
ସଙ୍ଗୀତା ମହାନନ୍ଦ
୨୦୨୩ ମସିହାରେ ସଙ୍ଗୀତା ମହାନନ୍ଦ ଯେତେବେଳେ ପାଇକମାଳ ସ୍ଥିତ ଛେତଗାଁ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଥିଲେ, ସେତେବେଳେ ସେ ନିଜ ଗାଁର ଇତିହାସ ଲେଖିବା ଆରମ୍ଭ କରିଥିଲେ। ନିଜ ଗାଁ ସମ୍ପର୍କରେ ଗବେଷଣା କରି ସେ ଗାଁର ଇତିହାସ, ସଂସ୍କୃତି, ଜୀବନଶୈଳୀ ଓ ସମୟ ସହିତ ଘଟିଥିବା ପରିବର୍ତ୍ତନର ଧାରାକୁ ଆଜି ପର୍ଯ୍ୟନ୍ତ ଲିପିବଦ୍ଧ କରି ଚାଲିଛନ୍ତି। ସେ ନିଜ ଗାଁ ଉପରେ ଏକ ଭିଡ଼ିୟ ମଧ୍ୟ ପ୍ରକାଶ କରିଛନ୍ତି । ଗାଁର ବୟସ୍କ ବ୍ୟକ୍ତିମାନଙ୍କ ସହ ସାକ୍ଷାତକାର, ସ୍ଥାନୀୟ ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ଯୋଗ ଦେବାର ସ୍ମୃତି ଓ ମୌଖିକ ଇତିହାସକୁ ଆଧାର କରି ସେ ଯେଉଁ ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି, ଏହି ଲେଖା ତାହାର ଏକ ଅଂଶ। ସମଧ୍ୱନି ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ସେହି ଦିଗରେ ସଦା ସହଯୋଗ, ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରୟାସକୁ ସମର୍ଥନ କରିବ। – ସମ୍ପାଦକ
ପରିଚୟ:
ଆମ ଗାଁ’ର ନାମ ପରଶଖଣ୍ଡି। ଏହା ଏକ ନଦୀ ଖଣ୍ଡିରେ ଅବସ୍ଥିତ। ଆମ ଗାଁ ନଦୀ ଖଣ୍ଡିରେ ପରଶ ନାମକ ଏକ ପଥର ମିଳିଥିବାରୁ ପୂର୍ବପୁରୁଷମାନେ ଗାଁ’ର ନାମ ପରଶଖଣ୍ଡି ଦେଇଥିଲେ ବୋଲି ଆମ ଗାଁର ବୟସ୍କ ଲୋକମାନେ ଗାଁର ପୁରୁଣା ଲୋକଙ୍କ ନିକଟରୁ ଶୁଣିଛନ୍ତି । ଆମ ଗାଁ ପ୍ରାୟ 300 ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିଲା। ଓଡ଼ିଶା ଛତିଶଗଡ଼ ସୀମାରେ ଆମ ଗାଁ ଅବସ୍ଥିତ । ଓଡ଼ିଶାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଛେତଗାଁ ପଞ୍ଚାୟତରେ ଏହି ଛୋଟିଆ ଗାଁ’ଟି ଅବସ୍ଥିତ। ଏହା ଗୋଟିଏ ୱାର୍ଡ ବିଶିଷ୍ଟ ଗ୍ରାମ ଅଟେ। ଆମ ଗାଁ ଜଙ୍ଗଲିଆ ଅଞ୍ଚଳ। ଗାଁ’ର ସବୁଆଡ଼େ ଜଙ୍ଗଲ ହିଁ ଜଙ୍ଗଲ ଦେଖାଯାଏ। ଛେତଗାଁ ପଞ୍ଚାୟତରେ ୫ଟି ଗାଁ ଅଛି। ସେ ଭିତରୁ ଗୋଟିଏ ଗାଁ ଆମର। ଏତେ ଗାଁ ଅଛି କିନ୍ତୁ ସବୁ ଗାଁ ଭିତରୁ ଆମ ପରଶଖଣ୍ଡି ଗାଁ ଟା ଅଲଗା। କାରଣ ଆମ ଗାଁ’ରେ ପର୍ବପର୍ବାଣୀ ଭିନ୍ନ ଓ କଳାସଂସ୍କୃତି ଭିନ୍ନ ଅଟେ। ଗାଁ’ରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି, ଯେପରି; କଳଙ୍ଗା, କଲାର, ଗୌଡ଼, ତେଲି, ଲୁହୁରା ଓ ଅନୁସୂଚିତ ଜାତି ଇତ୍ୟାଦି। ଗାଁ’ର ଅଧିକ ଲୋକ କଳଙ୍ଗା ଅଟନ୍ତି। କଳଙ୍ଗା ଜାତିର ଭାଷା ଅଲଗା। ସେମାନେ ଲରିଆ ଭାଷାରେ କଥାବାର୍ତ୍ତା ହୁଅନ୍ତି। ଗାଁ’ରେ ବିଭିନ୍ନ ସମ୍ପ୍ରଦାୟର ଲୋକ ରହିଥିଲେ ମଧ୍ୟ କେହି କାହାକୁ ଘୃଣା କରନ୍ତି ନାହିଁ I ସମସ୍ତେ ମିଳିମିଶି ଚଳନ୍ତି I ସକାଳ ଏବଂ ସନ୍ଧ୍ୟାରେ ଗାଁ ଲୋକେ ଗୋଟିଏ ପିଣ୍ଡାରେ ବସି କଥାବାର୍ତ୍ତା ହୁଅନ୍ତି। ଗାଁ’କୁ ବାହାରର ଲୋକ ଦେଖିଲେ ଗାଁ ଯିବା ବାଟରେ ଅଧିକ ଜଙ୍ଗଲ ଥିବାରୁ କିଛି ଲୋକ ଜଙ୍ଗଲିଆ ଗାଁ କହିଥାନ୍ତି ଅର୍ଥାତ ଗାଉଁଲିଆ ଗାଁ ବୋଲି ଉପହାସ କରିଥାନ୍ତି। ଆମ ଗାଁ’କୁ ଯିଏ ଯେମିତି କହୁ ପଛେ ଆମ ଗାଁ ମୋ ପାଇଁ ସ୍ୱର୍ଗଠୁ କମ ନୁହେଁ।
ଅତୀତ ଓ ବର୍ତ୍ତମାନ
ଗାଁ ପ୍ରଥମେ ବସିଲାବେଳେ ଗଛ, ବାଉଁଶରେ ଝାଟିମାଟିରେ ଘର କରୁଥିଲେ। ତାପରେ ମାଟି କାନ୍ଥ ଓ ଖପରା ଘେରରେ ରହିଲେ। ପୂର୍ବେ ଗାଁରେ ଗୁଟେ କି ଦୁଇଟି ଘର ଥିଲା। ତାପରେ ପାଞ୍ଚ ଛଅ ଟି ଘର ହେଲା। ଏବେ ପ୍ରାୟ ୫୪ ଟି ମାଟିଘର ( ଚାଉଳ ଓ ଖପର )ଓ ୬୫ଟି ପକ୍କାଘର ଅଛି। ପ୍ରଥମେ ଲୋକସଂଖ୍ୟା ପ୍ରାୟ ୧୫ ଥିଲେ କିନ୍ତୁ ଧୀରେ ଧୀରେ ୬୦୦ ରୁ ବେଶୀ ହେଲେଣି। ଆଉ ବର୍ତ୍ତମାନ ସରକାରଙ୍କ ସହଯୋଗରେ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତେ ଘର ତିଆରି କରି ରହୁଛନ୍ତି। ବର୍ତ୍ତମାନ ବିଭିନ୍ନ ସରକାରୀ ସହଯୋଗ ମିଳିଲାଣି ।
ଅତୀତରେ ଆମ ଗାଁ କେମିତି ଥିଲା ସେ ବିଷୟରେ ଜାଣିବାପାଇଁ ମୁଁ ଆମ ଗାଁ’ର ସବୁଠାରୁ ମାନ୍ୟଗଣ୍ୟ ବୟସ୍କ ଯଦୁମଣି ଡନସନାଙ୍କ ସହ ସାକ୍ଷାତକାର କରିଥିଲି। ତାଙ୍କର ବୟସ ୭୫ରୁ ଅଧିକ। ସେ କହିଥିଲେ ଯେ, “ଆମ ପୁର୍ବପୁରଷମାନଙ୍କଠାରୁ ଜଣାଯାଏ ଯେ, ଆମ ଏଠାରେ କୌଣସି ଗ୍ରାମ ନଥିଲା। ପାଟଣା ଅଞ୍ଚଳରୁ କଲଙ୍ଗା ସମାଜର ଗୋଟିଏ ପରିବାର ପ୍ରଥମେ ଆସିଥିଲେ ଏଠାରେ ବସତି ସ୍ଥାପନ କରିଥିଲେ। ତାପରେ ଧୀରେ ଧୀରେ ସେହି ଅଞ୍ଚଳର ସେହି କଲଙ୍ଗା ସମାଜର ଲୋକ ଅଧିକ ଆସିଥିଲେ। ତା’ପରେ ହରିଜନ, କଲାର, ଗୌଡ଼, କେଉଟ ଓ ସାହୁ ପରିବାରର ଲୋକ ଆସି ଏଠାରେ ବସତି ସ୍ଥାପନ କରି ରହିଲେ।
ଆମ ପୂର୍ବପୁରୁଷମାନେ କହୁଥିଲେ ଯେ, ସେତେବେଳେ ଚାଷ ଜମିରେ କାମ କରୁଥିବା ସମୟରେ ନଦୀ ବା ନାଲା ଖଣ୍ଡିରୁ ପରଶ ନାମକ ଏକ ପଥର ମିଳିଥିବାରୁ ଏହି ଗାଁର ନାମ ପରଶଖଣ୍ଡି ରଖାଗଲା। କଳଙ୍ଗା ସମାଜର ପରିବାର ପ୍ରଥମେ ଯେତେବେଳେ ବସତି ସ୍ଥାପନ କରିବା ପାଇଁ ଆସିଥିଲେ, ଏହି ଜାଗା ମନୋନୀତ କରି ଜାଣିପାରିଲେ ଯେ, ଏଇ ଜାଗାଟି ଛେତଗାଁ ଗଉଁତିଆଙ୍କ ଅଧିନରେ ଅଛି। କଳଙ୍ଗା ସମାଜ ସେହି ପରିବାର ଯାଇ ତାଙ୍କୁ ବିନୟ ଭାବରେ ଜଣାଇଲେ, ଆମେ ଏଠାରେ ରହିବାକୁ ଇଛା କରିଅଛୁ। ଆମକୁ ଏଠାରେ କିଛି ଜାଗା ଦିଅନ୍ତୁ। ସେ ଖୁସିହୋଇ ଏଠାରେ ଥିବା ସବୁ ଚାଷଜମି ଓ ଗୋଚର ଜମିକୁ ପ୍ରଦାନ କରିଥିଲେ। ସେଇ ଦିନଠାରୁ ଏହି ଜାଗାଟି ଆମ ପରଶଖଣ୍ଡି ଗ୍ରାମର ଅଧିନରେ ରହିଲା।
ଗାଁର ବୟସ୍କ ଜଗତରାମଙ୍କ ସହିତ ସାକ୍ଷାତ କରିଥିଲି। ତାଙ୍କର ବୟସ ୮୫। ସେ କହିଲେ ଯେ, “ଆଗକାଳରେ ଆମ ଗାଁ ଲୋକେ ବହୁତ ଅସୁବିଧାରେ ଚଳୁଥିଲେ। ଖାଇବାକୁ ମିଳୁନଥିଲା। ମହୁଲ, ଚାର, କେନ୍ଦୁ, କୁଦୋ, ଗୁଂଜି, ଫାଙ୍ଗପତ୍ର, ଝଟା ଖାଇକି ଜୀବନଯାପନ କରୁଥିଲେ। କାହାରି ପାଖରେ ଭଲ ଘର ନଥିଲା। ଖପର ଛଉଥିଲେ, ଖପର ନ ପାଇଲେ ଡାଳପତ୍ର ଛଉଥିଲେ। ମାଟିଘର, ଚାଳଛପର, ଖପରା ଘରରେ ଗାଁ ଲୋକେ ରହୁଥିଲେ। ସେତେବେଳେ ଗାଁର ପରିବେଶ ଥଣ୍ଡା ଥିଲା, କାରଣ ଗାଁରେ ଅଧିକ ଗଛଲତା ଥିବାରୁ ଥଣ୍ଡା ଲାଗୁଥିଲା। ବହୁତ ବିଶାଳ ଗଛ ଗୁଡ଼ିକ ଥିଲା। ଖରାଦିନେ ସେତିକି ଗରମ ଲାଗୁନଥିଲା। ପୂର୍ବେ ମାଆମାନେ ଆମ ଗାଁର ପାଖ ଗାଁ ପଡୋଶୀ ଗାଁ କଟଙ୍ଗ ପାଳିକୁ କାମକରି ଯାଉଥିଲେ। କାମରୁ-ଘରକୁ ଆସିଲା ବେଳକୁ ଯଦି ଛୁଆ କିଛି ଖାଇବାକୁ କହେ ପିଲାକୁ ମୁଢ଼ି ଗୁଡ଼ ଖଣ୍ଡିଏ ଦେଉଥିଲେ। ପୂର୍ବେ ଲୋକେ ପୁଷ୍ଟିକର ଖାଦ୍ୟ ଖାଉଥିଲେ ସେଥିପାଇଁ ସେତିକି ରୋଗରେ ପୀଡ଼ିତ ହେଉନଥିଲେ। ଲୋକମାନେ ନିଜେ ମଦ ପ୍ରସ୍ତୁତ କରି ପିଉଥିଲେ। ବର୍ତ୍ତମାନ ଗାଁରେ ସରକାରଙ୍କ ତରଫରୁ ବହୁତ ଗୁଡ଼ିଏ ସୁବିଧା ସହଯୋଗ ମିଳିଲାଣି। ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନାରେ ଘର ମିଳୁଛି। ପୂର୍ବେ ଜଙ୍ଗଲରେ ଅଧିକ ଗଛ ତହିଁରୁ ଖରା ଦିନେ ଗାଁ ପରିବେଶ ଥଣ୍ଡା ଲାଗେ କିନ୍ତୁ ବର୍ତ୍ତମାନ ଆଉ ସେତେ ଗଛ ନାହିଁ। ସେଥିପାଇଁ ଏବେ ଖରାଦିନରେ ବହୁତ ଗରମ ଲାଗେ। ଘରେ କୁଲର, ପଙ୍ଖା ଥିଲେ ବି ଖରାଦିନେ ରହି ହେଉନାହିଁ। ଏବେ ଜଙ୍ଗଲର ଗଛ ଗୁଡ଼ିକୁ କାଟିବା ପାଇଁ ଜଙ୍ଗଲ ସୁରକ୍ଷା କର୍ମଚାରୀ ମାନେ ମନା କରୁଛନ୍ତି। ସେଥିପାଇଁ କମ ପରିମାଣରେ ଗଛ ଗୁଡ଼ିକ ବଂଚି ରହିଛି କିନ୍ତୁ ପୂର୍ବକାଳ ପରି ବର୍ତ୍ତମାନ ଗଛ ଗୁଡ଼ିକ ଭଲଭାବରେ ବଢି ପାରୁନାହାନ୍ତି। ଆଗ କାଳରେ ଗାଁର ଲୋକଙ୍କୁ ପାଣିର ବହୁତ ଅସୁବିଧା ହେଉଥିଲା କିନ୍ତୁ ଏବେ ତ ପ୍ରତେକ ଆଡ଼େ ନଳକୂପ ହେଲାଣି। ସମସ୍ତେ ନଳକୂପର ପାଣି ପିଅନ୍ତି। ଗାଁରେ ଏବେ ପାଣିର ଅସୁବିଧା ନାହିଁ। ସରକାର ଗାଁ ଲୋକଙ୍କୁ ପାଣି ଦେଲାଣି। ପୂର୍ବେ ଗାଁର ଝିଅ ଓ ମହିଳାମାନେ ଗାଁ ଆଖପାଖ ଗାଁକୁ କାମ କରି ଯାଉଥିଲେ। ଧାନ ବେଉଷଣ କରିବାକୁ ଯାଉଥିଲେ। ଏବେବି କିଛି ଲୋକ ଯାଉଛନ୍ତି। ଗାଁରେ ପାଠପଢ଼ୁନଥିବା ପିଲାମାନେ କିଏ କମ୍ପାନୀ ଯାଉଛି ତ କିଏ ଗାଁରେ ବେକାର ବୁଲୁଛି। ଝିଅମାନେ କିଏ କମ୍ପାନୀ ଯାଉଛି ତ କିଏ ଅନ୍ୟ ଗାଁକୁ ଧାନ ବେଉଷଣ କରିବାକୁ ଯାଉଛନ୍ତି।
(ବର୍ତ୍ତମାନ କାଲେ ଶିଶୁକୁ ଭୋକ ହେଲେ: ମା କହନ୍ତି: ପେଶା ନେ ଓ କୁକୁର କିଣିକି ଖାଇବୁ – ଲରିଆ ଭାଷାରେ)
ଏବେ ତ ପିଲା କୁରକୁରେ, ଚକଲେଟ, ମିକ୍ସଚର, ବିସ୍କୁଟ ଖାଉଛି। ପୂର୍ବେ ଅପେକ୍ଷା ଏବେ ଫାଷ୍ଟଫୁଡ଼ର ଜମାନା ହୋଇଗଲାଣି। ପୁଷ୍ଟିକର ଖାଦ୍ୟ ଛାଡ଼ିକି ବାହାରିଆ ଖାଦ୍ୟ ଖାଉଛନ୍ତି। ଏବେ ସମସ୍ତେ ପଢା ଲିଖା ଅଛନ୍ତି କିନ୍ତୁ ତାହାର କଣ ଲାଭ ? ଛୁଆଙ୍କୁ କିଛି ଶିକ୍ଷା ଦେଇପାରୁ ନାହାନ୍ତି କି ନିଜେ ବି କିଛି ଶିଖୁ ନାହନ୍ତି। ପୁଷ୍ଟିକର ଖାଦ୍ୟ ଖାଉଛନ୍ତି କିନ୍ତୁ କମ ପରିମାଣରେ ଖାଉଛନ୍ତି। ଅଖାଦ୍ୟ ଖାଇବା ଦ୍ଵାରା ଅଧିକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବ କାଳରେ ରୋଗ କହିଲେ ଥଣ୍ଡା କାଶ ଓ ଦୁଇଦିନିଆ ଜର ହେଉଥିଲା ଓ ଛାଡ଼ିଯାଉଥିଲା। ବର୍ତ୍ତମାନ ସମୟରେ ଯଦି କାହାକୁ ଥଣ୍ଡା କାଶ କି ଜର ହେଉଛି ତାହାଲେ ଡ଼ାକ୍ତର ଖାନା ଗଲାପରେ ଛାଡ଼େ”।
ବର୍ତ୍ତମାନ ସବୁଆଡ଼େ ମଦ ଦୋକାନ ହେଲାଣି। କେହି ଆଉ ନିଜେ ମଦ ପ୍ରସ୍ତୁତ କରୁନାହାନ୍ତି। ସମସ୍ତେ ମଦ ଭାଟିରୁ କିଣି ଆଣି ପିଉଛନ୍ତି। ମଦ ଦୋକାନ ପାଖରେ ଥିବା ଥିବା ଯୋଗୁ ମଦ ପିଇକି ଅଧିକାଂଶ ଲୋକେ ନିଜ ଘରେ ଗାଳି କରୁଛନ୍ତି। ଝଗଡ଼ା କରୁଛନ୍ତି। ଘରେ ବାହାରେ ସବୁ ଆଡ଼େ ଝଗଡ଼ା କରୁଛନ୍ତି। କେହି କେହି ନିଜ ସ୍ତ୍ରୀ ଓ ଛୁଆଙ୍କୁ ମଧ୍ୟ ବାଡ଼ଉଛନ୍ତି। ପ୍ରଥମେ ଆମ ଆଖପାଖ ଗ୍ରାମର ମଦ ଭାଟିକୁ ବନ୍ଦ କରିବା କଥା। ଏମିତି ହେଲେ ଅଧିକାଂଶ ଲୋକ ସୁଧୁରି ଯାଇପାରନ୍ତେ ଓ ବଦଳିପାରନ୍ତେ।
ଅତୀତରେ ଆମ ଗାଁ ଜଙ୍ଗଲିଆ ହେଇଥିବାରୁ ବହୁତ ବଡ଼ ବଡ଼ ଗଛ ଗୁଡ଼ିକ ଥିଲା। ବିଭିନ୍ନ ଔଷଧୀୟ କନ୍ଦମୁଲ, ଚେର, ଗଛ ଓ ଲତା ମଧ୍ୟ ଭରପୁର ହୋଇଥିଲା, କିନ୍ତୁ ଏହା ଏବେ ଆଉ ମିଳୁନାହିଁ କହିଲେ ଚଳେ। ଜଙ୍ଗଲ ମଧ୍ୟ କମିଯାଉଛି। କିନ୍ତୁ ସମସ୍ତେ ଜଙ୍ଗଲରୁ ନିଜର ଆବଶ୍ୟକତା ପୂରଣ କରୁଛନ୍ତି। ଯେପରି ଜଙ୍ଗଲରୁ କାଠ, ପତ୍ର, ଫୁଲ , ଫଳ, ଆଣୁଛନ୍ତି। କାଠି ଆଣୁଛନ୍ତି। ଏମିତି ବିଭିନ୍ନ ଜିନିଷ ଜଙ୍ଗଲ ରୁ ଆଣୁଛନ୍ତି। ଜଙ୍ଗଲର ଗଛ ଗୁଡ଼ିକୁ କାଟି ଘର ତିଆରି କରୁଛନ୍ତି। ଆଗକାଳରେ ବଳଦ, ଗାଇ, ଛେଳି, ମେଣ୍ଢା, ମହିଷୀ, କୁକୁର, ମାଙ୍କଡ଼, ନେଉଳ, ମୂଷା, ଠେକୁଆ, ପାରା, ବତକ, ହଂସ, କୁକୁଡ଼ା, ଶୁଆ ଇତ୍ୟାଦି ପଶୁପକ୍ଷୀ ଥିଲେ। କିନ୍ତୁ ବର୍ତ୍ତମାନ ଠେକୁଆ ଓ ମାଙ୍କଡ଼ ଆଉ ନାହାନ୍ତି।
ଆମ ଗାଁରେ ପୂର୍ବେ ପାଣିର ବହୁତ ଅସୁବିଧା ଥିଲା। ନଦୀ, ନାଳ, ପୋଖରୀର ପାଣି ପିଇକି ଲୋକେ ବଞ୍ଚୁଥିଲେ। ଏକ କିଲୋମିଟର ନଦୀକୁ ଯାଇ ଆଣ୍ଠୁଏ ବାଲି ବାହାରକରି ପାଣି ଆଣୁଥିଲେ ଓ ଅନ୍ୟାନ୍ୟ କାମରେ ଲଗାଉଥିଲେ। ନଦୀର ପାଣିକୁ ସେମାନେ ରାନ୍ଧିବାରେ ପିଇବାରେ ଓ ଅନ୍ୟାନ୍ୟ କାମରେ ମଧ୍ୟ ଲଗାଉଥିଲେ। ଗାଁରେ ବର୍ତ୍ତମାନ ପାଣିର ଅସୁବିଧା ନାହିଁ। ଗାଁରେ ସବୁଆଡ଼େ ନଳକୂପ ଅଛି। ସମସ୍ତେ ନଳକୂପର ପାଣି ପିଉଛନ୍ତି ଓ ଅନ୍ୟାନ୍ୟ କାମରେ ଲଗାନ୍ତି। ସରକାର ଏବେ ଗୋଟେ ଗୋଟେ ଘରକୁ ଗୋଟେ ଗୋଟେ ସପ୍ଲାଇ ପାଣି ମଧ୍ୟ ଦେଲେଣି।
ଆଗକାଳରେ ଆମ ଗାଁରେ ଜାତିପ୍ରଥା ଥିଲା। ଗୋଟିଏ ଜାତିର ଲୋକ ଅନ୍ୟ ଜାତିର ରନ୍ଧଣାକୁ ଖାଉନ ଥିଲେ। କିଛି ପର୍ବ ପର୍ବାଣି ହେଲେ ମଧ୍ୟ ଅଲଗା ବସେଇ କି ଅଲଗା ରନ୍ଧାରନ୍ଧି କରି ଖାଇବାକୁ ଦେଉଥିଲେ। ସମସ୍ତଙ୍କ ଭିତରେ ସେତେବଳେ ଭାବ ନଥିଲା। ଛୁଆଁ ଛୁଇଁର ଭାବ ରଖୁଥିଲେ। କିନ୍ତୁ ଆମ ଗାଁ ପୁରା ପରିବର୍ତ୍ତନ ହେଲାଣି। ସମସ୍ତେ ସମସ୍ତଙ୍କ ସହ ମିଳି ମିଶି ଚଳୁଛନ୍ତି। ଏକାଠି ବସି ଖାଉଛନ୍ତି। ସମସ୍ତଙ୍କ ଭିତରେ ଭାଇଚାରା ଭାବ ସୃଷ୍ଟି ହେଲାଣି। ଆଉ ଛୁଆଁ ଛୁଇଁର ଭାବ ରଖୁ ନାହାନ୍ତି। ଅତୀତରେ ଗାଁର ଲୋକେ ଅନ୍ୟ ଗାଁକୁ କାମ କରିବାକୁ (ଭୂତି, ଦୁଃଖକରି ) ଯାଉଥିଲେ। କେହି କାହାକୁ ସାହାଯ୍ୟ କରୁନଥିଲେ। ନିଜ ପରିବାରର ଲୋକ ନିଜ ପରିବାରକୁ ହିଁ ସାହାଯ୍ୟ କରୁଥିଲେ ଓ ସାହା ହେଉଥିଲେ। ପାଇକମାଳର କିମ୍ବା ଅନ୍ୟ ଧନୀ ବ୍ୟକ୍ତିଠାରୁ ଋଣ ଆଣିକି ଚଳୁଥିଲେ। ଆଗକାଳରେ ଗାଁ ଲୋକେ ସରକାରଙ୍କ ଠାରୁ ସେତିକି ସୁବିଧା ସହଯୋଗ ପାଉନଥିଲେ। କିନ୍ତୁ ଏବେ ସରକାରଙ୍କ ଠାରୁ ବହୁତ ସୁବିଧା ମିଳିଲାଣି। ଏବେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି । ସାହା ହେଉଛନ୍ତି । ମିଳିମିଶି ଚଳୁଛନ୍ତି।
ଅତୀତରେ ଗାଁରେ ବନ୍ୟା କିମ୍ବା ମରୁଡ଼ି ହେଲେ ଗ୍ରାମବାସୀଙ୍କୁ ବହୁତ ଅସୁବିଧା ହେଉଥିଲା। ସେତେବେଳେ କୌଣସି ସରକାରୀ ସହାୟତା ମଧ୍ୟ ମିଳୁ ନଥିଲା। ମହାଜନ ମାନଙ୍କ ଠାରୁ କିମ୍ବା ଧନୀ ଲୋକଙ୍କଠାରୁ ଋଣ ଆଣି ଲୋକେ ଚଳୁଥିଲେ। ପୂର୍ବକାଳରେ ଗାଁରେ ଝଗଡ଼ା ହେଲେ ମୁଖିଆଙ୍କୁ ବା ଗଉଁତିଆଙ୍କୁ ଡକାଯାଉଥିଲା ଓ ଗାଁର ମୁଖ୍ୟ ମୁଖ୍ୟ (ସିଆନୀ) ଲୋକମାନଙ୍କୁ ଡକାଯାଉଥିଲା। ସମସ୍ତେ ଗୋଟିଏ ପିଣ୍ଡାରେ କିମ୍ବା ସମସ୍ତଙ୍କୁ ଏକାଠି ବସିବାରେ ଯେଉଁଠି ସୁବିଧା ହେଉଥିଲା ସେ ଜାଗାକୁ ଡ଼ାକୁଥିଲେ। ସମସ୍ତଙ୍କୁ ଡ଼ାକିବା ପାଇଁ ଚୌକିଦାର ରଖା ଯାଇଥିଲା। ସେତେବେଳେ ଥାନାଵାଲେ – ପୋଲିସଵାଲେ ଗୋଟିଏ ଗାଁରେ ଗୋଟିଏ ଚୌକିଦାର ରଖିଥିଲେ। ଚୌକିଦାର ଗୋଟିଏ ଡ଼ାଇରୀ ରଖୁଥିଲେ। ଗାଁର ହାନିଲାଭ ସୁଖ ଦୁଃଖ, ଭଲମନ୍ଦ ଜନ୍ମ ମୃତ୍ୟୁ ସବୁ ଗୁଡ଼ିକ ଡ଼ାଇରୀରେ ଲେଖୁଥିଲେ। ଗୋଟିଏ ଥର ଥାନାକୁ ଯାଇ ସେଠାରେ ଥିବା ଥାନା ବାବୁକୁ ଜଣାଉଥିଲେ। ଚୌକିଦାରକୁ ପୋଲିସ ଥାନା ତରଫରୁ କିଛିଜମି ମିଳୁଥିଲା। ବର୍ତ୍ତମାନ ଗାଁର ସମସ୍ତେ ମିଶି ଡ଼କୁଆ ରଖିଛନ୍ତି।
ଆମ ଗାଁର ଖାଦ୍ୟପେୟ:
ଅତୀତରେ ଆମ ଗାଁ ଲୋକେ ମଣ୍ଡିଆ, ସୁଆଁ, କୁଦୋ, ଗୁଂଜି , କାଙ୍ଗୁ, ମକା, ରଶକି, ଧାନ, ଚୀନା ବାଦାମ କରୁଥିଲେ। କିନ୍ତୁ ଏବେ କୁଦୋ, କାଙ୍ଗୁ ଓ ସୁଆଁ ଇତ୍ୟାଦି ଚାଷ ଆଉ ହେଉନାହିଁ। ଜାନକୀ ବଣ୍ଡା ଆମ ଗାଁର ଜଣେ ବୟସ୍କା ମା। ଗାଁର ଖାଦ୍ୟ ବିଷୟରେ ଜାଣିବାପାଇଁ ତାଙ୍କ ସହ ସାକ୍ଷାତକାର କରିଥିଲି। ତାଙ୍କ ବୟସ ୮୦ ପାଖାପାଖି ହେବ। ସେ କହିଥିଲେ ଯେ, “ପ୍ରଥମେ ଏହି ଅଞ୍ଚଳଟା ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ଜଙ୍ଗଲରୁ ମିଳୁଥିବା ଫଳ, ମୂଳ କନ୍ଦମୂଳ, ଚାର, ମହୁଲ, କେନ୍ଦୁ, କେନ୍ଦୁ ଭାତ, କୁଲୁ, ତୁକୁ କନ୍ଦା, ମାଇଁ କନ୍ଦା, ଡାଳ କନ୍ଦା, ଫୁଲ କନ୍ଦା ବିଭିନ୍ନ ପ୍ରକାର ଜଙ୍ଗଲର ଶାଗ, ଗୁଂଜି, ମଡ଼ିଆ/ମଡ଼ିଆ, କେନା ଭାଜି, ଶିଲେରଭାଜି, ଟୋଲଛାଲି, କରଡ଼ି, ହେଂଡୁଆ, ମାଛ, ମାଂସ, କଇଁଛ, ଚିଙ୍ଗୁଡ଼ି, କଣ୍ଡେଉ, କୁନ୍ଦୁରୁ କନ୍ଦା ଖାଉଥିଲେ। ଝାର କୁନ୍ଦୁରୁ, ଘୁଲି, ଲିମଫୁଲ, କୁଲେର ଭାଜୀ, କୁଞ୍ଜେ ଭାଜିକୁ ମହୁଲକୁ ଭାଜି ଖାଉ ଥିଲେ। ମହୁଲକୁ ଶିଝେଇ ଖାଉଥିଲେ। ରସ୍କିର ମେକା ଇତ୍ୟାଦି ଖାଉଥିଲେ। ଏମିତି ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ରାନ୍ଧିକି ଖାଉଥିଲେ। କିନ୍ତୁ ବର୍ତ୍ତମାନ ଏ ଖାଦ୍ୟମାନଙ୍କଠାରୁ ବହୁତ ଗୁଡ଼ିଏ ଖାଦ୍ୟକୁ ଲୋକେ ଭୁଲିଗଲେଣି ଆଉ ଖାଉନାହାନ୍ତି।



ଗାଁର ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା:
ଆମ ଆଖପାଖରେ କହିଲେ ପାଇକମାଳରେ ସରକାରୀ ଡାକ୍ତରଖାନା ଅବସ୍ଥିତ। ତାହା ୮ କିଲୋମିଟରରେ ଅଛି। ଡାକ୍ତରଖାନା ଯିବାପାଇଁ ବହୁତ ଅସୁବିଧା ହେଉଛି। ପୂର୍ବେ ଆମ ଗାଁ ଓ ବ୍ରାହ୍ମଣଡ଼ିହି ଯିବା ରାସ୍ତା ମଝିରେ ନଦୀରୁ ପାଣି ଆସି ଭରପୁର ହେଉଥିଲା। ବାଟ କେବଳ ପାଣିରେ ଭରିଯାଉଥିଲା, ପୋଲ ନଥିଲା। ଡାକ୍ତରଖାନା ଯିବାକୁ ରାସ୍ତା ଥିଲା ତାହା ପୁଣି ମୁନିକେଲ ଓ କଟଙ୍ଗପାଳି ଦେଇ। ମୁନିକେଲ ଯିବା ରାସ୍ତାରେ ଛୋଟିଆ ନାଲାଟିଏ ପଡ଼ୁଥିଲା ଯାହାକୁ ଗାଁର ଲୋକେ ଝୁରକି କହୁଥିଲେ ଓ ରାଣୀଜୋର କହୁଥିଲେ। ସେ ଜୋର ମଧ୍ୟ ପାଣିରେ ଭରି ଯାଇଥିଲା। କଟଙ୍ଗପାଲି ଯିବା ରାସ୍ତାରେ ମଝିରେ ନଦୀ ଗୋଟେ ପଡ଼ୁଥିଲା ସେ ନଦୀରେ ତ ବେଶୀ ପାଣି ଭରିଯାଏ। ଗାଁର ଲୋକେ ଜ୍ଵରରେ ପଡ଼ିଲେ କିମ୍ଵା ଅନ୍ୟାନ୍ୟ କିଛି ଜରୁରୀ କାମ କିମ୍ବା ଆବଶ୍ୟକତା ଥିଲେ ବର୍ଷା ଦିନେ ଯା ଆସ କରିପାରୁନଥିଲେ। ବହୁତ ଅସୁବିଧାରେ ପଢ଼ୁଥିଲେ। କାରଣ ସେତେବେଳେ ଡଙ୍ଗା ମଧ୍ୟ ନଥିଲା। ତାପରେ ପ୍ରାୟ ୧୯୮୦ରେ ଡଙ୍ଗା ହେଲା। ଗାଁ ଲୋକଙ୍କୁ କିଛି ସୁବିଧା ହେଲା। ତାପରେ କିଛି ବର୍ଷ ଗଲା ପରେ ଆମ ଗାଁ ଓ ବ୍ରାହ୍ମଣଡ଼ିହି ଯିବା ରାସ୍ତାରେ ପୋଲ ତିଆରି ହେଲା। ଏବେ ଗାଁ ପାଖରେ ବ୍ରାହ୍ମଣଡ଼ିହି, ପାରଶଖଣୀ ଓ ଛେତଗାଁ ତିନି ଗ୍ରାମର ମଝିରେ ଡ଼ାକ୍ତର ଖାନା ଟିଏ ତିଆରି କରାଯାଇଛି। କିନ୍ତୁ ଏଠାରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଜିନିଷ ନାହିଁ। ଯଥା -ଅଧିକ ଔଷଧ ଓ ଇଞ୍ଜେକ୍ସନ ଗୁଡ଼ାକ ନାହିଁ। ଡ଼ାକ୍ତର ମଧ୍ୟ ଏଠାରେ ରହନ୍ତି ନାହିଁ। ଡାକ୍ତରଖାନା କେବେ କେବେ ଖୋଲା ରହେ ତ କେବେ କେବେ ବନ୍ଦ ମଧ୍ୟ ଥାଏ। ତିନି ଗାଁର କିଛି ଲୋକ ପାଖ ଡ଼ାକ୍ତର ଖାନାକୁ ଯାଆନ୍ତି। ଏଠାରେ କେବଳ ବଟିକା ଦିଆଯାଏ। ଅଧିକାଂଶ ଲୋକ ପାଇକମାଳର ଡାକ୍ତରଖାନାକୁ ଯାଆନ୍ତି।
ଆମ ଗାଁ’ରେ ପୂର୍ବେ ପଢ଼ିବାର କୌଣସି ସୁବିଧା ନଥିଲା। ୧୬.୧.୧୯୬୯ରେ ଆମ ଗାଁରେ ସ୍କୁଲର ବ୍ୟବସ୍ଥା ହେଲା। ସେଠାରେ କେବଳ ତୃତୀୟ ପର୍ଯ୍ୟନ୍ତ ଥିଲା। ତୃତୀୟଶ୍ରେଣୀ ପଢ଼ି ସାରି ପାଖ ଗାଁ ବ୍ରାହ୍ମଣଡ଼ିହିକୁ ଚାଲି ଚାଲି ପିଲାମାନେ ଯାଉଥିଲେ। ସ୍କୁଲ ନଥିଲା ବେଳେ ଲୋକେ ବହୁତ ଅସୁବିଧା ପାଠ ପଢ଼ୁଥିଲେ। ପ୍ରଥମକରି ଯେଉଁ ସାର ପଢାଥିଲେ ତାଙ୍କ ନାମ ହେଲା – ଶ୍ରୀଯୁକ୍ତ ପ୍ରାଣବନ୍ଧୁ ଦାସ। ସେ ପିଣ୍ଡାର ଗୋଟେ ଆଡ଼େ ପଢ଼ାଉଥିଲେ ଓ ଆଉ ଗୋଟେ ଆଡ଼େ ରାନ୍ଧୀକି ଖାଉଥିଲେ। ସକାଳ ୭ ଟା ରୁ ୧୧ ଟା ଯାଏ ପଢ଼ାଉଥିଲେ। କିନ୍ତୁ ଏବେ ଗାଁରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲର ବ୍ୟବସ୍ଥା ଅଛି। ୩ ଟି ଶ୍ରେଣୀ କୋଠରୀ ଅଛି। କିନ୍ତୁ ସ୍କୁଲ ବାଉଣ୍ଡାରୀ ଭଲ ନାହିଁ। ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ସ୍କୁଲ ପଡ଼ିଆଟିଏ ନାହିଁ। ସ୍କୁଲରେ ବହୁତ କମ ଜାଗା ଅଛି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ହୋଇଛି। ଏହି କେନ୍ଦ୍ର ରାସ୍ତା କଡ଼ରେ ଅଛି। ଏଠାରେ ଅଧିକ ଛୋଟ ପିଲା ପଢୁଛନ୍ତି ।
ଗନ୍ଧମାର୍ଦ୍ଦନ ବଚାଓ” (ବଞ୍ଚାଅ ) ଆନ୍ଦୋଳନରେ ଆମ ଗାଁର ଯୋଗଦାନ:

ମୋ ବୁଢୀମା ବସନ୍ତା ମହାନନ୍ଦ|| ବୟସ ୮୫ ରୁ ବେଶୀ
ମୋ ବୁଢୀମା ବସନ୍ତା ମହାନନ୍ଦ । ବୟସ ୮୫ ରୁ ବେଶୀ । ସେ କହନ୍ତି ଯେ, ପାଇକମାଳ ପାଖରେ ନୃସିଂହନ୍ନାଥ ମନ୍ଦିର ଅବସ୍ଥିତ । ସେଠାରେ ବୈଶାଖ ମାସରେ ବହୁତ ବଡ଼ ମେଳା ଲାଗେ । ମନ୍ଦିରର ଚାରିଆଡ଼େ ବଡ଼ ବଡ଼ ପର୍ବତ ଅଛି । ସେ ପର୍ବତର ନାମ ହେଲା ଗନ୍ଧମାର୍ଦ୍ଦନ । ମନ୍ଦିରକୁ ବିଦେଶୀମାନେ ବୁଲିବାକୁ ଆସିଥିଲେ । ସେଠାରେ ରିସର୍ଚ କଲା ପରେ ଜାଣିଲେ ଯେ ଗନ୍ଧମାର୍ଦ୍ଦନ ପର୍ବତ ଭିତରେ ବହୁତ ଗୁଡ଼ିଏ ବକ୍ସାଇଟ ଅଛି । ପର୍ବତକୁ ଭାଙ୍ଗି ବକ୍ସାଇଟ୍ ବାହାର କରିବାକୁ ସେମାନେ ସେତେବେଳେ ପ୍ରୟାସ କଲେ । ଏ କଥା ଆମ ଅଞ୍ଚଳ ବାସୀ ଜାଣିପାଇଲେ । ଆମ ପାଇକମାଳ ଅଞ୍ଚଳର ଲୋକମାନେ ବିରୋଧ କରିବା ଆରମ୍ଭ କଲେ । ଆମ ଗାଁର ମହିଳାମାନେ ମିଶି ଏକ ଆନ୍ଦୋଳନ ଗଢିଲେ ଓ ତା ନାମ ଦେଲେ । ସେହି ଆନ୍ଦୋଳନର ନାମ ଦିଆଯାଇଥିଲା ‘ଗନ୍ଧମାର୍ଦ୍ଦନ ବଚାଓ” (ବଞ୍ଚାଅ ) ଆନ୍ଦୋଳନ’ । ଆମ ପଞ୍ଚାୟତର ୫ଟି ଗ୍ରାମର ସମସ୍ତ ମହିଳା ମିଶି ଆନ୍ଦୋଳନରେ ସାମିଲ ହୋଇ ଏହାର ନେତୃତ୍ଵ ନେଲେ । ଗାଁ ଗାଁକୁ ଚାଲିଚାଲି କିମ୍ବା ସାଇକେଲରେ ଯାଇ ପ୍ରଚାର କଲେ । ୫ଟି ଗ୍ରାମର ୫ଟି ମହିଳା ମୁଖ୍ୟା ଥିଲେ । ସେମାନଙ୍କ ନାମ ହେଲା, ବସନ୍ତା ମହାନନ୍ଦ (ମୋ ଜେଜେ ମା), ରୁଦନା ଭୁଏ, ସରସ୍ଵତୀ କଲାରୀ, ମଞ୍ଜରୀ ପଟେଲ, ଦୁର୍ମତୀ ଘୁରୁଆ ଇତ୍ୟାଦି । ସେମାନଙ୍କ ଭିତରୁ ରୁଦନା ଭୁଏ,ସରସ୍ଵତୀ କଲାରୀ, ଏଇ ଦୁଇ ଜଣଙ୍କର ମୃତ୍ୟୁ ହେଇଗଲାଣି । ମୋ ଜେଜେ ମା ବସନ୍ତା ମହାନନ୍ଦ, ମଞ୍ଜରୀ ପଟେଲ, ଦୁର୍ମତୀ ଘୁରୁଆ ଏବେ ବଞ୍ଚିଛନ୍ତି । ମୋ ଜେଜେ ମାଙ୍କୁ ଗନ୍ଧମାର୍ଦ୍ଦନ ବଚାଓ” (ବଞ୍ଚାଅ ) ଆନ୍ଦୋଳନ ବିଷୟରେ ଆମେ ଯେତେବେଳେ ପଚାରିଥିଲୁ ସେତେବେଳେ ସେ ବହୁତ ଭାବପ୍ରବଣ ହୋଇଯାଇଥିଲେ । ସେ ହାତ ଦେଖେଇ କହୁଥିଲେ ଅଶି ଦଶକରେ କେମିତି ସାଇକେଲ ନେଇ ସେ ଗାଁ ଗାଁ ବୁଲି ବୁଲି ମହିଳାମାନଙ୍କୁ ଏକାଠି କରୁଥିଲେ । ସେ ଗର୍ବ କରୁଥିଲେ ଯେ, ଆମ ଅଞ୍ଚଳର ମହିଳାମାନେ ଲାଗିକରି ଗନ୍ଧମାର୍ଦ୍ଦନକୁ ବଞ୍ଚେଇଲେ । ସଭାରେ ମୋ ଜେଜେ ମା ଏକଥା କହିବାବେଳେ ଆମ ଗାଁର ଅନ୍ୟ ବୟସ୍କମାନେ ମୁଣ୍ଡ ହଲେଇ ତାଙ୍କ କଥାକୁ ସମର୍ଥନ କରୁଥିଲେ । ସେତେବେଳେ ଆମ ଅଞ୍ଚଳର ବିଧାୟକ(MLA) ଥିଲେ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ (କୁନା) । ସେମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏମିତି ଆମ ଅଞ୍ଚଳର ସମସ୍ତେ ମିଶି ଆନ୍ଦୋଳନକୁ ଆଗକୁ ବଢାଇ ଚାଲିଲେ । ଶେଷରେ ତାଙ୍କ ପରିଶ୍ରମ ସଫଳ ହେଲା । ପର୍ବତ ଭାଙ୍ଗିବା ବନ୍ଦ କଲେ ଓ ବାଲକୋ କମ୍ପାନୀ ଆମ ଅଞ୍ଚଳ ଛାଡ଼ି ଚାଲିଗଲେ । ଏହି ଆନ୍ଦୋଳନରେ ସାମିଲ ହୋଇଥିବା ମହିଳା ଓ ମହିଳା ମୁଖ୍ୟାମାନଙ୍କୁ ଆମ ଅଞ୍ଚଳରେ ସମ୍ମାନିତ କରାଯାଇ ଥିଲା । ଏହି କାହାଣୀ କେବଳ ଅମା ଗାଁରେ ନୁହେଁ ପୁରା ପାଇକମାଳର ସବୁ ଗାଁର ଲୋକେ କୁହନ୍ତି । ସେଥିପାଇଁ ଆମ ଗାଁକୁ ନେଇ ମୁଁ ଗର୍ବ ଅନୁଭବ କରେ । ବିଶେଷକରି ମୋ ଜେଜେ ମା ବସନ୍ତା ମହାନନ୍ଦଙ୍କ ଆନ୍ଦୋଳନରେ ଯୋଗଦାନ ମୋତେ ବହୁତ ପ୍ରେରଣା ଦିଏ । ଭବିଷ୍ୟତରେ ମୁଁ ବି ଆମ ଗାଁ ଓ ଗନ୍ଧମାର୍ଦ୍ଦନକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରିବି ବୋଲି ପଣ ନେଇଛି ।
ଚାଷବାସ:
ଆମ ଗାଁରେ ଆଗରୁ କେଉଁ ଚାଷ ହେଉଥିଲା ଓ ଏବେ କଣ ହେଉଛି ଜାଣିବା ପାଇଁ ଗାଁର ବୟସ୍କ ବିଦ୍ୟାଧର ବିଛି ଓ ଯଦୁମଣି ଡନସନାଙ୍କ ସହ ସହ ସାକ୍ଷାତକାର କରିଥିଲୁ। ସେମାନେ କହିଥିଲେ ଯେ, ଆମ ଗାଁରେ ଆଗରୁ ଧାନ, ଗୁଂଜି, କାଙ୍ଗୁ, ମଡ଼ିଆ, ରସ୍କି, ମକାପରି ପୁଷ୍ଟିକର ଖାଦ୍ୟ ଗୁଡ଼ିକ ଅଧିକ ଚାଷ କରୁଥିଲେ। ଏମାନଙ୍କ ଭିତରୁ ଗାଁ ଲୋକେ ଗୁଂଜିକୁ ଅଧିକ ଚାଷ କରୁଥିଲେ। କାରଣ ଗୁଂଜି ଚାଷ କଲେ ପ୍ରଥମେ ହେଉଥିଲା। ଗୁଂଜି ବହୁତ ବଡ଼ ଡେଙ୍ଗା ଡେଙ୍ଗା ହୁଏ ଆଉ ଗୋଟିଏ ଗଛର କେରା କାଟିରେ ଗୋଟେ କେରାରେ ୧/୨ ବାହାରେ ଓ ଏହା ୨ ମାସରେ ହୋଇଥାଏ। ସେଥିପାଇଁ ଏହାକୁ ଅଧିକାଂଶ ଲୋକ ଚାଷ କରୁଥିଲେ। ବର୍ତ୍ତମାନ ଗାଁର ଲୋକେ ଧାନ, ଝୁନଗା, ବିରି, ମୁଗ, କୋଳଥ, ଚିନାବାଦାମ, ଗୁଂଜି, ମଡ଼ିଆ, କୋଲନ ଚଣା, ପନିପରିବା ଇତ୍ୟାଦି ବିଭିନ୍ନ ଚାଷ କରୁଛନ୍ତି। କିନ୍ତୁ ପୁଷ୍ଟିଶସ୍ୟ ଚାଷ କମ ପରିମାଣରେ କରୁଛନ୍ତି। ପୂର୍ବକାଳରେ ଗାଁ ଲୋକ ମହୁଲ, ଚାର, ଧାନ, କୁଦୋ, ଗୁଂଜି, ବିରି, ମୁଗ, ମଡ଼ିଆ, କୋଳଥ ଇତ୍ୟାଦି ଫସଲ ବିକ୍ରି ପାଇଁ ଗାଁରୁ ୮ କିଲୋମିଟର ଦୂରରେ ଥିବା ପାଇକମାଲର ବଜାରକୁ ନେଉଥିଲେ। ମୁଣ୍ଡରେ ବୋହିକି ନେଉଥିଲେ, ବଳଦ ଗାଡ଼ିରେ ନେଉଥିଲେ। ଭାରକୁ କାନ୍ଧରେ ବୋହିକି ନେଉଥିଲେ, ଚାଲିଚାଲି ଯାଉଥିଲେ। ଖରାମାସେ ବଜାର ଯିବା ରାସ୍ତାରେ ଶୋଷ ହେଲେ ନଦୀ, ନାଳ ବାଟରେ ଥିଲେ ସେଠାରେ ଟିକେ ରହି ପାଣି ପିଉଥିଲେ। କିନ୍ତୁ ଏବେ ଆମ ଗାଁ ବ୍ରାହ୍ମଣଡ଼ିହି ଓ ଛେତଗାଁ ମଝିରେ ଡାକ୍ତରଖାନା ଛକରେ ଏକ ଛୋଟିଆ ବଜାର ଟିଏ ବସିଛି। ସେଠାକୁ ଗାଁର ଅଧିକାଂଶ ଲୋକେ ଜିନିଷ ପତ୍ର କିଣିବାକୁ ଯାଆନ୍ତି। କିନ୍ତୁ ବିକ୍ରିବଟା କରିବା ପାଇଁ ପାଇକମାଳକୁ ଯାଆନ୍ତି। ଧାନ, ମୁଗ, ବିରି, ଝୁନଗା, ପନିପରିବା ଇତ୍ୟାଦି ବିଭିନ୍ନ ଫସଲ ବଜାରରେ ବିକ୍ରି କରନ୍ତି।
ଆଗକାଳରେ ଲୋକ ପୁଷ୍ଟିକର ଖାଦ୍ୟ ଯଥା; ମଡ଼ିଆ, କୁଦୋ, ଗୁଂଜି ଇତ୍ୟାଦି ସବୁ ଖାଉଥିଲେ। ଅଧିକ ମସଲା ଓ ତେଲ ଯୁକ୍ତ ଖାଦ୍ୟ ଖାଉନଥିଲେ। ଉକ୍ତ ଖାଦ୍ୟ ଗୁଡ଼ିକ ପୁଷ୍ଟିକର ଅଟେ ବୋଲି ଜାଣିପାରୁନଥିଲେ କିନ୍ତୁ ଯାହା ମିଳୁଥିଲା ସବୁ ଖାଉଥିଲେ। କୁଦୋ, ମଡ଼ିଆର ବିକ୍ରି କମ ହୋଇଗଲା। ଆମଦାନୀ ରପ୍ତାନି କମ ହୋଇଗଲା। ସେଥିପାଇଁ ଏହି ଚାଷ ଗୁଡ଼ିକ କମିଗଲା। ଏବେ ତ ସମସ୍ତେ ଆଧୁନିକ ହେଲେଣି। ବିଭିନ୍ନ ପ୍ରକାରର ଖାଦ୍ୟ ଖାଉଛନ୍ତି। ଅଧିକ ତେଲ ଓ ମସଲା ଥିବା ଖାଦ୍ୟ ରୋଷେଇକରି ଖାଉଛନ୍ତି। ଜାଣୁଛନ୍ତି ଏହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ନୁହେଁ, ଭଲ ନୁହେଁ କିନ୍ତୁ ଫାଷ୍ଟ ଫୁଡ ଖାଇକି ସମସ୍ତେ ରୋଗରେ ଆକ୍ରାନ୍ତ। ଆମ ପୂର୍ବ ପିଢ଼ିର ଲୋକମାନେ ପୁଷ୍ଟିଶସ୍ୟ ଖାଦ୍ୟ ଖାଇ ବହୁତ ଦିନ ଯାଏ ବଞ୍ଚୁଥିଲେ । ବର୍ତ୍ତମାନର ଲୋକ ପୁଷ୍ଟିକର ଖାଦ୍ୟ କମ ଖାଉଛନ୍ତି ଓ ୬୦ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରୁଛନ୍ତି। କମ ବୟସରେ ମଧ୍ୟ ରୋଗରେ ପୀଡ଼ିତ ହେଉଛନ୍ତି। ଆମ ର ଚାରିଆଡ଼େ ଜଙ୍ଗଲ ଥିବାରୁ ଜଙ୍ଗଲରୁ ମିଳୁଥିବା ଯଥା – କେନ୍ଦୁ, କୁର୍ଲୁ, କେନ୍ଦୁଭାତ, ତୁଲୁ, କନ୍ଦା, ମାଇକନ୍ଦା, ଫୁଲକନ୍ଦା ଡାଙ୍ଗକନ୍ଦା ବିଭିନ୍ନ ପ୍ରକାର ଜଙ୍ଗଲର ଶାଗ, ଗୁଂଜି, ମଡ଼ିଆ, କେନା ଭାଜି, ଶିଲେର ଶାଗ, ଟୋଲଛାଲି, କୁନ୍ଦୁରୁ କନ୍ଦା ( ଝାର କୁନ୍ଦ୍ରୁ ), ଲିମଫୁଲ, ଘୁଲି, କଙ୍କଡ଼ା, ମାଛ, ମାଂସ, କୁଲେରଭାଜି, ଚିଙ୍ଗୁଡ଼ି, ରକ୍ସିର ମେକ, ମହୁଲ କୁ ଭାଜି ଓ ସିଝେଇ ଖାଉଥିଲେ ଏବଂ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରାନ୍ଧିକି ଖାଉଥିଲେ।
ଗାଁରେ ଚାଷ କଲାବେଳେ ଆଗକାଳରେ ରଫାରେ ଖୋଦି ଖୋଦି କ୍ଷେତ ଜୋତୁଥିଲେ। ତାପରେ ଲଙ୍ଗଳରେ କ୍ଷେତ ଜୋତୁଥିଲେ କିନ୍ତୁ ବର୍ତ୍ତମାନ ବିଭିନ୍ନ ଯନ୍ତ୍ରପାତିରେ କ୍ଷେତ ଜୋତୁଛନ୍ତି। ଯଥା – ଟ୍ରାକ୍ଟର ଓ ରୋଟାଭେଟର ଇତ୍ୟାଦି। ପୂର୍ବେ ମାଟିର ତିଆରି ଘନାରେ ତେଲ ତିଆରି କରୁଥିଲେ। ଯେମିତି – ଟୋଲ, କୁସୁମ, ଲିମ, ଚିନାବାଦାମ ଇତ୍ୟାଦି। କିନ୍ତୁ ଏବେ ବିଭିନ୍ନ ମେସିନରେ ତେଲ ତିଆରି କରୁଛନ୍ତି।
ଟୋଳ ତେଲକୁ ଢେଙ୍କିରେ କୁଟୁଥିଲେ। ଗୁଣ୍ଡକୁ ତେଲି ଘରକୁ ନେଉଥିଲେ। ତେଲି ଘରେ ଝାଞ୍ଜି ଦେଉଥିଲେ ଝାଞ୍ଜିକରି ତେଲେନମାନେ ଗଛର ଘନାଥି ଦେଉଥିଲେ ଓ ତେଲିମାନେ ଘନାକୁ ଗୋଲ ଗୋଲ କିନ୍ଦରାଉଥିଲେ ଗୋଟେ ଆଡ଼େ ତେଲ ବାହାରୁଥିଲା ଓ ସବୁ ଟୋଲର ସରା ସେ ଘନା ଭିତରେ ରହିଯାଉଥିଲା। କିନ୍ତୁ ବର୍ତ୍ତମାନ ବିଜ୍ଞାନର ଅଗ୍ରଗତି ହେଲାଣି। ସବୁ ମେସିନରେ ତିଆରି ହେଉଛି। ଗାଁର ଲୋକେ କିଛି ଲୋକ ବଜାରରୁ ଓ ଦୋକାନରୁ କିଣି ଆଣୁଛନ୍ତି। ଗାଁଟା ପୂର୍ବ ଅପେକ୍ଷା ବହୁତ ବଦଳି ଗଲାଣି। ଗାଁର ପ୍ରତ୍ୟେକ ଜିନିଷ ପରିବର୍ତ୍ତନ ହେଲାଣି। ଗାଁର ପରିବେଶ ଯଥା; ଗଛ, ଲତା ପାଣି, ଗାଇଗୋରୁ, ଛେଲିମେଣ୍ଢା, ଓ ବିଭିନ୍ନ ପଶୁପକ୍ଷୀ, ଚାଲିଚଳଣୀ, ଖାଦ୍ୟପେୟ ଇତ୍ୟାଦି ବିଭିନ୍ନ ଜିନିଷ ପରିବର୍ତ୍ତନ ହେଲାଣି।
ଗାଁରେ ଆଗକାଳର ଲୋକେ କେବଳ ଚାଷ କରି ଜୀବନଯାପନ କରୁଥିଲେ କିନ୍ତୁ ବର୍ତ୍ତମାନ ଚାଷ କାମ ସଙ୍ଗେ ସଙ୍ଗେ ମିସ୍ତ୍ରୀ କାମ, ବଢ଼େଇ, କପଡ଼ା ବେପାରୀ, ପନିପରିବା ବେପାରୀ, ମହିଳାମାନେ ଅନ୍ୟ ଗାଁକୁ କାମ କରି ଯାଉଛନ୍ତି। ଯେମିତି – ଧାନ ବେଉଷଣ, ଧାନ କାଟିବା, ଲଟି ବାଛିବା ଇତ୍ୟାଦି। ଗାଁର ଅଧିକାଂଶ ଲୋକ କାମ ନ ମିଳିବାରୁ ଗାଁ ଛାଡ଼ି ଅନ୍ୟ ରାଜ୍ୟକୁ ବହୁତ ଦୂରକୁ ଦାଦନ ଖଟି ଯାଉଛନ୍ତି।
ଗାଁର ସଂସ୍କୃତି ଓ ପର୍ବପର୍ବାଣୀ :
ପର୍ବପର୍ବାଣୀ ଇତ୍ୟାଦି ବିଷୟରେ ଜାଣିବାପାଇଁ ମୁଁ ଆମ ଗାଁର ପୂଜାରୀ ଗଙ୍ଗାଧର କଲରିଙ୍କ ସହ ସାକ୍ଷାତକାର କରିଥିଲି। ତାଙ୍କ ବୟସ ୫୫ ପାଖାପାଖି। ସେ କହିଥିଲେ ଯେ, ପୂର୍ବେ ଆମ ଗାଁରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଉଥିଲା। ଯେପରି; କରମସାନି ( କର୍ମାପୂଜା ) ହରଗୌରୀ, ନୂଆଖାଇ, ରକ୍ଷାବନ୍ଧନ, ଲକ୍ଷ୍ମୀପୂଜା, ପୌଷପୂର୍ଣ୍ଣିମା (ପୁଷପୁନି), ବିଶ୍ୱକର୍ମା, ଭାଇଜିଉଁତିଆ, ପୁଅ ଜିଉଁତିଆ , ସାବିତ୍ରୀ ବ୍ରତ, ଜନ୍ମାଷ୍ଟମୀ, ଦୀପାବଳି, ଗଣେଶ ପୂଜା, ହୋଲି, ଅକ୍ଷୟତୃତୀୟା, ଚାଉଲ ଧୂଆ ପରବ, ସେମିତିହାର, ଚଇତ ମଙ୍ଗଳବାର, ମହାଶିବରାତ୍ରି , କାର୍ତ୍ତିକ ପୂର୍ଣ୍ଣିମା, ହାରାଲି, ପିତୃପିତା ଇତ୍ୟାଦି ବିଭିନ୍ନ ପୂଜା କରାଯାଏ। କିନ୍ତୁ କରମସାନି ପୂଜା ଆଉ ଗାଁରେ କରୁନାହାନ୍ତି। ଗାଁରେ ବିଭିନ୍ନ ବିଭିନ୍ନ ମହୋତ୍ସବ ପାଳନ କରାଯାଉଥିଲା। କିନ୍ତୁ ସବୁ ପୂଜା ମଧ୍ୟରୁ ଆମ ଗାଁରେ ଦୀପାବଳିରେ କରାଯାଉଥିବା ହରଗୌରୀ ପୂଜା ଅନ୍ୟତମ। ଗାଁର ସମସ୍ତେ ମିଶି ଯାକଜମକରେ ପୂଜା କରନ୍ତି। ପୂଜାରେ ଗାଁରେ ସବୁ ବର୍ଷ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହେଉଥିଲା। ଯେମିତି ଦଣ୍ଡ ନୃତ୍ୟ ଗହମତ (ଛତିଶଗଡ଼ୀ ଭାଷାରେ ହେଉଥିବା ଫିଲ୍ମ), ବୁଗି ବୁଗି ଏମିତି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା। ଆମ ଗାଁର ଆଖପାଖ ଅଞ୍ଚଳରେ ଏହିପରି ହୁଏନାହିଁ। କେବଳ ଆମ ଗାଁରେ ହୁଏ। କିନ୍ତୁ ଅନ୍ୟ ଗାଁରେ ହେଲେ ମଧ୍ୟ ଆମ ଗାଁର ଗୌରାପୂଜା ଭିନ୍ନ ଅଟେ। ଏହି ଦିନ ଗାଁରେ ବହୁତ ଭିଡ଼ ହେଉଥିଲା। କାରଣ ଆଖପାଖ ଗାଁ ଲୋକେ ଓ ବହୁ ଦୂରରୁ ମଧ୍ୟ ଏହି ପୂଜା ଦେଖିବାପାଇଁ ଆସନ୍ତି। ଗାଁଟା ଏହି ଦିନ ପୁରା ଅଲଗା ଦେଖାଯାଏ।
ଆମ ଗାଁ ପର୍ବ ପର୍ବାଣିରେ ଓ ବିବାହ ଉତ୍ସବମାନଙ୍କରେ ବିଭିନ୍ନ ପିଠା ଓ ଭଲ ଖାଦ୍ୟ ରୋଷେଇ ହେଉଥାଏ। ଯଥା – ପର୍ବ ପର୍ବାଣି ରେ ଆରିଷା ପିଠା, ସୁଆଳି ପିଠା, ଝୁନଗା ବରା, ବିରିବରା, ଗହମ ବରା, ମଣ୍ଡା ପିଠା, ମଡ଼ିଆ ପିଠା, ମଡ଼ିଆ ବରା, ମଡ଼ିଆ କ୍ଷୀର, ଚାଉଳ କ୍ଷୀର, ସୁଜି ପିଠା, ସୁଜି ବରା, ସୁଜିର ଖିରି, ମଡ଼ିଆ ଲଡୁ, ସୁଜି ଲଡୁ, ଚାଉଳପିଠା, ମୁଗ ବରା, ବେସନରେ ତିଆରି ପକୁଡ଼ି, ଅଟାରେ ତିଆରି ଅଟା ବରା, ଚିପ୍ସ ଭାତ, ମାଂସ, ଛେଳିମାଂସ, (ବୁକା ଓ ପେଠି ), ଡ଼ାଲମା, ଖଟା, ତରକାରୀ, ମାଛ, ପିଆଜ, ଛତୁ, ପନିର ମଟର ଚନା, ରସଗୋଲା, ବୁନ୍ଦି ଲଡୁ, କରି ବୁନ୍ଦି, ସେଓ ବୁନ୍ଦି ଇତ୍ୟାଦି ରୋଷେଇ କରିଥାଆନ୍ତି।
ଗାଁରେ ପୂର୍ବେ ନାଟକ ହେଉଥିଲା, ଏବେ ନାଟକ ହେଉନାହିଁ। ପ୍ରଥମେ ଲକ୍ଷ୍ମୀ ପୁରାଣ, ଲୀଳା ନାଟକ, ଅମର ବିଳାସ, ଅମର ମୋହିନୀ, ଲାଲ ଚକ୍ରୀର ଜାଲ ଚିଠି ଇତ୍ୟାଦି ନାଟକ ଆଦି ହେଉଥିଲା ଓ ଅନ୍ୟ ଗାଁକୁ ମଧ୍ୟ ନାଟକ କରିବାକୁ ଯାଉଥିଲେ। ଗାଁରୁ ବହୁ ଦୂରକୁ ମଧ୍ୟ ନାଟକ କରିବା ପାଇଁ ଯାଉଥିଲେ। ସେ ସମୟରେ ଲୋକମାନେ ମଧ୍ୟ ଏସବୁ ଦେଖିବାକୁ ଇଚ୍ଛା କରୁଥିଲେ। କିନ୍ତୁ ଏବେ ସବୁ ଲୋପ ପାଇଗଲାଣି। ପୂର୍ବପରି ନାଟକ, କୀର୍ତ୍ତନକୁ ଲୋକେ ଦେଖିବାକୁ ଆଉ ପସନ୍ଦ କରୁନାହାନ୍ତି। ଏବେ ଟେଲିଭିଜନ (ଟିଭି ) ଓ ମୋବାଇଲ ଫୋନ ହେଲାଣି। ଅଧିକାଂଶ ଲୋକ ଦୂରକୁ କିମ୍ବା ଅନ୍ୟ ଗାଁକୁ ନାଟକ, କୀର୍ତ୍ତନ ଦେଖିଯିବା ଅପେକ୍ଷା ଘରେ ଥାଇ ମୋବାଇଲରେ ୟୁଟ୍ୟୁବ ଓ ଗୁଗୁଲରେ ବିଭିନ୍ନ ଜିନିଷ ଦେଖିବାକୁ ପସନ୍ଦ କରୁଛନ୍ତି। ପୂର୍ବେ ହୋମା ଗୀତ ଓ ଦୋଧରିଆ ଗୀତ ଇତ୍ୟାଦି ଗାଉଥିଲେ।
ଗାଁରେ ଥିବା ବିଭିନ୍ନ ଗୀତ ଏବଂ ଲୋପ ପାଇଁ ଯାଉଥିବା ହୁମୋ ଗୀତ।
୧) ହୋମୋକୀ ହୁମାଇ ସାର …
ହୋମକୀ ହୁମାଇ ସାର ସଜନୀରେ … ହୋମକୀ ହୁମାଇ ସାର
୨) ଯେଉଁ ଦିନ ହୋମ ଘରୁ ବାହାର
ଚଇତ ମଙ୍ଗଳ ବାର …
ସଜନୀରେ …..ଚଇତ ମଙ୍ଗଳ ବାର
୩)ମହାପୁରୁ କେଡ଼େ ଲୋକ
ପଇତା ପକାଇ ମାଗୁଛନ ଭିକ
ମାଗୁଛନ ଭିକ ଗୋ ………..
୪) ମହାପୁରୁ ଜନମ ହେଲେ ତେଲକ ଚନ୍ଦନ ନେପନ ଦେଲେ
ନେପନ ଦେଲେ ଗୋ
ଆହା ହରିବୋଲ ଡ଼ାକ ଦେଲେ ସଜନୀରେ ……….
୫) ଜନ ଉଦେ ନରହରି ଉଚ୍ଚତାରେ ଜନ ପନ୍ଦର ଦିନ …….
ପନ୍ଦର ଦିନ ଗୋ …
ଆହା ପଡ଼ିବା ହାତର ବନ୍ଦନୀ …ସଜନୀରେ …
ଦୋଦରିଆ –
ରାମଧରେ ଧନୁ ଲଛମନ ଧରେ ବାନ।
ସୀତା ମାତାକେ କଳ୍ପନା।।
ହୋ କଏସେ ଝୋକତେ ହନୁମାନ .
ସୀତା ମାତାକେ କଳ୍ପନା।।
କୋନ ବାନା ଆମା କୋନ ତୋ ବାନାମ ଗୁଆଗୋ।
ଲଛମନ ଦୋନୋ ରାମ
ସୀତା ମାତାକେ କଳ୍ପନା।।
ନୁଆଁରେ ତରିଆ ନୂଆ ନିନ ତଉରେ।
ଜଳ ସକରି ଗୁଆଗେ ପଡ଼ିଶା ଦେଉଳେ।।
ଘନରେ ଲୋଇ ଲୁଆଇ ରଖିତେ।
କଞ୍ଚା ନଦେଇ କେ ପାନି ପିଆଇ ରକ୍ଷିତେ।।
କାଗତରେ ଆନେ କାଲାମା ନେଇଏ।
ସୁଗରାଇ ଛୋକରା ଚଲାନା ନୁଇଏ। ।
ଆମା ଜଗାଏ ଆମାଟା ଖାତିର।
ଲାତି ଗୋଂଦଲି ଜଗାଏ ଫୋରନା ଖାତିର।।
ଆମ ଗାଁର ପ୍ରସିଦ୍ଧ ଗୌରା ପୂଜା:

ଗୌରା ପୂଜା ହେଉଛି ଆମ ଗାଁର ସର୍ବଶ୍ରେଷ୍ଠ ସାଂସ୍କୃତିକ ପର୍ବ। ଏହା ଆମ ଗାଁର ପ୍ରସିଦ୍ଧ ପୂଜା। ଆମ ଆଖପାଖ ଗାଁରେ ଏହି ପୂଜା କରାଯାଏ କିନ୍ତୁ ଆମ ଅଞ୍ଚଳ ମଧ୍ୟରେ ଆମ ଗାଁର ଗୌରା-ଗୌରୀ ପୂଜା ସବୁଠାରୁ ଭିନ୍ନ ଅଟେ। ଏହାର ବିଧି ବିଧାନ, ଖାଦ୍ୟ ପେୟ ଓ ଅନ୍ୟାନ୍ୟ ସବୁ ଜିନିଷ ଅଲଗା। ଏ ପୂଜାକୁ କାର୍ତ୍ତିକ ମାସରେ ଦୀପାବଳି ଦିନ ରାତିରେ ହୋଇଥାଏ। ଏହି ପୂଜାର ୨ ଦିନ ପୂର୍ବରୁ ଓ ଆଗ ଦିନରୁ ସମସ୍ତଙ୍କର ବନ୍ଧୁବାନ୍ଧବମାନେ ଆସି ଏକାଠି ଥାଆନ୍ତି। ଏହି ପୂଜା କଳଙ୍ଗା ସମାଜର ଲୋକେ କରିଥାଆନ୍ତି।
ପୂଜା ଦିନ ସକାଳ ୮ଟା ବେଳେ ଗୌରା ମାଟି ଆଣିବାକୁ ଯାଆନ୍ତି। ମାଟି ଆଣି ଯିବାକୁ ପୂଜା ସାମଗ୍ରୀ ଯଥା; ଅରୁଆ, ଧୂପ, ଦୀପ, ଧୂପକାଠି, ଦିଆସିଲି କାଠି (ମାଚିଷ ), ଫୁଲ, ସିନ୍ଦୁର, ନଡ଼ିଆ, ହଳଦୀ, ଗୋବର, ନିଆଁ (ଅଙ୍ଗରା ), ଓ ପାଣି ଏବଂ ଯିବା ଓ ଆସିବାର ସମୟରେ ମାନ୍ଦଲ (ବାଦ୍ୟଯନ୍ତ୍ର ) ନେଇକି ବଜେଇ ବଜେଇ ଯାଆନ୍ତି। ଘରଠୁ ଗୌରା ମାଟି ଯିବା ପର୍ଯ୍ୟନ୍ତ ମାନ୍ଦଲ ବଜାନ୍ତି ଓ ମାନ୍ଦଳ ବଜେଇ ବଜେଇ ପୂଜା କରନ୍ତି। ୭ ଜଣ ଝିଅ ଲୁହର କସନା (ଶାବଳ ପରି ଦେଖାଯାଏ ଛୋଟିଆ ଥାଏ ) କୁ ଧରି ମାଟିକୁ ବାହାର କରନ୍ତି। ତାପରେ ରଫାରେ ମାଟିକୁ କୋଡ଼ନ୍ତି (ବାହାର କରନ୍ତି )। ଏହା କରିବା ପୂର୍ବରୁ ଯିଏ ପୂଜାରେ ବସିଥାଏ ସେ ମହିଳା ସକାଳୁ ଗାଧୋଇ ଥାଏ। କଳସରେ ପାଣି ଆଣେ। ସେଠାରେ ପ୍ରଥମେ କଳସରେ ଥିବା ପାଣିକୁ ପକାଇ ଅର୍ପଣ କରନ୍ତି। ଗୋବରରେ ଲିପନ୍ତି ଓ ହଳଦୀରେ ତିଆରି ମୂର୍ତ୍ତି ଯାହା ଧଳା ଛିଟରେ କପଡ଼ା ପିନ୍ଧାଇଥାଆନ୍ତି ସେହି ମୂର୍ତ୍ତିକୁ ସେଠାରେ ରଖନ୍ତି। ଧୂପ, ଦୀପ, ଇତ୍ୟାଦି ସବୁ ପୂଜା କରନ୍ତି ତାପରେ ମାଟିକୁ ଆଣନ୍ତି। ପୁଣି ମାନ୍ଦଳ ବଜେଇ ଘରକୁ ଫେରନ୍ତି। ବିହାରର ଘରେ ମାଟି ରଖନ୍ତି। କାରଣ ବିହାର ଘର ଗୌରୀ ଙ୍କ ମା ଘର ଓ କାଳର ଘର ହେଉଛି ଶାଶୁ ଘର। ମାଟିକୁ ପାଣି ଦେଇ (ବୁଟୁରାନ୍ତି ) ଭିଯାନ୍ତି ତାପରେ ମାଟି ଫୁଲିଲେ ତାକୁ କିଛି ଝିଅ ଓ ପୁଅ ସବୁ କାମ ସରିଲା ପରେ ଗାଧୋଇ ସାରି ୭ ଗୋଟି ମୂର୍ତ୍ତି ତିଆରି କରନ୍ତି। ଯଥା -: ଈଶ୍ୱର ରାଜା, ଗୌରୀ ରାଣୀ, କାଠରେ ତିଆରି ଶିବପାରବତୀଙ୍କ ମନ୍ଦିର, ବଳଦ (ନନ୍ଦୀ), କଇଁଛ, ବଜରଙ୍ଗ ବଳି ଓ କାର୍ତ୍ତିକଙ୍କ ମୂର୍ତ୍ତି ଇତ୍ୟାଦି ତିଆରି କରନ୍ତି। ଯେତେ ଝିଅ ସବୁ ଉଜାଗର ଥାଆନ୍ତି ସମସ୍ତେ ଝିଅ ସନ୍ଧ୍ୟା ୪ଟା ବେଳେ ଗୋଟେ ଗୋଟେ କଳସ ଧରି ଗାଧୋଇବାକୁ ଯାଆନ୍ତି। ଗାଧୋଇକି କଳସରେ ପାଣି ଭର୍ତି କରିକି ଆଣନ୍ତି। ଘରକୁ ଆସି ନିଜ କଳସକୁ ନିଜେ ସୁନ୍ଦର କରି ସାଜନ୍ତି। ସମସ୍ତେ ପାଣି କଳସରେ ନୂଆ ବର୍ଷର ନୂଆ ଧାନ କେର ରଖନ୍ତି। କିଛି ସମୟ ଗଲାପରେ ସମସ୍ତେ ଗ୍ରାମ ବାସୀ ନୂଆ ନୂଆ ପୋଷାକ ପରିଧାନ କରି ଘରର ଚାରିଆଡ଼େ ଦୀପ ଜଳାଇ ସାଜନ୍ତି। ଭଗବାନ ଘର (ଠାକୁର ଘର ), ଗୁହାଳ, ବାରିପଟ, ଘର ଦୁଆର ସବୁ ଆଡ଼େ ଉଜ୍ଜ୍ୱଳ କରି ଦିଅନ୍ତି। ସନ୍ଧ୍ୟାରେ ସମସ୍ତେ ଦ୍ଵାରରେ ଝୋଟି ଆଙ୍କିଥାଆନ୍ତି ସେଠାରେ ମଧ୍ୟ ଦୀପ ଜଳାଇ ରଖନ୍ତି। ସମସ୍ତେ ମିଶି ମନ ଖୁଶିରେ ବାଣ, ଫୋଟକା ଫଟେଇକି ଆନନ୍ଦରେ ଦୀପାବଳି ମାନନ୍ତି। ଦୀପାବଳି ପାଳନ କରି ସରିଲା ପରେ ସଜେଇ ଥିବା କଳସୀରେ ଦୀପ ଜଳାଇ ଗାଁ ମଝିରେ ଥିବା ଗ୍ରାମ ଦେବତା ଠାକୁର ବୁଢ଼ାଙ୍କର ପିଣ୍ଡାଙ୍କୁ ଯାଆନ୍ତି। ଗ୍ରାମର ସମସ୍ତେ ଏଠାରେ ଉପସ୍ଥିତ ହୁଅନ୍ତି। ସମସ୍ତେ ଉଜାଗର ଥିବା ଝିଅ ଗ୍ରାମ ଦେବତାଙ୍କ ପାଖେ ଧାଡ଼ିହୋଇ କଳସକୁ ହାତେ ଧରି ଭଉଁରୀ ଗୋଲ ମାନେ ଗ୍ରାମ ଦେବତା ପିଣ୍ଡାର ଚାରିଆଡ଼େ ଧାଡ଼ିହୋଇ ଚାଲନ୍ତି ଏହା ୭ ଥର କରନ୍ତି। ଭଉଁରୀ କରିବା ସମୟରେ ମାନ୍ଦଳ ବଜେଇ ଥାଆନ୍ତି। ଭଉଁରୀ କରି ସାରିବା ପରେ ସମସ୍ତେ ଦୀପକୁ ପିଣ୍ଡାରେ ସଜେଇ ରଖି ଧାଡ଼ି ଧାଡ଼ି କରି। ତାପରେ ଯେଉଁ ୭ ଗୋଟି ମୂର୍ତ୍ତି ତିଆରି ହୋଇଥିଲା ସବୁ କୁ ଫୋଟକା ଓ ଧନରେ ସଜେଇ ପୁଅମାନେ କାନ୍ଧରେ ବୋହିକି ଆଣନ୍ତି ୭ଟି ପୁଅ
୭ ଗୋଟି ପୁଅଙ୍କୁ ୭ ଗୋଟି ଝିଅ ଗୋରସ ଓ ପାଣିରେ ମୂର୍ତ୍ତି ଓ ପୁଅମାନଙ୍କ ଗୋଡ଼ ଧୁଅନ୍ତି ଓ ପୂଜା କରି ଜଣେ ଜଣେ ଗୋଟେ ଗୋଟେ ମୂର୍ତ୍ତିକୁ ମୁଣ୍ଡରେ ବୋହି ପୁଣି ଭଉଁରୀ କରନ୍ତି। ପୂଜା ସାରିବା ପର୍ଯ୍ୟନ୍ତ ମାନ୍ଦଳ ବାଜୁଥାଏ। ମୂର୍ତ୍ତିକୁ ଭଉଁରୀ କରି ସାରି ପିଣ୍ଡାରେ ରଖନ୍ତି ଓ ସମସ୍ତେ ଶୁଆ ଗୀତ ଗାନ କରନ୍ତି। କଳସକୁ ଭଉଁରୀ କରିବା ସମୟରେ ଗାଁର ପୂଜାରୀ ଠାକୁର ବୁଢ଼ାଙ୍କ ପାଖେ ବସି ପୂଜା କରନ୍ତି। ସେହି ଗ୍ରାମ ଦେବତା ଠାକୁର ବୁଢ଼ାଙ୍କ ପିଣ୍ଡାରେ ୬ ଗୋଟି ଦେବତାଙ୍କୁ ସ୍ଥାପନ କରାଯାଇଛି। ସେ ଗୁଡ଼ିକ ହେଲେ ଠାକୁର ବୁଢ଼ା, ଛେତଙ୍ଗେନ ମାଏଲି, ରକାମ, ଛୁଟିବୁଢୀ, ଭାତପରସି, ଡ଼ଙ୍ଗରବୁଡ଼ା ଇତ୍ୟାଦି। ସେଠାରେ ୬ଟି ନଡ଼ିଆ, ୬ଟି ଦୀପ ଜାଳନ୍ତି, ସିନ୍ଦୁର, ଅରୁଆ ଚାଉଳ, ମନ୍ଦାର ଫୁଲ, ଧୂପକାଠି, ଧୂପ ଏବଂ ପୂଜାରେ ତିଆରି କରାଯାଇଥାଏ ପ୍ରସାଦ “ସେଓକ୍ଷୀରି ” ଇତ୍ୟାଦି ଠାକୁର ବୁଢ଼ାଙ୍କ ଠାରେ ଚଢେଇ ପୂଜା କରନ୍ତି।
ଆମ ଗାଁରେ ୨ଟି ଗୁଣିଆ ଅଛନ୍ତି ଫୁକା ଝରା କରନ୍ତି ସେମାନଙ୍କୁ ଏହି ଦିନ ଦେବତା ଆସେ। ପୂଜା ସରିଲା ପରେ ସମସ୍ତେ ଘରକୁ ଯାଇ ଖାଇକି ପୁଣି ଏହି ଜାଗାରେ ଉପସ୍ଥିତ ହୋଇଯାଆନ୍ତି। କାରଣ ଏହି ଦିନ ପୂଜା ଆମ ଗାଁରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ଯଥା -: ଗହମତ(ଛତିଶଗଡ଼ି ଫିଲ୍ମ ), ଦଣ୍ଡନୃତ୍ୟ, ବୁଗି ବୁଗି (ପୁଅ ଝିଅଙ୍କ ଦ୍ଵାରା ନଚଡ଼େଗା ) ଇତ୍ୟାଦି। ଏହାକୁ ଦେଖିବା ପାଇଁ ବହୁ ବହୁ ଦୂରରୁ ଲୋକେ ଆସିଥାଆନ୍ତି ଓ ବହୁତ ଭିଡ଼ ହୋଇଥାଏ। ତେଣୁ ସମସ୍ତଙ୍କୁ ଭଲଭାବେ ବସି ଦେଖିବା ପାଇଁ ପାଲ ଓ ପଟିର ବ୍ୟବସ୍ଥା କରାଯାଇଥାଏ। ମଞ୍ଚର ଗୋଟେ ଆଡ଼େ ପୁଅମାନେ ଓ ଆଉ ଗୋଟେ ଆଡ଼େ ଝିଅମାନେ ବସି ଆନନ୍ଦରେ ସକାଳ ହେବା ପର୍ଯ୍ୟନ୍ତ ଦେଖନ୍ତି। ମଝିରେ ମଝିରେ ଗାଁର ଲୋକେ ସମସ୍ତ ଦର୍ଶକଙ୍କ ପାଇଁ ଓ ଅଭିନେତା ପାଇଁ ଚା ଆଣି ଦିଅନ୍ତି। ପୂଜା ଦିନ ଗାଁକୁ ମୁଢ଼ି, ଗୁପଚୁପ ଠେଲା, ଚଣା ଚାଟ ଓ ଖେଳଣା ଵାଲା ଆସିଥାଆନ୍ତି। ଏହି ଦିନ ଗାଁର ପରିବେଶ ଟା ପୁରା ଅଲଗା ଦେଖାଯାଏ। ସବୁ ଆଡ଼େ ବହୁତ ଭିଡ଼ ଓ ଲୋକ ଗହଳି ଦେଖିବାକୁ ମିଳିଥାଏ ବହୁତ ମଜାଲାଗେ। ସମସ୍ତଙ୍କ ଘରେ ବନ୍ଧୁବାନ୍ଧବ ଆସିଥାଆନ୍ତି। ପୂଜାଦିନ ଏହିପରି ଜାକଜମକରେ ଓ ଆନନ୍ଦରେ କଟିଥାଏ। ତା ପରଦିନ ସକାଳେ ଶିବ ପାର୍ବତୀଙ୍କ ବିବାହ ଭୋଜି କରାଯାଏ। ଭୋଜିରେ ଭାତ, ମାଂସ, ଡ଼ାଲମା, କ୍ଷୀର, ଖଟା, ତରକାରୀ ଇତ୍ୟାଦି ଭିନ୍ନ ଭିନ୍ନ ରକମର ଖାଦ୍ୟ ତିଆରି କରାଯାଏ। ସମସ୍ତେ ଗ୍ରାମବାସୀ ଏକାଠି ବସି ପ୍ରସାଦ ସେବନ କରନ୍ତି। ସେ ଦିନ ସନ୍ଧ୍ୟାରେ ଝିଅମାନେ ସମସ୍ତଙ୍କୁ ଘରକୁ ଯାଇ ଶୁଆ ଗୀତ ଗାନକରି ଶୁଆ ନାଚନ୍ତି।
ଗାଁ ବିଷୟରେ ଗବେଷଣା କରି ମୁଁ କଣ ଶିକ୍ଷା ପାଇଲି:

ଯେଉଁ ଗାଁରେ ମୋର ଜନ୍ମ, ସେ ଗାଁ ବିଷୟରେ ମୁଁ କିଛି ଜାଣି ନ ଥିଲି। ମୋ ଗାଁର ଜୀବନୀ ଲେଖି ମୁଁ ଗାଁର ଗଛଲତା, ପାଣିପବନ, ପରିବେଶ, ଲୋକ, ପିଲାମାନେ, ଅତୀତର ସବୁ କଥା, କଳାସଂସ୍କୃତି, ଗାଁରେ କଣସବୁ ଗଛଲତା ଥିଲା, ବର୍ତ୍ତମାନ ଅଛି କି ନାହିଁ, ଆମ ପୂର୍ବପିଢ଼ିର ଲୋକେ କେମିତି ରହୁଥିଲେ, କଣ ଖାଉଥିଲେ, ରୋଗ, ଦୁଃଖ ସୁଖ, ଅଭାବ ଅସୁବିଧା ସବୁ ବିଷୟରେ ଜାଣି ପାରିଲି। ସବୁଠୁ ବଡ଼କଥା ହେଲା ଆମ ଗାଁର ନାମ କାହିଁକି ପରଶଖଣ୍ଡି ହୋଇଛି ତାହା ଜାଣି ପାରିଲି। ଗାଁର ଅତୀତ ଓ ବର୍ତ୍ତମାନ ସବୁ ଜାଣିଲି। ଗାଁର ଲୋକେ ବହୁତ ସାହାଯ୍ୟ କରୁଛନ୍ତି ଆମ ଗାଁର ଇତିହାସ ଲେଖାରେ। ମୁଁ ଓ ମୋର ସାଙ୍ଗମାନେ ଆମ ଗାଁର ଇତିହାସ ଲେଖି ବହୁତ କିଛି ଜାଣିବାପାଇଁ ପାଇଥିବାରୁ ଆମେ ବହୁତ ଖୁସି। ଆମ ପରପିଢ଼ି ଆସିଲେ ସେମାନେ ସହଜରେ ଆମ ଗାଁ ଅତୀତ ଓ ବର୍ତ୍ତମାନ ବିଷୟରେ ସବୁକିଛି ଜାଣି ପାରିବେ। ତେଣୁ ସମସ୍ତେ ନିଜ ନିଜ ଗାଁ ଇତିହାସ ଲିପିବଦ୍ଧ କରିବା ଜରୁରୀ ଅଟେ।
ଗାଁର ଇତିହାସ ପ୍ରଥମେ ଲେଖିଲା ବେଳେ ଗାଁର ଲୋକ ଆଶ୍ଚର୍ଯ୍ୟ ହୋଇ ପଚାରୁଥିଲେ। ଏଗୁଡ଼ାକୁ କ’ଣ କରିବୁ ଲେଖିକି। ତେବେ ମୁଁ ସମସ୍ତଙ୍କୁ ବୁଝଉଥିଲି। ତାପରେ ଧୀରେ ଧୀରେ ସମସ୍ତେ ଗାଁର ଇତିହାସ ଲେଖା ବିଷୟରେ ଜାଣିଲେ। ଗାଁର ଅଧିକାଂଶ ଲୋକ ମୋତେ କହନ୍ତି କି, ଛୁଆ ଦିନର, ଆମ ବୟସର କଥା ସବୁ ସୋର କରାଇଦେଲୁ। ସେଦିନ କେତେ ଭଲ ଥିଲା। କେମିତି ଖେଳୁଥିଲୁ ସମସ୍ତେ ବୋଲି କହନ୍ତି। ଗାଁର ଇତିହାସ ବିଷୟରେ ଲେଖିବାରୁ ଗାଁ ଲୋକଙ୍କଠୁ ବହୁତ ସ୍ନେହ ପାଇଛି, ଭଲଭଲ ଉପଦେଶ ଗୁଡ଼ାକ ପାଇଛି। ଇତିହାସ ଲେଖାରେ ସମସ୍ତେ ସାହାଯ୍ୟ କରିଛନ୍ତି। ଏହା ଲେଖିବା ଜରୁରୀ ଅଟେ ଭଲ ପ୍ରୟାସ ଟିଏ କରିଛୁ କୁହନ୍ତି। ଲିପିବଦ୍ଧ କରି ରଖିଲେ ଆଗାମୀ ଦିନ ପାଇଁ ସୁବିଧା ହେବ। ଆମ ଗାଁର ଟେକ ରଖିବୁ ଓ ଆଗକୁ ମଧ୍ୟ ଏହା ଲେଖି ଚାଲିବୁ ବୋଲି କହନ୍ତି ଓ ସମସ୍ତେ ଆଶୀର୍ବାଦ ଦିଅନ୍ତି।
ଆମ ଗାଁ ପର୍ବପର୍ବାଣୀରେ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତ ଜାତିର ଲୋକେ ଏକାଠି ବସିବା, ପୂଜା ଶେଷ ଦିନ ସମସ୍ତେ ମିଶି ପ୍ରସାଦ ସେବନ ଓ ଭୋଜନ କରିବା, ସବୁ ଜାତିର ବିବାହ, ଅନ୍ୟାନ୍ୟ ଉତ୍ସବରେ ସମସ୍ତ ଜାତିର ଲୋକ ସାମିଲ ହେବା, ଏକାଠି ମିଳିମିଶି ରହିବା, ଏକତା ଓ ଭାଇଚାର ଭାବ ବଜାୟ ରଖିବା ଇତ୍ୟାଦି କଥା ମୋତେ ବହୁତ ଭଲ ଲାଗେ। ଆମ ଗାଁ ବିଭିନ୍ନ କଲାସଂସ୍କୃତି ଭରପୁର ଅଛି କିନ୍ତୁ ଦୁଃଖର କଥା ଯେ, ଆମ ଗାଁରେ ଗୋଟିଏ ହେଲେ ଚାକିରିଆ ନାହାନ୍ତି। ଏହି କଥା ମୋତେ ଭାରି କଷ୍ଟ ଦିଏ। ସେଥିପାଇଁ ମୁଁ ଭଲ ପଢ଼ିକି ଆଗାମୀ ଦିନରେ କିଛି କରିବାକୁ ଚାହୁଁଛି ଓ ଗାଁର ନାମ ଉଚ୍ଚା କରିବାକୁ ଚାହୁଁଛି। ମୋ ଠାରୁ ସାନ ସମସ୍ତ ଭାଇ ଭଉଣୀଙ୍କୁ ସଠିକ ରାସ୍ତାରେ ଚାଲିବାକୁ ଭଲଭଲ ଉପଦେଶ ଗୁଡ଼ାକ ଦେବି। ଏକତା ହିଁ ବଳ। ମୁ ଯଦି ଗାଁର ସମସ୍ତଙ୍କ ମନରେ ଏକତା ଜାଗ୍ରତ କରେ ଗାଁର ସଂସ୍କୃତି ଓ ସମସ୍ତଙ୍କ ଭିତରେ ଥିବା ସମ୍ପର୍କକୁ ବଞ୍ଚାଇ ପାରିବି।
ଗାଁ ପାଇଁ ଗୀତଟିଏ
ଛୋଟମୋର ଗାଁ ଟି… ପରଶଖଣ୍ଡି ତାର ନାଟି।
କେଡ଼େସୁନ୍ଦର ଗାଁଟି ମୋର … ରହିଛନ୍ତି ମିଶି ହୋଇ ଆମର।
ଛୁଆଁ ଛୁଇଁର ନାହିଁଟି ଦେଖା… ସମସ୍ତେ ଅଛୁ ମିଳିମିଶିକା।
ଛୋଟମୋର ଗାଁଟି …. ସଙ୍ଗୀତା ମୋର ନାଁଟି।

A Documentation on Parashkhandi (Paikmal)
Sangita and the Village She Refused to Let Be Forgotten
When we first met her in her classroom at Chetagaon School, she was the first girl to raise her hand to document her village — and after her, all the other students raised theirs too. She was the positive spark that encouraged us. That same day, she told us about her grandmother’s revolutionary spirit — and she has never stopped since. She keeps asking us for guidance to document more. She now wants to write a book about her village, and is already working on it — even as she prepares for higher studies after her +2.
In 2023, Sangita Mahananda was just a tenth-grader at Chetagaon School in Paikamal when she decided to do something unique for her village: write down the story of her own village before it disappeared into forgetting.
The Village
The village is Parashkhandi — a small, single-ward settlement tucked into forest country on the Odisha–Chhattisgarh border, in Bargarh district’s Paikamal block. It’s barely three hundred years old, named, as the elders tell it, after a stone called “parash” found in a riverbed nearby. Outsiders sometimes mock it as “jungly” for the forest ringing its approach roads; Sangita calls it nothing less than heaven.
Elders’ Voices
She didn’t start with theories. She started with people. She sat down with Jadumani Donsana, 75, and Jagatram, 85 — the village’s oldest men — and let them talk. She learned how a single Kalanga family arrived from the Patna region and asked the local landholder for permission to settle; how the community grew from one or two huts to over sixty concrete homes today; how people once lived on foraged mahul flowers, kendu, wild tubers and forest greens because there was nothing else, and somehow stayed healthier for it than the fast-food generation that followed them.
She talked to Janaki Banda, around 80, about the food that’s vanishing — the wild saag, the roasted mahul, the tuber called kundru kanda that nobody bothers to gather anymore. She talked to the village priest, Gangadhar Kalari, about Gaura Puja, the Diwali-night festival that makes Parashkhandi different from every neighboring village — its own rituals, its own version of a Shiva-Parvati wedding feast, its own all-night performances of Dandanacha and Gahamat that draw crowds from far away. She wrote down the dying Homo songs and Dodhariya verses that almost nobody her age can still sing.
Her Grandmother’s Fight
But the story that clearly moves her most is her grandmother’s.
Sangita’s grandmother, Basanta Mahananda — now past 85 — was one of five women who, in the 1980s, organized something extraordinary: the Gandhamardan Bachao Andolan, a movement to stop a mining company from blasting the Gandhamardan hills, near a beloved temple, for bauxite. Basanta and four other women — Rudana Bhue, Saraswati Kalari, Manjari Patel, Durmati Ghurua — rode bicycles from village to village across their panchayat, organizing the women of five villages to resist. They won. The mining stopped. The company left.
When Sangita asked her grandmother about it, the old woman grew emotional, describing how she used to pedal from village to village, proud that the women of her region had saved a mountain. That story — passed from grandmother to granddaughter — is, by Sangita’s own account, what pushes her forward.
Beyond the Page
What Sangita built from all this wasn’t just a written record. She made a video about her village. She kept documenting the changes — water that once meant a one-kilometer walk to the river, now from tube wells; caste barriers that once kept communities from eating together, now largely dissolved; theatre and folk songs being replaced by YouTube; a diet that’s traded millets for fried snacks and, with it, longer lives for shorter ones.
She didn’t know her own village’s story until she went looking for it. Now that she does, she wants to make sure no one after her has to go looking blind. “Ekata hi bala,” she writes — unity alone is strength. If she can keep that unity alive in Parashkhandi, she believes she can keep the culture alive with it.
— Swayamprava Parhi, Editor
