ନାଟ୍ୟକାର ସୀତାଦେବୀ ଖାଡଙ୍ଗା ଏକ ଅଧ୍ୟୟନ

ଡକ୍ଟର ବିଧୁପ୍ରଭା ରଥ
1 View
29 Min Read

ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମିରେ ରଚିତ ହୋଇଛି ଏହି କାହାଣୀ । ବିଶିଷ୍ଟ ନାଟ୍ୟକାର ସୀତାଦେବୀ ଖାଡ଼ଙ୍ଗା ନିଜର କଲମ ଚାଳନା କରି ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେବା କ୍ଷେତ୍ରରେ ଏକ ଅନନ୍ୟ ଭୂମିକା ଗ୍ରହଣ କରିଥିଲେ। ପିତା ହରିହର ପଣ୍ଡା ଜଣେ ପ୍ରତିଷ୍ଠିତ ଓକିଲ ଥିଲେ, ଯିଏ ଶିକ୍ଷାର ବଳରେ ଓଡ଼ିଶାର ଜନଜୀବନରେ ନିଜର ସ୍ଥାନ ସୃଷ୍ଟି କରିଥିଲେ। କିନ୍ତୁ ଘର ଭିତରେ ନିଜର ରୂଢ଼ିବାଦୀ ଚିନ୍ତା ଯୋଗୁଁ ଝିଅକୁ ସ୍କୁଲ ଶିକ୍ଷାରୁ ବଞ୍ଚିତ କରିଥିଲେ ତାଙ୍କର ଚାରି ଭଉଣୀ ବିଧବା ହୋଇ ସାମାଜିକ ତାଡନାର ଶିକାର ହେଉଥିଲେ ଏହି ଅନ୍ୟାୟକୁ ସେ ମାନି ନେଇଥିଲେ। ପିଲାଦିନରୁ ସୀତାଦେବୀ ପିଉସୀମାନଙ୍କର କଷ୍ଟ ଓ ଯନ୍ତ୍ରଣାମୟ ଜୀବନକୁ ତୀବ୍ର ଭାବରେ ବିରୋଧ କରୁଥିଲେ, କିନ୍ତୁ ତାହାକୁ ଭାଷାରେ ପ୍ରକାଶ କରିପାରୁ ନଥିଲେ। ନିଜର ଆଗ୍ରହ ଓ ଆତ୍ମଚେଷ୍ଟାରେ ସୀତାଦେବୀ ମା’ଙ୍କଠାରୁ ଅକ୍ଷର ଚିହ୍ନିଥିଲେ, ଗୃହ ଶିକ୍ଷକଙ୍କ ପାଖରେ କେତେ ମାସ ପଢ଼ିଥିଲେ । ତାଙ୍କର ପାଠପଢ଼ାର ଏକ ଅଦମ୍ୟ ପିପାସା ପିଲାଦିନରୁ ଥିଲା ଯାହା ବିବାହ ପରେ ପ୍ରକାଶ ପାଇଥିଲା । ବିବାହ ପରେ ଏହି ପ୍ରତିବାଦୀ ମନୋଭାବ ହିଁ ତାଙ୍କର କବିତା ଓ ନାଟକ ଲେଖିବା କ୍ଷେତ୍ରରେ ମୁଖ୍ୟ ପ୍ରେରଣାର ଉତ୍ସ ହୋଇଥିଲା। ଯେତେବେଳେ ମହିଳାଙ୍କର ମଞ୍ଚ ନିକଟରେ ଉପସ୍ଥିତି ନଥିଲା ଓ ଏହାକୁ ଏକ ଅପରାଧ ବୋଲି ବିଚାର ଯାଉଥିଲା ସେହି ସମୟରେ ସୀତାଦେବୀ ଓଡ଼ିଆ ସାହିତ୍ୟର ପ୍ରଥମ ମହିଳା ନାଟ୍ୟକାର ଥିଲେ, ଯିଏ ନିଜେ ନାଟକ ଲେଖି, ଅର୍ଥ ଯୋଗାଡ଼ କରି ଏହାକୁ ମଞ୍ଚସ୍ଥ କରାଉଥିଲେ । ସେ ଶୂନ୍ୟରୁ ଏକ ନାଟ୍ୟ ମନ୍ଦିର ଗଢ଼ିଥିଲେ, ନିଜ ହାତରେ ଟିକଟ ବିକ୍ରି କରିଥିଲେ, ଏବଂ ଆୟକୁ ଗ୍ରାମର ଏକ ବିଦ୍ୟାଳୟ ପାଇଁ ଦେଇଥିଲେ। ସୀତାଦେବୀ ଖାଡ଼ଙ୍ଗା ପରି ନାରୀ ଲେଖିକାମାନଙ୍କର ଓଡିଆ ସାହିତ୍ୟର କ୍ରମବିକାଶରେ ଅଭୂତପୂର୍ବ ଯୋଗଦାନ ଆଜି ବି ଅଣାଲୋଚିତ ହୋଇ ରହିଛି । ଏହି ବିଷୟକୁ ଚର୍ଚ୍ଚାକୁ ଆଣିଛନ୍ତି ନାଟ୍ୟକାର ଡ. ବିଧୁପ୍ରଭା ରଥ  ସେଥିପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ।  – ସମ୍ପାଦକ

ଓଡିଆ ସାହିତ୍ୟର କ୍ରମବିକାଶରେ ନାରୀ ଲେଖିକାମାନେ ନିଜର ଅମଳିନ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଜୀବନର ସମସ୍ତ ସୁଖ, ଦୁଃଖ, ପ୍ରେମ, ବିରହ, ଜନ୍ମ, ମୃତ୍ୟୁର ଅପୂର୍ବ ଆବେଗିକ ଅନୁଭୂତିକୁ ନାରୀ ତା’ର ଦୈନନ୍ଦିନ ଚଳଣିରେ ଗୀତ ଆକାରରେ ଗୁଣୁଗୁଣାଉଥିଲା। ତାହା ହିଁ ସାହିତ୍ୟ ର ଆଦ୍ୟ ରୂପ ଭାବରେ ଲୋକ ସାହିତ୍ୟରେ ଉଦ୍‌ଘୋଷିତ ହୋଇଥିଲା। ଓଡିଶାରେ ଶିକ୍ଷାର ପ୍ରସାର ପୂର୍ବରୁ ନାରୀମାନେ ନିଜକୁ ବ୍ୟକ୍ତ କରିବାର ମୌଖିକ ଅଭିବ୍ୟକ୍ତି ଗୀତ ମାଧ୍ୟମରେ ହିଁ ସୃଷ୍ଟି କରିଯାଇଥିଲେ। ସେଥିପାଇଁ ତାହାକୁ ଲୋକ ସାହିତ୍ୟ କୁହାଗଲା। ଓଡିଆ ସାହିତ୍ୟର ପ୍ରତିଷ୍ଠିତ ନାରୀ କବିମାନେ କାନ୍ଦଣାଗୀତ, ରଜଗୀତ, କୁମାର ପୂନେଇଁ ଗୀତ, ଓଷା, ବ୍ରତକଥା, ପର୍ବପର୍ବାଣୀ, ରାଜାକାହାଣୀ, ପରୀକାହାଣୀ, ରୂଢ଼ି, ପ୍ରବଚନ ଭାବରେ ଅନେକ ଗୀତ ମଧ୍ୟ ରଚନା କରିଛନ୍ତି। ପ୍ରସିଦ୍ଧ ଲେଖିକା ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ ‘ଓଡିଆଙ୍କ କାନ୍ଦଣା’ କବିତା ଉପରୋକ୍ତ କାନ୍ଦଣା ଶୈଳୀରେ ରଚିତ ଏକ ସାର୍ଥକ ରଚନା। ଊନବିଂଶ ଶତାବ୍ଦୀ ଓଡିଆ ସାହିତ୍ୟର ରେନେସାଁ ବା ପୁର୍ନଜାଗରଣ ପର୍ବର ଏକ ଐତିହାସିକ ପୃଷ୍ଠଭୂମି ଭାବରେ ନେତୃତ୍ୱ ନେଇଥିଲା। ଏହି ସମୟରେ ଓଡିଆ ସାହିତ୍ୟ ପ୍ରାଚୀନ କାବ୍ୟ, କୀର୍ତ୍ତନ, ସଙ୍ଗୀତ, ଛାନ୍ଦ, ଚଉପଦୀ, ଲୀଳାର ତରଳ ଧାରାରୁ ଉତ୍ତୀର୍ଣ୍ଣ ହୋଇ ଆଧୁନିକ ଗଦ୍ୟର ମଞ୍ଜକୁ ଶକ୍ତିଶାଳୀ କରିଥିଲା। ଓଡିଶାରେ ଇଂରେଜ ଶାସନ ଯୋଗୁଁ ଇଂରେଜି ଶିକ୍ଷାର ପ୍ରସାର, ମୁଦ୍ରଣ ଯନ୍ତ୍ରର ପ୍ରତିଷ୍ଠା ହୋଇଥିବାରୁ ଅନେକ ଓଡିଆ ପତ୍ରପତ୍ରିକା, ପୁସ୍ତକ ଭାବରେ ପ୍ରକାଶିତ ହୋଇ ଓଡିଆ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇଥିଲା।

ଇଂରେଜି ଶିକ୍ଷାର ପ୍ରସାର ନାରୀ ଶିକ୍ଷାକୁ ନୂତନ ଦିଗନିର୍ଦ୍ଦେଶ ପ୍ରଦାନ କରିଥିଲା। ଓଡିଶାର ନାରୀ ଶିକ୍ଷା ବିକାଶ ଇତିହାସର ଜଣେ ଅତ୍ୟନ୍ତ ପ୍ରତିଭା ସମ୍ପନ୍ନ ମହିୟସୀ ଲେଖିକା ରେବା ରାୟଙ୍କର ପ୍ରଥମ ଓଡିଆ ଗଳ୍ପ ‘ଶକୁନ୍ତଳା’ ନାରୀ ମନର ଭାବନାକୁ ଜୀବନ୍ୟାସ ଦେଇଥିଲା। ଫକୀର ମୋହନଙ୍କର ଗଳ୍ପ ‘ରେବତୀ’ ଊନବିଂଶ ଶତାବ୍ଦୀର ଓଡିଶାର ଗ୍ରାମ୍ୟ ଜୀବନର ଏକ ସାଂସ୍କୃତିକ ଆଲେଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ନାରୀ ଶିକ୍ଷାର ଏକ କରୁଣ ସ୍ମୃତି ମାର୍ମିକ ଭାବରେ ‘ରେବତୀ’ ଗଳ୍ପରେ ପ୍ରକାଶିତ ହୋଇଥିଲା। ଭାରତୀୟ ଜାତୀୟ ଜୀବନରେ ତଥା ଓଡିଶାରେ ପରାଧୀନତାର ନିଗଡରେ ଓଡିଶାବାସୀ ଛଟପଟ ହେଉଥିଲା ବେଳେ ସେତେବେଳର ଗଞ୍ଜାମ ଜିଲ୍ଲା ଯାହା ଇଂରେଜ ଶାସନାଧୀନ ମାଡ୍ରାସ୍ ପ୍ରଦେଶ ଅର୍ନ୍ତଗତ ଥିଲା, ସେଠାରେ ଥିବା ଘୁମୁସର ତାଲୁକର ମନ୍ଦାର ଗ୍ରାମରେ ହରିହର ପଣ୍ଡା ଓ ସତ୍ୟଭାମାଙ୍କର ଔରସରୁ ସୀତା ଦେବୀ ଖାଡଙ୍ଗା ଜନ୍ମ ଗ୍ରହଣ କରିଥିଲେ। ସେହି ସମୟରେ ହରିହର ପଣ୍ଡା ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଭାବରେ ଦକ୍ଷିଣ ଓଡିଶାରେ ନାମ କରିଥିଲେ। ସେ କୃତିତ୍ୱର ସହିତ ସ୍ନାତକ ଶିକ୍ଷା ଲାଭ ପରେ ମାଡ୍ରାସ୍‌ରୁ ଆଇନଶାସ୍ତ୍ରରେ ଉପାଧି ପ୍ରାପ୍ତ ହୋଇଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ହରିହର ପଣ୍ଡାଙ୍କର ପ୍ରତ୍ୟକ୍ଷ ଭୂମିକା ରହିଥିଲା। ଜଣେ ପ୍ରସିଦ୍ଧ ଓକିଲ ଭାବରେ ହରିହର ଗଞ୍ଜାମ ଜିଲ୍ଲାରେ ସୁଖ୍ୟାତି ଅର୍ଜନ କରିଥିଲେ।

କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ହେଲା ସେ ଜଣେ ପ୍ରାଚୀନ ପରମ୍ପରାବାଦୀ ବ୍ୟକ୍ତି ହୋଇଥିବାରୁ ନାରୀ ଶିକ୍ଷା ପ୍ରତି ଆଦୌ ସମ୍ବେଦନଶୀଳ ନଥିଲେ। ନାରୀ ଶିକ୍ଷା, ନାରୀମାନଙ୍କର ସାମାଜିକ, ରାଜନୈତିକ, ଅର୍ଥନୈତିକ ଉନ୍ନତି, ବିଧବା ବିବାହ, ପତି ଦ୍ୱାରା ବିବାହରେ ପରିତ୍ୟକ୍ତା ନାରୀମାନଙ୍କର ଉନ୍ନତିକୁ ସେ ଘୋର ବିରୋଧ କରୁଥିଲେ। ତତ୍‌କାଳୀନ ସମାଜରେ ବିଧବା ହେଉଥିବା ନାରୀମାନଙ୍କର ଜୀବନ ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିଲା। ହରିହର ପଣ୍ଡାଙ୍କର ୪ ଭଉଣୀ ଥିଲେ ଏବଂ ସମସ୍ତେ ବିଧବା ଥିଲେ । ସେମାନଙ୍କର ବୈଧବ ଜୀବନର କଷ୍ଟକର ଜୀଇଁବା ପ୍ରତି ସେ ସମ୍ପୂର୍ଣ୍ଣ ବୀତସ୍ପୃହ ଥିଲେ। ସେମାନଙ୍କୁ କୌଣସି ସାହାଯ୍ୟ ମଧ୍ୟ କରି ନଥିଲେ। ସେଥିପାଇଁ ନିଜର ଏକମାତ୍ର କନ୍ୟା ସୀତାଦେବୀଙ୍କର ଶିକ୍ଷା ଦୀକ୍ଷାର ଉନ୍ନତି ପାଇଁ କୌଣସି ଉଦ୍ୟମ କରି ନଥିଲେ। ଗୋଟିଏ ଝିଅ ଭାବରେ ହରିହରଙ୍କର ପରିବାରରେ ସୀତାଦେବୀ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ବିଦ୍ୟାଳୟ ଯାଇ ଆନୁଷ୍ଠାନିକ ପାଠପଢାର ସୁଯୋଗ ପାଇ ନଥିଲେ। କାରଣ ମୂଳରୁ ହିଁ ପିତା ହରିହର ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ନାରୀ ଶିକ୍ଷାର ବିରୋଧ କରୁଥିଲେ। ନିଜର ସମ୍ପତ୍ତିର ଅଭାବ ନଥିଲେ ମଧ୍ୟ ନାରୀ ଶିକ୍ଷା ଓ ନାରୀ ସ୍ୱାଧୀନତା ପାଇଁ ସାମାନ୍ୟ ଖର୍ଚ୍ଚ କରିବାକୁ କୁଣ୍ଠିତ ଥିଲେ। ସେଥିପାଇଁ ସୀତାଦେବୀ ପିଲାଦିନରୁ ହିଁ ଏକ ଶିକ୍ଷା ଉଦାସୀନ ପ୍ରତିକୂଳ ପରିବେଶ ମଧ୍ୟରେ ବଡ ହୋଇଥିଲେ।

Samadhwani Support us

ସୀତଦେବୀ ବାଲ୍ୟକାଳରୁ ହିଁ ଓଡିଶାର ସମସାମୟିକ ସମାଜରେ ନାରୀ ଜନ୍ମର ଦୁଃସ୍ଥିତି, ଅସମାନତା, ଅସହିଷ୍ଣୁତା, ନ୍ୟୂନ ଦୃଷ୍ଟିକୋଣର ଲାଞ୍ଛନା ସହିଥିଲେ। ଯାହାକି ତାଙ୍କୁ ଜୀବନର ଏକ ଉତ୍କଟ ବାସ୍ତବିକତା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରିଥିଲା। ଜୀବନର ଅତି ବାସ୍ତବ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସୀତାଦେବୀ ନିଜର ଅଦମ୍ୟ ଜ୍ଞାନ ପିପାସାକୁ ଚରିତାର୍ଥ କରିଥିଲେ। ସେ ନିଜର ‘ଜୀବନସ୍ମୃତି’ ଆତ୍ମକଥାରେ ଲେଖିଛନ୍ତି “ମୋ ବୋଉ ଯେ କୌଣସି ପୁରାଣ ସୁନ୍ଦର କରି ପଢ଼ି ପାରୁଥିଲା। ସେଥିର ଅର୍ଥ କରି ବୁଝେଇ ଦେଇଥିଲା। ତା’ ଅକ୍ଷରଗୁଡ଼ିକ ସୁନ୍ଦର, ମତେ ମୋ ବୋଉ ଅ, ଆ ଠାରୁ ଆରମ୍ଭ କରି ଗୋପୀଭାଷା, ଗୁଣସାଗର ଇତ୍ୟାଦି ପଢ଼େଇ ଦେଇଥିଲା। ତା’ପରେ ଗୃହ ଶିକ୍ଷକଙ୍କ ପାଖରେ କେତେ ମାସ ପଢ଼ିଥିଲି।” (ପୃ ୨୪, ମୋ ଜୀବନସ୍ମୃତି)

ସୀତାଦେବୀ ନିଜ ଚେଷ୍ଟାରେ ପଣିକିଆ, ବାଳବୋଧ, ବର୍ଣ୍ଣବୋଧ, ଶିଶୁବୋଧ ଓ ଅଳ୍ପ କିଛି ଗଣିତ ଶିକ୍ଷା ଲାଭ କରିବାକୁ ସମର୍ଥ ହୋଇଥିଲେ। ପାଠ ପଢ଼ିବାର ଅଦମ୍ୟ ପିପାସା ପାଇଁ ଯେଉଁ ଓଡିଆ ବହି ବା ପତ୍ର ପତ୍ରିକା ହାତପାଆନ୍ତାରେ ପାଇଥିଲେ ତାହାକୁ ସେ ଆଗ୍ରହର ସହିତ ପଢ଼ୁଥିଲେ। ତାଙ୍କ ଘରକୁ ବିଭିନ୍ନ ପତ୍ରପତ୍ରିକା ଆସୁଥିଲା। ସେତେବେଳେ ପ୍ରତିଷ୍ଠା ଅର୍ଜନ କରିଥିବା ‘ଉତ୍କଳ ସାହିତ୍ୟ’, ‘ମୁକୁର’ ପ୍ରଭୃତି ପତ୍ରିକା ଗୁଡ଼ିକ ତାଙ୍କ ଘରକୁ ନିୟମିତ ଭାବରେ ଆସୁଥିବାରୁ ସୀତାଦେବୀ ତାହା ପଢ଼ିବାର ସୁଯୋଗ ପାଇଥିଲେ। ଉତ୍କଳ ପ୍ରଦେଶ ଗଠନ ତଥା ସ୍ୱାଧୀନତା ଆନ୍ଦୋଳନ କ୍ଷେତ୍ରରେ ତାଙ୍କ ପରିବାରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତତ୍‌କାଳୀନ ଓଡିଶାର ବହୁ ବିଦ୍ୱାନ, ପଣ୍ଡିତ, ସାମାଜିକକର୍ମୀ, ସ୍ୱାଧୀନତା ସଂଗ୍ରାମୀ ସୀତାଦେବୀଙ୍କ ଘରକୁ ଆସୁଥିଲେ। ସେହି ମହାରଥୀ ମାନଙ୍କ ମଧ୍ୟରୁ ଅନେକେ ନାରୀଶିକ୍ଷା, ବିଧବା ବିବାହର ସମର୍ଥକ ଥିଲେ ମଧ୍ୟ ହରିହର ପଣ୍ଡାଙ୍କୁ ପ୍ରଭାବିତ କରି ପାରି ନ ଥିଲେ। ଏ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୀତାଦେବୀ ମାନସିକ ସ୍ତରରେ ଜଣେ ଦୃଢ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ। ତାଙ୍କର ପଢ଼ିବାର ଆଗ୍ରହ ପାଇଁ ସେ ଗୋଟିଏ ଅତ୍ୟନ୍ତ ରକ୍ଷଣଶୀଳ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଓଡିଆ ସହିତ, ଇଂରାଜୀ, ବଙ୍ଗଳା, ହିନ୍ଦୀ ଇତ୍ୟାଦି ଭାଷାର ପୁସ୍ତକ ପାଠ କରି ପାରୁଥିଲେ। ଓଡିଆରେ ଉଚ୍ଚକୋଟୀର ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରି ପାରିଥିଲେ।

ସୀତାଦେବୀ ୧୦ ବର୍ଷର ହୋଇଥିଲା ବେଳେ ତାଙ୍କର ବାଲ୍ୟ ବିବାହ ଗଞ୍ଜାମ ଜିଲ୍ଲାର ସୋରଡ଼ା ନିକଟରେ ଥିବା ଗୋପାଳପୁର ଶାସନର ବାଞ୍ଛାନିଧି ଖାଡ଼ଙ୍ଗା ଙ୍କ ସହିତ ହୋଇଥିଲା। ସେତେବେଳେ ଅବିବାହିତା ଝିଅର ଯଦି ବାପ ଘରେ ପ୍ରଥମ ଋତୁସ୍ରାବ ହେଉଥିଲା ତାହା ଅତ୍ୟନ୍ତ ଗର୍ହିତ ଦୋଷ ଭାବରେ ବାପା ମା’, ସାତପୁରୁଷଙ୍କୁ ନର୍କ ଭୋଗ ହେଉଥିଲା ବୋଲି ବିଶ୍ୱାସ କରାଯାଉଥିଲା। ସୀତାଦେବୀ ଏହି  ଅମାନବୀୟ ଚିନ୍ତାଧାରା ସମ୍ପର୍କରେ ‘ଜୀବନସ୍ମୃତି’ରେ ଲେଖିଛନ୍ତି “ସେ ସମୟରେ କୌଣସି ପିତାମାତା ଆପଣା ଅବିବାହିତା କନ୍ୟାର ରଜୋଦର୍ଶନରେ ତାକୁ ସମୁଦ୍ରରେ ପିଙ୍ଗିଦେବା କଥାଟି କେବଳ ମୋ ମାଉସୀ, ପିଉସୀଙ୍କ ମୁହଁର କଥା ହୋଇ ଥାଇପାରେ। ଯେହେତୁ ଅବିବାହିତା କନ୍ୟାର ଋତୁ ହୋଇଗଲେ ସାତପୁରୁଷ ନର୍କରେ ପଡ଼ିଯାଆନ୍ତି। ନର୍କରେ ପଡିବା ଭୟରେ ହିଁ ସେମାନେ କ୍ଷୁଧା, ତୃଷା ସହ୍ୟ କରି ଉପବାସ, ବ୍ରତ ପାଳନ କରନ୍ତି। ନର୍କ ଭୟରେ ବୋଉ ମୋର ସକାଳ ଖିଆଟା ବନ୍ଦ କରିଦେଲା। ମୋତେ ଶୁଖି ପାଚି ହାଡ଼ ଦି’ଖଣ୍ଡ ହୋଇ ରହିବାକୁ ହେବ। ତେବେ ମଧ୍ୟ ସେ ଭୟରୁ ନିସ୍ତାର ନାହିଁ। କେତେ ଝିଅ କେଉଁଠି ଦଶବର୍ଷରେ ଜ୍ଞାନ ପାଇ (ରଜୋଦର୍ଶନ କରି) ବସି ପଡ଼ୁଛନ୍ତି।” (ପୃ ୩୨, ଜୀବନସ୍ମୃତି)

ବିବାହ ପରେ ସୀତାଦେବୀଙ୍କର ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ନିଜ ଘରେ ସେ ଯେଉଁ ସ୍ନେହ ଶ୍ରଦ୍ଧା ଖୋଜି ହତାଶ ହୋଇ ପଡ଼ିଥିଲେ ତାହାର ଅଭାବ ଶ୍ୱଶୁର ଘରେ ପୂରଣ ହୋଇଯାଇଥିଲା। ସ୍ୱାମୀ ବାଞ୍ଛାନିଧିଙ୍କର ପ୍ରେମ, ସ୍ନେହ, ଉତ୍ସାହ ତାଙ୍କ ଜୀବନକୁ ଆହୁରି ପ୍ରେରଣା ଦୀପ୍ତ କରିଦେଇଥିଲା। ସେ ତାଙ୍କର ପ୍ରତିଭାର ଯଥାର୍ଥ ବିକାଶ ସହିତ ସ୍ୱାଧୀନ ଭାବରେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଶାଶୁ ଘରେ ପରିବେଶ ପାଇଲେ। ତାଙ୍କ ଜୀବନର ପ୍ରଥମ କବିତା ସ୍ଫୁରଣର ଅନୁଭୂତି ସମ୍ପର୍କରେ ସେ କହିଛନ୍ତି – “ବର୍ଷା ଋତୁ, ଶ୍ରାବଣ ମାସ। ପ୍ରବଳ ବର୍ଷା, ପାଣି ଅଜାଡ଼ି ହେଉଥାଏ। ଆକାଶରୁ ଝରିପଡ଼ୁଥିବା ପାଣି, ପବନକୁ କମଳା ବଡ଼ ଭଲପାଏ। ଶୋଇବା ଘର ଝରକା ପଥରେ ଜଳମିଶା ସମୀରଣ ଆସି ମୋର ବିରହ ପୀଡ଼ିତ ଦେହରେ ସ୍ପର୍ଶ ଦେଇ ଯାଉଥାଏ ବାରମ୍ବାର। ସେ ଅଭାବବୋଧରୁ ହେଲା ଭାବର ସଞ୍ଚାର। ଯେଉଁ ଯୁଗରେ କେତେ ଶହ ବର୍ଷ ପୂର୍ବେ ମାର୍କଣ୍ଡ ଦାସ ଯେଉଁ ସ୍ୱରରେ କୋଇଲିକୁ ଡାକି ଡାକି ପୁତ୍ର ବିଚ୍ଛେଦ ଦୁଃଖ ସ୍ୱର ଧରି ଗାଇଥିଲେ, ମୋ କଣ୍ଠରୁ ପୁଣି ସେଇ ସ୍ୱର ଉଠିଲା। ବହୁ ଯୁଗ ପରେ। ସେଇ ସେ ଦିନର ବିଳାପ ଗୀତ ଆଜି ଇମିତି ଭାବରେ ଜୀବନୀ ଲେଖିବାକୁ ସାହାସ ଏବଂ ଶକ୍ତି ଦେବ ଏକଥା ମୁଁ ସ୍ୱପ୍ନରେ ମଧ୍ୟ ଭାବି ନଥିଲି। କିନ୍ତୁ ସେ ଦିନର ସେ ସାମାନ୍ୟ କେତୋଟି ଧାଡି ଅକ୍ଷର ମତେ ସ୍ୱର୍ଗର ସୁରସଭାରେ ବସେଇ ଦେଲା। ମାର୍କଣ୍ଡ ଦାସ କବି ଆସି ମୋ ହୃଦୟ ପଦ୍ମରେ ବସି ଯାଇଥିଲେ ସେଦିନ। ତାଙ୍କରି ପରି କୋଇଲି ପକ୍ଷୀକୁ ଡାକି ଡାକି ଲେଖିଗଲି ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ। (ମୋ ଜୀବନସ୍ମୃତି, ପୃ ୬୬)

ସୀତାଦେବୀଙ୍କର ହୃଦୟର ସ୍ୱତସ୍ଫୁର୍ତ୍ତ ଉଚ୍ଛ୍ୱାସ ହିଁ କବିତା ଭାବରେ ତାଙ୍କ ଅଜାଣତରେ ହିଁ କଲମ ମୁନରେ ଲେଖି ହୋଇଥିଲା। ସେହି ଯେଉଁ କାଗଜରେ ସେ ଏହି ‘କୋଇଲି’କୁ ଉପଲକ୍ଷ କରି କବିତା ଲେଖିଥିଲେ ତାହା ତାଙ୍କର ସ୍ୱାମୀ ବାଞ୍ଛାନିଧି ଖାଡଙ୍ଗାଙ୍କ ପ୍ରିୟବନ୍ଧୁ ସାହିତ୍ୟିକ ଅନନ୍ତ ପ୍ରସାଦ ପଣ୍ଡାଙ୍କ ହାତରେ ପଡ଼ିଲା ଓ ସେ କବିତା ର ଅନ୍ତଃସ୍ୱର ରେ ଉଚ୍ଛ୍ୱସିତ ହୋଇ ‘ବଣର ମାଳତି’ ଶୀର୍ଷକ ଏକ ଲେଖା ସହିତ କବିତାଟିକୁ ନବୀନ ପତ୍ରିକାରେ ପ୍ରକାଶିତ କରିବା ପାଇଁ ପଠାଇଥିଲେ। ୧୯୩୯ ମସିହା ଅକ୍ଟୋବର ୨୪ ତାରିଖରେ ଏହି କବିତାଟି ‘ନବୀନ’ ରେ ପ୍ରକାଶିତ ହୋଇଥିଲା। ସୀତାଦେବୀ ତାଙ୍କର କବିତାର ଛାପା ରୂପ ଦେଖି ଅଭିଭୂତ ହୋଇପଡ଼ିଥିଲେ। ଏହାପରେ ଆହୁରି ଶତଗୁଣ ଉତ୍ସାହରେ କ୍ଷୁଦ୍ରଗଳ୍ପ ମଧ୍ୟ ରଚନା କରିଥିଲେ। ତାଙ୍କ ଗଳ୍ପ, କବିତା ଗୁଡ଼ିକ ‘ସହକାର’, ‘ନବୀନ’, ‘ମୁକୁର’ରେ ପ୍ରକାଶିତ ହୋଇଥିଲା। ସେ ‘ବିମାତା’ ନାମକ ଉପନ୍ୟାସ ମଧ୍ୟ ଲେଖିଥିଲେ। ସୀତାଦେବୀ ତାଙ୍କର କିଶୋରୀ ସମୟରୁ ହିଁ ନାଟକ ପଢ଼ିବାକୁ ଖୁବ୍ ଭଲ ପାଉଥିଲେ। ଗୋଦାବରୀଶ ମିଶ୍ରଙ୍କର ‘ପୁରୁଷୋତ୍ତମଦେବ’ ନାଟକ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ସେ ଚିକିଟିର ରାଜା ସାହେବ ରାଧାମୋହନ ରାଜେନ୍ଦ୍ର ଦେବଙ୍କର ନାଟକ ଗୁଡ଼ିକ ପଢ଼ିବାର ସୁଯୋଗ ପାଇଥିଲେ। ସେ ଫକୀର ମୋହନ ସେନାପତିଙ୍କର ସମସ୍ତ ଲେଖା, ରାଧାନାଥରାୟ, ମଧୁସୂଦନ ରାଓଙ୍କର କାବ୍ୟ, କବିତା ମଧ୍ୟ ପାଠ କରିଥିଲେ। ସୀତାଦେବୀ ଓଡିଆ ସାହିତ୍ୟର ଗଳ୍ପ, କବିତା, ଉପନ୍ୟାସ, ନାଟକ, ପ୍ରବନ୍ଧ ସମାଲୋଚନା, ଶିଶୁକବିତା, ଆତ୍ମଜୀବନୀ ଇତ୍ୟାଦି କ୍ଷେତ୍ରରେ ନିଜର ଲେଖନୀ ଚାଳନା କରିଥିଲେ ଏବଂ ନିଜର ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ। ଏ ପର୍ଯ୍ୟନ୍ତ  ତାଙ୍କର ଅନେକ ରଚନା ଅପ୍ରକାଶିତ ହୋଇ ରହିଛି। ନାଟକ ରଚନା କରିବା, ନାଟକକୁ ମଞ୍ଚସ୍ଥ କରାଇବା, ଅଭିନେତା ଅଭିନେତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ନାଟକ ପ୍ରଦର୍ଶନ କରାଇବା ବାସ୍ତବ ପକ୍ଷରେ ସେ ସମୟରେ ନାରୀମାନଙ୍କ ପାଇଁ ଆଦୌ ସହଜ ସରଳ କଥା ନଥିଲା। କିନ୍ତୁ ସୀତାଦେବୀ ଖାଡଙ୍ଗା ଓଡିଆ ନାଟକର ପ୍ରଥମ ମହିଳା ନାଟ୍ୟକାର ଭାବରେ ନାଟକ ରଚନା କରି ତାକୁ ସଫଳତାର ସହିତ ମଞ୍ଚସ୍ଥ କରିଥିଲେ। ନିଜର ଅନନ୍ୟ ଧୈର୍ଯ୍ୟ, ଅସୀମ ସାହାସର ନିଦର୍ଶନ ମଧ୍ୟ ଦେଖାଇବାରେ ସମର୍ଥ ହୋଇଥିଲେ। ସେ ତାଙ୍କର ‘ଜୀବନସ୍ମୃତି’ରେ ଲେଖିଛନ୍ତି – “୧୯୪୨ ଠାରୁ ୧୯୪୫ ପର୍ଯ୍ୟନ୍ତ ମୁଁ ଗୋଟିଏ ଅସାଧ୍ୟ କାର୍ଯ୍ୟରେ ହାତ ଦେଇଥିଲି। ଏ ତିନି ଚାରି ବର୍ଷ ପୁଅ ଝିଅ ଦୁହେଁ ଦୂର ପ୍ରବାସରେ ରହି ଅଧ୍ୟୟନରତ ଥିଲେ। ଶ୍ରୀ ଦେବରାଜ ପାଠୀଙ୍କ ସହିତ ସେ ସମୟକୁ ମୋର ସାକ୍ଷାତ ଘଟିନଥିଲା। ଏକାକିନୀ ବସି ବସି  ନାଟକ ଲେଖିଲି। ‘ସହୋଦରା’ ନାଟକରେ ମୋର ନିଜ ଜୀବନର ଛାପ ରହିଥିଲା, ପିତା ମାତାଙ୍କର କଥା, ମଧ୍ୟବିତ୍ତ ପରିବାରର ସନ୍ତାନ ଓ ସ୍ୱାମୀଙ୍କ ବିଷୟ। ତା’ପରେ ଲେଖିଛି ‘ନାରୀ’। ‘ନାରୀ’ ନାଟକର ଅଭିନୟ ଦେଖି ଶ୍ରୀ ହରେକୃଷ୍ଣ ମହତାବ ଉଚ୍ଚ ପ୍ରଶଂସା କରିଥିଲେ। ‘ପୋଷ୍ୟପୁତ୍ର’, ‘ନୈଷ୍ଠିକ’, ‘ନିଷ୍ପତ୍ତି’, ‘ପ୍ରାଚୀନପନ୍ଥୀ’, ‘କ୍ଷୁଧାର ପୀଡା’, ‘ମାତୃହୀନା’ ଏ ସବୁ ଏକାଥରେକେ ଲେଖି ନଥିଲି। ନାଟକ ଅଭିନୀତ ହେବା ପରେ ଦିନକୁ ଦିନ ଇମିତି ଉତ୍ସାହ ବଢି ଚାଲିଲା ଯେ ଗୋଟିଏ ରାତିରେ ନାଟକ ଗୋଟାଏ ଲେଖିବା ଶକ୍ତି ଆସି ଯାଇଥିଲା। ସକାଳ ହେଲେ ତାକୁ ଆଉ ଥରେ ଦେଖି ନେଉଥିଲି। ସାରା ରାତି ଅନିଦ୍ରାରେ କଟାଇ ମଧ୍ୟ କ୍ଲାନ୍ତି ବୋଧ ହେଉନଥିଲା। ନାଟକ ଅଭିନୟର ଉଦ୍ୟମ, ଆୟୋଜନ କର୍ମ ସମ୍ପାଦନ ମୋ ଭଳି ଜଣେ ଘର କୋଣର ମୂଷିକା ପକ୍ଷରେ କି ଦୁଃସାଧ୍ୟ ବ୍ୟାପାର ତାହା ଲେଖି ବସିଲେ ଗୋଟାଏ ବିଶାଳ ଗ୍ରନ୍ଥ ହୋଇଯିବ। ଏତେ ଅର୍ଥର ପ୍ରାଚୁର୍ଯ୍ୟ ନଥିଲା। ଦାରିଦ୍ର‌୍ୟ ଆଶଙ୍କା ମଧ୍ୟ ମତେ ଥରେ ଥରେ ବିଚଳିତ କରିଦିଏ। ତଥାପି ମୁଁ ସେ ନାଟକ ଅଭିନୟ କରାଇବା ଲୋଭ ସମ୍ବରଣ କରିପାରେ ନାହିଁ। ଛଅ ସାତ ଖଣ୍ଡ ସାମାଜିକ ନାଟକ ଲେଖି ଆସିକାରେ ମୋର ଆପଣା ରଙ୍ଗମଞ୍ଚରେ ଅଭିନୀତ କରାଇଥିଲି। ସେତିକିରେ ତୃପ୍ତ, ଶାନ୍ତ ନହୋଇ ସେ ଦଳକୁ ବ୍ରହ୍ମପୁର ପର୍ଯ୍ୟନ୍ତ ଧରି ଯାଇଥିଲି। (ପୃ. ୮୨- ୮୩, ଜୀବନସ୍ମୃତି)

ସୀତାଦେବୀ ବହୁ ଘାତ ପ୍ରତିଘାତ ସହ୍ୟ କରି ନାଟକକୁ ମଞ୍ଚସ୍ଥ କରାଇବା ପାଇଁ ନିଜସ୍ୱ ଚେଷ୍ଟାରେ ଆସିକାରେ ‘ହରିହର ନାଟ୍ୟ ମନ୍ଦିର’ ପ୍ରତିଷ୍ଠା କରିଥିଲେ। ତତ୍‌କାଳୀନ ସମାଜରେ ନାରୀମାନଙ୍କର ଅସହ୍ୟ ଦୁର୍ଗତି ସମୟରେ ଗୋଟିଏ ଅତ୍ୟନ୍ତ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିବାରୁ ଏବଂ ଝିଅଟିଏ ହୋଇଥିବାରୁ ପିତାମାତାଙ୍କର କୁସଂସ୍କାର ପାଇଁ ଶିକ୍ଷା କ୍ଷେତ୍ରକୁ ଯାଇ ଆନୁଷ୍ଠାନିକ ଶିକ୍ଷା ଲାଭ କରିପାରିନଥିଲେ ମଧ୍ୟ ୧୦ ବର୍ଷରେ ବାଲ୍ୟ ବିବାହ କରି କୂଳବଧୂର ସମସ୍ତ କଟକଣା ସଂସାର ଜଞ୍ଜାଳ ମଧ୍ୟରେ ସାହିତ୍ୟ ପଠନ କରିବା, ନାଟକ ରଚନା କରିବା, ମଞ୍ଚ ନିର୍ମାଣ କରିବା, ନାଟକର ନିର୍ଦ୍ଦେଶନା ଦେବା ତଥା ନାଟକ ଦଳଟିଏ କରି ତାକୁ ନେଇ ବିଭିନ୍ନ ସ୍ଥାନକୁ ଯାଇ ଅଭିନୀତ କରାଇବା ଆଦୌ ସହଜସାଧ୍ୟ ନଥିଲା। ଅଥଚ ଏଭଳି ଦୁଃସାହାସ କରିବାର ଅଦମ୍ୟ ଦୃଢ଼ତା ଅପ୍ରତିମ ଇଚ୍ଛା ଶକ୍ତି ହିଁ ସୀତାଦେବୀଙ୍କୁ ଏ ଅସମ୍ଭବ କାର୍ଯ୍ୟକୁ ସଫଳ କରାଇବାରେ ସହାୟକ ହୋଇଥିଲା। ନାଟକ ପ୍ରତି ପିଲାଦିନରୁ ତାଙ୍କ ମନରେ ଅସମ୍ଭବ ଆକର୍ଷଣ ରହିଥିଲା। ଯାହାକି ବିବାହ ପରେ ସ୍ୱାମୀ ବାଞ୍ଛାନିଧିଙ୍କର ପ୍ରେରଣା ଓ ସହଯୋଗରେ ସେ ତାହାକୁ ଯଥାର୍ଥ ରୂପାୟନ କରିପାରିଥିଲେ। ପ୍ରଥମ ଅବସ୍ଥାରେ ତାଙ୍କର କିଛି ନାଟକ ବିଶେଷ ଦର୍ଶକୀୟ ଆଦୃତି ଲାଭ କରିନଥିଲେ ହେଁ ସ୍ୱାମୀଙ୍କର ଉତ୍ସାହ ପାଇଁ ସେ ନାଟ୍ୟଦଳକୁ ନେଇ ସେବର ରସୁଲକୋଣ୍ଡା (ବର୍ତ୍ତମାନର ଭଞ୍ଜନଗର)କୁ ଯାଇ ମଞ୍ଚସ୍ଥ କରାଇଥିଲେ। ତାଙ୍କର ନାଟକ ଗୁଡ଼ିକ ସେଠାରେ  ପ୍ରଚୁର ଦର୍ଶକୀୟ ଆଦର ଲାଭ କରିଥିଲା। ନାଟକ ଦେଖିବାକୁ ଲୋକମାନେ ଟିକଟ କିଣି ଯାଉଥିଲେ। ଏପରିକି ସେ ନାଟକରୁ ଆୟ ହୋଇଥିବା ୭୦୦ ଟଙ୍କାକୁ ସ୍ୱାମୀଙ୍କ ପରାମର୍ଶରେ ସୋରଡା ଉଚ୍ଚବିଦ୍ୟାଳୟକୁ ଦେଇଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା, ଯେଉଁ ଛାତ୍ର ସର୍ବଶ୍ରେଷ୍ଠ ନମ୍ବର ରଖିବ ସେ ସେଥିରୁ ସୁଧ ପୁରସ୍କାର ଭାବରେ ପାଇବ। ସୀତାଦେବୀଙ୍କର ବଡ ଅବଶୋଷ ରହିଗଲା ଯେ ସେ ତାଙ୍କର ପ୍ରିୟ ନାଟ୍ୟ ସଂସ୍ଥା ‘ହରିହର ନାଟ୍ୟ ମନ୍ଦିର’କୁ ଦୀର୍ଘସ୍ଥାୟୀ କରି ପାରି ନଥିଲେ। ସୀତାଦେବୀଙ୍କର ସହୋଦରା, ପ୍ରାଚୀନପନ୍ଥୀ, ନାରୀ, ନୈଷ୍ଠିକ, ମାତୃହୀନା, କ୍ଷୁଧାର ପୀଡ଼ା ପ୍ରଭୃତି ନାଟକ ଗୁଡ଼ିକର ପାଣ୍ଡୁଲିପି ବର୍ତ୍ତମାନ ଦୁଷ୍ପ୍ରାପ୍ୟ ହୋଇଯାଇଛି। ତାଙ୍କର ପ୍ରକାଶିତ ହୋଇଥିବା ତିନୋଟି ନାଟକ ‘ମନ୍ଦିର ପ୍ରବେଶ’, ‘ଜନ୍ମତିଥି’ ଏବଂ ‘ନିଷ୍ପତ୍ତି’ ଏଠାରେ ଆଲୋଚିତ ହୋଇଛି। ସୀତାଦେବୀ ଜଣେ ସାମାଜିକ ସ୍ୱେଚ୍ଛାସେବୀ ଭାବରେ ସ୍ୱାଧୀନତା ଆନ୍ଦୋଳନ ତଥା ପରବର୍ତ୍ତୀ ସମୟରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସୀତାଦେବୀ ଅନେକ ସଭାସମିତିରେ ଅଭିଭାଷଣ ପ୍ରଦାନ କରିଥିଲେ। ଜଣେ ଦରଦୀ ଲେଖିକା ଭାବରେ ନିଜର ସ୍ୱାତନ୍ତ୍ର‌୍ୟ ପ୍ରକାଶ କରିଥିବାରୁ ବିଭିନ୍ନ ସାହିତ୍ୟ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ତାଙ୍କୁ ନିମନ୍ତ୍ରିତ କରୁଥିଲେ।

ସୀତାଦେବୀଙ୍କର ‘ମନ୍ଦିର ପ୍ରବେଶ’ ନାଟକଟି ଜାତିପ୍ରଥାର ଦୁଃସହ ସାମାଜିକ ସ୍ଥିତିକୁ ଅତ୍ୟନ୍ତ ଚମତ୍କାର ଶୈଳୀରେ ପ୍ରକାଶ କରିଛି। ଏହି ନାଟକଟି ୧୯୪୭ ମସିହାରେ ପ୍ରକାଶିତ ହୋଇଥିଲା। ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା। ମହାତ୍ମାଗାନ୍ଧୀଙ୍କର ଆଦର୍ଶ ତଥା ଜାତିପ୍ରଥା ରୂପକ କୁସଂସ୍କାରର ବିଲୋପ ପାଇଁ ସଂଗ୍ରାମ ସୀତାଦେବୀଙ୍କୁ ଗଭୀର ଭାବରେ  ପ୍ରଭାବିତ କରିଥିଲା। ତେଣୁ ସେ ‘ମନ୍ଦିର ପ୍ରବେଶ’ ନାଟକରେ ସମାଜ ସଂସ୍କାର ପ୍ରୟାସକୁ ପ୍ରତିଫଳିତ କରିଛନ୍ତି। ମହାତ୍ମାଗାନ୍ଧୀଙ୍କର ପ୍ରେରଣାରେ ଭାରତୀୟ ସମାଜର ଜାତିପ୍ରଥା, ଅନ୍ଧବିଶ୍ୱାସ, ଉତ୍କଟ ଛୁଆଅଛୁଆଁ ଭେଦଭାବକୁ ଦୂର କରିବା ପାଇଁ ସେତେବେଳେ ଅନେକ ପ୍ରଗତିଶୀଳ ଯୁବକ ଯୁବତୀ ସମାଜ ସଂସ୍କାର କରିବା ପାଇଁ ଆଗେଇ ଆସିଥିଲେ। କାରଣ ସେତେବେଳେ ଦଳିତମାନଙ୍କର ହିନ୍ଦୁ ଦେବମନ୍ଦିର ଗୁଡ଼ିକୁ ପ୍ରବେଶ ନିଷେଧ ଥିଲା। ଏପରିକି ମନ୍ଦିର ରାସ୍ତାରେ ଚାଲିବାକୁ ନିଷେଧ କରାଯାଇଥିଲା। ଏହାର ପ୍ରତିବାଦରେ ଭାରତରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ନେତୃତ୍ୱରେ ଅନେକ ଆନ୍ଦୋଳନ ହୋଇଥିଲା। ‘ମନ୍ଦିର ପ୍ରବେଶ’ ନାଟକରେ ନାୟକ ଇନ୍ଦ୍ରନାଥ ଜଣେ ସମାଜସେବୀ ତଥା କଂଗ୍ରେସ ପାର୍ଟିର ପ୍ରଗତିଶୀଳ ନେତା ଭାବରେ ଗାନ୍ଧିଜୀଙ୍କୁ ନିଜ ଜୀବନର ଆଦର୍ଶ ଭାବରେ ଗ୍ରହଣ କରି ସମାଜସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଛନ୍ତି। ଗାନ୍ଧିଜୀଙ୍କର ‘ଭାରତଛାଡ଼’ ଆନ୍ଦୋଳନରେ ଯୋଗ ଦେଇ ଇନ୍ଦ୍ରନାଥ ତିନିବର୍ଷ ଜେଲ୍‌ରେ ରହିଛନ୍ତି। ଜାତିଭେଦର ଉତ୍କଟତା ପାଇଁ ଦଳିତମାନେ ସର୍ବସାଧାରଣ ସ୍ଥାନରେ ଥିବା ମନ୍ଦିରକୁ ପ୍ରବେଶ କରି ପାରୁ ନ ଥିଲେ ତାହାକୁ ସେ ଲୋପ କରିବାକୁ ଚେଷ୍ଟା କରି ସେମାନଙ୍କୁ ମନ୍ଦିରକୁ ପ୍ରବେଶ କରାଇଛନ୍ତି। ସେତେବେଳେ ଭୟଙ୍କର ଦାରିଦ୍ର‌୍ୟ ପାଇଁ ଭାରତୀୟମାନେ ଖ୍ରୀଷ୍ଟଧର୍ମ, ଇସ୍‌ଲାମ୍ ଧର୍ମରେ ଦୀକ୍ଷିତ ହେଉଥିଲେ। ଏହି ଦୁଇଟି ସଂପ୍ରଦାୟ ଆର୍ଥିକ ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଧର୍ମାନ୍ତରିତ କରାଉଥିଲେ। ନାୟକ ଇନ୍ଦ୍ରନାଥ ‘ମନ୍ଦିର ପ୍ରବେଶ’ ନାଟକରେ ଧର୍ମାନ୍ତରୀକରଣକୁ ସମର୍ଥନ କରୁ ନ ଥିଲେ। ତେଣୁ ସେ ତାଙ୍କର ଦୁଇ ସହକର୍ମୀ ଅର୍ଜୁନ ଓ ଚରଣଙ୍କ ସହିତ ମିଶି ହରିଜନ ବସ୍ତି ବୁଲି ବୁଲି ଧର୍ମାନ୍ତର ଗ୍ରହଣ ବିରୁଦ୍ଧରେ ସଚେତନତା ସୃଷ୍ଟି କରୁଥିଲେ। ଏହା ସହିତ ମୃତପଶୁ ଭକ୍ଷଣ, ମଦ୍ୟପାନ, ଅପରିଷ୍କାର ଅପରିଚ୍ଛନ୍ନତା ପରିତ୍ୟାଗ କରିବାକୁ ଲୋକମାନଙ୍କୁ ବୁଝାଉ ଥିଲେ। ନାଟକରେ ଇନ୍ଦ୍ରନାଥଙ୍କୁ ବିରୋଧ କରିବା ପାଇଁ ଅପୂର୍ଣ୍ଣ ନାମକ ବ୍ୟକ୍ତି ବହୁତ ଚକ୍ରାନ୍ତ କରିଛନ୍ତି। ଇନ୍ଦ୍ରନାଥଙ୍କର ଜାତିପ୍ରଥା ବିଲୋପ କାର୍ଯ୍ୟକୁ ଗ୍ରାମର ସବର୍ଣ୍ଣ ବର୍ଗର ଲୋକ ଗ୍ରହଣ କରି ନାହାନ୍ତି ଏବଂ ସମାଲୋଚନା କରିଛନ୍ତି। ଯାହା କି ଇନ୍ଦ୍ରନାଥଙ୍କୁ ଗଭୀର ଆଘାତ ଦେଇଛି କିନ୍ତୁ ସେ ଏସବୁ ଘଟଣାରେ ଭାଙ୍ଗି ପଡ଼ିନାହାନ୍ତି। ବରଂ ଅହିଂସାତ୍ମକ ଭାବରେ ତିନିଦିନ ଉପବାସ କରିଛନ୍ତି। ତାଙ୍କର ମୁଖ୍ୟ ବିରୋଧୀ ଅପୂର୍ଣ୍ଣଙ୍କର ଭଉଣୀ ଅମିତା ଇନ୍ଦ୍ରନାଥଙ୍କର ମହାନତାରେ ପ୍ରଭାବିତ ହୋଇ ତାଙ୍କ ସହିତ ଯୋଗ ଦେଇଛନ୍ତି ଏବଂ ଅସ୍ଫୃଶ୍ୟତା ନିବାରଣ ପାଇଁ ନିଜର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଚନ୍ଦ୍ର ପଣ୍ଡିତଙ୍କ ପରି କିଛି ପରମ୍ପରାବାଦୀ ବ୍ୟକ୍ତିତ୍ୱ ଇନ୍ଦ୍ରନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜନ ସଚେତନତା ପାଇଁ ଇନ୍ଦ୍ରନାଥ ବିଭିନ୍ନ ଗ୍ରାମମାନଙ୍କରେ ସଭାସମିତି କରି ଲୋକମାନଙ୍କୁ ବୁଝାଇଛନ୍ତି। ନାୟକ ଇନ୍ଦ୍ରନାଥଙ୍କର ନିଷ୍ଠାପର ଦେଶସେବାରେ ମୁଗ୍ଧ ହୋଇ ଶିଳ୍ପପତି ବୀରବାବୁ ତାଙ୍କର କନ୍ୟାକୁ ବିବାହ ଦେଇଛନ୍ତି।

ଇନ୍ଦ୍ରନାଥଙ୍କର ଅସୀମ ତ୍ୟାଗକୁ ଦେଖି ବୀରବାବୁ ନିଜର ସମସ୍ତ ସମ୍ପତ୍ତି ଜାମାତାଙ୍କୁ ଦେଇଛନ୍ତି ଏବଂ ଏହାକୁ ସେ ଦେଶକାମରେ ଲଗାଇବେ ବୋଲି କାମନା କରିଛନ୍ତି। ଇନ୍ଦ୍ରନାଥ ନାଟକର ଶେଷ ପର୍ଯ୍ୟନ୍ତ ଦଳିତମାନଙ୍କର ଅଧିକାର ପାଇଁ ଲଢ଼େଇ କରିଛନ୍ତି ଏବଂ ସେମାନଙ୍କୁ ମନ୍ଦିର ଦେବାଳୟ ପ୍ରବେଶ କରାଇବାରେ ସଫଳ ହୋଇଛନ୍ତି। ଇନ୍ଦ୍ରନାଥ ଶେଷରେ ଓଡିଶାର ପୁରପଲ୍ଲୀରେ ଗାନ୍ଧିଜୀଙ୍କର ମହାନ୍ ବାର୍ତ୍ତା ଅହିଂସା, ଅସ୍ପୃଶ୍ୟତା, ନିଶାବାରଣ, ଶିକ୍ଷା ପ୍ରଭୃତି ପ୍ରଚାର କରିବା ପାଇଁ ଚାଲି ଯାଇଛନ୍ତି।

ନାଟ୍ୟକାର ସୀତାଦେବୀ ବାସ୍ତବରେ ଜଣେ ଅସାଧାରଣ ସମାଜସଂସ୍କାର ମନସ୍କ ବ୍ୟକ୍ତିତ୍ୱ ଭାବରେ ରୂଢିବାଦୀ ପ୍ରାଚୀନ ପାରମ୍ପରିକ ଧାରଣା ଓ ସାମାଜିକ ଅନ୍ଧବିଶ୍ୱାସ କୁସଂସ୍କାରକୁ ବିଲୋପ କରିବା ପାଇଁ ‘ମନ୍ଦିର ପ୍ରବେଶ’ ନାଟକରେ ଆହ୍ୱାନ ଦେଇଛନ୍ତି। ଇନ୍ଦ୍ରନାଥଙ୍କର ଭଳି ଜଣେ ଜଣେ ତ୍ୟାଗନିଷ୍ଠ ରଚନାତ୍ମକ ସାମାଜିକ ବ୍ୟକ୍ତିତ୍ୱ ହିଁ ସମାଜରେ ବିପ୍ଲବ ଆଣିପାରନ୍ତି ତଥା ଜନସାଧାରଣଙ୍କର ଉନ୍ନତିରେ ଦିଗଦର୍ଶନ ଦେଇଥାନ୍ତି। ଠିକ୍ ସେହିପରି ସୀତାଦେବୀଙ୍କର ‘ଜନ୍ମତିଥି’ ନାଟକଟି ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ରଚିତ ହୋଇଛି। ଏହି ନାଟକରେ ନାଟ୍ୟକାର ସମାଜ ସଂସ୍କାର, ଦେଶାତ୍ମବୋଧ, ଜାତୀୟବାଦୀ ଚେତନାର ସଫଳ ରୂପାୟନ କରିଛନ୍ତି।  ‘ଜନ୍ମତିଥି’ ନାଟକର ନାୟକ ଶିବ ସୁନ୍ଦର ଜଣେ ସ୍ୱାଧୀନଚେତା, ସଂସ୍କାର ମନସ୍କ ତଥା ଦେଶପାଇଁ ଅପ୍ରତିମ ଶ୍ରଦ୍ଧା କରୁଥିବା ଯୁବକ। ସେ ଗାୟତ୍ରୀ ନାମକ ଝିଅକୁ ବିବାହ କରିଛନ୍ତି। କାହାଣୀର ଆରମ୍ଭରେ ରହିଛି ଶିବ ସୁନ୍ଦରଙ୍କର ମା’ ଶାନ୍ତିଦେବୀ ପୁତ୍ର ଶିବ ସୁନ୍ଦରର ୩୫ ତମ ଜନ୍ମ ଦିନ ପାଳନ କରନ୍ତି। ଶିବ ସୁନ୍ଦର ନିଜ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ସେ ସରକାରୀ ଚାକିରୀ ର ଲୋଭ ତ୍ୟାଗ କରି ନିଜର ଗାଁ ମନୋହରପୁରର ବିଦ୍ୟାଳୟଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ମନପ୍ରାଣ ଦେଇ ଲାଗି ପଡନ୍ତି। ଗ୍ରାମରୁ ଅଶିକ୍ଷା ଦୂର କରିବା ପାଇଁ ସେ ଗ୍ରାମରେ ଲୋକମାନଙ୍କ ମନରେ ଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଉଦ୍ୟମ କରନ୍ତି। ଛାତ୍ରମାନେ କିପରି ଶୃଙ୍ଖଳିତ ଭାବରେ ନିଜର ଜୀବନକୁ ଗଢିବେ ସେଥିପାଇଁ ପ୍ରୟାସ କରନ୍ତି। ପରାଧୀନ ଭାରତରୁ ଅଜ୍ଞନତାର ଅନ୍ଧକାର ଦୂର କରିବା, ଦେଶବାସୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହିତ ଗାନ୍ଧୀଜୀଙ୍କର ବିଚାରଧାରା ପ୍ରଚାର କରିବାକୁ ଶିବସୁନ୍ଦର ‘ଜନ୍ମତିଥି’ ନାଟକରେ ଆପ୍ରାଣ ଚେଷ୍ଟା କରିଛନ୍ତି। ସେ ଭାଷା ସୂତ୍ରରେ ଓଡିଶାକୁ ଏକତ୍ରୀକରଣ ଆନ୍ଦୋଳନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଛାତ୍ରମାନେ ତାଙ୍କର ବଳିଷ୍ଠ ଚିନ୍ତାଧାରା ରେ ପ୍ରଭାବିତ ହୋଇ ଦେଶର ସେବାପାଇଁ ଆଗେଇ ଆସିଛନ୍ତି। ଶାନ୍ତି, ସତ୍ୟ ଓ ଅହିଂସାର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିଛନ୍ତି। ତାଙ୍କର ଆଦର୍ଶ, ତ୍ୟାଗ ଗ୍ରାମବାସୀଙ୍କ ମନରେ ଉବ୍ଦୀପନା ସୃଷ୍ଟି କରିଛି। ଇଂରେଜ ସରକାର ତାଙ୍କର ଏସବୁ କାର୍ଯ୍ୟକଳାପକୁ ରାଜଦ୍ରୋହ କହି ଜେଲ୍‌ରେ ବନ୍ଦୀ କରିଛନ୍ତି। ଶିବ ସୁନ୍ଦର ଜେଲରେ ରହି ମଧ୍ୟ ସ୍ୱାଧୀନତା ସଂଗ୍ରାମର ସ୍ୱପ୍ନକୁ ଭୁଲି ନାହାନ୍ତି। ବିଭିନ୍ନ ଜାତୀୟତାବାଦୀ କବିତା ରଚନା କରି ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ତାଙ୍କର ଅନେକ ଛାତ୍ର ଏବଂ ଗ୍ରାମବାସୀ ତାଙ୍କର ଜାତୀୟବାଦୀ ଚେତନାରେ ଗଭୀର ଭାବରେ ଅନୁପ୍ରାଣିତ ହୋଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଶିବ ସୁନ୍ଦରଙ୍କ ମା’ ପୁଅକୁ ଝୁରି ଝୁରି ରୋଗାକ୍ରାନ୍ତ ହୋଇଛନ୍ତି। ଶିବ ସୁନ୍ଦର ମା’ଙ୍କୁ ଦେଖିବାକୁ ଜେଲ୍‌ରୁ ଫେରି ଆସିଲାବେଳକୁ ମା’ ମୃତ୍ୟୁ ବରଣ କରିସାରିଛନ୍ତି। ଦୁର୍ବଳ ପତ୍ନୀ ଗାୟତ୍ରୀ ମଧ୍ୟ ପୁତ୍ର ସନ୍ତାନଟିଏ ଜନ୍ମ ଦେଇ ସ୍ୱାମୀଙ୍କୁ ଦେଖି ଆଖି ବୁଜି ଦେଇଛନ୍ତି। ଶିବ ସୁନ୍ଦର କିନ୍ତୁ ଏହି ଗଭୀର ବ୍ୟକ୍ତିଗତ ଦୁଃଖରେ ଭାଙ୍ଗି ନପଡି ମା’ ଓ ପତ୍ନୀଙ୍କର ସମସ୍ତ ମୃତ୍ୟୁ କାର୍ଯ୍ୟ ଶେଷ କରି ନବଜାତ ପୁତ୍ର ସନ୍ତାନକୁ ସହକର୍ମୀ ଅନ୍ତରଙ୍ଗ ବନ୍ଧୁ ଧୁର୍ଜଟୀ ଭାଇଙ୍କ ହାତରେ ଦେଇ ପୁଣି ଜେଲ୍‌କୁ ଫେରିଯାଇଛନ୍ତି। ନାଟ୍ୟକାର ସୀତାଦେବୀ ତତ୍‌କାଳୀନ ସମୟର ସ୍ୱାଧୀନତା ଆନ୍ଦୋଳନରେ କିପରି ଶିକ୍ଷିତ ଯୁବକଯୁବତୀ ମାନେ ଯୋଗଦାନ କରିଥିଲେ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ତାହାର ବାସ୍ତବ ଚିତ୍ରକୁ ଚିତ୍ରିତ କରିଛନ୍ତି। ସୀତାଦେବୀ ମହାତ୍ମାଗାନ୍ଧୀଙ୍କ ଅହିଂସା ବିଚାର ଧାରା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ସେଥିପାଇଁ ସେ କିଛିଦିନ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ନେତୃତ୍ୱରେ ଭାଷା ସୂତ୍ରରେ ଉତ୍କଳ ପ୍ରଦେଶ ଗଠନର ଯେଉଁ ସାଂସ୍କୃତିକ ଐତିହାସିକ ଆନ୍ଦୋଳନ ଓଡିଶାରେ ହୋଇଥିଲା ତାହାର ପ୍ରତ୍ୟକ୍ଷ ଅନୁଭବ ତାଙ୍କର ଥିଲା। କାରଣ ତାଙ୍କର ବାପା ହରିହର ପଣ୍ଡା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନ ସମୟରେ କାମ କରିଥିଲେ। ତାହା ତାଙ୍କୁ ପ୍ରଭାବିତ କରିଥିଲା। ତେଣୁ ଏସମସ୍ତ ପୃଷ୍ଠଭୂମିର ଘଟଣା ଗୁଡ଼ିକୁ ସେ ଅତ୍ୟନ୍ତ ସଫଳତାର ସହିତ ନାଟକ ‘ଜନ୍ମତିଥି’ରେ ମଞ୍ଚାୟିତ କରିଛନ୍ତି।

ସୀତାଦେବୀଙ୍କର ‘ନିଷ୍ପତ୍ତି’ ନାଟକଟି ‘ମନ୍ଦିର ପ୍ରବେଶ’, ‘ଜନ୍ମତିଥି’ ପରି ଏକ ସମାଜସଂସ୍କାର ମୂଳକ ନାଟକ। ସେ ଏହି ନାଟକରେ ବାଲ୍ୟ ବିବାହର କୁପରିଣତି ତଥା ଏହି କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ସମାଜରୁ ସମାପ୍ତ କରିବା ପାଇଁ ଲେଖିଛନ୍ତି। ସୀତାଦେବୀ ନିଜେ ମାତ୍ର ୧୦ ବର୍ଷ ବୟସରେ ବାଲ୍ୟ ବିବାହ କରିଥିଲେ। ତାଙ୍କ ପରିବାରର ଚାରିଜଣ ପିଉସୀ ବିଧବା ହୋଇଥିଲେ। ସମାଜରେ ବ୍ରାହ୍ମଣ  ପରିବାରରେ ବିଧବା ମାନଙ୍କର ସ୍ଥିତି ଅତ୍ୟନ୍ତ ଦୟନୀୟ ଓ ଦୁର୍ବିସହ ଥିଲା। କିଶୋରୀ ଜୀବନରୁ ସୀତାଦେବୀଙ୍କ ମନରେ ବାଲ୍ୟ ବିବାହର ଦୁର୍ଦ୍ଦଶା ଗଭୀର ରେଖାପାତ କରିଥିଲା। ସେଥିପାଇଁ ସେ ନାଟକ ମାଧ୍ୟମରେ ଏ ସମସ୍ତ ସଂସ୍କାର ମୂଳକ କାର୍ଯ୍ୟର ସୂଚନା ଦେଇ ସମାଜକୁ ଏକ ସମାନତା ପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ପ୍ରଦାନ କରିଛନ୍ତି। ‘ନିଷ୍ପତ୍ତି’ ନାଟକର ନାୟକ ଜମିଦାର ବିପତ୍ନୀକ ବ୍ରଜ ମହାପାତ୍ର ଏକ ଆଦର୍ଶ ବ୍ୟକ୍ତିତ୍ୱ। ସେ ଜଣେ ସମ୍ଭ୍ରାନ୍ତ ଜମିଦାର ଥିଲେ ମଧ୍ୟ ତାଙ୍କ ମନରେ ପୁରୁଣାକାଳିଆ ଋଢିବାଦୀ ଚିନ୍ତାଧାରା ନଥିଲା। ସେ କୃପଣ କିମ୍ବା ନିଷ୍ଠୁର ନଥିଲେ। ତାଙ୍କର ମାନବିକ ଦୃଷ୍ଟିକୋଣ ଥିଲା। ପ୍ରଜାମାନଙ୍କୁ ଦାସ ଭଳି ବ୍ୟବହାର କରୁନଥିଲେ। ତାଙ୍କର ଦେହଲଗା ଭୃତ୍ୟ ସଦେଇକୁ ନିଜର ଆପଣାର ଅନ୍ତରଙ୍ଗ ବନ୍ଧୁ ବୋଲି ଭାବୁଥିଲେ। ନାଟକରେ ଅନ୍ୟ ଚରିତ୍ର ଗୁଡ଼ିକ ମଧ୍ୟରେ ବ୍ରଜବାବୁଙ୍କର ପଡୋଶୀ ଦାମ ରଥ ଜୁଆଖେଳ ଓ ମଦ୍ୟପାନ ପାଇଁ ନିଜର ସମସ୍ତ ସମ୍ପତ୍ତି ହରାଇ ବସନ୍ତି। ସମାଜରେ ସମ୍ମାନ ହରାନ୍ତି। ଜମିଦାର ବ୍ରଜ ମହାପାତ୍ର ଦାମରଥ ଙ୍କର ଏକମାତ୍ର କନ୍ୟା ସୁମନାକୁ ଭାରି ସ୍ନେହ କରନ୍ତି। ନାରୀମାନଙ୍କର ଉନ୍ନତି ପାଇଁ ସୁମନା ଅନେକ ଗଠନମୂଳକ କାର୍ଯ୍ୟ କଲାବେଳେ ବ୍ରଜବାବୁ ତାକୁ ଖୁବ୍ ଉତ୍ସାହିତ କରନ୍ତି ଏବଂ ଉପହାର ମଧ୍ୟ ଦିଅନ୍ତି। କିନ୍ତୁ ଗ୍ରାମର କିଛି ଲୋକ ବ୍ରଜବାବୁଙ୍କର ସୁମନା ପ୍ରତି ଥିବା ଏହି ସ୍ନେହକୁ ଖରାପ ଦୃଷ୍ଟିରେ ଦେଖି ଅପପ୍ରଚାର କରନ୍ତି ଯେ ସେ ତା’ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏଥିରେ ବ୍ରଜ ମହାପାତ୍ର ବଡ ଦୁଃଖିତ ହୁଅନ୍ତି। ସେତେବେଳେ ଶାରଦା ଆଇନ୍ ଦ୍ୱାରା ସମାଜରେ ବାଲ୍ୟବିବାହ ପ୍ରଥା ବନ୍ଦ ହୋଇଥିଲେ ମଧ୍ୟ ଲୋକମାନେ ବାଲ୍ୟ ବିବାହ କରାଉଥିଲେ। ସେଥିପାଇଁ ବ୍ରଜବାବୁ ସୁମନାର ବୋଉଙ୍କୁ ତା’ର ବାଲ୍ୟ ବିବାହ କରାଇଲେ ଦଣ୍ଡ ଭୋଗିବେ ବୋଲି ସତର୍କ କରି ଦିଅନ୍ତି। କିନ୍ତୁ ସଦେଇ ଭାବୁଥିଲା ସୁମନା ବ୍ରଜବାବୁଙ୍କୁ ବିବାହ କଲେ ତାଙ୍କର ନୈରାଶ୍ୟମୟ ଜୀବନରେ ଆନନ୍ଦ ସଂଚାରିତ ହୋଇପାରିବ। ସେଥିପାଇଁ ସୁମନାକୁ ସେ ବାବୁଙ୍କର ଯୋଗ୍ୟ ବୋଲି ଭାବୁଥାଏ। ଏକ ନାଟକୀୟ ପରିସ୍ଥିତିରେ ବ୍ରଜବାବୁଙ୍କର ଭାଣିଜୀର ପୁଅ ସୁଦର୍ଶନ କାହାଣୀ ଭିତରକୁ ଆସେ। ତା’ର ପିତାମାତା ମରିଯାଇ ଥିବାରୁ ବ୍ରଜବାବୁ ତାକୁ କୋଳକୁ ଆପଣେଇ ନିଅନ୍ତି।

ସୁଦର୍ଶନ ଜଣେ କର୍ମଠ, ସଚ୍ଚୋଟ ବ୍ୟକ୍ତି ଥିଲା। ବ୍ରଜବାବୁଙ୍କୁ ବହୁତ ସମ୍ମାନ କରୁଥିଲା। ବ୍ରଜବାବୁ ସୁଦର୍ଶନକୁ ତାଙ୍କର ଜମିଦାରୀର ବୁଝବଣା ପାଇଁ ସମସ୍ତ ଦାୟିତ୍ୱ ଦିଅନ୍ତି। ସୁମନାକୁ ସୁଦର୍ଶନ ସହିତ ବିବାହ କରାଇ ବ୍ରଜବାବୁ ନିଜେ ବୃନ୍ଦାବନ ଯାତ୍ରା କରିବେ ବୋଲି ନିଷ୍ପତ୍ତି ନିଅନ୍ତି। କିନ୍ତୁ ସଦେଇ ଏହାକୁ ଗ୍ରହଣ କରି ପାରୁନଥିଲା। ଏପଟେ ସୁମନାର ବାପା ଦାମରଥ ବ୍ରଜବାବୁଙ୍କୁ ଜ୍ୱାଇଁ କରିବାକୁ ବଡ ଆଗ୍ରହୀ ଥିଲେ। ଏହା ଦ୍ୱାରା ସୁମନା ବ୍ରଜବାବୁଙ୍କୁ ବିବାହ କରି ଅଚଳାଚଳ ସମ୍ପତ୍ତିର ମାଲିକାଣୀ ହୋଇ ସୁଖରେ ଜୀବନ ଅତିବାହିତ କରିବ। ସୁଦର୍ଶନକୁ ସଦେଇ ଓ ଦାମ ରଥ ବିରୋଧ କରନ୍ତି। ଯାହା ଫଳରେ ସୁଦର୍ଶନ ବ୍ରଜବାବୁଙ୍କୁ ନଜଣାଇ ତାଙ୍କର ଜୀବନରେ ଅନ୍ତରାୟ ନହେବା ପାଇଁ ନିଷ୍ପତ୍ତି ନେଇ ଘରଛାଡ଼ି ଚାଲିଯାଏ। ଏହା ଜାଣିଲା ପରେ ବ୍ରଜବାବୁ ଭାରି ଦୁଃଖ କରନ୍ତି। ଏହାପରେ ସୁଦର୍ଶନ ଭଲ ଗୀତ ଗାଉଥିବାରୁ ଆକାଶବାଣୀରେ ଗୀତ ଗାଏ। ରେଡିଓରୁ ସୁଦର୍ଶନର କଣ୍ଠସ୍ୱର ଶୁଣି ବ୍ରଜବାକୁ ତତ୍‌କ୍ଷଣାତ୍ କଟକ ରେଡିଓ ଷ୍ଟେସନ ଯାଇ ତାକୁ ଖୋଜି ଆଣନ୍ତି। ଯିବା ପୂର୍ବରୁ ସୁମନା ବୋଉ ଓ ସଦେଇକୁ ବିବାହ ଓ ଭୋଜିର ଆୟୋଜନ କରିବାକୁ କହି ଯାଇଥାନ୍ତି। ବ୍ରଜବାବୁଙ୍କର ବିବାହ ହେଉଛି ଶୁଣିଲା ପରେ ସୁଦର୍ଶନ ଫେରି ଆସେ। ଏକ ଚମତ୍କାର ନାଟକୀୟ ଉତ୍କଣ୍ଠା ମଧ୍ୟରେ ସୀତାଦେବୀ ନାଟକର ଶେଷ ପରିଣତି ସୃଷ୍ଟି କରିଛନ୍ତି। ବ୍ରଜବାବୁ ସମସ୍ତଙ୍କୁ ହତବମ୍ବ କରିଦେଇ ସୁଦର୍ଶନକୁ ବରବେଶରେ ସଜାଇ ସୁମନା ସହିତ ବିବାହ କରି ଦିଅନ୍ତି। ଏହି ବିବାହ ସମସ୍ତଙ୍କୁ ଭାରି ଆନନ୍ଦ ଦିଏ। ଦାମରଥ ନିଜର ଭୁଲ୍ ବୁଝିପାରି ଜୁଆଖେଳ, ମଦ୍ୟପାନକୁ ତ୍ୟାଗ କରନ୍ତି। ବ୍ରଜବାବୁ ନିଜ ଜମିଦାରୀ ତଥା ଅନ୍ୟାନ୍ୟ ସାମାଜିକ କାମର ଦାୟିତ୍ୱ ସୁଦର୍ଶନ ହାତରେ ଅର୍ପଣ କରିଦିଅନ୍ତି। ବ୍ରଜବାବୁ ଉନ୍ନତି ମୂଳକ ସଂସ୍କାର ଧର୍ମୀ ମନୋଭାବ ନେଇ ସମସ୍ତଙ୍କୁ କାମ କରିବାକୁ ପରାମର୍ଶ ଦେଇ ସଦେଇକୁ ନେଇ ବୃନ୍ଦାବନ ଯାତ୍ରାରେ ବାହାରି ପଡନ୍ତି। ଏକ ମିଳନାନ୍ତକ ପରିବେଶ ମଧ୍ୟରେ ନାଟକର ପରିସମାପ୍ତି ଘଟିଛି। ନାଟକର ଉତ୍କର୍ଷ ନାୟକ ବ୍ରଜବାବୁଙ୍କର ମାନବିକ ସୁଗଣ ପାଇଁ ଗତିଶୀଳ ହୋଇ ନାଟକଟିକୁ ସାମଗ୍ରିକ ଭାବରେ ସଫଳ କରିଛି। ଯଥେଷ୍ଟ ଦର୍ଶକୀୟ ପ୍ରଶଂସା ମଧ୍ୟ ଗୋଟାଇଛି।

ସୀତାଦେବୀ ମୂଳତଃ ଜଣେ ସାମାଜିକ ରାଜନୈତିକ ସଂସ୍କାର ମନସ୍କ ବ୍ୟକ୍ତିତ୍ୱ ଭାବରେ ଜୀବନକୁ ଦେଖିଥିବାରୁ ତାଙ୍କର ନାଟକ ଗୁଡିକରେ କାହାଣୀ, ଚରିତ୍ର, ସଂଳାପ, ସଙ୍ଗୀତ, ମଞ୍ଚସଜ୍ଜା, ନିର୍ଦ୍ଦେଶନା, ନାଟକୀୟ ଦ୍ୱନ୍ଦ ଯଥାର୍ଥ ଭାବରେ ପରିସ୍ଫୁଟନ କରି ପାରିଛନ୍ତି। ଯେ ହେତୁ ସେ ନିଜେ ନାଟ୍ୟକାର ଓ ନିର୍ଦ୍ଦେଶକ ଉଭୟର ଦାୟିତ୍ୱ ଅତ୍ୟନ୍ତ ଆନ୍ତରିକତାର ସହିତ ନିର୍ବାହ କରିଛନ୍ତି। ସୀତାଦେବୀ ନିଜ ନାଟକର ମଞ୍ଚ ମୂଲ୍ୟ ବୃଦ୍ଧି ପାଇଁ ନାଟକର ସମସ୍ତ ଦିଗ ପ୍ରତି ସମାନ ଦୃଷ୍ଟି ଦେଇଛନ୍ତି। ନାଟକରେ ଦୃଶ୍ୟ ସଂଯୋଜନା, ସଙ୍ଗୀତ, ଆଲୋକ, କାହାଣୀର ଆବଶ୍ୟକତା ଅନୁଯାୟୀ ଉପକରଣ, ସମ୍ପାତ, ମଞ୍ଚ ପରିଚାଳନା କିପରି ଭଲ ଭାବରେ ହୋଇପାରିବ ତାହାକୁ ନିଷ୍ଠାର ସହିତ କରିଛନ୍ତି। ଏପରିକି ନିଜ ଘରେ ମଞ୍ଚସଜ୍ଜା ନିମିତ୍ତ ଦର୍ଜୀ ଓ ଚିତ୍ରଶିଳ୍ପୀମାନଙ୍କୁ ଅଣାଇ ନାଟକର ଦୃଶ୍ୟପଟ୍ଟ, ସିନ୍ ତିଆରି କରେଇଛନ୍ତି। ନିଜ ଚେଷ୍ଟାରେ ମଞ୍ଚ ପାଇଁ ଆବଶ୍ୟକ ହେଉଥିବା ଉପକରଣ ଯୋଗାଡ କରି ନାଟକକୁ ସବୁ ଦିଗରୁ ସଫଳ କରେଇବା ପାଇଁ ପ୍ରଗାଢ଼ ଉଦ୍ୟମ କରିଛନ୍ତି। ଅବଶ୍ୟ ଆଜି ମଞ୍ଚରେ ଅନେକ ଆଧୁନିକ ଟେକ୍‌ନିକ୍ ବ୍ୟବହାର ହେଉଛି। ୬୦/୭୦ ବର୍ଷ ତଳେ ଜଣେ ମହିଳା ନାଟକ ଲେଖି, ନାଟକ ମଞ୍ଚ ନିଜେ ତିଆରି କରି ନିର୍ଦ୍ଦେଶନା ଦେଇ ମଞ୍ଚସ୍ଥ କରାଇବା ବାସ୍ତବରେ କଳ୍ପନାତୀତ ଥିଲା ବେଳେ ସୀତାଦେବୀ ଖାଡଙ୍ଗା ସେହି ଅସମ୍ଭବ କୁ ସଫଳ କରି ମଞ୍ଚାୟନ ମାଧ୍ୟମରେ ଏକ ଯୁଗାନ୍ତକାରୀ ବିପ୍ଲବ ସୃଷ୍ଟି କରିଥିଲେ। ତାଙ୍କର ଅନ୍ୟାନ୍ୟ ନାଟକ ଗୁଡ଼ିକ ମଧ୍ୟରେ ‘ପୁନରାବୃତ୍ତି’, ‘ଶେଷ ଆଶ୍ରୟ’, ‘କୈଳାସ କାବ୍ୟ’ ପ୍ରଭୃତି ଉଲ୍ଲେଖନୀୟ ଦର୍ଶକୀୟ ପ୍ରଶଂସା ପାଇଥିଲା। ସୀତାଦେବୀ ନାଟକ ରଚନା ପାଇଁ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ହେଁ ନିଜର ବିଚାରଧାରାରୁ କେବେହେଲେ ବିଚ୍ୟୁତ ହୋଇନଥିଲେ। ପ୍ରଚୁର ଆର୍ଥିକ କ୍ଷତି ସହି ମଧ୍ୟ ସ୍ୱାମୀ ବାଞ୍ଛାନିଧିଙ୍କ ସହିତ ମିଶି ନାଟକ ଗୁଡିକୁ ମଞ୍ଚସ୍ଥ କରାଇବାରେ ଅସାଧାରଣ ସାହାସିକତା ପ୍ରଦର୍ଶନ କରିଥିଲେ। ଓଡିଆ ନାଟ୍ୟ ସାହିତ୍ୟର ଇତିହାସରେ ଜଣେ ମହାନ୍ ନାଟ୍ୟକାର ଭାବରେ ସୀତାଦେବୀ ଖାଡଙ୍ଗା ଚିରକାଳ ସ୍ମରଣୀୟ ହୋଇ ରହିଥିବେ ଓ ଉତ୍ତର ପିଢି ଙ୍କୁ ନାଟକ ରଚନା କରିବା ପାଇଁ ପ୍ରେରଣା ଦେଉଥିବେ।

ସହାୟକ ଗ୍ରନ୍ଥସୂଚୀ :

୧.         ସାରସ୍ୱତ ସାଧିକା ସୀତାଦେବୀ ଖାଡଙ୍ଗା – ପ୍ରଫେସର୍ କୃଷ୍ଣଚନ୍ଦ୍ର ପ୍ରଧାନ।

୨.         ମୋର ଜୀବନସ୍ମୃତି – ସୀତାଦେବୀ ଖାଡଙ୍ଗା।

୩.         ସୀତାଦେବୀ ଗ୍ରନ୍ଥାବଳୀ – ପ୍ରକାଶକ ଅନନ୍ତ ମିଶ୍ର, କଟକ ଷ୍ଟୁଡେଣ୍ଟ୍ ଷ୍ଟୋର୍‌।

୪.         ମନ୍ଦିର ପ୍ରବେଶ (ସାମାଜିକ ନାଟକ) – ସୀତାଦେବୀ ଖାଡଙ୍ଗା।

୫.         ଜନ୍ମତିଥି (ସାମାଜିକ ନାଟକ) – ସୀତାଦେବୀ ଖାଡଙ୍ଗା।

 

 

FAQs — Sitadevi Khadenga: The First Woman Playwright of Odia Literature

1. Who was Sitadevi Khadenga? She was a poet, novelist, and playwright from Ganjam district, widely recognized as Odia literature’s first woman playwright. Despite never receiving a formal school education, she wrote and staged her own plays at a time when women’s presence near a theatre was considered improper.

2. Why wasn’t she educated, despite being born to a highly educated father? Her father, Harihar Panda, was an accomplished lawyer, but held deeply orthodox views on women’s education. He denied Sitadevi’s formal schooling and offered no support to his own widowed sisters – an injustice she witnessed and resisted from childhood, even though she had no means to voice it then.

3. How did she learn to read and write? Entirely through her own persistence. Her mother taught her the alphabet at home, and she studied for a few months under a home tutor. Whatever books and magazines came into the house — Utkal Sahitya, Mukura — she read with hunger, gradually building the literary foundation that would shape her writing.

4. What sparked her writing career? After her marriage at age ten, in her husband Banchanidhi’s supportive household, she wrote her first poem one rainy evening — inspired by an old memory of longing. It reached a family friend, who submitted it for publication. It appeared in Nabina magazine in 1939, marking the start of her literary journey.

5. What is she most remembered for today? Her plays — particularly Mandira Pravesha (1947), which addressed untouchability, and Nishpatti, which confronted the evils of child marriage. She wrote, funded, directed, and staged these productions herself, even building her own theatre and using ticket proceeds to fund a village school. Her contribution remains largely undocumented in mainstream Odia literary history, a gap that scholars like Dr. Bidhuprava Ratha are now working to address.

Share This Article