Home / ସମୀକ୍ଷା / ତ୍ରିକାଳ ହିଂସାର ବିଶ୍ୱରୂପ

ତ୍ରିକାଳ ହିଂସାର ବିଶ୍ୱରୂପ

ପରାଧୀନତା, ଶୋଷଣ, ଅସମତା, ଯୁଦ୍ଧ, ଧର୍ଷଣ, ଆତଙ୍କବାଦ, ଜନହତ୍ୟା, ଯନ୍ତ୍ରଣାଦାନ ଏ ସମସ୍ତେ ହିଂସାର ଭିନ୍ନ ଭିନ୍ନ ରୂପ । ବିଭିନ୍ନ ଯୁଗରେ ହିଂସାର ଭିନ୍ନ ଭିନ୍ନ ରୂପ ପ୍ରାଧାନ୍ୟ ପାଇଛି ।

ଅତୀତ: ‘ଧର୍ମାତ୍ ହି ଯୁଦ୍ଧାତ୍ ଶ୍ରେୟୋନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ’ । ଧର୍ମଯୁଦ୍ଧ ହେଉଛି କ୍ଷତ୍ରିୟର ଶ୍ରେଷ୍ଠ କର୍ତ୍ତବ୍ୟ । (ଗୀତା) ମହାଭାରତ ଯୁଦ୍ଧ କ’ଣ ଧର୍ମଯୁଦ୍ଧ ଥିଲା? ‘ଅଧର୍ମ ଯୁଦ୍ଧର ପ୍ରଧାନ କର୍ତ୍ତା ଥିଲେ ଶ୍ରୀକୃଷ୍ଣ ।’ ଏକଥା କହି ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଛନ୍ତି ମହାଭାରତର ମହିୟସୀ ନାରୀ ଗାନ୍ଧାରୀ, ଯେ ନିଜର ପୁତ୍ର ଦୁର୍ଯ୍ୟୋଧନକୁ ‘ବିଜୟୀ ହୁଅ’ ନକହି କହିଥିଲେ ‘ଧର୍ମର ଜୟ ହେଉ ।’

ପ୍ରତ୍ୟେକ ଯୁଦ୍ଧ ହିଁ ଅନ୍ୟାୟ । କୌଣସି ଯୁଦ୍ଧ ଧର୍ମଯୁଦ୍ଧ ହୋଇପାରେନା ।

ଗୀତାକୁ ଯୋଗଶାସ୍ତ୍ର କୁହାଯାଏ । ଯୋଗର ମୁଖ୍ୟ ବାର୍ତ୍ତା ହେଉଛି ଅହିଂସା ।‘ଅନାସକ୍ତ ହୋଇ ଯୁଦ୍ଧ କର’ ନିର୍ଦ୍ଦେଶରେ ରହିଛି ଚରମ ବୌଦ୍ଧିକ ଛଳନା । କୌଣସି ହିଂସାପ୍ରଧାନ କାର୍ଯ୍ୟ ଅନାସକ୍ତଭାବରେ କରିବା ଅସମ୍ଭବ (ମସ୍ତିଷ୍କ ମାନଚିତ୍ର ଅଙ୍କନ ((Brain-Mapping) ଦ୍ୱାରା ଏହା ପ୍ରମାଣିତ) । ଜଣେ ଅନାସକ୍ତ ରହି ଧର୍ଷଣ କରିପାରିବନି । ଗୀତା, ଏପରିକି ମହାଭାରତ ଥିଲା ଅହିଂସାର ଶାସ୍ତ୍ର । ତା’ର ରସ ଥିଲା ଶାନ୍ତରସ । ମହାଭାରତ ଓ ଗୀତାକୁ ହିଂସାର ଶାସ୍ତ୍ର କରିଦିଆଗଲା ତା’ର ରୂପ ବଦଳାଇ । (ହୁଏନସାଂଙ୍କ ବିବରଣୀରେ ଏହା ବର୍ଣ୍ଣିତ: କୋସାମ୍ବୀ) ।

ବିବର୍ତ୍ତନବାଦ ଯୁଦ୍ଧକୁ ପ୍ରକୃତିସୃଷ୍ଟ ମନେକରେନା (Stephen G. Gould-Exaptation) -ଏହା ମଣିଷସୃଷ୍ଟ ଏକ ଭୟାନକ ଅଭିଶାପ ସମଗ୍ର ମାନବ ପ୍ରଜାତି ପାଇଁ । ରାଷ୍ଟ୍ରବାଦ, ଦେଶପ୍ରେମ ସୃଷ୍ଟିକରନ୍ତି ଯୁଦ୍ଧ ସପକ୍ଷବାଦୀ ମାନସ । କବି ଗାଏ ହିଂସାପ୍ରଧାନ ବୀରର ଜୟଗାଥା । ଇତିହାସ ଲେଖେ ରୋମାଞ୍ଚ ଅତୀତର ଗୌରବମୟ ଯୁଦ୍ଧକାହାଣୀ । ଲୁଚିଯାଏ ଅସଂଖ୍ୟ ପରିବାରର ନାରୀ ଓ ଶିଶୁମାନଙ୍କର ଆର୍ତ୍ତନାଦ । ଭଙ୍ଗା ଭଙ୍ଗା ଜନପଦରେ ଅଭାବ, ରୋଗ ଓ ମୃତ୍ୟୁ ରଚନ୍ତି ତାଣ୍ଡବ ।
ବର୍ଟାଣ୍ଡ ରସେଲ, ଅସାଧାରଣ ପ୍ରତିଭା ତାଙ୍କର । ଦର୍ଶନ ଓ ଗଣିତରେ ନୂତନ ତଥ୍ୟ ଯୋଗାଇଛନ୍ତି ବିଶ୍ୱକୁ । ପ୍ରଥମ ବିଶ୍ୱଯୁଦ୍ଧ ତାଙ୍କ ବିବେକକୁ କଲା ଚାବୁକାଘାତ, ମାନବତା ହୋଇଛି ବିପନ୍ନ ।

ଇଂଲଣ୍ଡ୍ର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି, କ୍ୟାମ୍ବ୍ରିଜର ପ୍ରଫେସର, ବିଶିଷ୍ଟ ବୈଜ୍ଞାନିକ ଓହ୍ଲାଇଗଲେ ମୈଦାନକୁ ଯୁଦ୍ଧବିରୋଧୀ ବାର୍ତ୍ତା ନେଇ । ଖବରକାଗଜମାନେ ଚିକ୍ରାର କଲେ ‘ରସେଲ ଦେଶଦ୍ରୋହୀ’, ଜେଲରେ ପୂରାଇ ଦିଆଗଲା ତାଙ୍କୁ, ‘ଆଇ ବିଲିଭ୍’ ମୁଁ ବିଶ୍ୱାସ କରେ ପ୍ରବନ୍ଧରେ ସେ ପ୍ରକାଶକଲେ ହୃଦୟର ବେଦନା । ‘ସାରା ବିଶ୍ୱର ବୁଦ୍ଧିଜୀବୀମାନେ ବୁଦ୍ଧିଘରେ ପକାଇ ଦେଇଛନ୍ତି ତାଲା, ସେମାନେ ନିଜ ମୁକ୍ତ ବିଚାରକୁ ଗୋଷ୍ଠୀ ଆବେଗର ପ୍ରବାହରେ ଭସାଇ ସାରିଲେଣି’ ।

ଗୀତାର ଆଲୋଚନା କରିନାହାନ୍ତି କେଉଁ ପ୍ରଖ୍ୟାତ ଭାରତୀୟ ବିଦ୍ୱାନ? ଶଙ୍କର, ରାମାନୁଜ, ବିବେକାନନ୍ଦ, ଅରବିନ୍ଦ, ତିଳକ, ରାଧାକୃଷ୍ଣନ୍, ବୈରାଗୀ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାଶ: ଏକୁ ଆରେକ ବଳିୟାର । ଅସାଧାରଣ ପାଣ୍ଡିତ୍ୟ ସହ ଯୁକ୍ତ ହୋଇଯାଇଛି ବିଶ୍ୱବିସ୍ମୟୀ ପ୍ରତିଭା । କେବଳ ଗାନ୍ଧୀଙ୍କୁ ଛାଡ଼ି ଆଉ କେହି କହିନାହାନ୍ତି ଶ୍ରୀକୃଷ୍ଣ ଏକ ବଡ଼ ଅନ୍ୟାୟ କରିଛନ୍ତି ଅର୍ଜୁନଙ୍କୁ ଯୁଦ୍ଧରେ ଯୋଗଦେବାକୁ କହି । ମହାଭାରତ, ବିଶେଷତଃ ଗୀତା ସମ୍ପର୍କରେ କୋସାମ୍ବୀଙ୍କ ତଥ୍ୟାତ୍ମକ ମନ୍ତବ୍ୟକୁ କୌଣସି ଦିଗ୍ଗଜ ବିଦ୍ୱାନ ଗୁରୁତ୍ୱ ଦେଉନାହାନ୍ତି ।

ମୂଳଗୀତା ଖୋଜିବା ଏତେ ଦୁରୁହ ନୁହେଁ କାରଣ ବେଦୀୟ ଓ ଅବେଦୀୟ ସଂସ୍କୃତି ପାର୍ଥକ୍ୟ ନେଇ ଅନେକ ଶାସ୍ତ୍ରରେ ଯଥେଷ୍ଟ ପ୍ରମାଣ ମିଳୁଛି । ଗୀତାଗର୍ଭିତ ମହାଭାରତ ବେଦୀୟ ଆର୍ଯ୍ୟ ସଭ୍ୟତାର ନୁହେଁ । ମହେଞ୍ଜୋଦାରୋ-ହରପ୍ପାର ଯତିସଭ୍ୟତାର ମହାଭାରତ ଏକ ମହାର୍ଘ ଅବଦାନ । ଏହା ପ୍ରଥମେ ଥିଲା ଆଠହଜାର ଆଠଶହ (୮୮୦୦) ଶ୍ଳୋକ ବିଶିଷ୍ଟ । ରସେଲ ଲେଖିଛନ୍ତି, ‘ଯୁଦ୍ଧକୁ ସ୍ୱାଗତ କରି ଲୋକେ ପ୍ରମାଣିତ କରିଛନ୍ତି ଯେ ଆଜିର ଶିକ୍ଷା ବହୁମାତ୍ରାରେ ଗୋଷ୍ଠୀ ଘୃଣା(ବହୁ କମ ମାତ୍ରାରେ ମାନବୀୟ ପ୍ରେମ) ସୃଷ୍ଟି କରୁଛି ।’ ଆଜିର ପୃଥିବୀରେ ପ୍ରାୟ ସମସ୍ତ ଜନଗୋଷ୍ଠୀର ସଂସ୍କୃତି ସ୍ୱଗୋଷ୍ଠୀପ୍ରେମ ଓ ପରଗୋଷ୍ଠୀ ବିଦ୍ୱେଷକୁ ପ୍ରୋତ୍ସାହନ ଦେଉଛି ।

ବିଦ୍ୱାନମାନେ ସେମାନଙ୍କ ହେତୁବାଦୀ ଯୁକ୍ତିପ୍ରବଣ ମାନସ ଦକ୍ଷତାକୁ ଗୋଷ୍ଠୀ ସେବାରେ ଉତ୍ସର୍ଗ କରିଦଉଛନ୍ତି କାରଣ ସେହି ରାସ୍ତାରେ ଯାଇ ସେମାନେ ଯଥେଷ୍ଟ ଅର୍ଥ ଯଶ ଓ କ୍ଷମତାର ଅଧିକାରୀ ହୋଇପାରୁଛନ୍ତି । ନିଜର ଓ ବିଶ୍ୱ ସଂସ୍କୃତିର ଗଭୀରସ୍ତରରେ ପୋତାଥିବା ଅନ୍ୟାୟକୁ ବିରୋଧ କରି ଜନତାକୁ ପ୍ରଭାବିତ କରିବା ପାଇଁ ଯେଉଁ ଦୁର୍ଜୟ ଇଚ୍ଛାଶକ୍ତି ଓ ଦକ୍ଷତା ଦରକାର, ତାହା ଗୋଟିଏ ଗାନ୍ଧୀ ପକ୍ଷରେ କେବଳ ସମ୍ଭବ ହୋଇଥିଲା ।

ଆଧୁନିକ ଶୋଷଣଧର୍ମୀ, ଭୋଗବାଦୀ, ମିଲିଟାରୀ, ମନୋଭାବାପନ୍ନ ସଭ୍ୟତାର ସମାଲୋଚନାରେ ଗାନ୍ଧୀଙ୍କ ସମଧର୍ମୀ ଥିଲେ ରସେଲ ଓ ଆଇନଷ୍ଟାଇନ ଯଦିଓ ଆଉ କେତେକ ବିଚାର କ୍ଷେତ୍ରରେ ସେମାନେ ଥିଲେ ଅଲଗା ଶିବିରର ସଭ୍ୟ । ରସେଲ ଲେଖିଲେ, ଯେଉଁସବୁ ସଦଗୁଣ ମଣିଷକୁ ଉତ୍ତମ ପ୍ରାଣୀର ପରିଚୟ ଦେଉଛି, ସେଇସବୁ ସଦଗୁଣ ଯୁଦ୍ଧବେଳେ କେବଳ ମାନବତା-ବିରୋଧୀ ମନୋଭାବ କାର୍ଯ୍ୟକୁ ସବଳ କରନ୍ତି ।’ ଆଇନଷ୍ଟାଇନ୍ ଲେଖିଲେ, ‘ପରମାଣୁ ଯୁଗରେ ଜୟ କିମ୍ବା ପରାଜୟ କୌଣସି ଅର୍ଥପୂର୍ଣ୍ଣ କଥା ନୁହେଁ, ଉଭୟେ ହୁଅନ୍ତି ସର୍ବନାଶୀ ଧ୍ୱଂସପଥର ପଥିକ । ତେଣୁ ଆମପାଇଁ ଏକମାତ୍ର ରାସ୍ତା ହେଉଛି ଯୁଦ୍ଧ ଓ ଯୁଦ୍ଧଧମକ : ଉଭୟଟିକୁ ତେଜ୍ୟ ଘୋଷଣା କରିବା । ମୋର ସାରାଜୀବନ କେବଳ ଏଇ ଯୁଦ୍ଧବିରୋଧୀ କାର୍ଯ୍ୟରେ ଅତିବାହିତ ହୋଇଯାଉ ।’ (on the abolition of the threat of war)

ପ୍ରାକ୍ ବୈଦିକ ସମାଜ ଥିଲା ଅହିଂସ, ଜାତି ବିଭାଗ ବର୍ଜିତ, ଶୋଷଣହୀନ, ନାରୀପୁରୁଷ-ସମତାଯୁକ୍ତ ଏକ ସୁଖୀ ସମାଜ (ପଢ଼ନ୍ତୁ ଉତ୍ତର କୁରୁଦେଶର କଥା-ମହାଭାରତରେ) । ବେଦପୂର୍ବ ସମାଜ ଓ ସଂସ୍କୃତିକୁ ସମୃଦ୍ଧ ଓ ଜୀବନ୍ତ କରିଥିଲା ଅନ୍ୱୀକ୍ଷିକୀ’ । (ଦର୍ଶନ ଓ ଫିଲୋସଫିର ସମଗୋତ୍ରୀୟ ଏକ ଚିନ୍ତନ ଧାରା) । ‘ଅନ୍ୱୀକ୍ଷିକୀ ଥିଲା ଯୋଗ,ସାଂଖ୍ୟ ଓ ଲୋକାୟତର ସମାହାର (କୌଟିଲ୍ୟ) । ମହାଭାରତ ଓ ଗୀତା ମୂଳତଃ ‘ଅନ୍ୱିକ୍ଷିକୀ ବା ଯତି ସଂସ୍କୃତିର ଅମୃତ ଫସଲ ।

ଗାନ୍ଧୀ ତାଙ୍କର ଗଭୀର ଅନ୍ତର୍ଦୃଷ୍ଟି ଫଳରେ ବୁଝିପାରିଥିଲେ ଯେ, ଗୀତାହେଉଛି ଏକ ଅହିଂସା ନିର୍ଦ୍ଦେଶଧର୍ମୀ ଗ୍ରନ୍ଥ । ଭାରତୀୟ ଐତିହାସିକମାନେ ଭାରତୀୟ ସଂସ୍କୃତିର ଗଭୀରସ୍ତରକୁ କର୍ଷଣ କରିଥିଲେ ଗାନ୍ଧୀଙ୍କ ମତର ଯଥାର୍ଥତା ଯୁକ୍ତିପୂର୍ଣ୍ଣ ପ୍ରମାଣ ଦେଇ, ସାବ୍ୟସ୍ତ କରପାରିଥାନ୍ତେ କିନ୍ତୁ ସେଥିପାଇଁ ସେମାନଙ୍କ ମାନସ ଯେଉଁ ପାରାଡ଼ିଜିମ୍ ସିଫ୍ଟ ଆବଶ୍ୟକ କରୁଥିଲା, ତାହା ସେମାନେ କରିବାରେ ଅକ୍ଷମ ହେଲେ । କେବଳ ଜଣେ ପ୍ରତ୍ନତତ୍ତ୍ୱବିତ୍ ଜେଏନ୍ୟୁର ପୂର୍ବତନ ପ୍ରଫେସର ସିରିନ୍ ରତ୍ନାଗରଙ୍କ ଚିନ୍ତନରେ ଆମୂଳ ପରିବର୍ତ୍ତନ ସମ୍ଭବ ହେବାଫଳରେ କିଛି ନୂତନ ଚିନ୍ତନ ଇତିହାସ କ୍ଷେତ୍ରକୁ ଦେଇପାରିଲେ । ଫେମିନିଜିମ୍ ବା ବାମାବାଦୀ -ପ୍ରଭାବିତ ଊମା ଚକ୍ରବର୍ତ୍ତୀଙ୍କ ଦ୍ୱାରା ବୌଦ୍ଧ ଭାରତର ସ୍ପଷ୍ଟ ବର୍ଣ୍ଣବିଭାଗବର୍ଜିତ ଚିତ୍ର ଆଙ୍କିବା ସମ୍ଭବ ହୋଇଥିଲା ।

ରମିଲା ଥପ୍ପର କେତେକ ଅନ୍ତର୍ଦୃଷ୍ଟି ସମ୍ପନ୍ନ ଆବିଷ୍କାରକୁ ଆଲୋକକୁ ଆଣି ଆମକୁ ଚମକାଇ ଦେଇଛନ୍ତି କିନ୍ତୁ କୋଉ ଅନନ୍ୟ ପୃଷ୍ଠଭୂମି ଯୋଗୁଁ ପ୍ରାଚୀନ ଭାରତୀୟ ସଭ୍ୟତା ଆଧ୍ୟାତ୍ମିକ ନଥିଲା ଏବଂ ଭାରତୀୟ ସଂସ୍କୃତିରେ ଶତ୍ରୁଭାବ ଅନୁପସ୍ଥିତ ଥିଲା ତାହା ସେ ବିଶ୍ଳେଷଣ କରିନାହାନ୍ତି ।

ସେଭଳି ଦୁଇଟି ଈଶ୍ୱରବିହୀନ ଧର୍ମର କେବଳ ଭାରତରେ ଆବିର୍ଭାବ ଓ ଜାତିବିଭାଗ ଓ ଅସ୍ପୃଶ୍ୟତା ଭଳି ଦୁଇଟି କଳଙ୍କିତ ପ୍ରଥାର ଭାରତରେ ଉପସ୍ଥିତି କେଉଁ ଭିତ୍ତିଭୂମିର ପରିଣାମ, ସେ ସମ୍ପର୍କରେ ଯୁକ୍ତିଯୁକ୍ତ ବ୍ୟାଖ୍ୟା କୌଣସି ଚିନ୍ତକ ଦେଇନାହାନ୍ତି । ଥପ୍ପରଙ୍କ ଭଳି ଅମର୍ତ୍ତ୍ୟସେନ୍ ମଧ୍ୟ ଭାରତୀୟ ସଂସ୍କୃତିରେ ନିରୀଶ୍ୱରବାଦୀ ଚିନ୍ତନର ଆଧିକ୍ୟକୁ କେବଳ ଦର୍ଶାଇ ନୀରବ ହୋଇଯାଇଛନ୍ତି ।
ଭାରତୀୟ ଦାର୍ଶନିକମାନେ ଚାର୍ବାକଙ୍କୁ (ଭୋଗବାଦୀ) କହି ଉପରଠାଉରିଆ ଭାବରେ ଗ୍ରୀକ୍ ଦାର୍ଶନିକ ଏପିକ୍ୟୁରାସଙ୍କ ସହ ତାଙ୍କୁ ସମସ୍ତରରେ ରଖିଦେଇଛନ୍ତି ।

ଦେବୀପ୍ରସାଦ ଚଟ୍ଟୋପାଧ୍ୟାୟ କିଛି ମାତ୍ରାରେ ଚାର୍ବାକଙ୍କୁ ନ୍ୟାୟ ଦେଇଛନ୍ତି କିନ୍ତୁ କୌଣସି ଦାର୍ଶନିକ କେବେ ଚେଷ୍ଟା କରିଛନ୍ତି ଜାଣିବା ପାଇଁ କାହିଁକି ମହାଭାରତ ଓ ଗୀତାରେ ଏଭଳି କେତେକ ଉକ୍ତି ରହିଛି ଯାହା କେବଳ ଲୋକାୟତିକମାନଙ୍କର ହେବା ସମ୍ଭବ । ଦାର୍ଶନିକ ଓଲିଭର ଲିମେନ୍ ଲେଖିଲେ ‘ଚାର୍ବାକଙ୍କ ଶତ୍ରୁମାନେ ମଧ୍ୟ ଏକମତ ଯେ ଚରବାକ ପନ୍ଥୀମାନେ ଥିଲେ ଆହାର ବିହାରରେ ସଂଯତ ।’(କି କନସେପ୍ଟ ଇନ୍ ଇଷ୍ଟର୍ନ୍ନ ଫିଲୋସୋଫି) । ପ୍ରାକ୍ ବୈଦିକ ସଂସ୍କୃତିକୁ ଜାତୀୟବାଦର ସିନ୍ଦୁୁକରେ ତାଲା ପକାଇବା ଉଚିତ ନୁହେଁ କାରଣ ସେ ଯୁଗରେ ଚିନ୍ତକମାନେ ଥିଲେ ମନପ୍ରାଣ ବାକ୍ୟରେ ସର୍ବଭୂତହିତ-ଭାବନାର ଧ୍ୱଜାଧାରୀ ।

ୟୁରୋକୈନ୍ଦ୍ରିକ ଜ୍ଞାନପ୍ରବୀଣ ଭାରତୀୟ ପ୍ରାଜ୍ଞମାନଙ୍କର ଚିନ୍ତନରେ ଆମୂଳ ପରିବର୍ତ୍ତନ ନ ଘଟିଲେ ସେମାନେ ଭାରତର ଏହି ସର୍ବପ୍ରାଣୀପ୍ରେମୀ ଅହିଂସ ଯତି ସଂସ୍କୃତିର ରୂପାୟନ କରିବାରେ ନିଶ୍ଚୟ ଅସମର୍ଥ ହେବେ ଓ ପ୍ରାଚୀନ ଜଗତର ଶ୍ରେଷ୍ଠ ଦାର୍ଶନିକ ଚାର୍ବାକଙ୍କ ସଠିକ୍ ମୂଲ୍ୟାୟନ କରିବାରେ ଅକ୍ଷମ ହେବେ ।
ବର୍ତ୍ତମାନ :
ପୃଥିବୀର ବହୁଦେଶର ଗଣବିଦ୍ରୋହ ଦେଖାଦେଇଛି । ବିଦ୍ରୋହୀଙ୍କ ଉପରେ ପରମାଣୁ ବୋମା ପକାଇବା ପାଇଁ ଦଳେ ରାଜନୀତିଜ୍ଞ ଦାବୀ କରୁଛନ୍ତି ।
ପ୍ରକୃତି ପ୍ରାୟ ଅହିଂସ ବାନର ଜାତୀୟ ଏକ ପ୍ରାଣୀ ପ୍ରଜାତି ସୃଷ୍ଟି କରି ତାକୁ ଏକ ଶକ୍ତିଶାଳୀ ସୃଜନଶୀଳ ମସ୍ତିଷ୍କ ଦେବା ପ୍ରକ୍ରିୟା କୋଟି କୋଟି ବର୍ଷ ଧରି ଜାରି ରଖିଥିଲା । ତା’ର ଏ ଉଦ୍ୟମ ବ୍ୟର୍ଥ ହୋଇଗଲା । ତେଣୁ ପ୍ରକୃତି ଧିରେ ଧିରେ ମଣିଷ ମସ୍ତିଷ୍କର କୋଷମାନଙ୍କର ସଂଖ୍ୟା କମାଇ ଚାଲିଛି । ଏ ପ୍ରକ୍ରିୟା ବନ୍ଦ ନହେଲେ ଦିନେ ମଣିଷ ତା’ର ସୃଜନଶୀଳତାକୁ ହରାଇ ବସିବ; ବାଘ, ସିଂହ, ଗଧିଆ, ବିରାଡ଼ି ଭଳି ମାଂସଭକ୍ଷୀ ଜୀବମାନଙ୍କ ସଂଖ୍ୟା ସୀମିତ କରିବା ପାଇଁ ପ୍ରକୃତି ଯେମିତି ସେମାନଙ୍କର ପୁରୁଷମାନଙ୍କୁ ଶିଶୁହତ୍ୟାକାରୀର ପ୍ରବୃତ୍ତି ଦେଇଛି, ମଣିଷ କ୍ଷେତ୍ରରେ ଠିକ୍ ସେଭଳି ଘଟିବା ସୂଚନା ମିଳୁଛି ।

କେବଳ ଶିଶୁମାନଙ୍କୁ ନୁହେଁ, ନାରୀମାନଙ୍କୁ ପୁରୁଷ ମଣିଷ ଯନ୍ତ୍ରମାନେ ନିର୍ବିଚାରରେ ଗଣଧର୍ଷଣର ଶିକାର କରାଇ ହତ୍ୟା କରୁଛନ୍ତି, ତେଣୁ ମାନବପ୍ରଜାତିର ବଂଶଲୋପ ପ୍ରକ୍ରିୟା ଦ୍ରୁତଗତିରେ ଚାଲିଛି । (୨୦୨୦ର ଜଣେ ବିଜ୍ଞାନୀଙ୍କ ଲେଖାରୁ) ବେକନ୍ ଲେଖିଲେ ‘ଜ୍ଞାନ ହିଁ ଶକ୍ତି’ । ଏଇ ରାସ୍ତାରେ ଯାଇ ମଣିଷ ହେଲା ପ୍ରକୃତି ବିଜୟୀ(ପ୍ରକୃତି ଧର୍ଷକ?) । ଅନ୍ୟ ପ୍ରଜାତିର ପ୍ରାଣୀଙ୍କୁ ଯନ୍ତ୍ରଣାଦେବା ଓ ହତ୍ୟା କରିବା ତା’ପାଇଁ ହେଲା ସ୍ୱାଭାବିକ । ତା’ପରେ ପଡ଼ିଲା ନାରୀ ଓ ଅପେକ୍ଷାକୃତ ଦୁର୍ବଳ ଗୋଷ୍ଠୀର ମଣିଷଙ୍କ ପାଳି ।
ସାହିତ୍ୟ, ଧର୍ମ, ବିଜ୍ଞାନ: ସମସ୍ତେ ମଣିଷକୁ ଏ କାମରେ ଉତ୍ସାହିତ କଲେ । କେବଳ ଯତି ସଭ୍ୟତା ଦେଇଥିଲା ଅହିଂସା, ମୈତ୍ରୀ ଓ କରୁଣାର ବାର୍ତ୍ତା । ସେହି ଅନ୍ୱୀକ୍ଷିକୀ ଗର୍ଭିତ ସଭ୍ୟତାର ଆଲୋଚକ କାହାନ୍ତି? ମନେହୁଏ ଲୋଭ ଓ ହିଂସା ଜର୍ଜରିତ ଆଧୁନିକ ସଭ୍ୟତାର ଅନ୍ତିମ ଦିନ ପାଖେଇ ଆସୁଛି ।

(ଭଗବତ ପ୍ରସାଦଙ୍କର ଏହି ଲେଖାଟି ଆଜିର ଦିନରେ ବହୁଭାବରେ ପ୍ରାସଙ୍ଗିକ ମନେହୁଏ ବିଶେଷକରି ଯେତେବେଳେ ଦେଶର ସର୍ବୋଚ୍ଚ ଶାସକମାନେ ଘୃଣା, ଯୁଦ୍ଧ ଏବଂ ହିଂସାର ପ୍ରଚାରରେ ଆନନ୍ଦ ଅନୁଭବ କରନ୍ତି । ଶାନ୍ତିର ବାର୍ତ୍ତା ପ୍ରଚାର କରିଆସିଥିବା ଭାରତ ଦେଶରେ ଯୁଦ୍ଧ, ହିଂସାର ମଞ୍ଜି ଯେଉଁମାନେ ରୋପଣ କରିଛନ୍ତି ସେମାନେ ଭାରତର ଏବଂ ଭାରତୀୟ ସାଂସ୍କୃତିକ ଧାରାର ଅଶେଷ କ୍ଷତି ସାଧନ କରୁଛନ୍ତି ଏଥିରେ ସନ୍ଦେହନାହିଁ । ଏହିଭଳି ଏକ ଭୟଙ୍କର ଯୁଦ୍ଧର ବିଭିଷିକାରୁ ଦେଶବାସୀଙ୍କୁ କ୍ଷାନ୍ତ କରିବା ଓ ସମସ୍ତଙ୍କ ଭିତରେ ସ୍ନେହଁ, ପ୍ରେମ ଓ ଭଲପାଇବାର ମଞ୍ଜି ପୁଣିଥରେ ବୁଣିବାପାଇଁ ସମଧ୍ୱନିର ଏହା ଏକ ବିନମ୍ର ପ୍ରୟାସ । ମନେପଡ଼େ ଜଣେ ଗୀତିକାରଙ୍କର ପଦଟିଏ; ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ, ବୈରୀ ନୁହେଁ ଆମେ ମୈତ୍ରୀ ଚାହୁଁ, ପ୍ରତିଟି ଘୃଣାର ଆମେ ଅନ୍ତ ଚାହୁଁ … ଆମେ ଶାନ୍ତି ଚାହୁଁ… ଆମେ ଶାନ୍ତି ଚାହୁଁ…। ସମଗ୍ର ଭାରତ ଓ ବିଶ୍ୱରେ ସମଧ୍ୱନିର ଏହି ଶାନ୍ତିର ବାର୍ତ୍ତା ଜନଗଣଙ୍କ ହୃଦୟରେ ଭରିଯାଉ ପୁଣିଥରେ ଆମ ଦେଶରେ ତଥା ବିଶ୍ୱରେ ଶାନ୍ତି, ମୈତ୍ରୀ ପ୍ରତିଷ୍ଠା ହେଉ – ସମ୍ପାଦକ)
ସମଦୃଷ୍ଟିର ୧-୧୫ ଜୁନ୍ ୨୦୧୦ରେ ପ୍ରକାଶିତ ଏହି ଲେଖାଟିର କିଛି ଅଂଶ ଏଠାରେ ଉଦ୍ଧୃତ କରାଯାଇଛି ।

Photo credit – https://www.google.com/search?biw=1366&bih=603&tbm=isch&sa=1&ei=8Zl2XPqoBsT69QPA_b-QBQ&q=for+peace+on+peace+matma+gandhi&oq=for+peace+on+peace+matma+gandhi&gs_l=img.3…221161.231958..232808…0.0..0.128.5444.2j48……0….1..gws-wiz-img…….0j0i24.4gHUiBrVZ7s#imgrc=ld4BxFOmYbKnDM:

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ମୟୂରଭଞ୍ଜ ଛଉ ନାଟ (ଡ଼ଗର ପୃଷ୍ଠାରୁ)

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର  ଛଉର ମୂଳ କଉଠି, ସେଟା ଖୋଜିବେ ଐତିହାସିକମାନେ। ମୋତେ ଭଲ ଲାଗିଲା ନାଚଟା-ଆଖିକି ରୁଚିଲା ମୁଁ …

2 comments

  1. Avatar

    What is war…histrorical knowledge……really…huensa….gandhiji….are great….

    Geeta..knowledge….gives us war..which…is..rootof suffering…
    Original geeta gives us Piece…love…nonviolence….

Leave a Reply

Your email address will not be published. Required fields are marked *