ମକର ପର୍ବ

ମକର ସଙ୍କ୍ରାନ୍ତି ଓଡିଶାର କୃଷି ସଂସ୍କୃତି ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଏହା ଉପରେ ଆମେ ସବିଶେଷ ଆଲୋଚନା କରିବା ପୂର୍ବରୁ ଆପଣମାନଙ୍କୁ ଏହି ପର୍ବଟି ଶହେ ବର୍ଷ ତଳେ କେମିତି ପାଳନ କରାଯାଉଥିଲା ସେ ସମ୍ପର୍କରେ ଡଗର ପୃଷ୍ଠାରୁ ଏକ ଲେଖାକୁ ଏଠାରେ ଉପସ୍ଥାପନ କରୁଛୁ । ଭବିଷ୍ୟତରେ ଏହା ଉପରେ ଅଧିକ ସମୀକ୍ଷା ଆମେ ପ୍ରସ୍ତୁତ କରିବୁ । – ସମ୍ପାଦକ

Support Samadhwani

ମକର ସଂକ୍ରାନ୍ତି ଦିନ ଏହି ପର୍ବଟି ହୁଏ ବୋଲି ତାହାର ନାମ ମକର ପର୍ବ ବା ତିଳଉ ସଂକ୍ରାନ୍ତି ରହିଛି । ସୂର୍ଯ୍ୟ ସେଦିନ ମକର ରାଶିରେ ପହଞ୍ଚନ୍ତି । ଆଉ ମଧ୍ୟ ଏହି ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ବୋଲାଯାଏ । କାରଣ, ହଜାର ହଜାର ବର୍ଷ ହେଲା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସେହି ଦିନ ଆରମ୍ଭ ହେଉଥିଲା । ମାତ୍ର ବର୍ତ୍ତମାନ ସେହି ଉତ୍ତରାୟଣ ଗତି ଏହି ସଂକ୍ରାନ୍ତି ଦିନ ନ ହୋଇ ତାହାର କୋଡ଼ିଏ ଦିନ ଆଗରୁ ଆରମ୍ଭ ହେଉଅଛି । ସୂର୍ଯ୍ୟଙ୍କର ଅୟନ ଗତିର ତାରତମ୍ୟ ହେତୁ ଏପରି ଘଟିଅଛି ବୋଲି ଜ୍ୟୋତିର୍ବିଦ ପଣ୍ଡିତମାନେ କହନ୍ତି । ତଥାପି ଏବେ ମଧ୍ୟ ଏହି ମକର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ବୋଲି କୁହାଯାଉଛି । ମକର ରାଶିକୁ ସୂର୍ଯ୍ୟ ଆସିଲେ ଦେବତାମାନଙ୍କର ପୂଜା ଆଦି ଓ ହୋମ ଯଜ୍ଞ ପ୍ରଭୃତି ଶୁଭ ଓ ଶାନ୍ତି କର୍ମମାନ ଆରମ୍ଭ କରିବାର ପୁଣ୍ୟ କାଳ ଉପସ୍ଥିତ ହୁଏ ।

ଏହି ସଂକ୍ରାନ୍ତି ଦିନଠାରୁ ମାସ ଶେଷ ପର୍ଯ୍ୟନ୍ତ ସମୁଦାୟ ମକର ଅର୍ଥାତ୍ ମାଘ ମାସଟି ପୁଣ୍ୟ ମାସ ବୋଲି ପ୍ରାଚୀନ ଶାସ୍ତ୍ରକାରମାନେ କହି ଅଛନ୍ତି । ପ୍ରାତଃ ସ୍ନାନ, ଦାନ, ଈଶ୍ୱର ଭଜନ ପ୍ରକୃତି ଯେଉଁ କାର୍ଯ୍ୟମାନ ଏହି ମାସରେ କରାଯାଏ ସେ ସମସ୍ତ ଏହି ପର୍ବର ଅଙ୍ଗ ସ୍ୱରୂପ ।

ମାଘ ମାସ ଯାକ କେହି ସ୍ନାନ କରି ନ ପାରିଲେ କେବଳ ମକର ସଂକ୍ରାନ୍ତି ଦିନ ପ୍ରାତଃ ସ୍ନାନ ଓ ଦାନ ପୁଣ୍ୟାଦି କାର୍ଯ୍ୟ କରିଥାଆନ୍ତି । ସେହି ସଂକ୍ରାନ୍ତି ଦିନ ଗଙ୍ଗା ଓ ସମୁଦ୍ରରେ ସ୍ନାନ କଲେ ବିଶେଷ ପୁଣ୍ୟ ଲାଭ ହୁଏ । ଏହି ମକର ସଂକ୍ରାନ୍ତି ଦିନ ସେହି ହେତୁରୁ ପୁଣ୍ୟ ନଦୀରେ, ସମୁଦ୍ରରେ ବିଶେଷତଃ ପ୍ରୟାଗରେ ଓ କପିଲ ଋଷିଙ୍କ ଆଶ୍ରମ ଗଙ୍ଗାସାଗରରେ ଭାରି ମେଳା ହୋଇଥାଏ । ସେଠାରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ମେଳାରେ ଯୋଗ ଦିଅନ୍ତି । ମକର ସ୍ନାନରେ କି ପୁଣ୍ୟ ହୁଏ ତାହା ଶାସ୍ତ୍ରାଦିରେ ବିସ୍ତୃତ ଭାବରେ ବର୍ଣ୍ଣିତ ଅଛି । ସୂର୍ଯ୍ୟଙ୍କର ଉତ୍ତରାୟଣ ସମୟରେ କେହି ଦେହ ତ୍ୟାଗ କଲେ ତାହାର ସ୍ୱର୍ଗବାସ ଓ ଈଶ୍ୱର ପ୍ରାପ୍ତି ହୁଏ ଏ କଥା ବହୁ ପୁରାତନ ସ୍ମୃତି ପୁରାଣାଦିରେ ଲେଖା ଅଛି । ମହାଭାରତ ଯୁଦ୍ଧରେ ଭୀଷ୍ମଦେବ ଶରଶଯ୍ୟା କଲା ବେଳେ କହିଥିଲେ ସେ ସୂର୍ଯ୍ୟ ଉତ୍ତରାୟଣ ହେଲେ ମୁଁ ଦେହ ତ୍ୟାଗ କରିବି । ସେ ସମୟରେ ମଧ୍ୟ ସୂର୍ଯ୍ୟଙ୍କର ଉତ୍ତରାୟଣ ପୂଣ୍ୟ କାଳ ବୋଲି ବିବେଚିତ ହେଉ ଥିଲା ।

Support Samadhwani

ଉତ୍କଳରେ ସାଧାରଣ ଲୋକେ କିପରି ମକର ପର୍ବ ମାନନ୍ତି ତାହାର ଟିକିଏ ସୂଚନା, ଏଠାରେ ଦିଆ ଯାଉଅଛି । ନୂଆ ଅରୁଆ ଚାଉଳରେ ଦୁଧ, ଗୁଡ଼, ଛୋଟ ଛୋଟ, ଆଖୁଖଣ୍ଡ, ନଡ଼ିଆ, ଅଦା, ପାକଲା କଦଳୀ ପ୍ରଭୃତି ସୁସ୍ୱାଦୁ ଦ୍ରବ୍ୟ ମାନ ମିଶ୍ରିତ ହୋଇ ଯେଉଁ ଭୋଗ ପ୍ରସ୍ତୁତ ହୁଏ ତାହା ମକର ଚାଉଳ ନାମରେ ପ୍ରସିଦ୍ଧ । ସଂକ୍ରାନ୍ତି ଦିନ ଖୁବ୍ ଭୋରୁ ମକର ଚାଉଳ ପ୍ରସ୍ତୁତ କରି ଦେବତାଙ୍କୁ ନୈବେଦ୍ୟ ଦିଆଯାଏ । ମକର ଚଉଲ ଛଡ଼ା ଘରେ ଘରେ ଖଜା, ନାନା ପ୍ରକାର ପିଠା ଖେଚିଡ଼ି ଓ ସୁଖାଦ୍ୟ ସାମଗ୍ରୀ ମାନ ପ୍ରସ୍ତୁତ କରି ଲୋକେ ଖାଆନ୍ତି । ଆଉ ମଧ୍ୟ କେତେକ ସ୍ଥାନରେ ଝିଅ ଝିଆଣୀମାନଙ୍କ ଘରକୁ ତିଳଉ ଖଜା ଓ ଅନ୍ୟାନ୍ୟ ମିଷ୍ଟାନ୍ନ ସାମଗ୍ରୀର ଭାର ପଠା ଯିବାର ପ୍ରଥା ଅଛି । ଏହି ପରି ଉତ୍କଳରେ ସାଧାରଣ ଲୋକଙ୍କ ଘରେ ମକର ଉତ୍ସବ ପାଳିତ ହୋଇଥାଏ । ପ୍ରସିଦ୍ଧ ଦେବ ମନ୍ଦିର ମାନଙ୍କରେ ବିଶେଷତଃ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ମହୋଦୟ ପ୍ରଭୃତି ଗ୍ରନ୍ଥର ନିମୟ ଅନୁସାରେ ସଂକ୍ରାନ୍ତିର ପୂର୍ବ ଦିନରୁ ମକର ଚାଉଳର ଅଧିବାସ କରାଯାଏ । ଅର୍ଥାତ୍ ପୂଜକମାନେ ମକର ଚାଉଳ ପ୍ରସ୍ତୁତ କରି ତାହାକୁ ଦିଗ ପରିକ୍ରମା କରାନ୍ତି । ସେହି ଅଧିବାସ ଦିନ ନବାଙ୍କ ଯାତ୍ରା କରିବାକୁ ହୁଏ । ଏହି ନବାଙ୍କର ଅର୍ଥ ନୂଆ ଅଙ୍କ ବା ବର୍ଷ । ତାହାର ପରି ଦିନ ଠାରୁ ଦେବତାମାନଙ୍କର ନୂଆ ବର୍ଷ ଆରମ୍ଭ ହୁଏ ବୋଲି କଥା ଅଛି । ଏହି ସଂକ୍ରାନ୍ତି ଦିନ ଦେବତାମାନଙ୍କର “ନବାନ୍ନ ଭୋଜନ” ଅର୍ଥାତ ନୂଆଖିଆ ଆରମ୍ଭ ହୁଏ ।

ଶୀତର କୋଠରତା ଏହି ସମୟରେ କମି ଯାଇ ବସନ୍ତ ଋତୁ ନିକଟବର୍ତ୍ତୀ ହେଉଥାଏ । ପ୍ରକୃତି ତାର ଶୋଭା ବିସ୍ତାର କରିବାକୁ ଆରମ୍ଭ କରେ । ବର୍ଷକ ପରିଶ୍ରମର ଫସଲ ଧାନ, ବିରି, ମୁଗ ପ୍ରଭୃତି ଶସ୍ୟ ସେହି ସମୟକୁ ଲୋକେ ଅମଳ କରି ସାରିଥାନ୍ତି । ପ୍ରାଚୀନ ଆର୍ଯ୍ୟ ଋଷିମାନେ ଯେ ଏହି ସମୟକୁ ଅତି ପବିତ୍ର ଓ ପୁଣ୍ୟ କାଳର ଆରମ୍ଭ ବୋଲି ନିର୍ଦ୍ଦେଶ କରି ଅଛନ୍ତି ତାହା ବଡ଼ ଠିକ୍ । ନାନା ପ୍ରକାର ଶସ୍ୟାଦି ସେହି ସମୟକୁ ସଂଗ୍ରହ ହୋଇଥାଏ । ଲୋକଙ୍କର ଖାଇବାର ବିଶେଷ ଅଭାବ ନଥାଏ ।

ପୃଥିବୀର ପ୍ରତ୍ୟେକ ଜାତି ମଧ୍ୟରେ ପର୍ବ ପାଳିବାର ବିଧି ଅଛି । ଆମ୍ଭମାନଙ୍କୁ ମଧ୍ୟ ଅନେକ ଗୁଡ଼ିଏ ପର୍ବ ମାନି ଚଳିବାକୁ ହୁଏ । ସେ ସବୁ ପର୍ବ ମଧ୍ୟରେ ମକର ଗୋଟିଏ ପ୍ରଧାନ ପର୍ବ । ଆମ୍ଭେମାନେ ଯେତେ ଗୁଡ଼ିଏ ପର୍ବ ପାଳନ କରୁ ଅନ୍ୟ କୌଣସି ଜାତି ଏତେ ଗୁଡ଼ିଏ ପର୍ବ ମାନିବାର ଦେଖାଯାଏ ନାହିଁ । କଥାରେ ଅଛି ହିନ୍ଦୁଙ୍କ ଘରେ ବାର ମାସରେ ତେର ପର୍ବ । କେହି କେହି ପଚାରି ପାରନ୍ତି ଏତେ ଗୁଡ଼ିଏ ପର୍ବ ପାଳିବାର କି ଆବଶ୍ୟକତା । ଚିନ୍ତା କରି ଦେଖିଲେ ଜଣାଯିବ ଯେ ପର୍ବ ପାଳନରେ କିଛି ନା କିଛି ସତ ଉଦ୍ଦେଶ୍ୟ ଅଛି । ଲୋକେ ସବୁବେଳେ ସଂସାରର ନାନା ପ୍ରକାର ଜଞ୍ଜାଳରେ ବ୍ୟସ୍ତ-କୁଟମ୍ବ ଓ ନିଜର ଭରଣ ପୋଷଣ ଧନ୍ଦାରେ ପଡ଼ି ଲୋକେ ମନ ପରିବର୍ତ୍ତନ ନିମେନ୍ତ ଖୁବ୍ ଅଳ୍ପ ଅବସର ପାଇଥାନ୍ତି । ଏହି ପର୍ବ ପର୍ବାଣୀ ପାଳନ ଦ୍ୱାରା ମନ ପରିବର୍ତ୍ତନର ଯଥେଷ୍ଟ ସୁଯୋଗ ମିଳେ । ଧର୍ମ ସହିତ ପର୍ବମାନଙ୍କର ଘନିଷ୍ଠ ସମ୍ବନ୍ଧ ଶାସ୍ତ୍ରକାରମାନେ ରଖିଥିବାରୁ ଲୋକେ ସେହି ପର୍ବ ଦିବସରେ ନାନାଦି ସତକାର୍ଯ୍ୟମାନ କରି ଜଗତ୍ ପିତା ପରମେଶ୍ୱରଙ୍କର ଆରାଧନା ଓ ପୂଜା କରିବାର ବିଶେଷ ସୁବିଧା ପାଆନ୍ତି । ଖାଲି ଏତିକି ନୁହେଁ । ପର୍ବ ବା ଉତ୍ସବ ଦିବସରେ ଘରଦ୍ୱାର ପରିଷ୍କାର ଓ ଲୁଗାପଟା ଧୂଆ ପଖାଳା ଦ୍ୱାରା ଏବଂ ଉପବାସ ଓ ନିୟମିତ ଆହାର ଦ୍ୱାରା ସ୍ୱାସ୍ଥ୍ୟ ରକ୍ଷାର ବିଧାନମାନ ଅଲକ୍ଷିତ ଭାବରେ ପ୍ରତିପାଳିତ ହୋଇଥାଏ ।

ମୟୁରଭଞ୍ଜର ଜନଜାତିମାନେ ଏହି ମକର ପର୍ବକୁ କିପରି ଭାବରେ ମାନନ୍ତି ସେ ବିଷୟରେ ଦୁଇ ଚାରି କଥା ଏଠାରେ କୁହାଯାଉଅଛି । ସେମାନେ ଯେତେଗୁଡ଼ିଏ ପର୍ବ ମାନନ୍ତି ସେଥି ମଧ୍ୟରେ ମକର ସେମାନଙ୍କ ସର୍ବ ପ୍ରଧାନ ପର୍ବ । ମକର ପର୍ବକୁ ସେମାନେ ଯେତେ ଆନନ୍ଦ, ଉତ୍ସାହ ଓ ଆଡ଼ମ୍ବର ସହିତ ମାନନ୍ତି ଅନ୍ୟାନ୍ୟ ପର୍ବମାନଙ୍କରେ ସେମାନଙ୍କର ସେପରି ଉତ୍ସାହ ଦେଖାଯାଏ ନାହିଁ । ସେମାନଙ୍କ ମଧ୍ୟରେ ଏପରି କଥା ପ୍ରଚଳିତ ଅଛି ଯେ ‘ବାପ ମା ଛେଉଣ୍ଡ ହେବ ପଛକେ, ମକର ଛେଉଣ୍ଡ ହେବ ନାହିଁ’, ମକର ପର୍ବପାଳିବା ବିଷୟରେ ସେମାନଙ୍କର କେତେ ଦୂର ଆଗ୍ରହ ତାହା ସହଜରେ ଏହି କଥାରୁ ବୁଝାଯାଉଅଛି । ଏହି ମକର ପର୍ବ ମାନିବା ଲାଗି ଆଗ ତିନି ମାସଠୁଁ ସେମାନେ ଆବଶ୍ୟକୀୟ ଜିନିଷମାନ ଆୟୋଜନ କରି ରଖିଥାଆନ୍ତି । ପର୍ବ ମାନିବାର ସମସ୍ତ ଉପକରଣ ଏହିସମୟରେ ସେମାନଙ୍କ ଠାରେ ମହଜୁଦ ଥାଏ । ସେମାନଙ୍କ ମଧ୍ୟରେ ଯେଉଁମାନେ ବିଦେଶକୁ ଚାକିରି କରିବାକୁ ଯାଇଥାନ୍ତି ସେମାନେ ମଧ୍ୟ ଏହି ମକର ପର୍ବ ପାଳିବା ସକାଶେ ଏହିପର୍ବ ହେବାର ପ୍ରାୟ ୩୦ ଦିନପୂର୍ବରୁ ଆସି ଘରେ ପହଞ୍ଚିଥାନ୍ତି । ଭାଇ କୁଟୁମ୍ବମାନଙ୍କ ମଧ୍ୟରେ ରହି ନିଜ ଘରଠାରେ ମକର ମାନିବାକୁ ସେମାନେ ଖୁବ୍ ସୌଭାଗ୍ୟ ବୋଲି ମନେ କରନ୍ତି । ଯେଉଁମାନେ ନିତାନ୍ତ ଗରୀବ ଓ ଯେଉଁମାନଙ୍କର ମକର ମାନିବା ଉପଯୋଗୀ ସମ୍ଭାର ନ ଥାଏ ସେମାନଙ୍କୁ ଅବସ୍ଥା ସମ୍ପନ୍ନ ଗ୍ରାମବାସୀମାନେ ସାହାଯ୍ୟ କରନ୍ତି । ସେମାନେ ମକର ସଂକ୍ରାନ୍ତିର ପୂର୍ବ ଦିନକୁ ବାଉଣ୍ଡି (ଅଧିବାସ ବା ଏକବାର) କହନ୍ତି । ସଂକ୍ରାନ୍ତି ଦିନ ପିନ୍ଧିବା ସକାଶେ ନୂଆ ଲୁଗା ଓ ଖାଇବା ସକାଶେ ମାଛ, ମାଂସ, ନମଣ୍ଡିଆ, ଚୁଡ଼ା, ଗୁଡ଼ ଓ ନାନା ପ୍ରକାରର ପିଠା ଏହି ବାଉଣ୍ଡି ଦିନ ପ୍ରସ୍ତୁତ କରି ରଖନ୍ତି । ସମସ୍ତେ ସଂକ୍ରାନ୍ତି ଦିନ କୁକୁଡ଼ା ଡାକରୁ ଉଠି ସ୍ନାନ କରନ୍ତି ଓ ତାହା ପରେ ନୂଆ ଲୁଗା ପିନ୍ଧି ପୂର୍ବ ଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟଦ୍ରବ୍ୟାଦି ଖାଆନ୍ତି । ସାଇ ପଡ଼ିଶା ଘରକୁ କେହି ବୁଲି ଗଲେ ସେମାନେ ତାହକୁ ଖାଇବାକୁ ଦିଅନ୍ତି । ମକର ବାସି ଦିନ ସାନ୍ତାଳମାନଙ୍କର ନାଚ, ତାମସା ଓ ଆମୋଦ ପ୍ରମୋଦ ବିଶେଷ ପରିମାଣରେ ହୋଇଥାଏ ।

ପ୍ରତ୍ୟେକ ଗ୍ରାମରେ ପନ୍ତା ନାଚର ଆୟୋଜନ କରାଯାଏ । ଗ୍ରାମ ପାଖରେ ଥିବା କୌଣସି ପଡ଼ିଆରେ ସେହି ଗ୍ରାମରେ ଥିବା ସ୍ତ୍ରୀ ଓ ପୁରୁଷମାନେ ଏକତ୍ର ହାତ ଧରାଧରି ହୋଇ ଉଚ୍ଚତା କ୍ରମରେ ଧାଡ଼ିି ବାନ୍ଧନ୍ତି । ଅର୍ଥାତ୍ ଧାଡ଼ିର ପ୍ରଥମରେ ଗୋଟିଏ ଡେଙ୍ଗା ଲୋକ (ସ୍ତ୍ରୀ ହେଉ ବା ପୁରୁଷ ହେଉ) ଥାଏ, ତାହା ପାଖକୁ ତାହା ଠାରୁ ସାନ ଏହି ପରି କ୍ରମରେ ସର୍ବ ଶେଷରେ ଗୋଟିଏ ସାନ ପିଲା ଥାଏ । ସେହି ଧାଡ଼ିର ଆଗରେ କେତେ ଜଣ ପୁରୁଷ ମାଦଳ, ଧୂମୁଷା ଓ ଝାଲିର ଓଗେର ବାଜା ନେଇ ଠିଆ ହୁଅନ୍ତି । ତତ୍ପରେ ଗୀତ ଆରମ୍ଭ ହେଲେ ବାଜାବାଜି ନାଚ ଆରମ୍ଭ ହୁଏ । ଗାଇବା ଲୋକେ ବାଜାଦାରଙ୍କ ସଙ୍ଗରେ ଥାଆନ୍ତି । ଧାଡ଼ିରେ ଥିବା ସ୍ତ୍ରୀ ଓ ପୁରୁଷମାନେ ହାତ ଧରାଧରି ହୋଇ ବାଜାଦାର ଓ ଗାୟକମାନଙ୍କର ଚାରି ପାଖରେ ଘୁରି ଘୁରି ନାଚନ୍ତି । ଏହି ପରି ସକାଳୁ ରାତି ଶେଷ ପର୍ଯ୍ୟନ୍ତ ନାଚ ଲଗିଥାଏ । ଯେଉଁମାନେ କୌଣସି କାରଣରୁ ପନ୍ତା ଛାଡ଼ି ଚାଲି ଯାଆନ୍ତି ଅନ୍ୟ ଲୋକେ ସେମାନଙ୍କ ଯାଗାରେ ଆସି ଯୋଗ ଦିଅନ୍ତି । ସେହି ନାଚ ପାଖରେ ଖାଇବାର ଜିନିଷ ସବୁ ରଖା ଯାଇଥାଏ । କାହାରି ଇଚ୍ଛା ହେଲେ ସେ ସେଠାରେ ଖାଏ । ଉଭୟେ ସ୍ତ୍ରୀ ଓ ପୁରୁଷ ବିବାହିତ ହେଉ ବା ଅବିବାହିତ ହେଉ ଏହି ପନ୍ତା ନାଚରେ ଯୋଗ ଦେଇଥାଆନ୍ତି । ଏହା ଛଡ଼ା କେହି କେହି ସୁଆଙ୍ଗ ସାଜି ଘରେ ଘରେ ବୁଲି ପିଠା, ଚାଉଳ, ଚୁଡ଼ାଗୁଡ଼ ଇତ୍ୟାଦି ଖାଦ୍ୟ ସାମଗ୍ରୀ ମାଗନ୍ତି, କେହି ବାବାଜି ସାଜେ କେହି କୁଟା ବାଡ଼ରେ ମାଙ୍କଡ଼ ତୟାର କରି ନଚାଏ କେହି ବଂଶୀ ବଜାଏ, କେହି କେନ୍ଦରା ବଜାଏ ବା ବୁଆଙ୍ଗ (ଅର୍ଥାତ୍ ଲାଉତୁମ୍ବା) ବଜାଏ ।

ଆଉ ମଧ୍ୟ ସେହିଦିନ ସେମାନଙ୍କର ଲାଖ ବିନ୍ଧିବାର ଦିନ । ପ୍ରତ୍ୟେକ ଗ୍ରାମର ସୀମାରେ ଗୋଟିଏ ଲେଖାଏଁ କଦଳୀ ଗଛ ପୋତାଯାଏ । ସେହି ଗଛ ମୂଳରେ ଗ୍ରାମର ଦେହୁରି ପିଠାପଣା ଆଦି ନିଜ ଘରୁ ଆଣି ଭୋଗ ଦିଏ । ଭୋଗ ଶେଷରେ ଗ୍ରାମବାସୀ ଲୋକେ କାଣ୍ଡ ବାଉଁଶ ଧରି ସେହି ଗଛକୁ ଲାଖ ବିନ୍ଧନ୍ତି । ଯାହାର ତୀର ପ୍ରଥମେ ସେହି କଦଳୀ ଗଛରେ ବାଜେ । ସେହି ଲୋକକୁ ଗ୍ରାମବାସୀ ମନେ କାନ୍ଧରେ ବସାଇ ଦେହୁରି ଘରକୁ ଘେନି ଯାଆନ୍ତି । ସେଠାରେ ଦେହୁରି ସେହି ଲାଖ ବିନ୍ଧାରେ ଯୋଗ ଦେଇ ଥିବା ଲୋକମାନଙ୍କୁ ଖାଇବାକୁ ଦିଏ ।

ଦେହୁରି ସେମାନଙ୍କୁ ମକର ଦିନ କାହିଁକି ଖାଇବାକୁ ଦିଏ ତାହା ଏଠାରେ ଟିକିଏ ଲେଖିବା ଉଚିତ୍ । ଦେହୁରି ଗ୍ରାମ ଦେବତୀଙ୍କୁ ପୂଜା କରେ । ଗ୍ରାମର ପ୍ରତ୍ୟେକ କନ୍ୟା ବିବାହରେ କନ୍ୟାପାଉଣା ମଧ୍ୟରୁ ଗୋଟିଏ ଲେଖାଏଁ ଟଙ୍କା ଦେହୁରି ପାଇବାର ପ୍ରଥା ଅଛି । ସେହି ପାଉଣା ପାଉ ଥିବାରୁ ବର୍ଷରେ ଥରେ ଏହି ମକର ପର୍ବରେ ସେ ଲାଖ ବିନ୍ଧାମାନଙ୍କୁ ଖାଇବାକୁ ଦିଏ ।

ଅନ୍ୟାନ୍ୟ ଆଦିମ ଜାତିମାନେ ସାନ୍ତାଳମାନଙ୍କ ପରି ତିନି ଦିନ ଏହି ପର୍ବ ମାନନ୍ତି । କିନ୍ତୁ ପାଳିବା ରୀତି ମଧ୍ୟରେ କିଛି କିଛି ପ୍ରଭେଦ ଅଛି ।

ଏହି ତିନି ଦିନ ଯାକ ଆଦିମ ଜାତିମାନେ ଅନ୍ୟ କାହାରି ମୂଲ ଲାଗିବାକୁ ଯାଆନ୍ତି ନାହିଁ ।

ଏହି ଆମୋଦ ପ୍ରମୋଦ ଓ କ୍ରୀଡ଼ା କୌତୁକ ମଧ୍ୟରେ ବିପଦ ଯେ ନ ଥାଏ ତାହା ନୁହେଁ । ସମୟ ସମୟରେ ବିପଦ ଓ ଦୁର୍ଘଟାନର ମାତ୍ର ଆନନ୍ଦ ଉପଭୋଗକୁ ବଳିଯାଏ । ସେହି ପର୍ବ ଦିନରେ ଅପରିମିତ ହାଣ୍ଡିଆ ଖାଇବା ଏହି ସବୁ ଦୁର୍ଘଟନାର ଓ ବିପଦର କାରଣ ବୋଲି ଅନୁମାନ ହୁଏ । କଳି, କଳିଆ, ମାଡ଼ ପିଟାପିଟି ଏମନ୍ତ କି ନରହତ୍ୟା ପର୍ଯ୍ୟନ୍ତ ଘଟିବାର ଦେଖାଯାଏ । ଯଦି ଆଦିମ ଜାତିମାନେ ଏହି ପର୍ବ ଦିନ ହାଣ୍ଡିଆ ଅଧିକ ପରିମାଣରେ ନ ଖାଆନ୍ତେ ତାହା ହେଲେ ଏ ସବୁ ବିପଦର ଆଶଙ୍କା ହୁଅନ୍ତା ନାହିଁ । ବିଶୁଦ୍ଧ ଆମୋଦ ପ୍ରମୋଦ ଦ୍ୱାରା ସେମାନେ ପ୍ରକୃତ ଆନନ୍ଦ ଅନୁଭବ କରି ପାରନ୍ତେ । ସାଧାରଣ ଲୋକେ ମଧ୍ୟ ଏହା ଦେଖି ପ୍ରୀତ ହୁଅନ୍ତେ । ଆନନ୍ଦର କଥା ଯେ ବର୍ତ୍ତମାନ ସେମାନଙ୍କ ମଧ୍ୟରେ କ୍ରମେ କ୍ରମେ ଶିକ୍ଷାର ବିସ୍ତାର ହେଉଅଛି । ଏଣୁ ଆଶା କରାଯାଏ ଏଥିର ଅନିଷ୍ଟକାରିତା ସେମାନେ ବୁଝିପାରି ତାହାର ପ୍ରତୀକାର କରିବେ ।

ସୌଜନ୍ୟ – ଡଗର

Share This Article