ପିଲାମାନେ କ’ଣସବୁ ଖୋଜି ପାଇଲେ ! (ଆମ ଗାଁ ଆମ ଜୀବନ – ୩)

Swayamprava Parhi (Chief Editor)
842 Views
14 Min Read

ଗାଁ’ର ଜୀବନୀ ସମ୍ପର୍କିତ ଲେଖା ଗୁଡିକୁ ସମଧ୍ଵନିର ଡିଜିଟାଲ ପତ୍ରିକା ଓ ପ୍ରିଣ୍ଟ ପତ୍ରିକାରେ ପଢିବା ପରେ ସେହି ଲେଖା ଦ୍ଵାରା ପ୍ରଭାବିତ ହୋଇ ଜଗତସିଂପୁର ଜିଲ୍ଲାର ୬ଟି ଗାଁ’ର ସ୍କୁଲ ପିଲାଙ୍କୁ ନେଇ ନିଜ ନିଜ ଗାଁ’ର ଜୀବନୀ ଲେଖାଇବାପାଇଁ ପ୍ରଫେସର ହରିବନ୍ଧୁ ପଣ୍ଡା ଆଗ୍ରହ ପ୍ରକାଶ କରିଥିଲେ । ୨୦୨୧ – ୨୨ ମସିହାରେ ଜଗତସିଂପୁର ଜିଲ୍ଲାର ୬ଟି ଗାଁ’ରେ ଜୀବନୀ ଲେଖା କାର୍ଯ୍ୟ ଚାଲିଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି ୩୦ରୁ ୪୦ ଜଣ ସ୍କୁଲଛାତ୍ରଛାତ୍ରୀ ଅନଲାଇନରେ ଯୋଗଦେଇ ନିଜ ଗାଁ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଲେଖା ପ୍ରସ୍ତୁତ କରିଥିଲେ । ପ୍ରାୟ ପ୍ରତ୍ୟେକ ଗାଁ’ରୁ ୫-୬ ଜଣ ଲେଖାଏଁ ପିଲା ଏକାଠି ମିଶି ନିଜ ଗାଁ ଭିତରେ ବୁଲି ବୁଲି ବୟସ୍କ ଲୋକ ଓ ମା’ ମାନଙ୍କର ସାକ୍ଷାତକାର ସଂଗ୍ରହ କରିଥିଲେ । ଏହିସବୁ ଗାଁ ଉପକୂଳ ଓଡିଶାର ଗାଁ । ସେଥିପାଇଁ ମୋର ବିଶେଷ ଆଗ୍ରହ ଥିଲା ଏହି ଗାଁ ଗୁଡିକୁ ଜାଣିବା ପାଇଁ । ପ୍ରତି ସୋମବାର ଦିନ ସେମାନଙ୍କ ସହିତ ଅନଲାଇନରେ କ୍ଳାସ ଚାଲୁଥିଲା  । ସେହି ପିଲାମାନଙ୍କ ସହିତ ମିଶି ଗାଁ’ର ଜୀବନୀ ଲେଖାଇବା ସମୟରେ ମୋର ଯେଉଁ ଅନୁଭୂତି ହୋଇଥିଲା ଏଠାରେ ପ୍ରକାଶ କରାଯାଇଛି । 

Support Samadhwani

ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଳକର ବଗଦିଆ ଗ୍ରାମ ପଞ୍ଚାୟତର ଏକ ପଡ଼ା ଗାଁ’ ହେଉଛି ନୂଆସାହି । ଏହି ଗାଁ’ଟି ଏକ ଛୋଟଆ ଗାଁ’ । ସେହି ଗାଁ’ର ପ୍ରାଥମିକ ବିଦ୍ୟାଳୟର ପାଖାପାଖି ୭ଜଣ ଶିକ୍ଷାର୍ଥୀ ଆମ ଗାଁ ଆମ ଜୀବନ କାର୍ଯ୍ୟକ୍ରମରେ ଯୋଗଦେଇ ୨୦୨୧ ମସିହା ଜାନୁଆରୀ ମାସରୁ ନିଜ ଗାଁ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲେ । ସେମାନେ ପ୍ରାୟ ସମସ୍ତେ ଚତୁର୍ଥ କିମ୍ବା ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଥିଲେ । ସେମାନଙ୍କୁ ସହଯୋଗ କରିବା ପାଇଁ ସେହି ନୂଆସାହି ଗାଁ’ର ଜଣେ ସାଥି ମନୀଷା ମହାରଣା ନିୟୋଜିତ ହୋଇଥିଲେ । ଛୋଟ ଛୋଟ ପିଲାମାନଙ୍କ ଭିତରେ ଗାଁ’କୁ ନେଇ ଏତେ ଆଗ୍ରହ ଥିଲା ସେମାନଙ୍କ ଲେଖା ନ ପଢିଲେ ଆପଣମାନେ ବିଶ୍ଵାସ କରିପାରିବେନି । ଯାହାସବୁ ପ୍ରଶ୍ନ ଗାଁ’ର ବୟସ୍କ ମାନଙ୍କୁ ପଚାରି ଆସିବାକୁ କୁହାଯାଉଥିଲା ପିଲାମାନେ ପ୍ରଥମେ ନିଜ ମାଙ୍କୁ ଯାଇ ପଚାରୁଥିଲେ । ତା’ ପରେ ସେମାନେ ଦଳ ଦଳ ହୋଇ ବୟସ୍କ ଲୋକଙ୍କ ପାଖରେ ଯାଇ ବସୁଥିଲେ । ଗପ ଶୁଣିବାପରି ଗାଁ ବିଷୟରେ ସବୁ କଥା ଶୁଣୁଥିଲେ । ସାଥି ମନୀଷା ପାଖରେ ରହି ସେମାନଙ୍କ କଥାକୁ ରେକର୍ଡିଂ କରିଆଣି ଖାତାରେ ଲେଖୁଥିଲେ । ସେହି ଭିତରେ ପିଲାମାନେ ନିଜ ଗାଁ ବିଷୟରେ ଅନେକ କଥା ଜାଣୁଥିଲେ ଓ ଗାଁ ସମ୍ପର୍କରେ ନୂଆ ନୂଆ ପ୍ରଶ୍ନ କରୁଥିଲେ । ସେମାନଙ୍କର କେତୋଟି ପ୍ରଶ୍ନ ଉତ୍ତର ଯାହା ସେମାନେ ମୋ ସହିତ ସୋମବାର ଦିନ ଜୁମ ମିଟିଂ ସମୟରେ ଆଲୋଚନା କରୁଥିଲେ ନିମ୍ନରେ ଉପସ୍ଥାପନ କରାଯାଇଛି । ମନୀଷା ମଧ୍ୟ ପିଲାଙ୍କ ସହିତ ବୁଲି ବୁଲି ଗାଁ ସମ୍ପର୍କରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇ ନିଜ ଗାଁ’କୁ ବର୍ଣ୍ଣନା କରିବା ଆରମ୍ଭ କଲେ । ସେମାନେ ସମସ୍ତେ ମିଶି ନିଜ ଗାଁ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲେ । 

କୁନି କୁନି ପିଲାଙ୍କ ଆଖିରେ ନୂଆସାହି (ବଗଦିଆ)ର ସଂସ୍କୃତି ଓ ଜନଜୀବନ  !

ନିଜ ଗାଁ’ର ନାମ ଓ ନିଜ ଗାଁ’ର ଇତିହାସ ଜାଣିବା ପାଇଁ ପିଲାମାନେ ପ୍ରଥମେ ନିଜ ମା ଓ ଜେଜେ ଜେଜୀଙ୍କୁ ଯାଇ ପଚାରିଲେ । ପ୍ରାୟ ସମସ୍ତଙ୍କ ଘରୁ ସେଇ ଗୋଟିଏ ଉତ୍ତର ଆସିଥିଲା । ନୂଆସାହି ହେଉଛି ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଳକର ବଗଦିଆ ଗ୍ରାମ ପଞ୍ଚାୟତର ଏକ ପଡ଼ା ଗ୍ରାମ। ଗା’ଟି ଖୁବ ଛୋଟ ଓ ଏହାକୁ ଚତୁଃପାଶ୍ୱର୍ରୁ ଘେରି ରହିଛି, ପ୍ରାକୃତିକ ସୌନ୍ଦର୍ଯ୍ୟ । ଗାଁ’ର ପୂର୍ବଦିଗରେ ଏକ ଛୋଟ ଜଙ୍ଗଲ । ଏଥିରେ ନାନା ଜାତିର ଗଛ ଅଛି ଯେମିତି ବର, ଅଶ୍ୱସ୍ଥ, ଚାକୁଣ୍ଡା, ବେଲ, ନଡ଼ିଆ, କଦଳୀ ଗୁଆ, ତାଳ, ପିଜୁଳି, ଆମ୍ବ, ଆକାଶିଆ, ପଣସ, ପଟାସ ଆଦି ଗଛ ।

ଗାଁ’ର ପାଖ ଅଛି ତୈଳ ବିଶୋଧନାଗାର(IOCL) । ଗାଁ’ର ଦକ୍ଷିଣ ଦିଗରେ ମହାନଦୀର ଏକ ଶାଖାନଦୀ ହଳଦୀ ଘାଟ ନଦୀ ବହିଯାଉଛି । ଉତ୍ତର ଦିଗରେ ବୃହତ୍ ରେଳଲାଇନ ଓ ବଗଦିଆ ପି.ଏଚ୍‌.। ଆଜିକାଲିର ସବୁ ଗାଁ ପରି ଏଠିବି ହନୁମାନ ମନ୍ଦିର ପୁରା ଗାଁ ମଝିରେ ରହିଛି । ଗ୍ରାମ ଦେବତୀ ମନ୍ଦିର ଏବଂ ଏକ ଭାଗବତ ଟୁଙ୍ଗି ମଧ୍ୟ ଗାଁରେ ଅଛି । ଗାଁ’ଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ହୋଇଛି । ଏହି ଗାଁରେ ସ୍କୁଲ ଅଛି, ଖେଳପଡ଼ିଆ, ଦଣ୍ଡା, ଶଶ୍ମାନ ଗୃହ, ପୋଖରୀ ରହିଛି । ଗାଁର ଲୋକମାନଙ୍କ ଭିତରେ ଭଲ ସମ୍ପର୍କ ଅଛି ମାନେ ଲୋକମାନେ ମିଳିମିଶି ସାଙ୍ଗ ସାଥି ହୋଇ ଚଳୁଛନ୍ତି । ସମସ୍ତେ ସମସ୍ତଙ୍କର ବିପଦ ଆପଦ ଦୁଃଖ ସୁଖର ସାଥି ହୋଇ ଛିଡ଼ା ହେଉଛନ୍ତି ।

Support Samadhwani

ଗାଁଟିର ନାମ କାହିଁକି ନୂଆସାହି ରହିଲା ପିଲାମାନେ ପଚାରିବାରୁ ଜେଜେବାପା ଓ ଜେଜେମାଙ୍କ କହିଲେ ଯେ, ଏହି ଜାଗା ଆଗରୁ ଜଙ୍ଗଲ ଥିଲା । ପୂର୍ବପୁରୁଷମାନେ ଆସି ଏହି ଜଙ୍ଗଲ କାଟି ସଫା କରି ନିଜ ନିଜ ଜାଗା ଅଧିକାର କରି ରହିଲେ । ପ୍ରଥମେ ଅମୀୟପାଳରୁ କିଛି ଲୋକ ଉଠିଆସି ପ୍ରଥମ ଥର ପାଇଁ ଏଠାରେ ଘର କରି ରହିଥିଲେ । ସେମାନେ ହିଁ ହେଉଛନ୍ତି ଆମ ଗ୍ରାମର ପ୍ରଥମ ବାସିନ୍ଦା । ଗାଁ’ର ନାମ ଥିଲା ବଗଦିଆ । ପରେ ବଗଦିଆ ଯେତେବେଳେ ଦୁଇ ଭାଗ ହେଲା ସେତେବେଳେ ଏହି ଗାଁ’ର ନାମ ନୂଆସାହି ରଖାଗଲା । ଗାଁ କେବେ ପ୍ରତିଷ୍ଠା ହୋଇଥିଲା ତାହା ଗାଁ ଲୋକେ କେହି  ସଠିକ୍ ଭାବରେ କହିପାରୁ ନ ଥିଲେ । ସେମାନଙ୍କ କହିବା ଅନୁସାରେ ଗାଁ ପାଖାପାଖି ୧୦୦ ବର୍ଷ ପୁରୁଣା ବା ତା ଠାରୁ ଅଧିକ ମଧ୍ୟ ହୋଇପାରେ । ସେତେବେଳେ ଗାଁ ଜଙ୍ଗଲ ଥିଲା ଲୋକେ ଜଙ୍ଗଲରୁ ବିଭିନ୍ନ ପ୍ରକାର ଫଳ ଓ କାଠ ଆଦି ସଂଗ୍ରହ କରି ଚଳୁଥିଲେ ।  ବର୍ତ୍ତମାନ ସେ ଜଙ୍ଗଲ ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇଛି । ସେତେବେଳର ଚାଲିଚଳଣି ଆଉ ନାହିଁ । ସେମାନଙ୍କ ଗାଁ’ର ସବୁଠାରୁ ବଡ଼ ଘର ଗାଁ’ର ଆରମ୍ଭରେ ଥିବା ପ୍ରଭାତ ପ୍ରଧାନଙ୍କ ଘର । ଗାଁ’ର ସବୁଠାରୁ ଛୋଟ ଘର ହେଉଛି ଯୋଗେନ୍ଦ୍ର ସ୍ୱାଇଁଙ୍କର । ତାଙ୍କର ଗୋଟିଏ ଛୋଟ ଚାଳଘର । ତାହା ପୁଣି ଭାଙ୍ଗି ଛାତରୁ ବର୍ଷା ଦିନେ ପାଣି ଗଳେ । ତାଙ୍କ ପରିବାରରେ ସ୍ୱାମୀ-ସ୍ତ୍ରୀ, ତାଙ୍କ ବୃଦ୍ଧା ମା ଏବଂ ତାଙ୍କର ୩ଟି ସନ୍ତାନ । ମୋଟ ୬ ଜଣ ସଦସ୍ୟ ସମସ୍ତେ ସେହି ଘରେ ଚଳିବାପାଇଁ ବହୁତ କଷ୍ଟହୁଏ । 

ଗାଁ’ ପାଖ ଦେଇ ବହି ଯାଇଛି ହଳଦୀଘାଟ ନଦୀ । ଏହି ନଦୀ ଗାଁ’ର ଦକ୍ଷିଣ ଦିଗରେ ବହିଯାଉଛି । ଏହି ନଦୀ ମହାନଦୀର ଏକ ସଖା ନଦୀ । ନଦୀରୁ ଗ୍ରାମବାସୀମାେନେ ମୁଖ୍ୟତଃ ମାଛଧରି ଜୀବନଯାପନ କରନ୍ତି । ନଦୀରେ ବିଭିନ୍ନ ପ୍ରକାର ମାଛ ମିଳେ ଯଥା : ଚିଙ୍ଗୁଡ଼ି, ରୋହି, ଭାକୁର, ଖଇଙ୍ଗା, ପାଣିଆଖିଆ ଆଦି ମାଛ । ଲୋକେ ମାଛ ଧରି ବିକ୍ରି କରି ବହୁତ ଲାଭ ପାଆନ୍ତି । ଗାଁରେ ଚାରୋଟି ପୋଖରୀ ଅଛି; ଠାକୁର ଗଡ଼ିଆ, ଦଣ୍ଡା ଗଡ଼ିଆ, ନୁଆ ଗଡ଼ିଆ, ମଳିକସାହି ଗଡ଼ିଆ । ଗାଁରେ ପାନୀୟ ଜଳର ବହୁତ ସମସ୍ୟା ରହିଛି । ଖରାଦିନେ ଲୋକମାନେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଗାଁରେ ମାତ୍ର ୨ଟି ନଳକୂପ ଅଛି । ବୋରିଙ୍ଗ ର ସୁବିଧା ଗାଁରେ ନାହିଁ ତେଣୁ ସେମାନଙ୍କ ଗାଁ’ରେ ପାନୀୟ ଜଳକୁ ନେଇ ଅସୁବିଧା ପ୍ରାୟ ଦେଖାଯାଇଥାଏ । ନଳକୂପ ପାଖରେ ବହୁ ସମୟରେ ସ୍ତ୍ରୀ ଲୋକମାନଙ୍କର ଝଗଡ଼ା ମଧ୍ୟ ହୁଏ । 

ଗାଁର ପୂର୍ବ ଦିଗରେ ଏକ ଛୋଟ ଜଙ୍ଗଲ ଅଛି ଯଦିଓ ସେହି ଜଙ୍ଗଲ କମି କମି ଆସିଲାଣି । ଏହି ଜଙ୍ଗଲରେ ଝାଉଁ, ଶିମିଳି ଆଦି ଗଛ ଦେଖିବାକୁ ମିଳିଥାଏ । ଗାଁ’ରେ ଗାଈ, ବଳଦ, ଷଣ୍ଢ, କୁକୁର ବିଲେଇ, ମାଙ୍କଡ଼, ଗୋଧି, ସାପ, ଛେଳି, ଆଦି ଦେଖିବାକୁ ମିଳନ୍ତି । କୀଟ ପତଙ୍ଗ ଭିତରେ ଝିଟିପିଟି ଅସରପା, ମାଛି, ମଶା, ଝିଣ୍ଟିକା, କଙ୍କି, ଜିଆ ଆଦି ଗାଁ’ରେ ଦେଖାଯାଆନ୍ତି । ଗାଁ ଲୋକେ ନଡ଼ିଆ, ଗୁଆ, ବେଲ, ଚାକୁଣ୍ଡା, ଆମ୍ବ, କଦଳୀ ଆଦି ଗଛ ବହୁତ ପରିମାଣରେ ଲଗାନ୍ତି । ଫଳ ଭିତରେ ଆମ୍ବ, ପିଜୁଳି, ଡାଳିମ୍ବ, କଦଳୀ ଆଦି ବହୁତ ପରିମାଣରେ ମିଳିଥାଏ । ଗାଁରେ ମନ୍ଦାର, ଟଗର, ତରାଟ, ସୁଗନ୍ଧରାଜ, ମଲ୍ଲୀ, ମାଳତୀ, କନିଅର ଆଦି ଫୁଲ ପ୍ରାୟ ଲୋକମାନଙ୍କ ବାଡ଼ିରେ ଦେଖିବାକୁ ମିଳେ । ଗାଁ ପୋଖରୀରେ ପଦ୍ମ ଓ କଇଁ ଫୁଲ ଦେଖିବାକୁ ମିଳେ । ପୂର୍ବରୁ ଗାଁ’ରେ ମୁଗ, ବିରି, ଧାନ, କୋଳଥ, ମାଣ୍ଡିଆ, ଆଳୁ, ବାଇଗଣ, ଟମାଟୋ, କାକୁଡ଼ି, କଲରା, ଜହ୍ନି, କଖାରୁ ଆଦି ଫସଲ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ସବୁ ଫସଲ ଲୋପ ପାଇଗଲାଣି । ଗାଁର ବୟସ୍କ ଲୋକମାନେ କୁହନ୍ତି ଯେ, ସେମାନଙ୍କର ମୁଖ୍ୟ ପେସା ଥିଲା କୃଷି, ଆଗରୁ ସେମାନେ ବିଭିନ୍ନ ପ୍ରକାର ଚାଷ କରି ଚଳୁଥିଲେ । କିନ୍ତୁ ଏହି ଅଞ୍ଚଳରେ ତୈଳ ବିଶୋଧନଗାରା କମ୍ପାନୀ ଏବଂ ଆହୁରି ଅନେକ ଗୁଡ଼ିଏ କମ୍ପାନୀ ନିର୍ମାଣ ହେବାପରେ ଏହି ଅଞ୍ଚଳର ଲୋକମାନଙ୍କର ଚାଷ ଜମି ଚାଲିଗଲା । ଯେଉଁ ଲୋକମାନଙ୍କର ଚାଷ ଜମି ରହିଯାଇଛି ତାହା ବର୍ତ୍ତମାନ କମ୍ପାନୀର ଦୂଷିତ ଜଳରେ ପ୍ରଦୂଷିତ ହୋଇଗଲାଣି । ଆଉ ଆଗଭଳି ଫସଲ ହେଉନାହିଁ । ଲୋକମାନେ ଏସବୁ କଥା ପିଲାଙ୍କ ଆଗରେ ଦୁଖର ସହିତ ବର୍ଣ୍ଣନା କରି କହିଛନ୍ତି । 

ଗାଁ’ର ଲୋକମାନଙ୍କ ଚଳଣି ବିଷୟରେ ପିଲାମାନେ ପଚାରି ବୁଝିଛନ୍ତି । ଗାଁର କିଛି ଲୋକଙ୍କର ଚଳଣୀ ଭଲ ଓ ଅଧିକାଂଶ ଲୋକଙ୍କର ଚଳଣୀ ନିମ୍ନମାନର । ଯେଉଁମାନେ ଚାକିରୀ କରିଛନ୍ତି ଅଥବା କମ୍ପାନୀରେ କାମ କରୁଛନ୍ତି ସେମାନେ ଭଲରେ ଚଳୁଛନ୍ତି କିନ୍ତୁ ଯେଉଁମାନେ କୃଷି ଉପରେ ନିର୍ଭରଶୀଳ ସେମାନେ ବର୍ତ୍ତମାନ ଦିନ ମଜୁରୀଆ ଭାବେ କାମ କରୁଛନ୍ତି । ତେଣୁ ସେମାନଙ୍କ ଅବସ୍ଥା ବହୁତ ଖରାପ । ଗାଁ’ରେ ମଳିକ, ଗୋପାଳ, କୁମ୍ଭାର, ଖଣ୍ଡାୟତ, ଚଷା, ବୈଷ୍ଣବ ଆଦି ଜାତିର ଲୋକମାନେ ରହୁଛନ୍ତି । ଗାଁର ସମେସ୍ତ ହିନ୍ଦୁ ଧର୍ମାବଲମ୍ବୀ ଅଟନ୍ତି । ଗାଁରେ ବିଭିନ୍ନପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ ସେଭିତରେ; ଦଶହରା, ଦୋଳପୂର୍ଣ୍ଣିମା, ରାହାସ ପୂର୍ଣ୍ଣିମା, ଜନ୍ମାଷ୍ଟମି, ରାମନବମୀ, ପଣା ସଂକ୍ରାନ୍ତି, ପାର୍ବଣ, କାର୍ତ୍ତିକ ଦଶମୀ, ଅକ୍ଷୟ ତୃତୀୟା ଅନ୍ୟତମ । ପାର୍ବଣ ଏବଂ ଅକ୍ଷୟ ତୃତୀୟା ପର୍ବ ଦୁଇଟିର କୃଷି ସହିତ ସମ୍ପର୍କ ରହିଛି । ପାର୍ବଣରେ ପ୍ରଥମେ ଚୁଡ଼ା ନୂଆ କରି କୁଟାଯାଏ ଏବଂ ସେହି ଚୁଡ଼ାକୁ ଦେବୀଙ୍କ ପାଖରେ ଭୋଗ ଲଗାଯାଏ । ଅକ୍ଷୟ ତୃତୀୟା ଦିନ ଚାଷୀ ଭାଇ ନୂଆ ବସ୍ତ୍ର ପରିଧାନ କରି ମୁଣ୍ଡରେ ପଗଡ଼ିବାନ୍ଧି ଗଉଣି, ଟୋକେଇ, ବେତୁଲିରେ ଧାନ ନେଇ ବିଲରେ ପୂଜା କରି ବିହନ ବୁଣେ । ଚୈତ୍ର ମାସରେ ରାମ ନବମୀ ଦିନଠାରୁ ଗାଁରେ ଦୀର୍ଘ ୧୪ ଦିନ ଧରି ରାମ ଲୀଳା ଅନୁଷ୍ଠିତ ହୁଏ । 

ଗାଁରେ ୩ଟି ବିଦ୍ୟାଳୟ ଅଛି; ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଗଦିଆ, ଅଙ୍ଗନୱାଡ଼ି ଶିକ୍ଷା କେନ୍ଦ୍ର ଓ ଗୁର୍ଡ଼ ସେଫଡ଼ ବିଦ୍ୟାଳୟ । ନୂଆସାହି ବଗଦିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଗାଁର ମଝିରେ ଅବସ୍ଥିତ । ଏହା ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟ ନିକଟରେ ଅଙ୍ଗନୱାଡ଼ି ଶିକ୍ଷା କେନ୍ଦ୍ର ଅଛି । 

ଗାଁ ପାଖରେ ଥିବା ବଡ ବଡ ରିଫାଇନାରୀ ଓ ସିମେଣ୍ଟ କମ୍ପାନୀ ଗାଁ ଲୋକଙ୍କୁ କେଉଁ ଭଳି ରୋଜଗାର ଦେଉଛି ସେ ବିଷୟରେ ପିଲାମାନେ ଜାଣିବାପାଇଁ ପାଇଛନ୍ତି ଯେ, ଗାଁର ପ୍ରାୟ ଲୋକ ପାଖ କମ୍ପାନୀରେ ଶ୍ରମିକ ଭାବରେ କାମ କରି ରୋଜଗାର ପାଇଥାଆନ୍ତି । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ବହୁତ କମ୍ ଲୋକ ଚାକିରି କରିଛନ୍ତି । ଗାଁ’ର କିଛି ଲୋକ ବ୍ୟବସାୟ କରି କିଛି ଲୋକ ଦିନ ମଜୁରିଆ ଭାବରେ, କିଛି ଲୋକ ପଶୁପାଳନ କରି, କିଛି ଲୋକ ମାଛ ଧରି, କିଛି ଲୋକ କମାର ଭାବରେ ଲୁହା କାମ କରି ଏବଂ କେତେକ ଯୁବକ ଡ୍ରାଇଭର ଭାବରେ ଜିବୀକାର୍ଜନ କରି ଚଳନ୍ତି । 

ଗାଁ’ରଲୋକମାନେ କୁହନ୍ତି ଯେ, ସେମାନଙ୍କ ଗାଁ’ର ମୂଳ ସମସ୍ୟା ହେଲା ପାନୀୟ ଜଳ ସମସ୍ୟା ଓ ଅନ୍ୟ ଏକ ମୂଳ ସମସ୍ୟା ହେଲା ବେକାରୀ ସମସ୍ୟା । ଗାଁ’ର ଯୁବକ ଓ ଯୁବତୀମାନେ ପାଠ ପଢ଼ି ସାରିବା ପରେ ବେକାର ହୋଇ ବୁଲୁଛନ୍ତି । ଗାଁ’ର ଲୋକେ ନିଶା ସେବନକୁ ଏକ ସମସ୍ୟା ଭାବରେ କହିଛନ୍ତି । ଗାଁରେ କୌଣସି ପ୍ରକାର ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା ନାହିଁ । ଏଠାରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଗାଁର ଲୋକମାନେ ପାଖରେ ଥିବା ସ୍ୱାସ୍ଥ୍ୟକର୍ମୀ ଆଶା, ଅଙ୍ଗନୱାଡ଼ି କର୍ମୀଙ୍କ ପାଖରେ ସରକାରଙ୍କ ତରଫରୁ ଆସୁଥିବା ମାଗଣା ଔଷଧ ଉପରେ କିଛି ମାତ୍ରାରେ ନିର୍ଭର କରନ୍ତି । ଆଉ କେତେକ ଲୋକ ଗାଁ ପାଖରେ ଥିବା ଔଷଧ ଦୋକାନ ଉପରେ ନିର୍ଭର କରନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଏହି ଗାଁ ଠାରୁ ୫ କି.ମି. ଦୂରରେ  ମାଳହୁଙ୍କାରେ ଅବସ୍ଥିତ । ସେଠାରେ ମଧ୍ୟ ଏତେ ଉନ୍ନତ ମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ନାହିଁ । ସେଠାରେ ଗୋଟିଏ ଡାକ୍ତର, ଗୋଟିଏ ନର୍ସ ଏବଂ ଅନ୍ୟ କେତେଜଣ କର୍ମଚାରୀ ଅଛନ୍ତି । ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ହୁଏ ତେବେ ସେଠାରେ କିଛି ସୁବିଧା ନାହିଁ । ଏହି ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁଜଙ୍ଗରେ ଅଛି । ସେଠାରେ ଡାକ୍ତର, ନର୍ସ, କମ୍ପାଉଣ୍ଡର ଆଦି କର୍ମଚାରୀମାନେ ଅଛନ୍ତି । ଏହା ନୂଆସାହି ଗାଁ ଠାରୁ ୧୨ ରୁ ୧୫ କିଲୋମିଟର ଦୂର ତେଣୁ ଲୋକମାନଙ୍କୁ ଅସୁବିଧା ହୁଏ । ଏହା ସତ୍ତ୍ୱେ ମଧ୍ୟ ଅତି ଜରୁରୀ କାଳୀନ ସମସ୍ୟାରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗାଁ ଲୋକମାନେ ପ୍ରାଥମିକ ଚିକିତ୍ସା ପାଇଁ ଯାଇଥାନ୍ତି ।

ଗାଁ’ର ଅତୀତ କଥା ମନେପକାଇ ଗାଁ ଲୋକେ କୁହନ୍ତି ଯେ, ଅଗକାଳରେ ଲୋକମାନେ ହଳ, ଜୁଆଳୀ, ଲଙ୍ଗଳ, ବଳଦ ଆଦିକୁ ବ୍ୟବହାର କରି ଚାଷ କାର୍ଯ୍ୟ କରୁଥିଲେ ସେତେବେଳେ ଗୋବର ଖତ, ଘରର ବ୍ୟବହାର୍ଯ୍ୟ  ଆବର୍ଜନା ଆଦିକୁ ନେଇ ଚାଷ କାର୍ଯ୍ୟ କରାଯାଉଥିଲା । ଲୋକମାନେ ଏକାଠି ହୋଇ ଗୋଟିଏ ଯାଗାରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରୁଥିଲେ । ଗାଁ ଲୋକମାନଙ୍କର ପରସ୍ପର ପ୍ରତି ଆତ୍ମୀୟତା, ସ୍ନେହଭାବ ଥିଲା । ଗାଁ’ରେ ବିଭିନ୍ନ ପର୍ବପର୍ବାଣୀ ପାଳନ ଅବସରରେ ଗାଁରେ ବିଭିନ୍ନ ନାଟକ, ରାମାୟଣ, ଡ୍ରାମା ଆଦିର ଆୟୋଜନ କରାଯାଉଥିଲା ଲୋକମାନେ ଏକାଠି ହୋଇ ଏହାକୁ ଉପଭୋଗ କରୁଥିଲେ । ଯାହାର ଯାହା କିିଛି ସମସ୍ୟା ହେଲେ ସମସ୍ତେ ସମାଧାନ ପାଇଁ ଗାଁର ମୁଖିଆଙ୍କ ପାଖରେ ପହଞ୍ଚୁଥିଲେ । ଗାଁର ପଞ୍ଚ ମୁଖିଆମାନେ ଗ୍ରାମବାସୀଙ୍କୁ ନେଇ ବୈଠକ କରି ସେଠାରେ ଦୁଇ ପକ୍ଷର କଥାକୁ ଶୁଣି ନିଷ୍ପତ୍ତି କରୁଥିଲେ ଏବଂ ସବୁକିଛି ସମାଧାନ ହୋଇଯାଉଥିଲା । ବର୍ତ୍ତମାନ ଗାଁର ବହୁବିଧି ଉନ୍ନତି ଘଟିଲାଣି । ଗାଁରୁ ପକ୍କା ସଡ଼କ, ବିଜୁଳି ବ୍ୟବସ୍ଥା, ପାନୀୟର ବ୍ୟବସ୍ଥାର ବିକାଶ ହୋଇଛି । ବର୍ତ୍ତମାନ ସବୁ ଜାଗାରେ ଇଟା, ସିମେଣ୍ଟ ତିଆରି କୋଠାଘର । ଏବେ ପ୍ରାୟତଃ ଏକକ ପରିବାର ଦେଖିବାକୁ ମିଳୁଛି । ଲୋକେ ବୈଜ୍ଞାନିକ ଯନ୍ତ୍ରପାତି ଯେମିତିକି; ଟ୍ରାକ୍ଟର, ପାୱାରଟିଲର, ଧାନବୁଣା ଯନ୍ତ୍ର, ଧାନକଟା ଯନ୍ତ୍ର, ରାସାୟନିକ ସାର ଆଦି ବ୍ୟବହାର କରି କୃଷି କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ପର୍ବପର୍ବାଣୀ ବହୁ ଆଡ଼ମ୍ବରରେ ପାଳନ କରାଯାଉଛି । ସେଥିରେ କିନ୍ତୁ ଆତ୍ମୀୟତାର ଘୋର ଅଭାବ ଦେଖାଗଲାଣି । ଯଦି ଗାଁରେ କିଛି ଗଣ୍ଡଗୋଳ ହୁଏ ଲୋକମାନେ ସିଧାସଳଖ କୋର୍ଟ, କଚେରୀ, ଥାନା, ପୋଲିସ୍ ପାଖରେ ପହଞ୍ଚୁଛନ୍ତି । 

ଛୋଟ ପିଲାମାନଙ୍କର ଗାଁ’କୁ ନେଇ ବୁଝାମଣା ଦେଖି ସେତେବେଳେ ସତରେ ଆଶ୍ଚର୍ଯ୍ୟ ଲାଗିଥିଲା । ପ୍ରାୟ ପିଲା କହିଛନ୍ତି ବଡ଼ ହେଲେ, ଆମେ ପ୍ରଥମେ ଆମ ଗାଁର ଜଳ ସମସ୍ୟା ଦୂର କରିବୁ । ଗାଁରୁ ଜଳାଭାବର ଦୂରୀକରଣ ପାଇଁ ଗାଁର ସ୍ଥାନେ ସ୍ଥାନେ ନଳକୂପର ବନ୍ଦୋବସ୍ତ କରାଇବୁ । ମଦ୍ୟପମାନଙ୍କର ଦୁରାଚାରକୁ ରୋକିବା ପାଇଁ ନିଶା ନିବାରଣ ଅଭିଯାନ କରାଇବୁ । ନିଶା ଦ୍ରବ୍ୟକୁ ବର୍ଜନ କରିବୁ ।

ଶେଷରେ ଏତିକି କହିବି ଯେ, ଉପକୂଳ ଓଡିଶା ହେଉ କି ଉପାନ୍ତ ଅଞ୍ଚଳ ସବୁଠି ପିଲାମାନଙ୍କର ଗାଁ ପ୍ରତି ଶ୍ରଦ୍ଧା ଓ ଗାଁ ପାଇଁ କିଛି କରିବାର ଭାବନା ଦେଖିବା ପାଇଁ ମିଳିଛି । ଅଷ୍ଟମ, ନବମ ଶ୍ରେଣୀ ଭିତରେ ହିଁ ପିଲାମାନେ ଏହି ଆଗ୍ରହ ଅଧିକ ଦେଖାଉଛନ୍ତି । ଟିକେ ବଡ ଶ୍ରେଣୀର ପିଲାମାନେ ଗାଁ’ ବିଷୟରେ କହିଲେ ଲେଖିବା ପାଇଁ କିମ୍ବା ଜାଣିବା ପାଇଁ ସେହି ଶ୍ରଦ୍ଧା ଓ ଆଗ୍ରହ ଦେଖାଉ ନାହାନ୍ତି ।  ଗାଁ’ର ଜୀବନୀ ଲେଖାଇବା ଭିତରେ ଅନ୍ତତଃ ଏତିକି ଅନୁଭୂତି ସଂଗ୍ରହ କରିଛି । ଆମ ଶିକ୍ଷା ବ୍ୟବସ୍ଥାରେ କେଉଁଠି ଭୁଲ ରହିଯାଉଛି ସେ ବିଷୟରେ ସମୀକ୍ଷା ହେବା ଜରୁରୀ । ଆମ ଶିକ୍ଷା ନିଜ ପରିବେଶକୁ, ନିଜ ଲୋକଙ୍କୁ ଓ ନିଜ ଗାଁକୁ ଅଧିକ ଜାଣିବା, ବୁଝିବା ଓ ଭଲ ପାଇବା ଶିଖାଇ ପାରୁନି । ବରଂ ଅନେକ ସମୟରେ ଆମେ ନିଜେ ଅନୁଭବ କରିଛନ୍ତି କେମିତି ଆମେ ଗାଁ ଠାରୁ ଧୀରେ ଧୀରେ ଦୂରେଇ ଦୂରେଇ ଯାଇଛନ୍ତି ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.