉକିଛି ହିଁ ନଥିଲା ।

ଲାଗୁଥାଏ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତ ଅବସ୍ଥା ଯଦି ଏୟା ତା’ହେଲେ ହୀରାକୁଦ, ରେଙ୍ଗାଲି, ଇନ୍ଦ୍ରାବତୀ ବୁଡ଼ିଅଞ୍ଚଳ ତଥା ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା, ହୋଇଚାଲିଥିବା ତଥା ହେବାକୁ ଥିବା ହଜାର ହଜାର କଳାକାର ଏବଂ ସାଂସ୍କୃତିକ କର୍ମୀ ଏବଂ ସର୍ବୋପରି ସାଧାରଣ ଲୋକଙ୍କର ଜୀବନ ଜୀବିକା ଏବଂ ଶହ ଶହ ବର୍ଷର ସଂସ୍କୃତିର ଅବସ୍ଥା କ’ଣ ହେଉନଥିବ?

ଲୋକମହୋତ୍ସବ ନାଁରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଆମ ରାଜ୍ୟର ସାଂସ୍କୃତିକ ଠିକାଦାରମାନଙ୍କ ପାଇଁ ଅବଶ୍ୟ ଏହା ଏକ ପ୍ରସଙ୍ଗ ନୁହେଁ ।

ଧନୁ ହଂସଙ୍କଠାରୁୁ ବିଦାୟ ନେଇ ଆମ ବସା ଘର ଆଡ଼େ ଶୋଇବାକୁ ଗଲାବେଳେ କାନରେ କେବଳ ସେଇ ଗୋଟିଏ କଥା ବାରମ୍ବାର ପ୍ରତିଧ୍ୱନିତ ହେଉଥାଏ… ‘ମୁଇଁ ଗୁଟେ ଦୁଃସ୍ଥ କଳାକାର। ସରକାର ମୋର ସବୁ ସାର୍ଟିଫିକେଟ୍ ନେଇଯାଉ, ମତେ ଗୁଟେ ଜମି ପଟ୍ଟା ଦେଇଦେଉ…। ରାମ ଭଗବାନ କୁରିଆଟେ ବନାଲା ବାଗିର୍ ବନାମି…, ଭୂତି କରିଯିମି…, ମାଏଟ୍ ବୁହିମି…, କୁଟୁମ୍ ପୁଷ୍ମି… ।’

About ଉମେଶ ଚନ୍ଦ୍ର ବିଶ୍ୱାଳ

ଉମେଶ ଚନ୍ଦ୍ର ବିଶ୍ୱାଳ
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା

Check Also

ଲୋକସଂସ୍କୃତି କ୍ରମରେ ‘ପାଲା’

ପାଲା ସଂସ୍କୃତି ପ୍ରଥମେ ଲୋକସଂସ୍କୃତି ଏବଂ ତା’ର ବର୍ଗୀକରଣରେ ଲୋକନାଟକର ଏକ ଅଂଶ ଏବଂ ଏହି ବିଭାଗରେ ଏହା ବୋଧେ …

One comment

  1. Avatar
    ରୁଚି ପାଣିଗ୍ରାହୀ

    ମନକୁ ଛୁଇଁବା ସହ ଭାବିବାକୁ ବାଧ୍ୟ କରିବା ଭଳି ଲେଖା

Leave a Reply

Your email address will not be published. Required fields are marked *