ଓଡ଼ିଆ ଭାଷା ଆନ୍ଦୋଳନ: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

4 Min Read

[box type=”shadow” align=”” class=”” width=””]ସାଧାରଣ ଲୋକଟିର ପ୍ରଶ୍ନଟି ବିଶିଷ୍ଟ ସମୀକ୍ଷକ ଏବଂ ଆଲୋଚକ ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ମନକୁ ଆପଣାଛାଏଁ ଆସିଯାଇଥାଏ । ସେ ଭିତରୁ ଗୋଟିଏ ହେଉଛି ସାଧାରଣ ମଣିଷର ମନଟିକୁ ଆନ୍ଦୋଳିତ କରୁଥିବା ନିଜ ଭାଷାକୁ ନେଇ ଅନେକ ପ୍ରଶ୍ନ ଯାହାର ଉପସ୍ଥାପନା ଏହି ଲେଖାଟିରେ ନିଖୁଣଭାବେ କରିଛନ୍ତି ଡ଼ଃ ନାୟକ । ଗଣିତର ଛାତ୍ର ଏବଂ ଗଣିତଶାସ୍ତ୍ରର ବିଷାରଦ ହିସାବରେ ନିଜର ପରିଚୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ଥିଲେବି ସେ ଓଡ଼ିଶାର ଶିକ୍ଷା ଓ ସାମାଜିକ ଗବେଷଣା କ୍ଷେତ୍ରରେ ଜଣେ ଦକ୍ଷ ସମୀକ୍ଷକ ତଥା ସମାଜ ବିଜ୍ଞାନୀ ହିସାବରେ ବେଶ ଆଦୃତ । – ସମ୍ପାଦକ [/box]

Support Samadhwani

ସଂକ୍ଷେପରେ ଇତିହାସ

ଆଜକୁ ପ୍ରାୟ ଦେଢ଼ଶହ ବର୍ଷତଳେ, ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ଦେଖାଯାଇଥିବା ବିପଦ ଓ ତା ବିରୁଦ୍ଧରେ ଉଠିଥିବା ସ୍ୱରକୁ ଭାଷା ଆନ୍ଦୋଳନର ବିମର୍ଶରେ ଦୁଇଟି ନାମରେ ଅଭିହିତ କରାଯାଇଛି । ଓଡ଼ିଆସାହିତ୍ୟର ସୁପ୍ରସିଦ୍ଧ ଇତିହାସକାର ଡକ୍ଟର ନଟବର ସାମନ୍ତରାୟ ଏହାକୁ ‘ଓଡ଼ିଆଭାଷା-ବିଲୋପ ଅନ୍ଦୋଳନ’ ବୋଲି ନାମିତ କରିଥିବାବେଳେ, ସ୍ୱନାମଧନ୍ୟ ଭାଷାବିତ୍ ଡକ୍ଟର ଗଗନେନ୍ଦ୍ର ନାଥ ଦାଶ ଏହାକୁ ‘ଓଡ଼ିଆଭାଷା-ସୁରକ୍ଷା ଆନ୍ଦୋଳନ’ବୋଲି ନାମିତ କରନ୍ତି । ଏହି ଦୁଇ ନାମ ଭିତରୁ କେଉଁଟି ଯଥାର୍ଥ ତା’ନେଇ ମଧ୍ୟ ବିତର୍କ ହୋଇଛି ।

ତେବେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ବିପଦ ଆସୁଛି ବୋଲି ଉପଲବ୍ଧିର ମୂଳକାରଣ ଥିଲା ‘ଓଡ଼ିଶାର ବିଦ୍ୟାଳୟରୁ ଓଡ଼ିଆଭାଷାକୁ ଉଚ୍ଛେଦ ବା ନିର୍ବାସନ କରିବାପାଇଁ ଅଥବା ବିଦ୍ୟାଳୟରେ ତାର ଭୂମିକାକୁ ସଙ୍କୁଚିତ କରିବାପାଇଁ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ତରରେ ଉଦ୍ୟମ’ର ପ୍ରମାଣ ।୧

ଓଡ଼ିଆ ଭାଷା ସ୍ଥାନରେ ବଙ୍ଗଳାଭାଷାର ପ୍ରଚଳନ ସପକ୍ଷରେ ହେଉଥିଲା ଉଦ୍ୟମ । ‘ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଅଭାବର ଦ୍ୱାହି ଦିଆଯାଇ ବଙ୍ଗଳା ଭାଷାରେ ଶିକ୍ଷାକୁ ସମର୍ଥନ କରାଯାଉଥିଲା ।’୨

Support Samadhwani

ଏହି ଆନ୍ଦୋଳନର ସମୟକାଳ ଥିଲା ୧୮୬୮ ଜାନୁଆରୀରୁ ୧୮୭୦ ସେପ୍ଟେମ୍ବର ଅର୍ଥାତ୍ ମାତ୍ର ୨ବର୍ଷ ୯ମାସ । ୧୮୬୮ ଜାନୁଆରୀ ୪ ତାରିଖ ଦିନ ଗୌରୀଶଙ୍କର ରାୟ ସମ୍ପାଦିତ ଉକ୍ରଳ ଦୀପିକାରେ ପ୍ରଥମଥର ପାଇଁ ‘ଓଡ଼ିଶାର ବିଦ୍ୟାଳୟରୁ ଓଡ଼ିଆଭାଷା ଉଠାଇଦେବାର ପ୍ରସ୍ତାବ ସମ୍ପର୍କରେ ଗଭୀର ଉଦବେଗ’ ପ୍ରକାଶ ପାଇଥିଲା ଯାହାକୁ ଗଗନେନ୍ଦ୍ର ବାବୁ କୁହନ୍ତି ‘ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ପ୍ରଥମ ତୂର୍ଯ୍ୟନାଦ’ ୩

ପରବର୍ତ୍ତୀ ୩୩ମାସରେ ଓଡ଼ିଆ ଭାଷା ସପକ୍ଷରେ ଓ ବିପକ୍ଷରେ ବହୁ ବାଦ ବିବାଦ ପ୍ରକାଶିତ ହେବା, କଟକରେ ଗୌରୀଶଙ୍କର ରାୟ ସମ୍ପାଦିତ ‘ଉକ୍ରଳ ଦୀପିକା’ ଓ ବାଲେଶ୍ୱରରେ ଫକୀରମୋହନ ସେନାପତି ସମ୍ପାଦିତ ‘ବାଲେଶ୍ୱର ସମ୍ବାଦ ବାହିକା’ ଓଡ଼ିଆ ଭାଷା ସପକ୍ଷରେ ସେମାନଙ୍କର ପୃଷ୍ଠାକୁ ଉନ୍ମୁକ୍ତ କରିଦେବା ଓ ଅପରପକ୍ଷରେ ବଙ୍ଗଳାଭାଷା ସପକ୍ଷରେ ‘ଉକ୍ରଳ ହିତୈଷିଣୀ’ ଓ ‘କଟକ ଷ୍ଟାର’ ସେମାନଙ୍କର ପୃଷ୍ଠାକୁ ଉନ୍ମୁକ୍ତ କରିବା ଏକ ସାଧାରଣ ଦୃଶ୍ୟ ଥିଲା । ବାଲେଶ୍ୱର ସରକାରୀ ସ୍କୁଲର ଶିକ୍ଷକ ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ଲିଖିତ ପୁସ୍ତକ ‘ଉଡିୟା ସ୍ୱତନ୍ତ୍ର ଭାଷା ନହେ’ ଥିଲା ଓଟ ପିଠିରେ ଶେଷ ନଡ଼ା ସଦୃଶ ।

୧୮୭୦ ମସିହା ଜାନୁଆରୀ ମାସ ଏହାର ପ୍ରକାଶ ହୁଅନ୍ତେ ଏହା ତୀବ୍ର ସମାଲୋଚନାର ଶରବ୍ୟ ହେଲା । ଏହି ସମାଲୋଚନାର ନେତୃତ୍ୱ ନେଇଥିଲେ ଫକୀରମୋହନ ସେନାପତି । ଏପରିକି ବାଲେଶ୍ୱରର କଲେକ୍ଟର ଜନ ବୀମସ୍ ଏହି ପୁସ୍ତକରେ ପ୍ରଦତ୍ତ ଯୁକ୍ତିର ବିଜ୍ଞାନସମ୍ମତ ପ୍ରତିଯୁକ୍ତି ଦେଇ ଏକ ପ୍ରବନ୍ଧ କଲିକତାସ୍ଥିତ ଏସିଆଟିକ୍ ସୋସାଇଟିରେ ଉପସ୍ଥାପନ କରିବା ପାଇଁ ପଠାଇଲେ ଯାହା ଏପ୍ରିଲ ମାସର ପ୍ରଥମ ସପ୍ତାହରେ କଲିକତାରେ ପହଂଚି ଥିଲା ଓ ଏହାର ଉପସ୍ଥାପନ ବୀମସ୍ କରିଥିଲେ ମଇ ମାସ ୪ ତାରିଖରେ। ୪

ଭୁଦେବ ମୁଖୋପାଧ୍ୟାୟ ତାଙ୍କର ସ୍ୱସମ୍ପାଦିତ ‘ଏଡୁକେଶନ ଗେଜେଟ’ରେ ଏହି ପୁସ୍ତକର ତୀବ୍ର ସମାଲୋଚନା କରି ଓଡ଼ିଆ ଭାଷାର ସ୍ୱାତନ୍ତ୍ର‌୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ‘କାଲ୍କଟା ରିଭ୍ୟୁ’ ମଧ୍ୟ ଜୁଲାଇ ମାସରେ କାନ୍ତିଚନ୍ଦ୍ରଙ୍କ ପୁସ୍ତକର ଯୁକ୍ତିକୁ ଖଣ୍ଡନ କରି ଓଡ଼ିଆଭାଷାର ସ୍ୱାତନ୍ତ୍ର‌୍ୟକୁ ପ୍ରତିପାଦିତ କରିଥିଲା । ସରକାରୀ ସ୍ତରରେ ଇଂରାଜୀ ଉଚ୍ଚ କର୍ତ୍ତୃପକ୍ଷ କିନ୍ତୁ ଓଡ଼ିଆ ଭାଷା ସପକ୍ଷରେ ହିଁ ନିଜର ରାୟ ରଖିଲେ । ଏହା ବିଶେଷ ଭାବରେ ସମ୍ଭବ ହୋଇଥିଲା ଓଡ଼ିଶାର କମିଶନର ଟି ରେଭେନ୍ସାଙ୍କ ଓଡ଼ିଆ ଭାଷାପ୍ରତି ଅନୁକୂଳ ମନୋଭାବ ଯୋଗୁଁ । ତେଣୁ ଓଡ଼ିଆଭାଷା ବିଦ୍ୟାଳୟ ଶିକ୍ଷାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ବଙ୍ଗଳା ଭାଷା ପ୍ରଚଳନ କରିବାର ସମସ୍ତ ଉଦ୍ୟମ ୧୮୭୦ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ଶିଥିଳ ହୋଇଗଲା ।

କହିବା ବାହୁଲ୍ୟ ଯେ ତତ୍କାଳୀନ ଶୀର୍ଷ ସରକାରୀ ଅଧିକାରୀଙ୍କର ଅନୁକୂଳ ମନୋଭାବ ଓ କେତେକ  ବଙ୍ଗଳା ବୁଦ୍ଧିଜୀବୀଙ୍କର ନିରପେକ୍ଷ ଭୂମିକା ହିଁ ଓଡ଼ିଆ ଭାଷା-ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଥିବା ଓଡ଼ିଆଙ୍କର ପ୍ରତିବାଦକୁ ସାର୍ଥକ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ବାଦ ପ୍ରତିବାଦର ସ୍ୱର ତକ୍ରାଳୀନ ହାତଗଣତି କେତୋଟି ସମ୍ବାଦପତ୍ରିକାରେ, ବିତର୍କରେ ବା ପ୍ରତିବେଦନ ଦାଖଲରେ ହିଁ ସୀମିତ ଥିଲା; ପଟୁଆର, ଅନଶନ ଆଦି ପ୍ରତିବାଦ ଜାହିର କରିବାର ମାଧ୍ୟମ ହୋଇ ନଥିଲା । କିପରି ବା ହୋଇଥାନ୍ତା, ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନର ଯୁଗ ଯେ ସେତେବେଳେ ଆରମ୍ଭ ହୋଇନଥିଲା!

 

Share this Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ