ପାପୁଲି

ପାପୁଲିର କେଉଁ ରେଖା
କହୁଥିଲା ଯେ
ହାତରୁ ଏ ଛିନ୍ନହେବ
ଓ ନିଃସଙ୍ଗ ଗଡ଼଼ିବ?

ଯେଉଁ ପାପୁଲିକୁ ଧରି
ମା’ ମୋର ଚାଲି ଶିଖାଇଲା
ଯାହାକୁ ମୁଁ ଆଶ୍ରା କରି
ଗଛରେ ଚଢ଼ିଲି
ତାଳ ଧରି ବାହି ହେଉଥିଲି ।

ଯେଉଁ ପାପୁଲିରେ ମୁଁ ପାଇଲି
ମୋ ପ୍ରିୟାର ଚିବୁକ ଉଷ୍ମତା
ପାପୁଲିକୁ ମୁଠାକରି
କହୁଥିଲି ଶକ୍ତିଶାଳୀ ଆମେ
ସେ ପାପୁଲି ଛିନ୍ନ ହେବ
କେଉଁ ରେଖା କହୁଥିଲା ସତେ?

ଏ’ତ ଇତିହାସ କଥା
ଆଙ୍ଗୁଳି କାଟିବା
ଗୁରୁର ଦକ୍ଷିଣା ପାଇଁ
ଏକଲବ୍ୟର

Samadhwani Support us

ଏ’ତ ଇତିହାସ କଥା
ଆଙ୍ଗୁଳି କାଟିବା
କମ୍ପାନୀ ବଜାର ପାଇଁ
ବୁଣାକାରର

ଏବେ ପାପୁଲି କଟିଲା
ଇତିହାସ ହେଲା
ନିର୍ବାଚନୀ ପ୍ରତୀକଟା
ଜୀବନ୍ତ ହୋଇଲା–
ବୁଝାଗଲା-
ଯେ କିଛି ବଦଳିନି, ବଦଳୁନି
ଏକଲବ୍ୟଠାରୁ
ଆଜିଯାଏ
ତଥାପି ଖୋଜୁଚି
ପାପୁଲିରେ ରେଖାଟେ
ଯେ କହିବ
ବଦଳିବ, ନିଶ୍ଚେ ବଦଳିବ

ନା କେବେ ଆଙ୍ଗୁଳି କଟିବ
ନା ପାପୁଲି ହାତରୁ ଖସିବ
ଯେ କହିବ
ଏ ପାପୁଲି ଖୁବ ଶକ୍ତ ହେବ
ତା ଭିଟାମାଟି
ତା ପାଣିପବନକୁ
ତା ହାତ ମୁଠାରେ ରଖିବ ।

Photo Credit -https://bit.ly/3vKxqsb

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ