Home / ସଙ୍ଗୀତ / ଚୀର ବନ୍ଦନୀୟ ବାଣୀକଣ୍ଠ

ଚୀର ବନ୍ଦନୀୟ ବାଣୀକଣ୍ଠ

‘୰ବାଣୀକଣ୍ଠ ନିମାଇଁ ହରିଚନ୍ଦନ’ ଯାହାଙ୍କର ସ୍ୱରର ଯାଦୁ ଆଜିବି ଓଡ଼ିଶାର ପୁରପଲ୍ଲୀର ମଣିଷଙ୍କୁ ସଙ୍ଗୀତର ମୂର୍ଚ୍ଛନାରେ ଆତ୍ମହରା କରେ । ତାଙ୍କ କଣ୍ଠରୁ ପଦେ ଶୁଣିଲେ ମଣିଷ ପ୍ରାଣରେ ନବଉଦ୍ଧିପନା ପ୍ରକାଶିତ ହେଉଥିଲା । ଏମିତି ଦିନ ଥିଲା ଯେତେବେଳେ ନିମାଇଁଚରଣଙ୍କ ସ୍ୱର ସହିତ ଯୋଡ଼ିହୋଇ ଓଡ଼ିଶାର ପୂରପଲ୍ଲୀ ସକାଳକୁ ଆବାହନ କରୁଥିଲେ । ସେ କେବଳ ଜଣେ ମହାନ କଣ୍ଠଶିଳ୍ପି ନଥିଲେ ବରଂ ଜଣେ ସଙ୍ଗୀତଜ୍ଞ ହିସାବରେ ବାଣୀକଣ୍ଠ ୧୯୪୦ ଦଶକରେ ବାରୀପଦା ସାହିତ୍ୟ ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନରେ “ସଙ୍ଗୀତ ସମ୍ବନ୍ଧରେ ପଦେ” ଶୀର୍ଷକ ଆଲୋଚନା ଉପସ୍ଥାପିତ କରିଥିଲେ । ପ୍ରଫେସର କୈଳାଶଚନ୍ଦ୍ର ଦାସ ବାଣୀକଣ୍ଠଙ୍କ ଉପରେ ଏକ ଆଲେକ୍ଷ୍ୟ ପ୍ରସ୍ତୁତ କରି ଜଣେ ମହାନ ସଙ୍ଗୀତଜ୍ଞଙ୍କୁ ପୁଣିଥରେ ଓଡ଼ିଶାବାସୀଙ୍କୁ ମନେପକାଇଦେବାକୁ ଚେଷ୍ଟା କରିଛନ୍ତି ।”- ସମ୍ପାଦକ

ଓଡ଼ିଶାର ସାଂସ୍କୃତିକ ଇତିହାସରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନ (୧୯୦୧-୧୯୮୩) ଏକ ଅବିସ୍ମରଣୀୟ ଚରିତ୍ର । ଜୀବନର ଦୀର୍ଘ ପଚାଶ ବର୍ଷରୁ ଉଦ୍ଧ୍ୱର୍କାଳ ସଙ୍ଗୀତ ଚର୍ଚ୍ଚାରେ ବିନିଯୋଗ କରି ଓଡ଼ିଶୀ ସଙ୍ଗୀତକୁ ବଞ୍ଚାଇ ତାର ସଦର୍ପ ଓ ସବିଶେଷ ପ୍ରସାର ଓ ପ୍ରଚାର କରିବାରେ ତାଙ୍କର ଅଦମ୍ୟ ଉଦ୍ୟମ ସର୍ବାଗ୍ରେ ସ୍ମରଣୀୟ ଓ ବରଣୀୟ ମଧ୍ୟ । ତାଙ୍କର ସମଗ୍ର ସଙ୍ଗୀତଜ୍ଞ ଜୀବନ ଏପରି ଏକ ଜାତୀୟତା ମର୍ମରେ ମର୍ମରିତ, ଶବ୍ଦରେ ଶବ୍ଦାୟିତ, ଛନ୍ଦରେ ଛନ୍ଦାୟିତ ଓ ରଙ୍ଗରେ ରଙ୍ଗାୟିତ, ଯେ ତାହା ଯୁଗଯୁଗ ପାଇଁ ଓଡ଼ିଶୀ ସଙ୍ଗୀତର ବିଚାର ବିବେଚନାରେ ଆମର ଉତ୍ତର ସାଧକମାନଙ୍କୁ ପଦେପଦେ ପ୍ରେରଣା ପୁଷ୍ଟ କରିବ-ଏପରି ମତ ବାଣୀକଣ୍ଠ ନିମାଇଁ ହରିଚନ୍ଦନ ସ୍ମାରକୀ ଗ୍ରନ୍ଥରେ ସମ୍ପାଦକ ମୁରାରୀମୋହନ ଜେନା ୧୯୮୫ ମସିହାରେ ଦେଇଥିଲେ ।

ଓଡ଼ିଶାର ମାଟିମଟାଳରେ ପାଣିପବନରେ ଜନଜୀବନରେ ସେ ପ୍ରାଣବନ୍ତ ଓ ମହିମାବନ୍ତ ପ୍ରତିଷ୍ଠା ଅର୍ଜ୍ଜନ କରିଥିଲେ । ତାଙ୍କ କଣ୍ଠରୁ ଓଡ଼ିଶୀ, ଛାନ୍ଦ, ଭଜନ ଓ ଚମ୍ପୂ ପ୍ରଭୃତି ଶୁଣିବାକୁ ସୁଖଦାୟୀ ଓ ସୁଲଳିତ । ତାଙ୍କ ଭଜନମାନ ଭକ୍ତିର ଜାହ୍ନବୀ ପ୍ରବାହ କରିଥିଲା । ଅସୀତ ମହାନ୍ତିଙ୍କ ଲଳିତ ଆଲୋଚନାରେ ସେ ବାଣୀସାଧକ ତଥା ବାଣୀକଣ୍ଠ ରୂପେ ବର୍ଣ୍ଣିତ । (ନିମାଇଁ ହରିଚନ୍ଦନ ସ୍ମାରକୀ ଗ୍ରନ୍ଥ, ୧୯୮୫)
କେନ୍ଦ୍ରାପଡ଼ାର ବିଖ୍ୟାତ ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶରେ ୧୯୦୧ ମସିହା ଜୁଲାଇ ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ ଓ ମାତା ଇନ୍ଦ୍ରମଣୀ ଦେବୀ । ସେ ୧୪ବର୍ଷ ବୟସରୁ ସଙ୍ଗୀତ ପ୍ରତି ଆକୃଷ୍ଟ ହେଲେ । ତାଙ୍କର ପିତୃବ୍ୟ ସଙ୍ଗୀତଜ୍ଞ ଗୋକୁଳ ଶ୍ରୀଚନ୍ଦନ ତାଙ୍କର ପ୍ରଥମ ଗୁରୁ ।

ରାସଲୀଳାର ଅନ୍ୟତମ ପ୍ରବର୍ତ୍ତକ ନୟାଗଡ଼ ରାଜବଂଶୀୟ ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ରାସ ଦଳରେ ୧୬ବର୍ଷ ବୟସରେ ଯୋଗଦେଇ କିଛି ଅଭିଜ୍ଞତା ଲାଭ କଲେ । ହିନ୍ଦୁସ୍ଥାନୀ ସଙ୍ଗୀତର ଓସ୍ତାଦ୍ ମାଧୋ ରାଓଙ୍କଠାରୁ ଏହାପରେ ସଙ୍ଗୀତ ଶିକ୍ଷାଲାଭ କଲେ। ପରେ ପ୍ରସିଦ୍ଧ ମୋହନ ସୁନ୍ଦର ଗୋସ୍ୱାମୀଙ୍କ ରାସ ଦଳରେ ସେ ମଧ୍ୟ ୧୯୨୩ରେ ଯୋଗ ଦେଇଥିଲେ। (ଅସୀତ ମହାନ୍ତିଙ୍କ ଆଲୋଚନା, ୧୯୮୫) ସେ ଯୌବନର ଆରମ୍ଭରୁ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇ ସଙ୍ଗୀତ ସାଧାନାରେ ମଗ୍ନ ରହିଥିଲେ । ସଙ୍ଗୀତ ଶିକ୍ଷକର ବୃତ୍ତି ମଧ୍ୟ କରି ଜୀବନ ନିର୍ବାହ କରିଥିଲେ।

୧୯୩୩-୩୪ ମସିହା ସୁଦ୍ଧା ନିମାଇଁ ହରିଚନ୍ଦନ ସଙ୍ଗୀତ ଜଗତରେ ଜନପ୍ରିୟତା ଅର୍ଜ୍ଜନ କରିସାରିଥିଲେ। ଏହି ସମୟରେ ସେ ପ୍ରଥମେ ତାଙ୍କର ପିତୃବ୍ୟ ଗୋକୁଳଚନ୍ଦ୍ର ଓ କଟକର ଗ୍ରାମଫୋନ କମ୍ପାନୀ ସହାୟତରେ ହିଜ ମାଷ୍ଟରସ ଭଏସରେ ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ଛାନ୍ଦଟି ଗାଇଥିଲେ । ୧୯୩୪ ମସିହାରେ ଏଚ୍.ଏମ୍.ଭି କମ୍ପାନୀ ତାଙ୍କର ପ୍ରସିଦ୍ଧ ଆଧୁନିକ ଗୀତ “ଗରଜିଲା ମେଘ ବରଷେ ନାହିଁ ଗୋ” ରେକର୍ଡ଼ କରି ଓଡ଼ିଆ ସଙ୍ଗୀତ ଜଗତରେ ଚହଳ ପକାଇ ଦେଇଥିଲା।

ଏହି ଗୀତଟି ହରିଚନ୍ଦନ ପ୍ରଥମେ କନିକା ରାଜାଙ୍କ ବିବାହ ଉତ୍ସବରେ ଗାଇଥିଲେ ବୋଲି ପ୍ରସିଦ୍ଧ ଲେଖିକା ପଦ୍ମାଳୟା ଦାସ ଜୁଲାଇ ୮, ୧୯୬୯ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ ଖବରକାଗଜରେ ପ୍ରକାଶ କରିଥିଲେ। ତାଙ୍କର ସଙ୍ଗୀତ ପ୍ରବଣତାକୁ ଲକ୍ଷ୍ୟକରି ୧୯୩୩ ବେଳକୁ ଆଠଗଡ଼ ରାଜା ତାଙ୍କ ଦରବାରରେ ତାଙ୍କୁ ସଙ୍ଗୀତଜ୍ଞ ଭାବରେ ଗ୍ରହଣ କରିଥିଲେ । ରାଜା ତାଙ୍କୁ ମାସିକ ୩୦ ଟଙ୍କା ବେତନ ଦେଇଥିଲେ। ହରିଚନ୍ଦନ ୧୪ବର୍ଷ କାଳ ସେଠାରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରିଥିଲେ ।

କଲିକତା ବେତାର କେନ୍ଦ୍ରରୁ ଓଡ଼ିଆ ସଙ୍ଗୀତ ଗାନ କରିବାପାଇଁ ତାଙ୍କୁ ସେତେବେଳେ ଆମନ୍ତ୍ରଣ ଆସିଥିଲା। ହରିଚନ୍ଦନ ମଧୁସୂଦନ ଦାସଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ । ୧୯୩୪ ମସିହାରେ ମଧୁସୂଦନଙ୍କ ଦେହାନ୍ତରେ ସେ କଟକ ଟାଉନ ହଲ ସଭାରେ ନିକୁଞ୍ଜ କିଶୋର ଦାସଙ୍କ ରଚିତ ଗୀତ ଗାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଉତ୍କଳ ସମ୍ମିଳନୀ ମଞ୍ଚରେ ସେ ବହୁବାର ଜାତୀୟତା ଭାବଗର୍ଭକ ଗୀତ ବିନା ମାଇକ ସାହାଯ୍ୟରେ ଗାଇ ଓଡ଼ିଆ ଅସ୍ମିତାକୁ ପ୍ରସାରିତ କରିଥିଲେ ।

ବିନାୟକ ମିଶ୍ରଙ୍କ ରଚିତ “ଚକା ଡ଼ୋଳା କିମ୍ପା ଡ଼କା” ଗୀତ ତାଙ୍କର କଣ୍ଠରେ ଅତ୍ୟନ୍ତ ଜନପ୍ରିୟ ହୋଇପାରିଥିଲା। ୧୯୩୫ ମସିହା ସୁଦ୍ଧା ତାଙ୍କର ଆଠଗୋଟି ଗୀତ ରେକର୍ଡ଼ ହୋଇଥିଲା ଏବଂ ବିତଳକୁ ଆଲିଙ୍ଗନ ଗାନର ୪୦୦ ଖଣ୍ଡ ବିକ୍ରି ହୋଇଥିଲା । ଆଶା ୨୩ମେ ୧୯୩୫ ମସିହାର ସଂଖ୍ୟାରେ ଏହି ପ୍ରସଙ୍ଗର ଆଲୋଚନା ବେଳେ ହରିଚନ୍ଦନଙ୍କୁ ପ୍ରଶଂସା କରାଯାଇଥିଲା।

୧୯୩୪ ମସିହାରେ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜରେ ଛାନ୍ଦ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରୀର ଗଜପତି ରାଜାଙ୍କ ସ୍ୱର୍ଣ୍ଣପଦକ ଏବଂ ୧୯୩୮ ମସିହାରେ ଉତ୍କଳ ସଙ୍ଗୀତ ସମାଜରେ ଓଡ଼ିଶୀ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଲାଭକରି ସ୍ୱର୍ଣ୍ଣପଦକ ପାଇଥିଲେ । (ଖଗେନ୍ଦ୍ର ନାଥ ମଲ୍ଲିକଙ୍କ ଆଲୋଚନା, ବାଣୀକଣ୍ଠ ସ୍ମାରକୀ ଗ୍ରନ୍ଥ, ୧୯୮୫) ୧୯୪୩ ମସିହା ସୁଦ୍ଧା ତାଙ୍କର ସଙ୍ଗୀତ କ୍ଷେତ୍ରରେ ଜନପ୍ରିୟତା ପ୍ରସାରିତ ହୋଇଥିଲା ।

ଏଚ.ଏମ୍.ଭି କମ୍ପାନୀ ତାଙ୍କର ବହୁ ଗୀତ ରେକର୍ଡ଼ କରି ୧୯୪୩ ମସିହାରେ ତାଙ୍କୁ ବାଣୀକଣ୍ଠ ଉପାଧିରେ ଭୂଷିତ କରିଥିଲେ । ହରିଚନ୍ଦନ ୧୯୪୭ ମସିହା ଡ଼ିସେମ୍ବର ୨୮ତାରିଖରେ କଟକ ବେତାର କେନ୍ଦ୍ରରେ “ଶ୍ରୀରାଧା ବାତୁଳୀ” ଗୀତ ଗାନ କରି ପ୍ରସିଦ୍ଧ ହୋଇଥିଲେ ଏବଂ ଜଣେ ଦକ୍ଷ ବେତାର ଶିଳ୍ପୀ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିପାରିଥିଲେ। ୧୯୫୦ ମସିହାରେ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ତାଙ୍କଦ୍ୱାରା ଦୁଇଟି ଜଗନ୍ନାଥ ଜଣାଣ-ନୀଳ ସିନ୍ଧୁତୀରେ ନୀଳ ଅଚଳ ଓ ଚକାଡ଼ୋଳା କିମ୍ପା ଡ଼କା ପରିବେଶିତ ହୋଇ ଓଡ଼ିଆ ସଙ୍ଗୀତ ଜଗତରେ ନବ ଆଲୋଡ଼ନ ସଂ•ର କରିଥିଲା । ୧୯୫୦ ମସିହାରେ ଅନୁଗୁଳରେ ଅନୁଷ୍ଠିତ ପ୍ରଥମ ସର୍ବୋଦୟ ସମ୍ମିଳନୀରେ ୯୦୦ କର୍ମୀଙ୍କ ଉପସ୍ଥିତିରେ ସେ “ପତିତ ଜନଙ୍କୁ ଉଧାରିବାପାଇଁ” ଗୀତଟି ଗାଇ ଓଡ଼ିଆ ସଙ୍ଗୀତ ଜଗତରେ ଯୁଗାନ୍ତକାରୀ ଚେତନା ଆଣିଥିଲେ । କାକା କାଲେକର ତାଙ୍କୁ ଏଥିପାଇଁ ପ୍ରଶଂସାପତ୍ର ଦେଇଥିଲେ । ତାଙ୍କର କୃତି ପାଇଁ ସେ ୧୯୫୩ ମସିହାରେ କଟକରେ ପ୍ରତିଷ୍ଠିତ ଉତ୍କଳ ନୃତ୍ୟ ସଙ୍ଗୀତ ନାଟ୍ୟ ପରିଷଦର ଜଣେ ସଦସ୍ୟ ହୋଇପାରିଥିଲେ ଏବଂ ୧୯୫୪ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ, ଦିଲ୍ଲୀର ଉତ୍କଳ ସମାଜ, ୧୯୬୩ରେ ଜାମଶେଦପୁର ଉତ୍କଳ ବାନ୍ଧବ ସମିତି, ପ୍ରବାସୀ ସାହିତ୍ୟ ଚକ୍ର, ଗୋଲମୁରୀ ଉତ୍କଳ ସମାଜ, ୧୯୬୬ରେ ପ୍ରଜାତନ୍ତ୍ର ପ୍ରଚାର ସମିତି ତାଙ୍କୁ ସମ୍ମାନିତ କରିଥିଲେ । (ଖଗେନ୍ଦ୍ର ମଲ୍ଲିକଙ୍କ ଆଲୋଚନା, ହରିଚନ୍ଦନ ସ୍ମାରକୀ ଗ୍ରନ୍ଥ, ୧୯୮୫) । ୧୯୭୬ରେ ସେ ମଧ୍ୟ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ । ୧୯୩୪ ଠାରୁ ଆରମ୍ଭ କରି ୧୯୭୬ ମଧ୍ୟରେ ତାଙ୍କର ୧୨୦ଟି ଗୀତ ରେକର୍ଡ଼ ହୋଇଥିବାର ଜଣାଯାଏ ।

ସେ ମଧ୍ୟରେ ପ୍ରସିଦ୍ଧ ଗୀତ ଗୁଡ଼ିକ: ଆଜ ମୁଁ ଦେଖିଲି ଘନଶ୍ୟାମକୁ, ବିତଳକୁ ଆଲିଙ୍ଗନ, ଦିନୁ ଦିନୁ ନନ୍ଦ ତନୟ, ଆଉ କେ ଅଛି କହିବାକୁ, କଳାକାହ୍ନୁ କୁହୁକେ ଜାଣେ, ଶ୍ରରାଧା ବାତୁଳୀ, ମାନନୟନା କ୍ଷୀଣ, ଚାହାରେ ମିତ ନନ୍ଦ ସୁତ, ଗରଜିଲା ମେଘ, ଭିନ୍ନ ଆଜ ତୋ ରୀତିରେ, ଧୀରେ ରାଧାକର ଧରି, ଖଟାଅ ମୋତେ ତୋ ବେହରଣ ଫୁଲ, ଯୋଷା ବରରେ, କେବେ ନଥିବା ରୁଷା, ପତିତ ଜନଙ୍କୁ ଉଧାରିବାପାଇଁ, ଚକା ନୟନକୁ, ଦୂତୀ କରି ଧରି ହରି, ଏତେ ବଡ଼ ପରମାଦରେ, କାନ୍ତ ଏ ବସନ୍ତ କାଳରେ, ପ୍ରେମର ମୂଲ୍ୟ ଜାଣେ ସିନା, ନୂଆ ନଟ ପଟଳି ମୁକୁଟ, ପଞ୍ଚବାଣ ବଞ୍ଚନାରେ, ତୁମ୍ଭପରା ପ୍ରଭୁ, କୃପାସିନ୍ଧୁ ବଦନ, ଧୀରେ ଘେନ କାନନରେ, ଯେବେ ନବଘନ ଶ୍ୟାମ ବଂଶୀ ସ୍ୱନ, ଶ୍ୟାମଳ ଗାତ୍ରେ, ସହି କି ବ୍ରତକରି ବର ପାଇଲୁରେ, ଭଜମନ ବ୍ରଜମନ, କହଇ ମନଆରେ, ରଙ୍କର ଶଙ୍ଖାଳୀ, ଦେଖ ଦେଖ ନନ୍ଦନ ଗୋ, କି ଶୁଣିଲି ଆଜ ନୂଆ କରିରେ, କି ନାମ ବୋଇଲୁ ତୁହି ଗୋ, ହେ ରସ ସିନ୍ଧୁ, ମଧୁ ନଗର ନାଗରୀ, ଭଜମନ ସବୁରି ଦୁଃଖ, ବରଜରାଜ ତନୁଜ, କଳାକଳେବର କହ୍ନାଇ, ଗୋପୀକା ବଚନ ଶୁଣି, ବିଭୂଷଣ ପୁଷ୍ପେ, ପ୍ରୀତି ବତୀ ମତି, ମନ୍ତ୍ରୀ ମୁଖୁ ଶୁଣି, ମେଘ ଖଣ୍ଡ ପ୍ରାୟ, ନିର୍ମଳ ଚନ୍ଦ୍ର ମଣ୍ଡଳ, ନୀଳ ସିନ୍ଧୁ ତୀରେ, ଚକା ଡ଼ୋଳା କିମ୍ପା ଡ଼କା, ତାଙ୍କୁ କିଏ ବୋଲୁଥାଇ ଗୋ, ଆସ ଆସ ଆସ ମୋର, ବୋହୁ ଚାଲି ନଜାଣଇ, ଶୁଣ ହେ ସୁଜନ ଜନେ, ପଥର ହେଲ ହେ ପ୍ରଭୁ, ତୁମ୍ଭ ଶୁଣିବାକୁ ମୋହ କହିବାକୁ, ଥିବା ଯାଏ ଯିବ, ବନମାଳୀ ମୋତେକେବେ, ରାଧା ଗୋବିନ୍ଦ ଭଜ, ଥକାମନ ଚାଲ ଯିବା, ରାମନାମ ଭଜମନ, ଭଗବାନ ବୋଲୁ, ଭାଗବତ ଭଜନମାଳା, ଧନ ଏ ଧୂଳି ଖେଳରେ, କଳା କୃଷ୍ଣ ହେ, ଏଇ ମୋ ଦେଖୁଛି, କରିଛି କି ମୁହଁ ଗୁମାନ, ଅନାଇ ନାହିଁ ନାଗରମଣିକି, ଗୁରୁଙ୍କ ଗହଣେ ମିଥିଳା କଟକେ, ମୁହଁ ଦୀନଭିକାରୀ, ପ୍ରତିତି ଯେତିକି ସୁଆଦ, ସହିରେ ସତେକି, ଆହେ ଦୀନବନ୍ଧୁ, ଜୟଜୟ ପୀତବସନ ବନମାଳୀ, ସିତୟା ଅଶୋକ ବନେ, କୃଷ୍ଣ କଥା ଦିନେ ପ୍ରଭୃତି ଏବେ ମଧ୍ୟ ପ୍ରଚାରିତ ।

ଜଣେ ସଙ୍ଗୀତଜ୍ଞ ହିସାବରେ ବାଣୀକଣ୍ଠ ୧୯୪୦ ଦଶକରେ ବାରୀପଦା ସାହିତ୍ୟ ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନରେ “ସଙ୍ଗୀତ ସମ୍ବନ୍ଧରେ ପଦେ” ଶୀର୍ଷକ ଆଲୋଚନା ଉପସ୍ଥାପିତ କରିଥିଲେ । (ଭଞ୍ଜ ପ୍ରଦୀପ, ପଞ୍ଚମ ଭାଗ, ୪ର୍ଥ ସଂଖ୍ୟା, ୧୩୪୩ ସାଲ) ସେଥିରେ ଓଡ଼ିଆ ସଙ୍ଗୀତର ବିଶେଷତ୍ୱ ବା ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରିଥିଲେ । ସଙ୍ଗୀତର ପ୍ରାଧାନ୍ୟକୁ ସ୍ୱୀକାର କରି ସେ କହିଥିଲେ – ଏହି ବିଶ୍ୱବ୍ରହ୍ମାଣ୍ଡ ସଙ୍ଗୀତମୟ । ଗଗନ ପବନ ସବୁ ସେହି ବିଶ୍ୱ ବିଧାତାଙ୍କର ମଧୁମୟ ସଙ୍ଗୀତରେ ମୁଖରିତ। ସାଗରର ଲହରୀ ଯେପରି କି ତାଳେ ତାଳେ ସେହି ସଙ୍ଗୀତର ପ୍ରତିଧ୍ୱନି କରୁଅଛି ।

ଉତ୍କଳ ସଙ୍ଗୀତର ବିଶେଷତ୍ୱ ଉପରେ ସୂଚନା ଦେଇ ସେ ମଧ୍ୟ କହିଥିଲେ – “ପଦ୍ୟ, ଛାନ୍ଦ, ଚଉପଦୀ, ଡ଼ୁହା, ଭଜନ, ପ୍ରବଚନ, ଢ଼ଗଢ଼ମାଳି, ହଳୁଆଗୀତ, ସଗଡ଼ିଆ ଗୀତଠାରୁ ପାଲା, ଶୋକ, ସୁଆଙ୍ଗ ଏପରିକି ଉନ୍ନତ ନାଟକ ପର୍ଯ୍ୟନ୍ତ କେହି ସଙ୍ଗୀତ ଇଲାକା ବା ସୀମାରୁ ବର୍ହିଭୂତ ନୁହଁନ୍ତି । ଏଣୁ ଉତ୍କଳ ସାହିତ୍ୟରେ ବିଭିନ୍ନ ଶ୍ରେଣୀରେ ଯେସବୁ ସଙ୍ଗୀତ ଅଛି, ଉନ୍ନତ ପ୍ରତିବେଶୀ ସାହିତ୍ୟରେ ଏତେ କିସମର ସଙ୍ଗୀତ ଅଛି କି ନା ମୁଁ ଜାଣେ ନାହିଁ । ମୋଟ ଉପରେ ଆପଣମାନେ ପ୍ରାଚୀନ ଉତ୍କଳ ସାହିତ୍ୟ ପ୍ରତି ଯେ ପରିମାଣରେ ଆଖି ପକାଇପାରିବେ ସେ ପରିମାଣରେ ଉତ୍କଳ ସଙ୍ଗୀତର ସ୍ୱାତନ୍ତ୍ର୍ୟ ଓ ବିଶେଷତ୍ୱ ହୃଦୟଙ୍ଗମ କରିପାରିବେ । ବଳଭଦ୍ର, କବିସୂର୍ଯ୍ୟ, ଗୋପାଳକୃଷ୍ଣ, ଅଭିମନ୍ୟୁ, ବନମାଳୀ କବି ପ୍ରଭୃତିଙ୍କ ସଙ୍ଗୀତ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ମୌଳିକ ରାଗରାଗିଣୀପୂର୍ଣ୍ଣ – ଏଥିରେ କୌଣସି ମିଶ୍ର ରାଗିଣୀ ଥିଲାପରି ମୁଁ ଜାଣିନାହିଁ ।

ବିଶେଷତଃ ଉତ୍କଳର କବିସମ୍ରାଟ ଉପେନ୍ଦ୍ରଞ୍ଜ ଛାନ୍ଦରେ ଯେ କ୍ଷମତାର ପରିଚୟ ଦେଇ ଅଛନ୍ତି, ଭାରତର କୌଣସି ଉନ୍ନତ ପ୍ରତିବେଶୀ ଭାଗ୍ୟରେ ଏପରି ଛନ୍ଦସଙ୍ଗୀତର ଗବେଷଣା ଅଛି କି ନା ସନ୍ଦେହ ।” ଏପରି ତାତ୍ତ୍ୱିକ ଚର୍ଚ୍ଚା ବାଣୀକଣ୍ଠଙ୍କର ସଙ୍ଗୀତ ଶାସ୍ତ୍ର ପ୍ରତି ସ୍ୱତନ୍ତ୍ର ଦୃଷ୍ଟିକୋଣର ପରିଚୟ ଦେଇଥାଏ । ସେ ସଙ୍ଗୀତ ଜଗତରେ ଅନ୍ଧାନୁକରଣକୁ ପ୍ରବଳ ନିନ୍ଦା କରିଥିଲେ ଏବଂ ଓଡ଼ିଆ ସଙ୍ଗୀତକୁ ନିଜସ୍ୱ ଧାରାରେ ପ୍ରବାହ କରିବାକୁ ମତ ଦେଇଥିଲେ ।

ଏହି ମହାନ କଣ୍ଠଶିଳ୍ପୀଙ୍କର ୧୯୮୩ ମସିହା ବାହୁଡ଼ା ଦଶମୀ ଦିନ ଛାନ୍ଦ ଓ ଜଣାଣ ଆଦି ସଙ୍ଗୀତ ଚିରଦିନ ପାଇଁ ପୂର୍ଣ୍ଣଛେଦ ପଡ଼ିଥିଲା । କିନ୍ତୁ ଆଜି ମଧ୍ୟ ତାଙ୍କର ତ୍ୟାଗପୂତ ଜୀବନ, ଆଜୀବନ ସଙ୍ଗୀତ ସାଧନା ଓଡ଼ିଶୀ ସଙ୍ଗୀତ ଜଗତକୁ ଆଲୋଡ଼ିତ କରେ । ତାଙ୍କର ଲଳିତ ସ୍ୱର, ମନୋରମ କଣ୍ଠ, ହରିଭକ୍ତି ନିମଜ୍ଜିତ ପ୍ରେମପୁଲକ ଚିରଦିନ ସଙ୍ଗୀତପ୍ରେମୀ ହୃଦୟକୁ ରସାପ୍ଳୁତ କରିବ । ବାଣୀକଣ୍ଠ ନିମାଇଁ ହରିଚନ୍ଦନ ବାସ୍ତବରେ ଓଡ଼ିଆ ଅସ୍ମିତାର ଅବିସ୍ମରଣୀୟ ସଙ୍କେତ ।

About ପ୍ରଫେସର କୈଳାସ ଚନ୍ଦ୍ର ଦାଶ

ପ୍ରଫେସର କୈଳାସ ଚନ୍ଦ୍ର ଦାଶ
ଇତିହାସ ବିଭାଗର ପ୍ରଫେସର, ଗବେଷକ

Check Also

Featured Video Play Icon

ବିପ୍ଲବୀ କବି ମନମୋହନ ମିଶ୍ରଙ୍କ ସ୍ଵରରେ – ଜାଳରେ ଜାଳରେ

Leave a Reply

Your email address will not be published. Required fields are marked *