ସାହିତ୍ୟ କେବଳ କଳାତ୍ମକ ସୃଜନ ନୁହେଁ; ଏହା ସମାଜର ଅନୁଭବ, ଚେତନା ଓ ମାନବୀୟ ସମ୍ପର୍କର ଏକ ଜୀବନ୍ତ ଦଲିଲ। ଗଳ୍ପିକା ଶକୁନ୍ତଳା ପଣ୍ଡାଙ୍କ ଗଳ୍ପମାନେ ସେହି ଦଲିଲକୁ ଆମ ସମ୍ମୁଖକୁ ଆଣିଥାନ୍ତି। ସାହିତ୍ୟରେ ନାରୀର ସ୍ଵର ବହୁ ସମୟରେ କ୍ଷୀଣ ହୋଇଥିବାବେଳେ, ତାଙ୍କ ଲେଖାରେ ନାରୀଜୀବନର ଅନୁଭୂତି, ନିମ୍ନବର୍ଗର ମଣିଷଙ୍କ ଅସହାୟତା ଓ ସାମାଜିକ ଅନ୍ୟାୟର ଚିତ୍ର ଜୀବନ୍ତ ଭାବରେ ପ୍ରକାଶ ପାଇଛି। ଏପରି ସାହିତ୍ୟିକ ସୃଜନକୁ ନୂତନ ପିଢୀର ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାପାଇଁ ଲେଖିକା ଦୀପାଲି ଜେନା ଏକ ସଚେତନ ପ୍ରୟାସ କରିଛନ୍ତି । – ସମ୍ପାଦକ
ସଂକ୍ଷିପ୍ତସାର– ସୃଷ୍ଟିକର୍ତ୍ତା ତାଙ୍କ ସୃଷ୍ଟିକୁ ସୁନ୍ଦରକରି ଗଢ଼ିତୋଳିବା ପାଇଁ ନାନା ରଙ୍ଗ ଭରିଦେଇଛନ୍ତି ସବୁ କୋଣରେ। ଏ ମନୁଷ୍ୟ ନାଲି, ନେଳି, ଗୋଲାପି ଅନେକ ରଙ୍ଗ ଦେଖିଛି ଏବଂ ତାକୁ ଭଲପାଇଛି କିନ୍ତୁ ତା ଅଜଣାତରେ ତାକୁ ଅନ୍ଧାରର କଳା ଛାୟାଟି ମଧ୍ୟ ଘେରି ରହିଛି। ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ପାଇଁ ସମସ୍ତେ ବ୍ୟାକୁଳ ହୋଇ ରହିଥାନ୍ତି ହେଲେ ତା ପଛର କଳା ରଙ୍ଗକୁ ବା କିଏ ଦେଖନ୍ତି, ଦୀପକୁ ସମସ୍ତେ ଜଳିବା ଦେଖନ୍ତି ହେଲେ ଦୀପ ତଳର ଅନ୍ଧାରକୁ ବା କିଏ ଦେଖନ୍ତି, ଦିନର ସୂର୍ଯ୍ୟାଲୋକ ସମସ୍ତଙ୍କୁ ଭଲ ଲାଗେ କେତେଜଣ ବା ରାତିର ସେ କଳା ଚେହେରାକୁ ଆପଣେଇ ପାରନ୍ତି; ଏହିପରି ମନୁଷ୍ୟ ଜୀବନର ହସ ପଛର ଲୁହ, ସୁଖ ପଛର ଦୁଃଖ, ପ୍ରେମ ପଛର ବିରହର ଏକ ଆଇନା ସଦୃଶ ହୋଇଛି ଅନ୍ଧକାରର ରଙ୍ଗ।
ପ୍ରମୁଖ ଶବ୍ଦାବଳୀ – ଅନ୍ଧକାରର ରଙ୍ଗ, ବାସ୍ତବତା, ଜୀବନ, ଶକୁନ୍ତଳା ପଣ୍ଡା, ସଂଘର୍ଷ
ଉପକ୍ରମ– ଓଡ଼ିଆ ସାହିତ୍ୟ ଜଗତରେ ଶକୁନ୍ତଳା ପଣ୍ଡା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ଜଣେ ନାରୀ ସ୍ରଷ୍ଟା। ସେ ମୁଖ୍ୟତଃ ଗଳ୍ପ ଏବଂ ଉପନ୍ୟାସ ମାଧ୍ୟମରେ ନାରୀ ଜୀବନର ସତ୍ୟ , ସଂଘର୍ଷ ଓ ସମାଜର ଅନ୍ଧକୋଣକୁ ଉଜାଗର କରିଥିଲେ। ସାହିତ୍ୟର ପ୍ରତିଭାଧର ସ୍ରଷ୍ଟାଙ୍କ ଜନ୍ମ ୧୯୩୯ ନଭେମ୍ବର ୧୦ ତାରିଖରେ ହୋଇଥିଲା। ୧୯୭୫ ମସିହାରୁ ଦୀର୍ଘ ୨୮ବର୍ଷ ଧରି ପ୍ରକାଶ ପାଉଥିବା ପ୍ରଥମ ପାରିବାରିକ ସାହିତ୍ୟ ପତ୍ରିକା ‘ସୁଚରିତା’ର ସମ୍ପାଦିକା ଭାବେ ସେ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଏବଂ ଅନ୍ୟ ଭାଷାର ପାଠକ ପାଠିକାମାନଙ୍କ ମଧ୍ୟରେ ସୁପରିଚିତ। ଏହି ପତ୍ରିକାରେ ପ୍ରକାଶ ପାଉଥିବା ପ୍ରତ୍ୟେକଟି ଲେଖାକୁ କେବଳ ମହିଳାମାନେ ହିଁ ଲେଖୁଥିଲେ। ଗଳ୍ପ, ଉପନ୍ୟାସ, ଭ୍ରମଣକାହାଣୀ, ଶିଶୁ ସାହିତ୍ୟ ଲେଖୁଥିଲେ ହେଁ ସେ ଗାଳ୍ପିକା ଭାବରେ ଅଧିକ ପରିଚିତ। ତାଙ୍କର ଗଳ୍ପ ସଂକଳନ ଗୁଡ଼ିକ ହେଲା: ସୂର୍ଯ୍ୟଶିଖା, ଅନ୍ଧକାରର ରଙ୍ଗ, ଅନେକଦିନ ପରେ, ନିଶୀଥ ସୂର୍ଯ୍ୟ, ମଣିକାର ଘର, ପକ୍ଷୀ ଉଡ଼ିଯା ପ୍ରଭୃତି।
ଶ୍ରୀମତୀ ଶକୁନ୍ତଳା ପଣ୍ଡାଙ୍କ ଗଳ୍ପରେ ନାରୀ ହିଁ କେନ୍ଦ୍ରବିନ୍ଦୁ। ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବାର ସୁଯୋଗ ପାଇଥିବାରୁ ତାଙ୍କ ଗଳ୍ପରେ ବିବିଧ ଚରିତ୍ରର ସମାହାର ଘଟିଛି। ଜୀବନକୁ ବ୍ୟାପକ ଦୃଷ୍ଟିଭଙ୍ଗୀରେ ସେ ଦେଖିଛନ୍ତି। ସେ ନିଜେ କହିଛନ୍ତି: “ମୁଁ ଯାହା ଦେଖେ, ଯାହା ଅନୁଭବ କରେ ତା’ବୋଧହୁଏ ନ ଲେଖିବା ଯାଏ ଶାନ୍ତି ପାଇ ପାରେନା। ଏମିତି କାହିଁକି ହୁଏ ମୁଁ ନିଜେ ବି ବୁଝିପାରିନି । ପ୍ରତ୍ୟହ ଏ ବିଶ୍ଵରେ କେତେ କଣ ଘଟିଯାଇଛି। କିନ୍ତୁ ମୋ ସମ୍ପର୍କରେ ଆସୁଥିବା, ମୋତେ ଘେରି ରହୁଥିବା କିଛି କଥା ମୋତେ ଏଭଳି ଅତିଷ୍ଠ କରନ୍ତି ସେ ସବୁ ଲେଖନୀ ମାଧ୍ୟମରେ ପ୍ରକାଶ ନ କରି ମୁଁ ଅଶାନ୍ତ ହୋଇଉଠେ। ହୃଦୟ ଭାରାକ୍ରାନ୍ତ ହୁଏ”[1]।
ଗାଳ୍ପିକା ପଣ୍ଡାଙ୍କ ‘ଅନ୍ଧକାରର ରଙ୍ଗ ‘ଗଳ୍ପ ସଂକଳନ ଅନ୍ତର୍ଗତ ସମସ୍ତ ଗଳ୍ପ ମନୁଷ୍ୟ ଜୀବନର ଅନ୍ଧାରିମୁଲକ ସହ ଆମକୁ ପରିଚିତ କରାଏ। ଆଧୁନିକ ମଣିଷର ଅସହାୟତା, ବିବେକହୀନତା ଓ ବିକୃତ ମନୋଭାବର ଅନୁଚିନ୍ତାକୁ ଗାଳ୍ପିକା ତାଙ୍କ ଗଳ୍ପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି। ପାରିବାରିକ ଜୀବନର ଅସଙ୍ଗତି, ପ୍ରେମ, ବିଚ୍ଛେଦ, ନାରୀର ଅସହାୟ ଚରିତ୍ର ଆଦି ତାଙ୍କ ଗଳ୍ପରେ ବାସ୍ତବ ହୋଇ ଉଠିଛି। ଗାଳ୍ପିକାଙ୍କ ଲିଖନଶୈଳୀ, ଶବ୍ଦ ସଂଯୋଜନା, ଭାଷା, ଚରିତ୍ର ଚିତ୍ରଣ ଏବଂ ନାମକରଣର ସ୍ଵତନ୍ତ୍ରତାକୁ ନେଇ ସେ ଗଳ୍ପ ସାହିତ୍ୟ ବିଭାଗରେ ତାଙ୍କ ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ଗଳ୍ପକୁ ପଢ଼ିଲେ ଲାଗେ ସେ ଚରିତ୍ର ସବୁ ଆମ ଆଖପାଖରେ ଆତଯାତ ହେଉଛନ୍ତି ଏବଂ ସେ ଗଳ୍ପରେ ଯେଉଁ ସଂଳାପ ସଂଯୋଜନା କରିଛନ୍ତି ଲାଗେ ଯେପରି ପାଠକଟିଏ ନିଜେ ସେହି ସଂଳାପ ଉଚ୍ଚାରଣ କରୁଛି। ନିମ୍ନରେ ଗାଳ୍ପିକାଙ୍କ ଗଳ୍ପର ଅନ୍ତଃସ୍ଵରକୁ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି।
ସାମାଜିକ ଆବେଦନ: ସାହିତ୍ୟ ଓ ସମାଜ ଅଙ୍ଗାଙ୍ଗି ଭାବେ ଜଡ଼ିତ। ଗୋଟିଏ ବିନା ଅନ୍ୟଟିର ପରିକଳ୍ପନା ଅସମ୍ଭବ। ସ୍ରଷ୍ଟା ଜଣେ ସାମାଜିକ ପ୍ରାଣୀ ହୋଇଥିବାରୁ ସେ ନିଜ ପାଇଁ ଉଦ୍ଦିଷ୍ଟ ସମାଜକୁ ଆପଣାଛାଏଁ ତା’ର ସୃଷ୍ଟି ମଧ୍ୟରେ ସ୍ଥାନିତ କରିଥାଏ। ସମାଜରେ ଯାହାସବୁ ଘଟିଥାଏ ତାହା ସ୍ରଷ୍ଟାର ସୃଷ୍ଟି ପାଇଁ ମୂଳ ଉତ୍ସ। ଅନ୍ଧକାରର ରଙ୍ଗ ଗଳ୍ପ ଅନ୍ତର୍ଗତ ‘ସକାଳର ଶୋକ’ ଗଳ୍ପରେ ଆଧୁନିକ ସମାଜରେ ଭାଇ ଭାଇ ଭିତରେ ସମ୍ପତ୍ତି ପାଇଁ ଝଗଡ଼ା ଲାଗିବା ଏବଂ ପିତା ମାତା ବୃଦ୍ଧା ହେଇଗଲା ପରେ ସେମାନେ କିପରି ଅଲୋଡ଼ା ଅଖୋଜା ହେଇଯାଆନ୍ତି ତାହା ଆମେ ଦେଖିବାକୁ ପାଉ। ‘ସେମାନେ ଆସିଛନ୍ତି’ ଗଳ୍ପରେ ଉଚ୍ଚ ପଦସ୍ଥ କର୍ମଚାରୀ ନିମ୍ନ ବର୍ଗର ଲୋକଙ୍କୁ ସାହାଯ୍ୟ ବଦଳରେ ଲୁଣ୍ଠନ କରିବା ଏବଂ ‘ଜୀବନର ଅନ୍ୟ ନାମ’ ଗଳ୍ପରେ ଛାତ୍ର ଜୀବନର ସମସ୍ୟା କଥା ଅବତାରଣା କରାଯାଇଛି। ଆଧୁନିକ ସମାଜର ନିଶାଶକ୍ତ ମୋହରେ ପଡ଼ି କିପରି ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ଛାତ୍ରଟିଏ ବିଡ଼ି, ସିଗାରେଟ୍, ଡ୍ରଗସ୍ ଆଦିକୁ ଆପଣାର କରିଥାଏ ତାହା ଦର୍ଶାଯାଇଛି। ଆମ ସମାଜରେ ଧର୍ମର ସ୍ଥାନ ଉଚ୍ଚରେ; ଧର୍ମ ବିଶ୍ଵାସ ମଣିଷକୁ ପଥ ପ୍ରଦର୍ଶନ କରାଏ। ‘ମହାତ୍ମ’ ଗଳ୍ପରେ କିପରି ଧର୍ମର ଦ୍ଵାହି ଦେଇ ବାବାମାନେ ନିଜର ଅର୍ଥ ପ୍ରତିପତ୍ତି ସମ୍ମାନ ବୃଦ୍ଧି କରିବାକୁ ଚାହିଁଛନ୍ତି ବର୍ଣ୍ଣନା କରାଯାଇଛି। ସାମାଜିକ ଜୀବନରେ ନାରୀ ଚିତ୍ରର ଅସହାୟତାବୋଧକୁ ଗାଳ୍ପିକା ‘ସଳିତା’, ’ସୁଖୀ ମଣିଷ’ ଆଦି ଗଳ୍ପରେ ଉଲ୍ଲେଖ କରିଛନ୍ତି।
ମାନବବାଦୀ ଭାବନାର ପରିପ୍ରକାଶ: ଗାଳ୍ପିକା ତାଙ୍କ ଗଳ୍ପ ମାଧ୍ୟମରେ ଜୀବନର ଚିତ୍ରକୁ ଅତି ନିଖୁଣ ଭାବରେ ଦୃଶ୍ୟ କରାଇଛନ୍ତି। ମଣିଷ ମାତ୍ରେ ହିଁ ଅମୃତର ସନ୍ତାନ। ସମସ୍ତଙ୍କ ମଧ୍ୟରେ ଦେବତ୍ଵର ସନ୍ଧାନ ମିଳେ। ଏଣୁ କୌଣସି ମଣିଷ ହେୟ ନୁହେଁ କି ଘୃଣ୍ୟ ନୁହେଁ ଏ ସୃଷ୍ଟିରେ। ‘ଅନ୍ଧକାରର ରଙ୍ଗ’ ଗଳ୍ପରେ ଗାଳ୍ପିକା ଡ.ଚନ୍ଦନଙ୍କ ଚରିତ୍ର ମାଧ୍ୟମରେ ଏକ ଆଦର୍ଶବାଦୀ ମାନବ ଜୀବନର ଚିତ୍ର ଚିତ୍ରଣ କରିଛନ୍ତି ଯିଏକି ନିଜ ସ୍ଵାସ୍ଥ୍ୟ ଏବଂ ପରିବାରକୁ ସମୟ ନଦେଇ ନିଜ କର୍ମ ପ୍ରତି ସର୍ବଦା ଗୁରୁତ୍ୱ ଦେଇଛନ୍ତି। ସେହିପରି ‘ଜୀବନର ଅନ୍ୟନାମ’ ଗଳ୍ପରେ ମନୁଷ୍ୟ ଜୀବନର ପ୍ରକୃତ ଅର୍ଥକୁ ବୁଝାଯାଇଛି। ‘ସଳିତା’ ଗଳ୍ପରେ ଜଣେ ନାରୀର ମାନବିକ ମୁଲ୍ୟବୋଧକୁ ଦର୍ଶାଯାଇଛି; ଯିଏକି ନିଜ ଦୁଃଖ କଷ୍ଟକୁ ଚାପି ରଖି ଅନ୍ୟ ମୁହଁରେ ଖୁସି ଫୁଟାଇଛି: “ପ୍ରତି ମୁହୂର୍ତ୍ତରେ ଦୌଡ଼ି ଦୌଡ଼ି ନିଃସହାୟ ଅସୁସ୍ଥ ମାନବର ସେବାକରି ନେବାକୁ ସେ ଯେପରି ଜୀବନର ବ୍ରତ କରିନେଇଛି”[2]।
ଯୌନ ଚେତନା: ପ୍ରେମ ଦିବ୍ୟ, ପ୍ରେମ ଶାସ୍ଵତ, ପ୍ରେମ ମଣିଷ ଜୀବନର ସର୍ବଶ୍ରେଷ୍ଠ ଅନୁଭୂତି କିନ୍ତୁ ଯେତେବେଳେ ପ୍ରେମରେ ଯୌନକାମନା ମନୋଭାବ ଦେଖାଯାଏ ସେତେବେଳେ ପ୍ରେମରେ ସ୍ଵାର୍ଥପରତା ଆସିଯାଏ। ମଣିଷ ସ୍ୱର୍ଗୀୟ ପ୍ରେମ ପାଇବା ଅପେକ୍ଷା ଯୌନପିପାସୁ ହୋଇଯାଏ। ‘ଅନେକ ଅଶ୍ରୁ’ ଗଳ୍ପରେ ତପନ ଏବଂ ସୁମିତା ଅନେକ ବର୍ଷ ପରେ ଦେଖା ହୁଅନ୍ତି। ନିଜ ନିଜର ଦାମ୍ପତ୍ୟ ଜୀବନ ଥିଲେ ମଧ୍ୟ ପୂର୍ବ ପ୍ରେମ ସମ୍ପର୍କକୁ ମନେ ପକେଇ ପୁଣି ନିଜ ଭିତରେ ଖୁସି କରିଛନ୍ତି। ତପନ ସୁମିତାକୁ କହିଛନ୍ତି: “ସୁମିତା, କାହିଁକି ଆଉ ନିଜକୁ ଠକିବା କୁହତ? ଆଜି ଖାଲି ମନେହେଉଛି ଦଶବର୍ଷର ସଞ୍ଚିତ ତୁମ ମୋ ଅନ୍ତର୍ଦହନର ଲିପି ଶୁଣି ଶୁଣି ସମୟ କଟାଇ ଦିଅନ୍ତେ”[3]। ସେହିପରି ‘ହଜିଯାଇଥିବା ଲୋକଟି’ ଗଳ୍ପରେ ଶିଖା ସନ୍ଦୀପ ଭିତରେ ଦେବତ୍ଵ ସନ୍ଧାନ ପାଇଛି କିନ୍ତୁ ସନ୍ଦୀପର ଶିଖା ପ୍ରତି ଯେଉଁ ଅଶ୍ଳୀଳ ଆଚରଣ ରହିଛି ପରବର୍ତ୍ତୀ ମୁହୂର୍ତ୍ତରେ ଦୁହେଁ ଅଲଗା ହୋଇଛନ୍ତି। ‘ଶେଷକଥା’ ଗଳ୍ପରେ କହ୍ନେଇ ମାଲିକଙ୍କ ଝିଅ ଗାଧେଇବା ଅବସ୍ଥାରେ ସ୍କାଏ ଲାଇଟ୍ ଫାଙ୍କରେ ଦେଖିବାକୁ ଚେଷ୍ଟା କରି ଘରୁ ଧକ୍କା ଖାଇଛି।
ନିମ୍ନବର୍ଗ ଲୋକଙ୍କ ଜୀବନର ପ୍ରତିଫଳନ: ନିମ୍ନବର୍ଗର ଅର୍ଥାତ୍ ଶୋଷିତ ଗୋଷ୍ଠୀ ତାଙ୍କଠାରୁ ଉଚ୍ଚ ବର୍ଗର ଲୋକଙ୍କ ପାଖରୁ କିପରି ଶୋଷିତ ହୋଇଥାନ୍ତି ତାହା ଏଥିରେ ଦର୍ଶାଯାଇଛି । ସାଧାରଣ କିଛି ଲୋଭ ଲାଳସା ଦେଖାଇ ଶୋଷକ ଗୋଷ୍ଠୀ ନିମ୍ନ ବର୍ଗର ଲୋକଙ୍କୁ କିପରି ସର୍ବସ୍ଵ ହରଣ କରେ ତାହା ବର୍ଣ୍ଣିତ। ‘ସେମାନେ ଆସିଛନ୍ତି’ ଗଳ୍ପର ନିମ୍ନ ଜାତିର ନାରୀଟିଏ ଯିଏ ପାଇଖାନା ସଫା କରି ନିଜ ଗୁଜୁରାଣ ମେଣ୍ଟାଏ। ପାଞ୍ଚ ଟଙ୍କାର ଲୋଭ ଲାଳସା ଦେଖାଇ ନୂଆ ଲୁଗା ପିନ୍ଧିବାର ଆଶା ଦେଖାଇ ତାକୁ କିପରି ଶୋଷକ ତଥା ସରକାରୀ ଉଚ୍ଚ ପଦସ୍ଥ କର୍ମଚାରୀ ଉପଭୋଗ କରିବା ପାଇଁ ଚାହିଁଛନ୍ତି ତାହା ଅବତାରଣା କରାଯାଇଛି। ‘ଶେଷକଥା’ ଗଳ୍ପରେ କହ୍ନେଇ ଚରିତ୍ରଟି ଗାଉଁଲି ସୁବିଧାବାଦୀ ଶାସକ ଗୋଷ୍ଠୀଙ୍କ ହାତବାରିସି ସାଜିଛି; ସେ ଚାହୁଁନଥିଲେ ମଧ୍ୟ ଶାସକ ଗୋଷ୍ଠୀ ତା’ହାତରେ ନିମ୍ନ ଶ୍ରେଣୀର ଲୋକମାନଙ୍କର ଜମିର ପଟ୍ଟା ଫାଇଲ ସବୁ ପୋଡ଼ି ଦେଇଛନ୍ତି।
ଆଧୁନିକ ମଣିଷର ଜୀବନ ଚର୍ଯା: ଆଧୁନିକ ମଣିଷ ସାଧାରଣତଃ ଭୋଗବାଦୀ, ଅର୍ଥବାଦୀ, ସ୍ଵାର୍ଥବାଦୀ ହୋଇପଡ଼ିଛି। ପୁଣି ତା ଭିତରେ ଦେଖା ଦେଇଛି ନିଃସଙ୍ଗତା ବୋଧ, ହତାଶା ମନୋଭାବର। କେଉଁଠି ସେ ନିଜକୁ ସ୍ରଷ୍ଟା ରୂପେ କହି ରଣ ହୁଙ୍କାର ଦେଇଛି ତ ଆଉ କୋଉଠି କାଳର କ୍ରୂରତାପାଖରେ ନିଜକୁ ସମର୍ପି ଦେଇଛି। ଆଧୁନିକ ମଣିଷ ଭୋଗବିଳାସକୁ ଯେତେ ଆପଣେଇଛି କର୍ତ୍ତବ୍ୟ ନିଷ୍ଠା, ମାନବିକ ମୂଲ୍ୟବୋଧକୁକୁ ମଧ୍ୟ ନିଜ ପାଖରେ ରଖିଛି। ମାନବ ସେବା ହିଁ ମାଧବ ସେବା ବୋଲି ଭାବି ନେଇଛି। ‘ଅନ୍ଧକାରର ରଙ୍ଗ’ ଗଳ୍ପରେ ଡଃ.ଚନ୍ଦନ ଜଣେ ଆଦର୍ଶ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି। ସେ ଚକ୍ଷୁ ଚିକିତ୍ସାଳୟରେ କାର୍ଯ୍ୟ କରନ୍ତି। ଯେଉଁଦିନ ନିଜ ଅସ୍ତ୍ରୋପଚାର ଡେଟ୍ ନଥାଏ ସେ ଅନ୍ୟ ରୋଗୀ ମାନଙ୍କ ଚିକିତ୍ସା କରନ୍ତି କିନ୍ତୁ ନିଜ ନିଜ କର୍ମରୁ କେବେ କେବେ ବିରତି ନେଇ ନାହାନ୍ତି। ‘ହଜିଯାଇଥିବା ଲୋକଟି’ ଗଳ୍ପରେ ଗାଳ୍ପିକା ଆଧୁନିକ ମଣିଷ ଜୀବନର ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ହେଉଥିବା ସଂଘର୍ଷକୁ ଅବତାରଣା କରିଛନ୍ତି:“ଆମେ ଏଇ ମଣିଷମାନେ କେଡ଼େ ବୋକା ସତରେ ! ଚିର ବ୍ୟସ୍ତ ଅସ୍ଥିର ହୋଇ ବର୍ତ୍ତମାନକୁ ତ ଅଶାନ୍ତମୟ କରୁ ପୁଣି ଭବିଷ୍ୟତ କଥା ଭାବି ମିଛଟାରେ ଆତଙ୍କିତ ହୋଇଉଠୁ। କିଛିଦିନ ପରେ ଭବିଷ୍ୟତ ଯେତେବେଳେ ବର୍ତ୍ତମାନ ହୁଏ, ଅତୀତକୁ ଦୃଷ୍ଟି ଫେରାଇ ହାତରୁ ଛାଡ଼ି ଦେଇଥିବା ସମୟ ପାଇଁ ଅନୁତାପ କରିବା ଛଡ଼ା ଉପାୟ ନଥାଏ”[4]।
ଶୈଳୀ ବିଚାର:ଗାଳ୍ପିକା ପଣ୍ଡା ନିଜସ୍ଵ ଶୈଳୀରେ ଗଳ୍ପ ଲେଖିଛନ୍ତି। ଗଳ୍ପର କାହାଣୀକୁ ଗତିଶୀଳ କରିବାପାଇଁ ବହୁ ରଚନାରେ ସେ କଥୋପକଥନ ମାଧ୍ୟମକୁ ଅର୍ଥାତ୍ ନାଟକୀୟ ଶୈଳୀକୁ ମୁଖ୍ୟ ଆଧାର କରିଅଛନ୍ତି। କାହାଣୀର ଆରମ୍ଭରୁ କିଛି ଜଣାପଡ଼େ ନାହିଁ । ‘ହଜିଯାଇଥିବା ଲୋକଟି’ ଗଳ୍ପର ଆରମ୍ଭରେ ରହିଛି:“ତୁମକୁ ନେଇ ଗପଟିଏ ଲେଖିବି ବୋଲି ଅନେକ ଦିନରୁ ଭାବୁଛି। ଯଦି ସତରେ ମୁଁ କିଛି ଲେଖିଦିଏ ପ୍ରକୃତରେ ସେ କଣ ଗପଟିଏ ହେବ ନା ତୁମ- ମୋ ସମ୍ପର୍କର ସେଇ ସୁନ୍ଦର ମୁହୂର୍ତ୍ତ ମାନଙ୍କର ଦିନଲିପି ଲେଖିଦେଲି ମୁଁ ନିଜପାଇଁ ଏକାନ୍ତ ଭାବରେ ସାଇତି ରଖିବା ପାଇଁ ଲେଖାଟିଏ ପ୍ରସ୍ତୁତ କରିଦେବି”(ହଜିଯାଇଥିବା ଲୋକଟି -ପୃ-୩୨)। ଗଳ୍ପର ପ୍ରାରମ୍ଭ ବର୍ଣ୍ଣନାତ୍ମକ ଭାବରେ କରିବା ଗାଳ୍ପିକାଙ୍କ ଆଉ ଏକ ସ୍ଵତନ୍ତ୍ରତା। ତରଙ୍ଗ, ସଳିତା, ସେମାନେ ଆସିଛନ୍ତି, ସକାଳର ଶୋକ ଆଦି ଗଳ୍ପରେ ଗାଳ୍ପିକା ପ୍ରଥମରୁ ପ୍ରକୃତିର ଏକ ସୁନ୍ଦର ରୂପର ବର୍ଣ୍ଣନା କରିଛନ୍ତି। ‘ତରଙ୍ଗ’ ଗଳ୍ପରେ ଶିଶୁ ମନସ୍ତତ୍ତ୍ୱ ଶୈଳୀର ପ୍ରୟୋଗ ଘଟିଛି। ଶିଶୁ ମନର ଭାବନା ଆକାଂକ୍ଷା ସବୁ କିପରି ନିଜ ଭିତରେ ସମାହିତ ହେଇଯାଉଛି। ଶିଶୁଟିଏ ଯେତେବେଳେ ତା ମନମୁଖି କାର୍ଯ୍ୟ କରିପାରେ ନାହିଁ ସେ ବିଦ୍ରୋହ କରିଉଠେ, ମନ ଭିତରେ ଦ୍ଵନ୍ଦ ରଖେ, ଧିରେ ଧିରେ ସେ ବାହାର ଦୁନିଆ ଠାରୁ ବିଚ୍ୟୁତ ହେଇ ଆପଣା ମନୋରାଜ୍ୟର ମାଲିକ ହେଇଥାଏ। ଗାଳ୍ପିକା ‘ଅନେକ ଅଶ୍ରୁ’ ଗଳ୍ପରେ ରୋମାଣ୍ଟିକ ଭାବାତ୍ମକ ଶୈଳୀରେ ତପନ ଏବଂ ସୁମିତା ଚରିତ୍ରକୁ ଉପସ୍ଥାପନ କରିଛନ୍ତି। ସେହିପରି ‘ଶେଷକଥା’ ଗଳ୍ପରେ ରାଜା, ମନ୍ତ୍ରୀ ମାନଙ୍କୁ ସୁବିଧାବାଦୀ ଗୋଷ୍ଠୀର ପ୍ରତୀକ ସ୍ଵରୂପ ନିଆଯାଇଛି ଏବଂ ପ୍ରଜାମାନଙ୍କୁ ଶୋଷିତ ଗୋଷ୍ଠୀର ପ୍ରତୀକ ରୂପେ ନିଆଯାଇଅଛି।
ଉପସଂହାର: ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ ଜଗତରେ ନାରୀ ଲେଖିକା ମାନଙ୍କ ମଧ୍ୟରେ ଗାଳ୍ପିକା ପଣ୍ଡାଙ୍କ ଲେଖା ପାଠକ ହୃଦୟକୁ ଅଭିଭୁତ କରେ। ଯନ୍ତ୍ରଣା ଭିତରେ ଜୀବନ, ଅଶ୍ରୁ ଭିତରେ ଆନନ୍ଦ, ନିଃସଙ୍ଗତା ଭିତରେ ଆତ୍ମିୟତା ଏହା ହଁ ତାଙ୍କ ଗଳ୍ପକୁ ସ୍ଵତନ୍ତ୍ର କରି ଗଢ଼ି ତୋଳିଛି। ଜଣେ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ମଧ୍ୟ ଶାସ୍ତ୍ରୀୟ ବିଶ୍ୱାସକୁ ଗୁରୁତ୍ଵ ନଦେଇ ଉଚ୍ଚବର୍ଗୀୟ ଲୋକଙ୍କର ବିଭତ୍ସ ରୂପ ପ୍ରଦର୍ଶନ ପୂର୍ବକ ନିମ୍ନବର୍ଗର ଲୋକଙ୍କର ଅସହାୟ ଚିତ୍ର ପ୍ରତି ଦୃଷ୍ଟି ଦେଇଛନ୍ତି।
କଥାକାରଙ୍କ ଗଳ୍ପ ସଂକଳନ ‘ଅନ୍ଧକାରର ରଙ୍ଗ’ରେ ଅନ୍ତର୍ଭୁକ୍ତ ସମସ୍ତ ଗଳ୍ପମାନଙ୍କର ନାମକରଣରେ ସ୍ଵକୀୟତା ଛଟା ଛାଡ଼ିଯାଇଛନ୍ତି। ଘଟଣାର ବିନ୍ୟାସ, ଚରିତ୍ର ଚିତ୍ରଣ ତଥା ଭାଷା ସଂଯୋଜନାରେ ସେ ଜଣେ ଅନତିକ୍ରମ୍ୟ ସ୍ରଷ୍ଟା। ତାଙ୍କ ଗଳ୍ପରେ ମଣିଷ ମଣିଷ ମଧ୍ୟରେ ସ୍ନେହ ମମତା ଓ ମାନବିକତାର ବନ୍ଧନକୁ ସୁଦୃଢ଼ କରିଛନ୍ତି। ତାଙ୍କୁ ଜୀବନବାଦୀ ଓ ମାନବବାଦୀ ସ୍ରଷ୍ଟା ମଧ୍ୟ କୁହାଯାଏ। ସମାଜର ଦୋଷ ଦୁର୍ବଳତା ପ୍ରଦର୍ଶନ ସହିତ ଥିଲାବାଲାଙ୍କ ଛଳନା, ଶୋଷଣ, ଯୌନ ପ୍ରବୃତ୍ତିର ବିକୃତ ରୂପକୁ ଲୋକଲୋଚନକୁ ଆଣିଛନ୍ତି। ବାସ୍ତବତା, ଆଦର୍ଶବୋଧର ଉପସ୍ଥାପନା ସହିତ ପ୍ରେମର ସ୍ଵରୂପ ଚିତ୍ରଣରେ ସେ ତାଙ୍କ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। କଳାତ୍ମକ ଦୃଷ୍ଟିରୁ ତାଙ୍କର ସଫଳ କୃତିଗୁଡ଼ିକ ଏକ ଏକ କ୍ରାନ୍ତିକାରୀ ସୃଷ୍ଟି। ଶକୁନ୍ତଳାଙ୍କ ବିଷୟରେ ବିଶେଷ ଭାବରେ କେଉଁଠି ଆଲୋଚନା କରାଯାଇନାହିଁ। ସହୃଦୟ ପାଠକ ତଥା ସମାଲୋଚକ ଏପରି ପ୍ରତିଭାର ଯଥାର୍ଥ ମୂଲ୍ୟାୟନ ପାଇଁ ସମୁଚିତ ପଦକ୍ଷେପ ନେଲେ ତାଙ୍କ ଗଳ୍ପ ସାହିତ୍ୟର ସଫଳ ଆକଳନ ହୋଇପାରିବ।
ସହାୟକ ଗ୍ରନ୍ଥ ସୂଚୀ
୧.ପଣ୍ଡା ଶକୁନ୍ତଳା: ଅନ୍ଧକାରର ରଙ୍ଗ, ସୁଚରିତା ପବ୍ଲିକେଶନ , ଭୁବନେଶ୍ୱର, ୧୯୯୩
ଲେଖିକା: ଦୀପାଲି ଜେନା
ଅତିଥି ଅଧ୍ୟାପିକା – ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
[1] ମୁଖବନ୍ଧ -ଅନେକଦିନ ପରେ
[2] ଅନ୍ଧକାରର ରଙ୍ଗ -ସଳିତା,ପୃ-୮୩
[3] ଅନ୍ଧକାରର ରଙ୍ଗ -ଅନେକ ଅଶ୍ରୁ,ପୃ-୬୪
[4] ଅନ୍ଧକାରର ରଙ୍ଗ -ହଜିଯାଇଥିବା ଲୋକଟି,ପୃ-୩୪
