ବୈଚିତ୍ରମୟ ସୃଷ୍ଟିର ସମସ୍ତ ରହସ୍ୟ ଓ ସିଦ୍ଧାନ୍ତ ଏକ ଶାବ୍ଦିକ ଅନୁଶୀଳନ କମ୍ପନର ରୂପରେଖ । କେଉଁ ଅନାଦି କାଳରୁ ଶତାବ୍ଦୀ ଶତାବ୍ଦୀ ଧରି ମନୁଷ୍ୟର କ୍ରମୋନ୍ନତି ଓ କ୍ରମ ବିକାଶ ସାଧିତ ହୋଇଛି ତାହାକୁ ବିଜ୍ଞାନ ଯେତିକି ସାବ୍ୟସ୍ତ କରିଛି,ପୁରାଣ ଶାସ୍ତ୍ର ସେତିକି ବର୍ଣ୍ଣନା କରିଛି । ସର୍ବୋପରି ସମସ୍ତ ଜୀବଜଗତ ସୃଷ୍ଟିର ମୂଳଉତ୍ସ ହେଉଛି ଧ୍ୱନୀ, ଯାହାକୁ ନାଦବ୍ରହ୍ମ ବା ଶବ୍ଦବ୍ରହ୍ମ ବୋଲି କୁହାଯାଏ । ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ :- “ ନାଦାଧିନୋ ମତଃ ଜଗତ୍ ” ବିଜ୍ଞାନ ଭିତ୍ତିକ ମତାନୁସାର କେଉଁ ଆଦିମ ଅନନ୍ତ କାଳରୁ ସୂର୍ଯ୍ୟଙ୍କ ସ୍ଥିତି ତାହା କଳ୍ପନାତୀତ । ତେବେ ସୂର୍ଯ୍ୟଙ୍କ ସହ ଏକ ବିରାଟ ନକ୍ଷତ୍ରର ଆଘାତ ଫଳରେ ତାହାର ଖଣ୍ଡବିଖଣ୍ଡିତ ଅଂଶ ହିଁ ସମସ୍ତ ଗ୍ରହ ଉପଗ୍ରହ ସୃଷ୍ଟିର କାରଣ । ସେବେଠାରୁ କ୍ରମଗତିରେ ଏକ ଲୟରେ ଗ୍ରହ ଉପଗ୍ରହ ମାନେ ସୂର୍ଯ୍ୟଙ୍କ ଚର୍ତୁପାର୍ଶ୍ୱରେ ପରିକ୍ରମା କରୁଛନ୍ତି । ସେହି ଆଘାତ ଜନିତ ଶବ୍ଦ ଥିଲା ସୃଷ୍ଟିର ପ୍ରଥମ ଶବ୍ଦ ଯାହା ଅଲିଖିତ ଏବଂ ଯାହାକୁ ଶୁଣିବାକୁ କେହି ମଧ୍ୟ ନଥିଲେ । ପରବର୍ତ୍ତୀ ସମୟରେ ଭୂପୃଷ୍ଠରେ ଯେତେବେଳେ ମନୁଷ୍ୟ ସଭ୍ୟତା ଗଢି ଉଠିଲା ତାହା ଥିଲା ଘଞ୍ଚ ଅରଣ୍ୟ, ପାହାଡ, ନଦୀ, ଉପତ୍ୟାକା ଇତ୍ୟାଦି । ସେହି ଆଦିମ ବଣୁଆ ମଣିଷକୁ ସେଦିନ ପ୍ରକୃତିର ଅପୂର୍ବ ଶୋଭା, ପକ୍ଷୀର କାକଳୀ, ପଶୁ ମାନଙ୍କର ଭିନ୍ନ ଭିନ୍ନ ଗର୍ଜନ ଶୁଖିଲା ଫଳ ମାନଙ୍କର ଝୁଣଝୁଣ ଶବ୍ଦ, ଶୁଖିଲା ପତ୍ରର ମର୍ ମର୍ ଶବ୍ଦ ଏବଂ ଝରଣାର କୁଳୁକୁଳୁ ନିନାଦ ତାକୁ ଆତ୍ମହରା କରିଥିଲା । ଯାହା ଭିତରେ ସେ ଅନୁଭବ କରି ପାରି ଥିଲା ସଂଗୀତର ଅପୂର୍ବ ସୂର୍ଚ୍ଛାନା । କାଳକ୍ରମେ ତାର ପରିବେଶରୁ ସେହି ଚିର ପରିଚିତ ଲାଳିତ୍ୟ ବୋଧକୁ ସେ ସାଉଁଟିବାକୁ ଚେଷ୍ଟା କରିଥିଲା । ତେଣୁ ମନୁଷ୍ୟ ସହିତ ସଂଗୀତର ସମ୍ପର୍କ ଅତ୍ୟନ୍ତ ନିବିଡ ଓ ଅନ୍ତରଙ୍ଗ । ସମୟ ସ୍ରୋତରେ ମନୁଷ୍ୟର କ୍ରମ ବିକାଶ ଫଳରେ ତାର ବ୍ୟକ୍ତି, ଦାମ୍ପତ୍ୟ, ପରିବାର ଜୀବନ ଭିତରେ ଅନେକ ସଂଘର୍ଷ, ଶୋଷଣ କଷଣର ସମ୍ମୁଖୀନ ହୋଇ ତାର ମନସ୍ତାତ୍ତ୍ୱିକ ଚେତନାକୁ ସ୍ଥିର କରିବା ନିମନ୍ତେ ସେ ଅନେକ କିଛି ଖୋଜିଛି । ହେଲେ ପ୍ରକୃତିର ସେହି ଅନନ୍ୟ ସଂଗୀତ ଓ ଶବ୍ଦ ମାଧୁରୀମା ହିଁ କେବଳ ସମର୍ଥ ହୋଇଛି । ତେଣୁ ମନୁଷ୍ୟର ମନସ୍ତାତ୍ତ୍ୱିକ ବିକାଶ ତଥା ସୁସ୍ଥ ମସ୍ତିଷ୍କ ପାଇଁ ସଂଗୀତର ଆବଶ୍ୟକତା ଅପରିହାର୍ଯ୍ୟ ।
ସଂଗୀତ ଶିଶୁଠାରୁ ବାର୍ଦ୍ଧକ୍ୟ ବୟସ ପର୍ଯ୍ୟନ୍ତ ପ୍ରତିଟି ମନସ୍ତତ୍ତ୍ୱ ଉପରେ ସୁପ୍ରଭାବ ପକାଇଥାଏ । ସାଧାରଣତଃ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଏ ଯେ ଅନେକାଂଶରେ ଶିଶୁମାନେ ଅସଂଯମତା, ବଦରାଗୀ, ଦୁର୍ବଳ ବ୍ୟକ୍ତିତ୍ୱ, ଅନିୟମିତ ଚଳଣି, ରୁଗ୍ଣ ମାନସିକତା ସ୍ୱଭାବର ହୋଇଥାନ୍ତି । ଏହାର ପ୍ରଚ୍ଛଦପଟରେ ଥାଏ ଅଭିଭାବକ ମାନଙ୍କର ପିଲାମାନଙ୍କୁ ଗଢ଼ିବାର ତ୍ରୁଟୀପୂର୍ଣ୍ଣ ନିଷ୍ପତ୍ତି ଯେମିତି ପିଲା ଭଲ ଚାକିରୀ କରିବ, ଉଚ୍ଚ ଶିକ୍ଷିତ ହେବ ଗାଡି, ଅଟ୍ଟାଳିକା ଓ ବିଦେଶ ଯାତ୍ରା କରିବାର ଅଭିଳାଷ, କିନ୍ତୁ ନଥାଏ ସୁସ୍ଥ ଓ ନିରାମୟ ତଥା ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବାର କଳା ଓ ମୋହ ।
ସାମ୍ପ୍ରତିକ ସମାଜରେ ଅତ୍ୟାଧୁନିକତାର ପ୍ରଭାବରେ ଆଜି ଅଧିକାଂଶ ବ୍ୟକ୍ତିବିଶେଷ ଭାରାକ୍ରାନ୍ତ । ତାହା ପାରିବାରିକ ବିଶୃଙ୍ଖଳା ହୋଇପାରେ , ଅନିୟମିତ ଖାଦ୍ୟ ଓ ନିଦ୍ରାବିହୀନ ଅପଳାପ ସହିତ DJ ଆଦି ଡାକବାଜି ଯନ୍ତ୍ର ଜନିତ ଶବ୍ଦ ପ୍ରଦୂଷଣ ଏବଂ ମୋବାଇଲ୍, କମ୍ପ୍ୟଟର ସହିତ ନିବିଡତା ଆମ୍ଭମାନଙ୍କର ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ ଏହାର ନିରାକରଣ ପାଇଁ ଆମ୍ଭମାନଙ୍କର ତ୍ରୁଟୀଶୂନ୍ୟ ଜୀବନ ବଞ୍ଚିବା ସହିତ ମନସ୍ତାତ୍ତ୍ୱିକ ସୁସ୍ଥତା ପାଇଁ ସଂଗୀତ ହିଁ ଫଳପ୍ରଦ ଔଷଧ ଭଳି କାମ କରିଥାଏ ବୋଲି ଏହା ପରିକ୍ଷିତ ।
ସଂଗୀତ ଯେ କେବଳ ଏକ ମନୋରଞ୍ଜନାତ୍ମକ ମାଧ୍ୟମ ତାହା ନୁହେଁ ସଂଗୀତ ମାଧ୍ୟମରେ ମଧ୍ୟ ଅନେକ ଚିକିତ୍ସା କରାଯାଇପାରେ । ଭାରତୀୟ ଶାସ୍ତ୍ରୀୟ ସଂଗୀତ କେତେକ ପୋନଃପୌନିକ ତଥା ଏକ ନିର୍ଦ୍ଧିଷ୍ଟ ସ୍କେଲ୍ ରେ ବନ୍ଧା ହୋଇଥିବା ବିଭିନ୍ନ ସେଟ୍ ରେ ପ୍ରସ୍ତୁତ ଏକ ଶବ୍ଦିକ ସମାହାର ଅଟେ । ଯାହାର ଭର୍ଟିକାଲ୍ ସୀମା ଏକ ଅଷ୍ଟକ ତଥା ଲେଟେରାଲ୍ ସୀମା,ତାଳ ବା ଲୟ ହୋଇପାରେ । ବିଶ୍ଲେଷଣାତ୍ମାକ ଭାବେ ଅନୁଶୀଳନ କଲେ ବିଭିନ୍ନ ରାଗର ନୋଟେସନ୍ ସାତୋଟି ସ୍ୱରରୁ କେତେବେଳେ କେଉଁ ନୋଟ୍ ର ଉପସ୍ଥିତି ବା ଅନୁପସ୍ଥିତି,ଗାୟନ ଶୈଳୀରେ ଲାଗୁଥିବା ପିଚ୍ ବା ଉଚ୍ଚାରଣର ତୀବ୍ରତା ମନ ଓ ମସ୍ତିଷ୍କରେ ଏକ ନୂତନ ବାତାବରଣ ସୃଷ୍ଟି କରିଥାଏ । ଆମେ ବିଜ୍ଞାନ ସମ୍ମତ ଭାବେ ଯଦି ଶବ୍ଦର ବାଖ୍ୟା କରିବା ତେବେ ଜାଣିବା ଯେ ଉଭୟ ସଜୀବ ଓ ନିର୍ଜୀବ ବସ୍ତୁ ଗୁଡିକର ରେଜୋନାନ୍ସ ବା ଅନୁବାଦ ସୃଷ୍ଟି କରିପାରେ । ଶବ୍ଦ ନିଜକୁ କମ୍ପନ ଓ ତରଙ୍ଗ ମାଧ୍ୟମରେ ପ୍ରକାଶ କରିଥାଏ । ତେଣୁ ଏହାର ଉଭୟ ଯୁକ୍ତ ଓ ବିଯୁକ୍ତାତ୍ମାକ ପ୍ରଭାବ ରହିଛି । ସାଙ୍ଗୀତିକ ଶବ୍ଦ ଆମ ମସ୍ତିଷ୍କର ଉଭୟ ତଳ ଓ ଉପର ମସ୍ତିଷ୍କ କେନ୍ଦ୍ରକୁ ପ୍ରଭାବିତ କରିପାରେ । ଯେଉଁ ସ୍ଥାନରେ ଆମର ଇନ୍ଦ୍ରିୟ ମାନଙ୍କର ଭାବାବେଗ, ସମ୍ୱେଦନଶୀଳତା ଏବଂ ଆଧ୍ୟାତ୍ମୀକ ଭାବନାର କ୍ରିୟାନ୍ୱୟନ ହୋଇଥାଏ । ତେଣୁ ଉନ୍ନତ, ସଂସ୍କୃତି ସମ୍ପନ୍ନ ଭାଗବେଶ ସୃଷ୍ଟି କରିପାରୁ ଥିବା ସଂଗୀତ, ଏହି କେନ୍ଦ୍ରକୁ ଆନ୍ଦୋଳିତ କରିପାରିବାର କ୍ଷମତା ବହନ କରିଥାଏ । ଏ କ୍ଷେତ୍ରରେ ମଧ୍ୟ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।
ଆଲୋଚନାର ବିଷୟ ଜଣେ ସଙ୍ଗୀତ କୁ ଭଲପାଏ କାହିଁକି ? Music is an indispensable Ingredient which evokes a degree of emotion on various occasions like Weddings funerals, military marches and love of fairs.
ବୈଜ୍ଞାନିକ ମାନଙ୍କୁ ଏ ପ୍ରଶ୍ନ ଅନେକ ସମୟରେ ଆନ୍ଦୋଳିତ କରେ ଯେ ଆତ୍ମାକୁ ପରମଶାନ୍ତି ପ୍ରଦାନ କରୁଥିବା ସଙ୍ଗୀତର ସୃଷ୍ଟି କ’ଣ ପାଇଁ ? ସୃଷ୍ଟିର ଆରମ୍ଭରୁ ଏହା ଜୀବନ ସହିତ ଯୋଡିହୋଇ ରହିଛି । ଧର୍ମ ଭାଷା, ସଂସ୍କୃତି ଭାବର ବିଭିନ୍ନତା ସତ୍ତ୍ୱେ ସଂଗୀତର ପରିଭାଷା କିନ୍ତୁ ଗୋଟିଏ।ଏ ହଣ୍ଟ ଙ୍କ ଭାଷାରେ Music is an universal Language ( ଅର୍ଥାତ ସଂଗୀତ ଏକ ସାର୍ବଜନୀନ ଭାଷା । ସେଇ ସାତଟି ସ୍ୱରରେ ସଙ୍ଗୀତ ବନ୍ଧା ହୋଇ ରହିଛି । ଗବେଷକମାନଙ୍କ ମତରେ ସେହି ଅଂଶକୁ ସଙ୍ଗୀତ ପ୍ରଭାବିତ କରେ ଓ ଆନ୍ଦୋଳିତ କରେ, ଯାହା ଆମେ କାନରେ ଶୁଣୁଥିବା କଥାକୁ ଗ୍ରହଣ ପୂର୍ବକ ଆମକୁ ତା ଅର୍ଥବି ବୁଝାଇଥାଏ । ମଣ୍ଟ୍ରିଲେ ସ୍ଥିତ ନ୍ୟୁରୋଲୋଜିକାଲ ଇନସ୍ଟିଚ୍ୟୁଟ୍ ର ଡ. ରବଟ କେ ଜାଟୋର ଏବଂ ଡ. ଆନିବ୍ଲାଡ୍ ଙ୍କ ମତରେ ସଂଗୀତଙ୍ଗ ମାନେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କ ମସ୍ତିଷ୍କର ପେଟ୍ ସ୍କେନିଙ୍ଗ କଲେ ଜଣାଯାଏ ଯେ, ସେମାନେ ନିଜେ ସୃଷ୍ଟି କରିଥିବା ସଙ୍ଗୀତକୁ ଶ୍ରବଣ କଲାବେଳେ ତାଙ୍କୁ Chills of euphoria ଅନୁଭୂତ ହୁଏ । ସେମାନେ ରାଚ଼ମାନିଜୋଫ୍ ଙ୍କ ପିଆଦେ କନସଟ୍ ନମ୍ୱର 3 ଓ ବାର୍ବରଙ୍କ ଷ୍ଟିଙ୍ଗରେ ଆଡାଗିଡ ନାମକ ରଚନାକୁ ଉଦାହରଣ ରୂପେ ଦର୍ଶାଇଛନ୍ତି ଯେ, ଏହି ସଙ୍ଗୀତ କୁ ବାରମ୍ୱାର ଶୁଣିବା ସମୟରେ ସେମାନେ ଖାଇବା, ଯୌନକ୍ରିୟା କିମ୍ୱା କୌଣସି ନିଶା ନେଲେ ଯେପରି ଭାବାବେଗ ଅନୁଭୂତ ହୁଏ, ଠିକ୍ ସେହିଭଳି ହୋଇଥାଏ । ଡାରୱିନଙ୍କ ମତରେ ମନୁଷ୍ୟ କଥା କହିବା ଶିଖିବା ପୂର୍ବରୁ ସଙ୍ଗୀତ ଜାଣିଥିଲା । ତାହା ପୁଣି ଦୁର୍ଘଟଣା ଜନିତ ନଥିଲା ଏହା ମଣିଷର ଭାବନା ସହିତ ନିବିଡ ଭାବରେ ଜଣିତ ଥିଲା । ଡ. ଜିଓଫ୍ରିମିଲର ମନସ୍ତତ୍ତ୍ୱବିତ୍ ଙ୍କ ମତରେ ଯେହେତୁ ସଂଗୀତ ମନୁଷ୍ୟ ମସ୍ତିଷ୍କର ବିଭିନ୍ନ ଅଂଶକୁ ପ୍ରଭାବିତ କରେ । ତେଣୁ ଦେଖାଯାଉଛି ସଂଗୀତ, ନୃତ୍ୟକୁ ନେଇ ବଞ୍ଚିଥିବା ବ୍ୟକ୍ତିମାନେ ଅପେକ୍ଷାକୃତ ଅଧିକ ଖୁସି ରୁହନ୍ତି ।
ବିଶେଷତଃ ମସ୍ତିଷ୍କ ଏକ ସ୍ୱକ୍ଷ୍ମ ତଥା ଧମନୀ ସହିତ ସଂଯୋଗ ହୋଇ ଶରୀରକୁ ନିୟଂତ୍ରିତ ତଥା ଗତିଶୀଳ କରାଇ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟେଙ୍ଗକୁ ସଂଚାଳନା କରିଥାଏ, ତେଣୁ ଉନ୍ନତ ମସ୍ତିଷ୍କ ବ୍ୟକ୍ତି ବିଶେଷ ଉନ୍ନତ ଚିନ୍ତକ ବ୍ୟକ୍ତିବିଶେଷ ସଠିକ୍ ନିଷ୍ପତ୍ତି ନେଇଥାଆନ୍ତି । ତେଣୁ ମସ୍ତିଷ୍କକୁ ସୁସ୍ଥ ଓ ତିକ୍ଷ୍ଣ ରଖିବାକୁ ହେଲେ , ଯୋଗ, ଧ୍ୟାନ, ପ୍ରାଣାୟାମର ଯେଭଳି ଆବଶ୍ୟକତା ରହିଛି, ସଂଗୀତର ମଧ୍ୟ ଅନନ୍ୟ ପ୍ରବାବ ରହିଛି । ଯାହା ମନୁଷ୍ୟର କାନ ଭିତର ଦେଇ ମସ୍ତିଷ୍କର ସେଲ୍ ଗୁଡିକୁ ପ୍ରଭାବିତ କରିଥାଏ ଏବଂ ସକରାତ୍ମକ ଚିନ୍ତନ, କର୍ମ ପ୍ରେରଣା ତଥା ବାସ୍ତବ ଜୀବନ ବଞ୍ଚିବାକୁ ପସନ୍ଦ କରିଥାଏ ।
ପରିଶେଷରେ ଏତିକି କୁହାଯାଇପାରେ, ମନୁଷ୍ୟ ସମାଜପାଇଁ ସଂଗୀତ, ଈସ୍ୱରଙ୍କର ଏକ ସର୍ବଶ୍ରେଷ୍ଠ ଦାନ।ଯାହା ଅତୀତରେ ଥିଲା, ଏବେ ମଧ୍ୟ ଅଛି, ଆଗକୁ ମଧ୍ୟ ରହିବ, ତାହା ବାଦ୍ୟର ନିନାଦ ହେଉ ବା ଗୀତର ସ୍ୱର ଲଳିତ୍ୟ ହେଉ, ଏହାର ଧ୍ୱନି ତରଙ୍ଗ ମନୁଷ୍ୟର ମସ୍ତିଷ୍କ କୁ ପ୍ରଭାବିତ କରିବା ସହିତ, ମନୁଷ୍ୟର ମତସ୍ତାତ୍ତ୍ୱୀକ ବିକାଶ ଘଟାଇ ଥାଏ । ଏହା ବେଦ ବେଦାନ୍ତର ନିର୍ଯ୍ୟାସ ସହିତ ବିଜ୍ଞାନ ସମ୍ମତି ମଧ୍ୟ ।
ନାମ – ସୁବ୍ରତା ବିଶ୍ୱାଳ
ଗବେଷିକା ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ

