ସାତ ରୂପର ସମାହାରରେ ସପ୍ତରୂପମ୍ । ଏକଥା ମୁଁ ଏକା କହବିନି ମୋତେ ଲାଗୁଛି ଏହି ସପ୍ତରୂପମ୍ ଶବ୍ଦଟି ଯେ କେହିବି ଶୁଣିବେ ସେ ଅତି ସହଜରେ ବୁଝିବେ ସପ୍ତରୂପମ୍ର ଅର୍ଥ ସାତଟି ରୂପ ବା ସାତଟି ରୂପର ସମାହାର ବା ସାତଟି ରୂପର ମିଶ୍ରଣରେ ‘ସପ୍ତରୂପମ୍’ର ସୃଷ୍ଟି ହୋଇଥିବ । ଏହି ‘ସପ୍ତରୂପମ୍’ ହେଉଛି ଓଡ଼ିଶାର ଅଗ୍ରଣି ନାଟ୍ୟାନୁଷ୍ଠାନ “ନବୀନ ବର୍ଣ୍ଣାଳୀ ଥିଏଟର୍’ ଭୁବନେଶ୍ୱରର ଏକ ପରିବର୍ଦ୍ଧିତ ରୂପରେଖ । “ନବୀନ ବର୍ଣ୍ଣାଳୀ ଥିଏଟର” ହେଉଛି ଓଡ଼ିଶାର ଜଣେ ସୁନାମ ଧନ୍ୟ ଅଭିନେତା ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଯିଏକି ଓଡ଼ିଶ।। ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ କୁମାର ପରିଡାଙ୍କ ମାନସ ସନ୍ତାନ ବୋଲି କହିଲେ କିଛି ଭୁଲ ହେବ ନାହିଁ ।
କଳା କ୍ଷେତ୍ରରେ ସପ୍ତରଙ୍ଗ ଶୁଣିଚୁ, ସପ୍ତସ୍ୱର ଶୁଣିଚୁ, ହେଲେ ‘ନବୀନ ବର୍ଣ୍ଣାଳୀର’ ଏହି ‘ସପ୍ତରୂପମ୍’ କଥା ଯେତେବେଳେ ମୁଁ ଶୁଣିଲି ସେତେବେଳେ ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରିଲା ଯେ ‘ସପ୍ତରୂପମ୍’ ପୁଣି କ’ଣ? ଅବଶ୍ୟ ସପ୍ତରୂପମ୍ କଥା ଶୁଣିବା ମାତ୍ରେ ସାତଟି ରୂପ କଥା ମନକୁ ଆସୁଛି, ହେଲେ ସାତଟି ରୂପ ସହିତ ବର୍ଣ୍ଣାଳୀର ସମ୍ପର୍କ କ’ଣ ? ବୁଝୁ ବୁଝୁ ଜାଣିବାକୁ ପାଇଲି ନବୀନ ବର୍ଣ୍ଣାଳୀର ଗୋଟିଏ ନାଟ୍ୟମହୋତ୍ସବ ହେଉଛି, ଯାହାର ନାଁ ହେଉଛି “ସପ୍ତରୂପମ୍” । ପୁଣି ମନରେ ପ୍ରଶ୍ନ ଆସିଲା ନାଟ୍ୟମହୋତ୍ସବର ନାଁ ନବୀନ ସାର୍ ସପ୍ତରୂପମ୍ କାହିଁକି ରଖିଲେ? କାହିଁକିନା ସାର୍ଙ୍କର ପ୍ରତ୍ୟେକ କାମ ଯେମିତିକି ନାଟକର ନାଁ ହେଉ, ଉତ୍ସବର ନାଁ ହେଉ କିମ୍ବା କୌଣସି ଅନୁଷ୍ଠାନର ନାଁ ହେଉ, ସବୁ ପଛରେ କିଛିନା କିଛି ଗୋଟାଏ ସୃଜନାତ୍ମକ ଚିନ୍ତାଧାରା ଲୁଚି ରହିଥାଏ । ତେଣୁ ମୁଁ ଜାଣିବା ଉଦ୍ଦେଶ୍ୟରେ ଦିନେ ସାର୍ଙ୍କୁ ଫୋନ୍ କରି ପଚାରିଲି – ସାର୍ ନାଟ୍ୟମହୋତ୍ସବର ନା “ସପ୍ତରୂପମ୍” କାହିଁକି ରଖିଲେ? ସାର୍ କହିଲେ- ତୁ ଆଗ ନାଟ୍ୟମହୋତ୍ସବର ସବୁ ନାଟକକୁ ଦେଖ୍ ତାପରେ ତୁ ବୁଝିପାରିବୁ । ସାର୍ଙ୍କ ପାଖରୁ ଏଇ ଉତ୍ତର ଶୁଣି ମୁଁ ବି ଆଉ ସାର୍ଙ୍କୁ ବେଶି ବାଧ୍ୟ କଲିନି । କାରଣ ମୁଁ ଭଲ ଭାବରେ ସାର୍ଙ୍କୁ ଜାଣିଛି ।
ନବୀନ୍ ସାର୍ ହେଉଛନ୍ତି ମୋର ନାଟ୍ୟ ଜୀବନର ଗୁରୁ । ତାଙ୍କ ପାଖରୁ ହିଁ ନାଟକ ପାଠ ପଢ଼ିଛି ଏବଂ ଶିଖିଛି । ତେଣୁ ସାର୍ଙ୍କୁ ମୁଁ ଯେତିକି ଜାଣିଛି, ସାର୍ ହେଉଛନ୍ତି ନାଟ୍ୟ ଜଗତରେ ଜଣେ ଦକ୍ଷ ଗୁରୁ । ତାଙ୍କର ସବୁ କାମରେ ସୃଜନଶୀଳତାର ପରିଚୟ ଦେଖିବାକୁ ମିଳେ । ତାଙ୍କ ନାଟକରେ ସେ ବ୍ୟୟ ବହୁଳ ଅର୍ଥ ଖର୍ଚ୍ଚ ନକରି ମଧ୍ୟ ଅତି ସୃଜନାତ୍ମକ ଢ଼ଙ୍ଗରେ ଅତି କମ୍ ଖର୍ଚ୍ଚରେ ସୁନ୍ଦର ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇ ନାଟକଟିକୁ ଅତି ଉଚ୍ଚକୋଟୀର ଭାବେ ଉପସ୍ଥାପନା କରିଦିଅନ୍ତି । ଯାହା ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇ ପ୍ରଶଂସା ଭାଜନ ହୋଇଥାଏ । ତେଣୁ ମୋର ବିଶ୍ୱାସ ଥିଲା “ସପ୍ତରୂପମ୍” ନାଁ ପଛରେ ନିଶ୍ଚିତ ଭାବରେ ସାର୍ଙ୍କର କିଛିନା କିଛି ସୃଜନାତ୍ମକ ଚିନ୍ତାଧାରା ଲୁଚି ରହିଥିବ ।
ମୋର ସୌଭାଗ୍ୟ ଯେ ଏହି ସପ୍ତରୂପମ୍ ନାଟ୍ୟ ମହୋତ୍ସବରେ ମୋ ନିର୍ଦ୍ଦେଶିତ ନାଟକ “ଶୁଣ ସୁଜନେ” ମଞ୍ଚସ୍ଥ କରିବାର ସୁଯୋଗ ପାଇଥିଲି । ଯାହାର ନାଟ୍ୟକାର ଥିଲେ ପ୍ରଖ୍ୟାତ ନାଟ୍ୟକାର ଦିବଂଗତ ବିଶ୍ୱଜିତ୍ ଦାସ । ଆଉ ଗୋଟାଏ ବଡ଼ କଥା ହେଲା ମୁଁ ଏହି ନାଟ୍ୟମହୋତ୍ସବରେ ପ୍ରାୟ ପ୍ରତ୍ୟେକଦିନ ସଂଯୋଜନା କରିବାର ସୁଯୋଗ ପାଇଥିଲି । ତେଣୁ ଏହି ମହୋତ୍ସବରେ ପ୍ରତ୍ୟେକଦିନ ପ୍ରତ୍ୟେକଟି ନାଟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା ଏବଂ ନାଟ୍ୟମହୋତ୍ସବରେ ଜଣେ ନାଟ୍ୟ କର୍ମୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ଯେହେତୁ ମୁଁ ପାଇଥିଲି, ତେଣୁ “ସପ୍ତରୂପମ୍” ନାମକରଣଟିକୁ ବୁଝିବାରେ ସମର୍ଥ ହୋଇଥିଲି । ପ୍ରକୃତରେ କଥାରେ ଅଛି ଗୁରୁ ସବୁବେଳେ ଗୁରୁ ହୋଇଥାନ୍ତି । ତାଙ୍କ ଚିନ୍ତାଧାରା ସବୁବେଳେ ଉର୍ଦ୍ଧରେ । ଯାହାର ପ୍ରମାଣ ‘ସପ୍ତରୂପମ୍’ର ପରିକଳ୍ପନା ପଛରେ ଲୁଚିରହିଛି । ସାଧାରଣ ଲୋକଟିର ଚିନ୍ତାଧାରାରେ ଏହା କେବଳ ଗୋଟାଏ ନାଁ ହୋଇପାରେ । କିନ୍ତୁ ନବୀନ ସାର୍ଙ୍କ ‘ସପ୍ତରୂପମ୍’ ପରିକଳ୍ପନା ପଛରେ ଥିଲା କିଛି ନିଆରା ଚିନ୍ତାଧାରା । ଅର୍ଥାତ୍ ସପ୍ତରୂପମ୍ କହିଲେ …
ଚା ଜଣେ ଅଭିନେତାର ସାତଟି ନାଟକର ସାତଟି ରୂପ
– ସାତଟି ନାଟକ, ସାତ ପ୍ରକାରର
– ସାତଜଣ ନିର୍ଦ୍ଦେଶକ
– ସାତ ଦିନ ସାତଟି ନାଟକ
– ସାତଟି ସନ୍ଧ୍ୟାରେ ସାତ ଜଣ ଅତିଥି
– ସାତ ଜଣ ଅତିଥିଙ୍କୁ ସାତଟି ଗୋଲାପ ଫୁଲ ପ୍ରଦାନ
– ସାତ ଜଣ ନାଟ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ ।
ସବୁଠୁ ବଡ଼ କଥା ହେଲା ପ୍ରାୟ ୭୦ ବର୍ଷରୁ ଉର୍ଦ୍ଧ ବୟସରେ ନବୀନ ସାର୍ ନିଜେ ଏହି ନାଟ୍ୟ ସପ୍ତାହରେ ସାତଦିନ ଯାକ ନାଟକରେ ସାତଟି ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲେ । ଯାହାକି ସବୁଠାରୁ ବେଶି ପ୍ରେରଣା ଦାୟକ ଥିଲା ।
ନାଟ୍ୟସପ୍ତାହର ପ୍ରତ୍ୟେକ ଦିନର ନାଟକର ସମ୍ୟକ୍ ସମୀକ୍ଷା:
ପ୍ରଥମ ସନ୍ଧ୍ୟାର ନାଟକ ‘ଭିନ୍ନ ଏକ ଗଳ୍ପ’ ଥିଲା ଯାହା ନବୀନ ବର୍ଣ୍ଣାଳୀ ଥିଏଟର ଗ୍ରୁପ୍, ଭୁବନେଶ୍ୱର ଦ୍ୱାରା ପ୍ରଯୋଜନା କରାଯାଇଥିଲା । ଏହି ନାଟକର ନାଟ୍ୟକାର ଶ୍ରୀଯୁକ୍ତ ହେମେନ୍ଦ୍ର ମହାପାତ୍ର ଥିବାବେଳେ ଏହାର ନିର୍ଦ୍ଦେଶକ ନିଜେ ନବୀନ କୁମାର ପରିଡ଼ା ଥିଲେ । ନାଟକଟି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସାଲାଭ କରିଥିଲା ତାର କାରଣ ମୁଁ ପୂର୍ବରୁ କହିଛି ଯେ ସାର୍ଙ୍କ କାମ କରିବାର ଶୈଳୀ ହିଁ ନିଆରା । ତାଙ୍କର ନିର୍ଦ୍ଦେଶନା ଏବଂ ପରିକଳ୍ପନାରେ ଅତି ସୃଜନାତ୍ମକ ଚିନ୍ତାଧାରା ପରିପ୍ରକାଶ ହିଁ ନାଟକଟିକୁ ଉଚ୍ଚକୋଟୀର କରିପାରିଥାଏ ବୋଲି ମୋର ନିଜସ୍ୱ ମତ । ମୋତେ ନାଟକଟି ବେଶି ଭଲ ଲାଗିଲା ଯେ ସେ ଜଣେ ନିର୍ଦ୍ଦେଶକ ଭାବରେ ମଞ୍ଚରେ ସ୍ପେଶ୍କୁ ନେଇ ଖୁବ୍ ସୁନ୍ଦର ଭାବରେ କମ୍ପୋଜିସନ୍ କରିଥିଲେ । ସୁନ୍ଦର ଭାବରେ ଆଲୋକ ବିନ୍ୟାସ, ରୂପ ସଜ୍ଜା, ପୋଷାକ ଅଭିନୟ ସବୁଥିରେ ଗୁରୁତ୍ୱ ଦେଇ କାମ କରିଥିଲେ ।
ଦ୍ୱିତୀୟ ସନ୍ଧ୍ୟାର ନାଟକ “ଭିନ୍ନ ଏକ ରାଜପୁତ୍ର” ଥିଲା । ଲାବଣ୍ୟ ଥିଏଟର୍ ଗ୍ରୁପ୍, ଭୁବନେଶ୍ୱର ପ୍ରଯୋଜିତ ନାଟକର ନାଟ୍ୟକାର ପ୍ରଫେସର ନାରାୟଣ ସାହୁ ଥିବା ବେଳେ ନାଟକର ନିର୍ଦ୍ଦେଶକ ଥିଲେ ସତ୍ୟ ଜେନା (ଟୁନୁ) । ଏହି ନାଟକଟି ବି ଭଲ ଲାଗିଲା । କିନ୍ତୁ ଏ ନାଟକରେ ମୋତେ ଲାଗିଲା ନିର୍ଦ୍ଦେଶକ ନାଟକର ମଞ୍ଚସଜ୍ଜା ଉପରେ ଆଉଟିକେ ଗୁରୁତ୍ୱ ଦେବା ଦରକାର ଥିଲା । କାରଣ ନାଟକର ମଞ୍ଚସଜ୍ଜା ନାଟକଟିକୁ ଗିଳି ଦଉଥିଲା । ମଞ୍ଚ ଉପରେ ପ୍ରାୟ ସମୟରେ ମାତ୍ର ଦୁଇଜଣ ଚରିତ୍ର ରହୁଥିଲେ କିନ୍ତୁ ସେଟ୍ଟି ଏତେ ବଡ଼ ଥିଲା ଯେ, ଚରିତ୍ରଟି ତା’ ଆଗରେ ଛୋଟ ଦେଖାଯାଉଥିଲା । ଯାହାବି ହେଉ ନାଟକଟି ଭଲ ଲାଗିଲା । ଆଉ ଟିକେ ନିର୍ଦ୍ଦେଶକ ତାର ସେଟ୍ ଡିଜାଇନ୍ ଉପରେ ଗୁରୁତ୍ୱ ଦେଲେ ଆହୁରି ଭଲ ହେବ ବୋଲି ମୋର ବିଶ୍ୱାସ ।
ତୃତୀୟ ସନ୍ଧ୍ୟାର ନାଟକ “ଏଇ ବୋଧେ ପ୍ରେମ” ଥିଲା । ନାଟ୍ୟକାର ଦିଲ୍ଲୀପ ବଳବନ୍ତରାୟ ଥିଲେ ଏବଂ ନାଟକର ନିର୍ଦ୍ଦେଶକ ଜଗଦୀଶ ପ୍ରସାଦ ମହାରଣା ଥିବା ବେଳେ ଏହାକୁ ପ୍ରଯୋଜନା କରିଥିଲେ ବିଦ୍ୟାକନକ ସୃଜନାଷ୍ଟାନ । ଏହି ନାଟକଟି ହେଉଛି ବିଦ୍ୟାକନକ ସୃଜନାନୁଷ୍ଠାନର ଏକ ସଫଳ ନାଟକ ଯାହାକୁ ଦର୍ଶକମାନେ ଆଗରୁ ବହୁତ ଭଲ ପାଇବା ଦେଇଛନ୍ତି । ସେଦିନର ନାଟ୍ୟ ମଞ୍ଚାୟନ ବି ଭଲ ଲଗିଲା । ଆଉ ଟିକେ ରିହେଲ୍ସେଲ୍ ଦରକାର ବୋଲି ଲାଗୁଥିଲା ଯଦିଓ ତଥାପି ଅଭିନେତାମାନେ କେହି କାହାକୁ କମ୍ ନଥିଲେ । ବେଶ୍ ଭଲ ନାଟକ ଥିଲା ।
ଚତୁର୍ଥ ସନ୍ଧ୍ୟାର ନାଟକ “ଶୁଣ ସୁଜନେ” ଯାହାର ନାଟ୍ୟକାର ସ୍ୱର୍ଗତଃ ବିଶ୍ୱଜିତ ଦାସ ଥିଲେ ଏବଂ ନିର୍ଦ୍ଦେଶକ ଦେବବ୍ରତ ପଟ୍ଟନାୟକ (ଦେବୁ) ମୁଁ ନିଜେ ଥିଲି । ପ୍ରଯୋଜନା କରିଥିଲେ ‘ଡାଇନାମିକ୍ ପ୍ଲାଟଫର୍ମ, ଭୁବନେଶ୍ୱର । ନାଟକଟି ଯଦିଓ ବହୁବାର ବହୁ ନାଟ୍ୟମହୋତ୍ସବରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସା ଲାଭ କରିବାର ସୌଭାଗ୍ୟ ପାଇଛି । ତଥାପି ମୁଁ ନିର୍ଦ୍ଦେଶକ ହିସାବରେ ସେଦିନର ନାଟ୍ୟ ମଞ୍ଚାୟନ ପ୍ରତି ଏତେ ସନ୍ତୁଷ୍ଟ ନଥିଲି । ମୋତେ ଲାଗିଲା ନାଟକଟା ଟିକେ ସ୍ପିଡ୍ ହୋଇଗଲା । ଯେମିତି ରିଦିମ୍ରେ ଯିବା କଥା ତାଠାରୁ ଟିକେ ଅଧିକା ସ୍ପିଡ୍ ହୋଇଗଲା, ଯାହା ଫଳରେ ପର୍ଫମାନ୍ସର ମଜା ମୋତେ ଟିକେ କମ୍ ଲାଗିଲା । ଯଦିଓ ଦର୍ଶକ ଭଲ ପାଇବା ଦେଇଛନ୍ତି କିନ୍ତୁ ମୋର ଆଶା ଥିଲା ଯେହେତୁ ପୂର୍ବ ଶୋଗୁଡ଼ିକ ବହୁତ ଭଲ ହୋଇଥିଲା, ତେଣୁ ଏଇ ଶୋ ମଧ୍ୟ ଆହୁରି ଭଲ ହେବ । ଯାହାବି ହେଉ ନାଟକକୁ ଦର୍ଶକ ଭଲ ପାଇବା ଦେଇଥିବାରୁ ମୁଁ ସେମାନଙ୍କ ପାଖରେ କୃତଜ୍ଞ । ତା’ପରେ ପରେ ‘ଶୁଣ ସୁଜନେ’ର ପ୍ରାୟ ପାଞ୍ଚ ଛଅଟି ଶୋ ବିଭିନ୍ନ ନାଟ୍ୟମହୋତ୍ସବରେ ମଞ୍ଚାୟନ ହୋଇ ବହୁ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛି ।
ପଞ୍ଚମ ଦିନର ନାଟକ “ଆମ ଘର କଥା” । ସାଇ ବିଦ୍ୟାଧର ଚ୍ୟାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ଦ୍ୱାରା ପ୍ରଯୋଜିତ ନାଟକକୁ ଶ୍ରୀଯୁକ୍ତ ଦୀଲ୍ଲିପ ବଳବନ୍ତରାୟ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ । ନାଟକଟି ବେଶ୍ ଭଲ ଲାଗିଲା । ଦର୍ଶକମାନଙ୍କ ପ୍ରଶଂସା ଭାଜନ ହୋଇଥିଲା । ଏଥିରେ ନବୀନ ସାରଙ୍କର ଅଭିନୟ ବି ଉଚ୍ଚକୋଟୀର ଥିଲା । କେବଳ ଗୋଟିଏ କଥା କହିବି ଏହି ନାଟକଟିକୁ ଶ୍ରୀଯୁକ୍ତ ବଳବନ୍ତ ରାୟ ରଚନା କରିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି, ତେଣୁ ଯଦି ଏହି ନାଟକକୁ ଆଉ ଜଣେ କିଏ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଥାନ୍ତେ ହୁଏତ ନାଟକଟି ଆହୁରି ଉଚ୍ଚକୋଟୀର ହୋଇ ପାରିଥାନ୍ତା । କାହିଁକିନା ନିର୍ଦ୍ଦେଶକୀୟ ଦୃଷ୍ଟିଭଙ୍ଗୀରୁ ମୋତେ ଟିକେ କମି ଲାଗିଲା । ନାଟକଟିରେ ନିର୍ଦ୍ଦେଶନାର କାମ ଉପରେ ଆଉ ଟିକେ ଗୁରୁତ୍ୱ ଦେବା ଦରକାର ବୋଲି ମୁଁ ଯାହା ଅନୁଭବ କଲି । ଯାହାବି ହେଉ ମୋଟାମୋଟି ଭାବେ ନାଟକଟି ଭଲ ଲାଗିଲା ।
ଷଷ୍ଠଦିନର ନାଟକ “ବାଇ ଚଢ଼େଇର ଡେଣା” ବର୍ଣ୍ଣାଳୀ ଥିଏଟରର ନାଟକକୁ ନବୀନ କୁମାର ପରିଡ଼ା ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଭକ୍ତି ରଞ୍ଜନ ଦାସ । ଏହି ନାଟକକୁ ମୁଁ ପୂର୍ବରୁ ଥରେ ଦେଖିବାର ସୁଯୋଗ ପାଇଥିଲି । ନାଟକଟି ଭଲ ନାଟକ । ସେଦିନ ସନ୍ଧ୍ୟାରେ ବି ନାଟକ ଭଲ ଲାଗିଲା । ବେଶି କିଛି ମଞ୍ଚସଜ୍ଜା ଆଲୋକସଜ୍ଜ, ରୂପସଜ୍ଜା ନଥାଇବି ଅଭିନୟର ଯାଦୁରେ ନାଟକଟି ଦର୍ଶକମାନଙ୍କୁ ଅଭିନେତା ମାନେ ବାନ୍ଧି ରଖି ପାରିଥିଲେ । ନାଟକରେ ଛୋଟ ଝିଅ ଭୂମିକାରେ ଯେଉଁ ଅଭିନେତ୍ରୀ ଜଣକ ଅଭିନୟ କରୁଥିଲେ ତାଙ୍କ ଅଭିନୟ ବେଶ୍ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା । ଅନ୍ୟ କଳାକାରମାନେ ବି ଭଲ ଅଭିନୟ କରିଥିଲେ ।
ସପ୍ତମଦିନ ଅର୍ଥାତ୍ ଶେଷଦିନର ନାଟକ ମ୍ୟାଜିକ୍ ଥିଏଟର୍, ଭୁବନେଶ୍ୱର ଦ୍ୱାରା ପ୍ରଯୋଜିତ ନାଟକ “ଯାନ୍ତ୍ରିକ” ଥିଲା ଯାହାର ନାଟ୍ୟକାର ଶ୍ରୀଯୁକ୍ତ ନବୀନ କୁମାର ପରିଡ଼ା ଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ପ୍ରଜ୍ଞା ରଞ୍ଜନ ଖଟୁଆ । ସାତ ଦିନର ନାଟକ ଭିତରେ ଏ ନାଟକ ଟିକେ ଭିନ୍ନ ଢ଼ଙ୍ଗର ଥିଲା । ତା’ଛଡ଼ା ସେଦିନ ଦର୍ଶକମାନଙ୍କର ଭିଡ଼ ବି ଥିଲା କାରଣ ନିର୍ଦ୍ଦେଶକ ହେଉଛନ୍ତି ଜଣେ ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା । ସେ ସବୁବେଳେ କିଛି ନୂଆ ନୂଆ ଚିନ୍ତାଧାରା ନେଇ ନୂଆ ନୂଆ ଢ଼ଙ୍ଗରେ କାର୍ଯ୍ୟ କରିଥାନ୍ତି । ପୂର୍ବରୁ ତାଙ୍କର ବହୁ ଭଲ ଭଲ ନାଟକ ଦର୍ଶକ ଦେଖି ମନ୍ତ୍ରମୁଗ୍ଧ ହୋଇଛନ୍ତି । ସେଦିନ ନାଟକ ବି ଦର୍ଶକଙ୍କୁ ଭଲ ଲାଗିଲା । ନାଟ୍ୟକାର ଏବଂ ନିର୍ଦ୍ଦେଶକ ନାଟକରେ କିଛି ଏକ୍ସ୍ପେରିମେଣ୍ଟ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୋତେ ଲାଗିଲା ନିର୍ଦ୍ଦେଶକ ନାଟକର ଚରିତ୍ର ଏବଂ ତାଙ୍କର ପୋଷାକ ଆଲୋକସଜ୍ଜା ଉପରେ ଆଉଟିକେ ଅଧିକ ଗୁରୁତ୍ୱ ଦେଇଥିଲେ ଭଲ ହୋଇଥାନ୍ତା । ନାଟକଟିକୁ ଅଧିକ ଲମ୍ବା ନକରି ଆଉଟିକେ ଏଡିଟ୍ କରିବା ଦରକାର ବୋଲି ମୋତେ ଅନୁଭବ ହେଲା । ନିର୍ଦ୍ଦେଶକୀୟ ଦୃଷ୍ଟିଭଙ୍ଗୀ ପ୍ରତି ଆଉ ଟିକେ ଅଧିକ ଗୁରୁତ୍ୱ ଦେଇଥିଲେ ନାଟକଟି ଆହୁରି ଉଚ୍ଚକୋଟୀର ହୋଇ ପାରିଥାନ୍ତା ବୋଲି ମୋର ବ୍ୟକ୍ତିଗତ ମତ । ପରିଶେଷରେ କହିବି ନାଟକଟିକୁ ନେଇ ଗୋଟିଏ ନୂଆ ଢ଼ଙ୍ଗରେ ଉପସ୍ଥାପନା କରିବା ପାଇଁ ନିର୍ଦ୍ଦେଶକ ଚେଷ୍ଟା କରିଥିବାରୁ ତାଙ୍କୁ ସାଧୁବାଦ୍ ।
ମାଟ୍ୟମହୋତ୍ସବ ଉଦ୍ଦେଶ୍ୟରେ ମୋର ମତ :
ଚା କେବଳ ଭୁବନେଶ୍ୱର ନାଟ୍ୟ ଦଳମାନଙ୍କୁ ସୁଯୋଗ ନଦେଇ ଭୁବନେଶ୍ୱର ସହିତ ଓଡ଼ିଶାର ବହୁ ବଛାବଛା ନାଟ୍ୟ ଦଳମାନଙ୍କର ଭଲ ଭଲ ନାଟକକୁ ଚୟନ କରି ତାଙ୍କୁ ସୁଯୋଗ ଦିଆଗଲେ ନାଟ୍ୟମହୋତ୍ସବଟି ଆହୁରି ଭଲ ହେବ ବୋଲି ମୋର ବିଶ୍ୱାସ ।
ଚା ଯଦିଓ ମୁଁ ଜାଣିଛି ବର୍ତମାନର ପରିପେକ୍ଷୀରେ ନାଟକଟି କରିବା ବହୁ କଷ୍ଟକର । ତଥାପି ନାଟକ ମଞ୍ଚସ୍ଥ ପୂର୍ବରୁ ନାଟକଟିକୁ ଏବଂ ନାଟକର ମାନକୁ ଆୟୋଜକଙ୍କ ପକ୍ଷରୁ ଆଉଟିକେ ଭଲ ଭାବରେ ନଜର ପକାଇଲେ ଭଲ ହେବ ବୋଲି ମୋର ମତ ।
ଚା ଯେହେତୁ ନବିନ୍ ସାର୍ ସାତଟି ନାଟକରେ ସାତଟି ଚରିତ୍ରରେ ଅଭିନୟ କରିଥିଲେ, ତେଣୁ ନିଶ୍ଚିତ ଭାବରେ ପ୍ରତ୍ୟେକ ନାଟକରେ ଅଭ୍ୟାସ ପାଇଁ ଯଥେଷ୍ଟ ସମୟ ଦେବା ସାର୍ଙ୍କ ପକ୍ଷରେ ସମ୍ଭବପର ହୋଇନଥିବ କିମ୍ବା ସବୁ ନାଟ୍ୟ ଦଳର ନାଟକ ଅଭ୍ୟାସର ସମୟ ସାର୍ଙ୍କ ସମୟ ସହିତ ଖାପ୍ ଖାଉନଥିବ । ଯାହା କିଛି ନାଟକରେ ସାର୍ଙ୍କ ଚରିତ୍ରରେ ପରିପ୍ରକାଶ ହେଉଥିଲା । ତେଣୁ ସାର୍ ସେଥିପ୍ରତି ଟିକେ ଧ୍ୟାନ ଦେଲେ ଭଲ ହେବ ବୋଲି ମୁଁ ଭାବୁଛି ।
ଚା ନାଟ୍ୟମହୋତ୍ସବରେ ପ୍ରଚାର ପ୍ରଶାର ପରେ ଆଉଟିକେ ଅଧିକ ଗୁରୁତ୍ୱ ଦେଲେ ଭଲ ହେବ ।
ଯାହାବି ହେଉ “ସପ୍ତରୂପମ୍”ର ସାତଦିନ ସନ୍ଧ୍ୟାର ସାତଟି ନାଟକ ସଫଳତାର ସହିତ ମଞ୍ଚାୟନ ହୋଇ “ସପ୍ତରୂପମ୍” ନାଟ୍ୟମହୋତ୍ସବକୁ ସଫଳ କରିବାରେ ନବୀନ୍ ବର୍ଣ୍ଣାଳୀ ଥିଏଟର ଗ୍ରୁପ୍ ସାମର୍ଥ୍ୟ ହୋଇଛି ବୋଲି ମୁଁ କହିବି । ଆମେ ନବୀନ ବର୍ଣ୍ଣାଳୀ ଥିଏଟର ଗ୍ରୁପ୍, ଭୁବନେଶ୍ୱରକୁ କୃତଜ୍ଞତା ଜଣାଇବୁ । କୃତଜ୍ଞତା ଜଣାଇବୁ ଶ୍ରୀଯୁକ୍ତ ନବୀନ କୁମାର ପରିଡ଼ା ସାର୍ଙ୍କୁ, ଯାହାଙ୍କ ପାଇଁ ଆମେ ସାତ ଦିନରେ ସାତଟି ଭିନ୍ନ ଭିନ୍ନ ରୁଚିର ନାଟକ ଦେଖିବାର ସୁଯୋଗ ପାଇଲୁ । ବିଶେଷ କରି ମୁଁ ବେଶି କୃତଜ୍ଞତା ଜଣାଇବି ନବୀନ ବର୍ଣ୍ଣାଳୀ ଥିଏଟର ଗ୍ରୁପ୍ ପରିବାରକୁ ଯେ ମୋତେ ଏହି ନାଟ୍ୟମହୋତ୍ସବରେ ନାଟକ କରିବାକୁ ସୁଯୋଗ ଦେଇଥିବାରୁ ଏବଂ ସଂଯୋଜନା କରିବାକୁ ସୁଯୋଗ ଦେଇଥିବାରୁ । ନବୀନ ବର୍ଣ୍ଣାଳୀ ଥିଏଟର ଗ୍ରୁପ୍ର ଉତ୍ତରୋତ୍ତର କାମନା କରିବା ସହିତ ଆଶା ରଖିବୁ ନବୀନ ବର୍ଣ୍ଣାଳୀ ଏମିତି ନୂଆ ନୂଆ ନାଟକ ପ୍ରତ୍ୟେକ ବର୍ଷ ଦର୍ଶକମାନଙ୍କୁ ଭେଟି ଦେବ ।
ଧନ୍ୟବାଦ ।
ଜୟ ଜଗନ୍ନାଥ