ମୁହୁଡ଼ା

କେଶରଞ୍ଜନ ପ୍ରଧାନ
135 Views
11 Min Read

କଥାନିମାନେ ଥାବେ ନାଇଁ ରହନ ।

ଅଥକ ଗତି କଥାନି ମାନକର । ଲୋକ କହୁଥିସନ ସୁନୁଥିସନ, କଥା କାନୁ କାନକେ, ଠାନୁ ଠାନକେ, ଇ ସମିଆନୁ ଆରୁ କେନ ସମିଆକେ ବୁହି ଜଉଥିସନ ନଦିର ଧାର ପରା ।  ଧାର ଜେନକେ ଛୁଇଁବା ସେନର ଗୁନ କିଛି ସଁଖଲିବା । ହେଥିର ଲାଗିଁ ଏକାଦସ ସତକର କାସ୍ମିର ରାଜକବି ସୋମଦେବ ତାକର କଥାନି ସଂକଲନର ନାଁ ଦେଲେ ‘କଥା ସରିତ ସାଗର’  ।

‘କଥା ସରିତ ସାଗର’ ଥିଁ ୨୨ ହଜାର ସ୍ଲୋକ, ୧୮ ଖଁଡ଼, ତାକେ କହୁଛନ ସେ ଲମ୍ବକ, ୧୨୪ ଅଧ୍ୟାୟ, ତାକେ ବଲୁଛନ ତରଂଗ । ଇଉରୋପ ବାହିର ମହକାବ୍ୟ ‘ଇଲିଆଡ’ ଆର ‘ଓଡ଼ିସି’ ମିସାଲେ ଜେତେ, ତାର ଦୁଇଗୁଣ ହେବା ସଂସ୍କୃତ ଭାସାର ‘କଥା ସରିତ ସାଗର’ । ଆମର ଦେସ ଭାରତ କଥାନିର ଆଦିପିଠ । ‘ପଂଚତନ୍ତ୍ର’, ‘ହିତୋପଦେସ’, ‘ବେତାଲ କଥା’ କଥାନି ସବୁ ତ ସେହି ସାଗରନ, ସାରା ପୁରଥିର ଜନାସୁନା ଲୋକକଥା; ଜେନ୍ତା କି ‘ଆରବିଆନ ନାଇଟସ’ର କଥାନି, ବୋକାସିଓକର ‘ଡିକାମେରନ’ ଆର ଚସରକର ‘କେଂଟରବରିଟେଲସ’ର ବନିହାନ କଥାନି ମାନକର ମୁଲ ବି ସେନ ।

ହେଲେଁ ସୋମଦେବ କହୁଛନ ‘କଥା ସରିତ ସାଗର’ ସେ ଲିଖିଛନ ‘ବୃହତକଥା’ର ଆଧାରେଁ  । ବୃହତ କଥାର ସାରକେ ସଜେଇ କରି ଲିଖିଛନ, ଜେନ୍ତା ମୁଲ କଥା ଅଛେ ତାର ବଢ଼ାଛିଡ଼ା ନାଇଁ କରି ବଲୁଛନ ସୋମ ଦେବ । ‘ବୃହତ୍କଥାୟାଃସାରସ୍ୟ ସଂଗ୍ରହ ରଚମ୍ୟାହମ୍‌ ।’

Samadhwani Support us

‘ବୃହତ କଥା’ ଗୁଣାଢ୍ୟକଁର କୃତି । କେତେ ବୃହତ ସେ ବୃହତ କଥା? କହତିକେ ତ ସାତ ଲାଖ ସ୍ଲୋକର ଇ ବୃହତ କଥା । ଭାରତର ସାହିତ୍ୟ ସଂସ୍କୃତିର ଲାଗିଁ ବୃହତ ନକସାନ ହେଲା, ବୃହତ କଥା ଆରୁ ନାଇଁ ମିଲବାର, ତାର କବି ଗୁଣାଢ୍ୟ, ଜାହାକର ନାଁ ବ୍ୟାସ ବାଲମିକିକର ସହେତେ ଉଚ୍ଚାରିତ ହେସି, ସେ ବି ହଜି ଜାଇଛନ । ଜେନ ଭାସାଥିଁ ଗୁଣାଢ଼୍ୟ ଲିଖିଥିଲେ, ସେ ପୈସାଚି ଭାସାର ଆର ଲେସ ନାଇଁ ନ ।

ତ ଗୁଣାଢ଼୍ୟ, ବୃହତ କଥା ଆର ପୈସାଚି ଭାସାକେ ନେଇ କରି ଆମେ କିଛି କଥାନି ହିଁ କହିପାରମା ।

୧. ସରଗର କଥାନି ମରତ୍ୟକେ

ଦେବଲୋକନୁ ମୁନସକର ନିକେ କେନ୍ତା ଆଏଲା କଥାନି ?

କଇଲାସ ପରବତନ ମାତା ପାରବତି ସିବକୁଁ କଥାନି କହେବାକେ କହେସନ । ନୁଆଁ କଥାନି; ଜେନଟା କିହେ କହି ନାଇଁ ଥିବେ, ସୁନି ନାଇଁ ଥିବେ, ଜାନି ନାଇଁ ଥିବେ । ହେଲେଁ ଏନ୍ତା କେନ କଥା ଅଗୁଚର ତିନହି ଲୁକର ମାତା, ତିନହି କାଲର ଗ୍ୟାଁତା ଦେବି ଭବାନିକୁଁ ଜେ ସିବସଂକର କହେବେ!

ସେ ବଏଲେ, ଦେବତାମାନେ ଉଲେଦୁଲେ ରହୁଛନ, ସଦା ସୁଖି; ମୁନୁସ ଜିବନ ବଡ଼ା କଲବଲ, ସଦା ଦୁଖି । କଥାନି ଜମକିବା ଅଧା ଦେବତା, ଅଧା ଲୋକ; ବିଦ୍ୟାଧର ମାନକର କଥା କହେଲେଁ  ।  ତ ସିବ କଥାନି କହି ବସସନ । ମାତା ପାରବତି ଏକଲା ସ୍ରୋତା । ନନ୍ଦିକେ ଆଦେସ ହେସି କିହେ ଜେନ୍ତା ନାଇଁ ଆସି ପାରବେ ।

ସିବ ପାର୍ବତିକୁଁ ସୁନାସନ ସାତଟା ବିଦ୍ୟାଧରର ସାତଟା କଥାନି ।

ହେଲେଁ ଇ ସବୁ କଥାନିକେ ପୁସ୍ପଦନ୍ତ ବଲିଁ ଗଣଟେ ଲୁକିକରି ସୁନି ଦେସନ । ଦୁଇଝନ କଥା ହଉଛନ ଆର ସେ କଥାକେ କାନ କରବାରଟାକେ ଗୁନାହ ତ ଆଏ  । (eavesdropping କହେମା ।) ଫେର ପୁସ୍ପଦନ୍ତ ତାକର ସବୁନୁ ବିସ୍ୱାସି ଗଣ ଆନ । ତାକର କଥାନି ସୁନବାର ମନ ବଲମା, କି କଥାନିର ମହିମା ବଲମା, ଅପନାକେ ଲୁକେଇକରି କଥାନି ମାନକେ ସୁନବାର ବିପଦ ମୁଢ଼ାସନ ପୁସ୍ପଦନ୍ତ । ସୁନସନ ତ ସୁନସୁନ, ଜାଇ କରି ଫେନ କହେସନ ତାକର ପତ୍ନି ଜୟାକେ । ସିଆନିନୁ ଏନ୍ତା କଥାନି ଲୁକେଇ ହଏନି । ଜୟା କଥାନି ଜାନଲେ । ନାରିମାନେ ସହଜେଁ କଥାନି ଗୁପତ ରଖି ପାରନ ନାଇଁ । ସେ ଫେର ଜାଇ କରି କଥାନି ସୁନେଇ ବସଲେ ପାର୍ବତିକୁଁ ।

ମାତା ପାରବତି ଆଚମିତ ହେଲେ  । ସିବକୁଁ କହେଲେ, ମୁଇଁ ତ ନୁଆଁ କଥାନି କହେବାକେ କହେଲିଁ, ହେଲେଁ ଇ କଥାନି ସବୁ ତ ଜୟାକେ ବି ଜନା । ସିବ ଧିଆନେ ବସଲେ । ଧରା ପଡ଼ିଗଲେ ପୁସ୍ପଦନ୍ତ । ହର ପାରବତି ରିସ୍ମି   ହେଲେ, ପାର୍ବତି ସାପ ଦେବାର ବେଲକେ ମାଲ୍ୟବାନ ବଲିଁ ଆରୁ ଝନେ ଗଣ କହି ଲାଗଲେ ସଖା ପୁସ୍ପଦନ୍ତ ପଖିଆ । ତ ମାତା ପାର୍ବତି ଦୁହିକୁଁ ମରତ୍ୟକେ ମୁନୁସ ଜନମ ଭୁଗବାକେ ସାପ୍ୟ  ଦେଲେ  ।

ଦୁହେ ବିକଲ ହେଲେ, ଜୟା ବି ମାତାକୁଁ ବିନତି କଲେ । ତ ସାପ୍ୟନୁ ମୁକ୍ତି କରବାର ଉପେ ଦେଲେ ମାତା ।

ମାତା କହେଲେ, ସୁପ୍ରତିକ ବଲିଁ ଜଖ୍ୟଟେ କୁବେରକର ଅଭିସାପ ପାଇକରି ପିସାଚ ହଇ ଜାଇଛେ ଆର ବିନ୍ଧ୍ୟ ପରବତେଁ ଅଛେ । ତାର ନାଁ ଇହାଦେ କାଣଭୁତି । ପୁସ୍ପଦନ୍ତ ବରରୁଚି ହଇକରି ଜନମ ହେବା । ଆର କାଣଭୁତିକେ ଇ ସବୁ କଥାନି କହେବା ତ ତାର ସାପ୍ୟ କଟିଜିବା । ମାଲ୍ୟବାନ ଜନମ ହେବା ଗୁଣାଢ୍ୟ ହଇକରି । ସେ ପୁହୁଁଚିବା ବିନ୍ଧ୍ୟ ପରବତକେ । କାଣଭୁତି ଇ ସବୁ କଥାନି କହେବା ଗୁଣାଢ଼୍ୟକେ ତ କାଣଭୁତିର ସାପ କଟିଜିବା । ଆର ଗୁଣାଢ୍ୟ ପିସାଚ କାଣଭୁତିନୁ ସେ ସୁନଲା କଥାନି ପ୍ରଚାର କରବା ବେଲେଁ ସାପ୍ୟନୁ ମୁକ୍ତି ପାଏବା ।

କେତେଟା ଅଭିସାପ ଆସିର୍ବାଦ ଆଏ । ତାକର ସହେତେଁ କଥାନି ଆଏଲା ମରତ୍ୟକେ ।

କଥାନିର ଏନ୍ତା ଅଥକ ଗତି, ଦେବଲୋକନୁ ମରତ୍ୟ ଲୋକକେ, ଝନକରନୁ ସମକରନିକେ,  ଗୁଟେ ଭାସାନୁ ଆରୁ ଆରୁଭାସାକେ ।

୨. ଗୁଣାଢ଼୍ୟ

କଥାନି ତ କେତେ କେତେ, ବରରୁଚିକର କଥା, କାଣଭୁତି କଥା, ବରରୁଚି  ବିନ୍ଧ୍ୟ ପରବତକେ ଆସିକରି କାଣଭୁତିକୁଁ ସିବକଁର କହେଲା କଥାନି ସୁନାବାର କଥା । ବରରୁଚି ମୁକ୍ତି ପାଏଲେ, ତେତକର କାଣଭୁତି ଟାକି ରହେଲେ ଗୁଣାଢ୍ୟକୁଁ ।

ପ୍ରତିସ୍‌ଠାନ ବଲିଁ ଜେନ ରାଜ୍ୟ, ସେନ ସୁପ୍ରତିସ୍ଠିତ ବଲିଁ ସହରେଁ ଗୁଣାଢ୍ୟକଁର ଜନମ । ମାତା ସ୍ରୁତାର୍ଥ । ଗାନ୍ଧର୍ବ ବିବାହ ହଇଥିସି ତାକର ନାଗରାଜ ବାସୁକିକଁର ଭାଇର ପୁଓ ରାଜକୁମାର କିର୍ତିସେନ ସହେତେଁ । ନିଜର କଥାନିକେ କଥା ସରିତ ସାଗରଥିଁ ନିଜର ଟୁଡ଼େଁ କହେସନ ଗୁଣାଢ୍ୟ । ଆମେ ତାର ସାରକେ ଇନ ନେମା ।

ସବୁ ଗୁନର ଅବତାର ବଲିଁ ଗୁଣାଢ୍ୟ । ସବୁ ଗ୍ୟାନ ବିଗ୍ୟାନ ଆଏତ କରସନ । ସବୁ ସାସତରଥିଁ ପଂଡିତ ହେସନ । ରଜା ସାତବାହନକଁର ଦରବାରକେ ଆଏସନ  । ତାକର ମନତିରି ସର୍ବବର୍ମନ । ସେ ରାଏଜେଁ ଗୁଣର ଆଦର । ଗୁଣାଢ୍ୟ ସେ ରାଏଜେ ରହେସନ ମାନ ଜସ ପାଇକରି ।

ଦିନକର ଦିନେ ରଜା ତାକର ରାନିମାନକର ସହେତେଁ ଗାଧୁଥିସନ । ପାଏଁନ ଝିଁଟୁଥିସନ ଖିଆଲେଁ ଖିଆଲେଁ ରାନିଟାକର ଉପରେଁ  । ରାନିର ସିରିସ କଅଁଲ ଗାଗରକେ ଚିଆସି ତ ବଲସନ ‘ମୋଦକୈର୍ଦେବ ପରିତାଡୟମାମିତି ।’

କାଣା ବୁଝସନ ରଜା ଜେ ମୋଦକ ଭାରେ ଅନେଇ କହେସନ । ରାନି ବଲସନ, ଇହାଦେ ମୋଦକ କାଁକରବେ ମହାରାଜ । ମୁଇଁ ବଏଲିଁ ମା ଉଦକମ, ମୋଦକମ୍‌, ପାଏନ ନାଇଁ ଛିଛର ଆରୁ । ସଂସ୍କୃତର ଇ ସରଲ ସନ୍ଧି କଥାଟେ ବୁଝି ନାଇଁ ପାରଲ । ରାନିମାନେ ହଁସସନ. ରଜାକେ ଅପମାନ ହେସି ।

ରଜା ସଂସ୍କୃତ ସିଖବାକେ ପନ କରସନ । କେତେ ବଛର ଲାଗବା । ଗୁଣାଢ୍ୟ ବଲସନ, କମସେ କମ ବାର ବଛର, ହେଲେଁ ଛ ବଛରେଁ ସିଖେଇ ଦେବେ ରଜାକୁଁ । ମନତିରି ସର୍ବବର୍ମନ ବଏଲେ, ଛ ଛ ବଛର ରଜା ଜଦି ଭାସା ସିଖବେ ବେଲେଁ ରାଜ୍ୟ ଚଲବା କେନ୍ତେହିଁ? ସେ ଛ ମାସେ ସିଖେଇ ଦେବେ ।

ଅଦଭୁତ ଜିଦିବାଦି ହେସି । ଗୁଣାଢ୍ୟ ବଲସନ, ଛ ମାସେ ସିଖେଇ ଦେଲେଁ ସେ ସଂସ୍କୃତ, ପ୍ରାକୃତ, ଦେସି ଭାସା କହେବାର ଛାଡ଼ିଦେବେ । ସର୍ବବର୍ମନ ବଲସନ, ସିଖେଇ ନାଇଁ ପାରଲେଁ ଗୁଣାଢ୍ୟକଁର ପାଦୁକା ବାର ବଛର ମୁଡ଼େଁ ବୁହିବେ ।

କେନ୍ତା କରି ଛ ମାସେ ସର୍ବବର୍ମନ ରଜାକୁଁ ସଂସ୍କୃତ ସିଖାବେ! ସେ ଅଧିଆ ପରସନ କାରତିକେୟ କଁରନ । କାର୍ତିକେୟ ପରସନ ହେସନ । ରଜା ଛ ମାସେଁ ସିଖି ଜାଏସନ ସଂସ୍କୃତ । ରାଏଜ ଜାକର ଉଛବ ଆନନ୍ଦ ହେସି । ସର୍ବବର୍ମନକଁର ସନମାନ ବଢ଼ସି । ଗୁଣାଢ୍ୟ କଲେ ଚୁପ ରାଏଜନୁ ବାହାରି ଜାଏସନ । କେନସି ଭାସା ଆର ସେ କହି ତ ନାଇଁ ପାରନ ।  ନା ସଂସ୍କୃତ, ନା ପ୍ରାକୃତ, ନା ଦେସି । ଝାର ଜଂଗଲ ଖମନ ଆଡ଼କେ ମୁହାଁସନ ଗୁଣର ଅବତାର ଗୁଣାଢ୍ୟ । ସାଂଗେ ଜୁଡ଼େ ସିସ୍ୟ ।

ଗୁଣାଢ୍ୟ ଜାଇ ଜାଇ ପୁହୁଁଚିସନ ବିନ୍ଧ୍ୟ ପରବତ । ସେନ ଦେଖସନ ପିସାଚମାନକୁଁ, ତାକର କଥା ସୁନିସୁନି ତାକର ଭାସା ସିଖି ଜାଏସନ । କଥା ହେସନ ପୈସାଚି ଭାସାଥିଁ । ତ କାଣଭୁତିକୁଁ ଭେଟସନ ବେଲକେ ପୈସାଚି ଭାସା ଆଏତ କରି ସାରିଥିସନ ନ ।

ତ ସିବକଁର କହେଲା କଥାନି ସୁନଲେ ପୁସ୍ପଦନ୍ତ । ସେ ବରରୁଚି ହଇକରି ସୁନାଲେ କାଣଭୁତିକୁଁ ।  କାଣଭୁତି ସୁନାସନ ଗୁଣାଢ୍ୟକୁଁ । ସାତଟା କଥାନି ସାତ ବଛରେଁ ସାତ ଲାଖ ପଦେଁ ବାନ୍ଧସନ ସେ କଥାନିକେ ପୈସାଚି ଭାସାଥିଁ ମହା କବି ଗୁଣାଢ୍ୟ । ସେ ଘୋର ବନସ୍ତରେଁ ସାହି କାହିଁ? କବି ଅପନାର ରକତକେ ସାହି ବନେଇ କରି ଲିଖସନ । କାଣଭୁତି ସାପ୍ୟନୁ ମୁକ୍ତି ପାଇ ଜାଏସନ । ହେଲେଁ ଗୁଣାଢ୍ୟକୁଁ ଇ କଥାନିର ପ୍ରଚାର କରାବେକେ ହେବା, ତେତକର ସିନେ ତାକର ସାପ କଟବା । ତ ଇ ବୃହତକଥାକେ କାଣା କରବେ ଗୁଣାଢ୍ୟ?

୩. ବୃହତ କଥା

ଗୁଣାଢ୍ୟ ରାଜା ସାତ ବାହନ କଁରନିକେ ବୃହତ କଥା ପଠାବାର ଚିନ୍ତା କରସନ । ସେ ହିଁ ଇତାର ପ୍ରଚାର ପ୍ରସାର କରେଇ ପାରବେ । ପ୍ରତିସ୍ଠାନ ରାଜ୍ୟର ରାଜଧାନିକେ ପୁହୁଁଚିସନ । ସହରର ଅଲପଧୁରେଁ  ନିଜେ ରହେସନ ଆର ତାକର ଦୁହି ସିସ୍ୟ; ଗୁଣଦେବ ଆର ନନ୍ଦିଦେବକର ହାତେଁ ବୃହତକଥାକେ ରଜାକରନିକେ ପଠାସନ ।

ରଜା ଦେଖସନ ବୃହତକଥାକେ । କହେସନ, ବିରାଟ ଗ୍ରନ୍ଥ ଆଏ, ସାତ ଲକ୍ଷ ସ୍ଲୋକ  । ହେଲେଁ ମୁନସର ରକତେଁ ଲିଖା ହଇଛେ, ଫେର ପୈସାଚି ଭାସାଥିଁ  । ସଂସ୍କୃତ ଭାସାର ମହାଗ୍ୟାନି ରାଜା ସାତବାହନ ନାକ ଟେକସନ ଇ ଭାସାକେ । ଏନ୍ତା ପଂଡିତ ମାନକର ଭାସା ବିଦ୍ୱେସ ଲାଗିଁ ସାହିତ୍ୟର କାଣା ନୁକସାନ ହେସି ଗୁଟେ ନମୁନା ଇ କଥାନି । ସିସ୍ୟମାନେ ଫିରି ଆଏସନ ଗୁଣାଢ୍ୟକର ନିକେ ।

ତ ଗୁଣାଢ଼୍ୟ ଘୋର ବନସ୍ତର ଭିତରେଁ ହୋମ ଜୁଏ ଜାଲଲେ, ଅଦଭୁତ ସେ ଜଗ୍ୟଁ, ପଢ଼ତେ ଗଲେ ସେ ସବ କଥାନି, ଅପନାର ସିରଜିନା, ଆରୁ ପତରକେ ପତର ଜଲାତେଲ ଗଲେ । ସିସ୍ୟ ଗୁଣଦେବ ଆର ନନ୍ଦିଦେବ ସହେତେଁ ଚାରି କୁତି ପସୁଜତୁଁ, ଚେରେ ଚିରଗୁନ ସୁନଲେ । ପସୁମାନେ ତ ଆହାର ବିହାର ପାସରି କରି ସୁନଲେ ସେ କଥାନି ।

ଇ ଆଡ଼େ ରଜାର ପେଟ ଦୁଖାଲା । ମହଲର ବଇଦ ଜାନଲେ ରଜା ସୁଖା ମାଂସ ଖାଇଛନ ବଲିଁ ଇ ବ୍ୟାଧି ।  ରନ୍ଧନିଆକେ ପଚରାଗଲା ତ ସେ ବଏଲା ସିକାରି ଜେନ ସିକାର ଆନୁଛେ, ହେଟା ସେ ରାନ୍ଧୁଛେ । ସିକାରି ବଏଲା, ମହାରାଜ, ବିନ୍ଧ୍ୟ ପରବତର ସବୁ ପସୁ ଠାନେକେ ଠୋଲ, କିଏ ଝନେ କାଣା କାଣା କଚର କଚର କରୁଛନ, ଆମର ସମଝ ବାହାର । ପସୁପଖି ସୁନୁଛନ, କାନ୍ଦୁଛନ, ଅଖିଆ ଅପିଆ ସେ ସବୁ ସୁନିସୁନି ସୁଖି ଜାଇଛନ ।

ରଜା ସାତବାହନ ଜାନଲେ ଆର ତତାପନା ପୁହୁଁଚିଲେ ଗୁଣାଢ଼୍ୟକଁର ପାସକେ । ହେଲେଁ ସେତେ ବେଲକେ ସାତ ଲାଖ ସ୍ଲୋକନୁ ଛ ଲକ୍ଷ ଜଲିଗଲେନ । ଜେତକ ରହେଲା ରାଜା ସାତବାହନ ତାକେ ଆନଲେ, ଗୁଣଦେବ ଆର ନନ୍ଦିଦେବକର ସାହାଜ୍ୟ ନେଇକରି ପ୍ରଚାର କଲେ । ଗୁଣାଢ଼୍ୟ ସାପ୍ୟନୁ ମୁକ୍ତି ପାଇଗଲେ ।

୧୧ସ ସତକନ ସୋମଦେବ ସଂସ୍କୃତଥିଁ ସେ କଥାକେ ‘କଥା ସରିତ ସାଗର’ ବଲିଁ ଲିଖଲେ । ଅଠର ଖଣ । ସେଥିର ଦ୍ୱାଦସ ଲମ୍ବକଥିଁ ‘ବେତାଲ ପଂଚବିଂସତି’ । ତାର ସମଲପୁରି/କୋସଲି ଅନୁସୃଜନ ‘ବେତାଲ କଥା’ ।

ଇ କଥାନି ସବୁର ପ୍ରସ୍ତୁତି ଥିଁ ମୋର ଌ (ଲୁ) ପରିବାରର ଉଦ୍ଧବ, ଦୟାସାଗର ଆର ସୁଧିରର ସମିଆ ଆର ସହଜୋଗ ରହିଛେ । କଥାକାର ଧନପତି ମହାପାତ୍ର ଇ କଥାନି ମାନକେ ସୁନବାକେ ମନ କରିଛନ, ସମଲପୁରି ସାହିତ୍ୟରଥି ଉତ୍ପନ୍ନ କୁମାର ଭୋଇ ସଦାବେଲେଁ ସହଜୋଗ କରିଛନ, ଗବେସକ ଡଃ ସନ୍ତୋସ ରଥ ଇ କଥାନି ମାନକର ଅନୁସୃଜନ ଲାଗିଁ ଅନୁପ୍ରେରିତ କରିଛନ ଆର ଡଃ ଗୌରିଦାସ ପ୍ରଧାନ ବହିର ମଲାଟନ ମୋର ବିସେଥିଁ ଦୁଇପଦ ଲିଖିକରି ମତେ ଅନୁଗୃହିତ କରିଛନ । ସମକୁଁ ଧନ୍ୟବାଦ ।

 

କେସରଂଜନ

ଌ ନାଟକ ଆସ୍ରମ, ପଦମପୁର

(ଇ ବହିଥିଁ ଗୁଟେ ସ, ଗୁଟେ ଜ, ଖାଲି ହର୍ସ ଇ ଆର ହର୍ସ ଉ ବେଭାର ହଇଛେ । ହଲନ୍ତ ଦିଆ ନାଇଁ ହଇଁ । ଆମର ଭାସାର ପାଠକ ମାନକୁ ଇଟା ସହଜ ହେବା ବଲିଁ ଆସା । )

 

Share This Article
ନାଟ୍ୟକାର, ନାଟ୍ୟ ନିଦ୍ଦେଶକ