ଗାଁ ଦାଣ୍ଡରେ ଶୁଣିବାକୁ ମିଳୁନି ପାରମ୍ପରିକ ଧୁଡୁକି ଗୀତ

Swayamprava Parhi (Chief Editor)
519 Views
6 Min Read

ଆମ ଓଡ଼ିଶାରେ ଥିବା ବାଦ୍ୟଯନ୍ତ୍ରର ଭିନ୍ନ ଏକ ସ୍ଵାତନ୍ତ୍ର୍ୟତା ରହିଛି ଯାହା ଆମ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଅନେକ ବାଦ୍ୟଯନ୍ତ୍ରର ନୂଆଁ କଳେବର ହୋଇଥିଲେ ବି ଏମିତି ଅନେକ ପାରମ୍ପରିକ ବାଦ୍ୟଯନ୍ତ୍ର ଅଛି ଯାହା ଆମ ମନକୁ ଏବେ ବି ଛୁଏଁ । ସେଥିମଧ୍ୟରୁ ଧୁଡୁକି ବାଜାର ରୂପ ରହିଛି ଅପରିବର୍ତ୍ତନୀୟ । ଭଜନ ହେଉକି ଆଧୁନିକ ଗୀତ ବେଶ୍ ଲୋକପ୍ରିୟ ସବୁ ସ୍ଥାନରେ ଆଉ ସବୁ ସମୟରେ । ଆଉ ସେଥିରେ ଯେବେ ମିଶିଯାଏ ଧୁଡୁକିର ମନଛୁଆଁ ରାଗ, ମତୁଆଲା ହୋଇଉଠେ ପରିବେଶ । ବାଟରେ ଯାଉଥିବା ଦେଖଣାହାରୀ ବି ଘଡ଼ିଏ ଅଟକି ଯାଆନ୍ତି ସେହି ସୁମଧୁର ସଙ୍ଗୀତ ଶୁଣିବାକୁ । ଗାଁ ଦାଣ୍ଡରେ ଧୁଡୁକି ବାଜିଲେ ସଙ୍ଗୀତ ପ୍ରେମୀଙ୍କ ମନ ଖୁସିରେ ଫାଟିପଡ଼େ । ତାଙ୍କ ଗୀତ ଶୁଣି ଆନନ୍ଦିତ ହୋଇଯାନ୍ତି ଗାଁ ଲୋକେ । ଏହି ବାଦକ ମାନେ ଗାଁ ଗାଁ ବୁଲି କେବଳ ଲୋକଙ୍କର ମନୋରଞ୍ଜନ କରନ୍ତି ନାହିଁ ବରଂ ଲୋକଙ୍କୁ ଏପରି ପୁରୁଣା ବାଦ୍ୟଯନ୍ତ୍ରର ସଂରକ୍ଷଣ କରିବାକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ସଚେତନ କରନ୍ତି । ଏମାନଙ୍କ ମାଧୁର୍ଯ୍ୟଭରା ସଙ୍ଗୀତରେ ବିଭୋର ହୋଇ କିଏ ଚାଉଳ ଗଣ୍ଡେ ଦିଏ ତ, ଆଉ କିଏ ପରିବା ଦିଇଟା ଦେଇଥାଏ ସେମାନଙ୍କୁ ଯାହାକୁ ନେଇ ସେମାନେ ନିଜର ଗୁଜୁରାଣ ମେଣ୍ଟାନ୍ତି ଆତ୍ମସନ୍ତୋଷରେ । ପିଲା ଦିନେ ଗାଁ ଦାଣ୍ଡ ଶୁଣିବାକୁ ମିଳୁଥିଲା ଏହି ପଲ୍ଲିଗୀତ ଧୁଡୁକି । ଧୁଡୁକି ବାଦ୍ୟରେ ତାଳେ ତାଳେ ଗାଉଥିଲେ “ମା ପରି କିଏ ହୋଇବ, ମା’ ପରି କିଏ ହୋଇବ, ମା’- ବାପ ସେବା ଯେ ପୁଅ କରଇ, କୋଟି ପୂର୍ଣ୍ଣଫଳ ପାଇବ ।

Support Samadhwani

ସେହିପରି ଅଭିରାମ ପରମହଂସଙ୍କ “କେତେ ଶୋଇଛୁଲ ମା’ ତୋତେ ବାପା ଡାକୁଛି, ପିଲା ଜନମ ନ ହେଉଣୁ କ୍ଷୀର ମାଗୁଛି” । ଏହି ଗୀତର ମୂଚ୍ଛନା ଗାଁ ଦାଣ୍ଡରେ ଭାସି ଆସିଲେ ପିଲାଠୁ ବୁଢ଼ା ସଭିଏଁ ଚେଇଁ ଉଠନ୍ତି । ଆଜି କିନ୍ତୁ ଶୁଣିବାକୁ ମିଳୁନି ଏହି ପାରମ୍ପରିକ ଧୁଡୁକି ବାଦ୍ୟର ସ୍ୱର । ଗାଁ ଲୋକେ ଆସ୍ତେ ଆସ୍ତେ ଏହି ଗୀତ ଓ ବାଦ୍ୟକୁ ଭୁଲି ଗଲେଣି । ଏହି ଧୁଡୁକି ଗୀତକୁ କେହି କେହି ଘୁଡୁକି ଗୀତ ମଧ୍ୟ କୁହନ୍ତି । ଏହି ଧୁଡୁକି ଗୀତ ହେଉଛି ଏକ ବାଦ୍ୟଯନ୍ତ୍ରର ଯାହା ସୁନ୍ଦର ହସ୍ତ ଚାଳନା ଶୈଳୀ ସାଙ୍ଗକୁ ପାରମ୍ପରିକ ଓ ସାଂସ୍କୃତିକ ଗୀତକୁ ବୋଲାଯାଉଥିବା ଓଡ଼ିଶାର ଏକ ପାରମ୍ପାରିକ ଲୋକକଳା । ଧୁଡୁକି ବଜାଇ ଆମ ଓଡ଼ିଶାର କିଛି ସମ୍ପ୍ରଦାୟର ଲୋକମାନେ ଗାଁ ଗାଁ ବୁଲି ଲୋକମାନଙ୍କର ମନୋରଞ୍ଜନ କରନ୍ତି ଆଉ ସେଥିରୁ ଅର୍ଥ ଉପାର୍ଜନ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଧୁଡୁକି ବଜେଇ, ଏମାନେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକବିତା, ରାଧାକୃଷ୍ଣଙ୍କ ପ୍ରେମ କାହାଣୀ, ବିଭିନ୍ନ ଗ୍ରନ୍ଥ ଉପନିଷଦର କଥା ବୋଲି ଶୁଣେଇଥାନ୍ତି । ଢେଙ୍କାନାଳ, ନୟାଗଡ଼, ଯାଜପୁର ଆଦି ଅଞ୍ଚଳରେ ଏହି କଳାକାରମାନେ ଅଧିକ ଦେଖାଯାଆନ୍ତି । ଧୁଡୁକି, ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ବାଦ୍ୟଯନ୍ତ୍ର ଓ ବଜେଇବା ଲୋକେ ନିଜେ ଏହାକୁ ତିଆରି କରିଥାନ୍ତି । କାଠର ଏକ ନଳର ଗୋଟିଏ ପାର୍ଶ୍ୱରେ ଏକପ୍ରକାର ଚମଡାର ଆବରଣ ପକାଯାଇ, ତାହାର ମଧ୍ୟଭାଗରେ ଏକ ପ୍ଲାଷ୍ଟିକ ବା ଧାତୁ ନିର୍ମିତ ଡୋରି ବନ୍ଧାଯାଇଥାଏ । ଡୋରିର ଅନ୍ୟ ପ୍ରାନ୍ତରେ ଏକ ଦଣ୍ଡ ବିନ୍ଧାଯାଇଥାଏ । କାଖରେ ଧୁଡୁକିର ନଳ, ପାପୁଲିରେ ଦଣ୍ଡକୁ ଭିଡିଧରିବା ସହ, ଅନ୍ୟ ହାତର ଚାରି ଆଙ୍ଗୁଠି ସାହାଯ୍ୟରେ ଡୋରିକୁ ଟାଣି ଏହାକୁ ବଜାଯାଏ ।

ଏହାର ଧ୍ୱନିକୁ ଆହୁରି ସୁନ୍ଦର କରିବା ପାଇଁ, ଦଣ୍ଡରେ ଘୁଙ୍ଗୁର ମଧ୍ୟ ବନ୍ଧାଯାଇଥାଏ । ଧୁଡୁକିର ତାଳେ ତାଳେ, ଘୁଙ୍ଗୁରର ଶବ୍ଦ ବେଶ ମଧୁର ଧୂନ୍ ସୃଷ୍ଟି କରିଥାଏ । ଆଧୁନିକ ବାଦ୍ୟଯନ୍ତ୍ରର ଆଗମନ ପରେ ଧୁଡୁକି ବାଦ୍ୟ ତାର ସତ୍ତା ହରାଇଛି । ଯାହାଦ୍ୱାରା ଧୁଡୁକି ବଜାଇ ଗୁଜୁରାଣ ମେଣ୍ଟାଉଥିବା ବହୁ ଲୋକ ଏବେ ଏଥିରୁ ଦୂରେଇ ଯାଉଛନ୍ତି । ଯେଉଁ କେତେଜଣ ଏହାକୁ ବଞ୍ଚାଇ ରଖିଛନ୍ତି ସେମାନଙ୍କ ପରିବାର ଅବସ୍ଥା ଦୟନୀୟ ହୋଇପଡ଼ିଛି । ତଥାପି ସେମାନେ ହାର ମାନି ନାହାନ୍ତି । ଦୁଃଖକଷ୍ଟରେ ପରିବାର ଚଳାଉଛନ୍ତି ଆଉ ଏହି ପାରମ୍ପରିକ ଓ ସଂସ୍କୃତି ଭିତ୍ତିକ ଲୋକ କଳାକୁ ହଜାଇବାକୁ ଦେଇ ନାହାଁନ୍ତି । ଆମ ଓଡ଼ିଶାର ଗଞ୍ଜାମରେ ଏହି ଧୁଡୁକି ଗୀତକୁ ଫକାଲା ଘୁଡୁକି’ ଭାବରେ ଜଣାଯାଏ । ଧୁଡ଼ୁକି ଯନ୍ତ୍ରଟି ମଳତଃ ଶୁଦ୍ଧଶବର ଜାତିମାନଙ୍କ ନୃତ୍ୟଗୀତରୁ ଉତ୍ପନ୍ନ । ଗଞ୍ଜାମର ପୁରାତନ ଗୁରୁ ପ୍ରାଣବନ୍ଧୁ ତରାଇ ଧୁଡୁକିକୁ ସର୍ବପ୍ରଥମେ ନୂଆ ରୂପ ଦେଇ ବହୁ ପ୍ରସିଦ୍ଧ କରେଇପାରିଥିଲେ । ସେ ଅଳ୍ପ କାଲା ଥିବାରୁ ଲୋକେ ଧୀରେ ଧୀରେ ଫକାଲା ଘୁଡୁକି ଭାବେ ସମ୍ବୋଧନ କରିବା ଆରମ୍ଭ କରିଲେ । ପ୍ରାଣବନ୍ଧୁଙ୍କ ପୁତ୍ର ନୀଳକଣ୍ଠ ତରାଇ ମଧ୍ୟ ଘୁଡୁକିନାଟର ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ଷକ ଭିତରେ ବିଶେଷ କରି କାର୍ତ୍ତିକ ମାସରେ ଗାଁକୁ ଗାଁ ବୁଲି ସେ ଧୁତୁକି ବଜାଇବାକୁ ଆସନ୍ତି ଏହି ପାରମ୍ପରିକ ବାଦକମାନେ । ଅନ୍ୟ ସମୟରେ ନିଜର ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବା ସହିତ ଏମାନେ ଯାତ୍ରୀବାହୀ ରେଳଗାଡ଼ି ଓ ବସ୍‌ରେ ଧୁଡୁକି ବଜାନ୍ତି । ସେମାନେ ଧୁଡୁକି ବଜାଇ ଭୀମ ଭୋଇଙ୍କ ତତ୍ତ୍ୱଭରା ଗୀତ ଉଦ୍ଧବ ହେ ଶୁଣ ବିପରୀତ ବାଣୀ, ପର୍ବତ ଶିଖରେ ଶେଉଳ ରମଣୀ, ସମୁଦ୍ର ଖେଳେ ହରିଣୀ’ ଗୀତ ଗାଇ ଥାନ୍ତି ଆଉ ଏହା ସହିତ ଅନାନ୍ୟ ପାରମ୍ପରିକ ଲୋକ ଗୀତ, ଓଡ଼ିଆ ଭାଗବତ ଓ ବିଭିନ୍ନ ତତ୍ତ୍ୱ ପୂର୍ଣ୍ଣ ଭଜନ ଗୀତ ଗାଇଥାନ୍ତି ଯାହା ଲୋକ ମାନଙ୍କୁ ଖୁବ୍ ଆକୃଷ୍ଟ କରେ । ଲୋକେ ଏହି ଗୀତ ଶୁଣି ଖୁସି ହୋଇ ସେମାନଙ୍କୁ କିଛି ଟଙ୍କା ମଧ୍ୟ ଦେଇଥାନ୍ତି ଆଉ ଏଥିରେ ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି ।

ହେଲେ ଦୁଃଖର କଥା ଧୁଡୁକି ବାଦ୍ୟକୁ ଆମ ଓଡ଼ିଶାରେ ସ୍ୱୀକୃତି ମିଳିନାହିଁ, ହେଲେ କୋଲକାତାରେ ଏହି ବାଦ୍ୟକୁ ସ୍ୱୀକୃତି ମିଳିଛି । ଓଡ଼ିଶାରେ ଜନ୍ମିତ ଏହି ବାଦ୍ୟର ଆଦର ଓଡ଼ିଶାରେ ନ ଥିଲେ ମଧ୍ୟ ବାହାର ରାଜ୍ୟରେ ଅଛି ଆଉ ଆମ ଓଡିଶାର କଳାକାରମାନେ କୋଲକାତା ଓ ଆନ୍ଧ୍ରପ୍ରଦେଶ ଯାଇ ତାଙ୍କ ଭାଷାକୁ ଶିଖି ଏହି ଲୋକ କଳାକୁ ନେଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଏଥିପାଇଁ ସେ ବଙ୍ଗଳା ଓ ତେଲଗୁ ଭାଷା କ୍ୟାସେଟ୍ ମଗାଇ ତାକୁ ଶୁଣି ଧୁଡୁକି ସ୍କେଲରେ ପକାଇ ଗୀତ ଗାଇଥାନ୍ତି । ଏହି ସବୁ ଗୀତ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଓ ଶରୀର ତତ୍ତ୍ୱ ସମ୍ପର୍କରେ ବାର୍ତ୍ତା ରହିଥାଏ । ତେବେ ରାଜ୍ୟ ସରକାର ଓ ସଂସ୍କୃତି ବିଭାଗ ଏହାକୁ ସ୍ୱୀକୃତି ଦେଇ ଏହାର ଉନ୍ନତି ପାଇଁ କିଛି ପଦକ୍ଷେପ ଓ ସହଯୋଗର ହାତ ବଢ଼ାଇଲେ ଏହି ପାରମ୍ପରିକ ଲୋକକଳା ଉନ୍ନତି ହେବା ସହ ଏହାକୁ ଜୀବନ ଜୀବିକା କରିଥିବା କଳାକାରଙ୍କୁ ଆର୍ଥିକ ଉନ୍ନତି ହେବା ସହିତ ଲୋକଲୋଚନରୁ ଦୂରେଇ ଯାଉଥିବା ଏହି ପାରମ୍ପରିକ ଲୋକ କଳା ଓ ଲୋକ ଗୀତର ମଧ୍ୟ ଉତ୍ଥାନ ହେବା ସହ ଏହି ଦୁର୍ଲଭ ବାଦ୍ୟଯନ୍ତ୍ରର ମଧ୍ୟ ସଂରକ୍ଷଣ ହୋଇପାରନ୍ତା ।

Support Samadhwani

ସୌଜନ୍ୟ- ବିଶ୍ୱବାଣୀ

ଲେଖକ- ଅମୂଲ୍ୟ କୁମାର ପଣ୍ଡା

ଫୋଟୋ କ୍ରେଡିଟ- ପ୍ରତୀକ ପଟ୍ଟନାୟକ

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.