ସାହିତ୍ୟ ବାଲ୍ମୀକିଙ୍କୁ ପ୍ରଶ୍ନ ପ୍ରଫେସର ବୀରେନ୍ଦ୍ର ନାୟକ Published: May 2, 2020 405 Views Share 1 Min Read SHARE ତୁମେ ମୋତେ କାହିଁକି କରିଲ ସୃଷ୍ଟି ହେ! ଋଷି ବାଲ୍ମୀକି? କାହିଁକି ଛଡାଇ ନେଲ ମୋର ଅଧିକାର ଇତିହାସ ଗର୍ଭରେ ବିଲୀନ ହେବାର? ମୁଁ ସାଧାରଣ ରାଜା ଥିଲି ବାପା, ମା ଥିଲେ, ମୋର ପିଲାପିଲି ଥିଲେ କିଛି ଲଢିଛି ନିଶ୍ଚୟ ମୋ ରାଜ୍ୟରେ ମୁଁ ହୁଏତ ସଭିଙ୍କୁ ସ୍ୱଚ୍ଛଳ କରିଛି ସାଧାରଣ ରଜକର ସନ୍ଦେହରେ ସ୍ତ୍ରୀକୁ ଛାଡିଛି ସାଧାରଣ ଲୋକଙ୍କର ଗାରିମା ବୁଝିଛି । ଏ ସବୁ ଠିକ, ସବୁ ସତ୍ୟ ତଥାପି କଣ ନାହିଁ ମୋର ଅଧିକାର ଅଜଣା ଅଶୁଣା ହୋଇ ରହିଯିବାର ? ଜବାବ ଦିଅ ବାଲ୍ମୀକି କାହିଁକି ଛଡାଇ ନେଲ ମୋର ଅଧିକାର ଇତିହାସ ଗର୍ଭରେ ବିଲୀନ ହେବାର? ମୁଁ ଯଦି ନ ଥାନ୍ତି ଆଜି ଜନ ମାନସରେ କାହାର ସୁଯୋଗ ଥାନ୍ତା କରିବାକୁ ମୋତେ ହତିଆର? କାହିଁକି ବହିଥାନ୍ତା ରକ୍ତର ନଦୀ? କାହିଁକି ଉଦବାସ୍ତୁ ହୋଇଥାନ୍ତେ ନାଗରିକ, ଏତେ ନରନାରୀ? ଲକ୍ଷ ଲକ୍ଷ ବାସଗୃହ ଭାଂଗି କାହିଁକି ଖୋଜୁଥାନ୍ତେ ମୋର ଜନ୍ମଭୂମି ଗଢୁଥାନ୍ତେ ମୋର ବାସଗୃହ? ତୁମେ ମୋତେ ଦେଇଥିଲ ଖ୍ୟାତି ମୁଁ ରାମ ରାଜ୍ୟ ଗଢିଛି ଯେଉଁଠି ମଣିଷ ମୁକ୍ତ ମୁକ୍ତ ତାର ସବୁ ଅଭିବ୍ୟକ୍ତି । ସେହି ରାମ ଆଜି ବନ୍ଦୀ ତାହାରି ନାମରେ ଆଜି ଧ୍ୱଂସର ତାଣ୍ଡବ । ହେ ଋଷି ପ୍ରବର! ସବୁ ଭଲ ଗୁଣ ନେସି ନେସି କରିଥିଲ ଯେଉଁ ଚରିତ୍ର ଗଠନ ତାକୁ ଗ୍ରାସିଛି କିପରି ଆଜି ଏକ ସଇତାନ କବଳିତ କରି ତାକୁ ଛାଡିଛି ଅସହାୟ କରି; ତାର ଆତ୍ମାରେ ଗୁଳି ଭେଦି ତା ନାମକୁ ଅଫିମ କରିଛି । କୁହ ବାଲ୍ମୀକି ଏବେ ତୁମକୁ କିପରି ଲାଗୁଛି? (ରଚନା ୧୯୯୩) Photo credit- https://bit.ly/2VlMcE5 Share This Article Facebook Whatsapp Whatsapp Copy Link Share Byପ୍ରଫେସର ବୀରେନ୍ଦ୍ର ନାୟକଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ Previous Article ମୋ ପାଇଁ ଅପେକ୍ଷା କର (ଶ୍ରଦ୍ଧାଞ୍ଜଳି ଇରଫାନ) Next Article ସୃଜନଶୀଳତାର ଯୁଗୋପଯୋଗୀ ପ୍ରୟୋଗ ଆବଶ୍ୟକ