ସାହିତ୍ୟର ବିଭା ମୂଳରେ ଲେଖକର ମନୋବୃତ୍ତି କାର୍ଯ୍ୟକରେ । କାହିଁକିନା ଲେଖକର ସୌନ୍ଦର୍ଯ୍ୟବୋଧ ଚିନ୍ତନ ଶୈଳ୍ପିକ ସୁଷମାରେ ବିମଣ୍ଡିତ ହୋଇ ସୃଷ୍ଟି ହୁଏ ସାହିତ୍ୟ । ଏଥିରେ ଲେଖକର ଦୃଷ୍ଟି ଓ ଅନୁପ୍ରେରଣାର ପ୍ରକାଶ ଥାଏ । ଏହି ମହତ୍ ଦୃଷ୍ଟିର ଅଭିବ୍ୟକ୍ତି ତାର ମୂଲ୍ୟକୁ ଚିରନ୍ତନ ରସାପ୍ଳୁତ କରିରଖେ । ତେଣୁ କାଳଜୟୀ ସାହିତ୍ୟ ସୃଷ୍ଟି ପାଇଁ ଲେଖକର ସାଧନା ଅପରିହାର୍ଯ୍ୟ । ଆକାଶର ବିଶାଳତା, ସୂର୍ଯ୍ୟର ଆଲୋକ, ଚନ୍ଦ୍ରର ଶିତଳତା, ଇନ୍ଦ୍ରଧନୁର ରଙ୍ଗ, ଜଙ୍ଗଲର ସବୁଜିମା, ଝରଣାର କୁଳୁକୁଳୁ ନାଦ, ଜୀବ ଜଗତର ଚଳମାନତା ଏଭଳି ଦୃଶ୍ୟମାନ ପ୍ରାକୃତିକ ଶୋଭାରେ ମାନବ ଆଶ୍ଚର୍ଯ୍ୟ ଓ ବିମୋହିତ ହୋଇଉଠେ; କିନ୍ତୁ ଏସବୁର ଅନ୍ତର୍ନିହିତ ସୌନ୍ଦର୍ଯ୍ୟକୁ ଚିହ୍ନିପାରିବା ସବୁବେଳେ ତା’ ପକ୍ଷେ ସମ୍ଭବ ହୋଇପାରେ ନାହିଁ । ଏହାକୁ ଆୟତ୍ତ କରିପାରେ ଲେଖକ । ଏସବୁ ସୌନ୍ଦର୍ଯ୍ୟକୁ ସାହିତ୍ୟର ରୂପଦେବା ଦ୍ୱାରା ତାର ଚେତନାର ମଧ୍ୟ ବିକାଶ ହୁଏ ।
ସାହିତ୍ୟର ବିଭା ଓ ବିଭାବନା ସଂକ୍ରାନ୍ତରେ ପର୍ଯ୍ୟାଲୋଚନା ସମୟରେ, ତାର ରୂପବୈଚିତ୍ର୍ୟ ସ୍ୱତଃ ଆଲୋଚନା ପରିସରକୁ ଆସେ । କାହିଁକିନା ରୂପ ମାଧ୍ୟମରେ ସାହିତ୍ୟର ବିଭା ପ୍ରସ୍ଫୁଟିତ । ସାହିତ୍ୟ କହିଲେ ପ୍ରାଚୀନ କାଳରେ କାବ୍ୟକୁ ବୁଝାଯାଉଥିଲା; କିନ୍ତୁ ଆଧୁନିକ ବିଚାରରେ ତାର ରୂପ ଭିନ୍ନ ପ୍ରକାର । ସେ ଯାହାବି ହେଉ ‘ସାହିତ୍ୟ’ ଶବ୍ଦଟି ‘ସହିତ’ ଶବ୍ଦରୁ ନିଷ୍ପନ୍ନ । ‘ସହିତ’ ଶବ୍ଦର ଅନ୍ୟ ଏକ ଅର୍ଥ ‘ମିଳନ’ । ଶବ୍ଦ ଓ ଅର୍ଥର ଯୁକ୍ତିଯୁକ୍ତ ମିଳନ ହିଁ ସାହିତ୍ୟ । ଆଳଂକାରିକ ଭାମହ କହିଛନ୍ତି- ‘ଶବ୍ଦାର୍ଥେø ସହିତୌ କାବ୍ୟମ୍’ । ଶବ୍ଦ ଓ ଅର୍ଥ ସହିତ ଭାବନା, କଳ୍ପନା ପରି ବିଭିନ୍ନ ଉପାଦାନର ସମ୍ମିଶ୍ରଣରେ ସୃଷ୍ଟି ହୁଏ ସାହିତ୍ୟ । Mathew Arnoldଙ୍କ ମତରେ ‘‘Literature is the criticism of life’ । ଅର୍ଥାତ୍ ଜୀବନକୁ ବିଭିନ୍ନ ଭାବରେ ବ୍ୟାଖ୍ୟା କରିଥାଏ ସାହିତ୍ୟ । ଏଥିରେ ଜୀବନର ପାପ-ପୁଣ୍ୟ, ହର୍ଷ-ବିଷାଦ, ସୁଖ-ଦୁଃଖ ସବୁକିଛିର ଆଲୋଚନା ରହିଥାଏ । ସେହିପରି Germaine De Stael କୁହନ୍ତି- ‘Literature is the expression of society’ । ସାହିତ୍ୟ ସାମାଜିକ ଜୀବନର ଅଭିବ୍ୟକ୍ତି । ମଣିଷ ଦୈନନ୍ଦିନ ଜୀବନରେ ସମାଜ ସହ ଅନୁରକ୍ତ ରହି ଯେଉଁ କାର୍ଯ୍ୟକରେ ତାର ପ୍ରାଞ୍ଜଳ ପ୍ରକାଶ । ବିଶ୍ୱକବି ରବୀନ୍ଦ୍ରନାଥ ଟେଗୋର କହିଛନ୍ତ- ଘଟଣା, କଳ୍ପନା, ଅନୁଭବ, ଭାଷା, ଶୈଳୀ, ବ୍ୟକ୍ତିତ୍ୱ ଓ ଶିଳ୍ପୀତ୍ୱ ଆଦିର ମିଳନରେ କାଳଜୟୀ ହୁଏ ସାହିତ୍ୟ । ଏଭଳି ବିଭିନ୍ନ ଉପାଦାନର ସମ୍ମିଶ୍ରଣରେ ହିଁ ସାହିତ୍ୟ ଜୀବନ୍ୟାସ ପାଏ । ମୋଟାମୋଟି ଭାବରେ ଦେଖିଲେ, ଆବେଗ, ଅନୁଭୂତି ଓ କଳ୍ପନାକୁ ଏକତ୍ର କରି ମଣିଷ ନିଜ ବା ଜଗତ ସଂକ୍ରାନ୍ତୀୟ ଚିନ୍ତନକୁ ଭାଷା ମାଧ୍ୟମରେ ଶୈଳ୍ପିକ ସୁଷମାରେ ଉପସ୍ଥାପନ କଲେ ତାକୁ ସାହିତ୍ୟ କୁହାଯିବ ।
ଆରିଷ୍ଟଟଲଙ୍କ ମତାନୁସାରେ ସାହିତ୍ୟ କର୍ମମୟ ଜୀବନର ଅନୁକରଣ (Mimesis) । ମାନବ ଅନୁକରଣକୁ ଆଶ୍ରୟ କରି ଜୀବନ ନିର୍ଦ୍ଧାରଣ କରେ । କୌଣସି ବିଷୟ ବା ଘଟଣା ଉପରେ ଅନୁଧ୍ୟାନ କରି ତାକୁ ନିଜ ଦୃଷ୍ଟି ଅନୁଯାୟୀ କଳ୍ପନା ଶକ୍ତି ବଳରେ ଉପସ୍ଥାପନ କରେ । ଏହି ଭାବ ବିନିମୟରେ ଆନନ୍ଦ ଥାଏ । ଏଭଳି ଲେଖକ ତାର ଉପସ୍ଥାପନାରେ ନିଜ କଥା, ସମାଜ ଓ ଜୀବନ କଥା ଶୁଣାଇ ଆନନ୍ଦ ପାଏ । କୌଣସି ସୁନ୍ଦର ଜିନିଷ ଦେଖିଲେ ତା ପ୍ରତି ମୋହାବିଷ୍ଟ ହୋଇ ପ୍ରକାଶ କରିବା ପାଇଁ ଚାହେଁ ନିଜ ସୃଷ୍ଟିରେ । ଆନନ୍ଦ ପ୍ରାପ୍ତି ହିଁ ତା ସୃଷ୍ଟି ପାଇଁ ପ୍ରେରଣା ।
ଲେଖକ ତାର ଅନ୍ତର୍ଦୃଷ୍ଟିରେ ଜୀବନ ଓ ଜଗତକୁ ନେଇ ଯାବତୀୟ ବିଷୟ ଚିନ୍ତା କରେ । ସେହି ବ୍ୟକ୍ତିଗତ ଚିନ୍ତନକୁ ପ୍ରକାଶ କରେ ସାର୍ବଜନୀନ ଭାବରେ । ତେଣୁ ସାହିତ୍ୟର ବିଷୟବସ୍ତୁ ଜୀବନ ଓ ଜଗତ । ଜୀବନ ଓ ଜଗତ ଭଳି ସାହିତ୍ୟର ବିଷୟ ମଧ୍ୟ ବ୍ୟାପକ । ସାହିତ୍ୟର ବିଷୟ ବିଭିନ୍ନ ପ୍ରକାର ହୋଇପାରେ । ଲେଖକ ତାର ବ୍ୟକ୍ତିଗତ ଜୀବନର ସୁଖ-ଦୁଃଖ, ପୂଣ୍ୟ-ପାପ, ହସ-କାନ୍ଦ, ପ୍ରେମ-ଉପେକ୍ଷା ସହିତ ବାହ୍ୟ ଜଗତକୁ ଯେଭଳି ଦେଖେ ତାହା ବିଭିନ୍ନ ଭାବରେ ପ୍ରକାଶ କରେ । ମଣିଷର ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସାମାଜିକ, ରାଜନୀତିକ, ଆର୍ଥନୀତିକ ସମସ୍ୟା ଏବଂ ତା ଭିତରୁ ମୁକ୍ତିର ପ୍ରୟାସ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଥାଏ । ଏସବୁ ସାହିତ୍ୟର ସାମଗ୍ରୀ । ଏ ସାମଗ୍ରୀକୁ ନେଇ ସମାଲୋଚକମାନେ ବିଭିନ୍ନ ଭାବରେ ଆଲୋଚନା କରିଛନ୍ତି । ହଡ଼ସନ୍ ସାହିତ୍ୟର ବିଷୟ ଆଲୋଚନା ପ୍ରସଂଗରେ Intellectual element, Emotional element, Element of Imagination, Technical Element ପରି କେତେକ ମୌଳିକ ଉପାଦାନ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ଲେଖକ ଲେଖା ଆରମ୍ଭ କରିବା ପୂର୍ବରୁ ନିର୍ଦ୍ଧାରିତ ବିଷୟରେ ତାର ଜ୍ଞାନ ରହିଥାଏ । ସେହି ବିଷୟରେ ତା ଭିତରେ ଯେଉଁ ଭାବ ସୃଷ୍ଟି ହୁଏ, ତାକୁ କଳ୍ପନାର ପୁଟଦେଇ ପ୍ରକାଶ କରେ । ଏ ପ୍ରକାଶରେ ଶିଳ୍ପୀତ୍ୱ ରହିଥାଏ । କୌଣସି ବିଷୟକୁ ଆମେ ଯଦି ସୂଚାରୁ ରୂପେ ପ୍ରକାଶ କରିପାରିବା ନାହିଁ, ତାହେଲେ ତାହା ରସାତ୍ମକ ହୋଇ ପାରିବ ନାହିଁ ।
ସାହିତ୍ୟର ଅନ୍ୟତମ ମୁଖ୍ୟ ବିଷୟ ହେଉଛି ଗୁଣ । ଆର୍.ଜେ. ରିଜ୍ ଜୀବନଧର୍ମିତା, ମୌଳିକତା, ଶୈଳ୍ପିକ ପ୍ରକାଶଭଙ୍ଗୀ, ନୈତିକ ମୂଲ୍ୟ- ସାହିତ୍ୟର ଏହି ଚାରି ଗୁଣ ଉପରେ ଦୃଷ୍ଟିପାତ କରିଛନ୍ତି । ସେଭଳି ଉଇଲିଅମ ଜେ. ଲଙ୍ଗ୍ କଳାତ୍ମକ, ବ୍ୟଂଜନାତ୍ମକ ଓ ସ୍ଥାୟିତ୍ୱ ଗୁଣ ସଂକ୍ରାନ୍ତରେ ବିଶଦ ଆଲୋଚନା କରିଛନ୍ତି । ଏହି ଦୁଇ ସମାଲୋଚକଙ୍କ ଅଭିବ୍ୟକ୍ତିରେ ସାହିତ୍ୟର ବିଭା ପାଇଁ ଗୁଣର ମହତ୍ୱ କେତେ- ସହଜରେ ଅନୁମେୟ । ସାଧାରଣତଃ ଲେଖକ ଜୀବନ ଓ ଜଗତକୁ ନେଇ ଯାହା ଅନୁଭବ କରେ ତାକୁ କଳ୍ପନାର ପୁଟଦେଇ ବିଭିନ୍ନ ରୂପରେ ପ୍ରକାଶ କରେ । ଏହି ପ୍ରକାଶ ଭିତରେ ମୌଳିକତା ରହିଥାଏ । ଜଣେ ଲେଖକ ଅନ୍ୟ ଲେଖକଠୁ ଅନୁକରଣ କିମ୍ବା ଅନୁସରଣ କଲେ ମଧ୍ୟ ମୌଳିକତା ତାକୁ ଭିନ୍ନ ପରିଚୟ ଦେଇଥାଏ । ସେକ୍ସପିଅର, ରବୀନ୍ଦ୍ରନାଥ, ରାଧାନାଥ ଅନ୍ୟକୃତି ଦ୍ୱାରା ପ୍ରଭାବିତ ହୋଇ ଯେଉଁ ଆହରଣ କରିଛନ୍ତି ତା ଭିତରେ ନିଜସ୍ୱ ମୌଳିକତା ରହିଛି । ଏହିପରି ସୃଷ୍ଟି ମୂଳରେ ଶୈଳ୍ପିକ ପ୍ରକାଶଭଙ୍ଗୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । କାରଣ ବିଷୟକୁ ଯଦି ଠିକ ଭାବରେ ପ୍ରକାଶ କରି ନପାରିଲେ ତାହା ରସାତ୍ମକ ହୋଇ ପାରିବ ନାହିଁ । ଏଥିରେ ପୁଣି ନୈତିକମୂଲ୍ୟ ରହିଥିବା ଆବଶ୍ୟକ । ସାହିତ୍ୟ ଜୀବନ ପାଇଁ ହୋଇଥିବାରୁ ନୀତି ଆଦର୍ଶକୁ ଭିତ୍ତିକରି ପ୍ରକାଶିତ ହେଲେ, ତାର ସୌନ୍ଦର୍ଯ୍ୟ ବିକଶିତ ହୋଇଉଠେ ଓ ସମସ୍ତଙ୍କର ଆଦରଣୀୟ ହୁଏ । ବ୍ୟଂଜନା ମଧ୍ୟ ସାହିତ୍ୟର ଅନ୍ୟ ଏକ ଗୁଣ । ଏହା ଭାବ ଉଦ୍ରେକ କରିବାରେ ସାହାଯ୍ୟ କରେ । ପ୍ରକୃତରେ ଗୁଣ ହିଁ ସୃଷ୍ଟିକୁ କାଳଜୟୀ କରାଏ ।
ସାହିତ୍ୟ ଦେଶର ସୀମାସରହଦ ଓ ଜାତିର ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ ରହି ସାମୁହିକ ଜୀବନର କଥା କୁହେ । ଲେଖକ ଜୀବନକୁ ନେଇ ଲେଖେ, ଜୀବନ ପାଇଁ ଲେଖେ (Art for Lifeshake) । ପାଠକ ତା ଭିତରେ ଅନୁଭବ କରେ ନିଜକୁ, ସାମୁହିକ ଜୀବନକୁ । କାରଣ ପୃଥିବୀର ସବୁ ମଣିଷର ହସ, କାନ୍ଦ, ପ୍ରେମ, ପ୍ରଣୟ, ଆନନ୍ଦ, ହର୍ଷ, ବିଷାଦ ସମାନ । କେବଳ ସମୟ ସ୍ରୋତରେ ଜୀବନ ଜିଇଁବାର ପ୍ରକ୍ରିୟା ବଦଳିଚାଲିଛି ଭିନ୍ନ ଭିନ୍ନ ପରିସ୍ଥିତି ଓ ପରିବେଶକୁ ସାମ୍ନାକରି । ପ୍ରାଚୀନ ହେଉକି ସାଂପ୍ରତିକ ଏହାର ଆବେଦନ ଚିରନ୍ତନ । ଫକୀରମୋହନ ଯେଉଁ ରେବତୀର କଥା ଲେଖଛନ୍ତି, ଆଜି ମଧ୍ୟ ତାର ହୃଦୟର ସ୍ପନ୍ଦନକୁ ପାଠକ ଅନୁଭବ କରି ‘ଆହା ବିଚାରୀ’ କହିପାରୁଛି । ସେହି ସମୟର ସ୍ଥିତି ପାଠକ ହୃଦୟରେ ଆନ୍ଦୋଳିତ କରୁଛି । ‘ଛମାଣ ଆଠଗୁଣ୍ଠ’ରେ ରାମଚନ୍ଦ୍ର ମଂଗରାଜର ଅତ୍ୟାଚାରରେ ପୀଡ଼ିତ ଥିବା ସାରିଆ ଭଗିଆକୁ ‘ଆହା’ କହି ଦରଦୀ ଭାବ ଉଦ୍ରେକ ହେଉଛି ।
ସାଧାରଣତଃ ଲେଖକ ସାମାଜିକ ଜୀବନର ପ୍ରତିଚ୍ଛବି ଗ୍ରହଣ କରେ ନିର୍ଦ୍ଧିଷ୍ଟ ସମୟ ଖଣ୍ଡରେ ଛିଡ଼ାହୋଇ । ତେଣୁ ସାରଳା ଦାସଙ୍କ ମହାଭାରତରୁ ତତ୍କାଳୀନ ସମାଜିକ, ରାଜନୀତିକ ଜୀବନ ସଂକ୍ରାନ୍ତରେ ଜାଣିହୁଏ । ସେହିପରି ପଂଚସଖା ସାଧକ ଜ୍ଞାନ, ଭକ୍ତି, ଭଗବାନ, ଆତ୍ମା ବିଷୟକ ରଚନା ସୃଷ୍ଟିକରି ଓଡ଼ିଶାକୁ ଏକ ଆଧ୍ୟାତ୍ମିକ ତପୋଭୂମିରେ ପରିଣତ କରିଥିଲେ । ସେ ସମୟରେ ସାଧାରଣ ଜନତାଙ୍କୁ ଜାତିଭେଦ ଓ ପୁରୋହିତଙ୍କ ଆଧିପତ୍ୟ କେତେ ଅତିଷ୍ଠ କରିପାକାଇ ଥିଲା, ତାହା ତାଙ୍କ କୃତିମାନଙ୍କରୁ ଜାଣିହୁଏ । ରୀତିଯୁଗୀୟ କବିମାନେ ଦରବାରକୁ କେନ୍ଦ୍ରକରି ସାହିତ୍ୟ ସୃଷ୍ଟି କରୁଥିଲେ । ତାଙ୍କ କୃତିରୁ ରାଜାମାନେ ଆନନ୍ଦପ୍ରାପ୍ତି ଉଦ୍ଦେଶ୍ୟରେ ବଜାୟ ରଖିଥିବା ବିଭିନ୍ନ ସାଂସ୍କୃତିକ ପରଂପରା ଓ ସେମାନଙ୍କର ଭୋଗବିଳାସ ସଂକ୍ରାନ୍ତରେ ଜାଣିହୁଏ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଯାହା ସୃଷ୍ଟି ହୋଇଛି ଲେଖକ ନିଜ ଦୃଷ୍ଟିରେ ଯୁଗଚେତନାକୁ ପ୍ରଦର୍ଶିତ କରିଛି । ଆଧୁନିକ ଯୁଗର ଆଦ୍ୟ ପର୍ଯ୍ୟାୟର ସାହିତ୍ୟରେ ଅନ୍ଧବିଶ୍ୱାସ, କୁସଂସ୍କାର, ବିଧିବ୍ୟବସ୍ଥା, ଜମିଦାରୀ ପ୍ରଥା, ଇଂରାଜୀ ଶିକ୍ଷାର ପ୍ରଭାବ ସଂକ୍ରାନ୍ତରେ ପ୍ରଦର୍ଶିତ । ସତ୍ୟବାଦୀସାଧକଙ୍କ କୃତିରେ ସେବାପ୍ରବଣତା, ଜାତୀୟତାବୋଧ ଦେଖାଦେଇଛି । କାହିଁକିନା ସେ ସମୟର ଲେଖକଗୋଷ୍ଠୀ ଥିଲେ ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ୱେଚ୍ଛାସେବୀ । ସବୁଜକବିମାନଙ୍କ କବିତାରେ ରୋମାଣ୍ଟିକ ଚେତନା ପ୍ରତିଫଳିତ । ପ୍ରେମ, ପ୍ରଣୟ, ପ୍ରକୃତିପ୍ରୀତି ତାଙ୍କ କବିତାରେ ବିଶେଷତଃ ଦେଖାଦେଇଛି । ପ୍ରଗତିବାଦୀ କବିମାନେ ଥିଲାବାଲା-ନଥିଲାବାଲାର ସଂଘର୍ଷ କଥା କହିଛନ୍ତି । ମାର୍କ୍ସ, ଲେନିନ୍ଙ୍କ ପ୍ରଭାବରେ ସେ ପରିବେଶ ଥିଲା ସଂଘର୍ଷରତ ମଣିଷର ପ୍ରତିବାଦର ପରିବେଶ । ଏଭଳି ସମାଜ ଓ ସମୟର ପ୍ରତିଫଳନ ଯୋଗୁଁ ସାହିତ୍ୟ ସାର୍ବଜନୀନ ଓ ସର୍ବକାଳୀନ ହୋଇ ପାଠକ ଭିତରେ ସୃଷ୍ଟି କରିଛି ସୌନ୍ଦର୍ଯ୍ୟବୋଧାତ୍ମକ ପୁଲକ ।
ସାହିତ୍ୟରେ ନୈତିକତା (Art for Morality) ରହିବା ଉଚିତ୍ ବୋଲି ବହୁ ସାହିତ୍ୟିକ ଦାବୀ କରନ୍ତି । ଏମିତି ଦେଖିଲେ ସାହିତ୍ୟର ସୃଷ୍ଟି ଧର୍ମ ପ୍ରଚାରରୁ । ତେଣୁ ଧର୍ମଗ୍ରନ୍ଥଗୁଡ଼ିକରେ ନୀତିବାଦ, ଆଦର୍ଶ ଚରିତ୍ରର ବନ୍ଦନା, କର୍ମଫଳ ସହ ମଣିଷ କିଭଳି ଶୃଙ୍ଖଳିତ ଭାବରେ ଜୀବନ ନିର୍ବାହ କରିପାରିବ ସେ ସଂକ୍ରାନ୍ତରେ ବର୍ଣ୍ଣିତ । ଏହି ନୀତିବାଦର ବନ୍ଦନା କରୁଥିବା ପ୍ଲାଟୋ ଦିନେ ତାଙ୍କ କଳ୍ପିତରାଜ୍ୟ ରିପବ୍ଲିକକୁ ଶୃଙ୍ଖଳିତ କରିବା ପାଇଁ କବିମାନଙ୍କୁ ବିତାଡ଼ିତ କରିଥିଲେ । ସେହିପରି ବହୁ ଆଲୋଚକଙ୍କ ମତରେ କଳାରେ କଳାର ସାର୍ଥକତା (Art for Art shake) ରହିଛି । କାରଣ କୌଣସି କୃତି ତାର ଥିମ୍ ପାଇଁ ରସସିକ୍ତ ହୁଏ ନାହିଁ । ଧ୍ୱନି, ଲାଳିତ୍ୟ, ସୁପଦବିନ୍ୟାସ ପାଇଁ ରସସିକ୍ତ ହୁଏ । ଯେମିତି ଦର୍ଶକ ମୂଳବସ୍ତୁ ମାଟି ବା ପଥରକୁ ନେଇ ଆକର୍ଷିତ ହୁଏ ନାହିଁ । ମୂର୍ତ୍ତିର ଗଢ଼ଣ, ରଙ୍ଗାୟିତ ସୌନ୍ଦର୍ଯ୍ୟ ଆଦିକୁ ନେଇ ଆକର୍ଷିତ ହୁଏ । ସେଭଳି ଗୋଲାପ କେତେ ଦରକାରୀ ବା ଆମର କଣ ଉପକାର କରେ ସେଥିପାଇଁ ଆମେ ଭଲପାଉ ନାହିଁ । ତାର ବାହ୍ୟ ସୌନ୍ଦର୍ଯ୍ୟକୁ ନେଇ ଆମେ ଭଲ ପାଉଛୁ । ଏସବୁ ଦୃଷ୍ଟିରୁ ଲେଖକର ଲକ୍ଷ୍ୟ ଜୀବନ ଓ ଜଗତର ଚିତ୍ର ଆଙ୍କିବା । ବୋଦଲେୟାର, ସୁଇନ୍ବର୍ଣ୍ଣ ପରି ବହୁ ଆଲୋଚକ ଏହି ମତବାଦ ସଂକ୍ରାନ୍ତରେ ଯୁକ୍ତି ବାଢ଼ିଥିଲେ । ମୋଟାମୋଟି ଭାବରେ କୁହାଗଲେ ସାହିତ୍ୟ ଜୀବନ ଓ ଜଗତକୁ ନେଇ ଚିନ୍ତନର କଳ୍ପନାଶ୍ରୟୀ କଳାତ୍ମକ ପରିପ୍ରକାଶ ।
ସାହିତ୍ୟର ସତ୍ୟ ଅନୁଭବର ବିଷୟ । ଏହାକୁ ଆମେ ହୃଦୟଙ୍ଗମ କରିପାରିବା । ଏହି ସତ୍ୟ ଆମକୁ ପରିମାର୍ଜିତ, ଆମର କଳ୍ପନା ଜଗତକୁ ବିକଶିତ ଓ ହୃଦୟକୁ ଆନ୍ଦୋଳିତ କରେ । ଏହି ସତ୍ୟ ବାସ୍ତବ ଜଗତର ସତ୍ୟଠୁ ନିଆରା । ଏହାକୁ ଜାଣିବା ପାଇଁ ଇତିହାସ, ବିଜ୍ଞାନ, ଦର୍ଶନ ଆଦିର ସତ୍ୟ ସହ ତୁଳନା କରାଯାଇପାରେ । କାରଣ ଏମାନଙ୍କର କର୍ତ୍ତବ୍ୟ ସତ୍ୟକୁ ଉଦ୍ଘାଟନ କରିବା । ଯେମିତି ଇତିହାସରେ ଘଟିଯାଇଥିବା ଘଟଣାକ୍ରମ ପ୍ରକାଶିତ । ଏହା ଭାବନା ରହିତ । ଅନେକ ସମୟରେ ପରିବର୍ତ୍ତନଶୀଳ । ଏହାର ସତ୍ୟକୁ ସବୁ ସମୟରେ ବିଶ୍ୱାସ କରାଯାଇ ନପାରେ । କିନ୍ତୁ ସାହିତ୍ୟର ସତ୍ୟରେ ଏଭଳି ଦୋଷ ପରିଲକ୍ଷିତ ହୁଏନାହିଁ । ସାହିତ୍ୟ ସବୁବେଳେ ଅନୁଭବ ଓ ଅନୁକରଣରୁ ଉଦ୍ଭବ । ଆରିଷ୍ଟଟଲଙ୍କ ମତାନୁସାରେ- ‘ନିଜେ ଦେଖୁଥିବା ଜୀବନ ଓ ଜଗତ ସଂକ୍ରାନ୍ତରେ ଅନୁଭବ, ଅନ୍ୟମାନଙ୍କ ଦ୍ୱାରା କଥିତ ବିଷୟକୁ ନେଇ ଅନୁଭବ ଏବଂ ଆଦର୍ଶ ଜୀବନ ସଂକ୍ରାନ୍ତରେ ଅନୁଭବରୁ ନିର୍ଗତ ସାହିତ୍ୟର ସତ୍ୟ ।’ ଯେମିତି କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ ଉପନ୍ୟାସର ବରଜୁ ଚରିତ୍ର ଐତିହାସିକ ନୁହେଁ । କିନ୍ତୁ ତତ୍କାଳୀନ ସମାଜରେ ଏଭଳି ଆଦର୍ଶ ବ୍ୟକ୍ତି ଥିଲେ । ଏହି ଚରିତ୍ର ପାଠକ ପ୍ରାଣରେ ସତ୍ୟ ଅନୁଭବ କରାଇ ତା ଆଖି ଆଗରେ ଭାସି ଉଠୁଛି । ଜୀବନ ଓ ଜଗତ ସଂକ୍ରାନ୍ତରେ ବର୍ଣ୍ଣନା ପାଠକର ବିଶ୍ୱାସଭାଜନ ହୋଇପାରିଛି । ସେଭଳି ବୈଜ୍ଞାନିକ ସତ୍ୟ ଓ ସାହିତ୍ୟର ସତ୍ୟ ମଧ୍ୟ ଭିନ୍ନ । ରୂପ ମାଧ୍ୟମରେ ସାହିତ୍ୟର ସତ୍ୟ ପ୍ରକାଶିତ ହେଉଥିବା ବେଳେ ପଦାର୍ଥକୁ ନେଇ ବିଜ୍ଞାନର ସତ୍ୟ ପ୍ରତିଷ୍ଠିତ । ବୈଜ୍ଞାନିକ କୌଣସି ଉଦ୍ୟାନରୁ ଫୁଲଟିଏ ଆଣି ତାର ପାଖୁଡ଼ାକୁ ଚିରି ଟିସୁର ପର୍ଯ୍ୟବେକ୍ଷଣ କରି ବିଭିନ୍ନ ସତ୍ୟ ଉଦ୍ଘାଟନ କରେ । ଏହା ପରିବର୍ତ୍ତନଶୀଳ । କିନ୍ତୁ ସାହିତ୍ୟିକ ଫୁଲକୁ ଦେଖି ତାର ସୌନ୍ଦର୍ଯ୍ୟର ଗୁଣଗାନ କରେ । ଏ ସତ୍ୟ ଚେତନାଗତ ତଥା ହୃଦୟସ୍ଥ । ଏହାର ଆବେଦନ ଚିରନ୍ତନ । ଏଭଳି ଦର୍ଶନର ସତ୍ୟ ଜଣେ ବ୍ୟକ୍ତି ଅବା କେତେଜଣ ବ୍ୟକ୍ତିବିଶେଷଙ୍କ ମତକୁ ନେଇ ପରିପୁଷ୍ଟ । ଏହା ବୌଦ୍ଧିକ । ଅନେକ ସମୟରେ ଗ୍ରହଣଯୋଗ୍ୟ ହୋଇପାରେନି । କିନ୍ତୁ ସାହିତ୍ୟର ସତ୍ୟ ସର୍ବଜନଗ୍ରାହ୍ୟ ଓ ରସାତ୍ମକ । ସାହିତ୍ୟରେ ସତ୍ୟକୁ ପ୍ରକାଶ କରିବା ପାଇଁ ହେଲେ ବିଷୟର ଉପସ୍ଥାପନରେ ସତର୍କତା ଅବଲମ୍ବନ କରିବାକୁ ହୁଏ । କାରଣ ତାହା ପାଠକର ବିଶ୍ୱାସଯାଗ୍ୟ ହେବା ବାଞ୍ଛନୀୟ । ବିଷୟକୁ ପ୍ରକାଶ କଲାବେଳେ ତାହାର ଅକପଟ ଉପସ୍ଥାପନ ହେବ ଏକଥା ନୁହେଁ; ପାଠକ ପାଇଁ କେବଳ ଗୋଟେ ଚିତ୍ର ଆଙ୍କିହେବା ଆବଶ୍ୟକ । ଏହା ମଧ୍ୟ ସତ୍ୟ ଯେ, ଲେଖକ ନିଜ ଅନ୍ତରତମ ସତ୍ୟକୁ ବସ୍ତୁ ଉପରେ ଆରୋପ କରିଥାଏ । କିନ୍ତୁ ପାଠକକୁ ଯାହା ଦେଖାଯାଉଛି ତାହା ସେ ଗ୍ରହଣ କରେ ଓ ତା ଭିତରେ ସୋନ୍ଦର୍ଯ୍ୟଗତ ସତ୍ୟ ଉପଲବ୍ଧି କରିପାରେ ।
ସାହିତ୍ୟ ଓ ଜୀବନ ଓତପ୍ରୋତ ଭାବେ ଜଡ଼ିତ । କାରଣ ସାହିତ୍ୟ ଜୀବନର କଥା କହିଥାଏ । ଲେଖକ ଏଥିରେ ନିଜ ଅନୁଭୂତି ଭିତରେ ବ୍ୟକ୍ତିଗତ ଜୀବନକୁ ଉପସ୍ଥାପନ କରେ । ଜୀବନ ପରି ସାହିତ୍ୟ ବ୍ୟାପକ । ଏହା ଜୀବନର ରହସ୍ୟ ଉଦ୍ଘାଟନ କରିବା ସହ ତାର ପରିପାର୍ଶ୍ୱିକ ପରିବେଶର ସ୍ଥିତି କଥା କୁହେ । ଜୀବନ ବଂଚିବାର ପ୍ରକ୍ରିୟା ପରି ସମୟ ଭେଦରେ ଏହା ପରିବର୍ତ୍ତନଶୀଳ । ଯେମିତି ଆଦ୍ୟପର୍ଯ୍ୟାୟର ଲେଖକ ଫକୀରମୋହନ ତାଙ୍କ ଗଳ୍ପ-ଉପନ୍ୟାସରେ ସମାଜକୈନ୍ଦ୍ରିକ ମଣିଷର କଥା କହିଥିବା ବେଳେ ଚଳନ୍ତି ସମୟର ଲେଖକ ପଦ୍ମଜ ପାଳ ତାଙ୍କ ଗଳ୍ପ-ଉପନ୍ୟାସରେ ବ୍ୟକ୍ତିକୈନ୍ଦ୍ରିକ ମଣିଷର କଥା ଉପସ୍ଥାପନ କରିଛନ୍ତି । ଏହି ବୈଚିତ୍ର୍ୟମୟ ସାହିତ୍ୟକୁ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ଜୀବନର ଏକ ନକଲ ବୋଲି କହିଛନ୍ତି । ଲେଖକମାନେ ନୂତନ କିଛି ସୃଷ୍ଟି କରିନାହାଁନ୍ତି । କିନ୍ତୁ ଆରିଷ୍ଟଟଲ ସାହିତ୍ୟକୁ ଜୀବନର ଅନୁକରଣ ଭାବରେ ଗ୍ରହଣ କରିଛନ୍ତି । ତାଙ୍କ ମତରେ ସାହିତ୍ୟ ଲେଖକର ଅନୁକରଣଗତ କାଳ୍ପନିକ ସୃଷ୍ଟି । କାହିଁକିନା ଲେଖକ ବାସ୍ତବ ଜୀବନର ଅବିକଳ ଉପସ୍ଥାପନା ବେଳେ ତାର ଅନ୍ତର୍ମନର କଥା ସ୍ୱତଃ ପ୍ରକାଶିତ ହୋଇଥାଏ । ଡ୍ରାଇଡ଼େନ୍ ସାହିତ୍ୟ ଓ ବାସ୍ତବ ଜୀବନ ଭିତରେ ତଫାତ୍ ଦେଖି ନାହାଁନ୍ତି । ତାଙ୍କ ମତରେ ସାହିତ୍ୟ ଜୀବନର ଅବିକଳ ପ୍ରତିରୂପ ହେବା ସଂଗେ ଜୀବନ୍ତ ମଧ୍ୟ । ଉଇଲିୟମ ପାର୍ଟରଙ୍କ ମତରେ ସାହିତ୍ୟ ବର୍ଣ୍ଣିତ ଜୀବନ ଗୁରୁତ୍ୱପୂର୍ଣ୍ଣ । ଫଟୋଗ୍ରାଫ୍ ମଣିଷର ପ୍ରତିରୂପ ହୋଇପାରେ କିନ୍ତୁ ସାହିତ୍ୟ ମଣିଷର ଏକ ଜୀବନ୍ତ ପ୍ରତିମୂର୍ତ୍ତି । ତେଣୁ ଜୀବନକୁ ପ୍ରକାଶ କରିବା ପାଇଁ ଗଭୀର ଅନୁଧ୍ୟାନ ଆବଶ୍ୟକ । ଜୀବନର ଅବିକଳ ପ୍ରକାଶ ହୋଇ ନପାରିଲେ ମଧ୍ୟ ଜୀବନ ଜୀବନ୍ତ ହେବା ବିଧେୟ । ନହେଲେ ତାହା ମୃତବତ୍ ମନେହେବ ।
ସାଧାରଣତଃ ଲେଖକ ନିଜସ୍ୱ କୃତିରେ ନିଜକୁ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ପ୍ରକାଶ କରିଥାଏ । ସେକ୍ସପିଅର, ରବୀନ୍ଦ୍ରନାଥ ନିଜ କୃତି ସଂକ୍ରାନ୍ତରେ କହିବା ବେଳେ ନିଜକୁ ପ୍ରକାଶ କରିବା କଥା ସ୍ୱୀକାର କରିଛନ୍ତି । ଏକଥା ମଧ୍ୟ ସତ୍ୟ ଯେ, ଲେଖକର ଚିନ୍ତନରେ ଆଜି ଯାହା ଅଛି ପରବର୍ତ୍ତୀ ସମୟରେ ତାର ପରିବର୍ତ୍ତନ ଘଟିଲେ, କୃତିରେ ଭାବର ପରିବର୍ତ୍ତନ ଘଟେ । ଆମେ ଯଦି ଦୁଇଟି ଲେଖକଙ୍କୁ ଗୋଟିଏ ବିଷୟରେ ଲେଖିବାକୁ କହିବା ଦୁଇ ଜଣଙ୍କ ଲେଖାରେ ଭିନ୍ନତା ଦେଖାଦେବ । କାହିଁକିନା ଦୁହିଁଙ୍କ ବ୍ୟକ୍ତିତ୍ୱ ଅଲଗା । କିନ୍ତୁ ନୈର୍ବ୍ୟକ୍ତିକବାଦୀ ବା ବସ୍ତୁନିଷ୍ଠବାଦୀମାନେ କୁହନ୍ତି କୃତିରେ ଲେଖକର ବ୍ୟକ୍ତିତ୍ୱ ଖୋଜିବା ବିଡ଼ମ୍ବନା । ଲେଖକ ପାଠକକୁ ଚାହିଁ ଅର୍ଥାତ ପାଠକ ମନକୁ ପାଇଲା ଭଳି ବିଷୟ ଚୟନ କରି ଲେଖେ । ସେ ପାଠକ ଦ୍ୱାରା ନିୟନ୍ତ୍ରିତ ହୁଏ, ବ୍ୟକ୍ତିତ୍ୱ ଦ୍ୱାରା ନୁହେଁ । ୱାର୍ଡ଼ସ୍ୱାର୍ଥଙ୍କ ମତରେ ଲେଖକର ପ୍ରକାଶରେ ଭାବାବେଗ ନଥାଏ । କୌଣସି ବିଷୟ ସଂକ୍ରାନ୍ତୀୟ ଅନୁଭୂତିକୁ ପ୍ରକାଶ କରିବା ଭିତରେ ଲେଖକ ଜୀବନର ଅନୁଭବ ନଥାଏ । ମୋଟାମୋଟି ଭାବରେ ଯଦି ଦେଖିବା, ଲେଖକର ଚିନ୍ତନ ମଧ୍ୟଦେଇ ଯେକୌଣସି ବିଷୟ ପ୍ରକାଶ ପାଏ । ବିଷୟଟି ଅବିକଳ ଉପସ୍ଥାପିତ ହେବା ନହେବା ଚିନ୍ତନ ଉପରେ ନିର୍ଭର କରେ । ତେଣୁ ସାହିତ୍ୟରେ ଯେଉଁ ବ୍ୟକ୍ତିତ୍ୱଟି ପ୍ରକାଶ ପାଏ ତାହା ଚିନ୍ତନର ବ୍ୟକ୍ତିତ୍ୱ । ହୁଏତ ଅବିକଳ ବିଷୟକୁ ଊପସ୍ଥାପନ କରାଗଲେ ତାହା ରସସିକ୍ତ ହୋଇ ନପାରେ । ତେଣୁ ରସ ସୌନ୍ଦର୍ଯ୍ୟ ସୃଷ୍ଟି ପାଇଁ ଲେଖକର ନିଜସ୍ୱ ଚିନ୍ତନର ବ୍ୟକ୍ତିତ୍ୱ ବିଭିନ୍ନ ରୂପରେ ପ୍ରସ୍ଫୁଟିତ ହୁଏ ।
ସାହିତ୍ୟ ସୃଷ୍ଟିରେ ଶୈଳୀ ଲେଖକର ବ୍ୟକ୍ତିତ୍ୱ ସହ ଜଡ଼ିତ । କାରଣ ସାହିତ୍ୟ ଲେଖକର ଚିନ୍ତନ ଦେଇ ପ୍ରକାଶିତ ହୁଏ । ଲେଖକ କୌଣସି ବ୍ୟକ୍ତି, ବସ୍ତୁ ବା ଗୁଣକୁ ପ୍ରକାଶ କରିବା ପୂର୍ବରୁ ଚିନ୍ତନରେ ପ୍ରଥମେ ତାହା ରୂପ ପରିଗ୍ରହଣ କରେ । ତାପରେ ପ୍ରକାଶ କୌଶଳ, ଭାଷା ଆଦିର ସହେଯାଗରେ ପଦାକୁ ଆସିଥାଏ । ତେଣୁ ସାହିତ୍ୟରେ ଶୈଳୀ କହିଲେ ରଚନା କୌଶଳ, ଭାଷାଶିଳ୍ପ, ବିଷୟବସ୍ତୁ ପ୍ରକାଶ କୌଶଳ ଆଦିର ସାମଗ୍ରିକତା ସହ ଲେଖକର ବ୍ୟକ୍ତିତ୍ୱକୁ ମଧ୍ୟ ନିଆଯାଇପାରେ । ଲେଖକର ଶୈଳୀରେ ବୁଦ୍ଧିତତ୍ତ୍ୱ, ଭାବତତ୍ତ୍ୱ ଓ ସୌନ୍ଦର୍ଯ୍ୟତ୍ତତତ୍ତ୍ୱ ଏହି ତିନୋଟି ଉପାଦାନ ସଂକ୍ରାନ୍ତରେ ହଡ଼ସନ୍ ବିଶଦ ଆଲୋଚନା କରିଛନ୍ତି । ଲେଖକ କୌଣସି ବିଷୟ ଉପରେ ପ୍ରଥମେ ଚିନ୍ତାକରେ, ପରେ ତାକୁ ଶବ୍ଦ ନିର୍ବାଚନ କରି ପ୍ରାଞ୍ଜଳ ଭାବରେ ପ୍ରକାଶ କରିବା ପାଇଁ ଚାହେଁ । ତା ଭିତରେ ଏକ କସରତ ହୋଇଥାଏ । ଏହିଚିନ୍ତା ପାଇଁ ବୁଦ୍ଧିତତ୍ତ୍ୱର ଭୂମିକା ଅନସ୍ୱୀକାର୍ଯ୍ୟ । ସେଭଳି ଲେଖକର ଆବେଗ ସୃଷ୍ଟିରେ ସ୍ୱତଃ ପ୍ରକାଶିତ ହୁଏ । ତାର ଭାବନା ଅନୁସାରୀ କୃତି ରୂପ ପରିଗ୍ରହଣ କରେ । ଅର୍ଥାତ ସାହିତ୍ୟ ଲେଖକର ଆବେଗାତ୍ମକ ଶକ୍ତି ମାଧ୍ୟମ ଦେଇ କଳାତ୍ମକ ବିନ୍ୟାସ ଦ୍ୱାରା ସୃଷ୍ଟି । ତେଣୁ ଭାବତତ୍ତ୍ୱ ଅନୁଯାଇ କୃତି ପାଠକର ହୃଦୟସ୍ଥ ହୁଏ । ଏହା ସହିତ ସାହିତ୍ୟ ପାଠକ ପ୍ରାଣରେ ରସାପ୍ଳୁତ କରିବା ପାଇଁ ବା ଆନନ୍ଦାଶ୍ରିତ କରିବା ପାଇଁ କଳାତ୍ମକତାରେ ସୌନ୍ଦର୍ଯ୍ୟତତ୍ତ୍ୱ ଗୁରୁତ୍ୱ ଲାଭକରେ । ଏହି ତିନି ତତ୍ତ୍ୱ ଦ୍ୱାରା ସାହିତ୍ୟର ଶୈଳୀ କ୍ରିୟାଶୀଳ । ଫକୀରମୋହନ, ଗଂଗାଧର, ଗୋପବନ୍ଧୁ, ମାୟାଧର, ସଚ୍ଚିରାଉତ, ଗୁରୁପ୍ରସାଦ, ପଦ୍ମଜଙ୍କ କୃତିରେ ଲେଖକଙ୍କ ଜୀବନ ଓ ବ୍ୟକ୍ତିତ୍ୱ ସଂକ୍ରାନ୍ତରେ ଯଦି ଆମେ ଜାଣିବା ତାଙ୍କ କୃତିରେ ନିହିତ ଶୈଳୀକୁ ବୁଝିପାରିବା । ତାଙ୍କ ବ୍ୟକ୍ତିତ୍ୱ ସାହିତ୍ୟରେ କିଭଳି ରୂପାନ୍ତରିତ ହୋଇଛି ଉପଲବ୍ଧି କରିପାରିବା । ଯେମିତି ପଦ୍ମଜ ପାଳଙ୍କୁ ପାରିବାରିକ ପରିମଣ୍ଡଳ ନିର୍ଭିକ ଭାବରେ ଜୀବନ ବଂଚିବା ଶିଖେଇଛି । କୌଣସି ସ୍ଥାନରେ ସେ ସାଲିସ୍ କରି ନାହାଁନ୍ତି । ତେଣୁ ତାଙ୍କ ଉପନ୍ୟାସ-ଗଳ୍ପର ସତ୍ୟ, ଅନିର୍ବାଣ, ଚଣ୍ଡ ଆଦି ଚରିତ୍ରମାନେ ସାଲିସ୍ହୀନ ଜୀବନ ବଂଚିଛନ୍ତି । ଏଠି ଲେଖକର ବ୍ୟକ୍ତିତ୍ୱ ଦେଇ ଶୈଳୀ ମାଧ୍ୟମରେ ଚରିତ୍ରଟି ପ୍ରକାଶିତ । ତେଣୁ ବୁଦ୍ଧିତତ୍ତ୍ୱ, ଭାବତତ୍ତ୍ୱ ଓ ସୌନ୍ଦର୍ଯ୍ୟ ତତ୍ତ୍ୱର ଶୃଙ୍ଖଳା ହିଁ କୃତିକୁ ରସାତ୍ମକ କରିଥାଏ ।
ମାନବର ବିକାଶ ପାଇଁ ଯାହା ସବୁ ଆବଶ୍ୟକ ତନ୍ମଧ୍ୟରୁ ସାହିତ୍ୟର ଭୂମିକା ଅନବଦ୍ୟ । ସାହିତ୍ୟ ଆନନ୍ଦ ପ୍ରଦାନ କରିଥାଏ । ଆନନ୍ଦ ପାଇବା ପାଇଁ ମୂଳ ପ୍ରବୃତ୍ତି- ଭୋଜନ, ଶୟନ ଓ ମୈଥୁନକୁ ଗ୍ରହଣ କରାଯାଇଥାଏ । ମାତ୍ର ତାହା କ୍ଷଣସ୍ଥାୟୀ । ଅନେକତଃ ସ୍ୱାର୍ଥଜଡ଼ିତ ଓ ଦୁଃଖମିଶ୍ରିତ । ଏହି ଲୌକିକ ଆନନ୍ଦ ବ୍ୟତୀତ ଆଉ ଏକ ଆନନ୍ଦ ରହିଛି, ଯାହାକି ସାହିତ୍ୟ ଦେଇପାରେ । ପାଠକକୁ ଭାବଜଗତରେ ବିଚରଣ କରାଇ ଦିବ୍ୟାନନ୍ଦର ଉପଲବ୍ଧି ଦେଇପାରେ । ପ୍ରାବନ୍ଧିକ ଶଶିଭୂଷଣ ରାୟ କହିଛନ୍ତି- “ସାହିତ୍ୟ ଆମ୍ଭମାନଙ୍କୁ କୂପମଣ୍ଡୁକତ୍ୱରୁ ଉଦ୍ଧାର କରେ । ସାହିତ୍ୟର ପ୍ରସାଦରୁ ଘରେ ବସି ଜଗତର, ବାହାରର ଓ ଭିତରର ମାନଚିତ୍ର ଦେଖିବାକୁ ମିଳେ । ନିଜ ଜଗତର ଛାଂଚରେ ଢାଳି ଠିକ କରି ନେବାକୁ ହୁଏ ।” ଏହା ସହିତ ଲେଖକ ସାହିତ୍ୟ ସୃଷ୍ଟିବେଳେ ମଣିଷ ମନର ହର୍ଷ, ବିଷାଦ, ଭୟ, ବିସ୍ମୟ ଆଦିକୁ ପ୍ରକାଶ କରି ତା ଭିତରେ ରହିଥିବା ସୌନ୍ଦର୍ଯ୍ୟବୋଧକୁ ପ୍ରଦର୍ଶିତ କରେ । ଯେମିତି ପାଠକ କରୁଣ ରସାଶ୍ରିତ ଗଳ୍ପ ପଢ଼ି କାନ୍ଦିଉଠେ ଏବଂ ଆଉ ଜଣକୁ କହେ- ‘ଗଳ୍ପଟି ପଢ଼, ବହୁତ ଭଲ ଲାଗୁଛି’ । ସେ କାନ୍ଦୁଛି ଅଥଚ କହୁଛି ଭଲଲାଗୁଛି । ପ୍ରକୃତରେ ଏ ଆନନ୍ଦାଶ୍ରୁ ଭିତରେ ହିଁ ସୌନ୍ଦର୍ଯ୍ୟ ନିହିତ । ଏସବୁ ବ୍ୟତୀତ ସାହିତ୍ୟର ସବୁବେଳେ ଆବଶ୍ୟକତା ରହିଛି ଜଗତ ସଂକ୍ରାନ୍ତୀୟ ବିଭିନ୍ନ ବିଚାର ଓ ବିଷୟକୁ ନେଇ ଜ୍ଞାନର ପରିସର ବୃଦ୍ଧି କରିବା ପାଇଁ । ଯେମିତି ଦେଶ, ଜାତି, ଭାଷା, ରାଜନୀତି, ନାନା ଆବିଷ୍କାର-ଉଦ୍ଭାବନ ଆଦି ସଂକ୍ରାନ୍ତରେ ସାହିତ୍ୟ ଜଣାଇଥାଏ । ସମାଜକୁ ଦିଗ୍ଦର୍ଶନ ପାଇଁ ମଧ୍ୟ ସାହିତ୍ୟର ଆବଶ୍ୟକତା ରହିଛି । ଗଳ୍ପ, ଉପନ୍ୟାସ, କବିତା, ନାଟକ, ଜୀବନଚରିତ ଆଦି ମଣିଷର ନୈତିକତାକୁ ସୁମାର୍ଗରେ ପରିଚାଳିତ କରିବା ପାଇଁ ପ୍ରେରଣା ଦିଏ । ଆଦର୍ଶ ସମାଜ ଗଠନ କରିବା ପାଇଁ ବୀଜ ବପନ କରେ । ଅନେକ ସମୟରେ ସାହିତ୍ୟ ବିରକ୍ତିକର ଓ କ୍ଲାନ୍ତସ୍ଥିତିର ଅବସନ୍ନ କରାଇଥାଏ ।
ବାସ୍ତବରେ ସାହିତ୍ୟ ସୃଷ୍ଟିକୁ କାଳରେ ଆବଦ୍ଧ କରିହେବ ନାହିଁ, ତାହା କାଳାତୀତ ଓ ଅକ୍ଷୟ । ପ୍ରାଚୀନ ଓ ନବୀନ ଭାବେ ବିଚାର ବିଶ୍ଲେଷଣ କଲେ ତାର ବିଭାକୁ ଅବଲୋକନ କରିହେବ ନାହିଁ । କାହିଁକିନା ସବୁ ସମୟର ସବୁ ସ୍ଥାନର ମାନବର ହୃଦୟବୃତ୍ତି ସମାନ । ଏଥିରେ ରୂପାୟିତ ହୁଏ ମାନବ ଜାତିର ସକଳ ଅଭିବ୍ୟକ୍ତି । ଏହା ଦେଶ-କାଳ-ପାତ୍ର ଭେଦରୁ ଉର୍ଦ୍ଧ୍ୱରେ ରହି ସମାଜକୁ ଦିଗ୍ଦର୍ଶନ ଦିଏ । ସୁସ୍ଥ ସମାଜ ଗଠନରେ ତାର ଭୂମିକା ଅନବଦ୍ୟ । ଲେଖକ ଏକ ଆଧ୍ୟାତ୍ମିକ ଚିତ୍ତବୃତ୍ତି ନେଇ ଏସବୁକୁ ବ୍ୟାଖ୍ୟା କରେ ନିଜସ୍ୱ କଳାକୌଶଳରେ । ଅତଏବ ସାହିତ୍ୟର ସକଳ ଉପାଦାନରେ ସୌନ୍ଦର୍ଯ୍ୟ ନିହିତ ।