ଗୋପାଳ ସମ୍ପ୍ରଦାୟର ଅନନ୍ୟ ଲୋକପରମ୍ପରା ‘ଓଗାଳ’ ଉପରେ ଏହି ପ୍ରବନ୍ଧଟି ଆଧାରିତ । ଓଗାଳ କେବଳ ଏକ ଗୀତ କିମ୍ବା ଆଚାର ନୁହେଁ; ଏହା ଏକ ସମ୍ପ୍ରଦାୟର ଇତିହାସ, ଜୀବନଦର୍ଶନ, ଲୋକବିଶ୍ୱାସ ଓ ସାଂସ୍କୃତିକ ସ୍ମୃତିର ବାହକ। ପ୍ରବନ୍ଧ ମାଧ୍ୟମରେ ଲେଖକ ଏହି ଦୁର୍ଲଭ ପରମ୍ପରାର ବିଭିନ୍ନ ଦିଗ ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ସମଧ୍ୱନିର ବିଶ୍ୱାସ ଯେ, ଅବହେଳିତ ଓ ବିଲୁପ୍ତପ୍ରାୟ ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ ଏବଂ ମୌଖିକ ପରମ୍ପରାଗୁଡ଼ିକୁ ଲିପିବଦ୍ଧ କରିବା, ଦଲିଲୀକରଣ କରିବା ଏବଂ ସଂରକ୍ଷଣ ପାଇଁ ସାମୂହିକ ଉଦ୍ୟମ ଆଜିର ସମୟରେ ଜରୁରୀ । ଲେଖକ ନିଜ ଅଞ୍ଚଳର ଲୋକ ପରମ୍ପରା ସହିତ ନିଜର ଦୃଷ୍ଟିଭଙ୍ଗୀ ସାହିତ୍ୟିକ ଢଙ୍ଗରେ ଏଥିରେ ପ୍ରକାଶ କରିଛନ୍ତି । ସମଧ୍ୱନିର ପ୍ରୟାସ ଯେ, ବିଭିନ୍ନ ଅଞ୍ଚଳର ଏହି ଲୋକ ସଂସ୍କୃତି ହଜି ଯିବା ଆଗରୁ ବ୍ୟାପକ ଭାବରେ ଲିପିବଦ୍ଧ ହେଉ ଓ ପ୍ରକାଶିତ ହେଉ। – (ସ୍ଵୟଂପ୍ରଭା ପାଢୀ, ସମ୍ପାଦକ)
‘ଓଗାଳ’ ଶବ୍ଦଟି ଉଚ୍ଚାରଣ ମାତ୍ରକେ ପଞ୍ଚସଖା ଯୁଗର ମୂର୍ଦ୍ଧନ୍ୟ ପ୍ରତିଭା ଆଗତ ଅନାଗତର ଜ୍ଞାତା ଅଚ୍ୟୁତାନନ୍ଦ ଦାସଙ୍କ ନାମ ସ୍ମରଣକୁ ଆସେ । ଗୋପାଳଙ୍କ ସହ ଅଚ୍ୟୁତାନନ୍ଦଙ୍କ ସମ୍ପର୍କ ନିବିଡ଼ ଏବଂ ଅଚ୍ୟୁତାନନ୍ଦଙ୍କର ଜନ୍ମ ଦ୍ୱାପରରେ ହୋଇଥିବାରୁ ଦାସ ବଂଶ (ଗୋପାଳ) ର ଲୋକେ ତାଙ୍କୁ ଅଚ୍ୟୁତାନନ୍ଦ ଦାସ ବୋଲି କହନ୍ତି । ଗୋପାଳମାନେ ତାଙ୍କୁ ଗୁରୁରୂପେ ମାନୁଥିଲେ। ସେ ବହୁତ ପୁସ୍ତକର ରଚୟିତା ଏବଂ ଗୋପାଳଙ୍କ ଓଗାଳ ତାଙ୍କର ସ୍ୱତନ୍ତ୍ର ରଚନା ।
ରାଧାକୃଷ୍ଣଙ୍କର ଅପୂର୍ବ ମିଳନ, ବଂଶୀଚୋରୀ, ପ୍ରେମରହସ୍ୟ, ନବଗୁଞ୍ଜର, ବାରମାସୀ ଗୀତ, ମୁକ୍ତଚୋରୀ, ସର୍ପ ଅଭିସାର ଆଦି ବିଷୟକ ଗୀତ ଓଗାଳ ଗୀତ ଅନ୍ତର୍ଭୁକ୍ତ । ଗୋପାଳ ଭାଇମାନେ ଦୋଳପୂର୍ଣ୍ଣମୀରେ ଗୋପାଳ ଓଗାଳକୁ ବାଡ଼ିଖେଳ କରି ଗୀତ ବୋଲିଥାନ୍ତି । ଏହାକୁ ଲଉଡ଼ି ଖେଳ ମଧ୍ୟ କୁହାଯାଏ । ଏକ ସଙ୍ଗରେ ଖେଳ, ଗୀତ ଓ ନୃତ୍ୟର ସମନ୍ୱୟ ଘଟିଥାଏ । ବାଡ଼ି ବା ଲଉଡ଼ି ର ଶବ୍ଦ (ବାଡ଼ିକୁ ବାଡ଼ି ବାଡ଼େଇଲେ) ସହ ଗୀତ ଗାଉଥିବା ଗୋପାଳଙ୍କ ହାତରେ ପିତ୍ତଳ ଘାଗୁଡ଼ି ଓ ପଷ୍ଟିର ଶବ୍ଦ ବାଦ୍ୟର କାମ ଦେଉଥାଏ ।
ଓଗାଳିବା ଶବ୍ଦରୁ ଓଗାଳର ନାମକରଣ । ଓଗାଳିବା ଅର୍ଥ ଅଟକାଇବା । ଓଗାଳ ଗାନ କରୁଥିବା ସମୟରେ ଗୋପାଳମାନେ ଏକତ୍ର ଯାଇ ଗୋଟିଏ ସ୍ଥାନରେ ଅଟକି ପ୍ରଶ୍ନୋତ୍ତର କରନ୍ତି । ଓଗାଳରେ ରହିଛି ପ୍ରଶ୍ନୋତ୍ତର । ବୋଲିବା ସମୟରେ ଯାଦବମାନେ ପରସ୍ପର ବାଟ ଓଗାଳି ପଚରା ପଚରି ହେବା ପ୍ରକ୍ରିୟାକୁ ଓଗାଳ କୁହାଯାଏ ।
ଯାଦବ ବା ଗୋପାଳମାନଙ୍କର ପ୍ରଧାନ ବୃତ୍ତି ହେଉଛି ଗୋପାଳନ । ଗୋପାଳମାନେ ବୈଶ୍ୟ, ଏବଂ ସେମାନଙ୍କର ବ୍ୟବସାୟ ହେଉଛି ଗାଈଗୋରୁ, ଦୁଧ, ଦହି ଇତ୍ୟାଦି । ସେମାନଙ୍କୁ ମଧ୍ୟ ଶୁଦ୍ଧବୈଶ୍ୟ କୁହାଯାଏ । ଗୀତାର ବର୍ଣ୍ଣନା ‘ଚର୍ତୁ ର୍ବର୍ଣ୍ଣ୍ୟଂ ମହାସୃଷ୍ଟଂ ଗୁଣକର୍ମ ବିଭାଗଶଃ……’ ଅନୁସାରେ ଗୁଣ ଓ କର୍ମକୁ ଦେଖି ଚାରିବର୍ଣ୍ଣର ସୃଷ୍ଟି ଓ ତନ୍ମଧ୍ୟରୁ ବ୍ୟବସାୟ କରୁଥିବା ଲୋକଙ୍କୁ ବୈଶ୍ୟ ନାମରେ ନାମିତ କରାଗଲା । ଯେହେତୁ ଗୋପାଳମାନେ ଗୋସଂପଦ ସହ ବ୍ୟବସାୟ ଆରମ୍ଭ କଲେ ସେମାନଙ୍କୁ ଶୁଦ୍ଧବୈଶ୍ୟ କୁହାଗଲା ।
ଓଗାଳ ଗୀତ ଗାଇବା ଆଗରୁ ସେମାନେ ଓଗାଳ ବନ୍ଦନା ଗାନ କରିଥାନ୍ତି । ବନ୍ଦନାଟି ଏହି ପରି –
“ ଜୟଜୟ ବୃନ୍ଦାବନ ବିହାରୀ ରାଧାରମଣ ଶୁଣ ମୋ ଗୁହାରୀ
ଜୟ ଗୋକୁଳ କୁଳର ଚନ୍ଦ୍ରମା ଘନଶ୍ୟାମ ହର ଦୁଃଖ ଗାରିମା
ଜୟ ମୁକୁଳ ମାଧବ ମୂରତି ଭକ୍ତମାନଙ୍କ ନୟନ ସମ୍ପତ୍ତି
ଜୟ ଅଚ୍ୟୁତ ଅନାଦି ଅନନ୍ତ କୃଷ୍ଣ କେଶବ କାନ୍ହୁ ଗୋପୀନାଥ
xxx xxxx xxxxxx xxxx
ଜୟ ଜଗଦୀଶ ଘେନି ବିନତି ଗୀତେ ରମିଲେ ପାମର ଅଚ୍ୟୁତି “
ଗୋପାଳନର ଅନେକ ଗୁଡ଼ିଏ ଦିଗ ରହିଛି ଯାହା ଓଗାଳ ସମ୍ପର୍କିତ । ଗୋପଳନ, ଦୁଗ୍ଧ ଉତ୍ପାଦନ, ଗାଈ ଗାଧୁଆ, ଗିରିଗୋବର୍ଦ୍ଧନ ପୂଜା, ଗୋପାଳଙ୍କ ବେଶ, ଦୁଧବନ୍ଦାଣ, ଗୋରୁମାନଙ୍କ ବେକରେ ଝୁଲୁଥିବା ଘାଘୁଡ଼ି, କୁମ୍ଭ ( ଦୁଧ, ଦହି ଘୃତ ) ଗୋପାଳର ବଂଶୀ, ଗୋରୁଙ୍କ ବଂଶାନୁଚରିତ, ବାଡ଼ି ବା ଦଉଡ଼ି ( ଠେଙ୍ଗା, ପଞ୍ଚଣ) ଗାଈ ମାନଙ୍କର ରଙ୍ଗ ଆଦି ଓଗାଳ ଗୀତ ଅନ୍ତର୍ଭୁକ୍ତ ।
ଓଗାଳ ଗୀତ ବୋଲିବା ସମୟରେ ବାଡ଼ି ବା ଲଉଡ଼ି ଖେଳ ଚାଲେ । ଗୀତ ସହ ଲାଠିର ଠକ୍ ଠକ୍ ଶବ୍ଦ, ଅଦ୍ଭୁତ ଘୂର୍ଣ୍ଣନ ଓ ଶକ୍ତିଶାଳୀ ଚାଲ ଦର୍ଶକଙ୍କ ମନହରଣ କରେ । ଗୀତ, ଖେଳ, ପାଦର ନୃତ୍ୟ ସମନ୍ୱୟରେ ସୃଷ୍ଟି ହୁଏ ଏକ ଭକ୍ତି ରସାତ୍ମକ ପରିବେଶ । ଲଉଡ଼ି ଖେଳ ବାଡ଼ି ବୁଲାଣ ସମୟରେ ଗୋପାଳମାନେ ଏଇ ଗୀତଗାଇ ବାଡ଼ିବୁଲାଇ, ବାଡ଼ିକୁ ବାଡ଼ି ବାଡ଼େଇ ଶବ୍ଦ ସୃଷ୍ଟି କରିଥାନ୍ତି –
“ ରେ ରେ ରାହାକୁ ରାହା ଦେଇ ବାହାକୁ ବାହା ଦେଇ
ସେଇ ଗୋଡ଼ ସେଇଠି ଥିବ
ସେଇ ହାତ ସେଇଠି ଥିବ ଅଣ୍ଟା ହଲାଇ
ଛାତି ଫୁଲାଇ ଆସିବୁ ମୋର ଭାଇ ଜାକିଜୁକି ହୋଇ
ରାଧାକୃଷ୍ଣ ନିତ୍ୟ କେଳି କଦମ୍ୱ ମୂଳେ ଭେଟ
ରେ ରେ ରେ ଲାଗିଲା ପେଞ୍ଚାଟ
ଲାଗିଲା କୋଲପ ବାଡ଼ି ବାଜିଲା ଶୂନ୍ୟ କପାଳ
ରେ ରେ ରେ ଦୁଷିର ଛାଟଏ ପାଟଏ ବିଛାଏ
ଘର ହେ ମମ୍ଭାଳ ଭାଇ ଶିକା ।”
ଉଲ୍ଲିଖିତ ଗୀତରୁ ଆମେ ଉପଯୁକ୍ତ ଭାବ ଓ ଭଙ୍ଗୀ ଠଉରାଇ ପାରୁଛେ । ଶରୀରର କେଉଁ ଅଂଶର କିଭଳି ଚାଳନା ତାହା ଗୀତରେ ସୁସ୍ପଷ୍ଟ । ବାହା, ଗୋଡ଼, ନାତ, ଅଣ୍ଟା, ଛାତି ଆଦି ଅବୟବର ସ୍ଥିତି (Position) ଓ ଚାଳନା ଦ୍ୱାରା ଗୀତ ଆହୁରି ଚମତ୍କାର ହୋଇଯାଏ । ‘ରାଧାକୃଷ୍ଣ ନିତ୍ୟକେଳି କଦମ୍ୱ ମୂଳେ ଭେଟ’ ପଦଟି ଯଥେଷ୍ଟ ସୂଚନା ବର୍ଦ୍ଧିତ ଯେ ଗୀତଟି ସଂପୂର୍ଣ୍ଣ ରାଧାକୃଷ୍ଣଙ୍କୁ ସମର୍ପିତ । ରାଧାକୃଷ୍ଣ ନାମ ଉଚ୍ଚାରଣ ସ୍ମରଣ ଓ ସମର୍ପଣ ଦ୍ୱାରା ବାଡ଼ି ବା ଲଉଡ଼ି କେବଳ ଖେଳରେ ପର୍ଯ୍ୟବସିତ ନହୋଇ ‘ ଦୁଷିର ଛାଟ ’ ( ଦୁଷ୍ଟଙ୍କ ପାଇଁ ଛାଟ ) ପାଲଟିଯାଏ । ବିଛା ପରି ଦଂଶନ ଦିଏ ଦୁଷ୍ଟ ମାନଙ୍କୁ । ଏ ହେଉଛି ଢାଲ; ନିଜର ରକ୍ଷାକବଚ ।
ଦୋଳ ପୂର୍ଣ୍ଣିମାରେ ଓଗାଳକୁ ବାଡ଼ିଖେଳ ବା ଲଉଡ଼ିପାଳ କରି ଗୋପାଳ ଭାଇମାନେ ଗୀତ ବୋଲିଥାନ୍ତି – “ ଫଗୁଣ ମାସରେ ଦୋଳଗୋବିନ୍ଦ/ ସବୁ ଗୋପାଳଙ୍କ ମନ ଆନନ୍ଦ/ ନୂଆ ଶିକାକୁ ଯେ ନୂଆ କଳସୀ/ ତହିଁ ଆମ୍ୱଡାଳ ସୁନ୍ଦର ଦିଶି/ ଡାକ ହାକ ହୋଇ ହେଲେ ବାହାର/ କାନ୍ଧରେ ବୋହିଲେ କଳସୀ ଭାର…।” ଏହାକୁ କୁହାଯାଏ ‘ କୁମ୍ଭ ବୁଡା ଗୀତ ’ । ଗୋପାଳମାନେ କଳସ ବୁଡାର ଆଣିବା ପରେ ଗୋପାଲୁଣୀମାନେ ବନ୍ଦାପନା କରି କଳସ ପୂଜା କରିଥାନ୍ତି । କଳସ ସ୍ଥାପନ ଆମ ସଂସ୍କୃତିରେ ସଦା ମୁତ୍ତ ସୂଚକ ।
ପୁଣି ଓଗାଳରେ ରହିଛି ଦୁଧ ବନ୍ଧାଣ । ଗୀତଟି ଏହି ଭଳି –
ପ୍ରଥମ ଅଞ୍ଜଳି କ୍ଷୀର ଧର୍ମକୁ ଦେଲେ
ଦ୍ୱିତୀୟ ଅଞ୍ଜଳି କ୍ଷୀର ବାସୁକି ଦେଲେ
ତୃତୀୟ ଅଞ୍ଜଳି କ୍ଷୀର ତୋଳି ଧଇଲେ
କୁଲା କୁଲା କ୍ଷୀର ବହିଣ ନେଲେ
ଗମ୍ଭିରୀ କୋଣରେ ତାକୁ ପକାଇ ଦେଲେ
କୃଷ୍ଣଙ୍କୁ ସୁମରି ଆନନ୍ଦ ହେଲେ
ଗମ୍ଭିରୀ ଶାଳରେ ପୂରିବ ଧନ
ଦୟାଳୁ ଠାକୁର ଶ୍ରୀ ଭଗବାନ…।”
ପ୍ରଥମ କ୍ଷୀର ଅଞ୍ଜଳି ଦିଆଗଲା ଧର୍ମକୁ । ଧର୍ମ ଉଦ୍ଦେଶ୍ୟରେ ଅର୍ପିତ ଦ୍ରବ୍ୟ ହିଁ ଭୋଗ ଉପଯୋଗୀ ହୋଇଥାଏ । ଅନନ୍ୟ ଏ ପରମ୍ପରା, ଯୁଗେଯୁଗେ ମାନବ ସମାଜ ପାଇଁ ଦିବ୍ୟ ସନ୍ଦେଶ ।
ପୁନଶ୍ଚ ଓଗାଳରେ ରହିଛି କୁମ୍ଭର ଉତ୍ପତ୍ତି ବିଷୟ । ବ୍ରହ୍ମା କୁମ୍ଭ ଦାନ କଲେ । କୁମ୍ଭରେ ଜଳପୂର୍ଣ୍ଣ କରାଗଲା ସଦାଶିବ ମନ୍ତ୍ରରେ ଓ ଶ୍ରୀଫଳ ସ୍ଥାପିତ ହେଲା ବିଷ୍ଣୁ ମନ୍ତ୍ରରେ । ଘଡ଼ି, ଠେକି, ଦହିହାଣ୍ଡି ଏସବୁ ଆଧାର ସେମାନଙ୍କର ଦହି, ଦୁଗ୍ଧ ଓ ଘିଅ ଭରି ରଖିବା ପାଇଁ ଓ ବିକ୍ରୟ କରି ନେବା ପାଇଁ । ଠେକି ଧରିବା ପାଇଁ ତାରକ ମନ୍ତ୍ର ଉଚ୍ଚାରଣ କରାଯାଏ ଏବଂ ଦହି ବିକ୍ରୀକୁ ବାହାରିଲେ ରାଧିକା ମନ୍ତ୍ର ଉଚ୍ଚାରିତ ହୁଏ । ଗୋପାଳୁଣୀଙ୍କ ଦ୍ୱାରା କୁମ୍ଭରେ ସିନ୍ଦୂର ମାଖି ଦିଆଯାଏ ମହାମାୟୀଙ୍କ ନାମର । ଚନ୍ଦନ କାଳିକାଙ୍କ ନାମରେ ଏବଂ ଅଷ୍ଟଚଣ୍ଡିଙ୍କ ନାମ ଧରି ଢାଳ ଭର୍ତ୍ତି କରାଯାଏ ।
ଗୋପାଳଙ୍କ ବେଶ ସଂପର୍କରେ ମଧ୍ୟ ଓଗାଳରେ ବର୍ଣ୍ଣନା ରହିଛି । ଗାଈ ଚରାଇବାକୁ ବନକୁ ଗଲାବେଳେ ଏହିସବୁ ବେଶରେ ଗୋପାଳ ଭାଇମାନେ ବାହାରନ୍ତି । ପ୍ରଥମ ବେଶ – ପାଦରେ କଠଉ, ଦ୍ୱିତୀୟ – ଶିଂଘା ବାଦନ, ବୃଷଭ କଟିରେ କାଛେଟି, ଚତୁର୍ଥ ଆଖିରେ କଜ୍ଵଳ, ପଞ୍ଚମ ଗଳାରେ ଫୁଲମାଳ, ଷଷ୍ଠରେ ମାଆର ସିନ୍ଦୁର, ସପ୍ତମରେ କରରେ ବଂଶୀ, ଅଷ୍ଟମରେ ସ୍କନ୍ଦରେ ପଇତା, ନବମରେ ଛଡା ଧାରଣ, ଦଶମରେ ମଥାରେ ଗୋଟନା, ଏକାଦଶରେ ଫୁଲଣା ଓ ଦ୍ୱାଦଶରେ ହାତରେ ଲଉଡ଼ି । ଏବେ ଅବଶ୍ୟ ଗୋପାଳଙ୍କ ବେଶରେ କିଛି ବ୍ୟତିକ୍ରମ ହେଲାଣି । ଦୋଳ ସମୟରେ ଶିଂଘା ବାଦନ ହେଉଛି । ଗାଇ ଗୋଠରେ ଗଲେ ଲଉଡ଼ି ( ବାଡ଼ି ) ଟିଏ ନିଶ୍ଚିତ ହାତରେ ଥିବ । ଖରା, ବର୍ଷା ପାଇଁ ତାଳପତ୍ର ଛତା ମଧ୍ୟ କେତେକାଂଶରେ ଧରିଥିବା ଦେଖିବାକୁ ମିଳୁଛି ।
ବାଡ଼ି ଧାରଣ କିଛି ଛୋଟ କଥା ନୁହେଁ । ଗୋବର୍ଦ୍ଧନ ଗୋପାଳମାନଙ୍କୁ ଗୋ ଶାସ୍ତ୍ର ବିଦ୍ୟା ଶିକ୍ଷା ଦେଲେ ଓ ବାଡ଼ି ୯୦ ଆଙ୍ଗୁଳ ବିଶିଷ୍ଟ ହେବା ଆବଶ୍ୟକ ବୋଲି କହିଛନ୍ତି । କାରଣ ଅମାପରେ ( ଅର୍ଥାତ୍ ମନଇଛା ) ବାଡ଼ିଟେ ଧରିଲେ ଗୋରୁ ବଢନ୍ତି ନାହିଁ । ପ୍ରକୃତ ମାପର ବାଡ଼ି ଧରିଲେ ଏବଂ ବୁଲାଇଲେ ଗାଈ-ମଇଁଷି ମାନଙ୍କ ରୋଗ ଛାଡ଼ିଯାଏ । ସେହି ମାପର ବାଡ଼ିଟିକୁ ଘୋରି ପିଆଇଲେ ଗୋରୁଙ୍କର ରୋଗ ବି ଛାଡ଼ି ଯିବ । କୃଷ୍ଣ ନାମ ଉଚ୍ଚାରଣ କରି ବାଡ଼ି ବୁଲାଇଲେ ହଜିଲା ଗୋରୁ ବି ମିଳିଯିବେ । ବନରେ ଗାଈ ଚରାଉଥିବା ସମୟରେ ହାତରେ ବାଡ଼ିଟି ଥିଲେ ଭୂତ-ପ୍ରେତ ପାଖରେ ପଶିବେ ନାହିଁ । ଓଗାଳ ଗୀତର ପ୍ରଶ୍ନୋତ୍ତରରେ ଏହି ଭଳି ରହିଛି –
“ଗାଈ କି ଚରାଇ ତୁମ୍ଭେ ଯାଅ ବନସ୍ତର
ବାଡ଼ି ଖଣ୍ଡେ ଧରିଯାଅ ତୁମ୍ଭେ କିମ୍ୱା କର
ସେ ବାଡ଼ି କେତେ ଅଙ୍ଗୁଳ କହିନୁରେ ଭାଇ
ଅମାପେ ବାଡ଼ି ଧରିଲେ ଗୋରୁ ବଢେ ନାହିଁ ।
ଗାଈ ମହିଷ ମାନଙ୍କୁ ଯେବେ ରୋଗ ଥାଇ
ଏ ବାଡ଼ିକୁ ବୁଲାଇ ଦେଲେ ସେ ଭଲ ଯେ ହୁଅଇ
କୃଷ୍ଣକୃଷ୍ଣ କହି ତିନି ବାର ମନ୍ତ୍ର ପଢି ବାଡ଼ି
ଘୋରି ପିଆଇଲେ ଯିବ ରୋଗ ଛାଡ଼ି
କୃଷ୍ଣ କୃଷ୍ଣ କହି ବାଡ଼ି ଧରି ବୁଲାଇଲେ
ହଜିଲା ଗୋରୁ ମଇଁଷି ମିଳିବ ଯେ ଭଲେ
ବାଡ଼ି ଧରି କରି ଭାଇ ବୁଲିଲେ ବନର
ଭୂତ-ପ୍ରେତ ଆଦି କେହି ନ ଆସେ ପାଶର ।”
ବାଡ଼ିର ଏତେ ମହାତ୍ମ୍ୟ, ଏତେ ଉପକାରିତା ଏବଂ ଗୋ ବଂଶ ପାଇଁ ବାଡ଼ି କେବଳ ବାଡ଼େଇବା ବା ନିୟନ୍ତ୍ରଣ କରିବା ପାଇଁ ନୁହେଁ; ରୋଗ ନିବାରଣ ଓ ହଜି ଥିବା ଗୋରୁର ଗୁହାଳକୁ ପ୍ରତ୍ୟାବର୍ତ୍ତନ ଓ ଘଞ୍ଚ ବନାନୀରେ ଭୂତ-ପ୍ରେତ ଭୟରୁ ଗୋପାଳ ଭାଇକୁ ରକ୍ଷା କରିବା ଭଳି ମହାନ୍ କାର୍ଯ୍ୟ ପାଇଁ ଏହା ଅବିପ୍ରେତ ।
ଗୋପାଳ ବାଳକ ଗୋରୁ ପଲ ନେଇ ବନସ୍ତରେ ଛାଡ଼ି ଗଛଡାଳରେ ବସି ବଂଶି ବାଦନ କରେ । ଏହା ତା ପାଇଁ ମନୋରଞ୍ଜନ ହୋଇପାରେ, ମାତ୍ର ବଂଶୀର ମଧୁର ମୂର୍ଚ୍ଛନା ଗୋରୁପଲ୍ଲ ଓ ପ୍ରକୃତି ରାଣୀକୁ ମଧ୍ୟ ମୁଗଧ କରେ । ବଂଶୀର ସ୍ୱର ଅତିବ ମଧୁର । ଗାଈ ମାନେ ବି କାନଡ଼େରି ଶୁଣନ୍ତି । ବଶ କରୁଥିବାରୁ ଏହାର ନାମ ବଂଶୀ, ସତ୍ୟଯୁଗରୁ ଏହାର ଉତ୍ପତ୍ତି । ଶ୍ୱେତନାମକ ଜଣେ ରାଜା ମନ କଲେ । ଚାରିମେଘ ( ସମ୍ୱର୍ତ୍ତକ, ଆବର୍ତ୍ତକ, ଦ୍ରୋଣ, ପୁଷ୍କର ) ଘିଅ ଯୋଗାଇଲେ । କେତେଦିନ ପରେ ଦେଖାଗଲା ଯଜ୍ଞ କୁଣ୍ଡର ପୂର୍ବ ଭାଗରେ ବେନୁ ଓ ପଶ୍ଚିମ ଭାଗରେ ବେତ ବୃକ୍ଷ ତନ୍ମ ନେଲେ । ବେଦପତି ବିଶ୍ୱକର୍ମାଙ୍କୁ ଡ଼କାଇ ବେତ କଟାଇଲେ । ବେତରେ ତିଆରି ହେଲା ମାପ, ଗଉଣୀ ଓ ପେଡ଼ି । ବେନୁ ତାକୁ ୪ ଭାଗ କରାଗଲା । ୩ ଭାଗରେ ଧନୁ ଓ ଶେଷ ଭାଗକୁ ମୋହନ ମୁରଲୀ କରାଗଲା । ପ୍ରଥମେ ମୁରଲୀର ଥିଲା ୧୦ ରନ୍ଧ୍ର, ତା ପରେ ୮ ରନ୍ଧ୍ର, ଦ୍ୱାପରରେ ୭ ରନ୍ଧ୍ର ଓ କଳିରେ ୪ ରନ୍ଧ୍ର । ବଂଶୀବାଦନ ହେଲେ କେଉଁ ରନ୍ଧ୍ରରେ କି କାର୍ଯ୍ୟ ସାଧିତ ହୁଏ ଏବେ ଜାଣିବା –
“ ପ୍ରଥମ ରନ୍ଧ୍ରରେ ହୁଏ ତରୁ ପଲ୍ଲବିତ
ଦ୍ୱିତୀୟ ରନ୍ଧ୍ରରେ ହୁଏ ଯମୁନା ସ୍ଥଗିତ
ତୃତୀୟ ରନ୍ଧ୍ରରେ ମୃଦୁ ମଳୟ ବହଇ
ଚତୁର୍ଥ ରନ୍ଧ୍ରରେ କେଳି କଦମ୍ୱ ଫୁଟଇ
ପଞ୍ଚମ ରନ୍ଧ୍ରରେ ବେଣୁ ଗୋପୀନାମ ଧରେ
ରାଧେରାଧେ ଡାକେ ସଦା ଷଷ୍ଠ ରନ୍ଧ୍ର ସ୍ୱରେ
ସପ୍ତମ ରନ୍ଧ୍ରର ଫଳ ମତେ ଅଗୋଚର
ମୋହିତ ହୁଅନ୍ତି ସଦା ଦେବ ତରୁବର । ”
ବଂଶୀ ଯାନବ ବଂଶୀ କୃଷ୍ଣଙ୍କର ଅତିବ ପ୍ରିୟ ବାଦ୍ୟ । ବଂଶୀ ୧୬ ଆଙ୍ଗୁଳ ବିଶିଷ୍ଟ ଏବଂ ରାଧାଙ୍କୁ ମୋହିତ କରିବା ପାଇଁ ଏହାର ବାଦନ । ଏହାର ଅନ୍ୟନାମ ମଧ୍ୟ ମୁରଲୀ । ସୁରଲୀ ୩୨ ଆଙ୍ଗୁଳ ବିଶିଷ୍ଟ ଓ ଏହା ବାଦନ କରାଯାଏ ରାସରେ । ଆହୁରି ଏକ ନାମ ହେଉଛି ବେଣୁ ଏବଂ ବେଣୁର ପରିମାଣ ୧୬ ଆଙ୍ଗୁଳ । ବେଣୁ ବାଦନ ହୁଏ ଖେଳ ସମୟରେ, ବାଜିଲେ ସାଥିମାନେ ଆସି ଜମା ହୁଅନ୍ତି ।
ଗୋପଳ ମାନଙ୍କର ସାଜ, ବେଶ ସେମାନଙ୍କ ଦ୍ୱାରା ବ୍ୟବହୃତ ଦ୍ରବ୍ୟ କେଉଁ କେଉଁ ଦେବୀ-ଦେବତାଙ୍କ ଦ୍ୱାରା ପ୍ରଦତ୍ତ ତାହା ଏବେ ଦେଖିବା । ବଂଶୀ ଦେଲେ ବ୍ରହ୍ମା, ମହାଦେବ ଷଡ଼ ଅକ୍ଷରରେ ମନ୍ତ୍ରଣ କରି ଦେଲେ ଶିଙ୍ଗା, ପାର୍ବତୀ ଦେଲେ କାଛଟି, ଘାଘୁଡ଼ି ଦେଲେ ଗଣେଶ, ମହାଦେବ ଦେଲେ ଲମ୍ୱବାଡ଼ି, ଶିକା ଓ ବାଉଁଙ୍ଗୀ ଦେଲେ ସାବିତ୍ରୀ, ବ୍ରହ୍ମାଙ୍କ ପୁତ୍ର ଦେଲେ ପୋଡାଘଡ଼ି ।
ଓଗାଳ ଗାଇଲା ବେଳେ ଗୋପାଳ ଭାଇମାନେ ଘଣ୍ଟି ଓ ଘାଙ୍ଗୁଡ଼ି ବଜାଇଥାନ୍ତି ଓ ତାଳେତାଳେ ଲଉଡ଼ି ଖେଳ ବି ହୋଇଥାଏ । ଘଣ୍ଟି ଘାଘୁଡ଼ି ପିତ୍ତଳର ଅଳ୍ପ ବୃତନ୍ତ ସଂପର୍କରେ ଏକ ପୌରାଣିକ ଆଖ୍ୟାନ ରହିଛି । ଶିବ ପାର୍ବତୀଙ୍କ ସହ ଶୃଙ୍ଗାର ରତ ଥାଆନ୍ତି । ବ୍ୟାଘ୍ର ଛାଲଟି ତଳେ ପଡ଼ିଥାଏ । ପବନରେ ବ୍ୟାଘ୍ର ଛାଲଟି ଉଡ଼ିଯାଇ ଶିବଙ୍କ ବୃଷଭ ଉପରେ ପଡ଼ିବାରୁ ବ୍ୟାଘ୍ର ଭାବି ବୃଷଭ ଭୟରେ ଶିବଙ୍କ ପାଖକୁ ପଳାଇଲା । କୃଷ୍ଣକୁ ଦେଖି ପାର୍ବତୀ ଶିବଙ୍କ ଆଲିଙ୍ଗନରୁ ବାହରି ଆସିଲେ । କିନ୍ତୁ ଶିବଙ୍କ ରେତ ବାଘଛାଲ ଉପରେ ପଡ଼ିଲା । ପୀତ ବର୍ଣ୍ଣର ରେତକୁ ପାର୍ବତୀ ‘ ପିତଳ ’ ଆଖ୍ୟା ଦେଲେ । ବିଶ୍ୱକର୍ମାଙ୍କୁ ଡାକି ଘଣ୍ଟି ଓ ଘାଘୁଡ଼ି କରାଇ ବୃଷଭର ବେକରେ ପିନ୍ଧାଇଲେ । ଏହା ବୃଷଭ – ରଘୁରାଜ- ପର୍ଶୁରାମ – ଦ୍ରୋଣ – ନନ୍ଦର କହ୍ନାଇ କ୍ରମରେ ଗୋପାଳମାନଙ୍କ ପାଖକୁ ଆସିଲା । ଚଣ୍ଡିକା ମନ୍ତ୍ରରେ ଘଣ୍ଟି, ଘାଘୁଡ଼ି ପୂଜା କରାଯାଏ ।
ଗୋପାଳଙ୍କର ସମସ୍ତ କାର୍ଯ୍ୟର ମନ୍ତ୍ର ରହିଛି । ହୁଏତ ମନ୍ତ୍ର ମାପିକେ ସମସ୍ତେ କାର୍ଯ୍ୟ କରୁଛନ୍ତି କି ନା ସେମାନଙ୍କୁ ଜଣା । ଗାଈ ଦୁହିଁବା ବେଳେ ( ଗୋ ଦୋହନ ) ବତ୍ସ ମନ୍ତ୍ର, ଗୋରୁ ଗୋଠରେ ପୁରେଇବା ସମୟରେ ଶିଶୁ ବେଦ ପାଠ, ଦହି ମିଶ୍ରୀ ସମୟରେ ରାଧିକା ମନ୍ତ୍ର, ଗୋଦହନ ପାଇଁ ଠେକି ଧରିବା ସମୟରେ ତାରକ ମନ୍ତ୍ର, ଗୁହାଳ ଧଡା ( କବାଟ ) ଫିଟାଇବା ସମୟରେ ପଞ୍ଚାକ୍ଷରୀ ଆଦି ପାଠ କରିବାର ବିଧି ରହିଛି ।
ଗାଈ ମାନଙ୍କର ରଙ୍ଗ ବିଷୟରେ ମଧ୍ୟ ଅଚ୍ୟୁତାନନ୍ଦଙ୍କ ଓଗାଳ ଗୀତରେ ବର୍ଣ୍ଣନା ରହିଛି । ଷୋଳବର୍ଣ୍ଣର ଗାଈ ଅଛନ୍ତି । ସେମାନେ ହେଲେ – କପିଳା, ବଉଳା, କଇଁ ଫୁଲିଆ ଶ୍ୟାମଳି, କାଇଞ୍ଚିଆ, କଜଳିଆ, ଧବଳି, କାଳି, କସୁରି, ଚାଳିଆ, ଶଂଖବର୍ଣ୍ଣ, ପାଉଁଶିଆ, ପାଟଳି, କଅଁରି, ଖଇରି ଓ ଛଉଆ । ଗୋ ବଂଶର ଦଶ ପୁରୁଷ ମଧ୍ୟ ରହିଛି । ସେମାନେ ହେଲେ – କପିଳା, ବଉଳ, ବିମଳା, ଓଇତିଳା, ସୁରଭି, ନନ୍ଦିନୀ, ରସା, ସତ୍ୟମୟୀ, ତିଳତମା, ପୃଥନା ।
ଅନେକ ଜାଣିବାର କଥାବସ୍ତୁ ଓଗାଳ ଗୀତରେ ରହିଛି । କେବଳ ଗୋପାଳ ଭାଇମାନେ ନୁହେଁ ଯେଉଁମାନେ ଗାଈକୁ ଗୋସଂପଦ ଭାବେ ବୁଝିଛନ୍ତି ଓ ରଖିଛନ୍ତି ସେମାନେ ମଧ୍ୟ ଗାଈଙ୍କ ସଂମ୍ପର୍କରେ ଅବଗତ ହେବା ଦରକାର । ଗୋ ମାତାର ଦଶ ପୁରୁଷ ଜାଣିବା ଯେତିକି ଜ୍ଞାନପ୍ରଦାୟକ ସେତିକି ଧର୍ମୀୟ ମଧ୍ୟ । ଗୋପାଳ ଗାଈମାନେ କଣ ଧୋଇବେ କଣ ଅଧୂଆ ରହିବ ତାହାର ଚିତ୍ର ମଧ୍ୟ ପ୍ରଦାନ କରାଯାଇଛି । କୁହାଯାଇଛି –
“ ପଚାରିଲେ ଯିଏ ଧୂଆ ଅଧୂଆ କରିବ
ସବୁ ଧୂଆ ଅଧୂଆଟି ସେ ବଣ ପଦାର୍ଥ
ଗୁଲାଳ, ଗୁହାଳତ୍ରାଟି, ଗୋବର ଟୋକେଇ
ଏ ତିନି ପଦାର୍ଥ କେବେ ଧୂଆ ହୁଏ ନାହିଁ
ଏ ତିନି ପଦାର୍ଥ ମେନେ ହୁଅନ୍ତା । ଧଉତି
ଗୋପାଳମାନଙ୍କ ପଲ ହୁଅନ୍ତା ନିପାତ । ”
ଗୋବର ଟୋକେଇ ( ଯେଉଁଥିରେ ଗୋବର ରଖାଯାଏ ଗୁହାଳ ସଫା ବେଳେ ) ଗୁହାଳ ତାଟି ( କବାଟ, ଆଗ କାଳରେ ବାଉଁଶ ତାଟି ଥିଲା, ଏବେ ବି କେତେକଙ୍କ ଗୁହାଳରେ ତାଟି ଅଛି ) ଓ ଗୁହାଳ – ଏ ତିନି ଅଧୂଆ, ଧୋଇବାର ଆବଶ୍ୟକତା ନାହିଁ । ଏହା ସଦା ପବିତ୍ର । ଧୋଇଲେ ଗୋପାଳ କୁଳକୁ ବିପଦ । କେବଳ ଗୋପଳ ନୁହନ୍ତି ଯେଉଁମାନ ଗୋ – ପାଳନ କରିଛନ୍ତି, ଗୁହାଳ ଯେଉଁମାନଙ୍କର ଅଛି ସେମାନେ ମଧ୍ୟ ଅଚ୍ୟୁତଙ୍କ ଏହି ବାଣୀ ପ୍ରତି ଧ୍ୟାନ ଦେବା ବିଧେୟ ।
ଗୋ ସଂପଦ କହି କେବଳ ଆମର ଅର୍ଥନୈତିକ ଦିଗକୁ ସୁଦୃଢ କରିବା ପାଇଁ ଚାହିଁଲେ ହେବ ନାହିଁ । ଗୋ – ମାତା ହିସାବରେ ସେମାନଙ୍କର ଯତ୍ନ ନେବା ଓ ଓଗାଳ ବର୍ଣ୍ଣିତ ନିୟମଧାରା ମାନିକି ଚଳିବା ଦ୍ୱାରା ଗୋ ସଂପଦର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଗୋପାଳକମାନଙ୍କର ଧାର୍ମିକ ଚେତନାର ଉତ୍ତରଣ ଘଟିବ । କୃଷି, ସାତ୍ତ୍ୱିକ ଖାଦ୍ୟ, ରନ୍ଧନ, ଜୈବସାର ଆଦି ଦିଗ ଗୁଡ଼ିକ ପାଇଁ ଆମେ ଗୋମାତା ଉପରେ ନିର୍ଭରଶୀଳ । ଆମକୁ ସେ ପୋଷିଲା ଆମେ ତାର ଯତ୍ନ ନେବା ତ ମାନବିକତା । ସେ ପୁଣି ଗୋମାତା ଶାସ୍ତ୍ର ପୁରାଣରେ ମାତାର ମାନ୍ୟତା ପାଇଥିବାରୁ ଆମର ପୂଜ୍ୟା ଓ ଆଦରକୀୟା । ଗୋ – ଜାତିର ଚାରଣ ପାଇଁ ଚାରଣ ଭୂଇଁର ଘୋର ଅଭାବ । ଗୋଚର ଭୂମି ଆଦି କାହାର କବଜାରେ ତ ଗୋଚରରେ ସରକାରୀ ଦପ୍ତରମାନଙ୍କର ନିର୍ମାଣ । ଗୋଚର ପାଲଟି ଗଲାଣି ନିର୍ମାଣ ଭୂମି । ଅଚ୍ୟୁତାନନ୍ଦଙ୍କର ଏତେ ବିଧିବିଧାନ ଶୁଣିବା ଓ ଜାଣିବାରପରେ ଗୋ-ଜାତି ପ୍ରତି ଆମେ ଉଦାସିନ ରହିଲେ ଧର୍ମୀୟ ଚେତନାରୁ ଆମେ ଖସି ଆସିଛେ ବୋଲି ଧରିନେବାକୁ ହେବ । ଗୋରୁ ଜାତିର ଉନ୍ନତି ପାଇଁ ଗୋ-ବିଷାରଦ ଗୋବିନ୍ଦଙ୍କୁ ପ୍ରାର୍ଥନା କରିବା – ‘ ନମଃ ଗୋ ବ୍ରାହ୍ମଣ ହିତାୟତ ତାଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ । ’
ପଞ୍ଚୁଖେଳ, ଲଉଡ଼ି, ଓଗାଳ, ଗୋପାଳବେଶ, ବଂଶୀ ଓ ଶିଂଗାର ସ୍ଵନ, ଘଣ୍ଟି ଘାଗୁଡ଼ି ମାଳାର କମ୍ପନ, ଗୋଧୂଳିର ଫେରନ୍ତା ଗୋରୁପଲ୍ଲ, ଖୁରାର ଧୂଳି, ଗୁହାଳର ଗୋମୟ, ଗୋମୂତ୍ର, କ୍ଷୀର, ଘୃତ, ପଲି ଆଦି ଅମୃତ, ଗୋଷ୍ଠାଷ୍ଟମୀ, ଦୋଳପୁନିଅ – ସବୁଟିର ମହକ ଓ ମହତ୍ତ୍ୱ ଓଗାଳ ଗୀତ ଓ ଲଉଡ଼ି ଖେଳ ମାଧ୍ୟମରେ ବଞ୍ଚି ରହୁ ଓ ବାସ୍ତବାୟନ ହେଉ ।
ଓଗାଳରେ ସବୁଠାରୁ ଆନନ୍ଦଦାୟକ ଦିଗଟି ହେଉଛି ପ୍ରଶ୍ନୋତ୍ତର । ଗୀତରେ ଗୀତରେ ପ୍ରଶ୍ନ ପରୋଯିବ ଓ ଗୀତରେ ମଧ୍ୟ ଉତ୍ତର ଦିଆଯିବ । ଏହି ଭଳି ୩୧ ଗୋଟି ପ୍ରଶ୍ନୋତ୍ତର ଓଗାଳ ଗୀତରେ ରହିଛି । ପ୍ରଶ୍ନ ପଚାରି ବାଜି ମରାଯାଏ, ଯଦି ପ୍ରଶ୍ନର ଉତ୍ତର ନହୋଇପାରିବ ତୁମର ବଂଶୀ, ଶିଙ୍ଗା, ଘାଘୁଡ଼ି ଛଡାଇ ରଖିବି ବୋଲି କୁହାଯାଏ । ଗୋପାଳଙ୍କ ଜନ୍ମ ବିଷୟରେ ପ୍ରଶ୍ନରେ ପଚରା ଯାଇଛି – ଗୋପାଳ ଆକାରେ ଯେବେ ହୋଇଛ ଜନମ / ତେବେ କରିଦେବ ଭାଇ ଓଗାଳ ମରମ / ଗୁରୁସେବା କରିଥିଲେ ନିଶ୍ଚୟ କହିବ / ଅଗୁରୁଆ ଥିଲେ ହେଁ ପଳାଇଣ ଯିବ / ପଳାଇଣ ଗଲେ ଭାଇ ଛାଡ଼ି ମୁଁ ନଦେବି / ବଂଶୀ ଶିଙ୍ଗା ଘାଗୁଡ଼ି ହେ ଛଡାଇ ରଖିବି । ଗୋପାଳଙ୍କ ଜନ୍ମ ସଂପର୍କରେ ପଚାରିଥିବା ପ୍ରଶ୍ନର ଉତ୍ତରରେ କୁହାଗଲା – ଗୁଣରେ ଗୋପାଳ ଭାଇ ସ୍ଥିର କରି ଚିତ୍ତ / ପଚାରି ଅଛ ଗୋପାଳ ଜନ୍ମର ଚରିତ / ସୁଦେବ ବୋଲିଣ ଏ ବ୍ରାହ୍ମଣ ଅଟଇ / ତାହାର ଭାରିଯା ନାମ ସାରଦା ଯେ ହୋଇ / ଯେଉଁ ଦିନ ଆପ ତେଜ ବାୟୁ ଯେ ନଥିଲେ / ସେଠାରୁ ଅଣ୍ଡିରା ମାଇ ଦୁଇ ଯେ ଜନ୍ମିଲେ / ଯହୁଁ ପୁରିଲା କପିଳା କ୍ଷୀରେ ବସୁନ୍ଧରୀ / ବ୍ରହ୍ମାର ନନ୍ଦନ ଯେ ଗୋପାଳ ଜାତ କରି ।
ଓଗାଳର ୩୧ ଗୋଟି ପ୍ରଶ୍ନ ଭିତରେ ଅନେକ ସୁନ୍ଦର ଓ ଆଶ୍ଚର୍ଯ୍ୟ ପ୍ରଶ୍ନମାନ ରହିଛି । ତନ୍ମଧ୍ୟରୁ ଦୋଳଯାତ୍ରାର ପୂଜାବିଧି, ନନ୍ଦ-ଯଶୋଦାଙ୍କ କଥା, ବୃକ୍ଷମାନଙ୍କର କେଉଁ ଦିଗକୁ ମୁହଁ, ଗୋପାଳଙ୍କ ଜନ୍ମଚରିତ, ଚୂଳରେ କଣ ପାଇଁ ମୟୁର ଚନ୍ଦ୍ରିକା, ବଂଶୀଚୋରୀ, ଘୋଳ ଦହି କିପରି ହେଲା, ବଂଶୀର ଉତ୍ପତ୍ତି, ଘଣ୍ଟିର ଉତ୍ପତ୍ତି, ଚାରିବର୍ଣ୍ଣ ପ୍ରସଙ୍ଗ, କାର୍ତ୍ତିକେୟଙ୍କ ଜନ୍ମ, କାମଦେବଙ୍କ ଜନ୍ମ, ଗୁଞ୍ଜମାଳ ପ୍ରାପ୍ତି ଆଦି ରୋଚକ ବିଷୟମାନ ସଂପର୍କରେ ଗୀତରେ ପ୍ରଶ୍ନ କରାଯାଇ ତାର ସୁନ୍ଦର ସମାଧାନ ଗୀତରେ ମଧ୍ୟ କରାଯାଇଛି ।
ଏତଦ୍ ଭିନ୍ନ ନବଗୁଞ୍ଜର, ସର୍ପ ଅଭିସାର, ରାଧାଙ୍କ ରାଜବେଶ, ପଞ୍ଚସଖ୍ୟାଙ୍କ ଜନ୍ମ, ଶ୍ରୀକୃଷ୍ଣ ଜନ୍ମ, ଇନ୍ଦ୍ରପୂଜା, ରାଧା-କୃଷ୍ଣଙ୍କ ପ୍ରେମ ରହସ୍ୟ, ଶ୍ରୀକୃଷ୍ଣ ଲୀଳା, କଂସବଧ, ଶ୍ରୀକୃଷ୍ଣଙ୍କ ମାୟାବେଶ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓଗାଳ ଗୀତରେ ସନ୍ନିବେଶିତ ।
ଅଚ୍ୟୁତାନନ୍ଦଙ୍କର ଏ ମହାର୍ଘ୍ୟ ପୁସ୍ତକଟି କେବଳ ଗୋପାଳ କୁଳ ପାଇଁ ଅବଦାନ ନୁହେଁ; ଏହା ଜ୍ଞାନ ଗନ୍ତାଘରର ଏକ ଚାବିକାଠି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋପାଳ ଭାଇମାନେ ଓଗାଳ ଗାନକରି ଗୀତ ମାଧ୍ୟମରେ ଅନେକ ଜାଣିବା କଥାକୁ ସ୍ମରଣକୁ ଆଣିଥାନ୍ତି । କଣ ପାଳନୀୟ ଏବଂ କଣ ନିଷେଧ ତାହା ଗୋପାଳ ଭାଇମାନଙ୍କର କର୍ତବ୍ୟ ପାଇଁ ବଖାଣିଥାନ୍ତି । କୁଳଧର୍ମ ବଜାୟ ରଖିବା ପାଇଁ ବିଧି, ବିଧାନ ଓ ସମ୍ୱିଧାନ ସଦୃଶ ଓଗାଳଗୀତ ବେଶ୍ ମାର୍ଗଦର୍ଶନ କରାଇଥାଏ ।
ଅଚ୍ୟୁତାନନ୍ଦଙ୍କ କୃତି ଗୋପାଳମାନଙ୍କ ଓଗାଳ ଗୀତରେ ବଞ୍ଚି ରହିଛି । ସଂସ୍କୃତିପ୍ରେମୀ ମାନଙ୍କ ପାଇଁ ଏହା ନିଶ୍ଚିତ ଆସ୍ତିବାଚକ । ଅନେକ କୁଳର ପରମ୍ପରା ଓ ଗାଥାକୁ ମଥାର ତିଳକ କରି ଓଗାଳ ଗୀତ ଅଭ୍ୟାସ କରିବା ସହ ଦଳ ଗଠନ କରିପାରିଛନ୍ତି । ପୁରୁଖା ବୋଲାଳୀଙ୍କୁ ଗୁରୁକରି ସେମାନଙ୍କ ଠାରୁ ଆବୃତ୍ତିର ଢଙ୍ଗ ଶିଖି ନୃତ୍ୟ, ବାଡ଼ିଖେଳ ଆଦିର କୌଶଳ ହାସଲ କରିପାରୁଛନ୍ତି । କିଶୋର ବୟସର ଗୋପାଳବାଳକ ମାନେ ଗୋପାଳର ବେଶ ( ଅଚ୍ୟୁତାନନ୍ଦଙ୍କ ଓଗାଳ ଗୀତରେ ବର୍ଣ୍ଣିତ ) ମାପିକେ ପୋଷାକ ପରିଧାନ କରି ବେଶ୍ ଆକର୍ଷଣୀୟ ନୃତ୍ୟ ଓ ଲଉଡ଼ି ଖେଳ ପ୍ରଦର୍ଶନ କରୁଛନ୍ତି । ବିଶେଷତଃ ଦୋଳପୂର୍ଣ୍ଣମୀରେ ଓଗାଳ ଗୀତର ପ୍ରାବଲ୍ୟ ଉପଲବଧି କରାଯାଏ । ଏବେ ନୃତ୍ୟ, ସଂଗୀତ ଓ କ୍ରୀଡା ଭିତରେ ଓଗାଳ ଓ ଲଉଡ଼ିଖେଳ ଏକ ଅଂଶ ପାଲଟି ଯାଉଛି । ଉତ୍ସବାନୁଷ୍ଠାନ ମାନଙ୍କରେ ଲଉଡ଼ି ଦଳଙ୍କୁ ଆହ୍ୱାନ କରି ପ୍ରୋତ୍ସାହିତ କରାଯାଉଛି । ବିଭିନ୍ନ କଳା ମଧ୍ୟରେ ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଇ ଅନୁଷ୍ଠାନମାନ ପୁରସ୍କୃତ କରିବା ସହି ପ୍ରାଚୀନ କଳାର ପ୍ରଚାର ପ୍ରସାର ଦିଗରେ ଅଗ୍ରସର ହେଉଛନ୍ତି । ଆମର କଳା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ଏହା ନିଶ୍ଚିତ ରୂପେ ଦୃଢ ପଦକ୍ଷେପ । ଲଉଡ଼ି ଦଳମାନଙ୍କରେ ରହିଥିବା ଗୋପାଳ ବାଳକମାନଙ୍କୁ କଳାକାର ଭାବେ ସ୍ୱୀକୃତି ପ୍ରଦାନ ପୂର୍ବକ କଳାକର ଭତ୍ତା ସରକାରଙ୍କ ତରଫରୁ ଯଦି ପ୍ରଚଳନ ହୁଅନ୍ତା ଦଳଗୁଡ଼ିକର ଉତ୍ସାହ ଦ୍ୱିଗୁଣିତ ହୋଇପାରନ୍ତା । ଏ ଦିଗରେ ଲୋକପ୍ରିୟ ସରକାର, ସଂସ୍କୃତି ପ୍ରେମୀ ଜନସାଧାରଣ ଓ ଗୋପାଳ ଭାଇମାନଙ୍କର ଏକକ ନିଷ୍ଠା ଓ ଓଗାଳ ତଥା ଲଉଡ଼ି ଦଳର ଉଦ୍ୟମର ଯଥେଷ୍ଟ ଆବଶ୍ୟକତା ରହିଛି ।
ଗୋଟିଏ ଜାତିକୁ ଉଠାଇବା ପାଇଁ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ପୂର୍ବକ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବୃହତ୍ତ ଗୋପାଳ ଓଗାଳ କେବଳ ଗୋପାଳ ଭାଇମାନଙ୍କ ଭିତରେ ସୀମାବଦ୍ଧ ନରହି ସଂସ୍କୃତି ପ୍ରେମୀମାନଙ୍କୁ ମଧ୍ୟ ଉଦ୍ବୋଧିତ କରୁ ସେହି ମହାର୍ଘ୍ୟ ପରମ୍ପରାର ଉତ୍ତରଣ ପାଇଁ । କେବଳ ଦୋଳପୂର୍ଣ୍ଣମୀରେ ଓଗାଳ ସୀମାବଦ୍ଧ ନରହି କାୟାବିସ୍ତାର କରିଚାଲୁ ସଂସ୍କୃତିର ପ୍ରତିଛତ୍ରରେ ।
