ଚିତ୍ରରେ ବନ୍ଦୁ ଓ ରେଖା:
ଜ୍ୟାମିତିକ ତର୍ଜମା ଅନୁସାରେ ଯାହାର ଲମ୍ବ, ପ୍ରସ୍ଥ, ମୋଟେଇ ନଥାଏ ମାତ୍ର ଅବସ୍ଥିତି ଥାଏ ତାକୁ ବିନ୍ଦୁ କୁହାଯାଏ। ଦୁଇ ବିନ୍ଦୁ ସମ୍ମିଶ୍ରଣରେ ରେଖାର ସୃଷ୍ଟି। ରେଖା ଚିତ୍ର କଳା ପାଇଁ ଏକ ଅପରିହାର୍ଯ୍ୟ ମାଧ୍ୟମ। ଶିଳ୍ପୀ ବିନା ରେଖାରେ ଚିତ୍ର କରିବା କେବେ ହେଲେ ସମ୍ଭବ ହୋଇନଥାଏ। ରେଖାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଯଥା-ସରଳରେଖା ଓ ବକ୍ରରେଖା। ସରଳରେଖା ପୁନଶ୍ଚ ଦୁଇ ଭାଗରେ ବିଭକ୍ତ ଗୋଟିଏ ଲମ୍ବ ଓ ଅନ୍ୟଟି ପ୍ରସ୍ଥ ଆକାରରେ ଥାଏ। ଯାହାକୁ ଇଂରାଜୀରେ ହରାଇଜେଣ୍ଟାଲ (horizontal) ଓ ଅନ୍ୟଟି ଭର୍ଟିକାଲ (Vertical) ସରଳରେଖା ମାଧ୍ୟମରେ ଇଲେକ୍ଟ୍ରି ପୋଲ, ଘର, ନଡ଼ିଆ ଗଛ, ଜ୍ୟାମିତିକ ରୂପ ପ୍ରଭୃତି ଅଙ୍କନ କରାଯାଇଥାଏ। ବକ୍ର ରେଖା ମାଧ୍ୟମରେ ଅଳଂକରଣ ଚିତ୍ର ଯଥା-ଝୋଟି, ମେହେନ୍ଦି, ରଂଗୋଲି ପ୍ରଭୃତି ଆଳଙ୍କାରିକ ଚିତ୍ର ଅଙ୍କନ କରାଯାଇଥାଏ। ପ୍ରସିଦ୍ଧ ଚିତ୍ରଶିଳ୍ପୀ ପିକାଶୋଙ୍କ ମତରେ ସରଳରେଖା ବକ୍ରରେଖା ଠାରୁ ଅଧିକ ଶକ୍ତିଶାଳୀ। ଯେଉଁଥିପାଇଁ ତାଙ୍କ ଛବିରେ ସେ ସରଳରେଖାକୁ ବ୍ୟବହାର କରି ଅନେକ ପ୍ରସିଦ୍ଧ ଛବି ଅଙ୍କନ କରିଅଛନ୍ତି। ଏହାର ଉଦାହରଣରେ ଗୁର୍ଣ୍ଣିକା (gurnica) ଛବିକୁ ନିଆଯାଇପାରେ। ଉତ୍କଳୀୟ ଚିତ୍ରକର ରେଖା ଓ ବର୍ଣ୍ଣର ସରଳ ଯୋଜନା ଦ୍ୱାରା ଚିତ୍ରକଳାକୁ ସର୍ବସାଧାରଣରେ ଉପଭୋଗ୍ୟ କରିପାରିଛି। ଏଥିରେ ଆଲୋକ ଛାୟା ସମ୍ପାତ ଦ୍ୱାରା ଚିତ୍ରକୁ ବୁଝିବାରେ କୌଣସି ପ୍ରକାର ଅନ୍ତରାୟ ବା ପ୍ରତିବନ୍ଧକ ସୃଷ୍ଟି ହୋଇନଥାଏ। ଏହା ସହଜବୋଧ ଏବଂ ପ୍ରାଞ୍ଜଳ। ଏହାର ବର୍ଣ୍ଣ ଲେପନ ଏପରି ଭାବରେ ପାରସ୍ପରିକ ପାର୍ଥକ୍ୟ ଓ ବ୍ୟବଧାନ ସୃଷ୍ଟି କରେ ଯେ ଏହାର ଉଦ୍ଦେଶ୍ୟ ସର୍ବତ୍ର ସଫଳ ହୋଇଥାଏ। ଆଳଂକାରିକ ଚିତ୍ର ହେଉ ଅଥବା ରୂପ ଯୋଜନା ହେଉ ତାଳପତ୍ର, ପୋଥି, ଭିତ୍ତି ଚିତ୍ରରେ ରେଖାର ସାବଲୀଳ ଗତି ଓ ଦୃଢ଼ତା ଅନ୍ୟ କୌଣସି ପ୍ରାନ୍ତୀୟ ଚିତ୍ରରେ ଦେଖାଯାଏ ନାହିଁ।
ପୂର୍ବେ ଚିତ୍ରକରମାନେ ପୋଥି ଚିତ୍ରରେ ରେଖାର ଗତି ମଧ୍ୟରେ ପଶୁ, ପକ୍ଷୀ, ନର-ନାରୀ, ବୃକ୍ଷଲତା, ପୁଷ୍ପଫଳ ବର୍ଣ୍ଣାନୁରଂଜିତ ହୋଇ ଚତୁର୍ଦ୍ଦିଗ ବ୍ୟାପ୍ତ ହୋଇଥିଲା। ଏ ଦେଶର ଚିତ୍ରିତ ପୋଥି ଯେତେ ଅଧିକ ପରିମାଣରେ ମିଳେ, ତାହା ଅନ୍ୟତ୍ର ମିଳେ ନାହିଁ। ମାତ୍ର ସମଗ୍ର ବିଶ୍ୱ ମଧ୍ୟରେ ଯେତେ ପ୍ରକାର ରୈଖିକ ଚିତ୍ର ସମ୍ଭାର ଦେଖିବାକୁ ମିଳେ ସେଥିରୁ ପ୍ରାୟ ୯୦ଭାଗ ଏହି ପ୍ରତି ଚିତ୍ରଣ ବା illustration ରାଫେଲ, ମାଇକେଲ ଏଞ୍ଜେଲୋ ପ୍ରଭୃତି ଶିଳ୍ପୀମାନେ ବାଇବେଲ ଧର୍ମ ପୁସ୍ତକର ବିଷୟବସ୍ତୁ ଗ୍ରହଣ କରି ଭିତ୍ତିଚିତ୍ର ଓ ଲେପ ଚିତ୍ରମାନ ଅଙ୍କନ କରିଯାଇଛନ୍ତି। ରାଫେଲ ସିଷ୍ଟାଇନ ମ୍ୟାଡାନୋ ମଧ୍ୟ ବାଇବେଲ, ଯୀଶୁ ଓ ଜନନୀଙ୍କ ଏକ ଅମର ଆଲେଖ୍ୟ ଯାହାକୁ ଉତ୍କୃଷ୍ଟ ଧରଣର illustration ବୋଲି ଧରାଯାଇପାରେ।
ଚିତ୍ରରେ ଆଲୋକ ଛାୟା (Light & Shade): ଆଲୋକ ଛାୟା ପରସପର ପରିପୂରକ। ଯେଉଁଠି ଆଲୋକ ଥାଏ, ସେଠାରେ ଛାୟା ସୃଷ୍ଟି ହୁଏ। କିନ୍ତୁ ଚିତ୍ରରେ ଆଲୋକ ଛାୟା ଯେଉଁ ଭାବରେ ବ୍ୟବହାର କରାଯାଇଛି, ତାହା ତିନୋଟି ସ୍ତର ଦେଇ ଗତି କରିଥାଏ। ପ୍ରଥମଟି ଲାଇଟ୍ ଟୋନ୍, ଦ୍ୱିତୀୟଟି ମିଡ଼ଲ୍ ଟୋନ୍ ଓ ଶେଷଟି ଡାର୍କ ଟୋନ୍। କ୍ୟାନଭାସ ଅଥବା ପଟ୍ଟଭୂମି ଉପରେ ଯେ କୌଣସି ରୂପକୁ ବର୍ଣ୍ଣାନୁ ରଂଜିତ କଲେ ତାହା ସୁନ୍ଦର ଦେଖାଯାଏ। ମାତ୍ର ଆଲୋକ ଛାୟାର ସଂଯୋଗ ବିନା ତାହାର ଦୂରତ୍ୱ ଓ ବ୍ୟବଧାନ ଏହି ପରିପ୍ରେକ୍ଷିତର ଆକର୍ଷଣ ସୃଷ୍ଟି କରିବାରେ ସମର୍ଥ ହେବନାହିଁ। ପାଶ୍ଚାତ୍ୟ ଚିତ୍ରକଳାରେ ପୂର୍ବେ ଆଲୋକ ଛାୟାର ସମ୍ପାତ ନଥିଲା। ପଞ୍ଚଦଶ ଶତାବ୍ଦୀରେ ତୈଳଚିତ୍ରର ବହୁଳ ପ୍ରସାର ଯୋଗୁଁ ଏହା କ୍ରମେ ଉନ୍ନତି ପଥରେ ଅଗ୍ରସର ହେବାକୁ ଲାଗିଲା। ଷୋଳଶ ଶତାବ୍ଦୀ ବେଳକୁ ପ୍ରକୃତି ମଧ୍ୟରେ ବିଚରଣ କରୁଥିବା ପ୍ରାଣୀ ଓ ଅନ୍ୟାନ୍ୟ ବସ୍ତୁ ଆଲୋକ ସ୍ପର୍ଶରେ ଯେପରି ନୂତନ ଘନ ମାନ ଧାରଣା ସୃଷ୍ଟି କଲା ଠିକ୍ ସେହିମାନଙ୍କ ରୂପକୁ ଅବିକଳ ପ୍ରକାଶ କରିବାରେ ଚିତ୍ରଶିଳ୍ପୀମାନେ ମନୋନିବେଶ କଲେ। ଏହି ଆଲୋକ ଛାୟାର ସମ୍ପାତ କେବଳ ଯେ ଦେହର ବର୍ତ୍ତୁଳତା ପ୍ରକାଶ କରିବାରେ ସମର୍ଥ ହେଲା ତା ନୁହେଁ, ଏହା ସମଗ୍ର ରୂପର ସୌଷ୍ଟବ ଦାନ କରିବାରେ ସହାୟତା କଲା। ପାଶ୍ଚାତ୍ୟ ଦେଶର ଦୁଇ ପ୍ରଖ୍ୟାତ ଚିତ୍ରକର ରେବ୍ରାଣ୍ଟ ଓ ଭେଲରିକ୍ୱେଜ୍ ଚିତ୍ର ମଧ୍ୟରେ ଆଲୋକ ପ୍ରତିଫଳନ ଓ ରୂପ ସହିତ ଏହାର ମଧୁର ସମ୍ପର୍କ ଦୃଶ୍ୟ ଚିତ୍ର, ଆଲେଖ୍ୟ ଚିତ୍ର ଓ ଫଳ ପୁଷ୍ପାଦି ଚିତ୍ରରେ ଅତି ମନୋମୁଗ୍ଧକର ଭାବେ ଦେଖାଇ ପାରିଥିଲେ। ଟରନାର୍ ମଧ୍ୟ ଦୃଶ୍ୟ ଚିତ୍ରଣରେ ଆଲୋକର ରହସ୍ୟମୟ ପ୍ରତିଫଳନ ପାଇଁ ଖ୍ୟାତ ହେଲେ। ଏମାନେ ଗଗାଁ, ପିଶାରୋ ପ୍ରଭୃତି ବହୁ ଆଭାସବାଦୀ ଶିଳ୍ପୀମାନେ ଆଲୋକ ରହସ୍ୟ ମଧ୍ୟରେ ନିଜକୁ ଏଭଳି ଭାବରେ ହଜାଇ ଦେଇଛନ୍ତି ଯେ ତାଙ୍କ ଚିତ୍ର ମଧ୍ୟରେ ଏହାର ସ୍ପଷ୍ଟ ବିକାଶ ଦେଖିଲେ ଚମତ୍କୃତ ହେବାକୁ ପଡ଼ିଥାଏ।
ଭାରସାମ୍ୟ (Balance): ଚିତ୍ରକଳାର ଭାରସାମ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରସାମ୍ୟ ରେଖାରୁ ଆରମ୍ଭ କରି ରଂଗ ପର୍ଯ୍ୟନ୍ତ ଆବଶ୍ୟକ ହୋଇଥାଏ। ଭାରସାମ୍ୟ ନ ରହିଲେ ଚିତ୍ରଟି ସୁନ୍ଦର ଲାଗି ନଥାଏ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ସିମେଟ୍ରିକାଲ ଓ ଅନ୍ୟଟି ଏସିମେଟ୍ରିକାଲ । ଘର ପାଖରୁ ଗେଟ୍ ତିଆରି ପର୍ଯ୍ୟନ୍ତ ନିର୍ମାଣ କ୍ଷେତ୍ରରେ ଏହାର ଆବଶ୍ୟକତା ପଡ଼ିଥାଏ। ଆର୍ଟିଟେକ୍ ଇଞ୍ଜିନିୟରମାନଙ୍କ ମଧ୍ୟ ଏହାକୁ ଉପଯୋଗ କରିଥାନ୍ତି।
ଛନ୍ଦ (Rythim): ସାଧାରଣତଃ ଯେଉଁଟା ଠିକ୍ ତା’ର ପୁନଃ ପୁନରାବୃତ୍ତିକୁ ଛନ୍ଦ କୁହାଯାଏ। ବାଦ୍ୟ ଯନ୍ତ୍ରର ଧ୍ୱନି ମଣିଷ ମନରେ ଛନ୍ଦର ପ୍ରଭାବ ବିସ୍ତାର କରିବା ପରି ଚିତ୍ର କ୍ଷେତ୍ରରେ ଯେଉଁ ଅଳଂକରଣ (design) କରାଯାଏ, ସେଠାରେ ଛନ୍ଦ ସୃଷ୍ଟି ହୁଏ। ବାଦ୍ୟ ଯନ୍ତ୍ରର ଛନ୍ଦ ଧ୍ୱନିକୁ କୁହାଗଲା ପରି ନୃତ୍ୟ କଳାର ଛନ୍ଦ ଭାବଭଙ୍ଗୀ କୁ (movement) କୁହାଯାଏ। ସେହିପରି ଭାଷଣର ଛନ୍ଦକୁ କଥିତ ଶବ୍ଦକୁ (spoken word) କୁହାଗଲା ପରି ଶିଳ୍ପୀର ତୁଳୀର ରଂଗ ବିନ୍ୟାସକୁ ତୁଳୀକା ସ୍ପର୍ଶ (brush stroke) କୁହାଯାଏ। ଲେଖାରେ ମଧ୍ୟ ଏହି ଛନ୍ଦ କବିତା ଦେଇ ଗତିଶୀଳ ହୋଇଥାଏ। ଅନେକ ମୁକ୍ତ ଛନ୍ଦ କବିତା ମଧ୍ୟ ରଚନା କରିଥାଆନ୍ତି। ଏହି ଛନ୍ଦ ପୁନଶ୍ଚ ଦୁଇଭାଗରେ ବିଭକ୍ତ ହୋଇଥାଏ। ଗୋଟିଏ ନିୟମିତ ଓ ଅନ୍ୟଟି ଅନିୟମିତ (irregular)। ଏହା ଚିତ୍ରରେ ସାବଲୀଳତା ଓ ସୌନ୍ଦର୍ଯ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ। ଆଳଂକାରିକ ଚିତ୍ରରେ ବିଶେଷ ଭାବେ ଏହା ବ୍ୟବହୃତ ହୋଇଥାଏ।
ପ୍ରତ୍ୟେକ ଆଳଂକାରିକ ନକ୍ସା ମଧ୍ୟରେ ଚିନ୍ତା, କର୍ମକୁଶଳତା ଓ ଅନୁରାଗ ଏବଂ ନିଷ୍ଠାପରତାର ମୁଦ୍ରା ପ୍ରଚ୍ଛନ୍ନ ରହିଥିବାର ଜଣାଯାଏ। କୌଣସି ଚିତ୍ରିତ ପୋଥିରେ ଯେ କୌଣସି ପୃଷ୍ଠା ଖୋଲି ଦେଖିଲେ ଦେଖାଯିବ ଯେ ପୁଷ୍ପ, ଫଳ, ବୃକ୍ଷଲତା ଲୀଳୟିତ ଭାବରେ ଶୂନ୍ୟସ୍ଥାନ ପୂରଣ କରିଛି। ପ୍ରତ୍ୟେକ ବାସ୍ତବ ପଦାର୍ଥ କଳ୍ପନା ବଳରେ ସୁଷମା ମଣ୍ଡିତ ଚିତ୍ରରାଜିରେ ଆତ୍ମପ୍ରକାଶ କରିଛି। ବହୁ ପଶୁପକ୍ଷୀ ରେଖାର ଛନ୍ଦରେ ବାନ୍ଧି ହୋଇ ଶିଳ୍ପୀର ଗନ୍ତାଘରେ ଯେପରି ବନ୍ଦୀ। ବିରାଟ ମନ୍ଦିର ଦେହରେ ମଧ୍ୟ ସେହିପରି ସୂଚ୍ୟଗ୍ର ପରିମିତ ସ୍ଥାନ ମଧ୍ୟ ଅଳଂକୃତ ଖୋଦିତ ଓ ଚିତ୍ରିତ ହୋଇ ରହିଛି। ପୋଥି ଓ ପଟ୍ଟ ମଧ୍ୟରେ ସେହିପରି ସୂଚ୍ୟଗ୍ର ସଦୃଶ ରେଖା ଲେଖନୀ ମୂନରେ ଅଥବା ତୂଳୀକା ସୂକ୍ଷ୍ମ ଆଘାତରେ ସଂଖ୍ୟାତିତ ଲୀଳାୟିତ ନକ୍ସାରେ ଭରପୂର କରି ରଖିଛି। ଉତ୍କଳୀୟ ଶିଳ୍ପୀମାନେ ପାଶ୍ଚାତ୍ୟ ନୀତିକୁ ପରିତ୍ୟାଗ କରି କେବଳ ଛନ୍ଦମୟ ବୃକ୍ଷ ପତ୍ରାଦିକୁ ସ୍ୱେଚ୍ଛାରେ ନକ୍ସା ପରି ମଣ୍ଡନ କରିଆସିଛନ୍ତି।
ପରିପ୍ରେକ୍ଷଣ (Perspective): ଚିତ୍ରରେ ପରିପ୍ରେକ୍ଷଣ ବା ଚିତ୍ରରେ ଦୂରତା ଠିକ୍ ନଥିଲେ ଚିତ୍ରଟି ସୁନ୍ଦର ଲାଗନ୍ତା ନାହିଁ। ପୂର୍ବରୁ ଭାରତୀୟ ଚିତ୍ରକଳାରେ ଏହା ନଥିଲା। ପାଶ୍ଚାତ୍ୟ ଶିଳ୍ପୀମାନଙ୍କ ପ୍ରଭାବରେ ଶିଳ୍ପୀମାନେ ଏହାର ପ୍ରୟୋଗ କରିଥିଲେ। ଏହା ତିନି ଭାଗରେ ବିଭକ୍ତ। ଯଥା-ପ୍ରଥମଟି ୱାନ୍ ପଏଣ୍ଟ, ଦ୍ୱିତୀୟଟି ଦ୍ୱି ମାତ୍ରା, ତୃତୀୟଟି ଫୋର ସଟନିଂ କୁହାଯାଏ। ୱାନ୍ ପଏଣ୍ଟ-ଗୋଟିଏ ପ୍ରାକୃତିକ ଦୃଶ୍ୟ ଅଙ୍କନ କଲାବେଳେ ଅବା ଇଲେକ୍ଟ୍ରି ଖୁଣ୍ଟିଗୁଡ଼ିକ ବଡ଼ରୁ କ୍ରମଶଃ ସାନ ହୋଇ ଗୋଟାଏ ପଏଣ୍ଟରେ ମିଶିବା। ପ୍ରାକୃତିକ ଦୃଶ୍ୟରେ ଆକାଶ ପୃଥିବୀ ଗୋଟିଏ ବିନ୍ଦୁରେ ମିଳିତ ହେବାକୁ ୱାନ୍ ପଏଣ୍ଟ ବା ଏକ ମାତ୍ରିକ କୁହାଯାଏ।
ଟୁ ପଏଣ୍ଟ: କୋଠାଘର, ଚାଳଘର ତିଆରି ବେଳେ ଘରର ଦୁଇପାଖ ଦେଖାଇବା, ଗାଡ଼ିର ଦୁଇପଟ ଦୃଶ୍ୟମାନ ହେବା, ଉପରୁ ତଳକୁ ଦେଖିବା, ପକ୍ଷୀର ଦୃଷ୍ଟି ଭଳି (birds eye view) ଦେଖିବାକୁ ଦ୍ୱିମାତ୍ରିକ ବା (two point) କୁହାଯାଏ। ଏହା ଦ୍ୱାରା ମନ୍ଦିର ଉପରୁ ତଳକୁ ଗଛ ଉପରି ଭାଗ, କୋଠା, ପାଚେରୀ ଇତ୍ୟାଦି ପ୍ରତି ଜିନିଷର ଉପରିଭାଗ ବଡ଼ ହୋଇ ତଳକୁ କ୍ରମଶଃ ସାନ ହୋଇଥାଏ। ଏହାକୁ ଟୁ ପଏଣ୍ଟ ବା ଦ୍ୱି ମାତ୍ରିକ କଳା କୁହାଯାଏ।
ସମ୍ମୁଖରୁ କ୍ଷୁଦ୍ରୀକରଣ (Foreshortening) : ଛବିଟିଏ ତିଆରି କଲାବେଳେ ଉପରି ଭାଗକୁ ଦେଖାଇବା ପାଇଁ ଏହି ପଦ୍ଧତି ପ୍ରୟୋଗ କରିବାକୁ ପଡ଼େ। ଏଥିରେ ମୁଣ୍ଡ, ହାତ, ମୁଷ୍ଟି ଇତ୍ୟାଦିକୁ ବଡ଼କରି ଦେଖାଯାଏ। ଏଥିରେ ମୁଣ୍ଡ ଆଡ଼ୁ ବଡ଼ ହୋଇ ଗୋଡ଼ ଆଡ଼କୁ ସରୁ ହୋଇ ଆସେ। ମୁଷ୍ଟଟା ବଡ଼ ହୋଇ ଆସୁଥିବା ହାତ କ୍ରମଶଃ ସରୁ ହୋଇ ଗଲା ପରି ଦେଖାଯାଇଥାଏ।
ରେଖା ଓ ରଂଗ ଦ୍ୱାରା ପରିପ୍ରେକ୍ଷଣ (Perspective through line & colour) : ରେଖା ଓ ରଂଗ ମାଧ୍ୟମରେ ଚିତ୍ରରେ ପରିପ୍ରେକ୍ଷଣ ଦେଖାଯାଇଥାଏ। ଯାହାକି ରେନେସାଁ ସମୟ ଚିତ୍ରରେ ସିଷ୍ଟେନ ଚାପେଲ ଚର୍ଚ୍ଚର ସିଲିଂରେ ଏହି ମାଧ୍ୟମରେ ଚିତ୍ର ଆଙ୍କି ଥିଲେ। ଚିତ୍ରରେ ରଂଗର ସମତା ଠିକ୍ ନ ରହିଲେ ଚିତ୍ର ଦେଖିବାକୁ ଅସୁନ୍ଦର ଲାଗେ। ଯଥା-ଗୋଟାଏ ସ୍ଥାନରେ ନୀଳ ପାଖରେ ହଳଦୀ ତା’ପରେ ଲାଲ ଇତ୍ୟାଦି ଲଗାଇଲେ ଛବିଟି ଯେପରି ସୁନ୍ଦର ଲାଗେ ନାହିଁ। ସେହି ଛବିର ରଂଗକୁ ଭାଗ ଭାଗ କରି ସର୍ବତ୍ର ସମାନ ଭାବେ ଲଗାଇଲେ ତାହା ସୁନ୍ଦର ଦିଶିଥାଏ। ତାକୁ ରଂଗର ପରିପ୍ରେକ୍ଷଣ କହିଥାନ୍ତି। ରେଖା ମଧ୍ୟ ସେହିଭଳି ଛବିରେ ଗତିଶୀଳ ହୋଇଥିଲେ ଏହା ସୁନ୍ଦର ଲାଗିଥାଏ।
ଅନୁପାତ (Proportion) : ଆକୃତି ଗତ ପାର୍ଥକ୍ୟକୁ ଚିତ୍ରରେ ଅନୁପାତ ବୋଲି କୁହାଯାଏ। ତୁଳନାତ୍ମକ ବିଚାରଧାରାକୁ ମଧ୍ୟ ଅନୁପାତ କୁହାଯାଏ। ଯଥା-ଗାଈ ତୁଳନାରେ ମଣିଷ କେତେ ବଡ଼ ହେବା ଦରକାର ସେହିପରି ଘର ତୁଳନାରେ ଗଛ କେମିତି ଓ କେତେ ବଡ଼ ହେବା ଆବଶ୍ୟକ ଇତ୍ୟାଦିର ଅନୁପାତ ଠିକ୍ ନରହିଲେ ଚିତ୍ରଟି ଦେଖିବାକୁ ସୁନ୍ଦର ଲାଗିନଥାଏ। ଏଣୁ ଚିତ୍ର ପ୍ରସ୍ତୁତ କରିବାବେଳେ ଚିତ୍ରରେ ଅନୁପାତ ସଠିକ୍ ରହିବା ବାଞ୍ଛନୀୟ। ଉଦାହରଣସ୍ୱରୂପ ଘରଟିଏ ତିଆରି କଲାବେଳେ ତା’ର ଦୁଆର, ଝରକା ସଠିକ୍ ଅନୁପାତରେ ନରହିଲେ ଘରଟି ବାକ୍ସ ଭଳି ମନେ ହେବ। ଏଣୁ କୌଣସି ଭୂ-ଦୃଶ୍ୟ ଚିତ୍ରର ଅଙ୍କନ ବେଳେ ଗଛ, ଘର, ମଣିଷ, ପଶୁ, ପକ୍ଷୀର ଅନୁପାତ ପ୍ରତି ଦୃଷ୍ଟି ନଦେଲେ ଚିତ୍ର ସୁନ୍ଦର ଲାଗି ନଥାଏ।
ସମାବେଶ (Composition) : ସମାବେଶ କହିଲେ ଚିତ୍ରର ମୁଖ୍ୟ ଓ ଗୌଣ ବିଷୟକୁ ସଜାଇ ରଖି ଚିତ୍ର ଅଙ୍କନ କରାଯାଇଥାଏ। ଏହାକୁ ଦୃଷ୍ଟି ନଦେଲେ ଚିତ୍ରଟି ସଂପୂର୍ଣ୍ଣ ହୋଇ ନଥାଏ। ଯଥା- ଗୋଟିଏ ଭୂ-ଦୃଶ୍ୟ ଚିତ୍ରରେ ଗଛ, ମଣିଷ, ଘର ଇତ୍ୟାଦି ମୁଖ୍ୟ ବସ୍ତୁ ଗୁଡ଼ିକ ପ୍ରଥମ ସୋପାନରେ ରହିବା ପରେ ଦ୍ୱିତୀୟ ସୋପାନରେ ଘର ପଛର ଜଙ୍ଗଲ, ବାଡ଼, ପାହାଡ଼, ନଦୀ ଇତ୍ୟାଦି ରଖାଯାଏ ଓ ତୃତୀୟ ସୋପାନରେ ଆକାଶ, ପକ୍ଷୀ, ସୂର୍ଯ୍ୟ, ବାଦଲ ଇତ୍ୟାଦିଙ୍କୁ ସଠିକ୍ ଭାବରେ ସଜାଇ ରଖିବାକୁ ସମାବେଶ କୁହାଯାଏ। ଯେଉଁ ବିଷୟରେ ଛବି ଅଙ୍କନ କରିବାକୁ ଥିବ ସେଇଟି ମୁଖ୍ୟ ଭାବେ ଧରାଯାଇଥାଏ। ଯଥା- ‘ଫୁଲ ବଗିଚା’ ଚିତ୍ରରେ ଫୁଲ ବଗିଚାରେ ପାଣି ଦେଉଥିବା ମାଳି ବା ପିଲା, ଫୁଲ ଗଛ ମୁଖ୍ୟ। ପଛ ପଟ ପାଚେରୀ ଓ ପାଚେରୀ ପଛ ଘର ବା ଜଙ୍ଗଲ ଦ୍ୱିତୀୟ ସୋପାନ ଓ ତା’ ପଛ ଆକାଶ ତୃତୀୟ ସୋପାନରେ ରହିବ। ରଂଗ ଦେବା ସମୟରେ ପିଲା ଓ ଫୁଲକୁ ଗୁରୁତ୍ୱ ଦେଇ ରଂଗ ଲଗାଇବାବେଳେ ଆକାଶ ଓ ଜଙ୍ଗଲକୁ ଫିକା ରଂଗ ଲଗାଯାଇପାରିବ। ତେବେ ଆବଶ୍ୟକ ଅନୁସାରେ ଡ୍ରଇଂକୁ ଚାହିଁ ରଂଗ ଦେଲେ ଛବିଟି ସୁନ୍ଦର ଲାଗିବ।