ଲେଖକ ଅଶୋକ କୁମାର ମହାନ୍ତି ଖଲିକୋଟ କଳା ବିଦ୍ୟାଳୟର ଛାତ୍ର ଥିବା ବେଳେ ସଂଗ୍ରହ କରିଥିବା ଅନେକ ଅନୁଭୂତିକୁ ଏଠାରେ ଉପସ୍ଥାପନ କରିଛନ୍ତି । ଲେଖାଟିରୁ ସ୍ପଷ୍ଟ ହେଉଛି କଳା, ସଙ୍ଗୀତ କ୍ଷେତ୍ରରେ ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ମନାନ୍ତର ଓ ମତାନ୍ତରର ପ୍ରଭାବ ଶିକ୍ଷାର୍ଥୀମାନଙ୍କୁ କେତେ ପ୍ରଭାବିତ କରିଥାଏ । ଲେଖକ କିନ୍ତୁ ଯେଉଁ ନିସ୍ପତ୍ତି ନେଇ ନିଜ ଅଞ୍ଚଳରେ କଳାର ବିକାଶ ପାଇଁ ଉତ୍ସର୍ଗୀକୃତ ହେଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ଆଜିକାଲି ମଧ୍ୟ କଳା ସଙ୍ଗୀତର ଶିକ୍ଷାର୍ଥୀମାନେ ଏହିଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏବଂ ଅନେକ ସମୟରେ ନିଜର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ମଧ୍ୟ ହେଉଛନ୍ତି । କଳା ସଙ୍ଗୀତ ସମସ୍ତ ପ୍ରକାରର ସଙ୍କୀର୍ଣ୍ଣତାର ଉଦ୍ଧ୍ୱର୍ରେ ଏକଥାଟି ଶିକ୍ଷକ ଓ ଶିକ୍ଷାର୍ଥୀ ଅନୁଭବ କରି ଏକ ବୃହତ୍ତର ଉଦ୍ଦେଶ୍ୟରେ ନିଜକୁ ପ୍ରସ୍ତୁତ କରିବାର ସମୟ ଆସିଛି । – ସମ୍ପାଦକ
ଖଲ୍ଲିକୋଟ! ଏକ ରାଜା ରାଜୁଡ଼ା ଅମଳର ଭଗ୍ନ କୀର୍ତ୍ତିରାଜିର ବିନୋଦସାରୀୟ ଗ୍ରାଫିକ୍ ଛବିଟିଏ । ରାଜବାଟି, ଗୋଟିଏ ସମୟର ଅୟସ ଓ ନିର୍ଯ୍ୟାତନାର କାହାଣୀକୁ ନିଜ ଛାତି ଭିତରେ ଚାପିଧରି ଆଖିର ଲୁହ ଢ଼ାଳୁଥିବା ବିଧବା ତୈଳଚିତ୍ର, ଯେଉଁ ରାଜବାଟୀରୁ ନିଃଶବ୍ଦ ରାତିରେ ଶୁଭୁଥାଏ ଚାପା ଚାପା କ୍ରନ୍ଦନର ଧ୍ୱନି ରବି ସାରଙ୍କର ୱାସ୍ ପେଣ୍ଟିଂ ପରି ବେଳେ ବେଳେ ଜ୍ୟୋସ୍ନା ବିଧୌତ ରଜନୀରେ ରାଜବାଟିରେ ଘୁରିବୁଲୁଥିବାର ଦେଖାଯାଏ ଶୁଭ୍ର ବସ୍ତ୍ର ପରିହିତା ଏକ ସୁନ୍ଦରୀ ରମଣୀ । ଏତେବେଳେ ରାଜ୍ୟ ଜୟ କରି ଫେରୁଥିବା ବିପ୍ରସାର୍ଙ୍କର ଘୋଡ଼ା ଭଳି ଘୋଡ଼ାମାନଙ୍କ ପଦ ଶବ୍ଦ ରାତିର ନିସ୍ତବ୍ଧତାକୁ ଭଙ୍ଗ କରୁଥାଏ । ଖୋଲ ସାହିର କେଉଁ ମା’ ତା ଛୁଆକୁ ଜାବୁଡ଼ି ଧରି ତା ମୁହଁରେ ହାତ ରଖି କହେ, ବାୟା ଆସୁଛି ତୁନି ପଡ଼ । ଏ ଥିଲା ଆମ ସମୟର ନିତିଦିନିଆ କଥା । ସେ ରାଜବାଟୀ ଆଜି ବି କେତେ ସ୍ମୃତିକୁ ବହନ କରି ସେମିତି ଠିଆ ହୋଇ ରହିଛି । ସେ ପୁଣି ଆଜି ପାଲଟି ଯାଇଛି ‘ଖଲ୍ଲିକୋଟ କଳା ମହାବିଦ୍ୟାଳୟ’ ଯିଏ ଦୀର୍ଘ ପଚାଶ ବର୍ଷ ଧରି ଶିଳ୍ପୀମାନଙ୍କୁ ଗଢ଼ିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।
ଗୋଟିଏ ସମୟରେ ଭାରି ଆପଣାର ମନେ ହେଉଥିବା କଳା ବିଦ୍ୟାଳୟ ଆଜି ଜୀବନର ସ୍ମୃତିର ପୃଷ୍ଠା ମଧ୍ୟରୁ ମହମହ ହୋଇ ମହକି ଥାଏ । ତା’ର ଦରବାର ହଲ୍, ତା’ର ଘୋଡ଼ାଶାଳ, ତା’ର ରାଣୀହଂସପୁର ଆଜି କେତେ ଦେଖା ଅଦେଖା, ଶୁଣା ଅଶୁଣା କଥାର ଛାପଟିଏ । ଯାହା ଆଜି ପର୍ଯ୍ୟନ୍ତ ମନ ଭିତରେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ବୁଝି ହୁଏନି କାହିଁକି ସେ ଦିନ ରାତ୍ରିରେ ଭୟଙ୍କର ଲାଗୁଥିବା ପ୍ରଥମ ବାର୍ଷିକ ଛାତ୍ରାବାସର ପରିସର ଭିତରେ ଫମ୍ପା କଳସୀଟିଏ ଗଡ଼ି ଗଡ଼ି ଏକରରୁ ସେକର ଯାଉଥିଲା ଓ ଆସୁଥିବାର ଦୃଶ୍ୟ କାହିଁକି ଆମ ଭିତରେ ଶିହରଣ ସୃଷ୍ଟି କରୁଥିଲା । କେଉଁ ଅବଗୁଣ୍ଠିତ ନାରୀଟିଏ ଧଳା ଶାଢ଼ୀପିନ୍ଧି ତ୍ରିତଳ ପ୍ରାସାଦ ଉପରୁ ଓହ୍ଲାଇ ସବୁଦିନେ ଦ୍ୱିତଳ ପ୍ରାସାଦରେ ଥିବା ଲେଡିଜ୍ ହଷ୍ଟେଲ ଭିତରକୁ ପଶି ଯାଉଥିଲା, କ’ଣ ତାର ସେ ରହସ୍ୟ ? ଆଜି ବି ମୋ ମନ ଭିତରେ ପ୍ରଶ୍ନବାଚୀଟିଏ ହୋଇ ରହିଯାଇଛି ।
ବିନୋଦ ସାର୍ଙ୍କର ଉଦାରତା ଓ ରବିସାର୍ଙ୍କ ଆତ୍ମୀୟତା ଏକଦା ମୋତେ ଆକର୍ଷିତ କରିଥିଲା ଖଲ୍ଲିକୋଟରେ ରହିଯିବା ପାଇଁ । ଚାରିଟି ବସନ୍ତର ପ୍ରେମ ଓ ପ୍ରଣୟ, ପ୍ରତାରଣାର ସ୍ମୃତି ଏବେବି ଅଭୁଲା ମୋ ପାଇଁ । ଅନେକ ଅହଂକାର ଓ ଚକ୍ରାନ୍ତର ଶିକାର ହୋଇଥିଲେ ମଧ୍ୟ ସେ ଖଲ୍ଲିକୋଟ ମୋତେ ଜୀଇଁବାର ରାହା ଦେଖାଇଛି । ଦୁଇବର୍ଷ ହଷ୍ଟେଲ ଜୀବନ, ପରେ ମାମୁଁଙ୍କ ବ୍ୟବସାୟରେ ସହଯୋଗ କରି କାଶୀ ଗଉଡ଼ଙ୍କ ଘରେ ଭଡ଼ା ରହଣି, ସଂଧ୍ୟାରେ ନିର୍ମଳ ଝର ତ ରାତିରେ ଜଗନ୍ନାଥ ମନ୍ଦିରର ସ୍ମୃତି ଆଜି ମନେ ପକାଇଲେ ସେମାନେ ସବୁ ଜୀବନ୍ତ ହୋଇ ଆଖି ସାମ୍ନାରେ ଉଭା ହୁଅନ୍ତି ।
ସେଠି ଦେଖାଯାଏ ଖଲ୍ଲିକୋଟ ଷ୍ଟେସନ୍ ପାଖ ହୋଟେଲ କାନ୍ଥ ଉପରେ ଚଢ଼ି ଧୁ ଧୁ ଖରାରେ ସାଇନ୍ ବୋର୍ଡ଼ ଲେଖିବା, ଜଗନ୍ନାଥ ମନ୍ଦିରରେ ରାତିରେ ରହି ଜଗନ୍ନାଥଙ୍କୁ ରଙ୍ଗ କରିବା, ସ୍କେଚ୍ କରିବାକୁ ଯାଇ ପାହୁଚ ବନ୍ଧରେ ମାଛ ଧରିବା, ପ୍ରତି ସପ୍ତାହରେ ଅତି କମ୍ରେ ଚିଲିକା କୂଳକୁ ଥରୁଟିଏ ଯାଇ ଖଇଙ୍ଗା ମାଛ ଓ କଙ୍କଡ଼ା ଆଣି ଅବସରରେ ଚିଲିକାକୁ ମନ ଭରି ଉପଭୋଗ କରିବା ଓ ସର୍ବୋପରି ପ୍ରତି ଶନିବାର ରେଳରେ ବାଲୁଗାଁ ମାଗଣାରେ ଯାଇ ସିନେମା ଦେଖି ଫେରିବାର ଅନନ୍ୟ ଅନୁଭୂତି ଆଜିବି ଅପାସୋରା ହୋଇ ରହିଛି । ମୁଁ ଜାଣେ ସେ ଦିନ ଆଉ ଫେରି ଆସିବନି । ଫେରି ଆସିବ ନାହିଁ ସେ ଉଜାଣି ସମୟ, ଯେଉଁ ସମୟରେ ଆମମାନଙ୍କର ପାସ୍ କରିବାର ସମ୍ବାଦ, ସମ୍ବାଦପତ୍ରରେ ପ୍ରକାଶ ପାଉଥିଲା, ମାତ୍ର ପଇଁଚାଳିଶି ଟଙ୍କା ଷ୍ଟାଇପେଣ୍ଡରେ ମାସଯାକ ଚଳି ୫ ଟଙ୍କା ବଳକା ରହୁଥିଲା ଯାହା ଲକ୍ଷ୍ମୀ କୁମୁଟି ଦୋକାନରୁ ରଙ୍ଗ କିଣା ହୋଇ ସାଇତା ହୋଇ ରହୁଥିଲା ପରବର୍ତ୍ତୀ ଦିନମାନଙ୍କ ପାଇଁ । ଫେରି ଆସିବନି ସେଦିନ, ଯେଉଁ ଦିନମାନଙ୍କରେ ଆମେ ପାହାଡ଼ ଉପରକୁ ଚଢ଼ି କିଳା ଦେବାପାଇଁ ‘କିଳେଇସୁଣୀ’ ଦେବୀଙ୍କୁ ପ୍ରତିଷ୍ଠା କରିଥିଲୁ । ଯାହା ଦିବ୍ୟସିଂ ମଳ୍ଲ, ଶିରୀଶ ଚାନ୍ଦ, ମଧୁ ଜେନା, ଗୋକୁଳ ରଥ, ରାଜବଲ୍ଲଭ ସାହୁ, ଭୋଳାନାଥ ଷଡ଼ଙ୍ଗୀ ଓ ମୋ ଭଳି ଦୁଷ୍ଟ ପିଲାମାନେ ପଥରରେ ସିନ୍ଦୂର ବୋଳି ପତାକା ଟାଙ୍ଗି କାର୍ଯ୍ୟଟିକୁ ସମ୍ପାଦନ କରି ନିଶଦ୍ଦରେ ଫେରି ଆସୁଥିଲୁ । ଫେରି ଆସିବନି ସେ ଦିନ ଯେଉଁ ଦିନମାନଙ୍କରେ ପ୍ରଥମ ବାର୍ଷିକ ହଷ୍ଟେଲ ଝରକାରେ କଣା କରି ସେ ପଟରେ ସ୍ନାନରତା କିଶୋରୀର ଶୁଭ୍ର ଶଂଖ ଦେହକୁ ଦେଖିବା ପ୍ରତିଯୋଗିତାର ମୁହୂର୍ତ୍ତ, ସ୍ମୃତି କାନ୍ଭାସରେ ଅଶୋକ ନାୟକ, କମଳ ସିଂ ଓ ବଳଦେବ ମହାରଥୀର ପ୍ରୀତି ପତ୍ରାଳାପ, ବିପିନ୍ ପଟ୍ଟନାୟକ ଓ ଗଣେଶ୍ୱର ବାରିକଙ୍କ ଜନୈକ ଅଧ୍ୟାପକଙ୍କ କନ୍ୟାକୁ ନେଇ ଫଟୋ ଉତ୍ତୋଳନ, ଅଧ୍ୟକ୍ଷ ଅଜିତ୍ କେଶରୀ ରାୟଙ୍କ ଘରେ ହେଉଥିବା ପାଠଚକ୍ରରେ ଯୋଗ ଦେବାପାଇଁ ପ୍ରତିଯୋଗିତା, ଝଡ଼ା ଆନ୍ଦୋଳନ ବେଳେ ନିଆଁଖୁଣ୍ଟାରେ ପ୍ରକାଶ ପାଉଥିବା ‘ଡାମରାକାଉ’ ସିରିଜ ଭଳି କଲେଜ କାନ୍ଥରେ କବିତା ଲେଖା ଓ ଭୁବନେଶ୍ୱରକୁ ଆର୍ଟ କଲେଜ ଉଠାଇ ନେବାପାଇଁ ଷ୍ଟ୍ରାଇକ୍ କରିବା ଭଳି ଘଟଣାମାନ ଆମ ସମୟରେ ସ୍ମୃତି ଛାଇ ହୋଇ ରହିଯାଇଥିବ ନିଶ୍ଚୟ ।
ଦିବ୍ୟସିଂ ମଲ୍ଲ ଆମ ସମୟରେ ହିରୋ ଥିଲା । ମୁକ୍ତ ରଂଗମଞ୍ଚରେ ଆମେ ‘ବରଣୀ କନ୍ୟା’, ‘ନ ପାହୁ ରାତି ନମରୁ ପତି’ ଭଳି ନାଟକ ଓ ଗୀତିନାଟ୍ୟ କରିଥିଲୁ । ସିଏ ଆଜି ଦିବଂଗତ । ଦିବଂଗତ ଭୋଳାନାଥ ଷଡ଼ଙ୍ଗୀ । ଯାହାଙ୍କୁ ପୁରୀବାବୁ ବୋଲି ସମସ୍ତେ ସମ୍ବୋଧନ କରୁଥିଲେ । ସୁନ୍ଦର ପୁରୀ ଡାଲମା ତିଆରି କରୁଥିଲା ସେ । ବଂଶୀ ମଧ୍ୟ ବଜାଉଥିଲା । ବଂଶୀର ଧ୍ୱନିରେ ବିମୋହିତ ହେଉଥିଲା ଦରବାର ହଲ । ସେତେବେଳେ ଆମେ ଭାବୁଥିଲୁ ଜାତୀୟ ସ୍ତରରେ ନାମ କମେଇବ ନିଶ୍ଚୟ । ସେୟା ହିଁ ହେଲା । ପରବର୍ତ୍ତୀ ସମୟରେ ସେ ଜାତୀୟ ଦୂରଦର୍ଶନ ଓ ଆକାଶବାଣୀରେ ବଂଶୀବାଦକଟିଏ ହେଲା ସତ ମାତ୍ର ବେଶୀ ଦିନ ରହିଲା ନାହିଁ । ଏ ଦୁହେଁ ଆଜି ଅନେକ ମନେ ପଡ଼ନ୍ତି । ସେମାନଙ୍କ ଆତ୍ମା ପାଖରେ ମୋର ଅନେକ ପ୍ରଣତି ।
ପୁରୀବାବୁ ଶତପଥି ସାରଙ୍କ ପ୍ରିୟ ଥିଲା । ଲୋକନାଥ ଶତପଥୀ ଆମ ସମୟର କମର୍ସିଆଲ ଆର୍ଟ ପଢ଼ାଉଥିଲେ । ମାଛ ଧରିବା ଓ ଶିକାର କରିବା ତାଙ୍କର ସଉକ ଥିଲା । ଗୁଡ଼ାଏ କଥା ଗପନ୍ତି । ସେ କଥା କହିବା ଆରମ୍ଭ କଲେ କଥାର ଖିଅ ଢ଼ିଙ୍କି ଶାଳରୁ ଢ଼େଙ୍କାନାଳ ଯାଏଁ ଲମ୍ବିଯାଏ । ବେଳେବେଳେ ସିଧା ବ୍ରସ ଧରି ରଂଗରେ ବୁଡ଼ାଇ ଲାଇଫ୍ ଷ୍ଟଡି ଦେଖାଇ ଆମକୁ ଚମତ୍କୃତ କରିଥାନ୍ତି । ଭଲ ହାରମୋନିୟମ ଓ ବଂଶୀ ବଜାଉଥିଲେ । ଆଖପାଖରେ ଡ୍ରାମା ହେଲେ ଆମକୁ ଡାକି ନେଉଥିଲେ । ମୁଁ ସେତେବେଳେ ଭଲ ଗୀତ ବୋଲୁଥିଲି । ଶତପଥି ସାର୍ ହାରମୋନିୟମ୍ ଧରି ଯେତେବେଳେ ଆରମ୍ଭ କରନ୍ତି “ବନ୍ଧୁଆ ….ରେ ଦେଖିଛୁକି ଗଲାବେଳେ ଏବାଟେ ମୋ ରାଧାକୁ” ଚମତ୍କୃତ ହୋଇଯାଉଥିଲେ ଶ୍ରୋତାମଣ୍ଡଳୀ । ଭଲ ନିର୍ଦ୍ଦେଶକ ଥିଲେ ମଧ୍ୟ । ସେତେବେଳେ ପ୍ରତାପ ବାବୁ ଭାରି ହାସ୍ୟରସିକ ଥିଲେ, ଯିଏ ମୁତି ମୁତି କରି ଡିଜାଇନ୍ କରୁଥିଲେ ଅଗଣାରେ । ସେ ପୁଣି ଡୁଏଟ୍ ଦେଉଥିଲେ ନାଟକରେ । ମଞ୍ଚକୁ ଆସିବା ମାତ୍ରେ ହସରେ ଫାଟି ପଡ଼ୁଥିଲେ ଦର୍ଶକ ମଣ୍ଡଳୀ । ‘ଆଜି ମୁଁ ଶଶୁର ଘର ବେଶ ସାଜିଛି’ ପାଇଁ ସେ ସମସ୍ତଙ୍କର ମନେ ରହିଥିବେ ମଧ୍ୟ । କଲେଜରୁ ଗଲାପରେ ସେ ହଜିଗଲେ କେମିତି । ସ୍ମୃତି ରହିଛି ମନୋରଞ୍ଜନ ପ୍ରଧାନ । ସେ ତାଙ୍କଭଳି ହାସ୍ୟ ରସିକ ଥିଲେ । ଏବେ ସ୍ମୃତିରେ ରହିଛନ୍ତି ବାଣପୁରର ରବି ମହାରଣା । ଯିଏ ସବୁବେଳେ ଭାବପ୍ରବଣ ହୋଇ କହୁଥିଲେ, “ନିଳମାଷ୍ଟ୍ରାଣୀ ଏବେବି ଲୁଗା କାଚେ” । ସେମିତି ପହଲି ଭାଇ ଆମ ବେଳର ପ୍ରିଫେକ୍ଟ ଥିଲେ । ଯୁଗଳ ବାବୁ ଝାଡ଼ା ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଶ୍ରୀନିବାସ ମହାରଣା ଗ୍ରାଫିକ୍ ଆର୍ଟର ଜଣେ ଭଲ ଛାତ୍ର ଥିଲେ । ଅରବିନ୍ଦ ମାଝି, ସୁବାଷ ପରିଡ଼ା, ଚନ୍ଦ୍ରମଣି ବିଶ୍ୱାଳ ଏମାନେ ଯେଉଁମାନେ ଏବେବି ମନେ ରହିଛନ୍ତି । ଏମାନେ ସିନିୟର ଥିଲେ ମଧ୍ୟ ଆମମାନଙ୍କ ସହ ଭଲ ଭାବେ ମିଶୁଥିଲେ ।
ରବି ସାର୍, ରବି ନାରାୟଣ ନାୟକ ସାରା ଜୀବନ ଧରି ଚିଲିକା ପାଣିର ଛାଇଟିଏ ହୋଇ ରହିଗଲେ । ରଙ୍ଗ ତୂଳୀ ଥିଲା ତାଙ୍କ ଜୀବନ । ଏହା ଛଡ଼ା ପୃଥିବୀର କାହା ସହ ପରିଚିତ ହେବାକୁ •ହିଁ ନଥିଲେ, ଯାହା ଫଳରେ ତାଙ୍କ ଠାରୁ ପାଠ ପଢ଼ି ତାଙ୍କ ଛାତ୍ରମାନେ ଅଧ୍ୟକ୍ଷ ଓ ଅଧ୍ୟାପକ ହେଲାବେଳେ ସେ ଇନ୍ଷ୍ଟ୍ରକ୍ଟରରୁ ଅବସର ନେଲେ । ମୁଁ ତାଙ୍କୁ ପରବର୍ତ୍ତୀ ସମୟରେ ମୋ ଭଦ୍ରକ ଆର୍ଟ କଲେଜରେ ଅଧ୍ୟକ୍ଷ କରାଇଥିଲି । ସେ ବେଶୀ ଦିନ ରହିଲେ ନାହିଁ । ସେ ସ୍ୱାଧୀନଚେତା ମଣିଷ । ତାଙ୍କୁ କୌଣସି ନିୟମ କାନୁନ୍ ଆକଟ ବାନ୍ଧି ରଖିପାରିଲା ନାହିଁ । ସେ ଯାହା କହନ୍ତି ଯାହା କରନ୍ତି ତାହା ହିଁ ନିୟମ, ଦୁର୍ବାସା ପରି ତାଙ୍କର କ୍ରୋଧ । ମୋ ପଢ଼ା ସମୟରେ ଅଧା ସମୟ କଟିଛି ତାଙ୍କର ମୋ ଉପରେ ରାଗ କରିବାର । ଭଲ ଶିଳ୍ପୀ ଯୋଗୁଁ ସେ ଶିଳ୍ପର ହତାଦାର କରିନାହାନ୍ତି । କେତେଜଣ ମୋ ପ୍ରତି ଈର୍ଷା କରୁଥିବା ବେଳେ ପରୀକ୍ଷାରେ ତାଙ୍କ ବିଷୟରେ ମୋତେ ସର୍ବୋଚ୍ଚ ନମ୍ବର ଦେଇ ସେମାନଙ୍କର ଅପ୍ରିୟ ହୋଇଯାଇଥିଲେ । ରବି ସାର୍ଙ୍କ ଡିଜାଇନ୍, ୱାସ ପେଣ୍ଟିଂ (ଧୌତ ଚିତ୍ର) ଅନନ୍ୟ । ହୁଏତ ରବି ସାର୍ଙ୍କ ପରେ ଏହା ଓଡ଼ିଶାରୁ ନିଶ୍ଚିହ୍ନ ହୋଇଯିବ ଏଥିରେ ସନ୍ଦେହ ନାହିାଁ
ଅଧ୍ୟାପକମାନଙ୍କ ମଧ୍ୟରୁ ମୋର ଖୁବ୍ ବେଶୀ ଆପଣାର ଥିଲେ ଦୁର୍ଗା ସାର୍ ଓ ବିନୋଦ ସାର୍, ଦୁର୍ଗା ଦାସ ଓ ବିନୋଦ ରାଉତରାୟ କେବଳ ସାର ନୁହନ୍ତି ମାଉସୀମାନେ ମଧ୍ୟ (ସାର୍ଙ୍କ ସ୍ତ୍ରୀ) ମୋତେ ସେମାନେ ପୁତ୍ର ପରି ସ୍ନେହ କରୁଥିଲେ । ବିନୋଦ ସାର୍ ଓ ଦୁର୍ଗା ସାର୍ଙ୍କ ଠାରୁ ସୁନ୍ଦର ଛବି କରିବା ସହ ଲେଖାଲେଖିର ସ୍ୱାଦଟି ଆହରଣ କରିଥିଲି ଯାହା ପରବର୍ତ୍ତୀ ଦିନମାନଙ୍କରେ ମୋତେ ପ୍ରତିଷ୍ଠା ଆଣି ଦେଇଛି । ଆମ ସମୟର ବଳଦେବ ମହାରଥ ଓ ମୁଁ ନିଶ୍ଚିତ ଭାବେ ଭଲ ଛାତ୍ର ଥିଲୁ । ମୋ ବିଭାଗରେ ମୁଁ ପ୍ରଥମ ହେଉଥିବା ବେଳେ ତା ବିଭାଗରେ ସେ ପ୍ରଥମ ହେଉଥିଲା । ମାତ୍ର ଅଜିତ୍ ସାରଙ୍କ ଘରେ ହେଉଥିବା ପାଠଚକ୍ରରେ ଯୋଗ ଦେଉନଥିବାରୁ ପାଠଚକ୍ରର ଆୟୋଜକ ସୁବାଷ ଦାସ ଡିସ୍ଟିଂସନ୍ ପାଇଲା ବୋଲି ପରେ ସମସ୍ତେ ଆଲୋଚନା କଲେ । ସାର୍ମାନଙ୍କର ମନାନ୍ତରର ଶିକାର ହେଉଥିଲୁ ଆମେମାନେ । ଦୁର୍ଗାସାର୍ ଓ ବିନୋଦ ସାର୍ଙ୍କ ପାଖରେ ରହି ଛବି ତିଆରି, ରଙ୍ଗ କରିବା, କମ୍ପୋଜିସନ୍ କରିବା ସବୁଗୁଡ଼ିକ ଦେଖିଦେଖି ଶିଖି ଯାଇଥିଲୁ, ଯାହା ପରବର୍ତ୍ତୀ ଦିନମାନଙ୍କରେ ମୋ କାମରେ ଆସିଛି । କାଗଜର ଦୁଇ ପାଶ୍ୱର୍ ଭଳି ଗୋଟାଏ ପାଖରେ ରିଏଲିଷ୍ଟିକ୍ ଛବି ଅନ୍ୟ ପାଖରେ ଅଜିତ୍ ସାର୍ଙ୍କ ଆଧୁନିକ ଛବିର ମିଶ୍ରଣ ହୋଇ ପାରିନଥିଲା । ଉଭୟ ଉଭୟଙ୍କୁ ଈର୍ଷା କରୁଥିଲେ । ଆଧୁନିକତାର ହାୱାରେ ସେତେବେଳେ ଉବୁଟୁବୁ ହେଉଥିବା ଅନନ୍ତ ସାର (ଅନନ୍ତ ପଣ୍ଡା) ତାଙ୍କ ପ୍ରିୟ ଛାତ୍ର ଦୀନନାଥ ପାଠୀ, ଅଜିତ୍ ବାବୁଙ୍କ ଗୋଷ୍ଠୀର ଥିଲେ । ଭଲ ଛାତ୍ର ଭାବେ ପାଠୀବାବୁଙ୍କର ସୁନାମ ଥିଲା । ସେଠି ଛାତ୍ର ଥିବା ଚନ୍ଦ୍ରମଣି ବିଶ୍ୱାଳ, ପ୍ରକାଶ ମହାନନ୍ଦିଆ (ଯିଏ ଏବେ ସୁଇଡେନ୍ରେ) ମଧ୍ୟ ଭଲ ଛାତ୍ର ଭାବେ ସୁନାମ ଥିଲା । ଏମାନେ ସେହି ସବୁ ଆଧୁନିକ ଗୋଷ୍ଠୀର । ଏମାନେ ବିନୋଦ ସାର୍, ଦୁର୍ଗା ସାର୍ଙ୍କୁ ଭଲ ପାଉନଥିଲେ । ଏଣୁ ବାର୍ଷିକ ପରୀକ୍ଷା ବେଳେ ନିରୀକ୍ଷକ ହୋଇ ଆସିଥିବା ପାଠୀବାବୁ ମୋତେ ସବୁଠାରୁ କମ୍ ନମ୍ବର ଦେଇଥିଲେ । ତଥାପି ମୋ ବିଭାଗରେ ମୁଁ ପ୍ରଥମ ହୋଇଥିଲି । ସେତେବେଳେ ପାଠୀବାବୁ ମୋତେ ଜାଣିନଥିଲେ । ପରେ ଅବଶ୍ୟ ପାଠୀବାବୁଙ୍କ ଠାରୁ ଯେଉଁ ଶ୍ରଦ୍ଧା ଓ ସ୍ନେହ ପାଇଛି ତାହା ଅଭୂଲା ହୋଇ ରହିବ ମୋ ପାଇଁ । ତାଙ୍କର ଦାନ ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ । ଚିଲିକା ପାଣିରେ ଛାଇ ପ୍ରଭୃତି ପୁସ୍ତକ ମୋତେ ଲେଖାର ଖୋରାକ ଯୋଗାଇଥିଲା । ସେଦିନ ଓ ଏବେ ମଧ୍ୟରେ ଅନେକ ତଫାତ୍ ଅନେକ କଥା ଯାହା ଲେଖିବାକୁ ଚାହିଁଲେବି ଲେଖି ହେବନି, ଖାଲି ଛାତି ତଳେ ଗୁମୁରି ଗୁମୁରି ରହିଯିବ ସ୍ମୃତିର ଫରୁଆ ଭିତରେ । ସେ ସ୍ମୃତିର ଫରୁଆ ଖୋଲିବା ମାତ୍ରେ ଫିଟି ପଡ଼ିବେ ହରେକୃଷ୍ଣ ବେହେରା, ଯାହାଙ୍କୁ ବେହେରା ସାର୍ ବୋଲି ଡାକୁଥିଲୁ । ସେ ମଦ ପିଉଥିଲେ ସୁଖରେ ନୁହେଁ ଦୁଃଖରେ । ପିଲା ଛୁଆ ଜଞ୍ଜାଳ ମଧ୍ୟରେ ତାହାହିଁ ଥିଲା ତାଙ୍କ ପାଇଁ ଏକମାତ୍ର ସାହାରା । କିନ୍ତୁ ହୃଦୟବାନ ମଣିଷଟିଏ । କେଉଁ ଛାତ୍ର କହିଦେବ, ସେ ବେହେରା ସାର୍ଙ୍କ ଠାରୁ ସାହାଯ୍ୟ ପାଇନାହିଁ ବୋଲି ? ପାଞ୍ଚ ଟଙ୍କାରେ ହାପ୍ ସିଟ୍ ଫ୍ରେମ, ପଚିଶ ଟଙ୍କାରେ ଇଜିଲ୍ ତିଆରି କରିଦେଇଛନ୍ତି ପିଲାମାନଙ୍କୁ । ମୋର ମନେ ଅଛି ସାର୍ଙ୍କୁ ରାତି ଅନିଦ୍ରା କରି ମୋ ‘ରୁରାଲ ଭିୟୁ’ ଗ୍ରାଫିକ୍ ଛବିର ଫ୍ରେମ୍ ତିଆରି କରାଇଥିଲି । ଶେଷ ମୁହୂର୍ତ୍ତରେ ଲଳିତକଳା ଏକାଡେମୀର ପ୍ରଦର୍ଶନ ପାଇଁ । ଏବଂ ତାହାହିଁ ପୁରସ୍କୃତ ହୋଇଥିଲା ମଧ୍ୟ । ସେତେବେଳେ ଅଭିନନ୍ଦନ ଜଣାଇଥିବା ଅଧ୍ୟାପକ ବିପ୍ରଚରଣ ମହାନ୍ତି କେବଳ ମଡେଲିଂରେ ନୁହେଁ ଜଳ ରଂଗରେ ଛବି କରିବାର ଧୂରିଣ ଥିଲେ । ଏବେ ସୁଦ୍ଧା ତାଙ୍କ ମଡେଲ ରାଜ୍ୟସାରା । ବଡ଼ ବଡ଼ ମଡେଲ ସୁବାଷ ବୋଷଙ୍କର ହେଉ ବା ବିର୍ଷା ମୁଣ୍ଡା ହେଉ, ଗୋପବନ୍ଧୁ ହେଉ ବା ମଧୁସୂଦନ ହେଉ ସାରା ରାଜ୍ୟରେ ଛାଇ ହୋଇଛି ତାଙ୍କରି ହାତ ତିଆରି ମଡେଲ । ଯାହାଙ୍କୁ ନେଇ ଆମେ ଗର୍ବ କରୁ ତାଙ୍କରି ଛାତ୍ର ମୁଁ । ନିର୍ବିବାଦରେ ମଣିଷଟିଏ । ସଦା ହସହସ ମୁହଁ । ଧିରେ ଧିରେ କଥା କହନ୍ତି । ତାଙ୍କ ବ୍ୟକ୍ତିତ୍ୱରେ କି ଯାଦୁ ଥାଏ କେଜାଣି ସବୁ ଛାତ୍ରଙ୍କର ତାଙ୍କ ନିକଟରେ ମୁଣ୍ଡ ନୁଆଁଇ ଯାଏ । ଆର୍ଟ ସ୍କୁଲ ଛାଡ଼ିବା ପରେ ଆମପାଇଁ ଆଉ ସେ ପରିବେଶ ନାହିଁ ଛବି ତିଆରି କରିବାର । ଜୀଇଁବା ପାଇଁ ସଂଘର୍ଷ । ଉଠାଣୀ ଗଡ଼ାଣି ଡେଇଁ ଏଯାଏଁ ଆସିବା ପଛରେ ସେହି ବିଦ୍ୟାଳୟ ଯାହା ଆଜି ମହାବିଦ୍ୟାଳୟରେ ପରିଣତ ହୋଇଛି ବିନୋଦ ରାଉତରାୟଙ୍କ ଲାଗି । ବିନୋଦ ସାର୍ ଆଜି ନାହାନ୍ତି ମାତ୍ର ତାଙ୍କ କଥା ଆଜି ବହୁତ ମନେପଡ଼ୁଛି । ସେ ଅନେକ ଅବଶୋଷ ନେଇ ସେପାରିକୁ ଯାଇଥିଲେ । କାରଣ ତାଙ୍କର ଇଚ୍ଛା ମୁଁ ପୂରଣ କରିପାରିଲି ନାହିଁ । ଆଜି କହିବାର ମୋର ଦିରୁକ୍ତି ନାହିଁ । ସେ ଓ ଜଗଦୀଶ କାନୁନ୍ଗୋଙ୍କର ପ୍ରଚେଷ୍ଟାରେ ପ୍ରଥମ ଓଡ଼ିଆ ଛାତ୍ର ଭାବେ ମୁଁ ଦିଲ୍ଲୀ ଲଳିତ କଳା ଷ୍ଟୁଡିଓକୁ ମନୋନୀତ ହୋଇଥିଲି । ଗ୍ରାଫିକ୍ ଆର୍ଟର ଅଧିକ ଶିକ୍ଷା କରିବାପାଇଁ । ଲଳିତ କଳା ଏକାଡେମୀର ପ୍ରଥମ ଥର ପାଇଁ ଏକକ ଚିତ୍ରକଳା ପ୍ରଦର୍ଶନରେ ମୋତେ ହିଁ ମନୋନୀତ କରାଯାଇଥିଲା । କାରଣ ସାର୍ଙ୍କର ଇଚ୍ଛା ଥିଲା ମୁଁ ଖଲ୍ଲିକୋଟ କଲେଜର ଅଧ୍ୟାପକଟିଏ ହୁଏ ବୋଲି । ଅଧ୍ୟାପକ ପାଇଁ ସମସ୍ତ ଯୋଗ୍ୟତା ମୋ ଭିତରେ ଆଣିଦେଇଥିଲେ । ମୋତେ ଯୋଗ୍ୟ କରିଥିଲେ ତାଙ୍କର ଉତ୍ତରାଧିକାରୀ ପାଇଁ । ମାତ୍ର ଅଧ୍ୟାପକମାନଙ୍କର ଛାତ୍ରମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ ସେମାନଙ୍କ ଗୋଷ୍ଠୀ ତିଆରି କରିବା ସପକ୍ଷରେ ମୁଁ ନଥିଲି । ମୋ ଅଞ୍ଚଳର କଳାର ପ୍ରସାର ପାଇଁ କଳା ମହାବିଦ୍ୟାଳୟ ତିଆରି କରିବା ମୋର ଥିଲା ଅଭିଳାଷ । ଖଲ୍ଲିକୋଟର ଚାରିବର୍ଷର ତିକ୍ତ ମଧୁର ଅନୁଭୂତି ନିଜ ନିଜ ମଧ୍ୟରେ ସଂଘର୍ଷ ମୋତେ ସେଠାକୁ ପୁଣି ଥରେ ଫେରିବାକୁ ବାରଣ କରିଥିଲା । ଏକଥା ସାରଙ୍କୁ କେବେ କହିପାରିଲି ନାହିଁ… ।
“ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ
ନାଟ୍ୟକାର ମନୋରଞ୍ଜନ ଦାସ”
‘ଚନ୍ଦ୍ରଶେଖର ଦାସବର୍ମା’ଙ୍କ ଦ୍ୱାରା ୨୦୦୫ ମସିହା, ସମାଜରେ ପ୍ରକାଶ ପାଇଥିଲା “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର ମନୋରଞ୍ଜନ ଦାସ” । ଲେଖାଟି ଓଡ଼ିଆ ନାଟକ କ୍ଷେତ୍ରରେ ଏକ ତଥ୍ୟ ସମ୍ବଳିତ ଲେଖା । ପର୍ଯ୍ୟାୟକ୍ରମେ ଓଡ଼ିଶାରେ ନାଟକର ଲେଖକମାନେ କେମିତି ଲୋକଙ୍କର ବାସ୍ତବ ଜୀବନ ଓ ସମସ୍ୟାଠାରୁ ଦୂରେଇଯାଇ ନାଟକ ରଚନା କରିଛନ୍ତି ଏବଂ ଏହାର ପ୍ରଭାବ ନାଟକର ଲୋକପ୍ରିୟତା ଧ୍ୱଂସହେବା କ୍ଷେତ୍ରରେ କେତେ ପଡ଼ିଛି ତାହା ଲେଖାଟିରେ ସ୍ପଷ୍ଟ ହୋଇଛି । ବିଶେଷ କରି ଓଡ଼ିଆ ନାଟକ କ୍ଷେତ୍ରକୁ ମନୋରଞ୍ଜନ ଦାସଙ୍କ ଅବଦାନ ସମ୍ପର୍କରେ ସୂଚନା ଦିଆଯାଇଛି । ଓଡ଼ିଆ ନାଟକ ସମ୍ପର୍କରେ ବିଶେଷ ଜାଣିବାପାଇଁ ଆଗ୍ରହ ରଖୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ଅନୁଭବ କରି ଏଠାରେ ଲେଖାଟିର ସାରାଂଶ ପ୍ରକାଶ କରାଯାଇଛି ।- ସମ୍ପାଦକ
ଦୀର୍ଘ ୧୨୭ବର୍ଷ ତଳେ ୧୮୭୭ ମସିହାରେ ନାଟ୍ୟକାର ଜଗନ୍ମୋହନ ଲାଲା ରଚନା କରିଥିଲେ ପ୍ରଥମ ଓଡ଼ିଆ ନାଟକ ‘ବାବାଜି’ । ଊନବିଂଶ ଶତାବ୍ଦୀର ତିରିଶ ଦଶକ ପର୍ଯ୍ୟନ୍ତ ନାଟକର ସେହି ଧାରାକୁ ଯେଉଁ ନାଟ୍ୟକାରମାନେ ପ୍ରବାହିତ କରି ଆଣିଲେ, ସେମାନେ ହେଲେ – ରାମଶଙ୍କର ରାୟ, ଖଡ଼ିଆଳର ରାଜପୁତ୍ର ବୀରବିକ୍ରମ ଦେବ, ପାରଳାର ରାଜା ପଦ୍ମନାଭ ନାରାୟଣ ଦେବ, ଗୋପୀନାଥ ନନ୍ଦ, କାମପାଳ ମିଶ୍ର, ଭିକାରି ଚରଣ ପଟ୍ଟନାୟକ, ରାଧାମୋହନ ରାଜେନ୍ଦ୍ର ଦେବ, ଅଶ୍ୱିନୀ କୁମାର ଘୋଷ ପ୍ରଭୃତି । ସେମାନଙ୍କର ନାଟକ ମଝିରେ ମଝିରେ ଅଭିନୀତ ହୋଇ ଲୋକାଦୃତି ଲାଭ କଲା । ନାଟକକୁ ବ୍ୟାବସାୟିକ ଭିତିରେ ପ୍ରତିଦିନ ପ୍ରଦର୍ଶନ କରାଯାଇପାରିବାର ମୋହର ଦେଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ୧୯୪୨ ମସିହାରେ କାଳୀଚରଣ ଆରମ୍ଭ କଲେ ବ୍ୟାବସାୟିକ ରଙ୍ଗମ ‘ଓଡ଼ିଶା ଥିଏଟର୍ସ’ । ନାଟକ ଦର୍ଶକମାନଙ୍କୁ ବହୁସଂଖ୍ୟାରେ ଆକୃଷ୍ଟ କଲା । ଅନ୍ୟ ଯେଉଁ ବ୍ୟବସାୟୀ ରଙ୍ଗମଂଚ ବ୍ୟବସାୟରେ ସଫଳତା ଲାଭ କଲେ ସେମାନେ ହେଲେ ଅନ୍ନପୂର୍ଣ୍ଣା ‘ଏ’ (ପୁରୀ), ଅନ୍ନପୂର୍ଣ୍ଣା ‘ବି’ (କଟକ) ଭାରତୀ ଥିଏଟର୍ସ (କଟକ), ସାରଥି ଥିଏଟର (ବ୍ରହ୍ମପୁର), ରୂପଶ୍ରୀ ଥିଏଟର (କଟକ), ଜନତା ଥିଏଟର (କଟକ), କଳାଶ୍ରୀ ଥିଏଟର (କଟକ), ଉତ୍କଳ ଥିଏଟର (ପୁରୀ), ନାଟ୍ୟମନ୍ଦିର (ବରଗଡ଼), ଦୁର୍ଗାମଣୀ ଥିଏଟର (ଧର୍ମଶାଳା), ଆଦଲ ଥିଏଟର (ଭବାନୀପାଟଣା) ଇତ୍ୟାଦି । କାଳୀଚରଣଙ୍କ ‘ଭାତ’ ନାଟକ (୧୯୪୪) ଏକାଦିକ୍ରମେ ୧୦୦ରାତି ଅଭିନୀତ ହେଲା । କେତେକ ନାଟକ ବ୍ୟବସାୟୀକ ରଙ୍ଗ ମଂଚରେ ଦିନକୁ ତିନୋଟି ସୋ ହେବାର ଗୌରବ ବହନ କଲା । ଏହି ସମୟ ହିଁ ‘ଓଡ଼ିଆ ନାଟକର ସୁବର୍ଣ୍ଣ ଯୁଗ’ ଭାବରେ ଅଭିହିତ ହୁଏ । କହିବା ବାହୁଲ୍ୟ ଯେ ଏହି ସମୟରେ ଓଡ଼ିଶାର ଗୋଟିଏ ସହର (କଟକ)ରେ ତିନିଟି ରଙ୍ଗମଂଚ ଯେଉଁଭଳି ଭାବରେ ପ୍ରତିଦିନ ଚାଲୁଥିଲା, ଭାରତର ଅନ୍ୟ କୌଣସି ସହରରେ ସେଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିନାହିଁ ।
ନୂତନର ଅନୁସନ୍ଧାନୀ ନାଟ୍ୟକାର ଷାଠିଏ ଦଶକର ମଧ୍ୟଭାଗରୁ ଉଦ୍ଭଟ, ବୌଦ୍ଧିକ, ଅଣପାରମ୍ପରିକ ନାଟକ ରଚନା କରି ଗ୍ରୁପ ଥିଏଟର ମାଧ୍ୟମରେ ସେଗୁଡ଼ିକୁ ପରିବେଷଣ କରିବା ଆରମ୍ଭ କଲେ । ନାଟ୍ୟକାର ମନୋରଞ୍ଜନ ଦାସ ଯେଉଁ ପରୀକ୍ଷା ନିରୀକ୍ଷାର ସୂତ୍ରପାତ କଲେ, ତାକୁ ତାଙ୍କ ପରର ବହୁ ନାଟ୍ୟକାର ବିଭିନ୍ନ ଭାବରେ ପରିବର୍ଦ୍ଧିତ କଲେ ।
ମନୋରଞ୍ଜନ ଏ ଦେଶର ଜଣେ ଶକ୍ତିଧର ନାଟ୍ୟକାର । ସାଧାରଣ ଜୀବନର ଯେଉଁସବୁ ମୁହୂର୍ତଗୁଡ଼ିକ ଆମର ମନକୁ ଜୀବନ ରହସ୍ୟର ଭାବନାରେ ଉଦ୍ବେଳିତ କରି, ଶିଳ୍ପ ସୁଲଭ ଅନୁଭୂତି ସୃଷ୍ଟି କରିବା ନିମନ୍ତେ କ୍ଷମ ହୁଏ, ଯାହା ପୁଣି ଅନ୍ୟ କୌଣସି ସ୍ଥାନ ନିମନ୍ତେ ଅନ୍ୟ କୌଣସି କାଳପାଇଁ ଅବଶ୍ୟମ୍ଭାବୀ ପରିବର୍ତନ ପାଇଁ ଆମକୁ ଉନ୍ମୁଖ କରି ରଖେ , ସେଇସବୁ ଦୁର୍ଲଭ ମୁହୂର୍ତଗୁଡ଼ିକ ସମ୍ପର୍କରେ ନାଟ୍ୟକାର ଅତ୍ୟନ୍ତ ସଚେତନ । ନାଟକରେ ପୁଣି ‘କୌତୂହଳ’ ସୃଷ୍ଟି ବ୍ୟାପାରରେ ମନୋରଞ୍ଜନ ଅପ୍ରତିଦ୍ୱନ୍ଦ୍ୱୀ । ତାଙ୍କ ନାଟକରେ କିଛି ଘଟେ ନାହିଁ, କୌଣସି କୌତୂହଳ ଜାଗ୍ରତ ହୋଇ ରହେ ନାହିଁ-ଏହା ନୁହେଁ । ଯେତେବେଳେ କିଛି ଘଟୁନାହିଁ, ସେତେବେଳେ ସୁଦ୍ଧା ଦର୍ଶକମାନଙ୍କୁ ଉତ୍କଣ୍ଠିତ କରି ରଖିବା ଏଇ ସାଙ୍ଗେ ସାଙ୍ଗେ କିଛି ଘଟିଯିବ – ଏହି ପ୍ରତ୍ୟାଶାରେ ସେମାନଙ୍କର କୌତୂହଳ ଜାଗ୍ରତ କରି ରଖିବା – ମନୋରଞ୍ଜନ ନିଜ ନାଟକରେ ଏହା କରିବାରେ ସମ୍ପୂର୍ଣ୍ଣ ସଫଳ । ସାଧାରଣ ଦର୍ଶକଙ୍କର ମାନସ ରାଜ୍ୟରେ ସଙ୍କେତର ଏହି ଭାବବ୍ୟଞ୍ଜନା ସହଜରେ ପ୍ରତିଫଳିତ ହୋଇପାରେ ନାହିଁ ବୋଲି ମନୋରଞ୍ଜନ ନାଟକର ଦର୍ଶକ ମଧ୍ୟ ସ୍ୱତନ୍ତ୍ର । କାବ୍ୟ କବିତା, ଗଳ୍ପ, ଉପନ୍ୟାସରେ ଷାଠିଏ ଦଶକ ବେଳକୁ ବୌଦ୍ଧିକତାର ଯେଉଁ ଝଙ୍କାର ସୃଷ୍ଟି ହୋଇଥିଲା ନାଟକରେ ମନୋରଞ୍ଜନ ତାହାହିଁ ପରିବେଷଣ କରିଛନ୍ତି ।
ସାମ୍ପ୍ରତିକ ଜୀବନର ଜଟିଳ ସମସ୍ୟାକୁ ନେଇ ମନୋରଞ୍ଜନଙ୍କର ନାଟକ । ସେଇସବୁ ସମସ୍ୟା, ଯାହା ଜୀବନ ଧାରାରୁ ଉଦ୍ଭୁଦ୍ଧ, ତାକୁ ନେଇ ନାଟ୍ୟକାର ଏଭଳି ଏକ ଭାବର ଜଗତ ସୃଷ୍ଟି କରନ୍ତି, ଯାହା ଦର୍ଶକମାନଙ୍କ ନିକଟରେ ଅର୍ଥପୂର୍ଣ୍ଣ । ଏ କ୍ଷେତ୍ରରେ ନାଟ୍ୟକାରଙ୍କର ସମସ୍ୟା, ଦର୍ଶକମାନଙ୍କର ବୋଧ ଶକ୍ତି ଏଡ଼ାଇ ଯିବା ନୁହେଁ, ବରଂ ଦର୍ଶକମାନଙ୍କର ଭୁଲ ବୁଝାମଣାକୁ ଯଥାସମ୍ଭବ ଦୂରକରି ସେମାନଙ୍କୁ ସମସାମୟିକ ସମାଜର ବାସ୍ତବ ରୂପ ସହିତ ପରିଚିତ କରାଇ ଦେବା । ପ୍ରାଥମିକ ପର୍ଯ୍ୟାୟରେ ମନୋରଞ୍ଜନ ନାଟକ ସହିତ ଦର୍ଶକ ସମାଜର ଆନ୍ତରିକ ଯୋଗାଯୋଗ ପ୍ରତିଷ୍ଠାରେ ଯେଉଁ ଦୂରତ୍ୱ ଦେଖା ଦେଇଥିଲା, ତାହାର ମୂଳ କାରଣ ‘ପୂର୍ବ ସଂସ୍କାର’ ଅଥବା ‘ପ୍ରିଜୁଡ଼ିସ’ । ଯେଉଁ ନିର୍ଦ୍ଦିଷ୍ଟ ଧାରଣା ନେଇ ଦର୍ଶକମାନେ ନାଟକ ଦେଖିବାକୁ ଯାଆନ୍ତି, ସେସବୁର ଘୋର ଅଭାବ ଆଧୁନିକ ନାଟକରେ ଦେଖିବାକୁ ପାଇ ସେମାନେ ପ୍ରଥମେ ପ୍ରଥମେ ଏହାଠାରୁ ମୁହଁ ଫେରାଇ ନେବା ସ୍ୱାଭାବିକ । ପ୍ରଚଳିତ ଅର୍ଥରେ ଯାହାକୁ ‘well made play’ କୁହାଯାଏ, ଆଧୁନିକ ନାଟକ ତାହା ନୁହେଁ । ତେଣୁ ଦର୍ଶକ ତାହା ପ୍ରତି ନିସ୍ପୃହ ହୋଇପଡ଼ିବା ସ୍ୱାଭାବିକ । ଅଭିନୟ ଦେଖିବାକୁ ଯାଆନ୍ତି ଯେଉଁମାନେ, ସେମାନଙ୍କର ମୂଳ ଲକ୍ଷ୍ୟ ଥାଏ କିଛି ‘ଆମୋଦ’ ସଂଗ୍ରହ । କହିବା ବାହୁଲ୍ୟ ଯେ ଆଧୁନିକ ନାଟକରେ ଏ ସୁଯୋଗ ବଡ଼ କମ୍ ।
ମନୋରଞ୍ଜନ ଦୂରଦର୍ଶୀ ନାଟ୍ୟକାର । କ୍ରମଶଃ ସେ ନିଜ ନାଟକ ପ୍ରତି ଦର୍ଶକମାନଙ୍କର ଅନୁରକ୍ତ ବଢ଼ାଇ ପାରିଛନ୍ତି । ଗତାନୁଗତିକ ଚରିତ୍ର ବଦଳରେ ରକ୍ତମାଂସର ବାସ୍ତବ ନରନାରୀମାନଙ୍କୁ ପାଦପ୍ରଦୀପ ସମ୍ମୁଖରେ ଛାଡ଼ି ଦେଇଛନ୍ତି । କ୍ରମଶଃ ଦର୍ଶକ ଏମାନଙ୍କୁ ଚିହ୍ନିଛନ୍ତି, ଜାଣିଛନ୍ତି ଏବଂ ଏମାନଙ୍କ ସହିତ ଏକାତ୍ମ ମଧ୍ୟ ହୋଇଯାଇଛନ୍ତି । କହିବା ବାହୁଲ୍ୟ, ଏହି ରୀତିଟିକୁ ମନୋରଞ୍ଜନ ସଂଗ୍ରହ କରିଛନ୍ତି, ପାଶ୍ଚାତ୍ୟ ନାଟ୍ୟ ଚେତନା କ୍ଷେତ୍ରର. ଅନ୍ତତଃ ବର୍ଣ୍ଣାଜସ୍ ଉବସେନ୍ ପ୍ରମୁଖ ହିଁ, ଏ ଦିଗରେ ତାଙ୍କୁ ପ୍ରାଥମିକ ପ୍ରେରଣା ଯୋଗାଇଥିବାର ଦେଖାଯାଉଛି ।
ମନୋରଞ୍ଜନ ଭଲ ଭାବରେ ଜାଣିଥିଲେ, ସମାଜର ପାରମ୍ପରିକ ସଂହତି ଯେତେବେଳେ ଦ୍ରୁତଗତିରେ ବିପର୍ଯ୍ୟସ୍ତ ହୋଇପଡ଼ୁଛି, ସେତେବେଳେ ପୁର୍ବ ରୀତିର ‘well made play’ ଆଉ ଦର୍ଶକମାନଙ୍କର ପ୍ରତ୍ୟାଶା ପୂରଣ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ । ଆଜିର ବିଭିନ୍ନ ଏବଂ ଜଟିଳ ଜୀବନକୁ ଯଥାର୍ଥ ଭାବରେ ବିଶ୍ଲେଷଣ କରି ତାହାରି ଭିତରୁ ଜୀବନ ଚେତନାର ଯଥାର୍ଥ ସ୍ୱରୂପଟିକୁ ଉଦ୍ଘାଟନ କରିବାକୁ ତେଣୁ ସେ ନିଜର ଦାୟିତ୍ୱ ରୂପେ ଗ୍ରହଣ କରି ନେଇଛନ୍ତି । ଅନୁଭୂତି ପ୍ରସୂତ ଦର୍ଶନ ଏବଂ ଜୀବନ ପ୍ରତି ଏକ ଘନିଷ୍ଠ କବିସୁଲଭ ଅର୍ନ୍ତଦୃଷ୍ଟିକୁ ସମ୍ବଳ କରି ନାଟ୍ୟକାର ନାଟକ ପରେ ନାଟକ ରଚନା କରି ଯାଇଛନ୍ତି । ଏ ଅନୁଭୂତି ପୁଣି କୌଣସି ବାହ୍ୟ ଅନୁଭୂତି ନୁହେଁ, ବରଂ ଜୀବନର ଅଭ୍ୟନ୍ତରରୁ ହିଁ ସଂଗୃହୀତ ।
ପ୍ରଚଳିତ ରୀତି ଠାରୁ ଦୂରେଇ ଯାଇ ମନୋରଞ୍ଜନ ଏ ଯେଉଁ ନୂତନ ପଦ୍ଧତି ନାଟକ କ୍ଷେତ୍ରରେ ପ୍ରୟୋଗ କଲେ, କ୍ରମଶଃ ବହୁ ନାଟ୍ୟକାର ଏହି ପରମ୍ପରାର ବାହକ ହୋଇଛନ୍ତି । ଓଡ଼ିଆ ଭାଷାରେ ‘ଆବ୍ସର୍ଡ଼’ ନାଟକ ସୃଷ୍ଟି ହୋଇଛି କିମ୍ବା ନାହିଁ, ଏ ସମ୍ପର୍କରେ ବହୁ ପ୍ରଶ୍ନ ଉଠୁଛି । ସାଧାରଣ ଦର୍ଶକ ଏବଂ ପାଠକଙ୍କୁ ବାଦ୍ ଦେଲେ ସୁଦ୍ଧା କେତେକ ବୁଦ୍ଧିଜୀବୀ ମଧ୍ୟ ସତୁରି ଦଶକରେ ସୃଷ୍ଟ ପରକ୍ଷାଧର୍ମୀ ନାଟକ ଗୁଡ଼ିକୁ ‘ଆବ୍ସର୍ଡ଼’ ନାଟକ ବୋଲି ପରିଚିତ କରାଉଛନ୍ତି । ଏହି ଆବ୍ସର୍ଡ଼ ନାଟକ ଗୋଟିଏ ସମୟରେ ସମଗ୍ର ପୃଥିବୀରେ ଖ୍ୟାତିଲାଭ କରିଥିବାରୁ, ଏଠାକାର କେତେକ ନାଟ୍ୟକାର ମଧ୍ୟ ନିଜନିଜର ନାଟକଗୁଡ଼ିକୁ ଏହି ସଂଜ୍ଞାରେ ଚିହ୍ନିତ କରାଇବା ନିମନ୍ତେ ବ୍ୟଗ୍ର ହୋଇ ପଡ଼ିଥିଲେ । ସୁଖର ବିଷୟ ଯେ ବିଶ୍ୱ ନାଟକ କ୍ଷେତ୍ରରୁ ‘ଆବ୍ସର୍ଡ଼ି’ଟିର ହାୱା ଚାଲିଯିବା ପରେ ଏବଂ ସେଠାରେ ପରମ୍ପରା ପ୍ରତି ଆଗ୍ରହ ପ୍ରକାଶ ପାଇବା ପରେ ଏଠାରୁ ମଧ୍ୟ ସେ ସମ୍ପର୍କୀୟ ଦୁର୍ବଳତା ଦୂର ହୋଇଯାଇଛି । ସେ ଦେଶରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହ ପରିଣତିର ଫଳସ୍ୱରୂପ ‘ଆବ୍ସର୍ଡ଼’ ନାଟ୍ୟ ପରମ୍ପରାର ସୃଷ୍ଟି ହୋଇଥିଲା ଏବଂ ଅଚିରେ ଏହା ତତ୍ରତ୍ୟ ବୃଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ମଧ୍ୟ କରିପାରିଥିଲା । ସାମୁଏଲ ବେକେଟ, ବ୍ରେଖଟ, ଆଏନେସ୍କୋ, ଜୀନେତ୍ ପ୍ରମୁଖ ନାଟ୍ୟକାରମାନେ ନାଟକରେ ଆବ୍ସର୍ଡ଼ିଟୀର ପ୍ରବକ୍ତା ଥିଲେ ।
ଅନୁଭୂତିର ଯେଉଁ ସ୍ତରରୁ ଆବସର୍ଡ଼ିଟୀର ସମ୍ଭବ ହୋଇପାରେ, କେବଳ ଓଡ଼ିଶାରେ କାହିଁକି ସମଗ୍ର ଭାରତବର୍ଷରେ ମଧ୍ୟ ସେଭଳି ପରିବେଶ ସୃଷ୍ଟି ହୋଇନାହିଁ । ସେ ଦେଶର ନାଟ୍ୟକାର ଆଡ଼ାମୋଭ ‘ଆବସର୍ଡ଼’ ନାଟକ ରଚନାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ୱୀକାର କରିଥିଲେ, ‘ମୋ ନିଜ ବିଷୟରେ ମୁଁ ଏତିକି ଜାଣେ ଯେ ମୁଁ ଯନ୍ତ୍ରଣାଗ୍ରସ୍ତ ଏବଂ ମୁଁ ଯଦି ଆଜି ଯନ୍ତ୍ରଣା ଭୋଗୁଥାଏ, ତା’ର କାରଣ ମୋର ସତାର ମୂଳରେ ବିଭକ୍ତି ଓ ବିଚ୍ଛିନ୍ନତା ରହିଛି’ ମାନସିକ ଚେତନାର ଏହି ଜଟିଳତା, ଜୀବନ ଯନ୍ତ୍ରଣାର ଏହି ଅନୁଭୂତି ଏଠାରେ ପାରିବେଶିକ କାରଣରୁ ହିଁ ସମ୍ଭବ ହୋଇନାହିଁ ଏବଂ ଏ ସମ୍ପର୍କରେ ଯାହା ଯେଉଁଠି କୁହାଯାଇଛି, ତାହା କେବଳ ରୋମାଂଟିକ କଳ୍ପନା ମଧ୍ୟରୁ ହିଁ ଉଦ୍ଭୁତ ହୋଇଛି । ଭାରତରେ ‘ଆବସର୍ଡ଼’ ନାଟକ ନିମନ୍ତେ ଯେ ଉଦ୍ୟମ ହୋଇନାହିଁ, ଏକଥା ନୁହେଁ । ତେବେ ବଙ୍ଗୀୟ ନାଟକରେ ‘ଆବସର୍ଡ଼ ନାଟକ’ର ଆଙ୍ଗିକ ଏବଂ ଆତ୍ମିକ ରୂପକୁ କେତେକ ପରିମାଣରେ ପରିସ୍ଫୁଟ କରାଇବାରେ ସଫଳ ହୋଇପାରିଥିଲେ । ମାନସିକ ସ୍ଥିତିର ଜଟିଳତାର ଘନ ଅରଣ୍ୟ ମଧ୍ୟରେ ଅସହାୟ ମାନବାତ୍ମାର ଯନ୍ତ୍ରଣାମୟ ଆର୍ତାନନ୍ଦ, ‘ଏକ ଅସହ୍ୟ-ଅବିଚ୍ଛିନ୍ନ ଅମୁକ୍ତ ଅବସ୍ଥା’ର ଗଭୀର ଅନ୍ଧକୂପ ମଧ୍ୟରେ ତାହାର ମର୍ମସ୍ପର୍ଶୀ ଚିତ୍କାର କେବଳ ଏହି ନାଟକରେ ଅନେକଟା ପ୍ରତିଫଳିତ ହୋଇଛି । ଅବଶ୍ୟ ସ୍ୱୀକାର କରିବାରେ ଅସୁବିଧା ନାହିଁ ଯେ ସତୁରୀ ଦଶକରେ ଏ ଦେଶରେ ଯେଉଁସବୁ ପରୀକ୍ଷାଧର୍ମୀ ନାଟକ ସୃଷ୍ଟି ହେଲା, ତାହା ପଛରେ ବିଗତ କୋଡ଼ିଏ ବର୍ଷର ‘ଆବସର୍ଡ଼’ ନାଟକ’ର ପରମ୍ପରା ସକ୍ରିୟ ଭାବରେ ଉପସ୍ଥିତ ରହିଲା । ତେବେ କେବଳ ମାତ୍ର ସେତିକି ।
ଓଡ଼ିଆ ଭାଷାରେ ପୂର୍ବୋକ୍ତ କାରଣରୁ ହିଁ କୌଣସି ଅବସର୍ଡ଼’ ନାଟକ ରଚିତ ହୋଇନାହିଁ, ଏହା ଦୃଢ଼ ଭାବରେ କୁହାଯାଇପାରିବ । ଏଠାରେ ନାଟକ କ୍ଷେତ୍ରରେ କେବଳ କେତେକ ପରୀକ୍ଷା ନିରୀକ୍ଷାର ଉଦ୍ୟମ ହୋଇଛି ମାତ୍ର । ତେବେ ଚିନ୍ତା ଓ ଚେତନା ଦୃଷ୍ଟିରୁ ଏହିସବୁ ନାଟକ ହିଁ ଓଡ଼ିଆ ନାଟକକୁ ବିଶ୍ୱ ନାଟ୍ୟ କ୍ଷେତ୍ରରେ ସମତା ପ୍ରଦାନ କରିବା ନିମନ୍ତେ ପ୍ରଚେଷ୍ଟା ବୋଲି କୁହାଯାଇପାରିବ ।
କାଳର କୁଟୀଳ ଭିତରେ ସତୁରି ଦଶକ ବେଳକୁ ବ୍ୟବସାୟୀ ରଙ୍ଗମଂଚର ପାଦପ୍ରଦୀପ କ୍ରମେ କ୍ରମେ ନିଷ୍ପ୍ରଭ ହୋଇଗଲା । ଫଳରେ ଲୋକେ ନାଟକ ପାଖରେ ପହଂଚିବାର ସୁଯୋଗ ପାଇଲେ ନାହିଁ । ଗ୍ରୁପ୍ ଥିଏଟରମାନେ ମଝିରେ ମଝିରେ ଯେଉଁ ନାଟକ ପରିବଷଣ କଲେ, ତାହା ସାଧାରଣ ଲୋକଙ୍କୁ ଆକୃଷ୍ଟ କଲା ନାହିଁ । ତେଣୁ ନାଟକ ଓ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି ହେଲା ଓ ସେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା ।
ଅଶୀଦଶକ ବେଳକୁ ନାଟ୍ୟକାର, ନିର୍ଦ୍ଦେଶକ, ନାଟ୍ୟ କର୍ମୀମାନେ ହୃଦୟଙ୍ଗମ କଲେ ଯଦି ନାଟକ ହେଉଛି ଲୋକଙ୍କର, ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ତେବେ ଲୋକମାନଙ୍କ ରୁଚିକୁ ଉପଯୁକ୍ତ ମର୍ଯ୍ୟାଦା ନଦେଲେ ନାଟକ ଚାଲିବ କିପରି ?
