ଓଡ଼ିଶାର ସଙ୍ଗୀତ ଜଗତରେ ଅଦୃଶ୍ୟ ଶୂନ୍ୟତା

Swayamprava Parhi (Chief Editor)
759 Views
8 Min Read

ଗୁରୁ ଶ୍ରୀ ଧନେଶ୍ୱର ଦାସ” କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ସଙ୍ଗୀତ ଜଗତର ଜଣେ ବିରଳ ବ୍ୟକ୍ତିତ୍ୱ । ସଙ୍ଗୀତ ସାଧନାକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଆପଣେଇ ନେଇଥିବା ଏହି ଅନନ୍ୟ ସାଧକ କିନ୍ତୁ ଓଡ଼ିଶାବାସୀଙ୍କ ନିକଟରେ ଆଜିଯାଏ ସଠିକ ଭାବରେ ପରିଚିତ ହୋଇପାରିଲେ ନାହିଁ । ସେ କେବଳ ଗୁରୁ ନୁହଁନ୍ତି ବରଂ ଜଣେ ଉଚ୍ଚକୋଟିର କଳାକାର ଏବଂ ଖୁବ ଭଲ ମଣିଷ । ଏହି ସ୍ୱାଭିମାନୀ ସଙ୍ଗୀତଜ୍ଞ ନିଜ ଜୀବନର ୮୨ ବର୍ଷ ଅତିକ୍ରାନ୍ତ କରିବାପରେ ଅନ୍ତିମ ବିଦାୟ ନେଇଛନ୍ତି ।

Support Samadhwani

 

ପୂଜ୍ୟ ଗୁରୁ ଶ୍ରୀ ଶ୍ରୀ ଧନେଶ୍ୱର ଦାସଙ୍କ ପଦାର ବିନ୍ଦରେ

ସମଧ୍ୱନି ପରିବାର’ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି

 

Support Samadhwani

ଗତ ୨୦୧୭ ଡ଼ିସେମ୍ବର ୨୩ ତାରିଖ ଦିନଟି ଥିଲା ଓଡ଼ିଶାର ସଙ୍ଗୀତଜଗତ ପାଇଁ ସବୁଠୁ ଦୁଃଖର ଦିନ, ସେ ଦିନ ପୂଜ୍ୟ ଗୁରୁ ଶ୍ରୀ ଶ୍ରୀ ଧନେଶ୍ୱର ଦାସ ମହୋଦୟଙ୍କର ଅନ୍ତିମ ବିଦାୟର ବାର୍ତ୍ତା ମିଳିଲା ।

କଳାକାର ଜୀବନର ସବୁ ସାଧନାକୁ ସେ ଏକାଠିକରି ନିଜର ସ୍ୱାଭିମାନକୁ ତୋଳିଧରିବାପାଇଁ ନିଜ ଚିକିତ୍ସାକୁ ଆଡ଼େଇଗଲେ । ମାଗିଯାଚି ଚିକିତ୍ସା ହେବାପାଇଁ ଚାହିଁଲେ ନାହିଁ । ଅନ୍ୟପଟେ ଗୁରୁ ନିର୍ଦେଶ୍ ବୋଲି କହି ସଙ୍ଗୀତ ବିନା ମୋ ବଂଚି ରହିବାର ଅର୍ଥ କ’ଣ ହୋଇପାରେ କଥା ଛଳରେ ସେଦିନ ଯେଉଁ ପଦକ କହିଗଲେ ଏବେବି କାନରେ ଗୁଞ୍ଜରିତ ହୁଏ ।

ହୁଏତ ଚିକିତ୍ସିତ ହୋଇଥିଲେ ଆହୁରି ୫ରୁ ୧୦ ବର୍ଷ ଆମ ଗହଣରେ ସେ ରହିଥାନ୍ତେ ଏବଂ ଆମକୁ ଦିଗଦର୍ଶନ ଦେଇଥାନ୍ତେ । ତାଙ୍କର ଇଚ୍ଛାଟି ଶେଷରେ ପୂରଣ ହେଲା । ଯେଉଁ ଲଢ଼େଇ କଳାକାର ଭାବେ ଦୀର୍ଘଦିନ ହେଲା ଲଢ଼ିଥିଲେ ସେହି ଲଢ଼େଇକୁ ଆଗେଇନେଲେ ମୃତ୍ୟୁକୁ ସାମ୍ନା କରିବାପାଇଁ। ସରକାରଙ୍କୁ ଗୁହାରୀ ଜଣାଇଥିଲେ ହୁଏତ ବିଭିନ୍ନ ଉପାୟରେ ତାଙ୍କର ମାଗଣା ଚିକିତ୍ସା ହୋଇପାରିଥାନ୍ତା ହେଲେ ସ୍ୱାଭିମାନୀ କଳାକାରର ସଜ୍ଞାକୁ ବାରମ୍ବାର ଉର୍ଧରେ ତୋଳିଧରିବାର ଯେଉଁ ଉଦାହରଣ ଯୁବକ ଅବସ୍ଥାରୁ ସେ ଆରମ୍ଭ କରିଥିଲେ ସେହି ସ୍ୱାଭିମାନୀ କଳାକାର ହୋଇ ମୃତ୍ୟୁକୁ ଶ୍ରେୟ ମଣିଲେ ।

ଭଦ୍ରକ ଅଞ୍ଚଳର ଯେକୌଣସି ବ୍ୟକ୍ତି ତାଙ୍କ ସ୍ୱରର ଝଳକ ପାଇଛନ୍ତି ସେ କେବେବି ତାଙ୍କୁ ଭୁଲିନାହାଁନ୍ତି । ଅଦ୍ଭୁତ ପ୍ରକାରର ଆକର୍ଷଣ, ସ୍ପଷ୍ଟତା ତାଙ୍କ ସ୍ୱରରେ ଥାଏ ଯାହା ସମସ୍ତଙ୍କୁ ଭାବ ନିବିଷ୍ଟ କରିପକାଏ । ସେଭଳି ଜଣେ ମହାନ ଗୁରୁଙ୍କ ସମ୍ପର୍କରେ ଲେଖିବାପାଇଁ ହୁଏତ ମୁଁ ଯୋଗ୍ୟ ବୋଲି ନିଜକୁ ମଣୁନାହିଁ ।

ପୁରସ୍କାରଟିଏ ପାଇଁ ଆଜିକାଲି ସବୁଠି କେତେ ଲୋକ ଧାଡ଼ିବାନ୍ଧିଥିବା ବେଳେ ସେ ଥିଲେ ପୁରସ୍କାରର ବିରୋଧୀ । ପଚାରିବାରୁ କହୁଥିଲେ, ଯେଉଁ ରାଜ୍ୟ ସଙ୍ଗୀତକୁ ଚିହ୍ନେନାହିଁ କିମ୍ବା ଆଦର କରେ ନାହିଁ ସେଠି ସଙ୍ଗୀତପାଇଁ ମୋତେ ପୁରସ୍କାରଟିଏ ଦେଲେ ତୀରସ୍କାର କରିବାପରି ମନେହୁଏ । ଦୀର୍ଘ ୫୦ବର୍ଷର ସାଧନାମୟ ଜୀବନକୁ ନା ଭଦ୍ରକ ଅଞ୍ଚଳର ଜନଗଣ ଚିହ୍ନିଲେ ନା ସରକାର ସେହିଭଳି ଗୁଣୀଜନଙ୍କର ପ୍ରୟାସକୁ ଆଗେଇ ନେଇପାରିଲେ । ସବୁ ସାଧନାର ଅନ୍ତ ଘଟିଲା ତାଙ୍କର ମୃତ୍ୟୁରେ ।

ଯେଉଁ ଧାରା ଯେଉଁ ଶୈଳୀକୁ ସେ ଏତେ ସ୍ପଷ୍ଟ ଭାବରେ ଶିକ୍ଷା ଦେଉଥିଲେ(ଯାହା ଏବେବି ଓଡ଼ିଶାରେ ନିଆରା) ସେହି ଧାରାଟି ଆଜିର ଡ଼ିଜିଟାଲ ଦୁନିଆରେ କେହିକେବେ ରେକର୍ଡ଼ କରିନାହାଁନ୍ତି । ଭଦ୍ରକ ଅଞ୍ଚଳରେ ଏତେ ରେକଡିଂଗ୍  କାମ କରୁଛନ୍ତି ସେମାନେ ନିଶ୍ଚୟ ତାଙ୍କ ବିଷୟରେ ଅବଗତ ଥିବେ ହେଲେ କେହି କେବେ ଆଗ୍ରହ ଦେଖାଇଲେନି ଶାସ୍ତ୍ରୀୟ ଜଗତର ଏହି ମହାନ ଗୁରୁଙ୍କର ଗାୟନଶୈଳୀକୁ ରେକଡିଂଗ୍  କରିବାପାଇଁ । ଓଡ଼ିଶାର ସଙ୍ଗୀତ ଜଗତପାଇଁ ଏହାଠାରୁ ବଡ଼ ଦୁର୍ଭାଗ୍ୟ କ’ଣ ହୋଇପାରେ ।

ଆଜିବି ଅନେକ ମହାନ ଗୁରୁମାନେ ଆମ ନିକଟରେ ଅଛନ୍ତି ଦିଗଦର୍ଶନ ଦେବାପାଇଁ ଯେଉଁମାନଙ୍କୁ ଆମେ ଆଜି ନସାଇତିପାରିଲେ ହୁଏତ ଭବିଷ୍ୟତ ପିଢ଼ି ଆମକୁ ଧିକ୍କାର କରିବ । ଏଠି ସାଇତିବା ଅର୍ଥନୁହେଁ ପୁରସ୍କାର ପ୍ରଦାନ କରିବା ବରଂ ସେହିସବୁ ଗୁରୁମାନେ ଯେଉଁଭଳି ସାଧନାର ରାସ୍ତା, ଶିକ୍ଷା ପ୍ରଣାଳୀ ସୃଷ୍ଟି କରିଛନ୍ତି ତାକୁ ଆଗେଇନେବାର ଚେଷ୍ଟା ହିଁ ସେମାନଙ୍କ ପ୍ରତି ସବୁଠୁ ବଡ଼ ସମ୍ମାନ ହେବ । ସଙ୍ଗୀତ ପ୍ରତି ନିଷ୍ଠା ଓ ସଙ୍ଗୀତର ଉପଯୋଗୀତାକୁ ନବୁଝି ଏସବୁ କାମକୁ ଆଗେଇ ନେବା ହୁଏତ ସମ୍ଭବ ନୁହେଁ ।

ଗୁରୁ ଶ୍ରୀ ଧନେଶ୍ୱର ଦାସଙ୍କ ପିଲାଦିନ କଟିଥିଲା କଲିକତାରେ ବାପାଙ୍କ ନିକଟରେ । ଅତିଛୋଟବେଳେ ବାପା ତାଙ୍କୁ ଗୁରୁକୂଳ ଆଶ୍ରମରେ ସଙ୍ଗୀତ ଶିକ୍ଷାଲାଭ କରିବାପାଇଁ ଛାଡ଼ିଦେଇଥିଲେ । ଦୀର୍ଘଦିନ ଧରି ଗୁରୁ ଆଶ୍ରମରେ ନିଜକୁ ଶାଣିତଭାବେ ପ୍ରସ୍ତୁତ କରିଥିଲେ ସେ । କଲିକତାରୁ କିରାଣା ଘରାନା ଏବଂ ଗୋୟାଲିୟର ଘରାନାରେ ଗୁରୁଙ୍କ ଆଶ୍ରମରେ ରହି ସଙ୍ଗୀତ ଶିକ୍ଷା ଅର୍ଜନ କରିଥିବା ଗୁରୁ ଶ୍ରୀ ଧନେଶ୍ୱର ଦାସ ନିଜର କଳାକୁ ବଜାରର ପଣ୍ୟ କରିବାପାଇଁ କୁଣ୍ଠାବୋଧକରି “ସ୍ୱରତୀର୍ଥ” ନାମକ ଏକ ସଙ୍ଗୀତ ଅନୁଷ୍ଠାନ ସତୁରିଦଶକରେ ଆରମ୍ଭ କରିଥିଲେ ।

ନିଜସ୍ୱ ତତ୍ତ୍ୱାବଧାନରେ ଆଜିଯାଏ ଉକ୍ତ ଅନୁଷ୍ଠାନଟିକୁ ସେ ଚଳାଇଆସିଥିଲେ । ଅତି ନିଷ୍ଠାପରଭାବେ ଶିକ୍ଷାର୍ଥୀମାନଙ୍କୁ ବର୍ଷ ବର୍ଷ ଧରି ସଙ୍ଗୀତ ଶିକ୍ଷା ଦେବା ଏବଂ ସମଗ୍ର ଭଦ୍ରକ ଅଞ୍ଚଳରେ ଶାସ୍ତ୍ରୀୟ ସଙ୍ଗୀତର ଏକ ସୁଦ୍ଧ ଧାରାର ପ୍ରଚଳନ କରାଇବା ତାଙ୍କର ସବୁଠାରୁ ବିଶେଷ ଗୁଣଥିଲା ।

ଓଡ଼ିଶାର ଯେକୌଣସି ବଡ଼ବଡ଼ ଶାସ୍ତ୍ରୀୟ ଗୁରୁମାନେ ତାଙ୍କ ଜ୍ଞାନ ଓ ଗାୟନ ଶୈଳୀ ସମ୍ପର୍କରେ ଅବଗତ ଅଟନ୍ତି । କଥାରେ କୁହାଯାଏ ଗୁଣୀ ଚିହ୍ନେ ଗୁଣ । ଓଡ଼ିଶାରେ କଳାକାରଙ୍କର ଅଭାବ ନାହିଁ କିନ୍ତୁ ଗୁଣୀଜନଙ୍କୁ କେମିତି ସମ୍ମାନ ଦିଆଯାଏ ଏବଂ ରାଷ୍ଟ୍ରର ସହଯୋଗରେ ସେମାନଙ୍କ ଜ୍ଞାନକୁ କେମିତି ସାଧାରଣ ମଣିଷ ନିକଟରେ ପହଞ୍ଚାଯାଏ ସେହି ଆନ୍ତରିକତାର ଅଭାବ ଯୋଗୁଁ ସଙ୍ଗୀତ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ସମସ୍ତ ସୃଜନଶୀଳ କଳା କ୍ଷେତ୍ରରେ ଓଡ଼ିଶା ଆଜି ଅନେକ ପଛରେ ।

ସଙ୍ଗୀତ ସୁଧାକର ନାମରେ ସେ ଦୁଇଟି ପୁସ୍ତକ ରଚନା କରିଛନ୍ତି, ଯେଉଁ ପୁସ୍ତକ ଗୁଡ଼ିକର ସଙ୍ଗୀତ ଶିକ୍ଷାର୍ଥୀମାନଙ୍କ ପାଇଁ ଯଥେଷ୍ଟ ଉପଯୋଗୀତା ରହିଛି । ଉକ୍ତ ପୁସ୍ତକରେ ଉଚ୍ଚାଙ୍ଗ ସଙ୍ଗୀତ ସମ୍ପର୍କରେ ସେ ନିଜେ ଯାହା କହିଛନ୍ତି ତା’କୁ ନିମ୍ନରେ ଉପସ୍ଥାପିତ କରାଯାଇଛି।

ଉଚ୍ଚାଙ୍ଗ ସଙ୍ଗୀତ ସୁଧା ସମ୍ବନ୍ଧରେ ପଦେ

ସଙ୍ଗୀତ କଳା ଈଶ୍ୱରାନୁରାଗ ଓ ଈଶ୍ୱରାନୁଭୂତିରେ ସହାୟକ, ଉଚ୍ଚାଙ୍ଗ ସଙ୍ଗୀତ ସ୍ୱର ଏବଂ ରସ ଉପରେ ଆଧାରିତ । ତେଣୁ ସର୍ବ ପ୍ରଥମେ ସ୍ୱରସାଧନା କରିବା(ଅଳଙ୍କାର ନୁହେଁ)ଅପରିହାର୍ଯ୍ୟ। ଏହି ସ୍ୱର ସାଧନା କରିବା ଦ୍ୱାରା ସ୍ୱର ଉପରେ ସ୍ଥିରତା ଆସିଥାଏ ଏବଂ ସ୍ଥିରତା ଆସିଲେ ରସ ଉଦ୍ରେକ ହୋଇଥାଏ । ଏହି ରସଯୁକ୍ତ ସଙ୍ଗୀତ ହିଁ ଇଶ୍ୱରପ୍ରାପ୍ତିର ମାଧ୍ୟମ । ଏହାହିଁ ସାଧକର ଉକ୍ରୃଷ୍ଟ ସଙ୍ଗୀତ ସାଧନା ।

ବର୍ତ୍ତମାନ ଉଚ୍ଚାଙ୍ଗ ସଙ୍ଗୀତର ପ୍ରଚାର ଏବଂ ପ୍ରସାର ବହୁଳ ଭାବରେ ବଢ଼ିଚାଲିଛି କିନ୍ତୁ ଏହାର କଳାତ୍ମକମାନର ଅଭିବୃଦ୍ଧି ହୋଇପାରୁନି । ଏହାର ଉତ୍ତରଦାୟିତ୍ୱ ଉଭୟ ଗୁରୁ-ଶିଷ୍ୟଙ୍କ ଉପରେ ନ୍ୟସ୍ତ । ଆଜିର ତଥାକଥିତ ସଙ୍ଗୀତ ଶିକ୍ଷକମାନେ ସଙ୍ଗୀତ ସାଧନାର ମୂଳ ଉଦ୍ଦେଶ୍ୟ ପ୍ରତି ଧ୍ୟାନ ନଦେଇ ବ୍ୟବସାୟିକ ଭାବରେ ନିଜର ସମସ୍ତ ସମୟକୁ ଅର୍ଥ ଉପାର୍ଜନରେ ବିନିଯୋଗ କରୁଛନ୍ତି । ତେଣୁ ସେମାନେ ସ୍ୱୟଂସାଧନାରୁ ବଞ୍ôଚତ ହେଉଛନ୍ତି। ଏହି ଅପୂର୍ଣ୍ଣ ସଙ୍ଗୀତ ଶିକ୍ଷକମାନଙ୍କ ଦ୍ୱାରା ଉତ୍ତମଶିଷ୍ୟ ଯେ କିପରି ଗଢ଼ା ହୋଇପାରିବେ ତାହା ସହଜରେ ଅନୁମାନ କରିହୁଏ । ଶିଷ୍ୟମାନଙ୍କର ଦଶା ମଧ୍ୟ ତଦ୍ରୁପ, ଏମାନେ କୌଣସି ସଙ୍ଗୀତ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା କରନ୍ତି ସତ କିନ୍ତୁ ସେହି ବିଦ୍ୟାକୁ ଅଭ୍ୟାସ କରନ୍ତିନାହିଁ । ଯାହାଫଳରେ ସଙ୍ଗୀତର ବିଭିନ୍ନ ଉପାଧି ଯଥା- ବିଷାରଦ, ପ୍ରଭାକର, ଭାସ୍କର, ପ୍ରବୀଣ ତଥା ଅଳଙ୍କାର ପ୍ରଭୃତିରେ ଭୂଷିତ ହୋଇ ମଧ୍ୟ କୌଣସି ସଙ୍ଗୀତ ଆସରରେ ନିଜର କଳାକୁ ପ୍ରଦର୍ଶିତ କରିବାରେ ଅସମର୍ଥ ହୁଅନ୍ତି ।

ମଧ୍ୟଯୁଗର ଶେଷ ଓ ଆଧୁନିକ ଯୁଗର ଆରମ୍ଭରେ ଖେୟାଲ ଗୀତର ସୃଷ୍ଟି । ସେହି ଖେୟାଲ ଗୀତଗୁଡ଼ିକ ଧ୍ରୁବପଦ ଶୈଳୀରେ ରଚନା କରାଯାଇଥିଲା ଏବଂ ଏହି ରଚନାରେ ଧ୍ରୁବପଦ ପରି ଶୁଦ୍ଧବାଣୀର ପ୍ରୟୋଗ ମଧ୍ୟ ହୋଇଥିଲା । ଏଥିରେ ଅଶ୍ଳୀଳ ବାକ୍ୟ ବା କ୍ଳିଷ୍ଟ ବାଣୀ ଯୁକ୍ତ ଗୀତ ନଥିଲା । ଏହା ପରେ ପରେ ଆରମ୍ଭ ହୋଇଗଲା ଭାଷାନଭିଜ୍ଞ ସଙ୍ଗୀତକାରଙ୍କର ସଙ୍ଗୀତ ରଚନା । ସେହି ଗୀତଗୁଡ଼ିକୁ ଆମେ ସଙ୍ଗୀତଜ୍ଞମାନେ ଶିଷ୍ୟମାନଙ୍କୁ ଶିକ୍ଷାଦାନ ଦେଉଛୁ ଓ ନିଜେ ମଧ୍ୟ ପରିବେଷଣ କରୁଛୁ। ଆମେମାନେ ଥରୁଟିଏ ବି ସୁସ୍ଥ ମସ୍ତିସ୍କରେ ଚିନ୍ତା କରୁନାହାଁନ୍ତି ଯେ, ଉଚ୍ଚାଙ୍ଗ ସଙ୍ଗୀତରେ କିଭଳି ବାଣୀର ପ୍ରୟୋଗ ହେବା ଉଚିତ । ତେଣୁ ବର୍ତ୍ତମାନ ଅଶ୍ଳୀଳ ବାଣୀ ବା କ୍ଳୀଷ୍ଟ ଗୀତଗୁଡ଼ିକୁ ବାଦ ଦେଇ ଶୁଦ୍ଧବାଣୀ ଯୁକ୍ତ ଗୀତଗୁଡ଼ିକୁ ନେବାକୁ ହେବ । ବର୍ତ୍ତମାନ ବିଲମ୍ବିତ ବା ବଡ଼ା ଖୟାଲରେ ଯେପରି ଠୁମୁରୀ ଅଙ୍ଗର ଆଳାପ ବା ବିସ୍ତାର କରାଯାଉଛି, ସେପରି କରିବା ଅନୁଚିତ । କାରଣ ବିଳମ୍ବିତ ଲୟରେ ଚଞ୍ଚଳ ଭାବରେ ଆଳାପ କରିବା ଦ୍ୱାରା ରାଗର ଗାମ୍ଭୀର୍ଯ୍ୟତା କ୍ଷୁର୍ଣ୍ଣ ହେଉଛି । ବିଳମ୍ବିତ ଗତିର ଗୀତରେ ଆଳାପ ଗାମ୍ଭୀର୍ଯ୍ୟ ଓ ରସଯୁକ୍ତ ଏବଂ ସ୍ପଷ୍ଟ ଉଚ୍ଚାରଣ ହେବା ଉଚିତ । ସେହିପରି ପ୍ରୟୋଜନ ମୁତାବକ ବାଣ୍ଟ, ବିବିଧ ତାନ୍, ଓ ବୋଲ ତାନ୍ ନେବା ଉଚିତ । ଅଯଥା ଗୁଡ଼ାଏ ତାନ୍ବାଜୀ କରି ରାଗର ସୌନ୍ଦର୍ଯ୍ୟ ନଷ୍ଟ କରାଇବା ଅନୁଚିତ । ଯଦିଓ ଖେୟାଲ୍ ଗୀତରେ ତାନ୍ ଗୋଟିଏ ଅଙ୍ଗ ହିସାବରେ ଗ୍ରହଣ କରାଯାଇଛି ତେବେ ଏହାର ବହୁଳ ପ୍ରୟୋଗ ଦ୍ୱାରା ରାଗର ଭାବ ଓ ରସ ହାନି କରାଯାଉଛି । ଯେତିକି ପ୍ରୟୋଜନ ଓ ରସଯୁକ୍ତ ତାହାହିଁ କରିବା ଉଚିତ । ପରିଶେଷରେ ଓଡ଼ିଶାର ସଙ୍ଗୀତସେବୀମାନେ ମୋ ଲେଖାର ତାତ୍ପର୍ଯ୍ୟ ବୁଝି ତ୍ରୁଟିକୁ କ୍ଷମାକରିବେ । ଯାହା ଗୁରୁଦେବଙ୍କ ନିକଟରୁ କିଂଚିତ ଉପଦେଶ ପାଇଥିଲି ତାହା ପ୍ରକାଶ ନକରି ରହିପାରିଲି ନାହିଁ ।

[box type=”shadow” align=”aligncenter” class=”” width=””]“ଆମେ ଏଠାରେ ପାଠକ ମାନଙ୍କୁ ମନେ ପକାଇଦେବା ଉଚିତ ମନେକରୁ ଯେ ଏକ ଧାର୍ମିକ ଏବଂ ଆଧ୍ୟାତ୍ମିକ ପୃଷ୍ଠଭୂମିରେ ଜନ୍ମ ନେଇଥିବା ଆମର ଅଧିକାଂଶ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ଏବଂ ସ୍ୱର ସାଧକମାନେ ଈଶ୍ୱରୀୟ ଚେତନାଦ୍ୱାରା ଅନୁପ୍ରାଣିତ । ଏହି ଈଶ୍ୱରୀୟ ଅନୁପ୍ରେରଣାର ସଙ୍କୀର୍ଣ୍ଣ ତଥା ଧାର୍ମିକ ଦୃଷ୍ଟିକୋଣରୁ ସମୀକ୍ଷା କରିବା ସମୀଚିନ ହେବକି ନାହିଁ ତାହାରି ଉପରେ ବିଦ୍ୱାନମାନେ ଚିନ୍ତା କରିବାକୁ ପଡ଼ିବ। କିନ୍ତୁ ସାଧାରଣତ ଦେଖାଯାଇଥାଏ ଯେ ଏହି ସୃଜନଶୀଳ ସାଧକମାନେ ସବୁ ସଙ୍କୀର୍ଣ୍ଣତାର ଉର୍ଦ୍ଧରେ ରହି କେବଳ ଯେ ସାଧନା କରିଥାନ୍ତି ତାହା ନୁହେଁ ବରଂ ନବାଗତ ଶିକ୍ଷାର୍ଥୀ ମାନଙ୍କୁ ମଧ୍ୟ ସମାନ ଭାବରେ ଅନୁପ୍ରାଣିତ କରିଥାନ୍ତି । ସେହି ଦୃଷ୍ଟିରୁ ଈଶ୍ୱର ଶବ୍ଦର ପ୍ରୟୋଗ ବା ଈଶ୍ୱରୀୟ ସଂକେତର ବ୍ୟବହାର କୌଣସି ଧାର୍ମିକ ଭାବଧାରାକୁ ନବୁଝାଇ ବରଂ ଆଧ୍ୟାତ୍ମିକ ଚେତନାକୁ ବୁଝାଇଥାଏ । ସାଧନାପାଇଁ ଆବଶ୍ୟକ ହେଉଥିବା ସଂକେତ ହିସାବରେ ଏଠି ଇଶ୍ୱର ଅଧିକାଂଶରେ ବ୍ୟବହୃତ ହୋଇଥାନ୍ତି । – ସମ୍ପାଦକ[/box]

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.