“ଏକ ଦଶନ୍ଧିର ପ୍ରୟାସ” ଓ ଭବିଷ୍ୟତର ରୂପରେଖ

Swayamprava Parhi (Chief Editor)
553 Views
6 Min Read

                  ୨୦୦୫ମସିହା ଅଗଷ୍ଟ ୧୫ ତାରିଖରେ ‘ସମଧ୍ୱନି’ ଏକ ସାଂସ୍କୃତିକ ସଙ୍ଗଠନ ଭାବରେ ପ୍ରଥମ କାର୍ଯ୍ୟକ୍ରମ (ଲୋକ ସମସ୍ୟା ଉପରେ ଆଧାରିତ) ଆରମ୍ଭ କଲା ।

Support Samadhwani

ଅନେକ ବିକଳ୍ପ ରାଜନୈତିକ ମଞ୍ଚ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକରେ ସେବେଠାରୁ ନିଜକୁ ସାମିଲ ମଧ୍ୟ କଲା। ‘ସମଧ୍ୱନି’ ଦ୍ୱାରା ୨୦୦୫ ମସିହା ନଭେମ୍ବର ମାସରେ  “ମନମୋହନ ମିଶ୍ରଙ୍କ କାବ୍ୟ କବିତାରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ” ଶୀର୍ଷକ ପ୍ରଥମ ଆଲୋଚନା ସଭା ଆୟୋଜିତ ହୋଇଥିଲା।

୨୦୦୬ମସିହା ନଭେମ୍ବର ମାସରେ ବିପ୍ଳବୀ କବି ମନମୋହନ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ “ଲୋକସାଂସ୍କୃତିକ ଉତ୍ସବ ୨୦୦୬” ଏକାମ୍ର ହାଟ ପଡ଼ିଆରେ ଆୟୋଜନ କରାଗଲା । ଏଥିରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଲୋକ ସାଂସ୍କୃତିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଓଡ଼ିଶାର ଯୁବ କଳାକାରମାନଙ୍କୁ ଏହି କାର୍ଯ୍ୟକ୍ରମରେ ବିଶେଷଭାବରେ ପରିବେଷଣର ସୁଯୋଗ ମିଳିଥିଲା।

ଓଡ଼ିଶା ସରକାର ଏବଂ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ଯଦିଓ ବର୍ଷର ବିଭିନ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥାନ୍ତି କିନ୍ତୁ ଯୁବ/ଛାତ୍ର କଳାକାରମାନେ ବିଶେଷ ସୁଯୋଗ ପାଇବା ସମ୍ଭବପର ହୋଇନଥାଏ । କାରଣଟି ହେଲା ସମସ୍ତେ ସେଇ ଗୋଟିଏ କଥାରେ ବିଶ୍ୱାସ କରନ୍ତି ଯେ ବିନା ବ୍ରାଣ୍ଡ ବା ନାମକରା କଳାକାର ବିନା ପ୍ରୋଗ୍ରାମକୁ ଦର୍ଶକ ଆସିବେନାହିଁ। ଯେଉଁ ରାଜ୍ୟରେ ଯୁବକମାନେ ନିଜ ସୃଜନଶୀଳତାକୁ ପରିପ୍ରକାଶ କରିବାର ସୁଯୋଗରୁ ବଞ୍ଚିତ ସେଠି ନୂଆ କଳାକାରଟିଏ ସୃଷ୍ଟି କରିବାପାଇଁ ସରକାର ଯେତେ ସଙ୍ଗୀତ ମହାବିଦ୍ୟାଳୟ ବା ସଂସ୍କୃତି ବିଶ୍ୱବିଦ୍ୟାଳୟ ତିଆରି କଲେ ବି ଏହା ରାଜ୍ୟର କଳା ସଂସ୍କୃତିକୁ କିଛି ବି ସହଯୋଗ କରିପାରିବ ନାହିଁ । ବିଶେଷ କରି ଏହି ଋଗ୍ଣ ମାନସିକତା ଆମ ସରକାର ଏବଂ କଳା ସଂସ୍କୃତିର ମଙ୍ଗ ଧରିଥିବା ବଡ଼ପଣ୍ଡାଙ୍କ ମୁଣ୍ଡରେ ବିଶେଷ ଭାବରେ ବିଦ୍ୟମାନ ରହିଛି ।

Support Samadhwani

‘ସମଧ୍ୱନି’ ଏହି ପ୍ରକ୍ରିୟାଟିକୁ ଭାଙ୍ଗିବାପାଇଁ ବଦ୍ଧ ପରିକର । ସେଥିପାଇଁ ୨୦୦୯ ମସିହାରେ ସଙ୍ଗୀତ ମହାବିଦ୍ୟାଳୟର କିଛି ନାଟ୍ୟ ବିଭାଗର ଯୁବ କଳାକାରମାନଙ୍କୁ ନେଇ ଘଣ୍ଟାକର ଆଲୋଚନା ଭିତରେ ଗୋଟିଏ ଦିନରେ ୩ଟି ପଥପ୍ରାନ୍ତ ନାଟକ କରିବା ସମ୍ଭବପର ହୋଇଥିଲା । ମାତ୍ର ଏକ ଘଣ୍ଟାର ପ୍ରସ୍ତୁତିରେ ଲୋକ ସମସ୍ୟା ଉପରେ ଆଧାରିତ ଏକ ନାଟକ ଅତି ଚମକ୍ରାର ଭାବେ ମଞ୍ଚସ୍ଥ ହେଲା । ନାଟକର ବିଷୟବସ୍ତୁ ଥିଲା, ‘କମନ୍ କରିଡ଼ର୍’ । କଳିଙ୍ଗନଗର ଶିଳ୍ପାଞ୍ଚଳ ଭିତରେ ଦୁଇଟି ଗ୍ରାମକୁ ଭାଗଭାଗ କରିବାର ଯେଉଁ ମନ୍ଦ ପ୍ରୟାସ ଟାଟା କମ୍ପାନୀ ଆରମ୍ଭ କରିଥିଲା ଏହି ନାଟକଟି ସେହି ଉଦ୍ଦେଶ୍ୟଟିକୁ ଲୋକଲୋଚନକୁ ଆଣିପାଇଁ ଚେଷ୍ଟାକଲା । ପରବର୍ତ୍ତୀ ପର୍ଯ୍ୟାୟରେ ‘କମନ୍ କରିଡ଼ର୍’ ତିଆରି କରି ଟାଟା କେମିତି ଲାଭବାନ ହେଲା ଏବଂ ଦୁଇଟି ଗ୍ରାମର ଏକତାକୁ ଛିନ୍ନକରିବା କ୍ଷେତ୍ରରେ ତାର ମନ୍ଦ ଉଦ୍ଦେଶ୍ୟ ସାଧିତ ହେଲା ସମସ୍ତେ ଜାଣନ୍ତି ।

୨୦୦୭ ମସିହାରେ ୧୮୫୭ ସିପାହୀ ବିଦ୍ରୋହର ୧୫୦ବର୍ଷ ପୂର୍ତ୍ତି, ୨୦୧୦ମସିହାରେ ସନ୍ଥକବି ଭୀମ ଭୋଇଙ୍କର ବୈପ୍ଳବିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋଚନା ସଭାମାନ ଅନୁଷ୍ଠିତ ହେଲା । ୨୦୧୧ ମସିହାରେ ଗୀତିକାର ସୁଧୀର ପଟ୍ଟନାୟକଙ୍କ ଦ୍ୱାରା ରଚିତ ୬ଟି ଗୀତକୁ ନେଇ ତ୍ରିଲୋଚନ ନାୟକଙ୍କ ନିର୍ଦ୍ଦେଶନାରେ ‘ସମସ୍ୱର’ ନାମକ ଏକ ଜନ ସମସ୍ୟା ଭିତ୍ତିକ ସଙ୍ଗୀତ ସିଡ଼ି ‘ସମଧ୍ୱନି’ ଦ୍ୱାରା ପ୍ରକାଶ ପାଇଲା ।

                        ଓଡ଼ିଶାରେ ଏହି ସାଂସ୍କୃତିକ ଜାଗରଣ କାମଟିକୁ ବ୍ୟାପକ କରିବାର ଜରୁରୀ ଆବଶ୍ୟକତାକୁ ଅନୁଭବ କରି ୨୦୧୨ ମସିହାରେ ‘ସମଧ୍ୱନି’ ନାମରେ ଏକ ତ୍ରୟୋମାସିକ ସାଂସ୍କୃତିକ ପତ୍ରିକା ପ୍ରକାଶିତ ହେଲା । ଯାହା ଧାରାବାହିକ ଭାବେ ୫ମ ବର୍ଷ ଶେଷକରିଛି । ଏହି ସଂଖ୍ୟାଟି ୬ଷ୍ଠ ବର୍ଷର ପ୍ରଥମ ସଂଖ୍ୟା(ରେଜିଷ୍ଟେସନ୍ ନଂ ଅନୁଯାୟୀ ୫ମ ବର୍ଷର ପ୍ରଥମ ସଂଖ୍ୟା) । ଏହି ପାଞ୍ଚବର୍ଷ ଭିତରେ ସମଧ୍ୱନି ଓଡ଼ିଶାର କୋଣ ଅନୁକୋଣକୁ ପହଂଚିବା ପାଇଁ ଉଦ୍ୟମ କରିଛି ।

ଅନେକ ଲୋକକଳାର କଳାକାରଙ୍କ ସମସ୍ୟା ଓ କଳା ନିପୁଣତାକୁ ଲୋକଲୋଚନକୁ ଆଣିଛି । ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଭଦ୍ରକ, ଗଞ୍ଜାମ ଠାରୁ ଆରମ୍ଭ କରି ଓଡ଼ିଶାର ସବୁ ପ୍ରାନ୍ତରର କଳାକାର ଓ ଲୋକକଳା, ସଂସ୍କୃତି ‘ସମଧ୍ୱନି’ର ପୃଷ୍ଠାକୁ ଜୀବନ୍ତ କରିଛନ୍ତି । କେବଳ ଲୋକକଳା ନୁହେଁ ଶାସ୍ତ୍ରୀୟକାର ମାନଙ୍କୁ ମଧ୍ୟ ‘ସମଧ୍ୱନି’ ସମାନଭାବେ ସ୍ଥାନୀତ କରିଛି ।

ଯେମିତି ସିତାରର ମହାନ କଳାକାର ବିଲାୟତ ଖାଁ ସାହେବଙ୍କ ଜୀବନ ଉପରେ ଆଧାରିତ ସାକ୍ଷାତକାର – ‘କୋମଳ ଗାନ୍ଧାର’ ଠାରୁ ଆରମ୍ଭ କରି ବିସ୍ମିଲ୍ଲା ଖାଁ ସାହେବଙ୍କ ଯାଏଁ ଏବଂ ଓଡ଼ିଶୀ ସଙ୍ଗୀତ ଗାୟିକା ଶ୍ୟମାମଣି ଦେବୀଙ୍କ ଠାରୁ ଆରମ୍ଭ କରି ରଘୁନାଥ ପାଣିଗ୍ରାହୀଙ୍କ ଯାଏ ‘ସମଧ୍ୱନି’ ଶାସ୍ତ୍ରୀୟ ସଙ୍ଗୀତର ଆବଶ୍ୟକତାକୁ ପ୍ରାଥମିକତା ଦେଇଆସିଛି ।

ଲୋକଙ୍କ ନିକଟରେ ଥିବା କଳା ଭିତରେ ଶାସ୍ତ୍ରୀୟତା ଖୋଜିବା ଏବଂ ଶାସ୍ତ୍ରୀୟ ସଙ୍ଗୀତକୁ ନିର୍ଦ୍ଦିଷ୍ଟ ଶ୍ରେଣୀ ହାତରୁ ନେଇ ଲୋକାଭିମୁଖୀ କରିବା ଏବଂ ଲୋକଙ୍କ ଜୀବନ ସହିତ ଶାସ୍ତ୍ରୀୟ ସଙ୍ଗୀତର ସ୍ୱର, ତାଳ ଓ ଲୟକୁ ଯୋଡ଼ିବା (ଯାହା ମହାତ୍ମା ଗାନ୍ଧୀ ଚାହୁଁଥିଲେ) ଏକ ଖୁବ ବଡ଼ ଚିନ୍ତା ଏବଂ କାର୍ଯ୍ୟ ହୋଇପାରେ କିନ୍ତୁ ଏହି ଚିନ୍ତାଟିକୁ ଓଡ଼ିଶା କ୍ଷେତ୍ରରେ ରୂପାୟନ କରିବାର ଯେଉଁ କାମଟି ‘ସମଧ୍ୱନି’ ଆରମ୍ଭ କରିଛି, ବଞ୍ଚି ରହିଥିବା ଯାଏ ନିଜର ଲକ୍ଷ୍ୟ ପଥରୁ କେବେହେଲେ ହଟିବ ନାହିଁ ବୋଲି ବଦ୍ଧପରିକର । ଏହି ପ୍ରକ୍ରିୟାରେ ବଡ଼ ବଡ଼ ଗୁରୁମାନଙ୍କ ଅନୁଭୂତି ଓ ଜ୍ଞାନକୁ ସାଉଁଟି ରଖିବାପାଇଁ ମଧ୍ୟ ପ୍ରୟାସ କରାଯାଉଛି । ‘ସମଧ୍ୱନି’ର ସବୁଠାରୁ ବଡ଼ ବିଫଳତା ହେଉଛି ଅଧିକ ପାଠକଙ୍କ ନିକଟରେ ପହଞ୍ôଚନପାରିବା ।

                ଏକ ବିଶେଷ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଆମ ସମାଜ ଏବଂ ସାଂସ୍କୃତିକ ଜୀବନ ଗତିକରୁଛି, ଏକଥା ଅନେକ ସ୍ୱୀକାର କରିଛନ୍ତି । ଏଭଳି ସମୟରେ ବିନା ପୃଷ୍ଠପୋଷକତାରେ ବଡ଼ବଡ଼ ସ୍ୱପ୍ନ ଦେଖିବା ଓ ଲକ୍ଷ୍ୟ ରଖିବା ହୁଏତ ସମଧ୍ୱନିକୁ ଅନେକ ସମାଲୋଚନାର ପରିସରକୁ ଆଣିପାରେ । ସେଥିପାଇଁ ବି କିଛି ବ୍ୟତିବ୍ୟସ୍ଥ ହେବାର ନାହିଁ । ଯେଉଁ ରାସ୍ତାଟି ଦୀର୍ଘ ସ୍ଥାୟୀ ଏବଂ ଯାହା କେବଳ ଆମକୁ ଲକ୍ଷ୍ୟପଥରେ ପହଞ୍ଚାଇପାରିବ ତାହାହିଁ କରିବା ଆମର ଧର୍ମ ।

ପ୍ରଶ୍ନ ଆସିପାରେ ଏମିତି ଏକ ସ୍ୱପ୍ନକୁ ସାକାର କରିବାପାଇଁ କେଉଁମାନେ ଆମ ସହିତ ଅଛନ୍ତି ଏବଂ ଏଥିପାଇଁ ପୁଞ୍ଜି କିଏ ଯୋଗାଇବ? ଆମେ ବାରମ୍ବାର ଗୋଟିଏ କଥା କହିବୁ ଯୁବପିଢ଼ିକୁ ସାଙ୍ଗରେ ନନେଇ କେହିବି ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖିପାରିବାନାହିଁ । ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ/ଯୁବତୀ, ଶାସ୍ତ୍ରୀୟ କଳାକାରଙ୍କଠାରୁ ଆରମ୍ଭକରି ଲୋକକଳାର କଳାକାର ଏବଂ କଳାରେ ଆଗ୍ରହ ରଖୁଥିବା ଜନଗଣ ହେବେ ଓଡ଼ିଶାର ସାଂସ୍କୃତିକ ପରିବର୍ତ୍ତନର ମୂଳ କର୍ଣ୍ଣଧାର । ଏକା ‘ସମଧ୍ୱନି’ ନୁହେଁ ‘ସମଧ୍ୱନି’ ଭଳି ଅନେକ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଯେତେବେଳେ ଗୋଟିଏ ସ୍ୱପ୍ନକୁ ଏକାଠି ଦେଖିବେ ସେତେବେଳେ ହୁଏତ ଅସମ୍ଭବ ମନେହେଉଥିବା କଥାଟି ଲୋକଙ୍କ ଜନଜୀବନରେ ଯୋଡ଼ି ହୋଇଯିବ ।

                    ‘ସମଧ୍ୱନି’ ବିଶ୍ୱାସ କରେ, ଲୋକସଂସ୍କୃତି ଏକ ପ୍ରାକୃତିକ ଜୀବନଶୈଳୀ ସହିତ ଯୋଡ଼ିହୋଇ ରହିଥାଏ । ଯେଉଁଠି ଦୈନନ୍ଦିନ ଜୀବନର ସବୁଭଲ ମନ୍ଦ ଗୁଡ଼ିକ ସହିତ ସଂସ୍କୃତି ଜଡ଼ିତ । କ୍ଷେତ ବାଡ଼ି, ଜଙ୍ଗଲ, ଗଛ, ପାହାଡ଼, ପର୍ବତ, ଝରଣା ହେଉଛି ଏହି ସଂସ୍କୃତିର ଉତ୍ପତ୍ତି ସ୍ଥଳ । ଯେତେବେଳେ ଲୋକଟି ତା’ର ସାଂସ୍କୃତିକ ପରିବେଶରେ ଥାଏ ତାର ସଂସ୍କୃତି ହଜି ହଜି ଯିବାର ସମ୍ଭାବନାଟି ମଧ୍ୟ ନଥାଏ ।

ଯେତେବେଳେ ବାହାରର ଲୋକ ସେମାନଙ୍କୁ ନିଜ ପାଣିପବନ ଓ ମାଟିରୁ ଅଲଗା କରିବାପାଇଁ ଚେଷ୍ଟାକରନ୍ତି ସେତେବେଳେ ଲୋକଙ୍କ ସହିତ ସେମାନଙ୍କ ସଂସ୍କୃତି ଧ୍ୱଂସ ହୁଏ । ଯାହା ଆମେ ଦେଖିଛନ୍ତି ହୀରାକୁଦ ଅଞ୍ଚଳରେ । ବିସ୍ଥାପନର କରାଳ ଗର୍ଭରେ ଲୋପ ପାଇଯାଇଛି ତା’ର ସାଂସ୍କୃତିକ ବିଭବ । ମହାନଦୀ କୂଳରେ ଗଢ଼ିଉଠିଥିବା ଏକ ମହାନ ସଂସ୍କୃତିର ଅନ୍ତ ହୋଇଛି ହୀରାକୁଦ ବନ୍ଧତଳେ । ତେଣୁ ବର୍ତ୍ତମାନ ସଂସ୍କୃତିପାଇଁ ଆହ୍ୱାନ ହେଉଛି କେମିତି ଲୋକ ନିଜର ସାଂସ୍କୃତିକ ପରିବେଶଟିକୁ ବଞ୍ଚାଇରଖିବେ ଯାହାଫଳରେ ସଂସ୍କୃତି ଦୀର୍ଘଜୀବୀ ହୋଇପାରିବ ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.